ଆଜିର ସମୟରେ ଆମ ସମାଜରେ ସ୍ଥାନୀୟ ସ୍ତରରୁ ଆରମ୍ଭକରି ବିଶ୍ୱଯାଏଁ ଯେଉଁ ସମସ୍ତ ପରିସ୍ଥିତିର ଆମକୁ ମୁକାବିଲା କରିବାକୁ ପଡୁଛି ତାକୁ ଅଧିକ ଜଟିଳ କରିଦେଉଛି ତଥାକଥିତ ମୁଖ୍ୟସ୍ରୋତର ଗଣମାଧ୍ୟମ, ବିଶେଷ କରି ଟିଭି ଚ୍ୟାନେଲମାନେ ଏବଂ ତଥାକଥିତ ସମାଜିକ ଗଣମାଧ୍ୟମ ମଞ୍ଚଗୁଡ଼ିକ; ନିଜକୁ ଗୋଟିଏ ଗୋଟିଏ ଗୁଜବ ପ୍ରସାରଣ ଯନ୍ତ୍ର ହିସାବରେ ନିୟୋଜିତ କରିବା ହେତୁ । ଆମେ ପ୍ରତିଦିନ ଯେଉଁ ଶହଶହ ବାର୍ତ୍ତା ‘ହ୍ୱାଟ୍ସଅପ୍’, ‘ଏକ୍ସ’(ଟୁଇଟର), ‘ଟେଲିଗ୍ରାମ’, ‘ଫେସ୍ ବୁକ ’ ଇତ୍ୟାଦି ମାଧ୍ୟମରେ ପାଉଛୁ ଏବଂ ବିନା ଅନୁଧ୍ୟାନ କରି ଅନ୍ୟମାନଙ୍କ ପାଖକୁ ସହଜରେ ପଠାଇ ଦେଉଛୁ, ଏହି କଥାଟି ଉପରେ ଆମେ ଗଭୀର ଭାବେ ଚିନ୍ତା କରିବାପାଇଁ କେବେ ଅବସର ପାଇଛନ୍ତି କି? କାରଣ ଆମ ଅଜାଣତରେ ହୁଏତ ଆମେ ସମାଜର ବିଭିନ୍ନ ସ୍ତରରେ ଘୃଣା ଓ ହିଂସା ସୃଷ୍ଟି କରିବାପାଇଁ ଏକ ଭୟଙ୍କର ବାତାବରଣ ସୃଷ୍ଟି କରିଚାଲିଛୁ । ଏହି ସବୁ ପ୍ରସାରଣର ସତ୍ୟାସତ୍ୟ ଜାଣିବାପାଇଁ କୌଣସି ବିଶିଷ୍ଟ ଗବେଷକ ବା ଗୁଇନ୍ଦା ସଂସ୍ଥାର ଆବଶ୍ୟକତା ନାହିଁ । ଥରୁଟିଏ କେବେ ଯଦି ନିଜ ପାଖକୁ ଆସୁଥିବା ବାର୍ତ୍ତା ଗୁଡ଼ିକୁ ନିଷ୍ଠାର ସହ ସମୀକ୍ଷା କରି ଦେଖିବା ତେବେ ଆମେ ଜାଣିପାରିବା ଯେ ସେ ଭିତରେ କେତେ ବାର୍ତ୍ତା ଆମମାନଙ୍କ ମନରେ ଅନ୍ୟମାନଙ୍କ ପ୍ରତି (ସେମାନଙ୍କର ଧର୍ମ, ଜାତି, ବର୍ଣ୍ଣ, ଦେଶ ଯାହା ହେଉନା କାହିଁକି) ଆମ ମନରେ ଶ୍ରଦ୍ଧା, ସ୍ନେହ, ସମବେଦନା ଏବଂ ସମ୍ବେଦନଶୀଳତା ସୃଷ୍ଟି କରିପାରିଛି । ଆମେ ଏହି କଥା ମଧ୍ୟ ଜାଣିପାରିବା ଯେ ଆମ ପାଖକୁ ଆସୁଥିବା ବାର୍ତ୍ତା ଆମମାନଙ୍କ ମନରେ କାହାପ୍ରତି କେତେ କ୍ରୋଧ, ଘୃଣା, ବିଦ୍ୱେଷ ଓ ହିଂସାର ଭାବନା ସୃଷ୍ଟି କରୁଛି । ଏଭଳି ଏକ ସମୀକ୍ଷାର ଉପଲ୍ଲବ୍ଧି ହିଁ ‘ସତ୍ୟ’ । ଆମେ ନିଜେ ସମୀକ୍ଷା ନ କରିବା ଫଳରେ ଆମ ପଇସାରେ ଏକ ବିରାଟ ଗୁଜବ ପ୍ରସାରଣ ଶିଳ୍ପ ମୁଣ୍ଡ ଟେକୁଛି ଏବଂ ଆମ ଭିତରେ ଅନେକ ଲୋକ ଏହି ଶିଳ୍ପର ଶିକାର ହୋଇଯାଉଛନ୍ତି । ରାଜ୍ୟ, ରାଷ୍ଟ୍ର ଏବଂ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ଏହି ଶିଳ୍ପର ପ୍ରାୟତଃ ଅନ୍ୟନାମ ହୋଇଯାଇଛି ତଥାକଥିତ ମୁଖ୍ୟସ୍ରୋତ ଓ ସାମାଜିକ ଗଣମାଧ୍ୟମଗୁଡ଼ିକର ଏକ ବିରାଟ ଭାଗ । ଓଡ଼ିଶାର ରାୟଗଡ଼ା ଜିଲ୍ଲାର ସିଜିମାଳିଠାରୁ ଆରମ୍ଭ କରି, ଉତ୍ତର ପୂର୍ବ ରାଜ୍ୟ ମଣିପୁର ଏବଂ ପଶ୍ଚିମ ଏସିଆରେ ଥିବା ଇସ୍ରାଇଲ୍-ଗାଜାର ସାମରିକ ସଂଘର୍ଷ କ୍ଷେତ୍ରଯାଏଁ ଏହି ଗୁଜବ ପ୍ରସାରଣ ଶିଳ୍ପ ଓ ଅନୈତିକ ତଥା ବର୍ବରୋଚିତ ବଳ ପ୍ରୟୋଗ ପାଇଁ ବୈଧତା ସୃଷ୍ଟି କରୁଥିବା ଯନ୍ତ୍ରଟି ଆଜି ଏକ ବ୍ରହ୍ମରାକ୍ଷସ ଭଳି ସମଗ୍ର ମାନବ ସମାଜକୁ ଗ୍ରାସ କରିବା ପାଇଁ ବସିଛି । ଆଜି ଯଦି ଆମେ ଚିନ୍ତିତ ନୁହଁ ହୁଏତ ଆଗାମୀକାଲିଟି ଆମ ପାଇଁ ନଥିବ!
ଆଜି ତଥା ଅକ୍ଟୋବର ୧୬,୨୦୨୩ ଦିନ ଅଲ୍ ଜିଜିରା ଗଣମାଧ୍ୟମରେ ମାର୍କ ଓ ୱେନ୍ ଜୋନ୍ସ୍ ଙ୍କ ଦ୍ୱାରା ଲିଖିତ ଏକ ଖବର ଆମର ଚିନ୍ତା କରିବାର ଶକ୍ତିକୁ ଅନେ୍ଦାଳିତ କରିଦେଉଛି । ଖବରର ଶିରୋନାମାଟି ଥିଲା “ବିଶ୍ଳେଷଣ: ପାଲେଷ୍ଟିନୀୟ ବିରୋଧି ମିଥ୍ୟା ଖବର ଏତେ ପରିମାଣରେ ଭାରତରୁ ଆସୁଛି କାହିଁକି?” ଏଥିରେ କୁହାଯାଇଛି ଯେ ଇସ୍ରାଇଲ୍ ଓ ଗାଜା ଆକ୍ରମଣ ପ୍ରତିଆକ୍ରମଣକୁ ନେଇ ବିଶ୍ୱରେ ଯେଉଁ ମିଛ ଖବରଗୁଡ଼ିକ ବ୍ୟାପକ ଭାବେ ପ୍ରସାରିତ ହୋଇଚାଲିଛି ତାହାର ମୂଳ ଉତ୍ସଟି ଭାରତରେ ରହିଛି । ଅର୍ଥାତ୍ ଇସ୍ରାଇଲ୍ ସପକ୍ଷରେ ଏବଂ ପାଲେଷ୍ଟିନୀୟ ବିରୋଧରେ ‘ହ୍ୱାଟ୍ସଅପ୍’, ‘ଏକ୍ସ’(ଟୁଇଟର), ‘ଟେଲିଗ୍ରାମ’, ‘ଫେସ୍ ବୁକ’ ଇତ୍ୟାଦିକୁ ବ୍ୟବହାର କରି ଭାରତର ସଂଘ ପରିବାର ସହିତ ସମ୍ପୃକ୍ତ ବ୍ୟକ୍ତିମାନେ ବହୁଳ ଭାବେ ମିଛ ଖବର ଓ ଗୁଜବ ପ୍ରସାରଣ କରୁଛନ୍ତି । ଏହି ଯୁଦ୍ଧ, ଏହାର ପୃଷ୍ଠଭୂମି, ଇତିହାସ ଏବଂ ସ୍ଥିତି ସମ୍ପର୍କିତ ବରିଷ୍ଠ ସାମ୍ବାଦିକ ବିଭୂତି ପତି ଏହି ସଂଖ୍ୟାରେ ବିଶଦ ଭାବରେ ଆଲୋଚନା କରିଛନ୍ତି । ଏହି ପ୍ରବନ୍ଧଗୁଡ଼ିକ ପଢ଼ିବା ପାଇଁ ବିଶେଷ ଅନୁରୋଧ । ତେବେ ଏଠି କହିବାର ତାତ୍ପର୍ଯ୍ୟ ହେଉଛି ଯେ ବିଶ୍ୱର ଗୁଜବ ପ୍ରସାରଣ ଶିଳ୍ପ ଭାରତର ଚରମପନ୍ଥୀ ହିନ୍ଦୁତ୍ୱ ସଂଗଠନମାନଙ୍କ ଦ୍ୱାରା ପ୍ରବଳ ପ୍ରୋତ୍ସାହନ ପାଇ ଆସିଛି । ୟୁହୁଦି ମାନଙ୍କ ସହ ହିନ୍ଦୁତ୍ୱର କୌଣସି ସମ୍ପର୍କ ବା ସାମଞ୍ଜସ୍ୟ ନାହିଁ । ଏମାନେ ସମସ୍ତେ ନିର୍ଦ୍ଦିଷ୍ଟ ଭାବେ ଇସଲାମ ଧର୍ମ ତଥା ମୁସଲମାନ ସମ୍ପ୍ରଦାୟଙ୍କୁ ଲକ୍ଷ୍ୟରେ ରଖି ପ୍ରଚାର ଅଭିଯାନ ଚଳାଇ ଆସିଛନ୍ତି । ଗାଜାର ବାସିନ୍ଦାମାନେ ବା ପାଲେଷ୍ଟିନୀୟଙ୍କ ଭିତରେ ଉଭୟେ ମୁସଲମାନ, ଖ୍ରୀଷ୍ଟିଆନ ଏବଂ କିଛି ଇହୁଦୀ ମଧ୍ୟ ଅଛନ୍ତି । ତେବେ ସଂଘ ସେନାର ପଶ୍ଚିମ ଏସିଆ ସମ୍ପର୍କରେ ଏକ ବିରାଟ ବିଭ୍ରାନ୍ତି ଆଗରୁ ରହି ଆସିଛି । ଏମାନଙ୍କ ଧାରଣା ପଶ୍ଚିମ ଏସିଆ କେବଳ ମୁସଲମାନ ମାନଙ୍କର । ଅଜ୍ଞତା ଭିତରୁ ଅନେକ ବିଭ୍ରାନ୍ତି ଜନ୍ମ ନେଇଥାଏ । କିଛି ଦୃଷ୍ଟାନ୍ତ ମଧ୍ୟ ତୁହାକୁ ତୁହା ଆମକୁ ଦେଖିବାକୁ ମିଳିଥାଏ । ନିକଟ ଅତୀତରେ କାନାଡ଼ା ଦେଶ ବିରୋଧରେ ପ୍ରତିବାଦ କରିବାକୁ ଯାଇ ସଂଘ ସେନାର କିଛି ଭ୍ରମିତ ବ୍ୟକ୍ତି ଭାରତର ରାଷ୍ଟ୍ରାୟତ୍ତ ବ୍ୟାଙ୍କ କାନାରା ବ୍ୟାଙ୍କ ସାମ୍ନାରେ ପ୍ରତିବାଦ କରୁଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଥିଲା ।
ତେବେ ଇସ୍ରାଇଲ୍-ପାଲେଷ୍ଟିନୀୟ ସାମରିକ ଦଳ ‘ହମାସ୍’ ମଧ୍ୟରେ ଚାଲିଥିବା ଆକ୍ରମଣ ଓ ପ୍ରତିଆକ୍ରମଣ ଭିତରେ ‘ସତ୍ୟ’ ହିଁ ବେଶି ଶିକାର ହେଉଛି ବୋଲି ଜୋନସଙ୍କ ଭଳି ସାମ୍ବାଦିକମାନେ ମତ ରଖିଛନ୍ତି । ତାହା ଭିତରେ ନଙ୍ଗଳା ହୋଇ ପଦାରେ ପଡ଼ିଛି ନିଜକୁ ‘ଗଣତନ୍ତ୍ରର ଜନନୀ’ ବୋଲି ଦାବି କରୁଥିବା ସଂଘ ସେନାଙ୍କର କେବଳ ଇସଲାମ୍ ବିରୋଧି ନୁହଁ ବରଂ ଭୟଙ୍କର ମାନବବିରୋଧି ମନୋଭାବ । ଏହି ଲୋକମାନେ ହିଁ ଡିସେମ୍ବର ୬, ୧୯୯୨ରେ ବାବ୍ରୀ ମସ୍ ଜିଦ ଧ୍ୱଂସ କରିଥିଲେ ବା ଧ୍ୱଂସର ସମର୍ଥନ କରିଥିଲେ । ଏହି ଲୋକମାନେ ହିଁ ଫେବୃଆରୀ ୨୭ରୁ ମାର୍ଚ୍ଚ ୪, ୨୦୦୨ ଭିତରେ ଗୁଜୁରାଟରେ ନରେନ୍ଦ୍ର ମୋଦୀ ମୁଖ୍ୟମନ୍ତ୍ରୀ ଥିଲାବେଳେ ମୁସଲମାନ ନରସଂହାରରେ ପ୍ରତ୍ୟେକ୍ଷ ବା ପରୋକ୍ଷ ଭାବରେ ସମ୍ପୃକ୍ତ ଥିଲେ । ଏହି ଲୋକମାନେ ହିଁ ଭାରତର ବିଭିନ୍ନ ରାଜ୍ୟରେ ସଂଖ୍ୟାଲଘୁ ସମ୍ପ୍ରଦାୟମାନଙ୍କ ବିରୋଧରେ ଘୃଣା ଏବଂ ହିଂସାର ଭାବନା ଗତ ୧୦ବର୍ଷ ଧରି ସୃଷ୍ଟି କରିଚାଲିଛନ୍ତି । ୨୦୨୦ ମସିହାରେ ଉତ୍ତର ପୂର୍ବ ଦିଲ୍ଲୀରେ ହୋଇଥିବା ମୁସଲମାନ ବିରୋଧି ସାମ୍ପ୍ରଦାୟିକ ହିଂସାର କାହାଣୀ ଏବେ ବି ଆମ ମନରୁ ଲିଭି ନାହିଁ । ଏହି କଥାଟି ଏବେ ବି ପ୍ରତ୍ୟେକ ଚିନ୍ତାଶୀଳ ଭାରତୀୟମାନଙ୍କ ମନରେ ପ୍ରଚଣ୍ଡ ଆଘାତ ଦେଇଛି ଯେ ଯେଉଁମାନେ ହିଂସା ପୀଡ଼ିତମାନଙ୍କ ସପକ୍ଷରେ ସ୍ୱର ଉତ୍ତୋଳନ କରିଥିଲେ ସେହିମାନେ ଏବେ ବି ଜେଲରେ ଅଛନ୍ତି । ସେମାନଙ୍କ ଭିତରେ ଅଛନ୍ତି ସାମାଜିକ କର୍ମୀ, ସାମ୍ବାଦିକ, ଅଧ୍ୟାପକ ଓ ଛାତ୍ର । ବିଡ଼ମ୍ବନାର କଥାଯେ ୨୦୨୦ରେ ମୋଦୀ ସରକାରଙ୍କର ରାଷ୍ଟ୍ରମନ୍ତ୍ରୀ ଥାଇ ମୁସଲମାନଙ୍କୁ ଦେଖିବା ମାତ୍ରେ ଗୁଳି କରିବାପାଇଁ ଜନସାଧାରଣଙ୍କ ଆଗରେ ଖୋଲାଖୋଲି ଡାକରା ଦେଇଥିବା ଅନୁରାଗ ଠାକୁର ଏବେ ସୂଚନା ଓ ପ୍ରସାରଣ ବିଭାଗର କ୍ୟାବିନେଟ୍ ପାହ୍ୟାମନ୍ତ୍ରୀ । ଗତ ୧୦ବର୍ଷ ଭିତରେ ଯେଉଁ ମୁସଲମାନ ମାନେ ଗୋମାଂସ ବିକ୍ରି କରୁଛନ୍ତି ବା ଖାଉଛନ୍ତି ବୋଲି ଭିଡ଼ ହିଂସା ଦ୍ୱାରା ବର୍ବରୋଚିତ ହତ୍ୟାର ଶିକାର ହୋଇଛନ୍ତି, ସେହି ହିଂସ୍ର ମଣିଷ ମାନେ ଗୁଜବ ପ୍ରଚାର ଯନ୍ତ୍ରର ପ୍ରଭାବରେ ଆସି ଏଭଳି କାଣ୍ଡମାନ ଭିଆଇଛନ୍ତି । ଏମାନଙ୍କର ନିଜ ସରକାରଙ୍କର ପ୍ରତ୍ୟକ୍ଷ ପ୍ରୋତ୍ସାହନ ରେ ଦେଶବ୍ୟାପି ଏକ ସାମ୍ପ୍ରଦାୟିକ ହିଂସ୍ର ସଂଗଠନରେ ବିଶାଳ ଭିତ୍ତିଭୂମି ଠିଆ ହୋଇପାରିଛି । ୨୦୨୪ରେ ଯଦି ବି ସଂଘ ସରକାର ଅର୍ଥାତ୍ ନରେନ୍ଦ୍ର ମୋଦୀଙ୍କର ନିର୍ବାଚନୀ ପରାଜୟ ଘଟେ, ଏମାନଙ୍କର ବିଶାଳକାୟ ଏବଂ ସର୍ବବ୍ୟାପୀ ସାମ୍ପ୍ରଦାୟିକ ସଂଗଠନମାନେ ଯେକୌଣସି ନୂଆ ସରକାର ପ୍ରତି ନୂଆନୂଆ ସମସ୍ୟା ସୃଷ୍ଟି କରିବାରେ ସମର୍ଥ ହୋଇପାରିବେ । ତେଣୁ ଯେଉଁ ଗୁଜବ ପ୍ରସାର ବା ମିଥ୍ୟା ଖବର ପ୍ରସାରଣ ପାଇଁ ବିଶାଳକାୟ ସଂଘ ପରିବାର ସଂଗଠନସମୂହ ମୋଦୀଙ୍କ ୧୦ବର୍ଷର ଶାସନକାଳ ଭିତରେ ଦେଶବ୍ୟାପୀ ଦୃଢ଼ଭାବେ ଠିଆ ହୋଇ ପାରିଛନ୍ତି , ସେମାନେ ହିଁ ଗୁଜବ ପ୍ରଚାର ଯନ୍ତ୍ରକୁ କାନ୍ଧରେ ବୋହି ଏହି ଦେଶ, ଏହାର ଶାନ୍ତି, ଏକତା ଓ ଭବିଷ୍ୟତ ପାଇଁ ଭୟଙ୍କର ବିପଦ ସୃଷ୍ଟି କରିବେ । ଆମକୁ ମନେ ରଖିବାକୁ ହେବ ଯେ ଏଯାଏଁ ଏମାନଙ୍କର ସମକକ୍ଷ ହେଲା ଭଳି କୌଣସି ସମାନ୍ତରଳ ପ୍ରଗତିଶୀଳ ମାନବବାଦୀ ଏବଂ ଗଣତାନ୍ତ୍ରିକ ସଂଗଠନ ଆଜିଯାଏଁ ଏ ଦେଶରେ ତିଆରି ହୋଇପାରି ନାହିଁ । ତେଣୁ ଏମାନଙ୍କର ସରକାର ରହୁ ବା ନରହୁ, ଏମାନଙ୍କୁ ସାମାଜିକ ସ୍ତରରେ ପ୍ରତିହତ କରିବ କିଏ(?), ତାହା ଏକ ବଡ଼ ପ୍ରଶ୍ନଟିଏ ହୋଇ ରହିଯାଇଛି । ବିଶ୍ୱ ପାଇଁ ଚିନ୍ତାର ବିଷୟ ଯେ ଏଲନ୍ ମସ୍କଙ୍କ ‘ଏକ୍ସ’ ଭଳି ଆହୁରି ଅନେକ ସାମାଜିକ ଗଣମାଧ୍ୟମର ମଞ୍ଚଗୁଡ଼ିକୁ ବ୍ୟବହାର କରି ଭାରତର ଏହି ଘୃଣା ସୃଷ୍ଟିକାରୀ ବାହିନୀ ଏବେ ଆମ ସୀମା ପାରହୋଇ ବିଶ୍ୱରେ ମୁସଲମାନ -ବିରୋଧି ମିଥ୍ୟା ଖବର ବା ଗୁଜବ ପ୍ରସାରଣ କରି ଚାଲିଛନ୍ତି । ଏମାନଙ୍କ ଗୁଜବ ପ୍ରସାରଣରେ ପାଲେଷ୍ଟିନୀୟମାନଙ୍କୁ ରାକ୍ଷସ ହିସାବରେ ଚିତ୍ରଣ କଲାବେଳେ ଇସ୍ରାଏଲ୍ର ଗାଜାର ସାଧାରଣ ନାଗରିକଙ୍କ ଉପରେ ତୁହାକୁ ତୁହା କ୍ଷେପଣାସ୍ତ୍ର ଆକ୍ରମଣକୁ ଯଥାର୍ଥ ଓ ଯୁକ୍ତିଯୁକ୍ତ ପ୍ରତିପାଦନ କରାଯାଉଛି । ବିଶାରଦମାନେ ‘ଏକ୍ସ’ ମାଧ୍ୟମରେ ପ୍ରସାରିତ ଗୁଜବ ଖବରଗୁଡ଼ିକର ମୂଳ ଉତ୍ସ ଭାରତରେ ପାଇଥିବା ହେତୁ, ଆମ ଅଜାଣତରେ ଆମେ ଭାରତୀୟମାନେ ଏହି ଘୃଣା ସୃଷ୍ଟିକାରୀ ଶିଳ୍ପର ଭାଗିଦାର ହୋଇଯାଇଛନ୍ତି ।
କିଛି ମିଥ୍ୟା ଖବର ପ୍ରସାରଣ ଭିତରେ ଅଛି ଗୋଟିଏ ଖବର ଯେଉଁଠି କୁହାଯାଇଛି କେମିତି ‘ହମାସ୍’ ଗୋଟିଏ ଇସ୍ରାଏଲ୍ ବାଳକକୁ ଅପହରଣ କରି ତାହାର ମୁଣ୍ଡକାଟ କରୁଛନ୍ତି । ଏଭଳି ମିଛ ଖବର ପ୍ରସାରଣ ହେଲାପରେ ଏହି ଖବରଗୁଡ଼ିକର ସତ୍ୟାସତ୍ୟ ଜାଣିବା ପାଇଁ ପ୍ରୟାସ କରୁଥିବା କିଛି ଭାରତୀୟ ସଂସ୍ଥା ହିଁ ଖବରଟି ମିଛ ବୋଲି ପ୍ରମାଣିତ କରିଛନ୍ତି । ହୁଏତ ଗତ ୧୦ବର୍ଷ ଧରି ସଂଘ ସେନାର ଗୁଜବ ତଥା ମିଥ୍ୟା ଖବର ଓ ଦୃଶ୍ୟଚିତ୍ର ପ୍ରସାରଣକୁ ସମୀକ୍ଷା କରି ସତ୍ୟ କ’ଣ ଉନ୍ମୋଚନ କରୁଥିବାର ଅନୁଭୂତି ଥିବା ଦୃଷ୍ଟିରୁ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ପ୍ରସାରିତ ହେଉଥିବା ଗୁଜବ ପଛରେ ଏହି ଭାରତୀୟମାନେ ହିଁ ଥିବେ, ସେମାନେ କଥାଟିର ସଠିକ୍ ଅନୁମାନ କରିପାରିଛନ୍ତି । ଭାରତୀୟ ଘୃଣା ପ୍ରସାରଣକାରୀବାହିନୀ ଦ୍ୱାରା ପ୍ରସାରିତ ଆଉ ଏକ ଦୃଶ୍ୟଚିତ୍ର ଏମାନଙ୍କ ନଜରକୁ ଆସିଥିଲା । ଏହି ଦୃଶ୍ୟଚିତ୍ରରେ କୁହାଯାଇଥିଲା ଯେ କେମିତି ଇସ୍ରାଏଲ୍ର କେତେକ ସ୍କୁଲ୍ ଛାତ୍ରୀଙ୍କୁ ପାଲେଷ୍ଟିନୀୟମାନେ ଅପହରଣ କରି ‘ଯୌନ ଦାସ’ କରିବା ପାଇଁ ନେଇ ଯାଉଛନ୍ତି । ଏହି ଭାରତୀୟ ସତ୍ୟାସତ୍ୟ ଅନୁସନ୍ଧାନକାରୀ ସଂସ୍ଥାମାନେ ହିଁ ବିଶ୍ଳେଷଣ କରି ଦେଖାଇ ଦେଲେ ଯେ ସେ ଦୃଶ୍ୟଚିତ୍ରଟି ପୁରୁଣା ଏବଂ ସେହି ଛାତ୍ରୀମାନେ ଗୋଟିଏ ଗାଡ଼ିରେ ପରିଦର୍ଶନ କରିବା ପାଇଁ ଜେରୁଜେଲମ୍ ସହରରେ ବୁଲୁଥିଲେ । ସେମାନେ ପରସ୍ପର ସହ ହସଖୁସିରେ ଗପସପ କରୁଥିଲେ । ଏହି ମିଛ ଦୃଶ୍ୟଚିତ୍ରଟି କଥା ଉଲ୍ଲେଖକରି ଜୋନ୍ସ କୁହନ୍ତି ଯେ ସତ୍ୟାସତ୍ୟ କ’ଣ ପଦାରେ ପଡ଼ିବା ପରେ ମଧ୍ୟ ଦୃଶ୍ୟଚିତ୍ରଟିକୁ ୬୦ଲକ୍ଷରୁ ଅଧିକ ଲୋକ ଦେଖିଥିଲେ । ଏହାକୁ ପ୍ରସାରଣ କରାଉଥିବା ଲୋକମାନଙ୍କ ମଧ୍ୟରେ ଥିଲେ ଅଧିକାଂଶରେ ଭାରତୀୟ । ବିଶାରଦମାନଙ୍କ ମତରେ ମୁସଲମାନ ମାନଙ୍କୁ ନିନ୍ଦିତ କରିବାପାଇଁ ବା ଇସ୍ରାଏଲ୍ର ଗାଜା ଆକ୍ରମଣକୁ ସମର୍ଥନ ଜଣାଇବା ପାଇଁ ଯଦି ୧୦ଟି ଦୃଶ୍ୟଚିତ୍ର ମିଥ୍ୟା ଖବର ବା ଗୁଜବ ବିଶ୍ୱ ସ୍ତରରେ ପ୍ରସାରିତ ହେଉଛି ତେବେ ସେ ଭିତରୁ ୭ଟି ଦୃଶ୍ୟଚିତ୍ର ଭାରତ ଭୂମିରୁ ପ୍ରସାରିତ ହେଉଛି । ସେମିତି ଆଉ ଏକ ସଂସ୍ଥା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଇସଲାମ ବିରୋଧି ଯେତେକ ଟ୍ୱିଟ୍ ଦେଖିବାକୁ ମିଳୁଛି, ସେଥିରୁ ଅଧିକାଂଶ ଭାରତରୁ ହିଁ ଆସୁଛି ।
ଏଭଳି ଆହୁରି ଅନେକ କଥା ଅଛି ଯାହାର ବର୍ଣ୍ଣନା କଲେ ଅନେକ ପୃଷ୍ଠା ଆବଶ୍ୟକ ପଡ଼ିବ । ମୋଟାମୋଟି ଭାବେ କହିବାକୁ ଗଲେ ଭାରତରେ ଯେଉଁମାନେ ସାମ୍ପ୍ରଦାୟିକ ହିଂସାରେ ସଂଖ୍ୟାଲଘୁ ମୁସଲମାନ ଓ ଖ୍ରୀଷ୍ଟିଆନମାନଙ୍କୁ ଶିକାର କରି ଆସିଛନ୍ତି, ଆଜି ସେମାନେ ଇସ୍ରାଇଲ୍-ହମାସ୍ ସଂଘର୍ଷରେ ଆମର ସୀମା ବାହରକୁ ଯାଇ ଇସଲାମୀ ବିରୋଧି ଘୃଣାକୁ ବିଶ୍ୱସାରା ବାଣ୍ଟି ଚାଲିଛନ୍ତି । ଗୋଟିଏ ପଟେ ନରେନ୍ଦ୍ର ମୋଦୀ ସରକାରଙ୍କର ନୈତିକ ସମର୍ଥନ ଥିବାବେଳେ ଓ ଅନ୍ୟପଟେ ତଥାକଥିତ ସାମାଜିକ ଗଣମାଧ୍ୟମ ମଞ୍ଚଗୁଡ଼ିକ ଏମାନଙ୍କୁ ଅନିୟନ୍ତ୍ରିତ ସ୍ଥାନ ଦେଇଆସିଛନ୍ତି । ମୋଦୀଙ୍କ ରାଜତ୍ୱରେ ବଳଶାଳୀ ହୋଇଥିବା ଏବଂ ସମାଜର ସବୁ ସ୍ତରରେ ତଥା ସମଗ୍ର ଦେଶରେ କାୟାବିସ୍ତାର କରିସାରିଥିବା ଏହି ଗୁଜବ ପ୍ରସାରଣ ଯନ୍ତ୍ରଟି ହିଂସା ଓ ଘୃଣା ଦେଶ ଭିତରେ ଓ ବାହାରେ ଆଗକୁ ମଧ୍ୟ ପ୍ରସାର କରିଚାଲିବେ । ୨୦୨୪ର ସାଧାରଣ ନିର୍ବାଚନର ଫଳାଫଳ ଏମାନଙ୍କ ଶକ୍ତିକୁ ପ୍ରତିହତ କରିବ ଏଭଳି ଭାବି ଯେଉଁ ମାନେ ନିଜ ହାତଗୋଡ଼କୁ ନିଷ୍କ୍ରିୟ କରି ଦୃଶ୍ୟଗୁଡ଼ିକୁ ସମ୍ବେଦନହୀନ ଭାବେ ଦେଖି ଆସୁଛନ୍ତି, ସେମାନେ କ’ଣ ଭୁଲ୍ କରୁଛନ୍ତି ଭବିଷ୍ୟତ ତାଙ୍କୁ ବୁଝାଇଦେବ । ଏଠି ଗୋଟିଏ କଥା ଆହୁରି ସ୍ପଷ୍ଟ ହୋଇଯାଉଛି ଯେ ମୁଖ୍ୟସ୍ରୋତର ଗଣମାଧ୍ୟମ ଯାହା କର୍ପୋରେଟ ବା ବଜାରଶକ୍ତିମାନଙ୍କର ନିୟନ୍ତ୍ରଣରେ ରହି ଯେଉଁଭଳି ଏକ ମାନବବିରୋଧି ବ୍ୟବସ୍ଥାର ପ୍ରଚାର ତନ୍ତ୍ର ହୋଇଯାଇଛି, ତଥାକଥିତ ସାମାଜିକ ଗଣମାଧ୍ୟମ ମଧ୍ୟ ସେହିଭଳି ଉଭୟେ କର୍ପୋରେଟ ଓ ସାମ୍ପ୍ରଦାୟିକ ଶକ୍ତି ମାନଙ୍କର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଭିତରକୁ ଆସିଯାଇଛି । କିଛି ଗୁରୁତ୍ୱପୂର୍ଣ୍ଣ କଥାକୁ ଭୁଲେଇ ଦେବାରେ ଏବଂ ଆଉ କିଛି ଅନୈତିକ, ଅମାନବିକ ଏବଂ ଅଗଣତାନ୍ତ୍ରିକ କଥାପ୍ରତି ବୈଧତା ସୃଷ୍ଟି କରିବାରେ ଏମାନେ ଅଘୋଷିତ ଭାବେ ମିଳିମିଶି କାମ କରୁଛନ୍ତି ।
ଗତ ୬ମାସ ଧରି ଉତ୍ତର ପୂର୍ବ ଭାରତର ମଣିପୁର ରାଜ୍ୟ ଜଳୁଛି । ସବୁଠାରୁ ଅଧିକ ହିଂସାର ଶିକାର ହେଉଛନ୍ତି କୁକି ସମ୍ପ୍ରଦାୟର ଲୋକ । ଯେଉଁ ଆସାମ ରାଇଫଲ ଭଳି କେନ୍ଦ୍ରୀୟ ସଶସ୍ତ୍ର ବାହିନୀକୁ ଆର୍ମଡ୍ ଫୋର୍ସସେସ୍ ସ୍ପେଶିଆଲ୍ ପାୱାର ଆକ୍ଟର ଦୂରୁପଯୋଗ ହେତୁ ମଣିପୁର ଆଦିବାସୀମାନେ ତୀବ୍ର ବିରୋଧ କରୁଥିଲେ ଆଜି ସେମାନେ ନଥିଲେ ହୁଏତ କୁକି ସମ୍ପ୍ରଦାୟ ନିଶ୍ଚିହ୍ନ ହୋଇସାରନ୍ତାଣି । ମେଇତି ସମ୍ପ୍ରଦାୟର ନିରୀହ ମଣିଷ ମାନେ ପ୍ରତିହିଂସାର ଶିକାର ହୋଇଛନ୍ତି । ମୋଦୀ ନୀରବ ଏବଂ ତାଙ୍କ ରାଜ୍ୟ ସରକାର ନିଷ୍କ୍ରିୟ । ହୁଏତ ସେମାନେ ହିଁ ଏଭଳି ଏକ ପରିସ୍ଥିତି ଆମନ୍ତ୍ରଣ କରିଆସିଛନ୍ତି । ଅଦାଲତଙ୍କ ଭୂମିକା ଅତି ସୀମିତ । ବିଡ଼ମ୍ବନାର କଥାଯେ ଭାରତର ଦୃଶ୍ୟ ଗଣମାଧ୍ୟମ ଏବଂ ସାମାଜିକ ଗଣମାଧ୍ୟମଗୁଡ଼ିକ ଇସ୍ରାଇଲ୍ ସପକ୍ଷରେ ବୈଧତା ସୃଷ୍ଟି କରିବାପାଇଁ ପ୍ରଚାର ଅଭିଯାନ ଚଳାଇଥିବାବେଳେ ମଣିପୁର ସେମାନଙ୍କ କାର୍ଯ୍ୟସୂଚୀରୁ ଅପସରିଯାଇଛି । ଦେଶସାରା ଏଭଳି ଅନେକ ସମସ୍ୟା ଜନଗଣ ଭୋଗୁଥିବାବେଳେ ଗଣମାଧ୍ୟମ ସେମାନଙ୍କ ପ୍ରତି ସମ୍ପୂର୍ଣ୍ଣ ଉଦାସୀନ । ସରକାରଙ୍କ ଉପରେ ଚାପ ବା ସୃଷ୍ଟି କରିବ କିଏ? ଏମିତିରେ ପ୍ରତ୍ୟେକ ଦିନ ସରକାରୀ ସ୍ତରରେ କିଛି ନିର୍ଦ୍ଦିଷ୍ଟ କମ୍ପାନୀମାନଙ୍କ ହିତରେ ଜଙ୍ଗଲ ଅଧିକାର ଆଇନ, ଜଙ୍ଗଲ ସଂରକ୍ଷଣ ଆଇନ, ଜମି ଅଧିଗ୍ରହଣ ଆଇନ ଇତ୍ୟାଦି ସବୁକୁ ଅକାମୀ କରି ଜନଗଣଙ୍କର ଜୀବନ ଜୀବିକାର ସାଧନଗୁଡ଼ିକୁ ଛଡ଼ାଇ ନିଆଯାଉଛି । ଗଣମାଧ୍ୟମରେ କୌଣସି ପ୍ରତିକ୍ରିୟା ଦେଖିବାକୁ ମିଳୁନାହିଁ । ଗତ କିଛିମାସ ଧରି ଓଡ଼ିଶାର ଜଗତସିଂହପୁର ଜିଲ୍ଲାର ଢିଙ୍କିଆ ଚାରିଦେଶରେ ଏକ ଭୟଙ୍କର ନିର୍ଯାତନାର ପର୍ବ ପୋଲିସ ଓ କମ୍ପାନୀ ମାନଙ୍କର ସୌଜନ୍ୟରୁ ଚାଲିଛି । ଗଣମାଧ୍ୟମରେ ଏ ସମ୍ପର୍କରେ କୌଣସି ଖବର ନାହିଁ । ସେହିଭଳି ରାୟଗଡ଼ା ଜିଲ୍ଲାରେ ବେଦାନ୍ତ, ଆଦାନୀ ଏବଂ ବିର୍ଲା ଗୋଷ୍ଠୀର କମ୍ପାନୀମାନଙ୍କ ପାଇଁ ଯେଉଁଭଳି ଭାବେ ଆଦିବାସୀ ଓ ଦଳିତମାନଙ୍କୁ ଗାଁ ଗାଁରୁ ଉଠାଇ ନିଆଯାଉଛି, କୌଣସି ଅଭିଯୋଗ ନଥାଇ ଗିରଫ କରାଯାଉଛି, ନିର୍ଯାତନା ଦିଆଯାଉଛି ସେହି କଥା ଗୁଡ଼ିକ ମୁଖ୍ୟସ୍ରୋତର ଗଣମାଧ୍ୟମରେ ସଠିକ୍ ଭାବେ ସ୍ଥାନ ପାଉନାହିଁ ।
ମୋଟାମୋଟି ଭାବେ କହିବାକୁ ଗଲେ ଆଜିର ଦିନରେ ଗଣମାଧ୍ୟମ ଯେଉଁ ରୂପରେ ଆବିର୍ଭାବ ହେଉନା କାହିଁକି କର୍ପୋରେଟ ଓ ସାମ୍ପ୍ରଦାୟିକ ଶକ୍ତିମାନଙ୍କ ଦ୍ୱାରା ଏକ ଗୁଜବ ପ୍ରଚାର ଯନ୍ତ୍ର ତଥା ମିଥ୍ୟା ପ୍ରସାରଣ ଶିଳ୍ପ ହିସାବରେ କାମ କରୁଥିବା ହେତୁ ସ୍ଥାନୀୟ ସ୍ତରରୁ ଆରମ୍ଭ କରି ବିଶ୍ୱସ୍ତର ଯାଏଁ କେଉଁଠି ବି ସତ୍ୟ କ’ଣ ଅନ୍ତତଃ ଏମାନଙ୍କ ମାଧ୍ୟମରୁ ଜଣାପଡ଼ିବ ନାହିଁ । ଏଥିପାଇଁ ଆମକୁ ଅନେକ କ୍ଷୁଦ୍ର ଗଣମାଧ୍ୟମ ସ୍ଥାନୀୟ ଉଦ୍ୟମରେ ପ୍ରତିଷ୍ଠିତ କରିବାକୁ ପଡ଼ିବ । ଏହି କଥାଟି ଉପରେ ଚିନ୍ତା କରିବା ପାଇଁ ସମୟଟି ଅନେକ ଦିନରୁ ଆସିସାରିଛି । ଆମେ କେବେ ଏହି ସମୟର ଉପଯୋଗ କରିବା ନିଜକୁ ପଚାରି ବୁଝିନେବା ।
Comments
0 comments