ଆମେ ଆମର ପୂର୍ବବର୍ତ୍ତୀ ସଂଖ୍ୟାମାନଙ୍କରେ ‘ନିର୍ବାଚନୀ ବଣ୍ଡ୍’ ଓ ଉଚ୍ଚତମ ନ୍ୟାୟାଳୟଙ୍କର ନିର୍ଦ୍ଦେଶ ପରେ ଏହାର ଉନ୍ମୋଚନକୁ ନେଇ ଯେଉଁ ପରିସ୍ଥିତି ଉପୁଜିଛି, ସେହି ସମ୍ପର୍କରେ କିଛି କିଛି ଆଲୋଚନା କରିଛୁ । ଏଥିପାଇଁ ପାଠକୀୟ ଆଦର ମଧ୍ୟ ପାଇଛୁ । ତେବେ ‘ନିର୍ବାଚନୀ ବଣ୍ଡ୍’ ଉନ୍ମୋଚନ ଅନେକ ଜଘନ୍ୟ ଘଟଣାକୁ ପ୍ରାୟ ପ୍ରତ୍ୟେକ ଦିନ ଲୋକଲୋଚନକୁ ଆଣୁଛି । ସବୁଥିରୁ ସ୍ପଷ୍ଟ ହେଉଯାଉଛି ଯେ ସ୍ୱଚ୍ଛତା ବଦଳରେ ‘ନିର୍ବାଚନୀ ବଣ୍ଡ୍’ ଅନେକ ପରଦା ପଛର ଘଟଣାଗୁଡ଼ିକୁ ଲୁଚାଇ ରଖିବାରେ ସାହାଯ୍ୟ କରିଛି । ଯେମିତିକି କରୋନା ସମୟରେ ଔଷଧ ପରୀକ୍ଷାରେ ବିଫଳ ହୋଇଥିବା କମ୍ପାନୀ ମାନଙ୍କୁ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଔଷଧ ଡ଼ାକ୍ତର ମାନଙ୍କର ବିରୋଧସତ୍ତ୍ୱେ ରୋଗୀମାନଙ୍କୁ ଦିଆଯାଇଛି । ଏହି କମ୍ପାନୀମାନେ ମୋଦୀ ସରକାରଙ୍କର ଦଳ ଭାଜପାକୁ ‘ନିର୍ବାଚନୀ ବଣ୍ଡ୍’ କିଣି ଉପହାର ଦେଇଛନ୍ତି । ସେହିଭଳି ଟିକା କମ୍ପାନୀଙ୍କ ସମ୍ପର୍କରେ ମଧ୍ୟ ଅନୁରୂପ ତଥ୍ୟ ଆସିଛି ।
ଗୋଟିଏ ପଟେ ମଣିଷ ସମାଜ ପ୍ରତି ଆସିଥିବା ଏକ ଘୋର ବିପର୍ଯ୍ୟୟ ବେଳେ ଏବଂ ଔଷଧ କମ୍ପାନୀମାନେ ମୁନାଫା କମାଇ ଶାସକଦଳକୁ ଆର୍ଥିକ ଅନୁଦାନ ଯୋଗାଇ ଚାଲିଥିବାବେଳେ, ଏମାନଙ୍କ ଦ୍ୱାରା ପ୍ରସ୍ତୁତ ଔଷଧ ବ୍ୟବହାର କରି ଦେଶ ବିଦେଶରେ ଶିଶୁ ଓ ବୟସ୍କ ରୋଗୀମାନେ ମୃତ୍ୟୁ ମୁଖରେ ପଡ଼ିଛନ୍ତି ବା ଅଧିକ ରୋଗଗ୍ରସ୍ତ ହୋଇଛନ୍ତି । ନିର୍ବାଚନ ପୂର୍ବରୁ ‘ନିର୍ବାଚନୀ ବଣ୍ଡ୍’କୁ ନେଇ ଆହୁରି ଅନେକ ତଥ୍ୟ ସାମ୍ନାକୁ ଆସିବାର ଅଛି । ତେବେ ଏହି ‘ନିର୍ବାଚନୀ ବଣ୍ଡ୍’ କାରବାରର କିଛି କରୁଣ ପରିଣତି ସମ୍ପର୍କରେ ଉଲ୍ଲେଖ କରାଯାଇପାରେ ଯଦିଓ ଆମେ ସଚେତନ ଅଛୁ ଯେ ଆମର ସାମୂହିକ ସମ୍ବେଦନଶୀଳତା ଅନେକ ଦିନରୁ ଶିଥିଳ ହୋଇଯାଇଛି ।
କିଛି ବିକଳ୍ପ ଗଣମାଧ୍ୟମ ସୌଜନ୍ୟରୁ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଚକିତ ହେଲାଭଳି ଘଟଣାଟି ହେଉଛି ଯେ ଅନୈତିକ କାର୍ଯ୍ୟକଳାପ କରୁଥିବା ବା ଭାଜପାର ନିୟନ୍ତ୍ରଣରେ ଥିବା ‘ଇଡ଼ି’, ‘ସିବିଆଇ’ ଓ ‘ଆଇଟି’ ବିଭାଗର ଚାପରେ ପଡ଼ି କମ୍ପାନୀମାନେ ଏହି ଦଳକୁ ‘ନିର୍ବାଚନୀ ବଣ୍ଡ୍’ କିଣିକି ଦେଇଛନ୍ତି, ତାହା ନୁହଁ । ବରଂ କିଛି ଦଳିତ ମଧ୍ୟ ‘ନିର୍ବାଚନୀ ବଣ୍ଡ୍’ ‘କିଣି’ ଭାଜପା ଓ ଶିବସେନାକୁ ଦେଇଛନ୍ତି! ଏହି ଦଳିତମାନଙ୍କର ପକ୍ଷରୁ ପୋଲିସ ପାଖରେ ଅଭିଯୋଗ କରାଯାଇଥିଲା, ଯାହାକି ଉଚ୍ଚତମ ନ୍ୟାୟାଳୟର ରାୟ ଯୋଗୁଁ ‘ନିର୍ବାଚନୀ ବଣ୍ଡ୍’ ଅସାମ୍ବିଧାନିକ ଏବଂ ଅସିଦ୍ଧ ଘୋଷିତ ହେବା ପରେ ଘଟିଥିଲା ।
ସେମାନେ କେମିତି ଠକାମିରେ ପଡ଼ି ଗୋଟିଏ କମ୍ପାନୀର ପ୍ରରୋଚନାରେ ନିଜର ଜମି ଅଧିଗ୍ରହଣ କ୍ଷତିପୂରଣ ଟଙ୍କା ଯାହାର ପରିମାଣ ହେଉଛି ୧୧କୋଟି ୧୪ହଜାର ‘ନିର୍ବାଚନୀ ବଣ୍ଡ୍’ କିଣିବାରେ ବାଧ୍ୟ ହୋଇଥିଲେ । ଗୁଜୁରାଟର କଚ୍ଚ୍ ଜିଲ୍ଲା ଅନ୍ତର୍ଗତ ଅଞ୍ଜର ନାମକ ଏକ ଛୋଟ ସହରରେ ‘ୱେଲସ୍ପାନ’ କମ୍ପାନୀ ୪୩ ହଜାର ବର୍ଗ ମିଟରର ଏକ ଦଳିତ ଜମି ଅଧିଗ୍ରହଣ କରିଥିଲେ । ଯେତେବେଳେ ସେମାନଙ୍କୁ କ୍ଷତିପୂରଣ ଟଙ୍କା ଦେବାକଥା ଉଠିଲା, ଏହି କମ୍ପାନୀର ବରିଷ୍ଠ ମହାପ୍ରବନ୍ଧକ ମହେନ୍ଦ୍ର ସିଂ ସୋଧ ଏହି ଦଳିତମାନଙ୍କୁ ନିଜ ଦପ୍ତରକୁ ଡାକି ବୁଝାଇଲେ ଯେ ଏତେଗୁଡ଼ିଏ ଟଙ୍କା ସେମାନେ ନେଲେ ଆୟକର ବିଭାଗ ତାଙ୍କ ପ୍ରତି ସମସ୍ୟା ସୃଷ୍ଟି କରିବ । କିନ୍ତୁ ଯଦି ସେମାନେ ‘ନିର୍ବାଚନୀ ବଣ୍ଡ୍’ କିଣନ୍ତି ତେବେ ଏହି ଟଙ୍କାଟି କିଛି ବର୍ଷ ଭିତରେ ଦେଢ଼ଗୁଣା ବଢ଼ିଯିବ । ବିଚରା ଦଳିତ ମାନେ ଏହି ମହାଶୟଙ୍କୁ ବିଶ୍ୱାସ କରି ‘ନିର୍ବାଚନୀ ବଣ୍ଡ୍’ କିଣିବା ପାଇଁ ରାଜି ହୋଇଗଲେ ।
୧୧ ଅକ୍ଟୋବର ୨୦୨୩ ଦିନ ସେମାନେ ଏହି କମ୍ପାନୀ ପରାମର୍ଶରେ ୧୧କୋଟି ୧୪ହଜାର ଟଙ୍କାର ବଣ୍ଡ୍ କିଣି ଦୁଇଟି ରାଜନୈତିକ ଦଳକୁ ଦେଇଥିଲେ । ଭାଜପାକୁ ମିଳିଥିବା ୧୦କୋଟି ଟଙ୍କାର ବଣ୍ଡ୍ ଏହି ଦଳ ଭାରତୀୟ ଷ୍ଟେଟ ବ୍ୟାଙ୍କରୁ ଠିକ୍ ୫ଦିନ ପରେ ଅର୍ଥାତ୍ ୧୬ ଅକ୍ଟୋବର ୨୦୨୩ ଦିନ ଉଠାଇ ନେଇ ସାରିଛନ୍ତି । ସେହିଭଳି ଠିକ୍ ୭ଦିନ ପରେ ଏକ୍ନାଥ ସିନେ୍ଧଙ୍କ ନିୟନ୍ତ୍ରଣରେ ଥିବା ଶିବସେନା ୧୮ଅକ୍ଟୋବର ୨୦୨୩ ଦିନ ଏକ କୋଟି ୧୪ ହଜାର ଟଙ୍କା ଉଠାଇ ନେଇ ସାରିଛନ୍ତି । ଯଦି ଉଚ୍ଚତମ ନ୍ୟାୟାଳୟଙ୍କର ରାୟ ଆସିନଥାନ୍ତା, ଆମେ ଏହି ତଥ୍ୟ କେବେ ବି ପାଇପାରିନଥାନ୍ତେ ।
‘ନିର୍ବାଚନୀ ବଣ୍ଡ୍’ ଏକ ପୁଞ୍ଜିନିବେଶ ନୁହଁ ଏବଂ ଏହା ଏକ ଅନୈତିକ ରାଜନୈତିକ ଚାନ୍ଦା ଜାଣିବା ପରେ କ୍ଷତିଗ୍ରସ୍ତ ଦଳିତମାନଙ୍କ ତରଫରୁ ହରେସ୍ ସଭାକାରା ଥାନାରେ ଏତଲା ଦେଇଛନ୍ତି । ସେ ଆହୁରି ଏକ ତଥ୍ୟ ସେଥିରେ ଉଲ୍ଲେଖକରି କହିଛନ୍ତି ଯେ ସେମାନଙ୍କୁ ‘ନିର୍ବାଚନୀ ବଣ୍ଡ୍’ କିଣିବା ପାଇଁ ପ୍ରର୍ବତ୍ତାଉଥିବା କମ୍ପାନୀ ଅଧିକାରୀମାନଙ୍କ ସହ ଥିଲେ ଭାଜପାର ସହର ସଭାପତି ଡ୍ୟାନି ରଜନିକାନ୍ତ ଶାହା । ତେବେ ଏଯାବତ କୌଣସି ପୋଲିସ କାର୍ଯ୍ୟାନୁଷ୍ଠାନର ସୂଚନା ନାହିଁ । ଏହି ବିଚରା ଦଳିତ ଚାଷୀମାନେ ନିଜ ଜୀବିକାର ଆଧାର ଜମିତକ ତ ହରାଇଲେ, ଏଥି ସହିତ ମିଳିବାକୁ ଥିବା ୧୧କୋଟି ୧୪ହଜାର ଟଙ୍କା ମଧ୍ୟ ହରାଇଲେ । ଏବେ ଏମାନଙ୍କର ସାହାଭରସା କେହି ନାହିଁ । ‘ନିର୍ବାଚନୀ ବଣ୍ଡ୍’ ଯେ ଦଳିତମାନଙ୍କୁ ଏଭଳି ଏକ କରୁଣ ଅବସ୍ଥାକୁ ଆଣିପାରିବ, ଏହି କଥା ଅନ୍ତତଃ ଆମେ କେହି କେବେ କଳ୍ପନା କରିନଥିବା । ‘ନିର୍ବାଚନୀ ବଣ୍ଡ୍’କୁ ପୁଞ୍ଜି ବିନିଯୋଗ କହି ସେଥିରୁ ପ୍ରଚୁର ଲାଭ ପାଇବାର ଲୋଭ ଦେଖାଇ ଗରିବ ଲୋକମାନଙ୍କୁ ଏହି ବଣ୍ଡ୍ କିଣିବା ପାଇଁ ଭାରତର ଅନ୍ୟ କେଉଁଠି ଗୁଜୁରାଟ ଭଳି ଉଦ୍ୟମ ହୋଇଛି ଜାଣିବା ପାଇଁ ସାମାଜିକ ସଂଗଠନମାନଙ୍କ ତରଫରୁ ଅନୁସନ୍ଧାନ ହେବା ଉଚିତ୍ ।
ଏଲଗାର୍ ପରିଷଦ ମାମଲା: ସମ୍ବିଧାନ ପ୍ରତି ଏକ ନିଷ୍ଠୁର ଉପହାସ
୫ ଏପ୍ରିଲ ୨୦୨୪ଦିନ ଭାରତର ଉଚ୍ଚତମ ନ୍ୟାୟାଳୟ ନାଗପୁର ବିଶ୍ୱବିଦ୍ୟାଳୟର ଜଣାଶୁଣା ପ୍ରଫେସର ସୋମା ସେନ୍ ଙ୍କୁ ଜାମିନ୍ ପ୍ରଦାନ କରିଥିଲେ । ଏହି ଜାମିନ୍ ପାଇବା କଥାଟିକୁ ନେଇ ବୁଦ୍ଧିଜୀବୀ ଏବଂ ସାମାଜିକ କର୍ମୀମାନଙ୍କ ମହଲରେ ପ୍ରବଳ ଆଶା ଓ ଆଶ୍ୱସ୍ତି ଜାଗୃତ ହୋଇଥିଲା । ଏଠି ସ୍ମରଣ କରାଇ ଦିଆଯାଇପାରେ ଯେ ପୁନାର ସାନିୱାରୱାଡ଼ା ଫୋର୍ଟରେ ଡିସେମ୍ବର ୩୧,୨୦୧୭ ଦିନ ଏକ ଉତ୍ସବର ଅୟୋଜନ ୨୬୦ଟି ଭିନ୍ନ ଭିନ୍ନ ସଂଗଠନମାନଙ୍କର ସମୂହଦ୍ୱାରା କରାଯାଇଥିଲା । ୨ଶହ ବର୍ଷତଳେ ଅନୁଷ୍ଠିତ ହୋଇଥିବା ଭିମା କୋରେଗାଁ ଯୁଦ୍ଧର ମହୋତ୍ସବ ମନାଇବା ପାଇଁ ଏଠି ପ୍ରାୟ ୩୫ହଜାର ଲୋକ ଯୋଗ ଦେଇଥିଲେ ।
ସେମାନଙ୍କ ଭିତରେ ଅଧିକାଂଶ ଦଳିତ ଓ ସଂଖ୍ୟାଲଘୁ ବୌଦ୍ଧ ସମ୍ପ୍ରଦାୟର ଥିଲେ । ଠିକ୍ ଘଟଣାର ଗୋଟିଏ ଦିନ ପରେ ଅର୍ଥାତ୍ ୧ଜାନୁଆରୀ ୨୦୧୮ ଦିନ ଗୋଟିଏ ସଂଘର୍ଷ ଉପୁଜି ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଅନ୍ୟ ତିନିଜଣ ଆହତ ହୋଇଥିଲେ । ଘଟଣାଟି ସଙ୍ଘ ପରିବାର ଏବଂ ଭାଜପାର ଅସହିଷ୍ଣୁତା ଯୋଗୁଁ ଉପୁଜିଥିଲା ବୋଲି ଏହି ଉତ୍ସବର ଆୟୋଜକମାନେ କହିଥିଲେ । ତେବେ ଏହାର ପରବର୍ତ୍ତୀ ଘଟଣାବଳୀ ଭାରତର ସମ୍ବିଧାନ ଏବଂ ମାନବିକ ଅଧିକାର ପ୍ରତି କୃର ଉପହାସର ଗୋଟିଏ ପରେ ଗୋଟିଏ ଉଦାହରଣ ସାମ୍ନାକୁ ଆଣିଥିଲା । ଏହି ଉତ୍ସବ ସହିତ ସଂପୃକ୍ତ ଥାନ୍ତୁ ବା ନଥାନ୍ତୁ; କିଛି ଜଣାଶୁଣା ଅଧ୍ୟାପକ, ବୁଦ୍ଧିଜୀବୀ ଏବଂ ସାମାଜିକ କର୍ମୀଙ୍କୁ ‘ବେଆଇନ୍ କାର୍ଯ୍ୟକଳାପ ପ୍ରତିରୋଧ ଆଇନ୍ (ଉପା)’ର ପ୍ରୟୋଗକରି ଗିରଫ କରାଯାଇଥିଲା । ସେମାନଙ୍କ ଭିତରେ ଥିଲେ ଷ୍ଟାନ୍ ସ୍ୱାମୀ, ରୋନା ୱିଲ୍ସନ୍, ସୋମା ସେନ୍, ସୁଧିର ଧାୱେଲ୍, ମହେଶ ରାଉତ, ସୁରେନ୍ଦ୍ର ଗାଡଲିଙ୍ଗ , ଗୌତମ ନାଭାଲଖା, ଅରୁଣ ଫେରେଇରା, ଭେରନନ୍ ଗୁନସାଲବେସ , ବରବରା ରାଓ, ଆନନ୍ଦ ତେଲତୁମ୍ବୁଲେ ଏବଂ ଅନ୍ୟ କିଛି କର୍ମୀ ।
ପୋଲିସ୍ ତରଫରୁ ଅଭିଯୋଗ କରାଯାଇଥିଲା ଯେ ମାଓବାଦୀ ମାନେ ଏହି ଉତ୍ସବ ଆୟୋଜନର ପଛରେ ଥିଲେ ଯଦିଓ ଜଣାଶୁଣା ପୂର୍ବତନ ବିଚାରପତି ବି.ଜି କୋଲ୍ସେ ପାଟିଲ୍ ଏବଂ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ପି.ବି ସାୱନ୍ତ ଏହା ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ମନ୍ତବ୍ୟ ରଖିଥିଲେ । ସେମାନେ ମଧ୍ୟ ନିଜକୁ ଏହି ଉତ୍ସବର ଆୟୋଜକ ବୋଲି ଘୋଷଣା କରିଥିଲେ । କିନ୍ତୁ କିଛି ଫଳ ମିଳିଲା ନାହିଁ । ଗୋଟିଏ ପରେ ଗୋଟିଏ ଉପରଲିଖିତ ବ୍ୟକ୍ତିମାନଙ୍କୁ ଗିରଫ କରାଗଲା । ଏହି ଭିତରେ ବୟସ୍କ ଏବଂ ରୁଗଣ ପାଦ୍ରି ଷ୍ଟାନ୍ ସ୍ୱାମୀ ଜେଲ୍ ଭିତରେ ଚରମ ଅବହେଳାର ଶିକାର ହୋଇ ଓ କୋଭିଡ଼ ଆକ୍ରାନ୍ତ ହେବାଦ୍ୱାରା ଗୁରତର ହୋଇ ବମ୍ବେସ୍ଥିତ ହୋଲି ଫ୍ୟାମିଲି ହସ୍ପିଟାଲ୍ରେ ଭର୍ତ୍ତି କରାଯିବାର ଦିନକପରେ ଅର୍ଥାତ୍ ୫ଜୁଲାଇ ୨୦୨୧ ଦିନ ମୃତ୍ୟୁ ବରଣ କରିଥିଲେ ।
ଏହି ଭିତରେ କିଛି ଲୋକଙ୍କୁ ଜାମିନ୍ ମିଳିଛି । ଗୌତମଙ୍କୁ ଡିସେମ୍ବର ୧୯, ୨୦୨୩ଦିନ ବମ୍ବେ ଉଚ୍ଚନ୍ୟାୟାଳୟଙ୍କ ନିର୍ଦ୍ଦେଶ ମୁତାବକ ଜାମିନ୍ ମିଳି ଗୃହବନ୍ଦୀ କରି ରଖାଯାଇଛି । ଏବେ ସରକାର ସେ ବାବଦରେ ତାଙ୍କୁ ଦେଢ଼ କୋଟିରୁ ଅଧିକ ଟଙ୍କା ପ୍ରତି ମାସରେ ପଇଠ କରିବା ପାଇଁ କହିଛନ୍ତି । ଅନ୍ୟମାନଙ୍କୁ କେବେ ମୁକ୍ତି ମିଳିବ, ତାହା ଏବେ ବି ପ୍ରଶ୍ନବାଚୀ । ଯଦିଓ କାହା ବିରୋଧରେ କିଛି ଅପରାଧିକ ପ୍ରମାଣ ଗିରଫ ହେବାର ୬ବର୍ଷ ପରେ ବି ମିଳିନାହିଁ । ଅନ୍ୟ ପଟରେ କହିବାକୁ ଗଲେ କୌଣସି ଅପରାଧର ପ୍ରମାଣ ନଥାଇ ପ୍ରଫେସର ସୋମା ସେନ୍ ଏବଂ ଅନ୍ୟ ସମସ୍ତ ଅଭିଯୁକ୍ତ ଜେଲ୍ ଦଣ୍ଡ ଭୋଗି ସାରିଲେଣି ଏବଂ ସେ ଭିତରୁ ଜଣେ ମୃତ୍ୟୁବରଣ ବି କରିସାରିଲେଣି ।
ସବୁଠାରୁ କୌତୁହଳର କଥା ହେଉଛି ଯେ ଯେଉଁ କେତେଜଣଙ୍କୁ ଜାମିନ୍ ମିଳିଛି, ଅଦାଲତଗୁଡ଼ିକ ଏକ ପ୍ରକାର କଥା କହୁଛନ୍ତି ଯେ ଏମାନଙ୍କ ବିରୋଧରେ ଆତଙ୍କବାଦୀ କାର୍ଯ୍ୟକଳାପ କରିବାର ବା ସେଥିରେ ଲିପ୍ତ ଥିବାର କୌଣସି ପ୍ରମାଣ ନାହିଁ (ଯେଉଁଥି ପାଇଁ ‘ୟୁଏପିଏ’ ପ୍ରୟୋଗ କରାଯାଇଥାଏ) । କିନ୍ତୁ ଅଦାଲତ ମାନେ ‘ୟୁଏପିଏ’ର ମୋଦୀ ସରକାରଙ୍କ ଦ୍ୱାରା ଭୀଷଣ ଅପବ୍ୟବହାର ଓ ବିରୋଧର ସ୍ୱରକୁ ଚପାଇ ଦେବା ପାଇଁ ଚାଲିଥିବା ରୀତିମତ ଷଡ଼ଯନ୍ତ୍ରକୁ ସ୍ପଷ୍ଟ ଭାବରେ ଚିହ୍ନିବା ଏବଂ ସମ୍ବିଧାନ ପ୍ରଦତ୍ତ ମୌଳିକ ଅଧିକାରଗୁଡ଼ିକର ନଗ୍ନ ଉଲ୍ଲଙ୍ଘନକୁ ରୋକିବାରେ ସାମଗ୍ରିକ ଭାବେ ବିଫଳ ହୋଇଛନ୍ତି । ବେଆଇନ୍ କାର୍ଯ୍ୟକଳାପ ପ୍ରତିରୋଧ ଆଇନ ବା ‘ୟୁଏପିଏ’ର ଅପବ୍ୟବହାରକୁ ନେଇ ଅନେକ ଦିନରୁ ବିଭିନ୍ନ ମାନବ ଅଧିକାର ସଂଗଠନମାନେ ଉଦବେଗ ପ୍ରକାଶ କରି ଆସିଛନ୍ତି ।
ଏହାକୁ ଅସ୍ତ୍ରକରି ନିଜ ନିଜ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିମାନେ ସରକାରବିରୋଧି ସ୍ୱର ଉତ୍ତୋଳନ କଲେ କିଭଳି ସେମାନଙ୍କୁ ଗିରଫ କରି ବର୍ଷ ବର୍ଷ ଧରି ବିନା ବିଚାରରେ ଜେଲରେ ରଖାଯାଉଛି, ତାହାର ଦୃଷ୍ଟାନ୍ତ ଦେଇ ଏହି ଆଇନଟିକୁ ବାତିଲ କରିବା ପାଇଁ ଦାବି ଉଠାଇ ଆସିଛନ୍ତି । ଆମ ନ୍ୟାୟିକ ବ୍ୟବସ୍ଥା ସମ୍ବିଧାନ ବା ସମ୍ବିଧାନପ୍ରଦତ୍ତ ବିଚାର ବ୍ୟବସ୍ଥା ଅପେକ୍ଷା ଅଧିକାଂଶରେ ବିଚାର କରୁଥିବା ବ୍ୟକ୍ତି ତଥା ବିଚାରପତିଙ୍କର ପୃଷ୍ଠଭୂମି, ଦୃଷ୍ଟିଭଙ୍ଗୀ ଏବଂ ସେମାନେ ରାଜନୈତିକ କ୍ଷମତାର ପ୍ରଭାବରୁ କେତେ ମୁକ୍ତ ରହି ବିଚାର ପରିଚାଳନା କରୁଛନ୍ତି, ତାହା ଉପରେ ଅଧିକ ନିର୍ଭରଶୀଳ । ସେଥିପାଇଁ ଯେଉଁମାନେ ଗତ କିଛିବର୍ଷ ଧରି ଉଚ୍ଚତମ ନ୍ୟାୟାଳୟର ବିଚାର ଏବଂ ରାୟ ପ୍ରଦାନ ପକ୍ରିୟାକୁ ଦେଖୁଛନ୍ତି ସେମାନେ ଜାଣିପାରୁଥିବେ ଯେ ବିଚାରପତିମାନେ ସବୁଥିରୁ ମୁକ୍ତ ରହି ମାମଲା ପରିଚାଳନା କଲେ ଏବଂ ସରକାରଙ୍କର ପ୍ରଭାବରୁ ମୁକ୍ତ ରହିଲେ ଜନଗଣ ଓ ସମ୍ବିଧାନର ସୁରକ୍ଷା କିଭଳି କରାଯାଇ ପାରୁଛି । ବିଡ଼ମ୍ବନାର କଥାଯେ କାର୍ଯ୍ୟନିର୍ବାହୀ ବ୍ୟବସ୍ଥା ଯଦି ଗୋଟିଏ ଶାସକ ଦଳର ଆନୁଗତ୍ୟ ସ୍ୱୀକାର କରି କାମକରେ, ତେବେ ନ୍ୟାୟପାଳିକା ଉପରେ ମାତ୍ରାଧିକ ବୋଝ ପଡ଼ିବ । ଲୋକେ ସବୁକଥାରେ ଅଦାଲତର ବିଶେଷ କରି ଉଚ୍ଚତମ ନ୍ୟାୟାଳୟର ଦୁଆର ଖଟ୍ ଖଟ୍ କରିବା ଗଣତନ୍ତ୍ର ପାଇଁ ଏକ ଭଲ ସୂଚନା ନୁହଁ ।
ଇସ୍ରାଏଲ-ଇରାନ ସମ୍ଭାବ୍ୟ ଯୁଦ୍ଧ
୧୩ ଏପ୍ରିଲ୍ ୨୦୨୪ଦିନ ରାତିରେ ଇରାନ୍ ଦ୍ୱାରା ୩୩୧ଟି ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ପ୍ରୟୋଗକରି ଇସ୍ରାଏଲର ସାମରିକ ଘାଟିଗୁଡ଼ିକ ଉପରେ ଆକ୍ରମଣ କରାଯାଇଥିଲା । କେତେ ସଫଳତା ମିଳିଥିଲା, ତାହାର ସତ୍ୟତା ଜାଣିବା ସମ୍ଭବ ନୁହଁ । ତେବେ ଆଶା କରାଯାଉଛି ଯେ ଇସ୍ରାଏଲ ତରଫରୁ କୌଣସି ପ୍ରତି ଆକ୍ରମଣ ହେବନାହିଁ କାରଣ ଆମେରିକା ଏବଂ ୟୁରୋପ ରାଜନେତାମାନେ ଆଉଗୋଟିଏ ଯୁଦ୍ଧ ହେଉ କୁଆଡ଼େ ଚାହୁଁନାହାନ୍ତି । ଅନ୍ୟପଟ ଦେଖିଲେ ଇରାନର ଏହା ଏକ ଆକ୍ରମଣ ନଥିଲା ବରଂ ଏକ ପ୍ରତିଶୋଧାତ୍ମକ ପଦକ୍ଷେପ ଥିଲା । ଏଠି ସ୍ମରଣ କରାଯାଇପାରେ ଯେ ଏପ୍ରିଲ୍ ୧,୨୦୨୪ଦିନ ଡାମାସ୍ କସ୍ ସ୍ଥିତ ଏକ କୂଟନୈତିକ କୋଠାରେ ଥିବା ବେଳେ ଇସ୍ରାଏଲ ତରଫରୁ ଆକ୍ରମଣ କରି ଇରାନ୍ର ଜଣେ ବରିଷ୍ଠ ସାମରିକ ଅଧିକାରୀ ମହମ୍ମଦ ଜାହେଦି ଏବଂ ଅନ୍ୟ ୬ଜଣ ଅଫିସରଙ୍କୁ ମାରିଦିଆ ଯାଇଥିଲା । ଇରାନ୍ ଅନେକ ଦିନହେଲା ଇସ୍ରାଏଲର ଗାଜା ଉପରେ ଆକ୍ରମଣକୁ ନେଇ ନିଜର ଉଦବେଗ ସ୍ପଷ୍ଟଭାବରେ ପ୍ରକାଶ କରି ଆସିଛି । ଏହି ଭିତରେ ସେମାନେ ହରର୍ମୁଜ୍ ପ୍ରଣାଳୀ (ପାରସ୍ୟ ଉପସାଗର ଓ ଓମାନ୍ ଉପସାଗର ତଥା ଆରବ ସାଗର ମଝି ଦେଇ ଯାଇଥିବା ଗୋଟିଏ ଜାହାଜ ଯାତାୟତର ଜଳପଥ) ଦେଇ ଯାଉଥିବା ଗୋଟିଏ ଇସ୍ରାଏଲ ଜାହାଜକୁ ଦଖଲକୁ ନେଇଥିଲେ । ଏହି ଜାହାଜରେ ଯେଉଁ ୨୫ଜଣ ନୌକର୍ମଚାରୀ ଥିଲେ, ସେ ଭିତରେ ୧୭ଜଣ ଭାରତୀୟ ଥିଲେ । ଇସ୍ରାଏଲକୁ ଶ୍ରମିକ ପଠାଇବା ପାଇଁ ମୋଦୀ ସରକାରଙ୍କର ଘୋଷଣାନାମା କଥା ପ୍ରାୟ ସମସ୍ତ ଆରବ ଦେଶ ଜାଣିଛନ୍ତି । ଭାଜପା ସରକାର ଇସ୍ରାଏଲର ଜଣେ ବନ୍ଧୁ ହିସାବରେ ନିଜକୁ ଦେଖି ଆସିଛନ୍ତି । ଏମାନଙ୍କ ସହ ମୋଦୀ ସରକାରଙ୍କ ସମ୍ପର୍କ ଏତେ ନିବିଡ଼ ଯେ ‘ପେଗାସସ୍’ ଗୋଇନ୍ଦାଗିରି ଅସ୍ତ୍ର ଏମାନଙ୍କଠାରୁ କିଣି ଭାରତ ସରକାର ନିଜ ଲକ୍ଷ୍ୟ( ଟାର୍ଗେଟ)ରେ ଥିବା ବ୍ୟକ୍ତିବିଶେଷଙ୍କର ଫୋନ୍ ଓ ଲ୍ୟାପଟପକୁ ଆକ୍ରମଣ କରୁଛନ୍ତି ବୋଲି ୩ବର୍ଷ ତଳେ ଗୁରୁତର ଅଭିଯୋଗ ଆସିଥିଲା ।
ଏବେ ବି ଆପେଲ କମ୍ପାନୀ ଦ୍ୱାରା ଉତ୍ପାଦିତ ଆଇ ଫୋନ୍ ରେ ସରକାରଙ୍କ ଦ୍ୱାରା ଗୁଇନ୍ଦାଗିରି ହେଉଛି ବୋଲି ନିଜେ କମ୍ପାନୀ ନିଜ ଗ୍ରାହକମାନଙ୍କୁ ଯେଉଁଭଳି ତାଗିତ୍ କରିଛି, ଏଠି ମଧ୍ୟ ଆଶଙ୍କା କରାଯାଉଛି ଯେ ଇସ୍ରାଏଲର କିଛି କମ୍ପାନୀ ଏହି କାମରେ ସହଯୋଗ କରୁଛନ୍ତି । ଇରାନ୍ ସପକ୍ଷରେ କହିଲାଭଳି କିଛି କଥା ନାହିଁ । କିନ୍ତୁ ଇସ୍ରାଏଲ ବିରୋଧରେ କହିବା ପାଇଁ ଅନେକ ତଥ୍ୟ ଅଛି । ଆମେରିକା ଓ ୟୁରୋପ ସାଙ୍ଗରେ ମିଶି ଭାରତ ମଧ୍ୟ ଯେଉଁ ‘ଇସ୍ଲାମୋଫୋବିଆ’ ବା ଇସ୍ ଲାମ ଧର୍ମ ଅବଲମ୍ବନକାରୀଙ୍କ ପ୍ରତି ଘୃଣା ଓ ବିଦ୍ୱେଷ ସୃଷ୍ଟି କରାଉଛି, ତାହା ଇସ୍ରାଏଲକୁ ନିଜ ଅପରାଧର ତାଲିକାଟିକୁ ବ୍ୟାପ୍ତ କରିବାରେ ସାହାଯ୍ୟ କରୁଛି । ଏଠି ସ୍ମରଣ କରାଯାଇପାରେ ଯେ ପାଲେଷ୍ଟାଇନ୍ ରେ ଏକ ଉଗ୍ରଗୋଷ୍ଠି ‘ହାମାସ୍’ ଇସ୍ରାଏଲ ଉପରେ ଅକ୍ଟୋବର ୭, ୨୦୨୩ ଦିନ ଆକ୍ରମଣ କରିବା ପରେପରେ ଇସ୍ରାଏଲ ତରଫରୁ ପାଲେଷ୍ଟିନିୟ ଲୋକମାନଙ୍କ ଉପରେ ଅନବରତ ଆକ୍ରମଣ ଚାଲିଛି । ଏହି ଆକ୍ରମଣରେ ଏଯାବତ୍ ୩୦ହଜାରରୁ ଅଧିକ ନିରିହ ପାଲେଷ୍ଟିନିୟ ମୃତ୍ୟୁବରଣ କରିସାରିଲେଣି ।
ଅନେକ ଶିଶୁ ମୃତ୍ୟୁ ବରଣ କରିଛନ୍ତି (ପ୍ରାୟ ୧୦ହଜାର) ଏବଂ ବଞ୍ଚିଯାଇଥିବା ଅଧିକାଂଶ ଶିଶୁ ନିଜ ବାପା, ମାଆ ବା ଉଭୟଙ୍କୁ ହରାଇଛନ୍ତି । ସେମାନେ ରହୁଥିବା ଗାଜା ଅଞ୍ଚଳରେ ପ୍ରାୟ ୨୩ଲକ୍ଷ ଲୋକ ଇସ୍ରାଏଲ ଆକ୍ରମଣ ଯୋଗୁଁ ଚାଲିଥିବା ଧ୍ୱଂସର ତାଣ୍ଡବଲୀଳା ଭିତରେ ଅନ୍ୟତ୍ର ପଳାଇ ଯାଇଛନ୍ତି । ଗାଜାର ସ୍କୁଲ ଏବଂ କଲେଜଗୁଡ଼ିକ ଯେଉଁଥିରେ ୬ଲକ୍ଷ ୨୫ ହଜାର ଛାତ୍ରଛାତ୍ରୀ ଏବଂ ୨୨ହଜାର ୫ଶହ ଶିକ୍ଷକ ଶିକ୍ଷାଦାନ ପ୍ରକ୍ରିୟା ଭିତରେ ଥିଲେ, ସେହିସବୁ ଇସ୍ରାଏଲ ଆକ୍ରମଣର ଶିକାର ହୋଇଛି । ଅଧିକାଂଶ କୋଠାବାଡ଼ି ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି । ଗାଜାର ଭୟଙ୍କର ଭାବେ କ୍ଷତାକ୍ତ ହୋଇଥିବା ବାସିନ୍ଦା ଏବଂ ବଞ୍ଚିରହିବା ପାଇଁ ସଙ୍ଘର୍ଷ କରୁଥିବା ଶିଶୁମାନଙ୍କର ଭିଡ଼ିଓ ଚିତ୍ର ଯେଉଁ ମାନେ ଦେଖିଥିବେ, ତାଙ୍କ ଆଖିରୁ ନିଦ ହଜିଯାଇଥିବ ଯଦି ସେମାନଙ୍କର ଭିତରେ ମାନବିକ ସମ୍ବେଦନଶୀଳତା କିଛିଟା ବି ବଞ୍ଚିକି ଥିବ ।
ଆମକୁ ଗୋଟିଏ କଥା ମନେ ରଖିବାକୁ ହେବ ଯେ ଯୁଦ୍ଧ ବା ଆକ୍ରମଣରେ କୌଣସି ଦେଶର ସାଧାରଣମଣିଷ କେବେ ଖୁସି ନଥାନ୍ତି । ଯୁଦ୍ଧର ପରିଣାମ ସେମାନଙ୍କ ଉପରେ କିଭଳି ପଡ଼ିଥାଏ, ତାହା ଅଳ୍ପବହୁତ ସେମାନେ ଜାଣି ସାରିଛନ୍ତି । ବିଡ଼ମ୍ବନାର କଥାଯେ ନିଜର ଲାଭକୁ ବହୁଗୁଣିତ କରିବା ପାଇଁ କିଛି ରାକ୍ଷସରୂପକ ଶାସକମାନଙ୍କୁ ଅବସ୍ଥାପିତ କରି ଯୁଦ୍ଧର କାର୍ଯ୍ୟସୂଚୀକୁ ରୂପରେଖ ଦେବାପାଇଁ ବର୍ଷତମାମ ବିଶ୍ୱର ଯୁଦ୍ଧଶିଳ୍ପ ଚାହିଁଥାଏ । ଏମାନେ ତୈଳଠାରୁ ଆରମ୍ଭ କରି ସମସ୍ତ ପ୍ରାକୃତିକ ସମ୍ପଦକୁ ନିଜ ଅକ୍ତିଆରକୁ ଆଣିବାପାଇଁ ଅହରହ କାମ କରିଥାନ୍ତି । କେଉଁଠି ଦେଶ ଦେଶ ଭିତରେ ଯୁଦ୍ଧ କରାଇ ଦିଆଯାଏ ଏବଂ ଅନ୍ୟ କେଉଁଠି ଦେଶ ଭିତରେ ପ୍ରାକୃତିକ ସମ୍ପଦ ଭରପୂର ଅଞ୍ଚଳଗୁଡ଼ିକୁ ଉପନିବେଶରେ ପରିଣତ କରି ପ୍ରତିରୋଧ କରୁଥିବା ଶକ୍ତିମାନଙ୍କୁ ବିଭିନ୍ନ ନାମରେ ଦମନ କରାଯାଇଥାଏ । ଏମିତିକି ରାଜଦ୍ରୋହ ବା ସେଡିସନ ଆଇନ ପ୍ରୟୋଗ କରିବାରେ ଲୋକମାନଙ୍କ ଦ୍ୱାରା ନିର୍ବାଚିତ ହୋଇଥିବା ସରକାର ପଛଘୁଞ୍ଚା ଦିଅନ୍ତି ନାହିଁ । ଏହି ପରିସ୍ଥିତିରୁ କିପରି ମୁକ୍ତ ହେବା; ଏହା ସମଗ୍ର ବିଶ୍ୱର ସାଧାରଣ ମଣିଷମାନଙ୍କ ପାଇଁ ଏକ ଅସାଧାରଣ ଆହ୍ୱାନ ।
Comments
0 comments