“ଏକମ୍ ସଦ ବିପ୍ରାଃ ବହୁଧା ବଦନ୍ତି ।” ଏହି ବାକ୍ୟଟିର ଅର୍ଥ ହେଲା: ସତ୍ୟ ଏକ କିନ୍ତୁ ଜ୍ଞାନୀମାନେ ତାକୁ ବିଭିନ୍ନ ଭାବରେ କହିଥାନ୍ତି । କିନ୍ତୁ ଆମକୁ ଏଠାରେ ମନେ ରଖିବାକୁ ହେବ ଯେ ଜ୍ଞାନୀମାନେ ଏହି “ସତ୍ୟ” ଶବ୍ଦକୁ ବିଭିନ୍ନ ଭାବରେ ବ୍ୟବହାର କରିଥାନ୍ତି ।
“ସତ୍ୟ ହିଁ ଭଗବାନ ।” ବୋଲି କହିଲା ବେଳେ ସେମାନେ “ସତ୍ୟ” ଶବ୍ଦକୁ ଭଗବାନ ଅର୍ଥରେ ବ୍ୟବହାର କରିଥାନ୍ତି । — ସତ୍ୟ ତଥା ଭଗବାନ ଏକ ଓ ଅଭିନ୍ନ । ଏହା ହେଲା “ସତ୍ୟ” ଶବ୍ଦର ଅଧିଭୌତିକ ବା metaphysical ବ୍ୟବହାର । ଏହି ଅର୍ଥରେ ଉଦ୍ଧୃତ ବାକ୍ୟର ଅର୍ଥ ହେବ — ଭଗବାନ ଏକ ଅଥଚ ଜ୍ଞାନୀମାନେ ତାଙ୍କୁ ବିଭିନ୍ନ ଭାବରେ ବର୍ଣ୍ଣନା କରିଥାନ୍ତି । କିନ୍ତୁ ଆମେ ଦେଖୁ ବିଭିନ୍ନ ଧର୍ମରେ ଜ୍ଞାନୀମାନେ ଭଗବାନଙ୍କ ସମ୍ପର୍କରେ ଯେଉଁସବୁ ଭିନ୍ନ ଭିନ୍ନ ବର୍ଣ୍ଣନାମାନ ଦେଇଛନ୍ତି ଅଧିକାଂଶ ସ୍ଥଳେ ସେଗୁଡ଼ିକ ପରସ୍ପର ବିରୋଧୀ । ତେଣୁ ସକଳ ମାନବ ଜାତି ସେହି ଏକା ଭଗବାନଙ୍କୁ ପୂଜା କରନ୍ତି ବୋଲି କୁହା ଯାଉଥିଲେ ମଧ୍ୟ ବିଭିନ୍ନ ଧର୍ମର ଅନୁଗାମୀମାନଙ୍କ ମଧ୍ୟରେ ରହିଥିବା ଦ୍ୱନ୍ଦ୍ୱ, ଅସହିଷ୍ଣୁତା ଓ ହିଂସାଭାବର ମୂଳରେ ରହିଛି ଜ୍ଞାନୀମାନଙ୍କର ଏହି ପରସ୍ପର ବିରୋଧୀ ବର୍ଣ୍ଣନାବଳୀ । ସେଗୁଡ଼ିକ ମଧ୍ୟରୁ କେଉଁଗୁଡ଼ିକ ସତ ଏବଂ କେଉଁଗୁଡ଼ିକ ମିଛ କୌଣସି ଭାବର ସାର୍ବଜନୀନ ପଦ୍ଧତ୍ତିରେ ଜାଣିବାର ବାଟ ନାହିଁ । ସମସ୍ତ କଥା କେବଳ ବିଶ୍ୱାସର କଥା । ବିଭିନ୍ନ ଧର୍ମର ଅନୁଗାମୀମାନଙ୍କ ପାଇଁ ନିଜନିଜ ଧର୍ମର ସବୁ କଥା ସତ — ମିଛର ପ୍ରଶ୍ନ ନାହିଁ, ସନ୍ଦେହର ପ୍ରଶ୍ନ ନାହିଁ । ଯିଏ ଯେଉଁଥିରେ ବିଶ୍ୱାସ କଲା ସେହି ଅନୁସାରେ ନିଜ ଜୀବନକୁ ପରିଚାଳିତ କଲା । ତଦ୍ୱାରା କାହାର ବିରୋଧ ହେଲା, କାହା ପ୍ରତି ହିଂସା ହେଲା, ସେଥିରେ ସେମାନଙ୍କର କିଛି ଯାଏ ଆସେ ନାହିଁ । — ଧାର୍ମିକ ବିଶ୍ୱାସ ପାଇଁ ସେମାନେ ଜୀବନ ଦେବା ପାଇଁ ପ୍ରସ୍ତୁତ, ଜୀବନ ନେବା ପାଇଁ ମଧ୍ୟ ସଦା ପ୍ରସ୍ତୁତ । ତେଣୁ ଉଦ୍ଧୃତ ବାକ୍ୟରେ “ସତ୍ୟ” ଶବ୍ଦଟି ଯେଉଁ ଅର୍ଥରେ ବ୍ୟବହୃତ ହୋଇଛି ତାହା ଆମ ଚର୍ଚ୍ଚାର ଅନ୍ତର୍ଭୂକ୍ତ ନୁହେଁ ।
“ସତ୍ୟ” ଶବ୍ଦର ଅନ୍ୟ ଏକ ବ୍ୟବହାରରେ ଏହା ସତ୍ତା ବା reality ସହ ଏକାକାର କରାଯାଇ ଥାଏ । ଏହା ମଧ୍ୟ “ସତ୍ୟ” ଶବ୍ଦର ଅନ୍ୟ ଏକ ଧରଣର ଅଧିଭୌତିକ ବା metaphysical ବ୍ୟବହାର । ଏଠାରେ ସତ୍ୟ ଓ ତଥ୍ୟକୁ ଏକାକାର କରାଯାଇ ଥାଏ । ସତ୍ୟ ଓ ତଥ୍ୟ ଅଭିନ୍ନ ବୋଲି କୁହା ଯାଇଥାଏ । ଏହି ବ୍ୟବହାର ଅନୁସାରେ ଉଦ୍ଧୃତ ବାକ୍ୟର ଅର୍ଥ ହେବ — ତଥ୍ୟ ଏକ ଅଥଚ ଜ୍ଞାନୀମାନେ ତାକୁ ବିଭିନ୍ନ ଭାବରେ ବର୍ଣ୍ଣନା କରିଥାନ୍ତି । କିନ୍ତୁ ଦେଖିବାକୁ ମିଳେ ଯେ ସୂର୍ଯ୍ୟାସ୍ତ କାଳରେ ପଶ୍ଚିମ ଆକାଶର ସୌନ୍ଦର୍ଯ୍ୟକୁ ଦେଖି ବିଭିନ୍ନ ଲୋକ ବିଭିନ୍ନ ଭାବରେ ବର୍ଣ୍ଣନା କରି ପାରନ୍ତି । ଯାହା ନିକଟରେ ଯେତେ ଅଧିକ ରଙ୍ଗ-ଶବ୍ଦ ଅଛି ଓ ବର୍ଣ୍ଣନା କରିବା ଶକ୍ତିରେ ଯିଏ ଯେତେ ଅଧିକ ପାରଙ୍ଗମ, ତାହାର ବର୍ଣ୍ଣନା ସେହି ଅନୁସାରେ ଅଧିକ ବ୍ୟାପକ ଓ ସୁନ୍ଦର ହେବ । ତଥାପି ଏଠାରେ ତଥ୍ୟ ଏକ ଅଥଚ ବର୍ଣ୍ଣନା ଭିନ୍ନ ଭିନ୍ନ । ଯଦି ତଥ୍ୟ ଓ ସତ୍ୟ ଏକ ତେବେ ଏକା ତଥ୍ୟ ଉପରେ ପର୍ଯ୍ୟବେଷିତ ଏହି ସମସ୍ତ ବର୍ଣ୍ଣନା ସତ୍ୟ ହୋଇଥାନ୍ତା, କିନ୍ତୁ ତା ଦେଖା ଯାଏନି । କୋଠା ତଳେ ଲୋକଟିଏ ମରି ପଡ଼ିଛି — ଏହା ହେଲା ଏକ ତଥ୍ୟ । ଏହି ତଥ୍ୟକୁ ବିଭିନ୍ନ ବ୍ୟକ୍ତି ବିଭିନ୍ନ ଭାବରେ ପ୍ରକାଶ କରି ପାରନ୍ତି । କିଏ କହିପାରେ: (୧) “ଲୋକଟି କୋଠାରୁ ପଡ଼ି ମଲା ।” ଆଉ କିଏ କହି ପାରେ: (୨) “ଲୋକଟି କୋଠାରୁ ଡେଇଁ ଆତ୍ମହତ୍ୟା କଲା ।” (୩) “ସାତ ତାଲା କୋଠାରୁ ଡେଇଁ ଲୋକଟି ଆତ୍ମହତ୍ୟା କଲା ।” (୪) “ଅଶିଏ ଫୁଟ ଉଚ୍ଚ କୋଠାରୁ ଡେଇଁ ଲୋକଟି ଆତ୍ମହତ୍ୟା କଲା ।” (୫) “କେହି ଜଣେ ଲୋକଟିକୁ କୋଠାରୁ ପେଲି ଦେଇ ହତ୍ୟା କଲା ।” ଇତ୍ୟାଦି। ଏହି ବାକ୍ୟଗୁଡ଼ିକୁ ନୀରିକ୍ଷଣ କଲେ ଆମେ ଦେଖିବା ଯେ (୧), (୨), (୩) ଓ (୪) ଏକତ୍ର ସତ ହୋଇ ପାରନ୍ତି ଏବଂ ସେଗୁଡ଼ିକ ଯଦି ସତ ତେବେ (୫) ମିଛ ଓ (୫) ଯଦି ସତ ତେବେ ଅନ୍ୟଗୁଡ଼ିକ ମିଛ । ଅପର ପକ୍ଷରେ, ଲୋକଟି ଯଦି ଆତ୍ମହତ୍ୟା କରି ନଥାଏ ତେବେ (୨), (୩) ଓ (୪) ମିଛ । ଅଥଚ (୨) ସହ (୩) ଅବା (୪)କୁ ତୁଳନା କଲେ ଆମେ ଦେଖିବା ଯେ (୩) ଅବା (୪), (୨) ଅପେକ୍ଷା ଅଧିକ ସୂଚନା ଦିଏ, ତେଣୁ ଅଧିକ ନିର୍ଦ୍ଦିଷ୍ଟ । ଯେଉଁ ବାକ୍ୟ ଯେତେ ଅଧିକ ସୂଚନା ଦେବ, ଯେତେ ଅଧିକ ନିର୍ଦ୍ଦିଷ୍ଟ ହେବ, ତାର ମିଛ ପ୍ରମାଣିତ ହେବାର ସମ୍ଭାବନାଟା ସେତେ ବେଶି। “ସତ୍ୟ” ଶବ୍ଦର ଏପରି ଧରଣର ଅତିପ୍ରାକୃତିକ ବ୍ୟବହାରରେ ମଧ୍ୟ ଆମର ସ୍ପୃହା ନାହିଁ ।
“ଏକମ୍ ସଦ ବିପ୍ରାଃ ବହୁଧା ବଦନ୍ତି ।” ବୋଲି କୁହା ଯାଉଥିଲେ ମଧ୍ୟ ଆମେ ଜ୍ଞାନ ବୋଲି ଯାହାକୁ କହୁ ତାହା ବିଭିନ୍ନ ପ୍ରକାର ସତ୍ୟର ଏକ ଭଣ୍ଡାର । ଆମ ଜ୍ଞାନ ଭଣ୍ଡାରରେ ବିଭିନ୍ନ ପ୍ରକାରର ସତ୍ୟ ରହିଛି ଏବଂ ସେହି ସତ୍ୟଗୁଡ଼ିକର ନିର୍ଦ୍ଧାରଣର ଧାରା ମଧ୍ୟ ଭିନ୍ନ ଭିନ୍ନ । ଏହି ସଂସାର ସମ୍ପର୍କରେ କିଛି ସୂଚନା ଦେବା ପାଇଁ ଯେଉଁ ବାକ୍ୟଗୁଡ଼ିକ ବ୍ୟବହାର ହୋଇଥାଏ ସେଗୁଡ଼ିକରୁ କିଛି ସତ ହୋଇପାରେ ଓ ଆଉ କିଛି ମିଛ ହୋଇପାରେ । ଏହି ଧରଣର ସତମିଛ ବା ସତ୍ୟାସତ୍ୟ ହିଁ ଆମ ଆଲୋଚନାର ବିଷୟବସ୍ତୁ ।
ବିଭିନ୍ନ ପ୍ରକାରର ସତ୍ୟ ମଧ୍ୟରୁ ପ୍ରଥମେ ଗାଣିତିକ ସତ୍ୟ କଥା ବିଚାର କରାଯାଉ । “୩+୨=୫” — ଏହା ଏକ ଗାଣିତିକ ବାକ୍ୟ । ଏହି ବାକ୍ୟଟି ଯାହା କହୁଛି ତାହା ସତ । କିନ୍ତୁ ଆମେ ଯଦି “୩+୨=୪” କହିବା ତେବେ ତାହା ମିଛ ହେବ । ଆମେ ଏଠାରେ “ସତ”, “ମିଛ” ଶବ୍ଦଗୁଡ଼ିକୁ ବ୍ୟବହାର କରି କହିଲେ, ଅଥଚ ଶିକ୍ଷକ ଶ୍ରେଣୀଗୃହରେ “ଠିକ୍”, “ଭୁଲ” ଶବ୍ଦଗୁଡ଼ିକୁ ବ୍ୟବହାର କରି କହନ୍ତି । ଶିକ୍ଷକ ଏହି ଶବ୍ଦଗୁଡ଼ିକ ବ୍ୟବହାର କରିବାର ଅର୍ଥ ହେଲା ଉତ୍ତର ଯଦି ଗଣିତଶାସ୍ତ୍ରର ନିୟମାବଳୀ ଅନୁସାରେ ହୋଇଛି ତେବେ ତାହା ଠିକ୍ (ସତ), ଅନ୍ୟଥା ଭୁଲ (ମିଛ) । ତେଣୁ ଗାଣିତିକ ସତ୍ୟାସତ୍ୟ ଗାଣିତିକ ନିୟମାବଳୀ ଉପରେ ନିର୍ଭର କରେ । ଗାଣିତିକ ସତ୍ୟ ଗାଣିତିକ ନିୟମାନୁବର୍ତ୍ତୀ । ବିଭିନ୍ନ ନିୟମଗୁଚ୍ଛର ଭିତ୍ତିରେ ବିଭିନ୍ନ ଧରଣର ଗଣିତ ସୃଷ୍ଟି କରାଯାଇ ପାରେ ।
“ବିରାଡ଼ିଟି ଆସନ ଉପରେ ବସିଛି ।” ଏହା ଏକ ଅନୁଭୂତିଭିତ୍ତିକ ବାକ୍ୟ । ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଆମକୁ ଅନୁଭୂତିର ସାହାଯ୍ୟ ନେବାକୁ ହେବ । ଅନୁଭୂତି ବିନା ଏହାର ସତ୍ୟାସତ୍ୟ ଜାଣି ହେବନି । ଆମକୁ ଦେଖିବାକୁ ହେବ ବିରାଡ଼ିଟିଏ ଅଛି କି ନାହିଁ, ଆସନଟିଏ ଅଛି କି ନାହିଁ, ଯଦି ବିରାଡ଼ି ଓ ଆସନ ଉଭୟ ଅଛି, ତେବେ ଆମକୁ ଦେଖିବାକୁ ହେବ ବିରାଡ଼ିଟା ଆସନ ଉପରେ ବସିଛି କି ନାହିଁ । ଯଦି ବସିଥିବ, ବାକ୍ୟଟି ସତ୍ୟ । ଅନ୍ୟଥା ମିଥ୍ୟା । ଅନୁଭୂତିଭିତ୍ତିକ ବାକ୍ୟଗୁଡ଼ିକର ସତ୍ୟାସତ୍ୟ ଏହିଭାବେ ନିରୁପଣ କରାଯାଏ ।
“ସମସ୍ତ କାଉ କଳା ।” ଏହି ବାକ୍ୟଟି ମଣିଷର ବହୁ ଅନୁଭୂତିକୁ ଏକାଠି ବାନ୍ଧି ଏକ ସାର୍ବୀକ ବା ସାଧାରଣ ବାକ୍ୟରେ ପ୍ରକାଶ କରେ । ସତ୍ୟାସତ୍ୟ ଜାଣିବା ପାଇଁ ଗୋଟିଏ ଦୁଇଟି କାଉର ରଙ୍ଗକୁ ଦେଖି ଏହି ସାର୍ବୀକ ବାକ୍ୟଟିର ସତ୍ୟାସତ୍ୟ ଜାଣି ପାରିବାନି । ସତ୍ୟାସତ୍ୟ ଜାଣିବା ପାଇଁ ଭୂତ, ବର୍ତ୍ତମାନ ଓ ଭବିଷ୍ୟତର ସମସ୍ତ କାଉକୁ ଏକାଠି ମଧ୍ୟ କରି ପାରିବାନି । ଅଥଚ ମଣିଷ ଅତୀତରେ କେବେ ଅନ୍ୟ ରଙ୍ଗର କାଉ ଦେଖଥିବା କଥା କେଉଁଠି ବି ବର୍ଣ୍ଣିତ ହୋଇନି । ଯେଉଁଠି ବି କାଉର ରଙ୍ଗ ବିଷୟରେ ବର୍ଣ୍ଣନା ରହିଛି, ତାର ରଙ୍ଗ କଳା ବୋଲି ବର୍ଣ୍ଣିତ ହୋଇଛି । ବର୍ତ୍ତମାନର ମଣିଷ ମଧ୍ୟ ଅନ୍ୟ ରଙ୍ଗର କାଉ ଦେଖୁନି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ବିରୋଧୀ ଅନୁଭୂତିର ଅଭାବ ଓ ମଣିଷ ଭବିଷ୍ୟତରେ ଅନ୍ୟ ରଙ୍ଗର କାଉ ହୁଏତ ଦେଖିବନି ଏହି ଆଶା ନେଇ ଏହି ସାର୍ବୀକ ବା ସାଧାରଣ ବାକ୍ୟଟିକୁ ସତ୍ୟ ବୋଲି ଗ୍ରହଣ କରା ଯାଇଥାଏ । ତଥାପି ଏହାର ବିରୋଧୀ ଅନୁଭୂତି, ଅର୍ଥାତ୍ ଅନ୍ୟ ରଙ୍ଗର ଏକ କାଉ, ଯେଉଁ ଦିନ ମଣିଷ ଦେଖିବ ସେହି ଦିନ ଏହି ସାର୍ବୀକ ବାକ୍ୟଟି ମିଥ୍ୟା ପ୍ରମାଣିତ ହେବ । “ସମସ୍ତ ହଂସ ଧଳା ।” — ଅତୀତରେ ବିରୋଧୀ ଅନୁଭୂତିର ଅଭାବରୁ ଏହି ସାର୍ବୀକ ବା ସାଧାରଣ ବାକ୍ୟଟିକୁ ସତ୍ୟ ବୋଲି ଗ୍ରହଣ କରା ଯାଉଥିଲା । କିନ୍ତୁ ପରବର୍ତ୍ତୀ କାଳରେ ଅଷ୍ଟ୍ରେଲିଆରେ କିଛି ପକ୍ଷୀ ମଣିଷର ନଜରକୁ ଆସିଲା ଯେଉଁମାନଙ୍କ ନିକଟରେ ହଂସର ସମସ୍ତ ସାଂଜ୍ଞିକ ଗୁଣ ଥିଲା ଅଥଚ ରଙ୍ଗରେ କଳା । ଏହା ଫଳରେ ସତ୍ୟ ବୋଲି ଧରା ଯାଉଥିବା ବାକ୍ୟ — “ସମସ୍ତ ହଂସ ଧଳା ।” — ମିଥ୍ୟା ପ୍ରମାଣିତ ହେଲା । ବର୍ତ୍ତମାନ କେତେକ ହଂସ ଧଳା ତ ଆଉ କେତେକ ହଂସ କଳା । କେତେକ କ୍ଷେତ୍ରରେ ସକଳ ମାନବଜାତି ନିକଟରେ ବିରୋଧୀ ତଥ୍ୟର ଅଭାବ “ସମସ୍ତ କାଉ କଳା ।” ଭଳି ସାର୍ବୀକ ବା ସାଧାରଣ ବାକ୍ୟଗୁଡ଼ିକୁ ସତ୍ୟ ବୋଲି ଗ୍ରହଣ କରିବା ପାଇଁ ପ୍ରୋତ୍ସାହନ ଦେଇଥାଏ।
ଅନ୍ୟ ଏକ ସାର୍ବୀକ ବାକ୍ୟ ବିଚାରକୁ ନିଅନ୍ତୁ — “ସମସ୍ତ ମଣିଷ ମରଣଶୀଳ ।” ଏହି ସାର୍ବୀକ ବାକ୍ୟଟି “ସମସ୍ତ କାଉ କଳା ।” ଭଳି ଅନୁଭୂତିଭିତ୍ତିକ । କିନ୍ତୁ ଏହାର ବିରୋଧୀ ତଥ୍ୟ — ଅମର ମଣିଷଟିଏ — ର ଅଭାବ ଯୋଗୁଁ ଏହାକୁ ସତ୍ୟ ବୋଲି ଗ୍ରହଣ କରାଯାଇ ନଥାଏ । ଏହାର ସତ୍ୟତା ପ୍ରତିଷ୍ଠା କରିବାର ମାର୍ଗ ସ୍ୱତନ୍ତ୍ର । ଏହାର ସତ୍ୟତା ମଣିଷ ଓ ମରଣ ମଧ୍ୟରେ ଥିବା କାରଣ-କାର୍ଯ୍ୟ ସମ୍ପର୍କ ଉପରେ ପ୍ରତିଷ୍ଠିତ । ଯଦି କେହି ଜଣେ ମଣିଷ ହେଇଥିବ, ତେବେ ସେ ନିଶ୍ଚୟ ମରିବ, ଏଥିରେ ସନ୍ଦେହ ନାହିଁ । ମଣିଷ ଓ ମରଣ ମଧ୍ୟରେ ଥିବା କାରଣ-କାର୍ଯ୍ୟ ସମ୍ପର୍କ ଯୋଗୁଁ ତାହା ନିଶ୍ଚିତ । ଏଭଳି ବାକ୍ୟର ସତ୍ୟାସତ୍ୟ କାରଣ-କାର୍ଯ୍ୟ ସମ୍ପର୍କ ଉପରେ ପ୍ରତିଷ୍ଠିତ ।
ପରମାଣୁ ତତ୍ତ୍ୱ କଥା ବିଚାରକୁ ନିଅନ୍ତୁ । ପରମାଣୁଟିଏ କେହି କେବେ ସ୍ୱଚକ୍ଷୁରେ ଅବା ଶକ୍ତିଶାଳୀ ଅଣୁବିକ୍ଷଣ ଯନ୍ତ୍ର ସାହାଯ୍ୟରେ ଦେଖି ନାହିଁ । ଅତି ଶକ୍ତିଶାଳୀ କ୍ୟାମେରା ସାହାଯ୍ୟରେ ତାର ଫୋଟ ମଧ୍ୟ ନିଆଯାଇ ପାରିନାହିଁ । କିନ୍ତୁ ପରମାଣୁ ତତ୍ତ୍ୱର ପ୍ରୟୋଗ ଯୋଗୁଁ ଆମେ ଦେଖୁଛେ ପରମାଣୁ ଜାତ ବିଦ୍ୟୁତଶକ୍ତି ଦ୍ୱାରା ଆମର କଳକାରଖାନା ଚାଲିବା ସଙ୍ଗେ ସଙ୍ଗେ ସହର ଓ ଗ୍ରାମାଞ୍ଚଳ ଆଲୋକିତ କରି ମଣିଷର ଜୀବନକୁ ସୁଖମୟ କରୁଛି । ପୁଣି ସେହି ପରମାଣୁ ତତ୍ତ୍ୱର ପ୍ରୟୋଗ ବଳରେ ପରମାଣୁ ବୋମା ତିଆରି ହୋଇ ସମଗ୍ର ମାନବ ସଭ୍ୟତା ତଥା ଜୀବଜଗତକୁ ଧ୍ୱଂସର ଗହ୍ୱର ଆଡ଼କୁ ଠେଲି ନେଉଛି । କୌଣସି ଭାବରେ ହେଲେ ପରମାଣୁଟିଏ ନ ଦେଖିଲେ ମଧ୍ୟ ପରମାଣୁ ତତ୍ତ୍ୱର କାର୍ଯ୍ୟକାରିତା ଗୁଣକୁ ବିଚାରକୁ ନେଇ ପରମାଣୁ ତତ୍ତ୍ୱକୁ ସତ୍ୟ ବୋଲି ଆମେ ବିଚାର କରିଥାଉ । ଏଭଳି କ୍ଷେତ୍ରରେ କାର୍ଯ୍ୟକାରିତା ବାକ୍ୟଟିର ସତ୍ୟାସତ୍ୟର ମାପକାଠି ବୋଲି ଧରା ଯାଇଥାଏ ।
ଜ୍ଞାନର ବିଭିନ୍ନ କ୍ଷେତ୍ରରେ system building ବା ତନ୍ତ୍ର ଗଠନ କରାଯାଇ ଥାଏ । ଏହି ଧାରାରେ ଜ୍ୟାମିତିକୁ ଏକ system ବା ତନ୍ତ୍ର କୁହାଯାଇ ଥାଏ । ଗୋଟିଏ ନୂତନ ବାକ୍ୟ ଯଦି ତନ୍ତ୍ର ମଧ୍ୟରେ ଥିବା ଅନ୍ୟ ବାକ୍ୟଗୁଡ଼ିକର ସମର୍ଥନ ପାଇ ଓ ଅନ୍ୟ ବାକ୍ୟଗୁଡ଼ିକୁ ସମର୍ଥନ ଯୋଗାଇ ପରସ୍ପରର ପରିପୂରକ ହୋଇ ତନ୍ତ୍ର ମଧ୍ୟରେ ଦ୍ୱନ୍ଦ୍ୱବିହୀନ ସହାବସ୍ଥାନ କରେ ତେବେ ବାକ୍ୟଟିକୁ ସତ୍ୟ ବୋଲି ଗ୍ରହଣ କରା ଯାଇଥାଏ । ଏହି ଧାରାନୁସାରେ କୌଣସି ଏକ ବାକ୍ୟ ସତ ନା ମିଛ ଜାଣିବା ପାଇଁ ବାକ୍ୟଟି ଏକ ତନ୍ତ୍ର ମଧ୍ୟରେ ଦ୍ୱନ୍ଦ୍ୱ ବିହୀନ ସହାବସ୍ଥାନ କରି ପାରୁଛି କି ନାହିଁ ତାହା ଦେଖିବାକୁ ପଡ଼ିଥାଏ । ଏବଂ ସେହି ପ୍ରକ୍ରିୟାର ଫଳ ହିଁ ସ୍ଥିର କରେ ଏକ ବାକ୍ୟର ସତ୍ୟାସତ୍ୟ ।
“ଅଯୋଧ୍ୟାର ରାଜା ଦଶରଥଙ୍କର ଜ୍ୟେଷ୍ଠ ପୁତ୍ର ରାମ ସୀତାଙ୍କ ସ୍ୱାମୀ ଅଟନ୍ତି ।” ଏହି ବାକ୍ୟର ସତ୍ୟାସତ୍ୟ ଆମକୁ ରାମାୟଣ ଗ୍ରନ୍ଥ ମଧ୍ୟରେ ଖୋଜିବାକୁ ହେବ । ରାମାୟଣ ବାହାରେ ଖୋଜିଲେ ଏହାର ସତ୍ୟାସତ୍ୟ ନିର୍ଦ୍ଧାରଣ କରି ହେବନି । ରାମାୟଣ ରେ ଯଦି ସେପରି କୌଣସି ବର୍ଣ୍ଣନା ଥିବ ତେବେ ବାକ୍ୟଟି ସତ । ଯଦି ନଥାଏ ବାକ୍ୟଟି ମିଛ ।
ଆଉ କେତେକ ବାକ୍ୟ ସର୍ବଦା ସତ୍ୟ । ତାହା ଦୁଇ ପ୍ରକାରର । ପ୍ରଥମ ପ୍ରକାରର ସତ୍ୟ ତର୍କଶାସ୍ତ୍ର ଓ ଗଣିତଶାସ୍ତ୍ରରେ ଦେଖିବାକୁ ମିଳେ । ଉଦାହରଣ ସ୍ୱରୂପ, “କ କ ଅଟେ ।”, “କାଉ କଳା ଓ ଅ-କଳା ଉଭୟ ହୋଇ ପାରିବନି ।” ଏଭଳି ସ୍ୱତଃସିଦ୍ଧ ବାକ୍ୟଗୁଡ଼ିକ ତର୍କଶାସ୍ତ୍ରର ମୂଳଭିତ୍ତି। “(କ+ଖ)୨=କ୨+ଖ୨+୨କଖ” — ଗାଣିତିକ ନିୟମାନୁସାରେ ଏହା ସର୍ବଦା ସତ୍ୟ। ସେପରି ସଂସାରରେ ଯାହା ଘଟୁଥିଲେ ମଧ୍ୟ — “ବର୍ଷା ହେଉଛି ବା ହେଉନି ।” — ଏହି ବାକ୍ୟଟି ସର୍ବଦା ସତ୍ୟ ।
ଅନ୍ୟ ପ୍ରକାରର ସର୍ବଦା ସତ୍ୟ ବୋଲି ବିଚାର କରା ଯାଉଥିବା ବାକ୍ୟଗୁଡ଼ିକ ହେଲା ଜ୍ୟୋତିଷଶାସ୍ତ୍ରର ନିୟମାବଳୀ । ଜ୍ୟୋତିଷଶାସ୍ତ୍ରକୁ ଆଜିକାଲି ଅନେକ ଏକ ବିଜ୍ଞାନ ବୋଲି ମାନୁଛନ୍ତି । ବିଜ୍ଞାନର ନିୟମାବଳୀ ଭଳି ଏହାର ନିୟମାବଳୀ ଅଲଙ୍ଘନୀୟ ବୋଲି ଦାବୀ କରୁଛନ୍ତି। ସେଗୁଡ଼ିକ ସଂଶୟର ବାହାରେ ବୋଲି ବିଚାରୁଛନ୍ତି । ବିଜ୍ଞାନର ଯେ କୌଣସି ଏକ ନିୟମକୁ ଯଦି ଆମେ ବିଚାରକୁ ନେବା ତେବେ କେଉଁ କେଉଁ ଅବସ୍ଥାରେ ତାହା ମିଛ ପ୍ରମାଣିତ ହୋଇ ପାରିବ ତାର ସୂଚନା ଥାଏ ଅବା ବୈଜ୍ଞାନିକମାନେ ତାକୁ ମିଛ ପ୍ରମାଣିତ କରିବାର ଯେଉଁ ଧାରା ତାକୁ ଜାଣି ଥାଆନ୍ତି । ଜ୍ୟୋତିଷଶାସ୍ତ୍ରର ନିୟମ କ୍ଷେତ୍ରରେ କିନ୍ତୁ ସେପରି କିଛି ବ୍ୟବସ୍ଥା ନଥାଏ । ଗଣନା ଅନୁସାରେ ଫଳ ନ ଫଳିଲେ ତାହା ଭୁଲ ଭାବଚକ୍ର ଯୋଗୁଁ ବା ଅନ୍ୟ କାରଣରୁ ହୋଇଥାଇ ପାରେ, ଅଥଚ ଜ୍ୟୋତିଷଶାସ୍ତ୍ରର ନିୟମ ଯୋଗୁଁ ନୁହେଁ ବୋଲି ଧରା ଯାଇଥାଏ । ଜ୍ୟୋତିଷଶାସ୍ତ୍ରର ନିୟମ ନିର୍ଭୁଲ ବୋଲି ଗ୍ରହଣ କରା ଯାଇଥାଏ । ଧରାଯାଉ ଜ୍ୟୋତିଷଶାସ୍ତ୍ରରେ ଏପରି ଏକ ନିୟମ ରହିଛି ଯେ ଜଣେ କନ୍ୟାର ଭାବଚକ୍ରର ସପ୍ତମରେ ମଙ୍ଗଳ ରହିଲେ ସେ ବାଲ୍ୟ ବିଧବା ହେବ । ଜଣେ ସ୍ତ୍ରୀଲୋକର ଭାବଚକ୍ରରେ ତାହା ରହିଛି, ଅଥଚ ବୃଦ୍ଧା ବୟସ ପର୍ଯ୍ୟନ୍ତ ସେ ସଧବା ରହିଛନ୍ତି । ସେପରି କ୍ଷେତ୍ରରେ ନିୟମଟି ଭୁଲ ପ୍ରମାଣିତ ହେବା କଥା । କିନ୍ତୁ ତା ହେବନି । ସ୍ତ୍ରୀଲୋକଟିର ଭାବଚକ୍ରଟି ଭୁଲ ଅବା ସେ ବାଲ୍ୟକାଳରେ ମନେ ମନେ ପତି ରୂପେ ବରଣ କରିଥିବା ବ୍ୟକ୍ତିର ମୃତ୍ତ୍ୟୁ ହୋଇଥିବ ବା ଅନ୍ୟ କିଛି । ଅଥଚ ନିୟମଟି ନିର୍ଭୁଲ । ପୁଣି ଆଜିକାଲି ବାଲ୍ୟ ବିବାହ ଆଇନାନୁଯାୟୀ ମନା । ବାଲ୍ୟ ବିବାହ ନାହିଁ ତ ବାଲ୍ୟ ବିଧବା ହେବା ପ୍ରଶ୍ନ ଉଠୁନାହିଁ । ସେପରି ସ୍ଥଳେ ଜ୍ୟୋତିଷଶାସ୍ତ୍ରର ଏହି ନିୟମର ସ୍ଥିତି କଅଣ ?
ସତ୍ୟ ଏକ ନୁହେଁ, ସତ୍ୟ ବିଭିନ୍ନ ପ୍ରକାରର ଓ ସେଗୁଡ଼ିକର ସତ୍ୟାସତ୍ୟ ନିର୍ଦ୍ଧାରଣର ଧାରା ମଧ୍ୟ ଭିନ୍ନ ଭିନ୍ନ ବୋଲି ଆମେ କହିଲେ ଏବଂ ତହିଁ ମଧ୍ୟରୁ କେତୋଟିର ଉଦାହରଣ ଉର୍ଦ୍ଧ୍ୱରେ ବିଚାର କଲେ । ଆମେ ବର୍ତ୍ତମାନ ଧାର୍ମିକ ସତ୍ୟ କଥା ବିଚାର କରିବା ।
ପୃଥିବୀ ପୃଷ୍ଠରେ ବହୁ ପ୍ରକାରର ଧର୍ମ ରହିଛି । କାହାର ଅନୁଗାମୀ ସଂଖ୍ୟା ସ୍ୱଳ୍ପ ତ କାହାର ଅସଂଖ୍ୟ । କେଉଁଟା ସ୍ଥାନୀୟ ତ କେଉଁଟା ବିଶ୍ୱବ୍ୟାପୀ । କିନ୍ତୁ ସମସ୍ତ ଧର୍ମରେ ସତ୍ୟାସତ୍ୟ ନିର୍ଦ୍ଧାରଣର ମୂଳ ଭିତ୍ତି ହେଲା ବିଶ୍ୱାସ । “ସତ୍ୟାସତ୍ୟ ନିର୍ଦ୍ଧାରଣ” ବୋଲି କହିଲେ ମଧ୍ୟ ଭୁଲ ହେବ। କାରଣ ବିଶ୍ୱାସଟା ହେଲା ମୂଳ । ଯେପରି କୁହା ଯାଇଛି: ବିଶ୍ୱାସେ ଲଭଇ କୃଷ୍ଣ, ତର୍କେ ବହୁ ଦୂର । ଯାହା ବି ଯୁକ୍ତିତର୍କ ହୁଏ ବିଶ୍ୱାସ କରା ଯାଉଥିବା ତତ୍ତ୍ୱକୁ ଭିତ୍ତି କରି ଏବଂ ସେହି ବିଶ୍ୱାସକୁ ଦୃଢ଼ କରିବା ଉଦ୍ଦେଶ୍ୟ ନେଇ । ବିଶ୍ୱାସ ଭିତ୍ତିରେ ଧର୍ମ ମଣିଷର ସମ୍ପୂର୍ଣ୍ଣ ଆତ୍ମସମର୍ପଣ ଦାବୀ କରିଥାଏ । ଧର୍ମୀୟ ବାକ୍ୟଗୁଡ଼ିକର ସତ୍ୟାସତ୍ୟ ନିର୍ଭର କରେ ଆପଣଙ୍କ ବିଶ୍ୱାସ ଉପରେ। ଆପଣ ବିଶ୍ୱାସ କଲେ ସତ, ନ କଲେ ମିଛ ।
ଆପଣ ଯଦି ଜଣେ ହିନ୍ଦୁ, ତେବେ ଆପଣଙ୍କ ଧର୍ମଗ୍ରନ୍ଥଗୁଡ଼ିକରେ ଯେଉଁ ସମସ୍ତ କଥା କୁହା ଯାଇଛି ସେଗୁଡ଼ିକ ସବୁ ଆପଣଙ୍କ ପାଇଁ ସତ । ସେଗୁଡ଼ିକରେ ଉଲ୍ଲେଖ କରା ଯାଇଥିବା ଦେବଦେବୀ ମଧ୍ୟ ଆପଣଙ୍କ ପାଇଁ ବାସ୍ତବ । ବେଳେ ବେଳେ ସେମାନଙ୍କର ତଥା ଧର୍ମର ସୁରକ୍ଷା ପାଇଁ ଆପଣ ଜୀବନ ଦେବା ପାଇଁ ପ୍ରସ୍ତୁତ । ଜୀବନ ନେବା ପାଇଁ ମଧ୍ୟ ପ୍ରସ୍ତୁତ। ଅନ୍ୟାନ୍ୟ ଧର୍ମର ଧର୍ମଗ୍ରନ୍ଥଗୁଡ଼ିକ ଆପଣଙ୍କ ପାଇଁ କିଛି ମାନେ ରଖେନା । ସେଗୁଡ଼ିକର ଦେବାଦେବୀ ଆପଣଙ୍କ ପାଇଁ ଅବାସ୍ତବ ।
ସେପରି ଅନ୍ୟାନ୍ୟ ଧର୍ମର ଅନୁଗାମୀମାନେ ନିଜ ନିଜର ଧର୍ମବିଶ୍ୱାସ ଭିତରେ ବୁଡ଼ି ରହିଛନ୍ତି। ଆପଣଙ୍କ ଧର୍ମର ଧର୍ମଗ୍ରନ୍ଥଗୁଡ଼ିକ ସେମାନଙ୍କ ପାଇଁ କିଛି ମାନେ ରଖେନା । ଆପଣଙ୍କର ଦେବାଦେବୀ ସେମାନଙ୍କ ପାଇଁ ମଧ୍ୟ ଅବାସ୍ତବ । ବେଳେ ବେଳେ ଆପଣଙ୍କ ଭଳି ଧର୍ମର ସୁରକ୍ଷା ପାଇଁ ସେମାନେ ମଧ୍ୟ ଜୀବନ ଦେବା ପାଇଁ ପ୍ରସ୍ତୁତ । ଜୀବନ ନେବା ପାଇଁ ମଧ୍ୟ ପ୍ରସ୍ତୁତ । ଆପଣଙ୍କର ଧର୍ମୀୟ ବ୍ୟବହାର ଯେପରି ସେମାନଙ୍କର ଧର୍ମୀୟ ବ୍ୟବହାର ମଧ୍ୟ ଠିକ୍ ସେପରି ।
ଧର୍ମ ପରିବର୍ତ୍ତନ କଲେ ଘଟେ କଅଣ ? ଜଣେ ମଣିଷ ଗୋଟିଏ ଧାରଣାଜାଲକୁ ପରିତ୍ୟାଗ କରି ଅନ୍ୟ ଏକ ଧାରଣାଜାଲକୁ ଆବୋରି ନେଇଥାଏ । ଆପଣ ଯଦି ଜଣେ ହିନ୍ଦୁ ତାହାହେଲେ ଆପଣ ହିନ୍ଦୁ ଧର୍ମୀୟ ଧାରଣାଜାଲକୁ ଆଦରି ନେଇଛନ୍ତି । ଯାହାରି ବଳରେ ହିନ୍ଦୁ ଦେବଦେବୀ, ଇତ୍ୟାଦି ଆପଣଙ୍କୁ ବାସ୍ତବ ପ୍ରତୀୟମାନ ହେଉଛି । କାଲି ଯଦି ଆପଣ ଧର୍ମ ପରିବର୍ତ୍ତନ କରିବେ, ଧରନ୍ତୁ, ଖ୍ରୀଷ୍ଟ ଧର୍ମ ଗ୍ରହଣ କରିବେ, ତେବେ ଆପଣଙ୍କ ମନରୁ ହିନ୍ଦୁ ଧର୍ମୀୟ ଧାରଣାଜାଲକୁ କାଢ଼ି ଦେଇ ତା ସ୍ଥାନରେ ଥୋଇବେ ଖ୍ରୀଷ୍ଟ ଧର୍ମୀୟ ଧାରଣାଜାଲକୁ । ଫଳରେ ଆଜି ପର୍ଯ୍ୟନ୍ତ ସତ ବୋଲି ମାନୁଥିବା ହିନ୍ଦୁ ଧର୍ମୀୟ ଜଗତ ଆପଣଙ୍କ ପାଇଁ ମିଛ ହୋଇଯିବ ଏବଂ ଯେଉଁ ଖ୍ରୀଷ୍ଟ ଧର୍ମୀୟ ଜଗତ ଆଜି ପର୍ଯ୍ୟନ୍ତ ଆପଣଙ୍କ ପାଇଁ ମିଛ ଥିଲା, ସତ ହୋଇଯିବ । ଆଜି ପର୍ଯ୍ୟନ୍ତ ହିନ୍ଦୁ ଧର୍ମ ପାଇଁ ଜୀବନ ଦେବା ତଥା ନେବା ପାଇଁ ପ୍ରସ୍ତୁତ ଥିଲେ । କାଲିଠୁଁ ଖ୍ରୀଷ୍ଟ ଧର୍ମ ପାଇଁ ଜୀବନ ଦେବା ତଥା ନେବା ପାଇଁ ପ୍ରସ୍ତୁତ ରହିବେ । ଅଥଚ ସଂସାରଟା ଯେମିତି ଥିଲା ସେମିତି ରହିବ । ହିନ୍ଦୁ ଧର୍ମରେ ଥିଲା ବେଳେ ଫୁଟିଲା ପାଣିରେ ହାତ ପୁରେଇଲେ ହାତ ପୋଡ଼ି ଯାଉଥିଲା, ଅଥଚ ଖ୍ରୀଷ୍ଟ ଧର୍ମ ଗ୍ରହଣ କରିବା ପରେ ଆଉ ହାତ ପୋଡ଼ିବନି, କାକର ଲାଗିବ ଅବା ହିନ୍ଦୁ ଧର୍ମରେ ଥିଲା ବେଳେ ମାଡ଼ କାଟୁଥିଲା, ଅଥଚ ଖ୍ରୀଷ୍ଟ ଧର୍ମ ଗ୍ରହଣ କରିବା ପରେ ଆଉ ମାଡ଼ ନକାଟି ଫୁଲ ପଡ଼ିଲା ଭଳି ଲାଗିବ — ଏପରି କିଛି ନୁହେଁ । ଧର୍ମ ପରିବର୍ତ୍ତନ କରି ଅନ୍ୟ ଧର୍ମ ଛାଡ଼ି ହିନ୍ଦୁ ଧର୍ମକୁ ଆଶ୍ରୟ କଲେ ମଧ୍ୟ ଏହି ଧର୍ମ ପରିବର୍ତ୍ତନ ଯୋଗୁଁ ବାସ୍ତବ ସଂସାରରେ କୌଣସି ପ୍ରକାର ପରିବର୍ତ୍ତନ ଘଟିବନି ।
ଆଦିବାସୀ ଜୀବନ ସରଳ । ଆଦିବାସୀ ବାପୁଡ଼ା ସରଳ । ସେମାନଙ୍କର ନିଜସ୍ୱ ଦେବଦେବୀ ଅଛନ୍ତି । ସେମାନଙ୍କୁ ସେମାନେ ପ୍ରତ୍ୟକ୍ଷ ବୋଲି ମାନନ୍ତି । ହଜାର ହଜାର ବର୍ଷ ଧରି ସେମାନଙ୍କ ପୀଠରେ କୁକୁଡ଼ା, ଛେଳିମେଣ୍ଢାଙ୍କଠୁଁ ଆରମ୍ଭ କରି ମଣିଷମାନଙ୍କୁ ମଧ୍ୟ ବଳି ଦେଇଛନ୍ତି ବୋଲି କୁହାଯାଏ । ଆଜି ଯଦି ସେହି ଆଦିବାସୀ ଅନ୍ୟ କୌଣସି ଧର୍ମରେ ଦୀକ୍ଷିତ ହୋଇଗଲା, ତେବେ ସେହି ପ୍ରତ୍ୟକ୍ଷ ଦେବଦେବୀ ଆଦିବାସୀଟି ସେମାନଙ୍କ ପୀଠ ଦେଇ ଗାଁରୁ ଗଲାବେଳେ ବା ଗାଁକୁ ଫେରିଲା ବେଳେ ତାର ବାଟ ଓଗାଳି “ହଜାର ହଜାର ବର୍ଷ ଧରି ତୋର ପୂର୍ବପୁରୁଷମାନେ ଆମକୁ ପୂଜାକରି ଆସୁଥିଲେ, ତୁ କଅଣ ଆମକୁ ପୂଜା ନ କରି ବେଖାତିର କରି ବାଟ କାଟି ଚାଲି ଯାଉଛୁ, ଅନ୍ୟ ଦେବତାଙ୍କୁ ପୂଜା କରୁଛୁ ?” ବୋଲି ତାକୁ ତ ପଚାରୁ ନାହାନ୍ତି । ତେବେ କିଏ କେଉଁ ଧର୍ମ ପରିବର୍ତ୍ତନ କଲା ଅବା ନିଜର ଧର୍ମରେ ରହିଲା ସେହି କଥା ନେଇ ଦେବଦେବୀମାନେ ବ୍ୟସ୍ତ ନୁହଁନ୍ତି ତ ? ନା ଆଉ କଣ ?
ଧର୍ମ ପରିବର୍ତ୍ତନ ମଣିଷ କରେ କାହିଁକି ? ମଣିଷର ଧର୍ମ ପରିବର୍ତ୍ତନର ଅନ୍ତରାଳରେ ବିଭିନ୍ନ କାରଣ ରହିଛି । ସେହି ସମସ୍ତ କାରଣର ଆଲୋଚନା ଆମ୍ଭେମାନେ ଏଠାରେ କରି ପାରିବାନି । କେବଳ କେତୋଟିର ଆଲୋଚନା କରିବା ।
ଆପଣ ଓଡ଼ିଶାରେ, ଓଡ଼ିଆ ପରିବାରରେ ଜନ୍ମ ହେଲେ ବୋଲି ଆପେ ଆପେ, ଆପଣଙ୍କର ଅଜଣାରେ ଓଡ଼ିଆ ଭାଷାଟା ଆପଣଙ୍କର ଭାଷା, ମାତୃଭାଷା, ହୋଇଗଲା । କେବଳ ପରେ ଭାଷାଟି ସମ୍ପର୍କରେ ସଚେତନ ହେବା ପରେ, ତାର ବ୍ୟାକରଣ ଜାଣିଲେ, ତାରି ସମ୍ପର୍କରେ ଆଲୋଚନା କଲେ । ଠିକ୍ ସେପରି ଆପଣ ହିନ୍ଦୁ ପରିବାରରେ ଜନ୍ମ ହୋଇ ପରିବାରର ହିନ୍ଦୁ ପରିବେଶରେ ବଢ଼ିଲେ ବୋଲି ହିନ୍ଦୁ ଧର୍ମଟି ଆପଣଙ୍କ ଅଜଣାରେ ଆପଣଙ୍କର ହୋଇଗଲା । ପିଲାଦିନୁ ପ୍ରସାଦ, ପିଠାପଣା, ନୂଆ ଜାମାପଟା, ଆନନ୍ଦଉତ୍ସବର ମହାସ୍ରୋତରେ ଆପଣ ଭାଷି ଚାଲିଲେ । ପିଲାଦିନେ ଅମାନିଆ ହେଇ ମନ୍ଦିରରେ ଦେବଦେବୀଙ୍କୁ ଜୁହାର କରି ନଥିବେ ତ ପିତାମାତାଙ୍କ କାନମୋଡ଼ା ଅବା ତରାଟ ଚାହାଣୀ ଆପଣଙ୍କୁ ଧର୍ମପଥରେ ରଖିଥିବ । ଆପଣଙ୍କର ପିଲାଦିନର ଏହି ଅମାନିଆଭାବ ଧର୍ମ ବିରୁଦ୍ଧରେ ଆପଣଙ୍କ ପ୍ରତିବାଦ ଯୋଗୁଁ ନଥିଲା, ଥିଲା ଆପଣଙ୍କ ଶିଶୁସୁଲଭ ସରଳତା ଯୋଗୁଁ । କିନ୍ତୁ ପରେ ଜୀବନର କୌଣସି ବାସ୍ତବତା ଆପଣଙ୍କୁ ଧର୍ମର ବିଭିନ୍ନ ଦିଗ ସମ୍ପର୍କରେ ବିଭିନ୍ନ ପ୍ରଶ୍ନ ପଚାରିବା ପାଇଁ ବାଧ୍ୟ କରିପାରେ । ଯେପରି ପ୍ରାଚୀନ କାଳରେ ବୁଦ୍ଧଙ୍କୁ ବାଧ୍ୟ କରିଥିଲା, ମହାବୀର, ଯୀଶୁ ଖ୍ରୀଷ୍ଟ, ମହମ୍ମଦଙ୍କୁ ବାଧ୍ୟ କରିଥିଲା । ଏପରିକି ଚାର୍ବାକପନ୍ଥୀ ବସ୍ତୁବାଦୀମାନଙ୍କର ଉଦ୍ଦେଶ୍ୟ ଧର୍ମର ଖଣ୍ଡନ ହେଲେ ସୁଦ୍ଧା ସେମାନେ ଧର୍ମ ସମ୍ପର୍କୀତ ଚିନ୍ତାରୁ ବାଦ ପଡ଼ି ନଥିଲେ । ଆଧୁନିକ ଯୁଗରେ ମଧ୍ୟ ବହୁ ମହାମନୀଷୀଙ୍କ ମନ ଧର୍ମ ସମ୍ପର୍କିତ ବିଭିନ୍ନ ପ୍ରଶ୍ନ ନେଇ ଆନ୍ଦୋଳିତ ହୋଇଥିଲା । କେହି ଧର୍ମର ଗଣ୍ଡି ମଧ୍ୟରେ ସଂସ୍କାର ଆଣିଲେ ତ କେହି ଏକ ନୂତନ ଧର୍ମର ବାଣି ପ୍ରଚାର କଲେ ଅବା କାହାର ଅନୁଗତମାନେ ତାଙ୍କୁ ଓ ତାଙ୍କ ବାଣୀକୁ ପୀଠରେ ଥୋଇ ଏକ ନୁତନ ଧର୍ମର ସୂତ୍ରପାତ କଲେ । କେହି କେହି ଧର୍ମର ଗଣ୍ଡି ବାହାରକୁ ମଧ୍ୟ ଗଲେ, ବସ୍ତୁବାଦୀ ନାସ୍ତିକ ବୋଲି ପରିଚିତ ହେଲେ । ଏହି ସମସ୍ତ କ୍ଷେତ୍ରରେ ଯାହା ସବୁ ଘଟିଲା ତାହା ମାନସିକ ସ୍ତରରେ ସଚେତନ ମନରେ ଘଟିଲା । ଆଜି ମଧ୍ୟ ବାସ୍ତବ ପରିସ୍ଥିତିର ଚାପରେ ଆମ ମନରେ ସେହି ଭଳି ପ୍ରଶ୍ନ ଜାଗ୍ରତ ହୋଇ ପାରେ । ସେହି ପରିପ୍ରେକ୍ଷୀରେ ଆମେ ନିଜ ଧର୍ମ ଓ ଅନ୍ୟାନ୍ୟ ଧର୍ମର ମୌଳିକ ତତ୍ତ୍ୱଗୁଡ଼ିକର ତୁଳନାତ୍ମକ ବିଚାର କରିପାରୁ । ଆବଶ୍ୟକତା ଅନୁଭବ କଲେ ନିଜର ଧର୍ମ ମଧ୍ୟ ପରିବର୍ତ୍ତନ କରିପାରୁ । ଏପରି ତାତ୍ତ୍ୱିକ ବିଚାର ଭିତ୍ତିକ ସଚେତନ ଧର୍ମ ପରିବର୍ତ୍ତନ ପାଇଁ ଆମର ସମ୍ବିଧାନ ମଧ୍ୟ ଅନୁମତି ଦିଏ।
କେବଳ ତାତ୍ତ୍ୱିକ ବିଚାର ଭିତ୍ତିରେ ଯଦି ଧର୍ମ ପରିବର୍ତ୍ତନ ହେଉଥାନ୍ତା, ତେବେ ଯେଉଁମାନେ ଶିକ୍ଷିତ ଅବା ଧର୍ମୀୟ ତତ୍ତ୍ୱଜ୍ଞାନ ବୁଝିବା, ତୁଳନାତ୍ମକ ବିଚାର କରିବା ପାଇଁ ସକ୍ଷମ ସେମାନଙ୍କ ମଧ୍ୟରେ ଧର୍ମ ପରିବର୍ତ୍ତନ ବହୁଳାଂଶରେ ଦୃଷ୍ଟିଗୋଚର ହୁଅନ୍ତା । କିନ୍ତୁ ତାହା ଘଟୁନାହିଁ । ଯେଉଁମାନଙ୍କ କ୍ଷେତ୍ରରେ ଧର୍ମ ପରିବର୍ତ୍ତନ ବହୁଳାଂଶରେ ପରିଲକ୍ଷିତ ହେଉଛି, ସେମାନେ ଶିକ୍ଷିତ ଗୋଷ୍ଠୀରେ ଯିବେନି, ଧର୍ମଗୁଡ଼ିକର ଗୁଢ଼ ତତ୍ତ୍ୱଜ୍ଞାନ ବୁଝିବାର ତଥା ସେଗୁଡ଼ିକର ତୁଳନାତ୍ମକ ବିଚାର କରିବାର କ୍ଷମତା ସେମାନଙ୍କର ରହିଛି ବୋଲି ଧରାଯିବନି । ସେମାନେ ଆଦିବାସୀ ହୁଅନ୍ତୁ, ଅନୁସୂଚିତ ଜାତିର ହୁଅନ୍ତୁ ଅବା ପଛୁଆ ବର୍ଗର ହୁଅନ୍ତୁ, ସେମାନେ ସମସ୍ତେ ଦଳିତ, ପତିତ, ଶୋଷିତ ।
ଉଚ୍ଚ ଜାତିର, ଧନୀକ ଶ୍ରେଣୀର ଲୋକମାନେ ଆହୁରି ଧନ, ଆହୁରି ସୁଖର ସନ୍ଧାନରେ, କୌଣସି ମନସ୍କାମନା ପୂର୍ଣ୍ଣର ଆଶାରେ ଗୋଟିଏ ବାବାଙ୍କୁ ଛାଡ଼ି ଆଉ ଗୋଟିଏ ବାବାଙ୍କ ପଛରେ ଦଉଡ଼ିଲା ଭଳି ଏମାନେ ନିଜ ଦୁଃସ୍ଥ ସ୍ଥିତିର ସାମାନ୍ୟତମ ଉନ୍ନତି ଆଶାରେ ଗୋଟିଏ ଧର୍ମ ଛାଡ଼ି ଅନ୍ୟ ଧର୍ମର ଆଶ୍ରୟ ନିଅନ୍ତି । ରାଜ୍ୟର ସୀମା ଏପଟେ ଗୋଟିଏ ଧର୍ମର ଅନୁଗାମୀ ଭାବେ ପରିଚିତ ହୁଅନ୍ତି ତ ସୀମା ସେପଟେ ଅନ୍ୟ ଏକ ଧର୍ମର ଅନୁଗାମୀ ଭାବେ ସେମାନଙ୍କର ପରିଚୟ ମିଳେ । ସୀମାର ଉଭୟ ପଟେ ସେମାନେ କିପରି ଲାଭବାନ ହୋଇଥାନ୍ତି ତାହା ସମୟାନ୍ତରରେ ଖବରକାଗଜରେ ବାହାରୁଛି । ତାହା ପଢ଼ି ମନେ ହୁଏ ସେମାନଙ୍କ କ୍ଷେତ୍ରରେ ଧର୍ମ ପରିବର୍ତ୍ତନ ଆଉ ଏକ ମାନସିକ ଆବଶ୍ୟକତା ହୋଇ ରହିନି — ଭୋକିଲା ପେଟର ସୁଯୋଗରେ ତାହା ଅନ୍ୟମାନଙ୍କ ପାଇଁ ରାଜନୀତିର ଏକ ଖେଳ ହୋଇ ସାରିଲାଣି ।
ହିନ୍ଦୁ ସମାଜରେ ଜାତିପ୍ରଥା ଏକ ସାମାଜିକ କଳଙ୍କ । ହିନ୍ଦୁ ସମାଜର ସାମାଜିକ ସିଡ଼ିର ତଳ ପାହାଚରେ ଯେଉଁମାନେ ବସିଛନ୍ତି, ସେମାନଙ୍କୁ ନାନା ଅତ୍ୟାଚାର, ଅପମାନର ସାମନା କରିବାକୁ ପଡ଼ିଥାଏ । ସେଥିରୁ ରକ୍ଷା ପାଇବା ପାଇଁ — ଅନ୍ୟ ମଣିଷଙ୍କ ସହ ସମାନ ମର୍ଯ୍ୟଦା ପାଇଁ — କିଛି ଲୋକ ଧର୍ମ ପରିବର୍ତ୍ତନ କରନ୍ତି ବୋଲି କୁହାଯାଏ । ସୁଫଳ କିଛି ମିଳେନା । କାରଣ ଏହି କଳଙ୍କ ଅନ୍ୟ ଧର୍ମକୁ ମଧ୍ୟ କଳଙ୍କିତ କରିଛି । ଭାରତରେ ଖ୍ରୀଷ୍ଟଧର୍ମ, ଇସ୍ଲାମଧର୍ମ, ଏପରିକି ବୌଦ୍ଧଧର୍ମ ମଧ୍ୟ ଏହି କଳଙ୍କରୁ ମୁକ୍ତ ନୁହେଁ । ହିନ୍ଦୁ ଜାତିପ୍ରଥାର ନିରୋଳା ଛାପ ସେହି ଧର୍ମଗୁଡ଼ିକରେ ଦେଖିବାକୁ ମିଳେ । ମଣିଷ ଧର୍ମ ବଦଳାଏ କିନ୍ତୁ ତାର ଜାତି ବଦଳେନା । ସଂରକ୍ଷଣ ବ୍ୟବସ୍ଥାରେ ସେମାନଙ୍କ ଭାଗ ପାଇଁ ଦାବୀ ତାହାର ଜ୍ୱଳନ୍ତ ଉଦାହରଣ । ଧର୍ମ ପରିବର୍ତ୍ତନ ପରେ ସାଧାରଣ ମଣିଷଟିର କୌଣସି ଆଖିଦୃଷ୍ଟିଆ ପରିବର୍ତ୍ତନ ହୁଏନା ।
ତଥାପି ଦେଶରେ ଧର୍ମ ପରିବର୍ତ୍ତନ ପ୍ରକ୍ରିୟା ଚାଲିଛି । କେହି ନିଜ ଧର୍ମର ଅନୁଗତମାନଙ୍କ ସଂଖ୍ୟା ବୃଦ୍ଧି କରିବା ଉଦ୍ଦେଶ୍ୟରେ ଧର୍ମ ପରିବର୍ତ୍ତନ ପାଇଁ ଅନ୍ୟ ଧର୍ମର ଲୋକଙ୍କୁ ପ୍ରୋତ୍ସାହିତ କରୁଛି ତ କେହି ରାଜନୈତିକ ରାଜରାସ୍ତାର ମାଇଲଖୁଣ୍ଟଗୁଡ଼ିକୁ ଅତିକ୍ରମ କରିବା ଉଦ୍ଦେଶ୍ୟରେ ଅଧିକ ପ୍ରୋତ୍ସାହନ ଦେଇ ପାଲଟା ଧର୍ମାନ୍ତର କରଉଛି । ଆଜି ଗୋଟିଏ ଜାତିର କିଛି ଲୋକ ହିନ୍ଦୁ ଧର୍ମ ତ୍ୟାଗ କରି ଅନ୍ୟ କୌଣସି ଧର୍ମ ଗ୍ରହଣ କଲେ । କାଲି ସେମାନଙ୍କୁ ପାଲଟା ଧର୍ମାନ୍ତର କରି ପୁଣି ସେହି ଜାତିରେ ଥୋଇ ଦେବାଟା ଅତି ସହଜ । କିନ୍ତୁ ଯେଉଁ ପରିବାରର ଲୋକେ ଶହ ଶହ ବର୍ଷ ଧରି ଅନ୍ୟ ଧର୍ମରେ ରହିଛନ୍ତି, ସେପରି ଲୋକଙ୍କୁ ହିନ୍ଦୁ ଧର୍ମର ପରିସର ମଧ୍ୟକୁ ଆଣିଲେ କେଉଁ ଜାତିରେ ଥୋଇବ ତାହା ହିନ୍ଦୁ ସମାଜର ଏକ ବଡ଼ ସମସ୍ୟା ।
୧୮୬୭ ମସିହାରେ ପ୍ରକାଶିତ ଗ୍ରନ୍ଥ, ପୁଞ୍ଜି (Capital) ର ପ୍ରଥମ ଖଣ୍ଡରେ “କାମ-ଦିନ” ସମ୍ପର୍କରେ ଲିଖିତ ଅଧ୍ୟାୟରେ ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟାସନାଲ୍ ଲେବର ୟୁନିଅନ୍ ଦ୍ୱାରା ଆଠ-ଘଣ୍ଟିଆ କାମଦିନ ପାଇଁ ସେହି ସମୟରେ ଆରମ୍ଭ ହୋଇଥିବା ଆନ୍ଦୋଳନ ପ୍ରତି ମାର୍କ୍ସ ଦୃଷ୍ଟି ଆକର୍ଷଣ କରିଛନ୍ତି । ବହିଟିର ଏହି ଅଂଶଟି ଅତି ବିଖ୍ୟାତ କାରଣ ଏହି ଅଂଶଟିରେ କଳା (ନିଗ୍ରୋ) ଓ ଗୋରା ଶ୍ରମିକମାନଙ୍କର ଶ୍ରେଣୀସ୍ୱାର୍ଥର ଐକ୍ୟତା ସମ୍ପର୍କରେ ମାର୍କ୍ସ ହୃଦୟସ୍ପର୍ଶୀ ଅବତାରଣା କରି ଲେଖିଛନ୍ତି:
“In the United States of North America, every independent movement of the workers was paralysed so long as slavery disfigured a part of the Republic. Labour cannot emancipate itself in the white skin where in the black it is branded. But out of the death of slavery a new life at once arose. The first fruit of the Civil War was the eight hours’ agitation, that ran with the seven-leagued boots of the locomotive from the Atlantic to the Pacific, from New England to California.” (Marx and Engels, Collected Works, Vol. 35, p. 305)
(“ଯେତେଦିନ ପର୍ଯ୍ୟନ୍ତ ଦାସପ୍ରଥା ପ୍ରଜାତନ୍ତ୍ରର ଏକ ଭାଗକୁ ବିରୂପ କରୁଥିଲା ସେତେଦିନ ପର୍ଯ୍ୟନ୍ତ ଯୁକ୍ତରାଷ୍ଟ୍ର ଆମେରିକାରେ ଯେ କୌଣସି ଧରଣର ହେଉ ନା କାହିଁକି ସ୍ୱାଧୀନ ଶ୍ରମିକ ଆନ୍ଦୋଳନ ପଙ୍ଗୁ ହେଇ ଯାଉଥିଲା । ଗୋରା ଚମଡ଼ାର ଶ୍ରମିକମାନେ କେବେହେଁ ନିଜକୁ ମୁକ୍ତ କରି ପାରିବେନି ଯେତେଦିନ ପର୍ଯ୍ୟନ୍ତ କଳା ଚମଡ଼ାର ଶ୍ରମିକମାନଙ୍କ ଦେହରେ ଦାସତ୍ୱର ଚିଆଁ ଦିଆଯାଉଥିବ । କିନ୍ତୁ ଦାସପ୍ରଥାର କବର ଭିତରୁ ଏକ ନୂଆ ଶକ୍ତିଶାଳୀ ଜୀବନ ଲମ୍ପ ମାରି ଉଭା ହେଲା । ଗୃହ ଯୁଦ୍ଧର ପ୍ରଥମ ଫଳ ହେଲା ଆଠ-ଘଣ୍ଟିଆ କାମ-ଦିନ ପାଇଁ ଆନ୍ଦୋଳନ — ଏପରି ଏକ ଆନ୍ଦୋଳନ ଯାହା ଏକ୍ସପ୍ରେସ ବେଗରେ ଆଟ୍ଲାଣ୍ଟିକ୍ ମହାସାଗର ଠାରୁ ପ୍ରଶାନ୍ତ ମହାସାଗର, ନିଉ ଇଂଲଣ୍ଡ ଠାରୁ କ୍ୟାଲିଫର୍ଣ୍ଣିଆ ପର୍ଯ୍ୟନ୍ତ ବ୍ୟାପିଗଲା ।”)
ଅତୀତରେ ଯୁକ୍ତରାଷ୍ଟ୍ର ଆମେରିକାରେ ଶ୍ରମିକ ଆନ୍ଦୋଳନକୁ ଦାସପ୍ରଥା ଦୁର୍ବଳ କଲା ଭଳି ଭାରତରେ ଚାଷିମୂଲିଆ, ଗରୀବ ମଣିଷର ଆନ୍ଦୋଳନକୁ ଜାତିପ୍ରଥା ଦୁର୍ବଳ କରୁଛି । ତେଣୁ ଜାତିପ୍ରଥା ବିରୁଦ୍ଧରେ ଯଦି କେହି ଏକ ବଳିଷ୍ଠ ସାମାଜିକ ଆନ୍ଦୋଳନ କରି ପାରନ୍ତା, ସେମାନେ ହେଉଛନ୍ତି କମ୍ୟୁନିଷ୍ଟମାନେ । କିନ୍ତୁ ଜାତିପ୍ରଥା ଧର୍ମକୁ କଳଙ୍କିତ କଲା ଭଳି କମ୍ୟୁନିଷ୍ଟମାନଙ୍କୁ ମଧ୍ୟ କଳଙ୍କିତ କରିଛି । ସେମାନେ ସାମାଜିକ ଜୀବନରେ ବ୍ରାହ୍ମଣ କମ୍ୟୁନିଷ୍ଟ, କରଣ କମ୍ୟୁନିଷ୍ଟ, ତେଲି କମ୍ୟୁନିଷ୍ଟ, ଭଣ୍ଡାରି କମ୍ୟୁନିଷ୍ଟ, ଗୁଡ଼ିଆ କମ୍ୟୁନିଷ୍ଟ, ଇତ୍ୟାଦି ହୋଇ ରହି ଯାଇଛନ୍ତି ।
ହଜାର ହଜାର ବର୍ଷ ଧରି ଜାତିପ୍ରଥା ଯେଉଁ ଅର୍ଥନୈତିକ ଭିତ୍ତି ଉପରେ ଠିଆ ହୋଇ ରହିଥିଲା, ସେହି ଅର୍ଥନୈତିକ ଭିତ୍ତି ଅପସରି ଯାଉଛି । ତେଣୁ ଜାତିପ୍ରଥା ଅପସରି ଯିବା ନିଶ୍ଚିତ। ମଣିଷ ମନରେ ଜମାଟ ବାନ୍ଧି ରହିଥିବା ଯୋଗୁଁ ସମୟ ସାପେକ୍ଷ । ପୁନାସ ଦୁର୍ବଳ, କାନ୍ଥଟି ପଡ଼ିବାଟା ନିଶ୍ଚିତ । ହେଲେ ତାକୁ ଆମେ ଭାଙ୍ଗି ଦେବା ନା ଆପେ ଆପେ ପଡ଼ିବା ପାଇଁ ଛାଡ଼ି ଦେବା ? ଏଇଟା ହିଁ ଅସଲ ପ୍ରଶ୍ନ । ଆପେ ଆପେ ପଡ଼ିବା ପାଇଁ ଛାଡ଼ି ଦେଲେ ହୁଏତ କେଉଁ ଦିନ ଆମ ଉପରେ ପଡ଼ିପାରେ, କ୍ଷୟକ୍ଷତି କରିପାରେ । ସମୟର ସ୍ରୋତରେ ଜାତିପ୍ରଥାକୁ ଭାଙ୍ଗିବା ପାଇଁ ଛାଡ଼ି ଦେଲେ ମଝି ସ୍ରୋତରେ କେତେ ଯେ ଲୋକ ଉବୁଟୁବୁ ହୋଇ ମରିବେ ତାର ଠିକଣା ନାହିଁ ।
ଧର୍ମୀୟ ସତ୍ୟର ସ୍ୱଭାବ କଣ ଆମେ ଦେଖିଲେ । ବୌଦ୍ଧିକ ଆବଶ୍ୟକତା ଯୋଗୁଁ ଧର୍ମ ପରିବର୍ତ୍ତନ କରିବାଟା ଅଲଗା କଥା । କିନ୍ତୁ ଜାତିପ୍ରଥାର ଚାପ ଯୋଗୁଁ ହେଉ ଅବା ପେଟର ଜ୍ୱାଳା ଯୋଗୁଁ ହେଉ ବାସ୍ତବ ଜୀବନରେ ଉପୁଜୁଥିବା ସମସ୍ୟାବଳୀର ସମାଧାନର ବାଟ ଧର୍ମ ପରିବର୍ତ୍ତନ ନୁହେଁ । ଧର୍ମ ପରିବର୍ତ୍ତନ ସତ୍ତ୍ୱେ ସଂସାରଟା ଯେମିତି ଥିଲା ସେମିତି ରହିଥାଏ । କେବଳ ଲୁଣ ଖାଲରୁ ଯାଇ ଚୁନ ଖାଲରେ ଅବା ଚୁନ ଖାଲରୁ ଯାଇ ଲୁଣ ଖାଲରେ ପଡ଼ିବା କଥା। ତେଣୁ ଜୀବନରେ ଉପୁଜୁଥିବା ସମସ୍ୟାବଳୀର ସମାଧାନର ବାଟ ଜୀବନ ମଧ୍ୟରେ ହିଁ ଖୋଜିବାକୁ ହେବ। ଜୀବନ ବାହାରେ ନୁହେଁ ।
ଆଜି ମଧ୍ୟ ଏହି ସଂସାରରେ, ଭୌତିକ ଜଗତରେ ଉପୁଜୁଥିବା ସମସ୍ୟାବଳୀର ସମାଧାନର ବାଟ ଏହି ସଂସାର, ଭୌତିକ ଜଗତ ମଧ୍ୟରେ ନ ଖୋଜି ବେଳେ ବେଳେ ମଣିଷ ଅଧିଭୌତିକ ଜଗତରେ ଖୋଜେ । ଧର୍ମ ସେହି ଅଧିଭୌତିକ ମାର୍ଗଗୁଡ଼ିକ ମଧ୍ୟରୁ ଗୋଟିଏ । ସମୟର ଅତୀତକୁ ଦେଖିଲେ ଅନନ୍ତ, ଭବିଷ୍ୟତକୁ ଦେଖିଲେ ମଧ୍ୟ ଅନନ୍ତ। ଏହି ଦୁଇ ଅନନ୍ତ ମଧ୍ୟରେ ମଣିଷ ଜୀବନର ଆୟୁଷ ସୀମିତ । ଏହି ସୀମିତ ଆୟୁଷ ନେଇ ମଣିଷ ବିଚାର କରେ ଯେ ଧର୍ମର ମଧ୍ୟ ଆରମ୍ଭ ନାହିଁ କି ଶେଷ ନାହିଁ ।
କିନ୍ତୁ ବିଜ୍ଞାନ କହେ ମଣିଷକୁ ମଣିଷ ହିସାବରେ କେହି ସୃଷ୍ଟି କରିନାହିଁ। ସେ ହେଉଛି ଏକ ସୁଦୀର୍ଘ ପ୍ରାକୃତିକ ବିବର୍ତ୍ତନ ପ୍ରକ୍ରିୟାର ଫଳ । ତାହା ଯଦି ସତ ତେବେ ଧର୍ମ ମଣିଷକୁ ସୃଷ୍ଟି କରିନାହିଁ, ମଣିଷ ସୃଷ୍ଟି କରିଛି ଧର୍ମକୁ । କେତେକ ଧର୍ମ ଐତିହାସିକ ଯୁଗରେ ସୃଷ୍ଟି ହୋଇଥିଲା ତ କେତେକ ସୃଷ୍ଟି ହୋଇଥିଲା ପ୍ରାଗୈତିହାସିକ ଯୁଗରେ । ଗୌତମ ବୁଦ୍ଧ, ମହାବୀର, ଯୀଶୁ ଖ୍ରୀଷ୍ଟ, ମହମ୍ମଦ, ନାନକ, ଇତ୍ୟାଦି ହେଲେ ଇତିହାସ ଯୁଗର ।
ପ୍ରତ୍ୟେକ ଧର୍ମ ପ୍ରବର୍ତ୍ତକ, ଗୁରୁ କହନ୍ତି, “ଭଗବତ୍ କୃପା, ଭଗବତ୍ ସାନିଧ୍ୟ, ମୁକ୍ତିର ମୁଁ ହେଉଛି ଏକମାତ୍ର ମାର୍ଗ, ଏକମାତ୍ର ପଥ ।” ବିଜ୍ଞାନ ବର୍ତ୍ତମାନର ପିଢ଼ି ହାତରେ ସେଲ୍ ଫୋନ ଦେଲା । ତେଣୁ ଆମ ପୂର୍ବ ପିଢ଼ିର ଲୋକମାନେ ନିଶ୍ଚିତ ରୂପେ ତାର ବ୍ୟବହାରରୁ ବଞ୍ଚିତ ହୋଇଛନ୍ତି । ଠିକ୍ ସେମିତି ଆଜି ଯଦି ଜଣେ ଗୁରୁ କହନ୍ତି, “ଭଗବତ୍ କୃପା, ଭଗବତ୍ ସାନିଧ୍ୟ, ମୁକ୍ତିର ମୁଁ ହେଉଛି ଏକମାତ୍ର ମାର୍ଗ, ଏକମାତ୍ର ପଥ ।” ତେବେ ସେ ସିନା ବର୍ତ୍ତମାନ ସଠିକ୍ ପଥ ଦେଖେଇଲେ, କିନ୍ତୁ ଏହା ପୂର୍ବରୁ ଯେଉଁ ମଣିଷମାନେ ସଂସାର ତ୍ୟାଗ କଲେଣି ସେମାନେ ଭଗବତ୍ କୃପା, ସାନିଧ୍ୟ ତଥା ମୁକ୍ତିରୁ ବଞ୍ଚିତ ହୋଇଥିବେ ନିଶ୍ଚୟ ? ପୁଣି ଏହି ଗୁରୁଙ୍କ ପରେ ଆଉ ଜଣେ ଗୁରୁ ଆସି ସେହି ଏକା କଥା କହିବେ, “ଭଗବତ୍ କୃପା, ଭଗବତ୍ ସାନିଧ୍ୟ, ମୁକ୍ତିର ମୁଁ ହେଉଛି ଏକମାତ୍ର ମାର୍ଗ, ଏକମାତ୍ର ପଥ ।”, ତେବେ ତାଙ୍କର ପୂର୍ବତନ ଗୁରୁଙ୍କ ମାର୍ଗକୁ ବର୍ତ୍ତମାନର ଗୁରୁ ଭୁଲ ପ୍ରମାଣିତ କରିଦେଲେ । ତାହାହେଲେ ପୂର୍ବତନ ଗୁରୁଙ୍କ ପ୍ରଦର୍ଶିତ ମାର୍ଗ ଯେଉଁମାନେ ଅନୁସରଣ କରିଥିଲେ ସେମାନେ ଭଗବତ୍ କୃପା, ସାନିଧ୍ୟ ତଥା ମୁକ୍ତିରୁ ବଞ୍ଚିତ ହୋଇଥିବେ ନିଶ୍ଚୟ ? ଯଦି ବଞ୍ଚିତ ହୋଇ ନଥିବେ ତେବେ ପୂର୍ବତନ ଗୁରୁଙ୍କ ମାର୍ଗ ଠିକ୍ ଥିଲା । ଯଦି ତାହା ଠିକ୍ ଥିଲା ତେବେ ବର୍ତ୍ତମାନ ଗୁରୁଙ୍କ ମାର୍ଗ ଠିକ୍ ହେଉ ବା ଭୁଲ ହେଉ ଅନାବଶ୍ୟକ। ଏହା କେବଳ ନିଜର ସ୍ୱାର୍ଥ ସିଦ୍ଧି ତଥା ମଣିଷକୁ ଭାଗ ଭାଗ କରିବା ଛଡ଼ା ଅନ୍ୟ କିଛି କରିବନି ।
କେତେ ବେଳେ କିଏ ରାଜୁତି କରେ । ଅତୀତରେ ଧର୍ମ ରାଜୁତି କରୁଥିଲା ତ ବର୍ତ୍ତମାନ ବିଜ୍ଞାନ ରାଜୁତି କରୁଛି । ଅତୀତରେ ସଂସାରର କୌଣସି ସମସ୍ୟା ସମ୍ପର୍କରେ, ମଣିଷର କୌଣସି ସମସ୍ୟା ସମ୍ପର୍କରେ କିଛି କହିବାର ଥିଲେ ଧର୍ମର ଭାଷାରେ କୁହା ଯାଉଥିଲା, ବର୍ତ୍ତମାନ ବିଜ୍ଞାନର ଭାଷାରେ କୁହା ଯାଉଛି । ଏପରିକି ଗୁରୁମାନେ ନିଜ ନିଜର ମତକୁ ବିଜ୍ଞାନର ପରିଭାଷାରେ ପ୍ରକାଶ କରିବାକୁ ଚେଷ୍ଟା କରି, ନିଜ ନିଜର ମତକୁ ବିଜ୍ଞାନ ସମ୍ମତ ବୋଲି କହୁଛନ୍ତି । ମଣିଷ ସମ୍ପର୍କରେ ଧର୍ମ କହେ ମଣିଷ ଭଗବାନ ସୃଷ୍ଟ, ବିଜ୍ଞାନ କହେ ସେ ହେଉଛି ଏକ ସୁଦୀର୍ଘ ପ୍ରାକୃତିକ ବିବର୍ତ୍ତନ ପ୍ରକ୍ରିୟାର ଫଳ । ଏହି ଦୁଇ କଥା ସତ ହୋଇ ପାରିବନି — ଗୋଟିଏ ସତ, ଅନ୍ୟଟି ମିଛ । ସୃଷ୍ଟିତତ୍ତ୍ୱକୁ ମଣିଷ ହଜାର ହଜାର ବର୍ଷ ଧରି ବିଶ୍ୱାସ କରି ଆସିଛି । ଏହି ହଜାର ହଜାର ବର୍ଷରେ ମଣିଷର କୌଣସି ଆଖିଦୃଷ୍ଟିଆ ପରିବର୍ତ୍ତନ ହେଉ ନଥିଲା, କିନ୍ତୁ ଚାର୍ଲସ୍ ଡାର୍ୱିନ (୧୮୦୯-୧୮୮୨) ଉନବିଂଶ ଶତାବ୍ଦୀର ମଧ୍ୟ ଭାଗରେ ଯେଉଁ ବିବର୍ତ୍ତନ ତତ୍ତ୍ୱ ଉପସ୍ଥାପନ କରି ବିଜ୍ଞାନ ଜଗତରେ ବୈପ୍ଳବିକ ପରିବର୍ତ୍ତନ ଆଣିଲେ ତାରି ଫଳରେ ମଣିଷ ଓ ଜୀବଜଗତ ସମ୍ପର୍କରେ ବହୁ ତଥ୍ୟ ସଂଗ୍ରହ କରାଯାଇ ପାରିଛି ତଥା ସେଗୁଡ଼ିକର ପ୍ରୟୋଗ ମଣିଷ ଓ ଜୀବଜଗତ କ୍ଷେତ୍ରରେ ବହୁ ପରିବର୍ତ୍ତନ ଆଣୁଛି । ତେଣୁ ମାନବିକ ସମସ୍ୟାର ସମାଧାନର ବାଟ ମାନବ ସମାଜ ମଧ୍ୟରେ ହିଁ ଖୋଜିବାର ଆବଶ୍ୟକତା ରହିଛି । ଧର୍ମ ମଧ୍ୟରେ ନୁହେଁ ।
ଅତୀତରେ ଧର୍ମ ନାମରେ କେତେ ଧର୍ମଯୁଦ୍ଧ ନ ହୋଇଛି । କେତେ ଧନଜୀବନ ନଷ୍ଟ ନ ହୋଇଛି । ସାମ୍ପ୍ରଦାୟିକ ଦଙ୍ଗାର ଫଳାଫଳ ତ ଆମେ ଅଙ୍ଗେ ନିଭଉଛେ । ଧର୍ମ ପରିବର୍ତ୍ତନ ସାମାଜିକ ଉତ୍ତେଜନା ବୃଦ୍ଧି କରୁଛି । ମଣିଷ ସୃଷ୍ଟ ଧର୍ମ ମଣିଷକୁ ନିଜର ଦାସ ନକରୁ । ମଣିଷଟି ମଣିଷର ନଜରରେ ସର୍ବଦା ରହୁ ।
[ଏହି ଲେଖାଟି ସମଦୃଷ୍ଟି ର (ଖଣ୍ଡ 1, ସଂଖ୍ୟା 12, 1-15 ଡିସେମ୍ବର 2006) ରେ ପ୍ରକାଶିତ ହୋଇଥିଲା]
e-mail: neelamanisahu@rediffmail.com
Comments
0 comments