ଆଜିର ସମୟରେ ନାଟକ କହିଲେ ଆମେ ସାଧାରଣତଃ ଦୁଇଟି ଅନନ୍ୟ ମଂଚ କଳାକାରଙ୍କୁ ବୁଝିଥାଉ; ପ୍ରଥମଟି ଯଦି ନରେନ୍ଦ୍ର ମୋଦି ଦ୍ୱିତୀୟଟି ହେଉଛନ୍ତି ଡ଼ୋନାଲ୍ଡ ଟ୍ରମ୍ଫ୍ । ଜଣେ ଭାରତର ପ୍ରଧାନମନ୍ତ୍ରୀ ହିସାବରେ ଦୁନିଆର ସବୁଠାରୁ ବଡ଼ ମଂଚଟିଏ ପାଇଥିଲାବେଳେ ଅନ୍ୟଜଣକ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶର ରଙ୍ଗୀନ ମଂଚଟିଏ ପାଇଛନ୍ତି । ଉଭୟ ସମ୍ପ୍ରତି ଆମେରିକାରେ ଏକାଠି ହେଇ ‘ପଚାଶ ହଜାର’ ପ୍ରବାସୀ ଭାରତୀୟଙ୍କର ଉପସ୍ଥିତିରେ ପରସ୍ପରକୁ ଅଜସ୍ର ପ୍ରଶଂସା କରିବା ବାହାନାରେ ଦୋଦୁଲ୍ୟମାନ ଅବସ୍ଥାରେ ଥିବା ଡ଼ୋନାଲ୍ଡ ଟ୍ରମ୍ଫଙ୍କର ପୁନଃ ନିର୍ବାଚିତ ହେବାର ସମ୍ଭାବନାଟିକୁ ସୁଦୃଢ଼ କରିବାପାଇଁ ନିର୍ବାଚନୀ ପ୍ରଚାର ଅଭିଯାନଟିଏ ଆରମ୍ଭ କରିଦେଲେ । ତେବେ ସମସ୍ତ କୁଟନୈତିକ ବିଧି ବିଧାନକୁ ଭୃକ୍ଷେପ ନକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଟ୍ରମ୍ଫଙ୍କୁ ପୁଣିଥରେ ଜୟଯୁକ୍ତ କରାଇବାପାଇଁ ଆହ୍ୱାନଟିଏ ଦେଇଥିଲେ । ତାହାର ପ୍ରତିବଦଳରେ ରାଷ୍ଟ୍ରପତି ଟ୍ରମ୍ଫ୍ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭାରତର ପିତା (Father of India) ବୋଲି ସମ୍ବୋଧନ କରିଥିଲେ ।
ସମଗ୍ର ନାଟକଟିକୁ ଭାରତର ବୈଦ୍ୟୁତିକ ଗଣମାଧ୍ୟମ ୨୪ ଘଂଟିଆ ପ୍ରସାରଣ କରି ଜନମାନସରେ ଯାହାସବୁ ଚାଲିଛି ଭାରତର ଭଲପାଇଁ ଚାଲିଛି ବୋଲି ଧାରଣାଟିଏ ସୃଷ୍ଟିକରିବାର ପ୍ରୟାସ କରିଥିଲେ । ବୈଦ୍ୟୁତିକ ଗଣମାଧ୍ୟମ ମଦିରାରେ ନିଶାସକ୍ତ ସଂଖ୍ୟାଧିକ ଭାରତୀୟଙ୍କ ପାଇଁ ନାଟକ ଓ ବାସ୍ତବତା ଭିତରେ ପ୍ରଭେଦ ବାଛିବା ସମ୍ଭବପର ହୋଇନାହିଁ । ସୁତରାଂ ପରଦା ପଛପଟେ ଯାହାସବୁ ଘଟିଚାଲିଛି ଯଥା ପ୍ରଧାନମନ୍ତ୍ରୀଙ୍କ ଗ୍ରସ୍ଥବେଳେ କ’ଣସବୁ ଘଟିଥିଲା (ଖର୍ଚ୍ଚ କିଏ କରିଥିଲା ଓ କେତେ ବ୍ୟବସାୟୀକ କମ୍ପାନୀମାନଙ୍କ ପାଇଁ ବୁଝାମଣାପତ୍ର ସ୍ୱାକ୍ଷର ହେଲା) କୌଣସି ଗଣମାଧ୍ୟମ ଆଲୋଚନା କରିବାରେ ଦେଖାଗଲା ନାହିଁ ।
ଦେଶ ଭିତରେ ଚାଲିଥିବା ଭୟଙ୍କର ଅର୍ଥନୈତିକ ସଙ୍କଟର ସ୍ଥିତି ଓ ତାକୁ ସୁଧାରିବାପାଇଁ ବାସ୍ତବରେ କ’ଣ ପଦକ୍ଷେପ ସବୁ ନିଆଯିବା ଉଚିତ ଏବଂ ଜଣେ ପ୍ରଧାନମନ୍ତ୍ରୀ ସେସବୁ ପ୍ରତି ଧ୍ୟାନ ନଦେଇ ଆଉଜଣେ ରାଷ୍ଟ୍ରପତିଙ୍କର ନିର୍ବାଚନ ଅଭିଯାନରେ ବାହାରିବା ଓ ପରିଶେଷରେ ‘ଭାରତର ପିତା’ ସମ୍ମାନରେ ସମ୍ବୋଧୀତ ହେବା ବିଷୟରେ ଆମ ଗଣମାଧ୍ୟମ ଭୟଙ୍କରଭାବେ ନୀରବ । ଯେମିତି ମୋଦିଙ୍କ ଯୋଗୁଁ ‘କାଶ୍ମୀର ଭାରତରେ ମିଶିଲା ଏବଂ ତାଙ୍କର ଅନ୍ୟସବୁ ବିଫଳତା କ୍ଷମଣୀୟ’ ଏଭଳି ଏକ ମାନସିକତା ଭାରତୀୟ ମାନଙ୍କ ମନଭିତରେ ଗଣମାଧ୍ୟମ ବଳପୂର୍ବକ ଭର୍ତ୍ତିକରି ଚାଲିଛନ୍ତି, ସେହିଭଳି ମୋଦିଙ୍କ ଆମେରିକୀୟ ନିର୍ବାଚନ ପୂର୍ବରୁ ରାଷ୍ଟ୍ରପତି ଟ୍ରମ୍ଫ୍ଙ୍କପାଇଁ ପ୍ରଚାରକୁ ଏକ ବିଶ୍ୱବିଜୟର ଅଘୋଷିତ ଆଖ୍ୟା ଦିଆଯାଇଛି ।
ବିଡ଼ମ୍ବନାର କଥା ଯେ, ‘ଜାତିର ପିତା’ ବା Father of Nation (ଯାହା ଏକ ସାମ୍ବିଧାନିକ ବା ରାଷ୍ଟ୍ରଅନୁମୋଦିତ ସମ୍ବୋଧନ ବୋଲି ସାଧାରଣ ଭାରତୀୟମାନେ ପ୍ରଥମରୁ ହିଁ ଅବଗତ ଅଛନ୍ତି) ଭାବରେ ପରିଚିତ ମହାତ୍ମା ଗାନ୍ଧୀଙ୍କର ୧୫୦ତମ ଜନ୍ମ ଜୟନ୍ତି ପାଳନ କରିବାପାଇଁ ଅନେକ ନାଟକୀୟ ଉଚ୍ଚାରଣ କରିଆସିଥିବା ମୋଦି ମହାଶୟ ଭାରତର ପିତା (Father of India) ସମ୍ବୋଧନକୁ ବିନମ୍ରତାର ସହ ପ୍ରତ୍ୟାଖ୍ୟାନ କରିବାର ଦୃଷ୍ଟାନ୍ତ ଦେଖିବାକୁ ମିଳିଲାନାହିଁ । ବରଂ ତାଙ୍କର ଜଣେ ମନ୍ତ୍ରୀ ପଦବୀରେ ଥିବା ସହକର୍ମୀ ଏଭଳି ସମ୍ବୋଧନକୁ ସମାଲୋଚନା କରୁଥିବା ଲୋକମାନଙ୍କୁ ଭାରତୀୟ ନୁହଁନ୍ତି ବୋଲି ଦାବୀ କରିଥିଲେ ।
ସବୁଠାରୁ କୌତୁହଳ ଜନୀତ ପରିସ୍ଥିତିରେ ଅଛନ୍ତି ସ୍ୱାଧୀନତାପାଇଁ ହେଇଥିବା ଆନ୍ଦୋଳନର ପୁରୋଧା ମହାତ୍ମା ଗାନ୍ଧି ଓ ତାଙ୍କସହ ସାଥି ଦେଇଥିବା ଐତିହାସିକ ବ୍ୟକ୍ତିତ୍ୱମାନେ । ଅଧିକ ବିଡ଼ମ୍ବନାର କଥା ଯେ ଗାନ୍ଧିଙ୍କ ହତ୍ୟାକାରୀ ନାଥୁରାମ ଗଡ଼ସେ ଯେଉଁ ବିଚାରରୁ ଆସିଥିଲେ ଏବଂ ଯେଉଁମାନଙ୍କର ସ୍ୱାଧିନତା ଆନ୍ଦୋଳନରେ ସାମାନ୍ୟତମ ଭୂମିକା ନଥିଲା ଅବା ଯାହାବି ଥିଲା ତାହା ନକାରାତ୍ମକ ଥିଲା ସେମାନେ ଆଜି କ୍ଷମତାରେ ଅଛନ୍ତି ଓ ଗାନ୍ଧିଙ୍କ ୧୫୦ତମ ଜୟନ୍ତି ପାଳନ କରିବାର ନାଟକରେ ମାତିଛନ୍ତି । ନଚେତ୍ ସେହି ଲୋକମାନଙ୍କ ଭିତରୁ ହିଁ ଅଧିକାଂଶ ବାହାରି ‘ଭାରତର ପିତା’ ସମ୍ବୋଧନ କୁ ପ୍ରତ୍ୟାଖ୍ୟାନ କରିବାପାଇଁ ମୋଦିଙ୍କୁ ଆବେଦନ କରିଥାନ୍ତେ । କିନ୍ତୁ ତାହା ବଦଳରେ ବରଂ ସମାଲୋଚକ ମାନଙ୍କୁ ଆକ୍ରମଣ କରିବାରେ ସେମାନେ ସଦଳବଳେ ମାତିଛନ୍ତି ।
ଅନ୍ୟପଟେ ଏହି ଗୋଷ୍ଠିର ଲେକମାନେ ଗଡ଼ସେଙ୍କୁ ପୁଜା କରିବା, ତାଙ୍କୁ ନେଇ ମନ୍ଦିର ତିଆରି କରିବା ଓ ‘ଗଡ଼ସେ ଜୀ’ ବୋଲି ସମ୍ବୋଧନ କରିବା କଥାଟିକୁ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସାଂଗଠନିକ ପଦପଦବୀରେ ଥିବା ଏହି ଗୋଷ୍ଠୀର କୌଣସି ବ୍ୟକ୍ତି ବିରୋଧ କରିନାହାଁନ୍ତି । ଅଧିକ ବିଡ଼ମ୍ବନାର କଥା ଯେ, ଏଭଳି ଏକ ବିରୋଧାଭାଷକୁ ନା ଭାରତର ଗଣମାଧ୍ୟମ ନା ଭାରତର କୁହାଳିଆ ଜନଗଣ ପ୍ରଶ୍ନ କରିଛନ୍ତି । ହୁଏତ ଗାନ୍ଧିଜୟନ୍ତି ନାଟକର ରଚୟିତା ଓ କଳାକାରମାନେ ୨୦୨୫ରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶତବାର୍ଷିକି ପାଳନକୁ ରାଷ୍ଟ୍ରିୟ ଓ ବୈଧ ସାବ୍ୟସ୍ଥ କରିବାପାଇଁ ଏଭଳି ଏକ ଆନ୍ତରିକତା ଓ ନିଷ୍ଠା ବିହୀନ ଗାନ୍ଧିଜୟନ୍ତି ପାଳନର ନାଟକଟିଏ ଉପସ୍ଥାପନ କରିଚାଲିଛନ୍ତି ।
ଅଧିକ କୌତୁହଳର ବିଷୟ ହେଉଛି ଯେ, ଗାନ୍ଧିଙ୍କର ଔପଚାରିକ ରାଜନୈତିକ ଦାୟାଦ ଭାରତୀୟ ଜାତୀୟ କଂଗ୍ରେସ ଯେତେ ପ୍ରଭାବହୀନ ହେଲେବି ୧୫୦ତମ ଗାନ୍ଧିଜୟନ୍ତି ପାଳନ କରିବାପାଇଁ ପଦକ୍ଷେପ ନେବାବେଳେ, ଗାନ୍ଧିଙ୍କର ବିଚାର ଓ ଆଦର୍ଶ କ’ଣ ବୁଝିବାପାଇଁ ସାମାନ୍ୟତମ ପ୍ରୟାସ କରିବାର ଉଦାହରଣ ଏଯାବତ୍ ଦେଇନଥିବା ଓଡ଼ିଶାର ବିଜୁ ଜନତାଦଳ ମଧ୍ୟ ପ୍ରତିଯୋଗୀତା ମଇଦାନରେ ପାଦ ଦେଇଛି । ମଦକୁ ଘରେ ଘରେ ପହଂଚାଇବା ଭଳି ସ୍ତରକୁ ନେଇଆସିଥିବା ଓ କମ୍ପାନୀମାନଙ୍କର ପୃଷ୍ଠପୋଷକତାରେ ପ୍ରତିଦିନ ପ୍ରକୃତି ଓ ପରିବେଶକୁ ଧ୍ୱଂସକରି ଲକ୍ଷ ଲକ୍ଷ ଲୋକଙ୍କର ଜୀବନ ଜୀବୀକାକୁ ବିପନ୍ନ କରୁଥିବା ନବୀନ ସରକାର ମଧ୍ୟ ଗାନ୍ଧୀ ବନ୍ଦନା କରିବାପାଇଁ କାର୍ଯ୍ୟସୂଚୀଟିଏ ପ୍ରସ୍ତୁତ କରିଛନ୍ତି ।
ସବୁଠାରୁ ଗୁରୁତ୍ତ୍ୱପୂର୍ଣ୍ଣ କଥାଟି ହେଉଛି ବାମପନ୍ଥୀମାନଙ୍କର ଗାନ୍ଧୀଙ୍କୁ ନେଇ ନୂତନ ବୁଝାମଣା । ଗାନ୍ଧିଙ୍କର ବିଚାର ଓ ମୂଲ୍ୟବୋଧର ପ୍ରାସଙ୍ଗୀକତାକୁ ଯଦି ସଚ୍ଚୋଟଭାବେ ବୁଝିବାପାଇଁ ଏଭଳି ଏକ ନୂତନ ବୁଝାମଣା ଜନ୍ମ ନେଇଛି ତେବେ ଆମେ ତାକୁ ସ୍ୱାଗତ କରିବା କଥା । ମନେଅଛି ଯେତେବେଳେ ଗୁରୁଦେବ ଡ଼ଃ ଏମ୍.ପି.ପରମେଶ୍ୱରନ୍ ଗୋଟିଏ ବହିର ଦ୍ୱିତୀୟ ସଂସ୍କରଣ ପ୍ରସ୍ତୁତ କରିବାପାଇଁ ଉଦ୍ୟମ କରୁଥିଲେ ସେତେବେଳେ ତାହାର ପାଣ୍ଡୁଲିପିଟି ଦେଖିବାର ସୁଯୋଗ ମିଳିଥିଲା । ୧୯୯୦ ମସିହାର କଥା । ବହିଟିର ନାଁ ଥିଲା ‘ହିଷ୍ଟ୍ରି ଅଫ୍ ଇଣ୍ଡିଆଜ୍ ଫ୍ରିଡ଼ମ୍ ଷ୍ଟ୍ରଗଲ୍’, ଏହାର ଲେଖକ ଥିଲେ ସୁନାମଧନ୍ୟ ବାମପନ୍ଥୀ ରାଷ୍ଟ୍ରନେତା ଓ ଚିନ୍ତାନାୟକ ଇ.ଏମ୍.ଏସ୍.ନମ୍ବୃଦିପଦ୍ । ଏହି ବହିଟି ପଢ଼ିବା ପୂର୍ବରୁ ମୋର ଧାରଣା ଥିଲା ଯେ, ବାମପନ୍ଥୀମାନେ ଅଭ୍ୟାସଗତ ଭାବେ ଗାନ୍ଧୀ ସମାଲୋଚକ । ବହିଟି ପଢ଼ିବାପରେ ଲାଗିଥିଲା ଯେ, ନମ୍ବୃଦିପଦଙ୍କର ଗାନ୍ଧିଙ୍କ ସମ୍ପର୍କରେ ଆଲୋଚନାଟି ସବୁ ବାମପନ୍ଥୀମାନେ ପଢ଼ିବା ଦରକାର । ସେ ଗାନ୍ଧୀଙ୍କୁ ପ୍ରଶଂସା କରିନଥିଲେ କିନ୍ତୁ ତାଙ୍କ ଭୂମିକାକୁ ନେଇ ଉଚିତ ଆଲୋଚନାଟିଏ କରିଥିଲେ ।
ଏବେ ଯେଉଁଭଳି ଭାବେ ବାମପନ୍ଥୀ ଶିବିରରେ ଗାନ୍ଧିଙ୍କୁ ନେଇ ନୂତନ ଉତ୍ସାହ ଦେଖାଯାଉଛି ତାହା କେବଳ ଯେ ଦକ୍ଷିଣପନ୍ଥୀ ଶକ୍ତିମାନଙ୍କୁ ପ୍ରତିହତ କରିବାପାଇଁ ଏକ ରଣକୌଶଳମାତ୍ର, କେବଳ ତାହାନୁହଁ । ବରଂ ଭାରତର ବୈଚିତ୍ରମୟ ଭେଦଭାବପୂର୍ଣ୍ଣ ସାମାଜିକ ବିବିଧତାର ଚେରକୁ ଯାଇ ସାମାଜିକ ଓ ରାଜନୈତିକ ପରିବର୍ତ୍ତନ ପାଇଁ ବସ୍ତୁନିଷ୍ଠ ବୁଝାମଣା ତଥା ରଣକୌଶଳ ପ୍ରସ୍ତୁତ କରିବାପାଇଁ ଗାନ୍ଧି ଓ ଆମ୍ବେଦକର ଯେ ବାମପନ୍ଥୀମାନଙ୍କର ସହାୟକ ହେବେ ହୁଏତ ଏକଥା ସେମାନେ ବୁଝିପାରୁଛନ୍ତି । ସମସ୍ତ ପ୍ରଗତିଶୀଳ, ସମାଜବାଦୀ ଓ ଗାନ୍ଧୀବାଦୀ ମାନଙ୍କର ନିଷ୍ଠାପର ବୁଝାମଣା ଏବଂ କାର୍ଯ୍ୟଶୀଳତା ହିଁ ଏକ ବୃହତ୍ତର ସାମୁଖ୍ୟ ନିର୍ମାଣପାଇଁ ସହାୟକ ହେବ ଏବଂ ପରିବର୍ତ୍ତନପାଇଁ ପ୍ରୟାସର ପଥଗୁଡ଼ିକୁ ପ୍ରଶସ୍ଥ କରିବ । ଏହା ଦ୍ୱାରା ମଧ୍ୟ ଗାନ୍ଧିଙ୍କୁ ନେଇ ମଂଚସ୍ଥ ହେଉଥିବା ନାଟକ ଗୁଡ଼ିକ ପଛରେ ଥିବା ରହସ୍ୟ ଗୁଡ଼ିକ ଆପଣାଛାଏଁ ଉନ୍ମୋଚିତ ହୋଇଚାଲିବ ।
ଆମେ ଏତିକି ଆଶା କରିବା ଯଥାର୍ଥ ହେବ ଯେ, ଛାତ୍ର ଓ ଯୁବକମାନଙ୍କ ଭିତରେ ସଚ୍ଚା ଦେଶପ୍ରେମୀ ଓ ଦେଶକୁ ନିର୍ମାଣ କରିବାରେ ସବୁକିଛି ତ୍ୟାଗ ତଥା ବଳିଦାନ କରିଥିବା ଲୋକମାନଙ୍କର ବିଚାର, ଆଦର୍ଶ ଓ ମୂଲ୍ୟବୋଧକୁ ଛାତ୍ର ଓ ଯୁବକମାନଙ୍କ ପାଖରେ ପହଂଚାଇବାପାଇଁ ନିଷ୍ଠାପର ପ୍ରୟାସ ହେବ । ଗାନ୍ଧି କିଏ ଅବା ଭଗତ୍ ସିଂ କିଏ ପ୍ରଶ୍ନଟିଏ କଲେ ଏମାନଙ୍କ ପାଖରୁ କେବଳ ଏହାର ପ୍ରତିଧ୍ୱନି ଶୁଣିବାକୁ ମିଳେ । ଆମ ରାଜନେତା, ଅମଲାତନ୍ତ୍ରୀ, ଶିକ୍ଷକ ସମୁଦାୟ ତଥା ବିଚାରବନ୍ତ କୁହାଯାଉଥିବା ମଣିଷମାନଙ୍କ ଆଚରଣରୁ ଏମାନେ ଯେ ଏହି ବିଶିଷ୍ଟ ମଣିଷମାନଙ୍କର ଦାୟାଦ ଏକଥା ହୃଦବୋଧ ହୁଏ ନାହିଁ । ଛାତ୍ର ଓ ଯୁବକ ମାନଙ୍କ ପାଇଁ ପ୍ରେରଣା ଦେଲାଭଳି ଉତ୍ସ ତେବେ ଆମେ ପାଇବା କେଉଁଠୁ?
୧୯୫୨ ମସିହାରେ ଆଦିତ୍ୟନାଥଙ୍କ ସାମ୍ରାଜ୍ୟ ଗୋରଖପୁରରୁ ଆରମ୍ଭ ହୋଇ ଏଯାବତ୍ ଛାତ୍ର, ଶିକ୍ଷକ, ଅଭିଭାବକ ନାମରେ କୋଟି କୋଟି ଦକ୍ଷିଣପନ୍ଥୀ ସୈନ୍ୟ ସୃଷ୍ଟି କରିଚାଲିଥିବା ଭାରତ ଶିକ୍ଷା ବିକାଶ ସମିତିର ସରସ୍ୱତୀ ଶିଶୁ ଓ ବିଦ୍ୟାମନ୍ଦିର ସମୁହ ପଟୁ ବିବିଧତା ଭିତରେ ଐକ୍ୟକୁ ତୋଳି ଧରିଆସିଥିବା ଭାରତର ଆତ୍ମାପ୍ରତି ଯେଉଁ ବିପଦ ସୃଷ୍ଟି ହୋଇଛି ତାହାର ମୁକାବିଲା କରିବାପାଇଁ ଆମ ପାଖରେ କୌଣସି ସମାନ୍ତରାଳ ସମୁହ ନାହିଁ । ଏବେତ ସରକାରୀ ଶିକ୍ଷା ବ୍ୟବସ୍ଥାଟି ସମ୍ପୁର୍ଣ୍ଣଭାବେ ଏମାନଙ୍କ ନୀୟନ୍ତ୍ରଣକୁ ଆସିଯାଇଛି ।
୧୯୯୦ ମସିହାର କଥା । ସମ୍ପୁର୍ଣ୍ଣ ସାକ୍ଷରତା ଅଭିଯାନ ଏବଂ ଜ୍ଞାନବିଜ୍ଞାନ ଆନ୍ଦୋଳନ ପରିପ୍ରେକ୍ଷୀରେ ସମଗ୍ର ଓଡ଼ିଶା ଗ୍ରସ୍ଥ କଲାବେଳେ କିଛି ଘଟଣା ସାମ୍ନାକୁ ଆସିଥିଲା । କେତୋଟି ସ୍ଥାନରେ ସରସ୍ୱତୀ ଶିଶୁ ମନ୍ଦିର ପ୍ରତିଷ୍ଠା ବେଳେ ଅଣବାମପନ୍ଥୀ ପ୍ରମୁଖ ରାଜନୈତିକ ଦଳମାନଙ୍କର ସ୍ଥାନୀୟ ନେତୃବୃନ୍ଦ ଓ ସରକାରୀ ବିଦ୍ୟାଳୟ ମାନଙ୍କର ଶିକ୍ଷକମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାଟା ମୋତେ ବିସ୍ମିତ କରିଥିଲା । ଜାତୀୟ ସ୍ତରର କିଛି ଚିନ୍ତା ନାୟକଙ୍କ ସାଙ୍ଗରେ ଏ ବାବଦରେ ଆଲୋଚନା ମଧ୍ୟ କରିଥିଲି, କିନ୍ତୁ କିଛି ତତ୍କାଳିକ ପ୍ରତିକ୍ରିୟା ମଧ୍ୟ ମିଳି ନଥିଲା । ଇଚ୍ଛାଥିଲା ସମଗ୍ର ଓଡ଼ିଶାରେ ଜ୍ଞାନ ବିଜ୍ଞାନ ବିଦ୍ୟାଳୟ ଅବା ଶିକ୍ଷାକେନ୍ଦ୍ର ପ୍ରତିଷ୍ଠା କରି ବୈଜ୍ଞାନିକ ମନୋଭାବ ସୃଷ୍ଟି କରିବାପାଇଁ ଯେଭଳି ନିଷ୍ଠାପର ପ୍ରୟାସଟିଏ କରିହେବ । କିନ୍ତୁ ତାହା ହେଇପାରିଲା ନାହିଁ ।
ପରେ ୨୦୦୨ ଫେବୃଆରୀ ୨୮ରେ ଗୁଜୁରାଟରେ ମୁସଲମାନ ମାନଙ୍କ ଉପରେ ଯେଭଳି ନରସଂହାର ଚାଲିଲା ସେ ସମ୍ପର୍କରେ ଓଡ଼ିଶା ବିଧାନସଭାରେ ଆଲୋଚନା ଚାଲିଥିବା ବେଳେ ସଂଘ ପରିବାରର କିଛି ଉଗ୍ରବାଦୀ ସଙ୍ଗଠନର କର୍ମୀମାନେ ବିଧାନସଭା ହତା ଭିତରେ ପଶି ଆକ୍ରମଣ କରିଥିଲେ । ଭାଜପା ଓ ବିଜେଡ଼ିର ମିଳିତ ସରକାର ସେମାନଙ୍କ ବିରୁଦ୍ଧରେ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେଇନଥିଲେ । ଶୁଣାଗଲା ଯେ, ଏହି ଆକ୍ରମଣକାରୀ କର୍ମମାନଙ୍କ ପାଇଁ ଯେଉଁ ଖାଦ୍ୟ ପୁଡ଼ିଆ ଆସିଥିଲା ତାହା କୌଣସି ଏକ ସରସ୍ୱତୀ ଶିଶୁ ମନ୍ଦିରର ପିଲାମାନଙ୍କ ଘରୁ ପ୍ରସ୍ତୁତ ହୋଇ ଆସିଥିଲା । ଏହି ଅଭିଯୋଗର ସତ୍ୟାସତ୍ୟ ମଧ୍ୟ ଏଯାଏଁ ଅନୁସନ୍ଧାନ କରାଗଲା ନାହିଁ । ସେହିଭଳି ଅଗଷ୍ଟ ୨୫, ୨୦୦୮ ଦିନ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କର ହତ୍ୟା(ଅଗଷ୍ଟ ୨୩, ୨୦୦୮)ର ପ୍ରତିବାଦରେ ଯେଉଁ ରାଜ୍ୟବ୍ୟାପି ବନ୍ଦ ଡ଼ାକରା ଦିଆଯାଇଥିଲା ସେଥିରେ ପ୍ରମୁଖ ଭୂମିକା ନିଭାଇଥିଲେ ଅନ୍ୟମାନଙ୍କ ସମେତ କିଛି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଶିକ୍ଷକମାନେ ।
ସଂକ୍ଷେପରେ କହିବାକୁ ଗଲେ ଆମ ଅଜାଣତରେ ନୀରସ୍ତ୍ର ଓ ସଭ୍ୟ ଜଣାଯାଉଥିବା ଯେଉଁ ବିରାଟ ଦକ୍ଷୀଣପନ୍ଥୀ ସେନା ନିର୍ମାଣ ହେଇସାରିଛି ତାହା ଭାରତୀୟ ସୈନ୍ୟବାହିନୀର ସଂଖ୍ୟା ତୁଳନାରେ ଢ଼େର ଅଧିକ । ଏମାନେ ଏବେ ଗୋଟିଏ ପରେ ଗୋଟିଏ ମହା ବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟ ମଧ୍ୟ ଅକ୍ତିଆର କରିଚାଲିଛନ୍ତି । ଯଦି ଏତେ ବିରାଟ ସଂଖ୍ୟାର ଛଦ୍ମବେଶୀ ବୌଦ୍ଧିକ ସୈନ୍ୟ ବର୍ଷକୁ ୩୬୦ ଦିନ ଆମ ସମାଜରେ ଅବା ଆମ ପରିବାର ମାନଙ୍କରେ ସକ୍ରିୟଭାବେ କାମ କରୁଛନ୍ତି ତେବେ ବର୍ଷକୁ ମାତ୍ର କେତୋଟି ଦିନ ରାଜ ରାସ୍ତାକୁ ଆସି ନାରାବାଜି ବା ଶୋଭାଯାତ୍ରା କରି ଆମେ କ’ଣ ଏମାନେ କେତେ ଅଯୌକ୍ତିକ ଏବଂ ଅନ୍ୟାୟପୂର୍ଣ୍ଣ କାମରେ ଲିପ୍ତ ହେଲେବି ତାହାର ସଫଳ ପ୍ରତିବାଦ କରିପାରିବା?
ଯେଉଁ ଶକ୍ତିମାନେ ଗାନ୍ଧିଙ୍କୁ ଜାଣିବାପାଇଁ ନୂତନ ଆଗ୍ରହ ଦେଖାଉଛନ୍ତି, ଯେହେତୁ ସେମାନଙ୍କ ପାଖରେ ନିଷ୍ଠା ଓ ଦୃଢ଼ତା ରହିଛି ସେମାନେ ୧୫୦ତମ ଗାନ୍ଧିଜୟନ୍ତିକୁ ପ୍ରକୃତପକ୍ଷେ ପାଳନ କରିପାରିବେ ଯଦି ପ୍ରାଥମିକ ଶିକ୍ଷା ଓ ଗୋଷ୍ଠୀ ଶିକ୍ଷାକୁ ଅଗ୍ରାଧିକାର ଦେଇ ସମାଜରେ ବୈଜ୍ଞାନିକ ମନୋଭାବ, ମାନବିକତା, ପରସ୍ପରକୁ ଭଳପାଇବା ଏବଂ ପ୍ରକୃତିକୁ ନିଜର କରିବାର ଶିକ୍ଷାଟି ସମସ୍ତଙ୍କ ପାଖରେ ପହଞ୍ଚାଇବାର ପ୍ରୟାସଟିଏ ଆରମ୍ଭ କରିବେ । ପ୍ରକୃତରେ କଳାକାରମାନେ ବା କୌଣସି ନାଟକ ନୁହଁ କେବଳ ସଚ୍ଚା ମାନବିକତା ପ୍ରେମୀ ହିଁ ଗାନ୍ଧିଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ଦେଇପାରିବ ।
Photo credit- Wikimedia commons
Comments
0 comments