“ଏକବିଂଶ ଶତାବ୍ଦୀରେ ଓଡ଼ିଶାର ଗାଁ କିପରି ଦିଶିବ”, ଓଡ଼ିଶାର ଗ୍ରାମାଞ୍ଚଳର ସାଂସ୍କୃତିକ, ସାମାଜିକ, ଆର୍ଥିକ, ରାଜନୈତିକ ସ୍ୱରୂପ କ’ଣ ହେବ? ଏହି ବିଷୟ ଉପରେ ଆଲୋଚନା କରିବାକୁ ଗଲାବେଳେ ଆମକୁ ଏହି ବିଷୟର ପୂର୍ବାପର ଆଲୋଚନା ମଧ୍ୟ କରିବାକୁ ପଡ଼ିବ ଯେ, ଅତୀତର ଗାଁ, ଭାରତ ଓ ଓଡ଼ିଶାର ଗାଁ କିମିତି ଥିଲା? ଏହି ପ୍ରଶ୍ନର ସଂକ୍ଷିପ୍ତ ଉତ୍ତର ହେବ–ଗାଁ ଲୋକେ ସବୁ ଜାଣିଥିଲେ । ଗାଁ ମାନବ ସଭ୍ୟତାର ପ୍ରଥମ ଏକକ ଥିଲା । ଗାଁ ଜ୍ଞାନ ସାଧନର ଗନ୍ତାଘର ଥିଲା । ସମାଜର ମୌଳିକ ଅବଧାରଣା, ଜୀବନର ମୂଲ୍ୟବୋଧ ଓ କ୍ରମବିକାଶ, ବ୍ୟକ୍ତିର ପାରିବାରିକ, ସାମୂହିକ ନୈତିକ କର୍ତ୍ତବ୍ୟ, ଧର୍ମଧାରଣା ଓ ବୌଦ୍ଧିକ ଚେତନାର ପୀଠସ୍ଥଳୀ ଥିଲା ଗାଁ । ଗାଁରେ ମୁନୀ, ଋଷି ଥିଲେ । ବ୍ୟାସ, ବାଲ୍ମିକୀ ଓ ଜଗନ୍ନାଥ ଦାସ ଏ ସଭିଏଁ ଗାଁରେ ଥିଲେ । ଗାଁରେ ରଚିତ ସାହିତ୍ୟ ସମାଜରେ ସଂସ୍କାର ଆଣୁଥିଲା । ଶାସକମାନଙ୍କୁ ନିୟାମକ ପଥରେ ଚାଲିବାର ନିର୍ଦ୍ଦେଶ ଦେଉଥିଲା । ଗାଁର ମୁନୀ, ଋଷିଙ୍କ ଆଶ୍ରମରେ ସମାଜର ସବୁ ଶ୍ରେଣୀରୁ ଆସିଥିବା ଛାତ୍ରଙ୍କ ଗହଣରେ ଶରୀର ଶ୍ରମର ଗୁରୁତ୍ୱଠାରୁ ସତ୍ୟ, ନ୍ୟାୟ, ଧର୍ମପାଳନର ମହତ୍ତ୍ୱ, ଗୁରୁସେବାଠାରୁ ଗୃହପାଳିତ ପଶୁ ସେବା, ଚାଷବାସ ଠାରୁ ଯୁଦ୍ଧବିଦ୍ୟା ପର୍ଯ୍ୟନ୍ତ ସମସ୍ତ ବିଦ୍ୟାରେ ପ୍ରଶିକ୍ଷିତ ରାଜାପୁଅ ସମାଜର ସବୁ ବର୍ଗର ଜୀବନ ଚଳଣୀ ସହ ଅଭ୍ୟସ୍ତ ଲୋକ ପ୍ରତିନିଧି ଥିଲେ, କେବଳ ରାଜାଙ୍କର ଉତ୍ତରାଧିକାରୀ ନଥିଲେ । ଗାଁ ହିଁ ରାଜ୍ୟ ଶାସନର ନିୟାମକ ଥିଲା । ସେ କାଳର ରାଜ୍ୟ-ନଗର ସଭ୍ୟତା-ଗ୍ରାମ୍ୟ ସଂସ୍କୃତିରୁ ଶକ୍ତି ଆହରଣ କରୁଥିଲା ।
ଗାଁର ଚାଷୀ କାହାର ଅଧୀନ ନଥିଲେ । ସ୍ୱାଧୀନ ଥିଲେ । ଜୀବନ ଧାରଣ ପାଇଁ ଯାହା ଆବଶ୍ୟକ, ଯଥା-ଖାଦ୍ୟ, ବସ୍ତ୍ର, ବାସଗୃହ ଉପକରଣ ଲୋକେ ତାହା ହିଁ ଉତ୍ପାଦନ କରୁଥିଲେ । ଉତ୍ପାଦିତ ସାମଗ୍ରୀର ଅପବ୍ୟବହାର ଓ ଅପବ୍ୟୟ ଯେପରି ନ ହେବ ସେଥିପାଇଁ ଯୁକ୍ତିଯୁକ୍ତ ପ୍ରଯୁକ୍ତି ବିଦ୍ୟାର ପ୍ରଚଳନ ଥିଲା । କମାରଶାଳ, କୁମ୍ଭାରଚକ, ଅରଟ-ତନ୍ତ, ଶଗଡ଼ଗାଡ଼ି, ଅସ୍ତ୍ରଶସ୍ତ୍ର – ଖାଦ୍ୟପେୟଠାରୁ ଶିକାର ଓ ସୁରକ୍ଷା ଓ ପରିବହନର ସମସ୍ତ ସାଧନ ସ୍ୱକୀୟ କୌଶଳରେ ନିର୍ମିତ ହେଉଥିଲା । ଆମର ପ୍ରାଚୀନ ଶାସ୍ତ୍ରାନୁସାରେ ‘ବସୁଧୈବ କୁଟୁମ୍ବକମ୍’, ମାର୍କ୍ସଙ୍କ ଭାଷାରେ “Primitive Communism” ଓ ଗାନ୍ଧିଜୀଙ୍କ ଅବଧାରଣାରେ ଥିବା ‘ଗ୍ରାମ ସ୍ୱରାଜ୍ୟ’ର ପରିକଳ୍ପନା ସେଇ ଅତୀତ ଗ୍ରାମ୍ୟ ସଂସ୍କୃତିକୁ ହିଁ ବ୍ୟାଖ୍ୟା କରୁଥିଲା ।
ଗାଁ କ’ଣ ହେଲା? ଗାଁ କ’ଣ ଥିଲା ଏବଂ ଗାଁ କ’ଣ ହେଲା ଏ ଉଭୟ ଅବସ୍ଥାର ଏକ ବସ୍ତୁତାତ୍ତ୍ୱିକ ଅର୍ଥରେ ଯୁଗ ବିଭାଜନ ଯଦି କରାଯାଏ ତେବେ ଅତି ପ୍ରାଚୀନ-ବୈଦିକ-ପୌରାଣିକ ଗାଁ, ଲୋକଶକ୍ତି ବଳରେ ଚାଲିଥିବା ଗାଁ ଯଦି ଗୋଟିଏ ପାଖ ହୁଏ ତେବେ ଆର ପାଖଟି ହେବ ରାଜ୍ୟଶକ୍ତି -ସମସ୍ତ ଶିଳ୍ପ ବିପ୍ଲବ, ଉପନିବେଶବାଦ କବଳିତ ଗାଁ ।
କାରଣ ଲୋକଶକ୍ତି ଆଧାରିତ ଗାଁର ସରଳ, ସହଜ ସମତାମୂଳକ ବ୍ୟବସ୍ଥାକୁ ଭାଙ୍ଗିଲା ପରେ ହିଁ ଶୋଷଣ ଓ ବିଷମତାମୂଳକ ବ୍ୟବସ୍ଥାର ପ୍ରତୀକ ରାଜ୍ୟଶକ୍ତିର ଉଦୟ ହୋଇଥିଲା । ରାଜ୍ୟଶକ୍ତି, ରାଜତନ୍ତ୍ର-ରାଜନ୍ୟବର୍ଗ-ସାମନ୍ତବାଦ ଓ ଶାସକଶ୍ରେଣୀ ବାଟ ଦେଇ ଇଂଲଣ୍ଡର ଶିଳ୍ପବିପ୍ଳବ ଅବସ୍ଥାକୁ ପହଞ୍ଚିଗଲା ପରେ ଗାଁ ଲୋକେ ଯେ ସବୁ ଜାଣିଥିଲେ ଏହିତ ଧାରଣା ଉପରେ ଏକ ପ୍ରଶ୍ନ ଚିହ୍ନ ଲଗେଇଦେଲା, ଏକ ନୂଆ ଦୁଆ ଉଠିଲା ଯେ- “ଗାଁ ଲୋକେ କିଛି ଜାଣନ୍ତି ନାହିଁ । ସଂଗଠିତ ଶକ୍ତିଶାଳୀଙ୍କ କବଳିତ ରାଜ୍ୟଶକ୍ତି, ଉତ୍ପାଦନ ବ୍ୟବସ୍ଥାଦି ଭୋଗବାଦୀ ସହର ସଭ୍ୟତାର ଆକ୍ରମଣ ଏବଂ ଶୋଷଣ ଯୋଗୁଁ ଗ୍ରାମ୍ୟ ସଂସ୍କୃତି ଓ ଏହାର ସୃଜନଶୀଳତା କ୍ରମଶଃ ପଙ୍ଗୁ ହେବାରେ ଲାଗିଲା । ଋଷ ବିପ୍ଳବ ପୃଷ୍ଠଭୂମିରେ ଲିଖିତ ସୁଦ୍ରୁଦ୍ଦିନ୍ ଏନ୍ନିଙ୍କ ଉପନ୍ୟାସ “ଦାଖୁଁଦା” ଓ ଫକୀର ମୋହନ ସେନାପତିଙ୍କର “ଛ’ମାଣ ଆଠଗୁଣ୍ଠ” ଭଳି ଉପନ୍ୟାସ ମାନଙ୍କରୁ ଏହି ସଂକ୍ରମଣକାଳୀନ ଅବସ୍ଥାର ସମ୍ୟକ ଧାରଣା କରିପାରିବା । ଗାଁ ଲୋକେ କିଛି ଜାଣନ୍ତି ନାହିଁ । ଗାଁ ଲୋକେ ଅଜ୍ଞାନୀ । ଗାଁ ଲୋକେ ଅଶିକ୍ଷିତ । ଗାଁ ଲୋକେ ଅଯୋଗ୍ୟ, ଅକର୍ମା । ଗାଁ ଲୋକେ ପଛୁଆ । ଏ ଯେଉଁସବୁ ଉପମା ଗାଁ ଲୋକଙ୍କ ଆଗରେ ଲାଗିଲା, ଏହା ୟୁରୋପର ଶିଳ୍ପ ବିପ୍ଲବ, ବୌଦ୍ଧିକ ଜାଗରଣ, ଏବଂ ଯେଉଁ ସମୟଟାକୁ ଆଧୁନିକ ଯୁଗର ଅଭୁ୍ୟଦୟ ବୋଲି କୁହାଯାଏ, ସେହି ସମୟରୁ ହିଁ ଆରମ୍ଭ ହୋଇଛି ।
ୟୁରୋପର ସାମାଜିକ ରାଜନୈତିକ ବ୍ୟବସ୍ଥାରେ ଚର୍ଚ୍ଚାର ପ୍ରାଧାନ୍ୟ ଉପରେ ପଞ୍ଚଦଶ ଶତାବ୍ଦୀରେ ଯେଉଁ ବିତର୍କ ସୃଷ୍ଟି ହେଲା, ସେଠାକାର ମଣିଷ ମନରେ କ’ଣ, କାହିଁକିର ଜିଜ୍ଞାସା ବଢ଼ିବା ଅବସ୍ଥାକୁ ଆଧୁନିକ ଯୁଗର ଆଗମନ ବୋଲି କୁହାଗଲା । ଏହି ଅବସ୍ଥାକୁ ଯଦି ଏକ ଅଗ୍ରଣୀ ସମାଜ ଓ ସଂସ୍କୃତିର ଆଗମନ ବୋଲି କୁହାଯାଏ, ତେବେ ତାହା ଭାରତ କି ଓଡ଼ିଶା ପାଇଁ ପ୍ରଯୁଜ୍ୟ ନଥିଲା । କାରଣ ତାର ବହୁ ପୂର୍ବରୁ ଆମର ସମସ୍ତ ମହାକାବ୍ୟ ଓ ପୁରାଣଗୁଡ଼ିକରେ କ’ଣ, କାହିଁକି ଜିଜ୍ଞାସା ଓ ସେ ସବୁର ସମାଧାନରେ ମୁଖରିତ ହୋଇଛନ୍ତି । କୁରୁସଭାରେ ଦ୍ରୌପଦୀ ଯେତେବେଳେ ଯୁଧିଷ୍ଠିରଙ୍କୁ ପଚାରୁଛନ୍ତି ଯେ, “ପଶାଖେଳରେ ତୁମେ ମୋତେ କିପରି ବାଜି ଲଗାଇଲ?” ଭୀଷ୍ମ, ଦ୍ରୋଣଙ୍କୁ ସେ ଯେତେବେଳେ ପଚାରୁଛନ୍ତି ଯେ, “ତୁମେ ସବୁ ଏତେ ଜ୍ଞାନୀଲୋକ ଥାଉ ଥାଉ ତୁମମାନଙ୍କ ସମ୍ମୁଖରେ ମୋର ବସ୍ତ୍ରହରଣ ଭଳି ଜଘନ୍ୟ କାର୍ଯ୍ୟ କିଭଳି ହୋଇପାରୁଛି?’ ସେତେବେଳେ କ’ଣ, କାହିଁକିର ଜିଜ୍ଞାସା ଥିଲା ଓ ମଣିଷର ଶ୍ରେଷ୍ଠତ୍ୱ ଜନ୍ମଗତ ଜାତି ଉପରେ ନିର୍ଣ୍ଣିତ ନହୋଇ ଜ୍ଞାନ,ଗୁଣ ଆଧାରରେ ହେଉଥିଲା ବୋଲି ବୁଝିବାକୁ ହେବ । ଜ୍ଞାନୀ, ମୁନୀ, ତପସ୍ୱୀଙ୍କ ଗହଣରେ ନିଜର ଶ୍ରେଷ୍ଠତ୍ୱ ଯୋଗୁଁ ବହୁ ମହିଳା ବି ସମ୍ମାନର ଅଧିକାରିଣୀ ହୋଇଥିଲେ । ନିଜର ଶ୍ରେଷ୍ଠତ୍ୱର ସନ୍ଧାନରେ ଗୃହତ୍ୟାଗୀ ବ୍ରାହ୍ମଣ କୌଶିକ ଋଷି କଠୋର ତପସ୍ୟା କଲାପରେ ବି ଜଣେ ଜ୍ଞାନୀ ଗୃହିଣୀ ମହିଳାଙ୍କ ନିକଟରେ ନତମସ୍ତକ ହୋଇଥିଲେ । କାରଣ ସେ ମହିଳାଜଣକ ଜ୍ଞାନ ସାଧନରେ ତାଙ୍କଠାରୁ ଊର୍ଦ୍ଧ୍ୱରେ ଥିଲେ । ମାଂସ ବେପାରୀ ଧର୍ମବ୍ୟାଧ ମଧ୍ୟ ଜ୍ଞାନ ଓ ବୈରାଗ୍ୟରେ କୌଶିକଙ୍କଠାରୁ ଊର୍ଦ୍ଧ୍ୱରେ ଥିବାରୁ ସେ ତାଙ୍କ ତତ୍ତ୍ୱଜ୍ଞାନ ଶିକ୍ଷାଲାଭ କରିଥିଲେ । ତେଣୁ କ’ଣ କାହିଁକିର ଜୀବନ ଜିଜ୍ଞାସା ୟୁରୋପରେ ଶିଳ୍ପବିପ୍ଳବ ଓ ଆଧୁନିକ ଯୁଗର ଅଭୁ୍ୟଦୟଠାରୁ ଆରମ୍ଭ ହେବା ଯୁକ୍ତି ଭାରତ କି ଓଡ଼ିଶା ପାଇଁ ପ୍ରଯୁଜ୍ୟ ହୋଇନପାରେ ।
ଆମର ବହୁକାଳରୁ ପ୍ରଚଳିତ ଯେଉଁ ସମତାମୂଳକ ବ୍ୟବସ୍ଥା ଥିଲା, ମିତବ୍ୟୟୀ ଉତ୍ପାଦନ ବ୍ୟବସ୍ଥା ଥିଲା, ତାହାଦ୍ୱାରା ପ୍ରାକୃତିକ ଭାରସାମ୍ୟ ବଜାୟ ରହିଥିଲା । ମଣିଷ ସମାଜର ସମନ୍ୱିତ ବିକାଶ ହେଉଥିଲା । ଏହି ସମାଜର ମୂଳଦୁଆ ତ ଥିଲା ଗାଁ । ତାହେଲେ ଗାଁ ଲୋକେ ଅଜ୍ଞାନ ହେଲେ କିପରି?
କ’ଣ ଜାଣି ନଥିଲେ ଆମଦେଶର ଗାଁ ଲୋକେ? ଏହା ଠିକ୍ ଯେ ସେମାନେ ଆଧୁନିକ ଅସ୍ତ୍ରଶସ୍ତ୍ରର ଉତ୍ପାଦନ କରି ଜାଣିନଥିଲେ? ଅବାଂଛିତ ବହୁଳ ଉତ୍ପାଦନର ଯନ୍ତ୍ରଗଢ଼ି ଜାଣି ନଥିଲେ? ୟୁରୋପର ଶିଳ୍ପବିପ୍ଲବରୁ ଯେଉଁ କେତେକ ଯନ୍ତ୍ର ଯଥା: ବାଷ୍ପଚାଳିତ ଇଂଜିନ, ସୂତାକଳ, ବନ୍ଧୁକ ଆଦି ବାହାରିଲା ତାହା ଆମ ଭାରତରେ ଏବଂ ସମଗ୍ର ବିଶ୍ୱରେ ମଣିଷ ସଭ୍ୟତାର ଆରମ୍ଭରୁ ଖାଦ୍ୟ, ବସ୍ତ୍ର, ବାସଗୃହ ଏବଂ ସୁରକ୍ଷାର ପ୍ରାଥମିକ ଆବଶ୍ୟକତା ଗୁଡ଼ିକର ପୂର୍ବ ପ୍ରଚଳିତ ଯୁକ୍ତିଯୁକ୍ତ ଉତ୍ପାଦନ ବ୍ୟବସ୍ଥା ଉପରେ ହିଁ କୁଠାରାଘାତ କଲା । ସେତେବେଳ ପର୍ଯ୍ୟନ୍ତ ଭାରତୀୟ ଗ୍ରାମ୍ୟ ସଭ୍ୟତାର ଯେଉଁ ଭାବନାଥିଲା ତାହାର ବାର୍ତ୍ତା ଥିଲା – “ବିଶ୍ୱ ଏକ ବିଶାଳ ପରିବାର ।” ଆଜି ଯାହାକୁ ନୂଆ ବିଶ୍ୱୀକରଣ ବ୍ୟବସ୍ଥା ବୋଲି କୁହାଯାଉଛି, ତାହା ଯେ ଆଜି ହଠାତ୍ ସୃଷ୍ଟି ହୋଇଛି, ଏ ଭ୍ରମରେ ଆମେ ରହିବା ଉଚିତ୍ ନୁହେଁ । ଅବଶ୍ୟ ଆଜି ପୁଞ୍ଜିବାଦର ଆକାଂକ୍ଷା ଅନେକ ପରିମାଣରେ ବଢ଼ିଯାଇଛି । ପୁଞ୍ଜିବାଦର ରାଷ୍ଟ୍ରୀୟ ସାଧ୍ୟ-ସାଧନର କ୍ଷମତା ବଢ଼ିଯାଇଛି । ରାଷ୍ଟ୍ର ଶକ୍ତିକୁ ପୁଞ୍ଜିବାଦ ଖୁବ୍ କଠୋର ଭାବରେ ନିୟନ୍ତ୍ରିତ କରିସାରିଛି । ଯେତେବେଳେ ଏ ଅବସ୍ଥା ଚାଲିଆସିଛି ସେତେବେଳେ ଆଉ ସବୁ ପୁରାତନ ଉତ୍ପାଦନ, ବିତରଣ ଓ ବଜାରବ୍ୟବସ୍ଥା ଭିତରେ ପୁଞ୍ଜିବାଦ ନିଜକୁ ସୀମିତ କିମ୍ବା ସନ୍ତୁଷ୍ଟ ରଖିବାକୁ ଚାହେଁ ନାହିଁ । ତାକୁ ଏକ ଆହୁରି ବଳିଷ୍ଠ ଉତ୍ପାଦନ ବ୍ୟବସ୍ଥା ଆବଶ୍ୟକ ହେଉଛି । ପ୍ରାକୃତିକ ଓ ଖଣିଜ ସମ୍ପଦ ଉପରେ ଅଧିକାର କରିବାର ଓ ଭୌଗୋଳିକ କ୍ଷେତ୍ରଗୁଡିକୁ ନିଜ ଦଖଲକୁ ନେବାର ଆବଶ୍ୟକତା ପଡ଼ିଛି । ଅଷ୍ଟାଦଶ ଶତାବ୍ଦୀଠାରୁ ବିଂଶଶତାବ୍ଦୀର ଶେଷ ପର୍ଯ୍ୟନ୍ତ ଯେଉଁ ଯାନ୍ତ୍ରିକ ଉତ୍ପାଦନ ପ୍ରକ୍ରିୟାର ଉଦ୍ଭାବନ କରାଯାଇଥିଲା, ତାହାର ପୁନଃ ପୁନଃ ଆଧୁନିକୀକରଣ ସତ୍ତ୍ୱେ ପୁଞ୍ଜିବାଦର ଚରମ ଆକାଂକ୍ଷାଗୁଡିକୁ ସନ୍ତୁଷ୍ଟ କରିବା ପାଇଁ ଯଥେଷ୍ଟ ହୋଇପାରୁ ନାହିଁ । ଶିଳ୍ପବିପ୍ଳବ ପରଠାରୁ ଆରମ୍ଭ ପୁଞ୍ଜିବାଦର ଏହି ପ୍ରକ୍ରିୟାଯୋଗୁଁ ହିଁ ସାରା ସଂସାରରେ ଯୁଦ୍ଧ, ହିଂସା, ସାମ୍ରାଜ୍ୟବାଦ, ଉପନିବେଶବାଦ, ବିଷମତା ଓ ଅମାନବୀୟ ଶୋଷଣ-ଦମନର ତାଣ୍ଡବ ଚାଲିଆସିଛି । ତା’ ସଙ୍ଗେ ତାଳଦେଇ ଏହି ଦୁଆ ଉଠିଛି ଯେ ଗାଁ ଲୋକେ କିଛି ଜାଣନ୍ତି ନାହିଁ । ତେଣୁ ଏବେ ଯେଉଁ ପର୍ଯ୍ୟାୟରେ ଆମେ ଆସି ପହଞ୍ଚିଛେ ତାହା ଶିଳ୍ପବିପ୍ଲବ ପରଠାରୁ ହିଁ ଆରମ୍ଭ ହୋଇଛି ।
ପର୍ଯ୍ୟାୟକ୍ରମେ ଗାଁର ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତ ସମ୍ବନ୍ଧରେ ଆଲୋଚନା କରିବାକୁ ଗଲେ ଓଡ଼ିଶାର ଗାଁ କ’ଣ ଥିଲା, ଗାଁ କ’ଣ ହେଲା ଓ ଗାଁ କ’ଣ ହେବାକୁ ଯାଉଛି ଏହି ତିନିଗୋଟି ପର୍ଯ୍ୟାୟକୁ କ୍ରମବଦ୍ଧ କରିବାକୁ ପଡ଼ିବ । ପ୍ରଥମ ପର୍ଯ୍ୟାୟ ଥିଲା–ଗାଁ ଲୋକେ ସବୁ ଜାଣିଥିଲେ । ଦ୍ୱିତୀୟ ପର୍ଯ୍ୟାୟ ହେଲା -ଗାଁଲୋକେ କିଛି ଜାଣନ୍ତି ନାହିଁ । ତୃତୀୟ ପର୍ଯ୍ୟାୟ ଯାହା ଆରମ୍ଭ ହୋଇଛି ତା ହେଲା -ଗାଁରେ ମଣିଷ ନାହାନ୍ତି ।
ବିଗତ ପାଞ୍ଚବର୍ଷ ଧରି ଗାଁ ପଛରେ ପଡିଥିଲା । ଗାଁର ବିକାଶ କରିବା ପାଇଁ ବହୁ ଯୋଜନାମାନ କ୍ରିୟାନ୍ୱିତ ହେଲାପରେ ଏବେ ଗାଁ ପୁଣି ସେଇ ପଛରେ ପଡ଼ିନାହିଁ । ସେଠି ଆଉ ମଣିଷ ନାହାନ୍ତି । ଗାଁ ସ୍କୁଲରେ ମାଷ୍ଟର ନାହାନ୍ତି । ଗାଁ ଡାକ୍ତରଖାନାରେ ଔଷଧ ନାହିଁ, ଡାକ୍ତର ନାହାନ୍ତି । ଗାଁ ପିଲାମାନେ ବିଭିନ୍ନ ପରୀକ୍ଷାରେ ଅକୃତକାର୍ଯ୍ୟ ହେଉଛନ୍ତି । ଗାଁ ଲୋକଙ୍କର ଆଇ.କ୍ୟୁ. (I.Q.) ନାହିଁ । କାରଣ ଗାଁରେ ଆଇ.ଟି. (I.T.) ନାହିଁ । ଗାଁ ଲୋକଙ୍କର ଏଟିକ୍ୱେଟ (etiquette) ନାହିଁ । ତେଣୁ ସହର ମହାନଗରରେ ରହୁଥିବା ଆମର ଉଚ୍ଚସାକ୍ଷର ବନ୍ଧୁଏ କହିପକାନ୍ତି ଯେ – “ଗାଁରେ କ’ଣ ମଣିଷ ରହନ୍ତି ଯେ ଆମେ ଗାଁରେ ରହିବୁ?” ବିଗତ ବହୁବର୍ଷ ଧରି ଗ୍ରାମ ବିକାଶର ଯୋଜନା ପରେ ଯଦି ଏବେ ଗାଁରେ ଆଉ ମଣିଷ ନାହାନ୍ତି, ତେବେ ଯେଉଁ ମଣିଷ ଥିଲେ ତାଙ୍କୁ ଅମଣିଷ କଲା କିଏ? ଏବେ ବିକାଶର ପ୍ରବକ୍ତାମାନେ ‘ବିକାଶ’କୁ ନୂଆ ରୂପରେ ପେଶ କରିବା କଥା କହୁଛନ୍ତି । “Development with human face – ଏକଥାଟି ରହସ୍ୟମୟ ବୋଧ ହେଉଛି । ଆଶ୍ଚର୍ଯ୍ୟ ଲାଗୁଛି ବିକାଶଟା କ’ଣ କି? ରାକ୍ଷସ ଚା ସଇତାନ ଯେ, ତାକୁ ମଣିଷ ମୁଖାର ଆବଶ୍ୟକତା ପଡ଼ିଛି ।
ଆମେ ଯେତେବେଳେ ସଂସ୍କୃତି ଓ ସଭ୍ୟତା ସମ୍ବନ୍ଧରେ ଆଲୋଚନା କରିବସୁ, ଆମର ସେ ସମ୍ବନ୍ଧରେ ଏକ ସ୍ଥୂଳ ଧାରଣା ମନରେ ରହିଥାଏ ଯେ, ସଂସ୍କୃତି ହେଲା-ଭାବ, ଭାଷା, ଭଙ୍ଗୀ, ଚଳଣୀ ଓ ରହଣି, ଏବଂ ସଭ୍ୟତା ବୋଇଲେ ଜୀବନ ପାଇଁ ଭୌତିକ ଆବଶ୍ୟକତା । ମୋଟାମୋଟି ରୂପେ ମଣିଷ ସମାଜର ସଂସ୍କୃତି ନୈତିକ, ଆଧ୍ୟାତ୍ମିକ ଅବସ୍ଥାକୁ ବୁଝାଇଲା ବେଳେ ସଭ୍ୟତା–ଭୌତିକ, ପାରିପାର୍ଶ୍ୱକ ଅବସ୍ଥାଗୁଡ଼ିକୁ ହିଁ ବୁଝାଇବ । ଏହି ସଂସ୍କୃତି ଓ ସଭ୍ୟତାର ଆରମ୍ଭ କେଉଁ ପରିସ୍ଥିତିରୁ, କାହାଠାରୁ ହେଲା, ହେଉଥିଲା ଓ ହେବାକୁ ଯାଉଛି? ସଂସ୍କୃତି ଓ ସଭ୍ୟତାର ପ୍ରଚଳନ ପାଇଁ ଆଦର୍ଶ ସ୍ଥାନରେ ବିଶିଷ୍ଟ ଗୁଣସମ୍ପନ୍ନ ବ୍ୟକ୍ତି ଥାଇପାରନ୍ତି, ସଂଗଠନ ରହିଥାଇପାରେ, ରାଜ୍ୟ-ରାଷ୍ଟ୍ର ବ୍ୟବସ୍ଥା ହୋଇପାରେ । ଏହାର କେତେକ ଉଦାହରଣ ଦିଆଯାଇପାରେ ।
ମଗଧ ସମ୍ରାଟ ଅଶୋକ ବୌଦ୍ଧ ନଥିଲେ । କଳିଙ୍ଗ ଆକ୍ରମଣ କଲେ । ତାଙ୍କର ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଥିଲା କଳିଙ୍ଗକୁ ପରାଜିତ କରି ନିଜ ସାମ୍ରାଜ୍ୟରେ ମିଶାଇବା । କଳିଙ୍ଗ ସାମ୍ରାଜ୍ୟ ମୁଣ୍ଡଟେକି ରହିବା ମଗଧର ହିତରେ ନ ଥିଲା । ଅଶୋକ କଳିଙ୍ଗ ଅଧିକାର କଲାପରେ ବୌଦ୍ଧ ହେଲେ । କିଛି ବର୍ଷର ଶାସନକାଳ ମଧ୍ୟରେ ଓଡ଼ିଶାର ବହୁ ସ୍ଥାନରେ ବୌଦ୍ଧ କିର୍ତ୍ତୀମାନ ସ୍ଥାପିତ ହେବା ଇତିହାସ କହେ । ଅଶୋକଙ୍କ ଶିଳାଲେଖରୁ ପ୍ରମାଣ ମିଳୁନାହିଁ ଯେ ସେ ବୌଦ୍ଧଧର୍ମକୁ ତତ୍କାଳୀନ କଳିଙ୍ଗର ରାଜଧର୍ମ ରୂପେ ପ୍ରଚଳିତ କରାଇଥିଲେ କି ନାହିଁ? କିନ୍ତୁ ତାଙ୍କର ଅନୁଶାସନ ସମ୍ବଳିତ ଶିଳାଲେଖ ଗୁଡିକରେ ରାଜ୍ୟର ନାଗରିକମାନଙ୍କ ନିମନ୍ତେ ଜୀବନଚଳଣୀ କର୍ତ୍ତବ୍ୟ ଆଦିର ନୀତି ନିର୍ଦ୍ଦେଶ ରହିଥିଲା, ଯାହାକୁ ପାଳନ କରିବା ପ୍ରଜାମାନଙ୍କର ନୈତିକ କର୍ତ୍ତବ୍ୟ ବୋଲି ବିବେଚିତ ହେଉଥିଲା । ଅଶୋକ ନିଜେ ଦୁର୍ଦ୍ଦର୍ଷ ସାମରିକ ଯୋଦ୍ଧା ଥିଲେ । ଅଶୋକଙ୍କ କଳିଙ୍ଗ ଆକ୍ରମଣ ସମୟରେ କଳିଙ୍ଗବାସୀଙ୍କର ସାମରିକ ପ୍ରବୃତ୍ତି ରହିଥିଲା । ସାମରିକ ପ୍ରବୃତ୍ତିରେ ହିଂସା, ହତ୍ୟା, ରକ୍ତପାତ ରାଜ୍ୟରକ୍ଷା କିମ୍ବା ରାଜ୍ୟ ଜୟପାଇଁ ସ୍ୱ-ଆଚରିତ ଓ ଘୋଷିତ ଧର୍ମ ବୋଲି ମଧ୍ୟ କଳିଙ୍ଗ ଯୁଦ୍ଧର ଭୟାବହ ନରସଂହାର ପରେ ବିଜୟୀ ସମ୍ରାଟ ଅଶୋକ ଓ ବିଜିତ କଳିଙ୍ଗ ଉଭୟ କ୍ଷେତ୍ରରେ ବୌଦ୍ଧଧର୍ମର ଅହିଂସ ସଂସ୍କୃତି ସ୍ୱୀକୃତ ହୋଇଗଲା । ସେହିପରି କଳିଙ୍ଗ ସମ୍ରାଟ ଖାରବେଳ ଜୈନ ଧର୍ମାବଲମ୍ବୀ ଥିଲେ । ସେ ରାଜପଦରେ ଅଭିଷିକ୍ତ ହେଲାପରେ ଜୈନ ଧର୍ମର ପ୍ରଚାର, ପ୍ରସାରରେ ରାଜ୍ୟକୁ ନିୟୋଜିତ କରିବା କଥା । ଜୈନଧର୍ମ – ବୌଦ୍ଧଧର୍ମଠାରୁ କଠୋର ଅହିଂସକ ପ୍ରବୃତ୍ତିରେ ବିଶ୍ୱାସ କରେ । କିନ୍ତୁ ଖାରବେଳ ରାଜା ହେଲାପରେ ପ୍ରତିବେଶୀ ମଗଧ ଓ ଅନ୍ୟ ଶକ୍ତିଶାଳୀ ରାଜ୍ୟମାନଙ୍କ ବିରୁଦ୍ଧରେ ସାମରିକ ପ୍ରସ୍ତୁତି ଆରମ୍ଭ କଲେ । ରାଜ୍ୟ ଜୟପାଇଁ ଯୁଦ୍ଧକଲେ ହିଂସା ଅନିବାର୍ଯ୍ୟ ଓ ତାହା ଜୈନ ଧର୍ମର ଅନ୍ତର୍ନିହିତ ସ୍ରୋତ ଅହିଂସ ସଂସ୍କୃତିର ବିପରୀତ ଧର୍ମ ବୋଲି ଜାଣି ମଧ୍ୟ ଖାରବେଳ ପ୍ରତିବେଶୀ ଶତ୍ରୁ ରାଜ୍ୟମାନଙ୍କ ଉପରେ ଆକ୍ରମଣ କରି ସେମାନଙ୍କୁ ପରାଭୂତ କରିଥିଲେ । ଖାରବେଳଙ୍କ ରାଜଧର୍ମ କ’ଣ ହେଲା? ଜୈନ, ଅହିଂସ ସଂସ୍କୃତିର ଉପାସକ ଖାରବେଳଙ୍କ ସଂସ୍କୃତି ହେଲା ସାମରିକ ସଂସ୍କୃତି । ରାଜ୍ୟର ଉକ୍ରର୍ଷ ପାଇଁ ହିଂସା, ଯୁଦ୍ଧ ଆବଶ୍ୟକ ହୋଇପଡିଲା ତାଙ୍କ ପାଇଁ । ଖାରବେଳଙ୍କ ମୂଳପିଣ୍ଡ ଅହିଂସ ଜୈନ ସଂସ୍କୃତିରେ ଗଢ଼ା ହୋଇଥିଲେ ବି ସେ ରାଜ୍ୟଶାସନ କ୍ଷମତା ଗ୍ରହଣ କଲାପରେ ସେ ବେଳର କଳିଙ୍ଗ ରାଜ୍ୟର ରାଜନୈତିକ ଆବଶ୍ୟକତା ପୂରଣ କରିବା ନିମନ୍ତେ ଜାତିଟାକୁ ସାମରିକ ସଂସ୍କୃତିରେ ପରିବର୍ତ୍ତିତ କରିଦେଲେ ।
ଆଧୁନିକ ‘ସାମ୍ରାଜ୍ୟବାଦୀ ସଂସ୍କୃତି’ର ଅନ୍ୟ ଏକ ଉଦାହରଣ ଦିଆଯାଇ ପାରେ । ଦ୍ୱିତୀୟ ମହାଯୁଦ୍ଧବେଳେ ଆମେରିକା ଜାପାନ ଦଖଲ କଲାପରେ ନିଜ ଦେଶଠାରୁ ବହୁଦୂରରେ ଅବସ୍ଥାପିତ ସୈନ୍ୟମାନଙ୍କର ଦୈହିକ ଲାଳସା ପୂରଣ ପାଇଁ ଜାପାନର ଯୁବତୀମାନଙ୍କୁ ବେଶ୍ୟାବୃତ୍ତି ନିମନ୍ତେ ବାଧ୍ୟ କରାଗଲା । ସେତେବେଳେର ଧ୍ୱସ୍ତ ବି ବିଧ୍ୱସ୍ତ ଜାପାନର ରାଜନୈତିକ ନେତୃତ୍ୱ ଏହା ଜାଣି ମଧ୍ୟ ମଧ୍ୟ କୁଣ୍ଠିତ ରହିଗଲେ । ଏବେ ଖବରକାଗଜରେ ବେଳେବେଳେ ବାହାରୁଛି ଆମେରିକା ଦ୍ୱାରା ନିଜର ସୈନ୍ୟମାନଙ୍କର ବିଳାସପୂର୍ବ ଆମୋଦ-ଉପଭୋଗ ପାଇଁ ନିୟୋଜିତ ଜାପାନୀ ଯୁବତୀମାନଙ୍କୁ ସେତେବେଳେ “Comfort girl” ବୋଲି କୁହାଯାଉଥିଲା । ଦ୍ୱିତୀୟ ମହାଯୁଦ୍ଧର ଷାଠିଏବର୍ଷ ପରେ ସେ ଏବେ ପରିଣତ ବୟସ୍କା ସେବେଳର “Comfort girl”ମାନେ ଆମେରିକା ରାଷ୍ଟ୍ରଠାରୁ ତା’ର ଅପକର୍ମ ପାଇଁ କ୍ଷତିପୂରଣ ଦାବି କରୁଛନ୍ତି । ଦ୍ୱିତୀୟ ମହାଯୁଦ୍ଧର ଆଉ କେତେବର୍ଷ ପରେ ସାମ୍ରାଜ୍ୟବାଦୀ ଆମେରିକା ଭିଏତନାମ୍ ରାଷ୍ଟ୍ରର ଦକ୍ଷିଣ ଭିଏତ୍ନାମ ଅଧିକାର କଲା । ସେଠାରେ ଦୀର୍ଘବର୍ଷ ପର୍ଯ୍ୟନ୍ତ ଅବସ୍ଥାପିତ ନିଜର ସୈନ୍ୟଙ୍କ ଉପଭୋଗ ପାଇଁ ପ୍ରଚୁର ଅର୍ଥ ଲୋଭରେ ଭିଏତ୍ନାମୀ ଯୁବତୀମାନଙ୍କୁ ବେଶ୍ୟାବୃତ୍ତି କରିବା ପାଇଁ ପ୍ରରୋଚିତ କରାଗଲା । କିନ୍ତୁ ହୋଚିମିନ୍ ଙ୍କ ନେତୃତ୍ୱରେ ଗଠିତ ଉତ୍ତର ଭିଏତନାମର ସାମ୍ୟବାଦୀ ସଂସ୍କୃତିରେ ବେଶ୍ୟାବୃତ୍ତି ନିଷିଦ୍ଧ ଥିଲା । ଅଥଚ ଦକ୍ଷିଣ ଭିଏତନାମରେ ବେଶ୍ୟାବୃତ୍ତି ବେକାର, ବିଳାସପ୍ରିୟ ଯୁବତୀଙ୍କ ନିମନ୍ତେ ରୋଜଗାରର ଏକ ଜରୁରୀ ପ୍ରଥା ଓ ଚଳଣୀ ହୋଇଗଲା । ଦକ୍ଷିଣ ଭିଏତନାମରେ ଆମେରିକା ସୈନ୍ୟଙ୍କର ଦୀର୍ଘ ଅବସ୍ଥାନ କାଳରେ ସେଠାରେ ତିନିଲକ୍ଷ ଯୁବତୀ ବେଶ୍ୟାବୃତ୍ତିକୁ ଆଦରି ନେଇଥିଲେ । ୧୯୭୫ରେ ଉତ୍ତର ଭିଏତ୍ନାମ ଦ୍ୱାରା ଯୁଦ୍ଧରେ ଆମେରିକାର ପରାଜୟ ତଥା ଉତ୍ତର ଏବଂ ଦକ୍ଷିଣ ଭିଏତନାମରେ ସାମ୍ୟବାଦୀ ଶାସନ ପ୍ରବର୍ତ୍ତିତ ହେଲାପରେ ପୂର୍ବରୁ ବେଶ୍ୟାବୃତ୍ତି କରି ଚଳୁଥିବା ଯୁବତୀମାନଙ୍କୁ ଅନ୍ୟାନ୍ୟ କାର୍ଯ୍ୟରେ ନିଯୁକ୍ତି ଦେଇ ଥଇଥାନ କରାଗଲା । ରାଜନୈତିକ ଶାସନ କ୍ଷମତାରେ ଚାରିତ୍ରିକ ପରିବର୍ତ୍ତନ ଯୋଗୁଁ କିଛିଦିନ ପୂର୍ବେ ଆମେରିକାର ସାମ୍ରାଜ୍ୟବାଦୀ ବ୍ୟବସ୍ଥାରେ ଦୈନନ୍ଦିନ ଚଳଣୀ ଭିତରେ ଥିବା ବେଶ୍ୟାବୃତ୍ତି ଏକ ନିନ୍ଦିତ କର୍ମ ହୋଇଗଲା ।
ଆମ ଓଡ଼ିଶାର ସଂସ୍କୃତିକୁ ଜଗନ୍ନାଥ ସଂସ୍କୃତି କୁହାଯାଏ । ସରଳ ଅର୍ଥରେ ଜଗନ୍ନାଥ ବୋଇଲେ ଜଗତର ନାଥ । ଜଗନ୍ନାଥ ଭାରି ଉଦାର, ତାଙ୍କ ନିକଟରେ ସଭିଏଁ ସମାନ । ଜଗନ୍ନାଥଙ୍କ ଏଇ ଉଦାର ଦର୍ଶନକୁ ନେଇ ବହୁ କିମ୍ବଦନ୍ତୀ କାହାଣୀ ସାରା ଓଡ଼ିଶାର ଘରେ ଘରେ ପ୍ରଚଳିତ । ଜଗନ୍ନାଥଙ୍କ ନିକଟରେ ଜାତି, ଧର୍ମ ଭେଦ ନାହିଁ । ଜଗନ୍ନାଥ ବେଢାରେ ବ୍ରାହ୍ମଣ, ଚଣ୍ଡାଳ ସଭିଏଁ ସମାନ । ଜଗନ୍ନାଥ ସବୁ ଧର୍ମାବଲମ୍ବୀଙ୍କ ଠାକୁର । ଜଗନ୍ନାଥ ବୌଦ୍ଧ, ଜଗନ୍ନାଥ ଜୈନ, ଜଗନ୍ନାଥ ଯବନ, ଜଗନ୍ନାଥ ବିଷ୍ଣୁ, ଜଗନ୍ନାଥ ଶିବ । କେବଳ ଓଡ଼ିଶା କିମ୍ବା ଭାରତରେ ନୁହେଁ; ସାରା ବିଶ୍ୱରେ ପୌରାଣିକ ଦେବତାମାନଙ୍କର ଇତି ଆବୃତ୍ତିରେ ଜଗନ୍ନାଥ ବୋଧହୁଏ ପ୍ରଥମ ଦେବତା ଯିଏ ଗ୍ରାମ୍ୟ ଦେବତାରୁ ପୌରାଣିକ, ବୈଦିକ ଦେବତାର ସ୍ଥାନ ଗ୍ରହଣ କରିଛନ୍ତି । ଏହି ଅର୍ଥରେ ଓଡ଼ିଶାର ସଂସ୍କୃତିକୁ ଯଦି ଜଗନ୍ନାଥ ସଂସ୍କୃତି କୁହାଯାଏ ଓ ଏହାଦ୍ୱାରା ସବୁଠୁ ତଳେ ପଡ଼ିଥିବା ଲୋକ ତଥା ସବା ଉପରେ ଥିବା ଲୋକ ମଧ୍ୟରେ ସମନ୍ୱୟ ସ୍ଥାପିତ କରିବାକୁ ଓ ସବୁଠୁ ତଳେ ପଡିଥିବା ମଣିଷକୁ ପ୍ରାଧାନ୍ୟ ଦେବାର ସଂସ୍କୃତିକୁ ଓଡ଼ିଶାର ସଂସ୍କୃତି କୁହାଯାଏ । ତେବେ ତାହା ଅହେତୁକ କୁହାଯିବ ନାହିଁ । ସ୍ମରଣ କରନ୍ତୁ – ରାଜା ପ୍ରତାପରୁଦ୍ର ଦେବଙ୍କୁ ଚୈତନ୍ୟ କେତେବେଳେ ଭେଟିଲେ? ସିଂହାସନରେ ରାଜା ବେଶରେ ବସିଲାବେଳେ ନୁହେଁ-କହିଲେ, ସେଠି ରାଜାର ଅହଂକାର ରହିଛି । ପ୍ରତାପରୁଦ୍ରଙ୍କୁ ଭେଟିଲେ ଯେତେବେଳେ ଜଗନ୍ନାଥଙ୍କ ରଥରେ ପ୍ରତାପରୁଦ୍ର ଛେରାପହଁରା କରୁଥିଲେ । ସେହିଭଳି ସମ୍ରାଟ ପୁରୁଷୋତ୍ତମ ରଥରେ ଛେରାପହଁରା କରୁଥିବାବେଳେ କାଞ୍ଚି ରାଜଜେମା ପଦ୍ମାବତୀଙ୍କୁ ଗ୍ରହଣ କରିଥିଲେ । ପୁରୁଷୋତ୍ତମ ଦେବ ରାଜା ରୂପେ କାଞ୍ଚି ରାଜକନ୍ୟାଙ୍କୁ ଗ୍ରହଣ କରିବାକୁ ମନା କରିଥିଲେ । ଏହି ସବୁ କଥା-କାହାଣୀ ଉପମାସୂଚକ ହୋଇଥାଇପାରେ । ଏଥିରେ ଐତିହାସିକ ସତ୍ୟତା ରହିଛି କି ନାହିଁ, ତା ବଡ଼ କଥା ନୁହେଁ । ବଡକଥା ହେଲା – ଶବରମାନଙ୍କର ଗ୍ରାମ୍ୟଦେବତା ନୀଳମାଧବରୁ ପୁରୀ ରାଜନଗରର ଜଗନ୍ନାଥ ପର୍ଯ୍ୟନ୍ତ ସଂକ୍ରମଣକାଳ ମଧ୍ୟ ଦେଇ ବଣଜଙ୍ଗଲ, ଗ୍ରାମ୍ୟ ସଂସ୍କୃତି ଓ ନଗର ରାଜ୍ୟର ମଣିଷ-ମଣିଷ ଭିତରେ ଯେଉଁ ସାଂସ୍କୃତିକ ସମନ୍ୱୟ ସ୍ଥାପିତ ହୋଇଥିଲା ତାହା ଅଦ୍ୟାବଧି ପ୍ରତୀକାତ୍ମକ ରୂପରେ ଥିଲେ ବି ସମ୍ମାନଜନକ ସ୍ଥିତିରେ ବିଦ୍ୟମାନ ରହିଛି ।
ସହଜିଆ ଅର୍ଥରେ ଓଡ଼ିଶାକୁ ଜଗନ୍ନାଥ ଦେଶ କୁହାଯାଏ । ରାଜ୍ୟର ଭଲ, ମନ୍ଦ, ହାନି, ଲାଭ ସବୁ ଜଗନ୍ନାଥଙ୍କ ମୁଣ୍ଡରେ ଯାଏ । ରାଜ୍ୟର ଘଟଣ-ଅଘଟଣର ଲକ୍ଷଣମାନ ଜଗନ୍ନାଥଙ୍କ ଦେହ ଦେଉଳରୁ ପ୍ରକଟ ହୁଏ । ଜଗନ୍ନାଥଙ୍କ ବଡ଼ଦେଉଳରୁ ପଥର ଖସି ପଡ଼ୁ କି ବିଜୁଳି ମାରି ନୀଳଚକ୍ର ବାନା ପୋଡୁ, ମନ୍ଦିର ଉପରେ ବିରାଡି ଚଢୁ,କି ଶ୍ରୀଅଙ୍ଗରୁ ବସ୍ତ୍ର ଖସିପଡ଼ୁ ଏହି ସବୁ ଅଶୁଭ ଲକ୍ଷଣର ପ୍ରଭାବରେ ବନ୍ୟା, ବାତ୍ୟା, ଧୋଇ, ମରୁଡ଼ି, ରୋଗ, ମହାମାରୀର ପ୍ରାଦୁର୍ଭାବ ବଢିଯାଏ । ବିଶେଷତଃ ଗାଁ ଗହଳର ଓଡ଼ିଆଏ ଏସବୁ ଭୋଗିଥାନ୍ତି । ଏସବୁ ପ୍ରବାଦମୂଳକ କାରଣକୁ କେହି ଅକାରଣ କହିପାରିବ ନାହିଁ । ଜଗନ୍ନାଥଙ୍କୁ ସାଧାରଣ ମଣିଷର ଜୀବନର ସୁଖ, ଦୁଃଖରେ ଯୋଡି ଧର୍ମ ଧାରଣାର ଏଇ ସରଳୀକରଣ ବ୍ୟାଖ୍ୟା ସାରା ସଂସାରରେ ଯେ ଅପୂର୍ବ, ଏହା କହିଲେ ଅତ୍ୟୁକ୍ତି ହେବ ନାହିଁ ।
ଜଗନ୍ନାଥଙ୍କୁ ରାଷ୍ଟ୍ରଦେବତାର ଆଖ୍ୟା ସମ୍ରାଟ କପିଳେନ୍ଦ୍ର ଦେବ ଦେଇଥିଲେ । ରାଜ୍ୟଟା ଜଗନ୍ନାଥଙ୍କର, ରାଜା ଜଗନ୍ନାଥଙ୍କର ସେବକ । ତେଣୁ ପରବର୍ତ୍ତୀକାଳୀନ ଓଡ଼ିଶା ଗଜପତିଙ୍କୁ ଠାକୁର ରାଜା କୁହାଯାଇଥିବାର ଅନୁମାନ ହୁଏ । ସେଇ ଜଗନ୍ନାଥଙ୍କୁ ନେଇ ଆଧୁନିକ ଓଡ଼ିଶାର ରାଜନେତାଏ ନାମ ସୁଆଙ୍ଗ କହନ୍ତି । କଥା କଥାକେ ବେଳେବେଳେ ନିଜର ସଫଳତା ବିଫଳତାର ପକ୍ଷ-ବିପକ୍ଷରେ “ମୋ କାଳିଆ ଯାହା କହିଲା ମୁଁ କଲି” ବୋଲି ଦୁହାଇ ଦିଅନ୍ତି । ସିଂହଦ୍ୱାରଠାରୁ ନିର୍ବାଚନୀ ସଭା ଆରମ୍ଭ କରିବାଠାରୁ, ସଭା, ସମ୍ମିଳନୀର ସଫଳତା ପାଇଁ ଜଗନ୍ନାଥଙ୍କ ଆଜ୍ଞାମାଳ ନେବା ଆଦି ପ୍ରସଙ୍ଗର ଉଲ୍ଲେଖ କରାଯାଇପାରେ । ଏପରିକି ଜଗନ୍ନାଥଙ୍କୁ ଆହୁରି ଅନେକ ବିଷୟରେ ଜଡ଼ିତ କରାଯାଇ ସାରିଲାଣି । ହୋଟେଲ କମ୍ପ୍ଲେକ୍ସ, ଚିଙ୍ଗୁଡିଚାଷ, ବାଲିଆପାଳ, ବିପନ୍ନ ପରିବେଶ ସବୁଥିରେ ଜଗନ୍ନାଥଙ୍କ ସ୍ପର୍ଶ ରହିଛି, ଏ ଧାରଣା ସୃଷ୍ଟି କରାଯିବାର ଉପକ୍ରମ ହେଲାଣି । ୧୯୭୩ ମସିହାରେ ଓଡ଼ିଶା ସରକାରଙ୍କ ମୁଖପତ୍ର ଉତ୍କଳ ପ୍ରସଙ୍ଗରେ ଜଗନ୍ନାଥ ଓ ତତ୍କାଳୀନ ଶାସକ ଶ୍ରେଣୀକୁ ଯୋଡି ସେ ସମୟର ମନ୍ତ୍ରୀ ଜଣେ କବିତାଟି, ଲେଖିଥିଲେ – କବିତାଟି ଭାବ ଓ ଭାଷା ହେଲା- ଦୁଃଖୀ ଜଣେ ଯେତେବେଳେ ଜଗନ୍ନାଥଙ୍କୁ ନିଜର କଷ୍ଟମୋଚନ ପାଇଁ ଗୁହାରୀ ଜଣାଇ କହୁଛି – “ହେ ଜଗନ୍ନାଥ ତୋ ହାତରେ ତ ଅଙ୍ଗୁଳି ନାହିଁ, ଖଣ୍ଡିଆ, ମୋ ଆଖରୁ ଲୁହ ପୋଛିବୁ କିପରି? ଜଗନ୍ନାଥ କହୁଛନ୍ତି – “ଅଙ୍ଗୁଳି ମୋର ଲୋଡା ନାହିଁରେ ମୋ ଭଉଣୀ ରାଜ୍ୟପାଳେ, ଏକଇ ନାରୀର ଦୁଇ ପ୍ରତିମା ଦିଲ୍ଲୀ, ଭୁବନେଶ୍ୱରେ ।” ଏ ଭଉଣୀ ଦୁହେଁ ଯେ ସୁଭଦ୍ରା ନୁହନ୍ତି ଇଙ୍ଗିତ ସ୍ପଷ୍ଟ । ପୁଣି ସେହି ଉକôଳ ପ୍ରସଙ୍ଗର ୧୯୮୩, ଜୁନ୍ ବିଶେଷାଙ୍କରେ ଇନ୍ଦିରା ଗାନ୍ଧୀଙ୍କ ପୁରା ପୃଷ୍ଠାର ଫଟୋ ତଳେ ଲେଖାଥିଲା – “ଯାହାଙ୍କର ଆଶୀର୍ବାଦ ଫଳେ, ଓଡ଼ିଶାରେ ପ୍ରଗତିର ସର୍ବବିଧ ରଥଚକ ଚଳେ ।” ଅର୍ଥାତ ୧୯୭୩ଠାରୁ ୧୯୮୩ ମଧ୍ୟରେ ଓଡ଼ିଶା ଶାସ୍ତ୍ରମାନଙ୍କର ମାନସିକତାରେ ବିରାଟ ପରିବର୍ତ୍ତନ ଆସିଯାଇଥିଲା, ପ୍ରଥମେ ଜଗନ୍ନାଥ ଅବଲମ୍ବନ ଥିଲେ ଆଉ ଅବଲମ୍ବନର ଆବଶ୍ୟକତା ନାହିଁ । ୧୯୯୯ର ମହାବାତ୍ୟା ପରେ ଜଗନ୍ନାଥଙ୍କୁ ଉଲ୍ଲେଖ କରି ଆଉ ଗୋଟିଏ ଗୀତ ବାଜିଲା- “ଜଗନ୍ନାଥର ହାତ ଧରି ଆଜି ଅନାଥ ଓଡ଼ିଆ ପୁଅ ।” ଅର୍ଥାତ୍ ଏତେଦିନ ପରେ ଓଡ଼ିଆଏ ଜାଣିପାରିଲେ ଯେ, ଓଡ଼ିଶାର ଏ ଯେଉଁ ପ୍ରାକୃତିକ ମନୁଷ୍ୟକୃତ ବିପତ୍ତି; ଏହା ମୂଳରେ ବି କାରଣଟା ହେଲା ଜଗନ୍ନାଥଙ୍କ ହାତ ଧରି ଚାଲିବା । ତେଣୁ ହେ ଜଗନ୍ନାଥ ରକ୍ଷାକର, ଉଦ୍ଧାର କର ବୋଲି ଆଉ ଡାକିବି ନାହିଁ । ତେବେ କାହାକୁ ଭଜିବା? କାହା ଆଶ୍ରୟ ଲୋଡ଼ିବା? ସେ ବାଟ ବି ଦେଖେଇ ଦିଆଗଲା । ସେଇ ସମୟରେ ଆମେରିକାର ରାଷ୍ଟ୍ରପତି କ୍ଲିଣ୍ଟନଙ୍କ ଭାରତ ଆଗମନୀ କାଳରେ ବାତ୍ୟା ଦୁର୍ଗତ ଏରସମା ପିଲାମାନଙ୍କ ହାତରେ ପ୍ଲାକାର୍ଡ ଧରେଇ ଦିଆଗଲା । ସେଥିରେ ଲେଖାଥିଲା – Great Clinton Welcome, Please visit once, save us. (ପର୍ଯ୍ୟବେକ୍ଷକ, ୩.୩.୨୦୦୦) । ଏହାର ସାରାଂଶ ହେବ ଆଗେ ଖୋଦ୍ ଜଗନ୍ନାଥ ଓଡ଼ିଆଙ୍କ କଥା ବୁଝୁଥିଲେ । ପୁଣି ତାଙ୍କର ଭଉଣୀ, ଭାଇ ବୁଝିଲେ । ରାଜ୍ୟବାସୀଙ୍କ ଦୁର୍ଦ୍ଦଶା ବଢ଼ିବାରୁ ଜଗନ୍ନାଥଙ୍କୁ ଦାୟୀ କରାଗଲା ଏବଂ ଜଗତୀକରଣ ନାଥ କ୍ଲିଣ୍ଟନଙ୍କ ସାହାଯ୍ୟ ଲୋଡାଗଲା । ଏବେ ପୁରାପୁରି କ୍ଲିଣ୍ଟନ ଖଣ୍ଡିତରୂପେ ହେଲେ ମଧ୍ୟ ବିଭିନ୍ନ ସମୟରେ ଓଡ଼ିଶାର ଭିନ୍ନ ଭିନ୍ନ ପରିସ୍ଥିତିରେ ନାନା ଲୋକ ମୁଖରେ ଜଗନ୍ନାଥଙ୍କ ଠାରୁ ଜଗତୀକରଣ ନାଥ କ୍ଲିଣ୍ଟନଙ୍କ ପର୍ଯ୍ୟନ୍ତ ପରିକ୍ରମାର ବାର୍ତ୍ତାଗୁଡିକୁ ଏକ ସୂତ୍ରରେ ଯୋଡିଦେଲେ ଆମେ ସ୍ପଷ୍ଟ ରୂପେ ଅତୀତ ଓଡ଼ିଶାର ଗାଁରେ ସାଂସ୍କୃତିକ, ସାମାଜିକ, ରାଜନୈତିକ ଯୁଗ ବିଭାଜନର କାଳ ନିର୍ଣ୍ଣୟ ଏବଂ ଭବିଷ୍ୟତ ସ୍ୱରୂପର ନିର୍ଦ୍ଧାରଣରେ ବିଶେଷ ଅଡୁଆ ହେବ ନାହିଁ । ଜଗନ୍ନାଥ ଈଶ୍ୱରୀୟ ଅନ୍ଧ ଆସ୍ଥାର ପ୍ରତୀକ ଥିଲେ । କ୍ଲିଣ୍ଟନ (ଆମେରିକା) ବିଜ୍ଞାନର ଅନ୍ଧ ଆସ୍ଥାର ପ୍ରତୀକ । ଏ ଉଭୟ ମାନସିକତାରେ ଈଶ୍ୱର ‘ସତ୍ୟ’ (ସତ୍ୱ) ହୋଇ ରୁହନ୍ତିନି କି ବିଜ୍ଞାନ ‘ହେତୁ” ହୋଇ ରହେନି । ପ୍ରକୃତ ଈଶ୍ୱରୀୟ ଆସ୍ଥା ମଣିଷକୁ ଭଲ କରିବାରେ ପ୍ରବୃତ୍ତ କରିପାରେ ଓ ପ୍ରକୃତ ବୈଜ୍ଞାନିକ ଦୃଷ୍ଟିକୋଣ ମଣିଷକୁ ହେତୁବାଦୀ କରିଥାଏ । ଆଜି ଏହାର ଅଭାବରେ ସୃଷ୍ଟି ହୋଇଛି ଈଶ୍ୱରୀୟ ଅନ୍ଧବିଶ୍ୱାସ ମିଶ୍ରିତ ଫାଶ । ଫଳହେଲା ଜଗତୀକରଣ ନାଥଙ୍କ ପାଦତଳେ ଆଜି ଜାତିଟା ସମର୍ପିତ ।
ଆଉ ଗୋଟିଏ ବଡ଼ ପରିବର୍ତ୍ତନ ଘଟିଛି ସାରା ଓଡ଼ିଶାରେ । ଅତୀତରେ ଓଡ଼ିଶାର ଗ୍ରାମ୍ୟ ସଂସ୍କୃତି-ଜଗନ୍ନାଥ ସଂସ୍କୃତିରେ ମିଳନ, ମଜ୍ଜନ, ବନ୍ଧୁତ୍ୱ ସ୍ଥାପନରେ ମହାପ୍ରସାଦର ସ୍ଥାନ ମହତ୍ତ୍ୱପୂର୍ଣ୍ଣ ରହିଆସିଥିଲା । ଏବେ ମଦ ସେ ସ୍ଥାନ ଗ୍ରହଣ କରିନେଇଛି । ଶାସକଶ୍ରେଣୀ ଜଗନ୍ନାଥଙ୍କୁ ଛାଡ଼ି ଜଗତୀକରଣ ନାଥର ଶରଣାଗତ ହେଲା ପରେ ମହାପ୍ରସାଦଟା ଆହୁରି ଗୌଣ ହୋଇପଡ଼ିବା ସ୍ୱାଭାବିକ । ସରକାର ମଦ ବେପାର ହାତକୁ ନେଇ ‘ମଦ ନିଗମ’ ଗଢ଼ିଲେଣି । ଯାହା ଲାଭଜନକ ତାହା ବେପାର । ଆମ ଚଳଣୀରେ ଆଉ ଦୁଇଗୋଟି ନୂଆ ଶବ୍ଦ କେଇ ବର୍ଷ ହେଲା ପଶିଯାଇଛି । Social worker and Sex worker ଅର୍ଥାତ୍ ସମାଜ କର୍ମୀ ଓ ଯୌନ କର୍ମୀ । ବେଶ୍ୟାର ଇଂରାଜୀ ଶବ୍ଦ prostitute ବଦଳରେ Sex worker ଶବ୍ଦର ପ୍ରୟୋଗ ପଛରେ ଏହି ବୃତ୍ତିକୁ ଏକ ସମ୍ମାନଜନକ ସ୍ଥାନ ଦିଆଇବା ମନ୍ଦ ଉଦ୍ଦେଶ୍ୟର ଗନ୍ଧ ମିଳୁଛି । Social workerସଂଖ୍ୟା ବଢ଼ିବାଟା ମଧ୍ୟ ସୁସ୍ଥ ଲକ୍ଷଣ ନୁହେଁ । ଅବହେଳିତ, ଦୁର୍ଦ୍ଦଶାଗ୍ରସ୍ତଙ୍କ ସଂଖ୍ୟା ଅହେତୁକ ଭାବେ ବଢ଼ିବାରୁ ଯେ Social worker ହେବା ଏକ ଲାଭଜନକ ପେଶାରେ ପରିଣତ ହେଲାଣି, ତାହା ଯେ କେହି ଚିନ୍ତାଶୀଳ ଲୋକେ ସ୍ୱୀକାର କରିବେ । ଏଥିଯୋଗୁ ବୋଧହୁଏ ଓଡ଼ିଶାକୁ ‘ଜନସେବୀର ସ୍ୱର୍ଗ’ ବୋଲି କୁହାଯାଏ । ଦେବଦାସୀ ଶବ୍ଦ ଏକ ଭଦ୍ର ଶବ୍ଦ ।
ଅତୀତ ଓଡ଼ିଶାର ଗ୍ରାମ୍ୟ ସଂସ୍କୃତିରେ ‘ଭଦ୍ରତା’ ଏକ ଚାଦର ଭଳି ଜିନିଷ ନଥିଲା ଯେ, ତାକୁ ଘୋଡ଼ି ହୋଇ ଆମେ ସଭିଙ୍କର ଗ୍ରହଣୀୟ ପ୍ରିୟପାତ୍ର ହୋଇ ପଡ଼ୁଥିଲେ ଅଥବା ‘ବିଶ୍ୱାସ’ଟା ସୁଲଭ କ୍ରୟ-ବିକ୍ରୟର ବସ୍ତୁ ନଥିଲା ଯେ, ଯେକୌଣସି ସ୍ଥାନରୁ ଯେତେ ଇଛା ସେତେ ହୋଲସେଲ୍ ରେଟ୍ରେ କିଣି ପାରୁଥିଲେ । ଏହାହିଁ ଆମର ଆଜିର ଶାସକଶ୍ରେଣୀ ଓ ସମାଜପତି କରୁଛନ୍ତି, କହୁଛନ୍ତି । ପାଞ୍ଚବର୍ଷ ପାଇଁ ଶାସନ ଚଳାଇବା ନିମନ୍ତେ ଭୋଟ ପାଇ ଯେମିତି ଦେଶଟାକୁ କିଣି ନେଇଛନ୍ତି ସେ ଭଙ୍ଗୀରେ ଚଳୁଛନ୍ତି । ସେମାନଙ୍କୁ ବିଶ୍ୱାସ କରିବା ଓ ସେମାନଙ୍କର ଭଦ୍ରତାକୁ ମୁଣ୍ଡପାତି ସହିନେବା ଆମ ସଂସ୍କୃତିର ଏକ ଅଙ୍ଗ ହୋଇଗଲାଣି । ଯେହେତୁ ସେମାନେ ଭଦ୍ରତାର ଚାଦର ଘୋଡ଼େଇ ହେବାର କଳା ଜାଣନ୍ତି ଓ ଆମର ବିଶ୍ୱାସକୁ ହୋଲସେଲ୍ ରେଟରେ କିଣିନେବାର ସାମର୍ଥ୍ୟ ରଖନ୍ତି । ରାଷ୍ଟ୍ରର ରାଜନୀତିଟା ଏଇ ତତ୍ତ୍ୱ କବଳରେ ରହିଥିବାରୁ ଭଦ୍ରତା ଓ ବିଶ୍ୱାସ ବଜାରର ପଣ୍ୟଦ୍ରବ୍ୟ ରୂପେ ଗଣ୍ୟ ହେଉଛି । ଏହାକୁ ତ ଜଗତୀକରଣ କୁହାଯାଉଛି ।
୧୮୦୩ରେ ଇଂରେଜମାନେ ଓଡ଼ିଶା ଅଧିକାର କଲାପରେ ଅର୍ଥନୈତିକ ବ୍ୟବସ୍ଥାରେ ପରିବର୍ତ୍ତନ ସମାଜ । ସଂସ୍କୃତିକୁ ପ୍ରଭାବିତ କରିଥିଲା । ସେମାନେ ବହୁକାଳରୁ ଚଳିଆସୁଥିବା ସୁଲଭ ବିନିମୟ ମୁଦ୍ରା କଉଡି ପରିବର୍ତ୍ତେ ତମ୍ବା ଓ ରୂପା ମୁଦ୍ରାର ପ୍ରଚଳନକୁ ବାଧ୍ୟତାମୂଳକ କରିଦେଲେ । ମୋଗଲ ଓ ମରାଠାଙ୍କ ଶାସନରେ ତମ୍ବା ମୁଦ୍ରାର ପ୍ରଚଳନ ଥିଲେ ମଧ୍ୟ ତାହା ଲୋକମାନଙ୍କର ଇଚ୍ଛାଧୀନ ବିଷୟ ଥିଲା । ସମସ୍ତ ପ୍ରକାର କୁଟୀରଶିଳ୍ପର ଉତ୍ପାଦନ ବ୍ୟବସ୍ଥାଠାରୁ ଖାଦ୍ୟଦ୍ରବ୍ୟ ଏପରିକି ଲୁଣ ଉପରେ ଭାରି ଟିକସ ଲାଗୁକଲେ । ମୋଗଲ ଓ ମରାଠାଙ୍କ ବେଳେ ଏଭଳି କୌଣସି ଟିକସ ପ୍ରଥା ଜବରଦସ୍ତ ଲାଗୁ ହୋଇ ନ ଥିଲା । ଜମିଦାରମାନେ ଯାନିଯାତ୍ରା, ପର୍ବପର୍ବାଣୀ ଓ ଅନ୍ୟ ଧର୍ମାର୍ଥ କାର୍ଯ୍ୟରେ ମୋଗଲ, ମରାଠା ଶାସକଙ୍କ ଠାରୁ ସାହାଯ୍ୟ ପାଉଥିଲେ । ପ୍ରାକୃତିକ ବିପର୍ଯ୍ୟୟ ଓ ଦୈବୀ ବିପତ୍ତିରେ ଜମିଦାର ମାନଙ୍କଠାରୁ ଆଦାୟ ହେଉଥିବା କରରେ ରିହାତି ବ୍ୟବସ୍ଥା ଥିଲା । କାରଣ ଅଧିକାଂଶ ଜମିଦାର ଗ୍ରାମାଞ୍ଚଳରେ ଲୋକ ମେଳରେ ରହୁଥିବାରୁ ସେମାନଙ୍କର ସୁଖ, ଦୁଃଖ ଓ ଆପଦବିପଦ ବେଳେ ସାହାଯ୍ୟ କରିବାରେ କୁଣ୍ଠିତ ହେଉ ନ ଥିଲେ । ତେଣୁ ବହୁ ଜମିଦାରଙ୍କର ଆର୍ଥିକ ସ୍ଥିତି ଖୁବ୍ ସ୍ୱଚ୍ଛଳ ନ ଥିଲା । ଇଂରେଜମାନେ ଜମିଦାର ମାନଙ୍କର ଉପରୋକ୍ତ କାର୍ଯ୍ୟରେ ହସ୍ତକ୍ଷେପ କରିଥିଲେ ଓ ସେମାନଙ୍କ ଉପରେ ମଧ୍ୟ ରାଜସ୍ୱ ଆଦାୟର ପରିମାଣ ଅହେତୁକ ରୂପେ ବୃଦ୍ଧି କରିଦେଲେ । ପରିଣାମରେ ଓଡ଼ିଶାର ଗ୍ରାମ୍ୟ ଅର୍ଥନୀତିର ମେରୁଦଣ୍ଡ ସଂପୂର୍ଣ୍ଣରୂପେ ଭାଙ୍ଗିଗଲା । ଜୀବନର ମୌଳିକ ଆବଶ୍ୟକତା ଯଥା ଖାଦ୍ୟ, ବସ୍ତ୍ରରେ ସ୍ୱାବଲମ୍ବୀ ହୋଇ ଚଳିବା ସାଧାରଣ ଲୋକଙ୍କ ପକ୍ଷେ ଅସମ୍ଭବ ହୋଇ ପଡିଲା । ଜମିଦାରମାନେ ଦୁର୍ବଳ ହୋଇଯିବାରୁ ନିଜ ଜମିଦାରୀର ଖର୍ଚ୍ଚ ତୁଲାଇବାରେ ଅକ୍ଷମ ହେବାରୁ ଶାଗ, ମାଛ ମୂଲରେ ସେମାନଙ୍କର ଜମିଦାରୀ ସବୁ ନିଲାମ ହୋଇଗଲା । ଜମିଦାର ମାନଙ୍କର ଏହି ଅସହାୟତାର ସୁଯୋଗରେ ରାଜସ୍ୱ ବିଭାଗର ଅମଲାମାନେ (ବିଶେଷତଃ ଅଣଓଡ଼ିଆ) ୧୮୦୬ ରୁ ୧୮୧୦ ମଧ୍ୟରେ ୩୫୦ ଗୋଟି ଜମିଦାରୀ କିଣିନେଲେ । ମୂଲ୍ୟବାନ ଜମିଦାରୀଗୁଡିକ କଲିକତାଠାରେ ବିକ୍ରୟ ହେଉଥିବାରୁ ସେଠାକୁ ଯାଇ ଖରିଦରେ ପ୍ରତିଯୋଗିତା କରିବା ଓଡ଼ିଆ ଲୋକଙ୍କ ପକ୍ଷରେ ଅସମ୍ଭବ ଥିଲା । ଏସବୁ ଘଟଣାର ବର୍ଣନ ପାଇକ ବିଦ୍ରୋହର କାରଣ ସମ୍ବନ୍ଧରେ ୧୮୧୭ରେ ଗଠିତ ଅନୁସଂଧାନ କମିଟିଙ୍କ ରିପୋର୍ଟରେ ଉଲ୍ଲେଖ ରହିଛି ।
ଇଂରେଜମାନଙ୍କ ଆଗମନ ପୂର୍ବରୁ ଓଡ଼ିଶାର ଗାଁ ଗହଳର ଶାସକ ରାଜା, ଜମିଦାର କିପରି ଚଳୁଥିଲେ ତା’ର ଏକ ବିବରଣୀ ୧୮୨୮ରେ ତକôାଳୀନ କଟକ ଜିଲ୍ଲାର ଆକ୍ଟିଙ୍ଗ ମାଜିଷ୍ଟ୍ରେଟ୍ ଙ୍କ ରିପୋର୍ଟରୁ ମିଳିଥାଏ । ସେତେବେଳେ ମୟୂରଭଂଜ ନୀଳଗିରି, ଢେଙ୍କାନାଳ, କେନ୍ଦୁଝର, ନୟାଗଡ଼, ଦଶପଲ୍ଲା ଓ ରଣପୁର ରାଜ୍ୟଗୁଡିକ କଟକ ଜିଲ୍ଲାର ଅନ୍ତର୍ଭୁକ୍ତ ଥଲା । ଅଧିକାଂଶ ରାଜାଙ୍କର ଗଡ ବା କିଲ୍ଲା ମାଟି, କାଦୁଅ ପେଚରେ ଗଢା ହୋଇଥିଲା । ଏହି ରାଜାମାନଙ୍କ ମଧ୍ୟରୁ କେତେକ ଇଂରେଜ ଶାସନର ପରବର୍ତ୍ତୀ କାଳରେ ପ୍ରଥମ ଶ୍ରେଣୀୟ ରାଜ୍ୟରୂପେ ପରିଚିତ ହେଲେ । ପଥର ନିର୍ମିତ କିଲ୍ଲା ଖୁବ କମ୍ ଥିଲା । ଏହାର ଅର୍ଥ ନୁହେଁ ଯେ ପୂର୍ବରୁ ପଥର, ଇଟାରେ ଘରଦ୍ୱାର, ରାଜମହଲ ତିଆରି ପ୍ରଚଳିତ ନ ଥିଲା । ଅଥଚ କେତେକ ରାଜା ନିଜେ ମାଟି, କାଦୁଅରେ ଗଢା ଜିଲ୍ଲାରେ ରହି ମଧ୍ୟ ନିଜ ରାଜ୍ୟର ଈଷ୍ଟ ଦେବୀ-ଦେବତାଙ୍କ ମନ୍ଦିର ପଥର, ଇଟାରେ ଗଢିଥିଲେ । ଏଥିରୁ ଏହା ଅନୁମେୟ ଓ ଏହା ଅନୁଶୀଳନର ବିଷୟ ହୋଇପାରେ ଯେ ଗ୍ରାମାଞ୍ଚଳରେ ଗଢା ସେକାଳର କିଲ୍ଲା ଗୁଡିକୁ, ସେବେଳର ଶାସକମାନେ ନିଜ ରାଜ୍ୟର ବହୁ ସଂଖ୍ୟକ ସାଧାରଣ ଲୋକଙ୍କ ଜୀବନଶୈଳୀ ମେଳ କରାଇ ଗଢିଥିଲେ ଓ ଚଳଣୀ ରହଣିରେ ଯଥା ସମ୍ଭବ ମିତବ୍ୟୟୀ ଥିଲେ । ଇଂରେଜମାନେ ଓଡ଼ିଶା ଅଧିକାର କରିବାର ବହୁବର୍ଷ ପରେ ନିଜର ଆଦବ, କାଇଦା, ଚଳଣୀ-ରହଣିରେ ରହିବାକୁ ଚଳିବାକୁ ଓଡ଼ିଶାର ରାଜାମାନଙ୍କୁ ପ୍ରରୋଚିତ କରିଥିଲେ । ମନେହୁଏ ଏହି ସମୟରୁ ଓଡ଼ିଶାର ରାଜା, ରାଜୁଡାମାନେ ଭବ୍ୟ ପ୍ରାସାଦମାନ ଗଢିଥିଲେ । ସେତେବେଳେ ରାଜା, ଜମିଦାରମାନଙ୍କ ଦ୍ୱାରା ଗଢା ମନ୍ଦିର ମାନଙ୍କରେ ପ୍ରାୟତଃ ନିର୍ମାତାମାନଙ୍କ ନାମ ରହୁ ନ ଥିଲା । ସେମାନଙ୍କ ଦ୍ୱାରା ନିର୍ମିତ କିର୍ତ୍ତୀମାନ ସେମାନଙ୍କର ଆତ୍ମ ପ୍ରଶସ୍ତିର ପ୍ରତୀକ ନଥିଲା । ଆଜିଠାରୁ ଦୁଇଶହ ଠାରୁ ପାଞ୍ଚଶହ ବର୍ଷ ଭିତରେ ପ୍ରଚଳିତ ଓଡ଼ିଶାର ଗ୍ରାମ୍ୟ ସଂସ୍କୃତିରେ ବି କେତେ ସମତା ମୂଳକ ଭାବଧାରା ପ୍ରଚଳିତ ଥିଲା ତାହା ଏଥୁରୁ ସୂଚିତ ହୁଏ ।
ଅତୀତରେ ଗାଁ ଗହଳର ମନ୍ଦିର, ମଠ ଆଦି ଗାଁର କୋଠ ସମ୍ପତ୍ତି ଥିଲା । ସମସ୍ତ ସାର୍ବଜନୀନ ଅନୁଷ୍ଠାନର ନିର୍ମାଣ ଓ ପରିଚାଳନାରେ ସାମୂହିକ ଯୋଗଦାନ ରହୁଥିଲା । ଉଦାହରଣତଃ ଆମ ଗାଁର ଦକ୍ଷିଣେଶ୍ୱରୀ ମନ୍ଦିର କଥା ଉଲ୍ଲେଖ କରାଯାଇପାରେ । ଆମର ନଈ କୂଳିଆ ଗାଁ । ନଈ ଖାଇ ଆସୁଛି । ଲୋକେ ଉଠି ଆସି ବାରମ୍ବାର ର ନୂଆ ବସତି ଗଢୁଛନ୍ତି । ଏହା ତୃତୀୟ ବସତି । ଗାଁର ଗ୍ରାମ ଦେବତୀଙ୍କ ସୂଚନା ପୁରାଣ ଶାସ୍ତ୍ରରେ ନଥିଲେ ବି କୌଣସି ବୈଦିକ, ପୌରାଣିକ ଦେବତାଙ୍କ ଠାରୁ ତାଙ୍କର ସ୍ଥାନ ଉଚ୍ଚରେ । ପ୍ରତି ଗାଁରେ ନିଜସ୍ୱ ପ୍ରତିଷ୍ଠିତ ଗ୍ରାମ ଦେବତୀ ଅଛନ୍ତି । ଗ୍ରାମଦେବତୀ ଏବଂ ମହିଳା ଏଥୁରୁ ଦୁଇଗୋଟି କଥା ସୂଚିତ ହୁଏ । ଏହାକୁ ଈଙ୍ଗିତ ଧର୍ମୀ ଅର୍ଥରେ ବ୍ୟାଖ୍ୟା କଲେ ସୃଷ୍ଟିହେବ ଯେ ଗାଁର ସାଧାରଣ ଲୋକେ ନିଜକୁ ସେକାଳର ନଗର-ରାଜ୍ୟବାସୀଙ୍କ ତୁଳନାରେ ଗୌଣ ମନେ କରୁନଥିଲେ ତେଣୁ ନଗର ରାଜ୍ୟବାସୀଙ୍କ ଦ୍ୱାରା ଉପାସନା ପାଇଁ ଗୃହୀତ ପୌରାଣିକ, ବୈଦିକ ଦେବଦେବୀଙ୍କ ତୁଳନାରେ ନିଜଗ୍ରାମ ଦେବୀ-ଦେବଙ୍କୁ ଉଚ୍ଚ ସ୍ଥାନ ଦେଉଥିଲେ । ଦ୍ୱିତୀୟତଃ ପ୍ରାୟ ଅଧିକାଂଶ ଗ୍ରାମରେ ଗ୍ରାମଦେବତୀ ହିଁ ଗାଁର ଅଧିଷ୍ଠାତ୍ରୀ, ତ୍ରାଣକର୍ତ୍ତୀ ରୂପେ ଆରାଧ୍ୟ ହୋଇ ପୂଜା ପାଇବାରୁ ସୂଚିତ ହୁଏ ଯେ, ପ୍ରାଚୀନ ଓଡ଼ିଶାରେ ଗାଁ ଗହଳର ସାଂସ୍କୃତିକ ଚେତନାରେ ମାତୃସ୍ଥାନୀୟା ପ୍ରତୀକର ସ୍ଥାନ ଗୁରୁତ୍ୱପୂର୍ଣ୍ଣ ରହି ଆସିଥିଲା । ଏହାଦ୍ୱାରା ତତ୍କାଳୀନ ସମାଜରେ ପାରିବାରିକ ଜୀବନ ବୃତ୍ତରେ ମହିଳାମାନେ ପୁରୁଷଙ୍କ ଠାରୁ ଊର୍ଦ୍ଧ୍ୱରେ ରହିଥିବାର କିଂଚିତ ଆଭାସ ମିଳେ । ଏହି ପ୍ରସଙ୍ଗ ସହିତ ଜଗନ୍ନାଥଙ୍କୁ ଯୋଡି ଦେଖିଲେ ଅହେତୁକ ହେବନାହିଁ । ଗ୍ରାମ୍ୟ ଦେବତା ନୀଳମାଧବ ରହଣି, ଚଳଣୀ – ଜଗନ୍ନାଥ ରୂପେ ରୂପାନ୍ତରିତ ହେବା ପରେ ବଦଳିଗଲା । ଶବରମାନଙ୍କ ଠାକୁର ନୀଳମାଧବଙ୍କ ପ୍ରତିଭା, ପ୍ରତିଷ୍ଠା ବୃଦ୍ଧି ନିମନ୍ତେ ତାଙ୍କର ପୂଜକ ଆଦିବାସୀମାନେ ତାଙ୍କୁ ବେଦ ପୁରାଣର ଦେବତାମାନଙ୍କ ସହିତ ଯୋଡି ନଥୁଲା ବେଳେ ନୀଳମାଧବ ଇନ୍ଦ୍ରଦ୍ୟୁମ୍ନଙ୍କ ଦ୍ୱାରା ଅପହୃତ ହୋଇ ଜଗନ୍ନାଥରେ ପରିବର୍ତ୍ତିତ ହେଲା ପରେ ତାଙ୍କୁ ବିଷ୍ଣୁ, ଶିବ, ପୁରାଣ, ବେଦ ସହିତ ଯୋଡି ଗୌରବାନ୍ୱିତ କରିବାର ଉପକ୍ରମ ହେଲା ଏବଂ ଏହି ସମୟଠାରୁ ବୋଧହୁଏ ଜଗନ୍ନାଥଙ୍କ ଚଳଣିରେ ରାଜକୀୟ ଠାଣି ଯୋଗକରାଗଲା, ଯଥା- ରଥଯାତ୍ରା ଓ ଦେବଦାସୀ ପ୍ରଥା । ଗ୍ରାମଦେବତୀ ଗାଁର । ସହଜ, ସରଳ, ମୁକ୍ତ, ଅବାଧ ଯେକେହି ମୁଣ୍ଡିଆଟିଏ ମାରି ନିଜର ଶୁଭ ମନାସିବାର, ପଦ୍ଧତି, ବିଧିବିଧାନ ଗୌଣ ଗ୍ରାମ୍ୟ ସଂସ୍କୃତିକୁ ପ୍ରତିବିମ୍ବିତ କରୁଥିଲାବେଳେ ପୁରାଣ ବୈଦିକ ଦେବତା ସହରୀ ସଭ୍ୟତାର ଯେପରିକି ପ୍ରତିନିଧିତ୍ୱ କରୁଛନ୍ତି । ବେଶୀ ଦୂରକୁ ଯିବାକୁ ହେବନାହିଁ । ପଚାଶ-ପାଠିଏ ବର୍ଷ ତଳର ଆମ ଗାଁରେ ଅଳ୍ପ ଲୋକଙ୍କର ଇଟା-ପକ୍କା ଘର ଥିଲା, ଅଧିକାଂଶ ମାଟିଘର । ଗାଡ଼ିମୋଟର ଦୂରର କଥା ସଭିଙ୍କ ଘରେ ସାଇକେଲଟିଏ ବି ନ ଥିଲା । କିନ୍ତୁ ସାଂସ୍କୃତିକ ମନରେ ଲୋକେ ସମୃଦ୍ଧ ଥିଲେ । ଦରିଦ୍ର ନ ଥିଲେ । ଗାଁ ଠାକୁରାଣୀଙ୍କ ନିକଟରେ ପ୍ରତି ମାସରେ ପୁନେଇଁ ମେଳାକୁ ଘର ପରିବାର ପିଛା ଆଦରି ନେଉଥିଲେ । ଗାଁର ଆବାଳ ବୃଦ୍ଧ ବନିତା ସଭିଏଁ ମଉଛବ ଭୋଜିରେ ଯୋଗ ଦେଇଥିଲେ । ଲୋକେ ସାମୂହିକ କାର୍ଯ୍ୟରେ ନିଜର ସାମର୍ଥ୍ୟ ଅନୁସାରେ ଶ୍ରମ, ଅର୍ଥ କି ଦ୍ରବ୍ୟ ଦାନରେ କୁଣ୍ଠିତ ନ ଥିଲେ । ବହୁ ଅନୁଷ୍ଠାନ ଯଥା, ସ୍କୁଲ, ମନ୍ଦିର, ଭାଗବତ ଘର ସବୁ ଲୋକଙ୍କ ସହଯୋଗରେ ଗଢାଯାଇଥିଲା । କାମର ଦାୟିତ୍ୱରେ ଥିବା ଲୋକେ ବହୁ ସମୟ ଦେଇ ନିଜ ଘରକାମ ଭଳି କରୁଥିଲେ । ଠିକାଦାରୀ କରି ସେଥିରୁ ଦି ପଇସା ମାରିନେବା ପ୍ରବୃତ୍ତି ନ ଥିଲା । ବେଶି ଚାକିରିଆ, ଠିକାଦାରିଆ କି ଟାଉଟରିଆ ନ ଥିଲେ । ଗାଁର ମୁଖ୍ୟ ବାର୍ଷିକ ଉତ୍ସବ ପଣାଯାତ୍ରାବେଳେ ଗାଁର ସବୁଘରେ ଦୂରଦୂରାନ୍ତରୁ ବନ୍ଧୁବାନ୍ଧବ ଆସି ଭରିଯାଉଥିଲେ । କେହି କେହି ପନ୍ଦରଦିନ ମାସେ ବି ରହୁଥିଲେ । ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛଳ ନଥିଲେ ବି କାହାରି ଭୃକୁଞ୍ଚନ ହେଉ ନଥିଲା । ଆଉ ଏବେ ବନ୍ଧୁବାନ୍ଧବ ଆସି ରହିବାତ ତ ଦୂରର କଥା କିପରି ଶୀଘ୍ର ଫେରିବେ ସେଥିପାଇଁ ସଭିଏଁ ବ୍ୟସ୍ତ ବିବ୍ରତ । ଗାଁରେ କୌଣସି କିଛି ନୂଆ ଗଢା ହେବାକୁ ଦଶହଜାର ଟଙ୍କାର ସରକାରୀ କାମ ଆସିଲେ ସେ କାମ ନେବା ପାଇଁ ପ୍ରତିଯୋଗିତାରେ ଗାଡି, ମଟର, ଚାକିରିବାଲା, କୋଠାଘରେ ଥିଲାବାଲାଏ ସବା ଆଗରେ । ପୂର୍ବେ ଗାଁ ଲୋକଙ୍କର ଉତ୍ପାଦନ ପରସ୍ପରର ଆଦାନ ପ୍ରଦାନର ବସ୍ତୁ ଥିଲା । ଏବେ ଗାଁରେ ପ୍ରତିମାସରେ ପୁନେଇଁ ମେଳାର ଭୋଜି ତ ଦୂରର କଥା ଛଅମାସ ବର୍ଷକରେ ଥରେ ଚାନ୍ଦା ଭେଦା କରି ଏକାଠି ଭୋଜି ହେବା ମୁସ୍କିଲ କଥା । ଲୋକଙ୍କ ଘରର ଢାଞ୍ଚା, ବେଶ ପୋଷାକ, ଚାକିରି, ରୋଜଗାରର ଉନ୍ନତି ହୋଇଛି । କିନ୍ତୁ ନିର୍ବାଚନବେଳେ ନେତାମାନଙ୍କ ତରଫରୁ ‘ଭୋଟ ଭୋଜି’ ଯୋଗ ଦେବାକୁ ଲଜ୍ଜିତ ହେଉନାହାନ୍ତି । ବିଗତ ଷାଠିଏ ବର୍ଷର ସ୍ୱାଧୀନ ଭାରତରେ ଯେଉଁ ଗ୍ରାମ ବିକାଶର ଡିଣ୍ଡିମ ପିଟା ଚାଲିଛି ତାହା ପ୍ରକୃତରେ ଆର୍ଥିକ ଦୃଷ୍ଟିରୁ ଗାଁ ଲୋକଙ୍କୁ କେତେ ସମ୍ପନ୍ନ କରିଛି ବିଶେଷତଃ ଆମ ଗାଁ ପରିପ୍ରେକ୍ଷୀରେ ତାହା ବିତର୍କର ବିଷୟ । କିନ୍ତୁ ମୁଁ ଅନୁଭବ କରେ ଯେ ଆମ ଗାଁ ଲୋକେ ମାନସିକ ଦୃଷ୍ଟିରୁ ଘୋର ଦରିଦ୍ର ହୋଇପଡିଛନ୍ତି । ଦାରିଦ୍ର୍ୟର ଯେ ଏକ ଚରିତ୍ର ରହିଛି ଏହାକୁ ଯେ କେହି ସ୍ୱୀକାର କରିବେ । ପ୍ରାଚୀନ ଗ୍ରାମ୍ୟ ସଂସ୍କୃତିର ଭାବଧାରା “ବିଶ୍ୱ ଏକ ବିଶାଳ ପରିବାର” – କି ଭୀମଭୋଇଙ୍କ – “ମୋ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ପାଉ” ଭଳି ଚିନ୍ତା ଚେତନା ବିଶେଷତଃ ଗାଁ ପରିପ୍ରେକ୍ଷୀରେ ଯେ ଶୂନ୍ୟ ଆଡକୁ ଗତି କରୁଛି ତାହାର ପ୍ରମାଣ ଏଥୁରୁ ମିଳେ ଯେ ଏବେ ଗାଁ ଏକ ପରିବାର ଭାବନା ବି ନାହିଁ । ସଭିଏଁ ଆତ୍ମ କୈନ୍ଦ୍ରିକ । ଯେକୌଣସି ଉପାୟରେ ସବୁକିଛି ହାସଲ ନ ଗା କରିବାରେ ଚରିତ୍ର ଓ କର୍ତ୍ତବ୍ୟକୁ ବଳି ଦେବାରେ ବିଶେଷତଃ ସ୍ୱଚ୍ଛଳ, ସମୃଦ୍ଧ, ଉଚ୍ଚ ଶିକ୍ଷିତଙ୍କର କାଣିଚାଏ ବି କୁଣ୍ଡ ଠାକୁରାଣୀଙ୍କ ପ୍ରସିଦ୍ଧି ଚାରିଆଡେ ‘ଗୋଜବାୟାଣୀ’- ଓ ‘ମଙ୍ଗଳା ଠାକୁରାଣୀ’ଙ୍କ ପ୍ରସଙ୍ଗର ଉଲ୍ଲେଖ କରାଯାଇପାରେ । ୧୯୯୮ରେ ‘ଗୋଜବାୟାଣୀ’ ଠାକୁରାଣୀଙ୍କ ପ୍ରସିଦ୍ଧି ଚାରିଆଡେ ବ୍ୟାପିଗଲା । ଠାକୁରାଣୀଙ୍କ ପ୍ରିୟ ଭୋଗ ମାଛ । ଏଣେ କାର୍ତ୍ତିକ ମାସର ଆରମ୍ଭ । ଆମିଷ ସମ୍ପୂର୍ଣ୍ଣ ନିଷେଧ । କିନ୍ତୁ କାର୍ତ୍ତିକ ମାସର ପୂଣ୍ୟ ଓ ଗୋଜବାୟାଣୀଙ୍କଠୁ ହୁକୁମ ଉଭୟ ଯଦି ଏକାବେଳେକେ ପାଇବା ତେବେ ଛାଡ଼ିବା କାହିଁକି? କାର୍ତ୍ତିକ ମାସର ଗୁରୁବାର । ଆମର ଶିକ୍ଷିତ ଓ ସ୍ୱଚ୍ଛଳ ଲୋକେ କାର୍ତ୍ତିକ ମାସ ଗୁରୁବାର ବୁଡ ପକାଇ କଟକରୁ ମାଛ ଧରି ଗୋଜବାୟାଣୀ ଠାକୁରାଣୀଙ୍କ ପାଖରେ ରାନ୍ଧି, ଭୋଗପାଇ ଫେରିଲେ । ଏ ଅବସରକୁ ଛାଡ଼ିଦେଲେ ପୁଣି ଯଦି ହୁକୁମ ବନ୍ଦ ହୋଇଯିବ । ସେହିପରି କାକଟପୁର ମଙ୍ଗଳାକ ପାଖରେ ପୁଅର ଶୁଭ କାମନା ପାଇଁ ମାନସିକ କଲେ ପୁଅଙ୍କର ରିଷ୍ଟ ରହିବ ନାହିଁ । ମଙ୍ଗଳା ନିଜେ ମହିଳା – ସେ ଝିଅଙ୍କ କଥା କହିଲେ ନାହିଁ – ଝିଅ ଗୌଣ, ପୁଅ ପରିବାରରେ ପ୍ରମୁଖ । “ଦେଶ ଆଗେଇଲାଣି” – ଗାଁ ଲୋକେ ସଭ୍ୟତା ଆଡକୁ ଧାଇଁଛନ୍ତି । ସାକ୍ଷରତା ହାର ବହୁଗୁଣ ବଢିଯାଇଛି । ସତରେ ଲୋକେ ଶିକ୍ଷିତ, ଜ୍ଞାନୀ ହୋଇଛନ୍ତି କି? ସମତାର ଭାବଧାରା ବୈରାଗ୍ୟରେ ପ୍ରବୃତ୍ତ ହେଉଛନ୍ତି କି? ପୂର୍ବରୁ ବରୁ ଗୀତରେ ଗ୍ରାମଦେବତୀ – ମାତୃ ଜାତିର ଗୁରୁତ୍ୱ, ଗ୍ରାମଦେବତୀଙ୍କୁ ପୌରାଣିକ ଦେବଦେବୀଙ୍କ ଠାରୁ ବି ପ୍ରାଧାନ୍ୟ ନିଜର ସୁଖ-ଦୁଃଖ ଭଲ-ମନ୍ଦରେ ଉଲ୍ଲେଖ କରିବାର ତାତ୍ପର୍ଯ୍ୟ ହେଲା ଯେ ଏବେ ମାତୃ ଜାତି, କନ୍ୟା ପରିବାରର ବୋଝ ହୋଇଛି । ଝିଅ ବିବାହ ଝିଅଟିର ସୁଗୁଣ ସଂପନ୍ନ ଯୋଗ୍ୟ ହେବା ଅପେକ୍ଷା ବାପାର ଆର୍ଥିକ କ୍ଷମତା ଉପରେ ନିର୍ଭର କରୁଛି । ଗାଁ ଆଉ ଗ୍ରାମଦେବତୀଙ୍କ ଉପରେ ଆଶ୍ରା କରି ଚଳିପାରୁନାହିଁ । ଠିକ୍ ସେହିପରି ଗାଁର ଉନ୍ନତି ଗାଁରେ ସାମୂହିକ ଅନୁଷ୍ଠାନର ନିର୍ମାଣ ରାଜଧାନୀ, ମହାନଗରରେ ନେତାଙ୍କ ଅନୁକମ୍ପା ବିନା ଅସମ୍ଭବ ହୋଇପଡୁଛି । ଲୋକେ ନିଜ ଚିନ୍ତାରେ ଏତେ ବ୍ୟସ୍ତ ବିବ୍ରତ ଯେ ଗାଁ କଥା, ସମୂହ କଥା ଭାବିବାକୁ ତର ନାହିଁ ।
ପ୍ରାଚୀନ ଗ୍ରାମ୍ୟ ସଂସ୍କୃତି ସହରୀ ସଭ୍ୟତାର ପରାଧୀନ ହୋଇଯାଇଛି । ତେଣୁ ଗାଁ ଗହଳରେ ସ୍ୱାଧୀନ ନିର୍ଭୟ ଲୋକଙ୍କ ସଂଖ୍ୟା, କମିବାରେ ଲାଗିଛି । ଭାରତ ପରାଧୀନ ଥିଲାବେଳେ ଇଂରେଜମାନଙ୍କ ବିରୁଦ୍ଧରେ ଆନ୍ଦୋଳନ କରିବାରେ ଗାଁ ଲୋକେ ଆଗରେ ଥିଲେ । ଶହୀଦ ମାନଙ୍କ ଭିତରେ ଗାଁ ଲୋକଙ୍କ ସଂଖ୍ୟା ବି ସର୍ବାଧିକ ଥିଲା । କାରଣ ଖୋଜିବାକୁ ଗଲାବେଳେ ସୃଷ୍ଟ ଦେଖି ପାରିବା ଯେ, ଇଂରେଜମାନେ ଭାରତ, ଓଡ଼ିଶା ଅଧିକାର କଲାପରେ ବି ଗାଁ ଲୋକେ ସ୍ୱାଧୀନ ଥିଲେ, ସ୍ୱାଧୀନତା ଆନ୍ଦୋଳନରେ ସର୍ବାଗ୍ରେ ରହିଥିଲେ । ଦେଶ ଓ ଓଡ଼ିଶା ସ୍ୱାଧୀନ ହେଲା, କିନ୍ତୁ ଗାଁ ଲୋକେ ସ୍ୱାଧୀନତା ହରେଇଲେ । ଦେଶର ରାଜନୈତିକ ସ୍ୱାଧୀନତା, ଗାଁ ଲୋକଙ୍କ ପରାଧୀନତା, ଯୌନତା, ଦେଶର ଆର୍ଥିକ ସମୃଦ୍ଧି ଓ ଗାଁ ଲୋକଙ୍କ ଦାରିଦ୍ର୍ୟର ବୃଦ୍ଧିର ପରିସଂଖ୍ୟାନଗତ ହିସାବ ଆମେ ସଠିକ ଦେଇପାରିବା ନାହିଁ । ଏହା ଭାଷାରେ ବ୍ୟକ୍ତ କରିବାର ବିଷୟ ନୁହେଁ, ଅନୁଭବର କଥା । ଏହି ଅବସ୍ଥାର ଭାବଗତ ସଂପ୍ରେଷଣ ପାଇଁ ଏଠାରେ ନଅଙ୍କ ଦୁର୍ଭିକ୍ଷ ଓ ଗତ ମହାବାତ୍ୟା ବେଳର କେତେକ ଘଟଣା ଉଲ୍ଲେଖ କରାଯାଇପାରେ ।
ପ୍ରଥମ ଘଟଣାଟି ନଅଙ୍କ ଦୁର୍ଭିକ୍ଷବେଳେ କଟକର ବାଙ୍କୀ ଅଞ୍ଚଳରେ ଘଟିଥିଲା । ଏହି ହୃଦୟ ବିଦାରକ ଘଟଣା ଉପରେ ଜନୈକ ବ୍ରିଟିଶ ଅଧିକାରୀ ଏକ କବିତା ରଚନା କରିଥିଲେ, ଯାହାର ଓଡ଼ିଆ ଅନୁବାଦ ସ୍ୱର୍ଗତ ରାମକୃଷ୍ଣ ନନ୍ଦ ୧୯୩୬ ମସିହାରେ କରିଥିଲେ । ବାଳକ ସନାତନ ବହୁଦିନ ଧରି ଉପବାସ ରହି ମଧ୍ୟ ଘରେ ଭୋକ ଉପାସରେ ପଡିଥିବା ମାଆ, ଭାଇ ପାଇଁ ବହୁ କଷ୍ଟରେ ଗିନାଏ ଭାତ ସଂଗ୍ରହ କରିଥଲା । ଅନ୍ନଦାତ୍ରୀ-ସନାତନର ଭୋକିଲା ଟଳମଳ ଦେହ ଦେଖୁ ସେ ଖାଇ ଟିକେ ଟାଣ ହେବାକୁ କହିବାରୁ, ସନାତନ କହିଲା ଘରେ ମୋର ମାଆ ଓ ଭାଇ ଉପାସରେ ପଡିଥିବେ ମୁଁ କିପରି ବା ଖାଇବି । ଭାତକୁ କାନିରେ ବାନ୍ଧି ଘରକୁ ଫେରିଲାବେଳେ ଏକ ବରଗଛ ଛାଇରେ ଥକା ମାଇଲାବେଳେ ସନାତନର ପ୍ରାଣବାୟୁ ଉଡିଗଲା । କିନ୍ତୁ କାନିରେ ବନ୍ଧା ଭାତ ଖାଇଲା ନାହିଁ । ସ୍ୱର୍ଗତ ଗୋଦାବରୀଶ ମହାପାତ୍ରଙ୍କ ଗଳ୍ପ “ଏବେ ମଧ୍ୟ ବଞ୍ଚୁଛି”ର ନାୟକ ବେଣୁଧରର କଥା । ଏକଥା ସମ୍ଭବତଃ ଉତ୍କଳମଣି ଗୋପବନ୍ଧୁ ଦାଶଙ୍କ ସମୟରେ ଘଟିଥିବା କୌଣସି ଦୁର୍ଭିକ୍ଷ ସମୟର ହୋଇଥାଇପାରେ । ବେଣୁଧର ଗାଁରେ ଥିବା ସାହାଯ୍ୟ କେନ୍ଦ୍ରକୁ ଯାଇ ଚାଉଳ ଆଣିବାକୁ ନିଜର ଓ ଜାତିର ସ୍ୱାଭିମାନ ପ୍ରତି ଅପମାନ ମନେକରି ସେଠାକୁ ଦଶଦିନ ଯାଇ ମଧ୍ୟ ଫେରି ଆସିଲା । ଅଚେତ ହୋଇ ଗଛମୂଳେ ପଡିଥିବା ବେଣୁଧରର ଚେତା ଫେରିଲା ଗୋପବନ୍ଧୁଙ୍କ ସ୍ପର୍ଶରେ – ବେଣୁଧରଠୁ ସବୁ ଶୁଣି ଗୋପବନ୍ଧୁଙ୍କ ସ୍ୱଗତୋକ୍ତି ଯେ “ ଏ ଜାତି ଏବେ ମଧ୍ୟ ବଞ୍ଚୁଛି” – ଖୁବ୍ ଅର୍ଥପୂର୍ଣ୍ଣ । ତୃତୀୟ ଘଟଣାଟି ଗତ ମହାବାତ୍ୟା ପରେ ଯାଯପୁର ଅଞ୍ଚଳରେ ଘଟିଥିଲା ଓ ଧରିତ୍ରୀ ୨୦.୧୧.୧୯୯୯ର ମୁଖ ପୃଷ୍ଠରେ ପ୍ରକାଶ ପାଇଥିଲା ବିଦ୍ୟାଧର ନାମକ ଜଣେ ଲୋକ ଭୋକ ବିକଳରେ ପୁଅ ପାଗଳା ପାଇଁ ଘରେ ଥିବା ଭାତ ଖାଇଦେଇଥିଲା । କ୍ଷୁଧାର୍ତ୍ତ ପାଗଳା ଘରକୁ ଫେରି ତା ପାଇଁ ରହିଥିବା ଭାତ ବାପା ଖାଇଦେଉଛି ଶୁଣି ସଙ୍ଗେ ସଙ୍ଗେ ବାପ ବିଦ୍ୟାଧରର ତଣ୍ଟି ଚିପି ମାରିଦେଲା । ପ୍ରଥମ ଦୁଇଗୋଟି ଘଟଣା ସଂପୂର୍ଣ୍ଣ ସତ୍ୟ କି ନା ତା ଆମେ ଦାବି କରି ନପାରିଲେ ମଧ୍ୟ ଦାରିଦ୍ର୍ୟର ଚରିତ୍ର ସମ୍ବନ୍ଧରେ କିଞ୍ଚିତ ଅବଗତ ହୋଇପାରିବା । ତେଣୁ ବିକାଶ ଓ ସମୃଦ୍ଧିର ଉପନିବେଶବାଦୀ ପ୍ରବୃତ୍ତି ଯେତେବେଳେ ସମାଜ, ରାଜନୀତି ଓ ଅର୍ଥନୀତି ଉପରେ ଅଧିକାର କରିବସିଛି, ମଣିଷର ମନ ମସ୍ତିଷ୍କକୁ କ୍ଷତବିକ୍ଷତ କରିଚାଲିଛି ଏବଂ ଏହାଦ୍ୱାରା ଗ୍ରାମ୍ୟ ସଂସ୍କୃତି ଓ ସହରୀ ସଭ୍ୟତା ଭିତରେ ଯେଉଁ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି, ଈଶ୍ୱରୀୟ ଅନ୍ଧବିଶ୍ୱାସ ଓ ବିଜ୍ଞାନୀୟ ଅନ୍ଧବିଶ୍ୱାସ ମିଶ୍ରିତ ଫାଶ ଯେତେବେଳେ ଆମର ଚିନ୍ତା-ଚେତନାକୁ କବଳିତ କରିସାରିଛି, ସେତେବେଳେ ସାମାଜିକ, ରାଜନୈତିକ ଓ ଆର୍ଥôକ କ୍ଷେତ୍ରର ସମସ୍ତ ବିକୃତ ଗୁଡିକୁ ଆମେ ସଂସ୍କୃତି ବୋଲି ଗ୍ରହଣ କରିନେବାକୁ ବାଧ୍ୟ ହେଉଛେ ।
ଆଦି ଦେଶରେ ଏବେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଚର୍ଚ୍ଚା ବହୁତ ହେଉଛି । ୧୯୯୮ରେ ପୋଖରଣଠାରେ ପରମାଣୁ ବୋମା ବିସ୍ଫୋରଣ ପରେ ପ୍ରଧାନମନ୍ତ୍ରୀ ସ୍ଲୋଗାନ ଦେଲେ “ଜୟ ବିଜ୍ଞାନ” । ପ୍ରଧାନମନ୍ତ୍ରୀଙ୍କର ଏହି ଡାକରାକୁ ଆମେ “ଜୟ ଅଜ୍ଞାନ” କହିବାରୁ କେତେକ ବନ୍ଧୁ ଏହାକୁ ଆମର ରାଜନୈତିକ ଦୃଷ୍ଟିରୁ ସବୁକଥାକୁ ଦେଖୁବାର ଅଭ୍ୟାସ ବୋଲି କହିଲେ । ପରମାଣୁ ବୋମା ଫୁଟାଇବା ବିଜ୍ଞାନର ଅଧୁନାତମ ପରୀକ୍ଷଣ ତ ନୁହେଁ । ଏହା ପ୍ରାୟ ଷାଠିଏ ବର୍ଷ ତଳର ଟେକନୋଲୋଜି । ଏ ଧରଣର ବୋମାସବୁ ଆମେରିକା ଆଦି ଦେଶମାନଙ୍କରେ ସଢି ଖତ ହେଉଛି । ‘ଅପାଳକ ରାଇଜରେ ବିଜୁଳି ଲକ୍ଷେ ଟଙ୍କା’ ଭଳି ଏଠି ସେଇ ବୋମା ଫୁଟେଇ ବାହାବା ଅର୍ଜନ କରାଯାଉଛି । ଯଦି ଏଭଳି ବୋମା ବାହାରନ୍ତା ଯାହାର ପରୀକ୍ଷାମୂଳକ ବିସ୍ଫୋରଣ ଗବେଷଣାଗାରରେ ନିରୁପଦ୍ରବ ରୂପେ କରାଯାଇପାରନ୍ତା, ଯେଉଁ ବୋମା ନିଜେ ଉଡ଼ିଯାଇ ଶତ୍ରୁ ପକ୍ଷକୁ ଧ୍ୱଂସ କରିପାରନ୍ତା ତେବେ ସିନା ତାକୁ ଆମେ ପରମାଣୁ ବୋମାର ଆଧୁନିକ ସଂସ୍କରଣ କହିପାରନ୍ତେ । ସ୍ୱର୍ଗତ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀଙ୍କ ଅମଳରେ (୧୯୮୨ରେ) ଭାରତ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାରେ ତୃତୀୟ ବିଶ୍ୱଶକ୍ତି ବୋଲି ଡିଣ୍ଡିମ ପିଟା ଯାଉଥିଲା । କିନ୍ତୁ ୧୯୮୨ରେ ବନ୍ୟା ଦାଉରୁ ଓଡ଼ିଶାବାସୀଙ୍କୁ ରକ୍ଷା କରାଯାଇ ପାରି ନ ଥିଲା । ଇଂରେଜ ସମୟରେ ବିଜ୍ଞାନ ଏତେ ଆଗୁଆ ନଥିଲା । ସେ ସମୟରେ କଟକ ଜିଲ୍ଲାର ବନ୍ୟା ଦଳେଇଘାଇଠାରେ ଏକ ନଦୀବନ୍ଧରେ ଏକ ବଡ ଘୋଳିଆ ପଡିଥିଲା । ବନ୍ଧବାଡ ଦାୟିତ୍ୱରେ ଥିବା ଇଂରେଜ ଇଂଜିନିୟର ଅଣ୍ଟାରେ ଦଉଡି ବାନ୍ଧି ନିଜ ଜୀବନ ପ୍ରତି ଭୃକ୍ଷେପ ନ କରି ପାଣିରେ ବୁଡି ଘୋଜିଆ ମାରି ବନ୍ଧ ରକ୍ଷା କରିଥିବା ସ୍ୱର୍ଗତ ଚିନ୍ତାମଣି ମିଶ୍ର ନବଜୀବନ ପତ୍ରିକାର ୧୯୫୬ ସଂଖ୍ୟାରେ ଉଲ୍ଲେଖ କରିଥିଲେ । ୧୯୫୫ ମସିହାରେ ଦଳେଇଘାଇ ଭାଙ୍ଗିବା ପ୍ରସଙ୍ଗର ଅବତାରଣା କରି ସେହି ପତ୍ରିକାରେ ସ୍ୱର୍ଗତ ମିଶ୍ର ଲେଖୁଥଲେ ଯେ, ସେତେବେଳେ ବନ୍ଧବାଡ ଦାୟିତ୍ୱରେ ଥିବା ସ୍ୱଦେଶୀ ଇଂଜିନିୟର କିନ୍ତୁ ଭିନ୍ନେ କାମ କରିବସିଲେ । ବନ୍ଧକୁ ଜଗିବା ପରିବର୍ତ୍ତେ ସେ ଚାରିପାଖରେ ବନ୍ୟାଜଳ ଦ୍ୱାରା ଆତଙ୍କିତ ତାଙ୍କ ବଙ୍ଗବାଳା ପତ୍ନୀଙ୍କୁ କଲିକତା ପଠେଇ ଦେବାକୁ କଟକ ରେଳଷ୍ଟେସନରେ ଆସି ଛାଡ଼ିଲା ବେଳକୁ ତେଣେ ଦଳେଇଘାଇ ଭାଙ୍ଗିଗଲା । ତେଣୁ ଏଠି ବିଜ୍ଞାନର ଜପ, ତପ କଲେ ଯେ ସବୁ ଠିକ୍ ହୋଇଯିବ ଏ ଅନ୍ଧବିଶ୍ୱାସ ଅପେକ୍ଷା ବୈଜ୍ଞାନିକ ମାନସିକତା ଟା ହେଉଛି ଗୁରୁତ୍ୱପୂର୍ଣ୍ଣ । ମଣିଷ ସମାଜକୁ ଧ୍ୱଂସ କରିବା ପାଇଁ ବିଜ୍ଞାନର ମାରକ ଶକ୍ତିର ଯେଉଁସବୁ ଅମାନବୀୟ ପ୍ରୟୋଗ କରାଯାଉଛି, ପ୍ରାକୃତିକ କିମ୍ବା ମନୁଷ୍ୟକୃତ ବିପଦରୁ ମାନବ ସମାଜର ସୁରକ୍ଷା ପାଇଁ ବିଜ୍ଞାନର ପ୍ରୟୋଗ କରାଯାଉନାହିଁ । ପରମାଣୁ ବୋମା ଓ ଆଣବିକ ଶକ୍ତି ସମ୍ପନ୍ନ କ୍ଷେପଣାସ୍ତ୍ର ଶତ୍ରୁ ପକ୍ଷର ମଣିଷକୁ ମାରିପାରିବ କିନ୍ତୁ ଶତ୍ରୁ ପକ୍ଷରୁ ସେହିଭଳି ପ୍ରତି ଆକ୍ରମଣରୁ ରକ୍ଷା କରିପାରିବ ନାହିଁ । ଓଡ଼ିଶାର ମହାବାତ୍ୟା ଓ ଗୁଜରାଟର ଭୂମିକମ୍ପରେ ଅନୁମାନତଃ ପଚାଶ ହଜାର ଲୋକ ମଲେ । ବିଗତ ଷାଠିଏ ବର୍ଷ ଭିତରେ ଭାରତରେ ଏହିଭଳି ପ୍ରାକୃତିକ ବିପର୍ଯ୍ୟୟରେ ଲକ୍ଷାଧ୍ୱକ ଲୋକ ମଲେଣି । ଅଥଚ ଭାରତ ପାକିସ୍ତାନ ଭିତରେ ତିନିଥର ହୋଇଥିବା ଯୁଦ୍ଧ ମାନଙ୍କରେ ଏହାର ଦଶମାଂସ ଲୋକ ମଧ୍ୟ ମୃତ୍ୟୁବରଣ କରିନାହାନ୍ତି ।
ତେଣୁ ଆମର କ୍ଷେପଣାସ୍ତ୍ର ଦ୍ୱାରା ସମୁଦ୍ରରେ କେନ୍ଦ୍ରୀଭୂତ ହୋଇଥିବା ଘୂର୍ଣ୍ଣିବାତ୍ୟାର କେନ୍ଦ୍ରସ୍ଥଳୀରେ ଲକ୍ଷ୍ୟଭେଦ ଓ ବିଷ୍ଫୋଟ ଘଟାଇ ତାହାକୁ ଯଦି ଖେଳାଇ ଦେଇପାରନ୍ତେ, ଆମର ପରମାଣୁ ବୋମାର ବିସ୍ଫୋରଣ ଦ୍ୱାରା ଭୂମିକମ୍ପର ସ୍ପନ୍ଦନକୁ ଦୂରକୁ ଯଦି ଠେଲି ଦେଇପାରନ୍ତେ ତେବେ ତାହାହିଁ ହୁଅନ୍ତା ଆମର ବିଜ୍ଞାନର ଅଧୁନାତମ ଉପଲବ୍ଧି, ଏହା ଅନୁମାନର କଥା ନୁହେଁ । ଏହାଉପରେ ଅନୁସନ୍ଧାନ ଓ ପ୍ରୟୋଗ ହୋଇପାରେ କି ନା ତାହା ଆମର ବୈଜ୍ଞାନିକ ବନ୍ଧୁମାନେ ହିଁ କହିପାରିବେ । ଯଦି ବିଜ୍ଞାନର ଏହି ତାରକ ଶକ୍ତିକୁ ଆମେ ଅକ୍ତିଆର କରିପାରନ୍ତେ ତେବେ ହିଁ ଜୟ ବିଜ୍ଞାନର ସାର୍ଥକତା ପ୍ରମାଣିତ ହୁଅନ୍ତା ।
୧୯୪୭ ମସିହାର Orissa Reviewରେ ଓଡ଼ିଶା ସରକାରଙ୍କ ତତ୍କାଳୀନ ରେଭିନ୍ୟୁ କମିଶନର ସ୍ୱର୍ଗତ ନୀଳମଣି ସେନାପତି ଗ୍ରାମ ସଂଗଠନ ବିଷୟରେ ଲେଖୁଥିଲେ – “ ଗାଁ ଲୋକେ ଗୁଡ, ପୋଲାଙ୍ଗ ତେଲ ଓ ଖଦଡରେ ଚଳିଯାନ୍ତୁ । ଚିନି, କିରାସିନି ଓ କଳଲୁଗା ଆଡକୁ ମନ ବଳାନ୍ତୁ ନାହିଁ ।” (ସ୍ୱର୍ଗତ ଗୋଦାବରୀଶ ମିଶ୍ରଙ୍କ ଲିଖିତ ୧୯୪୮ରେ ପ୍ରକାଶିତ ‘କଙ୍କାଳର ଆର୍ତ୍ତନାଦ’ ପୁସ୍ତକରେ ଏ ପ୍ରସଙ୍ଗର ଉଲ୍ଲେଖ ରହିଅଛି ।)
ଆଜି ଏକବିଂଶ ଶତାବ୍ଦୀର ଆରମ୍ଭରେ ଗାଁ ଗହଳରେ ଚିନି, କିରାସିନିର ଅବସ୍ଥା କ’ଣ? ଆମ ଗଣତନ୍ତ୍ର ଶାସନରେ ମଣିଷ ପିଛା ଭୋଟ ସମାନ । କିନ୍ତୁ ଚିନି, କିରାସିନି ପାଇଲାବେଳକୁ ଗାଉଁଲୀ ଲୋକ ସହରୀ ଲୋକ ସଙ୍ଗେ ସମାନ ନୁହେଁ । ଗାଁ ଲୋକର ଭୋଟ ସମାନ, ପେଟଟା କ’ଣ ଛୋଟ ? ଏହି ବିକୃତ ମାନସିକତା ସମ୍ପନ୍ନ ଲୋକେ ଗାଁରେ ମଣିଷ ନାହାନ୍ତି କହି, ଗ୍ରାମ ବିକାଶର ଦ୍ୱାହି ଦେଇ ବିଗତ ଷାଠିଏ ବର୍ଷ ଶାସନ ଗାଦି ମାଡିବସିଛନ୍ତି ଏହାର ଉଲ୍ଲେଖ ପୂର୍ବରୁ କରାଯାଇଛି । ସରକାରଙ୍କ ନୂଆ ଶିଳ୍ପନୀତି ଅନୁସାରେ ରାଜ୍ୟରେ ଶିଳ୍ପର ବିକାଶ ପାଇଁ ଯେଉଁମାନେ କମ୍ପାନୀଟିଏ ଗଢିପାରନ୍ତି, ସେମାନେ ଇଚ୍ଛା ମୁତାବକ ଯେକୌଣସି ସ୍ଥାନରେ ଜମି କିଣିପାରନ୍ତି । ଗାଁରେ ପ୍ରକୃତ ଚାଷ କରି, ବିଲରେ ଖଟୁଥିବା ଲୋକ ହାତରେ ଜମି ପରିମାଣ କମ୍ । ଚାଷୀ ନିଜର ଆବଶ୍ୟକୀୟ ସାମାଜିକ କାର୍ଯ୍ୟପୂରଣ କରିବାକୁ ଯାଇ ଜମି ବିକିବାରେ ଲାଗିଛି । ଯିଏ ନିଜର ଅଧର୍ମ ବିତ୍ତ ବଳରେ ଜମି କିଣୁଛନ୍ତି ସେମାନେ ନିଜେ ଚାଷ କରନ୍ତି ନାହିଁ, ଖଟନ୍ତି ନାହିଁ । ନିଜର ଥାଟ ଦେଖାଇବା ପାଇଁ ଜମି କିଣନ୍ତି । ଓଡ଼ିଶାରେ ଓଡ଼ିଆଙ୍କ ଭିତରେ ନୂଆ ସର୍ବୋଚ୍ଚ ସମ୍ଭ୍ରାନ୍ତ ଶ୍ରେଣୀ ହେଲେ ଏନ୍.ଆର୍.ଆଇ. ଓଡ଼ିଆ । ୧୯୪୭ରେ ଭାରତ ଓ ବିଶ୍ୱର ସମୃଦ୍ଧ ଦେଶମାନଙ୍କର ବିକାଶ ହାରରେ ଯେଉଁ ତାରତମ୍ୟ ଥିଲା ତାହା ସ୍ୱାଧୀନତା ପ୍ରାପ୍ତିର ଷାଠିଏ ବର୍ଷ ପରେ ଆମ ଦେଶବାସୀଙ୍କୁ ବିଶ୍ୱବାସୀଙ୍କ ବିକାଶ ପରିମାପକର ସବାତଳ ପାହ୍ୟାକୁ ଯେ ଖସେଇ ଦେଇଛି ଏହା ହେଉଛି ତା’ର ପ୍ରମାଣ । ଏଇ ଏନ୍.ଆର.ଆଇ. ରୂପୀ ନୂଆ ଜାତିଟା ଖାଲି ଧନୀ, ଜ୍ଞାନୀ, ମାନୀ ମଧ୍ୟ । ଓଡ଼ିଶାରେ ଏବେ ସାହିତ୍ୟ, ସଂସ୍କୃତି, ଶିଳ୍ପ, ବିଜ୍ଞାନ, ଶିକ୍ଷା, ସ୍ୱାସ୍ଥ୍ୟ ସବୁ କ୍ଷେତ୍ର ଏନ୍, ଆର.ଆଇ.ଙ୍କ ନିମନ୍ତେ ପ୍ରଶସ୍ତ ରହିଛି । ଅଥବା ଏମାନେ ଯେଉଁ ପାଶ୍ଚାତ୍ୟ ଦେଶରେ ରୁହନ୍ତି, ଯଥା ଆମେରିକାର ଲୋକେ ଆସି ଗାଁ ଜମି ସବୁ ଜିଣିନେବେ, ପୁରୁଣା ଇଷ୍ଟଇଣ୍ଡିଆ କମ୍ପାନୀ ଭଳି ନୂଆ ଈଷ୍ଟ ଇଣ୍ଡିଆ କମ୍ପାନୀ ଗଢି ଜମି, ଜଳ, ଜଙ୍ଗଲ ଓ ଖଣିଜ ସମ୍ପଦ ସବୁ କିଣିନେବେ – ଏହା ହେବା ମଧ୍ୟ ଅସମ୍ଭବ ନୁହେଁ । ଆମ ଗାଁ ଗହଳର ଖାଦ୍ୟ, ପେୟ, ଶିକ୍ଷା, ସ୍ୱାସ୍ଥ୍ୟ ବ୍ୟବସ୍ଥା ନିମନ୍ତେ ସରକାର ବିଦେଶୀ କମ୍ପାନୀମାନଙ୍କୁ ଠିକା ଦେଇପାରନ୍ତି । ଆମ ଗାଁ ମାନଙ୍କର ସବୁ ଚାଷ ଜମି ସେମାନେ ନେଇଯାଇ ଘରପିଛା ବଡସାନ ଟିଫିନ୍ କ୍ୟାରିୟରରେ ଟ୍ରଲି ଦ୍ୱାରା ବିତରଣ କରିପାରନ୍ତି । ଆମେରିକାର କୌଣସି ବିଶ୍ୱବିଦ୍ୟାଳୟ ଇଣ୍ଟରନେଟ ମାଧ୍ୟମରେ ଆମ ଗାଁ ଗହଳରେ ଶିକ୍ଷା ବ୍ୟବସ୍ଥା ପରିଚାଳନା କରିପାରନ୍ତି ଏବଂ ଏ ସବୁ କଲାବେଳେ ସେମାନେ କହିବେ, ଠିକ୍ ଇଂରେଜମାନେ ଯାହା କହୁଥିଲେ – ଓଡ଼ିଶାଟା ଖୁବ୍ ଅଶିକ୍ଷିତ ଥିଲା । ଏଠାକାର ଗାଁ ଗହଳ ଲୋକେ ଭାରି ଅଜ୍ଞାନୀ ଥିଲେ । ଏଠି ସଂସ୍କୃତି ବୋଲି କିଛି ନ ଥିଲା । ଆମେ ଆସିଛୁ ଏଠାକାର ଗାଁ ଲୋକଙ୍କୁ ସଭ୍ୟ, ସୁସଂସ୍କୃତ କରିବୁ, ସୁସ୍ଥ, ଶିକ୍ଷିତ କରାଇବୁ । ଓଡ଼ିଶାର ସାମଗ୍ରିକ ବିକାଶ କରିବୁ । ସେତେବେଳକୁ ହୁଏତ ସରକାରଙ୍କର ଘରୋଇକରଣ ହୋଇସାରିଥିବ । ସେତେବେଳେ ହୁଏତ ଆମେ ଜାଣିନଥିବା ଯେ ଭାରତର ରାଜା କିଏ ଥିଲା? ଭାରତୀୟତା ବୋଇଲେ କ’ଣ ବୁଝାଏ? ଭାରତରେ ଆମେରିକା ସାମ୍ରାଜ୍ୟବାଦୀଙ୍କ ସ୍ୱଦେଶୀ ଏଜେଣ୍ଟମାନେ ଏବେଠାରୁ ଆମକୁ ଭାରତୀୟ ବଦଳରେ ‘ହିନ୍ଦୁ’ ହେବାକୁ ବାଧ୍ୟ କଲେଣି । ଏଇ ହିନ୍ଦୁ-ହିନ୍ଦୀ, ହିନ୍ଦୁସ୍ଥାନ କେତେ ବର୍ଷ ପରେ ଇଣ୍ଡୁ, ଇଣ୍ଡି ଓ ଇଣ୍ଡୁସ୍ଥାନ ହୋଇଯିବା ଅସମ୍ଭବ ନୁହେଁ । ଇଂରେଜ ଶାସନରେ ସେମାନଙ୍କ ଦ୍ୱାରା ଭାରତର ସ୍ଥାନ ଓ ଭାରତୀୟଙ୍କ ନାମର ବିକୃତ ଉଚ୍ଚାରଣ ଏବେ ଚଳୁଛି । ସେତେବେଳେ ସଂସ୍କୃତି ବୋଇଲେ Michel Jackson (ମାଇକେଲ୍ ଜ୍ୟାକ୍ସନ) । ଏ ମାଇକେଲ ଜ୍ୟାକ୍ସନ୍ ମୁମ୍ବଇରେ ଗୀତ ଗାଇ ହିନ୍ଦୁ ନେତା ଶିବସେନା ମୁଖ୍ୟ ବାଲଠାକରେଙ୍କ ଦ୍ୱାରା ସମ୍ମାନିତ ହୋଇଥିଲେ । ଏବେ ରାଜନୀତି ବୋଇଲେ କ୍ଲିଣ୍ଟନ ଓ ଅର୍ଥନୀତି ବୋଇଲେ Long live Globalisation ହିଁ କରିବା ।
ଏକବିଂଶ ଶତାବ୍ଦୀରେ ଓଡ଼ିଶାର ଗାଁ, ଭାରତର ଗାଁର ସ୍ୱରୂପ ଏହାହିଁ ହେବାକୁ ଯାଉଛି । ତେବେ ଏହାର ପ୍ରତିକାରରେ ଆମେ କ’ଣ କରିବା । ସୀମିତ କ୍ଷେତ୍ରରେ ହେଲେ ମଧ୍ୟ ଯଦି ଆମେ ପୁଣି ସେଇ ହଳ ଲଙ୍ଗଳ ଆଡକୁ କୁମ୍ଭାରଚକ, କମାରଶାଳ ଆଡକୁ, ଚରଖା ଓ ଶଗଡ ଆଡକୁ, ମାଟିଘର ଓ ସର୍ବୋପରି ମିତବ୍ୟୟୀ ଜୀବନଶୈଳୀ ଆଡକୁ ଯାଇପାରିବା, ଜଳ, ଜମି, ଜଙ୍ଗଲ ଓ ଖଣିଜ ସଂସାଧନ ଗୁଡିକର ଅବାଧ ଅପଚୟକୁ ରୋକି ପାରିବା ତେବେ ହୁଏତ ଅପସଂସ୍କୃତି ଆକ୍ରମଣକୁ ଆମେ ପ୍ରତିହତ କରିପାରିବା । ଏଠାରେ କୁମ୍ଭାରଚକ, କମାରଶାଳ, ଚରଖା, ଶଗଡ, ମାଟିଘର ଆଦିର ଉଲ୍ଲେଖ ମଣିଷର ଜୀବନ ସହିତ ପାରିପାର୍ଶ୍ୱକ ପରିବେଶକୁ ପରାବଲମ୍ବୀ ହେବାକୁ ଦେଉ ନଥିବା ଯୁକ୍ତିଯୁକ୍ତ ପ୍ରଯୁକ୍ତି ବିଦ୍ୟାର ପ୍ରଚଳନ, ଶରୀର ଶ୍ରମର ମହତ୍ତ୍ୱ ପ୍ରତିପାଦନକୁ ହିଁ ବିଶେଷ ରୂପେ ବୁଝାଇବ । ଆମେ ଗାଁର ସାଂସ୍କୃତିକ, ସାମାଜିକ, ରାଜନୈତିକ ଐତିହ୍ୟ ବୋଲି ଯେଉଁସବୁ ପ୍ରବୃତ୍ତିକୁ ନେଇ ଗର୍ବ କରୁଅଛୁ, ନିଜକୁ ଏକ ଜାତି ରୂପେ, ଏକ ପ୍ରାଚୀନ ଉନ୍ନତ ସଭ୍ୟତାର ବଂଶଧର ରୂପେ ସାରା ପୃଥିବୀରେ ପରିଚିତି ପାଉଛୁ, ମଣିଷର ଅନ୍ତର୍ନିହିତ ସୃଜନଶୀଳତାକୁ ସମନ୍ୱିତ ରୂପେ ଆଗେଇ ନେବାରେ ଯେଉଁ ଜ୍ଞାନ ଓ ଯୁକ୍ତିଯୁକ୍ତ ପ୍ରଯୁକ୍ତି ବିଦ୍ୟା ଚେଷ୍ଟିତ ରହି ଆସିଛି, ଏବଂ ହଜାର ହଜାର ବର୍ଷ ଧରି ବହୁ ଉଦାହରଣ ରଖି ଆସିଛି, ସେହି ପ୍ରକ୍ରିୟାଗୁଡିକ ଆମେ ଯଦି ଉନ୍ନତ ରଖିବାକୁ ପୁନଶ୍ଚ ସକ୍ରିୟ କରିପାରିବା ତାହେଲେ ବୋଧହୁଏ ଏକ ସୁସ୍ଥ ଗାଁର ସଂଭାବନା ସୃଷ୍ଟି ହୋଇ ପାରିବ, ଅବକ୍ଷୟକୁ ବାଧା ଦେଇହେବ ।
(“ଏକବିଂଶ ଶତାବ୍ଦୀରେ ଓଡ଼ିଶାର ଗାଁ କିପରି ଦିଶିବ” ଶିର୍ଷକ ବିକଳ୍ପ ସନ୍ଧାନୀ ମଞ୍ଚର ‘ସମୀକ୍ଷା ୨୦୦୧’ ପୁସ୍ତକଟିରେ ପ୍ରକାଶିତ)
Comments
0 comments