ପୃଥିବୀପୃଷ୍ଠରେ ଯେତେକ ଜନଜୀବନ ଅଛି, ସେଥିମଧ୍ୟରୁ ନୋଳିଆ ଜନଜୀବନ ଅନ୍ୟତମ । ମଣିଷ ବଞ୍ଚିବା ପାଇଁ ପ୍ରତ୍ୟେକ ମୁହୂର୍ତ୍ତ ସଂଗ୍ରାମ କରି ଚାଲିଛି । ମଣିଷ ବଞ୍ଚିବା ପାଇଁ ଯେଉଁ ପନ୍ଥା ଅବଲମ୍ବନ କରେ, ସେହି ରୋଜଗାର ପନ୍ଥାକୁ ହିଁ ବୃତ୍ତି ବା ପେଷା ବା ବ୍ୟବସାୟ କୁହାଯାଏ । ତଦ୍ରୁପ ନୋଳିଆ ସମାଜରେ ପ୍ରତ୍ୟେକ ମଣିଷ ବଞ୍ଚିବା ପାଇଁ ଯେଉଁ ପ୍ରୟାସ ଜାରୀ ରଖିଛି ତାକୁ ବୃତ୍ତି କୁହାଯାଏ । ନୋଳିଆ ସମ୍ପ୍ରଦାୟର ମୁଖ୍ୟ ବୃତ୍ତି ମାଛ ଧରିବା, ମାଛ ବିକ୍ରି କରିବା, ମାଛକୁ ଶୁଖୁଆ କରିବା ଜାଲ ବୁଣିବା, ଡଙ୍ଗା ତିଆରି କରିବା, ଉନ୍ନତ ଧରଣର ଡଙ୍ଗା ତିଆରି କରିବା, ତାହା ଛଡ଼ା ବର୍ତ୍ତମାନ ସମୟରେ ଲୋକମାନଙ୍କ ମଧ୍ୟରେ ବଞ୍ଚିବା ପାଇଁ ଭିନ୍ନଭିନ୍ନ କାର୍ଯ୍ୟକୁ ଅର୍ଥାତ୍ ବ୍ୟବସାୟ ବାଣିଜ୍ୟ, ଚାକିରି ଓ ସମସ୍ତ ପ୍ରକାରର କାର୍ଯ୍ୟ ଉପରେ ମଧ୍ୟ ନୋଳିଆ ଲୋକ ନିର୍ଭର କରିଥାନ୍ତି ।
ସାଧାରଣତଃ ପୂର୍ବ ସମୟରେ ସେମାନଙ୍କ ମାଛ ଧରିବା ଏକ ବୃତ୍ତି ଥିଲା, କିନ୍ତୁ ବର୍ତ୍ତମାନ ସମୟମାନଙ୍କରେ ଜୀବିକା ନିର୍ବାହ ପାଇଁ ଭିନ୍ନ ଭିନ୍ନ ଧରଣର ବ୍ୟବସାୟକୁ ବୃତ୍ତି ଭାବରେ ଆପଣାଇ ନେଇଛନ୍ତି । ଶିକ୍ଷାର ପ୍ରଭାବ ପ୍ରସାର ପରେ ନୋଳିଆ ସମ୍ପ୍ରଦାୟର ଲୋକମାନଙ୍କ ମଧ୍ୟରେ ଉଚ୍ଚ ଚିନ୍ତାଧାରା ପରିଲକ୍ଷିତ ହେବାର ଦେଖାଯାଏ । ଯାହାଫଳରେ ଏହି ସମ୍ପ୍ରଦାୟର ଲୋକମାନେ ଅନ୍ୟ ସମ୍ପ୍ରଦାୟ ଲୋକମାନଙ୍କ ଭଳି ବଡ଼ ବଡ଼ ଦୋକାନୀ ବ୍ୟବସାୟୀ ସହିତ, ବିଭିନ୍ନ ସରକାରୀ ବେସରକାରୀ କାର୍ଯ୍ୟରେ ମୋଟ ନିଯୁକ୍ତି ହେବା ସଙ୍ଗେ ସଙ୍ଗେ ଉନ୍ନତ ଚିନ୍ତାଧାରା ନେଇ ଶିକ୍ଷିତ ଶ୍ରେଣୀର ଲୋକ ଅନେକ କ୍ଷେତ୍ରରେ କାର୍ଯ୍ୟ କରିଥାନ୍ତି ।
ଲୋକଶିଳ୍ପ:
ନୋଳିଆ ସମ୍ପ୍ରଦାୟରେ ମଧ୍ୟ ଲୋକଶିଳ୍ପ ଦେଖିବାକୁ ମିଳିଥାଏ । ଲୋକଶିଳ୍ପ କହିଲେ ସାଧାରଣତଃ ନୋଳିଆମାନେ ପରିଶ୍ରମ କରି ଜୀବିକା ପାଇଁ ବା ରୋଜଗାର ପାଇଁ କରୁଥିବା ଛୋଟ ଛୋଟ ବୃତ୍ତିଗତ ଶିଳ୍ପକୁ କିମ୍ବା ଶିଳ୍ପ ଖର୍ଚ୍ଚରେ ବଡ଼ ବଡ଼ ଯନ୍ତ୍ରପାତିରେ ତିଆରି ହେଉଥିବା କାର୍ଯ୍ୟକୁ ଲୋକଶିଳ୍ପ ବୋଲି କୁହାଯାଏ । ନୋଳିଆ ସମାଜରେ ଲୋକଶିଳ୍ପ କହିଲେ ଜାଲ ବୁଣିବ, ଡଙ୍ଗା ତିଆରି କରିବା, ବଳକା ମାଛକୁ ଶୁଖୁଆ କରିବା, ମାଛ ଆଚାର ଇତ୍ୟାଦି ।
ଜାଲ ବୁଣା:
ଏହି ନୋଳିଆ ସମ୍ପ୍ରଦାୟର ଲୋକମାନେ ଅର୍ଥ ଉପାର୍ଜନ କରିବା ପାଇଁ କିଛି କିଛି ଶିଳ୍ପଭିତ୍ତିକ କାର୍ଯ୍ୟମାନ କରିଥାନ୍ତି । କିଛି ଜାଲର ସୁତାକୁ ବଜାରରୁ କ୍ରୟକରି ସମୁଦ୍ର କୂଳରେ ବସି ଜାଲ ବୁଣିବା ଦେଖାଯାଏ । ସାଧାରଣତଃ ନୋଳିଆମାନେ ମାଛ ଅନୁସାରେ ଜାଲ ବ୍ୟବହାର କରିଥାନ୍ତି । ସାଧାରଣତଃ ସବୁପ୍ରକାରର ମାଛ ପାଇଁ ଏକ ପ୍ରକାରର ଜାଲ ବ୍ୟବହୃତ ହୁଏ ନାହିଁ । ମାଛ ଅନୁସାରେ ଜାଲ ସବୁ ବ୍ୟବହାର କରାଯାଏ । ସେଥିପାଇଁ ନୋଳିଆ, ଲୋକ ନିଜେ ନିଜେ ଜାଲବୁଣି ବ୍ୟବହାର କରିଥାନ୍ତି ଏବଂ ବିକ୍ରୀ କରିବା ଦେଖାଯାଏ । କିଛିଲୋକ ଜାଲବୁଣି ବିକ୍ରି କରିବା ସେମାନଙ୍କ ଜୀବିକା ଅଟେ ।
ସାଧାରଣତଃ ବଡ଼ ମାଛପାଇଁ ବଡ଼ ଜାଲ ଅର୍ଥାତ୍ ମୋଟା ସୂତାରେ ତିଆରି ଜାଲ ବ୍ୟବହୃତ ହୋଇଥାଏ । ଏବଂ ଅନ୍ୟାନ୍ୟ ମାଛ ଚିଙ୍ଗୁଡ଼ି ପାଇଁ ଅନ୍ୟଧରଣର ସୂତାରେ ତିଆରି ଜାଲ ମଧ୍ୟ ବ୍ୟବହାର କରାଯାଇଥାଏ । ମାଛର ପ୍ରକାର ଅନୁସାରେ ଜାଲ ବ୍ୟବହାର କରାଯାଇଥାଏ । ମାଛର ପ୍ରକାର ଅନୁସାରେ ଜାଲ ବ୍ୟବହାର କରାଯାଇଥାଏ । ନୋଳିଆ ଲୋକ ସମୁଦ୍ରରେ ମାଛ ଧରୁ ଧରୁ କିଛି କଙ୍କଡ଼ା ମଧ୍ୟ ଧରିଥାନ୍ତି । ଏହି କଙ୍କଡ଼ା ଧରିବା ପାଇଁ ସାଧାରଣତଃ ଏକ ସ୍ୱତନ୍ତ୍ର ଜାଲ ବ୍ୟବହାର କରିଥାନ୍ତି ।
ଡଙ୍ଗା ତିଆରି:
ନୋଳିଆ ଲୋକ ଡଙ୍ଗା ତିଆରି ଏବଂ ମରାମତି କରିବା ଦେଖାଯାଏ । ଏହି ସମ୍ପ୍ରଦାୟର କିଛି ଲୋକ ଡ଼ଙ୍ଗାର ଛାଞ୍ଚକୁ ଆଣି ଛୋଟ ଏବଂ ବଡ଼ ବଡ଼ ଧରଣର ଡଙ୍ଗା ତିଆରି କରିବା ଦେଖାଯାଇଥାଏ । ଅତୀତରେ ଛୋଟ ଡଙ୍ଗା ବା କାଠରେ ତିଆରି ଡଙ୍ଗା ଦେଖାଯାଉଥିଲା । ବର୍ତ୍ତମାନ ସମୟରେ ନୋଳିଆମାନେ ବଡ଼ ବଡ଼ ଡଙ୍ଗା ସବୁ ତିଆରି କରିବା ମଧ୍ୟ ଦେଖାଯାଏ । ଡଙ୍ଗା ତିଆରି କରିବା ପାଇଁ ଆବଶ୍ୟକ ଉପକରଣ ପାଖରେ ରଖି ନୋଳିଆମାନେ ଡଙ୍ଗା ତିଆରି କରିଥାନ୍ତି । ଅନେକ ଇଞ୍ଜିନ୍ ଚାଳିତ ଡଙ୍ଗା ସବୁ ତିଆରି କରିବା ମଧ୍ୟ ଦେଖାଯାଏ ।
ଶୁଖୁଆ:
ନୋଳିଆ ଲୋକମାନେ ସମୁଦ୍ରରୁ ମାଛ ଧରିବା ସମୟରେ ମାଛକୁ ବିକି୍ର କରିବା ପାଇଁ ବଜାର ଉପରେ ନିର୍ଭର କରିଥାନ୍ତି । କୃଷିଭିତ୍ତିକ ପନିପରିବା ଯେପରି ବଜାରକୁ ଯାଇ ବିକି୍ରହୁଏ । ତଦ୍ରୁପ ନୋଳିଆ ମଧ୍ୟ ମାଛ ଧରିବାପରେ ବଜାର ଉପରେ ନିର୍ଭର କରିଥାଏ । ସାଧାରଣତଃ ମାଛ ବିକି୍ର କରି ଜୀବିକା ନିର୍ବାହ କରୁଥିବା ନୋଳିଆ ବେଳେ ବେଳେ ମାଛ ବଜାରରେ ବିକ୍ରି ହୋଇ ନ ପାରିବାରୁ କ୍ଷତି ସହିଥାଏ । ଏହି ସମୟରେ ଜଣେ ମତ୍ସ୍ୟଜୀବୀ ଅବଶିଷ୍ଟ ଥିବା ସବୁ ମାଛକୁ ଲୁଣି ପାଣି ଦ୍ୱାରା ଏକ ସ୍ୱତନ୍ତ୍ର ଗୁଣ ଦେଇ ଏହି ବାସିମାଛ ସବୁକୁ ଶୁଖୁଆ ତିଆରି କରିଥାଏ । ଶୁଖୁଆ ଶୁଖିଲା ପରେ ତାକୁ ବିକ୍ରି ପାଇଁ ବଜାରକୁ ପଠାଏ । ଏହି ପ୍ରକାରର ମଧ୍ୟ ମତ୍ସ୍ୟଜୀବୀମାନେ ଅର୍ଥ ଉପାର୍ଜନ କରିଥାଏ ।
ମାଛ ଆଚାର:
ମତ୍ସ୍ୟଜୀବୀ ଲୋକେ ଶୁଖିଲା ମାଛ ବା ଶୁଖୁଆକୁ ତେଲ ମରିଚଗୁଣ୍ଡ, ହଳଦୀ, ମସଲା ଭିନେଗାର ଲୁଣ ଏହି ସମସ୍ତ ମିଶାଇ ଆଚାର ପ୍ରସ୍ତୁତ କରିଥାନ୍ତି ସାଧାରଣତଃ ଶୁଖୁଆକୁ କିିଛି ତେଲରେ ଛାଣି ତା’ପରେ ଉକ୍ତ ସମସ୍ତ ମସଲା ସରଞ୍ଜାମକୁ ଏକତ୍ର ମିଶାଇ ପାଗ ଅନୁସାରେ ପ୍ରସ୍ତୁତ କରାଯାଏ । ବିଶେଷ କରି ତେଲୁଗୁ ସମ୍ପ୍ରଦାୟର ନୋଳିଆମାନେ ମାଛ ଆଚାର ପ୍ରସ୍ତୁତ କରନ୍ତି । ସମସ୍ତ ଆଚାର କାର୍ଯ୍ୟ ସମସ୍ତ ପରେ ଶୁଖୁଆର ଆଚାର ବଜାରକୁ ବିକ୍ରି ପାଇଁ ପଠାଯାଏ । ଏହି ମାଧ୍ୟମରେ ମତ୍ସ୍ୟଜୀବୀ ଜାତିର ଲୋକମାନେ ଅର୍ଥ ଉପାର୍ଜନ କରିଥାଆନ୍ତି । ବର୍ତ୍ତମାନ ମତ୍ସ୍ୟଜୀବୀ ଜାତିର ଲୋକମାନେ ଅନ୍ୟ ସମ୍ପ୍ରଦାୟର ଲୋକଙ୍କ ଭଳି ଶିଳ୍ପଭିତ୍ତିକ କାର୍ଯ୍ୟମାନ କରି ଅନେକ ଅର୍ଥ ଉପାର୍ଜନ କରିବାର ଦେଖାଯାଏ ।
ଅନ୍ୟ ବ୍ୟବସାୟ:
ମତ୍ସ୍ୟଜୀବୀ ଜାତିର ବ୍ୟକ୍ତିମାନେ ମଧ୍ୟ ବୈକଳ୍ପିକ ଚିନ୍ତାଧାରାକୁ ଆଖି ଆଗରେ ରଖି ବିକାଶର ଚିନ୍ତାଧାରାରେ ଆଗେଇ ଆସିବାକୁ ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି । ସେଗୁଡ଼ିକ ହେଲା କେହି କେହି କିରାଣୀ ଦୋକାନ, ଚୁଡ଼ି ଦୋକାନ, ଜାଲ ଦୋକାନ, ହୋଟେଲ, ସାଇକେଲ ମରାମତି, ଚାଉଳ, ନଡ଼ିଆ ପଇଡ଼ ବ୍ୟବସାୟ କରନ୍ତି । ଆମ୍ବ, ପଣସ, କଦଳୀ, କଦଳୀ ମା, କାଉଁରିଆ ଶାଗ, ମୁନିକା (ସଜନା) ଶାଗ, ବିଭିନ୍ନ ରକମର ଶାଗ, କାଜୁ ଗାଁ ଗାଁ ବୁଲି ବିକ୍ରି କରନ୍ତି । ସାହିମାନଙ୍କରେ ଚା ଦୋକାନ କରି ସେଥିରେ ନାସ, ବିଡ଼ି, ପାନ ବିକିବା ସହ ଛଣାଛଣି ଦୋକାନ କରି ସେଥିରେ ବରା, ପକୁଡ଼ି, ଜିଲେପି ଇତ୍ୟାଦି ବିକ୍ରି କରି ନିଜର ଗୁଜୁରାଣ ମେଣ୍ଟାନ୍ତି । ବର୍ତ୍ତମାନ ବ୍ୟବସାୟ କ୍ଷେତ୍ରରେ ମତ୍ସ୍ୟଜୀବୀ ଜାତିର ଲୋକମାନେ ପୂର୍ବରୁ ଯାହା ଦେଖାଯାଉଥିଲା ବର୍ତ୍ତମାନ ପରିବର୍ତ୍ତିତ ବିଶ୍ୱରେ ସମ୍ପୂର୍ଣ୍ଣ ଅଲଗା ତାହା ହସିତ ସବୁଶ୍ରେଣୀର ଲୋକଙ୍କ ଭଳି ସୁରକ୍ଷିତ ରହିଛନ୍ତି । ସେମାନଙ୍କର ରୋଜଗାର ମୁଖ୍ୟ ପନ୍ଥା ହେଉଛି ସମୁଦ୍ର ବାସ୍ତବରେ ଏହି ଜାତିର ସାମାଜିକ ସାମ୍ପ୍ରତିକ ଧାର୍ମିକ ଅନୁଧ୍ୟାନ କଲେ ବର୍ତ୍ତମାନ ସୁଧା ଯଥାଯଥ ଭାବରେ ହୋଇପାରିନାହିଁ । ଏହି ସରଳ ନିରୀହ ସମ୍ପ୍ରଦାୟର ଏକବିଂଶ ଶତାବ୍ଦୀରୁ ମଧ୍ୟ ଉନ୍ନତ ଜୀବନଯାପନର ସ୍ତରକୁ ଆସିପାରି ନାହିଁ । ଅବହେଳିତ ଏହି ସମ୍ପ୍ରଦାୟକୁ ସରକାର ତରଫରୁ ସୁଚିନ୍ତିତ ଭାବେ ପ୍ରଶିକ୍ଷିତ କରିବା ଆବଶ୍ୟକ । ଏହି ଜାତି ସମ୍ପର୍କରେ ବିଧିବଦ୍ଧ ଅନୁଧ୍ୟାନ କରାଗଲେ ଆଗାମୀ ସମୟରେ ଏହା ବିକାଶ ମାର୍ଗକୁ ତ୍ୱରାନ୍ୱିତ କରିବା ସହ ଏକ ଜାତୀୟ କର୍ତ୍ତବ୍ୟ ନିର୍ବାହ ଦିଗରେ ସହାୟକ ହେବ ।
ମତ୍ସ୍ୟଜୀବୀମାନଙ୍କ ନିମନ୍ତେ ସରକାରଙ୍କ ଯୋଜନା:
ମତ୍ସ୍ୟଜୀବୀମାନଙ୍କ ପାଇଁ କୃଷିମନ୍ତ୍ରୀ କିଛି ଯୋଜନା କରିଛନ୍ତି । ସାମୁଦ୍ରିକ ଝଡ଼ ଫାଇଲିନ୍ ପ୍ରଭାବରେ ରାଜ୍ୟରେ ମତ୍ସ୍ୟଜୀବୀମାନଙ୍କର ବହୁ ପରିମାଣରେ କ୍ଷତିଗ୍ରସ୍ତ ହୋଇଛି । ତେଣୁ ରାଜ୍ୟ ସରକାର ମତ୍ସ୍ୟଜୀବୀମାନଙ୍କ ପାଇଁ ରାଷ୍ଟ୍ରୀୟ କୃଷିବିକାଶ ଯୋଜନା ସହାୟତା ଯୋଗାଇ ଦେଇଥିଲେ ।
ଜୀବନ ଜୀବିକା:
ସମୁଦ୍ରରେ ମାଛ ମାରି ବିକ୍ରି କରିବା ଓ ଶୁଖୁଆ ବିକ୍ରି କରିବା ସେମାନଙ୍କ ଜୀବିକା । କିନ୍ତୁ ଟ୍ରଲର ଅଧିକ ସଂଖ୍ୟାରେ ସମୁଦ୍ରକୂଳରେ ମାଛମାରିବା ଫଳରେ ଏମାନେ ଛୋଟ ଡ଼ଙ୍ଗାରେ ପାରମ୍ପରିକ ଜାଲରେ ମାଛ ମାରି ପାରୁନାହାନ୍ତି । ପରିବାର ପୋଷଣ କରିବା କଷ୍ଟସାଧ୍ୟ ହୋଇପଡୁଛି । ଘରଦ୍ୱାର, ଗାଁ ଗଣ୍ଡା ଛାଡ଼ି ପଡ଼ୋଶୀ ଆନ୍ଧ୍ର, ତାମିଲନାଡୁ, ଗୋଆ, ମହାରାଷ୍ଟ୍ର, ଏପରିକି ସୁଦୂର ଆଣ୍ଡାମାନରେ ମଧ୍ୟ ମାଛ ମାରିବା କାର୍ଯ୍ୟରେ ଅଧିକାଂଶ ନିୟୋଜିତ ହେଲେ ମଧ୍ୟ ଅଧିକାଂଶ କୋଠାବାଡ଼ି ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ସରକାର ସେମାନଙ୍କ ଓ ସେମାନଙ୍କ ପିଲାଛୁଆଙ୍କ ପାଠପଢ଼ା ପାଇଁ ଅନେକ ସୁବିଧା କରିଥିଲେ ମଧ୍ୟ ତାହା ସମୁଦ୍ରକୁ ଶଙ୍ଖେ ସଦୃଶ । ପ୍ରୋତ୍ସାହନ ଅଭାବରୁ ସେସବୁ ସୁବିଧାରୁ ମଧ୍ୟ ସେମାନେ ବଞ୍ଚିତ । ଯେଉଁମାନେ ମାଛ ମାରି ବିକ୍ରି କରନ୍ତି, ମଧ୍ୟସ୍ଥିମାନଙ୍କ ଦାଉରୁ ସେମାନେ ବର୍ତ୍ତି ପାରନ୍ତି ନାହିଁ । ଶସ୍ତାଦରରେ ମଧ୍ୟସ୍ଥିମାନେ ସେମାନଙ୍କଠୁ ମାଛ କିଣି ନେଉଥିବାରୁ ମତ୍ସ୍ୟଜୀବୀମାନେ ଉଚିତ ମୂଲ୍ୟ ନପାଇ କ୍ଷତି ସହିବାକୁ ବାଧ୍ୟ ହୁଅନ୍ତି । ସବୁ ଅନୁଧ୍ୟାନ କରି ସରକାର ଯଦି ଉପଯୁକ୍ତ ବନ୍ଦୋବସ୍ତ କରିପାରନ୍ତି, ତେବେ ଏ ଜାତିର ସର୍ବାଙ୍ଗୀନ ଉନ୍ନତି ହୋଇପାରିବ । ନଚେତ୍ ଯେଉଁ ପଛୁଆକୁ ସେହି ପଛୁଆ ହୋଇ ମତ୍ସ୍ୟଜୀବୀମାନେ ରହିଯିବେ ।
ସରକାରୀ ଯୋଜନା ଓ ନିୟମ:
ସମୁଦ୍ରରେ ମାଛ ଧରିବା ପାଇଁ ଲାଇସେନ୍ସ କରିବାକୁ ପଡୁଥିଲା ବା ବାଧ୍ୟତାମୂଳକ ବର୍ତ୍ତମାନ ସରକାର ଏହି ନିୟମ କରିଛନ୍ତି ଓ ମତ୍ସ୍ୟଜୀବୀମାନଙ୍କର ପଞ୍ଜିକରଣ ମଧ୍ୟ କରାଯାଇଅଛି । ମତ୍ସ୍ୟଜୀବୀ ମହିଳା ବା ପୁରୁଷ ସମୁଦ୍ର ଭିତରେ ଦୁର୍ଘଟଣାରେ ମୃତ୍ୟୁବରଣ କଲେ ୧୮ରୁ ୬୫ବର୍ଷ ବୟସ୍କଙ୍କୁ ଦୁଇଲକ୍ଷ ଟଙ୍କା ସରକାରୀ ସହାୟତା ପ୍ରଦାନ କରାଯାଉଅଛି । ଏହି ମତ୍ସ୍ୟଜୀବୀମାନଙ୍କୁ ସରକାର ବର୍ଷକୁ ଥରେ ୧୪ଟଙ୍କା ସେମାନଙ୍କ ଜମାକାରୀ ଖାତାରେ ଜମା ଦିଅନ୍ତି । ସରକାରଙ୍କ ତରଫରୁ ମତ୍ସ୍ୟଜୀବୀମାନଙ୍କୁ ୪୦% ଜାଲ ଯୋଗାଇ ଦେବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ସାମୁଦ୍ରିକ କଇଁଛଙ୍କ ଗଣଅଣ୍ଡାଦାନ ଯୋଗୁଁ ବିଶେଷ ଭାବରେ ଓଡ଼ିଶାର କେନ୍ଦ୍ରାପଡ଼ା ଅଞ୍ଚଳରେ ୩୬୫ଦିନ ମାଛ ଧରିବାକୁ ମନା କରାଯାଇଛି । କଇଁଛ ସମୁଦ୍ରକୁଳକୁ ଆସି ଅଣ୍ଡା ଦିଅନ୍ତି । ପୁରୀ, ଗଞ୍ଜାମ, ଜଗତସିଂହପୁର ଆଦି ସମୁଦ୍ରକୂଳିଆ ଅଞ୍ଚଳର ମତ୍ସ୍ୟଜୀବୀମାନେ ନଭେମ୍ବର ୧ ତାରିଖଠାରୁ ମଇ ମାସ ୧ ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟରେ ମାଛ ଧରିବା ପାଇଁ ସରକାର ମନା କରିଛନ୍ତି । ଏହା ବାଧ୍ୟତାମୂଳକ । କଇଁଛ କୂଳରେ ଆସି ଅଣ୍ଡା ଦେଉଥିବାରୁ ମତ୍ସ୍ୟଜୀବୀମାନେ ମାଛ ଧରିପାରିବେ ନାହିଁ । ଉପକୁଳ ସୁରକ୍ଷା ନିମନ୍ତେ ୧୮ଟି ଥାନା ପ୍ରତିଷ୍ଠା କରାଗଲା । ସମୁଦ୍ରକୁ ଯାଉଥିବା ମତ୍ସ୍ୟଜୀବୀମାନଙ୍କ ନିମନ୍ତେ ବାୟୋମେଟ୍ରିକ କାର୍ଡ଼ ବାଧ୍ୟତାମୂଳକ । ଏ ବିଷୟରେ ବ୍ୟାପକ ସଚେତନତା ସୃଷ୍ଟି ନିମନ୍ତେ ସରକାରୀ ପଦକ୍ଷେପ ନିଆଯାଉଥିବା ମତ୍ସ୍ୟଜୀବୀ ସଂଘର କର୍ମକର୍ତ୍ତା ମାନେ ମତବ୍ୟକ୍ତ କରନ୍ତି ।
ଓଡ଼ିଶାର ୪୮୪ କି.ମି. ଉପକୁଳ ଅଞ୍ଚଳରେ ତଟସୁରକ୍ଷା କୋଷ୍ଟାଲ ସିକ୍ୟୁରିଟି କାର୍ଯ୍ୟକୁ ରାଜ୍ୟ ସରକରାଙ୍କ ତରଫରୁ ତ୍ୱରାନ୍ୱିତ କରାଯାଇଛି । ଇତି ମଧ୍ୟରେ ୨ଟି ପର୍ଯ୍ୟାୟରେ ୧୮ଟି ସାମୁଦ୍ରିକ ଥାନା (ମେରାଇନ୍ ପୋଲିସ୍ ପୋଷ୍ଟ) ପ୍ରତିଷ୍ଠା କରାଯାଇଛି ।
ତଟ ସୁରକ୍ଷା ସମ୍ବନ୍ଧିତ କାର୍ଯ୍ୟକ୍ରମର ଅଗଗ୍ରତି ସମୀକ୍ଷା କରି ସମୁଦ୍ରକୁ ମାଛ ମାରିବା ନିମନ୍ତେ ଯାଉଥିବା ସମସ୍ତ ମତ୍ସ୍ୟଜୀବୀଙ୍କୁ ଜଳରୋଧକ (ୱାଟର ପ୍ରୁଫ୍) ବାଇଓମେଟି୍ରକ୍ ପରିଚୟ ପତ୍ର ଯୋଗାଇ ଦେବା ପାଇଁ ସରକାରୀ ନିର୍ଦ୍ଦେଶ ରହିଛି । ସମୁଦ୍ରକୁ ମାଛ ଧରିବାକୁ ଯିବାବେଳେ ମତ୍ସ୍ୟଜୀବୀମାନେ ସାଙ୍ଗରେ ପରିଚୟ ପତ୍ର ନେବା ବାଧ୍ୟତାମୂଳକ କରିବା ସହ ବାୟୋମେଟ୍ରିକ କାର୍ଡ଼ ଏବଂ ବିପଦ ସୂଚନା ଯୋଗାଯୋଗ (ଆଲର୍ଟ ମେସଜ୍) ବିଷୟରେ ମତ୍ସ୍ୟଜୀବୀମାନଙ୍କ ମଧ୍ୟରେ ବ୍ୟାପକ ସଚେତନା ସୃଷ୍ଟି କରିବା ପାଇଁ ଇତିମଧ୍ୟରେ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ ।
From Samadrusti Digital Archive (16-31 April, 2018)
Comments
0 comments