ନୂତନ ଅପରାଧ ଆଇନ ୨୦୨୩: ଭାରତୀୟତା ଓ ଔପନିବେଶିକତା

“ଏହି ଜାତୀୟ ଶିକ୍ଷାନୀତିର ଦୃଷ୍ଟିରେ ରହିଛି ଏକ ଶିକ୍ଷାବ୍ୟବସ୍ଥା ଯାହାର ଚେର ରହିବ ଭାରତୀୟ ଭାବଧାରାରେ, ଯାହାର ସିଧାସଳଖ ଅବଦାନ ରହିବ, India, that is Bharatକୁ ପରିବର୍ତ୍ତନ କରିବାରେ...”

ପୃଷ୍ଠଭୂମି

ଡିସେମ୍ବର ୨୫ , ୨୦୨୩ ଦିନ ରାଷ୍ଟ୍ରପତି ତିନୋଟି ଆଇନକୁ ସ୍ୱୀକୃତି ଦେଇଛନ୍ତି୧- ଭାରତୀୟ ନ୍ୟାୟ ସଂହିତା ୨୦୨୩, ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩ ଓ ଭାରତୀୟ ସାକ୍ଷ୍ୟ ଅଧିନିୟମ ୨୦୨୩ । ଏହି ତିନୋଟି ଆଇନଦ୍ୱାରା ଯଥାକ୍ରମେ ଭାରତୀୟ ଦଣ୍ଡ ସଂହିତା (Indian Penal Code) ୧୮୬୦, ଦଣ୍ଡପ୍ରକ୍ରିୟା ସଂହିତା (Code of Criminal Procedure), ୧୯୭୩ (ଏହାଦ୍ୱାରା ପୂର୍ବେ ଦଣ୍ଡପ୍ରକ୍ରିୟା ସଂହିତା ୧୮୯୮ ଅକାମୀ ହୋଇଥିଲା) ଓ ଭାରତୀୟ ସାକ୍ଷ୍ୟ ଅଧିନିୟମ (Indian Evidence Act) ୧୮୭୨ ଅକାମୀ ହୋଇଛି । ଏହି ତିନୋଟି ଆଇନ, ଯଥାକ୍ରମେ ଭାରତୀୟ ନ୍ୟାୟ(ଦ୍ୱିତୀୟ) ସଂହିତା ୨୦୨୩ (ବିଲ ନଂ ୧୭୩/୨୦୨୩), ଭାରତୀୟ ନାଗରିକ ସୁରକ୍ଷା (ଦ୍ୱିତୀୟ) ସଂହିତା ୨୦୨୩ (ବିଲ ନଂ ୧୭୪/୨୦୨୩)ଓ ଭାରତୀୟ ସାକ୍ଷ୍ୟ ଅଧିନିୟମ ୨୦୨୩ (ବିଲ ନଂ ୧୨୩/୨୦୨୩) ଭାବେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦ୍ୱାରା ସଂସଦରେ ଆଗତ କରାଯାଇଥିଲା ଡିସେମ୍ବର ୧୨, ୨୦୨୩ ଦିନ । ଲୋକସଭାରେ ଏହି ବିଧେୟକଗୁଡ଼ିକ ଗୃହୀତ ହୋଇଗଲା ୨୦ ଡିସେମ୍ବର ଦିନ ଓ ରାଜ୍ୟସଭାରେ ଗୃହୀତ ହୋଇଥିଲା ୨୧ଡିସେମ୍ବର ଦିନ ଅର୍ଥାତ୍ ୨୧ଡିସେମ୍ବର ସୁଦ୍ଧା ଉଭୟ ଗୃହରେ ଏହି ବିଧେୟକଗୁଡ଼ିକ ଗୃହୀତ ହୋଇଯାଇଥିଲା୨ । ସ୍ମରଣ କରିବା ପ୍ରାସଙ୍ଗିକ ହୋଇପାରେ ଯେ ୨୧ ଡିସେମ୍ବର ପରେ ସଂସଦ ଅନିର୍ଦ୍ଦିଷ୍ଟ କାଳ ଯାଏ ମୁଲତବୀ କରି ଦିଆଯାଇଥିଲା ଯଦିଓ ଏହା ୨୨ଡିସେମ୍ବର ଯାଏ ଚାଲିବ ବୋଲି ପ୍ରଥମରୁ ଘୋଷଣା ହୋଇଥିଲା, ଏବଂ ସେ ପର୍ଯ୍ୟନ୍ତ ଉଭୟ ଗୃହରୁ ମୋଟ ୧୪୬ ବିରୋଧୀ ଦଳ ସାଂସଦ ନିଲମ୍ବିତ ହୋଇ ସାରିଥିଲେ, ଯାହା ସଂସଦୀୟ ଇତିହାସରେ ଅଭୂତପୂର୍ବ ଘଟଣା ଥିଲା୩ । ୨୦ ତାରିଖ ଦିନ, ଯେଉଁଦିନ ଲୋକସଭାରେ ଗୃହୀତ ହେଉଥିଲା ସେତେବେଳକୁ ଗୃହରୁ ୯୭ ବିରୋଧୀଦଳ ସଦସ୍ୟ ନିଲମ୍ବିତ ହୋଇସାରିଥିଲେ୪ । ୧୪ ଡିସେମ୍ବରରୁ ଏହି ନିଲମ୍ବନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା । କହିବା ବାହୁଲ୍ୟ ଯେ ଆଇନ ପ୍ରସ୍ତୁତକର୍ତ୍ତାର ଦାୟିତ୍ୱ ବହନ କରିଥିବା ଏକ ବଡ଼ସଂଖ୍ୟାର ସାଂସଦ ଏହି ନୂତନ ଅପରାଧିକ ଆଇନ ପ୍ରସ୍ତୁତିରେ ସାମିଲ ହେବାରୁ ବଂଚିତ ହୋଇଥିଲେ, ଓ ଏ ସମସ୍ତେ ବିରୋଧୀ ଦଳର ସାଂସଦ ଥିଲେ । ସରକାରୀଦଳର ସଂଖ୍ୟାଗରିଷ୍ଠତା ଥିବା ବେଳେ କାହିଁକି ଏପରି କରାଗଲା ତାହା ବିସ୍ମୟକର ମନେ ହୁଏ, ଏବଂ ବୋଧହୁଏ ଏଇଥି ପାଇଁ ଏହି ନୂତନ ଆଇନଗୁଡ଼ିକୁ ଅଧିକ ସତର୍କତାର ସହିତ ମୁଦ୍ରିତ ଧାଡ଼ିଗୁଡିକ ମଧ୍ୟରେ ଫାଙ୍କା ସ୍ଥାନ ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ । ଯାହା ଦାବି କରାଯାଉଛି ତାହା କେତେଦୂର ଏହି ତିନୋଟି ଆଇନରେ ପ୍ରତିଫଳିତ ହୋଇଛି, ତାହାର ପରୀକ୍ଷା କରିବାକୁ ହେବ ।

ପାଠକେ ହୁଏତ ଜାଣିବାକୁ ଚାହଁପାରନ୍ତି ଯେ କାହିଁଁକି ବନ୍ଧନୀ ମଧ୍ୟରେ ‘ଦ୍ୱିତୀୟ’ ଲେଖାହୋଇଛି । ତାର କାରଣ ହେଉଛି ଏହି ବିଧେୟକଗୁଡ଼ିକୁ ତାର ମୂଳ ଚିଠାନୁସାରେ ସଂସଦରେ ପେଶ୍ କରାଯାଇଥିଲା ୧୧ ଅଗଷ୍ଟ ୨୦୨୩ ଦିନ । ପେଶ୍ କରିବା ପରେ ପରେ, ୧୨ ଅଗଷ୍ଟ ଦିନ, ଗୃହ ମନ୍ତ୍ରାଳୟର ସଂସଦୀୟ କମିଟି ନିକଟକୁ ଏହି ବିଧେୟକଗୁଡିକୁ ପରୀକ୍ଷା କରିବା ପାଇଁ ପଠାଇ ଦିଆଯାଇଥିଲା ଓ ୩ମାସ ମଧ୍ୟରେ ସେମାନଙ୍କର ସୁପାରିଶ ଦେବାପାଇଁ ଅନୁରୋଧ କରାଯାଇଥିଲା । ନଭେମ୍ବର ୧୦, ୨୦୨୩ ଦିନ କମିଟି ତାଙ୍କର ରିପୋର୍ଟ ଗୃହମନ୍ତ୍ରୀଙ୍କ ନିକଟରେ ଦାଖଲ କଲେ ଓ ଏହିଗୁଡ଼ିକୁ ୧୨ ଡିସେମ୍ବର ଦିନ ଲୋକସଭାରେ ପେଶ୍ କରାଗଲା, ୧୧ ଅଗଷ୍ଟରେ ପେଶ୍ ହୋଇଥିବା ବିଧେୟକ ଗୁଡିକୁ ପ୍ରତ୍ୟାହାର କରି ନିଆଯାଇ, ଏହିପରି ଦ୍ୱିତୀୟଥର ପେଶ୍ ହେଉଥିବା ସଂଶୋଧିତ ବିଧେୟକ ପାଇଁ ବନ୍ଧନୀ ଭିତରେ ବୋଧହୁଏ ‘ଦ୍ୱିତୀୟ’ ଲେଖିବାକୁ ପଡିଥିଲା । କିନ୍ତୁ ରାଷ୍ଟ୍ରପତିଙ୍କ ସ୍ୱୀକୃତି ପାଇବାପରେ ଗେଜେଟରେ ପ୍ରକାଶିତ ଏହି ଆଇନଗୁଡ଼ିକରେ ଏପରି କୌଣସି ବନ୍ଧନୀ ନାହିଁ ।

କେଉଁମାନେ ଏହି ନ୍ୟାୟ ସଂହିତାଦିର ଚିଠା ପ୍ରସ୍ତୁତ କରିଥିଲେ-ଏହା ଜାଣିବାର କୌତୁହଳ ଯଥାର୍ଥ ହୋଇପାରେ । ଏହି ନ୍ୟାୟ ସଂହିତାଦିର ଚିଠା ପ୍ରସ୍ତୁତିରେ କେଉଁମାନେ ସମ୍ପୃକ୍ତ ଥିଲେ? ଏହି ପ୍ରସ୍ତୁତିର ଦାୟିତ୍ୱ ଦିଆଯାଇଥିଲା Committee For Reforms In Criminal Laws, ଯାହାର ଗଠନ ହୋଇଥିଲା ୦୪ ମଇ ୨୦୨୦ ଦିନ ପୁରାତନ ଆଇନ ଦଣ୍ଡ ସଂହିତାଦିରେ ପରିବର୍ତ୍ତନ ସୁପାରିଶ କରିବାପାଇଁ, ବିଭିନ୍ନ ବର୍ଗର ପରାମର୍ଶ ୨୫ ସେପ୍ଟେମ୍ବର ୨୦୨୦ ସୁଦ୍ଧା ନେଇ । କିନ୍ତୁ ପରାମର୍ଶ କଣ ଆସିଲା, କାହାକୁ ଅଧାର କରି ଏହି ସଂଶୋଧନ କରାଗଲା ସେଗୁଡିକୁ ପ୍ରଘଟ କରାଗଲା ନାହିଁ । ବରଂ ଅଭିଯୋଗ ପ୍ରକାଶ ପାଇଛି୫ ଯେ ଏହି କମିଟିର ସୁପାରିଶରେ କମିଟିରେ ସଭ୍ୟ ନଥିବା ସରକାରଙ୍କର ଓକିଲ ସଲିସିଟର ଜେନେରାଲ ତୁଷାର ମେହଟ୍ଟା ଓ ଅତିରିକ୍ତ ସଲିସିଟର ଜେନେରାଲ ସୂର୍ଯ୍ୟପ୍ରକାଶ ଭି ରାଜୁ ବେଶ୍ ହସ୍ତକ୍ଷେପ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ସୋହରାବୁଦ୍ଦିନ ମାମଲାରେ ଅମିତ ଶାହାଙ୍କ ଓକିଲ ଥିଲେ ରାଜୁ ଓ ଜୁଲାଇ ୨୦୨୦ରେ ସେ ଅତିରିକ୍ତ ସଲିସିଟର ଜେନେରାଲ ଭାବେ ନିଯୁକ୍ତି ପାଇଥିଲେ । ତେବେ ଏହି ସଂସ୍ଥାଦ୍ୱାରା ପ୍ରସ୍ତୁତ ତିନୋଟି ସଂହିତାର ଚିଠାକୁ ୧୧ଅଗଷ୍ଟ ୨୦୨୩ ଦିନ ସଂସଦରେ ଗୃହମନ୍ତ୍ରୀ ଅମିତ ଶାହା ପେଶ୍ କରିଥିଲେ ଯାହା ସଂସଦୀୟ କମିଟି ଦ୍ୱାରା ସଂଶୋଧିତ ହେବା ପରେ ପୁନର୍ବାର ଗୃହମନ୍ତ୍ରୀଙ୍କ ଦ୍ୱାରା ସଂସଦରେ ପେଶ୍ କରାଯାଇଥିଲା ୧୨ ଡିସେମ୍ବର ୨୦୨୩ ଦିନ । ପ୍ରଥମ ପାଳିରେ ପେଶ୍ ହୋଇଥିବା ବିଧେୟକ ଓ ଦ୍ୱିତୀୟ ପାଳିରେ ପେଶ୍ ହୋଇଥିବା ସଂଶୋଧିତ ବିଧେୟକ ମଧ୍ୟରେ ଥିବା ଫରକଗୁଡିକର ପରୀକ୍ଷା ବେଶ୍ ଚକ୍ଷୁ ଉନ୍ମେଷକାରୀ ହୋଇପାରେ, ଯାହା ପରେ ଆଲୋଚନା କରାଯିବ । ତେବେ ଯେପରି ଉପରେ କୁହାଯାଇଛି, ଏହି ସଂଶୋଧିତ ବିଧେୟକଗୁଡ଼ିକ ୨୧ ଡିସେମ୍ବର ସୁଦ୍ଧା ସଂସଦର ଦୁଇଟି ଗୃହରେ ମୌଖିକ ଭୋଟରେ ଗୃହୀତ ହୋଇଗଲା । ୨୫ ଡିସେମ୍ବର ଦିନ ରାଷ୍ଟ୍ରପତିଙ୍କ ସ୍ୱୀକୃତି ଲାଭ କଲା ।

ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦୃଢ଼ୋକ୍ତି

ଏହା ସ୍ପଷ୍ଟ ଯେ ଚିଠା ପ୍ରସ୍ତୁତିଠାରୁ ଆରମ୍ଭ କରି ଆଇନରେ ପରିଣତ ହେବା ପର୍ଯ୍ୟନ୍ତ ଭୂମିକା ମୁଖ୍ୟତଃ ଗୃହ ମନ୍ତ୍ରାଳୟର ହିଁ ଥିଲା ଓ ଏହି କାର୍ଯ୍ୟରେ ମୁଖ୍ୟ ନାୟକ ଥିଲେ ଗୃହମନ୍ତ୍ରୀ ଅମିତ ଶାହା । ଏହା ତାଙ୍କର ଦୃଢ଼ୋକ୍ତିରୁ ଜଣାପଡ଼େ ଯେତେବେଳେ ସେ କୁହନ୍ତି୬, ‘ଯଦି ସରକାର ୫୦ବର୍ଷ ଧରି କ୍ଷମତାରେ ରହୁଛିି ମାତ୍ର ୫-୬ଟିରେ ପରିବର୍ତ୍ତନ କରୁଛି । କିନ୍ତୁ ମାତ୍ର ୧୦ ବର୍ଷରେ ଆମେ ୫୦ରୁ ଅଧିକ ପରିବର୍ତ୍ତନ କରିଛୁ ପ୍ରତ୍ୟେକ କ୍ଷେତ୍ରରେ ।’ ଏହା ସେ କହୁଥିଲେ ୨୩ ଜାନୁଆରୀ ୨୦୨୪ଦିନ At 5th International and 44th All India Criminology Conference of National Forensic Sciences University, Gandhinagar ସେ ମଧ୍ୟ ସେଠାରେ କହୁଥିଲେ, “ଭାରତୀୟ ଦଣ୍ଡସଂହିତା, ଦଣ୍ଡ ପ୍ରକ୍ରିୟା ସଂହିତା, ସାକ୍ଷ୍ୟ ଅଧିନିୟମକୁ ଅକାମୀ କରାଯାଇଛି, ନୂଆ ଆଇନ ଅଣାଯାଇଛି । ମୁଁ ଏହି ବିଧେୟକଗୁଡ଼ିକର ଉପସ୍ଥାପନା କରିଛି ଏବଂ ଅତି ସାହସିକତାର ସହିତ…” ଏହା କହିବାସହିତ ସେ ମଧ୍ୟ ଉଲ୍ଲେଖ କରିଥିଲେ ତାଙ୍କ ସରକାରଙ୍କ ଦ୍ୱାରା ଘୋଷିତ ନୂତନ ଶିକ୍ଷାନୀତି ୨୦୨୦ର ମାହାତ୍ମ୍ୟ ଯେ “ଆମ ପ୍ରଶାସନ, ୪୦ବର୍ଷ ପରେ, ଏକ ନୂତନ ନୀତିର ପ୍ରଚଳନ କରିଛି । ମୁଁ କହିପାରେ ଯେ ଶିକ୍ଷାର ରଣନୀତି ପୂର୍ଣ୍ଣତଃ ଭାରତ ଉପରେ କେନ୍ଦ୍ରୀତ; ଏହାଦ୍ୱାରା ଆମ ପିଲାମାନେ ବିଶ୍ୱ ଦୃଶ୍ୟପଟ୍ଟରେ ଗୁରୁତ୍ୱ ଲାଭ କରିବେ ।”

ଅମିତ ଶାହାଙ୍କର ଦୀର୍ଘ ସାକ୍ଷାତକାର

ଏହି ବକ୍ତବ୍ୟ ପ୍ରକାଶ ପାଇବା ପୂର୍ବରୁ ଅମିତ ଶାହାଙ୍କର ଏକ ଦୀର୍ଘ ସାକ୍ଷାତକାର ପ୍ରକାଶ ପାଇଥିଲା-ନୂତନ ଅପରାଧ ଆଇନ ସମ୍ପର୍କରେ୭ା ଏହି ଆଇନଗୁଡ଼ିକର ଅନନ୍ୟତା ଦର୍ଶାଇ ସେ କହିଥିଲେ, “ପ୍ରଥମତଃ, “ଏହି ଆଇନଗୁଡ଼ିକ ପୂର୍ଣ୍ଣତଃ ପ୍ରତିନିଧିତ୍ୱ କରେ ଏବଂ ସାକାର କରେ ଭାରତୀୟ ନ୍ୟାୟବ୍ୟବସ୍ଥାକୁ ଯାହା ଆମକୁ ସ୍ୱାଧୀନତା ପରଠାରୁ ପ୍ରଥମ ଥର ପାଇଁ ଔପନିବେଶିକ ମାନସିକତାରୁ ମୁକ୍ତ କରେ।” ଦ୍ୱିତୀୟତଃ, “କାର୍ଯ୍ୟକାରୀ ହେବା ପରେ, ପ୍ରଯୁକ୍ତି ଯୁଗ ସହ ତାଳ ଦେଇ, ଏମାନେ ବିଶ୍ୱର ସବୁଠାରୁ ଆଧୁନିକ ଅପରାଧ ନ୍ୟାୟବ୍ୟବସ୍ଥା ହେବେ ।” ତୃତୀୟତଃ, “୧୩୦ କୋଟି ଜନସଂଖ୍ୟା ବିଶିଷ୍ଟ ଏହି ଦେଶରେ ଯେଉଁଠାରେ ଲୋକେ ସଠିକ ସମୟରେ ନ୍ୟାୟ ପାଇବା ପାଇଁ ବର୍ଷ ବର୍ଷ ଧରି ଅପେକ୍ଷା କରୁଛନ୍ତି, ମୁଁ ଦୃଢ଼ତାର ସହ କହିପାରେ, ଏହି ତିନୋଟି ଆଇନ କାର୍ଯ୍ୟକାରୀ ହେଲେ, ଯଦି ଦେଶର କୌଣସି ଅଂଚଳରେ ଏଫ୍ଆଇଆର୍(FIR) କରାଯାଏ, ଏଫ୍ଆଇଆର୍ ପଂଜିକୃତ ହେବାର ତିନିବର୍ଷ ଭିତରେ ସେମାନଙ୍କୁ ନ୍ୟାୟ ନିଶ୍ଚିତ କରାଯିବ ।” ସ୍ୱାଭାବିକ ଶାହା ମହୋଦୟ ତିନୋଟି ଆଇନ ଅର୍ଥାତ୍ ଭାରତୀୟ ନ୍ୟାୟ ସଂହିତା ୨୦୨୩, ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩ ଓ ଭାରତୀୟ ସାକ୍ଷ୍ୟ ଅଧିନିୟମ ୨୦୨୩ ପ୍ରତି ହିଁ ଇଙ୍ଗିତ କରୁଥିଲେ ଓ ଦୃଢ଼ୋକ୍ତି କରୁଥିଲେ ଯେ ଏହି ତିନୋଟି ଆଇନ ଯାହାର ଆଧାର ହେଉଛି ଭାରତୀୟତା (‘the spirit of Indianness’), ଏ ଗୁଡ଼ିକର ପ୍ରଚଳନ ଆମକୁ ଔପନିବେଶିକ ମାନସକିତାରୁ ମୁକ୍ତ କରିବ, ବିଶ୍ୱର ସବୁଠାରୁ ଶ୍ରେଷ୍ଠ ଆଧୁନିକ ନ୍ୟାୟବ୍ୟବସ୍ଥାର ଅନୁଭବ ଦେବ ଓ ତ୍ୱରିତ ନ୍ୟାୟ ଉପଲବ୍ଧ କରାଇବ ।

ଭାରତୀୟତା

ଏହା ବୋଧହୁଏ ସଂଯୋଗ ନୁହେଁ ଯେ ଅମିତ ଶାହା ମହୋଦୟ ଏହି ତିନୋଟି ଅପରାଧ ଆଇନ ସମ୍ପର୍କରେ, ଗାନ୍ଧୀନଗରସ୍ଥିତ ଫୋରେନ୍ସିକ ବିଶ୍ୱବିଦ୍ୟାଳୟରେ ନିଜର ବକ୍ତବ୍ୟ ରଖୁଥିଲେ ସେତେବେଳେ ସେ ନୂତନ ଶିକ୍ଷାନୀତି ୨୦୨୦ର ଉଲ୍ଲେଖ କରୁଥିଲେ, ଓ ଏହି ଦୁଇଟିରେ କିପରି ଭାରତୀୟତା ଓ ବିଶ୍ୱସ୍ତରୀୟ ସଫଳତାକୁ ଗୁରୁତ୍ୱ ଦିଆଯାଇଛି ତାହା ପ୍ରତି ଦୃଷ୍ଟି ଆକର୍ଷଣ କରୁଥିଲେ ।

ଭାରତୀୟତା କିପରି ଗୁରୁତ୍ୱ ପାଇଛି ନୂତନ ଶିକ୍ଷାନୀତି ୨୦୨୦ରେ ତାହା ଜଣାଯାଏ ଏହି ଶିକ୍ଷାନୀତିର ଘୋଷିତ ଭିଜନରେ୮- , “ଏହି ଜାତୀୟ ଶିକ୍ଷାନୀତିର ଦୃଷ୍ଟିରେ ରହିଛି ଏକ ଶିକ୍ଷାବ୍ୟବସ୍ଥା ଯାହାର ଚେର ରହିବ ଭାରତୀୟ ଭାବଧାରାରେ, ଯାହାର ସିଧାସଳଖ ଅବଦାନ ରହିବ, India, that is Bharatକୁ ପରିବର୍ତ୍ତନ କରିବାରେ…” । ଏହି ଶିକ୍ଷାନୀତି ପ୍ରସ୍ତୁତ ହୋଇଥିଲା କସ୍ତୁରିରଂଗନ କମଟିର ‘ଚିଠା ଜାତୀୟ ଶିକ୍ଷାନୀତି ୨୦୧୯’ ସୁପାରିଶ ଭିତ୍ତିରେ୯ । ଏହି ଚିଠାଜାତୀୟ ଶିକ୍ଷାନୀତିରେ ଭିଜନର ଭାଷା ଥିଲା, “ଜାତୀୟ ଶିକ୍ଷାନୀତି ୨୦୧୯ ଦୃଷ୍ଟିରେ ରହିଛି India କେନ୍ଦ୍ରିକ ଶିକ୍ଷାବ୍ୟବସ୍ଥା..” ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘ ସହିତ ସହବନ୍ଧିତ ଭାରତୀୟ ଶିକ୍ଷଣ ମଣ୍ଡଳର ଶିକ୍ଷା ସମ୍ପର୍କରେ ଭିଜନର ଭାଷା ହେଲା୧୦, “ପ୍ରାଥମିକ ସ୍ତରରୁ ଉଚ୍ଚସ୍ତର ଯାଏ ଏକ ପୂର୍ଣ୍ଣାଙ୍ଗ ଶିକ୍ଷାବ୍ୟବସ୍ଥାର ବ୍ୟବସ୍ଥିତ ବିକାଶ କରିବା ଯାହା ଭାରତୀୟ ମୂଲ୍ୟ ଉପରେ ଆଧାରିତ ହେବ, ଯାହାର ପୋଷଣ ଭାରତୀୟ ସଂସ୍କୃତିଦ୍ୱାରା ହେବ ଏବଂ ଭାରତକେନ୍ଦ୍ରିକ ହେବ । ” ଭାରତର ଶିକ୍ଷାନୀତିର ଭିଜନରେ ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘ ସହିତ ସହବନ୍ଧିତ ଭାରତୀୟ ଶିକ୍ଷଣ ମଣ୍ଡଳର ଭିଜନ ପ୍ରତିଫଳିତ ହେବାରେ ଆଦୌ ଆଶ୍ଚର୍ଯ୍ୟ ହେବାର କୌଣସି କାରଣ ନାହିଁ, କସ୍ତୁରିରଂଗନ ତାଙ୍କ ରିପୋର୍ଟ ପ୍ରସ୍ତୁତ କଲାବେଳେ ଭାରତୀୟ ଶିକ୍ଷଣ ମଣ୍ଡଳ ସହିତ ପରାମର୍ଶ କରିଥିଲେ ବୋଲି ତାଙ୍କ ରିପୋର୍ଟରେ ପରିଶିଷ୍ଟରେ ଦିଆଯାଇଥିବା ତାଲିକାରୁ ଜଣାପଡ଼େ । (ଭାରତୀୟ ଶିକ୍ଷାନୀତିରେ ଭାରତୀୟତା ପ୍ରସଙ୍ଗର ପୂର୍ବାପର ସଂଗତି ରକ୍ଷାକରି ସବିସ୍ତାରିତ ଆଲୋଚନା ଏ ଲେଖକ ପୂର୍ବେ କରିଛି -ଦ୍ରଷ୍ଟବ୍ୟ “ଭାରତୀୟ ଶିକ୍ଷାନୀତିରେ ଭାରତୀୟତା”, ସମଦୃଷ୍ଟି, ୧୬-୩୧ ଅକ୍ଟୋବର ୨୦୧୯, ପୃ ୧୪-୨୩) କହିବା ବାହୁଲ୍ୟ ଯେ ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘର ଦୃଷ୍ଟିରେ ଭାରତୀୟତା ହିଁ ବର୍ତ୍ତମାନ ସରକାରଙ୍କ ଆନୁକୂଲ୍ୟରେ ପ୍ରଣୀତ ନୀତିମାନଙ୍କରେ ଗୁରୁତ୍ୱ ପାଉଛି ।

ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘର ପ୍ରଭାବ ଦେଖାଯାଏ ଭାରତୀୟ ନାଗରିକ-ସୁରକ୍ଷା ସଂହିତା ୨୦୨୩ରେ । ତା’ ନହେଲେ ଏହାର ପୂର୍ବ ସଂସ୍କରଣ ଭାରତୀୟ ଦଣ୍ଡପ୍ରକ୍ରିୟା ସଂହିତା ୧୯୭୩ର ଧାରା ୧୪୪ ଏ (୧୪୪ଇ)ର ଅନୁରୂପ କୌଣସି ଧାରାର ଉଲ୍ଲେଖ ଭାରତୀୟ ନାଗରିକ-ସୁରକ୍ଷା ସଂହିତା ୨୦୨୩ର ଧାରା ୧୬୩ ପରେ ହୁଏ ନାହିଁ, ଯଦିଓ ସଂହିତାର ଏହି ଧାରା ଦଣ୍ଡପ୍ରକ୍ରିୟା ସଂହିତା ୧୯୭୩ର ଧାରା ୧୪୪ ସହ ପ୍ରତି ଶବ୍ଦରେ ସମାନ । ଧାରା୧୪୪ ଏ ରେ ପ୍ରଶାସନର କ୍ଷମତା ଥିଲା ଅସ୍ତ୍ର (arms) ଧାରଣ କରି ଶୋଭାଯାତ୍ରା, ବା ସମୂହ ଡ୍ରିଲ ବା ଅସ୍ତ୍ର ଶହ ସମୂହ ତାଲିମକୁ ପ୍ରତିବନ୍ଧିତ କରିବାପାଇଁ । ଭାରତୀୟ ଦଣ୍ଡସଂହିତା ୧୮୬୦ର ଧାରା ୧୫୩ ଏ ଏ(୧୫୩ଇଇ) ରେ “Arms” ବା ଅସ୍ତ୍ରର ଅର୍ଥ ସ୍ପଷ୍ଟ କରାଯାଇଥିଲା : ଅସ୍ତ୍ର ଭିତରେ ଅନ୍ତର୍ଭୁକ୍ତ କରାଯାଇଥିଲା ଆଗ୍ନେୟାସ୍ତ୍ର, ଧାରୁଆ ଅସ୍ତ୍ର, ଲାଠି, ବାଡି,ଠେଙ୍ଗା (fire-arms, sharp edged weapons, lathis, dandas and sticks) । ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘର ବିଭିନ୍ନ ପଡ଼ିଆରେ ଶାଖା ଲାଗିବା ଓ ସେଥିରେ ବାଡି ଧରି ଡ୍ରିଲ କରାଯିବାକୁ ପାଠକେ ମନେ ପକାଇ ପାରନ୍ତି । ନୂତନ ସଂହିତା ୨୦୨୩ ଅନୁସାରେ ବାଡି ଧରି ଡ୍ରିଲ ଆଦି କରିବାକୁ ବାରଣ କରିବାର କ୍ଷମତା ଆଉ ପ୍ରଶାସନର ନାହିଁ ।

ଔପନିବେଶିକତା

ଭାରତୀୟ ଦଣ୍ଡ ସଂହିତା, ୧୮୬୦, ଭାରତୀୟ ସାକ୍ଷ୍ୟ ଅଧିନିୟମ, ୧୮୭୨ ଓ ଭାରତୀୟ ଦଣ୍ଡପ୍ରକ୍ରିୟା ସଂହିତା ୧୮୯୮ ଔପନିବେଶିକ ଭାରତରେ, ଅର୍ଥାତ୍ ଭାରତ ସ୍ୱାଧୀନ ହେବା ପୂର୍ବରୁ ହିଁ ପ୍ରଣୀତ ହୋଇଥିଲା । କିନ୍ତୁ ସ୍ୱାଧୀନତା ହାସଲ ପରେ ଭାରତୀୟ ଦଣ୍ଡ ପ୍ରକ୍ରିୟା ସଂହିତା ୧୮୯୮ ସ୍ଥାନରେ ଭାରତୀୟ ଦଣ୍ଡ ପ୍ରକ୍ରିୟା ସଂହିତା ୧୯୭୩ର ପ୍ରଣୟନ ହେଲା । ଅର୍ଥାତ୍ ଔପନିବେଶିକ କାଳର ଅପରାଧ ଆଇନକୁ ଅକାମୀ(repeal) କରି, ସ୍ୱାଧୀନ ଭାରତରେ ଆଇନପ୍ରଣୟନକୁ ଯଦି ଔପନିବେଶିକ ମାନସିକତାରୁ ମୁକ୍ତି ହେବା ବୋଲି ଧରାଯାଏ, ତାହାହେଲେ ଏହି ପ୍ରକ୍ରିୟା ୧୯୭୩ ମସିହାରେ ଆରମ୍ଭ ହୋଇଥିଲା ବୋଲି କୁହାଯିବା ଅଯଥାର୍ଥ ହେବ ନାହିଁ । ଅବଶ୍ୟ ନାଁରେ କୌଣସି ପରିବର୍ତ୍ତନ କରାଯାଇ ନଥିଲା, ସେହି ଦଣ୍ଡପ୍ରକ୍ରିୟା ସଂହିତା ରହିଲା, ୧୮୯୮ସ୍ଥାନରେ ୧୯୭୩ ଲେଖା ହେଲା ଯଦିଓ ଭିତର ବିଷୟ ବସ୍ତୁରେ ବେଶ୍ କିଛି ପରିବର୍ତ୍ତନ ହୋଇଥିଲା । ଭାରତୀୟ ନାଗରିକ-ସୁରକ୍ଷା ସଂହିତା ୨୦୨୩, ଦଣ୍ଡପ୍ରକ୍ରିୟା ସଂହିତା ୧୯୭୩କୁ ହିଁ ଅକାମୀ କଲା । ତେଣୁ ମାତ୍ର ଦୁଇଟି ଔପନିବେଶିକ ଆଇନ ଯଥା ଭାରତୀୟ ଦଣ୍ଡ ସଂହିତା, ୧୮୬୦, ଭାରତୀୟ ସାକ୍ଷ୍ୟ ଅଧିନିୟମ, ୧୮୭୨ ହିଁ ଏଯାବତ୍ ପ୍ରଚଳିତ ଥିଲା । ଯାହା ଯଥାକ୍ରମେ ଭାରତୀୟ ନ୍ୟାୟସଂହିତା ୨୦୨୩ ଓ ଭାରତୀୟ ସାକ୍ଷ୍ୟ ଅଧିନିୟମ ୨୦୨୩ ଦ୍ୱାରା ଅକାମୀ ହେଲା ।

ଏହି ଆଇନଗୁଡିକୁ ଔପନିବେଶିକ କହି ଏହାର ଉଚ୍ଛେଦରେ ଔପନିବେଶିକ ମାନସିକତାରୁ ମୁକ୍ତ ହୋଇ ଗଲେ ବୋଲି ଆହ୍ଲାଦିତ ହେବା ବେଳେ ଆମେ ଆଦୌ ଏହାକୁ ବିସ୍ମୃତ ହେବା ଉଚିତ ନୁହେଁ ଯେ ସମାନ ନାଗରିକ ସଂହିତା (Uniform Civil Code)ର ଭିତ୍ତି ପଡିଥିଲା ଏହି ଅପରାଧ ଆଇନର ପ୍ରଣୟନରେ । ଯେଉଁମାନେ ଆଜି ସମାନ ନାଗରିକ ସଂହିତା ପାଇଁ ଦାବି କରୁଛନ୍ତି ସେମାନେ ସମ୍ବିଧାନ ସଭାରେ, ସମାନ ନାଗରିକ ସଂହିତା ଉପରେ ବିତର୍କରେ ଆମ୍ବେଦକରଙ୍କର ବକ୍ତବ୍ୟକୁ ସ୍ମରଣ କରିବା ଉଚିତ ଯେଉଁଠାରେ ସେ କହିଥିଲେ୧୧, “ମାନବୀୟ ସମ୍ପର୍କର ପ୍ରାୟ ସବୁ ଦିଗକୁ ଅନ୍ତର୍ଭୁକ୍ତ କରୁଥିବା ଆଇନଗୁଡିକୁ ନେଇ ଆମ ଦେଶରେ ଏକ ସମାନ ସଂହିତା (uniform code)ଅଛି । ଆମର ଅଛି ଏକ ସମାନ ଏବଂ ପୂର୍ଣ୍ଣ ଅପରାଧ ସଂହିତା ଯାହା ସାରାଦେଶରେ କାର୍ଯ୍ୟ କରୁଛି ଯେଉଁଥିରେ ଅଛି ଦଣ୍ଡସଂହିତା (the Penal Code) ଓ ଦଣ୍ଡ ପ୍ରକ୍ରିୟା ସଂହିତା (the Criminal Procedure Code) । ” କାରଣ ଏହି ଔପନିବେଶିକ ଅପରାଧ ଆଇନ ଦ୍ୱାରା ହିଁ ପ୍ରଥମଥର ପାଇଁ ଭାରତରେ ସମାନ ଅପରାଧ ପାଇଁ ସମାନ ଦଣ୍ଡର ବ୍ୟବସ୍ଥା, ଜାତି, ଧର୍ମ, ଭାଷା ନିର୍ବିଶେଷରେ ସମସ୍ତଙ୍କ ପାଇଁ ଲାଗୁ ହେଲା । ଏହା ପୂର୍ବରେ ଏପରି ନଥିଲା -ସମାନ ଅପରାଧ ପାଇଁ ଉଚ୍ଚବର୍ଣ୍ଣର ବ୍ୟକ୍ତିକୁ ନିମ୍ନ ବର୍ଣ୍ଣର ବ୍ୟକ୍ତି ଠାରୁ ହାଲୁକା ଦଣ୍ଡର ବ୍ୟବସ୍ଥା ଥିଲା । କୌଟିଲ୍ୟଙ୍କ ଅର୍ଥଶାସ୍ତ୍ର ଅନୁସାରେ୧୨, “ସମାନ ଅପରାଧ ବା ଆଇନ ଉଲଂଘନ ପାଇଁ ଅପରାଧୀ ବା ଉଲଂଘନକାରୀର ବର୍ଣ୍ଣ ଅନୁସାରେ ଦଣ୍ଡ ଭିନ୍ନ ହେଉଥିଲା । ସାଧାରଣତଃ ବର୍ଣ୍ଣ ଯେତେ ନିମ୍ନ ହେଉଥିଲା ଦଣ୍ଡ ସେତେ ଅଧିକ କଠୋର ହେଉଥିଲା ।…..ଏପରିକି ଦେଶଦ୍ରୋହ ପରି ଗମ୍ଭୀର ଅପରାଧ ପାଇଁ ଦଣ୍ଡ ଯେତେବେଳେ ଯେକୌଣସି ଅନ୍ୟ ବ୍ୟକ୍ତି ପାଇଁ ପୋଡ଼ି ମାରିଦେବା ଥିଲା, ସେତେବେଳେ ବ୍ରାହ୍ମଣ ଅପରାଧୀ ପାଇଁ ଦଣ୍ଡକୁ ହ୍ରାସ କରାଯାଇ ଅନ୍ଧ କରାଯିବା ଯାଏ ସୀମିତ କରାହୋଇଥିଲା ।” କହିବା ବାହୁଲ୍ୟ ଯେ ଯାହାକୁ ଔପନିବେଶିକ ଆଇନ କହି ତା ପ୍ରତି ଏକ ବିରୋଧୀ ମାନସିକତା ସୃଷ୍ଟି କରିବାର ଉଦ୍ୟମ ହୋଇଛି, ତାହାର ପ୍ରଣୟନ ଦ୍ୱାରା ଯେ ପ୍ରକୃତରେ ଏକ ଅତ୍ୟନ୍ତ ପ୍ରଗତିଶୀଳ ଆଇନର ପ୍ରଣୟନ ହୋଇଥିଲା, ତାହାକୁ ବିସ୍ମୃତ କରାଯାଇ ନପାରେ । ଅବଶ୍ୟ ଆଜି ମଧ୍ୟ ଆମ ସମାଜରେ ଏପରି ବ୍ୟକ୍ତି ଅଛନ୍ତି, ତାହା ପୁଣି ମହତ୍ତ୍ୱପୂର୍ଣ୍ଣ ପଦବୀରେ, ଯେଉଁମାନେ ବିଶ୍ୱାସ କରନ୍ତି ଯେ ଉଚ୍ଚଜାତିର ବ୍ୟକ୍ତି ଗର୍ହିିତ ଅପରାଧ କରି ନ ପାରନ୍ତି, ଓ ତେଣୁ କୌଣସି କଠିନ ଦଣ୍ଡ ତାଙ୍କୁ ଦିଆଯିବା ଉଚିତ ନୁହେଁ । ଉଦାହରଣସ୍ୱରୂପ ବିଲକିସ ବାନୋ ଗଣଧର୍ଷଣ ଓ ହତ୍ୟା ଅଭିଯୋଗରେ ଆଜୀବନ କାରାବାସ ଦଣ୍ଡରେ ଦଣ୍ଡିତ ଅପରାଧୀଙ୍କୁ ଖଲାସ କରାଯିବା ଓ ଖଲାସ କରିବାପାଇଁ ସୁପାରିଶ କମିଟିର ଜଣେ ସଭ୍ୟ, ଭାରତୀୟ ଜନତା ପାର୍ଟିର ବିଧାୟକ ସି.କେ.ରାଉଲଜୀ, କହିବା୧୩ ଯେ ଏହି ଧର୍ଷଣକାରୀମାନେ, “ବ୍ରାହ୍ମଣ, ଏବଂ ଏପରି ତ ବ୍ରାହ୍ମଣମାନେ ଭଲ ସଂସ୍କାରର ଅଧିକାରୀ”, ଓ ଏହି କମିଟିର ସୁପାରିଶକୁ ଅମିତ ଶାହାଙ୍କର ଗୃହ ମନ୍ତ୍ରାଳୟ ଅନୁମୋଦନ ଦେବା କଣ ଦର୍ଶାଏ? ଏହା ଦଣ୍ଡ ସଂହିତାର ସମାନ ଅପରାଧ ପାଇଁ ସମାନ ଦଣ୍ଡ ପ୍ରତି ବିରୋଧୀ ମାନସିକତାର ପ୍ରଦର୍ଶନ ନୁହେଁ କି? ଏହା ଛଡ଼ା ଯେତେବେଳେ ଆମେ ସମ୍ବାଦ୧୪ ପଢୁ ଯେ ଆମ କାରାଗାରରେ ଦଳିତ, ଆଦିବାସୀ ଓ ସଂଖ୍ୟାଲଘୁ ସମ୍ପ୍ରଦାୟର ବନ୍ଦୀଙ୍କ ସଂଖ୍ୟା ସେମାନଙ୍କ ଲୋକ ସଂଖ୍ୟା ଅନୁପାତରେ ବେଶୀ, ସେତେବେଳେ ଏହା କଣ ଦର୍ଶାଏ? ଯଦି ଆମେ ଔପନିବେଶିକ ଆଇନର ଉଚ୍ଛେଦରେ ଅହ୍ଲାଦିତ ହେବା ତାହାହେଲେ ସତୀପ୍ରଥା ଉଚ୍ଛେଦ ଆଇନ ୧୮୨୯ ବା ବିଧବା ପୁନଃବିବାହ ଆଇନ ୧୮୫୬ର ଉଚ୍ଛେଦ କରାଯିବାର ପ୍ରସ୍ତାବକୁ ଯଥାର୍ଥ ବୋଲି କହିପାରିବା କି?

ଔପନିବେଶିକତାର ଆଖ୍ୟାନ(narrative) ପ୍ରତି ଆମେ ସତର୍କ ରହିବା ଉଚିତ । ଏହାକୁ ବୁଝିବାପାଇଁ ଆମର ବିବେକ ଓ ଯୁକ୍ତି ବ୍ୟବହାର କରିବା ଉଚିତ । ଅବଶ୍ୟ ଆମେ ନିଶ୍ଚିତ ପ୍ରଶଂସା କରିବା ଉଚିତ ଯେ ଯେଉଁମାନଙ୍କର ରାଜନୈତିକ ଓ ସାଂସ୍କୃତିକ ପୂର୍ବଜ ଭାରତକୁ ବ୍ରିଟିଶ ଉପନିବେଶରୁ ମୁକ୍ତ କରିବା ପାଇଁ ସ୍ୱାଧୀନତା ସଂଗ୍ରାମରେ ଅଂଶ ଗ୍ରହଣ କରି ନଥିଲେ, ସେମାନେ ଆଜି ସରକାରରେ ଥାଇ ଆମକୁ ଔପନିବେଶିକ ମାନସିକତାରୁ ମୁକ୍ତି ଦେଉଛନ୍ତି!

ଔପନିବେଶିକ ଶାସନରେ ଆଇନର ଅପପ୍ରୟୋଗ ଓ ନେତାଜୀ ସୁଭାଷଙ୍କ କ୍ଷୋଭ

କିନ୍ତୁ ଔପନିବେଶିକ ଶାସନରେ କିପରି ଆଇନର ଅପବ୍ୟବହାର ହେଉଥିଲା, ତାହାର ଏକ ନିର୍ଭରଯୋଗ୍ୟ ବିବରଣୀ ଆମେ ପାଉ ନେତାଜୀ ସୁଭାଷ ବୋଷଙ୍କ ଅଭିଜ୍ଞତାରୁ ଯାହା ସେ ଲିପିବଦ୍ଧ କରିଥିଲେ୧୫ ‘ମୋର ରାଜନୈତିକ ଇଚ୍ଛାପତ୍ର’(‘My Political Testament’)ରେ । ଏହା ସେ ଲେଖିଥିଲେ ତତ୍କାଳୀନ ବଂଗଳାର ରାଜ୍ୟପାଳ ଓ ମନ୍ତ୍ରୀ ପରିଷଦର ସଦସ୍ୟଙ୍କୁ , ୨୬ ନଭେମ୍ବର ୧୯୪୦ଦିନ ପ୍ରେସିଡେନ୍ସୀ ଜେଲରେ ବନ୍ଦୀ ଥିବା ସମୟରେ, ଓ ଚାହିଁଥିଲେ ଏହି ପତ୍ରଟିକୁ ସରକାର ‘ଐତିହାସିକ ଦଲିଲ-ଦସ୍ତାବିଜ ସଂଗ୍ରହାଳୟରେ ଅତି ଯତ୍ନର ସହ ସଂରକ୍ଷିତ କରିବା ଉଚିତ ଯାହା ଫଳରେ ଏହା ମୋର ସେହି ଦେଶବାସୀଙ୍କୁ ଉପଲବ୍ଧ ହୋଇ ପାରିବ ଯେଉଁମାନେ ଭବିଷ୍ୟତରେ ଆପଣମାନଙ୍କ ପଦବୀରେ ଅଧିଷ୍ଠିତ ହେବେ ।’ କିନ୍ତୁ ଏହି ଧାଡିଟି ପୂର୍ବରୁ ନେତାଜୀ ଲେଖିଥିଲେ,“ମୋର ଆଉ କୌଣସି ଆଶା ନାହିଁ ଯେ ଆପଣଙ୍କ ହାତରୁ କୌଣସି ପ୍ରତିକାର ପାଇବି ବୋଲି ।” ଏହିପରି ନୈରାଶ୍ୟ ବାଣୀରୁ ଆରମ୍ଭ ହୋଇଥିବା ଏହି ପତ୍ରରୁ କିଛି ପ୍ରାସଙ୍ଗିକ ଅଂଶ ପାଠକଙ୍କ ଅବଗତି ପାଇଁ ଉଦ୍ଧାର କରାଯାଇପାରେ ଯାହା ଔପନିବେଶିକ ଶାସନରେ ଆଇନର ସ୍ୱେଚ୍ଛାଚାରୀ ପ୍ରୟୋଗର ଦୃଷ୍ଟାନ୍ତ । କୌଣସି ଯଥାର୍ଥ କାରଣ ନ ଥାଇ ହେଉଥିଲା ଗିରଫ ଯେପରି ସୁଭାଷଙ୍କୁ ଗିରଫ କରାଯାଇଥିଲା; ସୁଭାଷଙ୍କ ଭାଷାରେ, “କୌଣସି ଆଫିସିକ (official) କୈଫିୟତ ବା ଯଥାର୍ଥତା ନଥାଇ ୨ଜୁଲାଇ ୧୯୪୦ ଦିନ ବଙ୍ଗଳା ସରକାରଙ୍କ ଆଦେଶ ବଳରେ ମୋତେ ଗିରଫ କରାଗଲା ଭାରତ ରକ୍ଷା ନିୟମ (Defence of India Rule)ର ଧାରା ୧୨୯ ଅନୁସାରେ ।” ଯଦିଓ ଏହି ଧାରା ଅନୁସାରେ ଅଟକ ଥିଲା ଅସ୍ଥାୟୀ ଓ ଏହି ଧାରାରେ ଅଟକ ହୋଇଥିବା ଅନେକଙ୍କୁ ଖଲାସ କରାଯାଇଥିଲା, ସୁଭାଷ ଲେଖନ୍ତି, “ପ୍ରାୟ ସେହି ସମୟରେ, ଧାରା ୧୨୯ ଅନ୍ତର୍ଗତ ଦିଆଯାଇଥିବା ମୂଳ ନିର୍ଦ୍ଦେଶ ସ୍ଥାନରେ, ଯାହା ଅନୁସାରେ ଅଟକ ଥିଲା ଅସ୍ଥାୟୀ, ମୋତେ ଧରାଇ ଦିଆଗଲା ଭାରତ ରକ୍ଷା ନିୟମ (Defence of India Rule)ର ଧାରା ୨୬ ଅନ୍ତର୍ଗତ ସ୍ଥାୟୀ ଅଟକର ନିର୍ଦ୍ଦେଶ ।..ଏବଂ ଆଶ୍ଚର୍ଯ୍ୟଜନକ ଭାବେ, ଧାରା ୨୬ଅନ୍ତର୍ଗତ ନିର୍ଦ୍ଦେଶ ସହିତ ସମ୍ବାଦ ଆସିଲା ଯେ ମୋ ବିରୋଧରେ ଭାରତ ରକ୍ଷା ନିୟମ (Defence of India Rule)ର ଧାରା ୩୮ ଅନ୍ତର୍ଗତ ମକଦ୍ଦମା ଦୁଇ ଜଣ ମାଜିଷ୍ଟ୍ରେଟଙ୍କ ନିକଟରେ ଦାଏର ହୋଇଛି-ମୋର ତିନୋଟି ଭାଷଣ ଓ ମୋର ଏକ ନିବନ୍ଧକୁ ନେଇ ଯାହା ସାପ୍ତାହିକ ପତ୍ରିକା ‘ଫରୱାର୍ଡ ବ୍ଲକ’ ଯାହାର ମୁଁ ସମ୍ପାଦକ, ସେଥିରେ ପ୍ରକାଶିତ । ଏହି ତିନୋଟି ଭାଷଣ ମଧ୍ୟରୁ ଦୁଇଟି ଭାଷଣ ମୁଁ ଦେଇଥିଲି ଫେବୃଆରୀ,୧୯୪୦ରେ ଓ ତୃତୀୟଟି ଦେଇଥିଲି ଏପ୍ରିଲ ମାସରେ । ସରକାର ଏହିଭଳି ଏକ ଅଭୂତପୂର୍ବ ଓ ନିଆରା ପରିସ୍ଥିତି ସୃଷ୍ଟି କରଥିଲେ ଅଗଷ୍ଟମାସର ଶେଷ ଆଡ଼କୁ, ଗୋଟିଏ ଧାରାରେ ମୋତେ କୌଣସି ବିଚାର ନକରି ସ୍ଥାୟୀଭାବେ ଅଟକ ରଖିଲେ ଓ ସେହି ସମାନ ନିୟମର ଆଉ ଏକ ଧାରାରେ ସେହି ସମୟରେ ମୋ ବିରୋଧରେ ବିଚାର ହେଉଥିଲା ଏକ ନ୍ୟାୟିକ ଟ୍ରିବୁ୍ୟନାଲରେ । ଏହା ଘଟିବା ପୂର୍ବରୁ ମୁଁ ଦେଖି ନାହିଁ କାର୍ଯ୍ୟନିର୍ବାହୀ ଆଦେଶ ଓ ନ୍ୟାୟିକ ପଦ୍ଧତିର ଏପରି ମିଳନ । ଏପରି ନୀତି ସ୍ପଷ୍ଟଭାବରେ ଅବୈଧ ଏବଂ ଅନ୍ୟାୟ ଏବଂ ପ୍ରତିଶୋଧ ପରାୟଣତାର ଆଭାସ ଦିଏ ।” ପୁରୁଣା ମାମଲାକୁ କାଢ଼ି ଯାହାଉପରେ ଦଣ୍ଡ ବା ଜୋରିମାନା ହୋଇସାରିଛି ତାହା ଉପରେ ପୁଣିଥରେ ମାମଲା ଦାଏର କରିବାର ଷଡ଼ଯନ୍ତ୍ରର ଶିକାର ହୋଇଥିଲେ ସୁଭାଷ ଯେତେବେଳେ ସେ ଜଣାଉଥିଲେ ଯେ “‘ଫରୱାର୍ଡ ବ୍ଲକ’ରେ ପ୍ରକାଶିତ ସେହି ନିବନ୍ଧ ପାଇଁ ପତ୍ରିକା ଦଣ୍ଡିତ ହୋଇଯାଇଥିଲା, ୫୦୦ଟଙ୍କାର ଅମାନତ ଜବତ ହୋଇଥିଲା ଓ ପୁଣି ୨୦୦୦ଟଙ୍କାର ଅମାନତ ଦାଖଲ କରିବାକୁ ପଡ଼ିଥିଲା । ଏହାଛଡା, ବହୁଦିନ ପରେ କୌଣସି ପୂର୍ବ ସୂଚନା ନଦେଇ, ଯାହା ସରକାରଙ୍କର ଅଭ୍ୟାସ, ସହସା ପତ୍ରିକା ଉପରେ ଆକ୍ରମଣ କରାଯାଇଥିଲା ।” ସରକାରଙ୍କ ଦ୍ୱାରା ଏପରି କରାଯିବା ବିରୋଧରେ ସୁଭାଷ ପ୍ରତିକ୍ରିୟା କରି ଲେଖିଥିଲେ, “ଯେ କୌଣସି ନିରପେକ୍ଷ ବ୍ୟକ୍ତି ସରକାରଙ୍କର କାର୍ଯ୍ୟକୁ ମନ୍ଦ ଉଦ୍ଦେଶ୍ୟରେ ହେଉଥିବା ବୋଲି କହିବ, କାରଣ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେଉଛି କଥିତ ଅନିଷ୍ଟକାରୀ କାର୍ଯ୍ୟଟି ସଂଘଟିତ ହେବାର ଯଥେଷ୍ଟ ପରେ । ଯଦି କାର୍ଯ୍ୟଟି ପ୍ରକୃତରେ ଅନିଷ୍ଟକାରୀ ହୋଇଥାନ୍ତା, ତାହାହେଲେ ସରକାର ବହୁପୂର୍ବରୁ କାର୍ଯ୍ୟାନୁଷ୍ଠାନ କରି ସାରନ୍ତେଣି, ଅର୍ଥାତ୍ ସେହି ସମୟରେ ଯେତେବେଳେ କଥିତ ଅପରାଧ ଘଟିଲା ।” ସୁଭାଷ ବନ୍ଦୀ ହୋଇଥିଲେ ଭାରତ ରକ୍ଷା ନିୟମ (Defence of India Rule)ଅନୁସାରେ ଏହାକୁ ସେ ପ୍ରଶ୍ନ କରୁଥିଲେ, “ଏହା କଣ ଅନୁଚିତ ହେବ କହିବା ଯେ ଭାରତ ରକ୍ଷା ନିୟମ ପ୍ରକୃତରେ ଭାରତ ଦମନ ନିୟମ (Suppression of India Rules) ବା ଅନ୍ୟାୟ ରକ୍ଷା ନିୟମ (Defence of Injustice Rules)” ଏହି ନିୟମର ତାଙ୍କ କ୍ଷେତ୍ରରେ ପ୍ରୟୋଗକୁ ସୁଭାଷ ଅନ୍ୟାୟ ଓ ଅବୈଧ ବୋଲି ମନେ କରୁଥିଲେ ଓ ଲେଖିଥିଲେ, “ସରକାର ଖୋଲାଖୋଲି ଭାବେ ମୋ ପ୍ରତି ପ୍ରତିଶୋଧମୂଳକ ନୀତି ଅବଲମ୍ବନ କରୁଛନ୍ତି ଯାହାର କାରଣ ବେଶ ଅବୋଧ୍ୟ (Inexplicable)” ବନ୍ଦୀ ଜୀବନ ସୁଭାଷଙ୍କ ପାଇଁ ଦୁର୍ବିସହ ହେଉଥିଲା, ତାଙ୍କରି ଭାଷାରେ,“ବର୍ତ୍ତମାନ ଅବସ୍ଥାରେ ଜୀବନ ମୋ ପାଇଁ ଦୁର୍ବିସହ ହେଲାଣି । ଅବୈଧତା ଓ ଅନ୍ୟାୟ ସହିତ ସାଲିସ କରି ନିଜର ଅସ୍ତିତ୍ୱକୁ କାଏମ ରଖିବା ମୋର ପ୍ରବୃତ୍ତି ବିରୋଧୀ । ମୁଁ ବରଂ ଜୀବନ ପରିତ୍ୟାଗ କରିଦେବି, ଏ ମୂଲ୍ୟ ଦେବି ନାହିଁଁ । ସରକାର ଦୃଢ଼ ଯେ ସେ ମୋତେ ପାଶବିକ ବଳ ପ୍ରୟୋଗ କରି ବନ୍ଦୀ ଭାବରେ ରଖିବେ । ମୋର ଉତ୍ତର ହେଉଛି, “ମୋତେ ଖଲାସ କର ତା ନହେଲେ ମୁଁ ବଂଚିବା ଚାହିିଁବି ନାହିିଁଁ -ମୁଁ ହିଁ ସ୍ଥିର କରିବି ମୁଁ ବଂଚିବି ବା ମରିବି ।” ଏହି ଚରମ ଚେତାବନୀ ଦେବା ପୂର୍ବରୁ ସେ ଲେଖୁଥିଲେ, “ଗତ ଦୁଇମାସ ଧରି ଗୋଟିଏ ପ୍ରଶ୍ନ ମୋ ବିବେକର ଦ୍ୱାରଦେଶରେ ବାରମ୍ବାର ବାରମ୍ବାର ଆଘାତ ଦେଉଛି ଯେ ଏହିପରି ଅପ୍ରୀତିକର ଅବସ୍ଥାରେ (predicament) ମୁଁ କଣ କରିବା ଉଚିତ । କଣ ମୁଁ ପରିସ୍ଥିତିର ଚାପ ଆଗରେ ନଇଁଯିବି ଏବଂ ଯାହା ମୋ ପାଖକୁ ଆସୁଛି ତାହାକୁ ଗ୍ରହଣ କରିନେବି ନା ମୁଁ ଯାହାକୁ ଅନୁଚିତ, ଅବୈଧ ଓ ଅନ୍ୟାୟ ଭାବୁଛି, ତା ବିରୋଧରେ ପ୍ରତିବାଦ କରିବି? ବହୁ ପରିପକ୍ୱ ବିଚାର-ବିମର୍ଶ ପରେ ମୁଁ ଏହି ନିଷ୍କର୍ଷରେ ପହଂଚିଛି ଯେ ପରିସ୍ଥିତି ସାମନାରେ ଆତ୍ମସମର୍ପଣର ପ୍ରଶ୍ନ ଉଠୁନାହିଁ । ଭୁଲ କରିବାଠାରୁ, ହେଉଥିବା ଭୁଲ ସମ୍ମୁଖରେ ନଇଁଯିବା ଅଧିକ ଗୁରୁତର ଅପରାଧ । ତେଣୁ, ମୁଁ ନିଶ୍ଚିତ ପ୍ରତିବାଦ କରିବି ।” ସେତେବେଳେ ପ୍ରତିବାଦ ପ୍ରତି ଶାସକ କିପରି ଉଦାସୀନ ଥିଲା ସେ ସମ୍ପର୍କରେ ସୁଭାଷ ଲେଖିଥିଲେ, “କିନ୍ତୁ ଆଜିକାଲି ଅନେକ ପ୍ରତିବାଦ ହେଉଛି ଏବଂ ପ୍ରତିବାଦ କରିବାର ସବୁ ସାଧାରଣ ଉପାୟଗୁଡ଼ିକ ଶେଷ ହୋଇଯାଇଛି । ପ୍ରେସରେ ଓ ପ୍ଲାଟଫର୍ମରେ ଆନ୍ଦୋଳନ, ସରକାରଙ୍କୁ ଆବେଦନ, ବିଧାନସଭାରେ ଦାବୀ, ଆଇନ ପନ୍ଥାର ଅବଲମ୍ବନ -ଏସବୁ ଉପାୟର ଚେଷ୍ଟା ଇତି ମଧ୍ୟରେ ହୋଇଯାଇ ନାହିଁ କି ଓ ଏଗୁଡିକ ପ୍ରଭାବହୀନ ବୋଲି ଜଣାପଡ଼ି ନାହିଁ କି? କେବଳ ଗୋଟିଏ ଉପାୟ ଶେଷକୁ ରହିଛି- ବନ୍ଦୀ ହାତରେ ଶେଷ ଅସ୍ତ୍ର, ତାହା ହେଉଛି ଅନଶନ-ଧର୍ମଘଟ ।” ଏହି ଅନଶନ ଧର୍ମଘଟ ସେ ୨୯ ନଭେମ୍ବର ୧୯୪୦ରୁ ଆରମ୍ଭ କରିବେ ବୋଲି ଘୋଷଣା କରିଥିଲେ, ଯଦି ସରକାର ତାଙ୍କୁ ଖଲାସ ନ କରନ୍ତି – “ମୋତେ ଖଲାସ କର ତା ନହେଲେ ମୁଁ ବଂଚିବା ଚାହିିଁଁବି ନାହିିଁଁ -ମୁଁ ହିଁ ସ୍ଥିର କରିବି ମୁଁ ବଂଚିବି ବା ମରିବି ।” ଏହିଠାରେ ପାଠକଙ୍କ ଦୃଷ୍ଟି ଆକର୍ଷଣ କରିବା ପ୍ରାସଙ୍ଗିକ ମନେ ହୋଇପାରେ ଯେ ଭାରତୀୟ ନ୍ୟାୟ ସଂହିତା ୨୦୨୩ର ଧାରା-୨୨୬ ରେ କୁହାଯାଇଛି, “ଯେ କେହି ବ୍ୟକ୍ତି ଯଦି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିବ ସରକାରୀ କର୍ମଚାରୀଙ୍କୁୁ ତାଙ୍କର ଆଫିସିକ କର୍ତ୍ତବ୍ୟ ସମ୍ପାଦନକୁ ବାଧିତ କରିବା ଉଦେ୍ଦଶ୍ୟରେ, ସେ ଦଣ୍ଡିତ ହେବେ ଏକ ବର୍ଷଯାଏ ବଢ଼ାଯାଉ ପାରୁଥିବା ସହଜ କାରାବାସରେ (simple imprisonment) ବା ଜୋରିମାନା ଦ୍ୱାରା ବା ଉଭୟ ଦ୍ୱାରା ବା ଗୋଷ୍ଠୀ ସେବା(community service) ଦ୍ୱାରା ।” ଅର୍ଥାତ୍ ଅନଶନ ଧର୍ମଘଟ ନୂତନ ଆଇନ ଅନୁସାରେ ଦଣ୍ଡନୀୟ । ଏପରି ଧାରା ଔପନିବେଶିକ ଭାରତୀୟ ଦଣ୍ଡ ସଂହିତା ୧୮୬୦ରେ ନ ଥିଲା ।

ଫାଦର ସ୍ଟାନ ସ୍ୱାମୀ ଓ ଅଧ୍ୟାପକ ଜି ଏନ୍ ସାଇବାବା

ନେତାଜୀ ସୁଭାଷଙ୍କ ଉପରୋକ୍ତ ବୟାନରୁ ଏହା ଅନୁମାନ କରିବା ଅସମ୍ଭବ ନୁହେଁ ଯେ ଔପନିବେଶିକ ଶାସନ କାଳରେ ଆଇନର କିପରି ଅପବ୍ୟବହାର ହେଉଥିଲା ଓ କି ପ୍ରକାର ମାନସିକ ଓ ଶାରୀରିକ ନିର୍ଯାତନାର ଶିକାର ଜେଲରେ ଥିବା ବନ୍ଦୀଙ୍କୁ ଦିଆଯାଉଥିଲା ଯାହା ବାଧ୍ୟ କରିଥିଲା ବନ୍ଦୀ ସୁଭାଷଙ୍କୁ କହିବାକୁ ଯେ “ବର୍ତ୍ତର୍ମାନ ଅବସ୍ଥାରେ ଜୀବନ ମୋ ପାଇଁ ଦୁର୍ବିସହ ହେଲାଣି” ଓ “ମୋତେ ଖଲାସ କର ତା ନହେଲେ ମୁଁ ବଂଚିବା ଚାହିିଁବି ନାହିିଁଁ -ମୁଁ ହିଁ ସ୍ଥିର କରିବି ମୁଁ ବଂଚିବି ବା ମରିବି ।” ସ୍ୱାଧୀନ ଭାରତରେ, ଏକ ବିଂଶ ଶତାବ୍ଦୀର ଦ୍ୱିତୀୟ ଦଶନ୍ଧିରେ, ମାନବାଧିକାର ସପକ୍ଷରେ, ସମାଜର ଅବହେଳିତ ବର୍ଗଙ୍କ ସ୍ୱାର୍ଥରକ୍ଷା ପାଇଁ ଆଜୀବନ ସ୍ୱରୋତ୍ତଳନ କରିଆସିଥିବା ଫାଦର ସ୍ଟାନ ସ୍ୱାମୀ, ମଇ ୨୧,୨୦୨୧ ଦିନ ବମ୍ବେ ଉଚ୍ଚନ୍ୟାୟାଳୟ ସମ୍ମୁଖରେ କାରାଗାର(Taloja jail)ରେ ତାଙ୍କର ସ୍ୱାସ୍ଥ୍ୟହାନିର ସୂଚନା ଦେଇ ଓ ଏଥିରେ କୌଣସି ଉନ୍ନତିର ସମ୍ଭାବନା ନାହିଁ ବୋଲି ଦର୍ଶାଇ ଅନ୍ତରୀଣ ଜାମିନ ପାଇଁ ପ୍ରାର୍ଥନା କରୁଥିଲେ ଓ ଅନୁମତି ମାଗୁଥିଲେ ମୃତ୍ୟୁ ପୂର୍ବରୁ ରାଂଚିସ୍ଥିତ ନିଜ ବାସଗୃହକୁ ଯିବା ପାଇଁ୧୬, ସେତେବେଳେ ୮୦ବର୍ଷ ତଳେ ସୁଭାଷଙ୍କର ବ୍ୟଥା ‘ଜୀବନ ମୋ ପାଇଁ ଦୁର୍ବିସହ ହେଲାଣି’ର ପ୍ରତିଧ୍ୱନି ଶୁଭୁଥିଲା କି? ସ୍ଟାନ ସ୍ୱାମୀଙ୍କର ଏହି ଇଚ୍ଛା ପୂରଣ ହେଲା ନାହିଁ, ଜୁଲାଇ ୫, ୨୦୨୧ ଦିନ କାରାଗାରରେ ହିଁ ସ୍ଟାନ ସ୍ୱାମୀଙ୍କର ମୃତ୍ୟୁ ହେଲା । ଅପର ପକ୍ଷରେ ସୁଭାଷଙ୍କର ଘୋଷଣା “ମୋତେ ଖଲାସ କର, ତା ନହେଲେ ମୁଁ ବଂଚିବା ଚାହିିଁଁବି ନାହିିଁଁ -ମୁଁ ହିଁ ସ୍ଥିର କରିବି ମୁଁ ବଂଚିବି ବା ମରିବି ।” ଓ ୨୯ ନଭେମ୍ବର ୧୯୪୦ରୁ ଅନଶନ କରିବାର ଧମକ ଔପନିବେଶିକ ସରକାରଙ୍କୁ ବାଧ୍ୟ କରିଥିଲା ସୁଭାଷଙ୍କୁ କିଛି ସପ୍ତାହ ପାଇଁ ତାଙ୍କ ବାସଗୃହକୁ ଫେରାଇ ଦେବାକୁ । ମନେ ହୋଇପାରେ ଯେ ଔପନିବେଶିକ ଶାସନ ସମୟରେ ଯେପରି କିଛିଟା ସମ୍ବେଦନଶୀଳତା ଥିଲା । ଉଚ୍ଚତମ ନ୍ୟାୟାଳୟର ପୂର୍ବତନ ବିଚାରପତି ମାନ୍ୟବର ମଦନ ବି ଲୋକୁର ସରୋଜିନୀ ନାଇଡୁଙ୍କର ଭାରତ ଛାଡ ଆନ୍ଦୋଳନବେଳେ ପୁନେର ଆଗା ଖାଁ ପ୍ୟାଲେସରେ କାରାଜୀବନର ଦୃଷ୍ଟାନ୍ତ ଦେଇ ଲେଖନ୍ତି୧୭, “ସେ ଅଟକ ଥିବା କୋଠରୀ ବାହାରେ ଲଗାଯାଇଥିବା ସାଇନବୋର୍ଡରେ ଲେଖାଯାଇଛି ଯେ ତାଙ୍କର ଖରାପ ସ୍ୱାସ୍ଥ୍ୟ କାରଣରୁ ତାଙ୍କୁ ନିଃସର୍ତ୍ତ ଖଲାସ କରାଯାଇଥିଲା । କିଛି ନ ହେଲେ ମଧ୍ୟ, ତାଙ୍କର ନିଃସର୍ତ୍ତ ଖଲାସ ହେବା ଦର୍ଶାଏ ଯେ ସେତେବେଳକାର ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ଠାରେ କିଛି ସମ୍ବେଦନଶୀଳତା ଥିଲା ।” ଏହି ମନ୍ତବ୍ୟ ମାନ୍ୟବର ବିଚାରପତି ଲୋକୁର ମହୋଦୟ କରୁଥିଲେ ପ୍ରାୟ ୮ବର୍ଷରୁ ଉର୍ଦ୍ଧ କାଳ ବନ୍ଦୀ ଜୀବନ କଟାଉଥିବା ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଇଂରାଜୀ ଅଧ୍ୟାପକ, ମାନବାଧିକାର କର୍ମୀ ଓ ୯୦ ପ୍ରତିଶତ ଭିନ୍ନକ୍ଷମ ଜି.ଏନ୍. ସାଇବାବାଙ୍କର କାରାଗାରରେ ଦୁର୍ବିସହ ଜୀବନ ସନ୍ଦର୍ଭରେ । ସାଇବାବାଙ୍କ ଦୁର୍ଭାଗ୍ୟ ଯେ ଯେତେବେଳେ ବମ୍ବେ ହାଇକୋର୍ଟ ତାଙ୍କୁ ୧୪ଅକ୍ଟୋବର ୨୦୨୨ ଦିନ କାରାଗାରରୁ ମୁକ୍ତିର ଆଦେଶ ଦେଇଥିଲେ, ତାହା ଉପରେ, ତା ପରଦିନ, ଶନିବାର, ଉଚ୍ଚତମ ନ୍ୟାୟାଳୟରୁ ଆସିଲା ରହିତାଦେଶ । ତେଣୁ ୯୦ ପ୍ରତିଶତ ଭିନ୍ନକ୍ଷମ ସାଇବାବା ମୁକ୍ତି ପାଇଲେ ନାହିଁ । ମାନ୍ୟବର ବିଚାରପତି ଲୋକୁର ମହୋଦୟ ସମୁଦାୟ ପ୍ରକ୍ରିୟାକୁ ଦେଖି, ପ୍ରଶ୍ନ କରୁଥିଲେ, “ସମ୍ବେଦନଶୀଳତା କଣ କେଉଁଠି ହଜିଯାଇଛି? ନ୍ୟାୟ?” (“Is compassion missing somewhere? Justice?”) ବମ୍ବେ ହାଇକୋର୍ଟର ପ୍ରଥମ ରାୟ ପରେ ସାଇବାବାଙ୍କୁ ବନ୍ଦୀ କରିବାର କୌଣସି ଯଥାର୍ଥତା ସେ ଦେଖୁ ନଥିଲେ । ତାଙ୍କର ଯୁକ୍ତି ଥିଲା, “ବେଶୀ ଗୁରୁତ୍ୱପୂର୍ଣ୍ଣ ହେଉଛି, ଯଦିଓ ସାଇବାବା ସନ୍ତ୍ରାସବାଦୀ ଅପରାଧରେ ଦୌରାଜଜଙ୍କ ଦ୍ୱାରା ଦଣ୍ଡିତ ହୋଇଥିଲେ, ବମ୍ବେ ଉଚ୍ଚ ନ୍ୟାୟାଳୟ, ଏହି ବିଚାର ପ୍ରକ୍ରିୟାକୁ ଖାରିଜ କରି ଦେଇଥିଲେ । ତେଣୁ ସେ ବର୍ତ୍ତମାନ କୌଣସି ଅପରାଧରେ ଦୋଷୀ ନୁହନ୍ତି, ସନ୍ତ୍ରାସବାଦୀ ଅପରାଧ ତ ଦୂରର କଥା । ତେଣୁ ସେ କାହିଁକି ଜେଲରେ ରହିବେ, ତାଙ୍କର ସ୍ୱାସ୍ଥ୍ୟାବସ୍ଥାକୁ ବିଚାରକୁ ନ ନେଇ ମଧ୍ୟ?” ଏହା ତାଙ୍କର ଥିଲା କ୍ଷୋଭକ୍ତି ଯେ, “ଏବେ କିଛି ସମୟ ହେଲା, ବନ୍ଦୀ କରି ଅଟକ ରଖିବାର ପ୍ରଥାରେ ବିରାଟ ପରିବର୍ତ୍ତନ ଘଟିଛି । ଯେଉଁମାନେ ବନ୍ଦୀ ହୋଇ ଅଟକ ରହିବା କଥା ନୁହେଁ, ସେମାନଙ୍କୁ ଖଲାସ କରାଯାଉ ନାହିଁ, କେତେଜଣଙ୍କର ତ ସେହି ଅବସ୍ଥାରେ ମୃତ୍ୟୁ ହୋଇଯାଉଛି । ଅପରପକ୍ଷରେ ଯେଉଁମାନେ ଅଟକ ହୋଇ ରହିବା କଥା ସେମାନଙ୍କୁ ଖଲାସ କରି ଦିଆଯାଉଛି ଅତି ଦୁର୍ବଳ ଯୁକ୍ତି ଆଧାରରେ ଏବଂ ବେଳେବେଳେ ତ କୌଣସି କାରଣ ନଥାଇ” ପୁଣି ଏକ ବର୍ଷରୁ ଅଧିକ କାଳ କାରାଗାରରେ ରହିବା ପରେ ପୁନର୍ବାର ଶୁଣାଣି କରି ମାର୍ଚ୍ଚ ୫ ତାରିଖ ୨୦୨୪ ଦିନ ସାଇବାବାଙ୍କୁ କାରାଗାରରୁ ମୁକ୍ତ କରାଗଲା । ମଇ ୯, ୨୦୧୪ରୁ କାରାଗାରରେ ବନ୍ଦୀ ସାଇବାବା ପ୍ରାୟ ୧୦ବର୍ଷ କାଳ ଏକ ଦୁର୍ବିସହ ଜୀବନ ଭୋଗି୧୮କାରାଗାରରୁ ମୁକ୍ତହେଲେ । ଏହି ଦୁଇଟି ଦୃଷ୍ଟାନ୍ତରେ ସୁଭାଷଙ୍କର ଔପନିବେଶିକ ଶାସନରେ ଅଭିଜ୍ଞତାର ପ୍ରତିଫଳନ ହେଉଥିଲେ ହେଁ, ଉଭୟ ସ୍ଟାନ ସ୍ୱାମୀ ଓ ଜିଏନ୍ ସାଇବାବା ଯେଉଁ ଆଇନ ଦ୍ୱାରା ଗିରଫ ହୋଇଥିଲେ, ତାହା ସ୍ୱାଧୀନ ଭାରତର ଆଇନ ୟୁ ଏ ପି ଏ-୧୯୬୭ ଥିଲା । ଉଭୟ ସ୍ୱାମୀ ଓ ସାଇବାବାଙ୍କର ଅଭିଯୋଗ ଥିଲା ଯେ ସେମାନଙ୍କୁ ମିଛ ମାମଲାରେ ଛନ୍ଦି ଦିଆଯାଇଛି । ସେମାନେ ସାଧାରଣ, ଅବହେଳିତ ଓ ବଂଚିତବର୍ଗଙ୍କ ପାଇଁ ହିଁ କାର୍ଯ୍ୟକରନ୍ତି, କୌଣସି ସନ୍ତ୍ରାସବାଦୀ କାର୍ଯ୍ୟକଳାପ ସହିତ ସେମାନଙ୍କର ସମ୍ପର୍କ ନାହିଁ । ବରଂ ଔପନିବେଶିକ ଶାସନ କାଳରେ ଆଇନର ଅପପ୍ରୟୋଗରେ ମଧ୍ୟ ସମ୍ବେଦନଶୀଳତାର ସ୍ଥାନ ଥିଲା ଯାହା ଆଜିର ଆଇନର ପ୍ରୟୋଗରେ ନାହିଁ ।

ତେଣୁ ଔପନିବେଶିକ ଆଇନକୁ ଭିନ୍ନ ଭାବରେ ପରିଭାଷିତ କରିବାର ଆବଶ୍ୟକତା ଅଛି । ଭାରତ ଯେତେବେଳେ ଉପନିବେଶ ଥିଲା ଓ ତକ୍ରାଳୀନ ଶାସକ ଯେଉଁ ଆଇନର ପ୍ରଣୟନ କରି ଶାସନ ଚଳାଉଥିଲେ, ସେହି ଆଇନକୁ ଆକ୍ଷରିକ ଅର୍ଥରେ ଔପନିବେଶିକ ଆଇନ କୁହାଯାଇପାରେ, କିନ୍ତୁ ସେତେବେଳେ ଶାସନର ଚରିତ୍ର ଯେପରିି ଥିଲା ଓ ସେହି ଚରିତ୍ର ଯଦି ଅବ୍ୟାହତ ରହେ ଭୌଗଳିକ ଦୃଷ୍ଟିରୁ ଔପନିବେଶିକତାରୁ ମୁକ୍ତ ଭୂଖଣ୍ଡରେ, ତାହାହେଲେ ଏହାର ଶାସନ ପାଇଁ ଅନୁସୃତ ଆଇନର ପ୍ରଣୟନରେ ଔପନିବେଶିକ ମାନସିକତା ଅବ୍ୟାହତ ରହିଛି କହିବା ଅଯଥାର୍ଥ ହେବ ନାହିଁ । ଭାରତର ଭୂତପୂର୍ବ ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ଅନୁସାରେ ଔପନିବେଶିକ କାଳରେ Rule by Law ଚାଲିଥିଲା । ତାଙ୍କରି ଭାଷାରେ୧୯, “ବ୍ରିଟିଶ ଔପନିବେଶିକ କ୍ଷମତା…ଆଇନକୁ ରାଜନୈତିକ ଦମନର ହତିଆର ଭାବେ ବ୍ୟବହାର କରି, ଏହାକୁ ଅସମାନତାର ସହ ପ୍ରୟୋଗ କରି-ବ୍ରିଟିଶଙ୍କ ପାଇଁ ଗୋଟିଏ କିସମର ଆଇନ ଓ ଭାରତୀୟଙ୍କ ପାଇଁ ଭିନ୍ନ କିସମର । ଏହି ପ୍ରକ୍ରିୟା ଆଇନ ଦ୍ୱାରା ଶାସନ(Rule by Law) ନାଁରେ ପ୍ରସିଦ୍ଧି ଲାଭ କରିଥିଲା, ଆଇନର ଶାସନ(Rule of Law) ନାଁରେ ନୁହେଁ, କାରଣ ଏହାର ଲକ୍ଷ୍ୟ ଥିଲା ଭାରତୀୟ ପ୍ରଜାଙ୍କୁ ନିୟନ୍ତ୍ରଣ କରିବା ।…… ଆମର ସ୍ୱାଧୀନତା ସଂଗ୍ରାମ ଥିଲା ଏକ ଏପରି ରାଷ୍ଟ୍ରର ସ୍ଥାପନା ଦିଗରେ ଯାତ୍ରା ଯାହା ଆଇନର ଶାସନ ଦ୍ୱାରା ପରିଭାଷିତ ହେବ ।” ସ୍ୱାଧୀନ ଭାରତରେ ଶାସନ Rule by Law ଦ୍ୱାରା ଯଦି ଚାଲୁଥାଏ ତାହାହେଲେ ଏହା ଔପନିବେଶିକ ଶାସନସଦୃଶ ବୋଲି କହିବା ଅଯଥାର୍ଥ ହେବ କି? ଯଦି ନୂତନ ଆପରାଧ ଆଇନ ୨୦୨୩ ସନ୍ଦର୍ଭରେ ଗଣମାଧ୍ୟମରେ ଆମେ ଶିରୋନାମା ଦେଖୁ୨୦ , “ନୂତନ ଅପରାଧ ଆଇନ ସରକାରଙ୍କୁ ଅନୁମତି ଦିଏ ସ୍ଥିର କରିବାକୁ ଯେ ସମାନ ଅପରାଧ ପାଇଁ କାହା ବିରୋଧରେ ମାମଲା ଦାଏର କରିବେ ଏବଂ କାହା ବିରୋଧରେ କରିବେ ନାହିଁ ।” ତାହାହେଲେ ଏହି ନୂତନ ଅପରାଧ ଆଇନର ପ୍ରଣୟନ ଦ୍ୱାରା ଭାରତୀୟଙ୍କୁ ଔପନିବେଶିକ ମାନସିକତାରୁ ମୁକ୍ତ କରି ଦିଆଯାଇପାରିଛି ବୋଲି ଗୃହମନ୍ତ୍ରୀଙ୍କ ଦାବି ସମ୍ପର୍କରେ କଣ କହିବା? ଏହି ଶିରୋନାମା କଣ ଦର୍ଶାଏ ଯେ ନୂତନ ଅପରାଧ ଆଇନ ୨୦୨୩ ଦ୍ୱାରା Rule of Law ବା ଆଇନର ଶାସନ ପ୍ରତିଷ୍ଠା ସମ୍ଭବ ନୁହେଁ? ସ୍ମରଣ କରିବା ପ୍ରାସଙ୍ଗିକ ହେବ ସୁୁପ୍ରିମକୋର୍ଟର ବର୍ତ୍ତମାନ ମୁଖ୍ୟ ବିଚାରପତି, ଡି ୱାଇ ଚନ୍ଦ୍ରଚୂଡଙ୍କର ୨୦୧୭ ମସିହାରେ ଏକ ରାୟରେ (Justice K S Puttaswamy (Retd.) v. Union of India) ଦେଇଥିବା ମନ୍ତବ୍ୟ୨୧, “ଏକ ସାମ୍ବିଧାନିକ ଗଣତନ୍ତ୍ର ବଂଚି ରହି ପାରିବ ଯେତେବେଳେ ନାଗରିକଙ୍କ ପାଇଁ ନିର୍ଭରଯୋଗ୍ୟ ପ୍ରତିଶୃତି ଥିବ ଯେ ଆଇନର ଶାସନ ସେମାନଙ୍କର ଅଧିକାର ଓ ସ୍ୱାଧୀନତା ଉପରେ ରାଷ୍ଟ୍ରର ଅତିକ୍ରମଣ ବିରୁଦ୍ଧରେ ସେମାନଙ୍କୁ ସୁରକ୍ଷା ଦେଇପାରିବ ଏବଂ ନ୍ୟାୟିକ ପ୍ରତିକାର ସେମାନଙ୍କୁ ଉପଲବ୍ଧ ହୋଇପାରିବ ତନ୍ନତନ୍ନ ପ୍ରଶ୍ନ କରିବାକୁ ଏବଂ ଉତ୍ତର ଆଶା କରିବାକୁ ଯେତେବେଳେ ନାଗରିକ ତାହାର ଏହି ମୂଲ୍ୟବାନ ଅଧିକାରରୁ ବଂଚିତ ହେଉଥିବ ।”

କହିବା ବାହୁଲ୍ୟ ଯେ ଆଇନର ପ୍ରୟୋଗ କିପରି ହେଉଛି, ଦେଶର ଶାସନରେ Rule by Lawର ପ୍ରଚଳନ ଦେଖାଯାଉଛି ନା Rule of Lawର ପ୍ରଚଳନ ଦେଖାଯାଉଛି ତାହାକୁ ଆଧାର କରି ଆଇନର ଔପନିବେଶିକତା ନିର୍ଦ୍ଧାରିତ ହେବା ଅଧିକ ଯଥାର୍ଥ ହେବ, ଆଇନ ପଛରେ ଯୋଡ଼ା ହୋଇଥିବା ବର୍ଷ ବା ମସିହାରୁ ନୁହେଁ ।

ବ୍ୟବହୃତ ଉପାଦାନ ସୂଚୀ

  1. President gives assent to Bharatiya Nyaya Sanhita, Bharatiya Nagarik Suraksha Sanhita and Bharatiya Sakshya Bill 2023 , News Services Division, All India Radio, December 26, 2023
  2. https://en.wikipedia.org/wiki/Bharatiya_Nyaya_Sanhita
  3. MP suspension full list: Names of Opposition MPs suspended during Winter Session ,ET OnlineLast Updated: Dec 21, 2023,https://economictimes.indiatimes.com/news/politics-and-nation/mp-sus…
  4. In Absence of 97 Suspended Opposition MPs, Lok Sabha Passes Three Criminal Bills ,Sravasti Dasgupta ,https://thewire.in/government/in-absence-of-97-suspended-opposition-mps-lok-sabha-passes-three-criminal-bills
  5. How Consultative Was the Framing of the Three Criminal Law Bills, Really? 24/Aug/2023 ,Saurav Das.https://thewire.in/government/how-consultative-was-the-framing-of-the-three-criminal-law-bills-really
  6. Shah bats for new criminal laws, edu policy, New Indian Express, Bhubaneswar Edition, 24/01/2024, p.11

7.New Indian Express, Bhubaneswar Edition, 17.01.2024, p.9-10

8.National Educational Policy 2020, Ministry of Human Resource Development, Government of India.

9.Draft New Education Policy 2019, Committee For Draft National Education Policy, Chairman: K Kasturirangan (Constituted by Ministry of Human Resource Development, Government of India.), December 15,2018.

10.Vision and Mission, www.bsmbharat.org

  1. Constituent Assembly Debates: Official Report, Vol. VII, 4.11.1948 to 8.1 1949, Reprinted by Loksabha Secretariat, New Delhi, 6th Reprint 2014

12.Kautilya, The Arthasahastra, Translated by L.N. Rangarajan, Penguin Books India(P)Ltd., 1992, pp.45-.47

  1. Bilkis Rapists Are ‘Brahmins, Have Good Values,’ Says BJP MLA Who Sat on Panel That Freed Convicts, 19/Aug/2022 ,https://thewire.in/rights/bilkis-rapists-are-brahmins-have-good-values-says-bjp-mla-who-sat-on-panel-that-freed-convicts

14.Prison Statistics India 2020: 76 per cent of prisoners are undertrials; the number of Muslims, Sikhs, SCs, and STs among them disproportionate to their population , Sabah Gurmat·January 5, 2022, https://theleaflet.in/prison-statistics-india-2020-76-per-cent-of-prisoners-are-undertrials-the-number-of-muslims-sikhs-scs-and-sts-among-them-disproportionate-to-their-population

  1. The Alternative Leadership Speeches, Articles, Statements and Letters(June 1939-January 1941), Subhas Chandra Bose, Netaji Collected Works Vol.10, Netaji Research Bureau and Permanent Black,2016,pp.192-198
  2. Remembering Stan Swamy, Whose Struggle Was Driven by Empathy and Love,Prachi Lohia ,https://thewire.in/rights/remembering-stan-swamy-whose-struggle-was-driven-by-empathy-and-love
  3. Strange Case of G.N. Saibaba and the Supreme Court, Another New Abnormal , Madan B. Lokur , 19/Oct/2022 , https://thewire.in/law/supreme-court-gn-saibaba-discharges-suspend-new-abnormal
  4. https://youtu.be/pYIpGxYm2dU;”State Has Become an Anarchy & They’re Crushing Humanity”: GN Saibaba’s Moving Speech Post Release; The Wire,Mar 8, 2024
  5. Rule of Law vs Rule by Law ,Written by N V Ramana ,Updated: July 2, 2021,https:/indianexpress.com/article/opinion/columns/n-v-ramana-pd-desai-memorial-lecture-indian-judiciary-state-rule-of-law-constitution-7385031/
  6. The New Criminal Bills Allow the Govt to Decide Who Gets Booked and Who Doesn’t for the Same Act ,Shahrukh Alam, 14/Sep/2023, https://thewire.in/law/the-new-criminal-bills-allow-the-govt-to-decide-who-gets-booked-and-who-doesnt-for-the-same-act
  7. Discordant Notes, vol.1,

Comments

0 comments

Share This Article