କଟକ ସ୍କୁଲ ହକି ଐତିହୟର ପୁନରୁତ୍ଥାନ

Biswaranjan Sasmal
Biswaranjan Sasmal531 Views
4 Min Read

“ଆସ ଖେଳିବା ରଚିବା ଇତିହାସ, ଗାଇବା ଗୌରବ ଗାଥା ଆମ ମାଟିର” ମହତ୍ତ୍ଵକାଂକ୍ଷ୍ୟାକୁ ଆଖିରେ ରଖି ଜାନୁଆରୀ 2023 ବିଶ୍ବକପର ପୁରୁଷ ହକିର ଅବ୍ୟବହିତ ପୂର୍ବରୁ ‘କଟକ ସ୍କୁଲ ହକି କ୍ଲବ’ ଆନୁକୂଲ୍ୟରେ ମହାନଗରୀର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଉଭୟ ବାଳକ ଏବଂ ବାଳିକା ହକି କ୍ଲବ ପ୍ରସ୍ତୁତ କରାଯାଏ । ତତ୍ ସଙ୍ଗେ ସଙ୍ଗେ ବିଶ୍ଵକପର ଏକ ମାସବ୍ଯାପୀ ହକି ମହୋତ୍ସବ ସମୟରେ ବହୁ ବନ୍ଧୁତ୍ଵପୂର୍ଣ ମ୍ୟାଚ ମାଧ୍ୟମରେ ହକିର ହୃତଗୌରବ ଓ ପୂର୍ବାନୁରାଗକୁ ସ୍କୁଲ ପରିବେଶ ଭିତରକୁ ଫେରେଇଆଣିବାର ପ୍ରୟାସ ଜାରି ରହେ । ବିଶ୍ବ କପ ପୁରୁଷ ହକିର ପରବର୍ତ୍ତୀ ପର୍ୟାୟରେ 2023 ଏବଂ 2024 ରେ ଗ୍ରୀଷ୍ମ ଅବକାଶରେ କଟକ ହକି କ୍ଲବ ଆନୁକୂଲ୍ୟରେ ହକି କ୍ରୀଡାର ପ୍ରଶିକ୍ଷଣ ଶିବିର ଷ୍ଟିଆର୍ଟ ସ୍କୁଲ ଏବଂ ନିଉ ଷ୍ଟିଆର୍ଟ ସ୍କୁଲର ହକି ଖେଳ ପଡିଆରେ ମଇ ୩ ରୁ ୨୨ ତାରିଖ ୨୦୨୩ ଏବଂ ମଇ ୬ ରୁ ୨୩ ତାରିଖ ୨୦୨୪ ପର୍ଯ୍ୟନ୍ତ Summer Hockey Campର ଆୟୋଜନ କରାଯାଏ ।

କଟକ ହକି ଐତିହ୍ୟର ପୁନରୁତଥାନ ପ୍ରୟାସର ସୁଫଳ ସ୍ଵରୁପ, ଓଡ଼ିଶା ସରକାର ଏବଂ ନାଭାଲ ଟାଟା ହକି କେନ୍ଦ୍ରର ମିଳିତ ପ୍ରୟାସରେ କଟକର ସିଡିଏ ସେକ୍ଟର ୭ରେ ଆଷ୍ଟ୍ରୋଟର୍ଫ ହକି ପ୍ରଶିକ୍ଷଣ କେନ୍ଦ୍ର ଫେବୃୟାରୀ ୨୦୨୪ରେ ଉଦଘାଟିତ ହୁଏ । ଅତ୍ୟନ୍ତ ଆନନ୍ଦର ବିଷୟ ଏହିକି, ଉକ୍ତ ପ୍ରଶିକ୍ଷଣ କେନ୍ଦ୍ରକୁ କଟକର ସମସ୍ତ ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀମାନଙ୍କର ହକି ଅଭ୍ୟାସ ପାଇଁ ଦିଆଯାଏ ଏବଂ ମଇ ୬ ରୁ ୨୫, ୨୦୨୪ ପର୍ୟନ୍ତ କଟକସ୍ଥିତ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ହକି ପ୍ରଶିକ୍ଷଣ ସକାଳେ ସନ୍ଧ୍ୟାରେ ପ୍ରଦାନ କରିବାର ବିଧିବଦ୍ଧ ବ୍ୟବସ୍ଥା କରାଯାଏ ।

କଟକ ସ୍କୁଲ ହକିର ପୁନରୁଜ୍ଜୀବନ ସତେ ଅବା ଇତିହାସର ଅନ୍ଧାରୀ ଗହ୍ବରରେ ଲିଭିଯାଉଥିବା କଟକୀୟ ହକିର ଗରିମା ଓ ମହିମାର ପୁନରୁଦ୍ଧାର କ୍ଷେତ୍ରରେ ଏକ ବିରାଟ ମାଇଲଖୁଣ୍ଟ । କଟକ ହକି ଐତିହ୍ୟର ପୁନରୁତଥାନ ଉଦ୍ୟମରେ କଟକ ସ୍ଥିତ ସମସ୍ତ ବିଦ୍ୟାଳୟ, ପ୍ରଧାନ ଶିକ୍ଷକ, ଖେଳ ଶିକ୍ଷକ ଏବଂ ଛାତ୍ର ଛାତ୍ରୀ ମାନଙ୍କ ସହ ଡାଇୟୋସିସ କଟକ ସଂସ୍ଥା, ଗୁରୁ ନାନକ ଦେବ ଦାନ୍ତନ ସାହିବ ଗୁରୁଦ୍ୱାରା ଏବଂ ଶିଖ ଏଡ (Sikh Aid) ଭଳି ସଂସ୍ଥା, କଟକରୁ ଜାତୀୟ ସ୍ତରରେ ଖେଳିଥିବା ପ୍ରାକ୍ତନ ହକି ଖେଳାଳିଗଣ, ହକି ପ୍ରଶିକ୍ଷିକ ଓ ଅମ୍ପାୟର ଗଣ ଅଗ୍ରଣୀ ଭୂମିକା ଗ୍ରହଣ କରନ୍ତି ।

ଇତିହାସ କହେ ଏଇ ମାଟିର ପି.ଭି ଆର ମୂର୍ତ୍ତି, ଶ୍ରୀମନ୍ତ ସାହୁ ଏବଂ ରେଭେନ୍ସା ପ୍ରାକ୍ତନ ଅଧକ୍ଷ ଡ. ପ୍ରଭାତ କୁମାର ମିଶ୍ରଙ୍କ ଭଳି ହକି ଖେଳର କିମ୍ବଦନ୍ତୀ ପୁରୁଷମାନେ କଟକ ତଥା ଓଡ଼ିଶାର କୋଣ ଅନୁକୋଣରୁ ହକି ପ୍ରତିଭାମାନଙ୍କୁ ସାଉଁଟି ଆଣି ପ୍ରଶିକ୍ଷିଣ ବ୍ୟବସ୍ଥା କରୁଥିଲେ । ଏହାର ମୁକସାକ୍ଷୀ ଅଛି ଦୁର୍ଗ ବାରବାଟୀ, ସତ୍ୟବ୍ରତ ଷ୍ଟାଡିୟମ (ଭିଲେଜ ଗ୍ରାଉଣ୍ଡ) ରେ କଟକ ଓ ଓଡ଼ିଶାର ହକି ପ୍ରତିଭାମାନଙ୍କୁ ହକିର ଯାଦୁଗର ମେଜର ଧାନଚାନ୍ଦ ପ୍ରଶିକ୍ଷିଣ ଦେଉଥିଲେ । ମନେପଡେ କବିବର ରାଧାନାଥ ରାୟଙ୍କ କାଳଜୟୀ ପଂକ୍ତି “ଐତିହାସିକ ଏ ଦୁର୍ଗ ବାରବାଟୀ ବୀର ରକ୍ତ ପିଣ୍ଡେ ଗଢା ଯା’ର ମାଟି ।

କଟକ ହକିର ଲୁପ୍ତଗୌରବ, ଗରିମା ଓ ମହିମାର ପୁନରୁଦ୍ଧାର ପାଇଁ କଟକ ହକି କ୍ଲବ ସମସ୍ତ ଶିକ୍ଷାନୁଷ୍ଠାନ, ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀ ଏବଂ ସର୍ବୋପରି ଅଭିଭାବକମାନଙ୍କୁ ଆନ୍ତରିକ ନିବେଦନ କରୁଛି ଯେ ସଂଘବଦ୍ଧ ଭାବରେ ଆମେ ସମସ୍ତେ ଆଶା ଭରସାର ଆଲୋକବର୍ତ୍ତିକା ଦେବୀପ୍ୟମାନ କରି ରଖିବା ସହିତ ପାଠ, ଶାଠ, ଖେଳ, କୁଦ, ଶାରୀରିକ ଶିକ୍ଷାକୁ ଶିକ୍ଷାଦାନ ଓ ଶିକ୍ଷା ଗ୍ରହଣ ବ୍ୟବସ୍ଥାର ପରିପୂରକ ମାନ୍ୟତା ଦେଇ ଖେଳ ସମୟରେ (ସନ୍ଧ୍ୟା ୪ ରୁ ୬) ପିଲାମାନଙ୍କୁ କିଛି ନା କିଛି ଖେଳକୁଦରେ ଭାଗନେବାର ବ୍ୟବସ୍ଥା କରାନ୍ତୁ । ସ୍କୁଲ କଲେଜକୁ ପିଲାମାନେ ସାଇକେଲରେ ଯିବା ଆସିବା କରିବାର ବ୍ୟବସ୍ଥା କରନ୍ତୁ । କମ୍ପୁଟର, ଇଣ୍ଟର୍ନେଟ, ସ୍ମାର୍ଟ ଫୋନ, ୱାଟସ୍ ଆପ ଆଦିର ଅସଂଯତ ବ୍ୟବହାର ଏବଂ ନିଶା ଦ୍ରବ୍ୟ ବ୍ୟବହାରର ମହାମାରୀ ଓ ବିଭୀଷିକାରୁ ଛାତ୍ର ଛାତ୍ରୀ ଯୁବ ବର୍ଗଙ୍କୁ ବଞ୍ଚାଇବାର ସବୁଠାରୁ ସହଜ ଏବଂ ସୁଦୃଢ ପନ୍ଥାଟି ଖେଳକୁଦ ତଥା ଶାରୀରିକ ଶିକ୍ଷା ବୋଲି ପ୍ରଚାର ପ୍ରସାର ଅବଶ୍ୟ କରନ୍ତୁ । କଟକ ମାଟିରେ ହକି ସଚେତନାର ଯେଉଁ ବୀଜ ବପନ ହୋଇଥିଲା, ତାହା ବୋଧିଦ୍ରୁମ ପରି ମହାଦ୍ରୁମରେ ପରିଣିତ ହେବ, ଅଲମ୍ପିକ ମଶାଲପରି କଟକର ସମସ୍ତ ଶିକ୍ଷାନୁଷ୍ଠାନରେ ହକି ପ୍ରେମର ଦୀପ୍ତି ଓ ଦ୍ୟୁତି ଅବଶ୍ୟ ବିଛୁରିତ ହେବ । ଆମର ଛାତ୍ର ଛାତ୍ରୀ ମାନେ ଖେଳ ପଡିଆରୁ ହାତ, ହୃଦୟ ଏବଂ ମସ୍ତିଷ୍କ ମାଧ୍ୟମରେ ଉଚ୍ଚତ୍ତର ମାନବୀୟ ଗୁଣଗୁଡିକୁ ଯଥା ସଂଘଭାବ, ସହଯୋଗିତା, ସ୍ପୋର୍ଟସମ୍ୟାନ ସ୍ପିରିଟ, ସିଦ୍ଧାନ୍ତ ନେବାର କ୍ଷମତା, ଦାମ୍ଭିକତା, ନିର୍ଭୀକତା, ତ୍ୟାଗ ଓ ପରାର୍ଥପରତା ପ୍ରଭୁତି ଆହରଣ କରି ଉଚ୍ଚାରଣ ଓ ଆଚରଣ ମଧ୍ୟରେ ସମତା ରକ୍ଷାକରି ୨୦୩୬ ମସିହାର ଶତାୟୁ ଓଡ଼ିଶାକୁ ବିଶ୍ବସ୍ତରୀୟ ଗୌରବର ଶିଖରୀ ଶିଖରକୁ ଉନ୍ନୀତ କରିବା ପାଇଁ ବଳିଷ୍ଠ ନେତୃତ୍ବ ପ୍ରଦାନ କରିବେ ।

ବନ୍ଦେ ଉତ୍କଳ ଜନନୀ

Comments

0 comments

Share This Article