ଓଡ଼ିଶାର ତିଜିମାଳିରେ ଖଣି ବିରୋଧୀ କର୍ମୀ କାର୍ତ୍ତିକ ନାଏକଙ୍କ ଗିରଫକୁ ନିନ୍ଦା

214 Views
9 Min Read

ପ୍ରେସ୍ ବିବୃତି

୨୭ ସେପ୍ଟେମ୍ବର ୨୦୨୪

ଭୁବନେଶ୍ଵର, ଓଡ଼ିଶା : ଦକ୍ଷିଣ ଓଡ଼ିଶାରେ ବେଦାନ୍ତର ବକ୍ସାଇଟ୍ ଖନନ ବିରୋଧରେ ସଂଗ୍ରାମର ଅନ୍ୟତମ ସ୍ୱର ଓ ପ୍ରତିବଦ୍ଧ ନେତା କାର୍ତ୍ତିକ ନାଏକଙ୍କ ଗିରଫକୁ ଆମେ ଦୃଢ଼ ନିନ୍ଦା କରୁଛୁ । ୨୦୨୪ ସେପ୍ଟେମ୍ବର ୧୯ ତାରିଖ ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ବେଳେ କାଶୀପୁର ପୁଲିସ ୩୦ ବର୍ଷୀୟ କାର୍ତ୍ତିକଙ୍କୁ ଉଠାଇ ନେଇ କାଶୀପୁର ଥାନାରେ କିଛି ସମୟ ରଖିଲା । ପରେ କାଶୀପୁର ଜେଏମ୍ଏଫ୍‌ସି କୋର୍ଟରେ ହାଜର କରାଗଲା ଏବଂ କିଛି ଘଣ୍ଟା ମଧ୍ୟରେ ତାଙ୍କୁ ରାୟଗଡ଼ା ସବ୍‌ଜେଲକୁ ପଠେଇ ଦିଆଗଲା । ଏହାପରେ ତିଜିମାଳି ଅଞ୍ଚଳର ୧୦୦୦ରୁ ଅଧିକ ଗ୍ରାମବାସୀ ତାଙ୍କୁ ମୁକ୍ତ କରିବା ଦାବିରେ ଥାନାରେ ଶୋଭାଯାତ୍ରା କରିବା ସହ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ବିକ୍ଷୋଭ ପ୍ରଦର୍ଶନ କଲେ । ଗ୍ରାମବାସୀଙ୍କ କ୍ରୋଧକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ ଓ ପୁଲିସକୁ ନାକେଦମ ହେବାକୁ ପଡ଼ିଥିଲା। ଶେଷରେ ସେମାନେ କାର୍ତ୍ତିକ ନାୟକଙ୍କୁ ଖୁବ୍ ଶୀଘ୍ର ମୁକ୍ତ କରିବାକୁ ରାଜି ହେବା ସହ ତିଜିମାଳିବାସୀଙ୍କ ଉପରେ ଆଉ ମିଥ୍ୟା ଓ ମନଗଢ଼ା ଅଭିଯୋଗ ଆଣିବେ ନାହିଁ ବୋଲି ପ୍ରତିଶୃତି ଦେଇଥିଲେ। ମାତ୍ର ଥାନାରେ ଉତ୍ତେଜନା ପାଇଁ ସେଦିନ ରାତିରେ ହିଁ ପୁଲିସ ଓ ପ୍ରଶାସନ ପକ୍ଷରୁ ଆଉ ଏକ ଏତଲା ୨୦୦ ଜଣ ଗ୍ରାମବାସୀଙ୍କ ବିରୁଦ୍ଧରେ ଦିଆଯାଇଥିବାର ଜଣାପଡ଼ିଛି।

ଜେଲରୁ କାର୍ତ୍ତିକ ନାୟକ ନିଜ ଲୋକଙ୍କ ପାଇଁ ଚିନ୍ତା ପ୍ରକଟ କରିବା ସହ ପାହାଡ଼ ଓ ଜଙ୍ଗଲକୁ ଖଣି ଖନନରୁ ରକ୍ଷା କରିବା ପାଇଁ ଜେଲର ସମ୍ମୁଖୀନ ହେବାକୁ, ଏପରିକି ଜୀବନ ବଳି ଦେବାକୁ ପ୍ରସ୍ତୁତ ବୋଲିକହିଛନ୍ତି। ଯେହେତୁ ଲୋକମାନେ ସମ୍ବିଧାନରେ ଥିବା ଅଧିକାର ନେଇ ସଂଘର୍ଷ କରୁଛନ୍ତି, ତେଣୁ ସମ୍ବିଧାନ ରହିବା ପର୍ଯ୍ୟନ୍ତ ସଂଘର୍ଷ ଜାରି ରହିବ ବୋଲି କାର୍ତ୍ତିକ କହିଛନ୍ତି।

Kartik Nayak

ତିଜିମାଳି, କୁଟ୍ରୁମାଳି ଓ ମାଝିଙ୍ଗମାଳି ଅଞ୍ଚଳ ରାୟଗଡ଼ା ଜିଲ୍ଲାର କାଶୀପୁର ଓ କଳାହାଣ୍ଡି ଜିଲ୍ଲାର ଥୁଆମାଳ ରାମପୁର ବ୍ଲକରେ ପରିବ୍ୟାପ୍ତ । ଏହା ଏକ ଆଦିବାସୀ ଓ ଦଳିତ ବହୁଳ ତଥା ଭାରତୀୟ ସମ୍ବିଧାନ ଅନୁଯାୟୀ ପଞ୍ଚମ ଅନୁସୂଚୀ ଅନ୍ତର୍ଗତ ଅଞ୍ଚଳ । ହେଲେ ତିଜିମାଳି ଓ କୁଟ୍ରୁମାଳିର ବକ୍ସାଇଟ୍ ଭଣ୍ଡାର ଯଥାକ୍ରମେ ବେଦାନ୍ତ ଓ ଆଦାନି ଗୃପକୁ ଲିଜ୍ ଦିଆଯାଇଥିବା ବେଳେ ଲୋକଙ୍କ ମତାମତ ଅଥବା ସହମତି ନିଆଯାଇନଥିଲା। ପ୍ରଶାସନିକ କର୍ତ୍ତୃପକ୍ଷଙ୍କ ଦ୍ୱାରା ଗ୍ରାମସଭା କିମ୍ବା ପଲ୍ଲୀସଭା କରାଯାଇ ନଥିଲା । ବରଂ କମ୍ପାନୀ ସପକ୍ଷରେ ଏକ ବାତାବରଣ ସୃଷ୍ଟି କରିବା ପାଇଁ ମୈତ୍ରୀ ନାମକ ବେଦାନ୍ତର ଏକ ଠିକା ସଂସ୍ଥା ଗତବର୍ଷ ପ୍ରାରମ୍ଭରେ ତିଜିମାଳିର ଗ୍ରାମଗୁଡ଼ିକରେ ବୁଲିବା ଆରମ୍ଭ କରିଥିଲା । ତେଣୁ ସେପ୍ଟେମ୍ବର ୨୦୨୩ରେ ପରିବେଶ ମଞ୍ଜୁରୀ ପାଇଁ ହୋଇଥିବା ଦୁଇଟି ଜନଶୁଣାଣିରେ ବେଦାନ୍ତର ଖଣି ଖନନ ଯୋଜନାକୁ ଅଞ୍ଚଳବାସୀ ପ୍ରତ୍ୟାଖ୍ୟାନ କରିବା ସହ ସେମାନଙ୍କ ଜୀବନ, ଜୀବିକା, ଝରଣା ଓ ସମଗ୍ର ବାସସ୍ଥାନ ଉପରେ ଖଣି ଖନନ କିପରି ପ୍ରତିକୂଳ ପ୍ରଭାବ ପକାଇବ ତାହା ଦର୍ଶାଇଥିଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହା ସେମାନଙ୍କର ପବିତ୍ର ଦେବତା ତିଜିରାଜଙ୍କ ବାସସ୍ଥଳୀ । ସେମାନଙ୍କ ସାମ୍ବିଧାନିକ ଅଧିକାରକୁ କାର୍ଯ୍ୟକାରୀ କରିବା ପାଇଁ ଲୋକମାନେ ସାଧାରଣତନ୍ତ୍ର ଦିବସରେ ରାଷ୍ଟ୍ରପତିଙ୍କ ନିକଟକୁ ଏକ ନିବେଦନ ପତ୍ର ପଠେଇଥିଲେ ।

ଲୋକମାନଙ୍କର ଦୃଢ଼ ଏକତା ନିଶ୍ଚିତ ଭାବରେ ପ୍ରଶାସନକୁ ଚିନ୍ତାରେ ପକାଇଛି ଏବଂ ସେଥିପାଇଁ ସରକାରୀ କଳକୁ ବ୍ୟବହାର କରି ଆଉ ଏକ ପର୍ଯ୍ୟାୟ ଦମନ ଆରମ୍ଭ କରାଯାଇଛି । ନିକଟରେ ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୪ ତାରିଖ ପର୍ଯ୍ୟନ୍ତ କାଶୀପୁର ବ୍ଲକର ୮ଟି ଗାଁ ଓ ଥୁଆମାଳ ରାମପୁର ବ୍ଲକର ୨ଟି ଗାଁରେ ଜଙ୍ଗଲ ଅଧିକାର ଆଇନ ଓ ପେସା ଆଇନ ଅନୁଯାୟୀ ଲୋକମାନେ ନିଜର ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ଗ୍ରାମସଭା କରିଥିଲେ। ୨୦୨୩ ଡିସେମ୍ବର ୮ ତାରିଖରେ ବ୍ୟାପକ ପୁଲିସ ଫୋର୍ସ ଓ କମ୍ପାନି କର୍ମଚାରୀଙ୍କ ଉପସ୍ଥିତିରେ ପ୍ରଶାସନ ଯେଉଁ ନକଲି ଗ୍ରାମସଭା ଆୟୋଜନ କରିଥିବାର ଦାବି କରୁଛି, ତାହାକୁ ଲୋକମାନେ ନିନ୍ଦା କରିବା ସହ ଉଭୟ କାଶୀପୁର ଓ ଥୁଆମୂଳ ରାମପୁର ଥାନାରେ ଯଥାକ୍ରମେ ୨୩.୦୯.୨୦୨୪ ଓ ୨୪.୦୯.୨୦୨୪ରେ ଅଭିଯୋଗ ପତ୍ର ଦାଖଲ କରିଛନ୍ତି।

୨୦୨୪ ଜାନୁଆରି ୧୨ ତାରିଖରେ ଏକ ଘଟଣାରେ ମୈତ୍ରୀ କମ୍ପାନି କର୍ମଚାରୀଙ୍କ ଏତଲା ଆଧାରରେ କାର୍ତ୍ତିକଙ୍କୁ ଗିରଫ କରାଯାଇଛି । ପ୍ରାୟ ୪୦ ଜଣ ଲୋକ ସେମାନଙ୍କୁ ଆକ୍ରମଣ କରିଥିବା କମ୍ପାନିର କର୍ମଚାରୀମାନେ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗରେ ରହିଥିବା ସମସ୍ତ ୪୦ ଜଣ ହେଉଛନ୍ତି ସ୍ଥାନୀୟ ନେତା କିମ୍ବା ଖଣି ବିରୋଧୀ ଆନ୍ଦୋଳନର ନେତୃତ୍ୱ ନେଉଥିବା ସଂଗଠନ ମା’ ମାଟି ମାଳି ସୁରକ୍ଷିତ ମଞ୍ଚର ସଦସ୍ୟ। ଏତେ ମାସ ପରେ ପୁଲିସ କାହିଁକି କାର୍ଯ୍ୟାନୁଷ୍ଠାନ ନେଉଛି ତାହା ବୁଝାପଡ଼ୁନାହିଁ। ଏହି ଗିରଫ ଅନେକ ପ୍ରଶ୍ନ ଉଠାଇଛି।

ପ୍ରଥମରେ ଅଭିଯୁକ୍ତମାନେ ‘ଫେରାର’ ଥିବା ଦର୍ଶାଇ ୨୦୨୪ ଅଗଷ୍ଟ ୨୯ତାରିଖରେ ରାୟଗଡ଼ା ପୁଲିସ କୋର୍ଟ ଜରିଆରେ ଗିରଫ ପାଇଁ ୱାରେଣ୍ଟ ହାସଲ କରିଥିଲା। କାର୍ତ୍ତିକ ନାଏକଙ୍କ ସମେତ ୧୧ ଜଣଙ୍କୁ କୌଣସି ନୋଟିସ୍ କିମ୍ବା ସମନ ନ ପଠାଇ ଅଦାଲତ ଜାମିନ ବିହୀନ ପରଓ୍ୱାନା ଜାରି କଲେ । କିନ୍ତୁ, ଏ କ୍ଷେତ୍ରରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଧାରଣ କରିଥିବା ନୀତି ଏବଂ ପ୍ରକ୍ରିୟାକୁ ଅନୁସରଣ କରାଯାଇ ନାହିଁ । ଦ୍ୱିତୀୟତଃ, ଲୋକମାନେ ଫେରାର ନହୋଇ ଗାଁରେ ରହୁଛନ୍ତି ଓ ସେମାନଙ୍କ ନିତିଦିନିଆ କାମ ଜାରି ରଖିଛନ୍ତି । ଏପରିକି ସେମାନେ ଗ୍ରାମସଭାର ଆୟୋଜନ ମଧ୍ୟ କରିଛନ୍ତି । ମୁଖ୍ୟ ରାସ୍ତାରେ ଏକ ଛୋଟ ତେଜରାତି ଦୋକାନ ଖୋଲିବା ନିମନ୍ତେ ଋଣ ପାଇଁ ଆବେଦନ କରିଥିବା କାର୍ତ୍ତିକ ବ୍ୟାଙ୍କରୁ ବାହାରକୁ ବାହାରିବା ପରେ ପୁଲିସ ତାଙ୍କୁ ଉଠାଇ ନେଇଥିଲା। ତେଣୁ ଗ୍ରାମବାସୀ ଫେରାର ହେବା ଘଟଣା ଅତ୍ୟନ୍ତ ବିଭ୍ରାନ୍ତିକର।

ସୂଚନାଯୋଗ୍ୟ, ଲୋକମାନେ ନିଜ ସାମ୍ବିଧାନିକ ଅଧିକାରକୁ ସାକାର କରିବା ପାଇଁ ସଂଘର୍ଷ କରୁଥିବା ବେଳେ ପ୍ରଶାସନ ଏହାକୁ ଆଇନ ଶୃଙ୍ଖଳାର ବିଷୟ ଭାବେ ଦେଖି ଲୋକଙ୍କ ବିରୁଦ୍ଧରେ ଆଇନକୁ ହିଁ ଏକ ଆୟୁଧ କରୁଛି । ଉଦାହରଣ ସ୍ୱରୂପ, ରାଜ୍ୟ ବିଧାନସଭା ଓ ସାଧାରଣ ନିର୍ବାଚନ ପୂର୍ବରୁ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ସିଆରପିସିର ଧାରା ୧୦୭କୁ ବ୍ୟବହାର କରି ଆନ୍ଦୋଳନର କାର୍ଯ୍ୟକର୍ତ୍ତା ଓ ନେତାମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ପଠାଇଥିଲେ ଯେ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ବଣ୍ଡରେ ସ୍ୱାକ୍ଷର କରିବାକୁ କାହିଁକି ସେମାନଙ୍କୁ ନିର୍ଦ୍ଦେଶ ଦିଆଯିବ ନାହିଁ । ଉଲ୍ଲେଖଯୋଗ୍ୟ, ଏହା ସାଧାରଣତଃ ଅଭ୍ୟାସଗତ ଅପରାଧୀ ମାନଙ୍କ ପାଇଁ ବ୍ୟବହାର କରାଯାଇଥାଏ । କହିବା ବାହୁଲ୍ୟ, ଅଗଣତାନ୍ତ୍ରିକ ଓ ଦମନମୂଳକ ପଦକ୍ଷେପ ମାଧ୍ୟମରେ ନିଜ ଜୀବନ ଓ ବାସସ୍ଥାନକୁ ସୁରକ୍ଷା ଦେବାକୁ ଚାହୁଁଥିବା ଲୋକଙ୍କୁ ଅପରାଧୀ ଦର୍ଶାଇବା ପୁଲିସ ଓ ପ୍ରଶାସନର କାର୍ଯ୍ୟଶୈଳୀରେ ପରିଣତ ହୋଇଯାଇଛି।

ଆମେ ଗଭୀର ଭାବେ ଉଦ୍‌ବିଗ୍ନ ଯେ ପଞ୍ଚମ ଅନୁସୂଚୀ ଅଞ୍ଚଳରେ ଆଦିବାସୀ ଓ ଦଳିତମାନଙ୍କୁ ସେମାନଙ୍କ ଅଧିକାର ଦେବା ନିମନ୍ତେ ଗଣତାନ୍ତ୍ରିକ ମାନଦଣ୍ଡ ଏବଂ ଆଇନର ଉପଯୁକ୍ତ ପ୍ରକ୍ରିୟା ଅନୁସରଣ କରିବା ପରିବର୍ତ୍ତେ, ଓଡ଼ିଶା ସରକାର ଖଣି କମ୍ପାନିଗୁଡ଼ିକର ଇସାରାରେ କାର୍ଯ୍ୟ କରୁଛି । ଆଜି ଭାରତର ରାଷ୍ଟ୍ରପତି ହେଉଛନ୍ତି ଜଣେ ଆଦିବାସୀ, ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ହେଉଛନ୍ତି ବି ଜଣେ ଆଦିବାସୀ । ତଥାପି ବିଡ଼ମ୍ବନା ହେଉଛି ଯେ ପ୍ରାକୃତିକ ସମ୍ପଦର ବଳପୂର୍ବକ ଶୋଷଣ ପାଇଁ, ବିଶେଷକରି ପଞ୍ଚମ ଅନୁସୂଚୀ ଅଞ୍ଚଳରେ, ଆଦିବାସୀ ଏବଂ ଦଳିତ ସମୁଦାୟମାନଙ୍କୁ ସେମାନଙ୍କର ଜୀବିକା, ପରିଚିତି ଓ ବାସସ୍ଥାନରୁ ବିଚ୍ଛିନ୍ନ କରାଯାଉଛି ଏବଂ ପାହାଡ଼ ଓ ଜଙ୍ଗଲର ସୁରକ୍ଷା ଲାଗି ସେମାନଙ୍କ ଅଦମ୍ୟ ସାହସକୁ ଚୂରମାର କରିବା ପାଇଁ ଗିରଫ ଓ ଦମନକୁ ପ୍ରୟୋଗ କରାଯାଉଛି ।

ଓଡ଼ିଶା ସରକାରଙ୍କୁ ଆମେ ଦାବି କରୁଛୁ:

୧. ବକ୍ସାଇଟ୍ ଖନନ ପ୍ରକଳ୍ପକୁ ବିରୋଧ କରୁଥିବା ଲୋକଙ୍କ ବିରୋଧରେ ବିଚାରାଧୀନ ଥିବା ସମସ୍ତ ମାମଲା ପ୍ରତ୍ୟାହାର କରନ୍ତୁ।

୨. କାର୍ତ୍ତିକ ନାୟକଙ୍କୁ ତୁରନ୍ତ ମୁକ୍ତ କରନ୍ତୁ।

୩. ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୪ ତାରିଖ ପର୍ଯ୍ୟନ୍ତ ଲୋକଙ୍କ ଦ୍ୱାରା ଆୟୋଜିତ ଗ୍ରାମସଭାର ସଂକଳ୍ପକୁ ଗ୍ରହଣ କରନ୍ତୁ।

୪. କାଶୀପୁର ଓ ଥୁଆମାଳ ରାମପୁର ଥାନାରେ ଲୋକଙ୍କ ଅଭିଯୋଗ ଅନୁଯାୟୀ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।

ନିମ୍ନଲିଖିତ ଗଣ ସଂଗଠନ, ମାନବ ଅଧିକାର ସଂଗଠନ, ରାଜନୈତିକ କର୍ମୀମାନଙ୍କର ମିଳିତ ପ୍ରେସ ବିବୃତି

୧. ଅବନୀ ଗୟା, ଓକିଲ ଓ ମାନବ ଅଧିକାର ସୁରକ୍ଷା ମଞ୍ଚ, ଆବାହକ

୨. ଅନନ୍ତ, ଉପଦେଷ୍ଟା, ଲୋକମୁକ୍ତି ସଂଗଠନ, ଝାରସୁଗୁଡ଼ା

୩. ଅଶୋକ ପ୍ରଧାନ, ଆବହକ, ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ୱୟ ସମିତି

୪. ଇଭାଂଜେଲିନା କୁଲୁ, ମୂଳନିବାସୀ ସାଂସ୍କୃତିକ କର୍ମୀ

୫. ବିଚିତ୍ର ପାତ୍ର, ଭାରତୀୟ ଟ୍ରେଡ ୟୁନିୟନ ସେଣ୍ଟର, ଓଡ଼ିଶା

୬. ବିଶ୍ୱପ୍ରିୟ କାନୁନଗୋ, ଓକିଲ ଓ ସାମାଜିକ କର୍ମୀ, ଭୁବନେଶ୍ୱର

୭. ଚନ୍ଦ୍ରନାଥ ଦାନି, ଓକିଲ ଓ ହ୍ୟୁମାନ ରାଇଟ୍‌ସ ଡିଫେଣ୍ତର୍‌ସ ଏଲର୍ଟ ଇଣ୍ତିଆ

୮. ଦଣ୍ତପାଣି ମହାନ୍ତି, ମାନବ ଅଧିକାର କର୍ମୀ

୯. ଦେବରଞ୍ଜନ, ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ, ଓଡ଼ିଶା

୧୦. ଡ. ରାଣ୍ଡାଲ୍ ସେକ୍ୟୁରା, କଳାହାଣ୍ଡି

୧୧. ଟୁନା ମଲ୍ଲିକ, ରାଜ୍ୟ ସମ୍ପାଦକ, ଆଦିବାସୀ ଭାରତ ମହାସଭା

୧୨. ଗୋପୀନାଥ ନାୟକ, ବସ୍ତି ସୁରକ୍ଷା ମଞ୍ଚ, ଭୁବନେଶ୍ୱର

୧୩. ସୀମାଞ୍ଚଳ ଦାସ, ବସ୍ତି ସୁରକ୍ଷା ମଞ୍ଚ, ଭୁବନେଶ୍ୱର

୧୪. ମିନା ଭୋଇ, ଅଖିଳ ଭାରତ କ୍ରାନ୍ତିକାରୀ ମହିଳା ସଂଗଠନ

୧୫. ରାଧାରାଣୀ ମହାରଣା, ଅଖିଳ ଭାରତ କ୍ରାନ୍ତିକାରୀ ମହିଳା ସଂଗଠନ

୧୬. ରାଧାକାନ୍ତ ସେଠୀ, ଏଆଇସିସିଟିୟୁ

୧୭. ପି. ପାର୍ବତୀ, ଓଡ଼ିଶା ମନରେଗା ଶ୍ରମିକ ୟୁନିୟନ

୧୮. ରାମଚନ୍ଦ୍ର ବାଡତ୍ୟା, ସଭାପତି, ଟ୍ରେଡ ୟୁନିୟନ ସେଣ୍ଟର ଅଫ ଇଣ୍ତିଆ

୧୯. ଲେନିନ କୁମାର, କବି, ଭୁବନେଶ୍ୱର

୨୦. ଲିଙ୍ଗରାଜ ଆଜାଦ, ଉପଦେଷ୍ଟା, ନିୟମଗିରି ସୁରକ୍ଷା ସମିତି, କଳାହାଣ୍ତି

୨୧. ମଧୁସୂଦନ, ମୂଳନିବାସୀ ସମାଜସେବକ ସଂଘ, ବରହମପୁର

୨୨. ମହେନ୍ଦ୍ର ପରିଡ଼ା, ସାଧାରଣ ସମ୍ପାଦକ, ଏଆଇସିସିଟିୟୁ

୨୩. ମିନତି ଭୋଇ, ମହିଳା ଶ୍ରମିକ ୟୁନିୟନ, ଉପ ସଭାନେତ୍ରୀ

୨୪. ନରେନ୍ଦ୍ର ମହାନ୍ତି, ମିଥ୍ୟା ମାମଲା ବିରୋଧି ଅଭିଯାନ

୨୫. ନିଗମାନନ୍ଦ ଷଡ଼ଙ୍ଗୀ, ଲେଖକ, ଭୁବନେଶ୍ୱର

୨୬. ପ୍ରମୋଦ ମହାନ୍ତି, ଏଆଇଟିୟୁସି, ଜୟପୁର

୨୭. ପ୍ରମୋଦିନୀ ପ୍ରଧାନ, ଆବହକ ପିୟୁସିଏଲ, ଭୁବନେଶ୍ୱର

୨୮. ପ୍ରଶାନ୍ତ ପାଇକରାୟ, ମୁଖପାତ୍ର, ଆଣ୍ଟି ଜିନ୍ଦଲ ଓ ଆଣ୍ଟି ପୋସ୍କୋ ମୁଭମେଣ୍ଟ

୨୯. ପ୍ରତାପ ଚନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ସମ୍ପାଦକ, ଆଇଏଫଟିୟୁ

୩୦. ପ୍ରତାପ ନାୟକ, ସମ୍ପାଦକ, ସର୍ବ ଭାରତୀୟ କିଶାନ ମଜଦୁର ସଭା

୩୧. ରାଜା ରମଣ, ଆଦିବାସୀ ଛାତ୍ର ଆନ୍ଦୋଳନ, ଭୁବନେଶ୍ୱର

୩୨. ରଞ୍ଜନା ପାଢ଼ୀ, ଲେଖକ ଓ ସାମାଜିକ କର୍ମୀ, ଭୁବନେଶ୍ୱର

୩୩. ରୁମିତା କୁଣ୍ତୁ, ମାନବ ଅଧିକାର କର୍ମୀ, ଭୁବନେଶ୍ୱର

୩୪. ସନ୍ଦୀପ ପଟ୍ଟନାୟକ, ସାମାଜିକ କର୍ମୀ, ଭୁବନେଶ୍ୱର

୩୫. ଶଙ୍କର ସାହୁ, ଇନକିଲାବ, ସର୍ବ ଭାରତୀୟ କାନ୍ତିକାରୀ କିଶାନ ସଭା, ଓଡ଼ିଶା

୩୬. ଶଶିରେଖା, ସମ୍ପାଦିକା, ଘରୋଇ ମହିଳା ଶ୍ରମିକ ୟୁନିୟନ

୩୭. ସରୋଜ ମହାନ୍ତି, ଆବାହକ, ଦେଶୀ ବିହନ ସୁରକ୍ଷା ମଞ୍ଚ

୩୮. ସରଣ୍ୟା, ସାମାଜିକ କର୍ମୀ, କୋରାପୁଟ

୩୯. ସୁଧୀର ପଟ୍ଟନାୟକ, ଗଣମାଧ୍ୟମ କର୍ମୀ, ଭୁବନେଶ୍ୱର

୪୦. ଶ୍ରୀକାନ୍ତ ମହାନ୍ତି, ଚାଷୀ ମୂଲିଆ ସଂଘ (ଏଆଇକେଏମ୍‌କେଏସ୍)

୪୧. ଶ୍ରୀମନ୍ତ ମହାନ୍ତି, ରାଜନୈତିକ କର୍ମୀ, ଭୁବନେଶ୍ୱର

୪୨. ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ସାଧାରଣ ସମ୍ପାଦକ, ଓଡ଼ିଶା କୃଷକ ସଭା

୪୩. ସ୍ୱାତୀ ଆଜାଦ, ସାମାଜିକ କର୍ମୀ, ଭୁବନେଶ୍ୱର

୪୪. ହେନା ବାରିକ, ରାଜ୍ୟ ସଭାନେତ୍ରୀ, ବସ୍ତି ସୁରକ୍ଷା ମଞ୍ଚ

୪୫. ପ୍ରଫୁଲ୍ଲ ସାମନ୍ତରା , ଲୋକଶକ୍ତି ଅଭିଯାନ

Comments

0 comments

Share This Article