ଆଉ କେତେ ବିଷ ପିଇଲେ ଚେତିବା!

ନଟବର ବାବୁ ଆହୁରି ଅନେକ କଥା କହି ଆମକୁ ଚେତିବା ପାଇଁ ପରାମର୍ଶ ଦେଇଥିଲେ । ଏବେ ଭାରତ ସରକାରଙ୍କ ନିଜର ଗବେଷଣା ସଂସ୍ଥା (ICAR) ତରଫରୁ ବୈଜ୍ଞାନିକମାନେ ନଟବର ବାବୁଙ୍କର କଥାକୁ ସମର୍ଥନ ଜଣାଇ ଏକ ଗବେଷଣାଲବ୍ଧ ତଥ୍ୟ ଉପସ୍ଥାପନ କରିଛନ୍ତି ।

14 Min Read

ଏହି ଶିରୋନାମାରେ ବିଶିଷ୍ଠ ଜୈବଚାଷୀ ଶ୍ରୀ ନଟବର ଷଡ଼ଙ୍ଗୀଙ୍କର ଏକ ପ୍ରବନ୍ଧ ସଂକଳନ ୨୦୧୬ ମସିହାରେ ‘ସମଦୃଷ୍ଟି’ ଦ୍ୱାରା ପ୍ରକାଶିତ ହୋଇଥିଲା । ସେଥିରେ ଅନେକ ଉପାଦେୟ ତଥ୍ୟକୁ ଭିତ୍ତିକରି ଚିନ୍ତା ଉଦ୍ରେକକାରୀ ପ୍ରବନ୍ଧମାନ ସ୍ଥାନିତ ହୋଇଥିଲା । ଆମ ବାପା, ମାଆମାନେ ନିଜ ପିଲାମାନଙ୍କର ଜୀବନ ଓ ଭବିଷ୍ୟତ ସମ୍ପର୍କରେ କମ୍ ଚିନ୍ତା କରୁଥିବା ଦୃଷ୍ଟିରୁ ଏବଂ ସମସ୍ତଙ୍କ ପାଖରେ ପହଞ୍ଚିବାର ସୀମିତତା ଆମର ଥିବା ହେତୁ କେତେଜଣ ସେହି ବହିଟିକୁ ପଢ଼ିଛନ୍ତି, ଆମେ ଜାଣିନାହୁଁ । ତେବେ ଭଲ ପଇସା ଯୋଗାଡ଼ କରିପାରୁଥିବା ଗୋଟିଏ ବୃତ୍ତି ବ୍ୟତୀତ ବାପା-ମାଆ ମାନେ ସାଧାରଣତଃ ଅଧିକ ଆଗକୁ ଚିନ୍ତା କରିପାରନ୍ତି ନାହିଁ । ସେଥିପାଇଁ ନଟବର ବାବୁଙ୍କ ‘ଚେତିବା’ କଥାଟି ଅନେକଙ୍କ ଚେତନା ଭିତରକୁ ପ୍ରବେଶ କରିପାରୁନାହିଁ । ଆମ ଚେତନା ଭିତରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଏବଂ ପୁରୀରେ ଜଗନ୍ନାଥ ପରିକ୍ରମା ପ୍ରକଳ୍ପ ଇତ୍ୟାଦି ଅଧିକ ସ୍ଥାନ ନେଉଥିବା ଯୋଗୁଁ ପିଲାଙ୍କ ଭବିଷ୍ୟତ ଉପଯୋଗୀ ଅସଲ କଥାଗୁଡ଼ିକ ସମ୍ପର୍କରେ ଧ୍ୟାନ ଦେବାପାଇଁ ଆମର ସମୟ ନାହିଁ କି ଶୋଚନା ବି ନାହିଁ । ନଟବର ବାବୁଙ୍କ ବହିଟି ପ୍ରକାଶିତ ହେବାର ଆଠବର୍ଷ ପରେ ଅର୍ଥାତ୍ ୨୦୨୪ ମସିହା ଜାନୁଆରୀ ମାସରେ ଏକ ପ୍ରକାର ଅଘୋଷିତ ସମର୍ଥନ ମିଳିଛି । ଏହି ସମର୍ଥନଟି ଆସିଛି ଭାରତ ସରକାରଙ୍କର ପ୍ରମୁଖ କୃଷି ଗବେଷଣା ସଂସ୍ଥା (ICAR) ତଥା ଭାରତୀୟ କୃଷି ଗବେଷଣା ପରିଷଦର ଏକ ଅନୁସନ୍ଧାନ ରିପୋର୍ଟରୁ । ଏହି ରିପୋର୍ଟରେ ଏବେ କୁହାଯାଇଛିଯେ ସଂଖ୍ୟାଧିକ ଭାରତୀୟ ମାନେ ଯେଉଁ ଭାତ ଓ ରୁଟି ଖାଉଛନ୍ତି, ସେଥିରେ ପୁଷ୍ଟି କମ୍ ଅଛି ଏବଂ ବିଷ ଅଧିକ ରହିଛି । ଗତ ୨୩ ଜାନୁଆରୀ ୨୦୨୪ଦିନ ଜଣାଶୁଣା ପତ୍ରିକା ଡାଉନ୍ ଟୁ ଆର୍ଥ (Down To Earth) ତରଫରୁ ଆୟୋଜିତ ଏକ ୱେବିନାର (ଆଭାସୀ) ଆଲୋଚନା ଚକ୍ରରେ ଯୋଗଦେଇ ଭାରତୀୟ କୃଷି ଗବେଷଣା ପରିଷଦ ଏବଂ ବିଧାନଚନ୍ଦ୍ର କୃଷି ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ମତ ଦେଇ କହିଥିଲେଯେ ଆମ ଧାନ ଓ ଗହମର ପୁଷ୍ଟିଗତ ମୂଲ୍ୟରେ ଏକ ‘ଐତିହାସିକ ବଦଳ’ ଆସିଛି । ଆମ ଖାଦ୍ୟରେ ପୁଷ୍ଟି କମ୍ ଏବଂ ବିଷ ବେଶୀ ରହିଛି ବୋଲି ସେମାନେ ନିଜ ଗବେଷଣାରୁ ପାଇଥିବା ତଥ୍ୟକୁ ଆଧାର କରି କହିଥିଲେ । ସେମାନେ ଏହି ତଥ୍ୟ ଉପସ୍ଥାପନ କଲାବେଳେ ‘ସମଦୃଷ୍ଟି’ର ସମ୍ପାଦକ ନିଜେ ଉପସ୍ଥିତ ଥିଲେ ।

ଏହି ତଥ୍ୟର ସମୀକ୍ଷା ଭିତରକୁ ଯିବା ପୂର୍ବରୁ ଚାଲନ୍ତୁ ଦେଖିନେବା ଆମ ଓଡ଼ିଶାର ବିଶିଷ୍ଠ ଜୈବଚାଷୀ ଶ୍ରୀ ନଟବର ଷଡ଼ଙ୍ଗୀ ବହୁ ପୂର୍ବରୁ ନିଜ ପ୍ରବନ୍ଧ ‘ଆଉ କେତେ ବିଷ ପିଇଲେ ଚେତିବା!’ରେ ଆମକୁ କେଉଁ ସବୁକଥା ମନେ ପକାଇ ଦେଇଥିଲେ । ପ୍ରବନ୍ଧଟିର କିଛି ଅଂଶ ଏଠି ଉଦ୍ଧାର କରାଯାଇ ଉପସ୍ଥାପନ କରାଯାଇଛି ।

ନଟବର ବାବୁଙ୍କ ଭାଷାରେ “ଜାଣତରେ ବା ଅଜାଣତରେ ଆମେ ପ୍ରତିଦିନ ବିଷ ପିଉଛେ । ଘରେ ମଶା, ମାଛି, ଅସରପା, ଊଇ, ପିମ୍ପୁଡ଼ି ବା ମୂଷାମାନଙ୍କୁ ନିପାତ କରିବା ପାଇଁ ଆମେ ରାସାୟନିକ କୀଟନାଶକ ବ୍ୟବହାର କରୁଛେ । କୃଷିକୁ ରୋଗ ଓ ପୋକ ଦାଉରୁ ରକ୍ଷାକରିବା ପାଇଁ କୀଟନାଶକ ବ୍ୟବହାର କରାଯାଉଛି । ରାସାୟନିକ କୀଟନାଶକ ଗୁଡ଼ିକ ବିଷ, ଉତ୍କଟ ବିଷ ହଳାହଳ ଜହର । କୀଟନାଶକ ଡବା, ବୋତଲ ବା ପ୍ୟାକେଟ ଉପରେ ଲେଖାଥାଏ ‘ଏହା ବିଷ, ସାବଧାନରେ ବ୍ୟବହାର କରିବ’ । ବିଷର ମାତ୍ରା ବା ମାନ ଜଣାଇବା ପାଇଁ ପ୍ୟାକେଟ ଉପରେ ନାଲି, ନେଳି, ହଳଦିଆ ସାଙ୍କେତିକ ଚିହ୍ନ ଦିଆଯାଇଥାଏ । ପ୍ୟାକେଟ ଭିତରେ ଖଣ୍ଡିଏ କାଗଜରେ ଏହାର ବ୍ୟବହାର ବିଧି ଏବଂ ବିଷଦ୍ୱାରା ଆକ୍ରାନ୍ତ ହେଲେ ଚିକିତ୍ସା କଥାର ସୂଚନା ଥାଏ । ଏହି ଲେଖା ଇଂରାଜୀରେ ହୋଇଥାଏ । ଅକ୍ଷରଗୁଡ଼ିକ ମାଛମଞ୍ଜି ଭଳି ଛୋଟ । ୧୦-୧୨ ବର୍ଷରୁ ଅଧିକ ବୟସର ବ୍ୟକ୍ତି ଏହାକୁ ପଢ଼ିପାରିବେ ନାହିଁ । ଧର୍ମକୁ ଅଖି ଠାରିବା ଭଳି କମ୍ପାନୀମାନେ ନିଜ ଉପରୁ ଦୋଷ ଛଡ଼ାଇବା ପାଇଁ ଏତକ କରିଥାନ୍ତି ।

ଭାରତୀୟ କୃଷି ଅନୁସନ୍ଧାନ ପରିଷଦ (Indian Council Of Agricultural Research)ର ତଥ୍ୟାନୁଯାୟୀ ଘରେ ବା କୃଷି କ୍ଷେତ୍ରରେ ପ୍ରୟୋଗ ରାସାୟନିକ କୀଟନାଶକରୁ ମାତ୍ର ଏକ ପ୍ରତିଶତ ଅନିଷ୍ଟକାରୀ କୀଟପତଙ୍ଗ ଗ୍ରହଣ କରିଥାନ୍ତି । ଅବଶିଷ୍ଟ ୯୯ ପ୍ରତିଶତ ଫସଲ ବା ମଣିଷର ଉପକାରୀ କୀଟପତଙ୍ଗକୁ ମାରିବାରେ ଲାଗିଥାଏ । ପୃଥିବୀରେ ୫-୧୦ ନିୟୁତ ପ୍ରଜାତିର କୀଟପତଙ୍ଗ ଅଛନ୍ତି, ସେମାନଙ୍କ ମଧ୍ୟରୁ ମାତ୍ର ୦.୦୩ ପ୍ରତିଶତ ଅନିଷ୍ଟକାରୀ । ୧୯୬୫ ଠାରୁ ‘ସବୁଜ ବିପ୍ଳବ’ର ଯୁଗ ଆରମ୍ଭ ହେଲା । ଏହା ପୂର୍ବରୁ ଆମ ଦେଶରେ ରାସାୟନିକ କୀଟନାଶକ କୃଷିକ୍ଷେତ୍ରରେ ପ୍ରାୟ ବ୍ୟବହାର ହୋଇନଥିଲା । ସେତେବେଳେ ବାର୍ଷିକ ଫସଲ ନଷ୍ଟର ପରିମାଣ ୫-୧୦ ପ୍ରତିଶତ ଥିଲା । ୧୯୬୫ ଠାରୁ ଆଜି ପର୍ଯ୍ୟନ୍ତ ଫସଲକୁ ରୋଗପୋକ ଦାଉରୁ ରକ୍ଷା କରିବାକୁ ହେକ୍ଟର ପିଛା ୫୫୦ଗ୍ରାମ/ମି.ଲି ବିଷ ପ୍ରୟୋଗ କରାଯାଉଛି । କିନ୍ତୁ ବାର୍ଷିକ ରୋଗପୋକ ଯୋଗୁଁ ଫସଲ ନଷ୍ଟ ଉତ୍ପାଦନର ୩୫ ପ୍ରତିଶତକୁ ବୃଦ୍ଧି ପାଇଲାଣି ।

୧୯୩୨ରେ ଆମଦେଶରେ କୀଟନାଶକ ବ୍ୟବହାର ୨୦୦ଟନ୍ ଥିଲା । ସେତେବେଳେ ସିନ୍ଥେଟିକ ରାସାୟନିକ ବିଷର ଜନ୍ମ ହୋଇଛି । ଗନ୍ଧକ, ଚୂନ, ଆର୍ସେନିକ ଓ ପାରଦ ଭଳି କେତେକ ପ୍ରକୃତିଲବ୍ଧ ଜୈବ ବା ଅଜୈବ ପଦାର୍ଥର ଲବଣ କୃଷିକ୍ଷେତ୍ରରେ ପ୍ରୟୋଗ କରାଯାଉଥିଲା । ୧୯୭୫ବେଳକୁ ରାସାୟନିକ କୀଟନାଶକର ବ୍ୟବହାର ୨୫,୦୦୦ ଟନ୍ରେ ପହଞ୍ଚିଗଲା । ୨୦୦୦ ମସିହାକୁ ଏହି ପରିମାଣ ଦୁଇଲକ୍ଷ ଟନ୍ରେ ପହଞ୍ଚିଛି ।

ରାଜ୍ୟ ବା କେନ୍ଦ୍ର ସରକାରଙ୍କ କୃଷି ବିଭାଗ, କୃଷି ବିଶ୍ୱବିଦ୍ୟାଳୟ ଓ କୃଷି ବିଜ୍ଞାନୀମାନେ ମନସାଣ୍ଟୋ ଭଳି ବହୁରାଷ୍ଟ୍ରୀୟ କମ୍ପାନୀମାନଙ୍କର ବିଷ ସପକ୍ଷରେ ଇଲେକ୍ଟ୍ରୋନିକ ଗଣମାଧ୍ୟମ ଖବରକାଗଜ ଏବଂ କୃଷକ ତାଲିମଶିବିର ମାନଙ୍କରେ ଅଖଣ୍ଡ ନାମଯଜ୍ଞ ଭଳି ପ୍ରଚାର କରିଚାଲିଛନ୍ତି । ହେଲେ ଆମ ଦେଶରେ ବାର୍ଷିକ ରୋଗପୋକ ଜନିତ ଖାଦ୍ୟଶସ୍ୟ ନଷ୍ଟ ୧୫,୦୦୦ କୋଟି ଟଙ୍କା ଆକଳନ କରାଯାଇଛି । ଜଣେ ବ୍ୟକ୍ତି ପାଇଁ ବର୍ଷକୁ ହାରାହାରି ୧୫୦ କି.ଗ୍ରା ଖାଦ୍ୟ ଆବଶ୍ୟକ ହେଲେ ୧୦ କୋଟି ଲୋକଙ୍କର ଖାଦ୍ୟ କ୍ଷେତରେ ନଷ୍ଟ ହେଉଛି । ୨୦୦୪-୦୫ ନ୍ୟାସନାଲ ସାମ୍ପୁଲ ସର୍ଭେ ରିପୋର୍ଟ ଅନୁସାରେ ସେ ବର୍ଷ ଭାରତରେ ୧୫କୋଟି ଲୋକ ଅନାହାର ବା ଅର୍ଦ୍ଧାହାରଜନିତ ପୁଷ୍ଟିହୀନତାର ଶିକାର ହୋଇଛନ୍ତି । ରାସାୟନିକ ସାର ଓ କୀଟନାଶକ, କମ୍ପାନୀ ବିହନର ଏହା ହେଲା ପାରିବାପଣ ଓ କୃଷିବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର କରିସ୍ମା । (Organic Farming- Theory & Practice By Dr.S.P Palaniappa – Dr.K Annadurai)

କେବଳ ଆମେରିକାରେ ୧,୦୦,୦୦୦ କିସମର କୀଟନାଶକ ରାସାୟନିକ ପଦାର୍ଥ ପ୍ରସ୍ତୁତ ହୁଏ ଏବଂ ତୃତୀୟ ବିଶ୍ୱକୁ ଏହାର ମୋଟା ଅଂଶ ରପ୍ତାନୀ ହୁଏ । ଆମ ଦେଶରେ ପ୍ରାୟ ୨୦୦୦ କିସମର ଏପରି ବିଷ ପ୍ରସ୍ତୁତ ହୋଇ ଘରେ ଓ କ୍ଷେତରେ ବ୍ୟବହାର ହୋଇଥାଏ । ଏତେ ପରିମାଣର ବିଷ ଆମେ ପ୍ରୟୋଗ କରୁଥିଲେ ମଧ୍ୟ ଅନିଷ୍ଟକାରୀ କୀଟପତଙ୍ଗ ସଂଖ୍ୟା ଅହେତୁକ ଭାବେ ବଢ଼ିଚାଲିଛି । ୧୯୨୦ ବେଳକୁ ଧାନର ୪୦ଟି ଅନିଷ୍ଟକାରୀ କୀଟପତଙ୍ଗ ଥିଲେ । ୧୯୯୨ ବେଳକୁ ଏହି ସଂଖ୍ୟା ବଢ଼ି ୨୦୦ରେ ପହଞ୍ଚିଛି । ଏହି ସମୟ ବ୍ୟବଧାନରେ ଡାଲିଜାତୀୟ ଫସଲରେ ୧୦ରୁ ବଢ଼ି ୨୪୦, ଆଖୁରେ ୨୦ରୁ ୨୨୦, କପାରେ ୩୦ରୁ ୧୫୦ ଏବଂ ଗହମରେ ୧୦ରୁ ୧୨୦କୁ ବୃଦ୍ଧି ପାଇଛି । (ICAR Report- NIEH- 21.01.2005)”

ନଟବର ବାବୁ ଆହୁରି ଅନେକ କଥା କହି ଆମକୁ ଚେତିବା ପାଇଁ ପରାମର୍ଶ ଦେଇଥିଲେ । ଏବେ ଭାରତ ସରକାରଙ୍କ ନିଜର ଗବେଷଣା ସଂସ୍ଥା (ICAR) ତରଫରୁ ବୈଜ୍ଞାନିକମାନେ ନଟବର ବାବୁଙ୍କର କଥାକୁ ସମର୍ଥନ ଜଣାଇ ଏକ ଗବେଷଣାଲବ୍ଧ ତଥ୍ୟ ଉପସ୍ଥାପନ କରିଛନ୍ତି । ସେଥିରେ ଯାହା କୁହାଯାଇଛି ତାକୁ ଚୁମ୍ବକରେ ଡାଉନ୍ ଟୁ ଆର୍ଥ ମାଗାଜିନ୍କୁ ଉଦ୍ଧାର କରି ଏଠି ଉପସ୍ଥାପନା କରାଯାଇପାରେ । ସେମାନେ କହିଛନ୍ତିଯେ, “ଗତ ୫୦ ବର୍ଷ ଭିତରେ ଭାରତ ଅନେକ ଅଧିକ ଅମଳକ୍ଷମ ଧାନ ଓ ଗହମ ପ୍ରଜାତିଗୁଡ଼ିକ ଅତି ଦୃତଗତିରେ କାମରେ ଲଗାଇ ଚାଲିଛି, ଖାଦ୍ୟ ନିରାପତ୍ତା ହାସଲ କରିବା ପାଇଁ । ଏହି ଖାଦ୍ୟଶସ୍ୟ ଗୁଡ଼ିକର ଖାଦ୍ୟମୂଲ୍ୟ କ’ଣ ରହିଛି ଜାଣିବା ପାଇଁ (ICAR) ନେତୃତ୍ୱରେ ଯେଉଁ ଅଧ୍ୟୟନ ଚାଲିଥିଲା, ସେଥିରୁ ଜଣାପଡ଼ିଛି ଯେ ବିହନ ଉତ୍ପାଦନ କାମଗୁଡ଼ିକରେ ଯେତେବେଳେ ଅଧିକ ଅମଳକ୍ଷମ ପ୍ରଜାତିର ଧାନ ଓ ଗହମ ବିହନ ପ୍ରବର୍ତ୍ତନ ପାଇଁ ପ୍ରଚେଷ୍ଟା କରାଯାଇଛି ସେତେବେଳେ ବିହନ ଗୁଡ଼ିକର ପୁଷ୍ଟି ଜନିତ ମୂଲ୍ୟ ପରିବର୍ତ୍ତନ ହୋଇଯାଇଛି ଅର୍ଥାତ୍ ସେହି ଖାଦ୍ୟଶସ୍ୟ ଗୁଡ଼ିକରେ ପୁଷ୍ଟିର ପରିମାଣ ହ୍ରାସ ପାଇଚାଲିଛି । ଗତ ୫୦ବର୍ଷ ଭିତରେ ପୁଷ୍ଟି ଯୁକ୍ତ ଜିଙ୍କ୍ର ପରିମାଣ ଚାଉଳ କ୍ଷେତ୍ରରେ ୩୭ପ୍ରତିଶତ ହ୍ରାସ ପାଇଥିବା ବେଳେ ଗହମ କ୍ଷେତ୍ରରେ ୩୦ପ୍ରତିଶତ ହ୍ରାସ ପାଇଛି । ସେହିଭଳି ସେହି ସମୟକାଳ ଭିତରେ ଆଇରନ୍ର ମୂଲ୍ୟ ଚାଉଳ କ୍ଷେତ୍ରରେ ୨୭ପ୍ରତିଶତ ହ୍ରାସ ପାଇଥିବା ବେଳେ ଗହମ କ୍ଷେତ୍ରରେ ୧୯ ପ୍ରତିଶତ ହ୍ରାସ ପାଇଛି ।

ଏହି ରିପୋର୍ଟର ସମୀକ୍ଷାରୁ ଜଣାପଡ଼େଯେ ଭାରତରେ ‘ସବୁଜ ବିପ୍ଳବ’ ଆରମ୍ଭ ହେବାପରେ ‘ଖାଦ୍ୟ ନିରାପତ୍ତା’ ହାସଲ କରିବା କୃଷି ବୈଜ୍ଞାନିକମାନଙ୍କର ପ୍ରମୁଖ କାମ ଥିଲା । ୮୦ଦଶକରେ ଏମାନେ ନିଜର ଧ୍ୟାନଟିକୁ ଏଭଳି ଧାନ ଓ ଗହମ ପ୍ରଜାତିର ବିକାଶରେ କେନ୍ଦ୍ରିତ କରିଥିଲେ, ଯେମିତିକି ନୂଆବିହନ ଗୁଡ଼ିକ ରୋଗ ଏବଂ ପୋକକୁ ପ୍ରତିରୋଧ କରିପାରୁଥିବ ଏବଂ ତାହା ସହିତ ବିଭିନ୍ନ ପରିସ୍ଥିତି ଯଥା ଫସଲରେ ଲୁଣିପାଣି ମାଡ଼ିଯିବା, ଆର୍ଦ୍ରତା ଅଧିକ ରହିବା ଏବଂ ମରୁଡ଼ି ଭଳି ପରିସ୍ଥିତିକୁ ସାମ୍ନାକରିବା କାମଟି ସହଜରେ କରିପାରୁଥିବ । ଏହି ବୈଜ୍ଞାନିକ ମାନଙ୍କ ମତରେ ଯେତେବେଳେ ଆମ କୃଷି ବିଜ୍ଞାନୀମାନେ ଏଭଳି ପ୍ରଜାତି ଗୁଡ଼ିକର ବିକାଶ ପାଇଁ ଲାଗିପଡ଼ିଥିଲେ, ସେମାନେ ଚିନ୍ତା କରିପାରିନଥିଲେ ଯେ ନୂଆ ବିହନଗୁଡ଼ିକ ମାଟିରୁ ଅଣୁସାର ଗ୍ରହଣ କରିପାରିବ କି ନାହିଁ । ସେଇଥିପାଇଁ କିଛି ବର୍ଷପରେ ଆମେ ଦେଖିଲୁଯେ ଧାନ ବା ଗହମ ଗଛଗୁଡ଼ିକ ମାଟିରୁ ଅଣୁସାର ଗ୍ରହଣ କରିବା କ୍ଷମତା ହରାଇ ବସିଥିଲେ । ଏମାନଙ୍କ ତଥ୍ୟକୁ ଉଦ୍ଧାର କରି ପତ୍ରିକାଟି କହେଯେ ‘ଫସଲ ଅମଳ କରାଯାଇଥିବା ଧାନ ଓ ଗହମର ପୁଷ୍ଟି ମୂଲ୍ୟ ମୂଲ୍ୟାୟନ କଲାବେଳେ ଜଣାପଡ଼ିଥିଲାଯେ ଏହି ସବୁ ଖାଦ୍ୟ ଯାହା ଭାରତର ଲୋକମାନେ ନିଜକୁ ଶକ୍ତି ଯୋଗାଇବା ପାଇଁ ପ୍ରତିଦିନ ଖାଆନ୍ତି ସେହି ସବୁର ଖାଦ୍ୟମୂଲ୍ୟ ଗତ ୫୦ବର୍ଷ ଭିତରେ ୪୫ ପ୍ରତିଶତ ହ୍ରାସ ପାଇଛି ।

ଯଦି ଏହି ଧାରାଟି ଜାରିରହେ ତେବେ ୨୦୪୦ ବେଳକୁ ଆମ ଖାଦ୍ୟଶସ୍ୟ ଗୁଡ଼ିକ ନିଜେ ଦରିଦ୍ର ହୋଇଯାଇଥିବେ ଅର୍ଥାତ୍ ସେଥିରେ ପୁଷ୍ଟି ମୂଲ୍ୟ ଆଦୌ ନଥିବ । ଏହାର ଅନ୍ୟ ଏକ ପରିଣାମ ହେବଯେ ଭାରତରେ ଅଣସଂକ୍ରମିତ ରୋଗର ପ୍ରଭାବ ବହୁଗୁଣ ବଢ଼ିଯିବ । ଏହି ଅଧ୍ୟୟନରେ ପୁଷ୍ଟି ମୂଲ୍ୟ ବା ଖାଦ୍ୟମୂଲ୍ୟ ଖାଦ୍ୟଶସ୍ୟରେ କମିଯାଇଛି ସେକଥା କେବଳ କୁହାଯାଇ ନାହିଁ ବରଂ ଆହୁରି ଏକ ଅଧିକ ଚିନ୍ତାଜନକ କଥା କୁହାଯାଇଛି । ଯାହା ନଟବର ବାବୁ ଆଗରୁ କହି ଆସିଛନ୍ତି ଯେ ଖାଦ୍ୟରେ ବିଷର ପରିମାଣ ବଢ଼ିଚାଲିଛି, ସେହି କଥାଟିକୁ ଯେମିତିକି ଏହି ଗବେଷଣା ଅଧିକ ସୃଦୁଢ଼ କରିଛି । ଏହି ସଦ୍ୟ ଅଧ୍ୟୟନର ବୈଜ୍ଞାନିକମାନଙ୍କ ମତରେ କେବଳ ଚାଉଳରେ ବିଷର ଉପସ୍ଥିତି ୧୪୯୩ ପ୍ରତିଶତ ବୃଦ୍ଧି ପାଇଛି । ଏହି ଗବେଷଣାଟି ନଟବର ବାବୁ ଓ ତାଙ୍କ ଭଳି କୃଷକମାନେ ଯେଉଁମାନେ ବହୁ କଷ୍ଟରେ ହଜିଯାଉଥିବା ପୁରୁଣା ଦେଶୀ ଧାନ ବିହନ ସଂଗ୍ରହ କରି ଚାଷ କରି ଆସୁଛନ୍ତି, ସେମାନଙ୍କ ପାଇଁ ଆଶା ଓ ଆଶ୍ୱାସନା ଆଣିଦେଇଛି ।

ଏହି ବୈଜ୍ଞାନିକମାନଙ୍କ ମତରେ ପାରମ୍ପରିକ ଦେଶୀ ଧାନ ଓ ଗହମର ଯେଉଁ କ୍ଷମତା ଥିଲା ତାହା ଭଲ ଓ ଖରାପ ଭିତରେ ଥିବା ପ୍ରଭେଦଟି ସେମାନଙ୍କୁ ଜଣାଇ ଦେଉଥିଲା । ଏହି ବିହନ ଗୁଡ଼ିକ ଭଲଟିକୁ ଗ୍ରହଣ କରୁଥିଲେ ଏବଂ ବିଷ ଗୁଡ଼ିକୁ ପ୍ରତ୍ୟାଖାନ କରୁଥିଲେ । ବିଷ ଗୁଡ଼ିକ ମଣିଷ ପାଇଁ କ୍ଷତିକାରକ କିନ୍ତୁ ଗଛ ପାଇଁ ନ ହୋଇପାରେ । ଯେତେବେଳେ ମାଟିରେ ଅଧିକ ବିଷଥାଏ, ପାରମ୍ପରିକ ଧାନ ଗୋଟିଏ ଚତୁର ଗଛ ହୋଇଥିବାରୁ ସେ ନିଜର କ୍ଷମତାର ବିନିଯୋଗକରି ବିଷଟିକୁ ଏଡ଼ାଇ ଦେଇଥାଏ ବା ଯଦିବି ନିଏ ତାହା ଦାନାରେ ନୁହଁ ବରଂ ଅନ୍ୟ ଅଦରକାରୀ ଅଂଶରେ ତାକୁ ମହଜୁଦ କରିନିଏ । ଫଳରେ ଖାଦ୍ୟଶସ୍ୟ ପ୍ରଭାବିତ ହୁଏ ନାହିଁ ।

ତେବେ ଏବେତ ଆଉ ସେ ଧାନ ବିହନ ନାହିଁ । ନଟବର ବାବୁଙ୍କ ଭଳି ଯେଉଁମାନେ ଦେଶୀ ଧାନ ବିହନ ସଂଗ୍ରହ କରି ଅନେକ କଷ୍ଟ ସ୍ୱୀକାର କରିବା ଭିତରେ ପ୍ରତିବର୍ଷ ସେ ସବୁକୁ ଚାଷକରି କେବଳ ଆମର ଭବିଷ୍ୟତର ବଂଶଧର ମାନଙ୍କ ପାଇଁ ଖାଦ୍ୟ ଓ ସ୍ୱାସ୍ଥ୍ୟ ସୁରକ୍ଷାର ସୁନିଶ୍ଚିତ କରିବା ପାଇଁ ଅନବରତ କାମ କରିଚାଲିଛନ୍ତି, ସେମାନେ କ’ଣ ଏତେବଡ଼ ଦେଶଟାକୁ ଉପଯୁକ୍ତ ପରିମାଣରେ ବିହନ ଯୋଗାଇ ପାରିବେ? ଏଭଳି ଏକ ପ୍ରଶ୍ନ ଆସିବା ସ୍ୱଭାବିକ । ସବୁଜ ବିପ୍ଳବଜନିତ ଖାଦ୍ୟଶସ୍ୟରେ ପୁଷ୍ଟିର ଅଭାବ ଓ ବିଷର ପରିମାଣ ବଢ଼ିଚାଲିଥିବା ହେତୁ ରୋଗ ବି ବଢ଼ିଚାଲିଛି । ଏହି କଥା ଆଲୋଚନା ମଧ୍ୟ ହେଉନାହିଁ, ଅଧ୍ୟୟନ ତ’ ଦୂରର କଥା । କୃଷି ବୈଜ୍ଞାନିକମାନଙ୍କର କାମ ନୁହଁ ରୋଗ ବ୍ୟାଧି ଉପରେ ଗବେଷଣା କରିବା ।

କିନ୍ତୁ ଯାହା ତଥ୍ୟ ମାନଙ୍କରୁ ଜଣାପଡ଼ୁଛି ଭାରତରେ ଅଣସଂକ୍ରମଣକ (ଯାହା ଛୁଇଁ ଦେବା ଦ୍ୱାରା ବା ଅନ୍ୟ କୌଣସି ପ୍ରକାରେ ସଂକ୍ରମଣ ହୁଏ ନାହିଁ) ରୋଗ ଯଥା ହୃଦରୋଗ, କର୍କଟ, ବହୁମୂତ୍ର, ଶ୍ୱାସଜନିତ ରୋଗ ଇତ୍ୟାଦି ସଂଖ୍ୟା ବହୁପରିମାଣରେ ବଢ଼ି ଚାଲିଛି । ଭାରତୀୟ ମାନଙ୍କ ଉପରେ ଅଣସଂକ୍ରାମକ ରୋଗର ବୋଝ ଯାହା ୩୭.୯ପ୍ରତିଶତ ଥିଲା ଏବେ ତାହା ୬୧.୮ ପ୍ରତିଶତରେ ପହଞ୍ଚିଛି । ସଂକ୍ରାମକ ରୋଗ ଯାହା କେବେ ଆମ ରୋଗ ବୋଝର ଏକ ବଡ଼ କାରଣ ଥିଲା, ତାହା ଅନେକ ବର୍ଷ ଧରି ୨୭ପ୍ରତିଶତରେ ସ୍ଥିର ରହିଛି । ୬ବର୍ଷ ତଳର ଏକ ସରକାରୀ ତଥ୍ୟ ମୁତାବକ ୨୦୧୭ରେ ମୃତ୍ୟୁବରଣ କରିଥିବା ରୋଗୀ ମାନଙ୍କ ଭିତରୁ ୪୯ ପ୍ରତିଶତ ଥିଲେ ଅଣସଂକ୍ରାମକ ରୋଗୀ । ସେଥିରେ ହୃଦରୋଗୀଙ୍କ ସଂଖ୍ୟାଥିଲା ୨୩ ପ୍ରତିଶତ । ୧୯୮୬-୮୭ରେ ବିଶ୍ୱବିଦ୍ୟାଳୟରେ ପାଠ ପଢ଼ୁଥିବା ବେଳେ ଦୁଇଟି ଭିନ୍ନ ଭିନ୍ନ ସମୟରେ ଓଡ଼ିଶାରୁ ଆସିଥିବା ଦୁଇଜଣ ଯୁବକଙ୍କ ସହ ସମ୍ପର୍କ ହୋଇଥିଲା । ଜଣଙ୍କର ବୟସ ୨୪ଥିଲା ବେଳେ ଅନ୍ୟ ଜଣଙ୍କର ବୟସ ଥିଲା ୨୯ ।

ଉଭୟେ ହୃଦରୋଗ ସମସ୍ୟା ନେଇ ଆମ ପାଖକୁ ଆସିଥିଲେ ଏବଂ ସେମାନଙ୍କର ଦିଲ୍ଲୀ ସ୍ଥିତ (AIIMS) ଏକ ପ୍ରମୁଖ ସରକାରୀ ହସ୍ପିଟାଲରେ ଅସ୍ତ୍ରୋପଚାର ହୋଇଥିଲା । ସେମାନେ ଉଭୟେ ଗରିବ ଘରର ପିଲାଥିଲେ ଏବଂ କାହାର ବି କୌଣସି ଖରାପ ଅଭ୍ୟାସ ନଥିଲା । ଠିକ୍ ୧୦ବର୍ଷ ପରେ ୧୯୯୬-୯୭ ମସିହାରେ ନୟାଗଡ଼ ଜିଲ୍ଲାର ଓଡ଼ଗାଁ ଅଞ୍ଚଳରେ ଥିବା ‘ସମ୍ଭବ’ ଅନୁଷ୍ଠାନକୁ ଯିବା ପାଇଁ ପୁଣିଥରେ ସୁଯୋଗ ମିଳିଥିଲା । ଏହାର ଅନ୍ୟତମ ପ୍ରତିଷ୍ଠାତା ପ୍ରଫେସର ରାଧାମୋହନ (ଏବେ ଆଉ ନାହାନ୍ତି) ଙ୍କ ସହ ଆଲୋଚନା ବେଳେ ସେ କହୁଥିଲେ ଯେ କିଭଳି ସେହି ଅଞ୍ଚଳରେ ହୃଦଘାତରେ କମ୍ ବୟସର ଯୁବକମାନେ ମୃତୁ୍ୟବରଣ କରୁଛନ୍ତି ବା ହୃଦରୋଗଜନିତ ସମସ୍ୟାରେ ପୀଡ଼ିତ ଅଛନ୍ତି । ‘ସବୁଜ ବିପ୍ଳବ’ର ସବୁଠାରୁ ବଡ଼କ୍ଷେତ୍ର ବରଗଡ଼ ଜିଲ୍ଲାରୁ ଆମେ ଶୁଣିଆସୁଛେ କେମିତି ଏକ କର୍କଟ ରୋଗ ଚିକିତ୍ସା ପାଇଁ ହସ୍ପିଟାଲ୍ ନିର୍ମାଣ ନିମନ୍ତେ ଅନେକ ଦିନରୁ ଦାବି ହୋଇ ଆସୁଛି । ହୁଏତ ଓଡ଼ିଶା ତଥା ଭାରତର ସବୁ ‘ସବୁଜ ବିପ୍ଳବ’ର ତୀର୍ଥକ୍ଷେତ୍ର ଗୁଡ଼ିକ ଆଜିର ଦିନରେ ରୋଗ ଓ ବ୍ୟାଧିର ପ୍ରମୁଖ କ୍ଷେତ୍ର ହୋଇଯାଇଛି । ବିଡ଼ମ୍ବନାର କଥାଯେ ଆମର ରୋଗ ଓ ବ୍ୟାଧି ବଢ଼ିବାରେ ‘ସବୁଜ ବିପ୍ଳବ’ର ଭୂମିକା ତଥା ରାସାୟନିକ ସାର ଓ କୀଟନାଶକର ଭୂମିକା କ’ଣ ରହିଆସିଛି; ସେ ସମ୍ପର୍କରେ ପ୍ରତିଷ୍ଠିତ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଗବେଷଣା ଗୁଡ଼ିକ ଅଦୌ ଆଗ୍ରହ ନେଉ ନାହାନ୍ତି ।

ଏହାର କାରଣ କ’ଣ ପାଠକମାନେ ଚିନ୍ତା କଲେ ଉତ୍ତରଟି ପାଇଯିବେ । କିନ୍ତୁ ଏବେ ଯେଉଁ (ICAR) ଗବେଷଣାଲବ୍ଧ ତଥ୍ୟ ଆମକୁ ସୂଚନା ଦେଉଛିଯେ ଆମ ଚାଉଳ ଓ ଗହମରେ ବିଷ ଅଧିକ ଏବଂ ପୁଷ୍ଟି କମ୍ । ଅନ୍ତତଃ ସେହି କଥାଟି ଉପରେ ବାପା-ମାଆ ମାନେ ଚିନ୍ତା କରିବା କଥା । ସରକାର ତୁରନ୍ତ ସମାଧାନର ଉପାୟଟିଏ ଆଣିପାରନ୍ତି, ଯାହା ସେମାନେ ସୁନେଲି ଧାନ ବା ‘ଗୋଲଡ଼େନ୍ ରାଇସ୍’ ଏବଂ ‘ଫର୍ଟିଫାଇଡ଼୍ ରାଇସ୍’ ମାଧ୍ୟମରେ ପ୍ରମାଣିତ କରିସାରିଛନ୍ତି । ଧାନ ଓ ଗହମରେ କୃତ୍ରିମ ଉପାୟରେ ପୁଷ୍ଟି ମିଶାଇ ଦିଆଯାଇପାରେ । ଅନ୍ତତଃ ମଧ୍ୟାହ୍ନ ଭୋଜନ ଓ ଗୋଟିଏ ଟଙ୍କାରେ ଯୋଗାଇ ଦିଆଯାଉଥିବା ଚାଉଳରେ ଏଭଳି ଏକ ଉପାୟର ପରୀକ୍ଷଣ ମଧ୍ୟ କରାଯାଇପାରେ । ଯେଉଁ ବହୁରାଷ୍ଟ୍ରୀୟ କମ୍ପାନୀମାନେ ମାରାତ୍ମକ କୀଟନାଶକ ଓ ରାସାୟନିକ ସାର ବେପାର କରି ଆସିଛନ୍ତି, ସେମାନଙ୍କ ଭିତରୁ କାହାକୁ ଏଭଳି ଏକ ଦାୟିତ୍ୱ ମଧ୍ୟ ଦିଆଯାଇପାରେ । ତେବେ ତାହା ନୂଆ ସମସ୍ୟା ସୃଷ୍ଟି କରିବ ନା ଉପୁଜିଥିବା ସମସ୍ୟାକୁ ଦୂର କରିପାରିବ! ଅଣସଂକ୍ରାମକ ରୋଗ ସଂଖ୍ୟା ବଢ଼ିଲେ ସରକାରୀ ସ୍ୱାସ୍ଥ୍ୟସେବା ବିପନ୍ନ ହେବ, କାରଣ ଲୋକେ ଘରୋଇ ହସ୍ପିଟାଲମାନଙ୍କ ଉପରେ ନିର୍ଭର କରିବେ ଏବଂ ସରକାର ବୀମାକମ୍ପାନୀ ଓ ଘରୋଇ ହସ୍ପିଟାଲ ମାନଙ୍କୁ ହୃଷ୍ଟପୁଷ୍ଟ କରାଇବା ପାଇଁ ସାଧାରଣ ଲୋକଙ୍କୁ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ’ ଯୋଜନା ଭଳି ବୀମାର ସୁବିଧା ଯୋଗାଇ ଦେବେ । ଏଭଳି ଏକ ଚକ୍ରବ୍ୟୁହ ଭିତରୁ ଆମେ କେମିତି ବାହାରିବା ଯଦି ଆଜିଠାରୁ ଚିନ୍ତା ନ କରନ୍ତି, ଆଗାମୀ କାଲିଟି ଆଉ ଆମ ହାତରେ ନଥିବ ।

Comments

0 comments

Share This Article
Sudhir Pattnaik is leading the Samadrusti Media Group as an equal member of a committed team. The Group includes within its fraternity, The Samadrusti.com Digital platform, The Samadrusti print magazine, The Samadrusti TV ( for making documentaries on people's issues) Madhyantara Video News Magazine, Village Biography Writing and Samadrusti Mukta Vidyalay imparting journalism courses to poor and deserving youth, Samadrusti Publications ( as a publishing house) and Samadrusti Institute of Research. His main challenge has been sustaining the non-funded ongoing initiatives and launching much-needed new initiatives in an atmosphere where corporate media appropriates all resources making the real alternatives struggle for survival.