ସମଦୃଷ୍ଟିର ୧-୧୫ ଜାନୁଆରୀ ୨୦୦୮ ସଂଖ୍ୟାରେ ପ୍ରକାଶିତ “ମୋଦିତ୍ୱର ବିଜୟ” ସମ୍ପାଦକୀୟଟି ଆଜି ମଧ୍ୟ କେତେ ପ୍ରଯୁଜ୍ୟ!
“ଗୁଜୁରାଟରେ ମୋଦିଙ୍କ ‘ବିଜୟ’ ସତେ ଯେପରି ଅପ୍ରତ୍ୟାଶିତ ଥିଲା ବା ଆଶା କରାଯାଉନଥିଲା, ଏଭଳି ଏକ ଧାରଣା ଗଣମାଧ୍ୟମର ସୃଷ୍ଟି କରାଗଲା । ପରେ ପରେ ହିମାଚଳ ପ୍ରଦେଶର ବିଜେପିର ବିଜୟ ସଂଘ ପରିବାରକୁ ଅଧିକ ଉତ୍ସାହିତ କରିପକାଇଲା । ଗଣମାଧ୍ୟମର କିଛି ପଣ୍ଡିତ ଏଇ ବିଜୟଧାରାର ନୂଆ ନାମ ଦେଲେ ମୋଦିତ୍ୱର ବିଜୟ । ମୋଦିତ୍ୱ କ’ଣ ଯଦି କିଏ ଏଭଳି ପ୍ରଶ୍ନ କରିବସେ, ଗୁଜରାଟରେ ୨୦୦୨ର ହୋଇଥିବା ମୁସ୍ଲିମ୍ ମାନଙ୍କର ନରସଂହାର ଓ ତତ୍ଜନିତ ପରିଣାମକୁ ନିଜ ବିପକ୍ଷରେ ଯିବାକୁ ନଦେଇ ବରଂ ନିଜ ସପକ୍ଷରେ ଯିବା ଭଳି ପରିସ୍ଥିତି ସୃଷ୍ଟି କରିବାର ରଣକୌଶଳକୁ ମୋଦିତ୍ୱର ଅନ୍ୟନାମ କୁହାଯାଇପାରେ । ମୋଦିକୁ ପରାଜିତ କରିବାର ଶକ୍ତି କାହାର ନାହିଁ ଏବଂ ସେ ପ୍ରଧାନମନ୍ତ୍ରୀ ହେବା ପାଇଁ ଯୋଗ୍ୟ ବ୍ୟକ୍ତି ବୋଲି କେହି କେହି କହିବସିଲେ । ତହେଲ୍କାର ଗୁଜରାଟ ଦଙ୍ଗାର ରିପୋର୍ଟରେ ଆସାମୀମାନଙ୍କର ‘ଗର୍ବର ସହ କୁହ ଆମେ ହତ୍ୟାକରୀ’ ଉକ୍ତିର ଟେଲିଭିଜନ ଉପସ୍ଥାପନ କୌଣସି ପ୍ରକାର ପ୍ରଭାବ ପକାଇ ପାରିଲାନି । ବରଂ ଗୁଜରାଟୀମାନଙ୍କର ଆତ୍ମସମ୍ମାନ ବିରୁଦ୍ଧରେ ଏକ ଅପପ୍ରଚାର ଚାଲିଛି-ଏଭଳି ଏକ ବୁଝାମଣା ସଫଳତାର ସହ ଗୁଜରାଟ ଭିତରେ ବାଣ୍ଟି ଦିଆଗଲା । ସୋନିଆ ପରିବାର ନିର୍ବାଚନୀ ପ୍ରଚାର ମୋଦିଙ୍କ ପାଖରେ ପ୍ରଭାବହୀନ ଜଣାପଡ଼ିଲା । ଅସନ୍ତୁଷ୍ଟମାନଙ୍କ କଂଗ୍ରେସ ଶିବିରରେ ଯୋଗଦାନ ବରଂ ମୋଦିଙ୍କ ଭାବମୂର୍ତ୍ତିକୁ ଅଧିକ ଅକ୍ଷୁଣ୍ଣ ରଖିବାରେ ସହଯୋଗ କଲା । ପରିଶେଷରେ ବିପୁଳ ସଂଖ୍ୟାରେ ମୋଦି ଓ ତାଙ୍କ ଦଳ ବିଜୟ ଲାଭ କଲେ । ଓଡ଼ିଶାର ମଧ୍ୟ କିଛି ଖବର କାଗଜ ମୋଦିଙ୍କ ପ୍ରଶଂସାରେ ସମ୍ପାଦକୀୟମାନ ଲେଖିଲେ । ମୋଦି କବେଳ ଅମ୍ବାନୀ ପାଇଁ ନୁହଁ, କ୍ଷୁଦ୍ର ଚାଷୀ ଓ ଶ୍ରମିକ ପାଇଁ ମଧ୍ୟ କାମ କରୁଥିଲେ ବୋଲି କହିପକାଇଲେ ।
ଆଜିର ସ୍ଥିତି ଯାହା, ଓଡ଼ିଶାର ଯଦି ନିର୍ବାଚନ ହୁଏ, ସବୁପ୍ରକାର ଲୋକବିରୋଧୀ ପଦକ୍ଷେପ ସତ୍ତ୍ୱେ ନବୀନଙ୍କ ମେଣ୍ଟ ବିଜୟ ହେବା ସୁନିଶ୍ଚିତ । ଆଗକୁ ରାଜନୈତିକ ସ୍ଥିତି ଯଦି ବଦଳିଯାଏ, ତେବେ ଭିନ୍ନକଥା । ସେମିତି ନନ୍ଦିଗ୍ରାମ ଘଟଣା ପରେ ବି ଆଜି ଯଦି ପଶ୍ଚିମବଙ୍ଗର ନିର୍ବାଚନ ହୁଏ, ତେବେ ସେଠି ମଧ୍ୟ ବୁଦ୍ଧଦେବ ସଂଖ୍ୟାଗରିଷ୍ଠ ଆସନ ବିଧାନସଭାରେ ପାଇବେ । ନିର୍ବାଚନରେ ବିଜୟ ଅନେକ ଘଟଣା ଉପରେ ନିର୍ଭର କରେ । ଗୁଜରାଟରେ ମୋଦିଙ୍କ ବିଜୟ ଆଗରୁ ନିଶ୍ଚିତ ଥିଲା । ଓଡ଼ିଶା ଭଳି ଗୁଜରାଟରେ ବିରୋଧୀ ରାଜନୀତି କିଛି ନାହିଁ । ସେଠି କଂଗ୍ରେସକୁ ବିଜେପିର ବି.ଟିମ୍ ଆଖ୍ୟା ମିଳିଛି । ବାମପନ୍ଥୀ ରାଜନୀତିର ସ୍ଥିତି କିଛି ନାହିଁ । ଅଧିକାଂଶ ଗାନ୍ଧୀବାଦୀ ସଂଗଠନ ସଂଘ ପରିବାର ମଧ୍ୟରେ ବିଲୀନ ହୋଇଯାଇଛନ୍ତି । ସଂଖ୍ୟାଲଘୁମାନଙ୍କ ମନରେ ଆଶା ଓ ଭରସା ଦେଇପାରିବା ଭଳି ଶକ୍ତି ଆଜି ଗୁଜରାଟରେ କାହାର ନାହିଁ । ମୋଦିଙ୍କ ସଂଘ ପରିବାର ହିଁ ଏମାନଙ୍କୁ ମାରିପାରିବ ବା ସୁରକ୍ଷା ଦେଇପାରିବ । ଏଭଳି ପରିସ୍ଥିତିରେ ମୋଦିଙ୍କ ବିଜୟକୁ ଅଟକାଇ ପାରିବ କିଏ? ସେଥିପାଇଁ ଚାଷୀ, ଶ୍ରମିକ, ଖଟିଖିଆଙ୍କ ବିରୋଧରେ ଯାଇ ଧନୀକ ଶ୍ରେଣୀର ହିତପାଇଁ ନିଜକୁ ନିୟୋଜିତ କରିବ, ସମଗ୍ର ଗୁଜରାଟ ରାଜ୍ୟକୁ ଏକ ସ୍ୱତନ୍ତ୍ର ଅର୍ଥନୈତିକ ଅଞ୍ଚଳରେ ପରିଣତ କରିଥିବା ମୋଦି ଆଜି ନିର୍ବାଚନ ରଣକ୍ଷେତ୍ରର ମଧ୍ୟ ସମସ୍ତଙ୍କ ଆଗରେ ।
କନ୍ଧମାଳରେ ସାମ୍ପ୍ରଦାୟିକ ହିଂସା ପର୍ବରେ ମୋଦିଙ୍କ ମଦର ମତୁଆଲୀ ପ୍ରଭାବ ଯେ କାମ କରିନାହିଁ, ଏକଥା କହିବ କିଏ? ସାଧାରଣ ଶାନ୍ତହିନ୍ଦୁଟିକୁ ହିନ୍ଦୁତ୍ୱବାଦୀ କରାଇବା ବା ହିନ୍ଦୁତ୍ୱବାଦୀ କାମରେ ସାମିଲ କରାଇବା ବା କାମ ପାଇଁ ସମର୍ଥନ ହାସଲ କରାଇବାର ଏହି ମଦ କେତେ ଯେ ପ୍ରଭାବଶାଳୀ, ଏକଥା କନ୍ଧମାଳରୁ ଜଣାପଡ଼ୁଛି । ଏମାନଙ୍କ ହିଂସା ଯେଉଁ ପ୍ରତିହିଂସା ସୃଷ୍ଟି କରୁଛି, ଆମେ ଯେତେବେଳେ ତାକୁ ବେଶି ଆଲୋଚନାକୁ ଆଣୁଛନ୍ତି, ଏମାନଙ୍କ ହିଂସାତ୍ମକ କାର୍ଯ୍ୟକଳାପ ଅଧିକ ଜନସ୍ୱୀକୃତି ପାଉଛି – ଯଦିଓ ଆମେ ସବୁ ହିଂସାକୁ ବିରୋଧ କରିବା ଦରକାର । କନ୍ଧମାଳରେ ଦଳିତ ଖ୍ରୀଷ୍ଟିଆନମାନଙ୍କ ବିରୋଧରେ ସଂଘ ପରିବାରର ଯୁଦ୍ଧଡାକରାକୁ ଆଦିବାସୀ-ପାଣ ସମ୍ପ୍ରଦାୟର ଜାତିଆଣ ସଂଘର୍ଷର ରୂପ ଦିଆଯାଉଛି । ପୁଣି ସଂଘ ପରିବାରର ପ୍ରରୋଚନାରେ ‘ଚର୍ଚ୍ଚ ଓ ମାଓବାଦୀ’ ଏକାଠି ହୋଇଯାଉଛନ୍ତି- ଏଭଳି ଏକ ଉଦ୍ଭଟ ପ୍ରଚାର ମଧ୍ୟ ଚାଲିଛି । ଆମମତରେ କୌଣସି ଧର୍ମ ତା’ର ସୁରକ୍ଷାର ବୋଝକୁ କୌଣସି ମୌଳବାଦୀଙ୍କୁ ଦେଇନାହିଁ । ମୋଦିମାନଙ୍କ ସଂଖ୍ୟା ଯେଭଳି ଆମରାଜ୍ୟରେ ନବଢ଼େ, ଆମକୁ ଏବଠୁଁ ସାବଧାନ ହେବାକୁ ପଡ଼ିବ ।”
ଆଜି 2024 ମସିହାର ସାଧାରଣ ନିର୍ବାଚନ ଅଳ୍ପ କିଛିଦିନ ବାକିଥିବା ବେଳେ ଆମର ଅଯୋଗ୍ୟପଣିଆ ପାଇଁ ମୋଦିମାନଙ୍କ ସଂଖ୍ୟା ବହୁଗୁଣିତ ହେବାରେ ଲାଗିଛି । ଏହି ପ୍ରକ୍ରିୟା ଯଦି ସେମିତି ଲାଗିରହେ ତେବେ ଭାତବର୍ଷର ଗଣତନ୍ତ୍ରକୁ ଓ ସମ୍ବିଧାନକୁ ବଞ୍ଚାଇବା ପାଇଁ ହୁଏତ ପୁଣିଥରେ ସାଧାରଣ ଲୋକମାନଙ୍କୁ ହିଁ ରାସ୍ତାକୁ ବାହାରିବା ଜରୁରୀ ହୋଇପଡ଼ିବ ।
Comments
0 comments