ପେନସନ୍ ର ଗୋଲକଧନ୍ଦାରେ କର୍ମଚାରୀ

ଭାଲଚନ୍ଦ୍ର ଷଡଙ୍ଗୀ
ଭାଲଚନ୍ଦ୍ର ଷଡଙ୍ଗୀ16 Views
12 Min Read

ନିକଟରେ କେନ୍ଦ୍ରର ଏନ୍ଡ଼ିଏ ସରକାର ତାଙ୍କ ଅଧିନରେ କାର୍ଯ୍ୟରତ କର୍ମଚାରୀମାନଙ୍କ ପାଇଁ ଏକ ନୂଆ ପେନସେନ ଯୋଜନାର ଘୋଷଣା କରିଛନ୍ତି । ଏକୀକୃତ ପେନସନ୍ ଯୋଜନା ବା ୟୁପିଏସ୍ ନାଁରେ ପରିଚିତ ଏହି ଯୋଜନା ଫଳରେ ଆଗାମୀ ଦିନରେ କେନ୍ଦ୍ର ସରକାରଙ୍କ ୨୩ଲକ୍ଷ କର୍ମଚାରୀ ଉପକୃତ ହେବେ ଏବଂ ଏ ବାବଦରେ ବାର୍ଷିକ ୬୨୫୦ କୋଟି ଖର୍ଚ୍ଚ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ଅନ୍ୟପଟେ ପୁରୁଣା ପେନସନ୍ ଯୋଜନା (ଓପିଏସ୍)କୁ ପୁଣି ଥରେ ଲାଗୁ ନକରି ସରକାର ଯେଉଁ ୟୁପିଏସ୍ ଆଣିଛନ୍ତି, ତାହା ଓପିଏସ୍ ଦାବି କରୁଥିବା ଦେଶର ଲକ୍ଷ ଲକ୍ଷ କର୍ମଚାରୀଙ୍କ ପ୍ରତି ପ୍ରତାରଣା ସଦୃଶ ବୋଲି ବିଭିନ୍ନ ବିଭିନ୍ନ ଶ୍ରମିକ ଓ କର୍ମଚାରୀ ସଂଗଠନ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇବା ଦେଖିବାକୁ ମିଳିଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଅର୍ଥନୈତିକ ଉଦାରୀକରଣ ନାଁରେ ୨୦୦୪ମସିହାରେ କେନ୍ଦ୍ରର ତତ୍କାଳୀନ ଏନ୍ଡ଼ିଏ ସରକାର ନୂଆ ପେନସନ୍ ଯୋଜନା (ଏନ୍ ପି ଏସ୍)କୁ ସର୍ବପ୍ରଥମେ ଆରମ୍ଭ କରିଥିଲେ । ପରେ ମନମୋହନ ସିଂଙ୍କ ନେତୃତ୍ୱରେ ଉପା ସରକାର ଏହାକୁ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ କରିଥିଲେ । ପରବର୍ତ୍ତୀ ସମୟରେ କେବଳ କେରଳ ଓ ପଶ୍ଚିମବଙ୍ଗକୁ ଛାଡ଼ିଦେଲେ ଦଳମତ ନିର୍ବିଶେଷରେ ଦେଶର ସମସ୍ତ ରାଜ୍ୟ ସରକାର ମଧ୍ୟ ନିଜ ନିଜ ରାଜ୍ୟରେ ଏହି ଯୋଜନାକୁ ଲାଗୁ କରିଥିଲେ । ସରକାରୀ ଖର୍ଚ୍ଚକୁ କମାଇବା ନାଁରେ ସରକାର କର୍ମଚାରୀମାନଙ୍କ ପେନସନ୍ ବାବଦରେ ହେଉଥିବା ଖର୍ଚ୍ଚର ବୋଝକୁ କମାଇବା ପାଇଁ ଏବଂ କର୍ମଚାରୀଙ୍କ ଉପରେ ଏହାର ଏକ ଭାଗକୁ ଲଦିବା ପାଇଁ ଏହି ଯୋଜନାକୁ ଆଣିଥିଲେ ।

ଏନ୍ ପି ଏସ ନେଇ ଦେଶସାରା ସରକାରୀ କର୍ମଚାରୀଙ୍କ ମଧ୍ୟରେ ଭୟଙ୍କର ଅସନ୍ତୋଷ ରହିଆସିଛି । ସେମାନେ ‘ପୁରୁଣା ପେନସନ୍ ପାଇଁ ଜାତୀୟ ଆନ୍ଦୋଳନ ’ନାଁରେ ଏକ ମଞ୍ଚ ଜରିଆରେ ଲଗାତାର ଭାବେ ଏନ୍ ପି ଏସ ବଦଳରେ ଓପିଏସ୍ କୁ ଲାଗୁ କରିବାକୁ ଦାବି କରି ଆସିଛନ୍ତି । ଗତ ୨୧ବର୍ଷ ମଧ୍ୟରେ ସବୁ ସରକାର କିନ୍ତୁ ସେମାନଙ୍କ ଏହି ଦାବିକୁ ମାନିବାକୁ ରୋକଠୋକ୍ ମନା କରି ଆସିଛନ୍ତି । ଓପିଏସ୍ ଲାଗୁ କଲେ ପେନସନ୍ ବାବଦରେ ରାଜକୋଷରୁ ବିପୁଳ ଅର୍ଥ ଖର୍ଚ୍ଚହେବ, ଯାହାକୁ ଭରଣା କରିବା ସରକାରଙ୍କ ପକ୍ଷରେ ସମ୍ଭବ ନୁହେଁ ବୋଲି କହି ଆସିଛନ୍ତି । ସରକାରୀ ସମର୍ଥିତ ଜାତୀୟ ମିଡ଼ିଆ ବି ଓପିଏସ୍ ବିରୁଦ୍ଧରେ ଲଗାତାର ଅଭିଯାନ ଚଳାଇ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ୍ ବାବଦ ଖର୍ଚ୍ଚର ଭରଣା ପାଇଁ ଆମର ପରବର୍ତ୍ତୀ ପିଢ଼ି କାହିଁକି ଟିକସ ଦେବେ ବୋଲି ଯୁକ୍ତି କରି ଆସିଛି । କିନ୍ତୁ କର୍ମଚାରମାନଙ୍କ ବର୍ଦ୍ଧିତ ଅସନ୍ତୋଷ ଓ ରାଜନୈତିକ ପରିସ୍ଥିତିକୁ ଦେଖି କେନ୍ଦ୍ର ସରକାର ଏ ଦଗରେ ପଛକୁ ଫେରିବାକୁ ବାଧ୍ୟ ହୋଇଛନ୍ତି ।

ପେନସନ୍ ନେଇ ସରକାରଙ୍କ ସଦ୍ୟତମ ଘୋଷଣା ପଛରେ କେନ୍ଦ୍ର ସରକାର ଓ ବିଜେପି ଦଳର ରାଜନୈତିକ ସ୍ୱାର୍ଥଟି ସ୍ପଷ୍ଟ ଜଣାପଡ଼ୁଛି । କାରଣ ଗତ ଲୋକସଭା ନିର୍ବାଚନ ଓ ତା’ ପୂର୍ବରୁ ଅନୁଷ୍ଠିତ କିଛି ରାଜ୍ୟର ବିଧାନସଭା ନିର୍ବାଚନରେ ବିଜେପିର ଖରାପ ଯେଉଁ ପ୍ରଦର୍ଶନ କରିଥିଲା ତା’ପଛରେ ଓପିଏସ୍ ଏକ ପ୍ରମୁଖ ପ୍ରସଙ୍ଗ ରହିଥିଲା ବୋଲି ଦଳର ଶୀର୍ଷ ନେତୃବୃନ୍ଦ ଅନୁଭବ କରିଛନ୍ତି । ଆସନ୍ତା କିଛିମାସ ମଧ୍ୟରେ ମହାରାଷ୍ଟ୍ର, ହରିଆନା ପରି ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ସେସବୁ ନିର୍ବାଚନରେ ବିଜେପି ବିଜୟ ଲାଭ କରିବା କେନ୍ଦ୍ର ସରକାରଙ୍କ ସ୍ଥାୟିତ୍ୱ ପାଇଁ ଅତ୍ୟନ୍ତ ଜରୁରୀ ହୋଇଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ନିର୍ବାଚନ ପୂର୍ବରୁ ସେସବୁ ରାଜ୍ୟର ସରକାରୀ କର୍ମଚାରୀଙ୍କୁ ଖୁସି କରିବାକୁ ଏଭଳି ଅପ୍ରତ୍ୟାଶିତ ନିଷ୍ପତ୍ତି ନେଇଥିବା ଜଣାପଡ଼ୁଛି । ଅତଏବ ୟୁପିଏସ୍ ର ଘୋଷଣା ଜରିଆରେ ମୋଦୀ ସରକାର ବିରୋଧି ଦଳମାନଙ୍କ ହାତରୁ ପେନସନ୍ ର ପ୍ରସଙ୍ଗକୁ ଛଡ଼େଇ ନେଇ ହେବ ବୋଲି ବୋଧହୁଏ ଭାବୁଛନ୍ତି । ସେଇଥିପାଇଁ ଏଯାଏଁ ଓପିଏସ୍ ବିରୁଦ୍ଧରେ ଅଭିଯାନ ଚଳାଇ ଆସିଥିବା ଦେଶର ବିଜେପି ସମର୍ଥିତ ଗୋଦି ମିଡ଼ିଆ ୟୁପିଏସ୍ ଘୋଷଣାର ତୁରନ୍ତ ପରେ ପରେ ଏହାକୁ ମୋଦୀ ସରକାରଙ୍କ ‘ମାଷ୍ଟରଷ୍ଟ୍ରୋକ’ ବୋଲି ଅଭିହିତ କରିଛି ।

୨୦୦୪ ମସିହା ପର୍ଯ୍ୟନ୍ତ ଆମ ଦେଶରେ କେବଳ ପୁରୁଣା ପେନସନ୍ ଯୋଜନା ହିଁ ରହିଥିଲା । ଏଥିରେ ଜଣେ ସରକାରୀ କର୍ମଚାରୀକୁ ଅବସର ପରେ ତା’ର ଶେଷ ଦରମାର ୫୦% ପେନସନ୍ ଆକାରରେ ମିଳିଥାଏ । ଦରମା ପରି ପେନସନ୍ ମଧ୍ୟ ମହଙ୍ଗା ଭତ୍ତା ସହିତ ଯୋଡ଼ା ହୋଇଥିବା ଯୋଗୁଁ କର୍ମଚାରୀଟିର ବୟସ ବୃଦ୍ଧି ସହିତ ତା’ର ପେନସନ୍ ରାଶିରେ ମଧ୍ୟ ନିୟମିତ ବୃଦ୍ଧି ହେଉଥାଏ । ଏପରିକି ସମ୍ପୃକ୍ତ ପେନସନଧାରୀର ମୃତ୍ୟୁ ପରେ ମଧ୍ୟ ତା’ର ପରିବାର ପାଇଁ ପାରିବାରିକ ପେନସନ୍ ର ବ୍ୟବସ୍ଥା ରହିଛି । ସବୁଠାରୁ ବଡ଼ କଥା ହେଲା, ନିଜର ପେନସନ୍ ପାଇଁ କର୍ମଚାରୀଟିକୁ ନିଜର ଦରମାରୁ କୌଣସି ରାଶି ଦେବାକୁ ପଡ଼ି ନଥାଏ । କିନ୍ତୁ ଏନପିଏସ୍ର ପ୍ରଚଳନ ପରେ କର୍ମଚାରୀଙ୍କୁ ପ୍ରତିମାସରେ ସେମାନଙ୍କ ମୂଳ ଦରମାର ୧୦% ରାଶି ପେନସନ୍ ବାବଦରେ କାଟି ରଖିବାର ବ୍ୟବସ୍ଥା ରହିଲା । ସରକାର ସେଥିରେ ନିଜର ୧୪%ରାଶି ମିଶାଇ ସମ୍ପୃକ୍ତ କର୍ମଚାରୀର ପେନସନ୍ ଫଣ୍ଡରେ ଜମା ରଖୁଛନ୍ତି । ଗତ ୨୦ବର୍ଷ ମଧ୍ୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ଅଧିନରେ କାର୍ଯ୍ୟରତ ମୋଟ ୯୯,୭୭,୧୬୫ କର୍ମଚାରୀଙ୍କ ପେନସନ୍ ଫଣ୍ଡ୍ ବାବଦରେ ଏଯାଏଁ ୧୦,୫୩,୮୫୦ କୋଟି ଟଙ୍କା ସରକାରଙ୍କ ପେନସନ୍ ଫଣ୍ଡ୍ ନିୟାମକ ଆୟୋଗ (ପିଏଫ୍ଆର୍ଡ଼ିଏ) ପାଖରେ ଜମା ରହିଛି । ସରକାର ବଡ଼ କମ୍ପାନୀମାନଙ୍କ ସ୍ୱାର୍ଥରେ କର୍ମଚାରୀମାନଙ୍କ ଏହି ବିପୁଳ ଜମାରାଶିକୁ ସେୟାର ବଜାରରେ ବିନିଯୋଗ କରିବାକୁ ଚାହୁଁଛନ୍ତି । ୟୁପିଏସ୍ ଘୋଷଣା ପଛରେ ଏହା ବି ଅନ୍ୟତମ କାରଣ ବୋଲି ଜଣାପଡ଼ିଛି ।

ତେବେ ଏନ୍ ପି ଏସ ରେ କିନ୍ତୁ ଅବସର ପରେ କୌଣସି ନିଶ୍ଚିତ ରାଶି ପେନସନ୍ ବାବଦରେ ମିଳିବାର ବ୍ୟବସ୍ଥା ରହିଲାନି । କେବଳ ଚାକିରୀ କାଳରେ ପେନସନ୍ ଫଣ୍ଡ୍ ରେ ଜମାଥିବା ରାଶିର ୬୦%କୁ ସମ୍ପୃକ୍ତ କର୍ମଚାରୀଙ୍କୁ ତାଙ୍କର ଅବସର ନେବାବେଳେ ନଗଦ ଆକାରରେ ଦିଆଯିବା ସହ ବଳକା ୪୦% ରାଶି ସରକାର ସେୟାର ବଜାରରେ ବିନିଯୋଗ କରି ସେ ବାବଦରେ ଯେଉଁ ଲାଭ ଆସିବ, ତାକୁ ମାସିକ ପେନସନ୍ ଆକାରରେ ଦିଆଯିବାର ବ୍ୟବସ୍ଥା ରଖିଲେ । ପୂର୍ବ ଯୋଜନା ଭଳି ଏଥିରେ ପେନସନ୍ ରାଶିସହିତ ମହଙ୍ଗା ଭତ୍ତାକୁ ଯୋଡ଼ାନଯିବା ଫଳରେ ମହଙ୍ଗା ଦର ଅନୁସାରେ ପେନସନ ରାଶିରେ କୌଣସି ବୃଦ୍ଧି ନହୋଇ ତାହା ଏକଦମ୍ ସ୍ଥିର ରହିଲା । ଆଜି ଏନ୍ ପି ଏସ ରେ ଯେଉଁ କର୍ମଚାରୀମାନେ ଅବସର ପରେ ପେନସନ୍ ପାଉଛନ୍ତି, ସେମାନଙ୍କ ପେନସନ୍ ରାଶି ଅତ୍ୟନ୍ତ ନଗଣ୍ୟ ଯାହାଦ୍ୱାରା ଅବସର ପରେ ଜଣେ କର୍ମଚାରୀ ସମ୍ମାନଜନକ ଜୀବନ ଅତିବାହିତ କରିବା ଆଦୌ ସମ୍ଭବ ନୁହେଁ । ଏନ୍ ପି ଏସ ବଦଳରେ ଓପିଏସ୍ ର ପ୍ରଚଳନ ପାଇଁ ଦେଶର କର୍ମଚାରୀମାନେ ଦାବି କରି ଆସୁଥିବାବେଳେ କେନ୍ଦ୍ର ସରକାର ଏବେ ମଝି ରାସ୍ତା ହିସାବରେ ୟୁପିଏସ୍ କୁ ଆଣିଛନ୍ତି । ଏନ୍ ପି ଏସ ନେଇ କର୍ମଚାରୀଙ୍କ ଭିତରେ ଯେଉଁ ଅସନ୍ତୋଷ ରହିଥିଲା, ସେହି ପରିପ୍ରେକ୍ଷୀରେ ସେଥିରେ ସଂସ୍କାର ଆଣିବା ଜରୁରୀ ବୋଲି ଅନୁଭବ କରି କେନ୍ଦ୍ର ସରକାର ଗତ ଏପ୍ରିଲ ୨୦୨୩ରେ ତକ୍ରାଳୀନ ଅର୍ଥ ସଚିବ ଟି.ଭି. ସୋମନାଥନ୍ ଙ୍କ ଅଧ୍ୟକ୍ଷତାରେ ଏକ ଚାରିଜଣିଆ କମିଟି ଗଠନ କରିଥିଲେ । ଏହି କମିଟି ସମସ୍ୟାର ସବୁ ପକ୍ଷଙ୍କ ସହ ବିଚାର ଆଲୋଚନା କରି ନିଜର ରିପୋର୍ଟ ଦେବାକୁ ଘୋଷଣା କରାଯାଇଥିଲେ ବି ସେମାନେ ଏକପାଖିଆ ରିପୋର୍ଟ ପ୍ରକାଶ କରିଥିବା ମନେହେଉଛି । କାରଣ ଓପିଏସ୍ ଦାବୀ ନେଇ ଲଢ଼େଇ କରୁଥିବା ପ୍ରମୁଖ ସଂଗଠନମାନଙ୍କର ମତାମତ ନେବାକୁ କମିଟି ଆଦୌ ଚେଷ୍ଟା କରିନି । ତେବେ କମିଟିର ସୁପାରିଶ ଆଧାରରେ ଆଂଶିକ ହେଲେ ବି ସରକାରଙ୍କର ଏହି ଘୋଷଣା ଦେଶର ସରକାରୀ କର୍ମଚାରୀମାନଙ୍କ ଦୀର୍ଘଦିନର ସଂଗ୍ରାମର ବିଜୟ ବୋଲି କୁହାଯାଇପାରେ । ଗତ ୨୧ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ କେନ୍ଦ୍ର ସରକାର ଏନ୍ ପି ଏସ ନେଇ ରହିଥିବା ନିଜର ଅବସ୍ଥାନରୁ ପଛକୁ ହଟି କର୍ମଚାରୀମାନଙ୍କ ଦାବିକୁ କିଛି ପରିମାଣରେ ମାନିବାକୁ ବାଧ୍ୟ ହୋଇଛନ୍ତି । ଯଦିଓ ଏଥିରେ ଓପିଏସ୍ ରେ ଥିବା ମହଙ୍ଗା ଭତ୍ତା ସଂଲଗ୍ନିତ ମାସିକ ନିଶ୍ଚିତ ପେନସନ୍ ପରି କିଛି ବ୍ୟବସ୍ଥାକୁ ସ୍ଥାନ ଦିଆଯାଇଛି, କିନ୍ତୁ ଏନ୍ ପି ଏସ ଅନେକ କର୍ମଚାରୀବିରୋଧି ବ୍ୟବସ୍ଥାକୁ ଏଥିରେ ଅବ୍ୟାହତ ରଖାଯାଇଛି । ତେବେ ସରକାରଙ୍କ ଏହି ଯୋଜନା ସଂକ୍ରାନ୍ତରେ ସବିଶେଷ ତଥ୍ୟ ଆସି ନଥିବାରୁ ସେ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ସମ୍ଭବ ନୁହେଁ । କାରଣ ଅନେକ ସମୟରେ ସରକାରଙ୍କ କୌଣସି ନୀତି ବା ଯୋଜନା ପଛରେ ଅନେକ ଲୁକ୍କାୟିତ ସର୍ତ୍ତ ରହିଥିବାର ଦେଖାଯାଇଛି । ଅତଏବ କେବଳ ମିଡ଼ିଆରେ ଏ ସମ୍ପର୍କରେ ଯାହା ସବୁ ତଥ୍ୟ ଆସିଛି, ତାକୁ ଆଧାର କରି ହିଁ ବର୍ତ୍ତମାନ ମତ ଦିଆଯାଇ ପାରେ । ଓପିଏସ୍ ରେ ଜଣେ କର୍ମଚାରୀ ୨୦ବର୍ଷ ଚାକିରୀ କଲେ ପୂର୍ଣ୍ଣ ପେନସନ୍ ପାଇବାକୁ ହକଦାର୍ ଥିବା ବେଳେ ୟୁପିଏସ୍ ରେ ଜଣେ ୨୫ବର୍ଷ ଚାକିରୀ କଲେ ହିଁ ପୂର୍ଣ୍ଣ ପେନସନ୍ ପାଇବାକୁ ଯୋଗ୍ୟ ହେବେ ବୋଲି କୁହାଯାଇଛି । ସର୍ବନିମ୍ନ ଦଶବର୍ଷ ଚାକିରୀ କଲେ ହିଁ ଜଣେ ସର୍ବନିମ୍ନ ୧୦ହଜାର ଟଙ୍କା ପେନସନ୍ ପାଇପାରିବେ । କେନ୍ଦ୍ର ସରକାରଙ୍କ କର୍ମଚାରୀମାନଙ୍କ ପାଇଁ ସର୍ବନିମ୍ନ ଦରମା ମାସିକ ୨୪ହଜାର ଟଙ୍କା ରହିଥିବାବେଳେ ସର୍ବନିମ୍ନ ପେନସନକୁ ତାର ଅର୍ଦ୍ଧେକ ଅର୍ଥାତ୍ ୧୨ହଜାର ଟଙ୍କା ବଦଳରେ ୧୦ ହଜାର କରିବା ଅତାର୍କିକ ମନେହୁଏ । ସେହିପରି ୟୁପିଏସ୍ ରେ ପୂର୍ଣ୍ଣ ପେନସନ୍ ପାଇବାକୁ ଆବଶ୍ୟକ ୨୫ବର୍ଷର ଚାକିରୀ କାଳ ହାସଲ କରିବାକୁ ହେଲେ ସମ୍ପୃକ୍ତ କର୍ମଚାରୀକୁ ଅତିବେଶୀରେ ୩୫ବର୍ଷରେ ଚାକିରୀ ଆରମ୍ଭ କରିବାକୁ ପଡ଼ିଥିବା ଆବଶ୍ୟକ । କିନ୍ତୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ଅନେକଗୁଡ଼ିଏ ପଦବୀ ପାଇଁ ବର୍ତ୍ତମାନ ସର୍ବୋଚ୍ଚ ଆୟୁ ସୀମା ୪୦ବର୍ଷ ରହିଛି । ସଂରକ୍ଷିତ ବର୍ଗର କର୍ମଚାରୀମାନଙ୍କ ପାଇଁ ନିଯୁକ୍ତିର ସର୍ବାଧିକ ବୟସ ୪୫ବର୍ଷ ଓ ୟୁପିଏସସି ପାଇଁ ୩୭ବର୍ଷ ରହିଛି । ତେଲେଙ୍ଗାନାରେ ଏହି ସର୍ବୋଚ୍ଚ ଆୟୁ ସୀମା ୪୬ବର୍ଷ ରହିଥିବାବେଳେ ବିହାରରେ ଏସ୍ ସି ଓ ଏସ୍ ଟି ଙ୍କ ପାଇଁ ୪୨ବର୍ଷ ଏବଂ ଅନ୍ୟାନ୍ୟବର୍ଗର ଲୋକଙ୍କ ପାଇଁ ୪୦ ବର୍ଷ ରହିଛି । ଅତଏବ ଏହି ବର୍ଗର ଅନେକ କର୍ମଚାରୀ ପୁରା ପେନସନ୍ ପାଇବା ପାଇଁ ଯେଉଁ ୨୫ବର୍ଷର ଚାକିରୀ କାଳର ସର୍ତ୍ତ ରହିଛି, ତାକୁ ପୂରଣ କରିପାରିବେ ନାହିଁ ଏବଂ ସେମାନେ ପୂର୍ଣ୍ଣ ପେନସନ୍ ପାଇବାରୁ ବଂଚିତ ହେବେ । ସେହିପରି ସିଆର୍ପିଏଫ୍, ବିଏସ୍ଏଫ୍ ପରି ଅର୍ଦ୍ଧ ସାମରିକ ବାହିନୀରେ କାର୍ଯ୍ୟରତ ଜବାନମାନେ ସାଧାରଣତଃ ଚାକିରୀର ୨୫ବର୍ଷ ପୂର୍ବରୁ ଅବସର ନେଉଥିବାରୁ ସେମାନେ ବି ଏହି ଯୋଜନାରେ ରହିଥିବା ପୂର୍ଣ୍ଣ ପେନସନ୍ ପାଇବାରୁ ବଂଚିତ ହେବେ ।

ଓପିଏସ୍ ରେ କୌଣସି କର୍ମଚାରୀଙ୍କୁ ନିଜର ପେନସନ୍ ପାଇଁ ଟଙ୍କାଟିଏ ବି ନିଜ ଦରମାରୁ ଦେବାକୁ ପଡ଼ୁ ନଥିବାବେଳେ ୟୁପିଏସ୍ କିନ୍ତୁ ଏନ ପି ଏସ ପରି ଦରମାରୁ ୧୦% ରାଶି ପ୍ରତିମାସରେ ଦେବାକୁ ହେବ । ସରକାର ସେଥିରେ ପୂର୍ବରୁ ନିଜର ଅଂଶ ଭାବେ ପ୍ରଥମେ ୧୦% ଓ ପରେ ତାକୁ ବୃଦ୍ଧି କରି ୧୪% ଯୋଡ଼ୁଥିବା ବେଳେ ୟୁପିଏସ୍ ରେ ୧୮.୫% ଯୋଡ଼ିବେ ବୋଲି କୁହାଯାଇଛି । କିନ୍ତୁ ଏନ୍ ପି ଏସ ନିଜର ଚାକିରୀ ଶେଷରେ କର୍ମଚାରୀଟି ନିଜର ପେନସନ୍ ଫଣ୍ଡ୍ରେ ଜମାଥିବା ମୋଟ ରାଶିର ୬୦% ପାଇପାରୁଥିବା ବେଳେ ୟୁପିଏସ୍ ରେ ତାହା ବି ମିଳିବାର ସମ୍ଭାବନା ନାହିଁ । କେବଳ ତାକୁ ତା’ର ଶେଷ ଏକ ବର୍ଷର ହାରାହାରି ଦରମାର ଅଧା ରାଶି ହିଁ ମିଳିବ । ଯଦି ଜଣେ ୨୫ବର୍ଷ ଚାକିରୀ କଲାପରେ ତା’ର ପେନସନ୍ ଫଣ୍ଡ୍ ରେ ୨୦ଲକ୍ଷ ଟଙ୍କା ଜମା ଅଛି ଏବଂ ତା’ର ଶେଷ ବର୍ଷର ହାରାହାରି ଦରମା ଏକ ଲକ୍ଷ ଟଙ୍କା ହେଉଛି, ତାହେଲେ ତାକୁ ତା’ର ଛଅ ମାସର ଦରମା ବା ମାତ୍ର ୬ଲକ୍ଷ ଟଙ୍କା ହିଁ ମିଳିବ । ତା’ର ପେନସନ୍ ଫଣ୍ଡର ବଳକା ଜମାରାଶି ସରକାରଙ୍କ ପାଖକୁ ଚାଲିଯିବ । ସେହିପରି ଓପିଏସ୍ ରେ କର୍ମଚାରୀର ଶେଷ ଦରମାର ୫୦% + ମହଙ୍ଗା ଭତ୍ତା ପେନସନ୍ ଭାବେ ମିଳୁଥିବା ବେଳେ ୟୁପିଏସ୍ ରେ ଶେଷ ଏକବର୍ଷର ହାରାହାରି ଦରମାର ୫୦% + ମହଙ୍ଗା ଭତ୍ତା ଦରମା ଆକାରରେ ମିଳିବ ବୋଲି କୁହାଯାଇଛି । ଏହା ଜଣେ କର୍ମଚାରୀର କଷ୍ଟାର୍ଜିତ ଆୟର ଲୁଟ୍ ବୋଲି ହିଁ କୁହାଯାଇପାରେ । ପୁରୁଣା ପେନସନ୍ ତୁଳନାରେ ୟୁପିଏସ୍ ରେ କର୍ମଚାରୀଙ୍କୁ ଗ୍ରାଚ୍ୟୁଟି ବାବଦରେ ମଧ୍ୟ କମ୍ ରାଶି ମିଳିବ ।

ସବୁଠାରୁ ବଡ଼କଥା ହେଲା, ସରକାର ୟୁପିଏସ୍ କୁ ପିଛିଲା ତାରିଖ (Retrospectively)ରୁ ଲାଗୁ କରିବା ପରିବର୍ତ୍ତେ ୨୦୨୫ ଏପ୍ରିଲ ପହିଲାରୁ ହିଁ ଲାଗୁ କରିବାକୁ କହିଛନ୍ତି । ଅର୍ଥାତ୍ ସେହି ତାରିଖ ପୂର୍ବରୁ ଯେଉଁ ଏନ୍ ପି ଏସ କର୍ମଚାରୀମାନେ ଅବସର ନେବେ, ସେମାନେ ଏହି ନୂଆ ଯୋଜନାର ଲାଭ ପାଇବାରୁ ବଂଚିତ ହେବେ । ପୁନଶ୍ଚ ସରକାର ୟୁପିଏସ୍ ର ପ୍ରଚଳନ ପରେ ବି ଏନ୍ ପି ଏସ ସମାପ୍ତ ନକରି ତାକୁ ପୂର୍ବପରି ଅବ୍ୟାହତ ରଖିବାକୁ କହିଛନ୍ତି । ଜଣେ କର୍ମଚାରୀ ନିଜର ଇଛା ମୁତାବକ ଏନ୍ ପି ଏସ ଓ ୟୁପିଏସ୍ ମଧ୍ୟରୁ ଗୋଟିଏକୁ ବାଛିପାରିବ ଏବଂ ଥରେ ବାଛିଲା ପରେ ତାକୁ ଆଉ ବଦଳାଇ ପାରିବନି ବୋଲି କୁହାଯାଇଛି । ଏଭଳି ବ୍ୟବସ୍ଥା ପେନସନ୍ କ୍ଷେତ୍ରରେ ରହିଥିବା ବିଭ୍ରାନ୍ତି ଓ ବିସଙ୍ଗତିକୁ ଆହୁରି ଯେ ବଢ଼େଇବ, ଏଥିରେ ସନ୍ଦେହ ନାହିଁ ।

ଓପିଏସ୍ ରେ ସରକାର ପେନସନ୍ର ସମ୍ପୂର୍ଣ୍ଣ ରାଶି ବହନ କରୁଥିଲା ବେଳେ ଏନ୍ ପି ଏସ ୧୪% ଏବଂ ବର୍ତ୍ତମାନ ୟୁପିଏସ୍ ରେ ମୂଳ ବେତନର ୧୮.୫% ହିଁ ବହନ କରିବେ । ସପ୍ତମ ବେତନ କମିଶନଙ୍କ ସୁପାରିଶ ଅନୁସାରେ ଗତ ଜୁଲାଇ ମାସରେ ସର୍ବନିମ୍ନ ପେନସନ୍ର ପରିମାଣ ୧୩,୫୦୦ଟଙ୍କା ହେଉଥିବା ବେଳେ ୟୁପିଏସ୍ ରେ ଆସନ୍ତା ବର୍ଷ ଏପ୍ରିଲରେ ଯାଇ ୧୦ହଜାର ଟଙ୍କାର ସର୍ବନିମ୍ନ ପେନସନ୍ ପାଇବାର ବ୍ୟବସ୍ଥା ରହିଛି ।

ସେହିପରି ଓପିଏସ୍ ରେ ଜାତୀୟ ବେତନ କମିଶନ ଜରିଆରେ ପ୍ରତି ଦଶ ବର୍ଷକୁ ଥରେ ପେନସନର ପରିମାଣ ବି ସଂଶୋଧିତ କରିବାର ବ୍ୟବସ୍ଥା ରହିଥିବାବେଳେ ୟୁପିଏସ୍ ରେ ସେଭଳି କୌଣସି ବ୍ୟବସ୍ଥା ରହିଥିବା ଜଣାପଡ଼ିନି । ଜଣେ ବ୍ୟକ୍ତି ତା’ର ବୃଦ୍ଧାବସ୍ଥାରେ ସମାଜରେ ସମ୍ମାନର ସହିତ ବଂଚିବାକୁ ହେଲେ ପେନସନ୍ ଅତ୍ୟନ୍ତ ଜରୁରୀ । ବୟସ ଦୃଷ୍ଟିରୁ ସେ ଯେତେବେଳେ ଆଉ ପୂର୍ବଭଳି ରୋଜଗାର କରିବା ସ୍ଥିତିରେ ନଥିବ, ବାର୍ଦ୍ଧକ୍ୟଜନିତ ଚିକିତ୍ସା ଖର୍ଚ୍ଚର ବୋଝ ବଢ଼ିବ ଏବଂ ପରିବାର ଭିତରେ ସେ ଅବହେଳାର ଶିକାର ହେବାର ସମ୍ଭାବନା ଦେଖାଯିବ, ସେତେବେଳେ ମାସିକ ନିଶ୍ଚିତ ପେନସନ୍ ହିଁ ତା’ପାଇଁ ଏକମାତ୍ର ଭରସା ହୋଇଥାଏ । ତେବେ କେବଳ ସରକାରୀ କର୍ମଚାରୀ ହିଁ ନୁହଁନ୍ତି, ସମାଜର ସବୁ ବର୍ଗର ଲୋକଙ୍କୁ ସେମାନଙ୍କ ବୃଦ୍ଧାବସ୍ଥାରେ କମ୍ ସେ କମ୍ ସର୍ବନିମ୍ନ ପେନସନ୍ ଦେବାର ବ୍ୟବସ୍ଥା କରିବା ଏକ ଜନମଙ୍ଗଳ ରାଷ୍ଟ୍ରରେ ସରକାରର ଦାୟିତ୍ୱ ଅଟେ । ଏହି ପରିପ୍ରେକ୍ଷୀରେ ପୁରୁଣା ପେନସନ୍ ଯୋଜନାକୁ ହଟେଇ ସରକାର ଦେଶର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀଙ୍କ ପ୍ରତି ଅତୀତରେ ଯେଉଁ ଅନ୍ୟାୟ କରିଛନ୍ତି, ତା’ର ସମାପ୍ତି ଦିଗରେ କର୍ମଚାରୀମାନଙ୍କୁ ଆଗାମୀ ଦିନରେ ଯେ ଆହୁରି ସଂଘର୍ଷ କରିବାକୁ ହେବ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ।

Comments

0 comments

Share This Article