ନୀଳ ଚାଷୀଙ୍କର ଦୁଃଖ

ନଟବର ଷଡ଼ଙ୍ଗୀ Natabar Sadangi
100 Views
31 Min Read

ବିଷୟକୁ ଆସିବା ପୂର୍ବରୁ ଏକ ସଂକ୍ଷିପ୍ତ ସୂଚନା ଦେବାକୁ ଚାହୁଁଛି । ୧୭୫୭ ଖ୍ରୀ.ଅ ପର୍ଯ୍ୟନ୍ତ କୃଷି, ହସ୍ତଶିଳ୍ପ, ଶିକ୍ଷା, ସ୍ୱାସ୍ଥ୍ୟ, ବାଣିଜ୍ୟ କାରବାର ପାଇଁ ଭାରତ ପୃଥିବୀରେ ଏକ ନମ୍ବର ଥିଲା । ପ୍ରତ୍ୟେକ ଗାଁରେ ଚାଷୀ ଥିଲେ, ଚାଷ ଥିଲା । କାଠ କାମପାଇଁ ବଢ଼େଇ, ଲୁହାକାମ ପାଇଁ କମାର, ବୁଣାକାର, ଦୋକାନ ବଜାର, ଚମାର, ଧୋବା, ବାରିକ, ବେତ, ବାଉଁଶ କାମ ପାଇଁ କାରିଗର ଥିଲେ । ପ୍ରତି ଗାଁରେ ଚାଟଶାଳୀ, ଷୋଡ଼ଶ ଶତାବ୍ଦୀ ବେଳକୁ ସ୍କୁଲ, ରୋଗ ବଇରାଗ ପାଇଁ କବିରାଜମାନେ ଥିଲେ । ଭାରତ ପୃଥିବୀକୁ ବୀଜଗଣିତ, ଶୂନ୍ୟର ବ୍ୟବହାର, ଦଶମିକ, ଜ୍ୟାମିତ ସମ୍ପର୍କିତ ଜ୍ଞାନ ଯୋଗାଉଥିଲା । ଭାରତ ବାସ୍ତବରେ ଏକ ସ୍ୱୟଂସମ୍ପୂର୍ଣ୍ଣ ଦେଶ ଭାବେ ନିଜକୁ ପରିଚିତ କରିପାରିଥିଲା । ବୈଦେଶିକ ଶତ୍ରୁମାନେ ବାରମ୍ବାର ଲୋଭ ଓ ଲାଭର ବଶବର୍ତ୍ତୀ ହୋଇ ଭାରତ ଉପରେ ହାମଲା କରିଛନ୍ତି । ମାତ୍ର ଗୋରା ସରକାର ଭଳି ଚାଷ ଓ ଚାଷୀ ଉପରେ ହାମଲା କରିନଥିଲେ ।

ଆଗରୁ ପଢ଼ିଛନ୍ତି ରକ୍ତଶୋଷା ଚାଷ ଅଫିମ ଓ କପା । ଚାଷୀର ଦୁର୍ଦ୍ଦଶା ଓ ଦୁର୍ଭିକ୍ଷର ତାଣ୍ଡବଲୀଳା ଚାଷୀ ଭୋଗିଛି । ବିଲାତ ସରକାର ଭାରତକୁ ଲୁଟି ଊନବିଂଶ ଶତାବ୍ଦୀ ଶେଷବେଳକୁ ଖୋଳ କରିସାରିଲାଣି । ୧୮୦୦ ଖ୍ରୀ.ଅ ବେଳକୁ ଭାରତ ପୃଥିବୀକୁ ତନ୍ତଲୁଗା ସିଲ୍କ ଶାଢ଼ୀ, ଚଦର ଓ ପଶମର ସାଲ ଯୋଗାଉଛି । ବିଲାତ, ଆମେରିକାରେ ଭାରତୀୟ ହସ୍ତତନ୍ତ ଲୁଗାର ଆଦର ବଢୁଛି । ଭାରତରେ ଶାଢ଼ୀର ବିଶେଷତ୍ୱ ଏହାକୁ ଯେତେ ସଫା କଲେ ବା ଧୋଇଲେ ବା ପୁରୁଣା ହେଲେ ବି ରଙ୍ଗ ଅଧିକ ଚିକ୍ ଚିକ୍ କରୁଛି । କାରଣ ଅନୁସନ୍ଧାନରେ ଲାଗିଗଲେ । ଭାରତରେ ଶହଶହ ବର୍ଷଧରି ଚାରିଆଡ଼େ ଦେଖାଦେଉଥିବା ଜଙ୍ଗଲି ଗଛ ସବୁରୁ ରଙ୍ଗ ପ୍ରସ୍ତୁତ କରି ଲୁଗାରେ ରଙ୍ଗ ଦେଉଥିବା ଜାଣିଲେ । ନୀଳ ଗଛରୁ ରଙ୍ଗ ପ୍ରସ୍ତୁତ କରିବା ପାଇଁ ଗବେଷଣାର ଆବଶ୍ୟକତା ଅନୁଭବ କଲେ । ସେତବେଳକୁ ଭାରତରେ ତିଆରି ନୀଳ ଘରୋଇ ବ୍ୟବହାରରେ ଲାଗୁଥିଲା । ବେଳେବେଳେ ଅଳ୍ପ କିଛି ବଳକା ରଙ୍ଗ ଆରବ ବାଟ ଦେଇ ୟୁରୋପକୁ ପଠାଯାଉଥିଲା । ((Asking The Earth:Farms,Forestry and Survival in India by Winin Pereira and Jeremy seabook – page 121) M.S. Randhawa, ଙ୍କ ଦ୍ୱାରା ଲିଖିତ History of Agriculture in India Vol-1 ପୃଷ୍ଠା ୧୫୪ -୧୫୬ରୁ ମିଳୁଥିବା ତଥ୍ୟ ଅନୁସାରେ-ଭାରତରୁ ବିଲାତକୁ ନୀଳ ରପ୍ତାନି ହୁଏ ୧୭୯୦ ଖ୍ରୀ.ଅ ଠାରୁ । ୧୭୯୦ ଆଗରୁ ବିଲାତକୁ ନୀଳ ପଶ୍ଚିମ ଭାରତ ଦୀପପୁଞ୍ଜ ସେଣ୍ଟ ଡୋମିନଗୋରୁ ଆମଦାନୀ ହେଉଥିଲା । ଫରାସୀ ବିପ୍ଲବ ପୂର୍ବରୁ ଡୋମିନଗୋ ପୃଥିବୀର ସମସ୍ତ ନୀଳ ଆବଶ୍ୟକତା ପୂରଣ କରୁଥିଲା । ମାତ୍ର ଫରାସୀ ବିପ୍ଲବ ସମୟରେ କୃଷ୍ଣକାୟ ନୀଳଚାଷୀମାନେ ସମସ୍ତ ନୀଳ ଚାଷ ନଷ୍ଟ କରି ନୀଳ ତିଆରି କାରଖାନାଗୁଡିକ ଭାଙ୍ଗିରୁଜି ଚୂନା କରିଦେଲେ । ଇଷ୍ଟଇଣ୍ଡିଆ କମ୍ପାନୀ ନୀଳ ପାଇଁ ବର୍ତ୍ତର୍ମାନ ଭାରତ ଉପରେ ଆଖି ପକାଇଲା । ୧୮୩୦ବେଳକୁ ୟୁରୋପ ବଜାରରେ ଭାରତୀୟ ନୀଳ ହିଁ ଉପଲବ୍ଧ ହେଉଥିଲା । ଢାକା ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଗଙ୍ଗା ନଦୀ କୂଳେ କୂଳେ ବଙ୍ଗଳା, ବିହାର, ଉତ୍ତରପ୍ରଦେଶରେ ନୀଳ ଚାଷ ବ୍ୟାପକ ହେଲା । ବିଲାତକୁ ବାର୍ଷିକ ନୀଳ ରପ୍ତାନି ମୂଲ୍ୟ ୯ ନିୟୁତ ପାଉଣ୍ଡ ହେଉଥିଲା । ବିଲାତର ପ୍ଲାଣ୍ଟରମାନେ ରାଜସ୍ୱ ଓ ଶ୍ରମିକ ମଜୁରୀ ବାବଦକୁ ବାର୍ଷିକ ୧,୬୮୦,୦୦୦ ପାଉଣ୍ଡ ଖର୍ଚ୍ଚ କରୁଥିଲେ । କାରଖାନାରୁ ନୀଳ ସଂଗ୍ରହ ହୋଇ କଲିକତାରେ ପହଞ୍ଚିଲା ବେଳକୁ ମୂଲ୍ୟ ୨,୪୦୩,୦୦୦ ପାଉଣ୍ଡ ହେଲାଣି ଏବଂ ବିଲାତରେ ପହଞ୍ଚିଲାବେଳକୁ ଏହାର ମୂଲ୍ୟ ୩,୬୦୦,୦୦୦ । ବଙ୍ଗଳାର ଜେସୋର, କୃଷ୍ଣନଗର ଏବଂ ତିରହଟ ଏବଂ ବିହାରର ଚମ୍ପାରଣ ଜିଲ୍ଲାରେ ୩୦୦ରୁ ୪୦୦ ନୀଳ କାରଖାନା କାମ କରୁଥାଏ ।

ଭାରତରେ ଦେଶୀପ୍ରଣାଳୀରେ ପ୍ରସ୍ତୁତ ନୀଳ ଉଚ୍ଚମାନର ନଥିଲା । ଇଷ୍ଟଇଣ୍ଡିଆ କମ୍ପାନୀ ବିଲାତି ପ୍ଲାଣ୍ଟରମାନଙ୍କୁ ଅଗ୍ରୀମ ଅର୍ଥ ଦେଇ ନୀଳ ଚାଷପାଇଁ ଉତ୍ସାହିତ କଲେ । ୧୮୧୯ବେଳକୁ କମ୍ପାନୀମାନେ ବିଲାତକୁ ଆଖିଦୃଷ୍ଟିଆ ନୀଳ ରପ୍ତାନୀ କଲେ । ମାତ୍ର ନୀଳ ଚାଷୀକୁ ଶୋଷଣକରି କମ୍ପାନୀମାନେ ମାଲାମାଲ ହେଲେ । ବଙ୍ଗଳା ଓ ବିହାରରେ ଦୁଇ ପ୍ରକାରର ସାହେବ ଓ ନୀଳ ବେପାରୀ ଥାଆନ୍ତି । କେତେକ ନୀଳ କାରଖାନା କରି ନୀଳ ରଙ୍ଗ ଉତ୍ପାଦନ କରନ୍ତି । ଏମାନଙ୍କୁ ପ୍ଲାଣ୍ଟର (planter) କୁହାଯାଏ । ଆଉ କେତେକ ନୀଳ କାରଖାନାରୁ ନୀଳ ନେଇ ବିଲାତ ପଠାନ୍ତି । ଏମାନେ ନୀଳ ବେପାରୀ (indigo Merchants) । ଏମାନେ ବିଲାତର ନିମ୍ନ ଶ୍ରେଣୀର ଗୋରାବେପାରୀ । ତାଙ୍କୁ ଚାରିଖୁଣ ମାଫ୍ । ସେମାନେ ନୀଳ ଚାଷୀମାନଙ୍କୁ (Growers) ଯେତେବି ନିର୍ଯାତନା ଦେଲେ, ଶୋଷଣ କଲେ ବିଲାତ ସରକାର ତାଙ୍କ ଦିହରେ ହାତ ଲଗାଇବେ ନାହିଁ । ନୀଳ କମ୍ପାନୀ ମାଲିକ ଓ ବେପାରୀମାନେ ନୀଳ ଚାଷୀମାନଙ୍କୁ ପଶୁ ଭଳି ବ୍ୟବହାର କଲେ । ମାଡ଼ମାରିବା, ଜୋର ଜବରଦସ୍ତି ମାଗଣା କାରଖାନାରେ ଖଟେଇବା, ବାକିଆ ପଇସା ଆଦାୟ କରିବା ପାଇଁ ୧୦/୧୫ ଚାଷୀଙ୍କୁ ଗୋଟାଏ ନିବୁଜ ଘରେ ଗୋରୁ ଭଳି ପୁରାଇ ମରଣାନ୍ତକ ଅବସ୍ଥାରେ ପକାଇବା, ଆଣ୍ଠୁ ତଳେ ଗୋଡ଼ି ଦେଇ ଆଠେଇବା ଭଳି ଅକଥନୀୟ ଦଣ୍ଡ ଦେଉଥିଲେ । Randhawa, A History of Agriculture in India Vol-1 ରେ ଲେଖନ୍ତି ““Planters used to confine them in stocks to recover balance . They also resorted to rattan . In 1810 the Government was compelled to issue a circular , which directed magistrates to cause the destruction of the stock ,to report cases of flogging and inflicting corporal punishment on the cultivators and to prevent European planters from residing in the interior unless they conformed with the spirit of the government orders . A further circular issued on 20 July1810 directed magistrates to report cases in which the indigo planters compelled the cultivators to receive advances and adopted illicit means to compel them to cultivate indigo” ୧୮୫୦ ମସିହାବେଳକୁ ଚମ୍ପାରନ ଜିଲ୍ଲାରେ ଜନ ବିମସ ଜିଲ୍ଲାପାଳ ନିଯୁକ୍ତ ହୁଅନ୍ତି । indigo planterମାନେ ଚମ୍ପାରଣର ନୀଳ ଚାଷୀମାନଙ୍କ ଉପରେ କିପରି ଅମାନୁଷିକ ଅତ୍ୟାଚାର ଓ ଶୋଷଣ କରୁଥିଲେ, ବିଲାତ ସରକାରଙ୍କୁ ଜଣାନ୍ତି । ଚମ୍ପାରଣରେ ମୂଳ ଗୋରା ନୀଳବେପାରୀମାନେ ମନବୋଧିଆ ପଇସା କମେଇ ବିଲାତ ଫେରି ଯାଉଛନ୍ତି । ସେମାନଙ୍କର ବେପାର ମ୍ୟାନେଜର ମାନଙ୍କ ହାତରେ ଛାଡ଼ି ଯାଉଛନ୍ତି । ମ୍ୟାନଜରମାନେ ବିଲାତର ମାମୁଲି ଗୋରା ଲୋକ ଏବଂ କେତେକ ସ୍ଥାନରେ ଦେଶୀ (Native) ବର୍ଗର । ସେମାନଙ୍କ ମଧ୍ୟରୁ ଅନେକ ଅଳ୍ପ ଶିକ୍ଷିତ, ଘୋଡ଼ା ମଦୁଆ, ନଷ୍ଟ ଚରିତ୍ର ଏବଂ ସ୍ଥାନୀୟ ଚାଷୀମାନଙ୍କୁ ନିଷ୍ଠୁର ବ୍ୟବହାର କରୁଥାନ୍ତି । ଚାଷୀମାନଙ୍କ ପ୍ରତି ସେମାନଙ୍କର ଦୟା ମାୟା ନଥାଏ ।

ଚମ୍ପାରଣ ଜିଲ୍ଲାରେ ବେଟିଆ ଗୋଟିଏ ସବ୍ ଡିଭିଜନ । ବେଟିଆର ମହାରାଜା ଜେନ୍ ଖୁବ ଧନୀଲୋକ । ଚମ୍ପାରଣ ଜିଲ୍ଲାର ପ୍ରାୟ ସବୁ ଚାଷ ଜମିର ସେ ଏକାକୀ ମାଲିକ । ଜଣେ ଜଣେ ବଡ଼ ଚାଷୀକୁ ଗୋଟିଏ ଗୋଟିଏ ଗାଁ ଲମ୍ବା ସମୟପାଇଁ ଲିଜ ଦେଇଥାନ୍ତି । ଏହି ଚାଷୀମାନଙ୍କୁ ମୁସ୍ତାଜିର କୁହାଯାଏ । ଏମାନେ ମହାରାଜାଙ୍କୁ ବାର୍ଷିକ ନିର୍ଦ୍ଧାରିତ ଖଜଣା ପଏଠ କରନ୍ତି । ମୁସ୍ତାଜିରମାନେ ଗାଁର ଛୋଟ ଚାଷୀମାନଙ୍କୁ କିଛି କିଛି ଜମି ଦେଇ ଉଚ୍ଚ ହାରରେ ଖଜଣା ଆଦାୟ କରନ୍ତି । ନିକମା ଗୋରାସାହେବମାନେ ଆସିଗଲେ । ନୀଳ ଚାଷକରି କାରଖାନା ବସାଇବେ । ଏମାନେ ମହାରାଜାଙ୍କୁ ପଟକେଇ ମୁସ୍ତାଜିରଙ୍କ ଲିଜ୍ ରଦ୍ଦ କରି ନିଜେ ଜଣେଜଣେ ୧୫ /୨୦ଟି ଲେଖାଏଁ ଗାଁ ଦୀର୍ଘମିଆଦୀ ଲିଜ୍ ନେଲେ । ପ୍ରତି ସାହବର ଗାଁ ଗୁଡିକୁ ଗୋଟିଏ ଗୋଟିଏ ଦିହାଟ କୁହାଯାଉଥିଲା । ଏହିଭଳି ଗୋଟିଏ ଗୋଟିଏ ଦିହାଟରେ ୨/୩ ନୀଳ ତିଆରି କାରଖାନା ସେଇ ନିକମା ଗୋରାସାହବମାନେ ବସାନ୍ତି । ବର୍ତ୍ତମାନ ପ୍ରତି ଗାଁର ମୁଖିଆକୁ ଡାକି ପାକଳେଇବେ । ମୁଖିଆକୁ ମନେଇ କରିହଉ ନ ହେଲେ ଭୟ ଦେଖାଇ ଚୁକ୍ତିପତ୍ରରେ ଦସ୍ତଖତ କରାଇନେବେ । ସେମାନେ ଚାଷୀମାନଙ୍କୁ ପ୍ରତି ବିଘା ଜମିରୁ ଚାରିକଠା ଜମିରେ ନୀଳ ଚାଷ ନିଶ୍ଚୟ କରାଇବେ । ଅର୍ଥାତ ଗାଁ ଜମିର ଏକ ଚତୁର୍ଥାଂଶ ନୀଳ ଚାଷ ହେବ । ଖରିଫ ଚାଷ ସମୟ ଆସିଲେ, ଜନ ବିମସ ଲେଖୁଛନ୍ତି, “when the season for sowing came round each ryot received a quantity of seed ( Indigo seed ) Sufficient to sow his land , also a small amount of advance of money for expanses of ploughing ,sowing, weeding etc . At the harvest time the ryot had to cut the indigo and carry to the factory where it was daily measured and paid for at a certain rate after deducting the amount previously they advanced .If the amount of indigo plant delivered by the ryot fell short of the quantity which ,according to the planters estimate . ought to be out turn was of the seed sown , a proportionate sum of money was deducted from the payment .In this way the ryot was always in debt to the factory ,and it is the planters interest to keep him so ,” (Beams John – Memoirs of a Bengal civilian .pp172, 173 )

ବଙ୍ଗଳା ଓ ବିହାରରେ ନୀଳଚାଷୀମାନଙ୍କ ଉପରେ ନିର୍ଯାତନା ୫୦ ବର୍ଷ ଧରି ଅବ୍ୟାହତ ଥିଲା । ବଙ୍ଗଳାର ନାଟ୍ୟକାର ଦୀନବନ୍ଧୁ ମିତ୍ର ଏକ ସ୍ମରଣୀୟ ନାଟକ ‘ନୀଳଦର୍ପଣ’ ପ୍ରଦର୍ଶନ ମାଧ୍ୟମରେ ବିଲାତର ନୀଳ କାରଖାନା ମାଲିକମାନେ ନୀଳଚାଷୀ ପ୍ରତି କରୁଥିବା ଅକଥନୀୟ ଅତ୍ୟାଚାର, ଜୁଲୁମକୁ ଲୋକଲୋଚନକୁ ଆଣନ୍ତି । ୧୮୬୦ ମସିହାରେ ରେଭ ଜେମସ ଲଙ୍ଗ ‘ନୀଳ ଦର୍ପଣ’କୁ ଇଂରାଜୀରେ ଅନୁବାଦ କରନ୍ତି । ନାମ ଦିଅନ୍ତି ‘Blue Mirror’ । ବିଲାତ ସରକାର ଖବର ପାଇଁ ଉତକ୍ଷିପ୍ତ ହୁଅନ୍ତି ଏବଂ କଲିକତା ଉଚ୍ଚ ନ୍ୟାୟାଳୟରେ ସରକାର ଲଙ୍ଗ୍ ଙ୍କ ବିରୋଧରେ ମକଦ୍ଦମା ଦାଏର କରନ୍ତି । ବିଲାତି ସାହେବଙ୍କ କଳା କରନାମା ପଦାରେ ପଡିଯାଉଛି । ହାଇକୋର୍ଟରେ ବିଲାତି ଜଜ୍ । ସେମାନେ ଚାହାନ୍ତି ନାହିଁ ଇଂରେଜମାନଙ୍କର ଚାଷୀକୁ ଶୋଷଣ, ଚାଷୀ ଉପରେ ଅତ୍ୟାଚାର ବିଦେଶରେ ଅନ୍ୟମାନେ ଜାଣନ୍ତୁ । ଉଚ୍ଚ ନ୍ୟାୟାଳୟ ଜେମସ ଲଙ୍ଗକୁ ଦୋଷୀ ସାବ୍ୟସ୍ତ କରି ଜରିମାନା ଓ ଜେଲ ଦଣ୍ଡରେ ଦଣ୍ଡିତ କଲେ । ବଙ୍ଗଳାର ନାଗରିକବର୍ଗ ନୀଳଚାଷର ଘୋର ବିରୋଧ କଲେ । ୧୮୫୯–୧୮୬୦ ବେଳକୁ ବଙ୍ଗଳାରେ ନୀଳଚାଷୀ ବିଦ୍ରୋହ ।

୧୮୫୬ ଜନ କ୍ୟାନିଂଙ୍କୁ ବିଲାତ ସରକାର ଭାରତର ଗଭର୍ଣ୍ଣର ଜେନେରାଲ ନିଯୁକ୍ତି କରନ୍ତି । ୧୦ ମେ ୧୮୫୭ରେ ଭାରତୀୟ ସୈନ୍ୟମାନେ ମିରାଟରେ ବିଲାତ ଶାସନ ବିରୁଦ୍ଧରେ ମହାବିଦ୍ରୋହ କରନ୍ତି । ସାହେବୀ ସୈନ୍ୟ ଅଧିକାରୀମାନଙ୍କୁ ମାରି ଦିଲ୍ଲୀ ପର୍ଯ୍ୟନ୍ତ ମାଡି ଯାଇଥିଲେ । ଦିଲ୍ଲୀରେ ଭାରତୀୟ ସୈନ୍ୟମାନେ ଅଧିକସଂଖ୍ୟାରେ ବିଦ୍ରୋହୀଙ୍କ ସହିତ ହାତ ମିଳାଇଲେ । ମାତ୍ର ବିଲାତ ସୈନ୍ୟବାହିନୀ ବିଦ୍ରୋହ ଦମନ କଲେ ଏବଂ ୮ ଜୁଲାଇ ୧୮୫୮ରେ କ୍ୟାନିଂ ଶାନ୍ତି ଘୋଷଣା କଲେ । କ୍ୟାନିଂ ବିଲାତ ସରକାରଙ୍କ ସମ୍ମତିରେ ନୀଳ କାରଖାନା ମାଲିକମାନେ ନୀଳ ଚାଷୀମାନଙ୍କ ଉପରେ ଜୁଲୁମ ଓ ଅତ୍ୟାଚାରକୁ ଆପଣାତଃ ବନ୍ଦ କରି ପାରିଥିଲେ । ଚାଷୀମାନଙ୍କ ଇଚ୍ଛାବିରୁଦ୍ଧରେ ପ୍ଲାଣ୍ଟରମାନେ ସେମାନଙ୍କୁ ନୀଳ ଚାଷ କରିବାପାଇଁ ବାଧ୍ୟ କରିପାରିବେ ନାହିଁ ଆଦେଶ ଜାହିର କରାଗଲା ।

ଏଥିମଧ୍ୟରେ ବହୁଦେଶୀୟ ନୀଳ କମ୍ପାନୀମାନେ ରାସାୟନିକ ପ୍ରକ୍ରିୟାରେ ନୀଳ ରଙ୍ଗ ଉଦ୍ଭାବନ ପାଇଁ ଉଦ୍ୟମ ଆରମ୍ଭ କରିଥାନ୍ତି । ୧୮୫୦ବେଳକୁ ବିଲାତର ରସାୟନବିତ୍ ମାନେ ନୀଳର ବିକଳ୍ପ ଉଦ୍ଭାବନରେ ଲାଗିଗଲେ । ମାତ୍ର ଜର୍ମାନ କେମିଷ୍ଟମାନେ ଏହି ପ୍ରଚେଷ୍ଟାରେ ଆଗକୁ ଆସିଗଲେ । ସେମାନେ କୋଲଟାର୍ରୁ ଆନିଲାଇନ ରଙ୍ଗ ବାହାର କଲେ । ୧୮୯୭ ବେଳକୁ Badische Aniline Company ସିନ୍ଥେଟିକ୍ ନୀଳ ଉତ୍ପାଦନ (production) କରିପାରିଥିଲା । ପ୍ରାକୃତିକ ନୀଳର ଚାହିଦା କମି ଆସିଲା । ବିହାରର planterମାନେ ସେତେବେଳକୁ ୫୭୪,୦୦୦ ହେକ୍ଟର ଜମିରେ ନୀଳ ଚାଷ କରାଇଥିଲେ । ମାତ୍ର ୧୯୧୧ବେଳକୁ ଏହା ୮୬୦୦୦ ହେକ୍ଟରକୁ ଖସି ଆସିଲା । ନୀଳ କାରଖାନାରେ କାମ କରୁଥିବା ବହୁସଂଖ୍ୟକ ଶ୍ରମିକ ଛଟେଇ ହୋଇଗଲେ । ଏପରିକି କାମ ଦାମ ନପାଇ ଶହ ଶହ ଶ୍ରମିକ ଭୋକ ଉପାସରେ ମୃତ୍ୟୁମୁଖରେ ପଡ଼ିଲେ । କାହାକୁ କହିବେ । ଆମେ ହାତ ମାଛତ ଚିଲକୁ ଦେଇଛୁ । ବିଲାତ ସରକାର । ବିଦେଶୀ ସାହେବ ସେମାନେ ଆମ ଦେଶରୁ ସିନା ଧନ ସମ୍ପତ୍ତି ବୋହିନେଲେ, ଆମ ଭଲ ମନ୍ଦକୁ ସେ କାହିଁକି ଚାହିଁବେ । ବିଲାତ ଗୋଟେ ସଭ୍ୟ ଦେଶ ବୋଲି ଫୁଟାଣି କରେ । ନୀଳଚାଷୀଙ୍କ ଉପରେ ଅତ୍ୟାଚାର ଓ ଶ୍ରମିକ ମାରଣ ନୀତି ତାଙ୍କ ସଭ୍ୟତାର ନିଦର୍ଶନ!

ସାହେବମାନେ ତ ନୀଳ କାରଖାନା କଲେ । ପୁଞ୍ଜି କେଉଁଠୁ ଯୋଗାଡ଼ କଲେ? ବିଲାତ ଦଲାଲ ମାଛତେଲରେ ମାଛ ଭାଜିବା ଲୋକ । ଭାରତରୁ ଯେଉଁ ରାଜସ୍ୱ ଆଦାୟ କଲେ ସେଥିରୁ ସିଂହଭାଗ ବିଲାତ ଟ୍ରେଜେରୀରେ ଜମା ହେଲା । ଭାରତରେ କୌଣସି ଲୋକହିତକର କାର୍ଯ୍ୟରେ ପଇସାଟିଏ ଖର୍ଚ୍ଚ କରନ୍ତି ନାହିଁ । ନୀଳ କମ୍ପାନୀମାନେ ବିଲାତ ଟ୍ରେଜେରୀରେ ଜମା ଭାରତୀୟ ଅର୍ଥ ଗ୍ରାଣ୍ଟ ଋଣ ଆକାରରେ ଆଣିଲେ । ଆମରି ପଇସାରେ ବେପାର କରି ଆମ ଚାଷୀ, ଶ୍ରମିକକୁ ଲହୁଲୁହାଣ କଲେ । କେତେଯେ ନୀଳ ଚାଷୀଙ୍କୁ ହତ୍ୟା କରିଛନ୍ତି ତାର ହିସାବ ନାହିଁ । ଅଦାଲତରେ କେସ୍ କଲେ ବିଚାରପତି ଗୋରା ସାହବ । ସେ କ’ଣ ଗୋରା ନୀଳକାରଖାନା ମାଲିକଙ୍କୁ ଦଣ୍ଡ ଦେବେ । ନାଁ । ନିର୍ଦ୍ଦୋଷରେ ଖଲାସ । ମାତ୍ର ଜଣେ ଗୋରାସାହେବ ଦେଶୀ ଲୋକଙ୍କ ନାମରେ (ତାଙ୍କ ଭାଷାରେ (Nativ) ମକଦ୍ଦମା କଲେ ଆସାମୀକୁ ସମସ୍ତ ସାକ୍ଷ୍ୟ ପ୍ରମାଣ ଆସାମୀ ସପକ୍ଷରେ ଥିଲେ ମଧ୍ୟ ୧୦ ବେତ, ବେଳେବେଳେ ୫୦ ବେତଦଣ୍ଡ ସହିତ ଜେଲ ଜରିମାନା । ୧୮୭୫ ମସିହାରେ ବ୍ରିଟିଶ ଇଣ୍ଡିଆର (ଭାରତ)ରେ ୩୩୬,୦୦୦ ହେକ୍ଟର ଜମିରେ ନୀଳଚାଷ ହେଉଥିଲା । ଆର୍ଟିଫିସିଆଲ ନୀଳ ବିଲାତରେ ସେତବେଳକୁ ମିଳୁଥିଲେ ମଧ୍ୟ ଭାରତୀୟ ନୀଳର ମାନ ଖୁବ ଉଚ୍ଚରେ ଥିଲା । ମାଂଚେଷ୍ଟର ଲୁଗାକଳମାନେ ଭାରତୀୟ ନୀଳକୁ ଅଧିକ ଦାମ ଦେଇ କିଣୁଥିଲେ । ଏଥିପାଇଁ ୧୮୯୫ବେଳକୁ ବିହାର, ବଙ୍ଗରେ ୪୦୫,୦୦୦ ହେକ୍ଟର ଜମିରେ ନୀଳ ଚାଷ ହେଲାଣି । ଉତ୍ପାଦିତ ନୀଳର ମୂଲ୍ୟ ୧୮୭୫ରେ ୨,୮୭ କୋଟି ଟଙ୍କା ଥିଲାବେଳେ ୧୮୯୫ ବେଳକୁ ଏହା ୫,୩୬ କୋଟିରେ ପହଞ୍ଚିଲାଣି । ୧୮୯୪ -୯୫ ରେ ୪.୭୫ କୋଟି ଟଙ୍କାର ନୀଳ ଭାରତରୁ ବିଲାତକୁ ରପ୍ତାନି ହୋଇଥିଲା । ସେବର୍ଷ ଭାରତରେ ଉତ୍ପାଦିତ ନୀଳର ୮୮.୬ ପ୍ରତିଶତ ବିଦେଶକୁ ରପ୍ତାନି ହୋଇଥିଲା । ୧୯୦୧ରେ ଭାରତରେ ୮୯୮ଟି ନୀଳ କାରଖାନା ଥିବାର ବିଲାତି ଦସ୍ତାବିଜରେ ଉଲ୍ଲେଖ ଅଛି । କାରଖାନାମାନଙ୍କରେ ମୋଟ ୧୭୩,୦୦୦ ଶ୍ରମିକ କାମ କରୁଥିଲେ । ଅର୍ଥାତ ପ୍ରତି କାରଖାନାରେ ୨୦୦ଶ୍ରମିକ କାମ କରୁଥିଲେ । ((Indian Economy – 1858 -1914 ,Irfan Habib page – 79).

ଖ୍ରୀ.ଅ ୧୯୦୦ ବେଳକୁ ଭାରତରେ ନୀଳ ଚାଷ ଓ ନୀଳ କାରଖାନା ଉପରେ ବିପଦ ପଡ଼ିଗଲା । ଜର୍ମାନୀରୁ ସିନ୍ଥ୍ଥେଟିକ ନୀଳ ବିଲାତ ବଜାରରେ ବହୁଳ ଭାବେ ଉପଲବ୍ଧ ହେଲା ଏବଂ ଶସ୍ତାରେ ମିଳିଲା । ବିଲାତରେ ଲୁଗା କଳ ମାଲିକମାନେ ଭାରତୀୟ ପ୍ରାକୃତିକ ନୀଳ ପରିବର୍ତ୍ତେ ଜର୍ମାନୀର କୃତ୍ରିମ ନୀଳଆଡ଼କୁ ଢଳିଲେ । ଐତିହାସିକ ଇରଫାନ ହବିବ Indian economy 1858 – 1914 ରେ ଲେଖନ୍ତି ‘The discovery of synthetic blue in Germany in the late 1880 gave a severe blow to the indigo plantation. Indigo exports fell from Rs 4.75 crore in value in 1894 – 98 to Rs. 2.69 crore in 1899 – 1900 . According to the Industrial census of 1911 , only 30,795 persons were now employed in the indigo plantation ,(Indian Economy 1858 -1914 , Irfan Habib page -79.

ଏ ପର୍ଯ୍ୟନ୍ତ ଆମେ ଭାରତୀୟ ନୀଳଚାଷୀଙ୍କ ଦୁଃଖ ଦୁର୍ଦ୍ଦଶା ସମ୍ପର୍କରେ କିଛିଟା ଆଲୋଚନା କଲେ । ବିଲାତ ସରକାରଙ୍କ ପ୍ରୋତ୍ସାହନରେ କୁଜି ସାହେବମାନେ ଆମ ଭାରତୀୟ ନୀଳଚାଷୀ ଉପରେ ଯେଉଁ ହାମଲା କରିଛନ୍ତି ଏ ଖବର ଆମ ଦୁଇଦେଶ ଭିତରେ ସୀମିତ ରହିଛି । ନୀଳ ଚାଷୀ ଉପରେ ବିଲାତି ସାହେବମାନଙ୍କର ଅମାନବୀୟ ଆକ୍ରମଣ ବିଶ୍ୱ ସମୁଦାୟ ଜାଣିଲେ ସେତିକିବେଳେ ଯେତେବେଳେ ଚମ୍ପାରନରେ ମହାତ୍ମାଗାନ୍ଧୀ ପାଦ ପକାନ୍ତି । ୧୯୧୭ ମସିହା ଏପ୍ରିଲ ୨୭, ସେଦିନ ରାଜ କୁମାର ଶୁକ୍ଳଙ୍କ ଅନୁରୋଧରେ ପଶ୍ଚିମ ଚମ୍ପାରଣର ଭିତିହରୱା ଗ୍ରାମରେ ପହଞ୍ଚିଲେ ମହାତ୍ମା ଗାନ୍ଧୀ । ୧୯୧୫ରେ ଦକ୍ଷିଣଆଫ୍ରିକାରୁ ଭାରତ ଫେରି ଗାନ୍ଧିଜୀ ସ୍ୱାଧୀନତା ଆନେ୍ଦାଳନର ମୁଖ୍ୟ ଦାୟିତ୍ୱ ନେଇଥାନ୍ତି । ଆମେ ଜାଣିଛେ ସତ୍ୟ, ଅହିଂସା ଓ ସତ୍ୟାଗ୍ରହ ତାଙ୍କ କାର୍ଯ୍ୟକ୍ରମରେ ନିର୍ଣ୍ଣାୟକ ଭୂମିକା ଅଧିକାର କରିଥାଏ । ତାଙ୍କର ଭାରତରେ ପ୍ରଥମ ସତ୍ୟାଗ୍ରହ ଚମ୍ପାରଣରେ ହିଁ ଆରମ୍ଭ ହୁଏ । ଚମ୍ପାରଣ ଭୂମିରୁ ସ୍ୱାଧୀନତା ସଂଗ୍ରାମର ଆହ୍ୱାନ ଦେଇଥିଲେ ଗାନ୍ଧିଜୀ । ଚମ୍ପାରଣ, ନୀଳଚାଷୀ ଓ ଗାନ୍ଧିଜୀଙ୍କ ସମ୍ପର୍କରେ ବିସ୍ତୃତ ଆଲୋଚନା ପୂର୍ବରୁ ମୁଁ ପାଠକ ମାନଙ୍କୁ ସମାଜରେ ୨୯ସେପ୍ଟେମ୍ବର ୨୦୨୪ରେ ପ୍ରକାଶିତ ଖବରଟିଏ ଉଲ୍ଲେଖ କରିବା ପ୍ରାସଙ୍ଗିକ ମନେ କରେ । ସମାଜ (ରବିବାର- ୨୯-୯-୨୪) ।

ଚମ୍ପାରଣ ଭୂମିରୁ ସ୍ୱାଧୀନତା ସଂଗ୍ରାମର ଆହ୍ୱାନ ଦେଇଥିଲେ ଗାନ୍ଧିଜୀ । ଏହା ସହିତ ଧନ୍ଦାମୂଳକ ଶିକ୍ଷାପାଇଁ ଦେଶରେ ପ୍ରଥମ ଭିର୍ତ୍ତିଭୂମି ଥିବା ବିଦ୍ୟାଳୟ ମଧ୍ୟ ସେଠାରେ ସ୍ଥାପନ କରିଥିଲେ । ଏବେବି ଜିଲ୍ଲା ମୁଖ୍ୟାଳୟ ଠାରୁ ପ୍ରାୟ ଦଶ କିଲୋମିଟର ଦୂର ଭିତିହରୱ୍ୱା ଆଶ୍ରମର ବୃନ୍ଦାବନରେ ପିଲାଙ୍କୁ ଏପରି ଶିକ୍ଷା ଦିଆଯାଉଛି । ୧୯୧୭ ମସିହା ୧୭ ଏପ୍ରିଲରେ ରାଜକୁମାର ଶୁକ୍ଳଙ୍କ ଅନୁରୋଧରେ ପଶ୍ଚିମ ଚମ୍ପାରଣର ଭିତ୍ତି ହରୱା ଗ୍ରାମରେ ପହଞ୍ଚିଥିଲେ ମହାତ୍ମା ଗାନ୍ଧୀ । ଗାଁର ମଠରେ ଥିବା ବାବା ନାରାୟଣ ଦାସ ଗାନ୍ଧୀଜୀଙ୍କୁ ଆଶ୍ରମ ପାଇଁ ଜମି ଦେଇଥିଲେ । ସେହିବର୍ଷ ନଭେମ୍ବର ୧୬ ତାରିଖରେ ଗାନ୍ଧିଜୀ ସେଠାରେ ଏକ ବିଦ୍ୟାଳୟ ଏବଂ କୁଟୀରଟିଏ ନିର୍ମାଣ କରିଥିଲେ । ତେବେ ଗାନ୍ଧିଜୀ ଏଠାରେ ରହିବା ବ୍ରିଟିଶ ଅଧିକାରୀମାନଙ୍କୁ ପସନ୍ଦ ହେଉନଥିଲା । ଏଥିପାଇଁ ସେମାନେ ଷଡ଼ଯନ୍ତ୍ର କରି ସେହି କୁଟୀରରେ ନିଆଁ ଲଗାଇ ତାଙ୍କୁ ହତ୍ୟା କରିବାର ଚେଷ୍ଟା କରିଥିଲେ । ସଂଯୋଗକୁ ସେଦିନ ପାଖ ଗାଁରେ ଥିବାରୁ ସୁରକ୍ଷିତ ରହିଗଲେ, ତା’ପରେ ଗ୍ରାମବାସୀ ମିଶି ଏକ ଖପର ଛାତ ଥିବା କୁଟୀର ତିଆରି କରିଥିଲେ ଯେଉଁଥିରେ ଗାନ୍ଧିଜୀ ନିଜେ ମଧ୍ୟ ଶ୍ରମ ଦାନ କରିଥିଲେ । ଏବେବି ଏଠାରେ ସେହି କୁଟୀର, ସ୍କୁଲର ଘଣ୍ଟି, ଗାନ୍ଧିଜୀ ବ୍ୟବହାର କରିଥିବା ଟେବୁଲ, କୂଅ, କସ୍ତୁରବାଙ୍କ ଛକି ଆଦି ରହିଛି ।

୧୯୧୧ବେଳକୁ ଭାରତରେ ନୀଳଚାଷ ନାମକୁ ମାତ୍ର ଥାଏ । ଖ ଜର୍ମାନୀରୁ ପ୍ରସ୍ତୁତ କୃତ୍ରିମ ନୀଳର ବିଲାତ ବଜାରରେ ଉପଲବ୍ଧି ପ୍ରାକୃତିକ ନୀଳକୁ ଦୂରେଇ ଦେବା କଥା ଆମେ ଜାଣିଲେ । ୧୯୧୪ ପ୍ରଥମ ବିଶ୍ୱ ଯୁଦ୍ଧ ଆରମ୍ଭ । (1st world war) ବିଲାତ ଓ ଜର୍ମାନ ମଧ୍ୟରେ ଘମାଘୋଟ ଲଢ଼େଇ । ଜର୍ମାନୀରୁ ବିଲାତକୁ ନୀଳରପ୍ତାନି ଥପ୍ । ଭାରତରେ ନୀଳ କାରଖାନା ମାଲିକମାନଙ୍କର ପୁଣି ପୁଷ ମାସ । ୧୯୧୬ ବେଳକୁ ୨୧୦୦ ଏକର ନୀଳ ଚାଷ । ୧୯୧୭ ଏହି ଆୟତନ ବଢ଼ି ୨୬,୮୪୮ ଏକର ପହଞ୍ଚିଥାଏ । ଚମ୍ପାରଣରେ ନୀଳ ଚାଷ ୨ଟି ଉପାୟରେ । ୧– ଜେରେଟ ଅର୍ଥାତ ନୀଳ କାରଖାନା ମାଲିକମାନେ ନିଜ ଦାୟିତ୍ୱରେ ଜମି ଚାଷ କରିବେ । ବିହନ ବୁଣିବେ, ଫସଲ ଅମଳ କରିବେ । ସବୁ କାମପାଇଁ ମୂଲିଆ ଲଗେଇବେ । ମୂଲିଆଙ୍କୁ ନେ ଛେଁ କରି ମଜୁରୀ ଦେବେ । କାମ ମାଡ ମାରି ଆଦାୟ କରିବେ । ମଜୁରୀ ଦେଲାବେଳକୁ ଖେଣ୍ଟିବେ । ମୋଟ ମଜୁରୀ ପ୍ରାପ୍ୟରୁ ଗୁମାସ୍ତା ଖର୍ଚ୍ଚ ୧୫/୨୦ପ୍ରତିଶତ କାଟିବେ । ଶ୍ରମିକ ମାରଣ ନୀତି, ୨–ଆଶାମୀୟାର ଜମିରେ ଚାଷୀ ନିଜେ ହଳ ବଳଦରେ ନୀଳଚାଷ କରିବ । ଚାଷୀ ତା’ର ଜମିରୁ ବିଘାପ୍ରତି ତିନି କାଠିଆ ଜମିରେ ନୀଳ ଚାଷ କରିବାକୁ ବାଧ୍ୟ । ଚାଷ ଆଗରୁ କମ୍ପାନୀ ନୀଳ ମଞ୍ଜି (ବିହନ) ଚାଷଖର୍ଚ୍ଚ ପାଇଁ କିଛି ଅଗ୍ରୀମ ଟଙ୍କା ଦେବ । ଚୁକ୍ତି ପତ୍ରରେ ଚାଷୀଠାରୁ ଟିପ ଚିହ୍ନ ନେବ (ଅଧିକାଂଶ ଚାଷୀ ନିରକ୍ଷର ଥାନ୍ତି) ଫସଲ ଆଦାୟବେଳେ କଡ଼ାଗଣ୍ଡା ହିସାବ କରିବ । ଚାଷୀ ଭାବିଥିବ ତାର ଲାଭରେ ସ୍ତ୍ରୀପାଇଁ ଲୁଗା କିଣିବ । ପିଲାଙ୍କ ପାଇଁ ଡୋର ପେଣ୍ଟ ଖଣ୍ଡେ ଲେଖେଁ କିଣିବ ବା ଅନ୍ୟ କିଛି କରିବା ସ୍ୱପ୍ନ ଦେଖୁଥାଏ । ମାତ୍ର ଅଧିକାଂଶ କ୍ଷେତ୍ରରେ କାରଖାନା ମାଲିକ ଏମିତି ହିସାବ ଯୋଡ଼ିବ ଯେ ଅଗ୍ରୀମ ଟଙ୍କା ବି ସୁଝି ପାରିବାନି । ଚାଷୀ ମୁଣ୍ଡ ଆଉଁସି ଖାଲି ହାତରେ ଘରକୁ ଫେରିବ । କ୍ଷତି କାରଖାନା ମାଲିକ ସହିବାର ନାହିଁ । ଚାଷୀ ମୁଣ୍ଡରେ ଲଦା ହବ ।

ଦୁଇ କିସମର ନୀଳ ଚାଷ ହୁଏ । “ସୁମାତ୍ରା ନୀଳ”, ଜାଭା କିମ୍ବା ନିଟଲ ନୀଳ । ୧୯୦୫ ପୂର୍ବରୁ କେବଳ “ସୁମାତ୍ରା ନୀଳଚାଷ ହେଉଥିଲା । ଅଶିଣ ଫଗୁଣ ଭିତରେ ଜମି ଚାଷ ହେବ । ଚୈତ୍ର ମାସରେ ବିହନ ବୁଣା ହେବ । ଆଷାଢ଼ ମାସରେ ବିହନ ବୁଣା ହେବ । ଆଷାଢ଼ମାସରେ ଫସଲ କଟା ହେବ (ଜୁନ, ଜୁଲାଇ) । ଏହାକୁ ମୋରହାନ ଫସଲ କୁହାଯାଏ । ଜମିରେ ଯେଉଁ ମୂଳ ଥିବ, ସେଥିରୁ ପୁଣି ସେପ୍ଟେମ୍ବର ମାସକୁ ଅମଳ ହେବ । ଏହାକୁ ଖୁଣ୍ଟି କୁହାଯାଏ । ଜାଭା ବା ନାଟାଲ ନୀଳ ଅକ୍ଟୋବର, ନଭେମ୍ବରରେ ବୁଣା ହେବ । ଜୁନ, ଜୁଲାଇରେ ଫସଲ ଅମଳ ହେବ । ୧୦୦ମହଣ ପତ୍ରର କଣୀରୁ ୧୦ ସେର ପର୍ଯ୍ୟନ୍ତ ନୀଳ ଆଦାୟ ହୁଏ ।

ଗାନ୍ଧୀଙ୍କୁ କାହିଁକି ରାଜକୁମାର ଶୁକ୍ଳ ଆଣିଥିଲେ ଓ ଗାନ୍ଧୀଙ୍କର ଚମ୍ପାରଣ ସତ୍ୟାଗ୍ରହ କାହିଁକି ଓ କେତେ ଫଳପ୍ରଦ ଥିଲା, ଏ ସବୁର ବିସ୍ତୁତ ବିବରଣୀ ରାଜେନ୍ଦ୍ରପ୍ରସାଦ, ଭାରତର ପ୍ରଥମ ରାଷ୍ଟ୍ରପତି “Satyagraha in Champaran” ପୁସ୍ତକରେ ଉଲ୍ଲେଖ କରିଛନ୍ତି । ରାଜେନ୍ଦ୍ର ପ୍ରସାଦଙ୍କ ଲିଖିତ ପୁସ୍ତକର ସାରାଂଶ ବିହାରର ଗଣ୍ଡକ ନଦୀ ଉପତ୍ୟକରେ ଅବସ୍ଥିତ ଚମ୍ପାରଣ ଜିଲ୍ଲା । ନଦୀର ଉତ୍ତର ପାର୍ଶ୍ୱର ମାଟି ଚିକିଟା ଓ ଟାଣ । ଧାନ ଚାଷପାଇଁ ଉପଯୁକ୍ତ, ନୀଳ ଚାଷପାଇଁ ନୁହେଁ । ନଦୀର ଦକ୍ଷିଣକୁ ବାଲିଆ ପଟୁମାଟି । ଧାନ ଭଲ ହୁଏନି, ନୀଳଚାଷ ପାଇଁ ବେଶ୍ ଉପଯୋଗୀ । ବିହାରର ଅନ୍ୟାନ୍ୟ ଜିଲ୍ଲାମାନଙ୍କ ଅପେକ୍ଷା ଚମ୍ପାରଣ ଅଧିକ ଥଣ୍ଡା । ତେଣୁ ବିଲାତ ସାହେବମାନଙ୍କ ରହିବା ପାଇଁ ଭଲ । ଜିଲ୍ଲାର ୨ଟି ସହର । ମୋତିହାରି, ଚମ୍ପାରଣ ଜିଲ୍ଲାର ମୁଖ୍ୟ କାର୍ଯ୍ୟାଳୟ । ବେଟିଆ ଗୋଟିଏ ସବଡ଼ିଭିଜନ । ବେଟିଆ ଏକ ସମୟରେ ଗୋଟିଏ ବାଣିଜ୍ୟ ପେଣ୍ଠ ସ୍ଥଳି ଥିଲା । ବର୍ତ୍ତମାନ ଏହା ବେଟିଆ ମହାରାଜଙ୍କ ଇଲାକା । ହିନ୍ଦୁ, ମୁସଲିମ ଦୁଇ ସମ୍ପ୍ରଦାୟର ଲୋକ ବସବାସ କରନ୍ତି । ବେଟିଆ ସହରାଞ୍ଚଳରେ ଖ୍ରୀଷ୍ଟିଆନଙ୍କ ସଂଖ୍ୟା ଅଧିକ । ଚମ୍ପାରଣର ଭାଷା ଭୋଜପୁରି ।

ଚମ୍ପାରଣ କୁ ୟୁରୋପୀୟ ମାନଙ୍କ ଆଗମନ ଏବଂ ନୀଳ ଚାଷ

ବେଟିଆ ରାଜ୍ୟର କ୍ଷେତ୍ରଫଳ ୨,୦୦୦ ବର୍ଗ କିଲୋମିଟର । ଆଗରୁ ଭଲ ରାସ୍ତାଘାଟ ନଥାଏ । ରାଜା ଜମି ସବୁ ବଡ଼ବଡ଼ ଜମିଦାରଙ୍କୁ ଦୀର୍ଘ ମିଆଦି ଲିଜ ଦେଇ ଖଜଣା ଆଦାୟ କରୁଥିଲେ । ଜମିଦାରମାନେ ଗାଁ ଗଣ୍ଡାର ଚାଷୀମାନଙ୍କୁ ଅଳ୍ପ ଅଳ୍ପ ଜମି ଦେଇ ସେମାନଙ୍କ ଠାରୁ ଚଢ଼ା ରେଟରେ ଖଜଣା ଆଦାୟ କରିଥାନ୍ତି । ୧୭୯୩ ପର୍ଯ୍ୟନ୍ତ ରାଜାଙ୍କଠାରୁ ଭାରତୀୟ ମାନେ ହିଁ ଲିଜ ନେଉଥିଲେ । ୧୭୯୩ପରେ ବିଲାତର କୁଜି ସାହେବ ମାନେ ଆସି ବେଟିଆ ଏବଂ ରାମନଗର ଇଷ୍ଟେଟର ସବୁ ଜମି ଲିଜ ନେଇଗଲେ । ଅଧିକ ଖଜଣାର ଲୋଭଦେଖାଇ ରାଜାଙ୍କୁ ଭଳେଇ ପାରିଥାନ୍ତି । ଏଇଠୁ ଚମ୍ପାରଣରେ କମ୍ପାନୀ ନୀଳଚାଷ ଆରମ୍ଭ କରେ । କଲୋନେଲ ହିକେ ବାରାଠାରେ ପ୍ରଥମ ନୀଳ କାରଖାନା ସ୍ଥାପନ କରନ୍ତି । ପରେ ପରେ ତୁରୁକୁଲିଆ, ପିପରା, ମୋତିହାରି ଏବଂ ରାଜପୁରରେ ନୀଳ କାରଖାନା ବସିଲା ।

ନୀଳ ଚାଷୀଙ୍କର ଅଭିଯୋଗ

ନୀଳଚାଷୀମାନଙ୍କର ମୁଖ୍ୟ ଅଭିଯୋଗ ତିନି କାଠିଆ ନିୟମ । ତିନିକାଠିଆ କଥାଟି କ’ଣ? ବଙ୍ଗଳା, ବିହାରରେ ଜମି ମାପଚୁପର ଏକକ ବିଘା । ୩ ବିଘାରେ ଏକ ଏକର । ୨୦ କଠାରେ ଏକ ବିଘା । ୩ କଠା ଅର୍ଥ ପ୍ରତି ଏକ ଏକର ଜମିରୁ ପ୍ରାୟ ୧୫ଡେସିମିଲ ଜମିରେ ନୀଳ ଚାଷ କରିବାକୁ ବାଧ୍ୟ କରାଯାଏ । ଯେହେତୁ ନୀଳଚାଷରେ ଚାଷୀର କିଛି ଲାଭ ହୁଏନି, ୩ କଠା ଜମି ଧାନଚାଷ ନକରି ନୀଳ ଚାଷ କରିବାକୁ ଚାଷୀ ରାଜି ନଥାଏ ।

୧୮୬୦ ମସିହାରେ ବଙ୍ଗଳାରେ ନୀଳ ଚାଷ ବିରୁଦ୍ଧରେ ମହାବିଦ୍ରୋହ ମୁଣ୍ଡ ଟେକି ଥିଲା । ଖ୍ରୀଷ୍ଟିଆନ ମିସନାରୀମାନେ ମଧ୍ୟ ନୀଳ ଚାଷୀଙ୍କ ବିଦ୍ରୋହକୁ ସମର୍ଥନ କରିଥିଲେ । ନୀଳଚାଷୀଙ୍କ ଦୁଃଖ ବୁଝିବାପାଇଁ ସେତେବେଳେ ଗୋଟିଏ କମିଶନ ବସିଥିଲା । ଫରିଦପୁରର ମାଜିଷ୍ଟ୍ରେଟ କମିଶନ ଆଗରେ ସାକ୍ଷ୍ୟ ଦେଇ କହିଥିଲେ, ‘There is one thing more, I wish to state that considerable odium has been thrown on the missionaries for or saying that ‘’Not a chest of indigo reached England without being stained with human blood. That has been stated to be an anecdote. That expression is mine and I adopt it in the fullest and broadest sense of its meaning as the result of my experience as magistrate in the Faridpur district . I have seen several ryots , sent in to one as a Magistrate who have been speared through the body. I have had ryots before me who have been shot down by mr forde (a planter). I have put in record, how others have been first speared and then kidnapped ; and such a system of carrying on indigo , I consider a system of blood shed’.

ନୀଳଚାଷୀମାନଙ୍କ ଉପରେ କୁଜି ସାହେବମାନଙ୍କର ଅତ୍ୟାଚାରର ବିବରଣୀ ଜଣେ ଗୋରା ମାଜିଷ୍ଟ୍ରେଟ ଦେଇଛନ୍ତି । କମ୍ପାନୀମାନେ ଚାଷୀକୁ ତୀର ମାରି ରକ୍ତାକ୍ତ କରିବା, ବନ୍ଧୁକରୁ ଗୁଳି ଚଳାଇ ମାରିଦେବା ଏବଂ ଅନ୍ୟ କେତେକଙ୍କୁ ତୀର ମାରି ରକ୍ତସ୍ନାନ କଲାପରେ ଅପହରଣ କରିବା ଏପରିକି ତାର ପତ୍ତା ମିଳିନି । ଆଉ ଅଧିକ କ’ଣ ପ୍ରମାଣର ଅଭାବ ରହିଲା ।

ମହାତ୍ମା ଗାନ୍ଧୀ ଚମ୍ପାରଣରେ ପହଞ୍ଚିଲେ ତ ରାଜେନ୍ଦ୍ର ପ୍ରସାଦ, ପ୍ରଫେସର କୃପାଳିନୀ, ପଣ୍ଡିତ ମଦନ ମୋହନ ମାଲବ୍ୟ ଏବଂ ବହୁ କଂଗ୍ରେସ ନେତା, ଚମ୍ପାରଣର କେତେକ ଓକିଲ ଏବଂ ଶହ ଶହ ସ୍ୱେଚ୍ଛାସେବୀ ଯୁବକ ମହାତ୍ମା ଗାନ୍ଧୀକୁ କାମରେ ସାହାଯ୍ୟ କରିବାକୁ ବାହାରି ଆସିଲେ । ମହାତ୍ମା ଗାନ୍ଧୀ ହଜାର ହଜାର ନୀଳଚାଷୀଙ୍କଠାରୁ ତାଙ୍କ ଅଭିଯୋଗ ଶୁଣି ଲେଖିଲେ ଏବଂ ଅନ୍ୟମାନଙ୍କୁ ଚାଷୀଙ୍କ ଠାରୁ ବୟାନ ରେକର୍ଡ କରିବାକୁ କହିଲେ । ୮୦୦୦ ଚାଷୀଙ୍କ ଠାରୁ ଅଭିଯୋଗ ସଂଗ୍ରହ କରାଗଲା । ମହାତ୍ମା ଗାନ୍ଧୀ ନୀଳ ଚାଷୀଙ୍କୁ ସାହାଯ୍ୟ ପାଇଁ ଚମ୍ପାରଣରେ ଉପସ୍ଥିତି ଦ୍ୱାରା ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିପାରେ, ତେଣୁ କଲେକଟର ତାଙ୍କୁ ସମନ ଜାରି କରନ୍ତି କୋର୍ଟରେ ହାଜର ହେବା ପାଇଁ । ମହାତ୍ମା ଗାନ୍ଧୀ ନିର୍ଭୀକ । ସତ୍ୟ ଓ ଅହିଂସା ତାଙ୍କର ଆୟୁଧ । ନିର୍ଦ୍ଧାରିତ ତାରିଖଦିନ ଗାନ୍ଧୀ ଚମ୍ପାରଣ କଲେକ୍ଟରଙ୍କ କୋର୍ଟକୁ ଚାଲିଲେ । ସେ ତ ନିଜେ ଜଣେ ବଡ଼ ଓକିଲ । ୧୪୪ ଅମାନ୍ୟ ବିରୁଦ୍ଧରେ କୋଟ ୧୮୮ ଆଇ.ପି.ସି ଲାଗୁ କରି କୋର୍ଟରେ ହାଜର ପାଇଁ ସମନ ଜାରି କରିଛନ୍ତି । ସେ ଜାଣିଛନ୍ତି ଆଇନଅମାନ୍ୟ ଯୋଗୁ ତାଙ୍କୁ ଜେଲଦଣ୍ଡ ଭୋଗିବାକୁ ହେବ । ତେଣୁ ସେ ଜେଲ ରହଣି ପାଇଁ ଲୁଗାପଟା ଧରି କୋର୍ଟରେ ହାଜର ହୁଅନ୍ତି । ଶଗଡ଼ ଗାଡିରେ ୮୦୦୦ ନୀଳଚାଷୀଙ୍କ ଅଭିଯୋଗ ଲଦି ଯେତେବେଳେ କଚେରିକୁ ଯାଉଛନ୍ତି, ହଜାର ହଜାର ନୀଳଚାଷୀ ଦୂର ଦୁରାନ୍ତରୁ ଖବର ପାଇ ତାଙ୍କ ପଛେ ପଛେ ଚାଲିଲେ । ତୁମ୍ଭେମାନେ କୋର୍ଟ ଆସି ପାର । ମାତ୍ର କୌଣସି ପ୍ରକାର ପାଟିତୁଣ୍ଡ କରିବ ନାହିଁ । ସମ୍ପୂର୍ଣ୍ଣ ଶାନ୍ତି ରକ୍ଷା କରିବା ପାଇଁ ଶପଥ ନିଅ । ଧୈର୍ଯ୍ୟ ଧର ତୁମର ଦାବି ପୂରଣ ହେବ । ‘ଗାନ୍ଧୀ ଚାଷୀମାନଙ୍କୁ ବୁଝାଇ କୁହନ୍ତି ତ ଚାଷୀମାନଙ୍କ ଆଖିରୁ ଧାର ଧାର ଲୁହ ବୋହିଯାଏ ।’ କିଏ ଏ ଗାନ୍ଧୀ ମାହାତ୍ମା! ଦେବଦୂତ ଆମର ଦୁଃଖ ଶୁଣି, ବୁଝି ଆମ ପାଇଁ ଫିରିଙ୍ଗି ସରକାରଙ୍କ ନୀଳ ନୀତି ବିରୋଧରେ ଠିଆ ହୋଇଛନ୍ତି । ଆମ ପାଇଁ ଜେଲ ଯିବାକୁ ବି ତିଳେ ମାତ୍ର ଭୟ ନାହିଁ । ଗାନ୍ଧୀ କୋର୍ଟରେ ପହଞ୍ଚିଲା ବେଳକୁ ୩/୪ ହଜାର ଚାଷୀ । କୋର୍ଟ ଅଗଣା ଭର୍ତ୍ତି ।

ଗାନ୍ଧୀ କଲେକ୍ଟରଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଦେଲେ । ‘ମୁଁ ଜେଲ ଯିବା ପାଇଁ ପ୍ରସ୍ତୁତ ହୋଇ ଆସିଛି । ମୁଁ ଚମ୍ପାରଣକୁ ଆସିବା ଦିନରୁ ଆଜି ପର୍ଯ୍ୟନ୍ତ କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜି ନାହିଁ । ନୀଳଚାଷୀମାନଙ୍କଠାରୁ ସେମାନଙ୍କର ଅଭିଯୋଗ ଆଣିଛି । ମୋର ହୃଦବୋଧ ହୋଇଛି ନୀଳ ଚାଷୀମାନଙ୍କ ଉପରେ ନୀଳ କାରଖାନା ମାଲିକମାନେ ଅକଥନୀୟ ଅତ୍ୟାଚାର ଓ ଶୋଷଣ କରୁଛନ୍ତି । ଏହି ଅଭିଯୋଗ ପତ୍ରଗୁଡିକ ତାହାର ପ୍ରମାଣ । ନୀଳଚାଷୀମାନଙ୍କୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ମୋର ସତ୍ୟାଗ୍ରହ ଚାଲୁ ରହିବ । ଆପଣ ମୋତେ ଜେଲଦଣ୍ଡ ଦେଲେ ଚାଷୀମାନଙ୍କୁ ନ୍ୟାୟ ମିଳିବା ତ୍ୱରାନ୍ୱିତ ହେବ ।’ ବଜ୍ର ନିର୍ଘୋଷ ସ୍ୱରରେ ମହାତ୍ମା ଗାନ୍ଧୀ କୋର୍ଟକୁ ତାଙ୍କର ଜବାବ ଦିଅନ୍ତି । ମାଜିଷ୍ଟ୍ରେଟ ତ ସାହେବ । ହେଲେ ମଧ୍ୟ ସେ ଜାଣିଛନ୍ତି ଗାନ୍ଧୀ ଯାହା କହୁଛନ୍ତି ଅକ୍ଷରେ ଅକ୍ଷରେ ସତ । ସମସ୍ତଙ୍କୁ ଚକିତ କରି ମାଜିଷ୍ଟ୍ରେଟ ଆଦେଶ ଦିଅନ୍ତି, ‘ଆପଣଙ୍କ ବିରୁଦ୍ଧରେ କୌଣସି ଅଭିଯୋଗ ସତ୍ୟ ନୁହେଁ, ମୁ ଜାଣୁଛି । ଆପଣ ମୁକ୍ତ ।’ ଏବେ କୋର୍ଟ ପରିସର ପୁଣି ଲୁହରେ ଭାସୁଛି । ଏଥର ଆନନ୍ଦାଶ୍ରୁ । ହଜାର ହଜାର ଚାଷୀ ମହାତ୍ମା ଗାନ୍ଧୀଙ୍କ ଜୟ ଜୟ ଧ୍ୱନିରେ କୋର୍ଟକୁ ପ୍ରକମ୍ପିତ କରିଦିଅନ୍ତି । ତଥାପି ଗାନ୍ଧୀ କୁହନ୍ତି, “ଦୟା କରି ଏ ଜୟ ଜୟକାର ବନ୍ଦ କର । କୋର୍ଟର ମର୍ଯ୍ୟାଦା ରକ୍ଷା କରିବା ନାଗରିକର କର୍ତ୍ତବ୍ୟ ।” ଚାରିଆଡ଼ କ୍ଷଣକ ମଧ୍ୟରେ ସ୍ତବ୍ଧ, ଶାନ୍ତ ।

ବିହାର-ଓଡ଼ିଶା ୧୯୧୭ବେଳକୁ ବଙ୍ଗଳା ଠାରୁ ଅଲଗା ହୋଇଥାଏ । ବିହାର ବିଧାନସଭାରେ ଚମ୍ପାରଣ ନୀଳଚାଷୀଙ୍କ ସମ୍ପର୍କରେ ବିତର୍କ ହୁଏ । ତଦନ୍ତ କମିଟିଟିଏ ବସିଲା । ମୋତିହାରି ବସାଘରେ ଗାନ୍ଧୀ ରହୁଥାନ୍ତି । ତଦନ୍ତ କମିଟି କଥା ବାବୁ ବ୍ରଜକିଶୋର ପ୍ରସାଦ ଗାନ୍ଧୀଙ୍କୁ ଜଣାଉଥାନ୍ତି । କମିଟି ୧୫ଜୁଲାଇ ୧୯୧୭ରେ କାମ ଆରମ୍ଭକରେ । ଗାନ୍ଧୀଙ୍କୁ ମଧ୍ୟ ସରକାର କମିଟିରେ ଜଣେ ମେମ୍ବର ରଖିଥାନ୍ତି । କମ୍ପାନୀ ମାଲିକ ଓ ଚାଷୀମାନଙ୍କଠାରୁ ଅଭିଯୋଗ ଶୁଣାଣି ହେଉଥାଏ । ୧୦ ହଜାରରୁ ଊର୍ଦ୍ଧ୍ୱ ନୀଳଚାଷୀ ୧୬ ଜୁଲାଇ ୧୯୧୭ରେ ବେଟିଆରେ ଜମା ହୋଇ ପଡିଲେ । ଅଭିଯୋଗ କହିବେ । ମହାତ୍ମା ଗାନ୍ଧୀ ଚାଷୀଙ୍କୁ ନ୍ୟାୟପାଇଁ ଲଢ଼ିବା ସହିତ କମ୍ପାନୀମାନଙ୍କର ଆଇନାନୁମୋଦିତ ସୁବିଧା ସୁଯୋଗ ଯେପରି ସୁରକ୍ଷିତ ରୁହେ, ସେଥିପ୍ରତି ଧ୍ୟାନ ଦେଉଥାନ୍ତି । ଭାରତୀୟ ପଞ୍ଚାୟତ ନ୍ୟାୟ । ଗାଁ ଗାଁରେ ପଞ୍ଚାୟତ । ବିଚାରକମାନେ ସବୁବେଳେ ଉଭୟ ପକ୍ଷକୁ ବୁଝାଇ ଉଭୟଙ୍କୁ ସନ୍ତୁଷ୍ଟ କରିବା ଭଳି ନ୍ୟାୟ ଦେଇଥାନ୍ତି । ମାଡ, ଫୌଜଦାରି, ହାଣ କାଟ ହେଉଥିବେ । ନ୍ୟାୟ ନିଷ୍ପତ୍ତି ପରେ ଦୁଇପକ୍ଷ ହାତ ଧରାଧରି ହୋଇ କୋଳାକୋଳି ହେଇ ଘରକୁ ଫେରିବେ । ଭାରତୀୟ ପଞ୍ଚାୟତ ନ୍ୟାୟର ବିଶେଷତ୍ୱ ! ଗାନ୍ଧିଜୀ ତ ସବୁବେଳେ ଗ୍ରାମସ୍ୱରାଜ କଥା କହୁଥିଲେ । ଗାନ୍ଧିଜୀଙ୍କ ଗାଁ ଗାଁରେ ଧନ୍ଦାମୂଳକ ଶିକ୍ଷାରେ ଭବିଷ୍ୟତ ନାଗରିକମାନଙ୍କୁ ଶାନ୍ତି, ସୌହାର୍ଦ୍ଦ୍ୟର ପ୍ରତୀକ ଭାବେ ଗଢ଼ିବାକୁ ଲକ୍ଷ୍ୟଥାଏ । ସେଇ ଗାନ୍ଧୀ । ‘ଗାଈ ଚରିବ, ଘଣ୍ଟି ବାଜିବ’ ନ୍ୟାୟରେ ଉଭୟ ପକ୍ଷକୁ ସୁହାଇଲା ଭଳି ବିଚାର ଉପରେ ଗୁରୁତ୍ୱ ଦେଉଥାନ୍ତି ।

୧୮ ଅକ୍ଟୋବର ୧୯୧୭ରେ କମିଟି ସରକାରଙ୍କୁ ରିପୋର୍ଟ ଦାଖଲ କରେ । ରିପୋର୍ଟର ମୁଖ୍ୟ ସୁପାରିଶଗୁଡିକ ଏହିପରି: –

୧. ତିନି କଠା ପ୍ରଥା ସମ୍ପୂର୍ଣ୍ଣ ଉଚ୍ଛେଦ ହବ ।

୨. ନୀଳଚାଷ ପାଇଁ ଚୁକ୍ତିପତ୍ର ସ୍ୱେଛାକୃତ ହେବ ।

(କ) ଚାଷୀକୁ ଚୁକ୍ତିପତ୍ର ପାଇଁ ବାଧ୍ୟ କରାଯାଇପାରିବ ନାହିଁ ।

(ଖ) ୩ ବର୍ଷରୁ ଅଧିକ ବର୍ଷ ପାଇଁ ଚୁକ୍ତିପତ୍ର ହୋଇପାରିବ ନାହିଁ ।

(ଗ) ଚାଷୀର ମତାମତ ନେଇ କେଉଁ ଜମିରେ ନୀଳ ଚାଷ ହେବ ସ୍ଥିର କରାଯିବ ।

(ଘ) ନୀଳର କ୍ରୟମୂଲ୍ୟ ଚାଷୀର ମତାମତ ନେଇ ସ୍ଥିର ହେବ ।

(ଙ) ନୀଳର ଓଜନ ଅନୁସାରେ ମୂଲ୍ୟ ସ୍ଥିର ହେବ ।

୩. ଖଜଣା ଉପରେ ବାଜେଖର୍ଚ୍ଚ (ଆୱାବ) ଆଦାୟ ସମ୍ପୂର୍ଣ୍ଣ ନିଷେଧ ।

୪.ଚାଷୀ କିରାସିନି କିଣିବା ପାଇଁ ଲାଇସେନ୍ସ ଦରକାର ପଡିବ ନାହିଁ । ଏହିଭଳି ୧୫ଟି ସୁପାରିଶ କମିଟି ସରକାରଙ୍କୁ କରିଥିଲା ।

୧୮ ଅକ୍ଟୋବରରେ ପବ୍ଲିକ ନୋଟିସ ଦ୍ୱାରା କମିଟିର ସୁପାରିଶଗୁଡିକ ଚାଷୀ ଓ କମ୍ପାନୀକୁ ଶୁଣାଇ ଦିଆଗଲା । ସ୍ଥାନୀୟ ଖବରକାଗଜମାନେ ବାରମ୍ବାର ନୀଳ ଚାଷୀଙ୍କ ଦୁର୍ଦ୍ଦଶା ଖବର ପ୍ରକାଶ କରୁଥାନ୍ତି । କମିଟିର ସୁପାରିଶ ସର୍ବସାଧାରଣରେ ପ୍ରକାଶ ହେବା ପରେ ‘ପ୍ରତାପ’ କାନପୁରର ଗୋଟିଏ ହିନ୍ଦୀ ଖବରକାଗଜ ଖଣ୍ଡିଏ ପୁସ୍ତିକା ପ୍ରକାଶ କରି ହଜାର ହଜାର ସଂଖ୍ୟାରେ ବାଣ୍ଟିଦେଲା । ପୁସ୍ତିକା ଶିରୋନାମା ‘ଚମ୍ପାରଣ କା ଉଦ୍ଧାର’ । ଚମ୍ପାରଣର ସବୁ ନୀଳ ଚାଷୀ ବର୍ତ୍ତମାନ ଜାଣିଲେଣି ଯେ ମହାତ୍ମା ଗାନ୍ଧୀଙ୍କ ଯୋଗୁଁ ତାଙ୍କର ଦୁଃଖର ଦିନ ସରିଗଲା । ରାତିରେ ସୁଖ ନିଦ୍ରା । ସକାଳୁ ହସ,ଖୁସି, ମଉଜ । ଗାଁ ଦାଣ୍ଡରେ ଆନନ୍ଦ ଉତ୍ସବ ଲହଡି ଖେଳିଗଲା ।

ନୀଳ କାରଖାନା ମାଲିକମାନେ କମିଟି ରିପୋର୍ଟକୁ ଗ୍ରହଣ କରିପାରୁ ନଥାନ୍ତି । ୨୧ ଅକ୍ଟୋବର ୧୯୧୭ ରେ ଷ୍ଟେଟ୍ସମ୍ୟାନ ଓ ଇଂଲିଶ ମ୍ୟାନ ଦୁଇ କାଗଜ କାରଖାନା ମାଲିକମାନଙ୍କର କମିଟି ସୁପାରିଶରେ ଅସନ୍ତୋଷ ଖବର ପ୍ରକାଶ କରନ୍ତି । ନୀଳ କାରଖାନା ମାଲିକମାନଙ୍କର (planters) କମିଟି ବିରୋଧରେ କ୍ରମାଗତ ଖବର କାଗଜରେ ପ୍ରକାଶ ପାଉଥାଏ । ବିହାର ସରକାର ୨୯ନଭେମ୍ବର୧୯୧୭ ‘‘The champaran Agrarian Bill’’ ବିହାର ବିଧାନସଭାରେ ଫେସ୍ କରନ୍ତି । ବିଧାନସଭାରେ planter ମାନଙ୍କ ସପକ୍ଷରେ କେତେକ ସଭ୍ୟ ସଂଶୋଧନ ପ୍ରସ୍ତାବ ମାନ ଦେଲେ । ବହୁ ତର୍କ ବିତର୍କ ପରେ ବିଲ୍ଟି ବିଧାନସଭାରେ ଗୃହୀତ ହୋଇଗଲା । ଏବଂ ‘‘champaran Agrasian Act’’ ନାମରେ କାର୍ଯ୍ୟକାରୀ ହେଲା । ଆଇନର ମୁଖ୍ୟ ଆକର୍ଷଣ ଥିଲା । ୧-ତିନି କଠା ଉଚ୍ଛେଦ ହେବ । ୨- ଚାଷୀଙ୍କଠାରୁ ଆଦାୟ ହେଉଥିବା ସରହାବେଶୀ (Sharabeshi) ୨୦ ପ୍ରତିଶତ କମିବ । ୩- ଚାଷୀର ଇଚ୍ଛାମତେ କେଉଁ ଜମିରେ ଓ କେତେ ଜମିରେ ସେ ନୀଳ ଚାଷ କରିବ, କମ୍ପାନୀ ମାନିବାକୁ ବାଧ୍ୟ । ୪ – ଆଇନର ବିରୁଦ୍ଧାଚରଣ କରୁଥିବା ପକ୍ଷ ବିରୁଦ୍ଧରେ କୋର୍ଟରେ ମାମଲା ରୁଜୁ କରାଯାଇ ପାରିବ ।

ମହାତ୍ମା ଗାନ୍ଧୀ ଜାଣିପାରିଲେ ଚମ୍ପାରଣରେ ଶିକ୍ଷାବିକାଶ ନ ହେଲେ ଚାଷୀମାନଙ୍କର ସମ୍ପୂର୍ଣ୍ଣ ନିରାପତ୍ତା ସମ୍ଭବ ନୁହେଁ । ତାଙ୍କ ପ୍ରଚେଷ୍ଟାରେ ଅନେକ ଗୁଡିଏ ମୌଳିକ ଶିକ୍ଷାକେନ୍ଦ୍ର ଚମ୍ପାରଣରେ ସ୍ଥାପିତ ହେଲା । କେତେକ ଶିକ୍ଷିତ ଯୁବକ ସ୍ୱେଛାକୃତ ଭାବେ ପିଲାଙ୍କୁ ପାଠ ପଢାଇବା ସହିତ ବଗିଚା, ଗଛ ଲଗାଇବା, ପନିପରିବା ଚାଷ କରିବା, ସୂତାକାଟିବା ଭଳି ଧନ୍ଦା ମଧ୍ୟ ଶିକ୍ଷା ଦିଆଗଲା । ଦୁଃଖର କଥା ମାହାତ୍ମା ଗାନ୍ଧୀଙ୍କ ପରାମର୍ଶରେ ବମ୍ବେ (ମୁମ୍ବାଇ), ଅହମ୍ମଦାବାଦରୁ ଉଚ୍ଚଶିକ୍ଷିତ ଯୁବକମାନେ ବିହାରର ଚମ୍ପାରଣ ମୋତିହାରିରେ ପିଲାମାନଙ୍କୁ ପଢାଉଥିଲାବେଳେ ବିହାରର ଜଣେହେଲେ ଶିକ୍ଷିତ ଲୋକ ଏହି କାର୍ଯ୍ୟରେ ସହଯୋଗ କରିନଥିଲେ । ରାଜେନ୍ଦ୍ରପ୍ରସାଦ ଗାନ୍ଧୀଙ୍କର ଚମ୍ପାରଣ ସତ୍ୟାଗ୍ରହ ଓ ନୀଳଚାଷୀଙ୍କୁ ନ୍ୟାୟ ସମ୍ପର୍କରେ ଲେଖିଛନ୍ତି’ “The seed which he sowed in champaran , may in India , has sprouted , but is yet a saplings . it will take time to blossom in to flower and bear fruit .But if from the greenness of the sapling any estimate can be formed of the sweetness of the fruit to be , then it will have to be said , in all gratefulness ,that in no distant future new life , new thoughts , new aspiration and a new age are going to dawn . The seed of Indian Swaraj has been truly sown in Champaran have secured against the educated , ever vigilent and wealthy planters , living under the protecting wings of the powerful Government , is but a precursor of that larger freedom which Indians , trampled under the heels for centuries are going to achieve in their stuggle for Swaraj .’’

ପାଠକ ବନ୍ଧୁମାନଙ୍କୁ ମୁଁ କ୍ଳାନ୍ତ କରିସାରିଲାଣି । ଦୀର୍ଘ ଲେଖା । କ୍ଷମା କରିବେ । ରାଜେନ୍ଦ୍ର ପ୍ରସାଦଙ୍କ ଲେଖା ବୁଝିବାକୁ ଆପଣମାନଙ୍କୁ କଷ୍ଟ ହେବ ନାହିଁ । ସେ ଆଶା ବାନ୍ଧିଥିଲେ । ୧୯୪୭ ଅଗଷ୍ଟ ୧୫ ଦିନ ଆମେ ସ୍ୱରାଜ୍ୟ ପାଇଲେ । ସେଇ ସରଳ ନିରାଡମ୍ବର, ନିର୍ଭୀକ,ସତ୍ୟ ଓ ଅହିଂସାର ପ୍ରତୀକ ମଣିଷଟି ବିଲାତର ରାଜସିଂହାସନକୁ ଦୋହଲାଇ ଦେଲା । ବିଲାତ ଭାରତ ଛାଡି ଯିବାକୁ ବାଟ ପାଇଲାନି । କିନ୍ତୁ ଆମେ କ’ଣ ସତରେ ସ୍ୱାଧୀନ ହୋଇଛୁ? ଦେଶର ଦାରିଦ୍ର୍ୟକୁ ଯେତେ ଘୋଡାଇଲେ ମଧ୍ୟ ଫୁଟି ବାହାରୁଛି । ଧନୀ ଦରିଦ୍ର ତାରତମ୍ୟ ଆକାଶ ପାତାଳ । ଅର୍ଥନୈତିକ ସ୍ୱାଧୀନତା ହିଁ ସ୍ୱାଧୀନତା । ଆମେ ଆଶାବାଦୀ ହେବା । ପରିବର୍ତ୍ତନ ପୃଥିବୀର ଧର୍ମ । ଗରିବ ମୁଁହରେ କେବେ ହସ ଫୁଟିବ ସେହି ଆଶାରଖି ଆପଣମାନଙ୍କ ଠାରୁ ବିଦାୟ ନେଉଛି ।

Comments

0 comments

Share This Article
Sri Natabar Sarangi is a revered organic farmer in Odisha, also known for his contributions beyond the boundaries of the State. A lifetime Teacher, Natabar Sarangi returned to organic agriculture after experiencing its horrible effects. He started with no indigenous rice seeds in hand a couple of decades ago. But when observed his 86th birthday in 2019, he was already cultivating 750 varieties of indigenous paddy seeds organically. Natabar Sarangi is also a writer, a columnist, a guide and a friend of the poor peasantry. He sincerely believes that only ecological farming having no dependence on market forces can ensure a sustainable future for everyone