ସର୍ବଧର୍ମ ସମନ୍ୱୟର ପ୍ରତୀକ ଭାବେ ପ୍ରତୀୟମାନ ହଜରତ ନିଜାମୁଦ୍ଦିନ ଆଲିଆ ଦରଘାରେ ପୀତାମ୍ବରୀ ପାଟ ପିନ୍ଧି ସୋରିଷ ଫୁଲରେ ସଜେଇ ହୋଇ ପାଳନ ହୁଏ ନିଆରା ବସନ୍ତ ଉତ୍ସବ । ୮୦୦ ବର୍ଷ ପୂର୍ବେ ଆମୀର ଖୁସ୍ରୋ ହଳଦିଆ ପୀତାମ୍ବରୀ ପାଟ ପୋଷାକ ପିନ୍ଧି ଗାଇଥିଲେ ଏଠାରେ କୱାଲି କଲାମ । ନିଜାମୁଦ୍ଦିନ ଆଲିଆ ଦରଘାର ବସନ୍ତ ଉତ୍ସବ ପରମ୍ପରା ସମସ୍ତଙ୍କୁ ଆକର୍ଷିତ କରେ । ଏହି ଦରଘାର ବସନ୍ତ ଉତ୍ସବ ପରମ୍ପରା ହିନ୍ଦୁ ବସନ୍ତ ପଞ୍ଚମୀ ପ୍ରଥାରୁ ଆସିଥିଲା । ଏହାକୁ ନେଇ ଏକ ସୁନ୍ଦର କାହାଣୀ ରହିଛି ।
କୋଲକତାର ପ୍ରସିଦ୍ଧ ଶାନ୍ତିନିକେତନ ବସନ୍ତ ଉତ୍ସବ ମୁଁ ଦେଖିଛି । ତେବେ ଦିଲ୍ଲୀ ନିଜାମୁଦ୍ଦିନ ଆଲିଆ ଦରଘାର ବସନ୍ତ ଉତ୍ସବ ଓ ପର୍ବ ପାଳନ ଆନନ୍ଦ ଏକ ନିଆରା ଅନୁଭବ ଆଣିଦିଏ । ମୁଁ ଅନେକବର୍ଷ ଧରି ଏହା ଶୁଣି ଆସୁଥିଲି । ତେଣୁ ମୁଁ ଭାବିଲି ଏହାକୁ ଦେଖିବା ସହିତ ଏହାର ଆନନ୍ଦ ଉପଭୋଗ କରିବା ଏବଂ ଭକ୍ତିଭାବ ମଧ୍ୟରେ ମନକୁ ବାନ୍ଧିବା ଦରକାର । ମୁଁ ଏହି ସୁପ୍ରସିଦ୍ଧ ବସନ୍ତ ଉତ୍ସବ ପାଳନ ଦେଖିବା ପାଇଁ ବସନ୍ତ ପଞ୍ଚମୀ ଦିନ ହଜରତ ନିଜାମୁଦ୍ଦିନ ଆଲିଆଙ୍କ ଦରଘାରେ ପହଞ୍ଚିଲି । ଦରଘା ଆଡ଼କୁ ଯାଇଥିବା ଏକ ସଂକୀର୍ଣ୍ଣ ଗଳି ରାସ୍ତା ଗୋଲାପ ଏବଂ ସୁଗନ୍ଧର ଧୂପରେ ମହକି ଉଠୁଛି । ସବୁଆଡ଼େ ହଳଦିଆ ରଙ୍ଗର ସାଜସଜ୍ଜା ମଧ୍ୟରେ ଦରଘାର ନିକଟରେ ଫୁଲ ଓ ଧୂପ ସାଙ୍ଗକୁ ହଳଦିଆ ଚାଦର ବିକୁଥିବା ଦୋକାନୀଙ୍କ ଭକ୍ତଙ୍କୁ ନିଜ ନିଜ ସାମଗ୍ରୀ ବିକିବାକୁ ପାଟି କରି ଡାକିବା ଦ୍ୱାରା ପରିବେଶକୁ କୋଳାହଳମୟ କରୁଥିଲା । କେତେକ ଭକ୍ତ ଫୁଲରୁ ପତ୍ର ଅଲଗା କରୁଛନ୍ତି । ବସନ୍ତ ଉତ୍ସବ ପାଳନ ଅବସରରେ ଏହି ରାସ୍ତାରେ ଆସୁଥିବା ସବୁ ଭକ୍ତ ହଳଦିଆ ପୋଷାକ ଓ ଶାଢ଼ୀ ସହିତ ହାତରେ ହଳଦିଆ ଫୁଲ ମୁଖ୍ୟତଃ ସୋରିଷ ଫୁଲ ଧରିଥିବାର ଦେଖିବାକୁ ମିଳିବ । ଦେଖିଲେ ଲାଗୁଥିଲା ସତେ ଯେପରି ସବୁକିଛି କେବଳ ହଳଦିଆ । ବେକରେ ହଳଦିଆ ସ୍କାର୍ଫ, ମୁଣ୍ଡରେ ହଳଦିଆ ପଗଡ଼ି । ସନ୍ଧ୍ୟାର ଆଗମନରେ ଯେତେବେଳେ ଚାରିଆଡ଼େ ହଳଦିଆ ରଙ୍ଗର ଉଜ୍ୱଳ ଆଲୋକ ଜଳି ଉଠିଲା, ସେତେବେଳେ ଲାଗୁଥିଲା ସତେ ଯେପରି ଏହା ହେଉଛି ଅଳକାପୁରୀର ସ୍ୱର୍ଣ୍ଣପ୍ରାସାଦ । ସନ୍ଧ୍ୟା ସମୟ ଯେତିକି ପାଖେଇ ଆସୁଥିଲା ହଳଦିଆ ରଙ୍ଗରେ ସଜେଇ ହୋଇ ଭକ୍ତମାନଙ୍କ ଭିଡ ସେତିକି ବଢ଼ୁଥିଲା । ପୁରା ସନ୍ଧ୍ୟା ହେବାବେଳକୁ ସ୍ଥାନଟି ସମ୍ପୂର୍ଣ ଭିଡ଼ରେ ପରିପୂର୍ଣ୍ଣ ହୋଇସାରିଥିଲା ।
ଦରଘାର ମୁଖ୍ୟ ପୂଜକ ଓ ପଦାଧିକାରୀମାନେ ସମସ୍ତେ ହଳଦିଆ ରଙ୍ଗର ପୋଷାକରେ ସୁସଜ୍ଜିତ ହୋଇ ରହିଥାନ୍ତି । ରାତିରେ କୱାଲି ସଂଗୀତ ପରିବେଷଣ କରିବାକୁ ଆସିଥିବା କଳାକାରମାନେ ମଧ୍ୟ ନିଜକୁ ମଖମଲ ଭେଲଭେଟ କୋମଳ ଓ ଉଜ୍ୱଳ ହଳଦିଆ ପୋଷାକ ପିନ୍ଧି ମଞ୍ଚରେ ଉପସ୍ଥିତ ଥିଲେ । ସନ୍ଧ୍ୟାର ନମାଜ ପରେ ପରେ କୱାଲି କଳାକାରମାନେ ନିଜର ସଂଗୀତ ପରିବେଷଣ ଆରମ୍ଭ କରିଥିଲେ । କୱାଲି ଆରମ୍ଭ ହେବାମାତ୍ରେ ଭକ୍ତ ଓ ଦର୍ଶକଙ୍କ ମଧ୍ୟରେ ନୀରବତା ଛାଇଗଲା । କୱାଲିର ପ୍ରଥମ ପଦ ଥିଲା ଅତ୍ୟନ୍ତ ଭାବ, ଭକ୍ତି ଓ ଆବେଗଭରା । ହଳଦିଆ ପୀତାମ୍ବରୀ ପାଟରେ ନିଜକୁ ସୁନ୍ଦର ଭାବରେ ସଜାଇ, ତୋ ଘନ କଳା କେଶକୁ ପଖାଳି, ତୋ ମୃଗ ନୟନୀ ଆଖିରେ ଅଞ୍ଜନ ଲଗାଇ ଏବଂ ନିଜକୁ ସୁବାସିତ କରି ତୁ ଆଜି ନିଜକୁ ରଙ୍ଗେଇ ଦେ ସୁହାଗିନୀ.. ନିଜକୁ ଏକ ସଜଫୁଟା ଫୁଲ ଭଳି ନିଜକୁ ସଜେଇ ରଙ୍ଗେଇ ଦେ ସୁହାଗିନୀ…. ଶାହ-ଏ ଅମୀର ତୋତେ ଦେଖିବାକୁ ଆସିବେ ତୋ ଆଖିରେ ଆଖି ମିଶାଇ ତୋ ହୃଦୟକୁ ଭକ୍ତିର ଭାବରେ ଭରିଦେବେ । ଢ଼ୋଲକ ବାଜାର ନାଦ ସାଙ୍ଗକୁ ହାର୍ମୋନିୟମର ତାଳ ଏବଂ ଉଚ୍ଚ କଣ୍ଠସ୍ୱରର ଝଙ୍କାରରେ ଝଙ୍କୃତ ହେଉଥିଲା ବସନ୍ତ ଉତ୍ସବର ସନ୍ଧ୍ୟା । ଦୂରଦୂରାନ୍ତରୁ ନିଜାମୁଦ୍ଦିନ ଆଲିଆଙ୍କ ଭକ୍ତମାନେ ଏବଂ କେତେକ ବିଦେଶୀ ମଧ୍ୟ ଏହି ଭାବ ଭକ୍ତିର ସନ୍ଧ୍ୟାକୁ ମନୋଭରି ଉପଭୋଗ କରୁଥିଲେ ଏବଂ ସଂଗୀତର ତାଳରେ ଦୁଇହାତ ଉପରକୁ ଟେକି ଝୁମି ଝୁମି ନାଚୁ ଥିବା ଦୃଶ୍ୟ ଅତ୍ୟନ୍ତ ମନମୁଗ୍ଧକର ଥିଲା । ସନ୍ଧ୍ୟାର କୱାଲି ସଂଗୀତମୟ ପରିବେଶ ସମସ୍ତଙ୍କ ହୃଦୟକୁ ଛୁଇଁ ପାରୁଥିଲା । କୱାଲି ସଂଗୀତ ପରିବେଷଣ ସମୟରେ ଭକ୍ତମାନେ ହଳଦିଆ ରଙ୍ଗର ଛୋଟ ବଡ଼ ଚାଦର ଆଣି ନିଷ୍ଠାର ସହ ପାରମ୍ପରିକ ପ୍ରଥା ଅନୁଯାୟୀ ଦରଘା ପିର ବାବାଙ୍କ ଉପରେ ଚଢ଼ାଉଥାନ୍ତି । ଭକ୍ତମାନେ ଚାଦର ଆଣି ଚଢ଼ାଇବାର ଦୃଶ୍ୟ ଅତି ମନୋରମ । କେତେକ ଭକ୍ତ ଓ କୱାଲିପ୍ରେମୀ ଛାତ ଉପରେ ବସିଛନ୍ତି ତ’ ଅନ୍ୟ କେତେକ ଗଛ ଉପରେ ବସି ମନଭରି ବସନ୍ତ ଉତ୍ସବର ଭକ୍ତି ସଂଗୀତମୟ ସମୟକୁ ଉପଭୋଗ କରୁଛନ୍ତି ।
ଅନେକ ମହିଳା ଭକ୍ତ ବାହାରେ ବସନ୍ତ ଉତ୍ସବ ପାଳନ କରୁଥାନ୍ତି । ଦରଘା ଭିତରକୁ ଯିବାକୁ ମହିଳାମାନଙ୍କ ପ୍ରବେଶ ନିଷେଧ । ଏହାଭାବି ମୋତେ ଟିକେ ଦୁଃଖ ଲାଗିଥିଲା । ଏହାରି ଭିତରେ ମୁଁ ଦରଘାର ମୁଖ୍ୟ ଖଦିମ କାଶୀଫ ସାହେବଙ୍କୁ ଭେଟିବାକୁ ପହଂଚିଥିଲି । ସାକ୍ଷାତ ହେବା ମାତ୍ରେ ମୋର ପ୍ରଥମ ପ୍ରଶ୍ନ ଥିଲା, ହିନ୍ଦୁମାନେ ମଜାର-ଇ-ସରିଫରେ ବା ଏହି ଦରଘାରେ ବସନ୍ତ ଉତ୍ସବ ଓ ପର୍ବ ପାଳନ କରିବାର କାରଣ କ’ଣ? ମୁଖ୍ୟ ଖାଦିମ କାଶିଫ ସାହେବ ମୋତେ ବୁଝାଇ କହିଥିଲେ ବସନ୍ତ ପଞ୍ଚମୀର ଏହି ଉତ୍ସବ ଓ ପର୍ବ ହଜରତ ନିଜାମୁଦ୍ଦିନ ଆଲିଆଙ୍କ ସବୁଠାରୁ ପ୍ରିୟ ଥିଲା । ବସନ୍ତ ଉତ୍ସବ ପାଳନ କରିବାର ପ୍ରଥା ଏଠାରେ ଦ୍ୱାଦଶ ଶତାବ୍ଦୀରୁ ଆରମ୍ଭ ହୋଇଥିଲା । ଏହି ପରମ୍ପରାକୁ ଆଲିଆଙ୍କ ଘନିଷ୍ଠ ଅନୁଗାମୀ ଅମୀର ଖୁସ୍ରୋ ଆରମ୍ଭ କରିଥିଲେ । ବାସ୍ତବରେ, ଦୁଃଖୀ ନିଜାମୁଦ୍ଦିନ ଆଲିଆଙ୍କୁ ଖୁସି କରିବା ପାଇଁ ଅମୀର ଖୁସ୍ରୋ ଏହାକୁ ପ୍ରଥମ ଥର ପାଇଁ ପାଳନ କରିଥିଲେ ।
ମୁଁ ପଚାରିଲି ନିଜାମୁଦ୍ଦିନ ଆଲିଆ କାହିଁକି ଦୁଃଖୀ ହେଲେ?
ଖଦିମ କାଶୀଫ ସାହେବ ପୁଣି ମୋତେ କହିବା ଆରମ୍ଭ କଲେ । “ହଜରତ ନିଜାମୁଦ୍ଦିନ ଆଲିଆଙ୍କର ସନ୍ତାନସନ୍ତତି ନଥିଲେ । ସେ ତାଙ୍କ ଭଉଣୀର ପୁଅ ଖ୍ୱାଜା ତାକିଉଦ୍ଦିନଙ୍କୁ ବହୁତ ଭଲ ପାଉଥିଲେ । ଦିନେ ତାଙ୍କ ଭଉଣୀଙ୍କ ସ୍ୱାମୀ ହଠାତ ମୃତ୍ୟୁ ବରଣ କଲେ । ହଜରତ ନିଜାମୁଦ୍ଦିନ ଦୁଃଖରେ ଭାଙ୍ଗି ପଡିଲେ । ସେ ଲୋକମାନଙ୍କୁ ଭେଟିବା ବନ୍ଦ କରିଦେଲେ । ସେ କୋଠରୀରେ ନିଜକୁ ବନ୍ଦୀ କରି ରଖିଥିଲେ । ଏସବୁ ଦେଖି ଆମୀର ଖୁସ୍ରୋ ମଧ୍ୟ ବହୁତ ଦୁଃଖୀ ହେଲେ । ଆମୀର ଖୁସ୍ରୋ ଭାବିଲେ କିପରି ହଜରତ ନିଜାମୁଦ୍ଦିନ ଖୁସି ହେବେ । ଏହି ସମୟରେ ବସନ୍ତ ପର୍ବ ଆସିଲା । ଆମୀର ଖୁସ୍ରୋ ଅତ୍ୟନ୍ତ ଉଦାସ ମନରେ ବସିଥିଲେ । ସେ ଦେଖିଲେ କେତେକ ମହିଳାମାନେ ସାଙ୍ଗ ହୋଇ ହାତରେ ହଳଦିଆ ସୋରିଷ ଫୁଲ ବିଡା ଧରି ଏବଂ ନିଜକୁ ହଳଦିଆ ପୀତାମ୍ବରୀ ଶାଢୀରେ ସୁସଜ୍ଜିତ କରି ନୃତ୍ୟ ଗୀତର ଉତ୍ସବ ମନାଉଥିଲେ । ହଜରତ ଆମୀର ଖୁସ୍ରୋ ତାଙ୍କୁ ଖୁସିର କାରଣ ପଚାରିଥିଲେ । ମହିଳାମାନେ ଉତ୍ତର ଦେଲେ, ଆଜି ବସନ୍ତ ପଞ୍ଚମୀ ଏବଂ ସେମାନେ ମନ୍ଦିରକୁ ଫୁଲ ଅର୍ପଣ କରି ପୂଜା କରିବାକୁ ଯାଉଛନ୍ତି । ଆମୀର ଖୁସ୍ରୋ ତାଙ୍କୁ ପଚାରିଲେ, ଭଗବାନ ଏହା ଦ୍ୱାରା ସନ୍ତୁଷ୍ଟ ଓ ଖୁସି ହେବେ କି? ମହିଳାମାନେ କହିଲେ ହଁ ଏହା ଭଗବାନଙ୍କୁ ଖୁସି କରିବ । ଏହା ଦ୍ୱାରା ଅମୀର ଖୁସ୍ରୋ ମଧ୍ୟ ଅନୁଭବ କଲେ ଯେ ବୋଧହୁଏ ଏହି ଉପାୟରେ ସେ ନିଜ ବନ୍ଧୁ ଓ ଆଧ୍ୟାତ୍ମିକ ଗୁରୁ ହଜରତ ନିଜାମୁଦ୍ଦିନଙ୍କୁ ମଧ୍ୟ ଏହି ଉପାୟରେ ସନ୍ତୁଷ୍ଟ କରିବାକୁ ସମର୍ଥ ହେବେ । ଅମୀର ଖୁସ୍ରୋ ହଳଦିଆ ରଙ୍ଗର ମଖମଲ ପୋଷାକରେ ନିଜକୁ ସଜେଇ ହାତରେ ହଳଦିଆ ସୋରିଷ ଫୁଲର ତୋଡ଼ା ଧରି ହଜରତ ନିଜାମୁଦ୍ଦିନ ଆଲିଆଙ୍କ ବନ୍ଦ କୋଠରୀ ସାମ୍ନାରେ ଭକ୍ତି ପ୍ରେମର କୱାଲି ସଂଗୀତ ଗାଇବା ଆରମ୍ଭ କରିଥିଲେ ।
ହଜରତ ନିଜାମୁଦ୍ଦିନ କାୱାଲି ଶୁଣିବା ପରେ କବାଟ ଖୋଲିଥିଲେ । ଅମୀର ଖୁସ୍ରୋ ପରିଧାନ କରିଥିବା ହଳଦିଆ ପୀତାମ୍ବରୀ ପୋଷାକ ଦେଖି ହଜରତ ନିଜାମୁଦ୍ଦିନଙ୍କ ଓଠରେ ହସ ଆସିଗଲା । ଏହା ପରଠାରୁ ନିଜ କୋଠରୀରେ ନିଜକୁ ବନ୍ଦ ରଖିଥିବା ନିଜାମୁଦ୍ଦିନ ଆଲିଆ ବାହାରକୁ ଆସିବା ଆରମ୍ଭ କଲେ । ଲୋକଙ୍କ ସହିତ ମିଶିଲେ । ସେବେଠାରୁ, ଅମୀର ଖୁସ୍ରୋ ଏଠାରେ ବସନ୍ତ ଉତ୍ସବ ପାଳନର ପରମ୍ପରା ଆରମ୍ଭ କରିଥିଲେ’ ।
ଶିଖ ସମ୍ପ୍ରଦାୟ ଏହି ଦରଘାରେ ବିଶେଷ ଭାବରେ ପ୍ରାର୍ଥନା କରୁଥିବା ଦେଖାଯାଏ । ମୁଁ ନରେନ୍ଦ୍ର ସିଂ ନାମକ ଜଣେ ଶିଖ ଭକ୍ତଙ୍କ ସହ କଥା ହେଲି । ସେ କହିଲେ, “ଗୁରୁବାଣୀରେ ବାବା ଫରିଦଙ୍କ କଥା ଉଲ୍ଲେଖ ରହିଛି । ବାବା ଫରିଦଙ୍କର ସବୁଠାରୁ ପ୍ରିୟ ଅନୁଗାମୀମାନେ ଥିଲେ ନିଜାମୁଦ୍ଦିନ ଆଲିଆ ଏବଂ ସୁଫି ଆମୀର ଖୁସ୍ରୋ । ଶିଖ ସମ୍ପ୍ରଦାୟର ଲୋକମାନେ ମଧ୍ୟ ଏହି ଦିନ ନିଜାମୁଦ୍ଦିନ ଆଲିଆଙ୍କ ଦରଘା ଆସି ହଳଦିଆ ରଙ୍ଗର ଚାଦର ପ୍ରଦାନ କରନ୍ତି ଓ ବସନ୍ତ ଉତ୍ସବ ପାଳନ କରନ୍ତି ।
ରାତିର ସମୟ ବଢ଼ୁଥିଲା ଏବଂ ମୁଁ ଫେରିବାକୁ ପ୍ରସ୍ତୁତ ହୋଇ ନରେନ୍ଦ୍ର ସିଂଙ୍କଠାରୁ ବିଦାୟ ମାଗିଲି । ଚତୁର୍ଦ୍ଦିଗରେ ସଂଗୀତ ମୂର୍ଚ୍ଛନା ଓ ସୁବାସିତ ପବନ ସାଙ୍ଗକୁ ସାଜସଜ୍ଜାରେ ଚମକୁଥିବା ଦରଘାରେ ଯୋଡହସ୍ତରେ ପ୍ରାର୍ଥନାର ହାତ ଓ ଭକ୍ତିର ଭାବରେ ଆଶୀର୍ବାଦ ମାଗୁଥିବା ଆଖିର ଚାହାଣି ସବୁ ମୋ ଫେରିବାର ସମୟରେ ଏହା ଏକ ଅଭୁଲା କାହାଣୀ ହୋଇ ମୋ ମନରେ ରହିଗଲା ।
Comments
0 comments