ଦୀର୍ଘ ୨୮ବର୍ଷ ପରେ ଜୁଲାଇ ୧୫ ଓ ୧୬,୨୦୨୪ ଦୁଇ ଦିନ ଧରି ଭାରତରେ ମାନବିକ ଅଧିକାର ସ୍ଥିତିକୁ ନେଇ ସଂଯୁକ୍ତ ରାଷ୍ଟ୍ରର ମାନବିକ ଅଧିକାର ଆୟୋଗ (UNHRC)ଙ୍କ ଦ୍ୱାରା ସମୀକ୍ଷା ଚାଲିଛି । ଏହି ସମୀକ୍ଷାର ମୂଳଭିତ୍ତି ହେଉଛି ଦେଶ ଭିତରେ ମାନବିକ ଅଧିକାର ସ୍ଥିତିକୁ ନେଇ ଭାରତ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଏକ ରିପୋର୍ଟ । ସରକାରଙ୍କ ରିପୋର୍ଟରେ କେତେ ସତ୍ୟତା ଅଛି ଓ କେତେ ବାସ୍ତବତାର ପ୍ରତିଛବି ଅଛି ତାହା ଏକ ପ୍ରଶ୍ନବାଚୀ । ତେବେ ସଂଯୁକ୍ତ ରାଷ୍ଟ୍ରର ମାନବିକ ଅଧିକାର ଆୟୋଗ ଏହି ରିପୋର୍ଟର ସଠିକ୍ ସମୀକ୍ଷାକରି ଉଚିତ୍ ପଦକ୍ଷେପ ନେବାପାଇଁ ପରାମର୍ଶ ଦେବା କ୍ଷେତ୍ରରେ ନିଜେ ଉପଯୁକ୍ତ ସ୍ଥିତିରେ ଅଛନ୍ତି କି ନାହିଁ ତାହା ମଧ୍ୟ ଏକ ପ୍ରଶ୍ନବାଚୀ । ଅର୍ଥନୈତିକ ସଂସ୍କାରଯୁଗ (୧୯୯୦ ଦଶକ) ଆରମ୍ଭ ହେବା ପରଠାରୁ ଆର୍ଥିକ ପୁଞ୍ଜି (ସାଧାରଣ ଲୋକଙ୍କ ଭାଷାରେ ଟଙ୍କାର ଖେଳ) ଯେଉଁଭଳି ଭାବେ ଗଣତନ୍ତ୍ରର ସମସ୍ତ ଅନୁଷ୍ଠାନଗୁଡ଼ିକୁ ନିଜ କବଳକୁ ନେଇ ଚାଲିଛି, ସଂଯୁକ୍ତ ରାଷ୍ଟ୍ର ସଂସ୍ଥା ବା ଅନ୍ତରାଷ୍ଟ୍ରୀୟ ସଂସ୍ଥାମାନେ ସେଥିରୁ ବାଦ୍ ବା ପଡ଼ିବେ କେମିତି! ମାନବିକ ଅଧିକାର ସଂସ୍ଥାଗୁଡ଼ିକର ଦାନ୍ତ ନଥାଏ, ଅର୍ଥାତ୍ ମାନବିକ ଅଧିକାର ଉଲଙ୍ଘନ କୌଣସି ରାଷ୍ଟ୍ର ବା ରାଷ୍ଟ୍ରର କୌଣସି ବର୍ଗ କଲେ ବି ଏମାନେ ଦଣ୍ଡବିଧାନ କରିବାର କ୍ଷମତା ପାଇନଥାନ୍ତି । ତଥାପି ଯଦି ସେମାନେ ନିଷ୍ଠାପର ଭାବେ ନିଜର କାମ କରନ୍ତି, ସାମାଜିକ ସ୍ତରରେ ରାଷ୍ଟ୍ର ଉପରେ ଚାପ ସୃଷ୍ଟି କରିବା ପାଇଁ ସେମାନଙ୍କର ସମୀକ୍ଷା ଓ ପରାମର୍ଶ ଜନଗଣଙ୍କ ଦ୍ୱାରା କାମରେ ଲଗାଯାଇ ପାରନ୍ତା । କିନ୍ତୁ ସେହିତକ କଥା ବି ଦେଖିବାକୁ ମିଳୁ ନାହିଁ । ଆମ ଦେଶର ରାଷ୍ଟ୍ରୀୟ ମାନବ ଅଧିକାର ଆୟୋଗ ଓ ଏହାର ଅଧ୍ୟକ୍ଷଙ୍କ ପୃଷ୍ଠଭୂମିକୁ ଅନୁଧ୍ୟାନ କଲେ ଏଭଳି ସଂସ୍ଥାଗୁଡ଼ିକ କେଉଁ ପ୍ରକାର କାମ କରୁଥିବେ ବା କରିବାରେ ସକ୍ଷମ ହେଉଥିବେ; ସ୍ପଷ୍ଟ ଜଣା ପଡ଼ିଯିବ । ତେବେ ଜଣେ ଆଦିବାସୀ ସମ୍ପ୍ରଦାୟର ବ୍ୟକ୍ତି ଆଜି ରାଷ୍ଟ୍ରର ମୁଖ୍ୟ ଥିବାବେଳେ, ଆମ ରାଷ୍ଟ୍ରରେ ମାନବିକ ଅଧିକାର ସ୍ଥିତି କ’ଣ ଅଛି ଜାଣିବାପାଇଁ ଆଗ୍ରହ ଆସିବା ସ୍ୱାଭାବିକ । ସରକାର ବିଶେଷକରି ଆମ ରାଷ୍ଟ୍ରପତି ଆସୁଥିବା ସମ୍ବିଧାନର ପଞ୍ଚମ ଅନୁଚ୍ଛେଦ ଅଞ୍ଚଳରେ ଏବଂ ଆଦିବାସୀମାନେ ବସବାସ କରୁଥିବା ଅଞ୍ଚଳ ଗୁଡ଼ିକରେ ମାନବିକ ଅଧିକାର ସ୍ଥିତି କିପରି ଅଛି ଏକ ସଂକ୍ଷିପ୍ତ ଆଲୋଚନା ହେବା ଜରୁରୀ ।
ସବୁଠାରୁ କୌତୁହଳର କଥା ହେଲା ଯେ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ମାନବିକ ଅଧିକାରକୁ ନେଇ ଯେତେସବୁ ବୁଝାମଣା ଅବା ରାଜିନାମା ବା ଘୋଷଣାନାମା ସ୍ୱାକ୍ଷରିତ ହେଉଛି, ସବୁଥିରେ ଯେ ଭାରତ ନିଜର ସ୍ୱୀକୃତି ଦେଇଛି ତାହା ନୁହଁ; କେତେକ ଗୁରୁତ୍ୱପୂର୍ଣ୍ଣ ବୁଝାମଣାରେ ମଧ୍ୟ ଭାରତ ଦସ୍ତଖତ କରିନାହିଁ । ସେହି ଭିତରେ ପ୍ରମୁଖ ପ୍ରସଙ୍ଗଟି ରହିଛି ଆଦିବାସୀ ଓ ଜନଜାତିମାନଙ୍କୁ ନେଇ ଅନ୍ତଃରାଷ୍ଟ୍ରୀୟ ଶ୍ରମ ସଙ୍ଗଠନ ଦ୍ୱାରା ୧୯୮୯ ମସିହାରେ ଆୟୋଜିତ ସମ୍ମିଳନୀ ଓ ଘୋଷଣାନାମା । ଭାରତ ସରକାରଙ୍କ ମତରେ ଭାରତରେ ସମସ୍ତେ ସ୍ୱଦେଶୀ (Indigenous) ବା ନିଜ ଦେଶରେ ଜନ୍ମିତ । ସେହି ଦୃଷ୍ଟିରୁ ଏଠି କେବଳ ଆଦିବାସୀ ସ୍ୱଦେଶୀ ଏବଂ ଅନ୍ୟମାନେ ବହିରାଗତ, ଏହି କଥାଟିକୁ ଭାରତ ସରକାରଙ୍କର ଉଚ୍ଚବୁଦ୍ଧିର କୂଟନୀତିଜ୍ଞମାନେ ଗ୍ରହଣ କରିବାପାଇଁ ପ୍ରସ୍ତୁତ ନାହାନ୍ତି । ସେଥିପାଇଁ ଦକ୍ଷିଣ ଆମେରିକା ଓ ଅନ୍ୟ କେତେକ କ୍ଷେତ୍ରରେ ଆଦିବାସୀ ତଥା ଜନଜାତିମାନଙ୍କର ସୁରକ୍ଷା ପାଇଁ ୧୯୮୯ ମସିହାର ଏହି ବୁଝାମଣାଟି କାମ କରୁଥିବାବେଳେ ଭାରତର ଆଦିବାସୀ ସମୁଦାୟ ସେହି ସୁରକ୍ଷାବଳୟ ବାହାରେ ରହି ଆସିଛନ୍ତି । ସେହି ଦୃଷ୍ଟିରୁ ଦେଖିଲେ ଭାରତର ଆଦିବାସୀମାନଙ୍କର ସ୍ଥିତି କ’ଣ ଥିବ ଏବଂ ସରକାର ତାକୁ କିଭଳି ଉପସ୍ଥାପନ କରୁଥିବେ ମନରେ କୌତୁହଳ ଆସିବା ଏକ ସ୍ୱାଭାବିକ କଥା । ତେବେ ସରକାରଙ୍କ ରିପୋର୍ଟର କିଛି ଝଲକ ଆଲୋଚନା କରାଯାଇପାରେ ।
ସରକାର ନିଜ ରିପୋର୍ଟରେ ଆଦିବାସୀମାନଙ୍କୁ ସ୍ୱଦେଶୀ ବା Indigenous ନୁହଁନ୍ତି କହିବାବେଳେ ଗୋଟିଏ ତଥ୍ୟ ମଧ୍ୟ ଲୁଚାଇ ରଖିଛନ୍ତି । ସେହି ସତ୍ୟଟି ହେଲା ଯେ ଭାରତରେ ରାଷ୍ଟ୍ରୀୟ ସ୍ତରରେ ଯେଉଁ ପାଞ୍ଚଜଣିଆ ଜାତୀୟ ଜନଜାତି ଆୟୋଗ ରହିଛି ସେଥିରେ ଏଯାଏଁ କେବଳ ଜଣେ ସଦସ୍ୟ କାମ କରୁଛନ୍ତି ଏବଂ ଅନ୍ୟ ୪ଟି ସ୍ଥାନ ଖାଲି ପଡ଼ିଛି । ଯିଏ ଅଧ୍ୟକ୍ଷ ଥିଲେ (ହର୍ଷ ଚୌହ୍ୱାନ) ସେ ମଧ୍ୟ ନିଜ କାର୍ଯ୍ୟକାଳ ସରିବାର ୮ମାସ ପୂର୍ବରୁ ଇସ୍ତଫା ଦେଇ ସାରିଥିଲେ । ଗୋଟିଏ ପଟେ ରାଷ୍ଟ୍ରୀୟସ୍ତରରେ ଜନଜାତି ଆୟୋଗ ନିଷ୍କ୍ରିୟ ଥିବାବେଳେ ପ୍ରାଦେଶିକ ସ୍ତରରେ ଅନ୍ତତଃ ଅନୁସୂଚିତ ଅଞ୍ଚଳଗୁଡ଼ିକ ପାଇଁ ‘ରାଜ୍ୟପାଳ’ ଓ ‘ଆଦିବାସୀ ପରାମର୍ଶଦାତା ପରିଷଦ’ଗୁଡ଼ିକ ନିଜର ସାମ୍ବିଧାନିକ କର୍ତ୍ତବ୍ୟ ପାଳନ କରୁଥିବା କଥା ଜଣାପଡ଼ୁ ନାହିଁ । କେନ୍ଦ୍ରୀୟ ସ୍ତରରେ ଯେଉଁ ସବୁ ନିୟମ ଭାରତର ସଂସଦ ତିଆରି କରେ ବା ରାଜ୍ୟ ବିଧାନସଭାରେ ଆଗତ ହୁଏ, ସେସବୁ ଅନୁସୂଚିତ ଅଞ୍ଚଳଗୁଡ଼ିକ ସମ୍ପ୍ରସାରିତ ହେବ କି ନାହିଁ ବା ଯଦି ହେବ କେଉଁଭଳି ଢାଞ୍ଚାରେ ହେବ, ତାହା ରାଜ୍ୟପାଳ ଏବଂ ଏହି ପରିଷଦ ନିର୍ଣ୍ଣୟ କରିବା କଥା । କିନ୍ତୁ ଅର୍ଥନୈତିକ ସଂସ୍କାର ପର୍ବ ଆରମ୍ଭ ହେବା ପରଠାରୁ ରାଜ୍ୟପାଳ ଏବଂ ଆଦିବାସୀ ପରାମର୍ଶଦାତା ପରିଷଦ କେବଳ କାଗଜ କଲମରେ ତିଷ୍ଠି ରହିଆସିଛନ୍ତି । ଇଂରେଜମାନଙ୍କ ସମୟରୁ ଅନୁସୂଚିତ ଅଞ୍ଚଳ ତଥା ଆଦିବାସୀ ସମୁଦାୟମାନଙ୍କର ଜୀବନ ଜୀବିକା ଓ ସଂସ୍କୃତିର ସୁରକ୍ଷାର ଦାୟିତ୍ୱ ରାଜ୍ୟପାଳଙ୍କ ହାତରେ ରହିଆସିଛି । କିନ୍ତୁ ଆଜିର ସମୟରେ ରାଜ୍ୟପାଳମାନେ କେନ୍ଦ୍ରର ଏକ ପ୍ରତିନିଧି ହିସାବରେ ଏବଂ ରାଜ୍ୟରେ ମନ୍ତ୍ରିମଣ୍ଡଳର ପରାମର୍ଶ ମୁତାବକ କାମ କରୁଛନ୍ତି । ବିଭିନ୍ନ ସମୟରେ ସରକାରଙ୍କର ଉଚ୍ଚପଦସ୍ଥ କମିଟିଗୁଡ଼ିକ ଅନୁସୂଚିତ ଅଞ୍ଚଳରେ ଆଦିବାସୀମାନଙ୍କର ମାନବିକ ଅଧିକାର ଉଲ୍ଲଙ୍ଘନ ବାବଦରେ ରାଜ୍ୟପାଳମାନେ ସମ୍ପୂର୍ଣ୍ଣ ଅଜ୍ଞ ରହୁଥିବା କଥାକୁ ନେଇ ନିଜର ଉଦବେଗ ପ୍ରକାଶ କରିଆସିଛନ୍ତି । ଓଡ଼ିଶାରେ ଏନ୍.ସି ସକ୍ସେନା, ଊଷା ରାମନାଥନ ଇତ୍ୟାଦି ବିଶାରଦମାନଙ୍କର ରିପୋର୍ଟ ଆମେ ଆଲୋଚନା କରିଆସିଛୁ । ଡିସେମ୍ବର ୧୬, ୨୦୦୦ମସିହାରେ ମାଇକଞ୍ଚଠାରେ ୩ଜଣ ଆଦିବାସୀ ପୋଲିସ ଗୁଳିରେ ଟଳିପଡ଼ିବା ପରେ ଜାତୀୟ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି (ସେତେବେଳେ ବିଭାଜିତ ହୋଇନଥିଲା) ଆୟୋଗର ଅଧ୍ୟକ୍ଷ ଦିଲ୍ଲୀପ ସିଂ ଭୂରିଆ ସମ୍ପୃକ୍ତ ଅଞ୍ଚଳ ପରିଦର୍ଶନ କରି ରାଜ୍ୟପାଳ କେମିତି ନିଜର ସାମ୍ବିଧାନିକ ଦାୟିତ୍ୱରେ ବିଫଳ ହୋଇଛନ୍ତି, ସେହିକଥା ନିଜ ସାମ୍ବାଦିକ ସମ୍ମିଳନୀରେ ଉଲ୍ଲେଖ କରିଥିଲେ ଏବଂ ପରେ ନିଜ ରିପୋର୍ଟରେ ମଧ୍ୟ ସ୍ଥାନିତ କରିଥିଲେ । ତେବେ ଆଦିବାସୀମାନଙ୍କ ଭିତରୁ ସଂଖ୍ୟାଧିକ ତଥା ୫୮.୯୬ ପ୍ରତିଶତଙ୍କ ପାଇଁ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା ନାହିଁ । ଓଡ଼ିଶା, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ ଇତ୍ୟାଦି ଯେଉଁ ସବୁ ରାଜ୍ୟରେ ସମ୍ବିଧାନର ଧାରା ୨୪୪ ମୁତାବକ ୫ମ ଅନୁଚ୍ଛେଦ ଅଞ୍ଚଳ ରହିଛି ସେଠି ଆଦିବାସୀଙ୍କ ସଂଖ୍ୟା ସେମାନଙ୍କର ସମୁଦାୟ ଜନସଂଖ୍ୟାର ମାତ୍ର ୩୫.୦୨ ପ୍ରତିଶତ । ଅନେକ ଆଦିବାସୀମାନଙ୍କୁ କୌଣସି ସାମ୍ବିଧାନିକ ସୁରକ୍ଷା ଯୋଗାଇ ଦିଆଯାଇ ପାରୁନାହିଁ । ଏମିତିକି ଝୋଡ଼ିଆ ଆଦିବାସୀ ସମୁଦାୟ ଭଳି କିଛି ଆଦିବାସୀମାନଙ୍କୁ ଆଦିବାସୀ ତାଲିକାରୁ ବାଦ୍ ଦିଆଯାଇଛି । ଅନେକ ପ୍ରତିବାଦ ଓ ଦାବି ଉପସ୍ଥାପନ ସତ୍ତ୍ୱେ ସେମାନଙ୍କୁ ପୁଣିଥରେ ତାଲିକାକୁ ନିଆଯାଉ ନାହିଁ । କିଛି ବର୍ଷଧରି ପୂର୍ବତନ ପ୍ରଶାସକ ଓ ଜଣେ ଦରଦୀ ବିଦ୍ୱାନ ଡ଼ଃ ବି.ଡ଼ି ଶର୍ମାଙ୍କ ଉଦ୍ୟମରେ ସମ୍ବିଧାନର ୫ମ ଅନୁଚ୍ଛେଦ ଅନ୍ତର୍ଗତ ଅଞ୍ଚଳରେ ଲୋକେ ନିଜେ ହିଁ ନିଜର ସରକାର ଓ ସେମାନଙ୍କର ପଲ୍ଲୀସଭା ହିଁ ପ୍ରକୃତ ଆଇନ ପ୍ରଣୟନକାରୀ ବା ଅନୁମୋଦନକାରୀ ସଂସ୍ଥା ହିସାବରେ ମାନ୍ୟତା ଦେବା ପାଇଁ ଦାବି ହୋଇ ଆସୁଥିଲା । ସମ୍ବିଧାନର ୭୩ତମ ସଂଶୋଧନକୁ (୧୯୯୨) ଅନୁସୂଚିତ ଅଞ୍ଚଳକୁ ସମ୍ପ୍ରସାରଣ କରି ପଲ୍ଲୀସଭାକୁ କ୍ଷମତା ପ୍ରଦାନ କରିବା ପାଇଁ ୧୯୯୬ ମସିହାରେ ପେସା ଆଇନ (Panchayat’s Extention To Scheduled Area Act-୧୯୯୬)ପାରିତ ହୋଇଥିଲା । ଏହାର ଦଶବର୍ଷ ପରେ ଅର୍ଥାତ୍ ୨୦୦୬ ମସିହାରେ ଜଙ୍ଗଲ ଅଧିକାର ଆଇନ(ୠଜଇ-୨୦୦୬) ଆସିଥିଲା ଯେଉଁଥିରେ ଏହି ପଲ୍ଲୀସଭାର ଅନୁମୋଦନ ବିନା କୌଣସି ତଥାକଥିତ ଉନ୍ନୟନମୂଳକ କାର୍ଯ୍ୟ ହୋଇପାରିବନି ବୋଲି ମଧ୍ୟ ବ୍ୟବସ୍ଥା ରଖାଯାଇଥିଲା । ନିୟମଗିରିର ଡ଼ଙ୍ଗରିଆ ମାନଙ୍କର ପ୍ରତିବାଦରେ ଏହି ଜଙ୍ଗଲ ଅଧିକାର ଆଇନ ପରୀକ୍ଷିତ ହୋଇଥିଲା । ଏପ୍ରିଲ୍ ୧୮,୨୦୧୩ ମସିହାରେ ଭାରତର ଉଚ୍ଚତମ ନ୍ୟାୟାଳୟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇ କହିଥିଲେ ଯେ ନିୟମଗିରିରେ ବେଦାନ୍ତ କମ୍ପାନୀ ଖଣି ଖୋଳିଲେ ଆଦିବାସୀମାନଙ୍କର କେତୋଟି ଅଧିକାରରେ ଉଲଙ୍ଘନ ହେଉଛି କି ନାହିଁ ସେହି ସମ୍ପର୍କରେ ସେମାନେ ନିଜେ ଗ୍ରାମସଭାରେ ମତ ରଖିବେ ତାହାବି ଜଣେ ବିଚାରପତିଙ୍କ ଉପସ୍ଥିତିରେ । ଡଙ୍ଗରିଆ ଓ ଅନ୍ୟାନ୍ୟ ନିୟମଗିରିର ଅଧିବାସୀମାନେ ଖଣିଖନନ ହେଲେ ସେମାନଙ୍କର ସମସ୍ତ ଅଧିକାର ଉଲ୍ଲଙ୍ଘନ ହେବ ବୋଲି କହି ୧୨ଟି ପଲ୍ଲୀସଭାରେ ସର୍ବସମ୍ମତି କ୍ରମେ ବେଦାନ୍ତର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ । ଅଦାଲତ ଓ ସରକାର ଉଭୟେ ଏହି ମତକୁ ଗ୍ରହଣ କରି ନିୟମଗିରିରେ ବକ୍ସାଇଟ୍ ଖଣି ଖନନ ପାଇଁ ବେଦାନ୍ତକୁ ଦିଆଯାଇଥିବା ଅନୁମତି ପତ୍ରଟିକୁ ପ୍ରତ୍ୟାହାର କରିନେଇଥିଲେ । ତେବେ ନିୟମଗିରି ଏକମାତ୍ର ବ୍ୟତିକ୍ରମ ହୋଇରହିଛି ଏବଂ ବେଦାନ୍ତ ତରଫରୁ ପ୍ରୟାସ ଜାରିରହିଛି କିଭଳି ଡଙ୍ଗରିଆମାନଙ୍କୁ ବିଭାଜିତ କରି ଭବିଷ୍ୟତରେ ଯଦି ପଲ୍ଲୀସଭା ହୁଏ, ନିଜ ସପକ୍ଷରେ ଯେଉଁଭଳି ଜନମତକୁ ନେଇ ଆସିହେବ । ଦକ୍ଷିଣରୁ ଉତ୍ତର ଓ ପଶ୍ଚିମ ଯାଏଁ ଓଡ଼ିଶାର ଅଧିକାଂଶ ଅନୁସୂଚିତ ଅଞ୍ଚଳରେ ବକ୍ସାଇଟ୍, ଲୁହାପଥର ଓ କୋଇଲାଖଣି ଏବଂ କାରଖାନା ପାଇଁ ଜଳଭଣ୍ଡାର ବା ପାଣିର ଉତ୍ସଗୁଡ଼ିକୁ ଖୋଲାଖୋଲି ଖଣିକମ୍ପାନୀମାନେ ଅକ୍ତିଆର କରି ନେଇଚାଲିଛନ୍ତି । ସବୁଠାରେ ଆଦିବାସୀ ସମୁଦାୟ ଭୟଙ୍କର ଭାବେ ପ୍ରଭାବିତ । କୌଣସି ପ୍ରତିବାଦର ମୂଲ୍ୟ ରହୁନାହିଁ । ଦକ୍ଷିଣ ଓଡ଼ିଶାରେ ବେଦାନ୍ତ, ବିର୍ଲା, ଆଦାନୀ ଇତ୍ୟାଦି କମ୍ପାନୀମାନଙ୍କର ପ୍ରକୋପ ଏତେବେଶୀ ଯେ ସେଠି ଆଦିବାସୀମାନଙ୍କ ଉପରେ ଅତ୍ୟାଚାର ଓ ମିଛ ମକଦ୍ଦମା ଦିନକୁ ଦିନ ଅଧିକରୁ ଅଧିକ ବଢ଼ିଚାଲିଛି । ରାଜନେତା, ପୋଲିସ, ପ୍ରଶାସନ ଏବଂ ଏମିତିକି ଗଣମାଧ୍ୟମ କେହି ଆଦିବାସୀମାନଙ୍କ ପଛରେ ନାହାନ୍ତି । ଯେଉଁମାନେ ସେମାନଙ୍କପାଇଁ ସ୍ୱର ଉତ୍ତୋଳନ କରୁଛନ୍ତି ସେମାନେ ମଧ୍ୟ ଏମାନଙ୍କର ଅକ୍ରୋଶର ଶିକାର ହେଉଛନ୍ତି । ସରକାର କେବେ ନିଜ ରିପୋର୍ଟରେ ଏମାନଙ୍କ ମାନବିକ ଅଧିକାର ଉଲ୍ଲଙ୍ଘନ କଥା ସ୍ଥାନଦେବାରେ ପ୍ରଶ୍ନ ଉଠୁନାହିଁ । ଅନ୍ୟପଟେ କେଉଁଠି ପିପଳପଙ୍କା ଭଳି ଆଦିବାସୀଙ୍କ ସ୍ଥାନରେ ଜଳଭଣ୍ଡାର ନିର୍ମାଣ ତ ଅନ୍ୟ କେଉଁଠି ବ୍ୟାଘ୍ର ସଂରକ୍ଷଣ ଓ ଅଭୟାରଣ୍ୟ ପ୍ରକଳ୍ପ ନାମରେ ଆଦିବାସୀମାନଙ୍କର ବିସ୍ଥାପନର ନକ୍ସା ନିର୍ମାଣ ଚାଲିଛି । ଶିମିଳିପାଳ ଭଳି ଜଙ୍ଗଲ ଏବେ ଆଦିବାସୀଶୂନ୍ୟ । ସରକାର ଲୋକଙ୍କୁ ଭଲରେ ଥଇଥାନ କରି ସେମାନଙ୍କର ହଜି ଯାଇଥିବା ଜୀବିକାର ପୁନଃଥଇଥାନ କରିବାର କଥା କେବଳ ସରକାରୀ ଦସ୍ତାବିଜ୍ ରେ ସୀମିତ । କୌଣସି ଆଖିଦୃଷ୍ଟିଆ ଉଦାହରଣ କେଉଁଠିି ଖୋଜିଲେ ବି ଆମକୁ ମିଳିବ ନାହିଁ । ପୁଣି ଖଣି ଅଞ୍ଚଳ ବା ପ୍ରସ୍ତାବିତ ଖଣି ଅଞ୍ଚଳରେ ଆଦିବାସୀମାନଙ୍କୁ ମାଓବାଦୀ ଦମନ ନାଁରେ ରାଷ୍ଟ୍ରର ହିଂସାର ମଧ୍ୟ ଶିକାର ହେଉଥିବା ଘଟଣା ପ୍ରାୟ ଅଧିକାଂଶ ଅନୁସୂଚିତ ଅଞ୍ଚଳରୁ ଆମକୁ ମିଳିବ ।
ଭାରତ ସରକାର କ’ଣ ସବୁ ସତକଥା ନିଜ ରିପୋର୍ଟରେ ଦେଇଥିବେ? ସଂଯୁକ୍ତ ରାଷ୍ଟ୍ରର ମାନବିକ ଅଧିକାର ଆୟୋଗ କ’ଣ ଅତିରିକ୍ତ ଉଦ୍ୟମ କରି ରିପୋର୍ଟ ବାହାରର ବାସ୍ତବତାକୁ ଦେଖିବା ପାଇଁ ପ୍ରୟାସ କରିବେ? ଆମର ଆଦିବାସୀ ରାଷ୍ଟ୍ରପତି ନିଜେ କେବେ ସମସ୍ତ ଅନୁସୂଚିତ ଅଞ୍ଚଳର ଆଦିବାସୀ ସମୁଦାୟ ସାମ୍ନା କରୁଥିବା ହିଂସା, ଅନ୍ୟାୟ, ଅବିଚାର ତଥା ଦମନର ବିବରଣୀଗୁଡ଼ିକ ସଂଗ୍ରହ କରିବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇପାରିବେ? ଏହି ଭିତରୁ କେଉଁ ଗୋଟିଏ କଥାବି ସମ୍ଭବ ହୋଇପାରିବ ମନେ ହୁଏ ନାହିଁ । ଏଭଳି ଏକ ପରିସ୍ଥିତିରେ ଭାରତର ମାନବିକ ଅଧିକାରର ସ୍ଥିତିକୁ ଉଚିତ୍ ରୂପେ ସମୀକ୍ଷା କରିବା କୌଣସି ସଂଯୁକ୍ତ ରାଷ୍ଟ୍ର ସଂସ୍ଥାପାଇଁ ସହଜ ହେବ ନାହିଁ ।
Comments
0 comments