୧୯୭୫ ମସିହା ଜୁନ୍ ୨୫ ତାରିଖ ମଧ୍ୟରାତ୍ରରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଆଇନ ଲାଗୁହେଲା । ଏହି ବ୍ୟବସ୍ଥାଟି ଶ୍ରୀମତୀ ଇନ୍ଦିରାଗାନ୍ଧୀ ପ୍ରଧାନମନ୍ତ୍ରୀ ଥିବାବେଳେ ଲାଗୁ କରିଥିଲେ । ସମ୍ବିଧାନର ଧାରା ୩୫୨ରେ ଥିବା ବ୍ୟବସ୍ଥା ଅନୁସାରେ ସେ ସମୟରେ ଲାଗୁ କରାଯାଇଥିଲା । କିନ୍ତୁ ସମଗ୍ର ଦେଶବାସୀଙ୍କର ଅନୁଭବ ହେଲା ଯେ ଏହି ଧାରାଟି ବ୍ୟବହାର କରି ଗୋଟିଏ ଏକଛତ୍ରବାଦୀ ଶାସନକୁ ସୁହାଇଲା ଭଳି କାର୍ଯ୍ୟ କରାଯାଇଛି । ଯେଉଁଥିରେ ସମ୍ବାଦପତ୍ର ଓ ସାମ୍ବାଦିକତାର କାର୍ଯ୍ୟ ବନ୍ଦ କରିଦିଆଯାଇଥିଲା ଓ ସେମାନଙ୍କୁ ସ୍ୱାଧୀନତା ସଂକୁଚିତ କରାଯାଇଛି । ରାଜନୈତିକ କାର୍ଯ୍ୟକଳାପ ବନ୍ଦ କରିଦିଆଯିବା ସହିତ ସବୁ ବିରୋଧିଦଳର ରାଜନେତା ଏପରିକି ଶାସକ କଂଗ୍ରେସ ଦଳର ଅନେକ ନେତା ଯେଉଁମାନେ ଜରୁରୀକାଳୀନ ଆଇନ ଲାଗୁକରିବା ସପକ୍ଷରେ ନଥିଲେ, ସେମାନଙ୍କୁ ଜେଲରେ ଭର୍ତ୍ତି କରିଦିଆଗଲା । ଭାରତବର୍ଷର ଗଣତନ୍ତ୍ର ପ୍ରେମୀମାନଙ୍କ ପାଇଁ ଏହା ଏକ ବଡ଼ ଆହ୍ୱାନ ରୂପେ ଦେଖାଦେଇଥିଲା । ଏକଥା ସ୍ୱୀକାର କରିବାକୁ ହେବ ଯେ ଯେଉଁଥିପାଇଁ ଭାରତୀୟ ଜନଗଣଙ୍କ ଭିତରେ ଏହାକୁ କଳାଦିବସ ଭାବରେ ଚାରିଆଡ଼େ ପ୍ରଚାରିତ କରାଗଲା । କିନ୍ତୁ ଏହି ଅବସ୍ଥା ବେଶୀଦିନ ରହି ପାରିଲା ନାହିଁ । ମାତ୍ର ୨୧ ମାସ ପରେ ଏହା ପ୍ରତ୍ୟାହାର କରିନିଆଯାଇଥିଲା ଓ ଦେଶରେ ସାଧାରଣ ନିର୍ବାଚନ କରାଗଲା । ୧୯୪୭ ମସିହା ସ୍ୱାଧୀନତା ପରଠାରୁ ଏପର୍ଯ୍ୟନ୍ତ ପୂର୍ଣ୍ଣ କ୍ଷମତାରେ ଥିବା ରାଜନୈତିକ ଦଳ କଂଗ୍ରେସ କେବଳ ଏହି କଳା ଆଇନ ଲାଗୁ କରିବା ଫଳରେ ଜନସାଧାରଣଙ୍କ ଆସ୍ଥା ହରାଇଲା ନାହିଁ, ପରନ୍ତୁ ୧୯୭୭ ନିର୍ବାଚନରେ କଂଗ୍ରେସ ଦଳ ସାରା ଭାରତରେ ରାଜନୈତିକ କ୍ଷମତା ହରାଇଲା । ତା ପ୍ରତିବଦଳରେ ପ୍ରଥମ ଥର ପାଇଁ ଭାରତର କେନ୍ଦ୍ରରେ ଏକ ଅଣ କଂଗ୍ରେସ ସରକାର ପ୍ରତିଷ୍ଠିତ ହେଲା । ସମ୍ବିଧାନର ଏହି ଧାରାଟି ସଂଶୋଧିତ କରାଗଲା । କିନ୍ତୁ ଯେଉଁ ସମୟରେ ଭାରତବର୍ଷରେ ସାଧାରଣ ଜନତା ଅନୁଭବ କଲେ ଯେ ଏ ଆଇନ ପ୍ରତ୍ୟାହାର କରିନିଆଯାଇଛି, ଆଉ ଥରେ ବ୍ୟବହାର ହୋଇପାରିବ ନାହିଁ ଏବଂ ଯେଉଁ ଦଳ ସରକାରକୁ ଆସିଛନ୍ତି, ସେମାନଙ୍କ ଭିତରେ ମଧ୍ୟ ଆହୁରି କଠୋରପନ୍ଥୀମାନେ ଜମି ରହିଛନ୍ତି । ସେହି ସମୟରେ ସେମାନେ ୧୯୮୦ ମସିହାରେ ପୁନଶ୍ଚ କଂଗ୍ରେସକୁ ସମର୍ଥନ ଜଣାଇଲେ । ବହୁମତରେ କଂଗ୍ରେସ ପୁନଶ୍ଚ କ୍ଷମତାକୁ ଆସିଲା । ଏ ସମସ୍ତ ହେଉଛି ଭାରତବର୍ଷର ସମ୍ବିଧାନ ଓ ଗଣତନ୍ତ୍ର ଏକ ପରୀକ୍ଷା ନିରୀକ୍ଷାର ସମୟ ଥିଲାବୋଲି କହିଲେ ଅତ୍ୟୁକ୍ତି ହେବନାହିଁ । ଭାରତ ଜନଗଣ ପ୍ରମାଣ କଲେ ଯେ କୌଣସି ରାଜନୈତିକ ଦଳ ବା ବ୍ୟକ୍ତି ସ୍ୱେଚ୍ଛାଚାରୀ ହେଲେ ତାକୁ ଦୂରେଇ ଦିଆଯାଇ ପାରିବ ଏବଂ ସେଥିପାଇଁ ସବୁଠାରୁ ବଡ଼ ଅସ୍ତ୍ର ସେମାନଙ୍କ ହାତରେ ସମ୍ବିଧାନ ଓ ତାର ବ୍ୟବସ୍ଥା ରହିଛି । ଯେଉଁ ସମ୍ବିଧାନକୁ ଜବହାରଲାଲ ନେହେରୁ, ସର୍ଦ୍ଦାର ପଟେଲ, ରାଜେନ୍ଦ୍ର ପ୍ରସାଦ, ଆମ୍ବେଦକର ସମେତ ବହୁ ଜାତୀୟବାଦୀ ନେତାମାନେ ବହୁ କଷ୍ଟ ସ୍ୱୀକାର କରି ତିଆରି କରିଥିଲେ ଓ ଭାରତକୁ ଦୀର୍ଘଦିନର ଔପନିବେଶୀୟ ଶାସନରୁ ମୁକାଳି ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ କରିଥିଲେ । ସେହି ସମ୍ବିଧାନ ହିଁ ଲୋକତନ୍ତ୍ରର ସର୍ବୋଚ୍ଚତମ ରକ୍ଷାକର୍ତ୍ତା । ଏବେ ସେହି ଜରୁରୀକାଳୀନ ପରିସ୍ଥିତିକୁ ମନେପକାଇ ଶାସକ ଫାଇଦା ଉଠାଇବାର ଚେଷ୍ଟା କରିଛନ୍ତି । ସେମାନେ ଭୁଲି ଯାଉଛନ୍ତି ଯେ ଗତ ୧୦ବର୍ଷ ଧରି ଅର୍ଥାତ୍ ୨୦୧୪ ମସିହାରୁ ସେମାନେ ଶାସନରେ ଥିବାବେଳେ ଏପରି କାର୍ଯ୍ୟ କରିଛନ୍ତି ଯାହାକି ଭାରତବର୍ଷର ସାମ୍ବିଧାନିକ ବ୍ୟବସ୍ଥାକୁ କ୍ଷୁଣ୍ଣ କରି ଗଣତନ୍ତ୍ର ବିପନ୍ନ କରିବା ପାଇଁ ଉଦ୍ଦିଷ୍ଟ ଥିଲା । ଏହି ସମୟ ମଧ୍ୟରେ ଆତଙ୍କ, ଭୟ, ସମ୍ବାଦପତ୍ର, ସାମ୍ବାଦିକତାର ମାନ କ୍ଷୂଣ୍ଣ, ଲୋକମତକୁ ଅବଦମିତ କରିବା ଓ ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକୁ ଦୁର୍ବଳ କରିବା, ସମ୍ବିଧାନ ସ୍ୱୀକୃତ ସଂସ୍ଥା ଯଥା- ନିର୍ବାଚନ କମିଶନ, ନ୍ୟାୟପାଳିକା ରିଜର୍ଭବ୍ୟାଙ୍କ ଆଦିକୁ କବଳିତ କରି ନିଜର ଉଦେଶ୍ୟ ସାଧିତ କରିବା ପ୍ରଭୁତି ବହୁ ପରିମାଣରେ ଦେଖାଗଲା । ସମ୍ବିଧାନର ମୂଳଭିତ୍ତି ସମସ୍ତେ ସମାନ । ଜାତି, ଧର୍ମ ବର୍ଣ୍ଣ ନିର୍ବିଶେଷରେ ଆଇନ ଆଗରେ ସମସ୍ତେ ଏକ । ଏକଥାକୁ ଦଳି ଚକଟି ଏକ ଆତଙ୍କ ଦେଶବ୍ୟାପୀ ସୃଷ୍ଟି କରାଗଲା । କାହାର ପିନ୍ଧିବା, ଖାଇବା, ପଢ଼ିବା ଓ ସାମାଜିକ ଚଳଣିର ଅଧିକାରକୁ ରାଷ୍ଟ୍ର ବରଦାସ୍ତ କଲାନାହିଁ । ତାଙ୍କ ଉପରେ ଜୋର ଜବରଦସ୍ତି ଭିନ୍ନ ମତ, ଭିନ୍ନ ବ୍ୟବସ୍ଥା ଲଦି ଦେବାର ଉଦ୍ୟମ କରାଗଲା । ସଂଗଠିତ ଭାବେ ବିଭିନ୍ନ ବ୍ୟକ୍ତିମାନଙ୍କ ଉପରେ ଆକ୍ରମଣ କରାଗଲା ଓ ହତ୍ୟା କରାଗଲା । କେତେକ ନୃଶଂସ ଉଦାହରଣ ଉପସ୍ଥାପିତ କରାଯାଇପାରେ । ରାଜସ୍ଥାନର ଏକ ଗୋରୁ ବେପାରୀ ପେହେଲୁ ଖାଁଙ୍କୁ ଗୋଷ୍ଠୀଗତ ଭାବେ ଆକ୍ରମଣ କରାଯାଇ ନୃଶଂସ ଭାବେ ହତ୍ୟା କରାଗଲା । ୨୦୧୫ ମସିହା ସେପ୍ଟେମ୍ବର ୨୮ତାରିଖରେ ଉତ୍ତର ପ୍ରଦେଶର ଦାଦ୍ରୀଠାରେ ମହମ୍ମଦ ଆକ୍ଳା ନାମକ ଜଣେ ବ୍ୟକ୍ତିଙ୍କୁ ସଂଗଠିତ ଭାବରେ ହତ୍ୟା କରାଗଲା । ତାର କାରଣସ୍ୱରୂପ ମିଥ୍ୟା ପ୍ରଚାର କରିଦିଆଗଲା, ତା’ ଘରେ ଗୋମାଂସ ମହଜୁଦ୍ ରହିଛି । ଏହିପରି ଅନେକ ଜାଗାରେ ବିନା କାରଣରେ ଗୁଜବ ପ୍ରଚାର କରାଯାଇ ଏବଂ କେତେକ ବ୍ୟକ୍ତିଙ୍କ ଦ୍ୱାରା ରାସ୍ତାରେ ଯାଉଥିବା ଟ୍ରକ୍ ଓ ଗାଡ଼ି ଅଟକାଇ ବିଭିନ୍ନ ଲୋକଙ୍କ ଉପରେ ଆକ୍ରମଣ କରିବାର ଦୃଷ୍ଟାନ୍ତ ଦିନକୁ ଦିନ ବଢ଼ି ଚାଲିଲା । ଗୋଟିଏ ସଂପ୍ରଦାୟର ଝିଅମାନେ କ’ଣ ପିନ୍ଧିବେ, ବିଦ୍ୟାଳୟ ବା ମହାବିଦ୍ୟାଳୟର ୟୁନିଫର୍ମ ତାଙ୍କ ପାଇଁ କିପରିଭାବେ ଲାଗୁହେବ, ଏ ସମ୍ପର୍କରେ ଜବରଦସ୍ତ ନିର୍ଦ୍ଧେଶନାମା ମାନ ଜାହିର ହେଲା । ଠିକ୍ ସେମିତି ସମ୍ବାଦପତ୍ର ଓ ସାମ୍ବାଦିକତାର ସ୍ୱାଧୀନତା ସଂକୁଚିତ କରିବାପାଇଁ ରାଷ୍ଟ୍ର ଓ ବିଜେପି ନେତାମାନେ ସମସ୍ତ ପ୍ରକାର ଚେଷ୍ଟାକଲେ । ଆବଶ୍ୟକ ସ୍ଥଳେ ଏହି ସମ୍ବାଦ ପରିବେଷଣକାରୀ ସଂସ୍ଥାକୁ ଆଣି ନିଜ ଇଚ୍ଛା ମୁତାବକ ସମ୍ବାଦ ପରିବେଷଣ କରିବାର ଉଦ୍ୟମ ଦେଖାଦେଲା । ପ୍ରଣୟ ରାୟ, ଜଣେ ଉଚ୍ଚକୋଟିର ଖ୍ୟାତି ସମ୍ପନ୍ନ ସାମ୍ବାଦିକ । ତାଙ୍କ ମତରେ ବ୍ୟକ୍ତିର ବାକ୍ ସ୍ୱାଧୀନତା ମୋଦୀ ସରକାର ସମୟରେ ସଂକୁଚିତ ହେଲା । ଜଣାଶୁଣା ସଂପାଦକ ବବିଘୋଷ (ହିନ୍ଦୁସ୍ଥାନ ଟାଇମ୍ସ), କ୍ରିଷ୍ଟପ୍ରସାଦ (ଆଉଟ୍ ଲୁକ୍) ସେମାନଙ୍କ ଚାକିରି ହରାଇଲେ । ଯେଉଁମାନେ କୌଣସି କଳାଆଇନର ବିରୋଧ କଲେ, ସେମାନଙ୍କର କଣ୍ଠରୋଧ କରିବା ପାଇଁ କେବଳ ଉଦ୍ୟମ କରାଗଲା ନାହିଁ, ତାଙ୍କୁ ଦେଶଦ୍ରୋହୀଭାବେ ପ୍ରଚାରିତ କରାଗଲା ଓ ଗିରଫ କରାଗଲା । କହ୍ନେୟା କୁମାର ଓ ଉମର ଖଲିବ୍ ପ୍ରାକ୍ତନ ଛାତ୍ରନେତା ଓ ଅନେକ ବହୁ ପ୍ରଫେସର ଜେ.ଏନ୍.ୟୁ ଛାତ୍ରନେତା ପ୍ରଭୃତି ଏହି ଅଭିଯୋଗରେ ଅଭିଯୁକ୍ତ ହେଲେ । ଦଳିତବର୍ଗର ଲୋକଙ୍କ ଉପରେ ଆକ୍ରମଣ ବଢ଼ିଚାଲିଲା । ମନୁବାଦୀମାନଙ୍କର ସ୍ୱର ତୀକ୍ଷ୍ଣ ହେଲା ଓ ଜବରଦସ୍ତ ହେଲା । ଯାହାର ଫଳସ୍ୱରୂପ ରୋହିତ ଭୈମୁଲା ଆତ୍ମହତ୍ୟା କରିବାକୁ ବାଧ୍ୟହେଲେ । ଗୁଜୁରାଟର ଉନା’ଠାରେ ଚାରିଜଣ ଦଳିତ ପିଲାଙ୍କୁ ଜିପ୍ର ପଛପଟେ ବାନ୍ଧି ରାସ୍ତାରେ ଘୋଷଡ଼ା ଗଲା । ସାମ୍ବାଦିକତା କ୍ଷେତ୍ରରେ ଏପରି ଅବସ୍ଥା ଉପୁଜିଲା ଯେ ବିଶିଷ୍ଟ ସାମ୍ବାଦିକ ପ୍ରଣୟ ରାୟ ଏହାର ଶିକାର ହେଲେ । ରବିଶ୍ କୁମାର ସାମ୍ବାଦିକତା ଛାଡ଼ିଲେ ଓ ନିଜେ ଗୋଟେ ଫେସ୍ବୁକ୍ ୱେବ୍ସାଇଟ୍ ମିଡ଼ିଆ ମାଧ୍ୟମରେ ନିଜର ବକ୍ତବ୍ୟ ରଖିବାକୁ ବାଧ୍ୟ ହେଲେ । ଏ ୧୦ଟି ବର୍ଷ କେବଳ ଏତିକି ଭିତରେ ସୀମିତ ନଥିଲା, ସେ ସମୟର ସରକାରଙ୍କର ଲୋକ ଅହିତକାର କଳାକାର୍ଯ୍ୟ ଦ୍ରୁତଗତିରେ ବଢ଼ି ଚାଲିଲା । କୃଷକମାନଙ୍କୁ ଚାପିବା ପାଇଁ ତିନି ତିନୋଟି ଆଇନ ପ୍ରଣୟନ କରାଗଲା । ଯାହା ବିରୁଦ୍ଧରେ ଭାରତବର୍ଷରେ ଏକ ଅଭୂତପୂର୍ବ କୃଷକ ଆନ୍ଦୋଳନ ମୁଣ୍ଡ ଟେକିଲା, ଅନେକ କୃଷକ ଥଣ୍ଡା କାକରରେ ରାସ୍ତାଉପରେ ପ୍ରାଣ ହରାଇଲେ ଏବଂ ଉତ୍ତର ପ୍ରଦେଶରେ ଆନ୍ଦୋଳନ କାରୀଙ୍କ ଉପରେ ଗାଡ଼ି ମଡ଼େଇ ମାରିଦିଆଗଲା । ଏହାଠାରୁ ବଳି ଅଧିକ ଆତଙ୍କ ଆଉ କ’ଣ ରହିଥାନ୍ତା । କିନ୍ତୁ ଏଥିରେ ସରକାର ପରାଜୟ ସ୍ୱୀକାର କରିବାକୁ ବାଧ୍ୟହେଲେ ଓ ଆଇନ ପ୍ରତ୍ୟାହାର ହେଲା । ଏହି କଳାଦଶନ୍ଧି ମଧ୍ୟରେ ହଠାତ୍ ଗୋଟିଏ ମଧ୍ୟରାତ୍ରରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶରେ ପ୍ରଚଳିତ ମୁଦ୍ରା ପ୍ରତ୍ୟାହାର କରିନେବାର ଘୋଷଣା କଲେ । ଏହା କରିବା ଦ୍ୱାରା ଗରିବ ଲୋକଙ୍କର ପଇସା ସୁରକ୍ଷିତ ରହିବ, ବଡ଼ ଲୋକମାନେ ହଇରାଣରେ ପଡ଼ିବେ ବୋଲି ବାରମ୍ବାର କହିଲେ । କଳାଟଙ୍କା ଲୋକଙ୍କ ହାତକୁ ଫେରିଆସିବ । ଏପରି ସବୁ ପ୍ରତିଶୃତି ଦିଆଗଲା । କିନ୍ତୁ ଦେଖାଗଲା ଏହି ବିମୁଦ୍ରାୟନ ଫଳରେ ସାଧାରଣ ଗରିବ, ନିମ୍ନ ମଧ୍ୟବିତ୍ତ, ମୂଲିଆ ଶ୍ରେଣୀର ଲୋକେ ତଥା କ୍ଷୁଦ୍ର ଓ ମଧ୍ୟମ ଶିଳ୍ପଗୋଷ୍ଠୀ ଆକ୍ରାନ୍ତ ହେଲେ, କ୍ଷତିଗ୍ରସ୍ତ ହେଲେ । ଅନେକ ଚାକିରି ହରାଇଲେ, ଆତ୍ମହତ୍ୟା କଲେ । ଏହି ସମୟ ଭିତରେ ଜୋର ଜବରଦସ୍ତି ଟିକସ ଆଦାୟ ପାଇଁ ଆଇନ ପ୍ରଣୟନ କରାଗଲା । ଯେଉଁଥିରେ ପରୋକ୍ଷ ଟିକସ୍ ସେବା ଓ ଦ୍ରବ୍ୟକର ତରବରିଆ ଭାବରେ ଗ୍ରହଣ କରାଇ ନିଆଗଲା । ଏବେ ଦେଖାଯାଉଛି ଯେ ସାଧାରଣ ଓ ଗରିବ ଲୋକଙ୍କଠାରୁ ଆଦାୟ ହେଉଥିବା କର ବୃଦ୍ଧି ପାଉଛି ସତ, ହେଲେ ବଡ଼ଲୋକ(Corporate House) ମାନଙ୍କଠାରୁ ହେଉଥିବା କର ଆଦାୟ ବହୁ ପରିମାଣରେ କମିବାରେ ଲାଗିଛି ।
ଦେଶରେ ରିଜର୍ଭ ବ୍ୟାଙ୍କ ତା ସ୍ୱତନ୍ତ୍ରତା ହରାଇଛି । ସରକାରଙ୍କର ଅଧସ୍ତନ ଭାବେ ଗୋଟିଏ ଲାଭକାରୀ ସଂସ୍ଥାରେ ପରିଣତ ହୋଇଛି । ସେଥିରୁ କିଛି ଅଂଶଧନ ପ୍ରତିବର୍ଷ ସରକାରଙ୍କୁ ଦେବାରେ ଲାଗିଛି । ଦୁର୍ନୀତି ନିବାରଣ ନିମନ୍ତେ ସୃଷ୍ଟି ହୋଇଥିବା ଦୁଇଟି ସଂସ୍ଥା ‘ସିବିଆଇ, ଇଡି’ଙ୍କୁ ରାଜନୈତିକ ଉଦେଶ୍ୟରେ ବ୍ୟବହାର କରାଯାଉଛି । ଯେଉଁମାନେ ସରକାରୀ ଦଳର ବିରୋଧ କରିଛନ୍ତି, ଗତ ୧୦ବର୍ଷ ଭିତରେ ଦେଖାଯାଇଛି ଯେ ସେମାନେ ସବୁ ସିବିଆଇ ଓ ଇଡ଼ି ଭିତରକୁ ଟଣା ହୋଇଛନ୍ତି । ସେମାନଙ୍କୁ ଦୀର୍ଘଦିନ ଜେଲ୍ ଭୋଗିବାକୁ ପଡ଼ିଛି । ଯେଉଁମାନେ ଦଳ ବଦଳ କରି ସରକାରୀ ଦଳକୁ ଯାଇଛନ୍ତି ସେମାନେ ସ୍ୱଚ୍ଛ ଓ ନିର୍ମଳ ଭାବମୂର୍ତ୍ତି ନେଇ ସାଧାରଣରେ କାଳାତିପାତ କରୁଛନ୍ତି । ଏହିପରି ବ୍ୟବସ୍ଥା ଗତ ୧୦ବର୍ଷ ଭିତରେ ବ୍ୟାପିବାରେ ଲାଗିଛି । ଏଥିସହିତ ଜାତିର ଶେଷ ପୁରୁଷମାନଙ୍କୁ ନିମ୍ନ କରାଯିବାର ଉଦ୍ୟମ ମଧ୍ୟ ଏହି ୧୦ବର୍ଷ ଭିତରେ ହୋଇଛି । ସାଧ୍ୱୀ ପ୍ରଜ୍ଞାସିଂ ଠାକୁର ସରକାରୀ ଦଳର ଜଣେ ପ୍ରମୁଖ ବ୍ୟକ୍ତି ଯେ କି ପରବର୍ତ୍ତୀକାଳରେ ଭାରତୀୟ ଜନତାପାର୍ଟିର ପ୍ରାର୍ଥୀଭାବେ ନିର୍ବାଚିତ ହୋଇଥିଲେ । ଖୋଲାଖୋଲି ଭାବେ ଏକ ସମୟରେ ନାଥୁରାମ୍ ଗଡ୍ସେ ଜଣେ ଦେଶପ୍ରେମୀ ଓ ଜାତିର ପିତା ମହାତ୍ମାଗାନ୍ଧୀଙ୍କୁ ମାରିବାରେ କିଛି ଅପରାଧ କରିନାହାନ୍ତି ବୋଲି କହିଲେ । ଏ ମଧ୍ୟରେ ମାନ୍ୟବର ସୁପି୍ରମକୋର୍ଟ ଗୋଟିଏ ଡିଭିଜନ୍ ବେଞ୍ଚ ଜରିଆରେ କେତେଗୁଡ଼ିଏ କେସ୍ ଅନୁଧ୍ୟାନ କରିବା ପାଇଁ ବିଚାରକୁ ନେଇଛନ୍ତି । ସେଗୁଡ଼ିକ ମଧ୍ୟରେ ସାମ୍ବିଧାନିକ ବ୍ୟବସ୍ଥାକୁ ଉପେକ୍ଷା କରି ସରକାର ଅନେକ ବିଲ୍ ରାଜ୍ୟ ସଭାକୁ ନନେଇ ମନି ବିଲ୍ ବା ଅର୍ଥ ବିଲ୍ ଭାବରେ ଲୋକସଭାରେ ସଂଖ୍ୟାଗରିଷ୍ଠତା ଥିବା ହେତୁ ପାସ୍ କରେଇ ନେଇଥିବାର ତାଲିକା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ତାଲିକା ପ୍ରସ୍ତୁତ ହେଲେ ସ୍ପଷ୍ଟ ହେବ ଯେ ସମ୍ବିଧାନକୁ ପରୋକ୍ଷ ଭାବରେ ଖତମ୍ କରି କିପରି ରାଜନୈତିକ ଉଦେଶ୍ୟ ଚରିତାର୍ଥ କରିବାର ଉଦ୍ୟମ ଗତ ୧୦ବର୍ଷ ଭିତରେ ଚାଲିଥିଲା । ଭାରତବର୍ଷର ଜନସାଧାରଣ ସେଇ ୨୧ ମାସର ଜରୁରୀକାଳୀନ ପରିସ୍ଥିତି ପାଇଁ ସେ ସମୟର ସରକାର (ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ କଂଗ୍ରେସ ସରକାର)କୁ ୨୧ମାସ ପାଇଁ ସରକାରରୁ ବିଦା କଲେ । ୧୯୮୦ ମସିହାରେ ଓ ୧୯୮୫ ମସିହାରେ ବହୁମତ ନେଇ କଂଗ୍ରେସ ଦଳ ପୁଣି ସରକାରକୁ ଆସିଲା । ଅଥଚ ୧୦ବର୍ଷ ଧରି ଦେଶରେ ଆତଙ୍କରାଜ ସୃଷ୍ଟି କରିଥିବା ସରକାର ୨୦୨୪ ନିର୍ବାଚନରେ ବହୁ ପଛକୁ ଠେଲି ହୋଇଯାଇଛି । ଏହା ହିଁ ଜନଗଣଙ୍କର
Comments
0 comments