ଓଡ଼ିଆ ଭାଷାଆନ୍ଦୋଳନର କର୍ଣ୍ଣଧାର ଭେଙ୍କଟେଶ୍ୱର ଦେଓ

ଭେଙ୍କଟଶ୍ୱର ଦେଓ ହୋଇଛନ୍ତି କାଟିଙ୍ଗା ଜମିଦାରୀ ରାଜା । ଭେଙ୍କଟେଶ୍ୱର ଦେଓଙ୍କୁ ଓଡ଼ିଆ ଭାଷା ଆନ୍ଦୋଳନର ପ୍ରଥମ ସଂଗ୍ରାମୀ ବା ଆଦିପୁରୁଷ କୁହାଯାଇପାରେ ।

14 Min Read

ଓଡ଼ିଆ ଭାଷାର ଇତିହାସକୁ ରୋମନ୍ଥନ କଲେ ଜଣାଯାଏ ଯେ, ଆଜି ବି ଏହାର ଇତିହାସ ଅସମ୍ପୂର୍ଣ୍ଣ । ବହୁ ଅନାଲୋଚିତ ଅଧ୍ୟାୟର ପୃଷ୍ଠା ଏବେ ବି ଓଲଟା ହୋଇପାରିନାହିଁ । ଗଞ୍ଜାମ ଇତିହାସର ବହୁ ଅନାଲୋଚିତ, ଅବହେଳିତ ଓ ଅବଲୁପ୍ତ ବ୍ୟକ୍ତି, ପୀଠ, ପୁସ୍ତକ ଓ ସେମାନଙ୍କର ବଳିଦାନ ସମ୍ପର୍କରେ ଯାହା କହିଲେ ବି ତାହା ଅସ୍ପଷ୍ଟ । ଓଡ଼ିଆ ଭାଷାକୁ ସଂସ୍କୃତ ଭାଷାର ସମକକ୍ଷ କରିବାପାଇଁ ରୀତିଯୁଗୀୟ କବି ଘୁମୁସର ରାଜବଂଶର ଦାୟାଦ ଉପେନ୍ଦ୍ର ଭଞ୍ଜଙ୍କ ସୃଷ୍ଟି ସର୍ଜନାକୁ ଲକ୍ଷ୍ୟ କଲେ ସଠିକ ଭାବରେ ଜାଣିପାରିବେ । ତତ୍କାଳୀନ ସମୟ ଥିଲା ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ ସମୟ । ୧୬୮୭ ଅକ୍ଟୋବର ୨ତାରିଖରେ ଔରଙ୍ଗଜେବ କୁତବଶାହା ଅବଦୁଲଙ୍କୁ ପରାସ୍ତ କରି ବନ୍ଦୀ କରି ଗୋଲକୁଣ୍ଡାକୁ ଅଧିକାର କରି ସେଠାରେ ମୋଗଲ ସମ୍ରାଟ ଜଣେ ସୁବାଦାରଙ୍କୁ ପ୍ରଶାସକ ରୂପେ ନିଯୁକ୍ତି କରିବା ଫଳରେ ଘୁମୁସର ସମେତ ସମଗ୍ର ଗଞ୍ଜାମ ଜିଲ୍ଲା ମୋଗଲ ସୁବାଦାରଙ୍କ ଦ୍ୱାରା ଶାସିତ ହେଲେ ।

ମୋଗଲ ସମ୍ରାଟ ଔରଙ୍ଗଜେବ ୧୭୦୭ ମସିହାରେ ମୃତ୍ୟୁବରଣ କରିବା ଫଳରେ ସୁବାଦାର ହାଇଦ୍ରାବାଦକୁ ଏକ ସ୍ୱାଧିନ ରାଜ୍ୟ ନିଜାମ ନାମରେ ପରିଚିତ କରିଥିଲେ । ଯାହାଫଳରେ ସମଗ୍ର ଗଞ୍ଜାମ ଜିଲ୍ଲା ତଥା ଚିକାକୋଲ ସରକାର ହାଇଦ୍ରାବାଦସ୍ଥିତ ନିଜାମଙ୍କ ଅଧିନରେ ରହିବାକୁ ପଡିଲା । ୧୭୫୩ ମସିହାରେ ହାଇଦ୍ରାବାଦର ସଲବତଦଙ୍ଗ ଫରାସୀମାନଙ୍କୁ ଗଞ୍ଜାମ ଜିଲ୍ଲା ଓ ସିକାକୋଲ ସମେତ ସମଗ୍ର ‘ଉତ୍ତର ସରକାର’ ଜାଗିର ରୂପେ ପ୍ରଦାନ କରିଥିଲେ ।

୧୭୫୯ ମସିହାରେ ଇଂରେଜମାନଙ୍କ ପ୍ରବେଶ ହୋଇଥିଲା, ପୁନଶ୍ଚ ୧୭୬୫ ମସିହାରୁ ଇଂରେଜମାନେ ଦକ୍ଷିଣରୁ ଅଭିଯାନ କରି ମାନ୍ଦ୍ରାଜ ଅଧିକାର କରି ଗଞ୍ଜାମ ଅଞ୍ଚଳରେ ଶାସନ କରିଥିଲେ । ମାତ୍ର ଗଞ୍ଜାମର ଅଧିକାଂଶ ଅଞ୍ଚଳରେ କ୍ରମାଗତ ଭାବେ ବିଦ୍ରୋହ କରୁଥିଲେ । ଏହି ବିଦ୍ରୋହକୁ ଆସ୍ତେ ଆସ୍ତେ ଦମନ କରି ଇଂରାଜୀମାନେ ନିଜ ଅଧିନକୁ ୧୮୦୩ ମସିହାରେ ସମଗ୍ର ଓଡ଼ିଶାକୁ ଅଧିକାର କରିଥିଲେ । ଶାସନଗତ ଦୃଷ୍ଟିରୁ ଇଂରାଜୀମାନେ ବଙ୍ଗ, ମାନ୍ଦ୍ରାଜ ଓ ମଧ୍ୟପ୍ରଦେଶକୁ ସରକାରୀ ସ୍ତରରେ ବିଭାଜନ କରିଥିଲେ । ସେହି ସମୟରୁ ଗଞ୍ଜାମ ଜିଲ୍ଲାର ସୀମାନ୍ତରେ ପରିବର୍ତ୍ତନ ହୋଇଥିଲା । ଚିଲିକା ମାଲ ଦ୍ରଦଠାରୁ ରାଜମହେନ୍ଦ୍ରୀ ପର୍ଯ୍ୟନ୍ତ ସୀମାବଦ୍ଧ ହୋଇଥିଲା, ଏହା ମାଲଟିବିଙ୍କ ମାନ୍ୟୁଆଲ କୋର୍ଡରୁ ଜାଣିପାରୁ ।

ଏହି ଗଞ୍ଜାମ ସମେତ କୋରାପୁଟ ଜିଲ୍ଲାକୁ ମାନ୍ଦ୍ରାଜ ସରକାରଙ୍କ ଅଧିନରେ ରହିବାରୁ ସେହି ଅଞ୍ଚଳର ବିଦ୍ୟାଳୟ , ନ୍ୟାୟାଳୟ ଓ କାର୍ଯ୍ୟାଳୟରେ ତେଲୁଗୁ ଭାଷାଭାଷୀ ଲୋକଙ୍କ ନିଯୁକ୍ତି ପାଇଥିଲେ । ଯାହା ଫଳରେ ଓଡ଼ିଆ ଭାଷାଭାଷୀ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଲା । ଓଡ଼ିଆ ଭାଷାକୁ ହୀନମନ୍ୟତା ଦେଖିବାକୁ ମିଳିଲା । ଯାହା ଫଳରେ ଓଡ଼ିଆ ଭାଷାକୁ ଏକତ୍ରିତ କରିବା ପାଇଁ ବିଭିନ୍ନ ବ୍ୟକ୍ତିମାନଙ୍କୁ ନେଇ ବିଭିନ୍ନ ଅନୁଷ୍ଠାନ ଗଠନ କରି ଓଡ଼ିଆ ଭାଷାର ବିକାଶ ପାଇଁ ଏକ ଜାଗରଣ ମଞ୍ଚ ଜାଗି ଉଠିଲେ । ଏହି ଓଡ଼ିଆ ଭାଷାର ସୁରକ୍ଷା ଓ ଅଭିବୃଦ୍ଧି ପାଇଁ ବହୁ ସ୍ଥାନରେ ଜନଆନ୍ଦୋଳନ ସୃଷ୍ଟି ହୋଇଛି । ପରମୁହୂର୍ତ୍ତରେ ଏକ ଗଣ ଆନ୍ଦୋଳନ ସୃଷ୍ଟି ହୋଇଥିଲା । ଏହାର ନେତୃତ୍ୱ ନେଉଥିଲେ ଭେଙ୍କଟଶ୍ୱର ଦେଓ ।

ଭେଙ୍କଟଶ୍ୱର ଦେଓ ହୋଇଛନ୍ତି କାଟିଙ୍ଗା ଜମିଦାରୀ ରାଜା । ‘କାଟିଙ୍ଗ’ ଜନପଦଟି ଜୟବିଜୟ ବୈକୁଣ୍ଠରୁ ପତନ ହୋଇ ମେଦିନୀ ଭୂଖଣ୍ଡ ରୂପେ ଗଠନ ହୋଇଥିବା କଥା ସଂସ୍କୃତ ଶ୍ରୀମଦ୍ ଭାଗବତରେ ଉଲ୍ଲେଖ ରହିଛି । ଏହି ଭୂଖଣ୍ଡଟି ପଦ୍ମନାଭ ଗିରି ସମୀପସ୍ଥ କର୍ତ୍ତାଙ୍ଗ ବା ଆଜିର କାଟିଙ୍ଗା କ୍ଷେତ୍ର ରୂପେ ପରିଚିତ । ଏହି କ୍ଷେତ୍ରରେ ହିରଣ୍ୟକଶ୍ୟପ ଓ ହିରଣ୍ୟାକ୍ଷ ପ୍ରକଟ ହେବା ସହ ଏହା ତତ୍କାଳୀନ ସମୟରେ ରାଜଧାନୀ ରୂପେ ପରିଚିତ ହୋଇଥିଲା । ଏଠାରେ ପୁତ୍ର ପ୍ରହଲ୍ଲାଦଙ୍କ ସହ ମନୋମାଳିନ୍ୟତା ହେବା ସହ ଏହି ଜନପଦର ବାସ୍ତବତା ସକାଶେ ଭଗବାନଙ୍କୁ ଏଠାରେ ଖମ୍ବ ମଧ୍ୟରେ ଥିବାର ଜାଣିବାକୁ ପାଇଥିଲେ ଏବଂ ସେଠି ଭଗବାନ ନୃସିଂହ ଅବତାର ହୋଇଥିଲେ । ଏହା ତ ସତ୍ୟଯୁଗ କଥା କହୁଥିଲା । ତ୍ରେତୟା ଯୁଗରେ ବର୍ଣ୍ଣିତ ଉତ୍ତରାଖଣ୍ଡ ରାମାୟଣରେ ଏହି କ୍ଷେତ୍ରକୁ ବାଲ୍ମିକୀଙ୍କ ଆଶ୍ରମ ରହିଥିବା ସହ ସୀତାଙ୍କ ଦ୍ୱିତୀୟ ବନବାସ ଆଉ ଲବକୁଶଙ୍କ ଜନ୍ମ ବୃତ୍ତାନ୍ତ ଏଠି ଘଟିଥିଲା । ଲବକୁଶ ରାମଚନ୍ଦ୍ରଙ୍କ ଅଶ୍ୱମେଧ ଯଜ୍ଞର ଅଶ୍ୱକୁ ଏଠି ଅଟକାଇ ଥିବା ସହ ଯୁଦ୍ଧ ହୋଇଥିବାର କଥା ମଧ୍ୟ ଉଲ୍ଲେଖ ରହିଛି । ଏମିତି ଏହି ମାଟିର ପବିତ୍ରତା ରହିଛି ।

ଐତିହାସିକ ଦୃଷ୍ଟିକୋଣରୁ ଆଲୋଚନା କଲେ ଜଣାଯାଏ ଯେ, ପ୍ରାଚୀନ ଖିଡ଼ିସିଙ୍ଗ ରାଜ୍ୟର ରାଜା ପାଟମଳିକଠାରୁ ଆରମ୍ଭ ହୋଇଥିଲେ ସୁଦ୍ଧା ରାଜା ଶୋଭାଚନ୍ଦ୍ର ସିଂହ ଏହି ରାଜ୍ୟର ପ୍ରଥମ ରାଜା ବା ଶାସକ ରୂପେ ପରିଚିତ ହୋଇଛନ୍ତି । ଶୋଭାଚନ୍ଦ୍ର ସିଂହଙ୍କ ୭ମ ଉତ୍ତରାଧିକାରୀ ବଳିୟାର ସିଂହ ୧୪୭୪ ମସିହାରେ ୪ ପୁତ୍ରଙ୍କ ସହିତ ୪ଟି ରାଜ୍ୟକୁ ବିଭାଜନ କରିଥିଲେ ସେହିଗୁଡ଼ିକ ହେଲା – ବଡ଼ଗଡ଼ ଗଙ୍ଗାଧରଙ୍କ ପୁଅ – ଢମଣସିଂହ, ଧରାକୋଟ ଦ୍ୱିତୀୟ ପୁତ୍ର ହାଡୁ ସିଂହ ସୋରଡ଼ା ତୃତୀୟ ପୁତ୍ର – ଷଣ୍ଢଧନୁ ସିଂହ / ଅଭୟ ସିଂହ ଶେରଗଡ଼ ନିଜେ ବଳିୟାର ସିଂହ ଓ ଚତୁର୍ଥ ନାବାଳକ ପୁତ୍ର ପର୍ଶୁରାମଙ୍କ ବିଭାଜନରେ ଭାଗ ହୋଇଥିଲା । ଖିଡ଼ିସିଙ୍ଗ ରାଜ୍ୟର ଶେଷ ରାଜଧାନୀ ରୂପେ ବଡ଼ଗଡ଼ ରହିଥିଲା ଏବଂ ବଳିୟାର ସିଂହଙ୍କ ନାତି ଢମଣସିଂହ ଏହି ବଡ଼ଗଡ଼ର ରାଜ୍ୟର ପ୍ରଥମ ରାଜା ଏବଂ ବଡ଼ଗଡ଼ ହିଁ ହୋଇଥିଲା ରାଜଧାନୀ । ବିଭିନ୍ନ ସମୟରେ ରାଜାମାନଙ୍କ ମଧ୍ୟରେ ରାଜ୍ୟସୀମା ନିରୂପଣ ନେଇ ଅନେକ ସଂଘର୍ଷ ହୋଇଥିଲା । ଧରାକୋଟ ରାଜା ପୁରୁଷୋତ୍ତମ ସିଂହଙ୍କ ମୃତ୍ୟୁ ପରେ ତାଙ୍କ ପୁତ୍ର ରାମଚନ୍ଦ୍ର ସିଂହ ଦେଓ ୧୭୦୦ରୁ ୧୭୩୧ ମସିହା ମଧ୍ୟରେ ରାଜତ୍ୱ କରୁଥିବା ସମୟରେ ନିଜର ନିକଟତମ ରାଜ୍ୟ – ଘୁମୁସରରେ ପାରିବାରିକ କଳହ ଏବଂ ଧରାକୋଟରେ ଆଶ୍ରୟ ନେଇଥିଲେ ଗୋବିନ୍ଦ ଭଞ୍ଜ, ତାଙ୍କ ପୁତ୍ର ଘନ ଭଞ୍ଜ ସେହିପରି ନୀଳକଣ୍ଠ ଭଞ୍ଜ ଓ ତାଙ୍କ ପୁତ୍ରମାନେ ଉପେନ୍ଦ୍ରଭଞ୍ଜ ସମେତ ଆଶ୍ରୟ ନେଇଥିଲେ । ସେହି ସମୟରେ ମଧ୍ୟ ବଡ଼ଗଡ଼ର ରାଜା ଜଗନ୍ନାଥ ସିଂହ ରାଜତ୍ୱ କରିଥିଲେ । ସେହି ସମୟରେ ସୀମାକୁ ନେଇ ଯୁଦ୍ଧ କରୁଥିଲେ । ଏଥିରେ ଧରାକୋଟ ରାଜା ରାମଚନ୍ଦ୍ର ସିଂହଦେଓ ବିଜୟୀ ହୋଇଥିଲେ । ଏହି ଯୁଦ୍ଧ ବା ବିବାଦ ବଡ଼ଗଡ଼ରେ ଦେଖା ଦେଇଥିଲା ଏବଂ ତାହା ୧୮୦୭ ମସିହାରେ ବଡ଼ଗଡ଼ ରାଜ୍ୟରୁ କାଟିଙ୍ଗା ଅଲଗା ହେବା ସହ ନିଜସ୍ୱ ପରିଚୟ ସୃଷ୍ଟି କରିଥିଲା । ଏହି ରାଜ୍ୟକୁ ତକ୍ରାଳୀନ ବଡ଼ଗଡ଼ ରାଜା ପ୍ରତିଷ୍ଠିତ କରିବା ସହ ସେହି ରାଜ୍ୟ ପାଇଁ ଏକ ନୂତନ ପରିଚୟ ପାଇଥିଲା ।

୧୪୭୪ ମସିହାରେ ଖିଡ଼ିସିଙ୍ଗ ରାଜ୍ୟର ରାଜା ବଳିୟାର ସିଂହଙ୍କ ଦ୍ୱାରା ବିଭାଜିତ ଓ ତାଙ୍କ ନିଦେ୍ର୍ଦଶ ଅନୁଯାୟୀ ଭୌଗଳିକ ସୀମା ନିର୍ଦ୍ଧାରଣ ଓ ରାଜ୍ୟର ରାଜା ବା ଶାସକ ନିଯୁକ୍ତି ହୋଇଥିଲେ । ଏଥିରେ ବଡ଼ଗଡ଼ରେ ନିଜ ବଡ଼ପୁଅ ଗଙ୍ଗାଧରଙ୍କ ପୁଅ ଢମଣସିଂହ ଶାସକ ଭାବେ ନିଯୁକ୍ତି ହୋଇ ବଡ଼ଗଡ଼କୁ ନିଜର ରାଜଧାନୀ ରୂପେ ରଖିଥିଲେ । ପର ମୁହୂର୍ତ୍ତରେ ସୀମାକୁ ନେଇ ବିବାଦ ସୃଷ୍ଟି କରିଥିଲେ ଧରାକୋଟ ରାଜା ରାମଚନ୍ଦ୍ର ସିଂହଦେଓ ଓ ବଡ଼ଗଡ଼ ରାଜା ଜଗନ୍ନାଥ ସିଂହଙ୍କ ସହିତ । ୧୭୦୦ରୁ ୧୭୩୧ ମସିହା ସମୟରେ ଏହା ହୋଇଥିବା ଅନୁମାନ କରାଯାଏ । ସମ୍ଭବତଃ ୧୭୦୦ରୁ ୧୭୦୧ ମଧ୍ୟରେ ଅନୁମାନ କରାଯାଏ । ସେହିପରିଭାବେ ବଡ଼ଗଡ଼ ସହିତ ଭାଇମାନଙ୍କ ମଧ୍ୟରେ ବିବାଦ ଫଳରେ ୧୮୦୭ ମସିହାରେ ମାତ୍ର କାଟିଙ୍ଗା ରାଜ୍ୟକୁ ବଡ଼ଗଡ଼ ରାଜା ପ୍ରତିଷ୍ଠା କରିଥିଲେ ।

ଗଞ୍ଜାମର ଜମିଦାରୀମାନଙ୍କ ମଧ୍ୟରେ ଏହି କାଟିଙ୍ଗା ଗଡ଼ଜାତକୁ ମାଲୁଆ ଜମିଦାରୀଭାବେ ପରିଚିତ ଲାଭ କରିଥିଲା । କାଟିଙ୍ଗିୟା ନାମରେ ଏକ ଘାଟୀ ରହିଛି । ଏହା ସୋରଡ଼ା ମଧ୍ୟରୁ କାଟିଙ୍ଗା ଯିବା ରାସ୍ତାରେ ଯେଉଁ ଉଚ୍ଚ ପାହାଡ଼ ଦେଖିବାକୁ ମିଳେ ତାହାକୁ ଘାଟୀ କୁହାଯାଏ । ସେ ଏହି ଘାଟୀ ବା ଉଚ୍ଚସ୍ଥାନ ପାହାଡ଼କୁ କାଟିଙ୍ଗିୟା ପାହାଡ଼ ବା ଘାଟୀ କୁହାଯାଏ ।

ଅଧୁନା କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ସବ୍ଡ଼ିଭିଜନ ଅନ୍ତର୍ଗତ ଦାରିଙ୍ଗିବାଡ଼ିର ପଞ୍ଚାୟତ ସମିତି ଅଧିନସ୍ଥ କାଟିଙ୍ଗିଆ ନାମରେ ଅବସ୍ଥିତ । ତତ୍କାଳୀନ ସମୟର ଗଞ୍ଜାମ ଦ୍ୱାରା ଅନ୍ତର୍ଭୁକ୍ତ ମାନ୍ଦ୍ରାଜ ଦ୍ୱାରା ଶାସିତ ଜମିଦାରୀ ଥିଲା । ଇଂରେଜମାନଙ୍କ ଶାସନ ସମୟରେ କାଟିଙ୍ଗିଆ ଜମିଦାରର ଶାସକ ଭାବେ ହରିହର ସିଂହ ରହିଥିଲେ । ହରିହର ସିଂହ ୧୮୫୧ ମସିହାରେ ମୃତୁ୍ୟବରଣ କରବା ପରେ ତାଙ୍କ ବିଧବା ପତ୍ନୀ ବା ରାଣୀ ପଦ୍ମାବତୀ ଦେବୀ ତାକୁ ଶାସନଭାର ୧୮୬୪ମସିହା ପର୍ଯ୍ୟନ୍ତ ନିଜେ ପରିଚାଳନା କରିଥିଲେ । ହରିହର ସିଂହଙ୍କ ଉତ୍ତରାଧିକାରୀ ଭାବେ ୧୮୬୬ ମସିହାରେ ଭେଙ୍କଟଶ୍ୱର ଦେବଙ୍କ ହସ୍ତାନ୍ତର କରାଯାଇଥିଲା ୧୮୬୮ ମସିହାରେ ରାଣୀ ପଦ୍ମାବତୀ ମୃତ୍ୟୁବରଣ କରିଥିଲେ । କେହି କେହି ଆଲୋଚକ ନିଜ ଆଲୋଚନାରେ ଭେଙ୍କଟଶ୍ୱର ଦେବ ଚିକିଟି ରାଜ୍ୟ ପୀତାମ୍ବର ରାଜେନ୍ଦ୍ର ଦେବ (୧୭୯୧-୧୮୧୯)ଙ୍କ ଭାଇ ନୀଳାମ୍ବର ଦେଓଙ୍କ ପୁତ୍ରଙ୍କ ଭେଙ୍କଟଶ୍ୱର ଦେଓ ରୂପେ ଉଲ୍ଲେଖ କରିଛନ୍ତି ।

ଭେଙ୍କଟେଶ୍ୱର ଦେଓ ୧୮୬୪ ମସିହାରେ ଜମିଦାର ରୂପେ କାର୍ଯ୍ୟ ଭାର ଗ୍ରହଣ କରିବା ସମୟରେ ତତ୍କାଳୀନ ରାଜନୈତିକ, ଆର୍ଥିକ, ଧାର୍ମିକ ଆଉ ସର୍ବୋପରି ଭାଷାଗତ ସମସ୍ୟା ସୃଷ୍ଟି କରିଥିଲା । ନ’ଅଙ୍କ ଦୁର୍ଭିକ୍ଷ ଭାଙ୍ଗି ଦେଇଥିଲା ଓଡ଼ିଆମାନଙ୍କ ସାମାଜିକ ଓ ସାଂସ୍କୃତିକ ଚଳଣି । ବିଦ୍ୟାଳୟ, କାର୍ଯ୍ୟାଳୟ ଓ ନ୍ୟାୟାଳୟରେ ନିଜ ମାତୃଭାଷା ଓଡ଼ିଆକୁ ହୀନମନ୍ୟତାକୁ ସହ୍ୟ କରି ପାରିନଥିଲେ ।

ତତ୍କାଳୀନ ସମୟରେ ଓଡ଼ିଆମାନେ ମାନ୍ଦ୍ରାଜ ଅଧିନରେ ତେଲୁଗୁ ଭାଷୀମାନଙ୍କ ଦ୍ୱାରା ଶୋଷିତହେବା ସହ ଇଂରେଜମାନଙ୍କ ଦ୍ୱାରା ପରିଚାଳିତ ହେବା ଫଳରେ ସାଧାରଣ ଜନତା ଏହି ଭାଷାଗତ ଭାବଗତ ବୁଝାମଣା ହୋଇନପାରି ନିଜର ସାମାଜିକ, ସାଂସ୍କୃତିକ ଓ ଆଦି ଚିନ୍ତାଧାରା ସବୁ ନଷ୍ଟ ହେବାକୁ ବସିଥିଲା । ତେଣୁ ଭେଙ୍କଟେଶ୍ୱର ଦେଓ ଜମିଦାର ପଦବୀ ପାଇବାପରେ ସେହି ଅଞ୍ଚଳର ବିଭିନ୍ନ ଛୋଟ, ବଡ଼ ସାଂସ୍କୃତିକ ଅନୁଷ୍ଠାନ ଓ ସଂଗଠନର ସଦସ୍ୟମାନଙ୍କ ସହ ଯୋଗସୂତ୍ର ସ୍ଥାପନ କରିବା ସହ ସମସ୍ତ ରୟତ, ଦେଶୀୟ ରାଜା ଭାଷାପ୍ରେମୀ, ଶିକ୍ଷିତ ଯୁବକ ଆଦିକୁ ଏହି ଓଡ଼ିଆ ଜାତି ଓ ଭାଷାପାଇଁ ଏକତ୍ରୀକରଣ କରିଥିଲେ । ଓଡ଼ିଆ ଜାତିର ଓଡ଼ିଆ ଭାଷାର ବିକାଶ ପାଇଁ ଏହା ପ୍ରଥମ ଉଦ୍ୟମ କହିଲେ ଅତ୍ୟୁକ୍ତି ହେବ ନାହିଁ ।

ଏହିମାନଙ୍କୁ ନେଇ ୧୮୬୮ ମସିହାରେ “ଗଞ୍ଜାମ ହିତବାଦିନୀ ସଭା” ନାମକ ଏକ ସଙ୍ଗଠନ ଗଠନ କରିଥିଲେ । ଏହାର ସଭାପତି ନିଜେ ରହିବା ସହ ବ୍ରହ୍ମପୁର ଉଇଲିୟମ ମହାନ୍ତି ସମ୍ପାଦକ ଘୁମୁସର ଅଞ୍ଚଳର ବୁଗୁଡ଼ା ନିକଟବର୍ତ୍ତୀ କାନନ କୁଟୀରର ଜନାର୍ଦ୍ଦନ ଦାସ ସଦସ୍ୟ ଭାବେ କାର୍ଯ୍ୟଆରମ୍ଭ କରିଥିଲେ । ଏହାବୋଧେ ଭାରତବର୍ଷର ପ୍ରଥମ ରାଜନୈତିକ ସଙ୍ଗଠନ ହୋଇପାରେ । ୧୮୬୯ ମସିହାରେ ମାନ୍ଦ୍ରାଜ ଗଭର୍ଣ୍ଣରଙ୍କ ନିକଟକୁ ଏକ ପ୍ରତିବାଦ ପତ୍ର ପଠାଇଥିଲେ । ଦକ୍ଷିଣଓଡ଼ିଶା ଅର୍ଥାତ୍ ମାନ୍ଦ୍ରାଜ ଅଧିନସ୍ଥ ଓଡ଼ିଶାରେ ନ୍ୟାୟାଳୟ, ବିଦ୍ୟାଳୟ ଓ କାର୍ଯ୍ୟାଳୟରେ ଓଡ଼ିଆ ଭାଷାର ପ୍ରଚଳନ ହେବା ସହ ଓଡ଼ିଆଭାଷୀମାନଙ୍କ ନିଯୁକ୍ତି ପାଇଁ ଦାବୀରେ ଉପସ୍ଥାପନା କରିଥିଲେ । ଏହି ପ୍ରତିବାଦ ପତ୍ରର କୌଣସି ଉତ୍ତର ନ ପାଇବାରୁ ୧୪/୯/୧୮୭୦ ମସିହାରେ ରସୁଲକୋଣ୍ଡା (ଘୁମୁସର) ଅଧୁନା ଭଞ୍ଜନଗରଠାରେ ଓଡ଼ିଆ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଗୋଟିଏ ଐତିହାସିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଏହା ପୂର୍ବରୁ ୧୧/୯/୧୮୭୦ରେ ଅଧିବେଶନର ପ୍ରସ୍ତୁତି ଅଧିବେଶନ କରାଯାଇଥିଲା । ପୁନଶ୍ଚ ଏକ ଦାବୀ ପତ୍ର ଆଗତ କରାଯାଇ ବ୍ରିଟିଶ ମହାରାଣୀଙ୍କ ନିକଟରେ ପହଞ୍ଚିଥିଲା ଏବଂ ତାହାର ଫଳସ୍ୱରୂପ ୧୮୭୨ ମାର୍ଚ୍ଚ ୪ତାରିଖରେ ମାନ୍ଦ୍ରାଜ ପ୍ରେସିଡ଼େନ୍ସି ଅଧିନସ୍ଥ ଓଡ଼ିଆ ଅଞ୍ଚଳରେଥିବା ସମସ୍ତ କାର୍ଯ୍ୟାଳୟ, ନ୍ୟାୟାଳୟରେ କାର୍ଯ୍ୟ ଓଡ଼ିଆଭାଷାରେ କରାଯିବ ବୋଲି ଘୋଷଣା କରାଗଲା । ଏହା ସଙ୍ଗଠନକୁ ଆଗକୁ ନେବାପାଇଁ ଗଞ୍ଜାମ ହିତବାଦିନୀ ସଭା ପରିବର୍ତ୍ତନ କରାଯାଇ ଉକ୍ରଳ ହିତବାଦିନୀ ନାମରେ ନାମିତ କରାଗଲା । ଏହି ସଙ୍ଗଠନର ସମ୍ପାଦକ ଭାବେ ଭେଙ୍କଟେଶ୍ୱର ଦେଓ ରହିଥିଲେ । ଏହି ଉତ୍କଳ ହିତବାଦିନୀ ସଭାର ଦାବୀ ଆଗରେ ଇଂରାଜୀ ସରକାର ଗଞ୍ଜାମ ଓ କୋରାପୁଟ ଅଞ୍ଚଳରେ ଥିବା ନ୍ୟାୟାଳୟ ଓ କାର୍ଯ୍ୟାଳୟ ଓ ବିଦ୍ୟାଳୟରେ ଓଡ଼ିଆ ଭାଷାର ପୁନଃ ପ୍ରଚଳନ କରାଗଲା । ଏହା ଫଳରେ ବିଦ୍ୟାଳୟରେ ଓଡ଼ିଆଭାଷା ମାଧ୍ୟମରେ ପାଠ ପଢ଼ାଗଲା । ପରମୁହୂର୍ତ୍ତରେ ମାନ୍ଦ୍ରାଜ ବିଶ୍ୱବିଦ୍ୟାଳୟ ଓଡ଼ିଆକୁ ଶିକ୍ଷାର ମାଧ୍ୟମ ରୂପେ ସ୍ୱୀକୃତ ମିଳିଥିଲା । ୧୮୭୩ ଅକ୍ଟୋବର ୧୮ତାରିଖରେ ଉତ୍କଳ ହିତବାଦିନୀ ସଭା ଦ୍ୱାରା ଚାରୋଟି ଦାବୀର ଉତ୍କଳ ଦୀପିକା ପ୍ରକାଶିତ କରି ସମସ୍ତ କଥାକୁ ସମଗ୍ର ଓଡ଼ିଆ ଭାଷା ଓ ଜାତିକୁ ବୁଝିଥିବା ଓ ଭଲ ପାଉଥିବା ବ୍ୟକ୍ତିମାନଙ୍କ ପାଖରେ ପହଞ୍ଚି ପାରିଥିଲା । ଏହି ଆନ୍ଦୋଳନର ସଫଳତାକୁ ଲକ୍ଷ୍ୟ କରି ବଙ୍ଗାଳୀ ଭାଷା ଓ ହିନ୍ଦୀଭାଷା ଅଧିନସ୍ଥ ଓଡ଼ିଆ ଜାତିର ଜାଗ୍ରତ ହୋଇଥିଲା । ୧୮୭୪ ଜାନୁୟାରୀ ୨୪ ତାରିଖରେ ଗଞ୍ଜାମ ଗେଜେଟ୍ରେ ପ୍ରକାଶିତ ହୋଇଥିଲା । ଏଥିରେ ଉଲ୍ଲେଖ ଥିଲା ଯେ, ଅଦାଲତ ଓ ପ୍ରଶାସନିକ ଦପ୍ତରମାନଙ୍କରେ ଓଡ଼ିଆ ଭାଷା ସରକାରୀ ଭାଷା ରୂପେ କାର୍ଯ୍ୟକାରୀ ହେବ ।

କାଟିଙ୍ଗା ଜମିଦାର ଭେଙ୍କଟଶ୍ୱର ଦେଓଙ୍କ ଏହି ସଙ୍ଗଠନ ଏତେ ଦୂର ସଫଳତା ଲାଭ କରିଥିଲା ଯେ, ଇଂରେଜମାନେ ଭୟଭୀତ ହୋଇଥିଲେ । ତେଣୁ ଚତୁରତା ସହ ଭେଙ୍କଟଶ୍ୱର ଦେଓଙ୍କୁ କନ୍ଧମାଳ ତହସିଲଦାର ଦୀନବନ୍ଧୁ ପଟ୍ଟନାୟକଙ୍କ ସହଯୋଗରେ ଭେଙ୍କଟଶ୍ୱର ଦେଓଙ୍କୁ ଜମିଦାରୀରୁ ଉଚ୍ଛେଦ କରି ମାସିକ ୫୦/- ପଚାଶ ଟଙ୍କା ପେନସନଭୋଗୀ କରାଇଥିଲେ । ଏହି ଆନ୍ଦୋଳନକୁ ଗତିଶୀଳ କରାଇପାରିନଥିଲେ ସତ, ମାତ୍ର ଭେଙ୍କଟଶ୍ୱର ଓଡ଼ିଆ ଭାଷା ସାହିତ୍ୟର ଯେଉଁ ବୀଜ ବପନ କରିଥିଲେ ତାହା ଏକ ବିରାଟ ଦ୍ରୁମ ଭାବେ ପରବର୍ତ୍ତୀ ସମୟରେ ଠିଆ ହୋଇ ଭାଷାଭିତ୍ତିକ ରାଜ୍ୟଭାବେ ସ୍ୱାଧୀନତା ପୂର୍ବରୁ ଏକ ସ୍ୱତନ୍ତ୍ର ରାଜ୍ୟ ଭାବେ ପରିଚୟ ସୃଷ୍ଟି କରିପାରିଛି ।

୧୮୭୬ରେ ଉଇଲିୟମ ମହାନ୍ତି ‘ସ୍ୱଦେଶ’ ନାମକ ଓଡ଼ିଆ ଜାତୀୟତାବାଦୀ ପତ୍ରିକା ପ୍ରକାଶନ କରି ଏହି ଆନ୍ଦୋଳନକୁ ବଞ୍ଚାଇ ରଖିବାର ଆପ୍ରାଣ ଉଦ୍ୟମ କରିଥିଲେ । ୧୮୮୩ରେ ଭେଙ୍କଟେଶ୍ୱର ଦେଓଙ୍କ ମୃତ୍ୟୁ ହୋଇଥିଲା ସତ, କିନ୍ତୁ ଭେଙ୍କଟେଶ୍ୱର ଦେଓଙ୍କ ଗଞ୍ଜାମ ହିତବାଦିନୀ ସଭାର ସ୍ୱର ମାଧ୍ୟମରେ ସମଗ୍ର ଓଡ଼ିଶାବାସୀଙ୍କୁ ଏକତ୍ର କରି ଗଞ୍ଜାମ ସମ୍ମିଳନୀ ଓ ଉକ୍ରଳ ସମ୍ମିଳନୀର ଜନ୍ମ ଲାଭ କରିଥିଲା ଏହା ନିଦ୍ୱର୍ନ୍ଦ୍ୱରେ କୁହାଯାଇପାରେ । ଭେଙ୍କଟେଶ୍ୱର ଦେଓଙ୍କ ଉଦ୍ୟମକୁ ଶତ ପ୍ରଣାମ କରିବା ସହ ତାଙ୍କ ଆଦର୍ଶର ମାନକୁ ଆଗେଇ ନେଇଥିଲେ ଅନେକ ଭାଷାପ୍ରେମୀ । ଫଳରେ ୧୮୯୦ ଅଗଷ୍ଟ ୧ ତାରିଖରେ ଇଂରେଜୀ ସରକାରଙ୍କ ଘୋଷଣା ହୋଇଥିଲା ଯେ, ଘୁମୁସରରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ ତଥା କୋର୍ଟ କଚେରୀ ମାନଙ୍କରେ କେବଳ ଓଡ଼ିଆଭାଷାରେ ହିଁ ରାଜକାର୍ଯ୍ୟ ଚାଲିବ ଓ ଗଞ୍ଜାମ ଜିଲ୍ଲାର ଅନ୍ୟ ଅଞ୍ଚଳଗୁଡ଼ିକରେ ତେଲେଙ୍ଗା ଭାଷା ପ୍ରଚଳନ ହେଲେ ମଧ୍ୟ ସମତାଳରେ ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ ହେବ ।

ସେହି ସମୟରୁ ଗଞ୍ଜାମ ଜିଲ୍ଲାର ଏହି ଭାଷା ଭିତ୍ତିରେ ରାଜ୍ୟ ଗଠନ କରିବା ପାଇଁ ବୀଜ ବୀପନ ହୋଇଥିଲା । ତେଣୁ ଏହି ଇତିହାସକୁ ଗତିଶୀଳ କରିବା ପାଇଁ ପରମୂହୁର୍ତ୍ତରେ ୧୯୦୨ ମସିହାରେ ଗଞ୍ଜାମର ଖଲ୍ଲିକୋଟ ରାଜା ଗଞ୍ଜାମ ସମ୍ମିଳନୀ କରିବା ପାଇଁ ରମ୍ଭା ରାଜପ୍ରାସାଦରେ ବିଭିନ୍ନ ବ୍ୟକ୍ତିମାନଙ୍କୁ ନେଇ ଗଠନ କରିଥିଲେ । ବ୍ରହ୍ମପୁର ସହରରେ ଗଞ୍ଜାମ ସମ୍ମିଳନୀ କରିବା ପାଇଁ ରାଜ୍ୟର ଜନନାୟକମାନଙ୍କୁ ଏକତ୍ରୀକରଣ କରିଥିଲେ । ଏହି ଏକତ୍ରୀକରଣର ରୂପ ନେଇଥିଲା ଉତ୍କଳ ସମ୍ମିଳନୀ । ୧୯୦୩ ମସିହାରୁ ଉତ୍କଳ ସମ୍ମିଳନୀ ଗଠିତହୋଇ ବିଭିନ୍ନ ବିଷୟରେ ଆଲୋଚନା କରି ଶେଷରେ ୧୯୩୬ ଏପ୍ରିଲ ୧ ତାରିଖରେ ଭାଷାଭିତ୍ତିକ ସ୍ୱତନ୍ତ୍ର ରାଜ୍ୟ ଆମେ ପାଇପାରିଛନ୍ତି, ଏହା କାହାକୁ ଅଛପା ନାହିଁ ।

ଦୁଃଖ ଓ ପରିତାପର ବିଷୟ ଏହି ଯେ, ଯେଉଁ ଆନ୍ଦୋଳନର କର୍ଣ୍ଣଧାର ଭେଙ୍କଟଶ୍ୱର ଦେଓ ଥିଲେ । ଆମେ ଆଜି ତାହାଙ୍କୁ ସମ୍ପୂର୍ଣ୍ଣ ଭାବେ ଭୁଲି ଯାଇଛନ୍ତି । ଯେପରି ଅଟ୍ଟାଳିକାର ନିର୍ମିତ ସୌନ୍ଦର୍ଯ୍ୟକୁ ଆମେ ଦେଖନ୍ତି ମାତ୍ର ତାହାର ପୁନାଦିକୁ ଦେଖି ପାରନ୍ତି ନାହିଁ । ସେହିପରିଭାବେ ଆମେ ଭାଷାଭିତ୍ତିକ ରାଜ୍ୟର ପ୍ରାସାଦକୁ ଦେଖି ଖୁସି ହୋଇପାରୁଛେ । ନିର୍ମାଣକାରୀଙ୍କୁ ଜାଣିବାକୁ ଇଚ୍ଛୁକ ନୁହନ୍ତି, ଯାହା ଫଳରେ ଏମିତି ଅନେକ ବ୍ୟକ୍ତିଙ୍କ ଅବଦାନ ଓ ବଳିଦାନକୁ ଭୁଲିବା ସହ ଇତିହାସକୁ ନିରବିତ କରିବା ଉଚିତ ନୁହେଁ । ବରଂ ସେମାନଙ୍କୁ ଉଜ୍ଜୀବୀତ କରିବା ଆମର ଦାୟିତ୍ୱ ଓ କର୍ତ୍ତବ୍ୟ ।

ଓଡ଼ିଆ ଭାଷା ଓ ସାହିତ୍ୟରେ ଯେଉଁ ସମୟରେ କଳାବାଦଲ ଘୋଟି ଓଡ଼ିଆଙ୍କ ଜାତିକୁ ବିପନ୍ନ କରିଥିଲା । ସେହି ସମୟରେ କାଟିଙ୍ଗାରାଜା ଭେଙ୍କଟଶ୍ୱର ଦେଓଙ୍କ ନେତୃତ୍ୱରେ ଓଡିଆ ଭାଷା ଓ ସାହିତ୍ୟ ସଂସ୍କୃତିକୁ ସଙ୍ଗଠିତ କରିଥିଲେ । ଯେଉଁ କୁଚକ୍ରୀମାନଙ୍କ ଦ୍ୱାରା ଓଡ଼ିଆଭାଷା ପ୍ରତି ମାରଣନୀତିର ଷଡ଼ଯନ୍ତ୍ର ଚାଲିଥିଲା, ସେହି ସମୟରେ ଭେଙ୍କଟଶ୍ୱର ଦେଓ ତୀବ୍ର ବିରୋଧ କରି ସଫଳତା ହାସଲ କରିଥିଲେ । ଏହା ହଁ ପ୍ରଥମ ଭାଷା ସୁରକ୍ଷାପାଇଁ ଐତିହାସିକ ଆନ୍ଦୋଳନ । ଗୋଟିଏ ଭାଷା ବଞ୍ଚିଲେ ଗୋଟିଏ ଜାତି ବଞ୍ଚିବ । ଗୋଟିଏ ଜାତି ବଞ୍ଚିଲେ, ଗୋଟିଏ ଦେଶ ବା ରାଜ୍ୟ ବଞ୍ଚିଥାଏ ।

ଏହି ଆନ୍ଦୋଳନକୁ ଆଗକୁ ନେବାପାଇଁ ବହୁ ଅନୁଷ୍ଠାନ ଓ ପତ୍ର ପତ୍ରିକାର ଜନ୍ମ ନେଇଥିବା କଥା ଆମେ ଅଳ୍ପେ ବହୁତ ଜାଣିଛେ । ଏହା କେବଳ ଭେଙ୍କଟଶ୍ୱର ଦେଓଙ୍କ ପାଇଁଁ ସମ୍ଭବ ହୋଇଛି ।

ଭେଙ୍କଟେଶ୍ୱର ଦେଓଙ୍କୁ ଓଡ଼ିଆ ଭାଷା ଆନ୍ଦୋଳନର ପ୍ରଥମ ସଂଗ୍ରାମୀ ବା ଆଦିପୁରୁଷ କୁହାଯାଇପାରେ ।

ସହାୟକ ଗ୍ରନ୍ଥ ସୂଚୀ

  1. ଗଞ୍ଜାମ ଭୂଗୋଳ – ମହେନ୍ଦ୍ର ପଟ୍ଟନାୟକ, ୧୯୩୬
  2. ଓଡିଶା ଇତିହାସ -ବିଷ୍ଣୁ ଚରଣ ପଣ୍ଡା
  3. ଓଡ଼ିଆ ଆନ୍ଦୋଳନର ଇତିହାସ -ବଳରାମ ମହାନ୍ତି
  4. ରାଜକବି କୃଷ୍ଣସିଂହଙ୍କ କୃତି ଓ କୃତିତ୍ୱ (ସନ୍ଦର୍ଭ)- ଗବେଷକ ଡକ୍ଟର ଲକ୍ଷ୍ମୀ ନାରାୟଣ ଦାଶ

Comments

0 comments

Share This Article