ଓଡ଼ିଶା ରାଜନୀତିରେ ଆଉ ଏକ ମଧ୍ୟାନ୍ତର

ସରଳ କୁମାର ଦାସ
ସରଳ କୁମାର ଦାସ69 Views
12 Min Read

ଓଡ଼ିଶା ବିଧାନସଭା ପାଇଁ ୨୦୨୪ରେ ଅନୁଷ୍ଠିତ ନିର୍ବାଚନରେ ବିଜେପି କ୍ଷମତାସୀନ ହୋଇଛି । ହେଲେ ମତଦାତାମାନେ ଦଳକୁ ଲୋକସଭା ଆସନଗୁଡ଼ିକରେ ଯେଉଁଭଳି ଅକୁଣ୍ଠ ସମର୍ଥନ ଦେଇ ୨୧ଟିରୁ ୨୦ଟି ଆସନରେ ବିଜୟୀ କରାଇଛନ୍ତି, ରାଜ୍ୟରେ ସରକାର ଗଠନ ଲାଗି ସେଭଳି ଅକୁଣ୍ଠ ସମର୍ଥନ ଦେଇନାହାନ୍ତି । ସେଭଳି ହୋଇଥିଲେ ଦଳ ଅନ୍ତତଃ ୧୦୦ରୁ ଅଧିକ ଆସନରେ ବିଜୟୀ ହୋଇଥାନ୍ତା । ଦଳ ମାତ୍ର ୭୮ଟି ସ୍ଥାନରେ ବିଜୟୀ ହେବାର ଅର୍ଥ ଲୋକମାନେ ବିଜେଡ଼ି ସରକାରକୁ କ୍ଷମତାଚ୍ୟୁତ କରିବା ଲାଗି ଅଧିକ ତତ୍ପରତା ପ୍ରଦର୍ଶନ କରିଥିବାରୁ ଏହାକୁ ବିଜେପି ସରକାର ଗଠନ ସପକ୍ଷରେ ଏକ ସକାରାତ୍ମକ ଭୋଟ ବୋଲି କୁହାଯାଇ ନପାରେ । ଫଳାଫଳ ଘୋଷଣା ପରେ ରାଜ୍ୟ ରାଜନୀତି ଆଉ ଏକ ମଧ୍ୟାନ୍ତରରେ ଉପନୀତ ହୋଇଛି ବୋଲି କୁହାଯାଇପାରେ । ବିଜେପି ଅପେକ୍ଷାକୃତ ଶକ୍ତିଶାଳୀ ଓ ବିଜେଡି ଦୁର୍ବଳହୋଇ ଉଭୟ ଦଳ ପ୍ରାୟ ସମାନ ସ୍ଥିତିରେ ପହଞ୍ଚି ଯାଇଥିଲାବେଳେ କଂଗ୍ରେସ ତା’ର ପ୍ରଦର୍ଶନକୁ ପୂର୍ବାପେକ୍ଷା ଭଲ କରିବାକୁ ସମର୍ଥ ହୋଇଛି । ଅର୍ଥାତ୍ ପ୍ରତିଟି ଦଳପାଇଁ ଆଗାମୀ ଦିନରେ ବିସ୍ତାର ଲାଗି ସମ୍ଭାବନା ସୃଷ୍ଟିହୋଇଥିବାରୁ ପ୍ରତିଟି ଦଳ ନିଜ ନିଜ ରଣନୀତିକୁ ଅତି ସୂକ୍ଷ୍ମ ଭାବେ ଓ ସତର୍କତାର ସହିତ ନିର୍ଦ୍ଧାରଣ କରିବାର ଆବଶ୍ୟକତା ରହିଛି ।

ଗତ କିଛିବର୍ଷ ମଧ୍ୟରେ ରାଜ୍ୟରେ ବିଜେପିର ପ୍ରସାର ଯଥେଷ୍ଟ ଅଧିକ ହୋଇଥିବାରୁ ଦଳ ରାଜ୍ୟରେ ୨୦ଟି ଲୋକସଭା ଆସନ ଜିତିବା ସହ ୭୮ଟି ବିଧାନସଭା ଆସନ ଜିତି ସରକାର ଗଠନ କରିବାକୁ ସମର୍ଥ ହୋଇଛି । କିନ୍ତୁ ଏବେ ମଧ୍ୟ ଗଜପତି, ରାୟଗଡ଼ା, ଦେଓଗଡ଼ ଓ ନୂଆପଡ଼ା ପରି ୪ଟି ଜିଲ୍ଲାର କୌଣସି ଆସନରେ ଦଳ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇନାହିଁ । ସମ୍ୱଲପୁର, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, ସୋନପୁର, କନ୍ଧମାଳ, ଜଗତସିଂହପୁର ଓ ନୟାଗଡ଼ ଜିଲ୍ଲାରେ ଉଭୟ ବିଜେପି ଓ ବିଜେଡି ସମାନସଂଖ୍ୟକ ଆସନ ପାଇଥିବାବେଳେ ସୁନ୍ଦରଗଡ଼, କଳାହାଣ୍ଡି, କଟକ, କେନ୍ଦ୍ରାପଡ଼ା, ଖୋର୍ଦ୍ଧାଭଳି ଜିଲ୍ଲାଗୁଡ଼ିକରେ ଦଳ ବିଜେଡିଠାରୁ କମସଂଖ୍ୟକ ଆସନ ପାଇଛି । ଅର୍ଥାତ୍, ଦଳର ସଫଳତା ମୁଖ୍ୟତଃ ୫୦ପ୍ରତିଶତରୁ ଅଧିକ ଆସନ ମିଳିଥିବା ଗଞ୍ଜାମ, ମୟୂରଭଞ୍ଜ, ଢେଙ୍କାନାଳ, ଝାରସୁଗୁଡ଼ା, ବୌଦ, ବରଗଡ଼, ବଲାଙ୍ଗିର, ଅନୁଗୁଳ, ନବରଙ୍ଗପୁର ଓ ପୁରୀ ଭଳି ମାତ୍ର ୧୦ଟି ଜିଲ୍ଲାରେ କେନ୍ଦ୍ରିତ । ତେଣୁ ରାଜ୍ୟର ସର୍ବତ୍ର ଗ୍ରହଣୀୟ ହେବା ଲାଗି ବିଜେପିକୁ ଏବେ ବି ପ୍ରୟାସ କରିବାକୁ ହେବ । ଏଯାଏ ଉନ୍ନତ ସାଂଗଠନିକ ଶକ୍ତି, ଅର୍ଥବଳ, ରଣନୀତି ଓ ନିରନ୍ତର ପ୍ରୟାସକୁ ଆଧାର କରି ଦଳ ତା’ର ବିସ୍ତାର କରିବାକୁ ସମର୍ଥ ହୋଇଛି । ଏଣିକି ରାଜ୍ୟରେ କ୍ଷମତାଲାଭ ଦଳର ବିସ୍ତାର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିପାରେ ।

ପାଣ୍ଡିଆନ ପ୍ରକରଣ ବିଜେଡ଼ି ପରାଜୟର ମୁଖ୍ୟ କାରଣ ବୋଲି ଏତେ ଅଧିକ କୁହାଯାଉଛି ଯେ ଅନ୍ୟାନ୍ୟ ବାସ୍ତବ କାରଣଗୁଡ଼ିକ ଉପରୁ ଲୋକଙ୍କ ଧ୍ୟାନ ଅପସାରିତ ହୋଇଯାଉଛି । ଗତ ଦଶବର୍ଷ ଧରି ଦଳର ଘୋଷିତ ନୀତି ‘ଉଭୟ ବିଜେପି ଓ କଂଗ୍ରେସଠାରୁ ସମଦୂରତ୍ୱ’ ହୋଇଥିଲେ ବି ଗତ ୫ ବର୍ଷ ମଧ୍ୟରେ ଏହା ବିଜେପିର ଅଧିକ ନିକଟତର ହୋଇଥିଲା । ଏନଡିଏ ମେଣ୍ଟରେ ନ ଥାଇବି ବିଜେଡ଼ି ଏକ ସହଯୋଗୀ ଦଳଭାବେ କାର୍ଯ୍ୟ କରୁଛି ବୋଲି ସାଧାରଣରେ ଧାରଣାଟିଏ ସୃଷ୍ଟି ହୋଇଆସିଥିଲା । ସଂସଦରେ ଭୋଟଦାନ ସମୟରେ ବିଭିନ୍ନ ପ୍ରସଙ୍ଗରେ, ଏପରିକି କିଛି ଅଗଣତାନ୍ତ୍ରିକ ବିଲ୍ କୁ ପାରିତ କରିବାରେ, ବିଜେଡି ବିରୋଧୀ ଦଳର ଭୂମିକା ନିର୍ବାହ କରିବା ତ ଦୂରର କଥା, ବିଜେପିକୁ ଆଖିବୁଜା ସମର୍ଥନ ଦେଇଆସିଥିଲା । ରାଜ୍ୟ ସ୍ୱାର୍ଥରେ ବା ଜାତୀୟ ସ୍ୱାର୍ଥରେ ସେପରି କରାଯାଇଛି ବୋଲି ସଫେଇଟିଏ ଦିଆଯାଉଥିଲେ ବି ତଦ୍ଦ୍ୱାରା ଆଜିଯାଏ ରାଜ୍ୟର କି ସ୍ୱାର୍ଥ ହାସଲ ହୋଇଛି, ତାହା ଅଜ୍ଞାତ । ଗତ ଲୋକସଭାରେ ଉଭୟ ବିଜେଡି ଓ ଜଗନମୋହନଙ୍କ ୱାଇଏସସିଆରପି ଦଳ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଏଭଳି ସମର୍ଥନ କରୁଥିଲେ ଯେ ସେମାନେ ବିଜେପିର ବି ଟିମ୍ ବୋଲି ଧାରଣାଟିଏ ଜନମାନସରେ ବସା ବାନ୍ଧିଥିଲା । ଉଲ୍ଲେଖଯୋଗ୍ୟ ଯେ ଉଭୟ ଦଳଙ୍କୁ ସେଥିପାଇଁ ଦଣ୍ଡିତ ହେବାକୁ ହୋଇଛି । ନିଜ ଦଳର କାହାକୁ ନ ପଠାଇ ବିଜେପି ନେତା ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି ଦୁଇ ଥର ରାଜ୍ୟସଭାକୁ ପଠାଇବା ଉଭୟ ଦଳଙ୍କ ମଧ୍ୟରେ ଥିବା ଭିତିରି ସମ୍ପର୍କକୁ ନେଇ ଓଡ଼ିଶାବାସୀଙ୍କ ମନରେ ସଂଶୟଟିଏ ସୃଷ୍ଟି କରିଥିଲା । ନିର୍ବାଚନ ଘୋଷଣାର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଉଭୟ ଦଳ ମଧ୍ୟରେ ମେଣ୍ଟଗଠନର ସମ୍ଭାବନା ନେଇ ଆଲୋଚନା ଜାରିରହିବା ସେହି ସମ୍ପର୍କର ପ୍ରଗାଢ଼ତାକୁ ଇଙ୍ଗିତ କରୁଥିଲା । ବିଜେଡ଼ି ବିଜେପିର ଅତ୍ୟଧିକ ନିକଟତର ହୋଇଥିବାର ଅବଧାରଣାଟିଏ ସୃଷ୍ଟି ହେବା ହିଁ ଦଳର ବିପର୍ଯ୍ୟୟର ଏକ ବଡ଼ କାରଣ । କିଛି ମତଦାତା ମନେ କଲେ ଯେ ବିଜେଡିକୁ ଭୋଟଦେଲେ ସେମାନେ ବିରୋଧୀ ଦଳ ଭାବେ କାମ ନ କରି ପ୍ରତି ପ୍ରସଙ୍ଗରେ ବିଜେପିକୁ ସୁହାଇଲା ଭଳି କାମ କରିବେ । ବିଜେପିର ବି ଟିମକୁ ଭୋଟଦେବା ଅପେକ୍ଷା ବିଜେପିକୁ ସିଧାସଳଖ ଭୋଟ ଦେବା ବରଂ ଭଲ । ଫଳରେ ବିଜେଡି ପାଇ ଆସୁଥିବା କିଛି ବିଜେପି-ବିରୋଧୀ ଭୋଟ ଏଥର ବିଜେଡ଼ିକୁ ନ ଯାଇ କଂଗ୍ରେସ ବା ଅନ୍ୟ ଦଳଗୁଡ଼ିକୁ ଗଲା ଓ ଦଳର ଭୋଟ ୨୦୧୯ ତୁଳନାରେ ପ୍ରାୟ ୫ ପ୍ରତିଶତ ହ୍ରାସ ପାଇ ୪୦.୨୨ପ୍ରତିଶତରେ ପହଞ୍ଚିଲା ।

ଏବେ ପ୍ରଶ୍ନ ଉଠୁଛି ବିଜେଡ଼ିର ପୁନରୁତ୍ଥାନ ସମ୍ଭବ କି, ଯାହାର ଉତ୍ତର ହେବ ସ୍ପଷ୍ଟ ହଁ । କାରଣ ଦଳ କ୍ଷମତାଚ୍ୟୁତ ହୋଇଥିଲେ ବି ଏହା ଏବେ ମଧ୍ୟ ରାଜ୍ୟରେ ଏକ ନମ୍ୱର ଦଳ ହୋଇରହିଛି । ଏହା ୫୧ଟି ଆସନରେ ବିଜୟୀ ହୋଇଥିଲେ ବି ୯୦ଟି ଆସନରେ ଦ୍ୱିତୀୟ ଆସନରେ ରହିଛି । ଅର୍ଥାତ୍ ୧୪୧ଟି ଆସନରେ ବିଜେଡି ଲଢ଼େଇରେ ଅଛି । ଅନ୍ୟପକ୍ଷରେ ବିଜେପି ୭୮ଟି ଆସନରେ ଜିତିଥିଲେ ବି ମାତ୍ର ୪୪ଟିରେ ଦ୍ୱିତୀୟ ସ୍ଥାନରେ ଅଛି । ତେଣୁ ବିଜେପି ସମୁଦାୟ ୧୨୨ଟି ଆସନରେ ଲଢ଼େଇରେ ଅଛି ଯାହା ବିଜେଡି ତୁଳନାରେ ଯଥେଷ୍ଟ କମ୍ । ପୁନଶ୍ଚ, ବିଜେପି ଅଧିକସଂଖ୍ୟକ ଆସନରେ ବିଜୟୀ ହୋଇଛି ସତ ହେଲେ ସାମାନ୍ୟ ଅଧିକସଂଖ୍ୟକ ଲୋକ ବିଜେଡିକୁ ଭୋଟ ଦେଇଛନ୍ତି । ବିଜେଡି ସମୁଦାୟ ୧,୦୧,୦୨୪୫୪ ଭୋଟ ପାଇଥିବାବେଳେ ବିଜେପି ପାଇଥିବା ସମୁଦାୟ ଭୋଟ ସଂଖ୍ୟା ୧,୦୦,୬୪,୮୨୭ । ଅଧିକ ଭୋଟ ପାଇ କମ ସଂଖ୍ୟକ ଆସନ ହାସଲ କରିବାର କାରଣ ହେଉଛି ପ୍ରାୟ ୨୫ଟି ଆସନରେ ବିଜେଡ଼ି ୧୦୦୦୦ରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବା ବେଳେ ବିଜେପି ୪୫ଟି ଆସନରେ ୧୦୦୦୦ରୁ କମ ଭୋଟରେ ଜିତିଛି । ବରୀ (୫୧୦୦୦), ବେଗୁନିଆ (୪୭୦୦୦) ଓ ଚମ୍ପୁଆ (୩୯୦୦୦) ଭଳି ସର୍ବାଧିକ ଭୋଟ ବ୍ୟବଧାନରେ ବିଜୟ ହୋଇଥିବା ପ୍ରଥମ ତିନୋଟି ଆସନ ବିଜେଡ଼ି ସପକ୍ଷରେ ଯାଇଛି । କୌଣସି ଆସନ ଦଖଲ ପାଇଁ ବହୁତ ଅଧିକ ଭୋଟ ମିଳିବା ଯେତେ ଗୁରୁତ୍ୱପୂର୍ଣ୍ଣ ନୁହେଁ, ତାଠାରୁ ବେଶି ଗୁରୁତ୍ୱପୂର୍ଣ୍ଣ ଜିତିବାଲାଗି ଆବଶ୍ୟକ ସର୍ବନିମ୍ନ ସୀମାବର୍ତ୍ତୀ (ଥ୍ରେସହୋଲଡ) ଭୋଟ ହାସଲ କରିବା । ଏ କ୍ଷେତ୍ରରେ ଅନେକ ଆସନରେ ବିଜେଡି ସେହି ଥ୍ରେସହୋଲଡ ଭୋଟ ହାସଲ କରିବାରେ ଅସଫଳ ହୋଇଥିବାରୁ ତା’ର ଆସନ ସଂଖ୍ୟା କମିଛି । ତେଣୁ ବିଜେଡ଼ିର କିଛି ନୀତି ଓ କାର୍ଯ୍ୟଶୈଳୀ ପ୍ରତ୍ୟାଖ୍ୟାତ ହୋଇଥିଲେ ବି ରାଜ୍ୟବାସୀ ନେତା ଓ ଦଳକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛନ୍ତି ବୋଲି କହିହେବ ନାହିଁ । ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଶୈଳୀକୁ ନେଇ ଆଲୋଚନା କରାଯାଇପାରେ । ତେବେ ବାସ୍ତବତା ହେଉଛି ନିର୍ବାଚନ ହାରିବା ସତ୍ତ୍ୱେ ଏବେ ମଧ୍ୟ ତାଙ୍କ ଲୋକପ୍ରିୟତା,ବିଶେଷ କରି ଗ୍ରାମାଞ୍ଚଳରେ ଓ ମହିଳାମାନଙ୍କ ନିକଟରେ,ଅତୁଟ ରହିଥିବାର ପରିଲକ୍ଷିତ ହେଉଛି । ନବୀନ ପଟ୍ଟନାୟକଙ୍କ ଏହି ଲୋକପ୍ରିୟତା (ବ୍ରାଣ୍ଡ୍ ଇମେଜ) ମଳିନ ପଡ଼ିବା ପୂର୍ବରୁ ତାକୁ ଆଧାର କରି ତୁରନ୍ତ କେତେଗୁଡ଼ିଏ ପଦକ୍ଷେପ ନିଆଗଲେ, ଦଳ ଦ୍ରୁତ ପୁନଃସଂଗଠିତ ହୋଇପାରିବ । ଦଳ ଏବେ ସରକାରରେ ନାହିଁ । ଫଳରେ ବିଜେପି ଓ କଂଗ୍ରେସଠାରୁ ସମ ଦୂରତ୍ୱ ରକ୍ଷା କରିବା ନୀତିର ଆଉ କିଛି ଅର୍ଥ ଥିଲାଭଳି ମନେହୁଏ ନାହିଁ । ତେଣୁ ଦଳକୁ ସେହି ନୀତିର ପୁନର୍ବିଚାର କରି କୌଣସି ଗୋଟିଏ ମେଣ୍ଟରେ ଯୋଗଦାନ କରିବାକୁ ପଡ଼ିବ । କିନ୍ତୁ ବିଜେପି ଓଡ଼ିଶାରେ ନିଜର ବିସ୍ତାରକୁ ପ୍ରାଧାନ୍ୟ ଦେବା ସ୍ୱାଭାବିକ ହୋଇଥିବାରୁ ଏନଡିଏରେ ସାମିଲ ହେଲେ ତାହା ବିଜେଡି ପକ୍ଷରେ ଆତ୍ମଘାତୀ ହେବ । ତେଣୁ ‘ଇଣ୍ଡିଆ’ରେ ସାମିଲ ହେବା ଦଳ ପାଇଁ ଉପଯୋଗୀ ହୋଇପାରେ । ଦୀର୍ଘ ୨୪ବର୍ଷ ଧରି ବିଜେଡ଼ିର ନେତାମାନେ ବିଭିନ୍ନ ଭାବେ କ୍ଷମତା ଉପଭୋଗ କରିଆସିଥିବାରୁ ବିଜେଡିରେ ରହି କ୍ଷମତାଲାଭର ସମ୍ଭାବନା ଟିକକ ଖୋଜି ନ ପାଇଲେ ତନ୍ମଧ୍ୟରୁ କିଛି ବିଧାୟକ, ସାଂସଦ ଦଳ ବଦଳାଇବାକୁ ତତ୍ପର ହୋଇପାରନ୍ତି । ଇତିମଧ୍ୟରେ ତାର ପ୍ରଥମ ଉଦାହରଣ ଦେଖିବାକୁ ମିଳି ସାରିଲାଣି ରାଜ୍ୟସଭାର ବିଜେଡ଼ି ସାଂସଦ ଦଳ ତ୍ୟାଗ କରି ବିଜେପିରେ ମିଶିବା ପରେ । ଏଣେ ବିଜେପି ସଂଖ୍ୟାଗରିଷ୍ଠତାଠାରୁ ସାମାନ୍ୟ ଅଧିକ ଆସନ ପାଇଥିବାରୁ ସରକାରକୁ ସ୍ଥିରତା ପ୍ରଦାନ କରିବା ଲାଗି ଦଳ ତରଫରୁ ଅନ୍ୟ ଦଳର ବିଧାୟକଙ୍କୁ ପ୍ରଲୋଭିତ କରି ନିଜ ଦଳରେ ମିଶାଇବାର ପ୍ରୟାସ ହୋଇପାରେ । ଅତୀତରେ ବିଜେପି ଅନ୍ୟ କିଛି ରାଜ୍ୟରେ ଏହି ପନ୍ଥା ଅନୁସରଣ କରିସାରିଛି । ଦଳର ବିଘଟନକୁ ରୋକି ନିଜ ବିଧାୟକଙ୍କୁଏକଜୁଟ ରଖିବାକୁ ହେଲେ ବିଜେଡିକୁ ସଂଖ୍ୟାଗରିଷ୍ଠତାର ନିକଟତର ହୋଇ କ୍ଷମତା ଦଖଲ କରିବାକୁ ପ୍ରୟାସ କରିବାକୁ ହେବ । କ୍ଷମତାଲାଭର ସମ୍ଭାବନା ହିଁ ଏକ ଅଠା ପରି କାମ କରିଥାଏ, ଯାହା ନେତାମାନଙ୍କୁ ଦଳ ସହିତ ଯୋଡ଼ି ହୋଇ ରହିବାକୁ ବାଧ୍ୟ କରିଥାଏ । ବିଜେଡି ‘ଇଣ୍ଡିଆ’ ମେଣ୍ଟରେ ସାମିଲ ହେଲେ ରାଜ୍ୟ ବିଧାନସଭାରେ କଂଗ୍ରେସ ଓ ସିପିଏମର ସଦସ୍ୟଙ୍କୁ ମିଶାଇ ଇଣ୍ଡିଆ ମେଣ୍ଟର ସଦସ୍ୟ ସଂଖ୍ୟା ୬୬ରେ ପହଞ୍ଚିବ, ଯାହା ସଂଖ୍ୟାଗରିଷ୍ଠତା ପାଇଁ ଆବଶ୍ୟକ ୭୪ରୁ ମାତ୍ର ୮ କମ୍ । ଉଲ୍ଲେଖଯୋଗ୍ୟ ଯେ ଟିକେଟ ନ ପାଇ ବିଜେଡିରୁ ଦଳ ପରିବର୍ତ୍ତନ କରି ବିଜେପିରୁ ଲଢ଼ି ନିର୍ବାଚନ ଜିତିଥିବା ଓ ମନ୍ତ୍ରୀ ହୋଇନଥିବା କିଛି ବିଧାୟକ ଅଛନ୍ତି, ଯେଉଁମାନଙ୍କ ପ୍ରତ୍ୟାବର୍ତ୍ତନ ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ । କ୍ଷମତାକୁ ଫେରିବାର ସମ୍ଭାବନା ହିଁ ଦଳକୁ ବିଘଟନରୁ ରକ୍ଷା କରିପାରେ । ଅଧିକନ୍ତୁ ଲୋକସଭାରେ ଦଳର କୌଣସି ପ୍ରତିନିଧିତ୍ୱ ନଥିଲେ ବି ରାଜ୍ୟସଭାରେ ୮ଜଣ ସଦସ୍ୟ ଥିବାରୁ ମେଣ୍ଟରେ ରହି ଦଳର ସାଂସଦମାନେ ନିଜର ଉପସ୍ଥିତିକୁ ଦୃଢ଼ତାର ସହିତ ଜାହିର କରିପାରିବେ । ତେବେ ବିଜେଡି ପକ୍ଷରେ ଇଣ୍ଡିଆ ମେଣ୍ଟରେ ସାମିଲ ହେବାର ଅନ୍ତରାୟ ହୋଇପାରେ ଦଳର କଂଗ୍ରେସ ବିରୋଧୀ ମାନସିକତା । ହେଲେ ଗତ କିଛି ବର୍ଷ ମଧ୍ୟରେ କଂଗ୍ରେସର ଅନେକ ନେତାଙ୍କୁ ବିଜେଡ଼ି ଦଳରେ ଗ୍ରହଣ କରିଛିଓ ସେମାନଙ୍କ ମଧ୍ୟରୁ ଅନେକ ନିର୍ବାଚନ ଲଢ଼ି ବିଧାୟକ ଭାବେ ନିର୍ବାଚିତ ହୋଇସାରିଛନ୍ତି । ତେଣୁ କଂଗ୍ରେସ ନେତାଙ୍କ ଗ୍ରହଣୀୟତା ଉପରେ କୌଣସି ପ୍ରଶ୍ନ ଉଠୁନାହିଁ । ସାରା ଭାରତରେ କଂଗ୍ରେସ ବିରୋଧୀ ରାଜନୀତି କରିଆସିଥିବା ଆରଜେଡି, ସମାଜବାଦୀ ପାର୍ଟି, ଏନସିପି, ଶିବସେନା ଆଦି ଅନେକ ଦଳ ଏବେ କଂଗ୍ରେସ ସହ ଗୋଟିଏ ମେଣ୍ଟରେ କାମ କରିବାକୁ କୁଣ୍ଠାବୋଧ କରୁନଥିବାବେଳେ ବିଜେଡି କୁଣ୍ଠାପ୍ରକାଶ କରିବାର କାରଣ ନ ଥାଇପାରେ । ତାଛଡ଼ା ଏବର କଂଗ୍ରେସର ସ୍ଥିତି ଆଉ ସେପରି ନୁହେଁ ଯେ ଏକା ମେଣ୍ଟରେ ରହି ତାହା ବିଜେଡିର କ୍ଷତି କରିପାରିବ ।

ଏଥର କଂଗ୍ରେସର ବିଧାୟକ ସଂଖ୍ୟା ୯ରୁ ବଢ଼ି ୧୪ ହୋଇଛି ଓ ୧୧ଟି ଆସନରେ ଏହା ଦ୍ୱିତୀୟ ସ୍ଥାନରେ ରହିଛି । ଦଳ ପୂର୍ବଥର ଭଳି କୋରାପୁଟ ଲୋକସଭା ଆସନଟିକୁ ନିଜ ଅକ୍ତିଆରରେ ରଖିବାକୁ ସମର୍ଥ ହୋଇଛି । ଦଳର ଭୋଟ ହାର କମିଥିଲେ ବି ୨୪ବର୍ଷ ଧରି କ୍ଷମତା ବାହାରେ ଥାଇ ଏବେ ମଧ୍ୟ ଦଳ ସପକ୍ଷରେ ୩୩ ଲକ୍ଷରୁ ଅଧିକ ମତଦାତା ଭୋଟ ଦେବା ଦଳ ପାଇଁ ଉତ୍ସାହଜନକ ହୋଇପାରେ । ଏହାକୁ ଆଧାର କରି ଦଳ ଆଗାମୀ ଦିନରେ ବିସ୍ତାର ରଣନୀତି ପ୍ରସ୍ତୁତ କରିବା ଆବଶ୍ୟକ । ରାୟଗଡା ଓ କୋରାପୁଟ ଜିଲ୍ଲାରେ ଦଳର ପ୍ରଦର୍ଶନ ଅତି ଭଲ ହୋଇଥିଲାବେଳେ ଅନ୍ୟ ଜିଲ୍ଲାର ନିର୍ଦ୍ଦିଷ୍ଟ କିଛି ଆସନରେ ସ୍ଥାନୀୟ ନେତାଙ୍କ ଲୋକପ୍ରିୟତା ଯୋଗୁ ଦଳ ଜିତିଛି । କିଛି ଆସନରେ ତ ଲଢ଼େଇ ତ୍ରିମୁଖୀ ହୋଇ ଫଳାଫଳକୁ ପ୍ରଭାବିତ କରିଛି । ତେଣୁ ମେଣ୍ଟକୁ ସୁଦୃଢ଼ କରି ହେଉ ଅବା କିଛି ଆସନରେ କୌଶଳଗତ ମେଣ୍ଟ କରି ହେଉ; ଦଳ ନିଜର ସ୍ଥିତିକୁ ଅଧିକ ମଜବୁତ କରିପାରିବ ।

ବଣାଇ ଆସନରୁ ସିପିଏମ୍ ର ଲକ୍ଷ୍ଣଣ ମୁଣ୍ଡା ବାରମ୍ୱାର ବିଜୟ ଲାଭ କରିବା ଗୋଟିଏ କଥାକୁ ଇଙ୍ଗିତ କରୁଛି ଯେ ପ୍ରତିକୂଳ ପରିସ୍ଥିତିରେ ବି ନେତାଙ୍କ ଲୋକପ୍ରିୟତା ଓ ଦଳର ସାଙ୍ଗଠନିକ ଶକ୍ତି ଗୋଟିଏ ଅପେକ୍ଷାକୃତ ଛୋଟ ଦଳକୁ ବିଜୟର ସ୍ୱାଦ ଚଖାଇପାରେ । ତେଣୁ ଏଥିରୁ ବାମ ଦଳ, ଆପ୍ ଭଳି ଅନ୍ୟାନ୍ୟ ଛୋଟ ଦଳଗୁଡ଼ିକୁ ବାର୍ତ୍ତା ସ୍ପଷ୍ଟ ଯେ କେବଳ ଲଢ଼ିବା ପାଇଁ ନ ଲଢ଼ି ନିଜ ସମ୍ୱଳ ଓ ସାଙ୍ଗଠନିକ ଶକ୍ତିକୁ ଅଳ୍ପ କେତୋଟି ଆସନରେ କେନ୍ଦ୍ରିତ କରି ଏକ ନିର୍ଦ୍ଦିଷ୍ଟ ରଣନୀତି ସହ ଲଢ଼ାଗଲେ ହୁଏତ ବିଜୟର ଦ୍ୱାରଦେଶରେ ପହଞ୍ଚିହେବ ।

ଅତୀତ ଓ ବର୍ତ୍ତମାନର ଅନୁଭବ କହୁଛି, ଓଡ଼ିଶାର ଶାସନଭାର ଯେତେବେଳେ ବି କୌଣସି ଜାତୀୟ ରାଜନୈତିକ ଦଳ ହାତକୁ ଯାଇଛି, ସେତେବେଳେ ଏହା ଏକ କରଦ ରାଜ୍ୟରେ ପରିଣତ ହୋଇଛି ଓ ଓଡ଼ିଶାରୁ ଶିଖର ନେତୃତ୍ୱର ବିକାଶ ହୋଇପାରି ନାହିଁ । ରାଜ୍ୟ ଶାସନ ପାଣ୍ଡିଆନଙ୍କ ପରି ଜଣେ ତାମିଲଙ୍କ କରାୟତ୍ତ ହେବାର ବଖାଣଟି ଲାଗି ୨୦୨୪ ନିର୍ବାଚନରେ ଓଡ଼ିଆ ସ୍ୱାଭିମାନ ଓ ଅସ୍ମିତା ଏକ ବଡ଼ ପ୍ରସଙ୍ଗ ହୋଇ ଫଳାଫଳକୁ ମାତ୍ରାଧିକ ପ୍ରଭାବିତ କଲା । କିନ୍ତୁ ଫଳାଫଳ ଘୋଷଣା ପରେ ମୁଖ୍ୟମନ୍ତ୍ରୀ ଚୟନରେ ବିଳମ୍ୱ ହେଉ ବା ରାଜ୍ୟପାଳଙ୍କ ପୁଅ ଦ୍ୱାରା ଓଡ଼ିଆ ପୁଲିସ ଅଫିସର ମାଡ଼ ଖାଇଲା ପରେ ପ୍ରଶାସନିକ ନିଷ୍କ୍ରିୟତା ହେଉ, ତାହା କ’ଣ ଓଡ଼ିଶାର ସ୍ୱାଭିମାନକୁ ଆଘାତ ପହଞ୍ଚାଉ ନାହିଁ କି? ଲୋକସଭାରେ ୧୬ଜଣ ସାଂସଦଙ୍କ ସହ ଆନ୍ଧ୍ରପ୍ରଦେଶ ଜାତୀୟ ସ୍ତରରେ ଯେଉଁ ଗୁରୁତ୍ୱ ପାଉଛି ବା ଆହୁରି ଛୋଟ ଛୋଟ ଆଞ୍ଚଳିକ ଦଳଗୁଡ଼ିକ ଯେଉଁ ଗୁରୁତ୍ୱ ପାଉଛନ୍ତି, ରାଜ୍ୟରୁ ବିଜେପିକୁ ୨୦ଜଣ ସାଂସଦ ଦେଇଥିବା ଓଡ଼ିଶା କ’ଣ ଅନୁରୂପ ଗୁରୁତ୍ୱ ପାଉଛି? ତେଣୁ କୌଣସି ଜାତୀୟ ରାଜନୈତିକ ଦଳ ଦ୍ୱାରା ଓଡ଼ିଶାର ସ୍ୱାଭିମାନ ସୁରକ୍ଷିତ ରହିବା ସମ୍ଭବ ନୁହେଁ । ଏହା କେବଳ ଏକ ଆଞ୍ଚଳିକ ଦଳ ଦ୍ୱାରା ସମ୍ଭବ ଯିଏ କୌଣସି ଜାତୀୟ ଦଳକୁ ଅନ୍ଧ ଭାବେ ସମର୍ଥନ କରି ଗୋଡ଼ାଣିଆ ସାଜୁ ନଥିବ । ପୁନଶ୍ଚ ଅନ୍ୟ ରାଜ୍ୟଗୁଡ଼ିକ ପରି ଓଡ଼ିଶାରେ ଜାତିଗତ ରାଜନୀତିର ଚେର ଭିଡ଼ି ନଥିବାରୁ ଏକ ଶକ୍ତିଶାଳୀ ଆଞ୍ଚଳିକ ଦଳର ଅନୁପସ୍ଥିତିରେ ଗୁଜୁରାଟ ଓ ମଧ୍ୟପ୍ରଦେଶ ପରି ଓଡ଼ିଶାକୁ ହିନ୍ଦୁତ୍ୱର ନୂଆ ପରୀକ୍ଷାଗାରରେ ରୂପାନ୍ତରିତ କରିବା ବିଜେପି ପକ୍ଷରେ ଅପେକ୍ଷାକୃତ ସହଜ । ଥରେ ସେଥିରେ ସଫଳ ହେଲେ ଅନ୍ୟ ଦଳଗୁଡ଼ିକ ଲାଗି କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିବା ଆଉ ସେତେଟା ସହଜ ହେବ ନାହିଁ । ଅନ୍ୟ ଦଳଗୁଡ଼ିକ ଏକଜୁଟ ହେଲେ ଯାଇ ବିଜେପିର ବିସ୍ତାରକୁ ପ୍ରତିହତ କରିପାରିବେ । ଉଲ୍ଲେଖଯୋଗ୍ୟ ଯେ ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗ, ଭଳି ଶକ୍ତିଶାଳୀ ଆଞ୍ଚଳିକ ଦଳ ଥିବା ରାଜ୍ୟଗୁଡ଼ିକରେ ବିଜେପି କେଉଁଠି କେମିତି କ୍ଷମତାସୀନ ହୋଇଥିଲେ ବି ସେହି ରାଜ୍ୟଗୁଡ଼ିକୁ ହିନ୍ଦୁତ୍ୱର ପରୀକ୍ଷାଗାର କରିବାକୁ ସମର୍ଥ ହୋଇନାହିଁ । ଏହି ବାସ୍ତବତାକୁ ଉପଲବ୍ଧି କରି ବିଭିନ୍ନ ଦଳ ସେମାନଙ୍କ ରଣନୀତି ପ୍ରସ୍ତୁତ କରିବା ଆବଶ୍ୟକ । ଓଡ଼ିଶା ଓ ଓଡ଼ିଶାବାସୀଙ୍କ ସ୍ୱାର୍ଥରେ ଜାତୀୟ ଦଳଙ୍କ ସହ ରାଜ୍ୟରେ ଏକ ଶକ୍ତିଶାଳୀ ଆଞ୍ଚଳିକ ଦଳ ରହିବା ନିହାତି ଆବଶ୍ୟକ । ତେଣୁ ସେହି ଭୂମିକାଟିକୁ ସମ୍ପାଦନ କରିବା ଲାଗି କାଳବିଳମ୍ୱ ନ କରି ବିଜେଡିକୁ ପୁନଃସଂଗଠିତ ହେବାକୁ ହେବ ଓ ନିଜ ନୀତି ଏବଂ କାର୍ଯ୍ୟଶୈଳୀରେ ଯଥେଷ୍ଟ ପରିବର୍ତ୍ତନ ଆଣିବାକୁ ହେବ । ଅନ୍ୟଥା ଦଳର ବିଘଟନ ହେବା ଓ ଏକ ନୂତନ ଆଞ୍ଚଳିକ ଦଳର ଅଭ୍ୟୁଦୟ ହୋଇ ସେହି ସ୍ଥାନଟି ଅଧିକୃତ ହେବା କିଛି ଅସମ୍ଭବ ନୁହେଁ ।

Comments

0 comments

Share This Article