ଗଣତନ୍ତ୍ର ବିପଦରେ!

ସମଗ୍ର ଦେଶରେ ଆଜି ଭୟଙ୍କର ଅରାଜକତା । ଯେଉଁ ସମ୍ବିଧାନକୁ ସାକ୍ଷୀ ରଖି ଦେଶର ପ୍ରଧାନମନ୍ତ୍ରୀ ଦୁଇ ଦୁଇ ଥର ଶପଥ ନେଇଥିଲେ, ସେହି ସମ୍ବିଧାନକୁ ଯେମିତି ତାଙ୍କ ଶାସନରେ ପାଦରେ ଦଳି ବଙ୍ଗୋପସାଗର କି ଆରବସାଗରେ ଫୋପାଡ଼ି ଦିଆଯାଇଛି । ଦେଶର କୌଣସି ବି ସମ୍ବିଧାନ ଅନୁମୋଦିତ ଅନୁଷ୍ଠାନ ଏବଂ ଗଣତାନ୍ତ୍ରିକ ସଂସ୍ଥାମାନେ ସ୍ୱାଧିନଭାବେ କାମ କରିବାର ସ୍ଥିତିରେ ଆଉ ନାହାନ୍ତି । ଏହାକୁ ଏକ ଅଭିଯୋଗ କହି ଏଡ଼ାଇ ଦେଇ ହେବ ନାହିଁ; ଯେହେତୁ ଭାରତର ରାଜନୈତିକ, ଅର୍ଥନୈତିକ ଓ ଶାସକୀୟ ପରିବେଶକୁ ପ୍ରତିଦିନ ଯେଉଁମାନେ ନିଷ୍ଠାର ସହ ଅନୁଧ୍ୟାନ କରିଆସିଛନ୍ତି, ବାସ୍ତବତାର ସମସ୍ତ ଦୃଶ୍ୟପଟ ସେମାନଙ୍କ ଆଖି ପରଦାରେ ମହଜୁଦ ଅଛି । ସ୍ୱାଧିନୋତ୍ତର ଭାରତବର୍ଷର ରାଜନୈତିକ ଇତିହାସରେ ସବୁଠାରୁ ବ୍ୟୟବହୁଳ ନିର୍ବାଚନ ଅଭିଯାନ ଚଳାଇ ବିଭିନ୍ନ ନାଟକୀୟତା ଭିତରେ ଏବଂ କମ୍ପାନୀମାନେ ଓ ସେମାନଙ୍କ ନିୟନ୍ତ୍ରଣରେ ଥିବା ବୈଦ୍ୟୁତିକ ଗଣମାଧ୍ୟମର ପ୍ରଚ୍ଛନ୍ନ ସହଯୋଗରେ ଯେଉଁବ୍ୟକ୍ତି ୧୦ବର୍ଷତଳେ ପ୍ରଧାନମନ୍ତ୍ରୀ ପଦବୀରେ ବସିଥିଲେ, ସେ ଆଜି ଆମେ ଦେଖୁ ଦେଖୁ ତାକୁ ଏକ ‘ସିଂହାସନ’ କରିସାରିଲେଣି । ‘ସିଂହାସନ’ର କ୍ଷମତା ତାଙ୍କୁ ଏତେ ଦୂର ଦୃଷ୍ଟିବାଧିତ କରିଦେଇଛି ଯେ, ସେ ଗୋଟିଏ ପରେ ଗୋଟିଏ ସାମ୍ବିଧାନିକ ଅପରାଧ କରିଚାଲିଛନ୍ତି ଏବଂ ଅର୍ଥନୈତିକ ସଂସ୍କାର ଯୁଗର ସବୁଠାରୁ କ୍ରୂର ପରିଣତି କର୍ପୋରେଟ ଗଣମାଧ୍ୟମ, ତାଙ୍କର ପ୍ରତିଟି ଭୁଲ୍ କୁ ଲୁଚାଇବା ସହ ତାଙ୍କୁ ପ୍ରଶ୍ନ କରୁଥିବା ଲୋକମାନଙ୍କୁ ନିନ୍ଦିତ ଓ ନିର୍ଯାତିତ କରିଚାଲିଛନ୍ତି । ବୈଦ୍ୟୁତିକ ଗଣମାଧ୍ୟମ ଏବଂ କେତେକ ଖବରକାଗଜର ମାଲିକ ମାନେ ବିଭିନ୍ନ ବ୍ୟବସାୟରେ ଲିପ୍ତ ରହୁଥିବା ଯୋଗୁଁ ସରକାରୀ ଅନୁଗ୍ରହ ବିନା ସେମାନେ ନିଜେ ନିଜର ସାମ୍ରାଜ୍ୟ ଚଳାଇବା କଷ୍ଟକର । ସେହି ଦୃଷ୍ଟିରୁ ଦେଖିଲେ ସେମାନଙ୍କର ପ୍ରଥମ ଏବଂ ଶ୍ରେଷ୍ଠ ପସନ୍ଦ ଗଣତନ୍ତ୍ର ନୁହଁ, ବରଂ ଏକ ଏକଛତ୍ର ଶାସନ । କର୍ପୋରେଟ ଶକ୍ତି ସବୁକିଛି ବିନିମୟରେ ଏହି ଶାସକମାନଙ୍କୁ ସୁରକ୍ଷା ଯୋଗାଇଦେବା କଥାଟି ସେମାନେ ସରକାରୀ ଅସହଯୋଗର ଆଶଙ୍କା ଯୋଗୁଁ ବା ଅସହାୟ ଅନୁଭବ କରୁଥିବା ହେତୁ କରୁନାହାଁନ୍ତି ବରଂ ଏହା ହିଁ ସେମାନଙ୍କର ବିଚାର ଆଦର୍ଶ ।

ସେହିଦୃଷ୍ଟିରୁ ଯଦି ଆମେ ଆଜି କର୍ପୋରେଟ ଗଣମାଧ୍ୟମମାନେ ବା ‘ଗୋଦୀ ମିଡ଼ିଆ’ ସରକାରଙ୍କ ଚାପରେ କାମ କରୁଛନ୍ତି କହିବା, ତାହା ସମ୍ପୂର୍ଣ୍ଣ ସତ୍ୟ ହେବନାହିଁ । ଏମାନେ ଖୁସି ଯେ କର୍ପୋରେଟ ହିତ ଦେଖୁଥିବା ଜଣେ ବ୍ୟକ୍ତି ପ୍ରଧାନମନ୍ତ୍ରୀ ଆସନରେ ବସିଛନ୍ତି ଏବଂ ସେ ଅଖଣ୍ଡ କ୍ଷମତାର ଅଧିକାରୀଭାବେ ନିଜର ପତିଆରା ଓ ପ୍ରଭୂତ୍ୱକୁ ଜାରି କରିପାରୁଛନ୍ତି । ପ୍ରଧାନମନ୍ତ୍ରୀଙ୍କ ନିଜ ଦଳରେ ଆଭ୍ୟନ୍ତରୀଣ ଗଣତନ୍ତ୍ର ଶେଷ ହୋଇସାରିଛି ବୋଲି ଆସୁଥିବା ଅଭିଯୋଗକୁ ନେଇ ଏମାନେ କେବେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ ବି କରିବାର ଅବସର ସୃଷ୍ଟି କରିପାରିନାହାନ୍ତି । ପ୍ରଧାନମନ୍ତ୍ରୀ ବାଜପେୟୀଙ୍କ ସମୟ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମୟର ଭାଜପା ଭିତରେ ଥିବା ଗୁଣାତ୍ମକ ତାରତମ୍ୟ ଉପରେ ମଧ୍ୟ ଏମାନେ ଚର୍ଚ୍ଚା କରିବାରେ ଅକ୍ଷମ । ଯଦିଓ କଟ୍ଟରପନ୍ଥୀ, ରାଷ୍ଟ୍ର ବିରୋଧି (ଯେହେତୁ ଭାରତ ଗୋଟିଏ ସମାବେଶୀ ରାଷ୍ଟ୍ର ଯେଉଁଠି ସବୁ ଧର୍ମ, ସବୁ ବର୍ଣ୍ଣ, ସବୁ ଭାଷା, ସବୁ ଜାତି ଓ ସବୁ ଅଞ୍ଚଳର ଜନଗଣଙ୍କର ସମାନ ଅଧିକାର ଅଛି, କେବଳ ହିନ୍ଦୁଙ୍କର ନୁହଁ) ଗୋଟିଏ ସଂଘ ପରିବାର ଉଭୟଙ୍କ ପୃଷ୍ଠଭୂମିରେ ଥିଲେ ଏବଂ ଅଛନ୍ତି କିନ୍ତୁ ସେ ଭିତରେ ବି କିଛି ଭିନ୍ନତା ରହିଛି । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଚିନ୍ତାନାୟକ ଗୋଲୱାଲକରଙ୍କର ‘ବଞ୍ଚ୍ ଅଫ୍ ଥଟ୍’କୁ କାର୍ଯ୍ୟକାରୀ କରିବା ପାଇଁ ନରମପନ୍ଥୀ (ବାଜପେୟୀ) ମାନଙ୍କୁ ପଥ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ଏମାନଙ୍କୁ ବ୍ୟବହାର କରାଯାଇଥିଲା ।

ଏହା ସଫଳ ହେଲା ଯେତେବେଳେ ଚରମପନ୍ଥୀ (ମୋଦୀ)ମାନଙ୍କୁ କ୍ଷମତାସୀନ କରାଇ ‘ସଂଘ’ ପ୍ରତିଷ୍ଠାତାମାନଙ୍କର ସ୍ୱପ୍ନର ହିନ୍ଦୁ ରାଷ୍ଟ୍ରର ନିର୍ମାଣ କାର୍ଯ୍ୟକୁ ସାକାର କରିବା କାମଟି ଦୃତଗତିରେ ଆଗେଇ ଚାଲିଲା । ସାମାଜିକ ଗଣମାଧ୍ୟମ ଏମାନଙ୍କର ପହଞ୍ଚକୁ ଏତେ ବ୍ୟାପକ କରାଇସାରିଛି ଯେ ଘରେ ଘରେ ଗୋଲୱାଲକରଙ୍କର ଭକ୍ତ ସୃଷ୍ଟି ହୋଇସାରିଛନ୍ତି; ଆନୁଷ୍ଠାନିକଭାବେ ସଂଘରେ ଯୋଗଦେଇ ନଥିଲେ ବି । ସରକାରଙ୍କର କର୍ପୋରେଟ ପ୍ରୀତି ଓ ସମସ୍ତ ସାମ୍ବିଧାନିକ ଅପରାଧ ତଥା ଭାରତର ଜନଗଣଙ୍କ ହିତ ବିରୋଧି କାର୍ଯ୍ୟକୁ ଲୁଚାଇବାରେ ଏବଂ ଦେଶବ୍ୟାପୀ ବୈଧତା ସୃଷ୍ଟି କରାଇବାରେ ଏମାନେ କର୍ପୋରେଟ ଗଣମାଧ୍ୟମ ସହ ହାତ ମିଳାଇ କାମ କରି ଆସିଛନ୍ତି ।

ଏହାର ପରିଣାମ କ’ଣ ହେଉଛି ଆମେ କ’ଣ ସତରେ ଭାବି ପାରୁଛନ୍ତି ! କ’ଣ କ’ଣ ଘଟଣା ସବୁ ଘଟିଚାଲିଛି ସେ ସବୁର ଆଲୋଚନା ତ କରିବା, କିନ୍ତୁ ଯାହା ଅଧିକ ଗୁରୁତ୍ୱପୂର୍ଣ୍ଣ ତାହା ହେଉଛି ଆମର ଅପରାଧ ସହନଶୀଳ ମାନସିକତା । ଆମମାନଙ୍କ ଭିତରୁ ଯେଉଁ ସଂଖ୍ୟାଧିକ ଲୋକ ସରଳ, ଈଶ୍ୱରବିଶ୍ୱାସୀ ଓ ଧାର୍ମିକ ମଣିଷ ଥିଲେ ଆଜି ସେମାନଙ୍କ ଭିତରୁ ଏକ ଅଖିଦୃଷ୍ଟିଆ ଭାଗ ସାମ୍ପ୍ରଦାୟିକତା ଓ ଘୃଣା ସୃଷ୍ଟିକାରୀ ଶକ୍ତିମାନଙ୍କର ପ୍ରଚାରକ ହୋଇଯାଇଛନ୍ତି । ଏହି ମାନସିକତା ଅନ୍ୟପଟେ ମୋଦୀଙ୍କ ଜନବିରୋଧି, ସମ୍ବିଧାନ ବିରୋଧି ଓ କର୍ପୋରେଟପ୍ରେମୀ ନୀତି ନିଷ୍ପତ୍ତି ଗୁଡ଼ିକୁ ବୈଧତା ଯୋଗାଉଛି । ସ୍ୱାଧିନ ଭାରତର ସବୁଠାରୁ ବଡ଼ ଭ୍ରଷ୍ଟାଚାର କୁହାଯାଉଥିବା ‘ନିର୍ବାଚନୀ ବଣ୍ଡ୍’ ଭ୍ରଷ୍ଟାଚାର ବା ‘ମୋଦୀ ଗେଟ୍’ କୁ ମଧ୍ୟ ଏମାନେ ସହଜରେ ଗ୍ରହଣ କରିନେଲା ଭଳି ଲାଗୁଛି ।

ଏହି କଥା ଅବଶ୍ୟ ସତ୍ୟ ଯେ ଯଦି କର୍ପୋରେଟ୍ ଗଣମାଧ୍ୟମ ଉନ୍ମୋଚିତ ହେଉଥିବା ଭ୍ରଷ୍ଟାଚାରଗୁଡ଼ିକୁ ନେଇ ନିରପେକ୍ଷ ଭାବେ ଚର୍ଚ୍ଚା କରାଇ ପାରିଥାନ୍ତା, କଥାଟା ଭିନ୍ନ ହୋଇଥାନ୍ତା । ଭୟଙ୍କର ଦାସତ୍ୱ ଏବଂ ଅନୈତିକ ଶକ୍ତିମାନଙ୍କ ପାଖରେ ସମର୍ପଣ ହୁଏତ ଚେର ଧରିପାରି ନଥାନ୍ତା । ବିଡ଼ମ୍ବନାର କଥା ଯେ ଏଭଳି ମାନସିକତା କେବଳ ଓଡ଼ିଶା ଭଳି ରାଜ୍ୟ ଓ ହିନ୍ଦୀ ଭାଷାଭାଷୀ ଅଞ୍ଚଳରେ ବେଶି ଦେଖାଯାଉଛି । ଦକ୍ଷିଣଭାରତର ଅଧିକାଂଶ ଅଞ୍ଚଳ ଏଭଳି ଏକ ପ୍ରଭାବରୁ ଅପେକ୍ଷାକୃତ ମୁକ୍ତ ରହି ଆସିଛନ୍ତି । ଭାରତୀୟ ସମାଜକୁ ଉଗ୍ର ସମ୍ପ୍ରଦାୟିକତାବାଦ ଏବଂ ଉଗ୍ର ଆର୍ଥିକ ପୁଞ୍ଜିବାଦରୁ କିଭଳି ମୁକ୍ତ କରାଯାଇ ପାରିବ, ସେଥିପାଇଁ କେଉଁଠି କିଛି ରଣନୀତି ପ୍ରସ୍ତୁତ ହେଉଛି, ସେ କଥା ଜଣାପଡ଼ୁ ନାହିଁ । ଆମକୁ ମନେ ରଖିବାକୁ ହେବଯେ ଆଗାମୀ ନିର୍ବାଚନରେ ଜୟ ପରାଜୟ ଯାହାର ହେଉ ନା କାହିଁକି; ଏହି ଦ୍ୱୈତ ଶତ୍ରୁଙ୍କର ପତିଆରା ପ୍ରତିହତ କରିବା କାମଟି କେବଳ ସରକାର ପରିବର୍ତ୍ତନ ମାଧ୍ୟମରେ କରାଯାଇ ପାରିବନାହିଁ । ସମାଜ ସ୍ତରରେ ଯଦି ସଚେତନ ସଂଗଠନ ଓ ଜନବାଦୀ ଚିନ୍ତା ଚେତନାକୁ ପ୍ରସାରିତ ନ କରାଯାଏ, ତେବେ ସରକାରରେ ପରିବର୍ତ୍ତନ ହେଉ ବା ନହେଉ ସମାଜକୁ ସୁଫଳ ମିଳିପାରିବ ନାହିଁ ।

ଗଣମାଧ୍ୟମ ସରକାରଙ୍କର ବୋଲକରା ହୋଇଗଲାପରେ ଗଣମାନଙ୍କୁ କେମିତି ଅନ୍ଧକାର ଭିତରେ ରଖାଯାଇ ପାରୁଛି, ତାହାର ସଦ୍ୟ ଉଦାହରଣ ହେଉଛି ‘ନିର୍ବାଚନୀ ବଣ୍ଡ୍’ ଦୁର୍ନୀତିର ଉନ୍ମୋଚନ । ଆମେ ଆଗରୁ କହି ସାରିଛୁ କେମିତି ଭାରତର ଉଚ୍ଚତମ ନ୍ୟାୟାଳୟଙ୍କର ଏକ ସାମ୍ବିଧାନିକ ଖଣ୍ଡପୀଠ, ଅନେକ ଶୁଣାଣି ଓ ତର୍କ ଉପସ୍ଥାପନ ଭିତରେ ଗତ ଫେବୃଆରୀ ୧୫,୨୦୨୪ ଦିନ ଏକ ସର୍ବସମ୍ମତ ରାୟଦେଇ କହିଥିଲେ ଯେ ୨୦୧୮ରୁ କାର୍ଯ୍ୟକାରୀ ହୋଇଥିବା ‘ନିର୍ବାଚନୀ ବଣ୍ଡ୍’ ଯୋଜନାଟି ‘ସମ୍ବିଧାନ ବିରୋଧି’ । ସେମାନେ ଏହି ଆଇନଟିକୁ ରଦ୍ଦ କରିଦେଇଥିଲେ, ଅର୍ଥାତ କମ୍ପାନୀ ମାନଙ୍କ ଠାରୁ ଯେତେଟଙ୍କା ମିଳିଛି ତାକୁ ଅବୈଧ ଧରିନିଆଯିବ । ସରକାରଙ୍କ ଅଧିନରେ ଥାଇ ଭାରତୀୟ ରିଜର୍ଭ ବ୍ୟାଙ୍କ ବଦଳରେ ଏହି ବଣ୍ଡ୍ କାରବାର କରୁଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇ କହିଥିଲେ ଯେ ‘ନିର୍ବାଚନୀ ବଣ୍ଡ୍’ କିଣାବିକାର ସମସ୍ତ ତଥ୍ୟ ଯେମିତି ଭାରତର ନିର୍ବାଚନ ଆୟୋଗଙ୍କୁ ମାର୍ଚ୍ଚ ୬,୨୦୨୪ ସୁଦ୍ଧା ପ୍ରଦାନ କରିବେ ।

ସେ ଭିତରେ ଥିଲା କେଉଁ କମ୍ପାନୀ କେତେ ‘ନିର୍ବାଚନୀ ବଣ୍ଡ୍’ କିଣିଛି ଏବଂ କେଉଁ ସବୁ ରାଜନୈତିକ ଦଳକୁ ଲାଭବାନ କରାଇଛି । ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ୍ୟ ଥିଲା ସେମାନେ ଯେମିତି ସମସ୍ତ ତଥ୍ୟ ନିଜ ୱେବସାଇଟରେ ମାର୍ଚ୍ଚ ୧୪, ୨୦୨୪ ସୁଦ୍ଧା ଜନଗଣଙ୍କ ଅବଗତି ନିମନ୍ତେ ସ୍ଥାନିତ କରାଇବେ । କିନ୍ତୁ ୧୮ଦିନ ବସିରହିବା ପରେ ଷ୍ଟେଟବ୍ୟାଙ୍କ ମାର୍ଚ୍ଚ ୪,୨୦୨୪ ଦିନ ହରିସ୍ ସାଲଭେଙ୍କ ମାଧ୍ୟମରେ ଉଚ୍ଚତମ ନ୍ୟାୟାଳୟରେ ଆବେଦନ କରି କହିଲେ ଯେ ଜୁନ୍ ୩୦,୨୦୨୪ ପୂର୍ବରୁ ସମସ୍ତ ତଥ୍ୟଦେବା ସମ୍ଭବ ନୁହେଁ । ମାର୍ଚ୍ଚ ୧୧, ୨୦୨୪ ଦିନ ଅଦାଲତ କ୍ଷୁବ୍ଧ ହୋଇ ଦିନକ ଭିତରେ ସମସ୍ତ ତଥ୍ୟଦେବା ପାଇଁ ନିର୍ଦ୍ଦେଶ ଦେବା ପରେ ଷ୍ଟେଟ ବ୍ୟାଙ୍କ ଆଦେଶକୁ କାର୍ଯ୍ୟକାରୀ କରିଥିଲେ ଓ ପ୍ରାୟ ସମସ୍ତ ତଥ୍ୟ ନିର୍ଦ୍ଧାରିତ ତାରିଖ (ମାର୍ଚ୍ଚ ୧୪, ୨୦୨୪) ଦିନକ ପୂର୍ବରୁ ନିର୍ବାଚନ ଆୟୋଗ ନିଜ ୱେବସାଇଟରେ ପାଇଥିବା ତଥ୍ୟକୁ ସ୍ଥାନିତ କରିଥିଲେ । ତେବେ କୌତୁହଳର ବିଷୟ ଯେ ଜାତୀୟ ଗଣମାଧ୍ୟମ କୁହାଯାଉଥିବା ସଂସ୍ଥାମାନେ ଚହଳ ପକାଇଥିବା ଉନ୍ମୋଚିତ ତଥ୍ୟକୁ ନେଇ କୌଣସି ଚର୍ଚ୍ଚା ବା ଆଲୋଚନା କରିନଥିଲେ । ସେଥିପାଇଁ ଏଭଳି ଏକ ଭୟଙ୍କର ଭ୍ରଷ୍ଟାଚାରର କଥା ଜନଗଣଙ୍କ ପାଖରେ ପହଞ୍ଚି ପାରୁନାହିଁ ।

କିଛି ସାମାଜିକ ଗଣମାଧ୍ୟମରେ ଯାହା ତଥ୍ୟ ସାମ୍ନାକୁ ଆସୁଛି ସେଥିରେ ଜଣାପଡ଼ୁଛିଯେ, (କ) କେଉଁ କମ୍ପାନୀ କେଉଁ ଶାସକ ଦଳକୁ କେତେ ଟଙ୍କା ଚାନ୍ଦା ଦେଇଛି ଏବଂ (ଖ) ସେମାନଙ୍କର କେଉଁ କାରବାର କେଉଁ ଅଞ୍ଚଳରେ ଚାଲିଛି । ଏହି କଥା ଏଯାବତ୍ ଲୋକଲୋଚନକୁ ଆସିନାହିଁ ଯେ ଏମାନେ ସକ୍ରିୟ ଥିବା ଅଞ୍ଚଳରେ କ’ଣ ସବୁ ମାନବିକ ଅଧିକାର ଉଲଙ୍ଘନ ହୋଇଚାଲିଛି । କେତେକ କ୍ଷେତ୍ରରେ ଅବଶ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତରଫରୁ କାର୍ଯ୍ୟାନୁଷ୍ଠାନ ନିଆଯିବାର ଧମକ ଭିତରେ ବା ପଦକ୍ଷେପ ନିଆଯିବା ପରେ ସେଥିରୁ ମୁକ୍ତିପାଇଁ କେଉଁ କମ୍ପାନୀ ଭାଜପାକୁ କେତେ କୋଟି ଟଙ୍କା ଦେଇଛନ୍ତି ସେ ସମ୍ପର୍କରେ କିଛି ରାଜନୈତିକ ଦଳ ଓ କେତେକ ୟୁଟୁବ୍ ଚ୍ୟାନେଲ ଚର୍ଚ୍ଚା ଜାରି ରଖିଛନ୍ତି । ଯଦି ସମସ୍ତ ଗଣମାଧ୍ୟମରେ ସବୁକଥା ମୁକ୍ତ ଭାବେ ଆଲୋଚନା ହୁଅନ୍ତା, ହୁଏତ ନରେନ୍ଦ୍ର ମୋଦୀଙ୍କ ଦଳ ଆଗାମୀ ନିର୍ବାଚନରେ ୧୦୦ଟି ଆସନ ପାଇବା କଷ୍ଟକର ହୋଇପଡ଼ନ୍ତା ।

ଏହିଭିତରେ ସବୁଠାରୁ ରୋଚକ ପ୍ରତିକ୍ରିୟା ଆସିଛି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅର୍ଥନୀତିଜ୍ଞ ସ୍ୱାମୀ ଡ଼ଃ ପରାକାଲା ପ୍ରଭାକରଙ୍କ ପାଖରୁ । ତାଙ୍କ ମତରେ ‘ନିର୍ବାଚନୀ ବଣ୍ଡ୍’ ଦୁର୍ନୀତି ବିଶ୍ୱର ସବୁଠାରୁ ବଡ଼ ଭ୍ରଷ୍ଟାଚାର । ଏହି ଦୁର୍ନୀତିରେ ମୁଖ୍ୟ ଅଭିଯୁକ୍ତ ଭାଜପା ସାମ୍ନାରେ କେବଳ ବିରୋଧିଙ୍କ ଗଠବନ୍ଧନ ନାହିଁ ବରଂ ଅଛନ୍ତି ସମଗ୍ର ଭାରତର ଜନଗଣ । ଦିନକୁ ଦିନ ଅଧିକରୁ ଅଧିକ ତଥ୍ୟ ଲୋକଲୋଚନକୁ ଆସିବ ଓ ଜନଗଣ ସବୁକଥା ଜାଣି ନିଜର ମତ ରଖିବେ ବୋଲି ସେ ବିଶ୍ୱାସ କରନ୍ତି । ଏଠି ଉଲ୍ଲେଖ କରାଯାଇ ପାରେ ଯେ ନିର୍ବାଚନ ପାଣ୍ଠିର ସବୁଠାରୁ ବଡ଼ ହିତାଧିକାରୀ ମୋଦୀଙ୍କ ଭାଜପା ଦଳ ଏପ୍ରିଲ୍ ୧୨,୨୦୧୯ରୁ ଫେବୃଆରୀ ୧୫,୨୦୨୪ ଭିତରେ ପାଖାପାଖି ୭ହଜାର କୋଟି (୬,୯୮୬.୫ କୋଟି) ଟଙ୍କା ପାଇଛନ୍ତି । ଅବଶ୍ୟ ୨୦୧୮ରୁ ୨୦୧୯ ଭିତରେ ଏମାନଙ୍କୁ ଏବଂ ଅନ୍ୟଦଳ ମାନଙ୍କୁ ଯେଉଁ ନିର୍ବାଚନୀ ପାଣ୍ଠି ମିଳିଛି ତାହାର ହିସାବ ଆବେଦନକାରୀ ମାନେ ମାଗି ନାହାନ୍ତି ବାହାନାନେଇ, ଷ୍ଟେଟ ବ୍ୟାଙ୍କ ତଥ୍ୟ ପ୍ରଦାନ କରିନାହାନ୍ତି ଯାହାର ପରିମାଣ ୧୦ହଜାର କୋଟି ଟଙ୍କା ହେବ । ଏମାନେ କେତେଟଙ୍କା ପାଇଛନ୍ତି, ତାହାଠାରୁ ଅଧିକ ଗୁରତ୍ୱପୂର୍ଣ୍ଣ ହେଉଛି ଯେ ଏମାନେ କିଭଳି ଇ.ଡ଼ି, ସି.ବି.ଆଇ, ଆୟକର ବିଭାଗ ଇତ୍ୟାଦି କେନ୍ଦ୍ରୀୟ ସଂସ୍ଥାମାନଙ୍କୁ ଆୟୁଧକରି ଅର୍ଥ ଆଦାୟ କରୁଛନ୍ତି ଏବଂ ସେମାନଙ୍କୁ ବ୍ୟବହାର କରି ବିରୋଧି ରାଜନୈତିକ ଦଳ ମାନଙ୍କର ନେତା ଏମିତିକି ମୁଖ୍ୟମନ୍ତ୍ରୀମାନଙ୍କୁ ଜେଲରେ ରଖିଛନ୍ତି । ଅଧିକ ଜାଣିବାର କଥା ହେଉଛି ଯେ ମୋଦୀଙ୍କ ସଂସ୍ଥାମାନେ କିଭଳି ଔଷଧ ପରୀକ୍ଷାରେ ଫେଲ ହୋଇଥିବା ଔଷଧ ଗୁଡ଼ିକୁ ଜନଗଣଙ୍କୁ ବିକ୍ରି କରିବାକୁ ଅନୁମତି ଦେଇ କିଭଳି କମ୍ପାନୀମାନଙ୍କଠାରୁ କୋଟିକୋଟି ଟଙ୍କା ଚାନ୍ଦା ନେଇଛନ୍ତି । ବାଦ୍ ପଡ଼ିନାହାଁନ୍ତି ତରବରିଆ ଭାବେ କୋଭିଡ଼୍ ଟିକା ପ୍ରସ୍ତୁତ କରିଥିବା କେତେକ କମ୍ପାନୀ ।

ଏହି ‘ନିର୍ବାଚନୀ ବଣ୍ଡ୍’ର ଦୁର୍ନୀତି ଗୋଟିଏ ପରେ ଗୋଟିଏ ଉନ୍ମୋଚନ ହେଉଥିବାବେଳେ ଏହି ଭ୍ରଷ୍ଟାଚାର ଉପରେ ପରଦା ଟାଣିବାପାଇଁ ମୋଦୀ ସରକାର ଗଣମାଧ୍ୟମ ସହଯୋଗରେ ନିଜର ପ୍ରୟାସ ମଧ୍ୟ ଜାରି ରଖିଛନ୍ତି । ଯେଉଁଦିନ ଅଦାଲତ ସମସ୍ତ ତଥ୍ୟ ଦେବା ପାଇଁ ଭାରତୀୟ ଷ୍ଟେଟବ୍ୟାଙ୍କକୁ ନିର୍ଦ୍ଦେଶ ଦେଲେ, ଠିକ୍ ସେହିଦିନ ହିଁ ଦେଶରେ ନାଗରିକତା ସଂଶୋଧନ ନିୟମ (ଯାହା ୪ବର୍ଷ ହେଲା ଶୀତଳ ଭଣ୍ଡାରରେ ଥିଲା) ଲାଗୁହେଲା ବୋଲି ଘୋଷଣା କଲେ । ଗଣମାଧ୍ୟମ ସେହି ଚର୍ଚ୍ଚାରେ ମାତିଲେ । ପରେପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ କୌଣସି ତଥ୍ୟ ପ୍ରମାଣ ନଥାଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଗିରଫ କରାଗଲା । ଏବଂ ଏବେ ଏବେ ଖବର ଆସିଛି ଉତ୍ତରପ୍ରଦେଶର ସରକାରଙ୍କର ଜେଲରେ ଥିବା ଜଣେ ଜଣାଶୁଣା ‘ଡ଼ନ୍’ ମୁଖ୍ତାର୍ ଆନ୍ସାରୀଙ୍କର ରହସ୍ୟଜନକ ଭାବେ ମୃତ୍ୟୁ ଘଟିଲା । ତେବେ ଯେତେ ଟିଭି ଗଣମାଧ୍ୟମକୁ ହାତରେ ରଖି ଅସଲ ତଥ୍ୟକୁ ଲୁଚାଇବାର ପ୍ରୟାସ କଲେ ବି ସତକଥାଗୁଡ଼ିକ ବାହାରକୁ ଆସିଯାଉଛି ।

କେଜ୍ରିୱାଲଙ୍କ ଗିରଫ, ନିର୍ବାଚନୀ ବଣ୍ଡ୍ ଭ୍ରଷ୍ଟାଚାରକୁ ନଗ୍ନଭାବେ ସାମ୍ନାକୁ ଆଣିଛି । ଯାହାକୁ ରାଜସାକ୍ଷୀ କରି ତାଙ୍କୁ ଗିରଫ କରାଯାଇଥିଲା ସେ ହେଉଛନ୍ତି ଅରବିନ୍ଦ ଫାର୍ମାସିୟୁଟିକାଲ୍ର ନିର୍ଦ୍ଦେଶକ ଶରତ ରେଡ଼ି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଗିରଫ କଲେ ଓ ଭାଜପା ପାଇଁ ପାଣ୍ଠି ଆଦାୟ କରିବା ପରେ ତାଙ୍କୁ ଛାଡ଼ି ଦେଇଥିଲେ । ଯଦି ‘ନିର୍ବାଚନୀ ବଣ୍ଡ୍’ ଦୁର୍ନୀତି ଉନ୍ମୋଚିତ ହୋଇ ନଥାନ୍ତା, ଏହି କଥାଟି ମଧ୍ୟ ଲୋକଲୋଚନକୁ ଆସିପାରିନଥାନ୍ତା । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଗିରଫ ପ୍ରସଙ୍ଗଟି କେବଳ ଦିଲ୍ଲୀବାସୀଙ୍କୁ ନୁହଁ; ସମଗ୍ର ଭାରତ ଓ ବିଶ୍ୱକୁ ମଧ୍ୟ ଚକିତ କରିଛି । ଯଦିଓ ଏଥିପୂର୍ବରୁ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଙ୍କୁ ବାଧ୍ୟକରାଇ ଇସ୍ତଫା ଦେବାପରେ ଗିରଫ କରାଯାଇଥିଲା । ଜର୍ମାନୀ, ଆମେରିକା ଓ ସଂଯୁକ୍ତ ରାଷ୍ଟ୍ର ସଂଗଠନ ଏବଂ ବିଦେଶୀ ଗଣମାଧ୍ୟମ ମାନେ ମାର୍ଜିତଭାଷାରେ ଭାରତରେ ଗଣତନ୍ତ୍ର ବିପଦରେ ଅଛି ବୋଲି ଚିନ୍ତା ପ୍ରକାଶ କରିଛନ୍ତି । ଭାରତ ସରକାଙ୍କର ତାଗିଦ୍ ର କୌଣସି ପ୍ରଭାବ ନାହିଁ ।

ସେଥିପାଇଁ ହୁଏତ ଅନ୍ୟକିଛି ଉପାୟ ନପାଇ ମୋଦୀ ଓ ଶାହାଙ୍କର ପରମ ବନ୍ଧୁ ତଥା ଉଚ୍ଚତମ ନ୍ୟାୟାଳୟରେ ଏମାନଙ୍କ ପକ୍ଷ ରଖୁଥିବା ବରିଷ୍ଠ ଓକିଲ ହରିସ୍ ସାଲଭେଙ୍କ ନେତୃତ୍ୱରେ ୬ଶହ ଭାଜପା ସମର୍ଥକ ଓକିଲ ଭାରତର ମୁଖ୍ୟ ବିଚାରପତିଙ୍କୁ ଚିଠିଲେଖି ଜଣାଇଛନ୍ତି ଯେ କିଛି ନ୍ୟସ୍ତସ୍ୱାର୍ଥ ଗୋଷ୍ଠି ଅଦାଲତ ଉପରେ ପ୍ରଭାବ ପକାଇବାପାଇଁ ଚେଷ୍ଟା କରୁଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ନିଜେ ଏହି ଚିଠିର ସପକ୍ଷରେ ବାହାରି, କଂଗ୍ରେସକୁ ଗାଳି ଦେଇ ପରୋକ୍ଷଭାବେ ମୁଖ୍ୟ ନ୍ୟାୟାଧୀଶଙ୍କ ଉପରେ ଚାପ ପକାଇବା ପାଇଁ ଉଦ୍ୟମ କରୁଛନ୍ତି ବୋଲି ଅଭିଯୋଗ ଆସୁଛି । ଠିକ୍ ଏତିକିବେଳେ ଦୈନିକ ଇଂରାଜୀ ଖବରକାଗଜ ‘ଡ଼େକାନ୍ ହେରାଲ୍ଡ ଅନଲାଇନ’ର ମାର୍ଚ୍ଚ ୨୭,୨୦୨୪ ଖବର ମୁତାବକ ଅମର୍ତ୍ତ୍ୟ ସେନ୍, ଗାୟତ୍ରୀ ଚକ୍ରବର୍ତ୍ତୀ-ସ୍ପିଭାକ ଓ ଅମିତାଭ୍ ଘୋଷଙ୍କ ସମେତ ବିଶିଷ୍ଟ ବୁଦ୍ଧିଜୀବୀମାନେ ଭାରତରେ ଗଣତାନ୍ତ୍ରିକ ପରମ୍ପରାକୁ କିଭଳି ନ୍ୟୁନ କରାଯାଉଛି ସେଥିରେ ଉଦବେଗ ପ୍ରକାଶ କରିଛନ୍ତି । ସେମାନଙ୍କ ମତରେ ଗଣତନ୍ତ୍ରକୁ ସଙ୍କୁଚିତ କରିବାର ପରିଣତି କେବଳ ଭାରତର ଜନଗଣ ଭୋଗିବେ ନାହିଁ ବରଂ ଏହାର ପ୍ରଭାବ ମାନବସମାଜ ଉପରେ ପଡ଼ିବ । ଭାରତରେ ସାମ୍ବାଦିକ, ସାମାଜିକ କର୍ମୀ, ବିରୋଧି ରାଜନୈତିକ ନେତୃତ୍ୱ ଓ ଏମିତିକି ଛାତ୍ରମାନଙ୍କ ଉପରେ ଯେଉଁଭଳି ରାଷ୍ଟ୍ରୀୟ ନିର୍ଯାତନା ଚାଲିଛି ତାହା ଭାରତରେ ଗଣତନ୍ତ୍ରକୁ ବିପନ୍ନ କରୁଛି ବୋଲି ଭାରତ ବାହାରେ ଥିବା ଲୋକେ ଅନୁଭବ କରୁଥିବାବେଳେ ଭାରତର ସାହିତ୍ୟିକ, ସମାଜବିଜ୍ଞାନୀ, ଲେଖକ ଓ କଳାକାରମାନଙ୍କର ନୀରବତା ଦୁର୍ବୋଧ୍ୟ ଓ ନୈରାଶ୍ୟଜନକ ମନେ ହେଉଛି । ଏମାନଙ୍କ ଭିତରୁ କୁହାଳିଆ ଲୋକମାନେ ବରଂ କର୍ପୋରେଟ ଅର୍ଥରେ ଉତ୍ସବ ମନାଉଛନ୍ତି ।

ଓଡ଼ିଶାର ବିଜୁ ଜନତା ଦଳ ‘ନିର୍ବାଚନୀ ବଣ୍ଡ୍’ ଭ୍ରଷ୍ଟାଚାରର ଅନ୍ୟତମ ଶ୍ରେଷ୍ଠ ଉପଭୋକ୍ତା । କୁହାଯାଉଛି ଯେ ଗଣମାଧ୍ୟମକୁ ନିର୍ଦ୍ଦେଶ ଦିଆଯାଇଛି କୌଣସି ତଥ୍ୟ ପ୍ରକାଶ ନକରିବା ପାଇଁ । କିନ୍ତୁ ଏମିତିରେ ଦେଖିଲେ ଜଣାପଡ଼ୁଛି ଯେଉଁ ବେଦାନ୍ତ, ବିର୍ଲା ଓ ଜିନ୍ଦଲ ଭଳି କମ୍ପାନୀମାନେ କିଛି ସ୍ଥାନୀୟ କମ୍ପାନୀମାନଙ୍କ ସହ ମିଶି ଆଦିବାସୀ ଓ ଦଳିତମାନଙ୍କ ଉପରେ ଦମନଲୀଳା ରାଜ୍ୟ ପୋଲିସ ଓ ଗଣମାଧ୍ୟମର ସକ୍ରିୟ ସହଯୋଗରେ ଚଳାଇ ଆସିଛନ୍ତି, ସେମାନେ ବିଜୁ ଜନତା ଦଳକୁ କୋଟି କୋଟି ଟଙ୍କାର ଚାନ୍ଦା ଦେଇଛନ୍ତି । ସେଥିପାଇଁ ଆଜି ନରେନ୍ଦ୍ର ମୋଦୀ ଯଦି ନିର୍ବାଚନ ଜିତିବା ପାଇଁ ସବୁ ଅନୈତିକ ଉପାୟ ବ୍ୟବହାର କରିପାରୁଛନ୍ତି, ଆମେ ଚକିତ ହେବା କଥା ନୁହଁ କାରଣ ସେ ଆମକୁ ଭଲଭାବେ ବୁଝିପାରିଛନ୍ତି ।

Comments

0 comments

Share This Article
Sudhir Pattnaik is leading the Samadrusti Media Group as an equal member of a committed team. The Group includes within its fraternity, The Samadrusti.com Digital platform, The Samadrusti print magazine, The Samadrusti TV ( for making documentaries on people's issues) Madhyantara Video News Magazine, Village Biography Writing and Samadrusti Mukta Vidyalay imparting journalism courses to poor and deserving youth, Samadrusti Publications ( as a publishing house) and Samadrusti Institute of Research. His main challenge has been sustaining the non-funded ongoing initiatives and launching much-needed new initiatives in an atmosphere where corporate media appropriates all resources making the real alternatives struggle for survival.