ବିନୋବା ଭାବେ ବାସ୍ତବରେ ଗାନ୍ଧୀ ବିଚାର ଓ ଦର୍ଶନକୁ ସର୍ବୋତ୍ତମ ନିଷ୍ଠାରେ ପାଳନ କରିଥିଲେ । ସତ୍ୟନିଷ୍ଠ ଅହିଂସା ବା ପ୍ରେମଭାବ ଏବଂ ଆତ୍ମ ସଂଯମ ସମସ୍ତ ନୈତିକ ଜ୍ଞାନ ଓ ନୈତିକ ଆଚରଣର ମୂଳମନ୍ତ୍ର । ଯୋଗ ଏବଂ ସନ୍ୟାସ ଏହା ସହିତ ସଂପୃକ୍ତ । ଗାନ୍ଧିଜୀଙ୍କର ପରି ବିନୋବା ଏହି ତିନୋଟି ପ୍ରସଙ୍ଗକୁ ଅନ୍ତରରେ ଗୁରୁତ୍ୱ ପ୍ରଦାନ କରନ୍ତି । ବିନୋବା ଜଣେ ପ୍ରକୃତ ସନ୍ୟାସୀ ଥିଲେ । ତାଙ୍କର ଗୁରୁ ଗାନ୍ଧିଜୀ କର୍ମଯୋଗୀ ଥିଲେ ।
ବିନୋବା ଗାନ୍ଧିଜୀଙ୍କର ସମତୁଲ ମଣିଷର ପରିବେଶରେ ଜ୍ଞାନ କୌଶଳର ପରିବର୍ତ୍ତନ ତୁଳନାରେ ଆଧ୍ୟାତ୍ମିକ ବିକାଶକୁ ପ୍ରାଧାନ୍ୟ ଦେଉଥିଲେ । ସେ ଆଣବିକ ଅସ୍ତ୍ର ଓ ଯୁଦ୍ଧରେ ଘଟୁଥିବା ହିଂସା ଅପେକ୍ଷା ସାମାନ୍ୟ ହିଂସାର ଘଟଣା ପାଇଁ ଅଧିକ ମ୍ରିୟମାଣ ହୋଇ ଯାଉଥିଲେ । ସେ କହୁଥିଲେ ଆମେ ଆଜି ପର୍ଯ୍ୟନ୍ତ ଆମର ସାମାଜିକ ଜୀବନରୁ ହିଂସାକୁ ସ୍ୱତନ୍ତ୍ର କରିପାରି ନାହୁଁ । ତାହା ମୋତେ ଯନ୍ତ୍ରଣା ଦେଉଛି । ଆମକୁ ଛୋଟ ବଡ଼ ସାମାଜିକ ହିଂସାର ସମାଜକୁ ମୁକ୍ତ ରଖିବାକୁ ଗୋଟିଏ ସୂତ୍ର ନିରୂପଣ କରିବାକୁ ହେବ । ମନୋମାଳିନ୍ୟ ଓ ଉତ୍ତେଜନାକୁ ଲିଭେଇ ଦେବାକୁ ହେବ । ଭୂଦାନ ଗୋଟିଏ ଉତ୍ତମ ମାଧ୍ୟମ ଯାହାକୁ ବ୍ୟବହାର କରି ଆମେ ସାମାଜିକ ହିଂସା ଓ ଉତ୍ତେଜନାର ମୀମାଂସା କରିପାରିବା । ଆମକୁ ଦେଶରେ ନିଖୁଣ ଅହିଂସା ବାତାବରଣ ସୃଷ୍ଟି କରିବାକୁ ହେବ । ଆମେ ଏ ସଫଳ ନ ହେଲେ ଦେଶର ସ୍ୱାଧୀନତା ରକ୍ଷା କରିବା କଷ୍ଟ ହୋଇଯିବ । ମୁଁ ବଡ଼ ସମର ପାଇଁ ଚିନ୍ତିତ ନୁହେଁ ମୁଁ ଛୋଟ ଛୋଟ ହିଂସା ପାଇଁ ବିଚଳିତ । ତାହା ସମାଜର ବିକାଶର ପ୍ରତିବନ୍ଧକ ହେଉଛି ।
ତାଙ୍କର ଜୀବନ ଅଧ୍ୟୟନ, ଆଧ୍ୟାତ୍ମିକ ଚେତନା ଓ ଦୁଃସ୍ଥଜନଙ୍କର ପ୍ରତି ସମବେଦନାରେ ପରିପୁଷ୍ଟ ଥିଲା । ତାଙ୍କର ଜୀବନର ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବାକୁ କାହାକୁ ଅପେକ୍ଷା ନ କରି ପାଦରେ ଚାଲି ଚାଲି କୋଡିଏ ବର୍ଷ ସାଧନା କରିଥିଲେ । ସେ ବିତ୍ତଶାଳୀ ପାଖକୁ ଯାଇ ଗରିବ ମଣିଷମାନଙ୍କ ପାଇଁ ଭୂମିଦାନ କରିଥିଲେ । ତାଙ୍କର ଅହିଂସା ଧାରାରେ ମଣିଷର ମନକୁ ନିବେଦନ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ବିପ୍ଳବ ଆଣିଥିଲା । ସେ ମହାତ୍ମା ଗାନ୍ଧୀଙ୍କର ପ୍ରକୃତ ଶିଷ୍ୟ ଭାବରେ ନିଜକୁ ସିଦ୍ଧ କରିଥିଲେ । ତାଙ୍କର ତାଲିମରେ ଗଭୀର ଆସ୍ଥା ରଖିଥିଲେ । ମହାତ୍ମାଙ୍କର ମୃତ୍ୟୁ ପରେ ସେ ତାଙ୍କର ଆଦର୍ଶର ପ୍ରଚାର କରିଥିଲେ ଓ ତାଙ୍କର ଅଧୁରା କାର୍ଯ୍ୟକୁ ସଂପୂର୍ଣ୍ଣ କରିବାକୁ ଅକ୍ଳାନ୍ତ ପରିଶ୍ରମ କରିଥିଲେ । ୧୯୧୬ରେ ବିନୋବା ଗାନ୍ଧୀଙ୍କର ଭାଷଣ ବିଷୟ ଖବର କାଗଜରୁ ପଢ଼ି ଆନନ୍ଦିତ ହୋଇଥିଲେ । ଗାନ୍ଧୀ ରାଜା ଓ ଜମିଦାରମାନଙ୍କୁ ସେଥିରେ ଭର୍ତ୍ସନା କରିଥିଲେ । ମହାତ୍ମା ଗାନ୍ଧୀ ନିର୍ଭୟ ଅହିଂସା ପ୍ରଣୋଦିତ ପ୍ରତିରୋଧ ଓ ଆଧ୍ୟାତ୍ମିକତା ପ୍ରସଙ୍ଗ ତାଙ୍କର ମନକୁ ସ୍ପର୍ଶ କରିଗଲା । ସେ ତାଙ୍କର କଳ୍ପନାର ନେତା ଗାନ୍ଧୀଙ୍କର ମଧ୍ୟରେ ଦେଖିଲେ ଯାହାର ବ୍ରିଟିଶଠାରୁ ଭାରତକୁ ମୁକ୍ତ କରିବାର ରାଜନୈତିକ କ୍ଷମତା ସହିତ ଲୋକଙ୍କର ସେବା ମାଧ୍ୟମରେ ଈଶ୍ୱରଙ୍କୁ ପାଇବାର ଆଧ୍ୟାତ୍ମିକ ଦକ୍ଷତା ଥିବାର ସେ ଅନୁଭବ କରିଥିଲେ । ନମ୍ରତା ଓ ସ୍ୱାଧିକାର ବିଚାର ପ୍ରାଚୀନ ଶିଷ୍ୟ ପରମ୍ପରାରେ ଦୁର୍ଲଭ । କିନ୍ତୁ ଆଧୁନିକ ସମୟର ମହାନ ଆଧ୍ୟାତ୍ମିକ ଗୁରୁଙ୍କର ଶିଷ୍ୟ ହୋଇ ବିନୋବାଙ୍କଠାରେ ଏସବୁ ଥିଲା । ଗାନ୍ଧୀ ବିନୋବାଙ୍କୁ ଅନାବିଳ ସ୍ନେହ କରୁଥିଲେ ଏଥି ସହିତ ସମ୍ମାନ ବି କରୁଥିଲେ । ଗାନ୍ଧୀ ଅନୁଭବ କରୁଥିଲେ ଅନେକ ସୁଗୁଣରେ ବିନୋବା ତାଙ୍କଠାରୁ ଉତ୍ତମ । ଥରେ ଗାନ୍ଧୀ ବିନୋବାଙ୍କର ପ୍ରଶଂସା କରି ଗୋଟିଏ ପତ୍ର ଲେଖିଥିଲେ । ତାହା ଜଣେ ଶିଷ୍ୟ ପ୍ରତି ତାର ଗୁରୁଙ୍କର ଶ୍ରେଷ୍ଠ ମାନପତ୍ର ଥିଲା । ସେ ଚିଠିଟି ବିନୋବା ପାଇଲେ ଏବଂ ଚିରିଦେଲେ । ସେ ଚିଠିରେ ଗାନ୍ଧିଜୀ ଲେଖିଥିଲେ ସେ ତାଙ୍କର ଜୀବନତମାମ ବିନୋବାଙ୍କର ପରି ସାଧୁ ଆତ୍ମାର ମଣିଷ ଦେଖି ନାହାନ୍ତି । ବିନୋବା ତାଙ୍କର ନିକଟରେ ଥିବା ମଣିଷମାନଙ୍କୁ ତତକ୍ଷଣାତ କହିଥିଲେ ସେମାନେ କଣ ଭାବୁନାହାନ୍ତି କି ଗାନ୍ଧୀ ତାଙ୍କୁ ସର୍ବୋତ୍ତମ ବ୍ୟକ୍ତି କହିବାଟା ଅସଂଗତ ବୋଲି । ସେ ପୁଣି କହିଥିଲେ ସେ ମୋତେ ଅନ୍ୟମାନଙ୍କର ସହିତ ତୁଳନା କରି ଶ୍ରେଷ୍ଠ ବିବେଚନା କରିଥିବେ ଏଣୁ ଅନ୍ୟମାନଙ୍କୁ ନ୍ୟୁନ କରିଥିବେ । ଏହା ତାଙ୍କର ତ୍ରୁଟି ଅଟେ । ଏହା ଅନ୍ୟାୟ ଓ ଅଗ୍ରହଣୀୟ । ସେ ତାଙ୍କର ଦୀର୍ଘ ରାଜନୈତିକ ଜୀବନରେ ଅନେକ ମନିଷୀମାନଙ୍କର ସଂପର୍କରେ ଆସିଥିବେ ଏମିତିକୁ ସଂଭାବନା ଅଛି ଗାନ୍ଧୀ ସେମାନଙ୍କୁ କଳନା କରିବାକୁ ଉପଯୁକ୍ତ ସମୟ ପାଇନଥିବେ । ଯଦିଓ ମୁଁ ତାଙ୍କୁ ସମସ୍ତଙ୍କ ଠାରୁ ଅଧିକ ଭକ୍ତି କରେ ତଥାପି ଏହି ଚିଠିଟିକୁ ନଷ୍ଟ କରିଦେଇ ତାଙ୍କର ତୃଟିକୁ ସଂଶୋଧନ କରିବାକୁ ଚେଷ୍ଟା କରିଥିଲେ । ଥରେ ଗାନ୍ଧିଜୀ କ୍ରିପାଳିନୀଙ୍କୁ ବିନୋବାଙ୍କର ନିକଟକୁ ପ୍ର୍ରେରଣ କରିଥିଲେ । କ୍ରିପାଳିନୀ ପହଁଚିବାବେଳକୁ ବିନୋବା ଶାରୀରିକ ଶ୍ରମ କରୁଥିଲେ । କ୍ରିପାଳିନୀ ତାଙ୍କୁ ତିନିଥର ନିଜର ଉପସ୍ଥିତି ଜଣାଇବାକୁ ଉଦ୍ୟମ କରିଥିଲେ । ବିନୋବା କାର୍ଯ୍ୟରେ ସଂପୂର୍ଣ୍ଣ ମଗ୍ନ ଥିଲେ । କ୍ରିପାଳିନୀଙ୍କର ସମ୍ବୋଧନକୁ ଶୁଣି ପାରି ନଥିଲେ । ଏ ପ୍ରସଙ୍ଗରେ ବିନୋବାଙ୍କର ବିରୁଦ୍ଧରେ କ୍ରିପାଳିନୀ କ୍ଷୋଭ ପ୍ରକାଶ କରିଥିଲେ । ଗାନ୍ଧିଜୀ କ୍ରିପାଳିନୀଙ୍କୁ ବୁଝାଇଥିଲେ ଯେ ଏହି ଘଟଣା ବିନୋବାଙ୍କର ଅହଂକାର ବୋଲି କହିବା ଉଚିତ ହେବ ନାହିଁ । ବରଂ ତାଙ୍କର ଶାରୀରିକ ଶ୍ରମରେ ଏକାଗ୍ରତା ଅଟେ । ଯାହାକି ପ୍ରଶଂସନୀୟ ବିନୋବାଙ୍କର ପ୍ରତି ଖରାପ ଧାରଣା ସୃଷ୍ଟି କରିବା ଉଚିତ ନୁହେଁ । ତାଙ୍କର ପଦଯାତ୍ରା ସମୟରେ ଦକ୍ଷିଣ ଭାରତରେ ଲୋକମାନେ ତାଙ୍କୁ ଅନୁରୋଧ କରିଥିଲେ କି ତାଙ୍କୁ ନିକିତିରେ ବସାଇ ହାତକଟା ସୂତାରେ ଓଜନ କରାଇବେ । ସେହି ସୂତାର ନିଲାମଲବ୍ଧ ଅର୍ଥକୁ ତାଙ୍କର ଆନ୍ଦୋଳନ ଉଦ୍ଦେଶ୍ୟରେ ସମର୍ପଣ କରିବେ । ବିନୋବା ଏହି ମର୍ଯ୍ୟାଦାର ସ୍ୱରୂପକୁ ପ୍ରତ୍ୟାଖାନ କରିଥିଲେ ।
୧୯୧୮ମସିହା ବେଳକୁ ଗାନ୍ଧିଜୀ ତାଙ୍କର ଗୋଟିଏ ଚିଠିରେ ବିନୋବାଙ୍କର ନିକଟକୁ ଲେଖିଥିଲେ “ମୁଁ ଜାଣେନା କେଉଁ ଭାଷାରେ ତୁମକୁ ପ୍ରଶଂସା କରିବି । ତୁମର ଅହିଂସା ପ୍ରେମ ଭାବ ଓ ଚରିତ୍ର ମୋତେ ବିମୋହିତ କରିଥାଏ । ମୁଁ ତୁମର ଦକ୍ଷତା ଯୋଗ୍ୟତାର ପରୀକ୍ଷକ ହେବାକୁ ଯୋଗ୍ୟ ନୁହେଁ । ମୁଁ ତୁମର ସତ ସମର୍ପଣକୁ ସ୍ୱାଗତ କରେ ଏବଂ ତୁମର ପିତୃସ୍ଥାନୀୟ ବୋଲି ମୁଁ ନିଜକୁ ଭାବେ । ତୁମଠାରେ ମୁଁ ମୋର ବହୁତ ପୂର୍ବର ଇଛାକୁ ପ୍ରତିଫଳିତ ହେବାର ଦେଖିପାରୁଛି । ମୋର ମତରେ ଜଣେ ପିତା ପ୍ରକୃତ ପିତା ହୋଇପାରିବ ଯଦି ତାର ସମସ୍ତ ସୁଗୁଣକୁ ତାର ପୁତ୍ର ଦ୍ୱାରା ଅଧିକ ସଶକ୍ତ ଶାଣିତ ହୋଇପାରିବ । ପିତା ଯଦି ସତ୍ୟବାଦୀ, ଦୃଢ଼ମନା ଓ ସମ୍ବେଦନଶୀଳ ହୋଇଥାଏ, ତେବେ ପୁତ୍ର ଏହି ଗୁଣଗୁଡିକ ଅଧିକ ପ୍ରସ୍ଫୁଟିତ କରିବ । ତୁମେ ଏ ସବୁକୁ ଗଢ଼ି ତୋଳିଛ । ତୁମେ ଯାହା ସଫଳତା ହାସଲ କରିଛ ସେଥିରେ ମୋର କୌଣସି ଅବଦାନ ନାହିଁ । ମୁଁ ତୁମର ଅହିଂସା ଓ ପ୍ରେମଭାବର ଅବଦାନକୁ ସ୍ୱୀକାର କରୁଛି । ଏହାର ଯୋଗ୍ୟହେବାକୁ ମୁଁ ଚେଷ୍ଟା କରିବି । ମୁଁ ଯଦି କେବେ ହିରଣ୍ୟକଶିପୁ ହୋଇଯାଏ, ତେବେ ତୁମେ ପ୍ରହଲ୍ଲାଦ ପରି ସସମ୍ମାନେ ବିରୋଧ କରିବ । ପ୍ରହଲ୍ଲାଦ ଈଶ୍ୱରଙ୍କୁ ଭକ୍ତି କରୁଥିଲା ଓ ଜନ୍ମଦାତାଙ୍କୁ ସମ୍ମାନ କରୁଥିଲା । ୧୯୪୦ରେ ସେ ବିନୋବାଙ୍କୁ ପ୍ରଥମ ସତ୍ୟାଗ୍ରହୀ ଭାବରେ ନିର୍ବାଚିତ କରିଥିଲେ । ତାଙ୍କ ନିଷ୍ପତ୍ତିର କାରଣ ସମ୍ପର୍କରେ ଗୋଟିଏ ପ୍ରବନ୍ଧ ଲେଖିଥିଲେ । ସେ ଆଶ୍ରମରେ ଅନ୍ତେବାସୀ ଭାବରେ ଆରମ୍ଭ ସମୟରୁ ଅଛନ୍ତି । ସେ ଆଶ୍ରମର ପ୍ରତିଷ୍ଠାତା ସଦସ୍ୟ ପରି ଅଟନ୍ତି । ସେ ଆଶ୍ରମର ପ୍ରତିଟି କାର୍ଯ୍ୟ ଯଥା ରୋଷେଇ, ପାଇଖାନା ସଫାରେ ଅଂଶ ଗ୍ରହଣ କରନ୍ତି । ସେ ଅତି ତୀକ୍ଷ୍ଣ ସ୍ମରଣ ଶକ୍ତିର ଅଧିକାରୀ ଅଟନ୍ତି । ତାଙ୍କର ବିଦ୍ୟା ଅଧ୍ୟୟନ କରିବା ପ୍ରକୃତି ଅଟେ । ତଥାପି ସେ ତାଙ୍କର ଅଧିକାଂଶ ସମୟ ସୂତା କାଟିବାରେ ଦିଅନ୍ତି । ସୂତା କାଟିବାରେ ସେ ଧୂରନ୍ଧର ଅଟନ୍ତି । ସେ ସୂତା କଟାଳୀମାନଙ୍କ ହୃଦବୋଧ କରାଇବାରେ ସଫଳ ହୋଇଛନ୍ତି ଯେ ସୂତା କଟା ଗୋଟିଏ ଚମତ୍କାର ହସ୍ତକଳା । ଶିଳ୍ପ ଯାହାକି ବିଦ୍ୟା ଅଧ୍ୟୟନକୁ ସାହାଯ୍ୟ କରିବ । ସେ ତାଙ୍କର ହୃଦୟର ଗଭୀରତାରୁ ଅସ୍ପୃଶ୍ୟତାର ଚିହ୍ନ ପୋଛି ଦେଇଥିଲେ । ସେ ମୋ ପରି ସର୍ବଧର୍ମ ସମନ୍ୱୟରେ ବିଶ୍ୱାସ କରନ୍ତି । ସେ ଭାରତର ରାଜନୈତିକ ସ୍ୱାଧିନତାର ଆବଶ୍ୟକତା ଅନୁଭବ କରନ୍ତି । ସେ ଇତିହାସ ପାଠର ଜଣେ ଭଲ ଛାତ୍ର । ସେ ବିଶ୍ୱାସ କରନ୍ତି ରଚନାତ୍ମକ କାର୍ଯ୍ୟ ବିନା ଗ୍ରାମାଞ୍ଚଳର ସ୍ୱାଧିନତା ଅସମ୍ଭବ । ରଚନାତ୍ମକ କାର୍ଯ୍ୟର କେନ୍ଦ୍ର ବିନ୍ଦୁ ଖଦୀର ପ୍ରସାର ହିଁ ରହିବ । ସେ ଯୁଦ୍ଧର ଏକାନ୍ତ ବିରୋଧି । ୧୯୪୮ ଠାରୁ ୧୯୫୧ ମଧ୍ୟରେ ସମସ୍ତେ ଭାବିଥିଲେ ଗାନ୍ଧୀଙ୍କର ଆଜୀବନ ସାଧନାର ସିଦ୍ଧାନ୍ତ ସର୍ବୋଦୟ ଦର୍ଶନ ଯାହାର ପରିସ୍ଥିତି କ୍ଷୀଣ ହୋଇ ଯାଇଥିଲା । ତାହା ଖୁବ ଶୀଘ୍ର ଲୋକମାନଙ୍କର ସ୍ମରଣରୁ ଲିଭିଯିବ । ବିନୋବା ଏହାକୁ ପୁନଃଜୀବନ ଦେଲେ । ଏହାକୁ ପରିପୁଷ୍ଟ କରିଥିଲେ । ଏହାର ସଶକ୍ତିକରଣ କରିଥିଲେ । ସର୍ବୋଦୟ ତାଙ୍କର ସାଧନ ବଳରେ ଦୀର୍ଘଜୀବୀ ହୋଇଥିଲା । ସେ ସର୍ବୋଦୟ ସିଦ୍ଧାନ୍ତକୁ ବ୍ୟବହାର କରି ଅନେକ ପରୀକ୍ଷା କରିଥିଲେ । ଏହି ପରୀକ୍ଷା ନିରୀକ୍ଷା ପ୍ରଭାବରେ ଜାତୀୟ ସ୍ତରରେ ଭାରତୀୟ ସମାଜ ସୁସଭ୍ୟ ହେଲା ଓ ସୁସଂସ୍କାରକୁ ଫେରି ଆସିଥିଲା । ସେ ଗାନ୍ଧୀଙ୍କର ମାନସସନ୍ତାନ ଥିଲେ । ନେହେରୁ ଏ ପ୍ରସଙ୍ଗରେ କହିଥିଲେ ବିନୋବା ଗାନ୍ଧୀ ବିଚାରର ପ୍ରକୃତ ପ୍ରତିନିଧି ଏବଂ ପ୍ରାଚୀନ ଭାରତର ଅଗ୍ରଦୂତ । ଗାନ୍ଧୀ ତାଙ୍କ ଭିତରେ ନିପୁଣ ରାଜନେତାର କୌଶଳ ଓ ପରମ ଜ୍ଞାନୀର ପାଣ୍ଡିତ୍ୟ ଦେଖିଥିଲେ । ବିନୋବା ରାଜନୀତିଠାରୁ ସଂପୂର୍ଣ୍ଣ ସ୍ୱତନ୍ତ୍ର ରହିଥିଲେ । ଗାନ୍ଧୀ ଓ ବିନୋବାଙ୍କର ଭାବଧାରା ପୃଥକ ଥିଲା । ଦୁଇ ଜଣ କର୍ମଯୋଗୀ ଥିଲେ । କିନ୍ତୁ ଗାନ୍ଧିଜୀ ଜଣେ ଅତି ସକ୍ରିୟ କର୍ମୀ ଥିଲେ । ବିନୋବା ଅଧ୍ୟୟନ ପ୍ରିୟ । ଧ୍ୟାନମନସ୍କ ଓ ମୌନ କର୍ମୀ ଥିଲେ ।
ବିନୋବାଙ୍କର ବିଚାର ଥିଲା ଗଣତନ୍ତ୍ରରେ ସତ୍ୟାଗ୍ରହ କରିବାର ଆବଶ୍ୟକତା ସର୍ବଦା ରହିଛି । କିନ୍ତୁ କ୍ଷତିଗ୍ରସ୍ତ ପକ୍ଷ ପାଇଁ ଯଦି ସମାଧାନର ବିକଳ୍ପ ବ୍ୟବସ୍ଥା ରହିଛି, ତେବେ ସତ୍ୟାଗ୍ରହ କରିବା ଅନୁଚିତ । ଅନେକ ଗାନ୍ଧୀ ଅନୁଗାମୀ ପ୍ରତିଟି ସମସ୍ୟା ପାଇଁ ସତ୍ୟାଗ୍ରହ କରିବାକୁ ଯୋଜନା କରୁଥିଲେ । ବିନୋବା ଏହାକୁ ବାରଣ କରିଥିଲେ । ସେ ନିଷ୍ଠାର ସହିତ କାର୍ଯ୍ୟ କରି ସତ୍ୟାଗ୍ରହ ଘୋଷଣା କରିବାକୁ ପରାମର୍ଶ ଦେଇଥିଲେ । ସତ୍ୟାଗ୍ରହ ପ୍ରଦର୍ଶନ କରିବାକୁ ନିଷ୍ଠାର ସହିତ କାମ କରିବା ଗୋଟିଏ ଉଚ୍ଚତର ସୂକ୍ଷ୍ମ ତତ୍ତ୍ୱ ବିଚାର କରାଯାଏ । ଜାପାନର ଶ୍ରମିକମାନେ ଏହି ପ୍ରଣାଳୀ ଅବଲମ୍ବନ କରନ୍ତି । ସେ କହୁଥିଲେ ସତ୍ୟାଗ୍ରହୀଶାଳୀନ ହେବା ଆବଶ୍ୟକ ଯା ଫଳରେ ତାର ବିପକ୍ଷରେ ହୃଦୟ ତାଦ୍ୱାରା ପ୍ରଭାବିତ ହୋଇଯିବ । ତାଙ୍କର ଦୀର୍ଘଦିନ ଧରି ପଦଯାତ୍ରା ସତ୍ୟାଗ୍ରହର ଗୋଟିଏ ସଂଭ୍ରାନ୍ତ ରୂପ । ଏହା କୌଣସି ବ୍ୟକ୍ତିବିଶେଷର ବିରୁଦ୍ଧରେ ନଥିଲା । ଏହା ସମାଜକୁ ନିବେଦନ ଥିଲା ଅଧିକ ନ୍ୟାୟବାନ ମାନବବାଦୀ ପରିବେଶ ସୃଷ୍ଟି କରିବାକୁ ଆହ୍ୱାନ ଥିଲା । ଗାନ୍ଧୀଙ୍କର ଦ୍ୱାରା ପ୍ରସ୍ତୁତ ସତ୍ୟାଗ୍ରହକୁ ଚିର ଜୀବନ୍ତ ଓ ଅଧିକ ଶାଣିତ କରିବାରେ ବିନୋବାଙ୍କର ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ ।
ଆଧୁନିକ ବିଶ୍ୱ ବିନୋବାଙ୍କ ପରି ଆଧ୍ୟାତ୍ମିକ ଚେତନାର ପ୍ରଭାକୁ ମଧୁମୟ ପରିବେଶରେ ବିତରଣ କରିବା ପରି ନେତୃତ୍ୱ ଆବଶ୍ୟକ କରେ । ଅତୀତରେ କେବେ ବିନୋବାଙ୍କର ପରି ମାର୍ଗଦର୍ଶକ ଜନସାଧାରଣଙ୍କୁ ପ୍ରଭାବିତ କରି ପାରି ନଥିଲା । ସମଗ୍ର ବିଶ୍ୱ ତାଙ୍କୁ ସମ୍ମାନ କରେ ପରମାଣୁ ଯୁଗର ସେ ଶ୍ରେଷ୍ଠ ଯୋଗୀ ଅଟନ୍ତି । ତାଙ୍କର ଜନ୍ମ ୧୮୯୫ ମସିହା ସେପ୍ଟେମ୍ବର ୧୧ ତାରିଖରେ ଆଜକୁ ୧୨୫ବର୍ଷ ପୂର୍ବରୁ ହୋଇଥିଲା ।
Comments
0 comments