ଫସଲର ନୁନ୍ୟତମ ସହାୟକ ମୂଲ୍ୟର ପ୍ରସଙ୍ଗ ସବୁଜ ବିପ୍ଳବ ପରଠୁ ଭାରତରେ ଆଜିଯାଏଁ ହେଇ ଆସିଥିବା ସମସ୍ତ ଚାଷୀ ଆନ୍ଦୋଳନରେ କେନ୍ଦ୍ରୀୟ ପ୍ରଶ୍ନ ହେଇ ରହିଆସିଛି । ସବୁଜ ବିପ୍ଳବ ପରେ ସରକାରଙ୍କ ତରଫରୁ ସବସିଡ଼ରେ ବିହନ, ସାର, ଋଣ, ସମବାୟ, ବ୍ୟାଙ୍କ, ଭଣ୍ଡାରଣର ବ୍ୟବସ୍ଥା ଓ ସମୟକ୍ରମେ ସହାୟକ ମୂଲ୍ୟ ସ୍ଥିର ପାଇଁ କମିଟି ଗଠନ, ପ୍ରତିବର୍ଷ ସହାୟକ ମୂଲ୍ୟ ଘୋଷଣା ଓ ଫସଲ କ୍ରୟ, କ୍ରୟ ପାଇଁ ମଣ୍ଡି ଏବଂ ସେ ଆଧାରରେ କିଣାବିକା ହେଉଛି ନା ନାହିଁ ତାକୁ ନେଇ ଚର୍ଚ୍ଚା ଦେଶର ରାଜନୀତିକୁ ଗରମ କରିଆସିଛି । ଆଖୁ ଓ ଅନ୍ୟ ଫସଲର ଉପଯୁକ୍ତ ଦରକୁ ନେଇ ସଂଘର୍ଷ କରିଥିବା ଚରଣ ସିଂଙ୍କ ଭାରତ ରତ୍ନ ପାଇସାରିଛନ୍ତି । କିନ୍ତୁ ଚାଷୀ ଆଜି ବି ସହାୟକ ମୂଲ୍ୟରୁ ବଂଚିତ ହେଇରହିଛି । ଅଶୀ ଦଶକରେ ମହେନ୍ଦ୍ର ସିଂ ଟିକାୟତ, ଶରତ ଯୋଷୀ ଓ କିଶାନ ପଟ୍ଟନାୟକଙ୍କ ନେତୃତ୍ୱରେ ହେଇଥିବା ଜାତୀୟ ଚାଷୀ ଆନ୍ଦୋଳନରେ ମଧ୍ୟ ଫସଲର ଉପଯୁକ୍ତ ମୂଲ୍ୟର ପ୍ରସଙ୍ଗ ଥିଲା ମୁଖ୍ୟ । ସେ ସମୟରେ ଦିଲ୍ଲୀର ବୋଟ୍ କ୍ଳବରେ ଚାଷୀ ଲକ୍ଷାଧିକ ସଂଖ୍ୟାରେ ହାଜର ହେଇଥିଲେ । ନବେଦଶକର ଜଗତୀକରଣ ଚାଷୀର ଜୀବନରେ କି ପ୍ରଭାବ ପକାଇବ, ସେ ନେଇ ବହୁ ଚାଷୀ ସଂଗଠନଗୁଡ଼ିକରେ ଥିବା ସ୍ପଷ୍ଟତା ଅଭାବରୁ ଚାଷୀ ଆନ୍ଦୋଳନ ଧିମେଇ ଯାଇଥିଲା । ନବେଦଶକ ପରେ ଆରମ୍ଭ ହେଲା ଚାଷୀ ଆତ୍ମହତ୍ୟାର ପର୍ବ । ଆତ୍ମହତ୍ୟାର ସଂଖ୍ୟା ଯେତେବେଳେ ଅଭାବନୀୟ ରୂପେ ବଢ଼ିଲା, ତାକୁ ନେଇ ଦେଶବ୍ୟାପୀ ଏକ ପ୍ରତିକ୍ରିୟା ଦେଖାଗଲା । ଆରମ୍ଭ ହେଲା ପୁଣିଥରେ ଚାଷୀ ଆନ୍ଦୋଳନ ଯା’ର ମୂଳରେ ରହିଲା ଋଣଛାଡ଼ର ଦାବୀ ଓ ନୁନ୍ୟତମ ସହାୟକ ମୂଲ୍ୟ ବୃଦ୍ଧିର ପ୍ରସଙ୍ଗ । ଏ ଚାପ ଏତେ ତୀବ୍ର ହେଲା ଯେ ଗୋଟିଏ ସମୟରେ କିଛି ପରିମାଣରେ ଋଣ ଛାଡ଼ କଲା କଂଗ୍ରେସ ସରକାର । ତା’ସହ ସରକାର ଚାଷୀଙ୍କ ସମସ୍ୟାର ଅନୁଧ୍ୟାନ ଲାଗି ବସେଇଲେ ସ୍ୱାମୀନାଥନ କମିଶନ । ସ୍ୱାମୀନାଥନ ନିଜ ସୁପାରିଶରେ ଅନେକ କଥା କୁହନ୍ତି କିନ୍ତୁ ସବୁଠୁ ବେଶି ଚର୍ଚ୍ଚିତ ହୁଏ ଫସଲର ଦର ସ୍ଥିର କଲାବେଳେ ଉତ୍ପାଦନ ଖର୍ଚ୍ଚର ଦେଢ଼ଗୁଣା ଦିଆଯାଉ ବୋଲି କରିଥିବା ସୁପାରିଶଟି । ତକ୍ରାଳୀନ କଂଗ୍ରେସ ସରକାର କିନ୍ତୁ ତାକୁ ଲାଗୁ କରିବା ଦିଗରେ ନିସ୍ପୃହ ରୁହନ୍ତି । ୨୦୧୪ ନିର୍ବାଚନ ବେଳକୁ ମୁଖ୍ୟ ବିରୋଧୀ ଦଳ ଭାଜପା ଏହାକୁ ପ୍ରମୁଖ ପ୍ରସଙ୍ଗ କରେ ଓ ଆଜିର ପ୍ରଧାନମନ୍ତ୍ରୀ ଓ ସେ କାଳର ଗୁଜୁରାଟ ମୁଖ୍ୟମନ୍ତ୍ରୀ ମୋଦୀ ଦେଶବ୍ୟାପୀ ଏ ଦାବୀକୁ ମୁଖର କରନ୍ତି । ତାଙ୍କ ଦଳର ସରକାର ଆସିଲେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ଦୃଢ଼ ପ୍ରତିଶୃତି ଦିଅନ୍ତି । ଭାଜପା ସରକାରକୁ ଆସେ ଓ ମୋଦୀ ପ୍ରଧାନମନ୍ତ୍ରୀ ହୁଅନ୍ତି । କିନ୍ତୁ ମୋଦୀଙ୍କ ସରକାର ଆସିଲା ପରେ କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟ ସରକାରମାନେ ଦେଉଥିବା ବୋନସ୍ ପ୍ରତି ପ୍ରତିକୂଳ ମନ୍ତବ୍ୟ ଦେବାସହ କୋର୍ଟ ଏଫିଡ଼େଫିଟ୍ ମାଧ୍ୟମରେ କୁହନ୍ତି ସ୍ୱାମୀନାଥନଙ୍କ ଫସଲର ଦର ସମ୍ବନ୍ଧିତ ସୁପାରିଶ କାର୍ଯ୍ୟକାରୀ କରାଯାଇପାରିବ ନାହିଁ । ଏହା କାର୍ଯ୍ୟକାରୀ କଲେ ଦେଶର ଅର୍ଥନୀତି କ୍ଷତିଗ୍ରସ୍ତ ହେବ । ଅନ୍ୟ ଦିଗରେ ସରକାର କୁହନ୍ତି ଆଗାମୀ ୨୦୨୨ସୁଦ୍ଧା ଚାଷୀର ଆୟକୁ ଦିଗୁଣା କରି ଦିଆଯିବ । ପରେପରେ ସରକାର କହିବା ଆରମ୍ଭ କଲେ ଯେ ଆମେ ସ୍ୱାମୀନାଥନ କମିଶନର ସୁପାରିଶକୁ ଲାଗୁ କରିଦେଲୁ । ସରକାରଙ୍କ ଏ ମିଛ ଓ ବୈମାତୃକ ମନୋଭାବ ଚାଷୀଙ୍କୁ ଆକ୍ରୋଶିତ କରି ରଖିଥିବା ବେଳେ ସରକାର ଆଣନ୍ତି ତିନିଟି ନୂଆ କୃଷି ଆଇନ ଯାହା ଚାଷୀଙ୍କୁ ଆହୁରି ଅସ୍ଥିର କରେ । ପଞ୍ଜାବରୁ ଆରମ୍ଭ ଚାଷୀ ଆନ୍ଦୋଳନ ସମୟକ୍ରମେ ଦେଶବ୍ୟାପୀ ହୁଏ । ଦିଲ୍ଲୀରେ ଭାରତର ସର୍ବବୃହତ ଓ ସବୁଠୁ ଲମ୍ବା ଚାଷୀ ଆନେ୍ଦାଳନ ଚାଲେ ସେ ତିନି କୃଷି ଆଇନ ବିରୋଧରେ । ସେଇ ସମୟରେ ସେ ତିନି ଆଇନ ରଦ୍ଦ କରିବା ସହ ଯେଉଁ ଦାବୀଟି ବେଶି ମୁଖର ହେଇଥିଲା, ସେ ହେଲା– ‘ସ୍ୱାମୀନାଥନ କମିଶନର ସୁପାରିଶକୁ କାର୍ଯ୍ୟକାରୀ କରି ପ୍ରତି ଫସଲର ଦେଢ଼ଗୁଣା ଦେବା ଓ ନୁନ୍ୟତମ ସହାୟକ ମୂଲ୍ୟକୁ ଆଇନଗତ ମାନ୍ୟତା ପ୍ରଦାନ।’ ବର୍ଷାଧିକ କାଳ ଆନ୍ଦୋଳନ ଚାଲେ, ୭୦୦ରୁ ଅଧିକ ଚାଷୀଙ୍କ ଜୀବନ ଯାଏ । ଶେଷରେ ସରକାର ଚାପଗ୍ରସ୍ତ ହେଇ ଉତ୍ତରପ୍ରଦେଶ ନିର୍ବାଚନ ପୂର୍ବରୁ ଘୋଷିତ ତିନି କଳା ଆଇନକୁ ଉଠାଇ ନିଅନ୍ତି । ଆନ୍ଦୋଳନରତ ଚାଷୀଙ୍କୁ ସରକାର ଦେଇଥିବା କେତୋଟି ପ୍ରତିଶ୍ରୁତି ଆଧାରରେ ଆନ୍ଦୋଳନକୁ ଚାଷୀ ସଂଗଠନମାନେ ସ୍ଥଗିତ ରଖି ନିଜନିଜ ରାଜ୍ୟକୁ ଫେରନ୍ତି । ସେ ପ୍ରତିଶୃତି ଭିତରୁ ଗୋଟିଏ ହେଲା ସ୍ୱାମୀନାଥନ କମିଶନଙ୍କ ସୁପାରିଶ ଅନୁଯାୟୀ ନୁନ୍ୟତମ ସହାୟକ ମୂଲ୍ୟ ସ୍ଥିର କରି ତାକୁ ଆଇନଗତ ମାନ୍ୟତା ଦେବା ଦିଗରେ ଏକ କମିଟି ଗଠନ କରାଯିବା ଓ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ସେ ଦିଗରେ ଠୋସ୍ ପଦକ୍ଷେପ ନିଆଯିବ । କିନ୍ତୁ ସରକାର ନିଜର ପ୍ରତିଶ୍ରୁତି ରକ୍ଷା କରନ୍ତି ନାହିଁ । ତାଛଡ଼ା ନୁ୍ନ୍ୟତମ ସହାୟକ ମୂଲ୍ୟକୁ ନେଇ ଯେଉଁ କମିଟି ଗଠନ କରାଯାଏ, ସେଥିରେ କେବଳ ସରକାର ନିଜ ମତ ଅନୁକୂଳ ସଦସ୍ୟ ବାଛନ୍ତି ଯାହାକୁ ଚାଷୀ ସଂଗଠନ ପ୍ରତ୍ୟାଖ୍ୟାନ କରେ । ଏହା ପରଠୁ ଚାଷୀ ସଂଗଠନମାନେ ନିଜ ଦାବୀକୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ କରିଆସୁଛନ୍ତି ଯେଉଁଥିରେ ଅନେକ ଶ୍ରମିକ ସଂଗଠନ ମଧ୍ୟ ସାମିଲ ହେଇଛନ୍ତି । ସେ ଯା’ ହେଉ ଅନେକ ଚାଷୀ ସଂଗଠନ କେନ୍ଦ୍ର ସରକାରଙ୍କ ଉପେକ୍ଷା ବିରୋଧରେ ପୁଣିଥରେ ଦିଲ୍ଲୀ ବାହାରିଛନ୍ତି । ସେମାନଙ୍କୁ ଦିଲ୍ଲୀରେ ପ୍ରବେଶ କରିବାକୁ ଦିଆଯାଉ ନାହିଁ । ତାରବାଡ଼, ଲୁହା କିଲ୍ , ସିମେଂଟ କାନ୍ଥ, ପାଣି ମାଡ଼, ରବର ଗୁଳି ମାରି ସେମାନଙ୍କ ପଥ ରୋକାଯାଉଛି । ସେଇଥିରେ ଶତାଧିକ ଚାଷୀ ଆହତ ହେଇ ଚିକିତ୍ସିତ ହେଉଛନ୍ତି । ଅନ୍ୟପଟେ ସରକାର ଚାଷୀ ପ୍ରତିନିଧିଙ୍କ ସହ ଆଲୋଚନା ଜାରି ରଖିଛନ୍ତି । ଏଇ ପୃଷ୍ଠଭୂମିରେ ଆମେ ନୁନ୍ୟତମ ସହାୟକ ମୂଲ୍ୟର ପ୍ରସଙ୍ଗକୁ ନେଇ ରହିଥିବା କିଛି ପ୍ରଶ୍ନ ଓ ବିବାଦ ଉପରେ ଚର୍ଚ୍ଚା କରିବା ।
ପ୍ରଥମେ ଆମେ ବୁଝିବା ଯେ ଚାଷୀ ଲାଭଜନକ ଦର ନୁହେଁ, ନୁନ୍ୟତମ ସହାୟକ ମୂଲ୍ୟର କଥା କହୁଛି । ଏହା ଏମ ଆର ପି ନୁହଁ । ସହାୟକ ମୂଲ୍ୟ ବିନା ଚାଷ ଏକ କ୍ଷତିଜନକ ପେଶାରେ ପରିଣତ ହେଇଛି । ଚାଷୀ ଋଣଗ୍ରସ୍ତ ହେଇ ଆତ୍ମହତ୍ୟା କରୁଛି ନ ହେଲେ ଚାଷ ଛାଡ଼ୁଛି । ଯୁବପିଢ଼ିରେ ଚାଷ ପ୍ରତି ଅନାଗ୍ରହତା ଓ ଚାଷ ତଥା ଗାଁ ଛାଡ଼ି ପଳାୟନ ବଢୁଛି । କିଛି ବୁଦ୍ଧିଜୀବୀ ସରକାରଙ୍କ ସହ ସ୍ୱର ମିଳେଇ କହୁଛନ୍ତି ଫସଲର ଦର ବଜାର ସ୍ଥିର କରିବ, ଏହା ସରକାରଙ୍କ କାମ ନୁହଁ । ଭାରତ ପରି ଦେଶରେ ଯେଉଁଠି ୮୭ ଶତକଡ଼ା ଚାଷୀଙ୍କ ଆୟ ମାସିକ ଟ୧୦ ହଜାର ଟଙ୍କାରୁ କମ । ସେପରି ଦେଶରେ ଚାଷୀଙ୍କୁ ନ୍ୟାୟ ଦେବାଲାଗି ସରକାରୀ ହସ୍ତକ୍ଷେପ ଜରୁରୀ । ଯେତେବେଳେ କୌଣସି ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ବଢ଼ିଯାଉଛି, ସରକାର ହସ୍ତକ୍ଷେପ କରୁଛି । ପିଆଜର ଦରକୁ ନିୟନ୍ତ୍ରଣରେ ରଖିବାର ଉଦ୍ୟମ, ଉତ୍ପାଦନ ହ୍ରାସ ପରିପ୍ରେକ୍ଷୀରେ ଗହମର ରପ୍ତାନୀକୁ ବିଭିନ୍ନ ସମୟରେ ବନ୍ଦ କରାଯିବା ହେଲା ତାର ଉଦାହରଣ । ସରକାର ସର୍ବନିମ୍ନ ବେତନ ସ୍ଥିର କରୁଛି । ଖାଉଟିଙ୍କ ସୁରକ୍ଷା ଲାଗି ଏମ ଆର ପି ସ୍ଥିର ହେଉଛି । ତେବେ ଏକ କୃଷିପ୍ରଧାନ ଦେଶରେ ଚାଷୀ ଓ ଦେଶର ବୃହତ୍ତର ସ୍ୱାର୍ଥକୁ ଆଖି ଆଗରେ ରଖି ଫସଲର ଦର ସ୍ଥିର କରିବାରେ ସରକାରୀ ହସ୍ତକ୍ଷେପର ଅସୁବିଧା କ’ଣ? ତା’ଛଡ଼ା ସରକାର ନିଜେ ମାନୁଛନ୍ତି ଯେ ଦେଶରେ ମାତ୍ର ୧୦ରୁ ୧୫ ଶତକଡ଼ା ଚାଷୀ ସରକାର ଘୋଷିତ ନୁନ୍ୟତମ ସହାୟକ ମୂଲ୍ୟ ପାଉଛନ୍ତି । ତେଣୁ ସବୁ ଚାଷୀଙ୍କୁ ନୁନ୍ୟତମ ସହାୟକ ମୂଲ୍ୟ ନିଶ୍ଚିତ କରିବା ଲାଗି ଆଇନଗତ ବ୍ୟବସ୍ଥା କରିବାରେ ଅସୁବିଧା କୋଉଠି? ଏହାର ଅର୍ଥ ଭାରତୀୟ ଚାଷୀ କେବେ ବି ଉଚିତ ମୂଲ୍ୟ ତ ଦୂରର କଥା, ସହାୟକ ମୂଲ୍ୟ ବି ପାଇବ ନାହିଁ । ତା ଅର୍ଥ ୮୫ ଶତକଡ଼ା ଚାଷୀ ଏଇମିତି ସହାୟକ ମୂଲ୍ୟରୁ ବଂଚିତ ହେଇ ଚାଲିଥିବେ? କେତେ ବୁଦ୍ଧିଜୀବୀ କହୁଛନ୍ତି- ସ୍ୱାମୀନାଥନଙ୍କ ସୁପାରିଶଟି ଅଯଥାର୍ଥ ଓ ତ୍ରୁଟିପୂର୍ଣ୍ଣ । ଏତେବଡ଼ ଭୁଲ କରିଥବା ସ୍ୱାମୀନାଥନ୍ ଙ୍କୁ ତାହେଲେ ସରକାର ଭାରତ ରତ୍ନ ଦେଲେ କେମିତି? ଅନ୍ୟ ଦିଗରେ ୨୦୧୪ରେ ଭାଜପା ଏକଥାକୁ ନିଜ ନିର୍ବାଚନୀ ଏଜେଣ୍ଡାରେ ରଖିଲା କେମିତି? ପ୍ରଧାନମନ୍ତ୍ରୀ ନିଜେ ମୁଖ୍ୟମନ୍ତ୍ରୀ ଥିବା ବେଳେ ନିଜ ତରଫରୁ ଏ ଦାବୀ ଉଠାଇଥିଲେ କେଉଁ ଆଧାରରେ? କିଛି କହୁଛନ୍ତି ଚାଷୀଙ୍କୁ ଏ ଦର ଦେଲେ ଦେଶର ବିକାଶ ଅସମ୍ଭବ ହେଇପଡ଼ିବ । ସେମାନେ ଏକ ତ୍ରୁଟିପୂର୍ଣ୍ଣ ହିସାବ ଦେଇ କହୁଛନ୍ତି ଯେ ଏଥିଲାଗି ୧୦ ଲକ୍ଷ କୋଟି ଲାଗିବ । ନିଜେ ଗୃହମନ୍ତ୍ରୀ କହିଥିଲେ ୧୬ଲକ୍ଷ କୋଟି ଲାଗିବ । ଏ ହିସାବର ଆଧାର କ’ଣ? ଏ ହିସାବ ଅନୁସାରେ ସରକାର ଚାଷୀଙ୍କଠୁ କିଣିବ କିନ୍ତୁ ଆଉ ବିକିବ ନାହିଁ କିମ୍ବା ସେସବୁକୁ ନଷ୍ଟ କରିଦେବ । କିନ୍ତୁ ସରକାର ଚାଷୀଙ୍କଠୁ କିଣେ ଓ ପୁଣି ତାକୁ ବିକେ, କିଛି ଗରିବ ଲୋକଙ୍କୁ ଦିଏ ଓ ବାକି ଭଣ୍ଡାରଣ କରି ରଖେ । ପ୍ରକୃତରେ ସରକାରଙ୍କୁ କେବଳ ବଜାର ଦର ଓ କ୍ରୟ ଦର ଭିତରେ ଥିବା ପାର୍ଥକ୍ୟକୁ ଭରଣା କରିବାକୁ ପଡ଼ିବ । ସେ ଅନୁଯାୟୀ ହିସାବ କଲେ ଏହା ସ୍ଥଳବିଶେଷରେ ୭୦ହଜାର କୋଟି ଭିତରେ ପଡ଼ିପାରେ । ଯଦି ସ୍ୱାମୀନାଥନ ସୁପାରିଶ ଅନୁଯାୟୀ ଦିଆଯାଏ, ତେବେ ଦୁଇଲକ୍ଷ କୋଟି ଖର୍ଚ୍ଚ ହେବ । ଆମେ ମନେରେଗାରେ ପ୍ରତିବର୍ଷ ପ୍ରାୟତଃ ୭୦ହଜାର କୋଟି ଖର୍ଚ୍ଚ କରୁଛୁ । ଆମ ଦେଶର ପ୍ରତିବର୍ଷ ବଜେଟ ପ୍ରାୟ ୪୭ଲକ୍ଷ କୋଟି । ତେଣୁ ଦେଶର ଚାଷୀଙ୍କ ସ୍ୱାର୍ଥରକ୍ଷା ଲାଗି ଏ ଖର୍ଚ୍ଚଟି ବଡ଼ ନୁହେଁ । ଅନ୍ୟ ଦିଗରେ ପ୍ରତିବର୍ଷ ପ୍ରାୟ ଦେଢ଼ ଲକ୍ଷ କୋଟି ଟଙ୍କା ଛାଡ଼ ପାଉଛନ୍ତି କର୍ପୋରେଟ ପରିବାରମାନେ । ଗତ ଦଶ ବର୍ଷ ହେଲା ସେମାନେ ୧୪ଲକ୍ଷ କୋଟି ଟଙ୍କା ଛାଡ଼ ପାଇ ସାରିଛନ୍ତି । ଅସଲ କଥା ହେଲା ‘ଚାଷୀ’ ସରକାରଙ୍କ ପ୍ରାଥମିକତା ନୁହଁ । ଆଉ ଏକ ପ୍ରଚାର ଚାଲିଛି ସେ ହେଲା ଏ କେବଳ ବଡ଼ ଚାଷୀଙ୍କ ଦାବୀ । କେବଳ ପଂଜାବ ଓ ହରିଆନାର ଚାଷୀଙ୍କ ଦାବୀ । ପଂଜାବର ୫୦ ଶତକଡ଼ା ଚାଷୀଙ୍କ ମାସିକ ଆୟ ୧୦,୦୦୦ରୁ କମ୍ । ଦେଶର ୮୭ ଶତକଡ଼ା ଚାଷୀଙ୍କ ମାସିକ ଆୟ ୧୦,୦୦୦ରୁ କମ । ଧନୀ ଚାଷୀଙ୍କ ସଂଖ୍ୟା ସୀମିତ । ନୁନ୍ୟତମ ସହାୟକ ମୂଲ୍ୟର ଦାବୀ ସବୁ ରାଜ୍ୟର ଚାଷୀ କରୁଛନ୍ତି । ଏପରିକି ଚାଷୀଙ୍କ ଚାପରେ ଅନେକ ସରକାର ବିଭିନ୍ନ ସମୟ ଖଣ୍ଡରେ ନୁନ୍ୟତମ ସହାୟକ ମୂଲ୍ୟ ଉପରେ ବୋନସ୍ ଦେଇଆସିଛନ୍ତି । ଆମ ଓଡ଼ିଶାରେ ଅଶୀ ଦଶକରୁ ନୁନ୍ୟତମ ସହାୟକ ମୂଲ୍ୟ ଲାଗି ନିରନ୍ତର ସଂଘର୍ଷ ଚାଲୁଛି । ହଁ ଏକଥା ସତଯେ ମଣ୍ଡି ବ୍ୟବସ୍ଥା ଯେଉଁ ରାଜ୍ୟରେ ଯେତେ ବେଶୀ ମଜବୁତ ଓ ବିକେନ୍ଦ୍ରିତ; ସେ ରାଜ୍ୟର ଚାଷୀ ସେତେ ଲାଭାନ୍ୱିତ ହେଉଛି, ଯାହା ପଂଜାବ ଓ ହରିଆନା ଲାଗି ସତ୍ୟ । ତା ଅର୍ଥ ଅନ୍ୟରାଜ୍ୟରେ ମଣ୍ଡି ବ୍ୟବସ୍ଥାକୁ ପଂଜାବ ଓ ହରିଆନା ପରି ସମୃଦ୍ଧ କରିବାକୁ ହେବ । କେବଳ ବଡ଼ ଚାଷୀ ନୁହଁ, ଛୋଟ ଚାଷୀ ସହାୟକ ମୂଲ୍ୟ ପାଇ ଉପକୃତ ହେଉଛି । ଏପରିକି ଭାଗ ଚାଷୀ ଯଦି ମଣ୍ଡିକୁ ଯାଏ, ତେବେ ସହାୟକ ମୂଲ୍ୟ ପାଉଛି । ହଁ ଭାଗଚାଷୀଙ୍କୁ ଆଇନଗତ ମାନ୍ୟତା ଦେଲେ ସେ ସହଜରେ ଏହା ପାଇପାରିବ । କେମିତି ସବୁ ବର୍ଗର ଚାଷୀ ଓ ଦେଶର ସବୁ ଅଂଚଳର ଚାଷୀ ସରକାର ଘୋଷିତ ନୁନ୍ୟତମ ସହାୟକ ମୂଲ୍ୟ ପାଇପାରିବେ ସେ ନେଇ ସରକାର ପଦକ୍ଷେପ ନେବା ଜରୁରୀ । ଆଉ ଏକ କଥା କୁହାଯାଉଛି ଯେ ଚାଷୀ ସଂଗଠନ କେବଳ ୨୩ଟି ଫସଲର କଥା କହୁଛି ଯାହା ସମଗ୍ର କୃଷି ଉତ୍ପାଦନର କେବଳ ୨୮ଶତକଡ଼ା । ଆମେ ବୁଝିବା ଦରକାର ସରକାର କେବଳ ଏଇ ୨୩ଟି ଫସଲର ନୁନ୍ୟତମ ଦର ଘୋଷଣା କରୁଛି । ଚାଷୀ କହୁଛି ପ୍ରଥମେ ସରକାର ନିଜ ଘୋଷିତ ଫସଲର ନୁନ୍ୟତମ ଦରକୁ ଦେବା ଆରମ୍ଭ କରୁ । ସମୟକ୍ରମେ ଅନ୍ୟ ଫସଲକୁ ସରକାର ଏ ପ୍ରକ୍ରିୟାରେ ଯୋଡ଼ି ପାରିବ । ତା’ ସହ ଆଉ ଏକ ମିଛ ପ୍ରଚାର ଚାଲିଛି ଯେ ନୁନ୍ୟତମ ମୂଲ୍ୟକୁ ନିଶ୍ଚିତ କରିବା ଲାଗି ଆଇନ କଲେ ଚାଷୀ ଫସଲର ବିବିଧିକରଣ ପାଇଁ ମନ ଦେବେ ନାହିଁ । ଚାଷୀ ଧାନ ଓ ଗହମ ଭିନ୍ନ ଅନ୍ୟ ଫସଲକୁ ନ ଯିବାର କାରଣ ହେଲା ଅନ୍ୟ ଫସଲ ପାଇଁ ବଜାର ବ୍ୟବସ୍ଥା ଓ ନୁନ୍ୟତମ ଦରପ୍ରାପ୍ତିକୁ ସରକାର ନିଶ୍ଚିତ କରୁନାହିଁ । ଯେଉଁଦିନ ଅନ୍ୟ ଫସଲକୁ ଉଚିତ ଦର ସହ ବଜାର ମିଳିବ, ଚାଷୀ ଅନ୍ୟ ଫସଲ କରିବାକୁ ପ୍ରେରିତ ହେବ । ଏହାର ଉଦାହରଣ ହେଲା ଓଡ଼ିଶା ଓ କର୍ଣ୍ଣାଟକର ମାଣ୍ଡିଆ ମିଶନ୍ ।
ଆଉ ଏକ ଯୁକ୍ତି ହେଲା ଏମ୍ଏସ୍ ପି ନିଶ୍ଚିତ କଲେ ଖାଦ୍ୟଶସ୍ୟର ଦର ବଢ଼ିବ । ଖାଦ୍ୟଶସ୍ୟର ଦର ବଢିବାର ଅସଲ କାରଣ ହେଉଛି ମଧ୍ୟସ୍ଥିଙ୍କ ଶୋଷଣ । ଚାଷୀର ଉତ୍ପାଦନର କିଛି ଅଂଶ ସାଧାରଣ ବିତରଣ ବ୍ୟବସ୍ଥାରେ ଗରିବଙ୍କ ମିଳୁଛି । ତାଙ୍କୁ ଛାଡ଼ି ଏକ ସମ୍ପନ୍ନ ବର୍ଗଙ୍କୁ ଶସ୍ତା ଖାଦ୍ୟଶସ୍ୟ ଯୋଗାଇବା ଲାଗି ଚାଷୀଙ୍କୁ ସହାୟକ ମୂଲ୍ୟରୁ ବଂଚିତ କରିବା କ’ଣ ନ୍ୟୟୋଚ୍ଚିତ ପ୍ରକ୍ରିୟା କୁହାଯାଇପାରିବ? ଚାଷୀଙ୍କୁ ଉଚିତ ଦର ଦେବାର ଦାବୀରେ ଆନ୍ଦୋଳନ କରିଥିବା ଚାଷୀ ନେତା ଚରଣ ସିଂ ଓ ଉତ୍ପାଦନ ଖର୍ଚ୍ଚର ଦେଢ଼ଗୁଣା ନୁନ୍ୟତମ ସହାୟକ ମୂଲ୍ୟର ମାପଦଣ୍ଡ ହେଉ କହିଥିବା ସ୍ୱାମୀନାଥନଙ୍କୁ ଭାରତର ସର୍ବୋଚ୍ଚ ସମ୍ମାନ ‘ଭାରତ ରତ୍ନ’ ମିଳିସାରିଥିବାବେଳେ ଭାରତୀୟ ଚାଷୀଙ୍କୁ କେବେ ତାଙ୍କ ଉତ୍ପାଦନର ଉଚିତ୍ ମୂଲ୍ୟ ମିଳିବ ସେକଥା ଦେଖିବା ବାକି ରହିଲା ।
Comments
0 comments