ଗଣତନ୍ତ୍ର, ସମ୍ବିଧାନ ଓ ମାନବାଧିକାର ସୁରକ୍ଷା

ବାଘାମ୍ବର ପଟ୍ଟନାୟକ
ବାଘାମ୍ବର ପଟ୍ଟନାୟକ159 Views
17 Min Read

୧୯୪୮ମସିହା ଡିସେମ୍ବର ୧୦ତାରିଖରେ ମିଳିତ ଜାତିସଂଘ ସାଧାରଣ ପରିଷଦରେ ସାର୍ବଜନୀନ ମାନବାଧିକାର ଘୋଷଣାନାମା ଉଦଘୋଷିତ ହେବାପରେ ୧୯୫୦ ଜାନୁଆରୀ ୨୬ତାରିଖରେ ଭାରତୀୟ ସମ୍ବିଧାନ ଗୃହୀତ ହେଲା । ତେଣୁ ସମ୍ବିଧାନ ପ୍ରଣେତାମାନେ ମାନବାଧିକାରର ୫ଟି ସ୍ତମ୍ଭ ଯଥା ନାଗରିକ, ରାଜନୈତିକ, ଅର୍ଥନୈତିକ, ସାମାଜିକ ତଥା ସାଂସ୍କୃତିକ ଅଧିକାରଗୁଡ଼ିକୁ ଭାରତୀୟ ସମ୍ବିଧାନର ମୌଳିକ ଅଧିକାର ଅଥବା ନିର୍ଦ୍ଦେଶାତ୍ମକ ନୀତିରେ ଅନ୍ତର୍ଭୁକ୍ତ କରିଛନ୍ତି । ଯାହା ବି ଅସ୍ପଷ୍ଟ ରହିଯାଇଥିଲା, ସର୍ବୋଚ୍ଚ ନ୍ୟାୟାଳୟ ତାହା ସମ୍ମାନର ସହିତ ବଞ୍ଚିବାର ଅଧିକାର ଭାବରେ ମୌଳିକ ଅଧିକାର ରୂପେ ସ୍ପଷ୍ଟ କରିଦେଇଛନ୍ତି । ଭାରତୀୟ ସମ୍ବିଧାନ ସାର୍ବଜନୀନ ମାନବାଧିକାର ଘୋଷଣାନାମାକୁ ଦୃଷ୍ଟିରେ ରଖି ବ୍ରିଟିଶ ଶାସନକାଳରୁ ପ୍ରଚଳିତ ବିଚାରବ୍ୟବସ୍ଥା ମଧ୍ୟ ଗ୍ରହଣ କରିଛନ୍ତି । ଏହା ଫଳରେ ମୋଗଲ ଓ ଅନ୍ୟାନ୍ୟ ଇସଲାମୀୟ ରାଜତନ୍ତ୍ର ସମୟରୁ ପ୍ରଚଳିତ ନୀତିନିୟମ ସାରିୟତ୍ ତଥା ହିନ୍ଦୁ ରାଜତନ୍ତ୍ର ସମୟରୁ ପ୍ରଚଳିତ ନୀତିନିୟମ ମନୁସଂହିତାର ପ୍ରୟୋଗ କେବଳ ସ୍ୱେଚ୍ଛାକୃତ ଭାବେ ବିବାହ ଭଳି ଅନୁଷ୍ଠାନକୁ ବାଦ୍ ଦେଲେ ଅନ୍ୟସମସ୍ତ କ୍ଷେତ୍ରରୁ ଯଥା ଚାଲିଚଳନ ଓ ଦଣ୍ଡପ୍ରଦାନ କ୍ଷେତ୍ରରୁ ସମ୍ପୂର୍ଣ ଉଛେଦ କରାଯାଇଛି ।

ଭାରତୀୟ ଜାତୀୟ କଂଗ୍ରେସ ତରଫରୁ ଧର୍ମନିରପେକ୍ଷତାର ରାସ୍ତାକୁ ଆପଣେଇ ୧୯୨୦ମସିହାରେ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ବ୍ରିଟିଶ ସରକାର ବିରୁଦ୍ଧରେ ଭାରତ ଛାଡ଼ ଆନ୍ଦୋଳନ ଡାକରା ଦିଆଯାଇଥିଲା । ଏହା ପୂର୍ବରୁ ୧୯୦୬ ମସିହାରେ ଗୋଟିଏ ମୁସଲିମ ଗୋଷ୍ଠୀ ମୁସଲିମ ଲିଗ ଗଠନ କରିଥିବା ବେଳେ ୧୯୧୫ ମସିହାରେ ଗୋଟିଏ ହିନ୍ଦୁଗୋଷ୍ଠୀ ହିନ୍ଦୁ ମହାସଭା ଗଠନ କରିଥିଲେ । ଭାରତ ଛାଡ଼ ଆନ୍ଦୋଳନ ଡାକରାର ୫ବର୍ଷ ମଧ୍ୟରେ ୧୯୨୫ ମସିହାରେ ଅନ୍ୟ ଏକ ହିନ୍ଦୁଗୋଷ୍ଠୀ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଗଠନ କରିଥିବା ବେଳେ ଏବଂ ଶ୍ରମିକ କୃଷକମାନଙ୍କର ଏକ ଗୋଷ୍ଠୀ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଗଠନ କରିଥିଲେ । ମନୁସଂହିତା ଆଧାରରେ ଦେଶଶାସନ ହିନ୍ଦୁଗୋଷ୍ଠୀଙ୍କର ଉଦେଶ୍ୟ ଥିବାବେଳେ ସାରିଆତ ଆଧାରରେ ଦେଶ ଶାସନପାଇଁ ମୁସଲିମ ଗୋଷ୍ଠୀଙ୍କ ଲକ୍ଷ୍ୟ ଥିଲା । ଅନ୍ୟ ପକ୍ଷରେ ସୋଭିଏତ ଦେଶ ଭଳି ଶ୍ରମିକ କୃଷକଙ୍କ ଶାସନପାଇଁ କମ୍ୟୁନିଷ୍ଟ ପାର୍ଟିର ଲକ୍ଷ୍ୟ ରହିଥିଲା । ଦଳିତମାନଙ୍କୁ ଆବହମାନ କାଳରୁ ବାଛବିଚାର କରାଯାଉଥିବାରୁ ସେମାନଙ୍କୁ କ୍ଷମତାରେ ଭାଗିଦାର କରିବାପାଇଁ ଆମ୍ବେଦକର ସଂଗ୍ରାମ ଆରମ୍ଭ କରିଥିଲେ । ଫଳରେ ବ୍ରିଟିଶ ସରକାର କ୍ଷମତା ହସ୍ତାନ୍ତର ପାଇଁ ସମ୍ବିଧାନ ପ୍ରଣୟନ ସକାଶେ ହିନ୍ଦୁ, ମୁସଲିମ ଓ ଦଳିତଙ୍କ ପାଇଁ ସ୍ୱତନ୍ତ୍ର ମତଦାନ ପ୍ରସ୍ତାବ ରଖିଥିଲେ । ଆମ୍ବେଦକରଙ୍କ ପ୍ରସ୍ତାବ ଅନୁଯାୟୀ ଦଳିତମାନଙ୍କ ପାଇଁ ସ୍ୱତନ୍ତ୍ର ମତଦାନ ବ୍ୟବସ୍ଥା ରଖାଯାଇଥିଲେ ମଧ୍ୟ ଏତଦ୍ୱାରା ବିଭାଜନର ଆଶଙ୍କା କରି ମହାତ୍ମା ଗାନ୍ଧୀ ଆମରଣ ଅନଶନ କରିଥିଲେ ଯାହା ଫଳରେ ଆମ୍ବେଦକର ଓ ଗାନ୍ଧିଜୀଙ୍କ ମଧ୍ୟରେ ପୁନାଠାରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲେ ଯାହାକୁ ‘ପୁନା ଚୁକ୍ତି’ ବୋଲି କୁହାଯାଏ । ଏହି ଚୁକ୍ତିଅନୁସାରେ ଦଳିତମାନଙ୍କ ପାଇଁ ଆରକ୍ଷଣର ବ୍ୟବସ୍ଥା ରଖା ଯାଇଥିଲା । ଅବଶେଷରେ ଭାରତ ଓ ପାକିସ୍ଥାନ ନାମରେ ଦେଶ ବିଭାଜିତ ହୋଇ ପରବର୍ତ୍ତୀ ସମୟରେ ପାକିସ୍ଥାନରୁ ବାଂଲାଦେଶ ବିଭାଜିତ ହେଲେ ମଧ୍ୟ ସମସ୍ତ ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ଗଣତନ୍ତ୍ର ତିଷ୍ଠିରହିଛି ଏବଂ ପ୍ରତ୍ୟେକ ଦେଶରେ ନିଜ ନିଜ ସମ୍ବିଧାନ ଅନୁସାରେ ଶାସନ ବ୍ୟବସ୍ଥା ଚାଲୁରହିଛି । ଏଯାବତ ହିନ୍ଦୁ ମୌଳବାଦୀମାନେ ମନୁସଂହିତା ଆଧାରରେ ଭାରତରେ କିମ୍ବା ମୁସଲିମ ମୌଳବାଦୀମାନେ ସାରିଆତ ଆଧାରରେ ପାକିସ୍ଥାନ ଓ ବାଂଲାଦେଶରେ ଶାସନବ୍ୟବସ୍ଥା ପ୍ରଚଳନ କରିବାକୁ ସମର୍ଥ ହୋଇପାରି ନାହାନ୍ତି ଯଦିବା ଏଥିପାଇଁ ସେମାନଙ୍କର ଉଦ୍ୟମ ଅବ୍ୟାହତ ରହିଛି । ଭାରତରେ ବର୍ତ୍ତମାନ ଦିଆଯାଉଥିବା ହିନ୍ଦୁରାଷ୍ଟ୍ରର ଧ୍ୱନି ମନୁସଂହିତା ଆଧାରରେ ଦେଶର ଶାସନବ୍ୟବସ୍ଥା ପ୍ରଚଳନ ଉଦେ୍ଦଶ୍ୟର ଏକ ଝଲକ ମାତ୍ର ।

ସାର୍ବଜନୀନ ମାନବାଧିକାର ଘୋଷଣାନାମା ଏକ ପଥପ୍ରଦର୍ଶନକାରୀ ନୀତି ଥିବାବେଳେ ଏହା ଆଧାରରେ ଆନ୍ତର୍ଜାତିକ ମାନବାଧିକାର ଆଇନ ପ୍ରଣୟନ ପାଇଁ ଦୀର୍ଘ ଦିନ ଧରି ଆଲୋଚନା ଜାରି ରହିଥିଲା । ସେ ସମୟରେ ବିକାଶର ଧାରାକୁ କେନ୍ଦ୍ର କରି ବିଶ୍ୱ ୨ଟି ଶିବିରରେ ବିଭକ୍ତ ହୋଇଯାଇଥିଲା । ଗୋଟିଏ ପଟେ ଯୁକ୍ତରାଷ୍ଟ୍ର ଆମେରିକା ନେତୃତ୍ୱରେ ପୁଞ୍ଜିବାଦୀ ଶିବିର ଥିବାବେଳେ ଅନ୍ୟପଟେ ସୋଭିଏତ ଦେଶ ନେତୃତ୍ୱରେ ସମାଜବାଦୀ ଶିବୀର ରହିଥିଲା । ଏହି ଦୁଇଟି ଶିବିର ମଧ୍ୟରେ ଶୀତଳ ଯୁଦ୍ଧ ଚାଲୁଥିଲା । ମାନବାଧିକାର କ୍ଷେତ୍ରରେ ଆମେରିକା ନାଗରିକ ଓ ରାଜନୈତିକ ଅଧିକାର ଉପରେ ଆଇନ କରିବାକୁ ଚାହୁଁଥିବାବେଳେ ସୋଭିଏତ ଦେଶ ଅର୍ଥନୈତିକ, ସାମାଜିକ ଓ ସାଂସ୍କୃତିକ ଅଧିକାର ଉପରେ ଆଇନ କରିବାକୁ ଚାହୁଁଥିଲା । ସର୍ବଶେଷରେ ୧୯୬୬ ମସିହା ଡିସେମ୍ବର ୧୬ ତାରିଖରେ ମିଳିତ ଜାତିସଂଘ ସାଧାରଣ ପରିଷଦରେ ନାଗରିକ ଓ ରାଜନୈତିକ ଅଧିକାର ଆନ୍ତର୍ଜାତିକ ଚୁକ୍ତିପତ୍ର ଏବଂ ଅର୍ଥନୈତିକ, ସାମାଜିକ ଓ ସାଂସ୍କୃତିକ ଅଧିକାର ଆନ୍ତର୍ଜାତିକ ଚୁକ୍ତିପତ୍ର ନାମରେ ୨ଟି ଆନ୍ତର୍ଜାତିକ ଆଇନ ଗୃହୀତ ହେଲା ।

ଏହି ଚୁକ୍ତିପତ୍ରକୁ ଅନୁମୋଦନ କରିଥିବା ରାଷ୍ଟ୍ରସମୂହ ନିଜ ନିଜର ସମ୍ବିଧାନଭିତ୍ତିରେ ମାନବାଧିକାର କ୍ଷେତ୍ରରେ ଆଇନ ପ୍ରଣୟନ କରିବାକୁ କୁହାଯାଇଥିଲା । ତଦନୁସାରେ ଭାରତୀୟ ସମ୍ବିଧାନର ଅନୁମୋଦନ ଥିବାରୁ ଦେଶରେ ବିଭିନ୍ନ କ୍ଷେତ୍ରରେ ବିଶେଷ କରି ମହିଳା, ଶିଶୁ, ଦଳିତ, ଆଦିବାସୀ, ଭିନ୍ନକ୍ଷମ, ତୃତୀୟ ଲିଙ୍ଗୀ, ବରିଷ୍ଠ ନାଗରିକ ଓ ଶ୍ରମିକଙ୍କ କ୍ଷେତ୍ରରେ ଯେଉଁ ସବୁ ମାନବାଧିକାର ଆଇନଗୁଡିକ ଦୃଷ୍ଟିଗୋଚର ହେଉଛି, ତାହା ବିଶ୍ୱରେ ଚାଲିଥିବା ମାନବାଧିକାର ଆନେ୍ଦାଳନର ଏକ ପ୍ରତିଫଳନ ମାତ୍ର । ସାରା ବିଶ୍ୱରେ ମାନବାଧିକାରଗୁଡିକୁ ସୁରକ୍ଷା ଦେବାପାଇଁ ବିଚାରାଳୟ ଗୁଡିକର ବିକଳ୍ପ ନାହିଁ । ଏଗୁଡ଼ିକର ଦଣ୍ଡଦେବାର କ୍ଷମତା ରହିଛି ମାତ୍ର ବିଶ୍ୱର ପ୍ରତିଟି ବ୍ୟକ୍ତି ପାଖରେ ବିଚାରାଳୟର ନିର୍ଦ୍ଦିଷ୍ଟ ପ୍ରକ୍ରିୟାଯୋଗୁଁ ମାନବାଧିକାର ପହଞ୍ଚ ହେବ ସମ୍ଭବପର ନୁହେଁ । ଏଣୁ ବିଶ୍ୱର ପ୍ରତିଟି ବ୍ୟକ୍ତି ପାଖରେ ମାନବାଧିକାର ପହଞ୍ଚ ହେବା ପାଇଁ ଏପରି ଏକ ଅନୁଷ୍ଠାନ ତିଆରି କରାଯିବାର ଆବଶ୍ୟକତା ଅନୁଭବ କରାଗଲା ଯାହାର ଦଣ୍ଡ ଦେବାର କ୍ଷମତା ନ ରହିଲେ ବି ସୁପାରିଶଗୁଡିକର ମହତ୍ୱ ରହିବ ଯାହା କି ଜନମତ ସୃଷ୍ଟି କରିବାରେ ସହାୟକ ହୋଇପାରିବ । ଏହାକୁ ଆଖିଆଗରେ ରଖି ୧୯୯୧ ମସିହାରେ ପ୍ୟାରିସଠାରେ ଅନୁଷ୍ଠିତ ବିଶ୍ୱସମ୍ମିଳନୀରେ ଏକ ନୀତି ଗ୍ରହଣ କରାଗଲା ଯାହାକୁ ପ୍ୟାରିସ ନୀତି ବୋଲି କୁହାଯାଏ । ୧୯୯୩ ମସିହାରେ ଭିଏନାଠାରେ ଅନୁଷ୍ଠିତ ବିଶ୍ୱସମ୍ମିଳନୀରେ ପ୍ୟାରିସ ନୀତି ଅନୁସାରେ ନିଜ ନିଜ ରାଷ୍ଟ୍ରରେ ମାନବାଧିକାର ଆୟୋଗଗୁଡିକୁ ପ୍ରତିଷ୍ଠା କରି ଏହାର ଲଗାତାର ତଦାରଖ କରିବା ପାଇଁ ଆହ୍ୱାନ ଦିଆଗଲା । ଜାତୀୟ ମାନବାଧିକାର ଆୟୋଗଗୁଡିକ ପ୍ୟାରିସ ନୀତି ଅନୁସାରେ ଚାଲୁଛନ୍ତି କି ନାହିଁ ତାହା ପ୍ରତି ୪ ବର୍ଷରେ ଥରେ ବିଶ୍ୱସ୍ତରରେ ତଦାରଖ କରି ସେମାନଙ୍କୁ ଶ୍ରେଣୀମାନ୍ୟତା ଦେବା ପାଇଁ ମଧ୍ୟ ନୀତି ସ୍ଥିର ହେଲା ।

ଆମଦେଶ ଭାରତ ସେହି ଆହ୍ୱାନକୁ ଗ୍ରହଣ କରି ୧୯୯୩ ମସିହାରେ ମାନବାଧିକାର ସୁରକ୍ଷା ଆଇନ ସଂସଦରେ ଗ୍ରହଣ କରିବା ସହିତ ଜାତୀୟ ମାନବାଧିକାର ଆୟୋଗ ପ୍ରତିଷ୍ଠା କରିଛି । ପ୍ରତି ଚାରିବର୍ଷରେ ଥରେ ଏହି ଆୟୋଗର ସମୀକ୍ଷା କରାଯାଇ ‘କ’ଶ୍ରେଣୀ ମାନ୍ୟତା ମଧ୍ୟ ପାଇବାର ମଧ୍ୟ ସୌଭାଗ୍ୟଲାଭ କରିପାରିଛି । ଦେଶର ବିଶାଳତା ଯୋଗୁଁ ବିଭିନ୍ନ ପ୍ରଦେଶରେ ରାଜ୍ୟ ମାନବାଧିକାର ଆୟୋଗଗୁଡିକ ମଧ୍ୟ ପ୍ରତିଷ୍ଠିତ ହୋଇଛନ୍ତି । ମାତ୍ର ପ୍ୟାରିସ ନୀତି ଓ ମିଳିତ ଜାତିସଂଘ ମହାସଚିବଙ୍କ ଚିଠି ଅନୁସାରେ ମାନବାଧିକାର ଆୟୋଗଗୁଡିକୁ ଅଧିକ ଫଳପ୍ରଦ କରିବା ପରିବର୍ତ୍ତେ ଭାରତ ସରକାର ୨୦୧୭ ମସିହାରେ ମାନବାଧିକାର ସୁରକ୍ଷା ଆଇନ ସଂଶୋଧନ କରି ଏହାକୁ ଦୁର୍ବଳ କରିଦେଇଛନ୍ତି । ୧୯୯୩ ମସିହାର ଆଇନ ଅନୁସାରେ ଜାତୀୟ ମାନବାଧିକାର ଆୟୋଗଙ୍କ ଅଧ୍ୟକ୍ଷ ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ଓ ରାଜ୍ୟ ମାନବାଧିକାର ଆୟୋଗଗୁଡ଼ିକଙ୍କ ଅଧ୍ୟକ୍ଷ ଉଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତିଙ୍କ ପରିବର୍ତ୍ତେ ଯେକୌଣସି ବିଚାରପତି ହୋଇପାରିବେ ବୋଲି ସଂଶୋଧନ କରିଛନ୍ତି । ଆୟୋଗଗୁଡ଼ିକଙ୍କ ଅଧ୍ୟକ୍ଷ ଓ ସଦସ୍ୟମାନଙ୍କ କାର୍ଯ୍ୟକାଳ ୫ବର୍ଷ ପରିବର୍ତ୍ତେ ୩ବର୍ଷକୁ କମାଇ ଦେଇଛନ୍ତି । ଅଧ୍ୟକ୍ଷମାନଙ୍କର ପୁନଃନିଯୁକ୍ତି ବ୍ୟବସ୍ଥା ୧୯୯୩ ମସିହାର ମୂଳ ଆଇନରେ ନଥିଲେ ମଧ୍ୟ ୨୦୧୭ ମସିହା ସଂଶୋଧିତ ଆଇନରେ ତାହା ରଖାଯାଇଛି । ଯେହେତୁ ମାନବାଧିକାର ଆୟୋଗମାନଙ୍କ ଅଧ୍ୟକ୍ଷ ଓ ସଦସ୍ୟମାନଙ୍କ ବହିଷ୍କାର ପ୍ରକ୍ରିୟା ଅତ୍ୟନ୍ତ ଜଟିଳ ଥିଲା, ତେଣୁ ଆୟୋଗଗୁଡିକ ମାମଲାଗୁଡିକୁ ବିଚାର କରି ସ୍ୱାଧୀନଭାବରେ ସୁପାରିଶ କରିବାରେ ସମର୍ଥ ହୋଇପାରୁଥିଲେ । ମାତ୍ର ଆଇନର ସଂଶୋଧନ ହେତୁ ଆୟୋଗଗୁଡିକ ସ୍ୱାଧୀନ ନିଷ୍ପତ୍ତି ନେବା ପରିବର୍ତ୍ତେ ବ୍ୟକ୍ତିଗତ ରୁଟିସେକିବା ସକାଶେ ସରକାରଙ୍କ ଉପରେ ନିର୍ଭରଶୀଳ ହେବାର ଦେଖାଯାଇଛି । ଏଭଳି ପରିସ୍ଥିତିରେ ଜାତୀୟ ମାନବାଧିକାର ଆୟୋଗ ଏହାର ଅପହୃତ ସ୍ୱାଧୀନତା ଫେରାଇ ଆଣିବାପାଇଁ ଭାରତ ସରକାରଙ୍କ ପାଖରେ ଦାବୀ କରିବା ପରିବର୍ତ୍ତେ ନୀରବତା ଅବଲମ୍ବନ କରି ଭାରତ ସରକାରଙ୍କ ଆଇନ ସଂଶୋଧନକୁ ସମ୍ମତ୍ତି ଦେଉଛନ୍ତି । ତେଣୁ ଏଆଇଏନ୍ଏନ୍ଆଇ ଯାହାକି ଜାତୀୟସ୍ତରରେ ମାନବାଧିକାର କ୍ଷେତ୍ରରେ କାମ କରୁଥିବା ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କ ଏକ ଅନୁଷ୍ଠାନ ତାହା ଜାତୀୟ ମାନବାଧିକାର ଆୟୋଗଙ୍କ ଶ୍ରେଣୀମାନ୍ୟତା ଉପରେ ତଦାରଖ କରାଯିବା ସମୟରେ ଅଭିଯୋଗ ପ୍ରଦାନ କରିବାରୁ ଏହାର ‘କ’ ଶ୍ରେଣୀମାନ୍ୟତା ବର୍ଷକ ପରେ ପୁଣି ତଦାରଖ କରାଯିବା ପର୍ଯ୍ୟନ୍ତ ଗଡ଼ାଇ ଦିଆଯାଇଛି । ଓଡ଼ିଶା ମାନବାଧିକାର ଆୟୋଗଙ୍କ କ୍ଷେତ୍ରରେ ସିଏସ୍ଏଫ୍ଏଚ୍ଆର ଯାହାକି ଓଡ଼ିଶାରେ ମାନବାଧିକାର କ୍ଷେତ୍ରରେ କାମ କରୁଥିବା ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କର ଏକ ଅନୁଷ୍ଠାନ; ତାହା ତରଫରୁ ରାଜ୍ୟ ମାନବାଧିକାର ଆୟୋଗଙ୍କ କାର୍ଯ୍ୟ ତଦାରଖ କରାଯାଇ ରିପୋର୍ଟ ପ୍ରକାଶ କରାଯିବା ସହିତ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ଦିଆଯାଇଛି । ଏହି ଦାବୀପତ୍ରରେ ମାନବାଧିକାର ସୁରକ୍ଷା ଆଇନ ଅନୁସାରେ ରାଜ୍ୟ ମାନବାଧିକାର ଆୟୋଗଙ୍କୁ ଆବଶ୍ୟକ ଅର୍ଥ ଅନୁଦାନ ହିସାବରେ ଦେବା ସହିତ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି ଅନୁସାରେ ନିଯୁକ୍ତି ଦେବାପାଇଁ ଅନୁରୋଧ କରାଯାଇଛି । ରାଜ୍ୟ ମାନବାଧିକାର ଆୟୋଗଙ୍କଠାରୁ ସବିଶେଷ ତଥ୍ୟ ସୂଚନା ଅଧିକାର ଆଇନ ଅନୁସାରେ ମଗାଯାଇଛି । ଏହା ସଂଗ୍ରହ କରାଯିବା ପରେ ରାଜ୍ୟ ମାନବାଧିକାର ଆୟୋଗଙ୍କୁ ସଶକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କୁ ପକ୍ଷଭୁକ୍ତ କରି ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯିବାର ବିଚାର ଆଲୋଚନା କରାଯାଉଛି ।

ଭାରତ ସରକାରଙ୍କ ଦ୍ୱାରା କେବଳ ଯେ ମାନବାଧିକାର ସୁରକ୍ଷା ଆଇନକୁ ଦୁର୍ବଳ କରିଦିଆଯାଇଛି ତାହା ନୁହେଁ, ସୂଚନା ଅଧିକାର ଆଇନକୁ ମଧ୍ୟ ୨୦୧୭ ମସିହାରେ ସେହିଭଳି ଦୁର୍ବଳ କରିଦିଆଯାଇଛି । ଶ୍ରମିକଙ୍କ ସୁରକ୍ଷା ପାଇଁ ରହିଥିବା ବିଭିନ୍ନ ଆଇନସବୁକୁ ମଧ୍ୟ ଦୁର୍ବଳ କରିଦିଆଯାଇଛି । ସମ୍ବିଧାନର ୩ଟି ଅଙ୍ଗ ବ୍ୟବସ୍ଥାପିକା ସଭା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ଉପରେ ଲଗାତାର ଭାବରେ ଆକ୍ରମଣ ଚାଲୁରହିଛି । ସଂସଦରେ ସଂଖ୍ୟାଗରିଷ୍ଠତାର ସୁଯୋଗ ନେଇ ପ୍ରଚଳିତ ଯୁକ୍ତିଯୁକ୍ତ ଆଇନ ଓ ନ୍ୟାୟପାଳିକାର ନିଷ୍ପତ୍ତିଗୁଡିକୁ ଅକାମୀ କରିଦିଆଯାଉଥିବା ବେଳେ କାର୍ଯ୍ୟପାଳିକାକୁ ହାତବାରିସି କରି ରଖାଯାଉଛି । ସର୍ବୋଚ୍ଚ ନ୍ୟାୟାଳୟଙ୍କ ବିରୁଦ୍ଧରେ ଖୋଲାଖୋଲି ଆକ୍ରମଣ କରାଯିବା ସହିତ ନିର୍ଦ୍ଦିଷ୍ଟ ଚିନ୍ତାଧାରାର ବ୍ୟକ୍ତିଙ୍କୁ ଏଥିରେ ସ୍ଥାନ ଦେବାପାଇଁ ପ୍ରଚେଷ୍ଟା କରାଯାଉଛି । ଗଣତାନ୍ତ୍ରିକ ବିଧିବ୍ୟବସ୍ଥା ଆଗେଇ ନେବାପାଇଁ ଯେତେ ସବୁ ଅନୁଷ୍ଠାନ, ଆୟୋଗ, ବିଶ୍ୱବିଦ୍ୟାଳୟ ଇତ୍ୟାଦି ନିର୍ମାଣ କରାଯାଇଥିଲା, ସେଗୁଡ଼ିକୁ ବିପର୍ଯ୍ୟସ୍ତ କରାଯିବାର ଉଦ୍ୟମ ଅବ୍ୟାହତ ରହିଛି । ନୂଆ ନୂଆ ଆଇନ ତିଆରି କରି କିମ୍ବା ପ୍ରଚଳିତ ଆଇନର ଅପପ୍ରୟୋଗ କରି କହିବାର ଅଧିକାରକୁ ସଂକୁଚିତ କରାଯାଉଥିବା ବେଳେ ନିପୀଡ଼ିତଙ୍କ ପାଇଁ ସ୍ୱର ଉଠାଉଥିବା ମାନବାଧିକାର ସୁରକ୍ଷାକାରୀଙ୍କୁ ସହରୀ ନକ୍ସଲର ଆଖ୍ୟା ଦେଇ କାରାଗାର ଗହ୍ୱରକୁ ଠେଲି ଦିଆଯାଉଛି । ସିବିଆଇ, ଇଡି ଭଳି ଅନୁସନ୍ଧାନକାରୀ ସଂସ୍ଥାମାନଙ୍କର ଦୁରୁପଯୋଗ କରି ବିରୋଧର ସ୍ୱରକୁ ଚାପି ଦିଆଯାଉଛି । ଏହିସବୁ କାର୍ଯ୍ୟରୁ ଦେଶରେ ଗଣତନ୍ତ୍ର ପରିବର୍ତ୍ତେ ଏକଛତ୍ରବାଦ ପ୍ରତିଷ୍ଠା ହେବାର ଉଦ୍ୟମ ସ୍ପଷ୍ଟ ବାରି ହୋଇପଡୁଛି ।

ଆର୍ଥିକ ନ୍ୟାୟ ସମ୍ବିଧାନର ମୁଖବନ୍ଧରେ ସ୍ଥାନପାଇବା ସହିତ ନିର୍ଦେଶାତ୍ମକ ନୀତିରେ ସରକାରଙ୍କ କର୍ତ୍ତବ୍ୟ ହିସାବରେ ସ୍ଥାନ ପାଇଥିବାରୁ ଏକ ଜନମଙ୍ଗଳ ରାଷ୍ଟ୍ର ପ୍ରତିଷ୍ଠାପାଇଁ ଆବଶ୍ୟକ ଆଇନକାନୁନ ଓ ଅନୁଷ୍ଠାନ ସବୁ ନିର୍ମାଣ କରାଯାଇଥିଲା । ଏହା ଫଳରେ କେତେକ ରାଜ୍ୟରେ ଭୂସଂସ୍କାର ସଫଳତାର ସହିତ ସମ୍ପନ୍ନ ହୋଇ ଚାଷୀଙ୍କ ହାତକୁ ଜମି ଆସି ପାରିଥିଲା । ସବୁଜବିପ୍ଳବ ଦ୍ୱାରା ଦେଶ ଖାଦ୍ୟଶସ୍ୟରେ ଆତ୍ମନିର୍ଭରଶୀଳ ହୋଇ ବିଦେଶକୁ ଖାଦ୍ୟଶସ୍ୟ ରପ୍ତାନି କରିବାପାଇଁ ମଧ୍ୟ ସକ୍ଷମ ହୋଇ ପାରିଥିଲା । ବ୍ୟାଙ୍କ ଜାତୀୟକରଣ ଫଳରେ ଗ୍ରାମାଞ୍ଚଳରେ ଲୋକଙ୍କୁ ବ୍ୟାଙ୍କସୁବିଧା ଯୋଗାଇ ଦିଆଯିବାରୁ କ୍ଷୁଦ୍ର ଓ କୁଟୀରଶିଳ୍ପ ପ୍ରତିଷ୍ଠାଦ୍ୱାରା ବେକାରୀସମସ୍ୟା କିଛିପରିମାଣରେ ଦୂର କରିବାରେ ସମର୍ଥ ହୋଇ ପାରିଥିଲା । ମାତ୍ର ବିମୁଦ୍ରୀକରଣ ଦ୍ୱାରା କ୍ଷୁଦ୍ର ଓ କୁଟୀରଶିଳ୍ପଗୁଡିକ ପ୍ରାୟ ଧ୍ୱଂସ ହୋଇଯାଇଥିବାବେଳେ ଯାହା କିଛି ଅବଶିଷ୍ଟ ବଞ୍ଚି ରହିଛି ଭୂଲଭାବରେ ଜିଏସଟି ଲାଗୁ କରାଯିବା ଫଳରେ ଜୀବନ ସେମାନଙ୍କର ଦୁକୁଦୁକୁ ଅବସ୍ଥାକୁ ଚାଲିଆସିଛି । ଅନ୍ୟପଟେ ଚାଷୀ ତାର ଫସଲର ମୂଲ୍ୟ ନପାଇ କୃଷିଋଣ ପାଇଁ ଆତ୍ମହତ୍ୟା କରୁଥିବା ବେଳେ ଦରଦାମ ଓ ବେକାରୀ ହୁ ହୁ ହୋଇ ବଢ଼ିଚାଲିଛି । ସରକାରୀ ମାଲିକାନାରେ ଥିବା ପ୍ରତିଷ୍ଠାନ ଓ କଳକାରଖାନାଗୁଡ଼ିକ ଯାହା କିଛି ପରିମାଣରେ ବେକାରୀ ସମସ୍ୟା ଦୂରୀକରଣରେ ସହାୟକ ହେଉଥିଲା, ସେଗୁଡିକୁ ଉଦେଶ୍ୟମୂଳକ ଭାବରେ ଉଛେଦ କିମ୍ବା ଦୁର୍ବଳ କରି ଏକଚାଟିଆ ପୁଞ୍ଜିପତିମାନଙ୍କ ହାତକୁ ଟେକି ଦିଆଯାଉଛି । ସବୁଜ ବିପ୍ଳବ ପରେ ଗ୍ରାମାଞ୍ଚଳରେ ସରକାରୀ ପ୍ରୋତ୍ସାହନରେ ବେସରକାରୀ ଉଦ୍ୟମରେ ବ୍ୟାପକ କୃଷିଭିତ୍ତିକ କ୍ଷୁଦ୍ରଶିଳ୍ପ ପ୍ରତିଷ୍ଠା କରାଯାଇ ବେକାର ଯୁବକଯୁବତୀଙ୍କୁ କର୍ମଯୋଗାଣର ଆବଶ୍ୟକତା ଥିବାବେଳେ ଏଥିପାଇଁ ବ୍ୟାଙ୍କ ଋଣ ଅସହଜ ହୋଇପଡୁଛି । ଅଥଚ ଏକଚାଟିଆ ପୁଞ୍ଜିପତିମାନଙ୍କୁ ହଜାର ହଜାର କୋଟି ଟଙ୍କା ବ୍ୟାଙ୍କଋଣ ଦିଆଯାଇ ପରବର୍ତ୍ତୀ ସମୟରେ ତାହା ଛାଡ଼ କରିଦିଆଯିବା ଫଳରେ ସେମାନଙ୍କ ପାଖରେ ପୁଞ୍ଜିର ପାହାଡ଼ ସୃଷ୍ଟି ହେଉଛି ଯାହାକି ଆର୍ଥôକ ନ୍ୟାୟ ପରିବର୍ତ୍ତେ ଆର୍ଥିକ ବିଷମତା ସୃଷ୍ଟି କରୁଛି । ସମ୍ବିଧାନର ୩ଟି ଅଙ୍ଗକୁ ସଜାଗ ରଖିବାରେ ଗଣମାଧ୍ୟମର ପ୍ରଭୂତ ଭୂମିକା ଥିବାରୁ ଗଣମାଧ୍ୟମକୁ ଗଣତନ୍ତ୍ରର ୪ର୍ଥ ସ୍ତମ୍ଭର ମାନ୍ୟତା ଦିଆଯାଇ ଥାଏ । ଗଣମାଧ୍ୟମ ହିଁ ସରକାରଙ୍କୁ ପ୍ରଶ୍ନ ପଚାରି ସଠିକ ରାସ୍ତାରେ ଚାଲିବାର ରାସ୍ତା ଦେଖାଇଥାଏ । ମାତ୍ର କେନ୍ଦ୍ର ସରକାରଙ୍କ ସହାୟତାପୁଷ୍ଟ ଏକଚାଟିଆ ପୁଞ୍ଜିପତିଙ୍କ ମାଲିକାନାରେ ଥିବା ଜାତୀୟ ଗଣମାଧ୍ୟମ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ ପଚାରିବା ପରିବର୍ତ୍ତେ ସରକାରଙ୍କ କୋଳାଶ୍ରିତ ହୋଇ ଜାତି, ଧର୍ମ ଓ ଲିଙ୍ଗଗତ ଭେଦଭାବ ଅହରହ ପ୍ରଚାର କରିଚାଲିଥିବାରୁ ସମାଜରେ ଘୃଣାର ବଜାର ସୃଷ୍ଟିହୋଇଛି, ଯାହା କି ମାନବାଧିକାର ସୁରକ୍ଷା ଓ ଅଭିବୃଦ୍ଧି କ୍ଷେତ୍ରରେ ଏକ ବିରାଟ ବାଧକ ରୂପେ ଠିଆ ହୋଇଛି ।

ଦୁର୍ନୀତି ମାନବାଧିକାରର ପ୍ରଥମ ଶତ୍ରୁ ଯାହାକି ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି । ଦୁର୍ନୀତିର ମୂଳଉତ୍ସ ହେଉଛି ଦରଖାସ୍ତର ପ୍ରାପ୍ତିସ୍ୱୀକାର ଦିଆ ନ ଯିବା । ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରୁ ଆରମ୍ଭ କରି ବ୍ଲକ, ତହସିଲ, ଥାନା ଅଧିକାଂଶ କାର୍ଯ୍ୟାଳୟରେ ଦରଖାସ୍ତର ପ୍ରାପ୍ତିସ୍ୱୀକାର ଦିଆ ନଯାଇ ଦୁର୍ନୀତିକୁ ପ୍ରଶ୍ରୟ ଦିଆଯାଇଥାଏ । ସମ୍ବିଧାନର ୩୫୦ ଧାରା କିନ୍ତୁ ପ୍ରତ୍ୟେକ ବ୍ୟକ୍ତିକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯେ କୌଣସି ଅଧିକାରୀଙ୍କୁ ଯେ କୌଣସି ଭାଷାରେ ତାଙ୍କର ଅଭିଯୋଗ ଦେବାର ଅଧିକାର ଦେଇଛି । ପ୍ରତ୍ୟେକ ଅଧିକାରୀ ଜଣେ ବ୍ୟକ୍ତି ହୋଇଥିବାରୁ ସମ୍ବିଧାନର ୫୧(କ) ଧାରା ଏବଂ ସାର୍ବଜନୀନ ମାନବାଧିକାର ଘୋଷଣାନାମାର ୨୯ ଧାରା ଅନୁସାରେ ଅଭିଯୋଗର ପ୍ରାପ୍ତିସ୍ୱୀକାର ଦେବା ଓ ଏହା ଉପରେ ନିଷ୍ପତ୍ତି ନେବା ଅଧିକାରୀଙ୍କ କର୍ତ୍ତବ୍ୟ । ମାତ୍ର ଦେଶରେ ଲିଖିତ ଆଇନ ଉପରେ ଗୁରୁତ୍ୱ ଦିଆଯାଉଥିବା ବେଳେ ସମ୍ବିଧାନର ୩୫୦ଧାରା ତଥା ସାର୍ବଜନୀନ ମାନବାଧିକାର ଘୋଷଣାନାମାର ୨୯ଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଭାରତର ସଂସଦରେ କିମ୍ବା ବିଧାନସଭାରେ କୌଣସି ଆଇନ ପାରିତ ହୋଇନାହିଁ ଯାହାକି ପ୍ରାପ୍ତିସ୍ୱୀକାର ଦେବା ନଦେବା ଅଧିକାରୀଙ୍କ ମର୍ଜ ଉପରେ ଛାଡ଼ି ଦିଆଯାଇଛି । ୨୦୦୪ ମସିହାରେ ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମାଗିଲେ ମଧ୍ୟ ଅଭିଯୋଗକାରୀଙ୍କୁ ପ୍ରାପ୍ତିସ୍ୱୀକାର ଦିଆନଯିବା ଏକ ଘଟଣା ଉପରେ ତତ୍କାଳୀନ ଓଡ଼ିଶା ଲୋକପାଳଙ୍କ ନିକଟରେ ଅଭିଯୋଗ ଦାଖଲ କରାଯାଇଥିଲା । ଲୋକପାଳ କେଶ ନଂ ୧୧୨(କ)/୨୦୦୪ ବାଘାମ୍ବର ପଟ୍ଟନାୟକ-ବନାମ-ଜିଲ୍ଲାପାଳ, ପୁରୀ ମାମଲାରେ ଓଡ଼ିଶା ଲୋକପାଳ ଯେକୌଣସି ଅଭିଯୋଗକାରୀ ମାଗିଲେ ତାଙ୍କୁ ପ୍ରାପ୍ତି ସ୍ୱୀକାର ଦିଆଯିବା ପାଇଁ ରାଜ୍ୟ ରାଜସ୍ୱ ମନ୍ତ୍ରୀଙ୍କୁ ସୁପାରିଶ କରିଥିଲେ । ସେହି ସୁପାରିଶକୁ ଆୟୁଧ କରି ଲଗାତାର ଭାବରେ ସଂଗ୍ରାମ ଜାରି ରହିବା ଫଳରେ ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ୨୦୦୯ ମସିହାରେ, ଜନ ଅଭିଯୋଗ ଓ ପେନ୍ସନ୍ ପରିଚାଳନା ବିଭାଗ ୨୦୧୨ ମସିହା, ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ ୨୦୧୭ ମସିହା ଏବଂ ପୁନଶ୍ଚ ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ ୨୦୧୯ ମସିହା ନିର୍ଦେଶନାମା ଜାରି କରିଛନ୍ତି ଯେ ପ୍ରଶାସନରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ଆଣିବାପାଇଁ ଅଭିଯୋଗକାରୀ ମାଗିଲେ ଚିଠିଗ୍ରହଣକାରୀ କର୍ମଚାରୀ ତାଙ୍କୁ ପ୍ରାପ୍ତିସ୍ୱୀକାର ଦେବେ । ଯଦି ସେ ଚିଠି ଗ୍ରହଣ କରିବାକୁ କିମ୍ବା ପ୍ରାପ୍ତିସ୍ୱୀକାର ଦେବାକୁ ମନାକରନ୍ତି ତେବେ ତାଙ୍କର ଏପରି ବ୍ୟବହାରକୁ ଦୁର୍ବ୍ୟବହାର ଭାବେ ଗଣ୍ୟ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଦଣ୍ଡବିଧାନ ପାଇଁ ଏଭଳି ସ୍ପଷ୍ଟ ସରକାରୀ ନିର୍ଦେଶନାମା ଦିଆଯିବସତ୍ତ୍ୱେ ବିଭିନ୍ନ ଥାନା, ବ୍ଲକ, ତହସିଲଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ପୋଲିସ ମହାନିର୍ଦେଶକଙ୍କ କାର୍ଯ୍ୟାଳୟ ତଥା ଲୋକସେବା ଭବନସ୍ଥିତ ପଞ୍ଚାୟତିରାଜ ବିଭାଗରେ ବିଭିନ୍ନ ଅଭିଯୋଗକାରୀ ମାଗିଲେ ମଧ୍ୟ ସେମାନଙ୍କୁ ପ୍ରାପ୍ତିସ୍ୱୀକାର ଦିଆଯାଇନାହିଁ ଯାହା ଉପରେ ଓଡ଼ିଶା ମାନବାଧିକାର କମିଶନ ତଦନ୍ତ କରୁଛନ୍ତି । ସରକାରୀ କାର୍ଯ୍ୟାଳୟଗୁଡ଼ିକର ସମସ୍ତ ଅଧିକାରୀ କିମ୍ବା ସମସ୍ତ କର୍ମଚାରୀ ସାଧୁ ବା ଅସାଧୁ ହୋଇନଥାନ୍ତି । ଅସାଧୁ କର୍ମଚାରୀମାନେ ଉତ୍ତରଦାୟିତ୍ୱକୁ ଏଡ଼ାଇବାପାଇଁ ପ୍ରାପ୍ତିସ୍ୱୀକାର ଦେବାକୁ ମନା କରିଥାନ୍ତି । ଏଭଳି କ୍ଷେତ୍ରରେ ତାଙ୍କର ଉପରିସ୍ଥ ଅଧିକାରୀଙ୍କୁ ଲିଖିତ ଭାବରେ ଜଣାଇ ତଦନ୍ତପାଇଁ ଓଡିଶା ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗପତ୍ର ଦାଖଲ କଲେ ତାହା ତଦନ୍ତ କରାଯାଇ ଦୋଷୀ କର୍ମଚାରୀ ତଥା ଅଧିକାରୀଙ୍କୁ ଦଣ୍ଡଦେବା ପାଇଁ ସୁପାରିଶ ହୋଇ ପାରିବ ଏବଂ ପ୍ରଶାସନରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ଅଣାଯାଇ ପାରିବ ଯାହା କି ଦୁର୍ନୀତି ଦୂରୀକରଣ ତଥା ସୁଶାସନ ପ୍ରତିଷ୍ଠାରେ ସହାୟକ ହୋଇପାରିବ ।

ମହାତ୍ମା ଗାନ୍ଧୀ ଧରାପୃଷ୍ଠରୁ ବିଦାୟ ନେବାର ୨ମାସ ୦୮ଦିନ ପରେ ସାର୍ବଜନୀନ ମାନବାଧିକାର ଘୋଷଣାନାମା ବିଶ୍ୱରେ ଉଦଘୋଷିତ ହେଲା । ତାହାଥିଲା ମାନବଜାତି ପାଇଁ ଥିଲା ଏକ ବିପ୍ଳବ । ତେଣୁ ତାଙ୍କର ଜନ୍ମଦିବସ ଅକ୍ଟୋବର ୨ତାରିଖକୁ ମିଳିତ ଜାତିସଂଘ ସାଧାରଣ ପରିଷଦର ନିଷ୍ପତ୍ତି ଅନୁସାରେ ବିଶ୍ୱରେ ଅହିଂସା ଦିବସରୂପେ ପାଳନ କରାଯାଉଛି । ବିଂଶ ଶତାବ୍ଦୀର ପ୍ରାରମ୍ଭ ୧୯୦୫ ମସିହାରେ ସେ ଯେଉଁ ସଂଗ୍ରାମର ଅସ୍ତ୍ର ଉଦ୍ଭାବନ ଓ ପ୍ରୟୋଗ କରି ତକ୍ରାଳୀନ ଦକ୍ଷିଣଆଫ୍ରିକା ଗୋରା ସରକାରଙ୍କ ଠାରୁ ସେଠାକାର ପ୍ରବାସୀ ଭାରତୀୟଙ୍କ ଆତ୍ମସମ୍ମାନ ଫେରାଇ ଆଣିବା ସହିତ ପରବର୍ତ୍ତୀ ସମୟରେ ଭାରତବର୍ଷରୁ ବ୍ରିଟିଶ ସରକାରକୁ ନିକାଲି ଦେଇ ପାରିଥିଲେ, ସେହି ଅସ୍ତ୍ରକୁ ୧୯୯୮ମସିହା ଡିସେମ୍ବର ୯ତାରିଖରେ ମିଳିତ ଜାତିସଂଘ ସାଧାରଣ ପରିଷଦର ନିଷ୍ପତ୍ତି ଅନୁସାରେ ମାନବଜାତି ମାନବାଧିକାର ସୁରକ୍ଷାକାରୀଙ୍କ ହସ୍ତରେ ଅର୍ପଣ କରିଛି । ସେହି ଅସ୍ତ୍ରଟିର ନାମ ଭାରତୀୟମାନେ ସତ୍ୟାଗ୍ରହ ବୁଝୁଥିବାବେଳେ ବିଶ୍ୱବାସୀଙ୍କ ପାଇଁ ଶାନ୍ତିପୂର୍ଣ୍ଣ ସଂଗ୍ରାମ । ଉକ୍ତଦିନ ମିଳିତ ଜାତିସଂଘ ସାଧାରଣ ପରିଷଦ ବୈଠକରେ ମାନବାଧିକାର ସୁରକ୍ଷାକାରୀଙ୍କ ଘୋଷଣାନାମା ଗ୍ରହଣ କରାଯାଇଥିଲା ଏବଂ ଏହାର ୧୨ ଧାରାରେ ମାନବାଧିକାର ସୁରକ୍ଷାକାରୀଙ୍କ ହସ୍ତରେ ଏହି ଅସ୍ତ୍ର ଅର୍ପଣ କରାଯାଇଥିଲା । ସତ୍ୟାଗ୍ରହ ବା ଶାନ୍ତିପୂର୍ଣ୍ଣ ସଂଗ୍ରାମର ଅର୍ଥ ବ୍ୟାପକ ଥିବାବେଳେ ସତ୍ୟାଗ୍ରହର ମଞ୍ଜକଥାଟି ହେଉଛି ଶତ୍ରୁତା କରୁଥିବା ଲୋକକୁ ହୃଦୟରେ ଘୃଣା ନକରି ଭଲପାଇବା ଏବଂ ନିଜକଥାରେ ଅଟଳ ରହି ଶାନ୍ତିପୂର୍ଣ୍ଣ ଭାବରେ ମୃତୁ୍ୟ ପର୍ଯ୍ୟନ୍ତ ସଂଗ୍ରାମ କରିବା । ଏହି ଅସ୍ତ୍ର ବଳରେ କିଛି ଲୋକ ମିଳିତଭାବେ କିମ୍ବା କେହି ନ ବାହାରିଲେ ଜଣେ ମଧ୍ୟ ଏକୁଟିଆ ହେଲେ ବି ମାନବାଧିକାର ଉଲ୍ଲଙ୍ଘନ ସମ୍ପର୍କରେ କାର୍ଯ୍ୟପାଳିକା, ବ୍ୟବସ୍ଥାପିକା କିମ୍ବା ନ୍ୟାୟପାଳିକାର କର୍ତ୍ତୃପକ୍ଷଙ୍କୁ ଆବେଦନ କରିପାରିବେ । ସେମାନେ ଯଦି ଅହେତୁକ ଭାବରେ ନିଷ୍ପତ୍ତି ନେବାରେ ବିଳମ୍ବ କରନ୍ତି, ତେବେ ମିଳିତ ଭାବେ କିମ୍ବା ଜଣେ ହେଲେ ବି ଶାନ୍ତିପୂର୍ଣ୍ଣ ସଂଗ୍ରାମ କରିପାରିବ । ସତ୍ୟାଗ୍ରହ କିମ୍ବା ଶାନ୍ତିପୂର୍ଣ୍ଣ ସଂଗ୍ରାମର ସଂଜ୍ଞା ଭିତରେ ଧାରଣା, ଅନଶନ ଏବଂ ଆଇନଅମାନ୍ୟ ଇତ୍ୟାଦି ଆସୁଛି । ଆଇନ ଅମାନ୍ୟ କଲେ କାରାବରଣ କରିବାକୁ ପଡୁଥିବାରୁ ସତ୍ୟାଗ୍ରହୀମାନେ ଜାମିନରେ ଆସିବାକୁ ପସନ୍ଦ କରିନଥାନ୍ତି ଏବଂ ମୃତ୍ୟୁ ପର୍ଯ୍ୟନ୍ତ କାରାଗାରରେ ରହିବା ପାଇଁ ମାନସିକ ଭାବରେ ଦୃଢ଼ ରହିଥାନ୍ତି । ଶାନ୍ତିପୂର୍ଣ୍ଣ ସଂଗ୍ରାମ ସମୟରେ ସତ୍ୟାଗ୍ରହୀଙ୍କ ଉପରେ ଆକ୍ରମଣ ହୋଇ ରକ୍ତାକ୍ତ ହେଲେ ବି ଡରି ନ ଯାଇ କିମ୍ବା ଆକ୍ରମଣକାରୀଙ୍କୁ ପ୍ରତି ଆକ୍ରମଣ ନକରି ସେମାନଙ୍କ ପ୍ରତି ହୃଦୟରେ ଭଲପାଇବା ରଖିଥାନ୍ତି ।

ଭାରତ ପରାଧୀନ ଥିବା ବେଳେ ମଣିଷର ଅଧିକାର ପାଇଁ ଯେଉଁମାନେ ଶାନ୍ତିପୂର୍ଣ୍ଣ ଭାବରେ ଲଢୁଥିଲେ ସେମାନେ ସମସ୍ତେ ମାନବାଧିକାର ସୁରକ୍ଷାକାରୀ । ତେଣୁ ମହାତ୍ମା ଗାନ୍ଧୀଙ୍କଠାରୁ ଆରମ୍ଭ କରି ଯେଉଁମାନଙ୍କୁ ଆଜି ସ୍ୱାଧୀନତା ସଂଗ୍ରାମୀ ବୋଲି କୁହାଯାଏ, ସେମାନେ ସମସ୍ତେ ହେଉଛନ୍ତି ଆଜିକାର ଭାଷାରେ ମାନବାଧିକାର ସୁରକ୍ଷାକାରୀ । ଦେଶ ସ୍ୱାଧୀନତା ପାଇବା ପରେ ଏବେ ମଧ୍ୟ କିଛିଲୋକ ସାଧାରଣ ଲୋକଙ୍କ ନାଗରିକ, ରାଜନୈତିକ, ଅର୍ଥନୈତିକ, ସାମାଜିକ ଓ ସାଂସ୍କୃତିକ ଅଧିକାର ପାଇଁ ଲଢ଼ୁଛନ୍ତି । ମିଳିତ ଜାତିସଂଘ ମାନବାଧିକାର ସୁରକ୍ଷାକାରୀଙ୍କ ଘୋଷଣାନାମା ଆଧାରରେ ମାନବାଧିକାର ସୁରକ୍ଷାକାରୀଙ୍କ ସଂଗ୍ରାମକୁ ସ୍ୱୀକୃତି ଦେବାପାଇଁ ଆଇନ ପ୍ରଣୟନ ସକାଶେ ଏହି ଘୋଷଣାନାମାରେ ସଦସ୍ୟ ରାଷ୍ଟ୍ରମାନଙ୍କୁ ଆହ୍ୱାନ ଦିଆଯାଇଛି ।

ମାନବାଧିକାର ସୁରକ୍ଷାକାରୀଙ୍କ ଉପରେ କୌଣସି ଆକ୍ରମଣ, ଭୟ ପ୍ରଦର୍ଶନ ଇତ୍ୟାଦି କରାଗଲେ ଏବଂ ଏହା ସରକାରଙ୍କ ଦୃଷ୍ଟିକୁ ଅଣାଗଲା ପରେ ବି ଏହା ଉପରେ ସରକାରଙ୍କଦ୍ୱାରା କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ମାନବାଧିକାର ସୁରକ୍ଷାକାରୀ କିମ୍ବା ତାଙ୍କ ତରଫରୁ ଅନ୍ୟ କେହି ଜେନେଭାସ୍ଥିତ ମିଳିତ ଜାତିସଂଘ ମାନବାଧିକାର ସୁରକ୍ଷାକାରୀଙ୍କ ସ୍ୱତନ୍ତ୍ର ସମ୍ପର୍କକାରୀଙ୍କ ନିକଟରେ ଅଭିଯୋଗ କରିପାରିବେ । ସ୍ୱତନ୍ତ୍ର ସମ୍ପର୍କକାରୀ ଏହି ଅଭିଯୋଗ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇ ଏହା ଉପରେ ଉତ୍ତର ଚାହିଁବେ । ସ୍ୱତନ୍ତ୍ର ସମ୍ପର୍କକାରୀ ମିଳିତ ଜାତିସଂଘ ନିକଟରେ ରିପୋର୍ଟ ଦାଖଲ କରୁଥିବାରୁ ସରକାର ଉତ୍ତର ନଦେଲେ ଦେଶର ଛବି ବିଶ୍ୱରେ ମଳିନ ହେବା ଆଶଙ୍କାରେ ସରକାର ମଧ୍ୟ ଉତ୍ତର ଦିଅନ୍ତି । ତେଣୁ ମାନବାଧିକାର ସୁରକ୍ଷାକାରୀଙ୍କ ଘୋଷଣାନାମା ଅନୁସାରେ ଆମ ଦେଶରେ ମାନବାଧିକାର ସୁରକ୍ଷାକାରୀଙ୍କ ସ୍ୱୀକୃତି ଓ ସୁରକ୍ଷା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପାଖରେ ଦାବୀ ଉପସ୍ଥାପନ କରିବାର ସମୟ ଆସିଯାଇଛି । ତେଣୁ ଦେଶରେ ମାନବାଧିକାର ଆନ୍ଦୋଳନ କେତେ ତୀବ୍ର ଓ ସୁଦୃଢ଼ କରାଯାଇପାରିବ, ତାହା ମାନବାଧିକାର ପାଇଁ ଲଢ଼ୁଥିବା ବ୍ୟକ୍ତିଙ୍କ ଉପରେ ନିର୍ଭର କରେ ।

Comments

0 comments

Share This Article