୧୯୯୦ ଦଶକର ଆର୍ଥôକ ସଂସ୍କାର ତଥା ଉଦାରୀକରଣ, ଘରୋଇକରଣ ଓ ଜଗତୀକରଣ ପ୍ରଭାବ ଓଡ଼ିଶା ଭଳି ରାଜ୍ୟରେ ଭଲଭାବେ ଦେଖିବାକୁ ମିଳିଥିଲା, ଠିକ୍ ତାହାର ପରବର୍ତ୍ତୀ ଦଶନ୍ଧିରେ ଯଦିଓ ୧୯୯୫ରୁ ୨୦୦୦ ମଧ୍ୟରେ ଏହି ପ୍ରଭାବର ପଦଧ୍ୱନୀ ଶୁଣିବାକୁ ମିଳିଥିଲା । ଓଡ଼ିଶା ଉପକୂଳର ଗୋପାଳପୁର ଏବଂ ରାୟଗଡ଼ା ଜିଲ୍ଲାର କାଶିପୁର ଏହାର ପ୍ରଥମ ସାକ୍ଷୀରୂପେ ଏବେବି ବିଦ୍ୟମାନ । ଡିସେମ୍ବର ୧୬, ୨୦୦୦ଦିନ ୩ଜଣ ଆଦିବାସୀ ନିଜର ଭିଟାମାଟି ଓ ଜୀବନଜୀବିକାର ସୁରକ୍ଷା ପାଇଁ ଟଳି ପଡ଼ିଥିଲେ ପୋଲିସ ଗୁଳିରେ । ୨୦୦୦ ମସିହା ପରେ ଓଡ଼ିଶାରେ ଶିଳ୍ପାୟନ ଉଗ୍ରରୂପ ନେଇଥିଲା । ଗୋଟିଏ ପରେ ଗୋଟିଏ ଦେଶୀ ବିଦେଶୀ ବହୁରାଷ୍ଟ୍ରୀୟ କମ୍ପାନୀମାନଙ୍କର ଭିଡ଼ ଲାଗିଲା । ଏହି କମ୍ପାନୀରାଜକୁ ବିରୋଧକରି ପୋଲିସଗୁଳିରେ ଟଳିପଡ଼ିଲେ କଳିଙ୍ଗ ନଗରର ୧୪ଜଣ ଆଦିବାସୀ । ଦିନଥିଲା ଜାନୁଆରୀ ୨, ୨୦୦୬ । ଏହି ଭିତରେ ୧୦୦ରୁ ଅଧିକ ବୁଝାମଣା ପତ୍ର ବା ଏମ୍.ଓ.ୟୁ ରାଜ୍ୟ ସରକାର ଘରୋଇ କମ୍ପାନୀମାନଙ୍କ ସହ ସ୍ୱାକ୍ଷର କରିଛନ୍ତି । ପ୍ରାୟ ସବୁ ବୁଝାମଣା ପତ୍ର ତିନୋଟି ଖଣିଜ ପଥରକୁ କେନ୍ଦ୍ରକରି ଯଥା: ଲୁହାପଥର, ବକ୍ସାଇଟ ଓ କୋଇଲାକୁ ନେଇ । ଏଥି ସହିତ ଅଛି ଏହି ସବୁ ପଥରକୁ ସଫା କରିବା ପାଇଁ ଆଲୁମିନା ରିଫାଇନ୍ନାରୀ ଏବଂ ସ୍ପଞ୍ଜ ଆଇରନ୍ କାରଖାନା । ତାପରେ ଅଛି ଇସ୍ପାତ ନିର୍ମାଣ ଏବଂ ଆଲୁମିିନିୟମ୍ ପ୍ରସ୍ତୁତି ପାଇଁ କାରଖାନା । ସବୁ କାମ ପାଇଁ ଶକ୍ତି ଦରକାର । ଯାହା ଆସେ କୋଇଲା ଏବଂ ପାଣିରୁ । ଏହି ସମସ୍ତ ଖଣିଜ ପଥର ଏବଂ ଖଣିଜ ପଥର –ଭିତ୍ତିକ ଶିଳ୍ପ ପାଇଁ ଲକ୍ଷଲକ୍ଷ ହେକ୍ଟର ଜଙ୍ଗଲ, ଜମି, ଏବଂ ନଦୀଠାରୁ ଆରମ୍ଭ କରି ଜଳଭଣ୍ଡାର ଯାଏଁ ସମସ୍ତ ଜଳର ଉତ୍ସ । ସବୁଗୁଡ଼ିକୁ ମିସାଇଲେ ଆମେ କହିବା ଜଙ୍ଗଲ ସମ୍ପଦ ବା କୃଷିସମ୍ପଦ ଯାହା ଉଗ୍ର ଶିଳ୍ପାୟନ ପାଇଁ ବଳିପଡ଼େ । ଏହି ସବୁ ଉପରେ ନିର୍ଭର କରି ନିଜର ଜୀବନଜୀବିକା ଶହଶହ ବର୍ଷଧରି ଚଳାଇ ଆସୁଥିବା ଲୋକମାନେ କ’ଣ ବିକଳ୍ପ ଅବା ଖୋଜିପାରିବେ? ଦ୍ରୁତ ଶିଳ୍ପାୟନର ପୃଷ୍ଠପୋଷକ ଏବଂ ଉପଭୋକ୍ତାମାନେ ହେଉଛନ୍ତି ଆମ ଶାସକଶ୍ରେଣୀ ଯେଉଁମାନଙ୍କ ପାଖରେ ଉଗ୍ର ଶିଳ୍ପାୟନର ଶିକାର ହେଉଥିବା ଲୋକମାନଙ୍କ ପାଇଁ କୌଣସି ବିକଳ୍ପ ନାହିଁ । ଇତିହାସ ସମୟରୁ ଆମେ ଦେଖି ଆସୁଛେ ଯେ ଯେଉଁଠି ଲୋକଙ୍କ ହାତରେ ଜୀବିକା ଅର୍ଜନ ପାଇଁ ସାଧାନ ନାହିଁ, ସେମାନଙ୍କ ପ୍ରତି ରାଷ୍ଟ୍ରର ବା ସମାଜର କୌଣସି ନିଷ୍ଠାପର ସମବେଦନା ନାହିଁ ଏବଂ ବିକଳ୍ପ ଜୀବିକାର ସମ୍ଭାବନା ନାହିଁ, ସେହି ଲୋକମାନେ କାମ ଅନ୍ୱେଷଣରେ ସୀମା ବାହରକୁ ଯିବେ ବା ଯେକୌଣସି ପରିସ୍ଥିତିରେ ଦାଦନ ଖଟିବା ପାଇଁ ବାଧ୍ୟହେବେ । ଏବେ ଦ୍ରୁତ ଶିଳ୍ପାୟନ ଯୋଗୁଁ ଲକ୍ଷଲକ୍ଷ ଆଦିମ ଅଧିବାସୀ, ଜଙ୍ଗଲଜୀବୀ, ଧାନଚାଷୀ, ପାନଚାଷୀ, ମତ୍ସ୍ୟଚାଷୀ ଏବଂ ଗ୍ରାମ୍ୟକାରିଗର ସମୁଦାୟ ଶହଶହ ବର୍ଷଧରି ହାତରେ ଥିବା ଜୀବିକାର ଆଧାରଗୁଡ଼ିକୁ ହରାଇ ଚାଲିଛନ୍ତି । ଆମେ ଆଦୌ ଚକିତ ହେବା ନାହିଁ ଏହି କଥା ଜାଣି ଯେ ଓଡ଼ିଶାରୁ ବାହାରକୁ ଯାଇ ଦାଦନ ଖଟୁଥିବା ଲୋକଙ୍କ ସଂଖ୍ୟାରେ ଶତକଡ଼ା ୨୦ରୁ ୨୫ଭାଗ ବୃଦ୍ଧିପାଇ ଚାଲିଛି ।
ଆମର କୁହାଳିଆ ଶ୍ରେଣୀ ବା ଶିକ୍ଷିତବର୍ଗ ଉଗ୍ର ଶିଳ୍ପାୟନକୁ ନେଇ ତଥାକଥିତ ବିକାଶର ଏକ ରଙ୍ଗିନ ଚେହେରାକୁ ସାମ୍ନାକୁ ଆଣିବାକୁ ଚେଷ୍ଟା କରିଥାନ୍ତି । ଯେମିତିକି ସରକାରୀ ତଥ୍ୟଗୁଡ଼ିକୁ ଦେଖାଇ ଆମର କିଭଳି ରାଜସ୍ୱ ବୃଦ୍ଧି କରିପାରିଛୁ ସେହି କଥାଟିକୁ ବାରମ୍ବାର କହିଥାଉ । ୨୦୨୧–୨୦୨୨ ଆର୍ଥିକ ବର୍ଷରେ ଆମର ଖଣିଜ ରାଜସ୍ୱ ୪୯ହଜାର ୮ଶହ ୫୮କୋଟିରେ ପହଞ୍ଚିବା କଥାଟି ଆମ ପୋଥିବାଇଗଣ ଅର୍ଥନୀତିଜ୍ଞମାନଙ୍କୁ ରୋମାଞ୍ଚିତ କରିଥିଲା । କରିବା ବି ସ୍ୱାଭାବିକ ମଧ୍ୟ । ନବୀନ ବାବୁ ସରକାର ଗଢ଼ିବାର ପ୍ରଥମବର୍ଷ ଯେଉଁ ଖଣିଜ ରାଜସ୍ୱ ୨ହଜାର ୭୬୬ କୋଟି ଥିଲା ତାହା ଯଦି ତାଙ୍କ ଶାସନର ୨୦ବର୍ଷ ଭିତରେ ପାଖାପାଖି ୫୦ହଜାର କୋଟିରେ ପହଞ୍ଚô ପାରୁଛି ସେଥିରେ ଗଭୀରତା ଭିତରକୁ ନଯାଇ ଉପରେ ଉପରେ ତଥ୍ୟ ସାଉଁଟିବା ଲୋକମାନେ ଖୁସିହେବେ ନିଶ୍ଚୟ । ତେବେ ଆଉକିଛି ତଥ୍ୟରୁ ଆମକୁ ଅନ୍ୟଦିଗ ଗୁଡ଼ିକ ମଧ୍ୟ ଅସଲ ପରିସ୍ଥିତି ସମ୍ପର୍କରେ ସୂଚନା ଯୋଗାଇ ଦେଇପାରିବ । ନବୀନ ବାବୁଙ୍କର ପ୍ରଥମ ଦୁଇ ବର୍ଷ ଭିତରେ ଯେଉଁ ଖଣିଜ ଉତ୍ପାଦନ ୧୦କୋଟି ଟନ୍ ଥିଲା ତାହା ୨୦ବର୍ଷ ଭିତରେ ୩୬କୋଟି ଟନ୍ରେ ପହଞ୍ଚିଛି । ଏଥିରୁ ଅନୁମାନ କରାଯାଇ ପାରିବ ଯେ କେତେ ଲକ୍ଷ ହେକ୍ଟର ଜଙ୍ଗଲ ଏବଂ ଚାଷ ଜମି ବଳିପଡ଼ିଛି ଏବଂ କେତେ ଲକ୍ଷ ଲୋକଙ୍କୁ ନିରନ୍ତର ଜୀବିକା ଓ ଏହାର ଉତ୍ସ ପ୍ରାକୃତିକ ସମ୍ବଳଗୁଡ଼ିକରୁ ଉଦବାସ୍ତୁ ହେବାକୁ ପଡ଼ିଛି । ଗୋଟିଏ ଗଛର ତାହାର ସମଗ୍ର ଜୀବନକାଳ ଭିତରେ କେତେ ଅମ୍ଳଜାନ ବାୟୁମଣ୍ଡଳକୁ ଯୋଗାଇଥାଏ ତାହାର ଆର୍ଥିକ ମୂଲାୟନ ଡଃ ବୀରେନ୍ଦ୍ର ନାୟକ ‘ସମଦୃଷ୍ଟି’ରେ ପୂର୍ବରୁ ଉପସ୍ଥାପନ କରିଛିନ୍ତି । କେତେ ଆଦିବାସୀ ଓ ଜଙ୍ଗଲଜୀବୀଙ୍କୁ ନିଜର ନିରନ୍ତର ଜୀବିକା ହରାଇବାକୁ ପଡ଼ିଛି ବେଳେବେଳେ କେହିକେହି ଔପଚାରିକ ଗବେଷଣା କରି ଆମକୁ କହିଥାନ୍ତି । ବିସ୍ଥାପିତ ମାନେ ହୀରାକୁଦ ସମୟରୁ କାଶୀପୁର ଯାଏଁ କୁଆଡ଼େ ଯାଇଛନ୍ତି ଏବଂ ଏବେ ସେମାନେ କଣ କରୁଛନ୍ତି ଓ କେଉଁ ପରିସ୍ଥିତିରେ ଅଛନ୍ତି, ଏହି ସମ୍ପର୍କିତ ତଥ୍ୟ ସରକାରଙ୍କ ପାଖରେ ନାହିଁ । ସମାଜଟି ସରକାରଙ୍କ ଅପେକ୍ଷା ଏମାନଙ୍କ ପ୍ରତି ଅଧିକ ଉଦାସୀନ । ଅନ୍ୟପଟେ ଯେଉଁ ଯୁକ୍ତି ଆସୁଛି ଯେ ଦ୍ରୁତ ଶିଳ୍ପାୟନ ଯୋଗୁଁ ନିଯୁକ୍ତିର ବ୍ୟାପକ ସୁଯୋଗ ସୃଷ୍ଟି ହୋଇଛି ଏବଂ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯିବାର ଆବଶ୍ୟକତା ଆଉ ନାହିଁ । ତାହା ସରକାରୀ ତଥ୍ୟ ଦ୍ୱାରା ମଧ୍ୟ ସତ୍ୟ ବୋଲି ପ୍ରମାଣିତ ହୋଇପାରୁ ନାହିଁ । ଗୋଟିଏ ତଥ୍ୟରୁ ଆମେ ଦେଖିବା ଯେ ୨୦୦୧–୦୨ ମସିହାରୁ ସରକାରୀ ତଥ୍ୟରୁ ଆମେ ଦେଖିବା ଯେ ଯେତେବେଳେ ଖଣିଜ ଉତ୍ପାଦନ ପ୍ରାୟ୧୦କୋଟି ୮୨ଲକ୍ଷ ଟନ୍ ଥିଲା, ସେତେବେଳେ ଯାହା ପୂର୍ବରୁ କୁହାଯାଇଛି ଖଣିଜ ରାଜସ୍ୱ ୨ହଜାର ୭ଶହ ୬୬କୋଟି ଟଙ୍କା ଥିଲା । ସେତେବେଳେ ଖଣିଜ କ୍ଷେତ୍ରରେ କାମ କରୁଥିବା ଶ୍ରମିକମାନଙ୍କ ସଂଖ୍ୟାଥିଲା ୫୨ହଜାର ୯୩୭ । ୨୦ବର୍ଷ ପରେ ଯେତେବେଳେ ଖଣିଜ ଉତ୍ପାଦନ ୩୨କୋଟି ୨୪ଲକ୍ଷ ଟନ୍ରେ ପହଞ୍ଚôଲା , ସେତେବେଳେ ଖଣିଜ ରାଜସ୍ୱ ୪୯ହଜାର ୮୫୮ କୋଟିରେ ପହଞ୍ଚିଥିବା କଥା ପୂର୍ବରୁ ଲେଖାଯାଇଛି । କିନ୍ତୁ ଚକିତ ହେଲାଭଳି କଥାଟି ହେଲା ଗତ ୨୦ବର୍ଷ ଭିତରେ ଖଣିଜ କ୍ଷେତ୍ରରେ କାମ କରୁଥିବା ଶ୍ରମିକ ମାନଙ୍କ ସଂଖ୍ୟାରେ ମାତ୍ର ୮ହଜାର ୪୬୩ ବୃଦ୍ଧି ପାଇଛି ଅର୍ଥାତ୍ ଏବେ ଏତେ ପୁଞ୍ଜିନିବେଶ ଏବଂ ଖଣିଜ ଆୟର ଅପ୍ରତ୍ୟାଶିତ ଅଭିବୃଦ୍ଧି ସତ୍ତ୍ୱେ ଖଣିଜ କ୍ଷେତ୍ରରେ ଶ୍ରମିକମାନଙ୍କ ସଂଖ୍ୟା ୨୦୨୦–୨୧ ସୁଦ୍ଧା ମାତ୍ର ୬୧ହଜାର ୪୦୦ରେ ପହଞ୍ଚିଛି । ଏଠି କେବଳ ବୁଝାମଣା ପାଇଁ ଗୋଟିଏ କ୍ଷେତ୍ରର ସରକାରୀ ତଥ୍ୟ ପ୍ରଦାନ କରାଗଲା । ଯଦି ଅନ୍ୟାନ୍ୟ ଶିଳ୍ପକ୍ଷେତ୍ର (ମୁଖ୍ୟତଃ ଖଣିଜ ପଥରଭିତ୍ତିକ ଶିଳ୍ପ) ହିସାବକୁ ନେବା ତେବେ ସେଠି ମଧ୍ୟ ନିଯୁକ୍ତି ସାମୟିକ ଏବଂ କାରଖାନା ନିର୍ମାଣ ଯାଏଁ ସୀମିତ । ଜନ ଅସନ୍ତୋଷକୁ ଏଡ଼ାଇବା ପାଇଁ କମ୍ପାନୀମାନଙ୍କରେ କାମ କରୁଥିବା ଠିକାଦାର ମାନେ ସ୍ଥାନୀୟ ନୁହଁ ଅଧିକାଂଶରେ ବାହାର ରାଜ୍ୟରୁ ଶ୍ରମିକ ଆଣି କାମକରିବା କଥାଟି ଓଡ଼ିଶାର ସବୁ ଜାଗାରେ ଦେଖିବାକୁ ମିଳୁଛି । ଅର୍ଥାତ୍ ଗୋଟିଏ ପଟେ ପାରମ୍ପରିକ ଜଙ୍ଗଲଜୀବୀ, ଚାଷୀ, ମତ୍ସ୍ୟଜୀବୀ ଏବଂ ଶ୍ରମଜୀବୀ କାମ ହରାଉଥିବା ବେଳେ ଅନ୍ୟପଟେ ନୂଆ ବେରୋଜଗାରୀ ସୃଷ୍ଟି ହୋଇଚାଲିଛି ।
ଦକ୍ଷିଣ ଓଡ଼ିଶାର ଶିଳ୍ପଉନ୍ନତ ଜିଲ୍ଲା ରାୟଗଡ଼ାରେ ବର୍ଷକୁ ବର୍ଷ ଦାଦନ ଖଟିବା ପାଇଁ ଯାଉଥିବା ଲୋକଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଛି । ଗୋଟିଏ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ଏହି ଜିଲ୍ଲାରେ ପ୍ରାୟ ୪୫ପ୍ରତିଶତ ପରିବାରରୁ କେହି ନା କେହି କାମ ଅନ୍ୱେଷଣରେ ବାହାରକୁ ଯାଇଛନ୍ତି । ଏହି ପକ୍ରିୟାଟି ଗତ ଦୁଇ ଦଶନ୍ଧି ଧରି ଜାରି ରହିଛି । ପଡ଼ୋଶୀ ଶିଳ୍ପଉନ୍ନତ କୋରାପୁଟ ଜିଲ୍ଲାରେ ମଧ୍ୟ ଏକା ପ୍ରକାର ପରିସ୍ଥିତି ସୃଷ୍ଟି ହୋଇଛି । ଆଦିବାସୀ ସମ୍ପ୍ରଦାୟର ଲୋକମାନେ ପ୍ରକୃତିର ଏକ ଅବିଚ୍ଛେଦ୍ୟ ଅଂଶ ଭାବେ ବଞ୍ଚô ଆସିଛନ୍ତି । ସେମାନଙ୍କ ହାତରୁ ପ୍ରକୃତିକୁ ଛଡ଼ାଇ ନେବାଟା କେବଳ ଯେ ଜୀବନଜୀବିକାର ରାସ୍ତାଟିକୁ ବନ୍ଦ କରିଦେଉଛି ତାହାନୁହଁ, ବରଂ ଗଭୀର ମନସ୍ତାତ୍ତ୍ୱିକ ଚାପମଧ୍ୟ ସୃଷ୍ଟି କରୁଛି । ଏହି ଚାପଟି ବହୁଗୁଣିତ ହୋଇଯାଏ ଯେତେବେଳେ ଜୀବିକା ଅନ୍ୱେଷଣରେ ସେମାନଙ୍କୁ ନିଜେ ରହି ଆସିଥିବା ପ୍ରାକୃତିକ ଅଞ୍ଚଳ ବାହାରକୁ ଯାଇ ଅଜଣା ଅଚିହ୍ନା ଲୋକମାନଙ୍କ ପାଖରେ ହାତପତାଇ ବା ଜୀବିକା ଭିକ୍ଷାକରି ଛିଡ଼ାହେବାକୁ ପଡ଼େ । ଗତ ୨୦ବର୍ଷ ଭିତରେ ଓଡ଼ିଶାର ସମସ୍ତ ପ୍ରାକୃତିକ ସମ୍ପଦଭରା ଅଞ୍ଚଳରୁ ସ୍ଥାନୀୟ ଆଦିବାସୀ ତଥା ଅଧିବାସୀମାନଙ୍କୁ ଦ୍ରୁତ ଶିଳ୍ପାୟନ ପ୍ରତକ୍ଷ୍ୟ ଏବଂ ପରୋକ୍ଷ ଭାବେ ଉଦ୍ବାସ୍ତୁ ହୋଇ ଦାଦନ ଖଟିବାପାଇଁ ବାହାରକୁ ଯାଇଛନ୍ତି, ସେଭଳି ସତ୍ୟର ଉନ୍ମୋଚନ ହୋଇଥିଲା ଯେତେବେଳେ ପ୍ରବାସୀ ଶ୍ରମିକମାନେ କୋଭିଡ଼୍ ତାଲାବନ୍ଦୀ ସମୟରେ ଅସହାୟ ଅବସ୍ଥାରେ ନିଜ ରାଜ୍ୟକୁ ଫେରିଥିଲେ । କିଛି ହିସାବ ତ ସରକାରଙ୍କ ପାଖରେ ଅଛି କିନ୍ତୁ କେଉଁଠିକୁ ଫେରିବୁ ଏ ପ୍ରଶ୍ନର ଉତ୍ତର ନପାଇ ଯେଉଁ ଲୋକମାନେ ଆସିପାରିଲେ ନାହିଁ, ଆମ ସରକାର ବାହାଦୁରଙ୍କ ପାଖରେ ସେମାନଙ୍କ ସମ୍ପର୍କରେ କୌଣସି ତଥ୍ୟ ନାହିଁ । ଯଦି ରାଜ୍ୟ ବାହାରକୁ ଚାଲିଯାଉଥିବା ଲୋକମାନଙ୍କ ସମ୍ପର୍କରେ ଏକ ଶ୍ୱେତପତ୍ର ସରକାର ପ୍ରକାଶ କରନ୍ତେ , ତେବେ ସମ୍ପୂର୍ଣ୍ଣ ଚିତ୍ରପଟଟି ସ୍ପଷ୍ଟ ଜଣାପଡ଼ନ୍ତା ।
ଅନ୍ୟପଟେ କୃଷି କ୍ଷେତ୍ରରେ ମଧ୍ୟ ଏକା ପ୍ରକାର ସଙ୍କଟ ଦେଖିବାକୁ ମିଳୁଛି । ରାଜ୍ୟର ସବୁଠାରୁ ବଡ଼ ଉଦାହରଣ ଆମକୁ ଢିଙ୍କିଆ ଅଞ୍ଚଳରୁ ମିଳେ । ପୂର୍ବରୁ ପୋସ୍କୋ ଏବଂ ଏବେ ଜିନ୍ଦଲ ଷ୍ଟିଲ୍ ୱାର୍କସ୍ ପାଇଁ ସେଠାକାର ଲୋକେ ପାନ, ଧାନ ଓ ମୀନ ଉପରେ ଅଧାରିତ ନିଜର ସବୁଜ ଓ ନିରନ୍ତର ଅର୍ଥନୀତି ହରାଇ ଚାଲିଛନ୍ତି । ପୋଲିସ ନିର୍ଯାତନା ଗିରଫ ଓ ମିଛମକଦମା ସେମାନଙ୍କ ଉପରେ ଲଦିଦିଆଯାଉଛି । ହାତରେ ବି କିଛି ବିକଳ୍ପ ନାହିଁ । ଏମାନେ କ’ଣ କରିବେ ଏହି ପ୍ରଶ୍ନଟି କେଉଁଠି ବି ଶୁଣିବାକୁ ମିଳୁନାହିଁ । ସତେଯେମିତି ଦାଦନଟିକୁ ଆମେ ସ୍ୱାଭାବିକ ବିକଳ୍ପଭାବେ ଗ୍ରହଣ କରିନେଉଛେ ।
ସାରାଂଶରେ କହିବାକୁ ଗଲେ ବେରୋଜଗାରୀ ବଢ଼ି ଚାଲିଥିଲାବେଳେ ଆମେ ଦ୍ରୁତ ଶିଳ୍ପାୟନ ନାଁରେ ଲୋକଙ୍କ ହାତରେ ଥିବା ନିରନ୍ତର ଜୀବିକାର ଉତ୍ସଗୁଡ଼ିକୁ ଛଡ଼ାଇ ନେଇ ସେମାନଙ୍କୁ ଉଦ୍ ବାସ୍ତୁ କରି ଦାଦନ ଯିବା ପାଇଁ ଏକ ବିରାଟ ଜନସଂଖ୍ୟାକୁ ବାଧ୍ୟକରୁଛୁ । ନିରନ୍ତର ଏବଂ ସହନଶୀଳ ବିକାଶ ମାଧ୍ୟମରେ ଆମେ କିଭଳି ସବୁଲୋକଙ୍କ ହାତକୁ କାମ ଯୋଗାଇ ପାରିବା ଏବଂ କାହାରିକୁ ବି ନିଜ ଭିଟାମାଟି ତଥା ପ୍ରାକୃତିକ ବ୍ୟବସ୍ଥାକୁ ଛାଡ଼ିବାକୁ ପଡ଼ିବ ନାହିଁ, ଏହି କଥାଟି ଉପରେ ଗଭୀରତାର ସହିତ ବିଚାର କରୁନାହାନ୍ତି । ଅନେକ ଛୋଟଛୋଟ ଉଦାହରଣ ଆମ ରାଜ୍ୟରେ ବି ଅଛି, ଯେଉଁଠି ଏବେବି ଦେଖିପାରିବା ସାମୂହିକ ଉଦ୍ୟମରେ ଲୋକେ ନିଜର ସାମଗ୍ରୀକ ଜୀବନ ଜୀବିକାର ଦାୟିତ୍ୱ ତୁଲାଇ ପାରିଛନ୍ତି । କିନ୍ତୁ ଆମର ବର୍ତ୍ତମାନର ରାଜନୈତିକ ଓ ଅର୍ଥନୈତିକ ଢ଼ାଞ୍ଚାଟି ମୁଖ୍ୟତଃ ଲାଭଖୋର କମ୍ପାନୀମାନଙ୍କର ଲାଭର ପରିମାଣକୁ ବଢ଼ାଇବା ପାଇଁ ଉଦ୍ଦିଷ୍ଟ ଥିବାଯୋଗୁଁ ଏବଂ ଶାସକ ଦଳମାନେ ସେମାନଙ୍କ ଅର୍ଥରେ ନିର୍ବାଚନ ପ୍ରତିଯୋଗିତା କରୁଥିବା ଯୋଗୁଁ କୌଣସି ଜନବାଦୀ ବା ଜନକଲ୍ୟାଣର ବିକଳ୍ପକୁ ସରକାରମାନେ ଗ୍ରହଣ କରିବା ମାନସିକତାରେ ନାହାନ୍ତି । ଜନକଲ୍ୟାଣ କହିଲେ କେବଳ କେତୋଟି ଖାଦ୍ୟଦ୍ରବ୍ୟର ସୁଲଭ ଉପଲବ୍ଧି ବା ଆଉକିଛି ସାମାଜିକ ସୁରକ୍ଷା ଯୋଜନା କଥା ହିଁ ସରକାରମାନେ ବୁଝୁଛନ୍ତି । କିନ୍ତୁ ସମ୍ବଳହୀନ ଲୋକଟିକୁ ସମ୍ବଳର ବିକାଶରେ ସମର୍ଥକରି ତାକୁ ଅତ୍ମନିର୍ଭରଶୀଳ କରାଇବା ବା ଯାହାପାଖରେ ଭଲରେ ବଞ୍ଚିଯିବା ପାଇଁ କିଛି ସମ୍ବଳଅଛି ତାହା ହାତରୁ କୌଣସି ବାହାନାରେ ସମ୍ବଳ ଛଡ଼ାଇ ନ ନେବା କାମଟି ଯଦି ସରକାର କରନ୍ତେ, ତେବେ ବି ଦାଦନ ସମସ୍ୟା ଉଠନ୍ତା ନାହିଁ । ସରକାରଙ୍କ ନିରବତାର କାରଣ ତ ଅଛି, ଆମେ କାହିଁକି ନିରବ ଟିକିଏ ପ୍ରଶ୍ନ କରିବା କି?
Comments
0 comments