ଏଭଳି ପ୍ରଶ୍ନଟିଏ ପ୍ରାୟତଃ ଜାଣିବା ଶୁଣିବା ଲୋକେ ନିଜ ନିଜ ଭିତରେ ପଚାରୁଥିବା ଶୁଣିବାକୁ ମିଳିଥାଏ । ସ୍ପଷ୍ଟ ଉତ୍ତରଟି କିନ୍ତୁ ମିଳିନଥାଏ । ନଭେମ୍ବର ୭ରୁ ଆରମ୍ଭ କରି ନଭେମ୍ବର ୩୦, ୨୦୨୩ ଭିତରେ ଦେଶର ପାଞ୍ଚଟି ରାଜ୍ୟ ଯଥା: ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା ଓ ମିଜୋରାମର ବିଧାନସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ଦେଶସାରା ରାଜନୈତିକ ନାଟକବାଜି ଖୁବ୍ ଧୂମଧାମର ସହ ଚାଲିଛି । ତେବେ ସରକାରକୁ ଆସିବା ପରେ ନିର୍ବାଚିତ ଦଳଗୁଡ଼ିକ ସରକାରୀକଳକୁ ବ୍ୟବହାର କରି ପ୍ରତିଦିନ ଯେଉଁଭଳି ଭାବେ ନିଜର ତଥାକଥିତ ଉପଲବ୍ଧି ଏବଂ ନିଜେ ନିର୍ଦ୍ଧାରିତ କରୁଥିବା ଯୋଜନାଗୁଡ଼ିକର ସମ୍ଭାବ୍ୟ ସଫଳତାକୁ ନେଇ ପ୍ରତିଦିନ ପ୍ରଚାର ଅଭିଯାନ ଚଳାଇଛନ୍ତି, ସେହି ଦୃଷ୍ଟିରୁ ଭାରତର ଜନଗଣଙ୍କୁ ନିର୍ବାଚନ ପ୍ରଚାର ଅଭିଯାନ ଦେଖିବା ବା ଶୁଣିବା କାମରୁ ଦିନଟିଏ ବି ବିରତି ମିଳୁନାହିଁ । ଠିକ୍ ଏହି ସମୟରେ ଦୁଇଟି ରୋମାଞ୍ଚକର କଥା ସାମ୍ନାକୁ ଆସିଛି । ଗୋଟିଏ କଥାଟି ହେଲା ‘ରୋଟାରୀ ୱିଙ୍ଗ ସୋସାଇଟି ଅଫ୍ ଇଣ୍ଡିଆ’ ତରଫରୁ ତଥ୍ୟ ପ୍ରକାଶ କରି କୁହାଯାଇଛି ଯେ ଏବେଠୁ ଯଦି ବନ୍ଦୋବସ୍ତ ନ କରାଯାଏ, ନିର୍ବାଚନ ପ୍ରଚାର ଅଭିଯାନରେ ହେଲିକ୍ୟାପଟର ଭଡ଼ାରେ ନେଇ ବଡ଼ବଡ଼ ରାଜନୈତିକ ଦଳମାନେ ଯେଉଁ ବ୍ୟୟବହୁଳ ନିର୍ବାଚନ ପ୍ରଚାର ଅଭିଯାନ କରିଥାନ୍ତି ସେମାନେ ଯଥେଷ୍ଟ ସଂଖ୍ୟାରେ ହେଲିକ୍ୟାପ୍ଟର ପାଇପାରିବେ ନାହିଁ । ଏବେ ଭାରତରେ ମାତ୍ର ୨୫୪ଟି ଭଡ଼ାପାଇଁ ଉପଯୋଗ ହେଉଥିବା ହେଲିକ୍ୟାପ୍ଟର ଅଛି । ସେହି ଭିତରୁ ୧୯୦ଟି ହେଲିକ୍ୟାପ୍ଟର ରାଷ୍ଟ୍ରାୟତ୍ତ ଉଦ୍ୟୋଗ, ଘରୋଇ କମ୍ପାନୀ ଏବଂ ସମୁଦ୍ରକୂଳିଆ ଅଞ୍ଚଳରେ ବିଭିନ୍ନ କାର୍ଯ୍ୟପାଇଁ ନିୟୋଜିତ । ନିର୍ବାଚନ ବଜାରପାଇଁ ମାତ୍ର ୬୦ରୁ ୭୦ହେଲିକ୍ୟାପ୍ଟର ଉପଲବ୍ଧ । ସେଥିପାଇଁ ଆଜିଠାରୁ ଭଡ଼ାରେ ନେବାପାଇଁ ଅଗ୍ରୀମ ପଇଠ ହୋଇସାରିଲାଣି । ହୁଏତ ଆମେ ଏ କଥାଟି ଜାଣିବା ଉଚିତ୍ ଯେ ଗୋଟିଏ ଘଣ୍ଟାପାଇଁ ହେଲିକ୍ୟାପ୍ଟର ଭଡ଼ା ୪ଲକ୍ଷ ୫୦ହଜାର ଟଙ୍କାରୁ ଆରମ୍ଭ କରି ୭ଲକ୍ଷ ଟଙ୍କା ଯାଏଁ ଯାଇପାରେ । ତଥ୍ୟ କହୁଛି ଯେ ଭାରତର ନିର୍ବାଚନଗୁଡ଼ିକରେ ହେଲିକ୍ୟାପ୍ଟର ବ୍ୟବହାର କରିବା ଉଦାହରଣ ବଢ଼ିବଢ଼ି ଚାଲିଛି । କେନ୍ଦ୍ରରେ ଯିଏ ସରକାରରେ ରହିଲେ ରାଷ୍ଟ୍ରାୟତ୍ତ ଉଦ୍ୟୋଗମାନଙ୍କର ହେଲିକ୍ୟାପ୍ଟର ସରକାରୀ କାମରେ ଯାଉଛି ଦେଖାଇ ବରିଷ୍ଠ ମନ୍ତ୍ରୀମାନେ ମଧ୍ୟ ନିର୍ବାଚନରେ ବ୍ୟବହାର କରିଥାନ୍ତି । କହିବାକୁ ଗଲେ ଭାରତ ଭଳି ବିଷମତାରେ ଭରା ଏକ ଗଣତନ୍ତ୍ରରେ ବ୍ୟୟବହୁଳ ନିର୍ବାଚନ ପ୍ରଚାର ଗୋଟିଏ କଥା ଅନ୍ତତଃ ନିଶ୍ଚିତ କରିଥାଏ ଯେ, ଏଠି ନିଜକୁ କେତେ ଜନବାଦୀ ପ୍ରମାଣିତ କରିପାରୁଥିଲେ ବି ସମ୍ବଳହୀନ ଏବଂ କ୍ଷୁଦ୍ର ରାଜନୈତିକ ଦଳମାନଙ୍କ ପାଇଁ ନିର୍ବାଚନ ପ୍ରଚାର ଅଭିଯାନ କରିବା ଏକ ନିହାତି ଅସମ୍ଭବ ବ୍ୟାପାର ହୋଇଯାଇଛି । ଫଳରେ ନିର୍ବାଚନ ପ୍ରତିଯୋଗିତା କ୍ଷେତ୍ରରେ କେବଳ ଯଥେଷ୍ଟ ଆର୍ଥିକ ସମ୍ବଳ ଯୋଗାଡ଼ କରିପାରୁଥିବା ରାଜନୈତିକ ଦଳମାନେ ନିଜକୁ ସଫଳ ଏବଂ ସକ୍ଷମ ସାବ୍ୟସ୍ତ କରିପାରିବେ ।
ଏପରି ଏକ ସମୟରେ ଆଉଏକ ରୋମଞ୍ଚକର ତଥ୍ୟ ସାମ୍ନାକୁ ଆସିଛି । ଉଚ୍ଚତମ ନ୍ୟାୟାଳୟଙ୍କର ଏକ ଖଣ୍ଡପୀଠ ଆଗରେ ଭାରତ ସରକାରଙ୍କର ଆଟର୍ଣ୍ଣି ଜେନେରାଲ୍ ଶ୍ରୀ ଆର.ଭେଙ୍କେଟରମଣି ଏକ ଉପସ୍ଥାପନାରେ କହିଛନ୍ତି ଯେ କିଏ କେଉଁ ରାଜନୈତିକ ଦଳକୁ କେତେ ଟଙ୍କା ଦାନ ଆକାରରେ ବା ‘ଇଲେକ୍ଟରାଲ ବଣ୍ଡ୍’ କିଣି ଦେଲା, ସେ କଥା ଜାଣିବା ପାଇଁ ଭାରତର ଜନଗଣଙ୍କର କୌଣସି ମୌଳିକ ଅଧିକାର (ଧାରା୧୯(୧)(କ)ମୁତାବକ) ନାହିଁ । ଅର୍ଥାତ୍ ଆମେ ସୂଚନା ଅଧିକାର ପ୍ରୟୋଗ କରି ଆମ ଦଳମାନେ କାହାଠାରୁ କେତେ ଟଙ୍କା ପାଇଛନ୍ତି ସେ ହିସାବ ଦେବା ପାଇଁ ବାଧ୍ୟ କରିପାରିବା ନାହିଁ । ଏହି ମହାଶୟଙ୍କ ମତରେ, ଏହି ଯୋଜନାରେ ଗୋପନୀୟତା ରଖିବାର ସୁବିଧାଟି ଅର୍ଥଦାତାମାନଙ୍କୁ ଯୋଗାଇ ଦିଆଯାଇଛି । ଏହା ନିଶ୍ଚିତ କରାଯାଇଛି ଯେ ରାଜନୈତିକ ଦଳକୁ ଦାନ କରାଯାଉଥିବା ଟଙ୍କାଟି ସ୍ୱଚ୍ଛ ଉପାୟରେ ଆସୁଛି । ଏଥିରେ ଟିକସ ପଇଠ ପାଇଁ ଯାହା ନିୟମ ଅଛି ତାହା ମଧ୍ୟ ସୁନିଶ୍ଚିତ କରାଯାଇଛି । ସେଥିପାଇଁ ଏ ମହାଶୟଙ୍କ ମତରେ ଏଭଳି ଯୋଜନା କୌଣସି ଅଧିକାରର ଉଲଙ୍ଘନ କରୁନାହିଁ । ଏଠି ସ୍ମରଣ କରାଇ ଦିଆଯାଇପାରେ ଯେ ଅକ୍ଟୋବର ୩୧, ୨୦୨୩ ଠାରୁ ଉଚ୍ଚତମ ନ୍ୟାୟାଳୟର ସମ୍ପୃକ୍ତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି । ଉଚ୍ଚତମ ନ୍ୟାୟାଳୟର ମୁଖ୍ୟ ନ୍ୟାୟାଧୀଶ ଶ୍ରୀ ଚନ୍ଦ୍ରଚୁଡ଼ ମହାଶୟ ଆଉ ଚାରିଜଣ ବରିଷ୍ଠ ବିଚାରପତିଙ୍କ ସହ କଂଗ୍ରେସ ଓ ସି.ପି.ଏମ୍ ଦଳ ତରଫରୁ ‘ଇଲେକ୍ଟରାଲ ବଣ୍ଡ୍’ର ବୈଧତା ସମ୍ପର୍କିତ ଦାଖଲ ହୋଇଥିବା ଯାଚିକାର ଶୁଣାଣି କରୁଛନ୍ତି । ଏଥିରେ ବକ୍ତବ୍ୟ ରଖି ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଯାହା ଭାରତ ସରକାରଙ୍କ ଆଇନ ପରାମର୍ଶଦାତା ଭେଙ୍କଟରମଣୀଙ୍କ ପାଇଁ ଉତ୍ତର ରଖିଛନ୍ତି, ଆମେ ତାହାର ଯୁକ୍ତିଯୁକ୍ତତା ବୁଝିବା ଦରକାର । ପ୍ରଶାନ୍ତ ଭୂଷଣଙ୍କ ମତରେ, ନିର୍ବାଚନ ଗୁଡ଼ିକ ଟଙ୍କାର ଖେଳ ହୋଇସାରିଛି । ଗୋଟିଏ ଧାରଣା ସୃଷ୍ଟି କରାଯାଏ ଯେ ଅମୁକ ଦଳଟି ନିର୍ବାଚନରେ ବିଜୟ ଲାଭ କରିବ । ଏଭଳି ଧାରଣା ସୃଷ୍ଟି କରିବା ପଛରେ ଅଛି ସେହିଦଳଟି ଅଧିକ ଦୃଶ୍ୟମାନ ହେବା । ଏହି ଦୃଶ୍ୟମାନ ହେବା କାମଟି ରାଜନୈତିକ ସମାବେଶ ଅୟୋଜନରେ ବିପୁଳ ଅର୍ଥବ୍ୟୟ କରି ଏବଂ ଦଳୀୟ କର୍ମୀମାନଙ୍କୁ ଟଙ୍କା ଦେଇ କରାଯାଇଥାଏ । ଆଉଜଣେ ବରିଷ୍ଠ ଆଇନଜୀବୀ କପିଲ୍ ସିବଲ୍ ପ୍ରଶାନ୍ତଙ୍କ କଥାଟିକୁ ଆଗକୁ ନେଇ ଯୁକ୍ତି ରଖନ୍ତି ଯେ, ଅଦାଲତ ନିଶ୍ଚିତ ଭାବେ ଧରିନେବା କଥାଯେ କ୍ଷମତା କହିଲେ ପୁଞ୍ଜି ବା ଟଙ୍କାକୁ ବୁଝାଏ । ଗୋଟିଏ ବଜାରବାଦୀ ଅର୍ଥନୀତିରେ ଟଙ୍କା ଏବଂ ପ୍ରଭାବ ହାତରେ ହାତ ମିଶାଇ ଆଗକୁ ଯାଇଥାନ୍ତି । କିଏ କେତେ ଟଙ୍କା କେଉଁ ଦଳକୁ ଦେଉଛି, ତାହା ଗଣତନ୍ତ୍ରର ଅଂଶିଦାରମାନଙ୍କର ଅଜାଣତରେ ବା ସ୍ୱୀକୃତି ବିନା ସମ୍ଭବ କେମିତି! କେଉଁ ଆଇନ ଏଭଳି ଏକ କଥାକୁ ସ୍ୱୀକୃତି ଦେଇପାରିବ? ପ୍ରଶାନ୍ତ ଭୂଷଣ ନିଜ ଯୁକ୍ତିରେ ପୁଣି କହିଛନ୍ତି ଯେ, ଆଇନ ଆୟୋଗ ମୁତାବକ ଯାହାପାଖରେ ଅଧିକ ଅର୍ଥ ଅଛି, ତାକୁ ଅଧିକ ନିର୍ବାଚନ ଲାଭ ମିଳିବ । ଧନୀ ପ୍ରାର୍ଥୀ ବା ଦଳ ନିର୍ବାଚନ ଜିତିବାର ସମ୍ଭାବନା ଅଧିକ । ଶତକଡ଼ା ୯୯ଭାଗ ଟଙ୍କା ଦାନ ଆକାରରେ ଶାସକଦଳମାନଙ୍କ ପାଖକୁ ଯାଉଛି । ପ୍ରଶାନ୍ତ କୁହନ୍ତି ଯେ ସେଥିପାଇଁ ତାଙ୍କ ମହକିଲ୍ ଭାରତର କମୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) କୌଣସି ‘ଇଲେକ୍ଟରାଲ ବଣ୍ଡ୍’ ଗ୍ରହଣ କରିନାହାନ୍ତି ଏବଂ ସେଥିପାଇଁ ସେମାନେ ଆଦାଲତଙ୍କ ଆଗରେ ଛିଡ଼ା ହୋଇପାରିଛନ୍ତି । ‘ଇଲେକ୍ଟରାଲ ବଣ୍ଡ୍’ ଗଣତନ୍ତ୍ରକୁ ପଥଭ୍ରଷ୍ଟ କରିଦିଏ ଏବଂ ଦଳଦଳ ଭିତରେ ଚାଲିଥିବା ରାଜନୈତିକ ପ୍ରତିଯୋଗିତାରେ ଏକ ଅସନ୍ତୁଳିତ ସ୍ଥିତି ଉତ୍ପନ୍ନ କରାଇଥାଏ । ଏମିତିରେ ଏକ ମୁକ୍ତ ଏବଂ ଅବାଧ ନିର୍ବାଚନ ଅନୁଷ୍ଠିତ ହେବା ସମ୍ଭବପର ନୁହଁ । ମୁଖ୍ୟ ନ୍ୟାୟଧୀଶ ଶ୍ରୀ ଚନ୍ଦ୍ରଚୁଡ଼ଙ୍କର ଟିପଣୀ ମଧ୍ୟ କୌତୁହଳଜନକ ଥିଲା ଯେତେବେଳେ ସେ କହିଥିଲେ ଯେ, “ତାହେଲେ ଆମେ ଏକ ସିଦ୍ଧାନ୍ତରେ ପହଞ୍ଚି ପାରିବା ଯେ କ୍ଷମତାରେ ଥିବା ଦଳଟି ‘ଇଲେକ୍ଟରାଲ ବଣ୍ଡ୍’ ମାଧ୍ୟମରେ ଅଧିକ ପାଣ୍ଠି ନିଜ ପାଇଁ ସୁନିଶ୍ଚିତ କରିବାରେ ଅଧିକ ସୁବିଧାଜନକ ପରିସ୍ଥିତିରେ ଥାଏ; ଯେହେତୁ ଦାନ ଦେଉଥିବା ସଂସ୍ଥା ବା ଲୋକମାନଙ୍କ ପାଇଁ ସେମାନେ ଠିକା, ଲିଜ୍, ଲାଇସେନ୍ସ ଏବଂ ରିହାତି ଯୋଗାଇ ଦେଇପାରିବେ । ସେହି ଦୃଷ୍ଟିରୁ କ୍ଷମତାରେ ଥିବା ଗୋଟିଏ ରାଜନୈତକ ଦଳ ହାତରେ ‘ଇଲେକ୍ଟରାଲ ବଣ୍ଡ୍’ ଠୁଳ କରାଇବା କାମଟି ତାଙ୍କୁ କ୍ଷମତାରେ ରଖିବାପାଇଁ ମୁଖ୍ୟ ଆଧାର ହୋଇଯାଇପାରେ, ଯାହାକି ଗଣତନ୍ତ୍ରର ବିରୁଦ୍ଧାଚରଣ କରିବ ।”
ଏଠି ଉଲ୍ଲେଖ କରାଯାଇପାରେ ଯେ ‘ଇଲେକ୍ଟରାଲ ବଣ୍ଡ୍’ କଥାଟି ଆମ ଦେଶରେ ଆଗରୁ ନଥିଲା । ୨୦୧୪ ମସିହାରେ ବିପୁଳ ଅର୍ଥବ୍ୟୟ କରି ନିର୍ବାଚନ ଅଭିଯାନ ଆୟୋଜନ କରିଥିବା ଭାରତୀୟ ଜନତା ପାର୍ଟି ଲୋକସଭା ନିର୍ବାଚନ ବିଜୟ ଲାଭ କରିବା ପରେ ଏବଂ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଏଭଳି ଏକ ନିର୍ବାଚନ ପାଣ୍ଠି ସଂଗ୍ରହ ପାଇଁ ଆଇନଗତ ଉଦ୍ୟମ ଆରମ୍ଭ ହେଲା । ସିଧାସଳଖ ଏଥିପାଇଁ ଆଇନ ଆଣିବା ପାଇଁ ପ୍ରୟାସ ନକରି (ଯେହେତୁ ରାଜ୍ୟସଭାରେ ଏହି ଦଳର ସଂଖ୍ୟା ନଥିଲା ଏବଂ ଆଇନଟି ଆଗତ ନ ହୋଇପାରିବାର ଆଶଙ୍କା ଥିଲା) ୨୦୧୭ ମସିହାରେ ଫାଇନାସ୍ ବିଲ୍ ଭିତରେ ‘ଇଲେକ୍ଟରାଲ ବଣ୍ଡ୍’ କଥାଟି ରଖାଯାଇ ନିଜର ସଂଖ୍ୟା ଗରିଷ୍ଠତାକୁ ମାଧ୍ୟମକରି ତାହାକୁ ପାରିତ କରାଯାଇ ଥିଲା । ଫାଇନାସ୍ ବିଲ୍ କେବଳ ଲୋକସଭାରେ ହିଁ ଆଗତ ହୁଏ ଏବଂ ରାଜ୍ୟସଭା ସଂଶୋଧନ ପାଇଁ କେବଳ କିଛି ପ୍ରସ୍ତାବ ଦେଇପାରେ । ୨୦୧୮ ଜାନୁଆରୀ ମାସରୁ ‘ଇଲେକ୍ଟରାଲ ବଣ୍ଡ୍’ ସମ୍ବଦ୍ଧିତ ଏହି ବିଲ୍ଟି ଆଇନରେ ରୁପାନ୍ତରିତ ହୋଇ କାର୍ଯ୍ୟକାରୀ ହୋଇଚାଲିଛି । ଏହାଫଳରେ ପଞ୍ଜିକୃତ ରାଜନୈତିକ ଦଳମାନଙ୍କୁ ‘ଇଲେକ୍ଟରାଲ ବଣ୍ଡ୍’ କିଣି ବ୍ୟକ୍ତି ବା କମ୍ପାନୀମାନେ ପ୍ରଦାନ କରିପାରିବେ, ଯଦି ସମ୍ପୃକ୍ତ ଦଳଟି ଗତ ନିର୍ବାଚନରେ ସମଗ୍ର ମତଦାନର ଶତକଡ଼ା ୧ଭାଗ ମତ ବା ଭୋଟ ପାଇଥିବ । ଅର୍ଥାତ୍ ଛୋଟଦଳମାନେ କେତେ ଭଲକାମ କରିବାର ପ୍ରତିଶୃତି ରଖିଲେ ବି ଏହି ‘ଇଲେକ୍ଟରାଲ ବଣ୍ଡ୍’ ସେମାନଙ୍କୁ ମିଳିବ ନାହିଁ । ଏମିତିରେ ସି.ପି.ଆଇ, ଜନତା ଦଳ (ଧର୍ମନିରପେକ୍ଷ), ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଯିଏ ଏବେ ସେଠି ସରକାରରେ ଅଛନ୍ତି), ସି.ପି.ଆଇ (ଏମ୍.ଏଲ୍) ଲିବରେସନ ଭଳି ଅନେକ ଦଳ ଯେଉଁମାନେ ୨୦୧୪ରେ ଶତକଡ଼ା ୧ଭାଗ ଭୋଟ ପାଇନାହାନ୍ତି, ସେମାନେ ଏହି ‘ଇଲେକ୍ଟରାଲ ବଣ୍ଡ୍’ର ଫାଇଦା ନେଇପାରିନାହାଁନ୍ତି । ସି.ପି.ଆଇ (ମାର୍କ୍ସବାଦୀ)ଦଳ ‘ଇଲେକ୍ଟରାଲ ବଣ୍ଡ୍’ ପାଇବାପାଇଁ ଯୋଗ୍ୟଥିଲେ ବି ସେମାନେ ନୀତିଗତ ଭାବେ ଏହି ବ୍ୟବସ୍ଥାକୁ ବିରୋଧ କରିଛନ୍ତି ଏବଂ ସେଥିପାଇଁ ଏବେ ସେମାନେ ଉଚ୍ଚତମ ନ୍ୟାୟାଳୟରେ ଆଶ୍ରୟ ନେଇଛନ୍ତି । ଏହି ‘ଇଲେକ୍ଟରାଲ ବଣ୍ଡ୍’ ବ୍ୟବସ୍ଥାରେ ୧ହଜାର ଟଙ୍କାରୁ ଆରମ୍ଭ କରି ୧କୋଟି ଟଙ୍କା ଯାଏଁ ଜଣେ ଭାରତୀୟ ଷ୍ଟେଟ ବ୍ୟାଙ୍କରୁ ବଣ୍ଡ୍ ଟିଏ କିଣି ବଣ୍ଡ୍ ଗ୍ରହଣ କରିବାପାଇଁ ଯୋଗ୍ୟ ଗୋଟିଏ ରାଜନୈତିକ ଦଳକୁ ଦାନ ଦେଇପାରିବେ । ତାଙ୍କର ପରିଚୟ ଏବଂ ସେ ବଣ୍ଡ୍ ପ୍ରଦାନ କରିଥିବା ଦଳଟିର ପରିଚୟ ଗୋପନୀୟ ରହିବ । ଏଭଳି ଏକ ବ୍ୟବସ୍ଥା ଫଳରେ ୨୦୨୧-୨୨ସୁଦ୍ଧା ୭ଟି ଜାତୀୟ ସ୍ତରର ରାଜନୈତିକ ଦଳ ଏବଂ ୨୪ଟି ଆଞ୍ଚଳିକ ରାଜନୈତିକ ଦଳ ସମୁଦାୟ ୯ହଜାର ୧ଶହ ୮୮କୋଟି ୩୫ଲକ୍ଷ ଟଙ୍କା ‘ଇଲେକ୍ଟରାଲ ବଣ୍ଡ୍’ ମାଧ୍ୟମରେ ପାଇଛନ୍ତି । କେଉଁଦଳ କେତେ ଟଙ୍କା ପାଇଛନ୍ତି ସେହି କଥା ସେମାନେ ନିର୍ବାଚନ ଆୟୋଗକୁ ଜଣାଇଛନ୍ତି କିନ୍ତୁ କିଏ ଏମାନଙ୍କୁ କେତେ ଟଙ୍କା ଦେଇଛନ୍ତି ସେ କଥା କେବଳ ସେମାନେ ନିଜେ, ଭାରତୀୟ ଷ୍ଟେଟ ବ୍ୟାଙ୍କ ଏବଂ ଭାରତର ରିର୍ଜଭ୍ ବ୍ୟାଙ୍କ ଜାଣିଥିବେ ନିଶ୍ଚୟ । ଭାରତର ଅର୍ଥ ମନ୍ତ୍ରଣାଳୟ ତଥା ଭାରତ ସରକାର ମଧ୍ୟ ସବୁ ସୂଚନା ପାଇଥିବେ । କିନ୍ତୁ ଭାରତର ଜନଗଣଙ୍କ ପାଇଁ କୌଣସି ସୂଚନା ପାଇବାର ସୁଯୋଗ ନାହିଁ ।
ଆସୋସିଏସନ୍ ଅଫ ଡେମୋକ୍ରେଟି ରିଫର୍ମସ୍ (ଏ.ଡ଼ି.ଆର) ମୁତାବକ ୨୦୧୭-୧୮ ଓ ୨୦୨୧-୨୨ ଆର୍ଥିକ ବର୍ଷରେ ‘ଇଲେକ୍ଟରାଲ ବଣ୍ଡ୍’ ମାଧ୍ୟମରେ ଅର୍ଥ ଅନୁଦାନ ପାଇବା ପରିମାଣଟି ଶତକଡ଼ା ୭୪୩ଭାଗ ବୃଦ୍ଧି ପାଇଛି । ଠିକ୍ ଏହି ସମୟରେ କର୍ପୋରେଟ ଚାନ୍ଦା (ଯେଉଁଥିରେ ଗୋପନୀୟତା ରଖାଯାଇ ନଥାଏ) ମାତ୍ର ୪୮ପ୍ରତିଶତ ବୃଦ୍ଧି ପାଇଛି । ଏମାନଙ୍କ ମତରେ ସବୁଠାରୁ ଅଧିକ ‘ଇଲେକ୍ଟରାଲ ବଣ୍ଡ୍’ କେନ୍ଦ୍ରରେ ଶାସନରେ ଥିବା ଏବଂ ଏହି ଆଇନଟିକୁ ଆଣିଥିବା ଭାରତୀୟ ଜନତା ପାର୍ଟି ପାଇଛନ୍ତି । ସେମାନେ ପାଇଥିବା ‘ଇଲେକ୍ଟରାଲ ବଣ୍ଡ୍’ର ପରିମାଣ ହେଉଛି ୫ହଜାର ୨୭୧କୋଟି ଟଙ୍କା । ତାହା ପଛକୁ ବହୁତ ଦୂରରେ ରହିଛି ଭାରତୀୟ ଜାତୀୟ କଂଗ୍ରେସ ଯାହାର ‘ଇଲେକ୍ଟରାଲ ବଣ୍ଡ୍’ର ମୂଲ୍ୟ ହେବ ୯ଶହ ୫୨କୋଟି ଏବଂ କଂଗ୍ରେସର ପାଖାପାଖି ଅଛି ତୃଣମୂଳ କଂଗ୍ରେସ ଯାହାର ‘ଇଲେକ୍ଟରାଲ ବଣ୍ଡ୍’ର ପରିମାଣ ହେଉଛି ୭ଶହ ୬୭କୋଟି ଟଙ୍କା । ଆମ ଓଡ଼ିଶାର ବିଜୁ ଜନତା ଦଳ କିଛି ପଛରେ ନାହିଁ । ଏମାନେ ମଧ୍ୟ ୬ଶହ ୨୨କୋଟି ଟଙ୍କା ‘ଇଲେକ୍ଟରାଲ ବଣ୍ଡ୍’ ମାଧ୍ୟମରେ ପାଇଛନ୍ତି ।
ଆମେ ସେହି ଦୃଷ୍ଟିରୁ ବିଚାର କରିବା କଥା ଯେ ଗଣତନ୍ତ୍ରରେ ‘ଇଲେକ୍ଟରାଲ ବଣ୍ଡ୍’ କେଉଁ ଯୁଗର ସୂତ୍ରପାତ କରୁଛି । ଏଠି ରାଜନୈତିକ ଦଳମାନେ ଜନଗଣଙ୍କ ପାଖକୁ ଯାଇ, ସେମାନଙ୍କ କଥା ଓ ଦରଦ ବୁଝି, ପ୍ରକୃତି ଓ ପରିବେଶ ସହ ତାଳଦେଇ ଚିରସ୍ଥାୟୀ ବା ସହନଶୀଳ ଯୋଜନା ପ୍ରସ୍ତୁତ କରିବାର ଆବଶ୍ୟକତା ଅନୁଭବ କରିପାରୁନାହାନ୍ତି । ସେମାନଙ୍କ ପାଇଁ ପ୍ରତ୍ୟେକଟି ଦିନ ପୁଞ୍ଜି ବା ଟଙ୍କା ସଂଗ୍ରହର ଦିନ ହୋଇଯାଇଛି । ଏହି ଟଙ୍କା ଶ୍ରମଜୀବୀ, କର୍ମଜୀବୀ, ଚାଷୀ, ଛୋଟଛୋଟ କାମକରି ଜୀବିକା ଅର୍ଜନ କରୁଥିବା ଲୋକେ ଇତ୍ୟାଦି କେବେ ବି ଦେଇପାରିବେ ନାହିଁ । ଯିଏ ‘ଇଲେକ୍ଟରାଲ ବଣ୍ଡ୍’ କିଣି ଶାସନକୁ ଆସିବାର ସମ୍ଭାବନା ଥିବା ଗୋଟିଏ ଦଳକୁ ଅନୁଦାନ ଦେଇଥାଏ, ସେ ମଧ୍ୟ ଶାସନକୁ ଆସିବା ପରେ ସେହି ଦଳଠାରୁ ନିଜପାଇଁ ବହୁତ କିଛି ପାଇବାର ପ୍ରତିଶୃତି ପୂର୍ବରୁ ନିଶ୍ଚିତ କରିଥାଏ । ୨୦୧୪ ନିର୍ବାଚନରେ ଗୌତମ ଆଦାନୀ ଓ ମୁକେଶ ଅମ୍ବାନୀଙ୍କ ଭଳି ଯେଉଁମାନେ ମୋଦୀଙ୍କର ନିର୍ବାଚନ ପ୍ରଚାର ଅଭିଯାନ ପାଇଁ ଦେଶବ୍ୟାପି ହାତଖୋଲି ଦେଇଥିଲେ, ସେମାନେ ଏବେ ସମଗ୍ର ଦେଶର ସମ୍ପତ୍ତି ନିଜ ହାତକୁ ପ୍ରାୟତଃ ନେଇ ସାରିଲେଣି । ୨୦୨୧ର ଐତିହାସିକ କୃଷକ ଆନ୍ଦୋଳନ ଯଦି ସଫଳଭାବେ ସଂଗଠିତ ହୋଇନଥାନ୍ତା, ତେବେ ସମଗ୍ର ଦେଶର କୃଷି ଓ କୃଷକ ଆଦନୀ ସାମ୍ରାଜ୍ୟର ଦାସତ୍ୱ ସ୍ୱୀକାର କରି ସାରନ୍ତେଣି । ବିରୋଧି ରାଜନୈତିକ ଦଳମାନେ ୨୦୨୧ରେ ଯେଉଁ କାମଟି କରିପାରିନଥିଲେ ପଞ୍ଜାବର ଲଢ଼ୁଆ କୃଷକ ସଂଗଠନମାନେ ଦେଶବ୍ୟାପି ସମର୍ଥନ ନେଇ ସେହି କାମଟି ସଫଳତାର ସହ କରିପାରିଥିଲେ । ୧୯୯୦ ଦଶକରେ ନବଉଦାରବାଦର ଅର୍ଥନୀତି ଆମ ଦେଶକୁ ପି.ଭି ନରସିଂହ ରାଓ ଓ ମନମୋହନ ସିଂହଙ୍କ ଦ୍ୱାରା ଅଣାଯିବା ପରେ ଜଣାପଡ଼ୁଥିଲା ଯେ ସେହି ଦିନ ବି ବେଶୀ ଦୂର ନୁହଁ, ଯେଉଁଦିନ ପୁଞ୍ଜି ବା ଅର୍ଥ ଗଣତନ୍ତ୍ରକୁ ନିଜ ହାତମୁଠାରେ ରଖି ବୋଲକରା ରାଜନୈତିକ ଦଳମାନଙ୍କୁ ହାତବାରିସୀ କରି କ୍ଷମତା ଖେଳଖେଳିବ । ‘ଇଲେକ୍ଟରାଲ ବଣ୍ଡ୍’ କଥାଟିକୁ ସେହି ଦୃଷ୍ଟିରୁ ଦେଖାଯିବା ଦରକାର । ମୋଦୀ ଶାସନର ବିଶେଷତ୍ୱ ହେଲା ଯେ ଏଠି ପୁଞ୍ଜିର ଶାସନକୁ ବା ପୁଞ୍ଜି କାରବାର କରୁଥିବା କର୍ପୋରେଟ ଜଗତ ପ୍ରତି ଜନଗଣଙ୍କ ଭିତରେ ବୈଧତା ବା ସ୍ୱୀକୃତି ସୃଷ୍ଟି କରିବା ପାଇଁ ଏକ ବିରାଟ ସାମ୍ପ୍ରଦାୟିକ ସଂଗଠନ ଓ ସେନା ଦେଶବ୍ୟାପି ବିଭିନ୍ନ ସ୍ତରରେ କାମ କରିଚାଲିଛନ୍ତି । ପରୋକ୍ଷ ହେଉ ବା ପ୍ରତ୍ୟକ୍ଷ ଭାବେ ହେଉ; ଏହି କାମଟିକୁ ସହଜ କରାଇ ଚାଲିଛନ୍ତି ଭାରତର ଦୃଶ୍ୟ ଗଣମାଧ୍ୟମମାନେ । ଏଭଳି ଏକ ପରିସ୍ଥିତିରେ ମାନ୍ୟବର ଶ୍ରୀ ଚନ୍ଦ୍ରଚୁଡ଼ଙ୍କ ଖଣ୍ଡପୀଠ ଯାହା ଅନ୍ତିମ ପର୍ଯ୍ୟାୟରେ ‘ଇଲେକ୍ଟରାଲ ବଣ୍ଡ୍’ ଉପରେ ରାୟ ଦିଅନ୍ତୁ ନା କାହିଁକି, ସଚେତନଶୀଳ ଦେଶବାସୀ ଏବଂ ଗଣତନ୍ତ୍ରକୁ ସଠିକ୍ ରାସ୍ତାରେ ରଖିବା ପାଇଁ ଯେଉଁ ଲୋକ ମାନେ ବା ସଂଗଠନ ମାନେ ପ୍ରୟାସ କରିବେ, ସେମାନଙ୍କୁ ସମାଜ ସ୍ତରରେ ସବୁବେଳେ ଏକ ବିଶାଳକାୟ ସଂଘ ସେନାର ମୁକାବିଲା କରିବାକୁ ପଡ଼ିବ । ଏଭଳି ଏକ ସମୟରେ ଓଡ଼ିଶାରେ ଯେଉଁମାନେ ନବୀନ ସରକାରକୁ ‘ଇଲେକ୍ଟରାଲ ବଣ୍ଡ୍’ ମାଧ୍ୟମରେ ଏବଂ ଅନ୍ୟପ୍ରକାରରେ ସାହାଯ୍ୟ ସହଯୋଗ କରିଆସିଛନ୍ତି ସେମାନଙ୍କ ପାଇଁ ଖୁସିହେଲା ଭଳି ଖବରଟିଏ ବାହାରକୁ ଆସିଛି । ଓଡ଼ିଶାରେ କର୍ପୋରେଟ ରାଜ୍କୁ ପ୍ରତିଷ୍ଠିତ କରାଇବାରେ ଏବଂ ଓଡ଼ିଶାର ପ୍ରାକୃତିକ ସମ୍ପଦକୁ ଲୁଣ୍ଠନ କରିବାରେ କମ୍ପାନୀମାନଙ୍କୁ ପରଦା ପଛରେ ରହି ସହଯୋଗ କରିଆସିଥିବା ଲୋକଟି ସିଧାସଳଖ ସାମ୍ନାକୁ ଆସିଯାଇଛନ୍ତି । କିନ୍ତୁ ଯେତେଦିନ ଯାଏଁ ଓଡ଼ିଶାରେ ଗୋଟିଏ ବିରୋଧି ଦଳ ତିଆରି ହୋଇପାରି ନାହିଁ ଓଡ଼ିଶାରେ ବିକଳ୍ପ ନିର୍ମାଣର ସମ୍ଭାବନା ଅତି କ୍ଷୀଣ । ସେହି ଦୃଷ୍ଟିରୁ ଓଡ଼ିଶାର ଜନଗଣଙ୍କର ଏବଂ ସେମାନେ ନିର୍ଭର କରିଆସୁଥିବା ପର୍ବତ, ଜଙ୍ଗଲ, ଝରଣା, ନଦୀ, ହ୍ରଦ ଏବଂ ସମୁଦ୍ର ତଟ ଇତ୍ୟାଦିର ଦୁର୍ଦ୍ଦିନ କେବେ ସରିବ, ତାହା ଏକ ପ୍ରଶ୍ନବାଚୀ ହୋଇ ରହିଯିବ! ୨୦୨୧ର ସଂଗଠିତ ସଫଳ କୃଷକ ଆନ୍ଦୋଳନକୁ ଶିକ୍ଷା ହିସାବରେ ଗ୍ରହଣ କରି ଓଡ଼ିଶାର ଜନ ଆନ୍ଦୋଳନମାନେ ଯଦି ଏକାଠି ହେବେ ହୁଏତ ଏକ ଭଲ ସମ୍ଭାବନାଟିଏ ସୃଷ୍ଟି ହୋଇପାରିବ । ଦେଶରେ କ’ଣ ଚାଲିଛି ପ୍ରଶ୍ନଟି ନ ପଚାରି,ଭଲ ହେବ ଯଦି ଆମେ ସମସ୍ତେ ନିଜ ନିଜକୁ ପଚାରିବା ଯେ ଆମ ରାଜ୍ୟରେ ପ୍ରତିରୋଧ ଓ ପ୍ରତିବାଦ ରାଜନୀତିକୁ ବଳିଷ୍ଠ କରିବା ପାଇଁ ତଥା ଏକ ରାଜନୈତିକ ବିରୋଧ ନିର୍ମାଣ ପାଇଁ ଆମେ ନିଜେ କଣ କରୁଛନ୍ତି !
Comments
0 comments