ଗଣମାଧ୍ୟମ ସରକାରଙ୍କର ବୋଲକରା ହୋଇଗଲାପରେ ଗଣମାନଙ୍କୁ କେମିତି ଅନ୍ଧକାର ଭିତରେ ରଖାଯାଇ ପାରୁଛି, ତାହାର ସଦ୍ୟ ଉଦାହରଣ ହେଉଛି ‘ନିର୍ବାଚନୀ ବଣ୍ଡ୍’ ଦୁର୍ନୀତିର ଉନ୍ମୋଚନ । ଆମେ ଆଗରୁ କହି ସାରିଛୁ କେମିତି ଭାରତର ଉଚ୍ଚତମ ନ୍ୟାୟାଳୟଙ୍କର ଏକ ସାମ୍ବିଧାନିକ ଖଣ୍ଡପୀଠ, ଅନେକ ଶୁଣାଣି ଓ ତର୍କ ଉପସ୍ଥାପନ ଭିତରେ ଗତ ଫେବୃଆରୀ ୧୫,୨୦୨୪ ଦିନ ଏକ ସର୍ବସମ୍ମତ ରାୟଦେଇ କହିଥିଲେ ଯେ ୨୦୧୮ରୁ କାର୍ଯ୍ୟକାରୀ ହୋଇଥିବା ‘ନିର୍ବାଚନୀ ବଣ୍ଡ୍’ ଯୋଜନାଟି ‘ସମ୍ବିଧାନ ବିରୋଧି’ । ସେମାନେ ଏହି ଆଇନଟିକୁ ରଦ୍ଦ କରିଦେଇଥିଲେ, ଅର୍ଥାତ କମ୍ପାନୀ ମାନଙ୍କ ଠାରୁ ଯେତେଟଙ୍କା ମିଳିଛି ତାକୁ ଅବୈଧ ଧରିନିଆଯିବ । ସରକାରଙ୍କ ଅଧିନରେ ଥାଇ ଭାରତୀୟ ରିଜର୍ଭ ବ୍ୟାଙ୍କ ବଦଳରେ ଏହି ବଣ୍ଡ୍ କାରବାର କରୁଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇ କହିଥିଲେ ଯେ ‘ନିର୍ବାଚନୀ ବଣ୍ଡ୍’ କିଣାବିକାର ସମସ୍ତ ତଥ୍ୟ ଯେମିତି ଭାରତର ନିର୍ବାଚନ ଆୟୋଗଙ୍କୁ ମାର୍ଚ୍ଚ ୬,୨୦୨୪ ସୁଦ୍ଧା ପ୍ରଦାନ କରିବେ ।
ସେ ଭିତରେ ଥିଲା କେଉଁ କମ୍ପାନୀ କେତେ ‘ନିର୍ବାଚନୀ ବଣ୍ଡ୍’ କିଣିଛି ଏବଂ କେଉଁ ସବୁ ରାଜନୈତିକ ଦଳକୁ ଲାଭବାନ କରାଇଛି । ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଥିଲା ସେମାନେ ଯେମିତି ସମସ୍ତ ତଥ୍ୟ ନିଜ ୱେବ୍ସାଇଟ୍ରେ ମାର୍ଚ୍ଚ ୧୪, ୨୦୨୪ ସୁଦ୍ଧା ଜନଗଣଙ୍କ ଅବଗତି ନିମନ୍ତେ ସ୍ଥାନିତ କରାଇବେ । କିନ୍ତୁ ୧୮ଦିନ ବସିରହିବା ପରେ ଷ୍ଟେଟବ୍ୟାଙ୍କ ମାର୍ଚ୍ଚ ୪,୨୦୨୪ ଦିନ ହରିସ୍ ସାଲଭେଙ୍କ ମାଧ୍ୟମରେ ଉଚ୍ଚତମ ନ୍ୟାୟାଳୟରେ ଆବେଦନ କରି କହିଲେ ଯେ ଜୁନ୍ ୩୦,୨୦୨୪ ପୂର୍ବରୁ ସମସ୍ତ ତଥ୍ୟଦେବା ସମ୍ଭବ ନୁହେଁ । ମାର୍ଚ୍ଚ ୧୧, ୨୦୨୪ ଦିନ ଅଦାଲତ କ୍ଷୁଦ୍ଧ ହୋଇ ଦିନକ ଭିତରେ ସମସ୍ତ ତଥ୍ୟଦେବା ପାଇଁ ନିର୍ଦ୍ଦେଶ ଦେବା ପରେ ଷ୍ଟେଟ ବ୍ୟାଙ୍କ ଆଦେଶକୁ କାର୍ଯ୍ୟକାରୀ କରିଥିଲେ ଓ ପ୍ରାୟ ସମସ୍ତ ତଥ୍ୟ ନିର୍ଦ୍ଧାରିତ ତାରିଖ (ମାର୍ଚ୍ଚ ୧୪, ୨୦୨୪) ଦିନକ ପୂର୍ବରୁ ନିର୍ବାଚନ ଆୟୋଗ ନିଜ ୱେବ୍ସାଇଟରେ ପାଇଥିବା ତଥ୍ୟକୁ ସ୍ଥାନିତ କରିଥିଲେ । ତେବେ କୌତୁହଳର ବିଷୟ ଯେ ଜାତୀୟ ଗଣମାଧ୍ୟମ କୁହାଯାଉଥିବା ସଂସ୍ଥାମାନେ ଚହଳ ପକାଇଥିବା ଉନ୍ମୋଚିତ ତଥ୍ୟକୁ ନେଇ କୌଣସି ଚର୍ଚ୍ଚା ବା ଆଲୋଚନା କରିନଥିଲେ।
ସେଥିପାଇଁ ଏଭଳି ଏକ ଭୟଙ୍କର ଭ୍ରଷ୍ଟାଚାରର କଥା ଜନଗଣଙ୍କ ପାଖରେ ପହଞ୍ଚି ପାରୁନାହିଁ । କିଛି ସାମାଜିକ ଗଣମାଧ୍ୟମରେ ଯାହା ତଥ୍ୟ ସାମ୍ନାକୁ ଆସୁଛି ସେଥିରେ ଜଣାପଡ଼ୁଛିଯେ, (କ) କେଉଁ କମ୍ପାନୀ କେଉଁ ଶାସକ ଦଳକୁ କେତେ ଟଙ୍କା ଚାନ୍ଦା ଦେଇଛି ଏବଂ (ଖ) ସେମାନଙ୍କର କେଉଁ କାରବାର କେଉଁ ଅଞ୍ଚଳରେ ଚାଲିଛି । ଏହି କଥା ଏଯାବତ୍ ଲୋକଲୋଚନକୁ ଆସିନାହିଁ ଯେ ଏମାନେ ସକ୍ରିୟ ଥିବା ଅଞ୍ଚଳରେ କ’ଣ ସବୁ ମାନବିକ ଅଧିକାର ଉଲଙ୍ଘନ ହୋଇଚାଲିଛି । କେତେକ କ୍ଷେତ୍ରରେ ଅବଶ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତରଫରୁ କାର୍ଯ୍ୟାନୁଷ୍ଠାନ ନିଆଯିବାର ଧମକ ଭିତରେ ବା ପଦକ୍ଷେପ ନିଆଯିବା ପରେ ସେଥିରୁ ମୁକ୍ତିପାଇଁ କେଉଁ କମ୍ପାନୀ ଭାଜପାକୁ କେତେ କୋଟି ଟଙ୍କା ଦେଇଛନ୍ତି ସେ ସମ୍ପର୍କରେ କିଛି ରାଜନୈତିକ ଦଳ ଓ କେତେକ ୟୁଟୁବ୍ ଚ୍ୟାନେଲ ଚର୍ଚ୍ଚା ଜାରି ରଖିଛନ୍ତି । ଯଦି ସମସ୍ତ ଗଣମାଧ୍ୟମରେ ସବୁକଥା ମୁକ୍ତ ଭାବେ ଆଲୋଚନା ହୁଅନ୍ତା, ହୁଏତ ନରେନ୍ଦ୍ର ମୋଦୀଙ୍କ ଦଳ ଆଗାମୀ ନିର୍ବାଚନରେ ୧୦୦ଟି ଆସନ ପାଇବା କଷ୍ଟକର ହୋଇପଡ଼ନ୍ତା ।
ଏହିଭିତରେ ସବୁଠାରୁ ରୋଚକ ପ୍ରତିକ୍ରିୟା ଆସିଛି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅର୍ଥନୀତିଜ୍ଞ ସ୍ୱାମୀ ଡ଼ଃ ପରାକାଲା ପ୍ରଭାକରଙ୍କ ପାଖରୁ । ତାଙ୍କ ମତରେ ‘ନିର୍ବାଚନୀ ବଣ୍ଡ୍’ ଦୁର୍ନୀତି ବିଶ୍ୱର ସବୁଠାରୁ ବଡ଼ ଭ୍ରଷ୍ଟାଚାର । ଏହି ଦୁର୍ନୀତିରେ ମୁଖ୍ୟ ଅଭିଯୁକ୍ତ ଭାଜପା ସାମ୍ନାରେ କେବଳ ବିରୋଧିଙ୍କ ଗଠବନ୍ଧନ ନାହିଁ ବରଂ ଅଛନ୍ତି ସମଗ୍ର ଭାରତର ଜନଗଣ । ଦିନକୁ ଦିନ ଅଧିକରୁ ଅଧିକ ତଥ୍ୟ ଲୋକଲୋଚନକୁ ଆସିବ ଓ ଜନଗଣ ସବୁକଥା ଜାଣି ନିଜର ମତ ରଖିବେ ବୋଲି ସେ ବିଶ୍ୱାସ କରନ୍ତି । ଏଠି ଉଲ୍ଲେଖ କରାଯାଇ ପାରେ ଯେ ନିର୍ବାଚନ ପାଣ୍ଠିର ସବୁଠାରୁ ବଡ଼ ହିତାଧିକାରୀ ମୋଦୀଙ୍କ ଭାଜପା ଦଳ ଏପ୍ରିଲ୍ ୧୨,୨୦୧୯ରୁ ଫେବୃଆରୀ ୧୫,୨୦୨୪ ଭିତରେ ପାଖାପାଖି ୭ହଜାର କୋଟି (୬,୯୮୬.୫ କୋଟି) ଟଙ୍କା ପାଇଛନ୍ତି ।
ଅବଶ୍ୟ ୨୦୧୮ରୁ ୨୦୧୯ ଭିତରେ ଏମାନଙ୍କୁ ଏବଂ ଅନ୍ୟଦଳ ମାନଙ୍କୁ ଯେଉଁ ନିର୍ବାଚନୀ ପାଣ୍ଠି ମିଳିଛି ତାହାର ହିସାବ ଆବେଦନକାରୀ ମାନେ ମାଗି ନାହାନ୍ତି ବାହାନାନେଇ, ଷ୍ଟେଟ ବ୍ୟାଙ୍କ ତଥ୍ୟ ପ୍ରଦାନ କରିନାହାନ୍ତି ଯାହାର ପରିମାଣ ୧୦ହଜାର କୋଟି ଟଙ୍କା ହେବ । ଏମାନେ କେତେଟଙ୍କା ପାଇଛନ୍ତି, ତାହାଠାରୁ ଅଧିକ ଗୁରତ୍ୱପୂର୍ଣ୍ଣ ହେଉଛି ଯେ ଏମାନେ କିଭଳି ଇ.ଡ଼ି, ସି.ବି.ଆଇ, ଆୟକର ବିଭାଗ ଇତ୍ୟାଦି କେନ୍ଦ୍ରୀୟ ସଂସ୍ଥାମାନଙ୍କୁ ଆୟୁଧକରି ଅର୍ଥ ଆଦାୟ କରୁଛନ୍ତି ଏବଂ ସେମାନଙ୍କୁ ବ୍ୟବହାର କରି ବିରୋଧି ରାଜନୈତିକ ଦଳ ମାନଙ୍କର ନେତା ଏମିତିକି ମୁଖ୍ୟମନ୍ତ୍ରୀମାନଙ୍କୁ ଜେଲ୍ରେ ରଖିଛନ୍ତି । ଅଧିକ ଜାଣିବାର କଥା ହେଉଛି ଯେ ମୋଦୀଙ୍କ ସଂସ୍ଥାମାନେ କିଭଳି ଔଷଧ ପରୀକ୍ଷାରେ ଫେଲ ହୋଇଥିବା ଔଷଧ ଗୁଡ଼ିକୁ ଜନଗଣଙ୍କୁ ବିକ୍ରି କରିବାକୁ ଅନୁମତି ଦେଇ କିଭଳି କମ୍ପାନୀମାନଙ୍କଠାରୁ କୋଟିକୋଟି ଟଙ୍କା ଚାନ୍ଦା ନେଇଛନ୍ତି । ବାଦ୍ ପଡ଼ିନାହାଁନ୍ତି ତରବରିଆ ଭାବେ କୋଭିଡ଼୍ ଟିକା ପ୍ରସ୍ତୁତ କରିଥିବା କେତେକ କମ୍ପାନୀ ।
ଏହି ‘ନିର୍ବାଚନୀ ବଣ୍ଡ୍’ର ଦୁର୍ନୀତି ଗୋଟିଏ ପରେ ଗୋଟିଏ ଉନ୍ମୋଚନ ହେଉଥିବାବେଳେ ଏହି ଭ୍ରଷ୍ଟାଚାର ଉପରେ ପରଦା ଟାଣିବାପାଇଁ ମୋଦୀ ସରକାର ଗଣମାଧ୍ୟମ ସହଯୋଗରେ ନିଜର ପ୍ରୟାସ ମଧ୍ୟ ଜାରି ରଖିଛନ୍ତି । ଯେଉଁଦିନ ଅଦାଲତ ସମସ୍ତ ତଥ୍ୟ ଦେବା ପାଇଁ ଭାରତୀୟ ଷ୍ଟେଟବ୍ୟାଙ୍କକୁ ନିର୍ଦ୍ଦେଶ ଦେଲେ, ଠିକ୍ ସେହିଦିନ ହିଁ ଦେଶରେ ନାଗରିକତା ସଂଶୋଧନ ନିୟମ (ଯାହା ୪ବର୍ଷ ହେଲା ଶୀତଳ ଭଣ୍ଡାରରେ ଥିଲା) ଲାଗୁହେଲା ବୋଲି ଘୋଷଣା କଲେ । ଗଣମାଧ୍ୟମ ସେହି ଚର୍ଚ୍ଚାରେ ମାତିଲେ । ପରେପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ କୌଣସି ତଥ୍ୟ ପ୍ରମାଣ ନଥାଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଗିରଫ କରାଗଲା । ଏବଂ ଏବେ ଏବେ ଖବର ଆସିଛି ଉତ୍ତରପ୍ରଦେଶର ସରକାରଙ୍କର ଜେଲରେ ଥିବା ଜଣେ ଜଣାଶୁଣା ‘ଡ଼ନ୍’ ମୁଖ୍ତାର୍ ଆନ୍ସାରୀଙ୍କର ରହସ୍ୟଜନକ ଭାବେ ମୃତ୍ୟୁ ଘଟିଲା । ତେବେ ଯେତେ ଟିଭି ଗଣମାଧ୍ୟମକୁ ହାତରେ ରଖି ଅସଲ ତଥ୍ୟକୁ ଲୁଚାଇବାର ପ୍ରୟାସ କଲେ ବି ସତକଥାଗୁଡ଼ିକ ବାହାରକୁ ଆସିଯାଉଛି ।
କେଜ୍ରିୱାଲଙ୍କ ଗିରଫ, ନିର୍ବାଚନୀ ବଣ୍ଡ୍ ଭ୍ରଷ୍ଟାଚାରକୁ ନଗ୍ନଭାବେ ସାମ୍ନାକୁ ଆଣିଛି । ଯାହାକୁ ରାଜସାକ୍ଷୀ କରି ତାଙ୍କୁ ଗିରଫ କରାଯାଇଥିଲା ସେ ହେଉଛନ୍ତି ଅରବିନ୍ଦ ଫାର୍ମାସିୟୁଟିକାଲ୍ର ନିର୍ଦ୍ଦେଶକ ଶରତ ରେଡ୍ି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଗିରଫ କଲେ ଓ ଭାଜପା ପାଇଁ ପାଣ୍ଠି ଆଦାୟ କରିବା ପରେ ତାଙ୍କୁ ଛାଡ଼ି ଦେଇଥିଲେ । ଯଦି ‘ନିର୍ବାଚନୀ ବଣ୍ଡ୍’ ଦୁର୍ନୀତି ଉନ୍ମୋଚିତ ହୋଇ ନଥାନ୍ତା, ଏହି କଥାଟି ମଧ୍ୟ ଲୋକଲୋଚନକୁ ଆସିପାରିନଥାନ୍ତା ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଗିରଫ ପ୍ରସଙ୍ଗଟି କେବଳ ଦିଲ୍ଲୀବାସୀଙ୍କୁ ନୁହଁ; ସମଗ୍ର ଭାରତ ଓ ବିଶ୍ୱକୁ ମଧ୍ୟ ଚକିତ କରିଛି । ଯଦିଓ ଏଥିପୂର୍ବରୁ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ଙ୍କୁ ବାଧ୍ୟକରାଇ ଇସ୍ତଫା ଦେବାପରେ ଗିରଫ କରାଯାଇଥିଲା । ଜର୍ମାନୀ, ଆମେରିକା ଓ ସଂଯୁକ୍ତ ରାଷ୍ଟ୍ର ସଂଗଠନ ଏବଂ ବିଦେଶୀ ଗଣମାଧ୍ୟମ ମାନେ ମାର୍ଜିତଭାଷାରେ ଭାରତରେ ଗଣତନ୍ତ୍ର ବିପଦରେ ଅଛି ବୋଲି ଚିନ୍ତା ପ୍ରକାଶ କରିଛନ୍ତି । ଭାରତ ସରକାଙ୍କର ତାଗିଦ୍ର କୌଣସି ପ୍ରଭାବ ନାହିଁ । ସେଥିପାଇଁ ହୁଏତ ଅନ୍ୟକିଛି ଉପାୟ ନପାଇ ମୋଦୀ ଓ ଶାହାଙ୍କର ପରମ ବନ୍ଧୁ ତଥା ଉଚ୍ଚତମ ନ୍ୟାୟାଳୟରେ ଏମାନଙ୍କ ପକ୍ଷ ରଖୁଥିବା ବରିଷ୍ଠ ଓକିଲ ହରିସ୍ ସାଲଭେଙ୍କ ନେତୃତ୍ୱରେ ୬ଶହ ଭାଜପା ସମର୍ଥକ ଓକିଲ ଭାରତର ମୁଖ୍ୟ ବିଚାରପତିଙ୍କୁ ଚିଠିଲେଖି ଜଣାଇଛନ୍ତି ଯେ କିଛି ନ୍ୟସ୍ତସ୍ୱାର୍ଥ ଗୋଷ୍ଠି ଅଦାଲତ ଉପରେ ପ୍ରଭାବ ପକାଇବାପାଇଁ ଚେଷ୍ଟା କରୁଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀ ନିଜେ ଏହି ଚିଠିର ସପକ୍ଷରେ ବାହାରି, କଂଗ୍ରେସକୁ ଗାଳି ଦେଇ ପରୋକ୍ଷଭାବେ ମୁଖ୍ୟ ନ୍ୟାୟାଧୀଶଙ୍କ ଉପରେ ଚାପ ପକାଇବା ପାଇଁ ଉଦ୍ୟମ କରୁଛନ୍ତି ବୋଲି ଅଭିଯୋଗ ଆସୁଛି । ଠିକ୍ ଏତିକିବେଳେ ଦୈନିକ ଇଂରାଜୀ ଖବରକାଗଜ ‘ଡ଼େକାନ୍ ହେରାଲ୍ଡ ଅନ୍ଲାଇନ୍’ର ମାର୍ଚ୍ଚ ୨୭,୨୦୨୪ ଖବର ମୁତାବକ ଅମର୍ତ୍ତ୍ୟ ସେନ୍, ଗାୟତ୍ରୀ ଚକ୍ରବର୍ତ୍ତୀ-ସ୍ପିଭାକ ଓ ଅମିତାଭ୍ ଘୋଷଙ୍କ ସମେତ ବିଶିଷ୍ଟ ବୁଦ୍ଧିଜୀବୀମାନେ ଭାରତରେ ଗଣତାନ୍ତ୍ରିକ ପରମ୍ପରାକୁ କିଭଳି ନ୍ୟୁନ କରାଯାଉଛି ସେଥିରେ ଉଦ୍ବେଗ ପ୍ରକାଶ କରିଛନ୍ତି । ସେମାନଙ୍କ ମତରେ ଗଣତନ୍ତ୍ରକୁ ସଙ୍କୁଚିତ କରିବାର ପରିଣତି କେବଳ ଭାରତର ଜନଗଣ ଭୋଗିବେ ନାହିଁ ବରଂ ଏହାର ପ୍ରଭାବ ମାନବସମାଜ ଉପରେ ପଡ଼ିବ । ଭାରତରେ ସାମ୍ବାଦିକ, ସାମାଜିକ କର୍ମୀ, ବିରୋଧି ରାଜନୈତିକ ନେତୃତ୍ୱ ଓ ଏମିତିକି ଛାତ୍ରମାନଙ୍କ ଉପରେ ଯେଉଁଭଳି ରାଷ୍ଟ୍ରୀୟ ନିର୍ଯାତନା ଚାଲିଛି ତାହା ଭାରତରେ ଗଣତନ୍ତ୍ରକୁ ବିପନ୍ନ କରୁଛି ବୋଲି ଭାରତ ବାହାରେ ଥିବା ଲୋକେ ଅନୁଭବ କରୁଥିବାବେଳେ ଭାରତର ସାହିତ୍ୟିକ, ସମାଜବିଜ୍ଞାନୀ, ଲେଖକ ଓ କଳାକାରମାନଙ୍କର ନୀରବତା ଦୁର୍ବୋଧ୍ୟ ଓ ନୈରାଶ୍ୟଜନକ ମନେ ହେଉଛି । ଏମାନଙ୍କ ଭିତରୁ କୁହାଳିଆ ଲୋକମାନେ ବରଂ କର୍ପୋରେଟ ଅର୍ଥରେ ଉତ୍ସବ ମନାଉଛନ୍ତି ।
ଓଡ଼ିଶାର ବିଜୁ ଜନତା ଦଳ ‘ନିର୍ବାଚନୀ ବଣ୍ଡ୍’ ଭ୍ରଷ୍ଟାଚାରର ଅନ୍ୟତମ ଶ୍ରେଷ୍ଠ ଉପଭୋକ୍ତା । କୁହାଯାଉଛି ଯେ ଗଣମାଧ୍ୟମକୁ ନିର୍ଦ୍ଦେଶ ଦିଆଯାଇଛି କୌଣସି ତଥ୍ୟ ପ୍ରକାଶ ନକରିବା ପାଇଁ । କିନ୍ତୁ ଏମିତିରେ ଦେଖିଲେ ଜଣାପଡ଼ୁଛି ଯେଉଁ ବେଦାନ୍ତ, ବିର୍ଲା ଓ ଜିନ୍ଦଲ ଭଳି କମ୍ପାନୀମାନେ କିଛି ସ୍ଥାନୀୟ କମ୍ପାନୀମାନଙ୍କ ସହ ମିଶି ଆଦିବାସୀ ଓ ଦଳିତମାନଙ୍କ ଉପରେ ଦମନଲୀଳା ରାଜ୍ୟ ପୋଲିସ ଓ ଗଣମାଧ୍ୟମର ସକ୍ରିୟ ସହଯୋଗରେ ଚଳାଇ ଆସିଛନ୍ତି, ସେମାନେ ବିଜୁ ଜନତା ଦଳକୁ କୋଟି କୋଟି ଟଙ୍କାର ଚାନ୍ଦା ଦେଇଛନ୍ତି । ସେଥିପାଇଁ ଆଜି ନରେନ୍ଦ୍ର ମୋଦୀ ଯଦି ନିର୍ବାଚନ ଜିତିବା ପାଇଁ ସବୁ ଅନୈତିକ ଉପାୟ ବ୍ୟବହାର କରିପାରୁଛନ୍ତି, ଆମେ ଚକିତ ହେବା କଥା ନୁହଁ କାରଣ ସେ ଆମକୁ ଭଲଭାବେ ବୁଝିପାରିଛନ୍ତି ।
Comments
0 comments