ଇସ୍ରାଏଲର ପେଜର୍ ବିସ୍ଫୋରଣ : ଆତଙ୍କବାଦର ବିପଜ୍ଜନକ ଚେହେରା

ଭାଲଚନ୍ଦ୍ର ଷଡଙ୍ଗୀ
ଭାଲଚନ୍ଦ୍ର ଷଡଙ୍ଗୀ13 Views
12 Min Read

ବିଶ୍ୱର ପ୍ରମୁଖ ଆତଙ୍କବାଦୀ ଘଟଣାର ତାଲିକାରେ ନିକଟରେ ଆଉ ଏକ ଘଟଣା ଯୋଡ଼ି ହୋଇଯାଇଛି । ଗତ ସେପ୍ଟେମ୍ବର ୧୭ ଓ ୧୮ ଦୁଇ ଦିନ ଧରି ଲେବାନନର ରାଜଧାନୀ ବେରୁଟ୍ ସମେତ ଦେଶର ବିଭିନ୍ନ ସ୍ଥାନରେ ଏପରିକି ପଡ଼ୋଶୀ ସିରିଆରେ ବି ପେଜର୍ ଓ ୱାକିଟକିମାନଙ୍କରେ ବିସ୍ଫୋରଣ ମଧ୍ୟ ଦେଇ ଆତଙ୍କବାଦର ଏକ ଭୟାନକ ଚେହେରା ବିଶ୍ୱବାସୀଙ୍କ ସାମ୍ନାକୁ ଆସିଛି । ନିଜର ପେଜରରେ ଆସିଥିବା ଅଜଣା ମେସେଜକୁ ଦେଖିବାକୁ ଯାଇ ସେସବୁକୁ ବ୍ୟବହାର କରୁଥିବା ଉଭୟ ଦେଶର ହଜାର ହଜାର ଲୋକ ବୋମା ବିସ୍ଫୋରଣର ଶିକାର ହୋଇଛନ୍ତି । ପେଜର୍ ଓ ୱାକିଟକି ବ୍ୟତୀତ ଲାପଟପ ଓ ସୋଲାର ପ୍ୟାନେଲରେ ମଧ୍ୟ ବିସ୍ଫୋରଣ ସଂଗଠିତ କରାଯାଇଥିବା ଜଣାପଡ଼ିଛି । ଲେବାନନ୍ ସରକାରଙ୍କ ଘୋଷଣା ଅନୁଯାୟୀ ଉଭୟ ପେଜର୍ ଓ ୱାକିଟକିରେ ବିସ୍ଫୋରଣ ଫଳରେ ଦେଶରେ ୫୦ରୁ ଉର୍ଦ୍ଧ ନାଗରିକ ପ୍ରାଣ ହରାଇଥିବା ବେଳେ ତିନି ହଜାରରୁ ଉର୍ଦ୍ଧ ଆହତ ହୋଇଛନ୍ତି । ଉପଲବ୍ଧ ଖବର ଅନୁଯାୟୀ ଏହି ପେଜର ଓ ୱାକିଟକି ବୋମାର ଶିକାର ଲୋକମାନଙ୍କ ମଧ୍ୟରୁ କେହି ବଜାରରେ ଠିଆ ହୋଇ କଫି ପିଉଥିବାବେଳେ ତ କେହି ମଲ୍ ଭିତରେ କାର୍ଟରୁ ସପିଂ କରୁଥିଲେ । କେହି କେହି ହସ୍ପିଟାଲରେ ଡ୍ୟୁଟି କରୁଥିବାବେଳେ ତ ଆଉ କିଏ ବସରେ ଯାତ୍ରା କରୁଥିଲେ ଏବଂ ସେତିକିବେଳେ ହଠାତ୍ ସେମାନଙ୍କ ପକେଟରେ ଥିବା ପେଜରରେ ପ୍ରଥମେ ଅଜଣା ମେସେଜ୍ ଆସିଲା ଏବଂ ତାକୁ ଦେଖିବାକୁ ଉଦ୍ୟମ କରନ୍ତେ, ବଡ଼ଜୋରରେ ସେସବୁରେ ବିସ୍ଫୋରଣ ହୋଇଥିଲା । ଗୋଟିଏ ପରେ ଗୋଟିଏ ଏପରି ହଜାର ହଜାର ଲୋକଙ୍କ ପକେଟରେ ଏକାଥରକେ ବିସ୍ଫୋରଣ ହେବା ଏବଂ ଅନେକ ସାଧାରଣ ଲୋକ ମୃତାହତ ହେବା, ହଜାର ହଜାର ଲୋକଙ୍କ ହାତ ଓ ଆଖି ବିସ୍ଫୋରଣରେ ସବୁବେଳେ ପାଇଁ ନଷ୍ଟ ହୋଇଯିବା କୌଣସିମତେ ଏକ ଛୋଟିଆ ଆତଙ୍କବାଦୀ ଘଟଣାବୋଲି କୁହାଯାଇ ନପାରେ । ସେଠାକାର ସରକାର ପେଜର ଓ ୱାକିଟକି ବ୍ୟବହାର ନ କରିବାକୁ ନାଗରିକମାନଙ୍କୁ ନିର୍ଦ୍ଦେଶ ଜାରୀ କରିଥିବାବେଳେ ସେଠାକାର ବ୍ୟବସାୟୀମାନେ ବିସ୍ଫୋରଣର ଭୟରେ ନିଜ ନିଜ ଦୋକାନରୁ ପେଜର, ୱାକିଟକି ସମେତ ମୋବାଇଲ ଫୋନ, ଟିଭି ଆଦିକୁ ବି ବାହାର କରିଦେବା ଦେଖାଯାଇଛି ।

ଯଦିଓ ପେଜର ଓ ୱାକିଟକିରେ ଉପରୋକ୍ତ ବୋମା ବିସ୍ଫୋରଣର ଘଟଣାଗୁଡ଼ିକ ଲେବାନନରେ ଘଟିଛି, କିନ୍ତୁ ଏହା ସାରାବିଶ୍ୱରେ ଆତଙ୍କ ସୃଷ୍ଟି କରିଦେଇଛି । ସଂଖ୍ୟାଦୃଷ୍ଟିରୁ ଦେଖିଲେ ଏହି ଘଟଣାରେ ଯେତେ ଜଣ ମୃତାହତ ହୋଇଛନ୍ତି, ତାହା ଅତୀତରେ ସଂଗଠିତ ଅନେକ ଆତଙ୍କବାଦୀ ଘଟଣା ତୁଳନାରେ କମ୍ ହୋଇଥିଲେ ବି ବେରୁଟରେ ଘଟଣାଟି ନିଶ୍ଚତ ଭାବେ ଅଧିକ ବିପଜ୍ଜନକ ମନେହେଉଛି । କାରଣ ନଜରଦାରୀ ଓ ସୁରକ୍ଷା ଦୃଷ୍ଟିରୁ ଅପେକ୍ଷାକୃତ ଅଧିକ ସକ୍ଷମ ଓ ସୁରକ୍ଷିତ ବୋଲି ବିଚାର କରାଯାଉଥିବା ପେଜର୍ ଜରିଆରେ ଯଦି ଏଭଳି ସାମୂହିକ ବିସ୍ଫୋରଣକୁ ସଂଗଠିତ କରାଯାଇ ପାରୁଛି, ସେ କ୍ଷେତ୍ରରେ ଯଦି କୌଣସି ଦେଶ ବା ସଂଗଠନ ମୋବାଇଲ୍ ଫୋନ୍ ଜରିଆରେ ବିସ୍ଫୋରଣ କରାଇବ ତାହେଲେ, ଗୋଟିଏ ଥରରେ ଲକ୍ଷ ଲକ୍ଷ ଲୋକଙ୍କୁ ଆକ୍ରମଣର ଶିକାର କରାଯାଇପାରିବ । ଆଜିର ଦିନରେ ପ୍ରାୟତଃ ସମସ୍ତଙ୍କ ହାତରେ ମୋବାଇଲ ଫୋନ୍ ରହିଛି ଏବଂ ଏହି ଘଟଣା ପ୍ରମାଣିତ କରୁଛି ଯେ ଯଦି ପେଜର କି ୱାକିଟକି ପରି ମୋବାଇଲକୁ ମଧ୍ୟ ବିସ୍ଫୋରଣର ମାଧ୍ୟମ କରି ଦିଆଯିବ, ତାହେଲେ ତାହା ଯେକୌଣସି ଗଣ ବିଧ୍ୱଂସକାରୀ ଅସ୍ତ୍ରଶସ୍ତ୍ର ଠାରୁ ବି ଅନେକ ଗୁଣ ବିଧ୍ୱଂସକାରୀ ପ୍ରମାଣିତ ହେବ । କୌଣସି ଦେଶର ସୁରକ୍ଷା ଓ ଅର୍ଥନୀତିକୁ ବହୁତ କମ୍ ସମୟରେ ତଥା ବ୍ୟାପକଭାବେ ଆଘାତ କରିବାକୁ ଏହି କୌଶଳଟି ଏକଦମ୍ ସକ୍ଷମ ମନେହୁଏ । ପାରମ୍ପରିକ ଯୁଦ୍ଧ କୌଶଳର ବାହାରେ ଯୁଦ୍ଧର ଏହି ନୂଆଚେହେରା ବିଶ୍ୱବାସୀଙ୍କୁ ଏକଦମ୍ ସ୍ତବ୍ଧ କରିଦେଇଛି କହିଲେ ଚଳେ ।

ଲେବାନନ୍ ଓ ସିରିଆରେ ପେଜର ଓ ୱାକିଟକି ଜରିଆରେ ଘଟିଥିବା ଏଭଳି ବିସ୍ଫୋରଣ ଘଟଣାପାଇଁ ଏଯାଏଁ ଯଦିଓ କେହି ନିଜକୁ ଦାୟୀ କରିନାହାନ୍ତି, କିନ୍ତୁ ଏହା ଯେ ଇସ୍ରାଏଲୀ ଗୁଇନ୍ଦା ସଂସ୍ଥା, ମୋସାଦର ହିଁ କାରନାମା, ଏଥିରେ କାହାର ତିଳେମାତ୍ର ସନ୍ଦେହ ନାହିଁ । କାରଣ ଇସ୍ରାଏଲର ଗୋଇନ୍ଦା ବାହିନୀ ଲେବାନନ୍ ଓ ଅନ୍ୟ ଦେଶମାନଙ୍କରେ ରହିଥିବା ନିଜର ଶତୃ ରୂପେ ପରିଚିତ ବ୍ୟକ୍ତିମାନଙ୍କୁ ଏଭଳି ଗୁପ୍ତ ଭାବେ ହତ୍ୟା କରିବାର ସୁଦୀର୍ଘ ଇତିହାସ ରହିଛି । ଅତ୍ୟାଧୁନିକ ଜ୍ଞାନକୌଶଳର ସାହାଯ୍ୟରେ ନିଜର ଗୁପ୍ତଚରଙ୍କ ଜରିଆରେ ସେମାନେ ନିଜର ବିରୋଧି ରୂପେ ପରିଚିତ ବିଶ୍ୱର ଅନେକ ଦେଶର ରାଜନୀତିଜ୍ଞ, ସାମରିକ ଅଧିକାରୀ ଏବଂ ବିଦ୍ରୋହୀ ନେତାଙ୍କୁ ଅତ୍ୟନ୍ତ ସୁନିୟୋଜିତଭାବେ ହତ୍ୟା କରିବା ଦେଖାଯାଇଛି । ପେଜର ବିସ୍ଫୋରଣ ପରି କୌଣସି ବି ହତ୍ୟା କିମ୍ବା ବିସ୍ଫୋରଣ ପାଇଁ ଇସ୍ରାଏଲ ସରକାର କିମ୍ବା ତାଙ୍କର ଗୁଇନ୍ଦାବାହିନୀ ନିଜକୁ ଦାୟୀ କରିନାହାନ୍ତି । କିଛି ସପ୍ତାହତଳେ ଇରାନର ତତ୍କାଳୀନ ରାଷ୍ଟ୍ରପତି ଇବ୍ରାହିମ୍ ରଇସୀ ଓ ତାଙ୍କ ପ୍ରତିରକ୍ଷା ମନ୍ତ୍ରୀ ତାଜିକିସ୍ଥାନରୁ ହେଲିକପ୍ଟାର ଯୋଗେ ଦେଶକୁ ଫେରୁଥିବାବେଳେ ଏଭଳି ଏକ ବିସ୍ଫୋରଣରେ ତାଙ୍କ ହେଲିକପ୍ଟାର ଧ୍ୱଂସ ହୋଇ ସମସ୍ତେ ମୃତ୍ୟୁବରଣ କରିଥିଲେ । ଏବେ ଲେବାନନର ଘଟଣା ପରେ ସେ ଧରିଥିବା ପେଜର ଜରିଆରେ ହିଁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।

୧୯୯୬ ମସିହା ଜାନୁଆରୀ ୫ତାରିଖରେ ମୋସାଦ ପକ୍ଷରୁ ପାଲେଷ୍ଟାନୀୟ ସଂଗଠନ, ହମାସର ଜଣେ ପ୍ରମୁଖ ନେତା ୟାହିୟା ଆୟେଶଙ୍କ ମୋଟୋରୋଲା ମୋବାଇଲ ଫୋନ ଭିତରେ ଗୁପ୍ତରେ ବିସ୍ଫୋରକ ରଖି ତାକୁ ରିମୋଟ୍ ଜରିଆରେ ବିସ୍ଫୋରଣ କରି ତାଙ୍କୁ ହତ୍ୟା କରିଥିଲେ । ଏହି ଘଟଣା ପରଠାରୁ ହିଁ ଇସ୍ରାଏଲ ବିରୁଦ୍ଧରେ ସଶସ୍ତ୍ର ଯୁଦ୍ଧ ଚଳାଇ ଆସିଥିବା ହାମାସ୍, ହିଜବୁଲ୍ଲା ପରି ସଙ୍ଗଠନର ନେତା ଓ ଯୋଦ୍ଧାମାନେ ନିଜକୁ ସୁରକ୍ଷିତ ରଖିବାକୁ ମୋବାଇଲ୍ ଫୋନ୍ ବଦଳରେ ପେଜର୍ ଓ ୱାକିଟକିର ହିଁ ବ୍ୟବହାର କରିଆସୁଛନ୍ତି । କାରଣ ମୋବାଇଲ ଫୋନ ଜରିଆରେ ବ୍ୟବହାରକାରୀର ନିଜର ଭୌଗୋଳିକ ଅବସ୍ଥାନ ବା ଲୋକେସନଟି ଜଣାପଡି ଯାଉଥିବାବେଳେ ପେଜର୍ ବା ୱାକିଟକିରେ ତାହା ଆଦୌ ଜଣାପଡ଼ି ନଥାଏ । ବୋଧହୁଏ ସେହି କାରଣରୁ ହିଁ ଇସ୍ରାଏଲ ହିଜବୁଲ୍ଲାର ଗୁପ୍ତ ନେଟୱାର୍କକୁ କ୍ଷତି ପହଞ୍ଚାଇବା ଉଦେଶ୍ୟରେ ହିଁ ଗତ ୧୭ ଓ ୧୮ ସେପ୍ଟେମ୍ବରର ପେଜର୍ ତଥା ୱାକିଟକି ବିସ୍ଫୋରଣକୁ ରୂପ ଦେଇଥିଲା । ଉଦେଶ୍ୟଟି ହେଲା, ପେଜର ଓ ୱାକିଟକି ଉପରେ ନିର୍ଭରଶୀଳ ହିଜବୁଲ୍ଲାର ଆଭ୍ୟନ୍ତରୀଣ ଯୋଗାଯୋଗର ନେଟୱାର୍କକୁ ବିସ୍ଫୋରଣ ଜରିଆରେ ଧ୍ୱଂସକରିବା ଏବଂ ସେମାନଙ୍କୁ ମନୋବୈଜ୍ଞାନିକ ଭାବେ ଆତଙ୍କିତ କରିବା ।

ଏହା ସତ ଯେ ଉପରୋକ୍ତ ବିସ୍ଫୋରଣରେ ହିଜବୁଲ୍ଲାର ଅନେକ ବିଦ୍ରୋହୀ ବି ମୃତାହତ ହୋଇଛନ୍ତି । କିନ୍ତୁ ସେମାନଙ୍କ ଠାରୁ ବହୁ ଅଧିକ ସାଧାରଣ ଲୋକ ଏଥିରେ ମୃତାହତ ହୋଇଛନ୍ତି । ବିଶେଷ କରି ସେଠାକାର ହସ୍ପିଟାଲମାନଙ୍କରେ ସ୍ୱାସ୍ଥ୍ୟସେବାରେ ନିୟୋଜିତ ଶହ ଶହ ନର୍ସ, ଡ଼ାକ୍ତର ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମଚାରୀମାନେ ଏହି ବିସ୍ଫୋରଣ ଫଳରେ ସବୁଠାରୁ ବେଶୀ ମୃତାହତ ହୋଇଥିବା ଜଣାପଡ଼ିଛି । ସେଠାକାର ହସ୍ପିଟାଲ ମାନଙ୍କରେ ପ୍ରାୟତଃ ପେଜରର ବ୍ୟବହାର ହେଉଥିବାରୁ ସେଥିରେ ବିସ୍ଫୋରଣ ଫଳରେ ଅନେକ ଡାକ୍ତର ଓ ନର୍ସଙ୍କର ହାତ ଓ ଆଖି ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଛି । ତେବେ ପେଜର ବା ୱାକିଟକି ବିସ୍ଫୋରଣରେ ଯେତିକି କ୍ଷତି ହୋଇନାହିଁ, ତା’ଠାରୁ ବହୁ ଅଧିକ ପରୋକ୍ଷ କ୍ଷତି ହୋଇଛି ଯାହାକି ଅତ୍ୟନ୍ତ ଚିନ୍ତାଜନକ ଅଟେ । କାରଣ ଲେବାନନର ସ୍ୱାସ୍ଥ୍ୟସେବା, ପୂର୍ବରୁ ହିଁ ଚାପଗ୍ରସ୍ତ ହୋଇରହିଛି । ନିକଟ ଅତୀତରେ ଘଟିଥିବା ସେଠାକାର ଭୟାବହ ବନ୍ୟା ପରିସ୍ଥିତି ଦେଶର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ଏକଦମ୍ ଧ୍ୱଂସ କରିଦେଇଛି । ଚିକିତ୍ସା ସେବା ଉପରେ ଏହି ସମ୍ଭାବ୍ୟ ଚାପ କେବଳ ଆହତମାନଙ୍କ ଚିକିତ୍ସା କରିବାରେ ଦେଶର କ୍ଷମତାକୁ ବାଧିତ କରିବ ନାହିଁ, ବରଂ ସାଧାରଣ ନାଗରିକଙ୍କ ପାଇଁ ମାନବିକ ସଙ୍କଟ ମଧ୍ୟ ସୃଷ୍ଟି କରିବ । ଅତଏବ ସାଧାରଣ ଜନତାଙ୍କ ଧନଜୀବନକୁ ଅକାରଣରେ ନଷ୍ଟ କରି ସମାଜରେ ଆତଙ୍କ ସୃଷ୍ଟି କରୁଥିବା ଏହି ପେଜର୍ ଓ ୱାକିଟକି ବିସ୍ଫୋରଣର ଘଟଣା ସବୁ ଯେ ନିଛକ ଆତଙ୍କବାଦୀ କାର୍ଯ୍ୟ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ । ସେହି କାରଣରୁ ହିଁ ବିଶ୍ୱର ଅନ୍ୟାନ୍ୟ ବଡ଼ ଆତଙ୍କବାଦୀ ଘଟଣା ପରି ଲେବାନନ୍ର ଏହି ପେଜର ଓ ୱାକିଟକି ବିସ୍ଫୋରଣର ଆତଙ୍କବାଦୀ ଘଟଣାକୁ ବିଶ୍ୱର ସବୁ ଦେଶ ଖୋଲାଖୋଲି ଭାବେ ନିନ୍ଦା କରିବା ଦରକାର ଥିଲା । କିନ୍ତୁ ଆତଙ୍କବାଦ ପ୍ରତି ଜିରୋ ଟଲରେନ୍ସ୍ର କଥା କହୁଥିବା ବିଶ୍ୱର ଶକ୍ତିଶାଳୀ ଦେଶମାନେ ଏନେଇ କୌଣସି ପ୍ରତିକ୍ରିୟା ପ୍ରକାଶ ନକରି ଚୁପ୍ ରହିବାକୁ ଉଚିତ ମନେକଲେ ।

ବିଶ୍ୱରେ ମୋବାଇଲ୍ ଫୋନର ପ୍ରଚଳନ ପୂର୍ବରୁ ପେଜର୍ର ବହୁଳ ଭାବରେ ପ୍ରଚଳନ ଥିଲା । ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ତଥା ଅପେକ୍ଷାକୃତ ସହଜ ବ୍ୟବହାର ଲାଗି ସେଲଫୋନର ବ୍ୟାପକ ପ୍ରଚଳନ ଯୋଗୁଁ ପେଜରର ବ୍ୟବହାର ଅନେକ ମାତ୍ରାରେ କମି ଯାଇଥିଲେ ବି କିଛି କ୍ଷେତ୍ରରେ ଏହାର ବହୁଳ ବ୍ୟବହାର ଆଜି ବି ଦେଖିବାକୁ ମିଳେ । ବିଶ୍ୱର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆଜି ବି ପେଜର ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଆସିଛି । ଇଂଲଣ୍ଡର ଜାତୀୟ ସ୍ୱାସ୍ଥ୍ୟସେବା ସମେତ ବିଶ୍ୱର ଅନେକ ଦେଶରେ ଡାକ୍ତର ଓ ନର୍ସମାନେ ପେଜରକୁ ହିଁ ନିଜ ନିଜ ମଧ୍ୟରେ ଯୋଗାଯୋଗର ପ୍ରମୁଖ ମାଧ୍ୟମଭାବେ ବ୍ୟବହାର କରି ଆସୁଛନ୍ତି । ୨୦୧୯ର ତଥ୍ୟ ଅନୁଯାୟୀ କେବଳ ଇଂଲଣ୍ଡର ସ୍ୱାସ୍ଥ୍ୟସେବାରେ ୧.୩୦ ଲକ୍ଷ ପେଜର ବ୍ୟବହୃତ ହେଉଛି । ସ୍ୱାସ୍ଥ୍ୟସେବାରେ ନିୟୋଜିତ ୮୦% ଆମେରିକୀୟ କୁଆଡ଼େ ପେଜରର ବ୍ୟବହାର କରୁଥିବା ପ୍ରକାଶ ପାଇଛି । କିନ୍ତୁ ଲେବାନନର ପେଜର ବିସ୍ଫୋରଣ ପରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ ପେଜର ବ୍ୟବହାର କରିବାକୁ ଆଉ ସୁରକ୍ଷିତ ମନେ କରିବେ ନାହିଁ । ପେଜର୍ ମାଧ୍ୟମରେ ଲିଖିତ କିମ୍ବା ମୌଖିକ ବାର୍ତ୍ତା ହିଁ ପଠାଯାଇଥାଏ । ଏଥିପାଇଁ ନେଟୱାର୍କର ଆବଶ୍ୟକତା ନଥିବାରୁ ଯେକୌଣସି ପରିସ୍ଥିତିରେ ବିଶେଷ କରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ତଥା ଯୁଦ୍ଧ ସମୟରେ ଏହା ଅଧିକ ଜରୁରୀ ହୋଇଯାଇଥାଏ । ଏହାକୁ ଦୁନିଆର ସବୁଠାରୁ ସୁରକ୍ଷିତ ଯୋଗାଯୋଗର ମାଧ୍ୟମ ଭାବରେ ବ୍ୟବହାର କରାଯାଇଥାଏ । ପେଜର୍ ହେଉଛି ଏକ ଇଲୋକ୍ଟ୍ରୋନିକ୍ ଉପକରଣ ଯାହା କୌଣସି ସଫ୍ଟୱେର୍ ସହିତ ଆଦୌ ସଂଯୁକ୍ତ ନୁହେଁ । ସେହି କାରଣରୁ ଏହା ବାହାରୁ କେହି ପରିଚାଳିତ ବା ହ୍ୟାକ୍ କରିବା ସମ୍ଭବ ନୁହେିଁ ବୋଲି କୁହାଯାଇଥାଏ ।

ନ୍ୟୁୟର୍କ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଲେବାନନ୍ର ହିଜବୁଲ୍ଲା ସଂଗଠନକୁ କ୍ଷତି ପହଂଚାଇବା ଲକ୍ଷ୍ୟରେ ଇସ୍ରାଏଲର ଗୁପ୍ତଚର ସଂସ୍ଥା, ମୋସାଦ ବହୁଦିନରୁ ଏକ ସୁନିୟୋଜିତ ଅପରେସନ୍ ଆରମ୍ଭ କରିଥିଲା । ଗତ ମାର୍ଚ୍ଚମାସରେ ଯେତେବେଳେ ଲେବାନନର ଏକ ବ୍ୟବସାୟିକ ସଂସ୍ଥା ଗୋଲ୍ଡ ଆପୋଲୋ ନାମକ ଏକ ତାଇୱାନ କମ୍ପାନୀକୁ ପ୍ରାୟ ତିନି ହଜାର ପେଜର୍ ଯୋଗାଇବା ପାଇଁ ନିଦେ୍ର୍ଦଶ ଦେଇଥିଲା, ସେତେବେଳେ ମୋସାଦ ନିଜର ଅପରେସନକୁ ଆରମ୍ଭ କରିଦେଇଥିଲା । ତାଇୱାନର କମ୍ପାନୀଠାରୁ ଫ୍ରେନଚାଇଜ୍ ଆଣି ପେଜର୍ ଯୋଗାଇବାକୁ ମୋସାଦ୍ ହଙ୍ଗେରୀରେ ନିଜର ଏକ ବେନାମୀ କମ୍ପାନୀ ସ୍ଥାପନ କରିଥିଲା । ଯେତେବେଳେ ତାଇୱାନ୍ର କମ୍ପାନୀକୁ ଲେବାନନରୁ ପେଜର୍ ଯୋଗାଇବା ପାଇଁ ବରାଦ ଆସିଥିଲା, ସେତେବେଳେ ମୋସାଦର ଏହି ବେନାମୀ କମ୍ପାନୀ ସେହି ବରାଦକୁ ଆଣି ଲେବାନନକୁ ପେଜର୍ ଓ ୱାକିଟକି ସବୁ ପଠାଇଥିଲା । ତେବେ ସେସବୁ ଲେବାନନରେ ପହଂଚିବା ପୂର୍ବରୁ ମୋସାଦ ଦ୍ୱାରା ଏଥିରେ ଟ୍ୟାମ୍ପରିଂ କରାଯାଇ ଗୁପ୍ତଭାବେ ସେଥିରେ ବିସ୍ଫୋରକ ସାମଗ୍ରୀ ଓ ସେନସେର୍ ଲଗାଇ ତା’କୁ ବାହାରୁ ବିସ୍ଫୋରଣ କରିବାର ବ୍ୟବସ୍ଥାଟି କରି ଦିଆଯାଇଥିଲା ।

ପେଜର୍ ବିସ୍ଫୋରଣ ପରେ ବିଶ୍ୱରେ ଆତଙ୍କବାଦକୁ ନେଇ ରହିଥିବା ଦୋହରା ମାପଦଣ୍ଡଟି ପୁଣି ଥରେ ସାମନାକୁ ଆସିଛି । ବିଶେଷ କରି ଆତଙ୍କବାଦ ଦମନ ନାଁରେ ଗତ କିଛି ଦଶକ ଧରି ଇରାକ୍, ଆଫଗାନିସ୍ଥାନ, ସିରିଆ, ଲିବିଆ ପରି ବିଶ୍ୱର କ୍ଷୁଦ୍ର ଓ ଦୁର୍ବଳ ଦେଶମାନଙ୍କ ଉପରେ ସାମରିକ ଆକ୍ରମଣ ଓ ଦଖଲ କରି ସେମାନଙ୍କୁ ଧ୍ୱସ୍ତ ବିଧ୍ୱସ୍ତ କରିବା ଏବଂ ସେମାନଙ୍କ ଲକ୍ଷ ଲକ୍ଷ ନିରୀହ ନାଗରିକଙ୍କୁ ହତ୍ୟା ଓ ଆହତ କରାଇ ଆସିଥିବା ଆମେରିକା ପରି ପାଶ୍ଚାତ୍ୟ ସାମ୍ରାଜ୍ୟବାଦୀ ଦେଶମାନେ ଲେବାନନରେ ପେଜର ବୋମା ବିସ୍ଫୋରଣ ଓ ସେଥିରେ ଅନେକ ନିରୀହ ଲୋକଙ୍କ ମୃତାହତ ଘଟଣା ନେଇ ଏକଦମ୍ ନୀରବତା ଅବଲମ୍ବନ କରିଛନ୍ତି । ସେମାନଙ୍କ ଅତ୍ୟାଧୁନିକ ଜ୍ଞାନକୌଶଳରେ ସଜ୍ଜିତ ଗୁଇନ୍ଦା ସଂସ୍ଥା ଏସବୁ ଘଟଣାର ତଦନ୍ତ କରି ଏହା ପଛରେ ରହିଥିବା ଷଡ଼ଯନ୍ତ୍ରକୁ ଉନ୍ମୋଚିତ କରିବାକୁ ଆଗେଇ ଆସିନାହାନ୍ତି । କାରଣ ସେମାନେ ଭଲ ରୂପେ ଜାଣିଛନ୍ତି ଯେ ଏହାର ମାଷ୍ଟର ମାଇଣ୍ଡ ଇସ୍ରାଏଲର ମୋସାଦ ଅଟେ ଏବଂ ସେମାନେ ନିଜର ସ୍ୱାର୍ଥ ଲାଗି ତାକୁ ପଦାରେ ପକାଇବାକୁ ଚାହୁଁ ନାହାନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ତୈଳସମ୍ପଦଭରା ମଧ୍ୟପ୍ରାଚ୍ୟରେ ଇସ୍ରାଏଲ ହେଉଛି ଆମେରିକା ଓ ଅନ୍ୟ ପାଶ୍ଚାତ୍ୟ ସାମ୍ରାଜ୍ୟବାଦୀ ଶକ୍ତିଙ୍କ ଏକ ବିଶ୍ୱସ୍ତ ସହଯୋଗୀ ଓ ଆଧିପତ୍ୟର ଅନ୍ୟତମ ପ୍ରମୁଖ ସ୍ତମ୍ଭ । ସେଇଥିପାଇଁ ସମସ୍ତ ନିନ୍ଦା, ଅପମାନ ଓ ବିରୋଧ ସତ୍ତ୍ୱେ ସେମାନେ ଏଯାଏଁ ଲଗାତାର ଭାବେ ନିଜର ଅର୍ଥନୈତିକ ଓ ରାଜନୈତିକ ସ୍ୱାର୍ଥ ପାଇଁ ଇସ୍ରାଏଲର ସମସ୍ତ ବର୍ବରତା, ପାଲେଷ୍ଟାଇନ୍ ଜମି ଉପରେ ବେଆଇନ କବଜା ଏବଂ ସର୍ବୋପରି ହଜାର ହଜାର ଲୋକଙ୍କ ନରସଂହାରକୁ ଆଖିବୁଜି ସମର୍ଥନ ଓ ପ୍ରୋତ୍ସାହନ ଦେଇ ଆସିଛନ୍ତି । ସେହି ଦୃଷ୍ଟିରୁ ବୋଧହୁଏ ସେମାନଙ୍କ ପାଇଁ ପେଜର ବୋମା ବିସ୍ଫୋରଣ କୌଣସି ଆତଙ୍କବାଦୀ କାର୍ଯ୍ୟ ନୁହେଁ! ହୁଏତ ଆଗାମୀ ଦିନରେ ସେମାନେ ନିଜର ବିରୋଧି ଦେଶ ବା ଶକ୍ତିଙ୍କ ବିରୁଦ୍ଧରେ ପ୍ରୟୋଗ କରିବା ପାଇଁ ବି ଇସ୍ରାଏଲ ବା ମୋସାଦଠାରୁ ଏହି ଜ୍ଞାନକୌଶଳକୁ ହାସଲ କରିବାକୁ ମଧ୍ୟ ଚେଷ୍ଟା କରିପାରନ୍ତି । ଅତୀତରେ ଆମ ଭାରତ ସମେତ ବିଶ୍ୱର ବିଭିନ୍ନ ଦେଶର ସରକାରମାନେ ନିଜର ରାଜନୈତିକ ବିରୋଧିମାନଙ୍କ ବିରୁଦ୍ଧରେ ଇସ୍ରାଏଲଠାରୁ ପେଗାସେସ୍ ଆଣି କିପରି ବ୍ୟବହାର କରିଥିଲେ ତାକୁ ଆମେ ଦେଖିଛେ ।

ଅନ୍ୟପକ୍ଷରେ ୧୭ ସେପ୍ଟେମ୍ବର ପରେ ବିଶ୍ୱବାସୀଙ୍କ ପାଇଁ ଆତଙ୍କବାଦ ଏକ ନୂତନ ରୂପରେ ସାମନାକୁ ଆସିଛି । ଏହି ଘଟଣା ପରେ ବିଶ୍ୱ ପୂର୍ବାପେକ୍ଷା ଅଧିକ ଅସୁରକ୍ଷିତ ହୋଇଯାଇଛି । କହିବାକୁ ଗଲେ, ଏହି ବିସ୍ଫୋରଣ ଦୁନିଆସାରା ପେଜର ସମେତ ସବୁ ଇଲୋକ୍ଟ୍ରୋନିକ୍ ଉପକରଣକୁ ଅତ୍ୟନ୍ତ ଅସୁରକ୍ଷିତ କରିଦେଇଛି । ଯେଉଁମାନେ ଏହି ଆତଙ୍କବାଦୀ ଘଟଣାକୁ ନିନ୍ଦା କରିବା ବଦଳରେ ଇସ୍ରାଏଲର ଗୁଇନ୍ଦା କୌଶଳ ଓ ଜ୍ଞାନ କୌଶଳର ଉକ୍ରର୍ଷତାର ଭୂୟସୀ ପ୍ରଶଂସା କରୁଛନ୍ତି, ସେମାନେ ଜାଣିବା ଦରକାର ଯେ ଆଜି ଯାହା ଲେବାନନରେ ଘଟିଲା, ଆସନ୍ତାକାଲି ତାହା ଅନ୍ୟ କୌଣସି ଦେଶରେ ଯେ ନହେବ, ତା’ର କୌଣସି ଗ୍ୟାରେଣ୍ଟି ନାହିଁ । ସାରା ଦୁନିଆ ଇସ୍ରାଏଲର ଏଭଳି ଆତଙ୍କବାଦୀ କୌଶଳ ଆଗରେ ନିଜକୁ ଯେ ଅସହାୟ ମନେ କରିବ, ତାହା ସେମାନେ ହୃଦୟଙ୍ଗମ କରିବା ଦରକାର । ଯଦି ଆମେ ଦୈନନ୍ଦିନ ଜୀବନରେ ବ୍ୟାପକଭାବେ ବ୍ୟବହାର କରୁଥିବା ମୋବାଇଲ ଫୋନ୍, ପେଜର, ରେଡ଼ିଓ, ଲାପଟପ୍ ଓ ୱାକିଟକି ଆଦି ଗୋଟିଏ ଗୋଟିଏ ବିନାଶକାରୀ ବୋମାରେ ପରିବର୍ତ୍ତନ ହୋଇ ଆମକୁ ହତ୍ୟା କରିବାର ସମ୍ଭାବନା ରହିବ, ତାହେଲେ ବିଶ୍ୱବାସୀ ସବୁଦିନ ପାଇଁ ଆତଙ୍କର ଛାଇରେ ଜୀଇଁବାକୁ ବାଧ୍ୟ ହେବ । କାରଣ ଏସବୁ ଜରିଆରେ ଇସ୍ରାଏଲ ପରି ଶକ୍ତିଶାଳୀ ରାଷ୍ଟ୍ରମାନେ ଭବିଷ୍ୟତରେ ରିମୋଟ୍ ଜରିଆରେ ଦୂରରେ ରହି ଯେକୌଣସି ଦେଶରେ ଏଭଳି ବିସ୍ଫୋରଣ କରାଇ ଏକାଥରକେ ଯେ ହଜାର ହଜାର ଲୋକଙ୍କୁ ମୃତାହତ ଯେ କରିପାରିବେ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ । ଆଜିକାଲି ଯେପରି ଯୁଦ୍ଧ ଓ ଆତଙ୍କବାଦ ଉଭୟରେ ଡ଼୍ରୋନର ଅଧିକରୁ ଅଧିକରୁ ଅଧିକ ଉପଯୋଗ ହେଉଛି, ଠିକ୍ ସେହିପରି ଆତଙ୍କବାଦର ଏହି ନୂଆ ତରିକାଟି ଯେ ଆଗାମୀ ଦିନରେ ଏକ ରଣକୌଶଳ ଭାବେ ବ୍ୟବହୃତ ହେବ, କମ୍ ସେ କମ୍ ବିଶ୍ୱର ବଡ଼ ଦେଶମାନଙ୍କ ନୀରବତାରୁ ସ୍ପଷ୍ଟ ଜଣାପଡ଼ୁଛି ।

Comments

0 comments

Share This Article