ଏଯାବତ୍ (୧୫ ମଇ,୨୦୨୪) ୪ଟି ପର୍ଯ୍ୟାୟରେ ପ୍ରାୟ ୩ଶହ ୮୧ଟି ଲୋକସଭା ଆସନ ପାଇଁ ନିର୍ବାଚନ ସରିଯାଇଥିଲେ ବି ଦେଶସାରା କେଉଁଠି ବି ଲୋକମାନଙ୍କ ମନରେ ନିର୍ବାଚନ ପ୍ରତି ଆବେଗ ବା ଆଗ୍ରହ ବଢ଼ିବାର ଦେଖାଯାଉ ନାହିଁ । ଦେଶରେ ପ୍ରାୟ ୯୭କୋଟି ଭୋଟର ଅଛନ୍ତି । ସେହି ସଂଖ୍ୟା ଭିତରେ ଅଛନ୍ତି ୧କୋଟି ୮୫ଲକ୍ଷ ନୂଆଭୋଟର । କିନ୍ତୁ କେଉଁଠି ବି ୨୦୧୪ ବା ୨୦୧୯ ସାଧାରଣ ନିର୍ବାଚନ ବେଳେ ଯେଉଁ ଉନ୍ମାଦନା ଦେଖାଯାଉଥିଲା, ତାହା ଏହି ନିର୍ବାଚନରେ ଦେଖାଯାଉ ନାହିଁ । ପ୍ରଥମ ୪ଟି ପର୍ଯ୍ୟାୟରେ ଯଥାକ୍ରମେ ୬୬.୧୪ ପ୍ରତିଶତ, ୬୬.୭୧ପ୍ରତିଶତ, ୬୫.୬୮ ପ୍ରତିଶତ ଏବଂ ୬୭ ପ୍ରତିଶତ ଲୋକେ ଭୋଟ ଦେଇଛନ୍ତି ବୋଲି ଜଣାପଡ଼ିଛି । ଭାରତର ନିର୍ବାଚନ ଆୟୋଗ ଭୋଟ ପ୍ରତିଶତକୁ ନେଇ ତଥ୍ୟ ବିଳମ୍ବରେ ପ୍ରକାଶ କରୁଥିବା ହେତୁ ଏହି ସଂଖ୍ୟାଗୁଡ଼ିକୁ ନେଇ ମଧ୍ୟ ବିବାଦ ଲାଗି ରହିଛି । ତେବେ ନିର୍ବାଚନରେ ଲୋକେ କାହିଁକି ଆଗ୍ରହ ନେଉନାହାନ୍ତି, ତାହା ଚିନ୍ତାଶୀଳ ଲୋକମାନଙ୍କୁ ବିବ୍ରତ କରୁଛି । ‘କେହି ବି ଆମ ପସନ୍ଦର ନୁହଁ’ ବା ‘ନୋଟା’ କହି ଭୋଟ ଦେବା ପାଇଁ ମଧ୍ୟ ଏକ ଅଭିଯାନ ଅଧିକ ବ୍ୟାପକ ହୋଇଚାଲିଛି । ୨୦୧୪ରେ ୧୬ଶ ଲୋକସଭା ପାଇଁ ଯେଉଁ ନିର୍ବାଚନ ଦିନଗୁଡ଼ିକ ଘୋଷଣା କରାଯାଇଥିଲା ତାହା ଏପ୍ରିଲ୍ ୦୭,୨୦୧୪ ଠାରୁ ଆରମ୍ଭ ହୋଇ ମଇ ୧,୨୦୧୪ରେ ସମାପ୍ତ ହୋଇଥିଲା । ଅର୍ଥାତ୍ ସମୁଦାୟ ୩୫ଦିନ ଭିତରେ ସମଗ୍ର ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଥିଲା । କିନ୍ତୁ ୨୦୦୪ର ସାଧାରଣ ନିର୍ବାଚନ ମାତ୍ର ୨୦ଦିନ ଭିତରେ ଶେଷ ହୋଇଥିଲା (ଏପ୍ରିଲ୍ ୨୦,୨୦୦୪ରୁ ମଇ ୧୦,୨୦୦୪) । କିନ୍ତୁ ୨୦୨୪ ସାଧାରଣ ନିର୍ବାଚନ ସମାପ୍ତ ହେବା ପାଇଁ ୭ଟି ପର୍ଯ୍ୟାୟରେ ୪୩ଦିନ (ଏପ୍ରିଲ ୧୯,୨୦୨୪ ଠାରୁ ଜୁନ୍ ୦୧,୨୦୨୪) ସାରିବା ପାଇଁ ନିର୍ବାଚନ ଆୟୋଗ ଦିନ ଧାର୍ଯ୍ୟକଲେ । ଅର୍ଥାତ୍ ଆମେ ଦିନକୁ ଦିନ ଯେତେ ନିଜକୁ ବିଶ୍ୱଗୁରୁ ଭାବେ ଅଧିକ ଦାବିକରୁଛେ, ତାକୁ ସମର୍ଥନ ଦେବାଭଳି ଉଦାହରଣ ଅନ୍ତତଃ ନିର୍ବାଚନରେ ଅଧୁନିକ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ସତ୍ତ୍ୱେ ଦେଇପାରୁ ନାହୁଁ । ଅନ୍ୟପଟେ ଜନଗଣଙ୍କର ନିର୍ବାଚନରେ ଆଗ୍ରହ ଅଧିକରୁ ଅଧିକ କମିକମି ଯାଉଛି । ଏହି ସତ୍ୟଟି ସହିତ ଆମେ ଆଉକିଛି କଥା ମଧ୍ୟ ଏକାବେଳେ ଦେଖିପାରୁଛୁ ।
ପ୍ରଥମ କଥାଟି ହେଲା ୯୦ଦଶକରେ ପ୍ରଧାନମନ୍ତ୍ରୀ ପି.ଭି ନରସିଂହ ରାଓ ଓ ତକ୍ରାଳୀନ ଅର୍ଥମନ୍ତ୍ରୀ ମନମୋହନ ସିଂଙ୍କର ନେତୃତ୍ୱରେ ବିଶ୍ୱବ୍ୟାଙ୍କ ଏବଂ ଅନ୍ତରାଷ୍ଟ୍ରୀୟ ମୁଦ୍ରାପାଣ୍ଠି ପ୍ରରୋଚନାରେ ଭାରତରେ ଜନବିରୋଧି ଆର୍ଥିକ ସଂସ୍କାର ପର୍ବ ଆରମ୍ଭ ହୋଇଥିଲା । ଯାହାର ପରିଣାମସ୍ୱରୂପ ଭାରତ ଏକ ଜନମଙ୍ଗଳ ରାଷ୍ଟ୍ରରୁ ଏକ ପୁଞ୍ଜି ମଙ୍ଗଳ ରାଷ୍ଟ୍ରରେ ପରିଣତ ହେବାର ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏହାର ପରିଣାମସ୍ୱରୂପ ମାତ୍ର ୪୦ବର୍ଷ ବୟସରେ ପହଞ୍ଚିଥିବା ଭାରତୀୟ ସମ୍ବିଧାନରେ ରାଷ୍ଟ୍ରପାଇଁ ରଖାଯାଇଥିବା ନିର୍ଦ୍ଦେଶାବଳୀ (D.P.S.P) ଗୌଣ ହେବାର ପ୍ରକ୍ରିୟା ଆରମ୍ଭ ହୋଇଗଲା । ଏଠି ସ୍ମରଣ କରାଇ ଦିଆଯାଇପାରେ ଯେ ଏହି (D.P.S.P) ଡିରେକ୍ଟିଭ୍ ପ୍ରିନ୍ସିପୁଲସ ଅଫ ଷ୍ଟେଟ୍ ପଲିସି ସାମାଜିକ, ଆର୍ଥିକ ଓ ଆଞ୍ଚଳିକ ବିଷମତାରେ ଭରପୂର ଭାରତୀୟ ରାଷ୍ଟ୍ରକୁ ପାତରଅନ୍ତର ବିହୀନ ଓ ଜନମଙ୍ଗଳ ନୀତି ନିର୍ଦ୍ଧାରଣ ପାଇଁ ନିର୍ଦ୍ଦେଶାବଳୀ ରଖିଥିଲା । କିଛି ବିଦ୍ୱାନ କହିଆସିଛନ୍ତି ଯେ କାହିଁକି ‘ଜନମଙ୍ଗଳ’ କାର୍ଯ୍ୟଟିକୁ ବା ଏହି ନିର୍ଦ୍ଦେଶାବଳୀଟିକୁ ସମ୍ବିଧାନର ମୌଳିକ ଅଧିକାର ପର୍ଯ୍ୟାୟଭୁକ୍ତ କରାଗଲା ନାହିଁ ଯାହା ରାଷ୍ଟ୍ରକୁ ସମ୍ବିଧାନ ଦ୍ୱାର ନିର୍ଦ୍ଧାରିତ କ୍ଷେତ୍ରଗୁଡ଼ିକରେ ନୀତି ଓ ନିୟମ ଆଣିବାପାଇଁ ବାଧ୍ୟ କରିଥାନ୍ତା ! ରାଷ୍ଟ୍ର ଯୋଜନା ପ୍ରଣୟନ କଲାବେଳେ ସବାଶେଷରେ ଥିବା ଲୋକଟିକୁ ଆଖିଆଗରେ ରଖି ନିଷ୍ପତ୍ତି ନେଇଥାନ୍ତା । ତେବେ ଗତ ୩ଦଶନ୍ଧିର ରାଜନୈତିକ ଅର୍ଥନୀତି ଏଭଳି ପ୍ରଶ୍ନକୁ ମୂଲ୍ୟହୀନ କରିଦେଉଛି । ସମ୍ବିଧାନର ଅସ୍ତିତ୍ୱ ବଞ୍ଚାଇବା ପାଇଁ ଏବେ ସଂଘର୍ଷ ଚାଲିଛି । ତେବେ ଆମେ ଏହି କଥା ମନକୁ ଆଣୁନାହାନ୍ତି ଯେ ୯୦ଦଶକରେ ଆରମ୍ଭ ହୋଇଥିବା ଆର୍ଥିକ ସଂସ୍କାର ହିଁ D.P.S.Pକୁ ଅବହେଳା କରିବା ଭିତରେ ଏବେ ଆସି ସମ୍ବିଧାନକୁ ଅଚଳ ଏବଂ ଅକାମୀ କରିଦେବା ସ୍ଥିତିରେ ପହଞ୍ଚିଛି । ଅର୍ଥନୈତିକ ସଂସ୍କାର ପ୍ରକ୍ରିୟା ଜନଗଣଙ୍କୁ ସୁରକ୍ଷା ଦେଉଥିବା ନୀତି ନିୟମକୁ କୋହଳ କରାଇ ପୁଞ୍ଜି ବା ବଜାର ଶକ୍ତିଙ୍କର ସୁରକ୍ଷା ଓ ବିକାଶ ପାଇଁ ଆଇନ କାନୁନ୍ ଆଣିବା ପାଇଁ ରାଷ୍ଟ୍ରକୁ ବାଧ୍ୟ କରାଇ ଆସିଛି । ଏଭଳି ଏକ ଯୁଗର ଆରମ୍ଭ କରୁଥିବା ଦୃଷ୍ଟିରୁ ନରସିଂହ ରାଓ ଓ ମନମୋହନ ସିଂହଙ୍କୁ ଭଲରେ ହେଉ ବା ଖରାପରେ ହେଉ, ଇତିହାସ ମନେରଖିବ । ବିରୋଧିଦଳରେ ରହି ଲାଲକୃଷ୍ଣ ଆଡ଼ଭାନୀ ଏମାନଙ୍କୁ କରିଥିବା ସହଯୋଗଟିକୁ ମଧ୍ୟ ଇତିହାସ ମନେ ରଖିବ । ପ୍ରଥମେ ରାମ ମନ୍ଦିର ନିର୍ମାଣ ପାଇଁ ରଥଯାତ୍ରା, ପରେ ବାବ୍ରି ମସଜିଦ୍ ଧ୍ୱଂସ ଏବଂ ଦେଶବ୍ୟାପି ହିନ୍ଦୁ-ମୁସଲମାନ ହିଂସା ବୃଦ୍ଧିର ବାତାବରଣ ଭିତରେ ଆମ ରାଜନେତା ଏବଂ ଚିନ୍ତାଶୀଳ ବୁଦ୍ଧିଜୀବୀମାନେ ଆର୍ଥିକ ସଂସ୍କାର ଯେ କିଭଳି ଏକ ଭୟଙ୍କର ରାକ୍ଷସ ରୂପରେ ମାଡ଼ି ଆସୁଛି ; ଏହି କଥାଟି ବୁଝିବା ପାଇଁ ପ୍ରସ୍ତୁତ ନଥିଲେ । ଏହି ସବୁ ବିଷୟରେ ଆମ ସମ୍ପାଦକୀୟ ଓ ଆମର କିଛି ସମ୍ମାନଷ୍ପଦ ଲେଖକଙ୍କର ସ୍ତମ୍ଭରେ ପୂର୍ବରୁ କିଛିକିଛି ଆଲୋଚନା କରାଯାଇଛି । ଓଡ଼ିଶାରେ ସେ ସମୟରେ ଅର୍ଥନୈତିକ ଉଗ୍ର ଉଦାରବାଦ ଓ ସାମ୍ପ୍ରଦାୟିକ ଶକ୍ତି ମାନଙ୍କର ଏକା ସମୟରେ ଅଭୁ୍ୟଦୟକୁ ନେଇ ନିଜ ଚିନ୍ତା ଓ ଉଦ୍ ବେଗ ଯେଉଁକିଛି ବିଶିଷ୍ଠ ବ୍ୟକ୍ତି ସର୍ବସାଧାରଣଙ୍କ ସାମ୍ନାରେ ରଖି ଆସୁଥିଲେ ସେମାନଙ୍କ ଭିତରେ ଥିଲେ ବିଶିଷ୍ଟ ସାମଜବାଦୀ କିଶନ ପଟ୍ଟନାୟକ, ରବି ରାୟ, ବିଶିଷ୍ଟ ଗାନ୍ଧୀବାଦୀ ମନମୋହନ ଚୌଧୁରୀ, ବିପ୍ଳବୀ ଗଣନାଥ ପାତ୍ର, ବିଦ୍ୱାନ ବୀରେନ୍ଦ୍ର ନାୟକ ଏବଂ ଅନ୍ୟାମାନେ । ତେବେ ସେମାନଙ୍କର ଆଲୋଚନାର ପ୍ରଭାବ ଓଡ଼ିଶାର କୁହାଳିଆ ଶ୍ରେଣୀ ଉପରେ ପଡ଼ିନଥିଲା । ଏହି କୁହାଳିଆ ଶ୍ରେଣୀ ଉଦାରୀକରଣ, ଘରୋଇକରଣ ଓ ଜଗତୀକରଣର କାର୍ଯ୍ୟସୂଚୀକୁ ବଜାରୀ ଶକ୍ତିମାନଙ୍କର ପ୍ରଭାବରେ ରହି ଉଦରସ୍ତ କରିଚାଲିଥିଲେ ।
ଏଠି କହିବାର ଉଦ୍ଦେଶ୍ୟ ଏହାଯେ ଅର୍ଥନୈତିକ ସଂସ୍କାର ପର୍ବ ଅନେକାଂଶରେ ନିର୍ବାଚନ ଅଭିଯାନରେ ‘ଇସ୍ତାହାର’ ପ୍ରତିଯୋଗିତାଟିକୁ ଅପ୍ରାସଙ୍ଗିକ କରିଦେଲା । ପୁଞ୍ଜି ବା ପୁଞ୍ଜିନିବେଶ ଯେତେବେଳେ ପ୍ରାଥମିକତା ପାଏ, ସେତେବେଳେ ନିର୍ବାଚନୀ ଇସ୍ତାହାରଟି ପ୍ରାସଙ୍ଗିକତା ହରାଇଥାଏ । ପ୍ରଚୁର ଲାଭର ପ୍ରତିଶୃତି ନଥିଲେ ଘରୋଇପୁଞ୍ଜି ଲଗାଣ ସମ୍ଭବ ହୋଇନଥାଏ । ରାଷ୍ଟ୍ର ବା ରାଷ୍ଟ୍ରରେ କ୍ଷମତାକୁ ଆସିବା ପାଇଁ ପ୍ରତିଯୋଗିତା କରୁଥିବା ରାଜନୈତିକ ଦଳମାନଙ୍କ ଭିତରୁ ଯେଉଁମାନେ ସେଭଳି ପ୍ରତିଶ୍ରୁତି ଦେଇପାରିବେ ନାହିଁ, ପୁଞ୍ଜି ବା ପୁଞ୍ଜିର ଖେଳ ଖେଳୁଥିବା ଶକ୍ତିମାନେ ସେଭଳି ଦଳମାନଙ୍କୁ କ୍ଷମତାରେ ରଖିବା ପାଇଁ ଚାହିଁବେ ନାହିଁ । ଏକ ଜନମଙ୍ଗଳ ରାଷ୍ଟ୍ରର ସ୍ୱପ୍ନ ଦେଖି ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ କରୁଥିବା ଗୋଟିଏ ରାଜନୈତିକ ଦଳ ପୁଞ୍ଜି ଖଟାଉଥିବା ଶକ୍ତିମାନଙ୍କ ପାଇଁ ଅସୁରକ୍ଷାର ଭାବନା ଆଣିଦେଇଥିାଏ । ଭାରତ ଭଳି ଗୋଟିଏ ଦେଶରେ ପ୍ରାକୃତିକ ସମ୍ପଦର ଲୁଣ୍ଠନ, ଶ୍ରମର ଉତ୍ପୀଡ଼ନ ଏବଂ ସୁହାଇଲା ଭଳି ବଜାରର ବ୍ୟବସ୍ଥା ସୁନିଶ୍ଚିତ ନ କରାଇପାରିଲେ ପୁଞ୍ଜି ଲଗାଣ ପାଇଁ ଆଗ୍ରହ ସୃଷ୍ଟି ହୋଇନଥାଏ । ସେଥିପାଇଁ ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତି କୌଣସି କ୍ଷମତାଲିପ୍ସୁ ରାଜନୈତିକ ଦଳ ପାଇଁ ଏକ ଆଗ୍ରହର ବିଷୟ ହୋଇ ଆଉ ରହିନାହିଁ । ଭାରତର ଜନଗଣ ବି ଶାସକ ଦଳମାନଙ୍କ ନିର୍ବାଚନୀ ଇସ୍ତାହାରକୁ ଦେଖିବା ବା ଅପେକ୍ଷା କରିବାର ଅଭ୍ୟାସ ଅନେକ ଦିନରୁ ଛାଡ଼ି ସାରିଲେଣି । ନିର୍ବାଚନୀ ଇସ୍ତାହାର ବିଲୟ ନିର୍ବାଚନୀ ଗଣତନ୍ତ୍ରକୁ ଆଦର୍ଶବାଦ ବିହୀନ ଓ ବିଚାରଶୂନ୍ୟ କରିଦେଇଛି । ଜନଗଣଙ୍କୁ ସବୁ ଶାସକ ଦଳ ଏକାଭଳି ଦେଖାଯାଉଥିବା ସ୍ୱାଭାବିକ କଥା । ଆମ କୁହାଳିଆ ଶିକ୍ଷିତସମାଜ ନିର୍ବାଚନ ପ୍ରକ୍ରିୟାରେ ଭାଗନେବାର ଅଭ୍ୟାସକୁ ବି ହରାଇ ବସିଲେଣି । ନିର୍ବାଚନକୁ ‘ମାଗଣା ଖାଦ୍ୟ’ ଉପରେ ନିର୍ଭର କରି ବଞ୍ଚୁଥିବା ଲୋକମାନଙ୍କ ପାଇଁ ଏକ ୫ବର୍ଷିଆ ଉତ୍ସବ ହିସାବରେ ସମସ୍ତେ ଦେଖି ଆସିଛନ୍ତି । ୯୭କୋଟି ଭୋଟରମାନଙ୍କ ଭିତରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିଜର ବକ୍ତବ୍ୟ ମୁତାବକ ୮୧କୋଟି ୩୫ଲକ୍ଷ ଲୋକ ମାଗଣା ଖାଦ୍ୟ ପାଉଛନ୍ତି । ନିର୍ବାଚନ ସମୟରେ ପରିବାର ପିଛା ବା କେଉଁଠି କେଉଁଠି ମୁଣ୍ଡପିଛା ୧ହଜାର ଟଙ୍କା ମିଳିବାର ସମ୍ଭାବନା ଥିବା ଲୋକମାନଙ୍କ ପାଇଁ ଗୋଟିଏ ରାଜନୈତିକ ଦଳର ‘ଇସ୍ତାହାର’, ‘ଆଦର୍ଶ’ ଓ ‘ବିଚାର’ର ମୂଲ୍ୟ କିଛି ନଥାଏ । ଭାରତୀୟ ସମାଜରେ ଯଦି କଥାକଥିତ ଶିକ୍ଷିତ ବର୍ଗଙ୍କର ଆଗକୁ ଦେଖିବାର ଅଭ୍ୟାସ ନାହିଁ, ତେବେ ଜୀବନ ଜୀବିକା ସଂଘର୍ଷରେ ଥିବା ଲୋକମାନଙ୍କଠାରୁ ଆମେ ଦୂରଦୃଷ୍ଟି ଆଶା କରିବା କେମିତି ! ତଥାପି ତ ଓଡ଼ିଶାର ଯେଉଁ ସବୁ ଅଞ୍ଚଳରେ ରାଷ୍ଟ୍ରର ଅନେକ ନିର୍ଯାତନା ସତ୍ତ୍ୱେ କିଛି ଜନଆନ୍ଦୋଳନ ସକ୍ରିୟ ଭାବରେ ଚାଲିଛି, ସେଠାକାର ଆଦିବାସୀ ଓ ଦଳିତ ଜନଗଣ ଭବିଷ୍ୟତ ପିଢ଼ିକୁ ଆଖି ଆଗରେ ରଖି ନିଜର ସଂଗ୍ରାମ ଜାରି ରଖିଛନ୍ତି । କେଉଁଠି କେଉଁଠି ଭୋଟ ମଧ୍ୟ ବର୍ଜନ କରିଛନ୍ତି ।
ନିର୍ବାଚନ ପାଇଁ ସ୍ୱତନ୍ତ୍ର ଆଗ୍ରହ ଆସିବାର ପରିସ୍ଥିତି ବି ନାହିଁ । ଗତ ଦଶବର୍ଷ ଭିତରେ ଗଣମାଧ୍ୟମକୁ ଦେଖି ଆସୁଥିବା ଲୋକେ ଏହି କଥା ଅନୁଭବ କରି ପାରୁଥିବେ ଯେ ବର୍ଷକ ୩୬୦ଦିନ ଓ ସପ୍ତାହକ ୭ଦିନ ୨୪ଘଣ୍ଟା ଶାସକ ଦଳର ସରକାର ମାନେ ନିଜର ‘ପ୍ରତିଶ୍ରୁତି’ ଏବଂ ‘ଉପଲବ୍ଧି’ ଗୁଡ଼ିକୁ ନେଇ କିଭଳି ବିଜ୍ଞାପନ ମାଧ୍ୟମରେ ପ୍ରଚାର କରି ଆସିଛନ୍ତି । ନିର୍ବାଚନୀ ସମୟରେ ନୂଆକିଛି କରିବାର ନାହିଁ ବା ଦେଖାଇବାର ନାହିଁ । ଭାଜପା ସରକାରଙ୍କର ଓ ଓଡ଼ିଶାର ବିଜେଡ଼ି ସରକାରଙ୍କର ବିଜ୍ଞାପନ ଯାତ୍ରାକୁ ବର୍ଷତମାମ ଦେଖୁଥିବା, କଂଗ୍ରେସ ଦଳ ଓ ପଶ୍ଚିମବଙ୍ଗ ଏବଂ ତ୍ରିପୁରାରେ କେବେ ଦୀର୍ଘଦିନ ଧରି କ୍ଷମତାରେ ଥିବା ବାମ ଦଳମାନେ ହୁଏତ ଭାବୁଥିବେ ସେମାନେ ନିଜେ ଶାସନ କାଳରେ ନିଜେ ଆଣିଥିବା କିଛି ନୀତି ଓ ଆଇନର ଉପଯୁକ୍ତ ପ୍ରଚାର କରାଇପାରିଲେ ନାହିଁ କାହିଁକି! କଂଗ୍ରେସ ନେତୃତ୍ୱରେ ୨୦୦୪ରୁ ୨୦୧୪ ଭିତରେ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ ଅର୍ଥମନ୍ତ୍ରୀ ଚିଦାମ୍ବରମଙ୍କ ବିରୋଧ ସତ୍ତ୍ୱେ ଜାତୀୟ ଗ୍ରାମ୍ୟ ରୋଜଗାର ସୁରକ୍ଷା ଆଇନ, ସୂଚନା ଅଧିକାର ଆଇନ, ଶିକ୍ଷା ଅଧିକାର ଆଇନ, ଜଙ୍ଗଲ ଅଧିକାର ଆଇନ, ଜମି ଅଧିଗ୍ରହଣ ସଂଶୋଧନ ଆଇନ, ରାଷ୍ଟ୍ରୀୟ ଖାଦ୍ୟ ନିରାପତ୍ତା ଆଇନ ଓ ରାଷ୍ଟ୍ରୀୟ ଗ୍ରାମ୍ୟ ସ୍ୱାସ୍ଥ୍ୟ ଅଭିଯାନ ଭଳି ଅନେକ D.P.S.P ନିର୍ଦ୍ଦେଶିତ ପଦକ୍ଷେପ ଆସିପାରିଥିଲା । କିନ୍ତୁ ନିଜେ କଂଗ୍ରେସ ଦଳର କର୍ମୀମାନେ ଏହି କଥା ଲୋକଙ୍କୁ କହି ପାରିଲେ ନାହିଁ । ଗଣମାଧ୍ୟମର ଆମ ଶୋଇବାଘର ଏବଂ ଆମ ପକେଟ ଭିତରକୁ ପ୍ରବେଶ କରିବା ଭିତରେ କାମ ନକରି ଅଧିକ ସଫଳ ଭାବେ ପ୍ରଚାର କରିପାରୁଥିବା ଦଳମାନେ ଲୋକଙ୍କ ପାଖରେ ସହଜରେ ପହଞ୍ଚି ପାରୁଛନ୍ତି ।
ପ୍ରଚାର ଅଭିଯାନ ବା ଲଗାମଛଡ଼ା ବିଜ୍ଞାପନର ସଂସ୍କୃତି ନିର୍ବାଚନ ପ୍ରକ୍ରିୟାକୁ ଏତେ ବ୍ୟୟବହୁଳ କରିଦେଇଛି ଯେ, ଲୋକମାନେ ବି ଭାବୁଛନ୍ତି ଯିଏ ଅଧିକ ଖର୍ଚ୍ଚକରିବ, ସେ ହିଁ ବିଜୟ ଲାଭ କରିବ । ସବୁଠାରୁ ସୁବିଧାରେ ଥାନ୍ତି ସରକାରରେ ଥିବା ରାଜନୈତିକ ଦଳମାନେ । ପୂର୍ବରୁ ତ ଉଚ୍ଚତମ ନ୍ୟାୟାଳୟ ଦ୍ୱାରା ଅସାମ୍ବିଧାନିକ ଘୋଷିତ ନିର୍ବାଚନୀ ପାଣ୍ଠି ଦୁର୍ନୀତି ସମ୍ପର୍କରେ ଆଲୋଚନା କରାଯାଇଛି । ଶାସକ ଦଳମାନେ ବିଶେଷ କରି କେନ୍ଦ୍ରର ଭାରତୀୟ ଜନତା ପାର୍ଟି ଓ ଆଞ୍ଚଳିକ ଦଳଭାବେ ବିଜୁ ଜନତା ଦଳ ଏହି ପ୍ରକ୍ରିୟାରେ କେତେ ଲାଭବାନ ହେଉଛନ୍ତି ଆଲୋଚନା କରାଯାଇସାରିଛି । ଆଜି ଯେତେବେଳେ ଜାତୀୟ ପୃଷ୍ଠଭୂମିରେ ପ୍ରତିଯୋଗିତା କରୁଥିବା ଦୁଇଟି ରାଷ୍ଟ୍ରୀୟଦଳ ଶାସକ ଭାଜପା ଓ ବିରୋଧି କଂଗ୍ରେସ ଦଳର ଆର୍ଥିକ ସ୍ଥିତି ଦେଖିବା , ତେବେ ଜାଣିପାରିବା ଯେ ନିର୍ବାଚନୀ ପ୍ରତିଯୋଗିତା କିଭଳି ସନ୍ତୁଳନ ହରାଇ ବସିଛି । ଗଣତାନ୍ତ୍ରିକ ସଂସ୍କାର ପାଇଁ ସଙ୍ଘ ବା ଏ.ଡ଼ି.ଆର୍ ତରଫରୁ ଗତ ଫେବୃଆରୀ ମାସରେ କରାଯାଇଥିବା ଏକ ବିଶ୍ଳେଷଣରେ ଜଣାପଡ଼େ ଯେ ୨୦୨୨-୨୩ ଆର୍ଥôକ ବର୍ଷରେ ପ୍ରମୁଖ ରାଜନୈତିକ ଦଳମାନେ ସାମଗ୍ରିକ ଭାବେ ଯେତିକି ଅର୍ଥ ପାଇଥିଲେ ସେଥିରୁ ୭୬ପ୍ରତିଶତ କେବଳ ଭାଜପାକୁ ମିଳିଥିଲା । ୨୦୨୧-୨୨ରେ ଭାଜପାର ଆୟ ୧୯ଶହ ୧୭କୋଟି ଟଙ୍କା ଥିଲାବେଳେ ବର୍ଷକ ଭିତରେ ଅର୍ଥାତ୍ ୨୦୨୨-୨୩ବେଳକୁ ସେମାନଙ୍କର ଆୟର ବୃଦ୍ଧିଘଟି ୨ହଜାର ୩ଶହ ୬୦କୋଟିରେ ପହଞ୍ଚିଥିଲା। ଠିକ୍ ସେହି ସମୟ କାଳ ଭିତରେ ଅର୍ଥାତ୍ ୨୦୨୧-୨୨ରେ କଂଗ୍ରେସ ଦଳର ଆୟ ୫ଶହ ୪୧କୋଟି ଥିଲାବେଳେ ତା’ ପରବର୍ଷ ଅର୍ଥାତ୍ ୨୦୨୨-୨୩ରେ କଂଗ୍ରେସର ଆୟ ହ୍ରାସ ପାଇ ୪୫୨କୋଟିରେ ପହଞ୍ଚିଥିଲା । ଏହି ଭିତରେ ମୋଦୀ ସରକାର କଂଗ୍ରେସ ଦଳର ବ୍ୟାଙ୍କ ଆକାଉଣ୍ଟକୁ ବନ୍ଦ କରିଦେବାର ଖବର ମଧ୍ୟ ଆମେ ପାଇଛନ୍ତି । ଏଭଳି ଏକ ଆର୍ଥିକ ଅସମତାର ପୃଷ୍ଠଭୂମିରୁ କଂଗ୍ରେସ ଦଳ ଭାଜପା ସହ କିଭଳି ମୁକାବିଲା କରିପାରିବ, ତାହା ପ୍ରଶ୍ନବାଚୀ ସୃଷ୍ଟିକରେ । ସେହିଥି ପାଇଁ ହୁଏତ କଂଗ୍ରେସ ପ୍ରାର୍ଥୀ ମାନେ ଦଳ ତରଫରୁ ଟିକେଟ ପାଇଲେ ବି ନିର୍ବାଚନ ଲଢ଼ିବା ପାଇଁ ଆଗ୍ରହୀ ନୁହଁନ୍ତି । ଛୋଟଛୋଟ ଦଳ ବା ଜନବାଦୀ ବ୍ୟକ୍ତିବିଶେଷଙ୍କ ପାଇଁ ନିର୍ବାଚନ କ୍ଷେତ୍ର ଏକ ଅପହଞ୍ଚ ଇଲାକା । ଗୋଟିଏ ପଟେ ଭାଜପା ହାତରେ ଗଣମାଧ୍ୟମ, ନିର୍ବାଚନ ଆୟୋଗ ଓ ଇ.ଡ଼ି ଏବଂ ସି.ବି.ଆଇ ଭଳି ସଂସ୍ଥା ଥିଲାବେଳେ ଅନ୍ୟପଟେ ପ୍ରମୁଖ ବିରୋଧି ଦଳମାନେ କେବଳ ଉଚ୍ଚତମ ନ୍ୟାୟାଳୟ ଏବଂ ସ୍ୱାଧୀନ ୟୁ ଟ୍ୟୁବରମାନଙ୍କ ଉପରେ ନିର୍ଭରଶୀଳ ହୋଇଆସିଛନ୍ତି । ପ୍ରଚୁର କର୍ପୋରେଟ ଅର୍ଥପାଇ ଭାଜପା ଦଳ ଦେଶର ପ୍ରାୟ ସମସ୍ତ ଜିଲ୍ଲାରେ ନିଜର ସଂଗଠନ ବୃଦ୍ଧିପାଇଁ ଭବ୍ୟ କୋଠା ନିର୍ମାଣରେ ଲାଗିପଡ଼ିଛି । ସଂଗଠନ ଦୃଷ୍ଟିରୁ ମଧ୍ୟ ଭାଜପା ଦଳ ସବୁଠାରୁ ଆଗରେ । ସଂଘ ପରିବାରର ଉତ୍ସର୍ଗୀକୃତ କୋଟିକୋଟି କର୍ମୀ ନିରବରେ ଏହି ଦଳପାଇଁ କାମ କରିଚାଲିଛନ୍ତି । କଂଗ୍ରେସ ଭଳି ଦଳମାନଙ୍କର ସଂଗଠନ ଅନେକ ଦିନରୁ ଦୁର୍ବଳ ହୋଇଚାଲିଛି । କଂଗ୍ରେସର ବରିଷ୍ଠ ନେତାମାନେ ଏହି ଦଳକୁ ଅକାମୀ କରାଇବାରେ ବଡ଼ ଭୂମିକା ନିଭାଇ ଆସିଛନ୍ତି । ଯେଉଁ ଗାନ୍ଧୀ ପରିବାରକୁ ନରେନ୍ଦ୍ର ମୋଦୀ ଓ ତାଙ୍କ ଅନୁଗାମୀ ମାନେ ରାତି ପାହିଲେ ଗାଳିଦେବା ଆରମ୍ଭ କରିଦିଅନ୍ତି, ସେମାନେ ନଥିଲେ ହୁଏତ କଂଗ୍ରେସ ଦଳଟି ଭାଜପା ଭିତରେ ବିଲୀନ ହୋଇସାରନ୍ତାଣି ଏବଂ ମୋଦୀଙ୍କ ବିରୋଧି ଶୂନ୍ୟ ଭାରତ ଅନେକ ଦିନରୁ ସାକାର ହୋଇସାରନ୍ତାଣି । ଉଦାରୀକରଣ ପରିବର୍ତ୍ତୀ ପର୍ଯ୍ୟାୟରେ ବାମପନ୍ଥୀ ଦଳମାନଙ୍କ ଉପରେ ବଜାର ଶକ୍ତିମାନଙ୍କ ଆଡ଼ୁ ଯେଉଁଭଳି ଆକ୍ରମଣ ଚାଲିଛି ସେମାନେ ବି ନିଜର ସଂଗଠନ ବୃଦ୍ଧି କରାଇ ପାରୁନାହାନ୍ତି । ବିଶେଷକରି ଯୁବ ଓ ଛାତ୍ରମାନଙ୍କର ବାମପନ୍ଥୀ ସଂଗଠନ ବା କାର୍ଯ୍ୟକ୍ରମ ଭିତରେ ପ୍ରବେଶ କରିବା ପାଇଁ ଆଗ୍ରହ ଦେଖିବାକୁ ମିଳୁନାହିଁ । ବାମ ଦଳମାନେ ଏବେ ବହୁଧା ବିଭାଜିତ, ଘୋର ଅର୍ଥାଭାବ ଶିକାର ଏବଂ ଏମାନେ ସବୁବେଳେ ଆଉ କାହା ଉପରେ ନିର୍ଭରଶୀଳ ସେମାନଙ୍କୁ ଏକାଠି କରାଇବା ପାଇଁ । ଜନଗଣଙ୍କ ଭିତରେ ନିଜପ୍ରତି ଆସ୍ଥା ଓ ବିଶ୍ୱାସ ସୃଷ୍ଟି କରାଇବା ଏମାନଙ୍କ ପାଇଁ ଏକ ବଡ଼ ଆହ୍ୱାନ । ଏଭଳି ଏକ ବିକୃତ ଏବଂ ନୈରାଶ୍ୟଜନକ ରାଜନୈତିକ ପରିସ୍ଥିତି ସାଧାରଣ ଓ ନିରୀହ ମଣିଷମାନଙ୍କୁ ନିର୍ବାଚନୀ ଗଣତନ୍ତ୍ର ଆଡ଼କୁ ଆକୃଷ୍ଟ କରିବ କେମିତି !
ଏଥର ଆମେ ନୂଆ ଭୋଟରମାନଙ୍କର ପ୍ରତିକ୍ରିୟା ଯାହା କିଛି ଦେଖୁଛୁ, ସେଥିରେ ବି ସେଭଳି କିଛି ଉତ୍ସାହ ବା ଆଗ୍ରହ ଦେଖିବାକୁ ମିଳୁନାହିଁ । ଭାରତର ନିର୍ବାଚନୀ ପ୍ରକ୍ରିୟାକୁ ନେଇ ଗଭୀର ଭାବେ ଚିନ୍ତା କରିବାର ସମୟ ଆସିଛି । ନିର୍ବାଚନରେ ଅର୍ଥବଳକୁ ଯଦି ସମ୍ପୂର୍ଣ୍ଣ ଭାବେ ଅକାମୀ ନକରାଯାଏ ,ତେବେ ଗଣତନ୍ତ୍ର କେବଳ ଏକ ପଇସାବାଲାଙ୍କ ଖେଳ ହୋଇ ରହିଯିବ ଏବଂ ଅଧିକାଂଶ ଭାରତୀୟ ଅସହାୟ ଭାବେ ଦେଖଣାହାରୀ ହୋଇ ରହିଯିବେ । ସେଥିପାଇଁ ନିର୍ବାଚନରେ କାହାର ବିଜୟ ବା କାହାର ପରାଜୟ ଯେତିକି ସତ୍ୟ, ତାହାଠାରୁ ଅଧିକ କଠୋର ସତ୍ୟଟି ହେଉଛି ଯେ ଗଣତନ୍ତ୍ର ଚେର ନ ନେଇଥିବା ଭୟଙ୍କର ବିଷମତାରେ ଭରପୂର ଭାରତ ଭଳି ରାଷ୍ଟ୍ରର ଜନଗଣ ପ୍ରତିଟି ନିର୍ବାଚନ ପରେ ପୁଣି ଏକ ନିର୍ବାଚନ ଆସିବା ଯାଏଁ ଏକ ପରାଜିତର ଭାବନା ନେଇ ଦିନ ବିତାଉଛନ୍ତି । ଏହି ପରିସ୍ଥିତିରେ ପରିବର୍ତ୍ତନ କିଭଳି ଆସିବ, ଚିନ୍ତାକରିବା ଆମ ସମସ୍ତଙ୍କର ସାମୂହିକ ଦାୟିତ୍ୱ ।
Comments
0 comments