ଯେ କୌଣସି ଅଞ୍ଚଳର ବା ରାଜ୍ୟରେ ବିକାଶ ନିମନ୍ତେ ଶିକ୍ଷାର ଆବଶ୍ୟକତା ଅନିବାର୍ଯ୍ୟ ଅଟେ । ଆମ ରାଜ୍ୟର ଶିକ୍ଷା ବ୍ୟବସ୍ଥାର ସୁପରିଚାଳନା ଓ ସମସ୍ତଙ୍କ ପାଇଁ ଶିକ୍ଷା ନିମନ୍ତେ ଦୁଇଟି ବିଭାଗ ଅଛି । ଯଥା ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗ । ଗଣଶିକ୍ଷା ବିଭାଗ ଅଧିନରେ ପ୍ରଥମ ଶ୍ରେଣୀଠାରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ ଯାଏଁ ଅନ୍ତର୍ଭୁକ୍ତ । ଅତଏବ ଏହା ସରକାରଙ୍କର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଓ ସର୍ବାଧିକ କର୍ମଚାରୀ କାର୍ଯ୍ୟରତ ଥିବା ବିଭାଗ ଅଟେ । ଏହି ବିଭାଗର ସୁପରିଚାଳନା ନିମନ୍ତେ ଏହାକୁ ପୁଣି ତିନୋଟି ବିଭାଗରେ ବିଭକ୍ତ କରାଯାଇଛି । ପ୍ରାଥମିକ ଶିକ୍ଷା, ମାଧ୍ୟମିକ ଶିକ୍ଷା ଓ ଉଚ୍ଚ ମାଧ୍ୟମିକ ଶିକ୍ଷା । ପ୍ରଥମଶ୍ରେଣୀଠାରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାଥମିକ ଶିକ୍ଷା ଅଧିନରେ, ଅଷ୍ଟମ ଠାରୁ ଦଶମ ଶ୍ରେଣୀ ମାଧ୍ୟମିକ ଶିକ୍ଷା ଅଧିନରେ ଏବଂ ଏକାଦଶ ଓ ଦ୍ୱାଦଶ ଶ୍ରେଣୀକୁ ଉଚ୍ଚ ମାଧ୍ୟମିକ ଶିକ୍ଷାଅଧିନରେ ରଖାଯାଇଛି । ଶିକ୍ଷା ଅଧିନର ଆଇନ ବଳରେ, ସମାଜର ପ୍ରତ୍ୟେକ ଶିଶୁ କିଭଳି ଉପଯୁକ୍ତ ଓ ଗୁଣାତ୍ମକ ଶିକ୍ଷା ପାଇବେ, ସେଥିପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଁଯାଉଛି ଓ ସରକାର ମଧ୍ୟ ବେଶ୍ ଯତ୍ନଶୀଳ । ତଥାପି ବାସ୍ତବରେ ଏକଥା ଆମ୍ଭମାନଙ୍କୁ ସ୍ୱୀକାର କରିବାକୁ ପଡ଼ିବ ଯେ, ଆଜିର ଦିନରେ ଅବହେଳାର ଶିକାର ହୋଇ ପ୍ରାଥମିକ ଶିକ୍ଷାର ମାନ ଅଧୋଗତି ଆଡ଼କୁ ଗତି କଲାଣି । ପ୍ରତିବର୍ଷ ପ୍ରଶାସନ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରି ସୁଦ୍ଧା ଶିକ୍ଷାର ଗୁଣାତ୍ମକ ମାନରେ ବୃଦ୍ଧି ଘଟୁନାହିଁ ।
ପ୍ରଥମତଃ ପ୍ରଶାସନିକ ସ୍ତରରେ ଥିବା ଉଚ୍ଚ ଅଧିକାରୀଙ୍କ ଅବହେଳା ଓ ଦୂରଦୃଷ୍ଟିବିହୀନ ନିର୍ଦ୍ଦେଶନାମା ଆମ ଶିକ୍ଷା ବିଭାଗକୁ ରସାତଳଗାମୀ କରି ସାରିଲାଣି । ପ୍ରକାଶଥାଉ କି କିଛିବର୍ଷ ପୂର୍ବେ ଏକ ନିର୍ଦ୍ଦେଶନାମା ପ୍ରକାରେ ପ୍ରତ୍ୟେକ ୧ କିଲୋମିଟର ମଧ୍ୟରେ ଗୋଟିଏ ପ୍ରାଥମକି ସ୍କୁଲ ଖୋଲାଗଲା । ଏହାର ଉଦେଶ୍ୟ ସମାଜର ସବୁବର୍ଗର ଛାତ୍ରଛାତ୍ରୀ ଯେପରି ଶିକ୍ଷାଦାନ ପାଇବାରୁ ବଂଚିତ ନହୁଅନ୍ତି । ଏହି ନିର୍ଦ୍ଦେଶନାମା ବଳରେ ପ୍ରତ୍ୟେକ ସ୍କୁଲରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଦୁଇଜଣ ଶିକ୍ଷକଙ୍କୁ ନିଯୁକ୍ତି କରାଗଲା । ଏହା ଏକ ଉତ୍ତମ ପଦକ୍ଷେପ କରାଗଲା । ପିଲାଙ୍କ ପାଇଁ ଯୋଗାଯୋଗରେ କୌଣସି ପ୍ରକାର ଅସୁବିଧା ନହେବ, ସେଥି ନିମନ୍ତେ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଗଲା । ମାତ୍ର ଏବେ ଅନ୍ୟ ଏକ ନିର୍ଦ୍ଦେଶନାମା ପ୍ରକାରେ ଯେଉଁ ବିଦ୍ୟାଳୟରେ ୨୦ଜଣରୁ କମ୍ ଶିକ୍ଷାର୍ଥୀଙ୍କ ନାମ ଲେଖାଇଥିବେ, ସେହି ସବୁ ସ୍କୁଲଗୁଡ଼ିକୁ ବନ୍ଦ କରିବାପାଇଁ ନିର୍ଦ୍ଦେଶ ଆସିଲା । ଏହି ସ୍କୁଲଗୁଡ଼ିକୁ ବନ୍ଦକରି ନିକଟରେ ଥିବା ସ୍କୁଲମାନଙ୍କରେ ନାମ ଲେଖାଇବା ପାଇଁ କୁହାଗଲା । ଏଠାରେ ପ୍ରଶ୍ନଉଠେ ଭିତ୍ତିଭୂମି ପାଇଁ ଯେଉଁ ଅଜସ୍ର ଟଙ୍କା ଖର୍ଚ୍ଚ ହେଲା, ବର୍ତ୍ତମାନ ସେହି ବିଦ୍ୟାଳୟଗୁଡ଼ିକ ତାଲା ପଡ଼ିଛି । ଏ ସବୁ ଏବେ କେଉଁ କାମରେ ବିନିଯୋଗ କରାଯିବ । ଯଦି ଭୌଗଳିକ ଦୃଷ୍ଟିକୋଣକୁ ବିଚାରରେ ରଖି ୨ କିମ୍ବା ୩ କିଲୋମିଟର ଦୂରତାରେ ଏକ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ କରାଯାଇ ୮ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇପାରନ୍ତା, ତେବେ ନିଶ୍ଚୟ ଶିକ୍ଷାର ବିକାଶ ହୁଅନ୍ତା ବୋଲି ମନେ ହୁଏ । ଏହା ଦୂରଦୃଷ୍ଟି ଅଭାବ ଭଳି ଲକ୍ଷିତ ହୁଏ । ଅନ୍ୟ ଏକ କାରଣ ପ୍ରତ୍ୟେକ ବ୍ଲକରେ ଆଦର୍ଶ ବିଦ୍ୟାଳୟମାନ ସ୍ଥାପନା । ଅବଶ୍ୟ ଆଦର୍ଶ ବିଦ୍ୟାଳୟ ସ୍ଥାପନ କରିବା ନେଇ ସାଧାରଣରେ ବିରୋଧ କରାଯାଉ ନାହିଁ । କିନ୍ତୁ ଭାବିବାର କଥା ଏଠି ଅଲଗା ପ୍ରକାର ଅଟେ । ଏହି ସ୍କୁଲ ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଅତ୍ୟନ୍ତ ବର୍ଣ୍ଣାଢ଼୍ୟ କୋଠାଘର ସବୁ ନିର୍ମାଣ କରାଗଲା । ବ୍ଲକସ୍ତରରେ ପ୍ରବେଶିକା ପରୀକ୍ଷା କରି ଉତ୍ତମ ଛାତ୍ରଛାତ୍ରୀମାନଙ୍କୁ ନାମ ଲେଖାଇବାର ସୁଯୋଗ ଦିଆଗଲା । ହେଲେ ସେଠାରେ ମଧ୍ୟ ଶିକ୍ଷକଙ୍କ ଅଭାବ । ବ୍ଲକ୍ ସ୍ତରର ଦକ୍ଷ ଶିକ୍ଷକମାନଙ୍କୁ ଏହି ସ୍କୁଲମାନଙ୍କୁ ଡେପୁଟେସନ୍ ରେ ପଠାଗଲା । ଏପଟେ ପ୍ରାଥମିକ ଶିକ୍ଷାପାଇଁ ଶିକ୍ଷକ ଆଭବ । ସେପଟେ ବଛାବଛା ଶିକ୍ଷକଙ୍କର ଡେପୁଟେସନ୍ । ଅତ୍ୟନ୍ତ ରୋଚକପୂର୍ଣ୍ଣ କଥା ଯେ ଶିକ୍ଷକମାନେ ଗ୍ରାମାଂଚଳ ବିଦ୍ୟାଳୟରୁ ଦରମା ପାଇ ଆଦର୍ଶ ବିଦ୍ୟାଳୟରେ ପାଠ ପଢ଼ାଇଥାନ୍ତି ।
କିଛି ସ୍ଥାନରେ ବିଜ୍ଞାପନ ଜରିଆରେ ଠିକା ଶିକ୍ଷକ ନିଯୁକ୍ତି ଦିଅଗଲା । ଡେପୁଟେସନ୍ ତଥା ଠିକା ଶିକ୍ଷକଙ୍କ ପାଠପଢ଼ାରେ ଆନ୍ତରିକତାର ଅଭାବ ଦେଖାଦେଉଛି । ଏହି ଆଦର୍ଶ ବିଦ୍ୟାଳୟ ମାନଙ୍କରେ ହଷ୍ଟେଲ ସମସ୍ୟା ଅନ୍ୟଏକ ପ୍ରମୁଖ ବିଷୟ । ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲର ଅଭାବ । ଯଦି ଶିକ୍ଷାକୁ ସରକାର ଗୁରୁତର ସହ ବିଚାରକୁ ନିଅନ୍ତି, ତେବେ ବ୍ଲକର ସବୁଠାରୁ ଦୁର୍ବଳ ଛାତ୍ରଛାତ୍ରୀମାନଙ୍କୁ ଆଦର୍ଶ ବିଦ୍ୟାଳୟରେ ଯଦି ଶିକ୍ଷାଦାନ ଦିଆଯାଆନ୍ତା, ତାହାଲେ ଆଗାମୀ ସମୟରେ ଭଲ ଛାତ୍ରଛାତ୍ରୀ ହୋଇ ସଫଳତା ଅର୍ଜନ କରି ପାରିଥାନ୍ତେ । ତେବେ ଯାଇ ଆଦର୍ଶ ବିଦ୍ୟାଳୟର ଯଥାର୍ଥତା ପ୍ରତିପାଦିତ ହୋଇପାରନ୍ତା ସମ୍ଭବତଃ ।
ଅନ୍ୟ ଏକ କାରଣ ହେଲା ଇଂରାଜୀ ସ୍କୁଲକୁ ଗୁରୁତ୍ୱ ଦେବା । ଅନେକ ଜାଗାରେ ବହୁଳ ଭାବେ ଛତୁ ଫୁଟିଲା ଭଳି ଘରୋଇ ସ୍କୁଲମାନ ଖୋଲାଯାଉଛି । ସେହି ସ୍କୁଲମାନଙ୍କୁ ଅନୁମତି ପ୍ରଦାନ କରିବା କେତେଦୂର ଯୁକ୍ତିଯୁକ୍ତ । ଏ ପଟେ ସରକାରୀ ପ୍ରାଥମିକ ସ୍କୁଲ ଛାତ୍ରଛାତ୍ରୀ ଅଭାବରୁ ବନ୍ଦହେବାର ଲାଗିଲା ଯାହା ।
ଅନ୍ୟ ଏକ ଆଶ୍ଚର୍ଯ୍ୟ ବିଷୟ ଏୟା, ଚାରି ବର୍ଷ ଆଗରୁ ସରକାର ଏକ ନିର୍ଦ୍ଦେଶ ନାମା ଜାରି କରିଥିଲେ ଯେ, ଅଷ୍ଟମଶ୍ରେଣୀ ମାଧ୍ୟମିକ ଶିକ୍ଷା ଅଧିନରୁ ପ୍ରାଥମିକ ଶିକ୍ଷା ଅଧିନକୁ ଆସୁ । ଅର୍ଥାତ୍ ପ୍ରାଥମିକ ଶିକ୍ଷା ଅଧିନରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ଯାଏ ରଖାଗଲା । ଅଷ୍ଟମଶ୍ରେଣୀରେ ଥିବା ହିନ୍ଦୀ ଓ ସଂସ୍କୃତ ବିଷୟକୁ ପ୍ରାଥମିକ ସ୍କୁଲର କେଉଁ ଶିକ୍ଷକ ପଠାଇବେ? ଏଥିପାଇଁ ଶିକ୍ଷକ ନିଯୁକ୍ତି (ହିନ୍ଦୀ ଓ ସଂସ୍କୃତ) ପାଇଛନ୍ତି କି? ଏଭଳି ଦୂର ଦୃଷ୍ଟିହୀନ ପାଠ୍ୟଖସଡ଼ା ଶିକ୍ଷାକୁ ଆଗକୁ ବଢ଼ିବାରେ ବାଧକ ସୃଷ୍ଟି କରୁଛି ।
ପୁଣି ଆଉ ଏକ ସମସ୍ୟା ଏହା ଅଟେ, ଯେ ପ୍ରାଥମିକଶ୍ରେଣୀରେ ବିଭିନ୍ନ ପ୍ରକାର ଶିକ୍ଷକ ନିଯୁକ୍ତି । ଗଣଶିକ୍ଷକ, ଶିକ୍ଷା ସହାୟକ, କ୍ରୀଡ଼ା ଶିକ୍ଷକ, ଜୁନିଅର୍ ଟିଚର, ପାରାଟିଚର, ଆର୍ଟ ଟିଚର୍, ରେଗୁଲାର ଟିଚର୍, ଏପରି ଭାବେ ବିଭିନ୍ନ ବର୍ଗର ଶିକ୍ଷକ ନିଯୁକ୍ତି ହେବା ଫଳରେ, ଜଣେ ପ୍ରଧାନଶିକ୍ଷକଙ୍କ ପାଇଁ ସମମ୍ୟା ସୃଷ୍ଟି କରୁଛି । ପୁଣି ସ୍କୁଲମାନଙ୍କରେ କମ୍ପୁ୍ୟଟର ଶିକ୍ଷକ ନିଯୁକ୍ତି । ଅଥଚ କେଉଁ ସ୍କୁଲରେ ଉକ୍ଟଜ୍ଞକ୍ଟ୍ରଙ୍କଗ୍ଧରକ୍ସ ନାହିଁ ତ କେଉଁଠି ଉପକରଣ ନାହିଁ । ଏସବୁ ଜିନିଷ ସଜାଡ଼ି କିଭଳି ଭାବେ କମ୍ପୁ୍ୟଟର ଶିକ୍ଷାକୁ ବାଧ୍ୟତାମୂଳକ କରାଗଲା, ତାହା ଏକ ପ୍ରଶ୍ନବାଚୀ ପୁଣି ଦେଖାଯାଏ । କ୍ରୀଡ଼ା ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଦେଖନ୍ତୁ । ଶତକଡ଼ା ୭୦ଭାଗ ସ୍କୁଲରେ ଖେଳପଡ଼ିଆ ନାହିଁ । ଅଥଚ କ୍ରୀଡ଼ା ଶିକ୍ଷକ ନିଯୁକ୍ତି । ଏହି ନିଯୁକ୍ତି ମଧ୍ୟ ବଡ଼ ଆଶ୍ଚର୍ଯ୍ୟ ମନେ ହୁଏ । ଏହି ଶିକ୍ଷକମାନଙ୍କର କାର୍ଯ୍ୟ ସମୟ ସାରଣୀ ଅପରାହ୍ଣ ୨ ଘଣ୍ଟା ସମୟଠାରୁ ୪ ଘଣ୍ଟା ସମୟ ପର୍ଯ୍ୟନ୍ତ । କ୍ରୀଡ଼ା ସାମଗ୍ରୀ ପାଇଁ ମଧ୍ୟ ଅର୍ଥ ମଞ୍ଜୁର ହେଲା । ପ୍ରଥମେ ଭିତ୍ତିଭୂମିକୁ ସୁଦୃଢ଼ କରି ନିଯୁକ୍ତି କ୍ଷେତ୍ରକୁ ସମ୍ପ୍ରସାରଣ କଲେ, ତାହା ଉଚିତ୍ ପଦକ୍ଷେପ ହୁଅନ୍ତା ।
ପୁଣି ଅନ୍ୟ ଏକ ସସମ୍ୟା ହେଲା, ବିଦ୍ୟାଳୟ ପରିଚାଳନା । ଏହାର ସୁପରିଚାଳନା ପାଇଁ ସ୍କୁଲ ପରିଚାଳନା ସମିତି ଗଠନହୋଇ ସମିତିକୁ ସହଯୋଗ କରିବା ପାଇଁ ପଞ୍ଚାୟତ ସ୍ତରର ନେତାକୁ ଦାୟିତ୍ୱ ଦିଆଗଲା । କିନ୍ତୁ ଏଥିରେ ରାଜନୈତିକ ହସ୍ତକ୍ଷେପ ଫଳରେ ମୁଖ୍ୟଲକ୍ଷ୍ୟ ହରାଇ ବସିଲା । ଏହି ସରକାରୀ ବିଦ୍ୟାଳୟ ଏବେ ଶାସକଦଳର ପ୍ରୟୋଗଶାଳା ପାଲଟିଲାଣି । ଲୋକ ପ୍ରତିନିଧିଙ୍କ ଭୂମିକା ପ୍ରତ୍ୟେକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ପରିଚାଳନା ବ୍ୟବସ୍ଥା ବିପଥଗାମୀ ହେବାରେ ଲାଗିଛି । ଅବଶ୍ୟ ସମିତିର ସୁପରିଚାଳନା ନିମିତ୍ତ ତାଲିମପ୍ରାପ୍ତ ଏହି ତାଲିମ ଶିବିରର ପରିଚାଳନା ଦାୟିତ୍ୱ ସଭ୍ୟ ଓ ଅଭିଭାବକମାନେ ତାଲିମ ନେଇଥାନ୍ତି । ପରିତାପର ବିଷୟ ଏହି କି ପ୍ରତି ୪ରୁ ୫ଟି ସ୍କୁଲକୁ ନେଇ ଗୋଟିଏ ତାଲିମକେନ୍ଦ୍ର କରାଯାଇଛି । ତାଲିମ ଶିବିରଗୁଡ଼ିକରେ ପ୍ରତ୍ୟେକ ସ୍କୁଲର ସମଗ୍ର ପରିଚାଳନା ସଭ୍ୟ/ସଭ୍ୟାଙ୍କୁ ବିଭିନ୍ନ କାରଣ ନେଇ ଯୋଗାଯୋଗ ହୋଇପାରୁନି । ଯଦି ପ୍ରତ୍ୟେକ ସ୍କୁଲରେ ଏହି ତାଲିମ ଶିବିର କରାଯାଇ ପାରନ୍ତା, ତେବେ ଏହାର ମହତ୍ ଉଦେଶ୍ୟ ସାଧିତ ହୋଇପାରିଥାନ୍ତା । ଅନେକ ଶିକ୍ଷକ ଓ ପରିଚାଳନା ସମିତି ମଧ୍ୟରେ ଅଶାନ୍ତ ବାତାବରଣ ସୃଷ୍ଟି ହେବା ନଜରକୁ ଆସେ ।
ପୁଣି ଏହି ସମସ୍ୟାଟି ମଧ୍ୟ ନଜରକୁ ଆସେ । ଶିକ୍ଷାର୍ଥୀ ଉପସ୍ଥାପନା, ଗୁଣାତ୍ମକ ଶିକ୍ଷାର ଅଭାବ ନେଇ ଅଭିଭାବକମାନେ ନିଜ ପିଲାଙ୍କୁ ସେହି ସବୁ ସ୍କୁଲମାନଙ୍କରେ ପାଠ ପଢ଼ାଇବାକୁ ଇଚ୍ଛାପ୍ରକାଶ କରୁ ନାହାଁନ୍ତି । ତେଣୁ ଶିକ୍ଷାର ଗୁଣବୃଦ୍ଧି ଓ ମାନବୃଦ୍ଧି ପାଇଁ ସବୁପ୍ରକାର ପଦକ୍ଷେପ ନେବା ଜରୁରୀ ଆବଶ୍ୟକତା ମନେ ହୁଏ । କେବଳ ହିଁ ଶିକ୍ଷାର୍ଥୀଙ୍କ ଉପସ୍ଥାପନାକୁ ଦେଖି ଆମ ଶିକ୍ଷାର ଉନ୍ନତି ହେଉଛି ବୋଲି କହି ହେବ ନାହିଁ ବୋଧହୁଏ । କେତେକ ଜାଗାରେ ଶିକ୍ଷକମାନଙ୍କୁ ବାଧ୍ୟ କରାଯାଉଛି ଯେ, ଛାତ୍ରଛାତ୍ରୀଙ୍କ ଉପସ୍ଥାପନା ହାର ବୃଦ୍ଧି କରାଇବା ନେଇ । ମୌଖିକ ଉପକରଣ କିଣାଯାଇ ତାର ବ୍ୟୟ ବିନିଯୋଗର ଉପଯୁକ୍ତ ସଦୁପଯୋଗ କରିବା ଅନିର୍ବାର୍ଯ୍ୟ ଆବଶ୍ୟକତା । ଆଜି ପର୍ଯ୍ୟନ୍ତ ସାରା ଓଡ଼ିଶାର ଏକକ ଟାଇମ୍ ଟେବୁଲ ବ୍ୟବସ୍ଥା ଲାଗୁ ହୋଇ ପାରିନାହିଁ । ଏକକ ପାଠ୍ୟନିର୍ଘଂଟର ବ୍ୟବସ୍ଥା ପ୍ରଚଳନ କରାଗଲେ ହୁଏତ କିଛି ମାତ୍ରାରେ ସୁଧାର ଆସିପାରେ । ଏଥିସହ ବହି ଯୋଗାଣର ଅନିୟମିତତା, ଆବଶ୍ୟକତା ଠାରୁ କମ୍ ବହି ଯୋଗାଣ ଆଉ କିଛି ଅନ୍ତରାୟ ସୃଷ୍ଟି କରେ । ବାରମ୍ବାର ବ୍ଲକ୍ କୌଣସି ନା କୌଣସି କାମରେ ନିୟୋଜିତ ହେବା ଦ୍ୱାରା ଶିକ୍ଷାଦାନ ପ୍ରକ୍ରିୟାରେ ବାଧା ଉପୁଜୁଛି । ବିଭିନ୍ନ ସମୟରେ ଶିକ୍ଷକମାନଙ୍କ ସ୍ୱଳ୍ପ ସମୟ ଭିତରେ ହିଁ ନାନା ପ୍ରକାର ତଥ୍ୟ ଯୋଗାଇଦେବାକୁ କୁହାଯାଉଛି । ତେଣୁ ଶିକ୍ଷକମାନେ ବାଧ୍ୟ ହୋଇ ଭୁଲ ଭଟକା ତଥ୍ୟ ପ୍ରଦାନ କରୁଛନ୍ତି ।
ଏହା ସହିତ ସେମାନଙ୍କୁ ନାନାଦି ପ୍ରକାର ଅଣମୌଖିକ କାର୍ଯ୍ୟରେ ନିୟୋଜିତ କରାଯାଉଛି ଯଥା- ଭୋଟର କାର୍ଡ଼ ପ୍ରସ୍ତୁତି, ଭୋଟର କାର୍ଡ଼ ସଂଶୋଧନ, ଔଷଧ ବଂଟନ, ଆଧାର କାର୍ଡ଼ କାମ, ଚକ୍ଷୁ ପରୀକ୍ଷା ଶିବିର ଓ ନେପ୍କିନ୍ ବାଣ୍ଟିବା ଭଳି ଅନେକଗୁଡ଼ିଏ କାମ କରିବାକୁ ଦାୟିତ୍ୱ ଦିଆଯାଉଛି । ଏହା ସହ ପୁସ୍ତକ ବଣ୍ଟନ, ପୋଷାକ ଓ ଯୋତା ବଣ୍ଟନ । ଅବଶ୍ୟ ଏସବୁ କାର୍ଯ୍ୟ ସ୍କୁଲ ଶିକ୍ଷା ବ୍ୟବସ୍ଥାର ଏକ ଅଙ୍ଗ । ତଥାପି ଉପରଲିଖିତ କାର୍ଯ୍ୟଧାରା ଦ୍ୱାରା ଶିକ୍ଷାଦାନଠାରୁ ବଂଚିତ କରାଯାଉଛି ସମ୍ଭବତଃ । ଛୋଟରୁ ଛୋଟ କାମଗୁଡ଼ିକ ପାଇଁ ବ୍ଳକ ବା ଅନ୍ୟତ୍ର ଯିବା ଦ୍ୱାରା ଶିକ୍ଷାଦାନର ସମୟସୀମା ସୀମିତ ହୋଇଯାଉଅଛି ।
ଏସବୁ କାର୍ଯ୍ୟରେ ଶିକ୍ଷକମାନଙ୍କୁ ନିୟୋଜିତ କରିବାର ଅର୍ଥ ଆମେ ସେମାନଙ୍କୁ ମୂଳ ଲକ୍ଷ୍ୟ ଠାରୁ ଦୂରେଇ ଦେଉଛନ୍ତି । ଯଦିଓ ସେମାନଙ୍କ ମୁଖ୍ୟ ଲକ୍ଷ୍ୟ ଓ କର୍ମହେଲା ଶିକ୍ଷାଦାନ । ପୁଣି ଶିକ୍ଷାଦାନରେ ବ୍ୟାଘାତ ସୃଷ୍ଟି ହେବା ଦ୍ୱାରା, ଶିକ୍ଷାର୍ଥୀମାନେ ମଧ୍ୟ ସ୍କୁଲ ଆସିବା ନିୟମିତତା ବଜାୟ ରଖୁ ନାହାନ୍ତି । ଅଥଚ ଶିକ୍ଷାର୍ଥୀ ଉପସ୍ଥିତ ରୁହନ୍ତି ଅବା ନ ରୁହନ୍ତି, ବାଧ୍ୟବାଧକରେ ସେମାନଙ୍କ ଉପସ୍ଥାନ ଦେବାକୁ ପଡ଼େ । ଶିକ୍ଷାର୍ଥୀଙ୍କ ପାଠପଢ଼ା ଯାହା ବି ହୋଇଥାଉ ନା କାହିଁକି ତାଙ୍କୁ (ପ୍ରୋମସନ) ଉପର କ୍ଳାସ୍କକୁ ଉତ୍ତୀର୍ଣ୍ଣ କରି ଦିଆଯାଏ । ଯଦି ଉପସ୍ଥାନ କମ୍ ରୁହେ, ତେବେ ଶିକ୍ଷକଙ୍କ ଦରମା ବନ୍ଦ ହୁଏ । ଏଥିସହ ଈଜଉଉ, ଉଜଉଉ ମାନଙ୍କ ପ୍ରାଦୁର୍ଭାବ ମଧ୍ୟ ନଜରକୁ ଆସେ । ଏମାନେ ବିଭିନ୍ନ ସମୟରେ ନାନା ପ୍ରକାର ଧମକ ଚମକ ଦେଇ ଚାନ୍ଦା ଆଦାୟ କରିବା ଖବର, ଖବରକାଗଜର ପୃଷ୍ଠାମଣ୍ଡନ କରିଥାଏ । ନାନାପ୍ରକାର ତାଲିମ ବ୍ୟବସ୍ଥାରେ ଅନେକ ସମୟ ଓ ଅର୍ଥର ଅପଚୟ ହୁଏ । ଉଦାହରଣସ୍ୱରୂପ ଉଜ୍ୱଳ । ଏହି ଯୋଜନାର ଲକ୍ଷ୍ୟ ଏହା ଯେ ଦୁର୍ବଳଶ୍ରେଣୀ ଶିକ୍ଷାର୍ଥୀମାନଙ୍କୁ ଧ୍ୟାନଦେବା ଯେଉଁ ସ୍କୁଲମାନଙ୍କରେ ଆବଶ୍ୟକୀୟ ସଂଖ୍ୟାଠାରୁ କମ୍ ଶିକ୍ଷକ ଥିବେ ସେହି ସ୍କୁଲରେ ଏସବୁ କିଭଳି ସମ୍ଭବ? ଯଦି ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଅର୍ଥାତ୍ ଦୁର୍ବଳକୁ ଚିହ୍ନଟ କରି, ସେହିମାନଙ୍କୁ ଅଲଗା ଶ୍ରେଣୀ କକ୍ଷରେ ଅଲଗା ଶିକ୍ଷକଙ୍କ ଦ୍ୱାରା, ଯଦି ଶିକ୍ଷାଦାନର ବ୍ୟବସ୍ଥା କରାଯାଏ, ତା’ହେଲେ ଦୁର୍ବଳ ପିଲା ସବଳ ହେବାରେ ସହଯୋଗ ହୋଇପାରିବ । ଅନ୍ୟପକ୍ଷରେ ଭଲ ଛାତ୍ରଛାତ୍ରୀମାନେ ମଧ୍ୟ ନିଜ ପଢ଼ାପଢ଼ିରେ ଉନ୍ନତି କରିବାରେ ପ୍ରୟାସୀ ହେବେ । ତେଣୁ ଯେକୌଣସି ଯୋଜନା ପ୍ରଣୟନ କରିବା ଆଗରୁ ଯଦି ଭିତ୍ତିମୂକିକୁ ଠିକ୍ ଭାବେ ଅନୁମାନ କରାଯାଏ, ତେବେ ତାହା ଆଶାତୀତ ଭାବେ ସଫଳତା ପାଇବ । ପରିଶେଷରେ ସ୍କୁଲ ନିର୍ମାଣ କାର୍ଯ୍ୟରେ ଘଟୁଥିଲେ ମଧ୍ୟ ସେଥିରେ ହେଉଥିବା ଜାଲିଆତି ଏକ ଚିନ୍ତାର ବିଷୟ । ଏହାର ନିର୍ମାଣ କାର୍ଯ୍ୟ, ପ୍ରାଥମିକ ଶିକ୍ଷକ ଓ ପରିଚାଳନା ସମିତିର ସଭାପତି ମୁଖ୍ୟ ଭୂମିକା ନିର୍ବାହ କରନ୍ତି ଓ ଅଧିକାଂଶ ସ୍ତରରେ ନିମ୍ନମାନର କାର୍ଯ୍ୟ ହେବାର ଅଭିଯୋଗ ହୁଏ । ଯଦି ହସ୍ତାନ୍ତର କରି ହୁଅନ୍ତା, ଯଦି ଏହି ନିର୍ମାଣ କାର୍ଯ୍ୟ ଶିକ୍ଷକମାନେ ନ କରି ବ୍ଲକର କୌଣସି ନିର୍ମାଣ ସଂସ୍ଥା ଅବା ପଞ୍ଚାୟତକୁ ହସ୍ତାନ୍ତର କରାଯାଇ ପାରନ୍ତା । ଏପରିକି ନିର୍ମାଣ ପାଇଁ ଆସିଥିବା ଅର୍ଥ ସରକାରୀ ଖାତାରେ ଜମା ରହିଲେ ଅଧିକ ସୁବିଧା ହେବା ମନେହୁଏ । ସରପଂଚ ସ୍ଥାନୀୟ ଔ.ଋ ଓ ଉଜଉଉମାନଙ୍କ ଅଧିନରେ କମିଟି ଗଠନ କରି ନିର୍ମାଣ କାର୍ଯ୍ୟ କରନ୍ତେ, ପ୍ରଧାନଶିକ୍ଷକମାନଙ୍କୁ ଶିକ୍ଷାଦାନ ଲାଗି ସମୟ ଅଧିକ ମିଳିପାରନ୍ତା । ପୁଣି ମଧ୍ୟାହ୍ନ ଭୋଜନ ଦାୟିତ୍ୱରୁ ମଧ୍ୟ ଶିକ୍ଷକମାନଙ୍କୁ ହଟାଇ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ରନ୍ଧା ଦାୟିତ୍ୱ ତୁଲାଇବା ବୋଧେ ଉଚିତ୍ ପଦକ୍ଷେପ ହୁଅନ୍ତା ।
ଶିକ୍ଷକମାନଙ୍କୁ ଆମେ ଯେତେ ଅଧିକ ଶିକ୍ଷାଦାନ କାର୍ଯ୍ୟରେ ବା ଶ୍ରେଣୀ ଗୃହରେ ନିୟୋଜିତ କରିପାରିବା, ସେହି ପରିମାଣରେ ଶିକ୍ଷାର୍ଥୀମାନଙ୍କ ଉନ୍ନତି ହେବ ଓ ସରକାରୀ ସ୍କୁଲମାନଙ୍କରୁ ମୁହଁ ଫେରାଇଥିବା ଅଭିଭାବକମାନେ ପୁଣି ସେମାନଙ୍କ ଛୁଆମାନଙ୍କୁ ସରକାରୀ ସ୍କୁଲରେ ପାଠ ପଢ଼ାଇବାପାଇଁ ଆଗଭର ହେବେ, ହୁଏତ ବାଧ୍ୟ ହେବେ । ଏଥିରେ ଦ୍ୱିମତ ହେବାର ଅବକାଶ ନାହିଁ ।
ବିଖ୍ୟାତ ସମାଜସଂସ୍କାରକ, ନାରୀ ମୁକ୍ତି ଆନ୍ଦୋଳନର ଅନ୍ୟତମ ପୁରୋଧା, ଗୋବିନ୍ଦ ରାଓ ଫୁଲେ କହିଥିଲେ – ସ୍କୁଲର ଅର୍ଥ ହେଲା “ଅନ୍ଧାରରୁ ଆଲୋକ ଦିଗକୁ ଯିବାର ରାସ୍ତା । ଆଉ ସ୍କୁଲର ଘଣ୍ଟି ଯେତେବେଳେ ବାଜେ, ଆମକୁ ଏହା ସନେ୍ଦଶ ଦିଏ ଆମେ ତର୍କପୂର୍ଣ୍ଣ ଜ୍ଞାନ, ବୈଜ୍ଞାନିକ, ଚିନ୍ତାଧାରା ଦିଗକୁ ଅଗ୍ରସର ହେଉଛନ୍ତି । ଅତଏବ ସମାଜରେ ଶିକ୍ଷାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଶିକ୍ଷାଦାନ କରୁଥିବା ବ୍ୟକ୍ତି ଏବଂ ଶିକ୍ଷା ଗ୍ରହଣ କରୁଥିବା ପିଲାମାନଙ୍କ ମଧ୍ୟରେ ଉତ୍ତମ ସମ୍ପର୍କରେ ଏକ ସୁସ୍ଥ ସମାଜର ପରିକଳ୍ପନା କରାଯାଇ ପାରେ । ତେଣୁ ଯେକୌଣସି ସମାଜର ସାମଗ୍ରିକ ବିକାଶ ପାଇଁ ଶିକ୍ଷା ଏକାନ୍ତ ଜରୁରୀ ଆବଶ୍ୟକ । ଅଥଚ ଘୋର ପରିତାପର ବିଷୟ ଏହାକୁ କୁହାଯାଇ ପାରେ ଯେ, ଆମ ରାଜ୍ୟର ପ୍ରାଥମିକ ଶିକ୍ଷାର ସ୍ଥିତି ଓ ଅବସ୍ଥା ଅତ୍ୟନ୍ତ ଚିନ୍ତାଜନକ । ଶିକ୍ଷକଙ୍କ ଅବହେଳାର ଏକ ପ୍ରମୁଖ କାରଣ ହେଲା ଶିକ୍ଷାଦାନ ପ୍ରତି ଆନ୍ତରିକତାର ଅଭାବ । କୋମଳମତି ଛୋଟଛୋଟ ଶିଶୁମାନଙ୍କୁ ଯେଉଁ ଭଳି ଭାବେ ଶ୍ରଦ୍ଧା ସ୍ନେହ ଦେଇ ଶିକ୍ଷାଦାନ କରିବା କଥା, ସେହି ଆନ୍ତରିକତା ନ ଥିବା ଯୋଗୁଁ ଆଜି ଅଭିଭାବକମାନେ ସେମାନଙ୍କ ଛୁଆମାନଙ୍କୁ ସରକାରୀ ସ୍କୁଲକୁ ନ ପଠାଇ, ବେସରକାରୀ ସ୍କୁଲମାନଙ୍କୁ ପଠାଇବା ପାଇଁ ଉଚିତ୍ ମନେ କରୁଛନ୍ତି । ଶିକ୍ଷକ ଶିକ୍ଷାଦାନ କରୁଥିବା ଛାତ୍ରଛାତ୍ରୀଙ୍କର ଜଣେ ବନ୍ଧୁ ଦାର୍ଶନିକ, ଦିଗଦର୍ଶକ ବା ମାର୍ଗଦର୍ଶକ । ଏହିଭଳି ତିନୋଟି ଭୂମିକା ନେବାକୁ ପଡ଼େ ଜଣେ ଶିକ୍ଷକଙ୍କୁ । ଏହା ସହ ଗୁରୁଶିଷ୍ୟଙ୍କର ଯେଉଁ ପବିତ୍ର ପରମ୍ପରା କେଉଁ ଆବହମାନ କାଳରୁ ଆମ ଭାରତୀୟ ସଂସ୍କୃତିରେ ବଜାୟ ରହିଆସିଛି । ଅଥଚ ସେହି ପବିତ୍ର ପରମ୍ପରା କ୍ରମଶଃ ଲୋପ ପାଇବାକୁ ଲାଗିଲାଗି । ଶିକ୍ଷାଦାନ ଠାରୁ ମହତ ଓ ପୂଣ୍ୟକାର୍ଯ୍ୟ ବୋଧେ ଆଉ କିଛି ନାହିଁ । କାରଣ ପ୍ରତ୍ୟେକ ସ୍କୁଲ, ମନ୍ଦିର, ଗୀର୍ଜା ଓ ମସଜିଦ୍ ଠାରୁ ଆହୁରି ପୂଣ୍ୟ ଓ ପବିତ୍ର ଅଟେ । ମାତ୍ର ଯେଉଁଭଳି ଭାବେ ଆଜି ଶିକ୍ଷାଦାନରେ ଘୋର ଅବହେଳା ଦେଖାଯାଉଛି, ତାହା ଅତ୍ୟନ୍ତ ଉଦ୍ ବେଗ ଜନକ । ଶିକ୍ଷକମାନେ ନିଜ ନିଜ ଦାୟିତ୍ୱରେ ଘୋର ଅବହେଳା କରିବା ଦେଖାଯାଉଛି । ଦାୟିତ୍ୱରେ ଅବହେଳା କରୁଥିବା ଯୋଗୁଁ ଶିକ୍ଷାର୍ଥୀମାନେ ଶିକ୍ଷା ପାଇପାରୁ ନାହାଁନ୍ତି । ଶିକ୍ଷକମାନଙ୍କୁ ଆଜିର ସରକାର ପ୍ରାୟତଃ ସମସ୍ତ ପ୍ରକାର ସୁବିଧାସୁଯୋଗ ଦେବା ସତ୍ତ୍ୱେ ସେମାନଙ୍କ ଆନ୍ତରିକତାର ଅଭାବ ଏକ ଘୋର ସମସ୍ୟା ସୃଷ୍ଟି କରୁଛି । କିଛି ବର୍ଷ ପୂର୍ବରୁ ଶିକ୍ଷକମାନଙ୍କୁ ଆଜିର ଭଳି ସମସ୍ତ ସୁବିଧା ସୁଯୋଗ ମିଳୁନଥିଲା । ଅଥଚ ଶିକ୍ଷକଙ୍କର ଶିକ୍ଷାଦାନ ପ୍ରତି ପ୍ରଚୁର ଓ ପ୍ରବଳ ଆଗ୍ରହ ଥିଲା । ଏପରି ଆନ୍ତରିକତା ଥିବା ହେତୁ ସେତେବେଳେ ବେସରକାରୀ ସ୍କୁଲମାନେ ଗାଁ ଗଣ୍ଡା ସହରମାନଙ୍କରେ ନିଜର ଆଧିପତ୍ୟ ବିସ୍ତାର କରିପାରି ନଥିଲେ ।
ସରକାରଙ୍କର ନିର୍ଦ୍ଦେଶଥିବା ସତ୍ତ୍ୱେ ଆଜିର ଶିକ୍ଷକମାନେ ସହରାଭିମୁଖୀ । ପ୍ରାଥମିକ, ଉଚ୍ଚପ୍ରାଥମିକ ବର୍ଗର ଶିକ୍ଷକମାନଙ୍କ ପାଇଁ ସରକାରୀ ନିୟମ ଅଛି ଯେ, ସେମାନେ ନିଜ କର୍ମକ୍ଷେତ୍ର ଠାରୁ ୧୦କିଲୋମିଟର ପରିଧି ଭିତରେ ରହିବାକୁ ବାଧ୍ୟହେବେ । ଅଥଚ ଅଧିକାଂଶ ଶିକ୍ଷକ ପ୍ରତ୍ୟେକ ଦିନ ସହରରୁ ଯିବା ଆସିବା କରିବା ଦେଖାଯାଉଛି । ହୁଏତ ସବୁ ଶିକ୍ଷକଙ୍କୁ ନ ହୋଇପାରେ, କିନ୍ତୁ ସରକାର କିଛି ଶିକ୍ଷକଙ୍କୁ ଘରଭଡ଼ା ବାବଦକୁ ମାସକୁ ମାସ କିଛି ଟଙ୍କା ପ୍ରଦାନ କରିଥାନ୍ତି । ଏହାପରେ ମଧ୍ୟ ସେହି ଶିକ୍ଷକମାନେ ଗ୍ରାମାଞ୍ଚଳରେ ନ ରହି ଯିବାଆସିବା କରନ୍ତି ସହରରୁ । ଏହା କେତେଦୂର ଯୁକ୍ତିଯୁକ୍ତ, ତାହା ହୁଏତ ସମୟ ହିଁ କହିବ । ନିଜ କର୍ମସ୍ଥାନରେ ରହିବା ଅର୍ଥ, ସେହି ଅଞ୍ଚଳରେ ଅଭିଭାବକ ଓ ଶିକ୍ଷାର୍ଥୀମାନଙ୍କ ସହ ସୁସମ୍ପର୍କ ସ୍ଥାପନ କରିବା । ଅତଏବ ପ୍ରତିଦିନ ଯିବାଆସିବା କରିବା ଫଳରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ସହ ଯେଉଁଭଳି ସମ୍ପର୍କ ସ୍ଥାପନ ହେବା କଥା, ତାହା ହୋଇପାରୁ ନାହିଁ । ତେଣୁ ଶିକ୍ଷାଦାନରେ ମଧ୍ୟ ବ୍ୟାଘାତ ସୃଷ୍ଟି ହେଉଛି ।
ଶିକ୍ଷାଦାନ ଅବହେଳାର ପୁଣି ଅନ୍ୟତମ କାରଣ ଏହା ଅଟେ ଯେ, ଶିକ୍ଷକମାନଙ୍କ ମଧ୍ୟରେ ମନାନ୍ତର, ମତାନ୍ତର ରହିଲେ ହୁଏତ କିଛି ବିଶେଷ ଅସୁବିଧା ହୁଅନ୍ତା ନାହିଁ ବୋଧହୁଏ । କିନ୍ତୁ ମନାନ୍ତର ହେବାର ଅନେକ ଗୁଡ଼ିଏ କାରଣ ଲକ୍ଷ୍ୟ କରାଯାଏ । ଯେମିତିକି, ଦରମାର ଅସମାନତା, ପଦପଦବୀକୁ ନେଇ ରାଜନୈତିକ ପୃଷ୍ଠପୋଷକତା, ସର୍ବୋପରି ସବୁଠାରୁ ଘୃଣ୍ୟପ୍ରଥା, ଜାତିକୁ ନେଇ (ଅବଶ୍ୟ କେତେକାଂଶରେ) ବିଭିନ୍ନ ବର୍ଗର ଶିକ୍ଷକ ନିଯୁକ୍ତି ନାନା ନିରୀକ୍ଷକ ପଦବୀ ମଧ୍ୟ ମନାନ୍ତର ସୃଷ୍ଟି କରୁଛି । ସ୍ଥାନୀୟ ନେତାଙ୍କର ନିଜକୁ ଅତି ପାଖଲୋକ ସଜାଇ, କିଛି ଶିକ୍ଷକ ଶିକ୍ଷାଦାନ ପରିବର୍ତ୍ତେ ଅନ୍ୟ ମାର୍ଗରେ ନିଜ ବାହାବା ନେବାପାଇଁ ଚେଷ୍ଟା କରି ଶିକ୍ଷାଦାନ ପ୍ରକ୍ରିୟାରେ ସସମ୍ୟା ସୃଷ୍ଟି କରୁଛନ୍ତି । ଅର୍ଥ ହିଁ ସବୁ ଅନର୍ଥର କାରଣ । ଶିକ୍ଷାର ବିକାଶ ପାଇଁ ଓ ଛାତ୍ରଛାତ୍ରୀଙ୍କ ମଙ୍ଗଳ ପାଇଁ ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ ହେବାରେ ଲାଗିଛି । କିନ୍ତୁ ଏହି ଅନୁଦାନ ସଠିକ୍ ରାସ୍ତାରେ ବିନିଯୋଗ ନକରି ନିଜ ସ୍ୱାର୍ଥହାସଲ କରିବା ପାଇଁ କିଛି ଶିକ୍ଷକ ଚେଷ୍ଟାରେ ରହୁଛନ୍ତି ରୀତିମତ । ଉଦାହରଣ ସ୍ୱରୂପ ପାଠାଗାରା କଥା ନିଆଯାଇପାରେ । ପାଠାଗାର ପାଇଁ ପ୍ରତିବର୍ଷ ହଜାର ହଜାର ଟଙ୍କା ଆସୁଅଛି । ବହି କିଣା ଯାଉଛି ପିଲାଙ୍କ ପାଇଁ ଅଥଚ ପିଲା ସେ ବହି ପାଉଛନ୍ତି କି ନାହିଁ ତାହା ତଦାରଖ ହେଉ ନାହିଁ । ସବୁଠାରୁ ଦୁଃଖର କଥା ହେଲା ଅଧିକାଂଶ ସ୍କୁଲରେ ଚରକ୍ସକ୍ଟସୟ ମଧ୍ୟ ନାହିଁ । କେବଳ ବ୍ୟବସାୟିକ ମନୋବୃତ୍ତି ରଖି ଏ ସବୁ କାମ କରାଯାଉଛି । କେବଳ ବ୍ୟବସାୟିକ ମନୋବୃତ୍ତି ରଖି ଏସବୁ କାମ କରାଯାଉଛି । କିନ୍ତୁ ଶିକ୍ଷକମାନଙ୍କୁ ମଧ୍ୟ ନିର୍ଦ୍ଦିଷ୍ଟ ଦେକାନରୁ ସବୁ ସମାଗ୍ରୀ କିଣିବା ପାଇଁ ଚାପ ପକାଯାଉଛି । ପୁଣି ଏକଥା ବି ଶୁଣାଯାଉଛି ଯେ, (ସତ୍ୟାସତ୍ୟ ଅନୁସନ୍ଧାନସାପେକ୍ଷ) ତଦାରଖରେ ଥିବା ଅଧିକାରୀମାନେ ଶିକ୍ଷକମାନଙ୍କୁ ଧମକ ଚମକ ଦେଇ ନାନା ହଇରାଣ କରିବା ସହ ହାତଗୁଞ୍ଜା ମାଗିବା ପାଇଁ ମଧ୍ୟ ପଛାଉନାହାଁନ୍ତି । ଖେଳ ସାମଗ୍ରୀ ପୋଷାକପତ୍ର କିଣା, ଠିକାଦାରୀ ପ୍ରତି ଆସକ୍ତି, ନିର୍ମାଣ କାମରେ ଆଗ୍ରହ ପ୍ରକାଶ ଦ୍ୱାରା ମଧ୍ୟ ଶିକ୍ଷାଦାନରେ ଘୋର ସମସ୍ୟା ସୃଷ୍ଟି ହେଉଛି । ଗଣିତ କିଟ୍ ଓ ବିଜ୍ଞାନ କିଟ୍ କେବଳ ଆଲମାରୀରେ ରହୁଛି । ଏ ସବୁ ଶିକ୍ଷାଦାନ ସମୟରେ କୌଣସି କାମରେ ଆସୁନାହିଁ । ଏସବୁ କେବଳ ପ୍ରଧାନଶିକ୍ଷକଙ୍କ ବଦଳି ହେଲେ ଦାୟିତ୍ୱ ହସ୍ତାନ୍ତରବେଳେ ଖୋଲାଯାଇ ପୁଣି ଆଲମାରୀରେ ସାଇତି ଦିଆଯାଉଛି । ଏହି ସବୁ ଜିନିଷର ତଦାରଖ ପାଇଁ ଅଧିକାରୀ ଥିଲେ ମଧ୍ୟ, ସେମାନଙ୍କ ଖାମଖିଆଲ ସ୍ୱଭାବଯୋଗୁଁ, ଫୋଟ ଉଠାଇ ଦେଇ କାମ ସରିଗଲା ଭାବି, ନ୍ୟାୟରେ ଶିକ୍ଷାର ବିକାଶ ଚାଲିଛି । ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ଭିତରୁ କିଛିବ୍ୟକ୍ତି ଶିକ୍ଷକ ନେତା ହେବାପାଇଁ ମଧ୍ୟ ନିଜର ଆଗ୍ରହକୁ ପ୍ରକାଶ କରି ଶିକ୍ଷାଦାନ ପ୍ରକ୍ରିୟାରେ ବ୍ୟାଘାତ ସୃଷ୍ଟି କରନ୍ତି । ଏହି ସ୍ୱଘୋଷିତ ଅବା ତଥାକଥିତ ଶିକ୍ଷକ ନେତାମାନେ ଉପରିସ୍ଥ ଅଧିକାରୀଙ୍କୁ ଯେକୌଣସି ପ୍ରକାର ସନ୍ତୁଷ୍ଟ କରି ନିଜ ନିଜ ସ୍ୱାର୍ଥ ସାଧନ କରିବା ପାଇଁ ବ୍ୟସ୍ତ ରହୁଛନ୍ତି । ଏହି ନେତାମାନେ ଶିକ୍ଷାଦାନକୁ ବାଦ୍ ଦେଇ, ଶିକ୍ଷାନୁଷ୍ଠାନ ଭିତରକୁ ନାନାପ୍ରକାର ସମସ୍ୟା ଆଣି ବିଶୃଙ୍ଖଳା ସୃଷ୍ଟି କରିବାରେ ବି ପଛାଉ ନାହାଁନ୍ତି । ସବୁଠାରୁ ମୁଖ୍ୟ ପରିତାପର ବିଷୟ ହେଲା ଆମ ଶିକ୍ଷକମାନେ (ଅବଶ୍ୟ ସମସ୍ତେ ନୁହଁନ୍ତି) ପ୍ରତିଭାବାନ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ପକ୍ଷପାତିତା କରିବାରେ ଅବହେଳା କରୁ ନାହାଁନ୍ତି । କୌଣସି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ତୋଷାମଦକାରୀ ଛାତ୍ରଙ୍କୁ ନେଇ ପ୍ରତିଭାଧାରୀଙ୍କୁ ପଛରେ ଛାଡ଼ିଦେଉଛନ୍ତି । ପିଲାଙ୍କ ପାଇଁ ନିର୍ମିତ ଶ୍ରେଣୀଗୃହ ଓ ଶୌଚାଳୟକୁ ବ୍ୟକ୍ତିଗତ କାମରେ ବ୍ୟବହାର କରୁଛନ୍ତି । ଏହାଦ୍ୱାରା ଛାତ୍ରଛାତ୍ରୀମାନେ ବାଧ୍ୟ ହୋଇ ବାହାରକୁ ଯାଉଛନ୍ତି । ଅନ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ବି ଅଣଦେଖା କରାଯାଇନପାରେ । ଯେମିତି କି ଏହି ଶିକ୍ଷକମାନେ ସରକାରଙ୍କଠାରୁ ଦରମା ପାଇ, ବେସରକାରୀ ସ୍କୁଲପ୍ରତି ନିଜର ଆନୁଗତ୍ୟ ପ୍ରକାଶ କରିବାରେ ପଛଘୁଞ୍ଚା ଦେଉ ନାହାଁନ୍ତି ।
ଛାତ୍ରଛାତ୍ରୀଙ୍କ ନିରପତ୍ତା ଏକଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ଶ୍ରେଣୀ ଗୃହ ହେଉ, ବିଦ୍ୟାଳୟ ପରିସର ଅବା, ଛାତ୍ରାବାସ କିମ୍ବା ଖେଳପଡ଼ିଆରେ ହେଉ ନିରାପତ୍ତା ପ୍ରତି ଘୋର ଅବହେଳା କରିବାରେ ସେମାନଙ୍କର ଆଦୌ ଶଙ୍କା ନଥାଏ । ପରୀକ୍ଷା ଖାମଖିଆଲ ଭାବେ କରିବା, ଖାତାର ଉପଯୁକ୍ତ ମୂଲ୍ୟାଙ୍କନ କରି ମାର୍କଦେବା ଏକ ପ୍ରହସନରେ ପରିଣତ ହେଲାଣି । ବିଭିନ୍ନ କାର୍ଯ୍ୟକ୍ରମରେ ମିଥ୍ୟା ତଥ୍ୟ ଦେଇ ଯଥା (ଉପସ୍ଥାନ, ଉଜ୍ୱଳା, ମଧ୍ୟାହ୍ନ ଭୋଜନ) ଶିକ୍ଷା ବାତାବରଣକୁ ଏମାନେ ଧ୍ୱଂସ କରିବାରେ ମଧ୍ୟ ପଛାଉନାହାଁନ୍ତି ନିଜର ଲେସନ୍ ନୋଟ୍ ନ କରି । ଲେସନ୍ ପ୍ରୋଗ୍ରେସ ନ ଲେଖି ମଧ୍ୟ ତଥ୍ୟାତଥ୍ୟ ପ୍ରଦାନ କରନ୍ତି । ସରକାରଙ୍କ କଡ଼ାନିର୍ଦ୍ଦେଶ ଥିବା ସତ୍ତ୍ୱେ ଅଧିକାଂଶ ବିଦ୍ୟାଳୟର ସୂଚନାଫଳକ ଭଲଭାବେ କାର୍ଯ୍ୟକାରୀ କରାଯାଉ ନାହିଁ । ସୂଚନା ଫଳକରେ କେଉଁ କେଉଁ ବିଭାଗ ପାଇଁ କେତେ ଟଙ୍କା ସରକାରଙ୍କଠାରୁ ଆସିଲା ଓ ସେହି ଟଙ୍କା କିଭଳି ଭାବେ ବିନିଯୋଗ ହେଲା । ତାହା ପ୍ରଦାନ କରିବା କଥା କିନ୍ତୁ ଅଧିକାଂଶ ସ୍କୁଲରେ ସୂଚନା ଫଳକ ମଧ୍ୟ ନାହିଁ । ଅଥଚ ଯେଉଁ କିଛି ସ୍କୁଲରେ ସୂଚନା ଫଳକ ଅଛି କାହା ତାହା କେବଳ ନାମକୁ ମାତ୍ର । ଏହା ତଦାରଖ କରୁଥିବା କିଛି ଅଧିକାରୀଙ୍କ ଅବହେଳା ଯୋଗୁଁ ଶିକ୍ଷାର ମାନ ଏବଂ ଶିକ୍ଷାର ଲକ୍ଷ୍ୟ ଓ ବିକାଶ ଆଦୌ ସମ୍ଭବପର ହୋଇପାରୁ ନାହିଁ ।
ପ୍ରଥମତଃ ଶିକ୍ଷା ବ୍ୟବସ୍ଥାକୁ ସୁଧାରିବାକୁ ହେଲେ, ସମସ୍ତ ଶିକ୍ଷାନୁଷ୍ଠାନକୁ ରାଜନୀତିଠାରୁ ଊଦ୍ଧ୍ୱର୍ରେ ରଖିବାକୁ ହେବ । ଅର୍ଥାତ୍ ବିଦ୍ୟାଳୟକୁ ରାଜନୀତିମୁକ୍ତ କରିବା ଜରୁରୀ ଅଟେ । ସମସ୍ତ ଶିକ୍ଷକ, ପରିଚାଳନା ସମିତିର କାର୍ଯ୍ୟକର୍ତ୍ତା ନିଜ ସ୍ୱାର୍ଥକୁ ପଛରେ ରଖି ଶିକ୍ଷାର ବିକାଶ ପାଇଁ ରାଜନୀତିଠାରୁ ଊଦ୍ଧ୍ୱର୍ରେ ରହି ଆନ୍ତରିକତାର ସହିତ କାର୍ଯ୍ୟ କରିବାକୁ ପଡ଼ିବ । ପରିଚାଳନା ସମିତି ବଛାବେଳେ କୌଣସି ରାଜନୈତିକ ବ୍ୟକ୍ତି (ପ୍ରତ୍ୟକ୍ଷରେ ଥିବା) ବା ରାଜନୈତିକ ଦଳର ସମର୍ଥକମାନଙ୍କୁ ଏହି ପରିଚାଳନା ସମିତିରେ ନ ରଖି, ଅବସରପ୍ରାପ୍ତ ଶିକ୍ଷକ ଓ ଅନ୍ୟାନ୍ୟ କର୍ମଚାରୀ (ଯେଉଁମାନେ ନିର୍ବିବାଦୀୟ) ସେହିମାନଙ୍କୁ ନେଇ ପରିଚାଳନା ସମିତି ଗଠନ କରାଯାଇ ପାରେ । ଏହି ସମିତି ଠିକ୍ଭାବେ ବିଦ୍ୟାଳୟର ସମସ୍ତ ଦାୟିତ୍ୱ ନେବା ସହ, ଶିକ୍ଷକମାନଙ୍କୁ ମଧ୍ୟ ଶୈକ୍ଷିକ ପରିବେଶର ଉନ୍ନତି ପାଇଁ ପରାମର୍ଶ ଦେବାକୁ ହେବ । ଯେହେତୁ ଏହି ପରିଚାଳନା ସମିତି ଗ୍ରାମରେ ସଭାଦ୍ୱାରା ବଛା ଯାଇଥିବେ, ତେଣୁ ଶୈକ୍ଷିକ ପରିବେଶକୁ ଅସାମାଜିକ ବ୍ୟକ୍ତିଙ୍କ ପ୍ରବେଶ ନିଷେଧ, ଜୁଆଖେଳ ପ୍ରତି ସଜାଗ ଓ ବାହ୍ୟପ୍ରବେଶକୁ ମଧ୍ୟ ଅଟକାଇବାକୁ ହେବ । ଏଥିସହିତ ବିଦ୍ୟାଳୟ ପରିସର ଯଦି ଜବର ଦଖଲ ହୋଇଥାଏ, ତେବେ ସେହି ଅଂଶକୁ ଉଚ୍ଛେଦକରିବା ଆବଶ୍ୟକ । ବିଦ୍ୟାଳୟ ପରିସରରେ ଯଦି କିଛି ଅଦରକାରୀ ଅବା ଅସ୍ୱାସ୍ଥ୍ୟକର ପଦାର୍ଥ ଜମା ହୋଇଛି (ଯଥାକ୍ରମେ ଗୁହାଳ, ଖତଗଦା, ପାଳଗଦା, ଅଳିଆଗଦା) ତେବେ ଗ୍ରାମବାସୀ କିମ୍ବା ସେହି ଅଞ୍ଚଳରେ ରହୁଥିବା ବ୍ୟକ୍ତିମାନଙ୍କୁ ନେଇ ଏସବୁ ସମସ୍ୟାର ସମାଧାନ କରିବାକୁ ହେବ । କାରଣ ଶିକ୍ଷାଦାନ ପାଇଁ ଏକ ସ୍କୁଲର ସ୍ୱାସ୍ଥ୍ୟକର ପରିବେଶ ନିହାତି ଆବଶ୍ୟକ ହୁଏ । ଏହା କେବଳ ସ୍ଥାନୀୟ ଜନସାଧାରଣ ଚାହିଁଲେ ହିଁ ସମ୍ଭବ । ଛୁଟି ସମୟରେ ବିଦ୍ୟାଳୟ ପରିସର ମଧ୍ୟରେ କିଛି ବ୍ୟକ୍ତି ନିଜର ଗୃହପାଳିତ ପଶୁଙ୍କୁ ଆଣି ରଖନ୍ତି ଓ କିଛି ବ୍ୟକ୍ତି ଧାନ ଅମଳ କରି ସ୍କୁଲ ବାରଣ୍ଡାରେ ଧାନବସ୍ତା ରଖନ୍ତି । ଏହିସବୁ କାର୍ଯ୍ୟକୁ ସେହି ବ୍ୟକ୍ତିଙ୍କୁ ନ କରିବାକୁ ତାଗିଦ କରିବା ଜରୁରୀ ଆବଶ୍ୟକତା ଅଟେ ।
ବିଦ୍ୟାଳୟ ମଧ୍ୟରେ ଥିବା ବଗିଚା , ଶୌଚାଳୟ, ଜଳଉତ୍ସର କିଭଳି ଭାବେ ସୁଉପଯୋଗ ହୋଇପାରିବ, ସେଥି ସକାଶେ ପରିଚାଳନା ସମିତି ଧ୍ୟାନ ଦେବେ । ବିଦ୍ୟୁତ ସରବରାହ ବ୍ୟବସ୍ଥାର କିପରି ସଠିକ୍ ପରିଚାଳନା ହୋଇପାରିବ, ସେ ନେଇ ସମିତିର ଦୃଷ୍ଟି ରହିବା ଆବଶ୍ୟକ । ବିଦ୍ୟାଳୟକୁ ଲାଗି ରହିଥିବା ସବୁ ପ୍ରତିବନ୍ଧକ ଯଥା ନାଳ, ଖମା, ଗାଡ଼ିଆ, ନଦୀ, ରାସ୍ତା, ବିଦ୍ୟୁତ ତାରର କିଭଳି ଭାବେ ସଠିକ୍ ମରାମତି ହୋଇପାରିବ ଓ ବିଦ୍ୟାର୍ଥୀଙ୍କର ଯେପରି କୌଣସି କ୍ଷତି ନ ଘଟେ; ସେଥିପ୍ରତି ସଜାଗ ହେବା ଏକାନ୍ତ ଆବଶ୍ୟକ । ଛାତ୍ରଛାତ୍ରୀଙ୍କ ନିରାପତ୍ତା ପ୍ରତି ପ୍ରଥମେ ଏହି ସମିତି ଧ୍ୟାନ ଦେବା ଦରକାର । ଛାତ୍ରଛାତ୍ରୀଙ୍କ ପରିବହନ ପାଇଁ ଦୂରରୁ ଆସୁଥିବା ପିଲାଙ୍କ ଅଭିଭାବକଙ୍କ ସହ ଆଲୋଚନା କରି ପରିବହନ ବ୍ୟବସ୍ଥାର ମଧ୍ୟ ପରିଚାଳନାର ଆବଶ୍ୟକତା ରହିଛି । ଶତ ପ୍ରତିଶତ ଉପସ୍ଥାନ ପାଇଁ ଏହି ସମିତି ଧ୍ୟାନଦେବାକୁ ହେବ । ଅଭିଭାବକମାନଙ୍କୁ ବାରମ୍ବାର ଫୋନ୍ ମାଧ୍ୟମରେ ସୂଚନା ଦେବା ଦ୍ୱାରା ଉପସ୍ଥାନରେ ଆଉ ସମସ୍ୟା ଦେଖାଦେବ ନାହିଁ ସମ୍ଭବତଃ । ଉପଯୁକ୍ତ ପୋଷାକ (ୟୁନିଫର୍ମ୍) ପରିଧାନ ନକେଲ ବାରମ୍ବାର ତାଗିଦ୍ ଓ କାର୍ଯ୍ୟାନୁଷ୍ଠାନ ନେବା ସମିତିର କାର୍ଯ୍ୟ ପରିସର ହେବା ଉଚିତ୍ ମଧ୍ୟ । ଦୀର୍ଘ ଅନୁପସ୍ଥିତି ଛାତ୍ରଛାତ୍ରୀଙ୍କ ପରିବାର ସହ ଯୋଗାଯୋଗ କରି ସେମାନଙ୍କୁ ନିୟମିତ କରାଇବାକୁ ହେବ । ଏହି ସମିତି ପଞ୍ଚାୟତ ସ୍ତରରେ ପ୍ରତିଭାବାନ ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ ପ୍ରତିଯୋଗିତାମୂଳକ କାର୍ଯ୍ୟକରିବା ସହ ପ୍ରତିଭା ଉନ୍ମେଷ କରି ପ୍ରତିଭାଧାରୀଙ୍କୁ ସମ୍ମାନିତ ଓ ଉତ୍ସାହିତ କରିବା ଉଚିତ । ଏଥିସହ ଉତ୍ତମ ସହଯୋଗୀ ଅଭିଭାବକଙ୍କୁ ମଧ୍ୟ ଏହି ସବୁ ବାର୍ଷିକ ଉତ୍ସବରେ ସମ୍ମାନିତ କରି ସେମାନଙ୍କୁ ଉପଯୁକ୍ତ ସମ୍ମାନ ଦେବା ସମିତିର ଅନ୍ୟ ଏକ ସୁନ୍ଦର ପ୍ରୟାସ ହୋଇପାରିଲେ ଅଧିକ ଖୁସିର ବାତାବରଣ ସୃଷ୍ଟି ହେବ ନିଶ୍ଚିତ । କାରଣ ଅଭିଭାବକମାନଙ୍କ ସହଯୋଗରେ ଏକ ବିଦ୍ୟାଳୟର ଯଥେଷ୍ଟ ଉନ୍ନତି ସାଧିତ ହୋଇପାରିବ । ଆଉ ଏହି ସବୁ କାର୍ଯ୍ୟରେ ଯଦି ଶିକ୍ଷକମାନେ ନିୟୋଜିତ ହେବେ, ତେବେ ଶିକ୍ଷାଦାନ ପ୍ରକ୍ରିୟାରେ ଘୋର ବ୍ୟାଘାତ ସୃଷ୍ଟି ହେବ । ତେଣୁ ଏହି ସବୁ ଦାୟିତ୍ୱଗୁଡ଼ିକୁ ଅର୍ଥାତ୍ ବିଦ୍ୟାଳୟର କାର୍ଯ୍ୟ ପରିଚାଳନା ଦାୟିତ୍ୱ ଯଦି ପରିଚାଳନା ସମିତି ହାତରେ ରହେ; ତେବେ ଯାଇ ଶିକ୍ଷାଦାନ ପଦ୍ଧତିରେ କୌଣସିପ୍ରକାର ସମସ୍ୟା ଉପୁଜିବ ନାହିଁ ବୋଧହୁଏ ।
ଏଥିସହ ପରିଚାଳନା ସମିତି ଏକ ଦୃଢ଼ ନିଷ୍ପତ୍ତି ନେବାକୁ ହେବ ଯେ, ସ୍ଥାନୀୟ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ କୌଣସି ଅଣଶୈକ୍ଷିକ କାମରେ ନିୟୋଜିତ ରହିବେ ନାହିଁ । ଏହି ସମସ୍ୟାର ସମାଧାନ କରିବାକୁ ହେଲେ, ଆମ୍ଭମାନଙ୍କୁ ଏକ ବିକଳ୍ପ ବ୍ୟବସ୍ଥାକୁ ମାନିବାକୁ ହେବ । ଆଞ୍ଚଳିକ ବା ସ୍ଥାନୀୟ ଶିକ୍ଷିତ, ଅଣରାଜନୈତିକ ବେକାର ଯୁବକ ଯୁବତୀ, ସ୍ୱେଚ୍ଛାସେବୀ, ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ସେହି ସବୁ ଅଣଶୈକ୍ଷିକ କାର୍ଯ୍ୟରେ ନିୟୋଜିତ କରାଯାଇପାରେ । ସେହିସବୁ ବ୍ୟକ୍ତିମାନେ, ଯେଉଁମାନେ ଅଣଶୈକ୍ଷିକ କାର୍ଯ୍ୟରେ ନିୟୋଜିତ ରହିବେ, ସେହିମାନଙ୍କୁ ସରକାରୀ ନିର୍ଦ୍ଧାରିତ ପାରିଶ୍ରମିକ ଦିଆଯାଉ । ସେହି ସବୁ ଅଣଶୈକ୍ଷିକ କାର୍ଯ୍ୟ ଯଥା, ଭୋଟର ତାଲିକା ପ୍ରସ୍ତୁତି, ଭୋଟର ତାଲିକା ସଂଶୋଧନ, ସାମାଜିକ ଜନଗଣନା, ଔଷଧ ବଂଟନ ଏହିସବୁ କାର୍ଯ୍ୟକ୍ରମରେ ଶିକ୍ଷକମାନଙ୍କୁ ନିୟୋଜିତ ନ କରି, ସେହି ସ୍ଥାନୀୟ ବ୍ୟକ୍ତିମାନଙ୍କୁ ଉଚିତ ପାରିଶ୍ରମିକ ଦେଇ ନିୟୋଜିତ କଲେ, ଶିକ୍ଷାଦାନ ପ୍ରକ୍ରିୟାରେ ଆଦୌ ବ୍ୟାଘାତ ସୃଷ୍ଟି ହେବ ନାହିଁ ବୋଲି ମନେହୁଏ । ଯେଉଁ ବ୍ୟକ୍ତିବିଶେଷ ଏହି ସବୁ ଅଣଶୈକ୍ଷିକ କାର୍ଯ୍ୟ କରିବେ, ସେହିମାନଙ୍କ ଠାରୁ ଏକ ଚୁକ୍ତିପତ୍ର / ସତ୍ୟପାଠ ବା ସିକ୍ୟୁରିଟି ଡିପୋଜିଟ୍ ରଖି ଏହି କାର୍ଯ୍ୟରେ ନିୟୋଜିତ କଲେ ଶିକ୍ଷାଦାନରେ ଅସୁବିଧା ହେବ ନାହିଁ । ପୁଣି ଏ ସବୁ କାର୍ଯ୍ୟ କରିବା ଦ୍ୱାରା ବେକାର ଯୁବକ ଯୁବତୀମାନଙ୍କର ଆର୍ଥିକ ସମସ୍ୟାର କିଛି ସୁଧାର ହେବା ସହ ଶିକ୍ଷାଦାନ ସୂଚାରୁ ରୂପେ ଚାଲିପାରିବ ଓ ଶୈକ୍ଷିକ ବାତାବରଣ ମଧ୍ୟରେ ଏକ ବିରାଟ ପରିବର୍ତ୍ତନ ଆସିବ । ସ୍ୱୟଂ ସହାୟକ ଗୋଷ୍ଠୀକୁ ମଧ୍ୟାହ୍ନ ଭୋଜନ କାର୍ଯ୍ୟ, ପୋଷାକ ବଣ୍ଟନ, ପାଠ୍ୟପୁସ୍ତକ ବିତରଣ, ସଫା ଓ ସୁରକ୍ଷା କାମରେ ନିୟୋଜିତ କରାଗଲେ ଶିକ୍ଷାଦାନ ପଦ୍ଧତିରେ ଆହୁରି ଉନ୍ନତି ଘଟିବ ବୋଲି ନିଶ୍ଚିତ ଆଶା କରାଯାଇପାରେ । ଅବଶ୍ୟ ଏହି ସବୁ କାର୍ଯ୍ୟସୂଚୀକୁ ବିଦ୍ୟାଳୟର ଦୁଇଜଣ ଶିକ୍ଷକ ପ୍ରତିଦିନ ତଦାରଖ କରିବା ଆବାଶ୍ୟକ । ଅନ୍ତତଃ ପକ୍ଷେ ଶିକ୍ଷକମାନଙ୍କ ବିରୁଦ୍ଧରେ ଯେଉଁ ଅର୍ଥ ତୋଷରପାତ ଅଭିଯୋଗ ଆସୁଛି, ସେଥିରୁ ସେମାନେ ମୁକ୍ତି ପାଇବେ । ଏହି ସବୁ ଦାୟିତ୍ୱ ପରିଚାଳନା ସମିତି ଓ ସ୍ୱଂୟସହାୟକ ଗୋଷ୍ଠୀଙ୍କ ଦ୍ୱାରା ପରିଚାଳିତ ହେଲେ ଅନେକ କର୍ମଚା ରୀ ହେଡ଼୍ କ୍ଵାଟର ରହିବାକୁ ବାଧ୍ୟ କରିବା ପାଇଁ ମଧ୍ୟ ଏହି ସମିତି ଦୃଢ଼ କାର୍ଯ୍ୟକ୍ରମ ହାତକୁ ନେବା ଉଚିତ୍ । ଏଥିସହ ନିଜ ଗ୍ରାମରେ ଯଦି କୌଣସି କର୍ମଚାରୀର ସର୍ବନିମ୍ନ ଆବଶ୍ୟକତାକୁ ପୂରଣ କରିବା ଦିଗରେ ମଧ୍ୟ ସହଯୋଗ କରିବା ହେବେ । ଶିକ୍ଷକମାନେ ଗାଁରେ ରହିବା ଫଳରେ ପ୍ରତ୍ୟେକ ଅଭିଭାବକଙ୍କ ସହ ସେମାନଙ୍କ ସୁସମ୍ପର୍କ ସ୍ଥାପନ ହେବ ଏବଂ କିଭଳିଭାବେ ସରକାରୀ ସ୍କୁଲରେ ପିଲାମାନେ ନାମ ଲେଖାଇ ପାରିବେ, ସେଥିସକାଶେ ଶିକ୍ଷକମାନେ ଯନôବାନ ହୋଇପାରିବେ । ଏଥିସହ ନିୟମିତ ଭାବେ ବିଦ୍ୟାଳୟକୁ ଅର୍ଥାତ ବିଦ୍ୟାଳୟର ଆବଶ୍ୟକତାକୁ ଯେମିତି କି, ମରାମତି କାମ, ପାନୀୟଜଳ ସୁବଂଟନ, ନୂତନ କୋଠା ନିର୍ମାଣ, ଜାତୀୟ ଦିବସ ପାଳନ ଇତ୍ୟାଦି କାମ ପଞ୍ଚାୟତ ସମୀକ୍ଷା କରିବାକୁ ହେବ । ଏଥିସହ ଆଦର୍ଶ ଶିକ୍ଷାଦାନ ମଧ୍ୟ ଶ୍ରେଣୀ ଶିକ୍ଷକମାନେ ନିୟମିତ ବ୍ୟବଧାନରେ କରାଇବେ । ଗାଁରେ ଥିବା ଶିକ୍ଷକ ଓ ଅବସରପ୍ରାପ୍ତ ଶିକ୍ଷକଙ୍କୁ ନେଇ ଶିକ୍ଷାଦାନ ପଦ୍ଧତିରେ ସାମିଲ କରି ସେହିମାନଙ୍କର ଅଭିଜ୍ଞତାର ଉପଦେଶକୁ ଗ୍ରହଣ କରି କାର୍ଯ୍ୟକାରୀ କରିବାକୁ ହେବ । କେନ୍ଦ୍ର ଶ୍ରେଣୀ ଭଳି ଶିକ୍ଷାର ଆଲୋଚନା ଓ ସମୀକ୍ଷା ଦ୍ୱାରା ଶିକ୍ଷାଦାନର ମାନ ବଢ଼ିପାରିବା ଶିକ୍ଷାର ବିକାଶ ପାଇଁ ଆଲୋଚନା ଓ ସମୀକ୍ଷା ମଧ୍ୟ ଜରୁରୀ ଅଟେ । ଅନ୍ୟ ଏକ ପ୍ରମୁଖ ବିଷୟ ହେଲା ପ୍ରତ୍ୟହ ସୂଚନାଫଳକ ପୂରଣ ଓ ଏହାର ତଦାରଖ । ଏହି ସୂଚନାଫଳକର ଦୈନନ୍ଦିନ ତଥ୍ୟ ସହ ବହୁ ଆବଶ୍ୟକୀୟ ଉପଦେଶ ଦେବାକୁ ନିର୍ଦ୍ଦେଶ ଅଛି । ତେଣୁ ପରିଚାଳନା ସମିତିର ସଭ୍ୟମାନେ ସୂଚନା ଫଳକକୁ ଯଦି ସଠିକ୍ ଭାବେ ବଜାୟ ରଖିବାରେ ଯତ୍ନବାନ ହେବେ, ତେବେ ବହୁମାତ୍ରାରେ ଅବ୍ୟବସ୍ଥା ଓ ଦୁର୍ନୀତିରେ ସୁଧାର ଆସିଯିବ ସମ୍ଭବତଃ । ପ୍ରତିବର୍ଷ କିଭଳି ଭାବେ ବାର୍ଷିକ କ୍ରୀଡ଼ା ଉତ୍ସବ ଠିକ୍ ସମୟରେ ସଂପାଦନ ହେବ, ତାହାକୁ ଦୃଷ୍ଟିଦେବା ସମିତିର କର୍ତ୍ତବ୍ୟ ହେବା ବିଧେୟ । ପ୍ରାର୍ଥନା ସଭାରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ କିଭଳି ଭାବେ ଠିକ୍ ସମୟରେ ଉପସ୍ଥାନ ହୋଇ ଶୃଙ୍ଖଳାର ସହ ସଂପାଦନ ହେବ, ସେ ନେଇ ଦୃଷ୍ଟି ରଖିବାକୁ ହେବ । ପରିବେଶର ନିୟମିତ ସଫେଇ ବ୍ୟବସ୍ଥା ପାଇଁ ବିହିତ ପଦକ୍ଷେପ ନେବାକୁ ପଡ଼ିବ ।
ପୁଣି ଅନ୍ୟ ଏକ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଲା ପରୀକ୍ଷା ପରିଚାଳନା ଓ ମୂଲ୍ୟାଙ୍କନ ପଦ୍ଧତିରେ ସ୍ୱଚ୍ଛତା ଆଣିବା । ଆବଶ୍ୟକ ସ୍ଥଳେ ଅଭିଜ୍ଞ ଓ ପ୍ରାଜ୍ଞ ଶିକ୍ଷକମାନଙ୍କୁ ଉପଯୁକ୍ତ ପାରିଶ୍ରମିକ ଦେଇ ପ୍ରଶ୍ନପତ୍ର ପ୍ରସ୍ତୁତ କରିବାକୁ ହେବ । ଏହି ପ୍ରଶ୍ନପତ୍ରକୁ ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ବଣ୍ଟନ କରି ଉତ୍ତର ଖାତା ସଂଗ୍ରହ କରିବା ମଧ୍ୟ ଗୋଟିଏ ମୁଖ୍ୟ କାର୍ଯ୍ୟ ବୋଲି ଧରିବାକୁ ପଡ଼ିବ । ସଠିକ୍ ମୂଲ୍ୟାଙ୍କନ ଦେଇ ବିକଳ୍ପ ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇପାରେ । ପ୍ରଥମ ଦିନ ବିଦ୍ୟାଳୟର ଶିକ୍ଷକମାନଙ୍କ ଦ୍ୱାରା ମୂଲ୍ୟାଙ୍କନ ହୋଇସାରିଲା ପରେ, ଅବସରପ୍ରାପ୍ତ ଶିକ୍ଷକଙ୍କ ଦ୍ୱାରା ପୁନଃମୂଲ୍ୟାଙ୍କନ କରି ଦାୟିତ୍ୱହୀନ ଶିକ୍ଷକମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଉପରିସ୍ଥ ଅଧିକାରୀଙ୍କ ନିକଟକୁ ପତ୍ର ପ୍ରେରଣ କରାଯାଇପାରିବ । ତତ୍ ସହିତ ପ୍ରତ୍ୟେକ ପିଲାର ଉତ୍ତରଖାତା ଘରକୁ ନେଇପାରିବା ଭଳି ବନ୍ଦୋବସ୍ତ ମଧ୍ୟ କରାଯାଇପାରେ । ପରୀକ୍ଷା ଫଳ ପ୍ରକାଶଦିନ ପ୍ରତ୍ୟେକ ଅଭିଭାବକ ଓ ଶିକ୍ଷକମାନଙ୍କ ଏକ ମିଳିତ ବୈଠକ ଅନୁଷ୍ଠିତ କରାଇଲେ ଅଭିଭାବକମାନେ ନିଜ ପିଲାଙ୍କ ଦୋଷ ଦୁର୍ବଳତା ବିଷୟରେ ଶ୍ରେଣୀ ଶିକ୍ଷକ ନିକଟରୁ ସୂଚନା ପାଇପାରିବେ ଯଦିଓ କିଛି ଦୁର୍ବଳ ଶ୍ରେଣୀ ପିଲାଥାଆନ୍ତି । ତେବେ ସେମାନଙ୍କ ପାଇଁ ମଧ୍ୟ ପ୍ରତିକାରମୂଳକ ବ୍ୟବସ୍ଥା ଓ ଭିନ୍ନକ୍ଷମ ପିଲାଙ୍କ ପାଇଁ ସହଯୋଗର ବ୍ୟବସ୍ଥା କରାଇବାକୁ ହେବ । ସର୍ବଶେଷରେ ସଠିକ୍ କର୍ତ୍ତବ୍ୟ ପାଳନ କରୁଥିବା ଶିକ୍ଷକଙ୍କୁ ଉପରିସ୍ଥ ଅଧିକାରୀଙ୍କଠାରୁ ଉପଯୁକ୍ତ କରି, ସୁରକ୍ଷା ଦେବା ପାଇଁ ମଧ୍ୟ ପରିଚାଳନା ସମିତି ଆଗେଇ ଆସିବା ଜରୁରୀ ଅଟେ ।
ଏହିସବୁ କାର୍ଯ୍ୟକ୍ରମ ଯଦି ନିଷ୍ଠାପର ଭାବେ ପରିଚାଳନା ସମିତି କରନ୍ତି, ତେବେ ସରକାରୀ ବିଦ୍ୟାଳୟଗୁଡ଼ିକ ଯେ, ବେସରକାରୀ ବିଦ୍ୟାଳୟ ଠାରୁ ସବୁ କ୍ଷେତ୍ରରେ ନିଶ୍ଚିତ ରୂପେ ଉଲ୍ଲେଖନୀୟ ସଫଳତା ହାସଲ କରିବେ, ଏଥିରେ ସନ୍ଦେହ ନାହିଁ । ତେଣୁ ଆମ୍ଭେମାନେ ଜଣେ ଜଣେ ନାଗରିକ ଭାବେ ଯଦି ଆମ ସାମାଜିକ କର୍ତ୍ତବ୍ୟକୁ ଠିକ୍ ରୂପେ ପାଳନ କରିବା, ତେବେ ଖୁବ୍ କମ୍ ଦିନ ମଧ୍ୟରେ ସୁନ୍ଦର ସମ୍ଭାବିତ ପ୍ରାଥମିକ ଶିକ୍ଷାର ଯଥେଷ୍ଟ ଉନ୍ନତି ହେବ ବୋଲି ଗଭୀର ବିଶ୍ୱାସର ସହ ଆଶା ଓ ଅପେକ୍ଷା ରଖିବା । ଏକଥା ନମ୍ରତାର ସହ ବିନୀତ ସ୍ୱୀକାରୋକ୍ତି ଯେ, ଏଠି ସବୁ ଶିକ୍ଷକଙ୍କୁ ଅବା ସମସ୍ତ ଶିକ୍ଷକସମାଜକୁ ଦାୟୀ କରାଯାଉ ନାହିଁ । କିନ୍ତୁ କ୍ଷୀର ହାଣ୍ଡିରେ ଟୋପାଏ ଦହି ପଡ଼ିଲେ ଅବସ୍ଥା ଯାହା ସେଇଭଳି କିଛି ଖଳ ପ୍ରକୃତିର ଶିକ୍ଷକ ଯୋଗୁଁ ଆଜି ସମଗ୍ର ଶିକ୍ଷକ ଜାତି ନିନ୍ଦିତ ଓ ଅବହେଳିତ । ଏକଥା ସ୍ପଷ୍ଟ ଯେ, ଆଜି ବି ଅନେକ ସ୍କୁଲରେ ବହୁ ଶିକ୍ଷକ ଆନ୍ତରିକ ଭାବେ କାର୍ଯ୍ୟ ନିର୍ବାହ କରୁଛନ୍ତି । ଅନ୍ତତଃ ସେହି ଉତ୍ସାହୀ ଶିକ୍ଷକମାନଙ୍କ ଆମେ ଆହୁରି ପ୍ରୋତ୍ସାହନ ଦେଇ, ଆଗକୁ ନେଇ ପାରିଲେ ଆମ ଶିକ୍ଷାର ସାମଗ୍ରିକ ବିକାଶ ଘଟିବ ଏଥିରେ ସନ୍ଦେହ ଅବକାଶ ନାହିଁ ।
From Samadrusti Digital Archive
Comments
0 comments