୧୯୯୩ ମସିହା ଏପ୍ରିଲ ୨୪ତାରିଖରେ ୭୩ତମ ସମ୍ବିଧାନ ସଂଶୋଧନ ଆଇନଟି ରାଷ୍ଟ୍ରପତିଙ୍କ ଦ୍ୱାରା ଅନୁମୋଦନ ଲାଭକରି ସମଗ୍ର ଭାରତବର୍ଷରେ କାର୍ଯ୍ୟକାରୀ କରାଗଲା ଯାହାକି ଏକ ଯୁଗାନ୍ତକାରୀ ପଦକ୍ଷେପ । ଫଳରେ ସାରାଦେଶରେ ପଂଚାୟତ ଅନୁଷ୍ଠାନମାନଙ୍କୁ ସ୍ୱୟଂଶାସିତ ଅନୁଷ୍ଠାନ ରୂପେ କାର୍ଯ୍ୟ କରିବାପାଇଁ ଯଥେଷ୍ଟ କ୍ଷମତା ଓ ଦାୟିତ୍ୱ ମିଳିପାରିଲା ଓ ପ୍ରଥମଥର ପାଇଁ ଏହି ସଂଶୋଧନ ଆଇନ ଦ୍ୱାରା ତୃଣମୂଳ ସ୍ତରରେ ଗଣତନ୍ତ୍ରକୁ ଅଧିକ ମାନ୍ୟତା ମିଳିବାସହ ମହିଳା ସଶକ୍ତିକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଗଲା । ପ୍ରତି ପାଞ୍ଚବର୍ଷର ବ୍ୟବଧାନରେ ନିୟମିତ ନିର୍ବାଚନ କରାଇବା ପାଇଁ ନିର୍ବାଚନ ଆୟୋଗର ଗଠନ କରାଗଲା । ପ୍ରତ୍ୟେକ ରାଜ୍ୟରେ ପଞ୍ଚାୟତ ଅନୁଷ୍ଠାନଗୁଡିକର ଆର୍ଥିକ ବ୍ୟବସ୍ଥାର ସମୀକ୍ଷା ଓ ଏହାର ଉନ୍ନତି ପାଇଁ ପାଣ୍ଠି ବଣ୍ଟନ କିଭଳି ଭାବେ ହେବା ଉଚିତ; ସେ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ସୁପାରିଶ ପ୍ରଦାନ କରିବା ପାଇଁ ପ୍ରତି ପାଞ୍ଚ ବର୍ଷରେ ସ୍ୱତନ୍ତ୍ର ଅର୍ଥ କମିଶନ (ଆୟୋଗ) ଗଠନ କରାଗଲା । ସମାଜର ଅନଗ୍ରସର ଶ୍ରେଣୀ ଯଥା ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ମହିଳା ମାନଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରାଗଲା । ତୃଣମୂଳ ସ୍ତରର ଯୋଜନା ପ୍ରସ୍ତୁତିରେ ଲୋକମାନଙ୍କ ସହଭାଗିତା, ସରକାରୀ ଯୋଜନା ପାଇଁ ଯୋଗ୍ୟ ହିତାଧିକାରୀକୁ ଚିହ୍ନଟ କରିବା, ନିଜେ ପ୍ରସ୍ତୁତ କରୁଥିବା ଯୋଜନାଗୁଡିକୁ ନିଜେ କାର୍ଯ୍ୟକାରୀ କରିବା ଇତ୍ୟାଦି ୭୩ତମ ସମ୍ବିଧାନ ସଂଶୋଧନର ମୂଳ ଲକ୍ଷ୍ୟ । ଯାହାଫଳରେ ତୃଣମୂଳ ସ୍ତରର ଅନୁଷ୍ଠାନଗୁଡିକ ସ୍ୱୟଂଶାସିତ ହୋଇପାରିବେ ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ନିର୍ଭରଶୀଳତା ହ୍ରାସ ପାଇବ ଓ ସମ୍ବିଧାନର ୭୩ତମ ସଂଶୋଧନ ଆଇନ ୧୯୯୨ର ଧାରା ଗୁଡିକରେ ଥିବା ପ୍ରାବଧାନକୁ ଅନୁପାଳନ କରିବା ନିମନ୍ତେ ଅଧିକାଂଶ ରାଜ୍ୟ ସରକାର ସମସ୍ତ ମୂଳ ପଞ୍ଚାୟତ ଆଇନଗୁଡିରେ ଆମୂଳଚୂଳ ସଂଶୋଧନ କରିବା ସହିତ ସଂହତିକରଣ କରି ଏକୀଭୂତ ପଞ୍ଚାୟତ ଆଇନ ପ୍ରଣୟନ କରିଛନ୍ତି । ଉଦାହରଣସ୍ୱରୂପ ମଧ୍ୟପ୍ରଦେଶ ସରକାର “ମଧ୍ୟପ୍ରଦେଶ ପଞ୍ଚାୟତରାଜ ଆଇନ ୧୯୯୩” ପ୍ରଣୟନ କଲାବେଳେ ବିହାର ସରକାର “ବିହାର ପଞ୍ଚାୟତରାଜ ଆଇନ୧୯୯୩”, ଗୁଜୁରାଟ ସରକାର “ଗୁଜୁରାଟ ପଞ୍ଚାୟତରାଜ ଆଇନ ୧୯୯୩”, ଆନ୍ଧ୍ର ପ୍ରଦେଶ ସରକାର “ଆନ୍ଧ୍ର ପ୍ରଦେଶ ପଞ୍ଚାୟତରାଜ ଆଇନ ୧୯୯୪”, ହିମାଚଳ ପ୍ରଦେଶ ସରକାର “ହିମାଚଳ ପ୍ରଦେଶ ପଞ୍ଚାୟତରାଜ ଆଇନ୍ ୧୯୯୪”, ପ୍ରଣୟନ କରିଛନ୍ତି । ଏହି ସବୁ ପଞ୍ଚାୟତରାଜ ଆଇନର ନାମକରଣରୁ ଜଣାଯାଏ ଯେ ଉକ୍ତ ଆଇନ୍ ଗୁଡିକ ସଂପୃକ୍ତ ରାଜ୍ୟ ଦ୍ୱାରା ୧୯୯୩-୧୯୯୪ ମସିହାରେ ପ୍ରଣୟନ କରାଯାଇଛି । ଅର୍ଥାତ୍ ୧୯୯୩ ମସିହାରେ ୭୩ତମ ସଂଶୋଧନ ପରେ ପ୍ରଣୟନ କରାଯାଇଛି ।
ମାତ୍ର ଓଡ଼ିଶା ହେଉଛି ଏକ ବ୍ୟତିକ୍ରମ । ଏକକ ତଥା ଏକୀଭୂତ ଆଇନ ବଦଳରେ ଓଡ଼ିଶା ବିଭିନ୍ନ ସମୟରେ ନିର୍ମିତ ୩ଟି ପୃଥକ ପୃଥକ ଆଇନ ଯଥା ଓଡ଼ିଶା ଗ୍ରାମପଞ୍ଚାୟତ ଆଇନ ୧୯୬୪, ପଞ୍ଚାୟତସମିତି ଆଇନ ୧୯୫୯ ଏବଂ ଜିଲାପରିଷଦ ଆଇନ ୧୯୯୧ଦ୍ୱାରା ନିୟନ୍ତ୍ରିତ । ଏତଦ୍ ବ୍ୟତୀତ, ଓଡ଼ିଶାର ପଞ୍ଚାୟତିରାଜ ଆଇନ ଅଧୀନରେ ବିଭିନ୍ନ ସମୟରେ ନିୟମାବଳୀଗୁଡ଼ିକ ପ୍ରଣୀତ କରାଯାଇଥିଲା ଓ ଯେପରିକି ଓଡ଼ିଶା ଗ୍ରାମ ପଂଚାୟତ ନିୟମାବଳୀ ୧୯୬୮, ଓଡ଼ିଶା ପଂଚାୟତ ସମିତି (ଆଡମିନିଷ୍ଟ୍ରେସନ୍ ଅଫ୍ ଆଫେୟାର୍ସ) ନିୟମାବଳୀ ୧୯୮୭ ଏବଂ ଓଡ଼ିଶା ଜିଲ୍ଲା ପରିଷଦ (ଆଚରଣ ବିଧି) ନିୟମାବଳୀ ୧୯୯୬ । ଆମ ରାଜ୍ୟ ସରକାର ସମ୍ବିଧାନର ୭୩ତମ ସଂଶୋଧନର ପ୍ରାବଧାନ ଅନୁଯାୟୀ ଉପରୋକ୍ତ ଆଇନଗୁଡିକର ବ୍ୟାପକ ସଂଶୋଧନ ନକରି ସାଙ୍କେତିକ ଭାବରେ କିଛି ଉପରଠାଉରିଆ ସଂଶୋଧନ କରିଛନ୍ତି । ଆମ ରାଜ୍ୟରେ ଏବେ ସୁଦ୍ଧା ପଞ୍ଚାୟତରାଜ ବ୍ୟବସ୍ଥା ୧୯୯୩ ପୂର୍ବରୁ ପ୍ରଚଳିତ ଆଇନ୍ ଦ୍ୱାରା ପରିଚାଳିତ ହେଉଥିବା ହେତୁ ପଞ୍ଚାୟତ ପରିଚାଳନାରେ ପ୍ରକୃତ କ୍ଷମତା ଅମଲାତନ୍ତ୍ର ହାତରେ ଠୁଳହୋଇ ରହିଛି ।
ଉଦାହରଣସ୍ୱରୂପ ଓଡିଶା ଗ୍ରାମ ପଞ୍ଚାୟତ ଆଇନର ବିଭାଗ ୧୧ରେ ଏକ ଅଧ୍ୟାୟ ରହିଛି ତାର ନାମ “ନିୟନ୍ତ୍ରଣ’ ବା କଣ୍ଟ୍ରୋଲ ଓ ତାହା ହେଉଛି ପଞ୍ଚାୟତର ସମସ୍ତ ବିଭାଗର ଯଥା ଗ୍ରାମ ପଞ୍ଚାୟତର ଟିକସ, ଅର୍ଥ ଏବଂ ପ୍ରଶାସନ କ୍ଷେତ୍ରରେ ପ୍ରକୃତ ନିୟନ୍ତ୍ରଣ ଅମଲାତନ୍ତ୍ରଙ୍କ ଅଧୀନରେ ରହିଛି ଓ ଯାହାକି କେବଳ ଅନୁସୂଚିତ ଅଂଚଳରେ ପଞ୍ଚାୟତ ସମ୍ପ୍ରସାରଣ ଆଇନ (ପେସା ) ୧୯୯୬ ନୁହେଁ ବରଂ ୭୩ ତମ ସଂଶୋଧନର ଧାରା ୨୪୩ -ଜି ର ଉଲ୍ଲଂଘନ ଓ ଏଥିପାଇଁ ଅମଲାତନ୍ତ୍ର, ରାଜନୈତିକ ନେତୃତ୍ୱ ଏବଂ ପଞ୍ଚାୟତ ଶାସନର ଉପରସ୍ତରର ବ୍ୟକ୍ତିମାନେ ପଞ୍ଚାୟତଗୁଡିକୁ ନିଜର ନିୟନ୍ତ୍ରଣରେ ରଖିଆସୁଛନ୍ତି ଯାହାକି ସମ୍ବିଧାନ ସଂଶୋଧନ ବ୍ୟବସ୍ଥା ପୂର୍ବରୁ ଥିଲା ଓ ଓଡ଼ିଶାରେ ଏହି ପଞ୍ଚାୟତ ଆଇନଗୁଡିକୁ ଅନୁସୂଚିତ ଓ ଅଣଅନୁସୂଚିତ ଅଞ୍ଚଳରେ ମଧ୍ୟ ପ୍ରାୟ ଏକା ପ୍ରକାର ଲାଗୁ କରାଯାଇଛି । ଯଦିବା ଅନୁସୂଚିତ ଅଂଚଳରେ ପେସା ଆଇନ ଅନୁଯାୟୀ ଆଦିବାସୀମାନଙ୍କର ବିଭିନ୍ନ ପଞ୍ଚାୟତ ସ୍ତରରେ ସଂରକ୍ଷଣ କରାଯାଇଛି । ଉଦାହରଣସ୍ୱରୂପ ପେସା ଆଇନ୧୯୯୬ ଅନୁଯାୟୀ ଗ୍ରାମର ସଂଜ୍ଞା ହେଉଛି ଏକ ବା ଏକାଧିକ ଜନବସତି ଅଥବା ଏକ ବା ଏକାଧିକ ଗ୍ରାମ୍ୟ ଖଣ୍ଡରେ ବ୍ୟାପ୍ତ ହେଉଥିବା ଏକ ଜନଗୋଷ୍ଠୀ, ଯେ କି ନିଜର ପରମ୍ପରା ଓ ପ୍ରଥାସମୂହ ଅନୁଯାୟୀ ନିଜର ବ୍ୟାପାର ସମୂହକୁ ପରିଚାଳନା କରୁଥିବେ, ସାଧାରଣତଃ ତାକୁ ନେଇ ଏକ ଗ୍ରାମ ଗଠିତ ହେବ ଓ କିନ୍ତୁ ଓଡ଼ିଶା ସରକାର, ଓଡ଼ିଶା ଗ୍ରାମ ପଞ୍ଚାୟତ ସଂଶୋଧନ ଆଇନ ୧୯୯୭ ରେ ‘ଏକ ସମ୍ପ୍ରଦାୟ କିମ୍ବା ଏକାଧିକ ସମ୍ପ୍ରଦାୟଗୁଡିକୁ ନେଇ ଗ୍ରାମ ଗଠନ କରାଯାଇ ପାରିବ ବୋଲି ଉଲ୍ଲେଖ କରିଛନ୍ତି ଯାହା ପେସା ଆଇନର ବିରୁଦ୍ଧାଚରଣ କରୁଅଛି ।
ଏସବୁ ବିସଙ୍ଗତିକୁ ଦୂରେଇବାପାଇଁ ରାଜ୍ୟ ସ୍ତରରେ ଏକ “ଗ୍ରାମ ପୁନର୍ଗଠନ ଆୟୋଗ’ ଗଠନ କରାଯାଉ ଓ ସମ୍ବିଧାନର ଭାଗ ୯ ଅନୁଯାୟୀ ଅଣ ଅନୁସୂଚିତ ଅଂଚଳରେ ଗ୍ରାମକୁ ପରିଭାଷିତ କରାଯାଉ ଏବଂ ଅନୁସୂଚିତ ଅଞ୍ଚଳରେ ପେସା ଆଇନକୁ ଦୃଷ୍ଟିରେ ରଖି ଗ୍ରାମକୁ ପରିଭାଷିତ କରିବା ଆବଶ୍ୟକ ଅଟେ ।
ଆଉ ଏକ ଉଦାହରଣ ହେଉଛି, ପେସା ଆଇନ ୧୯୯୬ ଅନୁଯାୟୀ ଓଡ଼ିଶାର ଅନୁସୂଚିତ ଅଞ୍ଚଳରେ ଲଘୁ ଖଣିଜ ପଦାର୍ଥର ଉତ୍ତୋଳନ ପାଇଁ ମଞ୍ଜୁରୀ ଓ ରିହାତି ଦେବାର କ୍ଷମତା ଗ୍ରାମସଭାକୁ ନ୍ୟସ୍ତ କରାଯାଇଛି । କିନ୍ତୁ ଓଡ଼ିଶା ଲଘୁ ଖଣିଜ ସମୂହ ରିହାତି ନିୟମାବଳୀ ୨୦୦୪ ଅନୁଯାୟୀ ଲଘୁ ଖଣିଜ ପଦାର୍ଥ ଉତ୍ତୋଳନର ମଞ୍ଜୁରୀ ଓ ରିହାତି ଦେବାର କ୍ଷମତା ରାଜସ୍ୱ ବିଭାଗର ଅଧିକାରୀ ତହସିଲଦାରଙ୍କୁ ନ୍ୟସ୍ତ କରାଯାଇଛି ଓ ପେସା ଆଇନ ଅନୁଯାୟୀ ଜମି ଅଧିଗ୍ରହଣ ପାଇଁ ପ୍ରସ୍ତାବକୁ ଅନୁମୋଦନ କରିବାର ଚୂଡ଼ାନ୍ତ କ୍ଷମତା ଗ୍ରାମସଭା ବଦଳରେ ଜିଲ୍ଲା ପରିଷଦକୁ ଦିଆଯାଇଛି (ଜିଲ୍ଲା ପରିଷଦ ଆଇନ ୧୯୯୧ର ଧାରା ୩-୬)! ସମସ୍ତ ସରକାରୀ ସଂସ୍ଥା ଓ କାର୍ଯ୍ୟକର୍ତ୍ତା ମାନଙ୍କ ଉପରେ ନିୟନ୍ତ୍ରଣ ଜାରି କରିବାର କ୍ଷମତା ଗ୍ରାମସଭା ବଦଳରେ ପଂଚାୟତ ସମିତି ଉପରେ ନ୍ୟସ୍ତ କରାଯାଇଛି (ଓଡ଼ିଶା ପଂଚାୟତ ସମିତି ଆଇନ ୧୯୫୯ର ଧାରା ୨୦ – ୫)
ଏହା ନିଶ୍ଚିତ ଯେ ଯଦି ଗ୍ରାମସଭାଗୁଡ଼ିକୁ କ୍ରିୟାଶୀଳ ନ କରାଯାଏ , ତେବେ ସଶକ୍ତ ଏବଂ ଉତ୍ତରଦାୟୀ ପଞ୍ଚାୟତ ଗଠିତ ହେବ ନାହିଁ । ପଞ୍ଚାୟତ ଓ ଗ୍ରାମସଭା ହେଉଛି ପଞ୍ଚାୟତରାଜ ବ୍ୟବସ୍ଥାର ପ୍ରଥମ ସୋପାନ । ତେଣୁ ପଞ୍ଚାୟତ ଏବଂ ଗ୍ରାମସଭାକୁ ଦୃଢ଼ ଏବଂ ଦକ୍ଷ ଅନୁଷ୍ଠାନ ଭାବରେ ଗଢ଼ାଯାଇ ପାରିଲେ ପଂଚାୟତଗୁଡ଼ିକ ସ୍ୱୟଂଶାସିତ ଅନୁଷ୍ଠାନର ରୂପ ନେବେ ଓ ୨୦୧୩ ମସିହାରେ, ୭୩ତମ ସମ୍ବିଧାନ ସଂଶୋଧନର ଯୁଗାନ୍ତକାରୀ ଆଇନର ୨୦ତମ ବାର୍ଷିକୀ ପାଳନ କରିବାକୁ, ପଞ୍ଚାୟତ ରାଜମନ୍ତ୍ରଣାଳୟ , ଭାରତ ସରକାର, ମଣିଶଙ୍କର ଆୟାରଙ୍କ ଅଧ୍ୟକ୍ଷତାରେ ଏକ ବିଶେଷଜ୍ଞ କମିଟି ଗଠନ କରିଥିଲେ । କମିଟି ଏପ୍ରିଲ୍ ୨୪, ୨୦୧୩ , ଏକ ରିପୋର୍ଟ ଦେଇଥିଲେ ଯାହାର ଶୀର୍ଷକ ରହିଛି ଯେ ‘ସାଧାରଣ ସାମଗ୍ରୀ ଏବଂ ସେବାଗୁଡିକର ଅଧିକ ଦକ୍ଷ ବିତରଣ ପାଇଁ ପଂଚାୟତରାଜ ଅନୁଷ୍ଠାନ ଗୁଡିକୁ ସକ୍ଷମ କରିବା’ । ଏହି ରିପୋର୍ଟର ଏକ ପ୍ରମୁଖ ସନ୍ଧାନ ହେଉଛି ଯେ ୭୩ ତମ ସଂଶୋଧନ ଅନୁଯାୟୀ, ପଞ୍ଚାୟତକୁ ପାଣ୍ଠି, କାର୍ଯ୍ୟ ଏବଂ କାର୍ଯ୍ୟକର୍ତ୍ତାଙ୍କ ବିନିଯୋଗରେ ରାଜ୍ୟମାନେ ବିଫଳ ହୋଇଛନ୍ତି ।
ପ୍ରାୟ ୧୫୦କେନ୍ଦ୍ରୀୟ କ୍ଷେତ୍ର ଯୋଜନାଗୁଡିକ (ସେଣ୍ଟ୍ରାଲ୍ ସେକ୍ଟର ସ୍କିମ୍) ମଧ୍ୟରୁ କେବଳ ଦୁଇଟି ମନରେଗା ଏବଂ ବିଆରଜିଅଫ୍ BRGF- ଏହି ଯୋଜନାଗୁଡିକର ପ୍ରଶାସନିକ ପ୍ରସଙ୍ଗରେ ଗ୍ରାମସଭା ଏବଂ ଗ୍ରାମ ପଞ୍ଚାୟତର ଭୂମିକା ପ୍ରଦାନ କରିଥାଏ । ଅନ୍ୟାନ୍ୟ ଯୋଜନାଗୁଡ଼ିକ ବିଶେଷ ଭାବରେ ଅମଲାତନ୍ତ୍ର-ଚାଳିତ ତେଣୁ ପଂଚାୟତର ଭୂମିକା ନଥାଏ ।
ଏହାବ୍ୟତୀତ କେନ୍ଦ୍ରୀୟ କ୍ଷେତ୍ର ଯୋଜନାଗୁଡିକ ଗ୍ରାମସ୍ତରରେ ସମାନ୍ତରାଳ ସଂସ୍ଥାକୁ ପ୍ରୋତ୍ସାହିତ କରିଛନ୍ତି ଯାହା ସମ୍ପୃକ୍ତ ଲାଇନ ବିଭାଗର ଅମଲାତନ୍ତ୍ରଙ୍କ ନିକଟରେ ଉତ୍ତରଦାୟୀ କିନ୍ତୁ ସ୍ଥାନୀୟ ପଞ୍ଚାୟତ କିମ୍ବା ଗ୍ରାମ ସଭାଗୁଡ଼ିକ ପାଖରେ ଉତ୍ତରଦାୟୀ ନୁହେଁ । କମିଟି ସୁପାରିଶ କରିଥିଲେ ଯେ ସମ୍ବିଧାନର ଧାରା ୨୪୩ -ଜି ଅନୁଯାୟୀ ରାଜ୍ୟଗୁଡିକ ଗ୍ରାମସଭାକୁ ଆବଶ୍ୟକ କ୍ଷମତା ପ୍ରଦାନ କରିବା ଉଚିତ୍ ।
ଆଶା କରିବା, ଓଡିଶା ସରକାର, ରାଜ୍ୟରେ ପ୍ରଚଳିତ ପଞ୍ଚାୟତ ଆଇନ ଗୁଡିକୁ ୭୩ତମ ସମ୍ବିଧାନ ସଂଶୋଧନର ଧାରା ୨୪୩-ଏନ ଏବଂ ପେସା ଆଇନ, ୧୯୯୬ର ଧାରା ୫କୁ ଦୃଷ୍ଟିରେ ରଖି ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଗ୍ରାମ ପଂଚାୟତ ସମ୍ବନ୍ଧୀୟ ତିନିଟି ଆଇନକୁ ଏକୀକୃତ କରି ଏକ ସମନ୍ୱିତ ପଂଚାୟତ ଆଇନ ପ୍ରଣୟନ କରିବେ । ସେହି ଏକକ ପଞ୍ଚାୟତ ଆଇନର ପ୍ରତ୍ୟେକ ଧାରା, ଗ୍ରାମ ତଥା ଗ୍ରାମବାସୀଙ୍କ ସ୍ୱାର୍ଥରକ୍ଷା କରିବା ସହିତ ଅତ୍ୟନ୍ତ ପ୍ରାଞ୍ଜଳ, ସରଳ ଏବଂ ବୋଧଗମ୍ୟ ହେବା ବିଧେୟ । ଓଡିଶାରେ ବର୍ତ୍ତମାନ ୬୮୦୨ଟି ଗ୍ରାମ ପଞ୍ଚାୟତକୁ ସ୍ୱାୟତ ଶାସନର ମୂଳଦୁଆ ଭାବରେ ଗଢ଼ି ତୋଳିବାକୁ ହେଲେ ସରକାର ଏହାକୁ ପ୍ରକୃତ କ୍ଷମତା ପ୍ରଦାନ କରିବା ଆବଶ୍ୟକ । ଗ୍ରାମସଭା ନିଜର ନୀତି ପ୍ରଣୟନ, କାର୍ଯ୍ୟକାରିତା ଏବଂ ନ୍ୟାୟିକ କ୍ଷମତାକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବେ ଓ ପଞ୍ଚାୟତଗୁଡିକ ସ୍ଥାନୀୟ ବାସିନ୍ଦାଙ୍କ ଆର୍ଥିକ ଓ ସାମାଜିକ ଉନ୍ନତି ପାଇଁ ଯୋଜନା ପ୍ରସ୍ତୁତ କଲାବେଳେ ସମାଜର ବଂଚିତ ଓ ଅନଗ୍ରସର ଶ୍ରେଣୀ ଗୁଡିକ ପ୍ରତି ବିଶେଷ ଧ୍ୟାନ ଦେବେ ଯଦ୍ୱାରା ସମାଜରେ ଅର୍ଥନୈତିକ ବିକାଶ ସହିତ ସାମାଜିକ ନ୍ୟାୟ ପ୍ରତିଷ୍ଠା ହୋଇପାରିବ ।
Comments
0 comments