ଧର୍ମୀୟ ବିବାଦର ଅବସାନ କେବେ?

ବିନୋଦ
ବିନୋଦ110 Views
16 Min Read

ବିଶ୍ୱ ଆଗେଇଛି ନା ପଛାଇଛି? ମଣିଷ ସଭ୍ୟତାର ଗତି ମୃତ୍ୟୁ ଆଡ଼କୁ ନା ସ୍ୱାଭିମାନ ଆଡ଼କୁ? ବିବର୍ତ୍ତନର ଲକ୍ଷ ଲକ୍ଷ ବର୍ଷ ପରେ ମଣିଷର ଗତିପଥ ବିଜ୍ଞାନଧର୍ମୀ ନା ମାନସିକପ୍ରବଣଧର୍ମୀ? ଧର୍ମ ନାମରେ ଆତଙ୍କବାଦର ଆୟୁଷ ଦୀର୍ଘଜୀବୀ ନା ଶେଷାବସ୍ଥା? ଧର୍ମୀୟ ରାଜନୀତି ନାଁରେ ଆଉ କେତେ ଦିନ ଚାଲିବ ସଂହାର ପ୍ରକ୍ରିୟା? ଭାରତ ପରି ଏକ ରାଷ୍ଟ୍ର ଏଥିରୁ ମୁକ୍ତ କି? ଏସବୁ ପ୍ରଶ୍ନ ଜଣେ ପ୍ରଗତିଶୀଳ ବୁଦ୍ଧିଜୀବୀ ମନରେ ଆନେ୍ଦାଳିତ କରିବା ସ୍ୱାଭାବିକ ।

ବିକାଶର ତାଳେ ତାଳେ ମଣିଷ ଆଗକୁ ଯାଇଛି ନିଶ୍ଚିତ । ଜନସଂଖ୍ୟା ପ୍ରାୟ ଏକ ହଜାର କୋଟି ହେବାକୁ ଯାଉଛି । ମାତ୍ର ସୀମିତ ଭୂଖଣ୍ଡ, ପ୍ରାକୃତିକ ସମ୍ପଦ ମଧ୍ୟରେ ମଣିଷ ପ୍ରଗତିର ନୂତନ ମାର୍ଗ ଅନୁସନ୍ଧାନ କରିବା ବଦଳରେ ଧର୍ମକୁ ଆଭିଜାତ୍ୟର ମାର୍ଗ ଭାବେ ଗ୍ରହଣ କରି ଦୂଷିତ ମାନସିକତା ମଧ୍ୟରେ ଗତି କରୁଛି । କେଉଁଠି ଧର୍ମ-ଧର୍ମ ମଧ୍ୟରେ ଯୁଦ୍ଧ, ତ କେଉଁଠି ସୀମାକୁ ନେଇ ସଂଘର୍ଷ । କେଉଁଠି ଆତଙ୍କବାଦର କଳାବାଦଲ ତ କେଉଁଠି ସୀମାପାର ଆତଙ୍କବାଦକୁ ପ୍ରୋତ୍ସାହନ । ସାରା ବିଶ୍ୱରେ ଆତଙ୍କର ଅନ୍ୟ ଦୁଇ ପ୍ରମୁଖ କାରଣ ହେଉଛି ଧର୍ମୀୟ ମୌଳବାଦ ଓ ଅସ୍ତ୍ର ସାମ୍ରାଜ୍ୟର ବିସ୍ତାର ।

ଋଷ-ୟୁକ୍ରେନ ଯୁଦ୍ଧ, ଭାରତ-ପାକିସ୍ତାନ ସୀମାପାର ଆତଙ୍କବାଦ, ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ, ଉପସାଗରୀୟ ଯୁଦ୍ଧ ହେଉ ବା ଅତୀତର କ୍ରୁସେଡ ସମେତ ବିଭିନ୍ନ ବିଶ୍ୱଯୁଦ୍ଧ ହେଉ- ଅଧିକାଂଶ କ୍ଷେତ୍ରରେ ଧାର୍ମିକ ଓ ସାମରିକ କାରଣ ହିଁ ପ୍ରମୁଖ ଭୂମିକା ନେଇଛି । ସାରା ବିଶ୍ୱର ନେତୃତ୍ୱ ନେଉଥିବା ଜାତିସଂଘ ଏକ ଷ୍ଟାମ୍ପ ଭାବେ କାର୍ଯ୍ୟ କରିବା ବ୍ୟତୀତ ତାହା ନିକଟରେ କୌଣସି କ୍ଷମତା ନଥିବା ପ୍ରମାଣିତ ହୋଇସାରିଛି । ବଡ଼ କଥା ହେଉଛି ଋଷ-ୟୁକ୍ରେନ ଯୁଦ୍ଧରେ ଯେପରି ୟୁକ୍ରେନକୁ ସାମରିକ ସହାୟତା କରି ଆମେରିକା ନିଜର ଅର୍ଥନୈତିକ ଓ ସାମରିକ ସ୍ୱାର୍ଥ ପୂରଣ କରୁଛି ଠିକ୍ ସେପରି ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧରେ ସମସ୍ୱାର୍ଥ ହାସଲ କରୁଛି । ଗତ ୨୦୨୩ ଅକ୍ଟୋବର ୬ ତାରିଖରେ ଯୁଦ୍ଧ ଆରମ୍ଭ ହେବାର ପରଦିନ ଇସ୍ରାଏଲକୁ ଆମେରିକା ୮ବିଲିୟନ ଡଲାରର ସାମରିକ ସହାୟତା ଯୋଗାଇବା ଆମେରିକାର ସାମ୍ରାଜ୍ୟବାଦୀ ଓ ଯୁଦ୍ଧଖୋର ମନୋବୃତ୍ତିର ପରିପ୍ରକାଶ ଘଟାଉଛି । ଯୁଦ୍ଧକୁ ପ୍ରଶମିତ କରିବା ବଦଳରେ ନିଅାଁରେ ଘିଅ ଢାଳିବା ପରି ଅବସ୍ଥା ସୃଷ୍ଟି କରୁଛି ସାମ୍ରାଜ୍ୟବାଦୀ ଆମେରିକା ।

ଉପସାଗରୀୟ ଯୁଦ୍ଧ ଓ ଋଷ-ୟୁକ୍ରେନ ଯୁଦ୍ଧ ପରେ ଆମେରିକା ନିଜର ସାମରିକ ଅସ୍ତ୍ର ବଜାର ଖୋଜିବା ଲାଗି ଉଦ୍ୟତ ଥିଲା । ଏପରିକି ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ଆରମ୍ଭଲାଗି ଆମେରିକା ଯୋଜନା କରିଥିବା ବି କୁହାଯାଉଛି । ନଚେତ ଅବିଳମ୍ବେ ବିଶ୍ୱ ସମୁଦାୟର ମତକୁ ଅପେକ୍ଷା ନ କରି ଏହି ବିପୁଳ ସାମରିକ ସହାୟତା ଯୋଗାଇଲା କିପରି? ଏହା ପୂର୍ବଚିନ୍ତିତ ଯୋଜନା ନୁହେଁ ତ ଆଉ କ’ଣ? ଦୁର୍ଦ୍ଦାନ୍ତ ସଙ୍ଗଠନ ହମାସକୁ ବି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଆମେରିକା ଯୋଗାଇବା ଆଶଙ୍କାକୁ ଏଡ଼ାଇ ଦେଇ ହେବ ନାହିଁ ।

ସାମରିକ ସହଯୋଗିତା, ସାମ୍ରାଜ୍ୟବାଦୀ ଆଭିମୁଖ୍ୟ, ଗୋପନ କୂଟନୀତି ଓ ଆନ୍ତର୍ଜାତୀୟତାବାଦୀ ରାଜନୀତି ଥିଲା ପ୍ରଥମ ବିଶ୍ୱଯୁଦ୍ଧର କାରଣ । ଏକ ଛୋଟିଆ ଘଟଣାକୁ ନେଇ ସାରାବିଶ୍ୱରେ ଛାଇଯାଇଥିଲା ଯୁଦ୍ଧର କଳାବାଦଲ । ଅଷ୍ଟି୍ରଆ-ହଙ୍ଗେରୀର ରାଜା ଆର୍କଡୁ୍ୟକ ଫ୍ରାଞ୍ଜ ଫର୍ଡିନାଣ୍ଡଙ୍କୁ ବସନିଆର ଜଣେ ଯୁବକ ଗାଭି୍ରଲୋ ପ୍ରିନସିପ ହତ୍ୟା କରିବା କାରଣକୁ କେନ୍ଦ୍ରକରି ଏହି ଯୁଦ୍ଧ ସଂଗଠିତ ହୋଇଥିଲା । ଆଫି୍ରକା ଓ ଏସିଆରେ ନିଜର ସାମ୍ରାଜ୍ୟ ବିସ୍ତାର ଲାଗି ଜର୍ମାନୀ ଓ ଅଷ୍ଟି୍ରଆ-ହଙ୍ଗେରୀ ଉଦ୍ୟମ କରୁଥିବାବେଳେ ନିଜ ସାମ୍ରାଜ୍ୟର ସୁରକ୍ଷା ତଥା ଭାରତ ଉପରେ ନିଜର ନିୟନ୍ତ୍ରଣ ସାବ୍ୟସ୍ତ ଲାଗି ଉଦ୍ୟମ କରୁଥିଲା ବ୍ରିଟେନ । ବି୍ରଟିଶକୁ ଟକ୍କର ଦେବା ଲାଗି ଅଷ୍ଟି୍ରଆ-ହଙ୍ଗେରୀ, ଜର୍ମାନୀ, ତୁର୍କୀ ମେଣ୍ଟ କରିଥିଲେ । ସେହି ସମୟରେ ସାମରିକ ଖର୍ଚ୍ଚ ବୃଦ୍ଧିପାଇବା ସହ ଅସ୍ତ୍ର ଉତ୍ପାଦନକାରୀ କମ୍ପାନି ଲାଭବାନ ହୋଇଥିଲେ । ସ୍ଥିତି ଏପରି ହୋଇଥିଲା ଯେ, ଫ୍ରାନ୍ସ, ବି୍ରଟେନ, ସୋଭିଏତ ଋଷ, ଆମେରିକା, ଇଟାଲୀ, ଜାପାନ ମିତ୍ରଶକ୍ତିରେ ପରିଣତ ହୋଇଥିବାବେଳେ ଅକ୍ଷଶକ୍ତିରେ ସାମିଲ ହୋଇଥିଲେ ଜର୍ମାନୀ, ଅଷ୍ଟି୍ରଆ-ହଙ୍ଗେରୀ, ବୁଲଗେରିଆ ଓ ଓଟ୍ଟୋମ୍ୟାନ ସାମ୍ରାଜ୍ୟ । ଏହି ଯୁଦ୍ଧରେ ପ୍ରାୟ କୋଟିଏ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ସାରା ବିଶ୍ୱରେ ଏହାର ପ୍ରଭାବ ପଡ଼ିଥିଲା । ପ୍ରଥମ ବିଶ୍ୱଯୁଦ୍ଧର ଫଳସ୍ୱରୂପ ୧୯୩୯ରେ ଆରମ୍ଭ ହୋଇଥିଲା ଦ୍ୱିତୀୟ ବିଶ୍ୱଯୁଦ୍ଧ । ମିତ୍ରଶକ୍ତିରେ ସାମିଲ ଥିଲେ ଫ୍ରାନ୍ସ, ବ୍ରିଟେନ, ଆମେରିକା, ସୋଭିଏତ ଋଷ, ଚୀନ । ଅକ୍ଷଶକ୍ତିରେ ସାମିଲ ଥିଲେ ଜର୍ମାନୀ, ଇଟାଲୀ ଓ ଜାପାନ । ଫଳ ଏହା ହୋଇଥିଲା ଯେ, ଯୁଦ୍ଧରେ ପ୍ରାଣ ହରାଇଥିଲେ ପ୍ରାୟ ୮କୋଟି ଲୋକ । ସେମାନଙ୍କ ମଧ୍ୟରୁ କେବଳ ଇହୁଦୀଙ୍କ ସଂଖ୍ୟା ଥିଲା ପ୍ରାୟ ୭୦ଲକ୍ଷ ।

ଇତିହାସକୁ ପର୍ଯ୍ୟାଲୋଚନା କଲେ ଏହା ସ୍ପଷ୍ଟ ହୋଇଥାଏ ଯେ, ଅଧିକାଂଶ ଯୁଦ୍ଧ ଥିଲା କିଛି ସ୍ୱାର୍ଥର ପରିପ୍ରକାଶ ଓ ଧର୍ମୀୟ କାରଣ । ଭାରତରେ ଯେତିକି ଯୁଦ୍ଧ ସଂଗଠିତ ହୋଇଛି ସେଥିରୁ ଅଧିକାଂଶ ରାଜା, ମହାରାଜାଙ୍କ ବ୍ୟକ୍ତିଗତ ସ୍ୱାର୍ଥ ଲାଗି । ପୁରୀର ଯେଉଁ ରାଜାମାନେ ଅନ୍ୟ ଦେଶ ଆକ୍ରମଣ କରିଛନ୍ତି ସେମାନେ ତଥାକଥିତ ସାମ୍ରାଜ୍ୟ ବିସ୍ତାର ନାମରେ ନିଜର ପ୍ରାଧାନ୍ୟ ବୃଦ୍ଧି ଲାଗି । ଏଥିଲାଗି ଅନେକ ସମୟରେ ହିନ୍ଦୁତ୍ୱକୁ ଆଶ୍ରା କରାଯାଇଛି ।

ଧର୍ମର ସଂଜ୍ଞା ଯାହେଉ ନା କାହିଁକି ଏହାର ପ୍ରଭାବରେ ନୀତି ଅପେକ୍ଷା ଅନୀତିର ପ୍ରଭାବ ଅଧିକ ରହୁଛି, ନାନା ପ୍ରକାର ବିଧ୍ୱଂସୀକାରୀ କାର୍ଯ୍ୟକଳାପ ବୃଦ୍ଧି ପାଉଛି, ନରସଂହାର ଘଟୁଛି । ଭାରତ ପରି ଏକ ତଥାକଥିତ ଧର୍ମ ନିରପେକ୍ଷ ରାଷ୍ଟ୍ରରେ ଧର୍ମୀୟ ଉତ୍ପୀଡ଼ନ ବହୁ ଅଧିକ । ବିଭିନ୍ନ ହିଂସା, ଦ୍ୱେଷ ଆଦି କ୍ଷେତ୍ରରେ ଧର୍ମ ହିଁ ପ୍ରମୁଖ ଭୂମିକା ନେଇଛି । ଧର୍ମ ଏକ ମାନସିକତା, ଏକ ବିଜ୍ଞାନ ନୁହେଁ । ଏହାର ପ୍ରତିଷ୍ଠା, ଗତିପଥ, ଦର୍ଶନ ସର୍ବଦା ଭାବନା ଉପରେ ହିଁ ପ୍ରତିଷ୍ଠିତ । ଏହାସତ୍ତ୍ୱେ ମଣିଷ ସର୍ବଦା ଧର୍ମକୁ ହିଁ ପାଥେୟ କରିଆସୁଛି । ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ବି ଅତୀତ ପ୍ରାୟ ହଜାରେ ବର୍ଷ ତଳର କ୍ରୁସେଡ ବା ଧର୍ମଯୁଦ୍ଧ ପରି । ଦୁଇ ରାଷ୍ଟ୍ର ମଧ୍ୟରେ ବିବାଦ ଯେତେ ପୁରାତନ ହେଉ ନାହିଁକି କେବଳ ଧାର୍ମିକ କାରଣ ହିଁ ସମସ୍ତ ଜଟିଳା ବାତାବରଣର ସୃଷ୍ଟିକର୍ତ୍ତା ସାଜିଛି । ଖ୍ରୀଷ୍ଟିଆନ-ମୁସଲିମ ଧର୍ମଯୁଦ୍ଧ ହେଉ, ଇହୁଦୀ-ଖ୍ରୀଷ୍ଟିଆନ ବିବାଦ ହେଉ- ଏପରି କିଛି ରକ୍ତାକ୍ତ ସମର ଅତୀତର ପୃଷ୍ଠାକୁ ରକ୍ତରଞ୍ଜିତ କରୁଛି । ପ୍ରାୟ ୩ହଜାର ବର୍ଷ ତଳର ବିବାଦକୁ ସଭ୍ୟସମାଜ ଆଜି ବି ସମାହିତ କରିବାରେ ଅକ୍ଷମ । ଫଳ ଏହା ହେଉଛି ହତ୍ୟା, ଗଣହତ୍ୟା, ଶିଶୁହତ୍ୟା, ପଣବନ୍ଦୀ ସମସ୍ୟା, ଜଳ-ସ୍ଥଳ-ପଥରୁ ଯୁଦ୍ଧ ଆଦି ଭୟଙ୍କର ଘଟଣା ପରିଲକ୍ଷିତ ହେଉଛି । ଏହି ଧର୍ମଯୁଦ୍ଧର ପ୍ରାଥମିକ କାରଣ ଯେପରି ଭୂଖଣ୍ଡକୁ ନେଇ ଠିକ୍ ସେପରି ଏହିସବୁ ଯୁଦ୍ଧର ସ୍ୱାର୍ଥ ସାମରିକ ଅର୍ଥନୀତିକୁ ପରିପ୍ରକାଶ କରିବା ପରି ।

ଧାର୍ମିକ ଓ ଉଗ୍ରବାଦୀ ସ୍ୱାର୍ଥକୁ ସର୍ବଦା ସାମରିକ ଶକ୍ତି ପ୍ରୋତ୍ସାହିତ କରିଆସିଛି । ଏଥିରେ ଉଭୟ ସାମରିକ ଓ ସାମ୍ରାଜ୍ୟବାଦୀ ଶକ୍ତି ଲାଭବାନ ହୋଇଛନ୍ତି । ବିଶେଷ କରି ଯୁଦ୍ଧାସ୍ତ୍ର ଉତ୍ପାଦନକାରୀ କମ୍ପାନିଙ୍କ ସ୍ୱାର୍ଥ ପୂରଣ ଲାଗି ହିଁ ଯୁଦ୍ଧ ନିଆଁରେ ଘୃତ ଢଳାଯାଉଛି । ନଚେତ ଇସ୍ରାଏଲ ଉପରେ ହମାସର ଆକ୍ରମଣର ପରଦିନ ଇସ୍ରାଏଲକୁ ଆମେରିକା ୮ବିଲିୟନ ଡଲାରର ଅସ୍ତ୍ରଶସ୍ତ୍ର ସହାୟତା ଘୋଷଣା କରି ନଥାାନ୍ତା ।

ଅଧିକାଂଶ ଧାର୍ମିକ ଯୁଦ୍ଧକୁ ପବିତ୍ର ଆଖ୍ୟା ଦିଆଯାଇଥାଏ । ଧାର୍ମିକ ବିଶ୍ୱାସ, ମତାନ୍ଧତା, ପରମ୍ପରା, ଲୋକକଥା ତଥା ଇତିହାସକୁ ପର୍ଯ୍ୟାଲୋଚନା କରି ଏହି ଯୁଦ୍ଧ ଚାଲିଥାଏ । ତେବେ ଏକ୍ଷେତ୍ରରେ ଧର୍ମୀୟ ନୀତିସ୍ରୋତ ଅପେକ୍ଷା ମୌଳବାଦୀ ତତ୍ତ୍ୱ, ସାମରିକ ସ୍ୱାର୍ଥର ଅପପ୍ରୟୋଗ ହୋଇଥାଏ ।

ଅଧିକାଂଶ ସମୟରେ ସାମାଜିକ, ରାଜନୈତିକ, ଅର୍ଥନୈତିକ ଆଦି କାରଣ ବି ଧାର୍ମିକ ଯୁଦ୍ଧର କାରଣ ହୋଇଥାଏ । ବିିଭିନ୍ନ ଧର୍ମଗୁରୁଙ୍କ ଭ୍ରାନ୍ତ ଆହ୍ୱାନ ସର୍ବଦା ରକ୍ତପାତର ପଥ ସୃଷ୍ଟି କରିଛି । ପ୍ରତିଟି ଧାର୍ମିକ ଯୁଦ୍ଧ ପଛରେ ଏହି ଧର୍ମଗୁରୁମାନଙ୍କ ଆହ୍ୱାନ କାମ କରିଥାଏ । ଅତୀତର କ୍ରୁସେଡ ହେଉ କିମ୍ବା ଭାରତରେ ଘଟିଥିବା କେତେକ ଧର୍ମୀୟ ଦଙ୍ଗା ହେଉ- ସବୁଠି ସାମ୍ପ୍ରଦାୟିକ ଭାବ ପ୍ରବଣତା ହିଁ ଏସବୁର ପ୍ରାଥମିକ କାରଣ ସାଜିଛି । ତେବେ ବର୍ତ୍ତମାନ ଧର୍ମଗୁରୁଙ୍କ ବାଦ୍ ରାଜନେତାମାନେ ଧର୍ମୀୟ ଯୁଦ୍ଧକୁ ପ୍ରାଥମିକତା ଦେଉଛନ୍ତି । ବାବ୍ରୀ ମସଜିଦ ପତନ ହେଉ ବା ଅନ୍ୟ କିଛି । କ୍ଷମତାକୈନ୍ଦି୍ରକ ସ୍ୱାର୍ଥ ଏହା ପଛରେ ରହିଛି । ବାସ୍ତବରେ ଦେଖିବାକୁ ଗଲେ ୧୯୯୨ ଡିସେମ୍ବର ୬ର ଘଟଣା ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳକୁ ବିଶେଷ ଲାଭବାନ କରିଥିଲା ।

ଅଧିକାଂଶ ଯୁଦ୍ଧ ଧର୍ମୀୟ ମୌଳବାଦ କହିଲେ ଠିକ୍ ହେବ । କାରଣ ପ୍ରତିଟି ଯୁଦ୍ଧ ମୂଳରେ ଧାର୍ମିକ ମୌଳବାଦ ନିହିତ ଥାଏ ଯାହାକି କୌଣସି ଦେଶ ବା ଧର୍ମ ବା ବର୍ଣ୍ଣ ବିରୋଧରେ ସଂଗଠିତ ହୋଇଥାଏ । ବର୍ତ୍ତମାନ ସୁଦ୍ଧା ସଂଗଠିତ ପ୍ରାୟ ୧୮୦୦ଟି ଜଣାଶୁଣା ଯୁଦ୍ଧ ମଧ୍ୟରୁ ପ୍ରାୟ ୨ଶହଟି ହେଉଛି ଧାର୍ମିକ ଯୁଦ୍ଧ । ବିଶ୍ୱର ସବୁଠାରୁ ଭୟଙ୍କର ୧୦୦ଟି ଯୁଦ୍ଧ ମଧ୍ୟରୁ ପ୍ରାୟ ୨୦ଟି ଯୁଦ୍ଧର କାରଣ ହେଉଛି ଧାର୍ମିକ । ଅନେକାଂଶରେ ଅର୍ଥନୈତିକ, ସାମାଜିକ, ରାଜନୈତିକ, ସୀମାଗତ ସଂଘର୍ଷ ବି ଯୁଦ୍ଧର କାରଣ ହୋଇଥାଏ । ପ୍ରତିଟି ଧାର୍ମିକ ଯୁଦ୍ଧମୂଳରେ ଯାହା କାରଣ ଥାଉ ନା କାହିଁକି ମାନସିକତା ହିଁ ପ୍ରମୁଖ ଭାବେ ଦାୟୀ ହୋଇଥାଏ । ଏପରି କୌଣସି ବିବାଦ ନାହିଁ ଯାହା ସମାହିତ ହୋଇପାରିବ ନାହିଁ । ମାତ୍ର ସାମରିକ ସ୍ୱାର୍ଥ, ବ୍ୟକ୍ତିବିଶେଷଙ୍କ ଅଭୀପ୍ସା ଆଦି କାରଣରୁ ଯୁଦ୍ଧ ସଂଗଠିତ ହୋଇଥାଏ ।

ରାମାୟଣର ରାମ-ରାବଣ ଯୁଦ୍ଧ ହେଉ ବା ମହାଭାରତର କୌରବ-ପାଣ୍ଡବ ଯୁଦ୍ଧ ହେଉ-ଉଭୟ କ୍ଷେତ୍ରରେ କ୍ଷମତାଥିଲା ମୁଖ୍ୟ କାରଣ । ଚାହିଁଥିଲେ ଏହି ଦୁଇ ଭୟଙ୍କର ଯୁଦ୍ଧର ଶାନ୍ତିପୂର୍ଣ୍ଣ ପରାସମାପ୍ତି ଘଟିପାରିଥାନ୍ତା । ମାତ୍ର ଏହା ଘଟି ନଥିଲା । ଫଳରେ ଅସଂଖ୍ୟ ଲୋକ, ସୈନ୍ୟଙ୍କ ପ୍ରାଣପାତ ଘଟିଥିଲା । ଯୁଦ୍ଧର ଫଳାଫଳ କେବେ ବି ସକାରାତ୍ମକ ନଥାଏ । ଏହା ପରବର୍ତ୍ତୀ ପର୍ଯ୍ୟାୟରେ ଆଣିଥାଏ ସାମାଜିକ ଓ ଅର୍ଥନୈତିକ ଦୁର୍ଗତି, ବିଭୀଷିକା ।

କୌଣସି ଧାର୍ମିକ ଯୁଦ୍ଧରେ ଅଯଥାରେ ଯେତିକି ଖର୍ଚ୍ଚ ହୁଏ ସେଥିରେ ସ୍ଥାୟୀ ସମାଧାନ ନିମନ୍ତେ ଆବଶ୍ୟକ ଖର୍ଚ୍ଚ ଅତି ସହଜରେ ଭରଣା କରାଯାଇ ପାରିବ । ଯେଉଁ ଉଦେଶ୍ୟରେ ବା ଅର୍ଥନୈତିକ ସଂକଟକୁ ଦୃଷ୍ଟିରେ ରଖି ଯୁଦ୍ଧ କରାଯାଉଛି ସେହି ଅର୍ଥରେ ଏସବୁର ସମାଧାନ ଅଚିରେ ହୋଇପାରିବ ।

ପାକିସ୍ତାନର ଆଇଏସ୍ଆଇ ହେଉ ବା ଅନ୍ୟ ସମସ୍ତ ଆତଙ୍କବାଦୀ ସଂଗଠନ-ସେମାନେ ଚାହାଁନ୍ତି କାଶ୍ମୀରକୁ ସ୍ୱାଧୀନ କରିବା ଲାଗି କିମ୍ବା ପାକିସ୍ତାନରେ ମିଶାଇବା ଲାଗି । ସେମାନେ ବୁଝିବାକୁ ଅକ୍ଷମ ଯେ, ଏହା ଦ୍ୱାରା ହେବ କ’ଣ? କାଶ୍ମୀର ପାକିସ୍ତାନରେ ମିଶିଗଲେ କ’ଣ ସମସ୍ୟାର ସମାଧାନ ହୋଇପାରିବ? ଏକ ଛୋଟିଆ ଭୂଖଣ୍ଡ ଲାଗି ଦୀର୍ଘ ସତୁରୀ ବର୍ଷ କାଳ ଧରି ଚାଲିଆସିଥିବା ସଂଘର୍ଷ ଆଜି ବି ଅନ୍ତ ହୋଇନାହିଁ । ମୃତ୍ୟୁ ସଂଖ୍ୟା କେତେ ଶହ ଟପିଲାଣି, ତାହାର ହିସାବ ନାହିଁ । କେତେ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ଜବତ ହେଲାଣି ତାହାର ହିସାବ ନାହିଁ । ଅଥଚ ତଥାକଥିତ ଧାର୍ମିକ ସ୍ୱାର୍ଥ ଲାଗି ଆଜି ସେଠାରେ ରକ୍ତପାତ ଘଟୁଛି । ହାଇବ୍ରିଡ କିଲିଂ ସଂଖ୍ୟା ବଢ଼ିବାରେ ଲାଗିଛି । ଖାଇବାକୁ ମିଳୁ ନଥିବା ଓ ଆର୍ଥିକ ସମସ୍ୟାରେ ଛଟପଟ ହେଉଥିବା ପାକିସ୍ତାନରେ ଭାରତବିରୋଧୀ ତଥା କାଶ୍ମୀରବାଦୀ ପ୍ରବଣତାର ସୀମା ନାହିଁ ।

କୌଣସି ଧାର୍ମିକ ଯୁଦ୍ଧରେ ଯେ କେବେ ଧାର୍ମିକ ଶକ୍ତି ଭୂମିକା ଗ୍ରହଣ କରନ୍ତି, ଏହା ନୁହେଁ । ଧାର୍ମିକ ସ୍ୱାର୍ଥ ଲାଗି ଧର୍ମନିରପେକ୍ଷ, ସ୍ୱାଧୀନ ଶକ୍ତି ବି ବାଜିରେ ସାମିଲ ହୋଇଥାନ୍ତି । ନିରୀହ ଲୋକମାନେ ଅନ୍ଧ ଭାବେ ଏଥିରେ ଭାଗ ନିଅନ୍ତି । ଏହାର ଚୂଡ଼ାନ୍ତ ଫଳାଫଳ ଧର୍ମଗତ ସ୍ୱାର୍ଥରେ ପରିଣତ ହୋଇଥାଏ ଏବଂ ଏହାର କୌଣସି ସାର୍ବଜନୀନ ସୁଫଳ ଅର୍ଥନୈତିକ ବା ସାମାଜିକ ବା ଐତିହାସିକ ଭାବେ ପ୍ରତିଫଳିତ ହୋଇ ନଥାଏ । ଧର୍ମର କୌଣସି ସଂଜ୍ଞା ନାହିଁ । ଏହା କୌଣସି ଏକ ନୀତି, ଭାବନା, କଳ୍ପନା ଉପରେ ପର୍ଯ୍ୟବସିତ । ଏହାରି ମୂଳରେ କୌଣସି ବୈଜ୍ଞାନିକ ଆଧାର ନାହିଁ । ତଥାପି ଏହାର ପ୍ରଭାବ ସୁଦୂରପ୍ରସାରୀ । ମଣିଷର ମନ, ପ୍ରାଣରେ ଧାର୍ମିକ ଭାବନା କାଳକାଳ ଧରି ଅସ୍ଥିମଜ୍ଜାଗତ ହୋଇ ରହିଆସିଛି । ଏଥିଲାଗି ମଣିଷ ଖୋଦ୍ ମଣିଷ ବିରୋଧରେ ଅସ୍ତ୍ର ଧରିଛି । ଯୁଦ୍ଧ କରିଆସିଛି । ଧାର୍ମିକ ଆନୁଗତ୍ୟର ଲୋମହର୍ଷକ ପ୍ରଭାବରେ ମଣିଷ ଜାତି ବ୍ୟାପକ କ୍ଷତିଗ୍ରସ୍ତ ହୋଇଆସିଥିଲେ ବି ଏହା ଆଜି ବି ଅଧିକ ଗଭୀର ଅବସ୍ଥାରେ ରହିଛି । ଇସ୍ରାଏଲ-ପାଲେଷ୍ଟାଇନ ବିବାଦରେ ଯେପରି ସାରା ବିଶ୍ୱ ଦୁଇଭାଗରେ ବିଭକ୍ତ ହୋଇଛନ୍ତି, ତାହା ପ୍ରମାଣ କରୁଛି କେତେ ବ୍ୟାପକ ଧାର୍ମିକ ଯୁଦ୍ଧ । ଅତୀତର ଭୟଙ୍କର କ୍ରିସ-କି୍ରସେଣ୍ଟ ୱାର ବା କ୍ରୁସେଡଠାରୁ ବି ଏହା ଭୟଙ୍କର । ଏହା ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ଭାବେ ରକ୍ତ-ମାଂସ ପରି ରହିଛି । ଧର୍ମ କେବେ ବି ମଣିଷକୁ ବୈଜ୍ଞାନିକ ମୂଲ୍ୟବୋଧ ମଧ୍ୟରେ ଗତି କରିବା, ଅର୍ଥନୈତିକ ସମାନତା ଆଦି ପଥରେ ଚାଲିବାକୁ ଦେଇ ନଥାଏ । ବରଂ ଉତ୍ପୀଡ଼ନ, ହିଂସା, ସାମାଜିକ ଅସମାନତା, ଯୁଦ୍ଧ ଆଦି ଦିଗରେ ମଣିଷକୁ ଅଗ୍ରସର କରାଇଥାଏ ।

ହିନ୍ଦୁ, ବୌଦ୍ଧ, ଜୈନ, ଖ୍ରୀଷ୍ଟିଆନ, ତାଓ, ଇହୁଦୀ ଆଦି ଧର୍ମର ରଚନା ବିଭିନ୍ନ ସମୟରେ ହୋଇଆସିଛି । ଅନେକ ଭାବନାକୁ ତତ୍କାଳୀନ ସାମାଜିକ ବ୍ୟବସ୍ଥା, ମାନସିକତା ଆଦିରେ ଦୀକ୍ଷିତ କରାଯାଇଛି । ରାଷ୍ଟ୍ରଯନ୍ତ୍ର ହେଉ ବା ରାଜତନ୍ତ୍ର- ଧର୍ମକୁ ପୁଣି ଅନେକ କ୍ଷେତ୍ରରେ ପରିବର୍ତ୍ତନ କରାଯାଇ ଏହାକୁ ରୂପାନ୍ତରିତ କରାଯାଇଛି । ନଚେତ ରକ୍ତପାତ ବିଷୟରେ କୌଣସି ଧର୍ମରେ ଉଲ୍ଲେଖ ନଥିବାବେଳେ କିପରି କାଳକାଳ ଧରି ଧାର୍ମିକ ଯୁଦ୍ଧ ସଂଗଠିତ ହୋଇଆସୁଛି? ପ୍ରାୟ ୮୦ଲକ୍ଷ ଇହୁଦୀଙ୍କୁ ହିଟଲର ମାରିଲେ କିପରି? ମୁସଲିମ ରାଷ୍ଟ୍ର ବିରୋଧରେ ଖ୍ରୀଷ୍ଟିଆନ ରାଷ୍ଟ୍ର ଆକ୍ରମଣ କରୁଛନ୍ତି କିପରି? ଇହୁଦୀ ରାଷ୍ଟ୍ର ବିରୋଧରେ ମୁସଲିମ ରାଷ୍ଟ୍ର ଏକତ୍ରିତ ହେଉଛନ୍ତି କିପରି? ଏହା ପ୍ରମାଣ କରୁଛି ଧାର୍ମିକ ସ୍ୱାର୍ଥ ବଦଳରେ ମଣିଷ ସାମରିକ ଓ ଅର୍ଥନୈତିକ ସ୍ୱାର୍ଥକୁ ଗୁରୁତ୍ୱ ଦେଉଛି । ତଥାକଥିତ ଧର୍ମକୁ ମଣିଷ ଯଥେଚ୍ଛା ବ୍ୟବହାର କରିପାରୁଛି ।

ଖୋଦ୍ ଗୋଟିଏ ଧର୍ମ ମଧ୍ୟରେ ବିଭିନ୍ନ ବିଭାଜନ ହୋଇଆସିଛି । ଯେପରିକି ମୁସଲିମ ଧର୍ମରେ ସିହା, ସୁନ୍ନୀ, ଖ୍ରୀଷ୍ଟିଆନ ଧର୍ମରେ ପ୍ରୋଟେଷ୍ଟାଣ୍ଟ, କ୍ୟାଥୋଲିକ ଆଦି । ମଣିଷ ଏପରି ଏକ ପ୍ରାଣୀ ଯିଏ କି ନିଜର ପରିଚୟ ସର୍ବଦା କୌଣସି ଜାତି, ଧର୍ମ, ବର୍ଣ୍ଣରେ ପ୍ରକାଶ କରିବା ଲାଗି ମାନସିକତା ଜୁଟାଇଥାଏ । ଏଥିପାଇଁ ସର୍ବଦା ସାମାଜିକ ସ୍ତରରେ ଦ୍ୱନ୍ଦ୍ୱ, କଳହ, ହିଂସା, ସାମ୍ପ୍ରଦାୟିକ ଉତ୍ତେଜନା ଲାଗି ରହିଆସିଛି ।

ଏକାଦଶ ଶତାବ୍ଦୀ ପୂର୍ବରୁ ଖ୍ରୀଷ୍ଟିଆନମାନଙ୍କ ମନରେ ପବିତ୍ର ଯୁଦ୍ଧ ବୋଲି କୌଣସି ଭାବନା ନଥିଲା । ମାତ୍ର ଜେରୁଜେଲମକୁ ନେଇ ଯେତେବେଳେ ବିବାଦ ଉଠିଲା ଏବଂ ମୁସଲିମମାନଙ୍କ ଅଧିକାର ଉପରେ ପ୍ରଶ୍ନ ଉଠିଲା ସେତେବେଳେ ପୋପ୍ ଏଥିରେ ହସ୍ତକ୍ଷେପ କରି ହୋଲି ୱାର ବା ପବିତ୍ର ଯୁଦ୍ଧର ସ୍ଲୋଗାନ ଦେଲେ । ଏହାକୁ ବି ଭଗବାନଙ୍କ ଶତୁ୍ରଙ୍କ ବିରୋଧରେ ଯୁଦ୍ଧ ବୋଲି ବି କୁହାଗଲା । ଯାହାର ଫଳ ହୋଇଥିଲା ତଥାକଥିତ ମୁକ୍ତିଯୁଦ୍ଧରେ ଲକ୍ଷଲକ୍ଷ ଲୋକଙ୍କ ଅକାଳ ମୃତ୍ୟୁ ।

୧୯୯୧-୯୫ କ୍ରୋଏସିଆ ଯୁଦ୍ଧ, ୧୯୯୨-୯୫ ବୋସନିଆ ଯୁଦ୍ଧ ଆଦିକୁ ଦେଖିବାକୁ ଗଲେ ଧାର୍ମିକ ଯୁଦ୍ଧର ଜଟିଳତା କିପରି ସୁଦୂରପ୍ରସାରୀ ତାହା ପରିଲକ୍ଷିତ ହୋଇଥାଏ । ଏହି ଯୁଦ୍ଧ ରକ୍ଷଣଶୀଳ, କ୍ୟାଥୋଲିକ ଖ୍ରୀଷ୍ଟିଆନ ଓ ମୁସଲମାନଙ୍କ ମଧ୍ୟରେ ହୋଇଥିଲା । ଅର୍ଥାତ ସର୍ବ, କ୍ରୋଏସୀୟ ଓ ବୋସନୀୟଙ୍କ ମଧ୍ୟରେ ହୋଇଥିଲା । ଏପରିକି ଏହି ଯୁଦ୍ଧ ଲାଗି ଜିହାଦରେ ଭାଗ ନେବା ଲାଗି ବୋସନିଆକୁ ଆସିଥିଲେ ବିଦେଶୀ ମୁସଲିମ ସ୍ୱେଚ୍ଛାସେବୀ ଯାହାଙ୍କୁ କୁହାଯାଉଥିଲା ବୋସନୀୟ ମୁଜାହିଦ୍ଦିନ ।

ଇତିହାସ ପ୍ରମାଣ କରୁଛି ବିଶ୍ୱରୁ କ୍ଷୁଧା, ଦାରିଦ୍ର୍ୟ, ନିର୍ଯାତନା, ଉତ୍ପୀଡ଼ନ, ଅସମାନତା, ଜାତିବାଦ, ଧର୍ମବାଦ ଆଦି ଦୂରେଇବା ଲାଗି କେବେ ବି ଯୁଦ୍ଧ ହୋଇନାହିଁ । ମାତ୍ର ଧର୍ମ ନାମରେ ତଥା ଧାର୍ମିକ ଓ ଶାସନଗତ ସ୍ୱାର୍ଥ ପୂରଣ ଲାଗି ମଣିଷ ବିରୋଧରେ ମଣିଷ ସର୍ବଦା ଯୁଦ୍ଧ କରିଆସିଛି । ଏହାର ପ୍ରମାଣସ୍ୱରୂପ ଖ୍ରୀପୂ ୫୯୫ରୁ ଖ୍ରୀପୂ ୨୮୦ ମଧ୍ୟରେ ପାଞ୍ଚଟି ବଡ଼ ଧରଣର ‘ପବିତ୍ର ଯୁଦ୍ଧ’ ହୋଇଛି ।

କୌଣସି କାରଣରୁ ଯୁଦ୍ଧ ହେଉନା କାହିଁକି ଏହାକୁ ଧାର୍ମିକ ରୂପରେ ପରିବର୍ତ୍ତନ କରିବା ସହଜ ଓ ଯୁଦ୍ଧକୁ ନିଜ ସପକ୍ଷରେ ବ୍ୟବହାର କରିବା ଲାଗି ଏହା ଏକ ମାର୍ଗ । ଧାର୍ମିକ ସ୍ୱାର୍ଥକୁ ନେଇ ଭାବପ୍ରବଣତାର ଦୁରୂପଯୋଗ ବିଶ୍ୱରେ ସର୍ବଦା ପରିପ୍ରକାଶ ହୋଇଆସିଛି । ମଣିଷ ବି ଧର୍ମ ରୂପକ ଭାବନା ଭିତରେ ଏତେ ମାତ୍ରାରେ ଆବଦ୍ଧ ଯେ ନିଜର ମୃତ୍ୟୁ ନେଇ ଚିନ୍ତିତ ହେବା ବଦଳରେ ତଥାକଥିତ ଧାର୍ମିକ ତ୍ୟାଗ ଲାଗି ମନ ବଳାଇଥାଏ । ଏହି କାରଣରୁ ଯୁଦ୍ଧର ବ୍ୟାପକତା ବଢ଼ିଥାଏ । ଧାର୍ମିକ ବିଭାଜନ ବି ବ୍ୟାପକ ରକ୍ତପାତର କାରଣ ସାଜିଥାଏ । ଷଷ୍ଠଦଶ ଶତାବ୍ଦୀରେ ଫ୍ରାନ୍ସରେ ରୋମାନ କ୍ୟାଥୋଲିକ ଓ ପ୍ରୋଟେଷ୍ଟାଣ୍ଟ ଧର୍ମାବଲମ୍ବୀଙ୍କ ମଧ୍ୟରେ ବାରମ୍ବାର ଯୁଦ୍ଧ (French Wars of Religion)ଏହାର ଅନ୍ୟ ଏକ ଉଦାହରଣ ।

ବିଭିନ୍ନ ଦେଶର ସ୍ୱାଧୀନତା ଆନ୍ଦୋଳନକୁ ନେଇ ବିତର୍କ ରହିଆସିଛି । ଭାରତରେ ବି ଏହା କେତେକାଂଶରେ ପରିଲକ୍ଷିତ ହୋଇଛି । ଅର୍ଥାତ ବ୍ରିଟିଶ ଖ୍ରୀଷ୍ଟିଆନଙ୍କ ବିରୋଧରେ ହିନ୍ଦୁ ଜାଗରଣକୁ ବ୍ୟବହାର କରାଯାଇଛି । ଖ୍ରୀଷ୍ଟିଆନଙ୍କୁ ବିରୋଧ କରିବା ଆଳରେ ଦଶହରା, ଗଣେଶ ଚତୁର୍ଥୀ, ହୋଲି ଉତ୍ସବକୁ ବ୍ୟବହାର କରାଯାଇଛି । ମାତ୍ର ଏହାର ସେତେଟା ପ୍ରଭାବ ପଡ଼ି ନଥିଲା । କାରଣ ଆନ୍ଦୋଳନକାରୀ ଭାରତୀୟଙ୍କ ତୁଳନାରେ ବ୍ରିଟିଶ ସମର୍ଥକ ଭାରତୀୟଙ୍କ ସଂଖ୍ୟା ବହୁଗୁଣ ଅଧିକ ଥିଲା । ଗ୍ରୀକ ମୁକ୍ତି ଯୁଦ୍ଧ (୧୮୨୧-୧୮୨୯)କୁ ଏକ ସ୍ୱାଧୀନତା ଆନ୍ଦୋଳନ କହିବା ଅପେକ୍ଷା ଏହା ଏକ ଧାର୍ମିକ ଯୁଦ୍ଧ ବୋଲି ଅନେକ ଐତିହାସିକ ଦର୍ଶାଇଛନ୍ତି । ୧୮୨୨ ଜାନୁଆରୀ ୧୫ରେ ଗ୍ରୀସର ସ୍ୱାଧୀନତା ଘୋଷଣା ଏକ ଜାତୀୟତାବାଦୀ ତଥା ଧାର୍ମିକ ସ୍ଲୋଗାନ ଥିଲା ବୋଲି କୁହାଯାଏ ।

ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ବି ସମ୍ପୂର୍ଣ୍ଣ ଭାବେ ଏକ ଧର୍ମପ୍ରବଣ ଯୁଦ୍ଧ । ଏହାର ସାଧାରଣ ସମାଧାନ ବଦଳରେ ଏହାକୁ ଅଧିକ ଜଟିଳ ଧାର୍ମିକ ରୂପ ଦିଆଯିବା ଘଟଣା ଏକ ବିଶ୍ୱଯୁଦ୍ଧ ପରିସ୍ଥିତି ସୃଷ୍ଟି କରିଆସିଛି । ବିଶେଷ କରି ଇହୁଦୀ ଓ ମୁସଲିମଙ୍କ ମଧ୍ୟରେ ବିବାଦ ସାରା ବିଶ୍ୱକୁ ବିଭକ୍ତ କରିବାରେ ସକ୍ଷମ ହୋଇଛି । ଧାର୍ମିକ ଭିତ୍ତିରେ ବିଶ୍ୱକୁ ବିଭାଜିତ କରାଯାଉଛି । ଏଥିରେ ତଥାକଥିତ ଧାର୍ମିକ ଭାବନାଠାରୁ ଆରମ୍ଭ କରି ସାମରିକ ସ୍ୱାର୍ଥକୁ ଗୁରୁତ୍ୱ ଦିଆଯାଉଛି । ଇହୁଦୀ, ମୁସଲିମ, ଖ୍ରୀଷ୍ଟିଆନ, ପାଲେଷ୍ଟିନୀୟ, ଇସ୍ରାଏଲୀ, ଆରବୀ, ଗାଜାବାସୀ, ୱେଷ୍ଟବ୍ୟାଙ୍କବାସୀ ଆଦି ଏପରି ଅନେକ ଭାଗରେ ସାରା ପଶ୍ଚିମଏସିଆକୁ ବିଭାଜିତ କରାଗଲାଣି ଯେ, ଏହାର ସମାଧାନର ଆଶା ଅନିଶ୍ଚିତତା ମଧ୍ୟକୁ ଗତି କରୁଛି ।

ଭାରତୀୟ ସ୍ୱାଧୀନତା ସଂଗ୍ରାମକୁ ଭାରତୀୟତା ଭିତ୍ତିରେ କରିବା ବଦଳରେ ଧାର୍ମିକଭିତ୍ତିରେ କରିବାର ପ୍ରବଣତା ତକ୍ରାଳୀନ ନେତାଙ୍କ ମଧ୍ୟରେ ଦେଖା ଦେଇଥିଲା । ଯାହାର ଫଳସ୍ୱରୂପ ଦୁଇଦେଶ ଗଠନ ହୋଇଥିଲା । ଏହାର ଫଳ ଏତେ ପ୍ରଭାବଶାଳୀ ଥିଲା ଯେ, କେତେ ଲୋକଙ୍କ ଜୀବନ ଗଲା ତାହାର ହିସାବ ରହିଲା ନାହିଁ । ଭାରତୀୟ ସମାଜକୁ ଭାଗ ଭାଗ କରିବା ଲାଗି ୧୯୦୬ରେ ଢାକ୍କାରେ ଗଠିତ ହୋଇଥିଲା ଅଲ ଇଣ୍ଡିଆ ମୁସଲିମ ଲିଗ । ସେହିପରି ୧୯୧୫ରେ ଭାରତୀୟ ଜାତୀୟ କଂଗ୍ରେସରୁ ଅଲଗା ହୋଇ ମଦନମୋହନ ମାଲବ୍ୟଙ୍କ ନେତୃତ୍ୱରେ ଗଠିତ ହୋଇଥିଲା ହିନ୍ଦୁ ମହାସଭା । ସ୍ୱାଧୀନତା ସଂଗ୍ରାମକୁ ସାମ୍ପ୍ରଦାୟିକ ଭିତ୍ତିରେ ପରିଚାଳିତ କରିବା ଲାଗି ଏହା ଥିଲା ଏକ ଦେଶଦ୍ରୋହୀ ଭାବନା ।

ମୁସଲିମ ସମ୍ପ୍ରଦାୟର ଭାବନାକୁ ରୂପ ଦେବାଲାଗି ସୟଦ ଅହମ୍ମଦ ଖାଁଙ୍କ ଦ୍ୱାରା ୧୮୭୫ରେ ପ୍ରତିଷ୍ଠିତ ହୋଇଥିଲା ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟ । ସେହିପରି ହିନ୍ଦୁତ୍ୱଧାରାରେ ବ୍ରତୀ ମଦନ ମୋହନ ମାଲବ୍ୟ, ଆନି ବେସାନ୍ତ ପ୍ରମୁଖ ୧୯୧୬ରେ ପ୍ରତିଷ୍ଠା କରିଥିଲେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ । ଏସବୁ ପ୍ରମାଣିତ କରୁଛି ଯେ, ଜାତୀୟ ଓ ସାମୂହିକ ସ୍ୱାର୍ଥ ବଦଳରେ ଧାର୍ମିକ ସ୍ୱାର୍ଥକୁ ଭାରତରେ ବି ଗୁରୁତ୍ୱ ଦିଆଯାଇଆସୁଛି ।

ମନଗଢ଼ା ଧର୍ମକୁ ନେଇ ସାରା ମାନବ ଇତିହାସରେ ବାରମ୍ବାର ରକ୍ତକ୍ଷୟୀ ଯୁଦ୍ଧ ଘଟିଆସିଛି । ଏହାର ଫଳାଫଳ କେବେ ବି ସୁଫଳ ପ୍ରଦାନ କରିନାହିଁ । ବରଂ ଆଣିଛି ବିଭାଜନ, ଦୁର୍ଦ୍ଦଶା, ଉତ୍ପୀଡ଼ନ, ପଳାୟନ, ଗଣହତ୍ୟା, ଶିଶୁହତ୍ୟା, ସାମାଜିକ-ଆର୍ଥିିକ ଦୁର୍ଗତି । ଯେଉଁମାନଙ୍କୁ ଆଜି ଭଗବାନ ବୋଲି ବିଚାର କରାଯାଏ ସେମାନଙ୍କ ନେତୃତ୍ୱରେ ହୋଇଥିବା ଯୁଦ୍ଧରେ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଥିଲେ । ପ୍ରାୟ ୨ହଜାର ବର୍ଷ ପୂର୍ବେ ସଂଗଠିତ ରାମାୟଣ ଯୁଦ୍ଧରେ ପ୍ରାୟ ୫କୋଟି ଲୋକ ପ୍ରାଣ ହରାଇଥିଲେ । ସେହିପରି ମହାଭାରତ ଯୁଦ୍ଧରେ ପ୍ରାଣ ହରାଇଥିଲେ ୧୬୬ କୋଟିରୁ ଅଧିକ ସୈନ୍ୟ ଓ ନାଗରିକ । ସେହି ସମୟର ଅତ୍ୟାଧୁନିକ ତୀର, ବାଣ, ବଜ୍ର ଆଦି ଜରିଆରେ ଏହି ଭୟଙ୍କର ସଂଘର୍ଷ ହୋଇଥିଲା । ଏହି ଯୁଦ୍ଧଗୁଡ଼ିକରେ ଛଳନା, ତିକ୍ତ କୂଟନୀତି, ହୀନ ରାଜନୀତି କିପରି ସ୍ଥାନ ପାଇଥିଲା, ତାହା ବର୍ଣ୍ଣନା କରିବା ଅନାବଶ୍ୟକ ।

ଧର୍ମୀୟ ଭାବନା, ଧାର୍ମିକ ଅବଧାରଣା ଆଦି ବିଶ୍ୱପୃଷ୍ଠରୁ ନିର୍ମୂଳ ନ ହେବା ଯାଏ ଯୁଦ୍ଧ, ହତ୍ୟା, ନରସଂହାର ଆଦି ଲାଗି ରହିବ ହିଁ ରହିବ ।

Comments

0 comments

Share This Article