ଏପରି ଜଣେ ବିଚାରପତି ! ଓ. ଚିନ୍ନପ୍ପା ରେଡ୍ଡୀ

ବିବିଧତାର ସମ୍ମିଶ୍ରିତ ରୂପ ଭାରତର ସୌନ୍ଦର୍ଯ୍ୟ । ବିଭିନ୍ନ ଭାଷାଭାଷୀଙ୍କର ସମାଜ, ବିଭିନ୍ନ ଧର୍ମାବଲମ୍ବୀଙ୍କ ସମାଜ, ବିଭିନ୍ନ ଜାତି, ଉପଜାତିର ସମାଜ ହେଉଛି ଭାରତ । ତେଣୁ ଭାରତର ବିଭିନ୍ନ ସାମ୍ବିଧାନିକ ଅନୁଷ୍ଠାନରେ, ସରକାରୀ ବିଭାଗରେ ଏହି ବିବିଧତା ପ୍ରତିଫଳିତ ହେବାର ଔଚିତ୍ୟକୁ ଗୁରୁତ୍ୱ ଦେଉଥିଲେ ଆମରାଷ୍ଟ୍ରର ନିର୍ମାତାମାନେ । ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ ପ୍ରାଦେଶିକ ସରକାରଙ୍କ ମୁଖ୍ୟମନ୍ତ୍ରୀମାନଙ୍କୁ ବାରମ୍ବାର ଏହା ମନେ ପକାଇ ଦେଉଥିଲେ ଓ ୨୦ ସେପ୍ଟେମ୍ବର ୧୯୫୩ ଦିନ ଏକ ପତ୍ରରେ ଲେଖିଥିଲେ(ପୃ ୬୩-୬୪), “ଆମକୁ ସବୁବେଳେ ମନେ ରଖିବାକୁ ହେବ ଯେ ଭାରତ ଏକ ସମ୍ମିଶ୍ରିତ(composite) ଦେଶ, ବହୁ ଦିଗରୁ ସମ୍ମିଶ୍ରିତ, ଧର୍ମରେ, ପ୍ରଥାରେ, ଭାଷାରେ, ଜୀବନ ନିର୍ବାହ ପଦ୍ଧତିର, ଇତ୍ୟାଦି ।” ଓ ଉଦ୍‌ବେଗ ପ୍ରକାଶ କରୁଥିଲେ ୨୬ ଏପ୍ରିଲ ୧୯୫୪ ଦିନ ଲିଖିତ ଆଉ ଏକ ପତ୍ରରେ, ସଂଖ୍ୟାଲଘୁଙ୍କର ବିଭିନ୍ନ ସରକାରୀ ବିଭାଗରେ ପ୍ରତିନିଧିତ୍ୱରେ ସ୍ୱଳ୍ପତାକୁ ନେଇ(ପୃ ୭୦), “ସେମାନେ ଅନୁଭବ କରୁଛନ୍ତି ଯେ ଚାକିରି ତାହା ସୈନ୍ୟବାହିନୀରେ ହେଉ, ପୁଲିସ ସେବାରେ ହେଉ ବା ନାଗରିକ ସେବାରେ ହେଉ, ସେମାନଙ୍କ ପାଇଁ ପ୍ରକୃତରେ ସେପରି ପରିମାଣରେ ଉନ୍ମୁକ୍ତ ନୁହେଁ ।” ସୁପ୍ରିମକୋର୍ଟର ବିଚାରପତି ଚୟନରେ ମଧ୍ୟ ଏହି ବିବିଧତାର ସମ୍ମିଶ୍ରିତ ରୂପକୁ ଦୃଷ୍ଟିରେ ରଖାଯାଉଥିଲା । ଏପରି ମଧ୍ୟ ଦୃଷ୍ଟି ଦିଆ ଯାଉଥିଲା ଯେପରିକି ଯେକୌଣସି ସମୟରେ ପ୍ରତ୍ୟେକ ଧର୍ମରୁ ଜଣେ ବିଚାରପତି ସୁପ୍ରିମକୋର୍ଟର ସଦସ୍ୟ ହେଉଥିବେ । ହୋଇପାରେ କୌଣସି ନିର୍ଦ୍ଦିଷ୍ଟ ଧର୍ମରୁ ବେଶୀସଂଖ୍ୟକ ବିଚାରପତି ଥାଇପାରନ୍ତି ବା ବେଳେବେଳେ ସଂଖ୍ୟାଲଘୁ ସମ୍ପ୍ରଦାୟରୁ ଖାଲି ପଡିଥିବା ବିଚାରପତି ପଦବୀ ପୂରଣରେ ବିଳମ୍ବ ହୋଇଥାଇପାରେ, କିନ୍ତୁ ଲକ୍ଷ୍ୟ ଥାଏ ଯେତେ ସମ୍ଭବ ସବୁ ଧର୍ମରୁ ଯେପରି ବିଚାରପତିଙ୍କ ଚୟନ ହୁଏ(ପୃ ୩୫୦-୫୧) ।

ଏକ ବ୍ୟତିକ୍ରମ

ଯେତେବେଳେ ୧୯ଫେବୃଆରୀ ୧୯୭୮ରେ ୱାଇ ଭି ଚନ୍ଦ୍ରଚୂଡ (ବର୍ତ୍ତମାନ ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡଙ୍କ ପିତା) ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ହେଲେ, ସେତେବେଳେ ତାଙ୍କୁ ପ୍ରଥମେ ଯେଉଁ ତିନି ଜଣ ନୂତନ ବିଚାରପତିଙ୍କୁ ୧୭ ଜୁଲାଇ ୧୯୭୮ ଦିନ ଶପଥ ଦିଆଇଥିଲେ ସେମାନଙ୍କ ମଧ୍ୟରେ ଥିଲେ ଓ ଚିନ୍ନପା ରେଡ୍ଡୀ । ଚନ୍ଦ୍ରଚୂଡ଼ ଭାବିଥିଲେ ଯେ ଚିନ୍ନପ୍ପା ରେଡ୍ଡୀ ହେଉଛନ୍ତି ଖ୍ରୀଷ୍ଟିଆନ ତେଣୁ ତାଙ୍କର ଚୟନ ଦ୍ୱାରା ଦୁଇ ବର୍ଷ ଧରି ଖ୍ରୀଷ୍ଟିଆନ ବିଚାରପତି କେ କେ ମାଥିୟୁ (୪ ଅକ୍ଟୋବର ୧୯୭୧ ରୁ ୩ ଜାନୁଆରୀ ୧୯୭୬)ଙ୍କ ଅବସର ପରେ ଖାଲି ପଡିଥିବା ପଦବୀଟି ଜଣେ ଖ୍ରୀଷ୍ଟିଆନ ବିଚାରପତିଙ୍କ ଦ୍ୱାରା ପୂରଣ ହେବ । କିନ୍ତୁ ଚିନ୍ନପା ରେଡ୍ଡୀ ଦିଲ୍ଲୀରେ ପହଂଚିଲା ପରେ ଚନ୍ଦ୍ରଚୂଡ଼ ଜାଣିଲେ୨(ପୃ ୨୫୮) ଯେ ଯଦିଓ ଚିନ୍ନପ୍ପା ରେଡ୍ଡୀ ଖ୍ରୀଷ୍ଟିଆନ ପରିବାରରେ ଜନ୍ମ ନେଇଛନ୍ତି ସେ ନିଜେ ଅବିଜ୍ଞେୟାବାଦ (agnosticism)କୁ ଗ୍ରହଣ କରିଛନ୍ତି । ଚିନ୍ନପ୍ପା ରେଡ୍ଡୀ, ତାଙ୍କ ନିଜ ଧର୍ମ ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେଇ George H Gadbois,Jr.ଙ୍କୁ ଏକ ପତ୍ରରେ ଲେଖିଥିଲେ(ପୃ ୨୬୯-୭୦), “ମୁଁ କୌଣସି ଧର୍ମକୁ ସ୍ୱୀକାର କରେ ନାହିଁ ଏବଂ ପାଳନ କରେ ନାହିଁ, ମୋ ସ୍ତ୍ରୀ କରନ୍ତି ନାହିଁ ଏବଂ ମୋ ପିଲାମାନେ କରନ୍ତି ନାହିଁ …..ମୁଁ କୌଣସି ଧର୍ମ ବା ସମ୍ପ୍ରଦାୟର ସଭ୍ୟ ଭାବେ ଶ୍ରେଣୀଭୁକ୍ତ ହେବାକୁ ଅସ୍ୱୀକାର କରେ । ମୁଁ ଏକ ମନୁଷ୍ୟ ଏବଂ ଭାରତୀୟ ହୋଇ ରହିବା ପାଇଁ ଚାହେଁ । ମୁଁ ବର୍ତ୍ତମାନ ଅପମାନିତ ବୋଧ କରିବି ଯଦି ତୁମେ ମୋତେ ହିନ୍ଦୁ ବା ଖ୍ରୀଷ୍ଟିଆନ ବା କୌଣସି ଜାତିର ସଭ୍ୟ ବୋଲି ସମ୍ବୋଧନ କରିବ ।” ଧର୍ମସମ୍ବନ୍ଧରେ ଚିନ୍ନପ୍ପା ରେଡ୍ଡୀଙ୍କର ମତ ସ୍ପଷ୍ଟ ହୁଏ ଯେତେବେଳେ ସେ ଏକ ମାମଲାର ରାୟରେ ଲେଖନ୍ତି୩ “ଶାନ୍ତିର ବେଦୀରେ ଏକ ପୂଜକ ଭାବେ କୌଣସି ଧର୍ମ ସହ, ଯାହା କାଳକାଳରୁ ଯୁଦ୍ଧକୁ ଯଥାର୍ଥ ବୋଲି ସାବ୍ୟସ୍ତ କରି ଆସିଛି ଯାହାକୁ ଧର୍ମ ଯୁଦ୍ଧ, ଜିହାଦ ବା କ୍ରୁସେଡ ବୋଲି କୁହାଯାଏ, ତାହା ସହିତ କୌଣସି ବୁଝାମଣା କରିବା ମୋ ପାଇଁ କଷ୍ଟକର ଅଟେ । ମୁଁ ବିଶ୍ୱାସ କରେ ଯେ ଧର୍ମ ସହ ମିଶ୍ରଣ ଦ୍ୱାରା ନୈତିକତା ହରାଇଛି ତାହାର ଅନେକ ବିନ୍ଦୁ, ଅନେକ ଉଦେ୍ଦଶ୍ୟ, ଏବଂ ଏକ ବଡ଼ ଅଂଶରେ ଏହାର ସ୍ୱତଃସ୍ଫୁର୍ତ୍ତତା(spontaneity) । ମୁଁ ବୋଧହୁଏ ସେହିମାନଙ୍କର ବିଚାରକୁ ଗ୍ରହଣ କରୁଛିି ଯେଉଁମାନଙ୍କର ଧର୍ମରେ ନା ଆସ୍ଥା ଅଛି ନା ବିଶ୍ୱାସ, ଏବଂ ଯେଉଁମାନେ ଧର୍ମକୁ ପୂର୍ଣ୍ଣତଃ ଅବୈଜ୍ଞାନିକ ଏବଂ ଅଯୌକ୍ତିକ ବୋଲି ବିଚାର କରନ୍ତି । ପ୍ରାର୍ଥନା ଆବୃତ୍ତି କରିବା ମୋର ମନେହୁଏ କେବଳ ମାତ୍ର ଅନ୍ଧରାଷ୍ଟ୍ରୀୟତା(jingoism) ଏବଂ ଧର୍ମିୟ କର୍ମକାଣ୍ଡର ପାଳନ, ସିଧାସଳଖ ଅନ୍ଧବିଶ୍ୱାସ । କିନ୍ତୁ ମୋର ଧର୍ମ ସମ୍ପର୍କରେ ମତ, ମୋର ପୂର୍ବାଗ୍ରହ (prejudices) ଏବଂ ପୂର୍ବାଭିରୁଚି (predilections), ଯଦି ସେପରି ହୁଏ, ତାହା ପୂର୍ଣ୍ଣତଃ ଅପ୍ରାସଙ୍ଗିକ । ସେହିଭଳି(ଅପ୍ରାସଂଗିକ)ହେଉଛି ସହଜବିଶ୍ୱାସୀ (credulous), ଅନ୍ଧବିଶ୍ୱାସୀ(fanatic), ଧର୍ମାନ୍ଧ(bigot) ଏବଂ କଠୋରପନ୍ଥୀ(zealot)ଙ୍କ ମତ । ସେହିଭଳି ମଧ୍ୟ (ଅପ୍ରାସଂଗିକ) ହେଉଛି ବିଶ୍ୱାସୀ(faithful), ଭକ୍ତ(devout), ଆଚାର୍ଯ୍ୟ, ମୌଲବୀ, ପାଦ୍ରୀ ଏବଂ ଭିକ୍ଷୁଙ୍କ ମତ ଯେଉଁମାନେ ଦାବି କରନ୍ତି ଯେ ସେ ମାନୁ ଥିବା ଧର୍ମ ହିଁ କେବଳ ପ୍ରକୃତ ଧର୍ମ ।”

ରବିନହୁଡ ଓକିଲ

ଆନ୍ଧ୍ରପ୍ରଦେଶର କର୍ଣ୍ଣୁଲ ଜିଲ୍ଲାରେ ୨୫ସେପ୍ଟେମ୍ବର ୧୯୨୨ ଦିନ ଏକ ଖ୍ରୀଷ୍ଟିଆନ ପରିବାରରେ ଜନ୍ମିତ ଚିନ୍ନପ୍ପା ରେଡ୍ଡୀ ମାଡ୍ରାସ ଲୟଲା କଲେଜରୁ ୧୯୪୧ ମସିହାରେ ଗଣିତରେ ଏମ୍.ଏ. ପାସ କରିବା ପରେ ୧୯୪୩ ମସିହାରେ ମାଡ୍ରାସ ଲ’ କଲେଜରୁ ବି ଏଲ୍ ପାସ କଲେ ଓ ୨୧ ଅଗଷ୍ଟ ୧୯୪୪ରେ ମାଡ୍ରାସ ହାଇକୋର୍ଟରେ ଓକିଲାତି ଆରମ୍ଭ କରିଥିଲେ । ୧୯୫୪ ମସିହାରେ ଆନ୍ଧ୍ରପ୍ରଦେଶ ଗଠନ ହେବା ପରେ ଚିନ୍ନପ୍ପା ରେଡ୍ଡୀ ଆନ୍ଧ୍ରପ୍ରଦେଶକୁ ତାଙ୍କର ଓକିଲାତି ପେଶାକୁ ଉଠାଇ ଆଣିଲେ । ତାଙ୍କ ଓକିଲାତି ପେଶା ସମ୍ପର୍କରେ George H Gadbois,Jr କୁହନ୍ତି(ପୃ ୨୭୦), “ଏକ ଆଧୁନିକ ସମୟର ରବିନହୁଡ, ଧନୀ ମହକିଲଙ୍କଠାରୁ ଯାହା ରୋଜଗାର କରୁଥିଲେ, ତାହାକୁ ଗରିବଙ୍କ ସପକ୍ଷରେ ଲଢ଼ିବା ପାଇଁ ଖର୍ଚ୍ଚ କରୁଥିଲେ ।” ଉଲ୍ଲେଖଯୋଗ୍ୟ ଯେ ସୁପ୍ରିମକୋର୍ଟରେ ସେ ପ୍ରଥମ ସ୍ୱଘୋଷିତ ମାର୍କସ୍ ବାଦୀ ବିଚାରପତି ଥିଲେ । କିନ୍ତୁ ଏହା ପୂର୍ବରୁ ସେ ଜଣାଶୁଣା ମାର୍କସ୍ ବାଦୀ ଓକିଲ ହୋଇଥିଲେ ହେଁ ଆନ୍ଧ୍ରପ୍ରଦେଶ ସରକାର ତାଙ୍କୁ ସରକାରୀ ଓକିଲ ଭାବରେ ନିଯୁକ୍ତି ଦେବାରେ କୁଣ୍ଠିତ ହୋଇନଥିଲେ । କାରଣ, ତାଙ୍କ ଭାଷାରେ(ପୃ୨୭୦, ପାଦଟୀକା ୩୦), “ମୁଁ ଜଣେ ଆଗଧାଡ଼ିର ଫୌଜଦାରୀ ଓକିଲ (criminal lawyer)ଥିଲି, ଜାଣିଥିଲି ପୁଲିସର କରସାଦି, ଏବଂ ପ୍ରତିବାଦୀ ସମର୍ଥନରେ (pro-defendant)ବେଶୀ ଥିଲି, ବାଦୀ ପକ୍ଷ (pro-prosecution) ଅପେକ୍ଷା ।” ଏହି ଦାୟିତ୍ୱ ସେ ନିର୍ବାହ କରିଥିଲେ ୨୧ଜୁନ ୧୯୬୦ରୁ ୨୧ ଅଗଷ୍ଟ ୧୯୬୭ ଦିନ ଆନ୍ଧ୍ର ପ୍ରଦେଶ ହାଇକୋର୍ଟରେ ଅତିରିକ୍ତ ବିଚାରପତିଭାବେ ନିଯୁକ୍ତି ପାଇବା ପର୍ଯ୍ୟନ୍ତ । ୨୮ଜୁନ ୧୯୭୬ ଦିନ ତାଙ୍କର ପଂଜାବ-ହରିୟାନା ହାଇକୋର୍ଟକୁ ବଦଳି ହେଲା -କୁହାଯାଏ ଏହା ଜରୁରୀକାଳୀନ ପରିସ୍ଥିତି ସମୟରେ ଶାସ୍ତିମୂଳକ ଭାବେ (punitively)ହୋଇଥିଲା । ସୁପ୍ରିମକୋର୍ଟର ବିଚାରପତି ବି ସୁଦର୍ଶନ ରେଡ୍ଡୀ ଏହି ବଦଳି ଘଟଣାକୁ ସ୍ମରଣ କରି ୨୨ଅକ୍ଟୋବର ୨୦୨୨ ଦିନ ଚିନ୍ନପ୍ପା ରେଡ୍ଡୀ ସ୍ମାରକୀ ବକ୍ତୃତାଦେଇ କୁହନ୍ତି ୪, “ଆମେ ଖୁବ ହତାଶ ହୋଇ ପଡିଥିଲୁ ଯେତେବେଳେ ତତ୍କାଳୀନ ଶାସନ ତାଙ୍କୁ ଅବାଧ୍ୟ ଓ ଅସୁବିଧାଜନକ(defiant and difficult) ବୋଲି ବିଚାର କଲା ଏବଂ ତାଙ୍କର ଆଉ ଏକ ହାଇକୋର୍ଟକୁ ବଦଳି ହୋଇଗଲା ।”

କିନ୍ତୁ ପଂଜାବ-ହରିଆନା ହାଇକୋର୍ଟରେ ସେ ହୋଇ ଉଠିଥିଲେ ସମସ୍ତ ଓକିଲ ସମ୍ପ୍ରଦାୟ ପାଇଁ ପ୍ରଶଂସାର ପାତ୍ର । କାରଣ ସେ ବାର ଆସୋସିଏସନର ସଭାପତିଙ୍କ ହାଜତ ମୃତ୍ୟୁ ଉପରେ ଏକ court reference ଚାହିଁଲେ, ଯେଉଁଠାରେ ନ୍ୟାୟାଳୟର ବିଚାରପତି ଓ ଓକିଲମାନେ ସମବେତ ହୋଇ ମୃତ ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥାନ୍ତି । କିନ୍ତୁ ଏପରି ଅୟୋଜନ ତତ୍କାଳୀନ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ହରିଆନାନିବାସୀ ବଂଶୀଲାଲଙ୍କ ରୋଷର ଶିକାର ହୋଇପାରେ ବୋଲି ଆଳ ଦେଖାଇ ତାଙ୍କର ସହଯୋଗୀ ବିଚାରପତିଗଣ ଏଥିରେ ସାମିଲ ହେବା ଚାହିଁଲେ ନାହିଁ । ଏହା ସତ୍ତ୍ୱେ ଚିନ୍ନପ୍ପା ରେଡ୍ଡୀ ଏହି ସଭା କରାଇଥିଲେ ଓ ଓକିଲ ମହଲରେ ହିରୋ ହୋଇଯାଇଥିଲେ୨(ପୃ ୨୭୦, ପାଦଟୀକା ୩୧) । ଏହାପରେ ସେ ଫେରିଥିଲେ ଆନ୍ଧ୍ରପ୍ରଦେଶ ହାଇକୋର୍ଟକୁ , ୯ ସେପ୍ଟେମ୍ବର ୧୯୭୭ରେ ଓ ଏହିଠାରୁ ସେ ଉତ୍ତୀର୍ଣ୍ଣ ହୋଇଥିଲେ ସୁପ୍ରିମକୋର୍ଟକୁ ଓ ବିଚାରପତି ଭାବେ ଶପଥ ନେଇଥିଲେ ୧୭ ଜୁଲାଇ ୧୯୭୮ ଦିନ । ୯ବର୍ଷ ସେ ସୁପ୍ରିମକୋର୍ଟର ବିଚାରପତି ଭାବେ ଦାୟିତ୍ୱ ନିର୍ବାହ କରିବାପରେ ୨୫ସେପ୍ଟେମ୍ବର ୧୯୮୭ରେ ଅବସର ନେଇଥିଲେ(ପୃ ୨୭୧) ।

ସହିଷ୍ଣୁତାର ଶିକ୍ଷା

ଅବସର ନେବାର ବର୍ଷକ ପୂର୍ବରୁ ଏକ ମାମଲାରେ୫ ସେ ତାଙ୍କ ରାୟର ଶେଷ ଧାଡିରେ ଲେଖିଥିଲେ “ଆମର ଐତିହ୍ୟ ସହିଷ୍ଣୁତାର ଶିକ୍ଷା ଦିଏ, ଆମର ଦର୍ଶନ ସହିଷ୍ଣୁତାର ପ୍ରଚାର କରେ, ଆମର ସମ୍ବିଧାନ ସହିଷ୍ଣୁତାର ଅଭ୍ୟାସ କରେ, ଏହାକୁ ପାଣିଚିଆ କରା ନଯାଉ ।” ( “Our tradition teaches tolerance; our philosophy preaches tolerance; our Constitution practices tolerance; let us not dilute it.”) ମାମଲାଟି ପ୍ରଣିଧାନଯୋଗ୍ୟ ।

ମାମଲା ଦାଏର କରିଥିଲେ କେରଳର ଏକ ବିଦ୍ୟାଳୟର ତିନୋଟି ଛାତ୍ରୀ । ସେମାନଙ୍କୁ ବିଦ୍ୟାଳୟ କର୍ତ୍ତୃପକ୍ଷ ବିଦ୍ୟାଳୟରୁ ବହିଷ୍କାର କରିଥିଲେ । ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା ଯେ ସେମାନେ ଜାତୀୟ ସଂଗୀତ ‘ଜନ ଗଣ ମନ’ ବୋଲିବା ପାଇଁ ମନା କରିଥିଲେ, ଯଦିଓ ସେମାନେ ବିଦ୍ୟାଳୟ ଆରମ୍ଭ ହେବା ପୂର୍ବରୁ ସମବେତ ସଭାରେ ଜାତୀୟ ସଂଗୀତ ସମୟରେ ସମ୍ମାନପୂର୍ବକ ଠିଆ ହେଉଥିଲେ । ସେମାନଙ୍କର ଯୁକ୍ତି ଥିଲା ଯେ ସେମାନେ Jehovah’s Witnesses ସମ୍ପ୍ରଦାୟର ସଦସ୍ୟ ଓ ସେମାନେ କେବଳ Jehovah-the Creator ଙ୍କୁ ଉପାସନା କରନ୍ତି ତେଣୁ ଜାତୀୟ ସଂଗୀତ ବୋଲିବା ତାଙ୍କ ଧର୍ମୀୟବିଶ୍ୱାସକୁ ଆଘାତ କରିବ । କର୍ତ୍ତୃପକ୍ଷଙ୍କ ବହିଷ୍କାର ଆଦେଶ ବିରୋଧରେ ଛାତ୍ରୀଙ୍କର ଅଭିଭାବକ ଶିକ୍ଷା ବିଭାଗକୁ ଅନୁରୋଧ କରିଥିଲେ ଯେ ଛାତ୍ରୀମାନଙ୍କୁ ବିଦ୍ୟାଳୟରେ ପ୍ରବେଶ ଅନୁମତି ଦିଆଯାଉ ସରକାରଙ୍କ ନିକଟରୁ ଚୂଡ଼ାନ୍ତ ନିଷ୍ପତ୍ତି ଆସିବା ପର୍ଯ୍ୟନ୍ତ । କିନ୍ତୁ ଏହି ନିବେଦନ ଅସଫଳ ହେବା ପରେ ଛାତ୍ରୀଗଣ ଉଚ୍ଚନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ, କିନ୍ତୁ ସେଠାରେ ମଧ୍ୟ ଅସଫଳ ହେଲେ ଓ ସର୍ବଶେଷରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଲେ । ଓ ଚିନ୍ନପ୍ପା ରେଡ୍ଡୀ ଓ ଏମ ଏମ୍ ଦତ୍ତଙ୍କ ଖଣ୍ଡପୀଠ ଉଚ୍ଚନ୍ୟାୟାଳୟର ନିଷ୍ପତ୍ତିକୁ ଖାରଜକରି ଏହି ଛାତ୍ରମାନଙ୍କୁ ବିଦ୍ୟାଳୟରେ ପୁନଃପ୍ରବେଶ ପାଇଁ ଅନୁମତି ଦେବାକୁ ନିର୍ଦେଶ ଦେଇ ଆବେଦନ ସପକ୍ଷରେ ରାୟ ଦେଇଥିଲେ । ଏହି ରାୟରେ ଯୋଗ କରିଥିଲେ ସହିଷ୍ଣୁତା ଉପରେ ଗୁରତ୍ୱ ଦେଇ ଉପରୋକ୍ତ ଧାଡି ।

ଉଲ୍ଲେଖଯୋଗ୍ୟ ଯେ ପ୍ରାୟ ତିନିଦଶନ୍ଧି ପରେ ଚିନ୍ନପ୍ପା ରେଡ୍ଡୀଙ୍କର ଏହି ମନ୍ତବ୍ୟକୁ ଉଦ୍ଧାର କରି ଆଇନଜ୍ଞ ପୂର୍ବତନ ଆଟର୍ଣ୍ଣି ଜେନେରାଲ ସୋଲି ସୋରାବଜୀ ସୁପ୍ରିମକୋର୍ଟର ଏକ ଅନ୍ତରୀଣ ଆଦେଶ (୩୦ ନଭେମ୍ବର ୨୦୧୬)ର ପୁନର୍ବିଚାର ପାଇଁ ଯୁକ୍ତି ବାଢିଥିଲେ; ଆଦେଶଟି ଥିଲା ସିନେମା ହଲରେ ସିନେମା ଆରମ୍ଭ ପୂର୍ବରୁ ଜାତୀୟ ସଂଗୀତ ନିଶ୍ଚୟ ବାଜିବ ଓ ଏହାକୁ ସମ୍ମାନ ଦେଖାଇ ଦର୍ଶକମାନେ ଠିଆହେବେ । ଏହି ଆଦେଶ ସହିଷ୍ଣୁତାର ଦର୍ଶନକୁ ଲଘୁ କରିଦେଉଛି ବୋଲି ସେ ଅଭିଯୋଗ କରିଥିଲେ । ତାଙ୍କ ଭାଷାରେ୬, “ସଦ୍ୟ ପ୍ରକାଶିତ ସୁପ୍ରିମକୋର୍ଟର ଅନ୍ତରୀଣ ନିର୍ଦେଶ ଓ ରାୟ, ତାରିଖ ୩୦ ନଭେମ୍ବର (୨୦୧୬), ବସ୍ତୁତଃ ସହିଷ୍ଣୁତାର ଦର୍ଶନକୁ ପାଣିଚିଆ କରି ଦେଉଛି ।” ଅବଶ୍ୟ ଏହି ଅନ୍ତରୀଣ ଆଦେଶ ଇତ୍ୟବସରରେ ପୁନର୍ବିଚାର ହୋଇଛି (୨୩/୧୦/୨୦୧୭) ଓ ଏହି ଅନ୍ତରୀଣ ଆଦେଶକୁ ବଦଳାଇବାର ଅଧିକାର କେନ୍ଦ୍ର ସରକାରଙ୍କୁ ଦିଆଯାଇଛି । ଆଉ ସିନେମା ହଲରେ ଜାତୀୟ ସଂଗୀତ ବାଜିଲାବେଳେ ଠିଆ ହେବାକୁ ପଡିବ ନାହିଁ ବୋଲି ଗଣମାଧ୍ୟମରେ ସମ୍ବାଦ ପ୍ରକାଶିତ ହୋଇଛି୭ । ଏହି ରାୟକୁ ମଧ୍ୟ ଉଦ୍ଧାର କରାଯାଇଥିଲା କର୍ଣ୍ଣାଟକ ବିଦ୍ୟାଳୟରେ ମୁସଲମାନ ଛାତ୍ରୀମାନେ ହିଜାବ ପିନ୍ଧିବାକୁ ନେଇ ହୋଇଥିବା ମାମଲାର ଶୁଣାଣି ବେଳେ । ୧୩ ଅକ୍ଟୋବର ୨୦୨୨ ଦିନ ସୁପ୍ରିମକୋର୍ଟର ବିଚାରପତି ସୁଧାଂଶୁ ଧୂଳିଆ, ଛାତ୍ରୀଙ୍କର ହିଜାବ ପିନ୍ଧିବା ସପକ୍ଷରେ ମତ ଦେଇ ଲେଖିଥିଲେ(ପାରା ୮୦), “ଯଦି ସେ ଚାହାନ୍ତି ହିଜାବ ପିନ୍ଧିବାକୁ, ଏପରିକି ଶ୍ରେଣୀ ଗୃହରେ ମଧ୍ୟ, ତାଙ୍କୁ ଅଟକାଇ ହେବ ନାହିଁ, ଯଦି ଏହା ପିନ୍ଧାଯାଇଛି ତାଙ୍କର ପସନ୍ଦ ଅନୁସାରେ, ଯେହେତୁ ଏହାହିଁ ଏକ ମାତ୍ର ବାଟ, ଯାହାଦ୍ୱାରା ତାଙ୍କର ରକ୍ଷଣଶୀଳ ପରିବାର ତାଙ୍କୁ ସ୍କୁଲ ଯିବା ପାଇଁ ଅନୁମତି ଦେବ, ଏବଂ ଏହି ସବୁ କ୍ଷେତ୍ରରେ, ତାଙ୍କର ହିଜାବ ହେଉଛି ଶିକ୍ଷାକୁ ଟିକେଟ ।” ସେ ମଧ୍ୟ ଲେଖିଥିଲେ(ପାରା ୪୯), “ତେଣୁ ମୋର ସୁଚିନ୍ତିତ ମତ ଅନୁସାରେ, ଏହି ମାମଲାଟି ସମ୍ପୂର୍ଣ୍ଣ ଭାବେ Bijoe Emmanuel ମାମଲା ଏବଂ ସେଥିରେ ସ୍ଥିର ହୋଇଥିବା ଅନୁପାତ(ratio) ଦ୍ୱାରା ଅଚ୍ଛାଦିତ ।”

ଏହା ଦର୍ଶାଏ ଓ ଚିନ୍ନପ୍ପା ରେଡ୍ଡୀଙ୍କର ଦୃଷ୍ଟିକୋଣର ପ୍ରାସଙ୍ଗିକତା । ଏକ ସୁସ୍ଥ ସମାଜପାଇଁ ସହିଷ୍ଣୁତାର ଅପରିହାର୍ଯ୍ୟତା । ସ୍ୱାଭାବିକ Bijoe Emmanuel ମାମଲାକୁ ଅତି ଆତ୍ମସନ୍ତୋଷ ସହିତ ସ୍ମରଣ କରୁଥିଲେ ତାଙ୍କର ପରିଣତ ବୟସରେ । ଏହା ସୂଚନା ଦିଅନ୍ତି ଓ ଚିନ୍ନପ୍ପା ରେଡ୍ଡୀଙ୍କର ଭଉଣୀଙ୍କ ପୌତ୍ର ଅଧିରାଜ ପାର୍ଥସାରଥୀ ଓ ଲେଖନ୍ତି୯, “ତାଙ୍କ ବୃଦ୍ଧ ବୟସରେ ସେ ତାଙ୍କର ବିଭିନ୍ନ ମାମଲାରେ ଦେଇଥିବା କେତେକ ରାୟ ଗୁଡିକୁ , Bijoe Emmanuel ମାମଲାରେ ରାୟ ସମେତ, ସ୍ମରଣ କରୁଥିଲେ । ଅଳ୍ପ ବୟସର ପିଲାମାନେ ସେମାନଙ୍କର ବିବେକୀ ପ୍ରତିବାଦ (conscientious objection) ଯୋଗୁଁ ଶିକ୍ଷାରୁ ବଂଚିତ ହୋଇ ପାଉଥିବା ଯନ୍ତ୍ରଣା ଏବଂ ଏହି ନିଷ୍ଠୁରତାକୁ ସ୍ୱୀକୃତି ଦେଉଥିବା ବ୍ୟବସ୍ଥାର ବିକୃତି (perversity) ତାଙ୍କୁ ଗଭୀରଭାବେ ଦଂଶନ କରୁଥିଲା । ଏହାହିଁ ଥିଲା ଗୋଟିଏ ରାୟ ଯାହାକୁ ନେଇ ସେ ଗର୍ବ ଅନୁଭବ କରୁଥିଲେ ଓ ବିଶ୍ୱାସ କରୁଥିଲେ ଯେ ଏହା କାଳ କାଳକୁ ପ୍ରାସଙ୍ଗିକ ହୋଇରହିବ ।” ଏହା ପ୍ରମାଣିତ ହୋଇଥିଲା ଯେତେବେଳେ ଏହି ମାମଲାରେ ରାୟର ଉଲ୍ଲେଖ ୩୬ ବର୍ଷ ପରେ ହିଜାବ ମାମଲାରେ ହେଉଥିଲା ।

ଅଣଔପଚାରିକ (non-formal) ଶିକ୍ଷାର ସମାଲୋଚକ

ପାଠପଢ଼ାରୁ ବଂଚିତ କରାଯିବା ବା ଏପରି କୌଣସି ନିଷ୍ପତ୍ତି ନିଆଯିବା ଯାହାଦ୍ୱାରା ଶିକ୍ଷାର ସୁଯୋଗରେ ଏକ ଅସମାନତା ସୃଷ୍ଟି ହେବ ତାହା ଚିନ୍ନପ୍ପା ରେଡ୍ଡୀଙ୍କୁ ବୋଧହୁଏ ସବୁଠାରୁ ଅଧିକ ବିବ୍ରତ କରୁଥିଲା । ଏପରି ସ୍ଥିତିକୁ ବିରୋଧ କରିବାକୁ ଯାଇ କଠୋର ଶବ୍ଦର ବ୍ୟବହାର କରିବାକୁ ସେ ପଶ୍ଚାତ୍ପଦ ହେଉନ ଥିଲେ । ଯେପରି ସେ ଜାତୀୟ ଶିକ୍ଷାନୀତି ୧୯୮୬ ରେ ପ୍ରସ୍ତାବିତ ଅଣଔପଚାରିକ (non-formal) ଶିକ୍ଷାର କଠୋର ସମାଲୋଚନା କରି , ୧୩-୧୪ ଫେବୃଆରୀ ୧୯୮୯ ଦିନ ମାଡ୍ରାସ ଠାରେ ହୋଇଥିବା All India Save Education Convention ଦୁଇ ଦିନିଆ ଅଧିବେଶନକୁ ବାର୍ତ୍ତାଦେଇ ସେ ଲେଖିଥିଲେ, “ଜାତୀୟ ଶିକ୍ଷାନୀତିର ଏହି ଦିଗ ମୋ ଦୃଷ୍ଟିରେ ଶ୍ରମଜୀବୀ(working class) ପରିବାରର ପିଲାଙ୍କ ସହ ଜାଲିଆତି, ଜନତାଙ୍କ ସହ ଜାଲିଆତି । ସମ୍ବିଧାନ ସହ ଜାଲିଆତି ।” (“This part of the NPE appears to me to be fraud on the working class children, it is a fraud on the people. It is a fraud on the Constitution.”) ସେ ଅବହେଳିତ ବର୍ଗର ପିଲାଙ୍କ ଶିକ୍ଷାନେଇ ବେଶ ଚିନ୍ତିତ ଥିଲେ । ତେଣୁ ଏହି ବାର୍ତ୍ତାରେ ସେ ଲେଖିଥିଲେ,“.. ଅଧିକାଂଶ ପ୍ରାଥମିକ ବିଦ୍ୟାଳୟ ଏବେ ମଧ୍ୟ ବହୁ ଶ୍ରେଣୀ-ଜଣେ ଶିକ୍ଷକ ଆୟୋଜନରେ ଚାଲିଛି……ପାଠାଗାରର ସୁବିଧା ନାହିଁ, ପ୍ରୟୋଗଶାଳାର ସୁବିଧା ନାହିଁ ବା ଖେଳ ପଡିଆର ସୁବିଧା ନାହିଁ । ଏହି ଭଳି ବିଦ୍ୟାଳୟରେ ପଢୁଥିବା ପିଲାମାନେ, ଯେଉଁମାନେ ସାଧାରଣତଃ ଦୁର୍ବଳଶ୍ରେଣୀ ଲୋକଙ୍କର ପିଲା, କ୍ୱଚିତ ଆଶା କରାଯାଇପାରେ ଯେ ସେମାନେ ସେମାନଙ୍କର ଶୈକ୍ଷିକ ଜୀବନ କ୍ରମରେ(educational careers) ଭଲ କରିବେ ବୋଲି । ତେଣୁ ଏଥିରେ ଆଶ୍ଚର୍ଯ୍ୟ ହେବାରେ କିଛି ନାହିଁ ଯେ ସୁଯୋଗ ବଂଚିତ (under-privileged) ଶ୍ରେଣୀର ଅଧିକ ବୁଦ୍ଧିମାନ ପିଲାମାନେ ସୁଯୋଗ ଉପଭୋଗ (privileged) କରୁଥିବା ଶ୍ରେଣୀର କମ ବୁଦ୍ଧିମାନ ପିଲାଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିପାରୁ ନାହାନ୍ତି ।”

ଅବହେଳିତ ବର୍ଗର ଛାତ୍ରମାନଙ୍କର ମେଧା ଶକ୍ତିରେ ବିଶ୍ୱାସ

ଅବହେଳିତ ବର୍ଗର ଛାତ୍ରମାନଙ୍କଠାରେ ଯେ ମେଧା ଯଥେଷ୍ଟ ରହିଛି ଏହା ଚିନ୍ନପ୍ପା ରେଡ୍ଡୀ ବିଶ୍ୱାସ କରୁଥିଲେ ଓ ଇଙ୍ଗିତ କରୁଥିଲେ ଯେ ସବୁ ସୁଯୋଗ ଉପଭୋଗ କରୁଥିବା ଛାତ୍ରମାନଙ୍କଠାରୁ ଏହା କମ୍ ନୁହେଁ । ମଇ ୧୯୮୫ରେ C.VASANTH KUMAR & ANOTHER. Vs. STATE OF KARNATAKA ମାମଲାରେ ରାୟଦେଇ ଲେଖିଥିଲେ୧୦, “ଅନୁସୂଚିତ ଜାତି, ଜନଜାତି ବା ଅନ୍ୟ ପଛୁଆବର୍ଗର ପିଲା ଯାହାର ଲାଳନପାଳନ ହୋଇଛି ଦାରିଦ୍ର୍ୟ, ନିରକ୍ଷରତା ଏବଂ ସଂସ୍କୃତି ବିରୋଧୀ (anti-culture) ପରିବେଶ ଭିତରେ, ଯାହାକୁ ପରମ୍ପରା ଓ ସମାଜ ନୀଚ ଦୃଷ୍ଟିରେ ଦେଖେ, ଯାହାର ଘରେ ପଢିବାକୁ ନଥାଏ ପୁସ୍ତକ ଏବଂ ପତ୍ରିକା, ଶୁଣିବାକୁ ନ ଥାଏ ରେଡିଓ, ଦେଖିବାକୁ ନଥାଏ ଟି.ଭି, କେହି ନଥାନ୍ତି ତାକୁ ହୋମୱାର୍କରେ ସାହାଯ୍ୟ କରିବାକୁ, ଯିଏ ନିକଟରେ ଥିବା ସ୍ଥାନୀୟ ବୋର୍ଡ ବିଦ୍ୟାଳୟ ବା କଲେଜକୁ ଯାଇଥାଏ, ଯାହାର ବାପା-ମା ଅଶିକ୍ଷିତ ବା ଏତେ ଅଜ୍ଞ ଯେକୌଣସି ଗୁରୁତ୍ୱପୂର୍ଣ୍ଣ ବିଷୟରେ ସେମାନଙ୍କର ପରାମର୍ଶ ନେବା ସେ ଆଶା କରିପାରେନା, ସେହି ପିଲା ଯିଏ ବାଧ୍ୟହୋଇ ଚାଲି ଚାଲି ଯାଇଥାଏ ନିକଟସ୍ଥ ପାଠାଗାରକୁ ଖବରକାଗଜ ପଢ଼ି ଜାଣିବାପାଇଁ ଯେ ବିଶ୍ୱରେ କ’ଣ ଘଟୁଛି, ଯଦି ଏହି ସମସ୍ତ ଅସୁବିଧା ସତ୍ତ୍ୱେ ସେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ୪୦ ବା ୫୦ ପ୍ରତିଶତ ମାର୍କ ପାଉଛି ଓ ଯେଉଁଠାରେ ଉଚ୍ଚବର୍ଗର ପିଲାମାନେ, ଯେଉଁମାନଙ୍କର ସବୁ ସୁଯୋଗ ଅଛି, ଯେଉଁମାନେ ସେଂଟ ପଲ’ସ ହାଇସ୍କୁଲ ଏବଂ ସେଂଟ ଷ୍ଟିଫେନ୍ସ କଲେଜ ଯାଆନ୍ତି ଏବଂ ଯେଉଁମାନେ ଏହି ପରୀକ୍ଷା ପାଇଁ ବିଶେଷ କୋଚିଂ ପାଇଥାନ୍ତି, ସେମାନେ ୭୦, ୮୦ ବା ଏପରି ୯୦ପ୍ରତିଶତ ମାର୍କ ପାଉଛନ୍ତି, ତାହାହେଲେ ଏହି (ପଛୁଆ ବର୍ଗ)ପିଲାର କଣ ମେଧା ନାହିଁ? ନିଶ୍ଚିତ ଭାବରେ ଯେଉଁ ପିଲା ଏତେ ବାଧା ବିଘ୍ନ ଅତିକ୍ରମ କରିପାରୁଛି ସେ ନିଶ୍ଚୟ ଜୀବନରେ ଆହୁରି ଭଲ କରିବ ଏହା ଆଶା କରାଯାଇପାରେ ।”

ସ୍ୱାଭାବିକ ସେ ଶିକ୍ଷାନୀତି ୧୯୮୬ର ଉଦ୍ଦେଶ୍ୟ ପ୍ରଶ୍ନ କରିି ଲେଖିିଥିଲେ, “ଉଦ୍ଦେଶ୍ୟ ନୁହେଁ ବ୍ୟକ୍ତି ମର୍ଯ୍ୟାଦାର ପ୍ରତିଶୃତି ଥିବା ସମ୍ବିଧାନରେ ପରିକଳ୍ପିତ ସ୍ୱାଧୀନ ଏବଂ ସମାନ ନାଗରିକ ସମାଜ ଗଠନ, ବରଂ ଉଦ୍ଦେଶ୍ୟ ମନେହୁଏ ଅଳ୍ପ କେତେଜଣ ଫୋରମାନ (foremen) ତିଆରି କରିବା ଯେଉଁମାନେ ପୁଂଜିବାଦୀ ଅର୍ଥନୈତିକ ମେସିନକୁ ଚଳାଇବେ ।” (“The aim appears to be not to produce the free and equal citizens with assured dignity of the individual contemplated by the Constitution but to train a few foremen to operate the capitalist economic machine.”) ଏହି ବାର୍ତ୍ତାର ଶେଷରେ ସେ ଏହି ସମ୍ମେଳନର ସଫଳତା କାମନା କରିଥିଲେ । ଉଲ୍ଲେଖ କରିବା ଅପ୍ରାସଙ୍ଗିକ ହେବ ନାହିଁ ଯେ ଏହି ସମ୍ମେଳନରେ ହିଁ All India Save Education Committeeର ଭିତ୍ତି ପଡ଼ିଥିଲା, ମାନ୍ୟବର ବିଚାରପତି କୃଷ୍ଣାଆୟାରଙ୍କ ଅଧ୍ୟକ୍ଷତାରେ ଓ ଏହି Committe ଆଜି ମଧ୍ୟ ସକ୍ରିୟ ରହିଛି, ବିଭିନ୍ନ ଶିକ୍ଷା ସମସ୍ୟା ନେଇ ମତାମତ ରଖୁଛି ।

ସମାଜବାଦୀ ବିଚାରପତି

ପୁଂଜିବାଦୀ ଅର୍ଥନୀତିର ସେ ଥିଲେ ଦୃଢ଼ ସମାଲୋଚକ । ଠିକା ନିଯୁକ୍ତି ବା କଂଟ୍ରାକ୍ଟରଙ୍କ ଜରିଆରେ ଶ୍ରମିକ ନିଯୁକ୍ତି (practice of employing labour through contractors) ଦ୍ୱାରା ପୁଂଜିବାଦୀ ଉତ୍ପାଦନର ପ୍ରାଥମିକ ପର୍ଯ୍ୟାୟର ଅବଶେଷ (relic) ପୁନଃ ପ୍ରକଟ ହେଉଛି ବୋଲି ଆଶଙ୍କା ପ୍ରକାଶ କରୁଥିଲେ ଓ ଆଶ୍ଚର୍ଯ୍ୟ ହେଉଥିଲେ ଯେ ଏହି ବ୍ୟବସ୍ଥା ବଡ଼ ବଡ଼ କମ୍ପାନୀରେ ପ୍ରଚଳନ ହେଉଛି ଯାହା ଭିତରେ ରାଷ୍ଟ୍ରାୟତ୍ତ କମ୍ପାନୀମାନେ ମଧ୍ୟ ଅଛନ୍ତି । ଏହି ମତକୁ ସେ ତାଙ୍କର ଏକ ରାୟରେ ଲିପିବଦ୍ଧ କରିଥିଲେ୧୧ା ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଇ.ଏସ୍. ଭେଙ୍କଟରାମାୟାଙ୍କ ଭାଷାରେ ଚିନ୍ନପା ରେଡ୍ଡୀ ଥିଲେ, “ହୃଦୟରେ ଜଣେ ସମାଜବାଦୀ ଏବଂ ଦୃଷ୍ଟିକୋଣରେ ମାନବବାଦୀ” (“a Socialist at heart and humanist in out look”) ଓ ମାନବିକ ଅଧିକାର ନ୍ୟାୟଶାସ୍ତ୍ରର (jurisprudence) ବିସ୍ତାରରେ ତାଙ୍କର ଅବଦାନ ଥିଲା ଉଲ୍ଲେଖଯୋଗ୍ୟ । George H Gadbois,Jr.ଙ୍କ ଭାଷାରେ୨(ପୃ ୨୭୨), “ଏକ ପ୍ରତିଭାଶାଳୀ, ସୁପଣ୍ଡିତ ଏବଂ ସ୍ପଷ୍ଟ ବକ୍ତବ୍ୟ ରଖୁଥିବା ବୁଦ୍ଧିଜୀବୀ, ଚିନ୍ନପ୍ପା ରେଡ୍ଡୀ ତାଙ୍କ ସମାଜବାଦକୁ ଯେପରି ତାଙ୍କ ସାର୍ଟର ଆସ୍ତିନରେ ରଖିଥିଲେ (his socialism on his shirt sleeve) ଏବଂ ସୁପ୍ରିମକୋର୍ଟରେ କାର୍ଯ୍ୟରତ ଥିବାବେଳେ ସେ ତାଙ୍କର ରାୟ ଗୁଡିକରେ ଏହାକୁ ବ୍ୟକ୍ତ କରୁଥିଲେ, ଏବଂ ଏହା ବାହାରେ ବିଭିନ୍ନ ବ୍ୟାଖ୍ୟାନରେ ମଧ୍ୟ ବ୍ୟକ୍ତ କରୁଥିଲେ ।” ସେ ବିଚାରପତି ଭାବେ ସମ୍ବିଧାନର ବ୍ୟାଖ୍ୟା ଏପରି ଭାବରେ କରିଥିଲେ ଯେ ଏହା ଦ୍ୱାରା ଉତ୍ପୀଡିତ, ଦଳିତ, ନିର୍ଯାତିତ ଏବଂ ଦୁଃଖୀର ସୁରକ୍ଷାପାଇଁ ସମ୍ବିଧାନର ପ୍ରୟୋଗ ହୋଇପାରିବ । ତାଙ୍କର ଉଲ୍ଲେଖଯୋଗ୍ୟ ରାୟଗୁଡିକୁ ସଙ୍କଳିତ କରି ଏକ ପୁସ୍ତକ ପ୍ରକାଶିତ ହୋଇଛି Judgments by O Chinnappa Reddy-A Humanist by R Venkataramani, published by International Institute of Human Rights Society(Rgd.), New Delhi, ୧୯୮୯ ।

‘ନ୍ୟାୟିକ ଦେବାଳୟ’ରେ ସ୍ଥାନ

ଚିନ୍ନପା ରେଡ୍ଡୀଙ୍କ ସମ୍ପର୍କରେ ବିଶିଷ୍ଟ ଆଇନଜ୍ଞ, ଗବେଷକ ଉପେନ୍ଦ୍ର ବକ୍ସି ଲେଖନ୍ତି୧୨, “ଭାରତୀୟ ନ୍ୟାୟିକ ଦେବାଳୟ(judicial pantheon)ରେ ଚିନ୍ନପ୍ପା ରେଡ୍ଡୀ ଏକ ସୁରକ୍ଷିତ ଏବଂ ଉଚ୍ଚ ଆସନ ଅକ୍ତିଆର କରନ୍ତି । ନ୍ୟାୟିକ ସାଧୁତା ଯାହ ସେ ଉଚ୍ଚ ପୀଠ(High Bench)ରେ ଅନୁସରଣ କରୁଥିଲେ ତାହା ସୁପ୍ରିମକୋର୍ଟର କ୍ଷତ ବିକ୍ଷତ (bruised) ବୈଧତା (legitimacy)କୁ ଫେରାଇ ଆଣିବା ଦିଗରେ ବହୁତ ସାହାଯ୍ୟ କରିଥିଲା ।…ଅବତାରର ଧାରଣା ତାଙ୍କୁ କଦାପି ଆକୃଷ୍ଟ କରି ନଥିଲା ।” ଚିନ୍ନପ୍ପା ରେଡ୍ଡୀଙ୍କ ନ୍ୟାୟିକ ମତକୁ ଯେ କାର୍ଯ୍ୟପାଳିକା ପ୍ରଭାବିତ କରିପାରୁ ନଥିଲା ସେ ସମ୍ପର୍କରେ ସ୍ମାରକୀ ବକ୍ତୃତାରେ ବିଚାରପତି ବି ସୁଦର୍ଶନ ରେଡ୍ଡୀ କୁହନ୍ତି୪(ପୃ ୩/୧୭), “ମୁଁ ପରାମର୍ଶ ଦେବି ଯେ ତତ୍କାଳୀନ ଏକକ ଆନ୍ଧ୍ରପ୍ରଦେଶ ହାଇକୋର୍ଟରେ ବିଚାରପତି ଚିନ୍ନପ୍ପା ରେଡ୍ଡୀଙ୍କର ବିଚାରପତି ଭାବେ କାର୍ଯ୍ୟକାଳ ସେମାନଙ୍କ ପାଇଁ ଏକ ଉଦାହରଣ ଭାବେ ଏବଂ ଦିଗଦର୍ଶନ ଭାବେ ଗ୍ରହଣୀୟ ହେବା ଉଚିତ ଯେଉଁମାନେ ହାଇକୋର୍ଟରେ ସେବାରତ ଏବଂ ଯେଉଁମାନେ ପ୍ରଲୋଭିତ ହୋଇପାରନ୍ତି, ସ୍ୱତନ୍ତ୍ର ନ୍ୟାୟପାଳିକାର ଉଚ୍ଚତମ ମୂଲ୍ୟ ପ୍ରତି ସେମାନଙ୍କର ନିଷ୍ଠାର ନୈତିକ ଭାର, ସମ୍ବିଧାନ ଏବଂ ନ୍ୟାୟବିଚାରର କାରଣକୁ ଆଡେଇ ଦେଇ, କାର୍ଯ୍ୟପାଳିକା ସମ୍ମୁଖରେ ସାଷ୍ଟାଙ୍ଗ ପ୍ରଣିପାତ (kow-tow) କରିବାପାଇଁ ।” ସମ୍ବିଧାନକୁ ଦୁର୍ବଳ ଶ୍ରେଣୀର ସ୍ୱାର୍ଥ ରକ୍ଷାପାଇଁ ଚିନ୍ନପ୍ପା ରେଡ୍ଡୀଙ୍କର ଆବେଗକୁ ଆକଳନ କରି ବି ସୁଦର୍ଶନ ରେଡ୍ଡୀ କୁହନ୍ତି୪ପୃ ୧୫/୧୭), “ଆଜିକା ସମୟରେ ଆମେ ନିଜକୁ ପଚାରିବା ଉଚିତ ଯେ ଯେପରି ସେ ସମ୍ବିଧାନର ପ୍ରଗତିଶୀଳ କାର୍ଯ୍ୟସୂଚୀ (progressive agenda)ପାଇଁ ଜଣେ ଉତ୍ସାହୀ ସୈନିକ ଥିଲେ ଏବଂ ଦୁର୍ବଳତମ ବ୍ୟକ୍ତି ସମ୍ପର୍କରେ ତାଙ୍କର ଥିଲା ଉଦ୍ବେଗ, ସେତେବେଳେ ବିଚାରପତି ଚିନ୍ନପ୍ପା ରେଡ୍ଡୀଙ୍କୁ ମଧ୍ୟ ‘ଅର୍ବାନ ନକ୍ସଲ’ କୁହାଯାଉଥାନ୍ତା କି?”

ବାଚସ୍ପତି ରବି ରାୟ ଓ ବିଚାରପତି ଚିନ୍ନପ୍ପା ରେଡ୍ଡୀ

ଏହିଭଳି ଜଣେ ସ୍ୱାଧୀନଚେତା, ସଚ୍ଚୋଟ, ନିର୍ଭୀକ, ସାଧାରଣ ମଣିଷର ମର୍ଯ୍ୟାଦାର ସୁରକ୍ଷାପାଇଁ ସଦା ଉଦବିଗ୍ନ ମହାନ ବିଚାରପତିଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭିରାସ୍ୱାମୀ ରାମାସ୍ୱାମୀଙ୍କ ବିରୋଧରେ ଲୋକସଭାରେ ଆଗତ ମହାଭିଯୋଗ ପ୍ରସ୍ତାବ ଉପରେ ତଦନ୍ତ କରିବାକୁ ପ୍ରସ୍ତାବିତ ତିନିଜଣିଆ ବିଚାରପତି କମିଟିରେ ଚିନ୍ନପ୍ପା ରେଡ୍ଡୀଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ତକ୍ରାଳୀନ ଲୋକସଭା ବାଚସ୍ପତି ନିଷ୍ଠାପର ସମାଜବାଦୀ ଶ୍ରୀଯୁକ୍ତ ରବି ରାୟଙ୍କର ବ୍ୟଗ୍ରତା ଥିଲା ଯଥାର୍ଥ । ତା ନହେଲେ ରବି ବାବୁଙ୍କର ଅନୁରୋଧର ଉତ୍ତରରେ ଯେତେବେଳେ ଚିନ୍ନପ୍ପା ରେଡ୍ଡୀ କହୁଛନ୍ତି, “ମୋର ବାଇପାସ ସର୍ଜରୀ ହେବ । ଆପଣ ଆଉ କାହାକୁ ନିଅନ୍ତୁ ।” ସେତେବେଳେ ରବିବାବୁ କୁହନ୍ତେ ନାହିଁ୧୩, “ଆପଣ ସର୍ଜରୀ କରାନ୍ତୁ । ମାସକ ପରେ ଆମେ ବସିବା ।” ଚିନ୍ନପ୍ପା ରେଡ୍ଡୀଙ୍କର ଆଇନରେ ଦକ୍ଷତା ଓ ସାଧୁତା ସମ୍ପର୍କରେ ରବି ରାୟଙ୍କର ଧାରଣା ଏତେ ଦୃଢ଼ ଥିଲା ଯେ ସେ ହିଁ ତଦନ୍ତ କମିଟିରେ ନିହାତି ରହିବେ, ଏହିଭଳି ଯେପରି ରବିବାବୁ ସ୍ଥିର କରି ନେଇଥିଲେ । ଏହି କମିଟି (ପି ବି ସାୱନ୍ତ, ପି ଡି ଦେଶାଇ, ଓ ଚିନ୍ନପ୍ପା ରେଡ୍ଡୀ) ରାମାସ୍ୱାମୀଙ୍କ ବିରୋଧରେ ହୋଇଥିବା ୧୪ଟି ଅଭିଯୋଗ ମଧ୍ୟରୁ ୧୧ଟିରେ ଦୋଷୀ ପାଇଥିଲେ । ଏହା ତ ଭିନ୍ନକଥା ଯେ ପରବର୍ତ୍ତୀ ପାର୍ଲିଆମେଂଟରେ ମହାଭିଯୋଗ ପ୍ରସ୍ତାବ ସପକ୍ଷରେ ଆବଶ୍ୟକୀୟ ଦୁଇ ତୃତୀୟାଂଶ ସଦସ୍ୟଙ୍କର ସମର୍ଥନ ସମ୍ଭବ ହେଲା ନାହିଁ ।

ନ୍ୟାୟାଳୟ ଓ ନ୍ୟାୟାଧୀଶମାନଙ୍କ ଆଚରଣ ଯେତେବେଳେ ଆଜି ବହୁ ବିତର୍କିତ, ସେତେବେଳେ ଚିନ୍ନପ୍ପା ରେଡ୍ଡୀଙ୍କର ନ୍ୟାୟାଧୀଶ ଭାବେ ଔଜ୍ଜଲ୍ଲ୍ୟମୟ ବ୍ୟକ୍ତିତ୍ୱକୁ ସ୍ମରଣ କରିବାର ଆବଶ୍ୟକତା ରହିଛି, କାରଣ ଏଥିରେ ଏକ ଆଶ୍ୱାସନା ରହିଛି, ଯଦିଓ ଏ ପୃଥିବୀରୁ ୧୧ବର୍ଷ ହେଲା ସେ ବିଦାୟ ନେଲେଣି , ନବେ ବର୍ଷ ବୟସରେ, ୧୧ ଏପ୍ରିଲ ୨୦୧୩ ଦିନ ।

ବ୍ୟବହୃତ ଉପାଦାନ ସୂଚୀ

  1. Letters for a Nation From Jawaharlal Nehru to His Chief Ministers: 1947-1963, edited by Madhav Khosla, Penguin Random House India, 2014

2.Judges of the Supreme Court of India: 1950-1989, George H Gadbois,Jr. Oxford India Paperbacks 2018 3.S.P. Mittal Etc. Etc vs Union Of India And Others on 8 November, 1982 ,Supreme Court of India , https://indiankanoon.org/doc/312939/

  1. Justice Chinnappa Reddy’s life is an example and guide to legal fraternity : Justice Sudershan Reddy ,By Special Correspondent, October 22, 2022 ,https://www.primepost.in/justice-chennappa-reddy-is-an-example-and-guide/

5.:BIJOE EMMANUEL & ORS. Vs.: STATE OF KERALA & ORS ,.DATE OF JUDGMENT11/08/1986. BENCH: REDDY, O. CHINNAPPA (J) DUTT, M.M. (J)

6.Judicial authoritarianism: Supreme Court’s order on national anthem dilutes constitutional freedoms and must be reviewed , Soli Sorabjee, December 5, 2016, https:// blogs.timesofindia.indiatimes.com/toi-edit-page/judicial-authoritarianism-supreme-courts-order-on-national-anthem-dilutes-co

7.Supreme Court On National Anthem: ‘No Need To StandAt Cinema To Pr… https://www.ndtv.com/india-news/no-need-for-anthem-at-cinema-for-patri..

  1. IN THE SUPREME COURT OF INDIA CIVIL APPELLATE/ORIGINAL JURISDICTION ,CIVIL APPEAL NO. 7095 OF 2022 , (ARISING OUT OF SLP (CIVIL) NO. 5236 OF 2022) AISHAT SHIFA …..APPELLANT(S) VERSUS THE STATE OF KARNATAKA & ORS. …..RESPONDENT(S) ,https://main.sci.gov.in/supremecourt/2022/8344/8344_2022_6_1501_38867_Judgement_13-Oct-2022.pdf)

9.100 years of Chinnappa Reddy: Personal Memories ,October 30, 2022 by Adhiraj Parthasarathy ,https://lawandotherthings.com/100-hundred-years-of-chinnappa-reddy-personal-memories/

10.K.C. VASANTH KUMAR & ANOTHER.Vs. STATE OF KARNATAKA DATE OF JUDGMENT 08/05/1985 , BENCH:CHANDRACHUD, Y.V. ((CJ) ,DESAI, D.A.REDDY, O. CHINNAPPA (J)SEN, A.P. (J) VENKATARAMIAH, E.S. (J)(p.37/106)

  1. Catering Cleaners Of Southern Railway Vs Union Of India & Ors.,AIR 1987 SC 777
  2. Baxi, Upendra: “Foreword – The Court and the Constitution: Summits and Shallows”, Reddy, O. Chinnappa, Oxford University Press 2008, p. xi

୧୩.ମାଟିରୁ ଆକାଶ, ସୁଲୋଚନା ଦାସ, ବିଦ୍ୟାପୁରୀ, ୨୦୦୫, ପୃ ୨୪୫

Comments

0 comments

Share This Article