ଅନ୍ଧାର ଆଡ଼କୁ ଗତି…

ଭାରତ ଏକ ବିଚିତ୍ର ଦେଶ । ଏଠାରେ କୋଟି କୋଟି ମଣିଷ ବାସ କରନ୍ତି । ହେଲେ ସେମାନଙ୍କ ମାନସିକତା ଏତେ ଭିନ୍ନ ଭିନ୍ନ ତାହା ବର୍ଣ୍ଣନା କରିବା କଷ୍ଟସାଧ୍ୟ । ସେମାନେ ଖାଆନ୍ତି, ପିଅନ୍ତି, ମଉଜ ମଜଲିସ କରନ୍ତି, ଇହଧାମ ବି ତ୍ୟାଗ କରନ୍ତି । କିନ୍ତୁ ସେମାନଙ୍କ ସବୁଠାରୁ ବଡ଼ ଦୁର୍ବଳତା ହେଲା ସେମାନେ ଧର୍ମୀୟ ଭାବନା ମଧ୍ୟରେ ନିଜକୁ ବଳି ଦେଇଛନ୍ତି । ସେମାନେ ଯେତେ ବିଜ୍ଞାନ ଯୁଗରେ ଆଗଉଛନ୍ତି ତାହାଠାରୁ ବହୁଗୁଣ ପଛରେ ଅନ୍ଧକାର ଜଗତ ଭିତରକୁ ଲମ୍ଫ ପ୍ରଦାନ କରୁଛନ୍ତି । ନଚେତ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ସାରାଦେଶରେ ଏତେ ଉଦବେଳନ ଦେଖାଯାଇ ନଥାନ୍ତା ।

ଭାରତୀୟମାନେ ଏତେ ସ୍ୱାର୍ଥପର ଯେ, ସେମାନେ ଐତିହାସିକ ବାବ୍ରି ମସଜିଦକୁ କାହିଁକି ଭଙ୍ଗାଗଲା, ସେ ସମ୍ପର୍କରେ ଆଉ ଆଲୋଚନା କରୁନାହାନ୍ତି । ପ୍ରାୟ ପାଞ୍ଚ ଶହ ବର୍ଷ ପୁରାତନ ମସଜିଦକୁ କାହିଁକି ଭଙ୍ଗାଗଲା, ଶହ ଶହ ବର୍ଷର ଐତିହ୍ୟକୁ ଭାଙ୍ଗିବା ଲାଗି ବର୍ବରବାହିନୀକୁ କିଏ ଅନୁମତି ଦେଲା, ଏହାରି ମୂଳରେ କେଉଁ ଧର୍ମୀୟ ଶକ୍ତି ଦାୟୀ- ସେସବୁକୁ ଆଉ ପର୍ଯ୍ୟାଲୋଚନା କରାଯାଉ ନାହିଁ । ପରନ୍ତୁ ନୂଆ ରାମମନ୍ଦିର ଲାଗି ନାନା ଉଦବେଳନ ପ୍ରକାଶ ପାଇଛି । ଏହାକୁ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ପ୍ରସଙ୍ଗ କରି ନାନାପ୍ରକାର ସ୍ୱାର୍ଥ ହାସଲ କରିବାକୁ ସକ୍ଷମ ହୋଇଛି ।

ଅତୀତରେ ନାନାପ୍ରକାର ଶାସକ ଭାରତକୁ ଶାସନ କରିଛନ୍ତି । ନା ହିନ୍ଦୁ, ନା ମୁସଲମାନ, ନା ପାର୍ସି… ସମସ୍ତେ ଭାରତକୁ ଏକ ଶାସିତ ରାଜ୍ୟ ଭାବେ ଗ୍ରହଣ କରିଛନ୍ତି । ଭାରତରେ ଅମାପ ଧନସମ୍ପତ୍ତିର କାରଣ ହେଉ, ଏଭଳି ଏକ ସମୃଦ୍ଧ ଭୂଖଣ୍ଡକୁ ଅଧୀନସ୍ଥ କରିବାର ଅହେତୁକ ମୋହ ହେଉ- ଆଦି କାରଣ ଥିଲା ଭାରତକୁ ଶାସନ କରିବାର ପ୍ରବଣତା ।

ଅତୀତରେ ଅନେକ ଘଟଣା, ଦୁର୍ଘଟଣା, ହତ୍ୟା, ଗଣହତ୍ୟା, ଯୁଦ୍ଧ ଆଦି ଘଟିଛି । ତକ୍ରାଳୀନ ରାଜନୈତିକ, ଅର୍ଥନୈତିକ, ସାମାଜିକ ପରିସ୍ଥିତି ଏଥିଲାଗି ଦାୟୀ । ଅତୀତର ଘଟଣାବଳୀକୁ ନେଇ ଆଜି ରାଜନୀତିରେ ପ୍ରୟୋଗ କରିବା ନିଶ୍ଚୟ ମୂର୍ଖାମୀର ପରିଚୟ । ଏକ ନିର୍ଦ୍ଦିଷ୍ଟ ଆଦର୍ଶର ଗୋଷ୍ଠୀ ବା ରାଜନୈତିକ ଦଳ ଧର୍ମୀୟ ଭାବନାକୁ ଅପହରଣ କରିନେବା ହିଁ ଭାରତୀୟତା ଲାଗି ସବୁଠାରୁ ବଡ଼ ଚାଲେଞ୍ଜ । ଭାରତୀୟଙ୍କ ଧର୍ମୀୟ ଭାବନା ଏତେ ଦୁର୍ବଳ ଯେ, ସେମାନଙ୍କୁ ସହଜରେ ବ୍ଲାକମେଲ କରାଯାଇ ପାରିଥାଏ । ଏହା ହିନ୍ଦୁତ୍ୱ ମାନସିକତାଧାରୀ ରାଜନୈତିକ ଦଳ ସଠିକ୍ ଉପଲବ୍ଧି କରି ଶାସନ କରିବାକୁ ସକ୍ଷମ ହୋଇପାରିଛି ।

ଅଯୋଧ୍ୟାରେ ରାମମନ୍ଦିର ପ୍ରତିଷ୍ଠା ହେଲା । ସାରାଦେଶର ପୁଞ୍ଜିପତି, ତଥାକଥିତ ସାଧୁସନ୍ଥ ଆଦି ଉତ୍ସବରେ ସାମିଲ ହେଲେ । ଜାତୀୟ ମାନସିକତାକୁ ଅଧିକ ଭାବପ୍ରବଣ କରିବା ଲାଗି ଅଭିନେତା, ଅଭିନେତ୍ରୀମାନେ ବି ସାମିଲ ହେଲେ । ଶହ ଶହ କୋଟି ଟଙ୍କାର ଅଘୋଷିତ ଚାନ୍ଦା ଉଠାଗଲା କିମ୍ବା ଅନୁଦାନ ଆସିଲା- ଯାହାର କୌଣସି ହିସାବ ନାହିଁ । ସାରା ଦେଶର ସମସ୍ତ ସମସ୍ୟାକୁ ଏପରି ରାମମନ୍ଦିର ପ୍ରତିଷ୍ଠା ଉତ୍ସବ ନାମରେ ହାଇଜାକ କରିଦିଆଗଲା ଯାହାର ପ୍ରଭାବ ଅନ୍ତତଃ ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିବାରେ ସକ୍ଷମ ହେବ । ଏକ ରାମମନ୍ଦିର ପ୍ରତିଷ୍ଠା ଲାଗି ସାରା ଦେଶରେ ଅଧାଦିନ ଛୁଟି ଘୋଷଣା କରି ହାସ୍ୟାସ୍ପଦ ପଦକ୍ଷେପ ବି ସରକାର ଗ୍ରହଣ କଲେ । ଏହାର ଉଦ୍ଦେଶ୍ୟ ଯେ ଭିନ୍ନ ଥିଲା ତାହା ସରଳ ଭାରତବାସୀ ହୃଦବୋଧ କରିପାରିନାହାନ୍ତି । ସାରା ଦେଶକୁ ଏକ ଅଦ୍ଭୁତ ରାମସ୍ରୋତରେ ବାହିନେବା ଲାଗି ଯେଉଁ ପ୍ରୟାସ କରାଗଲା ସେଥିରେ ସରକାର ସମ୍ପୂର୍ଣ୍ଣ ସଫଳ ହେଲେ । ରାମମନ୍ଦିର ଉତ୍ସବକୁ ବି ଆଶ୍ରା କରି ଅନେକ ଆଂଚଳିକ ରାଜନୈତିକ ଦଳ ବି ଫାଇଦା ପାଇଲେ । ଏକ ବିଚିତ୍ର ଭାବାବେଗ ମଧ୍ୟରେ ହିନ୍ଦୁତ୍ୱବାଦୀ ଫାଶିଷ୍ଟ ଶକ୍ତି ଅଧିକ ଶକ୍ତିଶାଳୀ ହେବାକୁ ସକ୍ଷମ ହେଲେ ।

ଆଜକୁ ପାଞ୍ଚଶହ ବର୍ଷତଳର ଘଟଣାବଳୀକୁ ନେଇ ବାବ୍ରି ମସଜିଦ କୀର୍ତ୍ତିରାଜିକୁ ଭାଙ୍ଗି ଦିଆଗଲା । ହେଲେ ତାହାକୁ ପ୍ରାୟତଃ କେହି ବିରୋଧ କଲେ ନାହିଁ । ପ୍ରାୟ ସମସ୍ତ ରାଜନୈତିକ ଦଳ ଏକ ହିନ୍ଦୁ ଭୋଟକୁ ଆଶ୍ରା କରି ଏହାର ବିରୋଧ କରିବା ଦେଖାଗଲା ନାହିଁ । ଏକ ସଂଖ୍ୟାଲଘୁ ଗୋଷ୍ଠୀଙ୍କ ନରସଂହାର, ଉନ୍ମତ୍ତ ତାଣ୍ଡବ, ଫାଶୀବାଦୀ ଆଭିମୁଖ୍ୟକୁ ସତେ ଯେପରି ସାରା ଭାରତୀୟ ଗ୍ରହଣ କରିନେଲେ । ମନ୍ଦିର ଭାଙ୍ଗି ବାବ୍ରି ମଜଦିଦ ଭାଙ୍ଗିବାର ସେପରି କୌଣସି ଠୋସ୍ ପ୍ରମାଣ ନଥିଲେ ବି ଗୋଟିଏ ମିଛକୁ ଶହେ ଥର କହି ତାହାକୁ ସତ୍ୟରେ ପରିଣତି କରିଦେବା ପରି ପ୍ରକ୍ରିୟା ଗତ ୧୯୯୨ରେ ଘଟିଥିଲା । ଯାହାର ଫଳସ୍ୱରୂପ ଡିସେମ୍ବର ୬ରେ ବାବ୍ରି ମସଜିଦର ପତନ ଘଟିଥିଲା । ସବୁଠାରୁ ବଡ଼ କଥା- ଭାରତ ବ୍ୟତୀତ ବିଶ୍ୱର ଅନ୍ୟ ପ୍ରାୟ ୨ଶହ ରାଷ୍ଟ୍ରରେ ଏପରି ଘଟଣା ଘଟିନାହିଁ କିମ୍ବା ଘଟିବାର ସମ୍ଭାବନା ନାହିଁ । ଯଦି ୫ଶହ ବର୍ଷର ଏକ ପୁରୁଣା କୀର୍ତ୍ତିରାଜିକୁ ସଂଖ୍ୟାଗରିଷ୍ଠ ଗୋଷ୍ଠୀ ଭାଙ୍ଗିଦିଅନ୍ତି ତେବେ ସଂଖ୍ୟାଲଘୁଙ୍କ ନାଗରିକ ଅଧିକାରକୁ ବି ଲୋପ କରିବା ଲାଗି ଏହି ଶକ୍ତି ପଶ୍ଚାତପଦ ଯେ ହେବେ ନାହିଁ- ଏହା କୁହାଯାଇ ପାରିବ ନାହିଁ ।

ହଜାର ହଜାର ବର୍ଷ ତଳେ ଶ୍ରୀରାମ ଯେ ଅଯୋଧ୍ୟାର ନିର୍ଦ୍ଦିଷ୍ଟ ଭାବେ ସେହି ରାମମନ୍ଦିର ନିର୍ମିତ ସ୍ଥଳରେ ଜନ୍ମ ନେଇଥିଲେ-ଏହାର କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ । ଯାହା ବି ପ୍ରମାଣ ବୋଲି କୁହାଯାଉଛି ତାହା କିମ୍ବଦନ୍ତୀ ହୋଇପାରେ କିମ୍ବା କଳ୍ପନାସମ୍ଭୂତ ହୋଇପାରେ । ସେହି ଭାବବାଦୀ କଥାକୁ ଆଧାରକରି ଶହ ଶହ ବର୍ଷର ବାବି୍ର ମସଜିଦକୁ କିପରି ଭାଙ୍ଗି ଦିଆଯିବ?

ବାବି୍ର ମସଜିଦ ଭାଙ୍ଗିବାରେ ସକ୍ଷମ ହୋଇଥିବା ଶକ୍ତି ୧୬୪୮ ମସିହାରେ ନିର୍ମିତ ତାଜମହଲ ଉପରେ ବି ଆଖି ପକାଇଛନ୍ତି । ଏହାକୁ ବି ଭାଙ୍ଗିବା ଲାଗି ଯେ, କୌଣସି ପର୍ଯ୍ୟାୟରେ ଉଦ୍ୟମ ଆରମ୍ଭ ନ ହେବ ତାହା କହିବା କଷ୍ଟକର । ମୁସଲମାନ, ମୋଗଲ ରାଜତ୍ୱ କାଳରେ ଅନେକ ପ୍ରାଚୀନ କୀର୍ତ୍ତିରାଜି ନିର୍ମିତ ହୋଇଛି । ସେସବୁ ଜରିଆରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ବିପୁଳ ରାଜସ୍ୱ ହାସଲ କରୁଛନ୍ତି । ସେହି କୀର୍ତ୍ତିରାଜି ଲାଗି ସହସ୍ରାଧିକ କର୍ମଚାରୀ ନିଯୁକ୍ତି ପାଇଛନ୍ତି । ମାତ୍ର ସୁବିଧାବାଦୀ ରାଜନୀତି ଦୃଷ୍ଟିରୁ ଆବଶ୍ୟକ ସ୍ଥଳେ କେତେକ ପ୍ରସଙ୍ଗକୁ ଜାଣିଶୁଣି ଉତ୍ଥାପନ କରାଯାଉଛି । ଧର୍ମୀୟ ପ୍ରସଙ୍ଗକୁ ରାଜନୈତିକ ସ୍ୱାର୍ଥରେ ବ୍ୟବହାର କରାଯାଉଛି ।

ଯଦି ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ତେବେ ଗୋଟିଏ ସ୍ଥାନରେ ମନ୍ଦିର, ମସଜିଦ ରହିଲେ କ୍ଷତି କ’ଣ? ଅତୀତ ଭାରତରେ କେବଳ ମୁସଲିମ ଓ ମୋଗଲ ଶାସକ ମନ୍ଦିର ଆକ୍ରମଣ କରିନାହାନ୍ତି, ଅନେକ ହିନ୍ଦୁ ରାଜା ବି ବହୁ ହିନ୍ଦୁ ମନ୍ଦିର ଲୁଣ୍ଠନ କରିଛନ୍ତି ।

ଯଦି ହିନ୍ଦୁମାନେ ସ୍ୱଦେଶପ୍ରେମୀ, ସ୍ୱାଭିମାନୀ, ହିନ୍ଦୀ ଓ ସଂସ୍କୃତପ୍ରେମୀ ତେବେ ସେମାନେ କାହିଁକି ଊର୍ଦ୍ଦୁ, ଇଂରାଜୀ ଭାଷା ବ୍ୟବହାର କରୁଛନ୍ତି? ବୋଧହୁଏ ଯଦି ଭାରତ ସରକାର ସବୁଠାରୁ ଅଧିକ କୌଣସି କୀର୍ତ୍ତିରାଜିରୁ ଅଧିକ ରାଜସ୍ୱ ଆଦାୟ କରୁଥାନ୍ତି ତେବେ ତାହା ମୁସଲିମ କୀର୍ତ୍ତିରାଜି । ଭାରତର ଅଧିକାଂଶ ରାସ୍ତା, ଟ୍ରେନ ଲାଇନ ବି୍ରଟିଶ ଅମଳରେ ହୋଇଛି । ଏପରିସ୍ଥଳେ ହିନ୍ଦୁତ୍ୱବାଦୀ ଶକ୍ତି ବି୍ରଟିଶ ବଦଳରେ ମୁସଲିମଙ୍କୁ ଅଧିକ ଟାର୍ଗେଟ କରିଥାନ୍ତି । କାରଣ ବି୍ରଟିଶକୁ ବିରୋଧ କଲେ କିଛି ଫାଇଦା ନାହିଁ । ଯଦି ମୁସଲିମଙ୍କୁ ବିରୋଧ କରାଯାଏ ତେବେ ହିନ୍ଦୁମାନଙ୍କର ସମର୍ଥନ ମିଳିବ । ଏହି ସୁବିଧାବାଦୀ ଦୃଷ୍ଟିକୋଣ ଯୋଗୁଁ ଗୋଧ୍ରା ସମେତ ଅନେକ ସ୍ଥାନରେ ଦଙ୍ଗା ହୋଇଥାଏ । ଆଜି ଯେଉଁମାନେ କ୍ଷମତାରେ ଅଛନ୍ତି ସେମାନେ ବି ୨୦୦୨ ଗୋଧ୍ରା ଦଙ୍ଗାକୁ ନୈତିକ ସମର୍ଥନ ଦେଇଥଲେ ।

ରାମମନ୍ଦିର ନାମରେ ଦେଶର ଅଧିକାଂଶ ବୃହତ ପୁଞ୍ଜିପତି କୋଟି କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଯେଉଁମାନଙ୍କୁ କେନ୍ଦ୍ର ସରକାର ବିଭିନ୍ନ ଭାବେ ଆର୍ଥିକ ସୁବିଧା ଯୋଗାଉଛନ୍ତି ସେମାନେ ବିଶେଷ କରି ପ୍ରଚୁର ଅର୍ଥ ଦାନ ଦେଇଛନ୍ତି । ଯେଉଁ ପୁଞ୍ଜିପତିମାନେ ହଜାର ହଜାର କୋଟି ଟଙ୍କାର କଳାଟଙ୍କା ଗଚ୍ଛିତ କରିଛନ୍ତି, ଯେଉଁମାନେ ଦେଶରେ ଦାରିଦ୍ର୍ୟ, ବେକାରୀ ବୃଦ୍ଧି ଲାଗି ଦାୟୀ ସେମାନେ ହିଁ ବିପୁଳ ଅର୍ଥରାଶି ମନ୍ଦିରକୁ ଦାନ ଦେଇଛନ୍ତି । ଖୋଦ ଉତ୍ତରପ୍ରଦେଶରେ ସାଢ଼େ ଚାରିକୋଟିରୁ ଅଧିକ ଲୋକ ବେକାର ଅଛନ୍ତି । ଦୁର୍ଦ୍ଦିନରେ ସଢୁଥିବା ଲୋକଙ୍କ ସଂଖ୍ୟା ବହୁ ଅଧିକ । ଶହ ଶହ ଗ୍ରାମରେ ଦାରିଦ୍ର୍ୟର ଚିତ୍ର ସ୍ପଷ୍ଟ ବାରି ହେଉଛି । ଏପରିସ୍ଥଳେ ଉତ୍ତରପ୍ରଦେଶରେ ରାମମନ୍ଦିର ପ୍ରତିଷ୍ଠା ଲାଗି କି ବ୍ୟଗ୍ରତା! ଅଯୋଧ୍ୟାରେ ଏବେ ଲ୍ୟାଣ୍ଡସ୍କାମ ଯେତିକି ବୃଦ୍ଧି ପାଇଛି ଜାଗାର ମୂଲ୍ୟ ସେତିକି ଅଧିକ ହୋଇଛି । ରାଜ୍ୟରେ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି, ବେକାରୀ ଦୂରୀକରଣ ଯୋଜନା, ଦାରିଦ୍ର୍ୟ ହ୍ରାସ ଯୋଜନା ବଦଳରେ ରାଜ୍ୟ ସରକାର ଧାର୍ମିକ ପୀଠସ୍ଥଳୀର ବିକାଶ ଲାଗି କୋଟି କୋଟି ଟଙ୍କା ଶ୍ରାଦ୍ଧ କରୁଛନ୍ତି । କୁହାଯାଉଛି ଅଯୋଧ୍ୟା ରାମମନ୍ଦିର ଲାଗି ପ୍ରାୟ ୧୮୦୦କୋଟି ଟଙ୍କା ଖର୍ଚ୍ଚ ହୋଇଛି । ମାତ୍ର ବାସ୍ତବରେ ଏହାଠାରୁ ବହୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି ଏବଂ ସେହି ତୁଳନାରେ ବିପୁଳ ଅର୍ଥ ଆଦାୟ ହୋଇଛି ବୋଲି ସୂଚନା ମିଳୁଛି । ଅନେକ ପୁଞ୍ଜିପତି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ଚୁପ୍ କରିବା ଲାଗି ଅର୍ଥ ଦାନ ଦେଇଛନ୍ତି । ଯେଉଁ ପୁଞ୍ଜିପତିମାନେ କୋଟି କୋଟି ଟଙ୍କା ଦାନ ଦେଇଛନ୍ତି ସେମାନେ ତାହାକୁ ନିଜ ପକେଟରୁ ଦେଇନାହାନ୍ତି । କେନ୍ଦ୍ର ସରକାରଙ୍କୁ ଯେଉଁ ଅର୍ଥ ଟିକସ ବାବଦରେ ସେମାନେ ଦେଇଥାନ୍ତେ ସେହି ଅର୍ଥ ହିଁ ସେମାନେ ମନ୍ଦିରକୁ ଦାନ କରିଛନ୍ତି । ଅର୍ଥାତ ଯେଉଁ ଟିକସ ବାବଦ ଅର୍ଥକୁ କେନ୍ଦ୍ର ସରକାର ସର୍ବସାଧାରଣଙ୍କ ଲାଗି ବିନିଯୋଗ କରିଥାନ୍ତେ ସେହି ଅର୍ଥ ମନ୍ଦିର ନିର୍ମାଣ ଲାଗିଯାଇଛି ।

ଦେଶରେ ଲକ୍ଷ ଲକ୍ଷ ମନ୍ଦିର ରହିଛି । ଅନେକ ମନ୍ଦିର ଜରାଜୀର୍ଣ୍ଣ ହୋଇଛି । ହେଲେ ସେଥିରେ ସନ୍ତୁଷ୍ଟ ନୁହନ୍ତି ସରକାର କିମ୍ବା ଲୋକ । କୋଟି କୋଟି ଟଙ୍କା ବ୍ୟୟରେ ମନ୍ଦିର ନିର୍ମାଣର ମାହୋଲ ସୃଷ୍ଟି କରାଯାଉଛି । ହିନ୍ଦୁତ୍ୱ ମାନସିକତାକୁ ବ୍ଳାକମେଲ କରିବା କାରଣରୁ ହେଉ, ଲୋକଙ୍କ ଭ୍ରାନ୍ତ ମାନସିକତା କାରଣରୁ ହେଉ, ହିନ୍ଦୁତ୍ୱବାଦୀ ଶକ୍ତିଙ୍କ ରାଜନୈତିକ ସ୍ୱାର୍ଥ କାରଣରୁ ହେଉ- ମନ୍ଦିର ନିର୍ମାଣକୁ ପ୍ରାଧାନ୍ୟ ଦିଆଯାଉଛି । ବୋଧହୁଏ ଭାରତର ସମସ୍ତ ମନ୍ଦିରର ସମ୍ପତ୍ତିକୁ ଯଦି ଲୋକଙ୍କ ମଧ୍ୟରେ ବାଣ୍ଟି ଦିଆଯାଏ ତେବେ ଦେଶରେ ଦାରିଦ୍ର୍ୟ, ବେକାରୀ ସମ୍ପୂର୍ଣ୍ଣ ଦୂର ହୋଇଯାଇଥାନ୍ତା ।

ଏକ ଗଣତାନ୍ତ୍ରିକ, ବହୁଧର୍ମଭିତ୍ତିକ ରାଷ୍ଟ୍ରରେ ୫ଶହ ବର୍ଷ ପୁରାତନ ମସ୍ଜିଦକୁ ଭାଙ୍ଗି ଦିଆଗଲା ହେଲେ କେହି ପ୍ରତିବାଦ କଲେ ନାହିଁ । ତକ୍ରାଳୀନ ରାଜୀବ ଗାନ୍ଧୀ ସରକାରଙ୍କ ଦ୍ୱାରା ମସଜିଦର ତାଲା ଖୋଲିବା ଲାଗି ଅନୁମତି ଦିଆଯିବା କିମ୍ବା ମନ୍ଦିର ନିମନ୍ତେ ସୁପ୍ରିମକୋର୍ଟ ବିବାଦୀୟ ସ୍ଥଳରୁ ଅଧିକାଂଶ ଜମି ରାମମନ୍ଦିର ଲାଗି ଦେବାକୁ ନିଷ୍ପତ୍ତି ନେବା- ସବୁରି ମୂଳରେ ରହିଛି ହିନ୍ଦୁତ୍ୱବାଦୀ ଭାବନାର ପରିପ୍ରକାଶ । ଶହ ଶହ ବର୍ଷ ତଳର କାହାଣୀକୁ ନେଇ ସର୍ବୋଚ୍ଚ ଅଦାଲତ ଯେ ଏପରି ରାୟ ଦେବେ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଯଦି ତାହା ସମ୍ଭବ ତେବେ ଅତୀତରେ ଅନେକ ଆଫ୍ଗାନ, ମୋଗଲ, ପାର୍ସି ଶାସକ ଭାରତ ଉପରେ ଆକ୍ରମଣ କରିଥିଲେ । ସେହି ଦେଶଗୁଡ଼ିକ ଉପରେ ବର୍ତ୍ତମାନ ହିନ୍ଦୁତ୍ୱବାଦୀ ଶକ୍ତି ଆକ୍ରମଣ କରୁନାହାନ୍ତି କାହିଁକି? ଯେଉଁ ଯେଉଁ କୀର୍ତ୍ତିରାଜି ମୁସଲିମ, ମୋଗଲ ରାଜତ୍ୱରେ ନିର୍ମିତ ହୋଇଥିଲା ସେଗୁଡ଼ିକୁ କାହିଁକି ଭାଙ୍ଗି ଦେଉନାହାନ୍ତି ଫାଶିଷ୍ଟ ଶକ୍ତି? ସବୁକିଛି ଘଟଣାରେ ରହୁଛି ଭୋଟ ପ୍ରବଣତା । ହିଜାବ ହେଉ କି ପାଠ୍ୟପୁସ୍ତକ, କୀର୍ତ୍ତିରାଜି ହେଉ କି ଆଇନ- ସବୁକିଛି ମୂଳରେ ରହୁଛି ହିନ୍ଦୁତ୍ୱବାଦୀ ଆଭିମୁଖ୍ୟ । ହଜାର ହଜାର ବର୍ଷର ଭାରତରେ ଯାହା ଘଟୁନଥିଲା ଗତ ତିନି ଦଶନ୍ଧିରେ ତାହା ଘଟି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । ଭାରତର ଅର୍ଥନୈତିକ ସ୍ଥିତିକୁ ଦୋହଲାଇ ଦେଉଛି । ଏହାଦ୍ୱାରା ଲୋକଙ୍କ ଆର୍ଥିକ ଅବସ୍ଥାରେ ଉନ୍ନତି ହେଉନାହିଁ ବରଂ ସେମାନେ ତଳିତଳାନ୍ତ ହେଉଛନ୍ତି । ଏହାର ସବୁଠାରୁ ବଡ଼ ଶିକାର ହିନ୍ଦୁମାନେ ହିଁ ହେଉଛନ୍ତି । ମାତ୍ର ଧର୍ମ ପରି ଏକ ଅଫିମ ନିଶା ଯୁକ୍ତିଯୁକ୍ତ ଚିନ୍ତା କରିବା କ୍ଷେତ୍ରରେ ପ୍ରତିବନ୍ଧକ ସାଜି ଲୋକଙ୍କୁ ଅତୀବ ଅନ୍ଧାର ମଧ୍ୟକୁ ଠେଲି ଦେଉଛି ।

ଅତୀତରେ ମୁସଲମାନ ଶାସକ ହୁଅନ୍ତୁ କି ହିନ୍ଦୁ ଶାସକ, ସମସ୍ତେ ଚାହୁଁଥିଲେ କଳ, ବଳ, କୌଶଳେ ସିଂହାସନ ଆରୋହଣ କରିବା ଏବଂ ରାଜ୍ୟ ଜୟ କରିବା । ଏଥିଲାଗି ଜନବସତି ସହ କୀର୍ତ୍ତିରାଜି ଧ୍ୱଂସ କରିବା ଲାଗି ସେମାନେ କୁଣ୍ଠାବୋଧ କରୁ ନଥିଲେ । ହିନ୍ଦୁ ଶାସକ ହିନ୍ଦୁଙ୍କୁ ମାରିଛନ୍ତି, ମୁସଲିମ ଶାସକ ମୁସଲିମଙ୍କୁ ମାରିଛନ୍ତି । ହିନ୍ଦୁ ଶାସକଙ୍କ ବିରୋଧରେ ହିନ୍ଦୁମାନେ ଲଢ଼େଇ କରିଛନ୍ତି । ଅନେକ ହିନ୍ଦୁ ରାଜା ମନ୍ଦିର ଆକ୍ରମଣ କରି ଧନସମ୍ପଦ ଲୁଟ୍ କରିଛନ୍ତି । ହିନ୍ଦୁଙ୍କୁ ଆଖିବୁଜା ହତ୍ୟା କରିଛନ୍ତି ।

ଖୋଦ୍ ପୁରୁଷୋତ୍ତମ ଦେବ ଦାକ୍ଷିଣାତ୍ୟ ବିଜୟ ଅର୍ଥାତ କାଞ୍ଚି ବିଜୟ କାଳରେ କାଞ୍ଚି ଗଣପତିଙ୍କୁ ଆଣି ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ସ୍ଥାପନ କରିଥିଲେ । ଯଦି ହିନ୍ଦୁତ୍ୱବାଦୀ ଶକ୍ତି ପାଂଚଶହ ବର୍ଷ ତଳେ ମନ୍ଦିର ଭାଙ୍ଗି ମସଜିଦ ନିର୍ମାଣ କରାଯାଇଥିବା କାରଣ ଦର୍ଶାଇ ବାବି୍ର ମସଜିଦକୁ ଭାଙ୍ଗିଦେଲେ ତେବେ ବର୍ତ୍ତମାନ ସେହି ଶକ୍ତି ପୁରୁଷୋତ୍ତମ ଦେବ ଆଣିଥିବା ଗଣେଶ ମୂର୍ତ୍ତିକୁ କାହିଁକି ବିଜୟନଗରମ ଶାସକଙ୍କୁ ପ୍ରଦାନ କରୁନାହାନ୍ତି?

ଅନେକ ହିନ୍ଦୁ ରାଜା ସେମାନଙ୍କ ପ୍ରତିପକ୍ଷ ହିନ୍ଦୁ ରାଜାଙ୍କୁ ହତ୍ୟା, ଆକ୍ରମଣ କରିବା ସହ ସେମାନେ ପୂଜା କରୁଥିବା ଶିବ, ବିଷ୍ଣୁ, ଦୁର୍ଗା ମନ୍ଦିର ଆଦିକୁ ଧ୍ୱଂସ କରି ଲୁଣ୍ଠନ କରୁଥିଲେ । ଖ୍ରୀ ୬୪୨ରେ ପଲ୍ଲବ ଶାସକ ନରସିଂହ ବର୍ମନ-୧ ଚାଲୁକ୍ୟ ସାମ୍ରାଜ୍ୟ ଉପରେ ଆକ୍ରମଣ କରି ସେଠାରେ ପୂଜିତ ଗଣେଶଙ୍କୁ ତାମିଲନାଡୁକୁ ଆଣିଥିଲେ । ଖ୍ରୀ. ୯୫୦ରେ ଖଜୁରାହୋରେ ବିଷ୍ଣୁ ବୈକୁଣ୍ଠ ମୂର୍ତ୍ତି ସ୍ଥାପନା ଲାଗି ଚାଣ୍ଡେଲା ଶାସକ ଯଶୋବର୍ମନ ଲକ୍ଷ୍ମଣ ମନ୍ଦିର ନିର୍ମାଣ କରିଥିଲେ । ଏହା ସମ୍ପୂର୍ଣ୍ଣ ସୁନାରେ ନିର୍ମିତ ହୋଇଥିଲା । ଏହି ମୂର୍ତ୍ତିକୁ କୈଳାସ ପର୍ବତରୁ ପ୍ରାପ୍ତ ହୋଇଥିଲେ ତିବ୍ଦତ ଶାସକ । ତାଙ୍କଠାରୁ ଏହାକୁ ଛଡ଼ାଇ ଆଣିଥିଲେ ଓଡ଼ିଶାର ସାହୀ ରାଜା । ତେବେ ଯୁଦ୍ଧରେ ପରାସ୍ତ ହେବା ପରେ ସାହୀ ରାଜାଙ୍କଠାରୁ ଏହାକୁ ନେଇଯାଇଥିଲେ ହିରମ୍ବପାଳ । ହିରମ୍ବପାଳଙ୍କ ପୁଅ ଦେବପାଳଙ୍କୁ ଯୁଦ୍ଧରେ ପରାସ୍ତ କରି ତାଙ୍କଠାରୁ ଏହି ମୂର୍ତ୍ତି ଛଡ଼ାଇ ଖଜୁରାହୋକୁ ନେଇଥିଲେ ଯଶୋବର୍ମନ ।

ଦଶମ ଶତାବ୍ଦୀରେ ରାଷ୍ଟ୍ରକୂଟ ରାଜା ଇନ୍ଦ୍ର ତୃତୀୟ ପ୍ରତିହାର ରାଜାଙ୍କ ସହ ଯୁଦ୍ଧ କରିବାସହ କଳାପ୍ରିୟ ମନ୍ଦିର ଧ୍ୱଂସ କରିଥିଲେ । ସେହିପରି କାଶ୍ମୀର ଶାସକ ଲଳିତାଦିତ୍ୟ ବଙ୍ଗଳାର ଗୌଡ଼ ରାଜାଙ୍କୁ ହତ୍ୟା କରିଥିଲେ । ପ୍ରତିଶୋଧ ନେବା ଲାଗି ଗୌଡ଼ ରାଜାଙ୍କ ଅନୁଗତମାନେ ଲଳିତାଦିତ୍ୟଙ୍କ ରାଜଧାନୀରେ ଗୋପନରେ ପ୍ରବେଶ କରି ବିଷ୍ଣୁ ପରିହାସକେଶବ ମନ୍ଦିରକୁ ଯାଇଥିଲେ । ତେବେ ସେଠାରୁ ଅସଲି ମୂର୍ତ୍ତିକୁ ଲଳିତାଦିତ୍ୟ ନେଇଯାଇ ସେଠାରେ ଏକ ରୌପ୍ୟ ପ୍ରତିମୂର୍ତ୍ତି ରଖି ଦେଇଥିଲେ । ସେହି ମୂର୍ତ୍ତିକୁ ସେମାନେ ଧ୍ୱଂସ କରିଦେଇଥିଲେ ।

ଖ୍ରୀ ୧୦୮୯ରୁ ଖ୍ରୀ ୧୧୧୧ ଯାଏ ଶାସନ କରିଥିବା କାଶ୍ମୀର ଶାସକ ହର୍ଷ ତାଙ୍କ ଶାସନକାଳରେ ନିଜ ସାମ୍ରାଜ୍ୟ ଅଧୀନସ୍ଥ ଅନେକ ମନ୍ଦିର ଭାଙ୍ଗି ଦେଇଥିଲେ । କେବଳ ମନ୍ଦିର ନୁହେଁ ଅନେକ ବୌଦ୍ଧ କୀର୍ତ୍ତିକୁ ମାଟିରେ ମିଶାଇ ଦେଇଥିଲେ ।

ମନ୍ଦିର ଧ୍ୱଂସ ପଛରେ ଧାର୍ମିକ କାରଣ ବଦଳରେ ଧନସମ୍ପଦ କାରଣ ବିଶେଷଭାବେ ଦାୟୀ । ଏହି କାରଣରୁ ସୋମନାଥ ମନ୍ଦିରକୁ ବାରମ୍ବାର ଆକ୍ରମଣ କରିଥିଲେ ସୁଲତାନ ମାମୁଦ ।

ମୁସଲମାନମାନେ ମନ୍ଦିର ଭାଙ୍ଗିଥିଲେ ବୋଲି ହିନ୍ଦୁତ୍ୱବାଦୀମାନେ ଯେଉଁ ପ୍ରଚାର କରୁଛନ୍ତି ତାହା ଭ୍ରମାତ୍ମକ । ସମ୍ରାଟ ଆକବର ଅନେକ ମନ୍ଦିର ନିର୍ମାଣ କରିବା ସହ ମନ୍ଦିର ଲାଗି ସହାୟତା ପ୍ରଦାନ କରୁଥିଲେ । ମରାଠାମାନଙ୍କ ଦ୍ୱାରା ଧ୍ୱଂସ ହୋଇଥିବା ଅନେକ ମନ୍ଦିରକୁ ପୁନଃନିର୍ମିତ କରିଥିଲେ ଟିପୁ ସୁଲତାନ । ଅଷ୍ଟାଦଶ ଶତାବ୍ଦୀରେ କାଶ୍ମୀର ରାଜା ଲଳିତାଦିତ୍ୟଙ୍କ ସାମ୍ରାଜ୍ୟ ଉପରେ ଆକ୍ରମଣ କରିଥିଲେ ବଙ୍ଗଳାବାହିନୀ । ଏହି ଆକ୍ରମଣ କାଳରେ ବୈକୁଣ୍ଠ ମୂର୍ତ୍ତିକୁ ସେମାନେ ନଷ୍ଟ କରିଥିଲେ ।

ଅତୀତରେ ଏପରି ଶହ ଶହ ଘଟଣାବଳୀ ଘଟିଯାଇଛି ତାହାର କୌଣସି ହିସାବ ନାହିଁ କି ସେସବୁର ପ୍ରତିଶୋଧ ନେବା ଲାଗି ମାନସିକତା ପୋଷଣ କରିବାର ଆବଶ୍ୟକତା ନାହିଁ । ସେ ସମୟର ରାଜନୈତିକ, ସାମାଜିକ, ଅର୍ଥନୈତିକ ଅବସ୍ଥାକୁ ନେଇ ସେସବୁ ଘଟିଯାଇଥିଲା । ତାହା ଇତିହାସ । ସେସବୁକୁ ନେଇ ରାଜନୀତି କରିବା ଅନର୍ଥର ମୂଳ କାରଣ ହେବ । ବାବ୍ରି ମସଜିଦକୁ ଭାଙ୍ଗି ସେଠାରେ ମନ୍ଦିର ତିଆରି ଗଲା । ତାହା ପୁଣି ଏକ ହିନ୍ଦୁତ୍ୱବାଦୀ ଫାଶିଷ୍ଟ ଶକ୍ତିର ଚକ୍ରାନ୍ତରେ । ଭାରତୀୟମାନେ ତାହାକୁ ବିରୋଧ କରିବା ତ ଦୂରର କଥା ସେଥିରେ ନିଜକୁ ସାମିଲ କରିଦେଲେ । ଏହାଠାରୁ ବଳି ଦୁର୍ଭାଗ୍ୟର ବିଷୟ ଆଉ କ’ଣ ହୋଇପାରେ?

Comments

0 comments

Share This Article
Sudhir Pattnaik is leading the Samadrusti Media Group as an equal member of a committed team. The Group includes within its fraternity, The Samadrusti.com Digital platform, The Samadrusti print magazine, The Samadrusti TV ( for making documentaries on people's issues) Madhyantara Video News Magazine, Village Biography Writing and Samadrusti Mukta Vidyalay imparting journalism courses to poor and deserving youth, Samadrusti Publications ( as a publishing house) and Samadrusti Institute of Research. His main challenge has been sustaining the non-funded ongoing initiatives and launching much-needed new initiatives in an atmosphere where corporate media appropriates all resources making the real alternatives struggle for survival.