ଗାନ୍ଧୀ ଓ ପଟେଲ

ମିହିର ପ୍ରତାପ ଦାସ
ମିହିର ପ୍ରତାପ ଦାସ155 Views
7 Min Read

୧୯୧୬ ଗାନ୍ଧିଜୀ ଅହମ୍ମବାଦର ଗୁଜୁରାଟ କ୍ଲବକୁ ଯାଇଥିଲେ । ସେଠାକାର ସଦସ୍ୟମାନଙ୍କୁ ସ୍ୱାଧୀନତା ସଂଗ୍ରାମରେ ଭାଗ ନେବାକୁ ଅନୁରୋଧ କରିବାର ଉଦ୍ଦେଶ୍ୟ ଥିଲା । କ୍ଲବର ପ୍ରେକ୍ଷାଳୟରେ ସେ ନିର୍ଦ୍ଧାରିତ ସମୟରେ ତାଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ । ଠିକ ସେତିକିବେଳେ ନିକଟବର୍ତ୍ତୀ ପ୍ରକୋଷ୍ଠରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ତାଙ୍କର ଅତିପି୍ରୟ ବି୍ରଜ ତାସ ଖେଳୁଥିଲେ । ତାଙ୍କର ଭାଇ ବିଠଲ ଭାଇ ପଟେଲଙ୍କ ବୁଝାମଣା ହୋଇଥିଲା ଜଣେ ଘର ପରିବାର ତୁଲାଇବେ ଓ ଅନ୍ୟ ଜଣେ ସାମାଜିକ ରାଜନୈତିକ କାମରେ ମନୋନିବେଶ କରିବେ । ବଲ୍ଲଭଭାଇ ଘର କଥା ବୁଝୁଥିଲେ । ଗାନ୍ଧିଜୀ ୧୯୧୭ରେ ଚମ୍ପାରଣଠାରେ ସତ୍ୟାଗ୍ରହ ଓ ଜନ ଆନ୍ଦୋଳନ କରି ବ୍ରିଟିଶ ଶାସନକୁ ପଛଘୁଞ୍ଚା ଦେବାକୁ ବାଧ୍ୟ କରିଥିଲେ । ଲୋକଙ୍କର ପୀଡ଼ା ଲାଘବ କରିଥିଲେ । ଏହି ଘଟଣା ବଲ୍ଲଭଭାଇଙ୍କର କାନରେ ପଡ଼ିଲା । ତାଙ୍କର ହୃଦୟ ସ୍ପର୍ଶ କରିଗଲା । ସେ ବିଠଲ ଭାଇଙ୍କର ସର୍ତ୍ତ ପାଶୋରି ଦେଲେ । ଗାନ୍ଧୀ ପ୍ରବାହରେ ମାତିଗଲେ । ୧୯୨୦ ମସିହା ପ୍ରବେଶ କରିବା ପୂର୍ବରୁ ବିଦେଶୀ ଲୁଗା କୋଟ ପ୍ୟାଣ୍ଟ, ଟାଏ ପରିତ୍ୟାଗ କରି ସେ ସମ୍ପୂର୍ଣ୍ଣ ଖଦୀ ପିନ୍ଧିବାକୁ ଆରମ୍ଭ କରିଥିଲେ । ମହାତ୍ମା ଗାନ୍ଧୀଙ୍କର ବିଚାରକୁ ସର୍ବଦା ଗ୍ରହଣ କରୁଥିଲେ । ମନକୁ ନ ପାଇଲେ ତାଙ୍କ ସହିତ ସିଧା ଆଲୋଚନା କରୁଥିଲେ । ଶେଷ ସିଦ୍ଧାନ୍ତକୁ ଅକ୍ଷରେ ଅକ୍ଷରେ ପାଳନ କରୁଥିଲେ । ନିଜର ଅଭିମତକୁ ପ୍ରକାଶ କରି ନିଜର ବ୍ୟକ୍ତିତ୍ୱକୁ ପ୍ରତିଷ୍ଠା କରିବାକୁ କେବେ ଉଦ୍ୟମ କରି ନଥିଲେ । ଜବାହାରଲାଲ ନେହେରୁଙ୍କ ପରି କୌଣସି ନିଜସ୍ୱ ମତ ଆଗତୁରା ପ୍ରକାଶ କରୁ ନଥିଲେ । ଗାନ୍ଧିଜୀଙ୍କର ତାଙ୍କ ପ୍ରତି ଅଟଳ ବିଶ୍ୱାସ ଓ ସତ୍ୟ, ଅହିଂସା ଓ ଜନତା ପ୍ରତି ତାଙ୍କର ନିଷ୍ଠା ଗୁଜୁରାଟ ଭୂଖଣ୍ଡରେ ତାଙ୍କର ଅନ୍ତିମ ଜୀବନ ପର୍ଯ୍ୟନ୍ତ ସେ ଥିଲେ ମୁକୁଟବିହୀନ ସମ୍ରାଟ ଆଉ ପ୍ରତିଟି ଲୋକର ମନର ମଣିଷ । ଖେଡ଼ା ସତ୍ୟାଗ୍ରହ, ବଦେ୍ର୍ଦାଳୀ କୃଷକ ଆନ୍ଦୋଳନ ଅଥବା ଲବଣ ସତ୍ୟାଗ୍ରହ, ସବୁ କ୍ଷେତ୍ରରେ ଗାନ୍ଧିଜୀ ବଲ୍ଲଭ ଭାଇଙ୍କର କର୍ମକୁଶଳତା ଉପରେ ଭରସା ରଖିଥିଲେ । ସର୍ଦ୍ଦାର ମଧ୍ୟ ନିଜ ଦାୟିତ୍ୱରେ କସ୍ମିନକାଳେ ଅବହେଳା କରି ନଥିଲେ । ଉଭୟ ପରସ୍ପରକୁ ସର୍ବଦା ଉଚ୍ଚପ୍ରଶଂସା କରୁଥିଲେ । ସେମାନଙ୍କର ନିକଟବର୍ତ୍ତୀ ବ୍ୟକ୍ତିମାନେ ଦୁଇ ଦଶକର ଜୀବଦ୍ଦଶାରେ ମଧ୍ୟ କୃଷ୍ଣ ଅର୍ଜ୍ଜୁନ ଯୋଡ଼ି ଭାବରେ ବର୍ଣ୍ଣନା କରୁଥିଲେ । ଜଣେ ଗୁଜୁରାଟୀ କବି ଲେଖିଥିଲେ –

“ ଯତ୍ର ଯୋଗେଶ୍ୱର ଗାନ୍ଧୀ ବଲ୍ଲଭେଶ ଧୂରନ୍ଧର

ତତ୍ର ଶ୍ରୀ ବିଜୟ ଭୂମି ନିତିର୍ମ ନିତିର୍ମମ”

୧୯୩୨ ମସିହା ଜାନୁଆରୀ ମାସ ଠାରୁ ୧୯୩୩ ମଇ ମାସ ପର୍ଯ୍ୟନ୍ତ ଗାନ୍ଧିଜୀଙ୍କ ସହିତ ସର୍ଦ୍ଦାର ଏରୱାଡା ଜେଲରେ ଷୋହଳ ମାସ ଏକାଠି ବନ୍ଦୀ ଭାବରେ ରହିଥିଲେ । ୧୯୨୯ ମସିହାଠାରୁ ଧୂମପାନ କରିବା ତ୍ୟାଗ କରି ଦେଇଥିଲେ । ଶ୍ରୀନିବାସ ଶାସ୍ତ୍ରୀଙ୍କର ନିକଟକୁ ଗାନ୍ଧିଜୀ ଲେଖିଥିଲେ “ଏଠାରେ ସମୟ କିପରି ବିତିଯାଉଛି ମୁଁ ଜାଣିପାରୁନି । ସର୍ଦ୍ଦାରଙ୍କର ହସ କଥା ଶୁଣି ମୁଁ ହସି ହସି ବେଦମ ହୋଇଯାଉଛି । ଅଣନିଶ୍ୱାସୀ ହେବା ପର୍ଯ୍ୟନ୍ତ ହସକୁ ଅଟକାଇ ପାରୁ ନାହିଁ । ତାଙ୍କର ମଜାଳିଆ କଥାର ଅନ୍ତ ନାହିଁ । ମହାଦେବ ଦେଶାଇ ମଧ୍ୟ ସେମାନଙ୍କ ସହିତ ଥିଲେ । ସେ ନିତିଦିନ ଲିପିରେ ଗାନ୍ଧିଜୀଙ୍କର ଟିକିନିକି କାର୍ଯ୍ୟ ସମ୍ପର୍ପରେ ଲେଖୁଥିଲେ । ସେଗୁଡିକ ନଅଗୋଟି ପୁସ୍ତକ ଆକାରରେ ପ୍ରକାଶିତ ହୋଇଛି । ଉକ୍ତ ଷୋହଳ ମାସ ମଧ୍ୟରେ ଗାନ୍ଧିଜୀ ଓ ସର୍ଦ୍ଦାରଙ୍କ ମଧ୍ୟରେ ହୋଇଥିବା କଥୋପକଥନକୁ ବିସ୍ତୃତ ଭାବରେ ସେ ଉଲ୍ଲେଖ କରିଛନ୍ତି । ବର୍ତ୍ତମାନ ସେ ଦୁଇ ଜଣଙ୍କ ସଂପର୍କକୁ ନେଇ ଅନେକ ମିଥ୍ୟା ଅପପ୍ରଚାର ଚାଲିଛି । ଏଣୁ ସେମାନଙ୍କର ଆତ୍ମୀୟତା ବା ଓସ୍ତାତ ସାଗିର୍ଦ୍ଦ ସମୀକରଣକୁ ସ୍ପଷ୍ଟ କରିବା ପାଇଁ ମହାଦେବ ଦେଶାଇଙ୍କର ନିତିଦିନ ଲିପିର ଅଳ୍ପ ଅଂଶ ବର୍ଣ୍ଣନା କରିବା ଆବଶ୍ୟକ ମନେ ହୁଏ । ଦୁଇଜଣ ହାସ୍ୟ ରସିକତାରେ କେହି କାହାର ଊଣା ନଥିଲେ । ଗାନ୍ଧିଜୀ ମଧୁର ହାସ୍ୟ ରସ କରୁଥିଲେ । କିନ୍ତୁ ପଟେଲ ବିସ୍ଫୋରକ ହସ ଶୃଷ୍ଟି କରିବାରେ ଧୂରଣୀ ଥିଲେ । ମହାଦେବ ଦେଶାଇ ଲେଖିଛନ୍ତି । ୧୯୩୨ ମସିହା ମଇ ମାସ ଏକ ତାରିଖରେ ଲର୍ଡ ସଙ୍କେ ଙ୍କର ଗୋଟିଏ ପ୍ରବନ୍ଧ ପତ୍ରିକା ନିଉଜଲେଟରରେ ପ୍ରକାଶିତ ହୋଇ ଥିଲା । ଉକ୍ତ ଆଲେଖ୍ୟର କଳେବର ବଡ଼ ଥିଲା । ଗାନ୍ଧିଜୀଙ୍କର ବିରୁଦ୍ଧରେ କଟୁ ସମାଲୋଚନା ସେଥିରେ କରାଯାଇଥିଲା । ତାକୁ ପଢ଼ିସାରିବା ପରେ ଗାନ୍ଧିଜୀଙ୍କର ମନ୍ତବ୍ୟ ଥିଲା “ବାସ୍ତବରେ ଏହି ପ୍ରବନ୍ଧଟି ବଦମାସିର ପ୍ରତୀକ, ମୁଁ ମୋର ମତାମତ ଲେଖା ମାଧ୍ୟମରେ ତାଙ୍କୁ ଜଣାଇଦେବି” । ଗାନ୍ଧୀ ଡାକିଲେ ମହାଦେବ ଦେଶାଇ ଲେଖିଲେ । ସର୍ଦ୍ଦାର ବସି ସବୁ ଶୁଣୁଥିଲେ । ଚିଠି ଲେଖା ସରିବାପରେ ସର୍ଦ୍ଦାର କହିଲେ “ଆପଣ ଏତେ ବୁଝେଇ ସୁଝେଇ କାହିଁକି ଲମ୍ବା ଚିଠି ଅଯଥାରେ ଲେଖୁଛନ୍ତି । ତାକୁ ସିଧା ଲେଖନ୍ତୁ ଯେ ସେ ଗୋଟିଏ ଜନ୍ମଗତ ମିଛୁଆ କାମ ସରିଯିବ” ।

ଗାନ୍ଧିଜୀ ଖୁବ ଜୋରରେ ହସି ଉଠିଥିଲେ ଆଉ କହିଲେ “ବାସ୍ତବରେ ମୁଁ ଏହାଠାରୁ ଅଧିକ କଟୁ ଭାଷା ବ୍ୟବହାର କରିଛି । ସେ ଜଣେ ଭଦ୍ରଲୋକ ପରି ଆଚରଣ କରିବା ଶିକ୍ଷା କରିନାହାନ୍ତି ବୋଲି ମୁଁ ଲେଖିଛି । ଜଣେ ଇଂରେଜ ପାଇଁ ଏପରି ଶୁଣିବା ବେଦନାଦାୟକ ଅଟେ । ଆଉ ଗୋଟିଏ ଦିନ ୧୯୩୨ ମସିହା ମଇ ନଅ ତାରିଖରେ ବାପୁଜୀ ଅତ୍ୟନ୍ତ ଆନନ୍ଦିତ ଥିଲେ ସେ ଜାଣିଲେ ତାଙ୍କର ଡାହାଣହାତରେ ସେ ମଗନ ଚରଖା ଚଲାଇ ପାରିବେ । ସେ ଦିନ ସେ ଚରଖା କୌଣସି ମତେ ଚାଲିଲା ନାହିଁ । ପ୍ରତ୍ୟୁଷରୁ ଗାନ୍ଧିଜୀ ପଟେଲଙ୍କୁ କହିଲେ ଯଦି ସେ ଚରଖାକୁ ଅଭିଶାପ ଦେଇଥିବେ , ତେବେ ତାହା ସୂତା କାଟିବାକୁ ଅକ୍ଷମ ହୋଇଯିବ । ସେ ଦିନ ଦଶଟା ଯାଏ ଗାନ୍ଧିଜୀ ସବୁପ୍ରକାର ଉଦ୍ୟମ କରି ମଧ୍ୟ ଚରଖା କାମ କରିନଥିଲା । କେବଳ ସମୟ ଓ ପଇସା ବରବାଦ ହେଲା । ଅପରାହ୍ଣରେ ମଧ୍ୟ ପୂର୍ବାହ୍ଣର ପୁନରାବୃତ୍ତି ହେଲା । ମହାଦେବ ଦେଶାଇଙ୍କର ଚେଷ୍ଟା ମଧ୍ୟ ବିଫଳ ହୋଇଥିଲେ । ମଧ୍ୟାହ୍ନଭୋଜନ ପରେ ବିଶ୍ରାମ ସାରି ପଟେଲ ଗାନ୍ଧିଜୀଙ୍କର ପାଖକୁ ଆସିଲେ ପରିସ୍ଥିତି ଦେଖି ହସ ସମ୍ବରଣ କରିପାରି ନଥିଲେ । ଚରଖା ପାଇଁ ଅଧିକ ସମୟ ବରବାଦ ନ କରିବାକୁ ଗାନ୍ଧିଜୀଙ୍କୁ କହିଥିଲେ । ଗାନ୍ଧିଜୀ ତତ୍କ୍ଷଣାତ ବାଳକ ସୁଲଭ ଉତ୍ତର ଦେଇଥିଲେ । ଲକ୍ଷ୍ୟ ହାସଲ ନକରି ମୁଁ ଅଧବାଟରେ ଯାତ୍ରା ବନ୍ଦ କରିବି ନାହିଁ । ନିରବରେ ବସିପାରିବି ନାହିଁ । ତଳେ ଅଧା କାଣ୍ଡିଆ ତୁଳା ଛିଣ୍ଡା ପଡିଥିଲା । ସେଗୁଡିକ ଲକ୍ଷ୍ୟ କରି ସର୍ଦ୍ଦାର କହିଲେ ଆପଣ ବହୁତ ସୂତା କାଟି ସାରିଲେଣି । ଏହିପରି କଥୋପକଥନ ଚାଲିଥିଲା । ରାତ୍ରବେଳା ଉପନୀତ ହେଲା । ପଟେଲ ଶୋଇବାକୁ ଯିବାକୁ ଉଠି ଠିଆହେଲେ । ଗାନ୍ଧିଜୀ ଉପରେ ପଡ଼ି କହିଲେ କାଲି ଏ ଚରଖା ନିଶ୍ଚେ କାମ କରିବ । ମୋର ବିଶ୍ୱାସ ଅଛି । ବିଶ୍ୱାସ ଥିଲେ ପର୍ବତ ମଧ୍ୟ ଘୁଞ୍ଚିଯିବ । ଏହା ଆପଣ ମନେ କରନ୍ତୁ ।

ପଟେଲ ମୁରୁକି ହସି କହିଥିଲେ “ସେ କଥା ଛାଡ଼ନ୍ତୁ ଚରଖା ଆପଣଙ୍କର ବିଶ୍ୱାସକୁ ବୁଝିପାରୁ ଗାନ୍ଧୀ ପୁଣି କହିଲେ “ଚରଖା ନକ୍ସେ କାମ କରିବ” । ଦୁଇଜଣଯାକ ହସି ଉଠିଲେ । ୧୯୩୩ ଏପ୍ରିଲ ୮ତାରିଖରେ ଗାନ୍ଧିଜୀ ଜଣେ ସାମ୍ବାଦିକ ସାକ୍ଷାତକାରରେ ସର୍ଦ୍ଦାର ପଟେଲଙ୍କ ସମ୍ପର୍କରେ ପ୍ରକାଶ କରିଥିଲେ “ସରଦାରଙ୍କ ସହିତ ଏକତ୍ର କାରାବାସରେ ବିତେଇବାର ସୁଯୋଗ ମିଳିବା ମୋର ଜୀବନର ଏକ ଆନନ୍ଦମୟ ଓ ଗୁରୁତ୍ୱପୂର୍ଣ୍ଣ ଘଟଣା ଅଟେ । ଗତ ୧୬ ମାସ ହେବ ମୁଁ ତାଙ୍କର ସାନିଧ୍ୟ ପାଇବାର ଯେତିକି ଅବକାଶ ପାଇଛି । ତାହା ପୂର୍ବରୁ କେବେ ଘଟିନଥିଲା । ତାଙ୍କର ଆଦର ଶ୍ରଦ୍ଧା ଓ ନିର୍ମଳ ହୃଦୟ ମୋର ଜନ୍ମଦାତ୍ରୀଙ୍କର ବିଷୟରେ ମୋତେ ସ୍ମରଣ କରାଇ ଦେଇଥାଏ । ମୁଁ କଳ୍ପନା କରି ପାରିନଥିଲି ତାଙ୍କଠାରେ ଗଭୀର ଭାବରେ ସତ ମଣିଷପଣିଆ ଭରପୁର ରହିଛି । ମୁଁ ଯେତେବେଳେ କୌଣସି ଅଭାବ ଅନୁଭବ କରେ ସେ ମୋର ମନର କଥା ସ୍ୱୟଂ ଅନୁଭବ କରିନିଅନ୍ତି । ମୋର ସମସ୍ୟାକୁ ସମାଧାନ କରି ଦିଅନ୍ତି । ମୁଁ ଆଶା ରଖିଛି ସରକାର ଦେଶର ସମସ୍ୟା ଦୂର କରିବାକୁ ମୋର ପ୍ରସ୍ତାବ ଉପରେ ଭରସା ରଖିବେ । ସର୍ଦ୍ଦାର ମଧ୍ୟ ସରକାରଙ୍କର ଅକ୍ଷମତା ଓ ଅସୁବିଧା ସମ୍ପର୍କରେ ଉତ୍ତମ ରୂପେ ଅବଗତ । ତାଙ୍କର ଖେଡା ସତ୍ୟାଗ୍ରହ, ବଦେ୍ର୍ଦାଳୀ କୃଷକ ଆନ୍ଦୋଳନର ସଫଳତା ଚିରସ୍ମରଣୀୟ ହୋଇ ରହିବ । ଗାନ୍ଧିଜୀଙ୍କର ନିକଟରେ ପ୍ରତିଶୃତିବଦ୍ଧ ହୋଇ ସେ ନେହେରୁଙ୍କର ଉପମୁଖ୍ୟ ଭାବରେ କାର୍ଯ୍ୟ କରିଥିଲେ । ଗାନ୍ଧିଜୀଙ୍କର ହତ୍ୟା ପରେ ୧୯୫୦ ମଧ୍ୟରେ ଅନେକଥର କଂଗ୍ରେସରେ ବିଭାଜନର ବିପଦ ସୃଷ୍ଟି ହୋଇଥିଲା । ତାଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ଦୃଢ଼ସ୍ୱର ଉଠିଥିଲା । ସେ ସବୁ ଏଡାଇ ଦେଇ ୧୯୪୮ସେପ୍ଟେମ୍ବର ମାସ ମଧ୍ୟରେ ଭାରତରେ ସମଗ୍ର ଦେଶୀୟ ରାଜ୍ୟ ମିଶ୍ରଣ କରାଇ ପାରିଥିଲେ । ତାଙ୍କର ସତ୍ୟ, ନିଷ୍ଠା, ଅହିଂସାରେ ବିଶ୍ୱାସ, ଦେଶପ୍ରେମ ଓ ଗାନ୍ଧିଜୀଙ୍କ ପ୍ରତି ଭକ୍ତି ଥିଲା ଅପରିସୀମ । ପ୍ରଧାନମନ୍ତ୍ରୀ ପଦ , ରାଷ୍ଟ୍ରପତି ପଦ ତାଙ୍କ ପାଇଁ ଗୌଣ ଥିଲା । ସେ ଇଛା କରିଥିଲେ ରାଜେନ୍ଦ୍ର ପ୍ରସାଦଙ୍କର ସ୍ଥାନରେ ରାଷ୍ଟ୍ରପତି ହୋଇପାରିଥାନ୍ତେ । କିନ୍ତୁ ସମୟର ଆବଶ୍ୟକତାକୁ ବୁଝିପାରି ସେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଭାର କାନ୍ଧକୁ ନେଇ ଥିଲେ ।

Comments

0 comments

Share This Article