ଏ ପକ୍ଷର ଖବର

ସୁରେନ୍ଦ୍ର ପାତ୍ର
ସୁରେନ୍ଦ୍ର ପାତ୍ର27 Views
17 Min Read

ଏ ସୁନା ମୋଟେ ପୁରୀ ରତ୍ନଭଣ୍ଡାରର ନୁହେଁ

ଆମର ଏହା ଏକ ଭୟଙ୍କର ଓଡ଼ିଆବିରୋଧୀ, ଅସ୍ମିତାବିରୋଧୀ, ଜଗନ୍ନାଥବିରୋଧୀ ଓ ବିଜେପିବିରୋଧୀ କଥା ହୋଇପାରେ । ହେଲେ ଆମେ ଏକଥା ମଧ୍ୟ କହୁଛୁ ଯେ ଆମେ ଏକଥାରେ ଭବିଷ୍ୟତରେ ସାମାନ୍ୟ ପରିବର୍ତ୍ତନ କରିବୁ ନାହିଁ । ଏହି କଥାଟିରେ ଆମେ ଶତ ପ୍ରତିଶତ ଅଛୁ ଓ ରହିବୁ । ଏ ଯେଉଁ ସୁନା ଗତ ସୋମବାର ଦିନ ବିମାନବନ୍ଦରରୁ ଧରାପଡ଼ିଛି ତାହା ମୋଟେ ଜଗନ୍ନାଥଙ୍କ ରତ୍ନଭଣ୍ଡାରରୁ ଅଣାଯାଇଥିବା ସୁନା ନୁହେଁ । ଏହା ରାଜ୍ୟ ବାହାରକୁ ଯାଉଥିଲା ବୋଲି ଯାହା କୁହାଯାଇଥିଲା, ତାହା ମଧ୍ୟ ମିଛ । ଏହା ଯାଉ ନଥିଲା ବରଂ ରାଜ୍ୟ ବାହାରୁ ରାଜ୍ୟକୁ ବେପାର ଉଦେଶ୍ୟରେ ଅଣାଯାଉଥିଲା ବୋଲି ଜଣେ ବିଶିଷ୍ଟ ପୁଲିସ ଅଧିକାରୀ ଆମକୁ କହିଛନ୍ତି । ଜଗନ୍ନାଥଙ୍କ ରତ୍ନଭଣ୍ଡାରକୁ ନେଇ ଅନେକ ଲୋକ ଅନେକ ମିଛ ଗପ ସବୁ ବିଭିନ୍ନ ସମୟରେ କହି ଥାଆନ୍ତି । ଏଥିରେ ଅନେକ ତଥାକଥିତ ବଡ଼ଲୋକ (ବା ସେଲିବ୍ରିଟୀ) ବି ଥାଆନ୍ତି । ତାଙ୍କ କଥା ଛାଡ଼ନ୍ତୁ ।

ପାଠକେ! କିଛିଦିନ ଆଗରୁ ମିଛରେ କାହାଣୀ କୁହାଯାଉଥିଲା ଯେ ଜଗନ୍ନାଥଙ୍କ ରତ୍ନଭଣ୍ଡାରରୁ ଗୁଡ଼ାଏ ସୁନାରୁପା ସବୁ ତାମିଲନାଡ଼ୁ ପଳାଇଛି । ତାକୁ ଭି.କେ.ପାଣ୍ଡିୟାନ ତାମିଲନାଡ଼ୁ ପଠାଇ ଦେଇଛନ୍ତି ବୋଲି ଗପ ଶୁଣା ଯାଉଥିଲା । ଏ ମିଛରେ ଏତେ ଲୋକ ସାମିଲ ଥିଲେ ଯେ ଦେଶର ଜଣେ ପ୍ରଧାନମନ୍ତ୍ରୀ ବି ଉଡ଼ି ଆସି ଓଡ଼ିଶାରେ କହିଲେ ଯେ ଏହାର ସିବିଆଇ ତଦନ୍ତ ହେବ । ପରେ ଜଣାପଡ଼ିଲା ଯେ ସେଗୁଡ଼ା ମିଛୁଆ ଗୁଡ଼ା । କେମିତି କ’ଣ କରି କ୍ଷମତାକୁ ପଳାଇ ଆସିବାକୁ ସେମିତି ମିଛ ଗପସବୁ ଶୁଣାଉଥିଲେ । ଏବେ କିଛିଲୋକ ମିଛରେ ଗପ କହୁଛନ୍ତି ଯେ ଏ ସୁନା ସବୁ ଗୁଜୁରାଟ ଯାଉଥିଲା । ଯେହେତୁ ଓଡ଼ିଶାରୁ ସିଧାସଳଖ ଗୁଜୁରାଟ ଯିବାକୁ ବିମାନ ନାହିଁ ତେଣୁ ଏହା ମୁମ୍ବାଇ ଯାଇଥାଆନ୍ତା ଓ ସେଠାରୁ ଗୁଜୁରାଟ ଯାଇଥାଆନ୍ତା । କିଏ କାହାଣୀ ଚଲାଉଛି ଯେ ପୁରୁଣା ସୁନା ସଫା କରିବା ନାଆଁରେ ରତ୍ନଭଣ୍ଡାରରୁ ନେଇ ଯାଉଥିଲେ । ପୁଣି କେହି କେହି କାହାଣୀକାରମାନେ ପ୍ରଶ୍ନ କରୁଛନ୍ତି ଯେ ସୁନା ଓଡ଼ିଶାରେ କାଇଁ ସଫା ହେଲାନି? ଗୁଜୁରାଟ କାଇଁ ନିଆ ହେଉଥିଲା? ଶୀରୋ ନାସ୍ତି ଶୀରୋ ପୀଡ଼ା ।

ପାଠକେ! ଗତ ସୋମବାର ଦିନ ସେଣ୍ଟ୍ରାଲ ଜିଏସ୍ ଟି ବିଭାଗ କିଛି ସୁନା ଓ ରୁପାକୁ ଉପଯୁକ୍ତ ଜିଏସ୍ ଟି ନଦେଇ ଅଣାଯାଇଥିବା ଖବର ପାଇ ଯେଉଁ ଗାଡିଗୁଡ଼ିକ ସୁନା ରୁପା ନେଇ ଆସୁଥିଲା, ତା’ ଉପରେ ଚଢ଼ାଉ କରିଥିଲେ । ଜିଏସଟି ବିଭାଗର କହିବାନୁଯାୟୀ ଏହି ସୁନାରୁପା କଟକ, ଭୁବନେଶ୍ୱର ଓ ଏହାର ଆଖପାଖ ସୁନାବେପାରୀମାନେ ଆଣୁଥିଲେ । ଏଇଟା କିଛି ପ୍ରଥମ କଥା ନୁହେଁ ସେମାନେ ଏପରି ଆଣନ୍ତି । ନହେଲେ କଟକ, ଭୁବନେଶ୍ୱର ଓ ଅନ୍ୟ ସବୁ ସ୍ଥାନରେ ଯେଉଁ ଏଡ଼େ ଏଡ଼େ ସୁନା ଦୋକାନ ହୋଇଛି ସେଠାକୁ ସୁନା ଆସୁଛି କେଉଁଠୁ?

ଆମେ ଯଦି ସେଂଟ୍ରାଲ ଜିଏସଟି ର ସଂଯୁକ୍ତ ନିର୍ଦ୍ଦେଶକ ଅଜୟ କୁମାରଙ୍କ କଥାକୁ ବିଶ୍ୱାସ କରିବା ତେବେ ଜଣାଯିବ ଯେ ଏ ସୁନା-ରୁପାର ବିଲ୍ ଅଛି । ଯାହା ସ୍ପଷ୍ଟ କରୁଛି ଯେ ଏ ସୁନା ରୁପା ଯାଉ ନଥିଲା, ଆସୁଥିଲା । ଯେତେ ସୁନା ଥିଲା ତାର ଜିଏସ୍ ଟି ଦିଆହୋଇଛି, ତେବେ କେତେ କିଲୋ ରୁପାର ଜିଏସ୍ ଟି ଦିଆଯାଇ ନାହିଁ । କିନ୍ତୁ ବିଭାଗକୁ ଭିତିରିଆ ଖବର ମିଳିଥିଲା ଯେ କିଛି ସୁନା ରୁପା ଉଭୟ ବିନା ଜିଏସ୍ ଟି ଅଣାଯାଉଥିଲା । ତେଣୁ ସେମାନେ ଦୁଇଟିଯାକ ଗାଡ଼ିକୁ ଅଟକ ରଖି ଯାଂଚ କରିଥିଲେ ।

ଆପୁଲ ନୁହେଁ ସେ ପାତଲଘଂଟା

ଓଡ଼ିଶାରେ ବିଜୁବାବୁ ଦିନେ ସେମାନଙ୍କୁ ସାଇନବୋର୍ଡ ପାର୍ଟି କହୁଥିଲେ । ହେଲେ ବିଜୁବାବୁଙ୍କ ପୁଅଙ୍କୁ ଧରି ସେମାନେ ଅନେକ ଆଗକୁ ଆସିଲେ ଓ ଶେଷରେ ଏବେ ସରକାରରେ ବସିଲେ । କିନ୍ତୁ ସରକାରରେ ବସିବା ପରେ ଏବଂ ସରକାରରେ ବସିବାର ଶହେ ଦିନ ଭିତରେ ସେମାନେ ବୁଝିଲେଣି ଯେ ସେମାନେ ପୂର୍ବରୁ ଯାହାକୁ ‘ସ୍ୱର୍ଗସୁଖ’ ବୋଲି ସ୍ୱପ୍ନ ଦେଖୁଥିଲେ, ତାହା ମୋଟେ ସେଇଆ ନୁହେଁ । ଆମର ଗୋଟେ କବିତା ଅଛି- ‘ଗୋଲାପ ବୋଲି ଯା ଜଗତେ ବିଖ୍ୟାତ ସାରାଦେହେ ତାର କଂଟା / ଆପଲ୍ ବୋଲି ମୁଁ କାମୁଡ଼ି ଦେଖିଲି କଂଚା ପାତଲଘଂଟା ।’

ସରକାରରେ ଥିବା ବାବୁମାନେ କହିଲେ ଏବେ ଏ ସରକାର ପାଇଁ ମୂଳ ସମସ୍ୟା କଲେଣି ଗଣମାଧ୍ୟମ ବାଲାଏ । ବିରୋଧୀଦଳରେ ଥିଲାବେଳେ ଯେଉଁ ଗଣମାଧ୍ୟମ ଭାଇମାନେ ତାଙ୍କୁ ପରମ ହିତୈଷୀ ବୋଲି ଲାଗୁଥିଲେ ଏବେ ସେଗୁଡ଼ା ମୁଣ୍ଡବିନ୍ଧାର ପରମ କାରଣ ପରି ଲାଗୁଛନ୍ତି । କାରଣ ବିରୋଧୀଦଳରେ ଥିବା ବେଳେ ଗଣମାଧ୍ୟମବାଲାଏ ସେମାନଙ୍କଠାରୁ ସେମିତି ବେଶୀ କିଛି ପାଇବାକଥା ଆଶା କରୁ ନଥିଲେ । କେବଳ ଜଣେ କେନ୍ଦ୍ରମନ୍ତ୍ରୀ ନିଜ ପତିଆରା ରକ୍ଷା କରିବାକୁ ଦି ଚାରିଟି ସଂସ୍ଥାକୁ କେନ୍ଦ୍ର ସରକାରଙ୍କ ବିଜ୍ଞାପନ ଢାଳି ପକାଇବା ସହିତ ଦି ଚାରିଜଣଙ୍କୁ ହୁଏତ ମାସିକିଆ ବଟି, ୬୦୦ଟଙ୍କିଆ ପଖାଳ, ଖଣ୍ଡେ ଦୁଇଖଣ୍ଡ ପ୍ୟାଣ୍ଟ ସାର୍ଟ କପଡ଼ା ପୁଅଝିଅ କି ପତ୍ନୀଙ୍କ ପାଇଁ ଯେତେବେଳେ ଯାହା ଖଣ୍ଡେ ଦିଖଣ୍ଡ ଗିଫ୍ଟ ଦେଇ ଦେଲେ ତାଙ୍କର ବରାଦୀ ଖବର ସବୁ ନିଦ୍ୱର୍ନ୍ଦ୍ୱରେ ଛପି ଚାଲିଥିବ ହୁଏତ । କେବଳ ଜଣେ କେନ୍ଦ୍ରମନ୍ତ୍ରୀ ବୋଲି ନୁହେଁ, ଅନ୍ୟମାନେ ମଧ୍ୟ ଆବଶ୍ୟକ ବେଳେ ବରାଦୀ ଖବର ଛାପିବା ପାଇଁ ଫଳେପୁଷ୍ପେ ବ୍ୟବସ୍ଥା କରାଇ କାମ ହାସଲ କରାଇ ନେଉଥିବା କଥା କହୁଥିଲେ । ଏବେ ସରକାରକୁ ଆସିଯିବା ପରେ କେବଳ ବର୍ଷକୁ ଗୋଟିଏ ସଂଖ୍ୟା ପ୍ରକାଶ କରୁଥିବା ଲିଫଲେଟ ସମ୍ବାଦପତ୍ରର ମାଲିକଟିଏ ମଧ୍ୟ ଆସି କହୁଛି କେବଳ ତା’ରି ଯୋଗୁଁ ସରକାର ପରିବର୍ତ୍ତନ ସମ୍ଭବ ହେଲା । ବିଜେଡି ଗଲା, ବିଜେପି ଆସିଲା । ତାଙ୍କ କାଗଜ ଯେଉଁସବୁ ଲେଖା ଛାପିଲା ସେଥିରେ ଲୋକେ ପୁରା ବୁଝିଗଲେ ଯେ ସେତବେଳକାର ସରକାରଟା କେବଳ ଚୋରି କରିବାରେ ଥିଲା । ନହେଲେ କ’ଣ ବିଜେପି ସରକାରକୁ ଆସି ପାରିଥାଆନ୍ତା । ପ୍ରତ୍ୟେକ ସମ୍ବାଦପତ୍ର ଓ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ଭେଟି ଫଟୋ ଉଠାଇବା ସହିତ ଘରୋଇ ଟିଭି ଚ୍ୟାନେଲ ମାନେ ଏବେ ପ୍ରମାଣ କରାଇବାକୁ ଚାହୁଁଛନ୍ତି ଯେ ତାଙ୍କ ଯୋଗୁ ବିଜେପି ସରକାର କ୍ଷମତାକୁ ଆସିଛି ।

ପାଠକେ! ଏମାନଙ୍କୁ ଚିହ୍ନିକରି ପୂର୍ବ ସରକାର କରୋନା ନାଅଁରେ ସଚ୍ଚିବାଳୟ, ବିଧାନସଭାକୁ ଏମାନଙ୍କ ପ୍ରବେଶ ବନ୍ଦ କରି ଦେଇଥିଲା । ଏବେ ପ୍ରଥମ ପ୍ରଥମ ସରକାରକୁ ଆସିଥିବାରୁ ମୋହନ ସରକାର ଭାବପ୍ରବଣ ହୋଇ ଭକ୍ତମାନଙ୍କପାଇଁ ଜଗନ୍ନାଥଙ୍କ ଚାରିଦ୍ୱାର ଖୋଲିଦେବା ପରି ସମସ୍ତଙ୍କ ପାଇଁ ସଚ୍ଚିବାଳୟର ଚାରିଦ୍ୱାରକୁ ଖୋଲିଦେଲେ । ବର୍ଷାଦିନେ ଘାଇ ଭାଙ୍ଗି ଗୋଳିଆ ପାଣି ଯେମିତି ପ୍ରବଳ ଶବ୍ଦ କରି ଗାଁ’ରେ ପଶେ, ସେମିତି ଖବର ସଂଗ୍ରହ ପାଇଁ ଶୋଷିଲା ହୋଇ ରହିଥିବା କିଛି ଲୋକ ରେ ରେ କାର ଶବ୍ଦକରି ବହୁସଂଖ୍ୟାରେ ଲୋକସେବା ଭବନ ଭିତରକୁ ମାଡ଼ି ଆସିଲେ । ସାତ/ଆଠଜଣଙ୍କୁ ନେଇ ସାମ୍ବାଦିକଙ୍କ କଲ୍ୟାଣପାଇଁ ରାତାରାତି ନୂଆ ନୂଆ ସଂଘସବୁ ଗଢ଼ିଉଠିଲା । ଜଣେ ବାବୁ ଫୋନ୍କରି କହିଲେ-‘ଭାଇ! ଆପଣଙ୍କ ଭୋଳିଆ ଜ୍ଞାନୀ, ଗୁଣିଲୋକ ଆମ ସଂଘରେ ସଦସ୍ୟ ହେବା କଥା । ସମସ୍ତେ ଆସିଗଲେଣି । ଆପଣ ଆସି ଯାଆନ୍ତୁ ।’ ଆମେ ପଚାରିଲୁ-‘କୋଉ ସଂଘ?’ ବାବୁ କହିଲେ ‘ସାପ୍ତାହିକ, ପାକ୍ଷିକ, ମାସିକ, ବାର୍ଷିକ ପତ୍ରିକା ସଂଘ’ । ଜଣେ ମନ୍ତ୍ରୀ କହୁଥିଲେ ତାଙ୍କୁ ଜଣେ ଲୋକ ଗୋଟା ଯନ୍ତ୍ରୀର ଟ୍ରାନ୍ସଫର ନକରିବାକୁ ଚିଟ୍ ଦେଇଥିଲା । ଅର୍ଥାତ୍ ସିଏ ଯେଉଁଠି ଅଛନ୍ତି ସେଇଠି ରହିବେ । ମନ୍ତ୍ରୀ ସେ ଚିଟ୍ଟାକୁ ଫୋପାଡ଼ିଦେଇ କଥାଟାକୁ ଭୁଲି ଯାଇଥିଲେ । ଏବେ ସିଏ କହୁଛି- ‘ହଉ ରୁହ । ତମେ ଥରୁଟିଏ ସରକାରକୁ ଆସିଗଲ ତ । ଆରଥରକୁ କେମିତି ଆସିବ ମୁଁ ଦେଖିବି ।’

ସବୁଠୁ ବଡ଼ ସମସ୍ୟା କରିଦେଲା ବିଧାନସଭା ପ୍ରଶ୍ନୋତ୍ତର । ଏବେ ସୂଚନା ଓ ଲୋକସମ୍ପର୍କ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ହାତରେ । ସିଏ ବିଧାନସଭାରେ କହିଲେ ରାଜ୍ୟ ସରକାର ବିଜ୍ଞାପନ ବାବଦକୁ ନିର୍ବାଚନୀ ବର୍ଷରେ ୧୭୦କୋଟି ୩୬ଲକ୍ଷ ୨୫ ହଜାର ଟଙ୍କାର ବିଜ୍ଞାପନ ଦେଇଛନ୍ତି । ଏହା ଭିତରେ ନ୍ୟୁଜ୍ / ନ୍ୟୁଜ୍ ଫିଚର ଭଳି ଦୃଶ୍ୟମାନ ବିଜ୍ଞାପନର ହିସାବ ନାହିଁ । ତାକୁ ମିଶାଇଲେ ୨୦୦କୋଟି । ସରକାରୀ ତାଲିକାଭୁକ୍ତ ୨୪୯ଟି ଖବରକାଗଜକୁ ଏହି ବିଜ୍ଞାପନ ଦିଆଯାଇଛି । ସେଥିରୁ ୨୨୮ଟି ବାର୍ଷିକ ୧କୋଟିରୁ ଅଧିକ ଟଙ୍କାର ବିଜ୍ଞାପନ ପାଇ ଯାଇଛନ୍ତି । ଅନ୍ୟମାନେ କହୁଛନ୍ତି ଆମେ କାଇଁ ପାଇଲୁନୁ । ହଉ ଏଇଥରଟା ଆସିଗଲତ । ଆରଥରକୁ କେମିତି ଆସିବ ଦେଖିବୁ ।

ହେଲେ ଇଏତ ପୂର୍ବ ସରକାର ଅମଳର କଥା , ସେଥିପାଇଁ ମୋହନ ସରକାର କ’ଣ କରିବେ ମୁଖ୍ୟମନ୍ତ୍ରୀ ସେକଥା ବୁଝି ପାରୁନାହାନ୍ତି ।

ଅଖା ଗାଲୁଆ ବୁଝି ଯାଇଛନ୍ତି ଯେ ୧ ରେ ୧ ମିଶାଇଲେ ୧୧

ମୋହନ ସରକାର ଚାଦରକୁ ଭିଡ଼ି ଭିଡ଼ି ଥକି ପଡ଼ିଲେଣି ହେଲେ ମୁଣ୍ଡକୁ ଘୋଡ଼େଇଲା ବେଳକୁ ପାଦ ମୁକୁଳା ହୋଇଯାଉଛି ତ ପାଦକୁ ଘୋଡାଇଲାବେଳକୁ ମୁଣ୍ଡ ମୁକୁଳା ହୋଇଯାଉଛି । ବିଜେଡି କାଳିଆ ଯୋଜନାରେ ୬ହଜାର ଟଙ୍କା ଲେଖା ଚାଷୀଙ୍କୁ ଦେଉଥିଲା । ତା’କୁ ବନ୍ଦ କରିବା ମୋହନ ସରକାର ପକ୍ଷରେ ସମ୍ଭବ ନଥିଲା । କେବଳ ଯାହା ନାଁ ବଦଳାଇ ପିଏମ/ସିଏମ୍ କିଷାନ ଯୋଜନା କରାଗଲା । ହେଲେ ପଇସା କାହିଁ? ଦୁଇକିସ୍ତିରେ ନୂଆଖାଇ ଓ ଅକ୍ଷୟ ତୃତୀୟାରେ ଚାଷୀଙ୍କୁ ୨ ହଜାର ଲେଖାଁଏ ୪ହଜାର ଟଙ୍କା ମିଳିବ । ଚାଷୀ ଖୁସି ହେବେ କେମିତି? କାହିଁ ସେତବେଳକାର ୬ହଜାର ଆଉ କାହିଁ ଏବେର ୨ ହଜାର! କାହିଁ ୧୨ହଜାର କାହିଁ ୪ ହଜାର । ଚାଷୀଙ୍କ କହିବା କଥା ଏ ସରକାର ଖାଲି ନାଁ ବଦଳେଇ ଖବରକାଗଜରେ ବିଜ୍ଞାପନ ଦେବାରେ ଅଛନ୍ତି । ଲୋକଙ୍କୁ ସୁବିଧା ସୁଯୋଗ ମିଳିବା କଥା କାହିଁ?

ସବୁଠୁ ଏବେ ବେଶୀ ଆଲୋଚନାକୁ ଆସିଲାଣି ସୁଭଦ୍ରା ଯୋଜନା । ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ସମସ୍ତେ ଗଳା ଫଟାଇ କହିଥିଲେ ସରକାର ପ୍ରତି ମହିଳାଙ୍କୁ ସୁଭଦ୍ରା ଯୋଜନାରେ ୫୦୦୦୦ ଟଙ୍କା ଲେଖାଁଏ ସହାୟତା ଦେବେ । ପୂର୍ବ ସରକାରରେ ଭତ୍ତା ପାଇବାରେ ଅଭ୍ୟସ୍ତ ହୋଇ ଯାଇଥିବା ଲୋକମାନେ ଭାବିଲେ ଏକାଥରେ ୫୦ହଜାର ଟଙ୍କା ତାଙ୍କ ବ୍ୟାଙ୍କ ଖାତାରେ ପଶିଯିବ । ଏବେ ଯେତେ ପ୍ରକାରର ଫନ୍ଦି ଫିକର କଲେ ବି ଲୋକେ ବୁଝିଗଲେଣି ବିଜେପି ସରକାର ଆସୁ ଆସୁ ଲୋକଙ୍କୁ ଠକିଦେଲା । ୫୦୦୦୦କୁ ୫୦୦୦ରେ ପରିଣତ ଦେଇ କହୁଛି କ’ଣ ନା ୧ ରେ ୧ ମିଶାଇଲେ ୧୧ । ହେଉନି କି? ହେଲେ ବିଚରା ସୁଭଦ୍ରାମାନେ ଏଥିରେ ବଡ଼ ଦୁଃଖୀ । ପୂର୍ବ ସରକାରରେ ଯେଉଁ ମିଶନ ଶକ୍ତି କାର୍ଯ୍ୟକ୍ରମ ଚାଲିଥିଲା, ସେଥିରେ ଗାଁ’ ଗାଁ’ରେ ଗୋଟେ ଭିନ୍ନ ପ୍ରକାରର ମହିଳା ଅର୍ଥନୈତିକ ବ୍ୟବସ୍ଥା ଚାଲୁ ହୋଇ ଯାଇଥିଲା । ଗାଁ ଗାଁରେ ମହିଳାମାନେ ଗୋଷ୍ଠୀ କରି ତାଙ୍କର ପାମ୍ପଡ଼, ବଢ଼ିଠୁ ବିଭିନ୍ନ ହସ୍ତତନ୍ତ ସାମଗ୍ରୀ ପ୍ରସ୍ତୁତ କରି ବିକି ରୋଜଗାର କରୁଥିଲେ; ତା ସାଙ୍ଗକୁ ବ୍ୟାଙ୍କଟଙ୍କାକୁ ସୁଧରେ ଲଗାଇ ମଧ୍ୟ ବେଶ୍ ଦୁଇପଇସା ରୋଜଗାର କରୁଥିଲେ । ତା ଦେହରେ ପୁଣି ଆଉ ଗୋଟିଏ ସମସ୍ୟା ଦେଖାଦେଲାଣି ଯେ ଏଥିରେ ସବୁ ମହିଳା ଆଉ ସାମିଲ ହୋଇ ପାରିବେନି । ରାଜ୍ୟର ପାଖାପାଖି ୨କୋଟିରୁ ଉର୍ଦ୍ଧ ମହିଳାଙ୍କ ଭିତରୁ ମାତ୍ର ୭୦ହଜାର ମହିଳା ଏଥିରେ ସାମିଲ ହୋଇପାରିବେ ବୋଲି ଭିତିରିଆ କୁହାଗଲାଣି । ତା’ଭିତରେ ଏସଓପି ନାଁ ରେ ଯେତେ ପ୍ରକାରର ବ୍ୟବସ୍ଥା ରହିଛି ସେଥିରେ ମିଶନ ଶକ୍ତିରେ ଥିବା ଅଧିକାଂଶ ମହିଳା ସୁଭଦ୍ରା ଯୋଜନାରେ ସାମିଲ ହୋଇପାରିବେନି । ଏବେ ବିଜେପି ପର୍ଯ୍ୟବେକ୍ଷକମାନେ କହୁଛନ୍ତି ଯେ ଏଥିରୁ ବଂଚିବା ପାଇଁ ବିଜେପି ଏବେ ହିଟଲରୀ ଥିଓରୀର ପ୍ରୟୋଗ କରିବ । ମିଛଟାକୁ ଖୁବ୍ ବଡ଼ପାଟିରେ କହିବ । ପ୍ରଧାନମନ୍ତ୍ରୀ ନିଜେ ଆସି ଏକ ବିଶାଳ ଜନସଭାରେ ଏହାକୁ ଉଦ୍ ଘାଟନ କରିବେ । ଏଥିପାଇଁ ଦୁଇ ଲକ୍ଷ ଲୋକ (ଯେଉଁଥିରୁ ଲକ୍ଷେ ହେବେ ମହିଳା)ଙ୍କୁ ବିଭିନ୍ନ ଗାଡ଼ିମୋଟରରେ ଅଣାଯିବ । ହେଲେ ମହିଳାଙ୍କ ମନ ବୁଝୁନାହିଁ । ୫୦୦୦୦ ଟା ୫୦୦୦ ହୋଇଯିବା କଥାଟା ସେମାନଙ୍କ ମନ ଭିତରେ ଖୁବ ଦୁଃଖ ସୃଷ୍ଟି କରୁଛି ।

ଏବେ ଗାଁଗହଳିରେ ଗୋଟିଏ କଥା ଚାଲିଲାଣି ଯେ ରାସନ ଦୋକାନରୁ ଆଉ ସମସ୍ତଙ୍କୁ ରାସନ ମିଳିବ ନାହିଁ । ଏକଥା ରାଜ୍ୟ ବିଧାନସଭାର ଚଳିତ ଅଧିବେଶନରେ ମଧ୍ୟ ଉଠିଛି । ସଭ୍ୟମାନେ ଉଦବେଗ ପ୍ରକାଶ କରିଛନ୍ତି ଯେ ଏବେ ନୂଆ ରାଜ୍ୟ ସରକାର ରାଜ୍ୟରେ ଗୋଟିଏ ନୂଆ ଇ-କେୱାଇସି ଯୋଜନା ଆରମ୍ଭ କରିଛନ୍ତି । ଏଥିରେ ରାଜ୍ୟର ରାସନକାର୍ଡଧାରୀମାନଙ୍କୁ କୁହାଯାଉଛି ଯେ ପରିବାରର ସମସ୍ତ ସଦସ୍ୟ ରାସନ ଦୋକାନୀପାଖକୁ ଯାଇ ଇ-କେୱାଇସି କରାଅ । ଗ୍ୟାସରେ ମଧ୍ୟ ସେହିକଥା । ସେପ୍ଟେମ୍ବର ୨୫ତାରିଖ ସୁଦ୍ଧା ଏହା ନକଲେ ରାସନ କାର୍ଡଧାରୀଙ୍କ କାର୍ଡ ରଦ୍ଦ ହୋଇଯିବ । ଆଉ ସେ କାର୍ଡରେ ରାସନ ମିଳିବ ନାହିଁ । ସଭ୍ୟମାନଙ୍କ କହିବା କଥା ଯେ ରାଜ୍ୟରେ ଯେହେତୁ ଲୋକମାନଙ୍କୁ କାମଧନ୍ଦା ମିଳୁନାହିଁ ତେଣୁ ଅନେକ ଲୋକ ବାହାର ରାଜ୍ୟରେ ଯାଇ କାମ କରୁଛନ୍ତି । ସେମାନଙ୍କ ଭିତରୁ ଅଧିକାଂଶ ଲୋକ ଭୋଟଦେବାକୁ ଆସିଥିଲେ ଓ ଏବେ ଯାଇଛନ୍ତି । ସେମାନେ ଏତେ କମ ସମୟ ମଧ୍ୟରେ ଆସି କିପରି ଇ-କେୱାଇସି କରିବେ ଓ ଟିପଚିହ୍ନ ଦେବେ?

ଏବେ କେନ୍ଦ୍ରମନ୍ତ୍ରୀ ଥିବା ଧର୍ମେନ୍ଦ୍ର ପ୍ରଧାନଙ୍କଠାରୁ ଆରମ୍ଭ କରି ବହୁ ନେତା ନିର୍ବାଚନବେଳେ କହିଥିଲେ ଯେ ତାଙ୍କ ସରକାର ଆସିଲେ ଲୋକଙ୍କୁ ୩୦୦ୟୁନିଟ ପର୍ଯ୍ୟନ୍ତ ବିଜୁଳି ମାଗଣା ଦିଆଯିବ । ହେଲେ ଦିଆଯାଉ ନାହିଁ । ଏହାକୁ ନେଇ ବିଭିନ୍ନ ସ୍ଥାନରେ ଆନ୍ଦୋଳନ ହେଉଛି । ବରଗଡ଼ ଅଂଚଳରେ କିଛି ଲୋକ ସ୍ମାର୍ଟମିଟରକୁ ଖୋଲି ଫୋପାଡ଼ି ଦେଲେଣି । ଏହାକୁ ଦେଖି ରାଜ୍ୟର ଉପମୁଖ୍ୟମନ୍ତ୍ରୀ କେ ବି ସିଂହଦେଓ ବିଧାନସଭାରେ କହିଲେଣି ଯେ ମାଗଣାରେ ବିଜୁଳି ମିଳିବ ନାହିଁ । ବରଂ ପ୍ରଧାନମନ୍ତ୍ରୀ ଯେଉଁ ସୂର୍ଯ୍ୟଘର କଥା କହିଛନ୍ତି, ସେଥିରେ ଏହା ସମ୍ଭବ ହେବ । କେମିତି ନା ସୂର୍ଯ୍ୟଘର ଯୋଜନାରେ ନିଜ ଛାତ (ଯାହାର ଥିବ) ଉପରେ ଯଦି ଜଣେ ୩ କିଲୋୱାଟ ବିଜୁଳି ଉତ୍ପାଦନ କରିବା ଭଳି ଯନ୍ତ୍ର ଲଗାଇବ ଯେଉଁଥିରେ ସୂର୍ଯ୍ୟକିରଣ ପଡ଼ିଲେ ୩ କିଲୋୱାଟ ବିଜୁଳି ଉତ୍ପନ୍ନ ହେବ ସେଥିପାଇଁ ଯେଉଁ ପଇସା ଖର୍ଚ୍ଚହେବ ସରକାର ସେଥିପାଇଁ ୭୮୦୦୦ ଟଙ୍କା ସବସିଡିରେ ଦେବେ । ସେଇଟା ହେଲା ୩୦୦ ୟୁନିଟ୍ ବିଜୁଳି ମାଗଣା । ଅର୍ଥାତ୍ ୧ ରେ ୧ ମିଶାଇଲେ ୧୧ । ହେଲା କି ନାହିଁ?

କହିବା ବାହୁଲ୍ୟ ଯେ ଏହିସବୁ ବିଷୟ ସିଧା ଗ୍ରାମୀଣ ଭୋଟରଙ୍କ ସହ ଜଡ଼ିତ । ଏହାକୁ ନେଇ ମୋହନ ସରକାର କେଉଁଠି ଥୋଇବେ ବୁଝି ପାରୁନାହନ୍ତି ।

ଚାଲୁଣି ପଚାରୁଛି ଛୁଂଚିକୁ

ଗତ ୨୮ତାରିଖ ଦିନ ରାଜଧାନୀର ଏଆରପୋର୍ଟ ଥାନା ଅଧିନରେ ଥିବା ଏକ ଘରେ ଜଣେ ୪ବର୍ଷର ନାବାଳିକାକୁ ଜଣେ ଅଧାବୟସ୍କ ଲୋକ ଧର୍ଷଣ କଲା । ଅଭିଯୁକ୍ତ ଲୋକଟି ନାବାଳିକାଜଣକୁ ଚକଲେଟ୍ ଖାଇବାକୁ ଡାକି ଧର୍ଷଣ କରିଛି । ପୀଡ଼ିତାର ଶରୀରରେ ବିଭିନ୍ନ ସ୍ଥାନରେ ନଖ ଓ ଦାନ୍ତର ଆଘାତରେ କ୍ଷତ ହୋଇ ଯାଇଥିବା ଚିହ୍ନ ସବୁ ରହିଛି ।

ଜଟଣୀରେ ଛାତ୍ରୀଟିଏ ସ୍କୁଲକୁ ଯାଉଥିଲା । ତାକୁ ଜବରଦସ୍ତ ଅଟକାଇ ୨୬ ବର୍ଷର ମନୁଆ ଦାସ ବୋଲି ଜଣେ ଯୁବକ ଅସଦ ଆଚରଣ କଲା । ଅସଦ ଆଚରଣ ପରେ ଝିଅଟି ଆଉ ସ୍କୁଲ ନଯାଇ ଘରକୁ ଫେରି ସମସ୍ତ କଥା କହିବାରେ ଜଟଣୀ ଥାନାରେ ଏହି ମାସରେ ଏକ ମାମଲା ରୁଜୁ ହୋଇଛି ।

ଗତମାସ ୨୮ତାରିଖରେ ଯାଜପୁରରେ ବୁଢ଼ାଲୋକଟିଏ ଜଣେ ନାବାଳିକା ଛାତ୍ରୀକୁ ଧର୍ଷଣ କଲା । ଲୋକଟା ଗିରଫ ନିଶ୍ଚିତ ହୋଇଛି ।

ପାଠକେ! ରେପ୍ ବିଷୟକ ଘଟଣା ଏତିକି ଥାଉ । ଓଡ଼ିଶାରେ ତାଙ୍କ ଦଳର ମୁଖ୍ୟମନ୍ତ୍ରୀଙ୍କ ନାକତଳେ ୪ବର୍ଷର ଗୋଟିଏ ଝିଅକୁ ଧର୍ଷଣ ହେଲା । କିନ୍ତୁ ମହିଳା ରଷ୍ଟ୍ରପତି କହୁଛନ୍ତି ଯେ କଲିକଥା କଥାରେ ତାଙ୍କୁ ଡର ଲାଗୁଛି । ଆମକୁ ବି ଏଗୁଡ଼ା ଲେଖିବାକୁ ଭଲ ଲାଗୁନାହିଁ । ବରଂ ଏଥର ଅନ୍ୟାନ୍ୟ ଅମାନବୀୟ ଅପରାଧ ଘଟଣାକୁ ଆସିବା । ୨୪ଅଗଷ୍ଟରେ ସମ୍ବଲପୁରର ଚୈନପୁର ନିକଟରେ ନବମଶ୍ରେଣୀରେ ପାଠ ପଢୁଥିବା ଝିଅଟିଏ ସ୍କୁଲକୁ ଯିବ ବୋଲି କହି ଘରୁ ସାଇକେଲରେ ଯାଇ ସ୍କୁଲକୁ ନଯାଇ ଆଉ କୁଆଡ଼େ ଯାଇ କିଛି ସମୟ ପରେ ପୋଲ ଉପରେ ସାଇକେଲ ରଖି ନଦୀକୁ କୁଦି ପଡ଼ିଥିଲା । ପରଦିନ ଲୋକେ ତା’ଶବକୁ ଆଠଗଡ଼ ପୁଲିସ ସୀମା ଭିତରେ ଥିବା କନ୍ଦରପୁର ଅଂଚଳରେ ନଦୀରେ ଭାସୁଥିବାର ଦେଖିଥିଲେ ।

ଗତ ୩ତାରିଖର ଘଟଣା । ଜଣେ ବିବାହିତା ମହିଳାଙ୍କୁ ବିବାହ ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିବା ସହିତ ତାଙ୍କର ବ୍ୟକ୍ତିଗତ ଫଟୋକୁ କେତେ ଦିନଧରି ସାମାଜିକ ଗଣମାଧ୍ୟମରେ ଛଡ଼ା ଯାଉଥିବା କଥା ମହିଳାଥାନାକୁ ଆସିଲା । ତା’ଭିତରେ ଏହି କୁକର୍ମ ଘଟାଇଥିବା ଅଭିଯୁକ୍ତ ଜଣକ ମହିଳାଙ୍କ ଠାରୁ ୪/୫ଲକ୍ଷ ଟଙ୍କା ନେଇ ସାରିଥିଲା । ପୁଣି ଅଭିଯୁକ୍ତ ନାଁଆରେ ବଲାଙ୍ଗୀର ଥାନାରେ ଦୁଇଟି ଏହି ପ୍ରକାରର ସଙ୍ଗୀନ୍ ମାମଲା ରହିଛି । ଲୋକଟି ଭୁବନେଶ୍ୱରରେ ଜଣେ ମହିଳାଙ୍କ ଫଟୋ ଭାଇରାଲ କରି ତାଙ୍କୁ ଡରେଇ ଧମକାଇ ପଇସା ଆଦାୟ କରୁଥିବାବେଳେ ଏକା ସମୟରେ ଆଉ ଜଣେ ଝିଅପିଲାଙ୍କ ସହିତ କୁକାର୍ଯ୍ୟ ଚଳାଇଥିଲା । ପୁଲିସ ଭାଇ କେହି କିଛି ଜାଣି ପାରୁନଥିଲେ ।

କଟକ ଜିଲ୍ଲା ନିଆଳୀରେ ଆଦିବାସୀ ମାଆଟିଏ ନିଜର ଅଢ଼େଇ ବର୍ଷର ଶିଶୁପୁତ୍ରକୁ ବିକିଦେଲା । ତାକୁ ବାଲିପାଟଣାର ଜଣେ ବ୍ୟକ୍ତି କିଣି କାମରେ ଲଗାଇଦେଲା । କେହି ଜାଣି ପାରିଲେନି । ଦୁଇଜଣ ବ୍ୟକ୍ତି ସ୍ଥାନୀୟ ଦେଉଳଧରପୁରଠାରେ ଶିଶୁପୁତ୍ରକୁ ଛାଡ଼ି ଅନ୍ତର୍ଦ୍ଧାନ ହୋଇଯିବା ପରେ ଘଟଣା ସାମ୍ନାକୁ ଆସିଛି ।

ନିଜ ଘର କଥା ନବୁଝି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଶ୍ଚିମବଙ୍ଗର ଧର୍ଷଣ ଓ ହତ୍ୟାମାମଲାରେ ମମତା ବାନାର୍ଜୀଙ୍କ ବିବୃତି ଦେଶପାଇଁ ବିପଦଜନକ ବୋଲି କହିଲେଣି । ଏହା ଭିତରେ ମମତା କହିଛନ୍ତି ଯେ ଯେ ଯଦି ବେଙ୍ଗଲକୁ ଏମିତି ଜଳାଇ ରଖାଯିବ ତାହାହେଲେ ଆସାମ, ଉତ୍ତରପୂର୍ବ, ଉତ୍ତରପ୍ରଦେଶ, ବିହାର, ଝାଡଖଣ୍ଡ, ଓଡ଼ିଶା ଓ ଦିଲ୍ଲୀ ମଧ୍ୟ ପ୍ରଭାବିତ ହେବ । ଓଡ଼ିଶା ମୁଖ୍ୟମନ୍ତ୍ରୀ ପଚାରିଲେଣି ଯେ ଆପଣଙ୍କୁ ଓଡ଼ିଶା ବିଷୟରେ ଏପରି ଆପତ୍ତିଜନକ ମନ୍ତବ୍ୟ ଦେବାକୁ କିଏ ଅଧିକାର ଦେଲା । ସେହିପରି ମଣିପୁର ଭଳି ଭୟାନକ କାଣ୍ଡରେ ଭୟଭୀତ ହୋଇ ନଥିବା ରାଷ୍ଟ୍ରପତି ମହୋଦୟା ମହାମହିମ କେବଳ କଲିକତା ଘଟଣାରେ ଭୟଭୀତ ହୋଇ ଯାଇଛନ୍ତି । ଏଇଟା ଓଡ଼ିଆ ଅସ୍ମିତାର ଦୋଷ ନା ବିଜେପିର; ସେକଥା ଲୋକେ ବୁଝି ପାରୁନାହାନ୍ତି । ଏଥିରେ ଆପଣ ହସିବେ ନା କାନ୍ଦିବେ?

ସାମାଜିକ ଗଣମାଧ୍ୟମ ଉପରେ ରାଗିଲେ କଟା ହୋଇଯିବ?

ସିଏ ଉତ୍ତରପ୍ରଦେଶ ହେଉକି ଓଡ଼ିଶା ସବୁଠି ବିଜେପି ନେତାମାନଙ୍କର ରାଗ ସାମାଜିକ ଗଣମାଧ୍ୟମ ଉପରେ ।

ସମ୍ପ୍ରତି ଉତ୍ତରପ୍ରଦେଶ ସରକାର ସାମାଜିକ ଗଣମାଧ୍ୟମ ଉପରେ ଏକ ନୀତି ଆଣିଛି । ଯେଉଁଥିରେ କୁହାଯାଇଛି ଯେ ଫେସବୁକ୍, ଏକ୍ସ, ଇନ୍ଷ୍ଟଗ୍ରାମ, ୟୁଟ୍ୟୁବ ତଥା ଅନ୍ୟାନ୍ୟ ସାମାଜିକ ଗଣମାଧ୍ୟମ ପାଇଁ ଏକ ମାର୍ଗଦର୍ଶିକା ଜାରୀ କରାଯାଇଛି । ଏହା ରାଜ୍ୟ ମନ୍ତ୍ରିମଣ୍ଡଳର ସମର୍ଥନ ପାଇ ସାରିଛି । କୁହାଯାଉଛି ଯେ ଏହି ନୀତି ଓ ନିର୍ଦ୍ଦେଶିକା ଆଣିବାର ମୂଳକାରଣ ହେଉଛି ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଉଥିବା ଆପତ୍ତିଜନକ ବିଷୟବସ୍ତୁକୁ ନିୟନ୍ତ୍ରଣ କରିବା । ନୂଆ ନୀତି ଅନୁଯାୟୀ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଦେଶବିରୋଧୀ ବିଷୟବସ୍ତୁ ପୋଷ୍ଟ କରିବା ଏକ ଗମ୍ଭୀର ଅପରାଧ ଭାବରେ ନିଆଯିବ । ଏଥିପାଇଁ ପୋଷ୍ଟ କରିଥିବା ଲୋକକୁ ୩ ବର୍ଷରୁ ଆଜୀବନ କାରାବାସ ପର୍ଯ୍ୟନ୍ତ ଦଣ୍ଡ ଦିଆଯାଇପାରିବ ।

ଯୋଗୀ ସରକାର ଏହି ଯେଉଁ ନିୟମ ଆଣିଛନ୍ତି ସେହି ନିୟମ ତାଙ୍କ ରାଜ୍ୟରେ ସୂଚନା ପ୍ରଯୁକ୍ତି (ଆଇଟି) ଆଇନର ଧାରା ୬୬ର (ଇ) ଏବଂ (ଏଫ୍) ଉପଧାରାରେ ରଖାଯାଇ ସରକାରୀ ଗୋପନୀୟତା ଉଲ୍ଲଂଘନ ଓ ଆତଙ୍କବାଦ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସରକାରକୁ ସଶକ୍ତ କରିଥିଲା । ଏହା ସହିତ ଅନ୍ ଲାଇନରେ ଯେଉଁମାନେ ଅଶ୍ଳୀଳ ବା ଅପମାନଜନକ ବିଷୟ ପ୍ରସାରଣ କରିବେ ସେମାନଙ୍କ ବିରୁଦ୍ଧରେ ଯଦି ମାନହାନୀ ମାମଲା ରୁଜୁ ହେଲା ତାହେଲେ ତାଙ୍କ ବିରୁଦ୍ଧରେ ମଧ୍ୟ ଏହି ଆଇନରେ କାର୍ଯ୍ୟନୁଷ୍ଠାନ କରାଯିବ । ଏବେ ଯେଉଁ ଆଇନ୍ ଆସିଛି ତାର ଦୁଇଟି ଦିଗ ଅଛି । ଯାହାକୁ କୁହାଯାଉଛି ‘କ୍ୟାରେଟ ଏବଂ ଷ୍ଟିକ’ ନୀତି । ଅର୍ଥାତ୍ ଯେଉଁମାନେ ଯୋଗୀ ସରକାର ବିପକ୍ଷରେ ଲେଖିବେ ସେମାନେ ସବୁ ଦେଶଦ୍ରୋହୀ, ଆତଙ୍କବାଦୀ, ଭାରତ-ବିରୋଧୀ ଶକ୍ତି ରୂପରେ ପୁଲିସ ଦ୍ୱାରା ଚିହ୍ନିତ ହୋଇପାରନ୍ତି । ସେମାନଙ୍କୁ ୩ ବର୍ଷରୁ ଆରମ୍ଭ କରି ୩୦ ବା ଆଜୀବନ ଜେଲ ଭୋଗିବାକୁ ପଡ଼ିପାରେ । କିନ୍ତୁ ଯେଉଁମାନେ ଯୋଗୀ ସରକାରକୁ ସମର୍ଥନ କରିବେ ସେମାନଙ୍କୁ ସୋସିଆଲ ମିଡ଼ିଆ ଇନଫ୍ଲୁଏନ୍ସର ଭାବରେ ୮ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦିଆଯାଇପାରେ । ତେବେ ଏହି ଟଙ୍କା କେତେ ଦିନ ଭିତରେ ଦିଆଯିବ ସେସବୁ ଓଡ଼ିଶାର ସୁଭଦ୍ରା ଯୋଜନା ପରି ଅବୁଝା । ତେବେ ଯୋଗୀଙ୍କ ନୂଆ ନୀତି ଅନୁସାରେ ସାମାଜିକ ଗଣମାଧ୍ୟମରେ ସରକାରୀ ଯୋଜନା, ସରକାରୀ ପଦକ୍ଷେପ, ପ୍ରକଳ୍ପ, ଏବଂ ଉପଲବ୍ଧ ବିଷୟରେ ଯେଉଁମାନେ ଲେଖିବେ ସେମାନଙ୍କୁ ପ୍ରୋତ୍ସାହିତ କରାଯିବ ।

ଏ ବିଷୟକୁ ନେଇ ଓଡ଼ିଶା ବିଧାନସଭାରେ ମଧ୍ୟ ପ୍ରଶ୍ନ ଉଠିଥିଲା । ଯାହାର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ କହିଛନ୍ତି ଯେ ସାମାଜିକ ଗଣମାଧ୍ୟମ ବା ୱେବଚ୍ୟାନେଲକୁ ନେଇ କୌଣସି ନୀତି ରାଜ୍ୟ ସରକାରଙ୍କ ପକ୍ଷରୁ ତିଆରି ହୋଇନାହିଁ । କିଛି ଲୋକ ବଂଚିଗଲେ ।

Comments

0 comments

Share This Article