ଜାତୀୟ ପତାକାର ପରିକଳ୍ପନା କରିଥିବା ସେହି କୃଷିବିତ୍‌

( ମୂଳଲେଖା- ଇଣ୍ଟରନେଟ୍ / ଭାଷାନ୍ତର – ଇରା ପଟ୍ଟନାୟକ )

ବେଳେ ବେଳେ ହୁଏତ ମନକୁ ଏକଥା ଆସୁଥିବ ଯେ ଆମ ଜାତୀୟ ପତାକାର ପରିକଳ୍ପନା କାହାଦ୍ୱାରା ହୋଇଥିଲା । ତ୍ରିରଙ୍ଗାର ତିନୋଟି ରଙ୍ଗ କାହା ତୂଳୀରୁ ପ୍ରଥମେ ଆସିଥିଲା, ତିନୋଟି ରଙ୍ଗ ପର୍ବର ରହସ୍ୟ କ’ଣ ଥିଲା, ଇତ୍ୟାଦି ଆଉ କିଛି ପ୍ରଶ୍ନ ବି ଥାଇପାରେ । ତେବେ ତ୍ରିରଙ୍ଗାର ପ୍ରଥମ ପରିକଳ୍ପନା ପଛରେ ଥିବା ବ୍ୟକ୍ତିତ୍ୱ ଜଣକ ହେଉଛନ୍ତି ପିଙ୍ଗାଲି ଭେଙ୍କେୟା । ଅନେକ ପ୍ରତିଭାର ଅଧିକାରୀ ଥିଲେ ସେ । କୃଷିବିତ୍‌, ଲେଖକ, ଜାପାନୀ ଭାଷାର ଅଧ୍ୟାପକ ତଥା ଜଣେ ଭୂ-ପଦାର୍ଥ ବିଜ୍ଞାନୀ ।

ଭେଙ୍କେୟାଙ୍କ ଜନ୍ମ ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲ୍ଲାର ଦିଭିତାଲୁକା ଠାରେ । ଦିନଟି ଥିଲା ଅଗଷ୍ଟ ୨, ୧୮୩୬, ମା ଥିଲେ ଉତ୍ତଲା ପେନୁମାରୁ ଓ ବାପା ଥିଲେ ଦାନୁ ମନ୍ତାରାୟଡ଼ୁ । ମୁସଲି-ପାଟନମ୍‌ର ହିନ୍ଦୁ ହାଇସ୍କୁଲରୁ ଉତ୍ତୀର୍ଣ୍ଣ ହେବା ପରେ ସେ କଲୋମ୍ବୋ ଯାଇଥିଲେ ସିନିୟର୍ କେମ୍ଭ୍ରିଜ୍ ପଢ଼ିବା ପାଇଁ । ଦେଶାତ୍ମବୋଧକ ଚେତନାର ପ୍ରଭାବରେ ସେ ମାତ୍ର ୧୯ବର୍ଷ ବୟସରେ ବୋଏର ଯୁଦ୍ଧରେ ଯୋଗ ଦେଇଥିଲେ । ଆଫ୍ରିକାରେ ଥିଲାବେଳେ ଗାନ୍ଧିଜୀଙ୍କ ସହ ତାଙ୍କର ଦେଖା ହୋଇଥିଲା ଏବଂ ସେହି ସମ୍ପର୍କ ୫୦ବର୍ଷ କାଳ ବଳବତ୍ତର ଥିଲା । ଭାରତକୁ ଫେରି ସେ ବାଙ୍ଗାଲୋର ଓ ମାଡ଼୍ରାସରେ ରେଳବାଇ ଗାର୍ଡ଼ ହିସାବରେ କାମ କରିଥିଲେ ତାପରେ ସେ ବେଲାରୀରେ ଫ୍ଲାଗ୍ ଅଫିସର ହିସାବରେ ସ୍ଥାୟୀ ନିଯୁକ୍ତି ପାଇଥିଲେ । ସେ କିନ୍ତୁ ସ୍ଥାୟୀ ଚାକିରୀରେ ସ୍ଥିର ହୋଇ ରହିବା ଲୋକ ନଥିଲେ । ଅଧିକ ପାଠ ପଢ଼ିବା ପାଇଁ ସେ ଲାହୋର ଗଲେ ଏବଂ ସେଠାରେ ଆଙ୍ଗ୍‌ଲୋ ବେଦିକ୍ କଲଜରେ ଜାପାନୀ ଓ ଉର୍ଦ୍ଦୁଭାଷା ଶିକ୍ଷାଲାଭ କଲେ । ତାଙ୍କର ଶିକ୍ଷକ ଥିଲେ ଖ୍ୟାତନାମା ପ୍ରଫେସର ଗୋଟେ ।

ଉତ୍ତର ଭାରତରେ ୫ବର୍ଷ ରହିବା କାଳ ଭିତରେ ସେ ରାଜନୀତିରେ ଯଥେଷ୍ଟ ସକ୍ରିୟ ହୋଇ ଯାଇଥିଲେ । ବ୍ରିଟିଶ ଶାସନକୁ କ୍ଷମତାଚ୍ୟୁତ କରିବା ପାଇଁ ସଂଗ୍ରାମରତ ଥିବା ବିପ୍ଳବୀମାନଙ୍କୁ ସେ ଭେଟୁଥିଲେ ଓ ରଣନୀତି ତିଆରି କରିବାରେ ସାହାଯ୍ୟ କରୁଥିଲେ । ଦାଦାଭାଇ ନାରୋଜୀଙ୍କ ପୌରହିତ୍ୟରେ ଚାଲିଥିବା ଜାତୀୟ କଂଗ୍ରେସର ୧୦ମ ଅଧିବେଶନରେ ଦେଖାଗଲା ଯେ ପିଙ୍ଗାଲି ଭେଙ୍କେୟା ନୀତି ନିର୍ଦ୍ଧାରଣ କମିଟିରେ ବଳିଷ୍ଠ ସହଯୋଗ କରି ଜଣେ ପ୍ରମୁଖ କର୍ମୀ ହିସାବରେ ନଜରକୁ ଆସୁଛନ୍ତି । ଏଠି ପିଙ୍ଗାଲିଙ୍କର ଭେଟ ହେଲା ମହାନ୍ ପରୋପକାରୀ ବ୍ୟକ୍ତିତ୍ୱ ମୁନାଙ୍ଗଳାର ରାଜନ୍‌ଙ୍କ ସହିତ ।

୧୯୦୬ରୁ ୧୯୧୧ ଯାଏଁ ସେ ମୁନାଙ୍ଗଳାରେ କୃଷି ଓ ଶସ୍ୟ ଉପରେ ଗବେଷଣାରତ ଥିଲେ । କାମ୍ବୋଡ଼ିଆର ନୂତନ ପ୍ରକାରର କପା ଉପରେ ତାଙ୍କର ବିଶେଷ ଅନୁଧ୍ୟାନ ଥିଲା । କୃଷିକ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ଫିରଙ୍ଗିମାନେ ତାଙ୍କୁ ବ୍ରିଟେନର ସର୍ବୋଚ୍ଚ କୃଷି ବିଜ୍ଞାନ ପରିଷଦ, ‘ରୟାଲ୍ ସୋସାଇଟି ଅଫ ଏଗ୍ରିକଲଚର’ର ସଦସ୍ୟ ଭାବେ ଗ୍ରହଣ କରିଥିଲେ । ଶେଷରେ ପିଙ୍ଗାଲି ନିଜ ଜନ୍ମସ୍ଥାନ ମୁସଲିପାଟନାକୁ ଫେରି ଯାଇଥିଲେ ଏବଂ ସେଠି ଏକ ଜାତୀୟ ବିଦ୍ୟାଳୟ ପ୍ରତିଷ୍ଠା କରି ଯୁବକମାନଙ୍କୁ ମୌଳିକ ସାମରିକ ଶିକ୍ଷା, ଘୋଡ଼ା ଚଢ଼ିବା, ଇତିହାସ, କୃଷି ଓ ମୃତ୍ତିକା, ଶସ୍ୟ ଏବଂ ସେମାନଙ୍କର ପ୍ରକୃତି ସହିତ ଥିବା ସମ୍ପର୍କ ଉପରେ ପାଠ ପଢ଼ାଉଥିଲେ ।

୧୯୧୬-୨୧ମସିହା ଭିତରେ ପିଙ୍ଗାଲି ବିଶ୍ୱର ବିଭିନ୍ନ ଦେଶରୁ ପ୍ରାୟ ୩୦ଟି ପତାକା ସଂଗ୍ରହ କରିଥିଲେ । ତାଙ୍କରି ଏହି ପତାକା ପ୍ରୀତି ଯେ ଭାରତୀୟ ଜାତୀୟ ପତାକାର ରୂପ ନେବ ଏକଥା କେହି ଜାଣି ନଥିଲେ ।

୧୯୦୬ ମସିହା ଅଗଷ୍ଟ ୧ରେ କଲିକତାର ପାରସି ବାଗାନ ଛକ(ଗ୍ରୀନ୍‌ପାର୍କ)ଠାରେ ପ୍ରଥମ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ପତାକାଟିରେ ତିନୋଟି ରଙ୍ଗ ଥିଲା – ଲାଲ୍‌, ହଳଦିଆ ଓ ସବୁଜ । ଉପରେ ଆଠଟି ଧଳା ଗୋଲାପ ଧାଡ଼ିରେ ଥିଲା ବେଳେ, ହଳଦିଆ ରଙ୍ଗରେ ଦେବନାଗରୀ ଭାଷାରେ ତଥା ଗାଢ଼ ନୀଳ ରଙ୍ଗରେ ‘ବନ୍ଦେ ମାତରମ୍‌’ ଲେଖାଯାଇଥିଲା ।

ଦ୍ୱିତୀୟ ପତାକାଟିକୁ ମ୍ୟାଡାମ୍ କାମା ଏବଂ ତାଙ୍କର ଦଳର ସବୁ ନିର୍ବାଚିତ ବିପ୍ଳବୀ ମାନଙ୍କ ଦ୍ୱାରା ପ୍ୟାରିସ ଠାରେ ୧୯୦୩ ମସିହାରେ ଉତ୍ତୋଳନ କରାଯାଇ ଥିଲା । ଏହି ପତାକାଟି ବି ଠିକ୍ ପ୍ରଥମ ପତାକା ଭଳି ଥିଲା । ଏଠି କେବଳ ଏତିକି ଭିନ୍ନତା ଥିଲା ଯେ ଉପର ଧାଡ଼ିରେ ଗୋଟିଏ ପଦ୍ମଫୁଲ ଏବଂ ୩ଟି ତାରା ଥିଲା । ତାରାଗୁଡ଼ିକ ସପ୍ତ ମହର୍ଷିଙ୍କୁ ବୁଝାଉଥିଲା । ଏହି ପତାକାଟିକୁ ମଧ୍ୟ ବର୍ଲିନ୍‌ରେ ଆୟୋଜିତ ହେଉଥିବା ସମାଜବାଦୀ ସମ୍ମିଳନୀରେ ପ୍ରଦର୍ଶନ କରାଯାଇଥିଲା । ୧୯୧୭ ମସିହାରେ ତୃତୀୟ ପତାକାଟି ଉତ୍ତୋଳନ ହେଲା ବେଳକୁ ଆମ ରାଜନୈତିକ ସଂଗ୍ରାମ ଏବଂ ନିର୍ଣ୍ଣାୟକ ମୋଡ଼ ନେଇ ସାରିଥିଲା । ସେତେବେଳେ ତିଳକ ଓ ଆନି ବେସାନ୍ତଙ୍କ ଦ୍ୱାରା ତୃତୀୟ ପତାକାଟି କିଛି ଭିନ୍ନତା ଥାଇ ପ୍ରଦର୍ଶିତ କରାଯାଇଥିଲା । ତେବେ ୧୯୨୧ ମସିହାର ନୂତନ ନେତୃତ୍ୱର ଆହ୍ୱାନ ମହାତ୍ମା ଗାନ୍ଧିଙ୍କ ହାତରେ ଅର୍ପଣ କରିଥିଲା ଭାରତୀୟ ଜାତୀୟ ଆନ୍ଦୋଳନର ନେତୃତ୍ୱ । ତାଙ୍କରି ମାଧ୍ୟମରେ ନୂଆ ତ୍ରିରଙ୍ଗାର ଅନ୍ୱେଷଣ ପର୍ବ ବି ଆରମ୍ଭ ହୋଇଥିଲା ।

୧୯୨୧-୩୧, ଏହି ଦଶନ୍ଧିରେ ଭେଙ୍କେୟାଙ୍କ ଜୀବନ ଓ ଆନ୍ଧ୍ରର ଜାତୀୟ ଆନ୍ଦୋଳନ ପାଇଁ ଗୁରୁତ୍ୱପୂର୍ଣ୍ଣ ସମୟ ଥିଲା । ୧୯୨୧ର ମାର୍ଚ୍ଚ ୩୧ରୁ ଏପ୍ରିଲ ୧ ଦୁଇଦିନ ଧରି ଭାରତୀୟ ଜାତୀୟ କଂଗ୍ରେସର ଅଧିବେଶନ ବିଜୟୱାଡ଼ା ଠାରେ ଅନୁଷ୍ଠିତ ହୋଇଥିଲା । ଏହି ଅଧିବେଶନରେ ପିଙ୍ଗାଲି ନିଜ ଦ୍ୱାରା ପରିକଳ୍ପିତ ପତାକାକୁ ନେଇ ମହାତ୍ମାଗାନ୍ଧିଙ୍କୁ ଦେଖାଇଥିଲେ । ପତାକାଟିର ଦୁଇଟି ରଙ୍ଗ ଥିଲା । ଗୋଟିଏ ଲାଲ ଓ ଅନ୍ୟଟି ସବୁଜ । ଦୁଇଟି ରଙ୍ଗ ଭାରତର ଦୁଇଟି ପ୍ରମୁଖ ସମ୍ପ୍ରଦାୟମାନଙ୍କୁ ପ୍ରତିନିଧିତ୍ୱ କରୁଥିଲା । ଗାନ୍ଧିଙ୍କ ଅନୁମୋଦନ ପରେ ପତାକାଟିକୁ ଜାତୀୟ ପତାକାର ମର୍ଯ୍ୟାଦା ଦିଆଗଲା ଏବଂ ପରେ ସବୁ କଂଗ୍ରେସ ଅଧିବେଶନରେ ଏହି ପତାକାର ଉତ୍ତୋଳନ କରାଗଲା । ପତାକାଟିରେ ମଧ୍ୟ କିଛି କିଛି ସଂଶୋଧନ ଅଣାଗଲା । ଜଳନ୍ଧରର ହଂସରାଜଙ୍କ ପରାମର୍ଶରେ ପ୍ରଗତି ତଥା ସାଧାରଣ ଲୋକଟିର ସଙ୍କେତ ବହନ କରୁଥିବା ଚରଖାକୁ ସ୍ଥାନ ଦିଆଗଲା । ଗାନ୍ଧିଜୀ ନିଜେ ମଧ୍ୟ ଭାରତର ଅନ୍ୟ ସବୁ ସଂଖ୍ୟାଲଘୁ ସମ୍ପ୍ରଦାୟର ଉପସ୍ଥିତିକୁ ସମ୍ମାନ ଦେଇ ଧଳା ରଙ୍ଗକୁ ପତାକାରେ ସ୍ଥାନ ଦେବା ପାଇଁ ଗୁରୁତ୍ୱାରୋପ କଲେ ।

୧୯୩୧ ଯାଏଁ କୌଣସି ସିଦ୍ଧାନ୍ତରେ କଂଗ୍ରେସ ନେତାମାନେ ଉପନୀତ ହୋଇପାରି ନଥିଲେ । ପତାକାର ରଙ୍ଗ ନିର୍ଣ୍ଣୟ କରିବା କଷ୍ଟକର ହୋଇପଡ଼ିଲା, କାରଣ ଏହାର ବିଭିନ୍ନ ଅର୍ଥ ବାହାର କରିବା କାରଣରୁ ସାମ୍ପ୍ରଦାୟିକ ଆତଙ୍କ ବି ସୃଷ୍ଟି ହେଲା । ପରିଶେଷରେ ୧୯୩୧ରେ ଭାରତୀୟ ଜାତୀୟ କଂଗ୍ରେସର କରାଚୀ ଅଧିବେଶନରେ ଶେଷ ସିଦ୍ଧାନ୍ତ ଗ୍ରହଣ କରାଗଲା । ପତାକାଟିର ରଙ୍ଗ ଗୁଡ଼ିକର ଭିନ୍ନ ଅର୍ଥ ବାହାର କରାଗଲା ଯଥା: କମଳା ରଙ୍ଗ ‘ସାହସ’ ପାଇଁ, ଧଳା ରଙ୍ଗ ‘ସତ୍ୟ’ ପାଇଁ ଏବଂ ସବୁଜ ରଙ୍ଗ ବିଶ୍ୱାସ ଓ ପ୍ରଗତି ପାଇଁ ପ୍ରତିନିଧିତ୍ୱ କରୁଛନ୍ତି ବୋଲି ଗ୍ରହଣ କରାଗଲା । ଅଶୋକ ଧର୍ମଚକ୍ରକୁ ଚରଖା ବଦଳରେ ଗ୍ରହଣ କରାଗଲା ।

ତ୍ରିରଙ୍ଗାର ତିନୋଟି ରଙ୍ଗର ଅର୍ଥ କରିବାକୁ ଯାଇ ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ କହିଥିଲେ ଯେ କମଳା ରଙ୍ଗ ରାଜନେତାମାନଙ୍କର ତ୍ୟାଗ ମନୋଭାବ ଏବଂ ବ୍ୟକ୍ତିଗତ ସ୍ୱାର୍ଥସାଧନ ପାଇଁ ଥିବା ଅସୂୟା ଭାବ ଓ ଅନାଗ୍ରହ ଭାବର ପ୍ରତୀକ । ଧଳା ରଙ୍ଗ ଦିବ୍ୟ ଜ୍ଞାନ କଥାକୁ ସୂଚାଏ, ତଥା ସତ୍ୟର ପଥ ଆମ ଚରିତ୍ର ତଥା ସ୍ୱଭାବ ପାଇଁ କେତେଦୂର ଆବଶ୍ୟକ ସେ କଥାକୁ ବୁଝାଏ । ସେହିଭଳି ସବୁଜରଙ୍ଗ ମାଟି ଓ ବୃକ୍ଷରାଜି ତଥା ଅନ୍ୟ ଜୀବସତ୍ତା ସହ ଥିବା ଆମର ସମ୍ପର୍କକୁ ସୂଚୀତ କରେ । ପତାକାର ମଝିରେ ଧଳା ରଙ୍ଗର କେନ୍ଦ୍ରରେ ଥିବା ଅଶୋକଚକ୍ର ଧର୍ମର ନିୟମକୁ ବୁଝାଏ । ଏକ ଦାର୍ଶନିକର ଭାବନା ନେଇ ସେ କହିଥିଲେ ଯେ, ‘ଜାତୀୟ ପତାକା ତା’ ଛତ୍ର ତଳେ କାମ କରୁଥିବା ସବୁଲୋକଙ୍କର ନୀତିଗୁଡ଼ିକୁ ନିୟନ୍ତ୍ରିତ କରିବା ଦରକାର ।

ପିଙ୍ଗାଲି ଭେଙ୍କେୟା ସେହି ଦୂରଦୃଷ୍ଟି ସମ୍ପନ୍ନ ମହାନ୍ ଶିଳ୍ପୀ ଯେ ଜାତୀୟ ପତାକାର ଏଭଳି ପରିକଳ୍ପନା କରିଥିଲେ, ଦାରିଦ୍ର୍ୟ କଷାଘାତ ମଧ୍ୟରେ ଦେହ ତ୍ୟାଗ କରିଥିଲେ । ଆଜି ଅନେକ ବେନିୟମ-ଅନୈତିକ କାମ କରି ବିରାଟ ଶିଳ୍ପପତି ହୋଇଥିବା ଅପରାଧୀମାନଙ୍କୁ ରାଜ୍ୟ ଅତିଥି ବା ରାଷ୍ଟ୍ରୀୟ ସମ୍ମାନ ଦେଉଥିବା ସରକାର ମାନେ, ଜୁଲାଇ ୪, ୧୯୬୩ରେ ଭେଙ୍କେୟାଙ୍କ ଦେହାବସାନ ଯାଏଁ ସମ୍ମାନିତ ବି କରିବା ପାଇଁ ସାମାନ୍ୟତମ ଆଗ୍ରହ ମଧ୍ୟ ଦେଖାଇ ନଥିଲେ । ପରେ ତାଙ୍କ ମୃତ୍ୟୁର ଢେର କିଛି ବର୍ଷ ତଳେ ତାଙ୍କର ଝିଅ ସରକାରଙ୍କ ଠାରୁ ପେନ୍‌ସନ୍ ପାଇଥିଲେ । ପ୍ରତ୍ୟେକ ଦିନ ଆନ୍ଧ୍ର, ଓଡ଼ିଶା, କର୍ଣ୍ଣାଟକ, ଛତିଶଗଡ଼ ଇତ୍ୟାଦି ରାଜ୍ୟରେ ନିଜ ରାଜଧାନୀଗୁଡ଼ିକୁ ନ୍ୟୁୟର୍କ ବା ୱାଶିଂଟନ୍‌ରେ ପରିଣତ କରିବାର ପ୍ରତିଶ୍ରୁତି ଦେଉଥିବା ସରକାର ମାନେ ପିଙ୍ଗାଲିଙ୍କ ଜନ୍ମସ୍ଥାନ ମସୁଲିପଟନମ୍‌ରେ ଏଯାଏଁ ଗୋଟିଏ ସ୍ମୃତିଫଳକଟିଏ ବି ସ୍ଥାପନ କରିନାହାନ୍ତି । ନଭଶ୍ଚୁମ୍ଭୀ ଅଟ୍ଟାଳିକା, ଉଚ୍ଚ ରାଜପଥ ନିର୍ମାଣ, ସହର ସୌନ୍ଦର୍ଯ୍ୟକରଣ ଇତ୍ୟାଦି ପ୍ରକ୍ରିୟା ସର୍ବତ୍ର ଚାଲିଥିବା ବେଳେ ପିଙ୍ଗାଲିଙ୍କ ମୂଳ ଘରଟିକୁ ମାଟିରେ ମିଶାଇ ଦିଆଯାଇଛି ।

ପିଙ୍ଗାଲିଙ୍କୁ ନବଭାରତର ନବନିର୍ମାତାମାନେ ୟାଠୁ ଅଧିକ ସମ୍ମାନ ଦେବେ ବା କେମିତି? ସରକାରମାନଙ୍କ ସମ୍ମାନ ଉପାୟଟି ଏବେ ତ କେବଳ ଦେଶୀ-ବିଦେଶୀ ଶିଳ୍ପପତି ବା ସେମାନଙ୍କ ଦଲାଲମାନଙ୍କ ପାଇଁ ଉନ୍ମୁକ୍ତ ।

pHOTO CREDIT-https://bit.ly/2OdPzsh

Comments

0 comments

Share This Article
Sudhir Pattnaik is leading the Samadrusti Media Group as an equal member of a committed team. The Group includes within its fraternity, The Samadrusti.com Digital platform, The Samadrusti print magazine, The Samadrusti TV ( for making documentaries on people's issues) Madhyantara Video News Magazine, Village Biography Writing and Samadrusti Mukta Vidyalay imparting journalism courses to poor and deserving youth, Samadrusti Publications ( as a publishing house) and Samadrusti Institute of Research. His main challenge has been sustaining the non-funded ongoing initiatives and launching much-needed new initiatives in an atmosphere where corporate media appropriates all resources making the real alternatives struggle for survival.