ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବୟସ ୭୭ ବର୍ଷ ହେଲା । ଗତ ଜୁଲାଇ ମାସ ୨୨ତାରିଖରେ ନବୀନ ପଟ୍ଟନାୟକ ତାଙ୍କ ମୁଖ୍ୟମନ୍ତ୍ରୀ ଜୀବନର ଏକ ମହତ୍ତ୍ୱପୂର୍ଣ୍ଣ ମାଇଲଖୁଣ୍ଟକୁ ଅତିକ୍ରମ କରିଛନ୍ତି । ଏହିଦିନ ସେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁଙ୍କର ଦୀର୍ଘକାଳୀନ ମୁଖ୍ୟମନ୍ତ୍ରୀ ପଦରେ ରହିବାର ରେକର୍ଡକୁ ଅତିକ୍ରମ କରିଛନ୍ତି । ସେ ବର୍ତ୍ତମାନ ଭାରତବର୍ଷରେ ସବୁଠାରୁ ଅଧିକ କାଳ ମୁଖ୍ୟମନ୍ତ୍ରୀ ପଦରେ ରହି ସାରିଥିବା ଦ୍ୱିତୀୟ ମୁଖ୍ୟମନ୍ତ୍ରୀ । ସେ ତାଙ୍କ ପିତା ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ମାର୍ଚ୍ଚ ୨୦୦୦ ରେ ପୂର୍ବଭାରତର ଏହି ରାଜ୍ୟ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ ।
ଆମେ ଯେତେବେଳେ ନବୀନ ପଟ୍ଟନାୟକଙ୍କ ବିଷୟରେ କିଛି କହୁଛୁ ଆମକୁ ପ୍ରଥମେ ଜାଣିବାକୁ ହେବ ଯେ ‘ସିଏ କିଏ’ । ନବୀନ ବାବୁଙ୍କ ପିତା ବିଜୁ ପଟ୍ଟନାୟକ ଜଣେ ବିଲକ୍ଷଣ ପ୍ରତିଭାସମ୍ପନ୍ନ ବ୍ୟକ୍ତିତ୍ୱ ରହିବା ସହିତ ସେ ରୟାଲ ଇଣ୍ଡିଆନ ଏଆରଫୋର୍ସର ପାଇଲଟ ଥିଲେ । ସେ ପଣ୍ଡିତ ଜବାହାରଲାଲ ନେହେରୁଙ୍କର ଜଣେ ବିଶ୍ୱସ୍ତ ବନ୍ଧୁ ଥିଲେ ଓ ଇଣ୍ଡୋନେସିଆର ସ୍ୱାଧୀନତା ସଂଗ୍ରାମରେ ସେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେ ସେଠାରେ ଏତେ ଲୋକପ୍ରିୟ ଥିଲେ ଯେ ଇଣ୍ଡୋନେସିଆ ରାଷ୍ଟ୍ରଦୂତଙ୍କ ଅଫିସ (ଏମ୍ବାସୀ)ରେ ବିଜୁ ପଟ୍ଟନାୟକଙ୍କ ସ୍ମୃତିରେ ଏବଂ ବିଜୁ ପଟ୍ଟନାୟକଙ୍କ ନାମରେ ଗୋଟିଏ ରୁମ୍ ସର୍ବଦା ସଂରକ୍ଷିତ ହୋଇ ରହୁଥିଲା । ସେ ୧୯୬୧ରୁ ୧୯୬୩ ପର୍ଯ୍ୟନ୍ତ ଓଡ଼ିଶାରେ କଂଗ୍ରେସ ପାର୍ଟିର ମୁଖ୍ୟମନ୍ତ୍ରୀ ଥିଲେ । ସେ ରାଜ୍ୟପାଇଁ ଦୂରଦୃଷ୍ଟି ସମ୍ପନ୍ନ ଯୋଜନାମାନ କରୁଥିଲେ । ସଂସଦରେ ୧୨ବର୍ଷ ପର୍ଯ୍ୟନ୍ତ ଜଣେ କଂଗ୍ରେସ ସାଂସଦ ଭାବରେ କାର୍ଯ୍ୟ କରିବା ଭିତରେ ସେ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ଯେପରିକି ଇସ୍ପାତ, କୋଇଲା, ଖଣି ବିଭାଗରେ ପ୍ରଥମେ ମୋରାରଜୀ ଦେଶାଇ ଓ ପରେ ଚରଣ ସିଂହ ମନ୍ତ୍ରିମଣ୍ଡଳରେ କେନ୍ଦ୍ରମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳି ଥିଲେ । କିନ୍ତୁ ୮୦ଦଶକରେ ସେ କଂଗ୍ରେସ ସହିତ ସମ୍ପର୍କ ଛିନ୍ନ କରି ଜନତାପାର୍ଟିରେ ଯୋଗ ଦେଇଥିଲେ । ୧୯୮୯ରେ ଭି. ପି. ସିଂହ ପ୍ରଧାନମନ୍ତ୍ରୀ ହେବା ପଛରେ ବିଜୁବାବୁଙ୍କର ଏକ ପ୍ରମୁଖ ଭୂମିକା ଥିଲା । ଜନତା ଦଳର ସାଂସଦ ଥାଇ ସେ ୧୯୯୦ ମସିହାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ । ୧୯୯୭ ମସିହାରେ ତାଙ୍କର ଦେହାନ୍ତ ହୋଇଥିଲା । ତା ପୂର୍ବରୁ ସେ ତାଙ୍କ ପୁଅ ନବୀନଙ୍କୁ ସଫଳତାର ସହିତ ଏକ ରାଜନୈତିକ ମଂଚରେ ବସାଇ ଦେଇ ଯାଇଥିଲେ । ଡିସେମ୍ବର ୧୯୯୭ରେ ନବୀନ ପଟ୍ଟନାୟକ ଜନତା ଦଳ(ଯାହାକି ଲୋକଦଳ, ଜଗଜ୍ଜୀବନ ରାମଙ୍କ ଆଇଏନ୍ସି, ଜନମୋର୍ଚ୍ଚାର ଏକ ଗଠବନ୍ଧନ ଥିଲା)ପରିତ୍ୟାଗ କରି ତାଙ୍କ ନିଜର ଏକ ଆଂଚଳିକ ରାଜନୈତିକ ଦଳ ବିଜୁ ଜନତା ଦଳ ଗଠନ କରି ସବୁ ଓଡ଼ିଶାବାସୀଙ୍କ ମନରେ ତଥା ସ୍ମୃତିରେ ଗୋଟିଏ କଥା ରଖି ଦେବାକୁ ଚାହୁଁଥିଲେ ଯେ ସେ ହେଉଛନ୍ତି ବିଜୁ ପଟ୍ଟନାୟକଙ୍କ ଦାୟାଦ । ସେ ତାଙ୍କ ପିତାଙ୍କ ପଦଚିହ୍ନକୁ ଅନୁସରଣ କରି ଆଗେଇବାରେ ଲାଗିଲେ ଓ ୧୯୯୭ ରୁ ୨୦୦୦ ପର୍ଯ୍ୟନ୍ତ ସେ ଆସ୍କା ଲୋକସଭା ଆସନରୁ ନିର୍ବାଚିତ ହୋଇ ସାଂସଦ ଭାବରେ ସଂସଦରେ ଥିଲେ । ୧୯୯୮ରୁ ୨୦୦୦ ପର୍ଯ୍ୟନ୍ତ ସେ କେନ୍ଦ୍ରରେ ଖଣି ଓ ଇସ୍ପାତ ବିଭାଗର ମନ୍ତ୍ରୀ ହୋଇଥିଲେ ।
ଓଡ଼ିଶା ରାଜନୀତିରେ ନବୀନ ପଟ୍ଟନାୟକଙ୍କ ପ୍ରବେଶ ରାଜ୍ୟର ରାଜନୈତିକ ଇତିହାସରେ ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଘଟିଥିଲା । ଗତ ୨୩ ବର୍ଷ ଧରି ନବୀନ ପଟ୍ଟନାୟକ ଓଡ଼ିଶା ରାଜନୀତିରେ ସାପ-ସିଢ଼ିର ଖେଳ ଖେଳୁଛନ୍ତି । ତାଙ୍କର ଆରମ୍ଭ ସାପଲାଞ୍ଜରୁ ହୋଇଥିଲା ଯେତେବେଳେ ମହାବାତ୍ୟାର ମହାବିପତ୍ତି ଓଡ଼ିଶାକୁ ସମ୍ପୂର୍ଣ୍ଣ ଗ୍ରାସ କରି ବସିଥିଲା ଓ ଦୁଇ ଦଶନ୍ଧି ପରେ ସ୍ଥିତି କଡ଼ ଲେଉଟାଇଥିଲା । ସେମିତି ଦେଖିବାକୁ ଗଲେ ଏକବିଂଶ ଶତାବ୍ଦୀର ଓଡ଼ିଶାରେ ଏହା ସମ୍ପୂର୍ଣ୍ଣ ଏକ ‘ଜୀରୋସମ ଗେମ’ ଥିଲା । ନବୀନଙ୍କ ରାଜନୀତି ସେପରି କୌଣସି ନିର୍ଦ୍ଦିଷ୍ଟ ରାସ୍ତାରେ ନ ଯାଇ ସମ୍ପୂର୍ଣ୍ଣ ଖାମଖିଆଲୀ ଭାବରେ ଚାଲିଥିଲା । ଏହା ସେପରି ପ୍ରଗତିଶୀଳ ଚରିତ୍ରର ମଧ୍ୟ ନଥିଲା କି ଅନ୍ୟମାନଙ୍କ ରାଜନୀତିଠାରୁ ଭିନ୍ନ ହେବା ପରି ମୌଳିକ ମଧ୍ୟ ନଥିଲା । ବହୁ ସମୟରେ ଅତୀତ ବର୍ତ୍ତମାନଠାରୁ ଅଧିକ ଗୌରବମୟ ହୋଇଥାଏ ।
ବାତ୍ୟା ଓ ମହାବାତ୍ୟା : ବିଜୁ ପଟ୍ଟନାୟକ ୧୯୬୩ ପର୍ଯ୍ୟନ୍ତ ତିନିବର୍ଷ ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ । କିନ୍ତୁ ୧୯୭୧ରେ ସେ ବିଧାନସଭାରେ ବିରୋଧି ଦଳ ନେତା ଭାବରେ ନିଜ ସ୍ଥିତିକୁ ଅଧିକ ସମୟ ପର୍ଯ୍ୟନ୍ତ ଜାହିର କରି ପାରି ନଥିଲେ । ସେ ସାତ,ସାତଟି ବିଧାନସଭା ନିର୍ବାଚନମଣ୍ଡଳୀରେ ନିର୍ବାଚନ ଲଢ଼ି ସାତଟିଯାକରେ ହାରିଥିଲେ, ଗୋଟିକରୁ ଜିତି ପାରି ନ ଥିଲେ । ସେହି ସମୟରେ ତାଙ୍କର ଅତି ନିଜ ଲୋକ ଥିବା ପ୍ରହଲ୍ଲାଦ ମଲ୍ଲିକ ତାଙ୍କୁ ରକ୍ଷା କରି ଦେଇଥିଲେ । ସେତେବେଳେ ଶ୍ରୀ ମଲ୍ଲିକ ଦୁଇଟି ବିଧାନସଭା ଆସନରୁ ଜିଣିଥିଲେ, ଗୋଟିଏ ହେଉଛି ପଟ୍ଟାମୁଣ୍ଡାଇ, ସଂରକ୍ଷିତ ନିର୍ବାଚନମଣ୍ଡଳୀ ଓ ଆରଟି ହେଉଛି ରାଜନଗର ଯାହାକି ସାଧାରଣ ନିର୍ବାଚନ ମଣ୍ଡଳୀ ଥିଲା । ଶ୍ରୀ ମଲ୍ଲିକ ରାଜନଗରରୁ ଇସ୍ତଫା ଦେଇଥିଲେ । ସେଠାରେ ବିଜୁ ପଟ୍ଟନାୟକ ଲଢ଼ି ଜିଣିଥିଲେ ଓ ବିଧାନସଭାରେ ନିଜର ବିରୋଧୀଦଳ ନେତା ପଦ ବଜାୟ ରଖି ପାରିଥିଲେ । ୧୯୭୧ରେ ଯେଉଁ ବାତ୍ୟା ହେଲା, ତାହା ହାରି ଯାଇଥିବା ବିଜୁ ପଟ୍ଟନାୟକଙ୍କୁ ଲୋକଙ୍କ ଆଖିରେ ହୀରୋ କରି ଦେଇଥିଲା । ସେତେବେଳେ ବିଜୁ ପଟ୍ଟନାୟକ ଏକ ହେଲିକପ୍ଟର ନେଇ ବାତ୍ୟାପୀଡ଼ିତମାନଙ୍କୁ ପର୍ଯ୍ୟାପ୍ତ ରିଲିଫ ବାଂଟିଥିଲେ । ଲୋକଙ୍କ ନିକଟରେ ବିଜୁଙ୍କ ରିଲିଫ ରାଜ୍ୟ ସରକାରଙ୍କ ରିଲିଫ ପହଂଚିବା ପୂର୍ବରୁ ପହଂଚି ଯାଇଥିଲା । ସେତେବେଳେ ବିଜୁ ଏକ ଆଂଚଳିକ ଦଳ ଉତ୍କଳ କଂଗ୍ରେସକୁ ନେତୃତ୍ୱ ଦେଉଥାଆନ୍ତି, ଯାହାକି ଶାସନରେ ଥିବା ନନ୍ଦିନୀ ଶତପଥୀଙ୍କ ଭାରତୀୟ ଜାତୀୟ କଂଗ୍ରେସକୁ ଟକ୍କର ଦେଉଥିଲା । ସେହି ଘଟଣା ତାଙ୍କୁ ରାଜନଗର, କେନ୍ଦ୍ରାପଡ଼ା ଅଂଚଳରେ ଲୋକଙ୍କ ନଜରରେ ହୀରୋ କରିଦେଇଥିଲା ଯାହା ପାଇଁ କେନ୍ଦ୍ରାପଡ଼ା ସାରା ଜୀବନ ବିଜୁଙ୍କ ରାଜନୈତିକ ଦୁର୍ଗ ପାଲଟି ଯାଇଥିଲା । ବିଜୁଙ୍କ ପରେ ନବୀନଙ୍କ ପ୍ରତି କେନ୍ଦ୍ରାପଡ଼ା, କଟକ, ଗଂଜାମ ଆଦି ଅଂଚଳରେ ସମବେଦନାର ସୂଅ ଛୁଟିଲା । ଏହା ସହିତ ନବୀନ ରାଜ୍ୟର ଆଉ କେତେକ ଜିଲ୍ଲାରେ ମଧ୍ୟ ଏହି ସମବେଦନାର ସହାୟତା ପାଇ ନିଜର ରାଜନୈତିକ ସାମ୍ରାଜ୍ୟ ନିର୍ମାଣ କରିପାରିଥିଲେ ।
ଅନ୍ୟ ଏକ ମହାବାତ୍ୟା ନବୀନଙ୍କ ରାଜନୈତିକ ଜୀବନକୁ ଆଗକୁ ନେବାରେ ସାହାଯ୍ୟ କରିଥିଲା । ୧୯୯୯ ମସିହାରେ ହୋଇଥିବା ମହାବାତ୍ୟା ଉପକୂଳ ଓଡ଼ିଶାକୁ ସମ୍ପୂର୍ଣ୍ଣ ଧ୍ୱସ୍ତବିଧ୍ୱସ୍ତ କରି ଦେଇଥିଲା । ସେତେବେଳେ କଂଗ୍ରେସ ପାର୍ଟିର ମୁଖ୍ୟମନ୍ତ୍ରୀ ଥିଲେ ଗିରିଧର ଗମାଙ୍ଗ ଯିଏକି ଏବେ ବିଜେପିରେ ଅଛନ୍ତି । ସେ ମହାବାତ୍ୟା ପୀଡ଼ିତ ଲୋକମାନଙ୍କ ଥଇଥାନ ଓ ରିଲିଫ କାର୍ଯ୍ୟକୁ ଠିକରେ ପରିଚାଳନା କରି ଲୋକଙ୍କୁ ସନ୍ତୁଷ୍ଟ କରିପାରିଲେ ନାହିଁ । ଯାହାକି ନବଗଠିତ ବିଜେଡି ଦଳକୁ ୨୦୦୦ ବିଧାନସଭା ନିର୍ବାଚନରେ ଲାଭବାନ କରି କ୍ଷମତାସୀନ କରାଇଲା । ସେତେବେଳେ ବିଜେପି ନେତୃତ୍ୱାଧୀନ ସରକାରର ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଓଡ଼ିଶା ଲୋକଙ୍କ ପ୍ରତି ବେଶ୍ ଉଦାର ଥିଲେ ତେଣୁ ରାଜ୍ୟବାସୀଙ୍କୁ ଉଦାରତାର ସହିତ ସହାୟତା ଯୋଗାଇ ଦେଇଥିଲେ । ଅନେକ ରାଜ୍ୟର ସରକାରମାନେ ମଧ୍ୟ ପୀଡ଼ିତମାନଙ୍କୁ ରିଲିଫ ଯୋଗାଇ ଦେଇଥିଲେ । ତେଣୁ ୨୦୦୦ ମସିହାରେ ନବୀନ ପଟ୍ଟନାୟକ ସରକାର କ୍ଷମତାକୁ ଆସିବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟବାସୀଙ୍କୁ ପ୍ରକୃତ ରିଲିଫ ଯୋଗାଣ ଆରମ୍ଭ ହୋଇଥିଲା । ଉଦାହରଣସ୍ୱରୂପ ନଷ୍ଟଭ୍ରଷ୍ଟ ହୋଇ ଯାଇଥିବା ମୂଳଭୁତ ସୁବିଧା ବିଶେଷ କରି ଭାଙ୍ଗିଯାଇଥିବା ଘରପାଇଁ ନବୀନ ସରକାର ସହାୟତା ଦେଇପାରିଲେ । ଆନ୍ତର୍ଜାତିକ ସ୍ତର ସହିତ ତୁଳନା କଲେ ନବୀନ ସରକାରର ଦୁର୍ନୀତି ଟିକିଏ କମ୍ ଥିଲା । ଏହି କଥାଟି ଭବିଷ୍ୟତରେ ଓଡ଼ିଶାର ଲୋକ ଓ ବିଜେଡି କାର୍ଯ୍ୟକର୍ତ୍ତାମାନଙ୍କୁ ଅନେକ ସହାୟତା କଲା । ପ୍ରତ୍ୟକ ଲୋକହିତକର ଯୋଜନା, ତାହା ସାଧାରଣ ବଂଟନ ବ୍ୟବସ୍ଥା ହେଉ ବା କୃଷକମାନଙ୍କ ଉତ୍ପାଦନ ସାମଗ୍ରୀର ସର୍ବନିମ୍ନ ଦର ନିର୍ଦ୍ଧାରଣର କ୍ରିୟାନ୍ୱୟନରେ ରାଜ୍ୟର ଜନତା ଓ ବିଜେଡିର କାର୍ଯ୍ୟକର୍ତ୍ତାମାନଙ୍କୁ ଏହା ବେଶ୍ ଲାଭବାନ କଲା ।
ଏହି ଶାସନରେ କିଛି ପରିମାଣରେ ଦୁର୍ନୀତିକୁ ପ୍ରଶ୍ରୟ ଦିଆଯାଇଥିଲା ଯାହାଫଳରେ ଦଳର କାର୍ଯ୍ୟକର୍ତ୍ତାମାନେ କିଛି ପରିମାଣରେ ଉପକୃତ ହେଲେ । ନବୀନ ପଟ୍ଟନାୟକ ଶାସନ କରନ୍ତି କିନ୍ତୁ ପ୍ରଶାସନ ତାଙ୍କ ହାତରେ ନଥାଏ । ସଠିକ୍ ପ୍ରଶାସନ ପାଇଁ ବିଭିନ୍ନ ଗୋଷ୍ଠୀ ସହିତ ଆଲୋଚନା କରିବାକୁ ହୁଏ, ସେମାନେ ଅନେକ ମତ ଦିଅନ୍ତି କିନ୍ତୁ ନେତାଙ୍କୁ ଏକ ସହମତିର ସୂତ୍ର ବାହାର କରିବାକୁ ହୁଏ । କିନ୍ତୁ ଏ କ୍ଷେତ୍ରରେ ସେପରି କିଛି ଘଟେ ନାହିଁ, କେବଳ ନବୀନ ପଟ୍ଟନାୟକ ଓଡ଼ିଶାକୁ ଶାସନ କରନ୍ତି ।
ଓଡ଼ିଶାର ତିନି ଜଣରୁ ଜଣେ ବ୍ୟକ୍ତି ହେଉଛନ୍ତି ଗରିବ । ଅନେକ ଗୁଡିଏ ସ୍କିମ୍ କରିବା, ଜନହିତକର କାର୍ଯ୍ୟ କରିବା ଏବଂ ଭତ୍ତା ଓ ମାଗଣାରେ ମିଳୁଥିବା ସାମଗ୍ରୀ ଦିଆଯିବା ସତ୍ତ୍ୱେ ରାଜ୍ୟର ୨୯.୩୫% ଲୋକ ହେଉଛନ୍ତି ବିଭିନ୍ନ-ଦୃଷ୍ଟିରୁ ଗରିବ । ନୀତି ଆୟୋଗର National Multidimensional Poverty Index(MPI) 2021 ର ରିପୋର୍ଟ ଅନୁଯାୟୀ ଓଡ଼ିଶା ଦେଶର ସେହି ୧୦ଟି ଗରିବ ରାଜ୍ୟ ମଧ୍ୟରେ ରହିଛି ଯେଉଁ ରାଜ୍ୟ ଗୁଡ଼ିକରେ ଜନସଂଖ୍ୟାର ଏକ ଆଖିଦୃଶିଆ ଅଂଶ ଗରିବୀ ଭିତରେ କାଳ କାଟୁଛନ୍ତି । ଓଡ଼ିଶା ହେଉଛି ଦେଶର ଦ୍ୱିତୀୟ ଗରିବ ରାଜ୍ୟ ।
ଏଠାରେ ଅଧିକ ପୁଞ୍ଜିପତି ନାହାନ୍ତି । ତା’ ସାଙ୍ଗକୁ ଜମିଦାରମାନଙ୍କର ପ୍ରାଦୁର୍ଭାବ ଅଧିକ । ତେଣୁ ଏହି ଉପକୂଳ ରାଜ୍ୟଟିର ରାଜନୀତିକୁ ସମ୍ପୂର୍ଣ୍ଣ ଭାବରେ ବୁଝିବା ଅସମ୍ଭବ ହୋଇପଡ଼େ । ଏଠାରେ ଗୋଟିଏ ଶକ୍ତିଶାଳୀ ଅମଲାତନ୍ତ୍ର (ଅଫିସର ଗୋଷ୍ଠୀ) ଶାସକଶ୍ରେଣୀ ସାଜି ପ୍ରଶାସନ ଚଳାଉଛନ୍ତି । ସେମାନେ କେତେ ଶକ୍ତିଶାଳୀ ସେକଥା ଏହି ଗୋଟିଏ ଉଦାହରଣରୁ ବୁଝିହେବ ଯେ, କେତେବର୍ଷ ତଳେ ୧୨ଜଣ ଆଇଏଏସ ଅଧିକାରୀ ଦୁର୍ନୀତି ମାମଲାରେ ଧରା ପଡ଼ିଥିଲେ ମଧ୍ୟ ସେମାନଙ୍କ ଭିତରୁ କେହି ଜଣେ ହେଲେ ବରଖାସ୍ତ ହୋଇ ନଥିଲେ । ଏଇଥିରୁ ସେମାନଙ୍କର ଶକ୍ତି କେତେ, ତାହା ଜଣା ପଡ଼ିଯାଏ ଆଉ ନବୀନ ପଟ୍ଟନାୟକ ସେମାନଙ୍କୁ ପ୍ରଶାସନରୁ ଅଲଗା ନ କରାଇ ବରଂ ସେମାନଙ୍କ ସହିତ ‘ସଲା’ କରି ନେଇଛନ୍ତି । ତେଣୁ ଆଇଏଏସ୍ ଶିକ୍ଷାନବୀଶମାନଙ୍କ ମଧ୍ୟରେ ଗୋଟିଏ ମଜାଦାର କଥା ଶୁଣିବାକୁ ମିଳେ ଯେ “ଇଏ (ଓଡ଼ିଶା)ହେଉଛି ଏକ ରାଜ୍ୟ ଯେଉଁଠାରେ ତୁମକୁ ନିଯୁକ୍ତି ସେବା କରିବାକୁ ମିଳେ ନାହିଁ, ଶାସନ କରିବାକୁ ମିଳେ ।”
ପଟ୍ଟନାୟକଙ୍କ ଶାସନ ସୁଦୃଢ଼ ହେବା ପଛରେ ରହିଛି ଶାସକ ବିଜେଡି ସପକ୍ଷରେ ମିଳୁଥିବା ୫୦%ରୁ ଅଧିକ ଭୋଟ । ଏହା ନବୀନ ପଟ୍ଟନାୟକଙ୍କର ଲୋକପ୍ରିୟତାକୁ ପ୍ରମାଣ କରିବା ସହିତ ତିନୋଟି ଶ୍ରେଣୀର ଲୋକ ହ୍ୱିସ୍କି ପିଉ ପିଉ ଓଡ଼ିଶା ପାଇଁ ବୈଠକ କରିବା କଥାଟିକୁ ନଜରକୁ ଆଣେ । ନବୀନଙ୍କ ଦ୍ୱାରା ସୁସଙ୍ଗଠିତ ତିନୋଟି ସମ୍ଭ୍ରାନ୍ତ କ୍ଷମତାଶାଳୀ ବର୍ଗ ପଂଚତାରକା ହୋଟେଲମାନଙ୍କରେ ବିଦେଶରୁ ଆମଦାନୀ ହୋଇଥିବା ସ୍କଚ୍ ପିଇବା ପାଇଁ ଏକାଠି ହୋଇଥାଆନ୍ତି । ସେଥିରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଅଳ୍ପ କିଛି ସମ୍ଭ୍ରାନ୍ତ ରାଜନେତା, ରାଜ୍ୟ ଅମଲାତନ୍ତ୍ରର କିଛି ସଦସ୍ୟ ଓ ବେଦାନ୍ତ ନେତୃତ୍ୱରେ କିଛି ଖଣି ମାଲିକ ପରସ୍ପରକୁ ଭେଟି ଆଲୋଚନା କରିିଥାଆନ୍ତି । ସେମାନେ ସାଧାରଣ ଲୋକଙ୍କୁ ମଶାଣୀରେ ବସି ରମ୍ ପିଇବାକୁ ଅନୁମତି ଦିଅନ୍ତି । ରାଜ୍ୟ ସରକାର ଦୂରଦୂରାନ୍ତରେ ଥିବା ଅପହଂଚ ଗାଁମାନଙ୍କରେ ଯେଉଁଠି ସ୍କୁଲଟିଏ ବା ହସପିଟାଲଟିଏ ନାହିଁ; ସେଠାରେ ମଧ୍ୟ ମଦ ଦୋକାନ ଖୋଲି ଅବକାରୀ ଟିକସରୁ ସବୁଠାରୁ ଅଧିକ ରାଜସ୍ୱ ଅସୁଲ କରନ୍ତି । ସେଠାରେ ଗାଁ ଲୋକମାନେ ଗାଁ ମଶାଣୀରେ ବସି ମଦ୍ୟପାନ କରନ୍ତି । (ବାରିକ ୨୦୨୧) ।
୨୦୧୯ ସାଧାରଣ ନିର୍ବାଚନରେ ଦେଖାଗଲା ଯେ ବିଜେଡ଼ି ନିର୍ବାଚନ ପାଇଁ ପ୍ରାର୍ଥୀମାନଙ୍କୁ ସେମାନଙ୍କ ଯୋଗ୍ୟତା ପାଇଁ ବାଛିଲା ନାହିଁ । ବରଂ ହାଇକମାଣ୍ଡଙ୍କ ଦ୍ୱାରା ସର୍ବାଧିକ ଧନୀ ଓ ପଇସାବାଲା ଲୋକମାନଙ୍କୁ ବାଛି ପ୍ରତ୍ୟେକ ଅଂଚଳରେ ରାଜନୈତିକ ଠିକାଦାରମାନଙ୍କ ଜରିଆରେ ଟିକେଟ ଦିଆଯିବାର ବ୍ୟବସ୍ଥା କରାଗଲା ।
ଏବେ ବିଜେଡି ସାଂସଦ ଓ ବିଧାୟକମାନଙ୍କର କ୍ଷମତାରେ ରହିବାର କାରଣଟି ରାଜନୈତିକ ନହୋଇ ହୋଇଗଲା ‘ଅଣରାଜନୈତିକ’ । ସାଂସଦମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ପ୍ରଦାନ କରାଗଲା ଯେ, ସେମାନେ କିଛି କହିବେ ନାହିଁ । ସେମାନେ ନିଜ ମୁଁହ ଖୋଲିବାକୁ ଡରିଲେ । ସେମାନଙ୍କୁ ଓଡ଼ିଆରେ କହିବାକୁ ଅନୁମତି ମିଳୁଥିଲା କିନ୍ତୁ ତାହାର ଏକ ସାରାଂଶ ଇଂରାଜୀରେ ପ୍ରସ୍ତୁତ କରାଯାଇ ତାହାକୁ ପାର୍ଟିଦ୍ୱାରା ଅନୁମୋଦିତ କରାଯାଉ ଥିଲା ଏବଂ ଏହାକୁ ସଂସଦର ସଚିବାଳୟରେ ଜମା କରାଯାଉଥିଲା । ସାଂସଦମାନେ କେବଳ ସଂସଦର ଛାତ, ବିରୋଧୀ ଦଳ ସାଂସଦମାନଙ୍କର ମୁଁହକୁ ଚାହିଁ ଚାହିଁ ସରକାରୀ ଆବାସକୁ ଫେରୁଥିଲେ । ଘରେ ଆସି ମଧ୍ୟାହ୍ନ ଭୋଜନ କରି ଦୀର୍ଘସମୟ ଧରି ଶୋଇ ପଡ଼ୁଥିଲେ । ସଂସଦରେ ବିଜେଡି କେନ୍ଦ୍ର ସରକାରଙ୍କୁ କେଉଁ ବିଷୟରେ ସମର୍ଥନ କରିବ ଓ ନ କରିବ; ସେ ବିଷୟରେ କିଛି ଆଲୋଚନା ହେଉନଥିଲା । ପ୍ରତ୍ୟେକ ବିଷୟରେ ନିଷ୍ପତ୍ତି ନବୀନ ପଟ୍ଟନାୟକ ନେଉଥିଲେ । ସାଂସଦମାନଙ୍କର କାମ ହେଉଛି ତାଙ୍କ ନିଷ୍ପତ୍ତିକୁ ପାଳନ କରିବା ।
ବିଜେଡ଼ିରେ ଅରାଜନୈତିକତା ଏତେ ଗଭୀରକୁ ପ୍ରବେଶ କରିସାରିଛି ଯେ ବିଜେଡିର ଯୁବଶାଖାର ଯେଉଁ ସାଂସଦ ବା ବିଧାୟକ ଅଛନ୍ତି ସେମାନେ ଆଉ ସମାଜରେ ସୃଷ୍ଟି ହେଉଥିବା ବିଭିନ୍ନ ଆହ୍ୱାନ ବିଶେଷକରି ଦକ୍ଷିଣପନ୍ଥୀମାନଙ୍କ ପକ୍ଷରୁ ସୃଷ୍ଟି କରାଯାଉଥିବା ଆହ୍ୱାନଗୁଡ଼ିକର ସମ୍ମୁଖୀନ ହେବାକୁ ସମର୍ଥ ହୋଇପାରୁନାହାନ୍ତି । ସେମାନେ ସର୍ବସାଧାରଣରେ କାହା ସହିତ କୌଣସି ଆଲୋଚନା କରି ପାରୁ ନଥିଲେ ଥରେ ଏକ ସ୍ୱାଧୀନ ସଙ୍ଗଠନ ଉତ୍କଳ ବିଶ୍ୱବିଦ୍ୟାଳୟ ଉପରେ ହେଉଥିବା ସାଂସ୍କୃତିକ ଆକ୍ରମଣ ଉପରେ ଏକ ବୈଠକରେ ଆଲୋଚନା କରୁଥିବାବେଳେ ସେଠାରେ ହିନ୍ଦୁ ସପକ୍ଷବାଦୀ ଛାତ୍ର ସଙ୍ଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଓ ବିଜେପିର ଯୁବ-ଶାଖାର କର୍ମୀମାନେ ପହଂଚି ଆଲୋଚକମାନଙ୍କ ଉପରେ ଶାରୀରିକ ଭାବେ ଆକ୍ରମଣ କରିଥିଲେ । ଗୋରକ୍ଷକ ନାମରେ କିଛି ଲୋକ ସଡ଼କରେ ବୁଲି ବୁଲି ମୁସଲିମ ଜୀବବ୍ୟାପାରୀମାନଙ୍କ ଉପରେ ଆକ୍ରମଣ କରୁଛନ୍ତି । ତେଣୁ ଏବେ ଦକ୍ଷିଣପନ୍ଥୀ ରାଜନୈତିକ ଶକ୍ତିମାନେ ରାଜ୍ୟରେ କ୍ଷମତାରେ ନଥିଲେ ମଧ୍ୟ ସେମାନେ ବେରୋକଟୋକ ଭାବରେ ସାଂସ୍କୃତିକ ସ୍ତରରେ ବିଭିନ୍ନ ଅସାମାଜିକ କାଣ୍ଡ ଭିଆଉଛନ୍ତି ଓ ହିଂସା ସୃଷ୍ଟି କରୁଛନ୍ତି । ଏପରିକି ଜଣେ ସାଧାରଣ ବ୍ୟାପାରୀ ଓଡ଼ିଶା ଭଳି ଗୋଟିଏ କୃଷିପ୍ରଧାନ ରାଜ୍ୟରେ କେତେଦିନ ପାଇଁ ଆମିଷ-ଦ୍ରବ୍ୟ ଯେପରିକି ମାଛ, ଅଣ୍ଡା ଆଦି ବିକ୍ରୀ କରିପାରିବ; ସେକଥା ରାଜ୍ୟରେ କ୍ଷମତାରେ ଥିବା ପଟ୍ଟନାୟକ ଗୋଷ୍ଠୀ ନୁହେଁ, ଏହି ଗୋରକ୍ଷକ ଦଳ ନିର୍ଦ୍ଧାରଣ କରୁଛନ୍ତି ।
ଗତ ଆଠବର୍ଷ ଧରି ବିଜେଡ଼ି କେନ୍ଦ୍ରର ବିଜେପି ସରକାରକୁ ସମର୍ଥନ ଦେଇ ଆସୁଛି । ବିଜେଡି ଯେଉଁ ସମଦୂରତ୍ୱ କଥା କହୁଛି ତାହାର ଅର୍ଥ ହେଉଛି ମୋଦୀ ସରକାରକୁ ବିଶ୍ୱସ୍ତଭାବେ ସମର୍ଥନ ପ୍ରଦାନ । ବିଜେଡି ଭାରତୀୟ ରାଜନୀତିରେ ଏହାର ସ୍ୱାୟତ୍ତତା ହରାଇ ସାରିଛି, ଲାଗୁଛି ଯେମିତି ଓଡ଼ିଶାର ଅମଲାତନ୍ତ୍ର ଆସନ୍ତାକାଲି କେନ୍ଦ୍ର ସରକାର ଅଧିନକୁ ଯିବାକୁ ପ୍ରସ୍ତୁତ ହୋଇ ବସିଛି । (ଇଣ୍ଡିଆନ ଏକ୍ସପ୍ରେସ -୦୪.୦୮.୨୩) ।
ବନ୍ଦ ହେଉଥିବା ସ୍କୁଲମାନେ : ନବୀନ ପଟ୍ଟନାୟକ ରାଜ୍ୟର ୮୦୦୦ ସ୍କୁଲଙ୍କୁ ବନ୍ଦ କରିଦେବାକୁ ନିଷ୍ପତ୍ତି ନେଇ ରାଜ୍ୟବାସୀଙ୍କ ପାଇଁ ବିପତ୍ତିକୁ ନିମନ୍ତ୍ରଣ କରି ଆଣିଛନ୍ତି କାରଣ ଏହାଦ୍ୱାରା ଅଧିକ ଓଡ଼ିଆ ଲୋକେ ନିରକ୍ଷର ହୋଇଯିବେ । ଔପନିବେଶିକ କାଳରେ ଓଡ଼ିଶାରେ ବହୁ ପରିମାଣରେ ପ୍ରାଥମିକ ସ୍କୁଲମାନ ଥିଲା । ଏହି ସ୍କୁଲଗୁଡ଼ିକୁ ଏତେ ସଂଖ୍ୟାରେ ପିଲାମାନେ ପାଠ ପଢ଼ିବା ପାଇଁ ଯାଉଥିଲେ ଯେ, ତାହା ସେ ସମୟର ସରକାରକୁ ଚକିତ କରି ଦେଉଥିଲା ।
ଅତୀତରେ ଓଡ଼ିଶାର ଲୋକମାନେ ସେମାନଙ୍କ ଅଂଚଳରେ ଗୋଟିଏ ସରକାରୀ ସ୍କୁଲ ଖୋଲାଯିବାପାଇଁ ବ୍ରିଟିଶ ସରକାର ନିକଟରେ ଦାବି କରୁଥିଲେ । ଫକିରମୋହନ ସେନାପତିଙ୍କ ରଚିତ ‘ରେବତୀ’ ଗଳ୍ପରେ ଗ୍ରାମବାସୀମାନେ ସେମାନଙ୍କ ଅଂଚଳରେ ସ୍କୁଲଟିଏ ଖୋଲାଯିବା ପାଇଁ ଦାବୀ କରିବା ଘଟଣା ଦେଖିବାକୁ ମିଳିଥାଏ ଯାହାକୁ କି ତତ୍କାଳୀନ ଔପନିବେଶିକ ସରକାର ସ୍ୱୀକାର କରି ନେଇଛନ୍ତି । ସେତେବେଳେ ଅଧିକାଂଶ ସ୍କୁଲଗୁଡ଼ିକୁ ଗ୍ରାମ୍ୟକମିଟିମାନେ ପ୍ରତିଷ୍ଠା ତଥା ନିର୍ମାଣ କରୁଥିଲେ ଯେଉଁମାନେ କି ସ୍କୁଲଗୁଡ଼ିକପାଇଁ ଶିକ୍ଷକ ନିଯୁକ୍ତ କରୁଥିଲେ । ଏହି ସ୍କୁଲଗୁଡ଼ିକୁ ବନ୍ଦ କରିଦେବାପାଇଁ ପଟ୍ଟନାୟକ ସରକାରଙ୍କର କେଉଁ ଅଧିକାର ଅଛି, ଯେତେବେଳେ ଏହା କୌଣସି ସ୍କୁଲକୁ ଗଢ଼ି ନାହାନ୍ତି । ନିଆଳି ବ୍ଲକର ଷଡ଼ାଂଶ ଗ୍ରାମରେ ୧୯୧୪ମସିହାରେ ଗୋଟିଏ ସ୍କୁଲ ଥିଲା । କିନ୍ତୁ ୧୧୦ ବର୍ଷ ପର୍ଯ୍ୟନ୍ତ ଏହି ସ୍କୁଲ ଚାଲିବା ପରେ ଏବେ ଏହାକୁ ପଟ୍ଟନାୟକ ସରକାର ବନ୍ଦ କରି ଦେଇଛନ୍ତି । ଏବେ ଦେଖିବାକୁ ମିଳୁଛି ଯେ ସରକାରଙ୍କ ଶିକ୍ଷା ବଜେଟ୍ ଅନ୍ୟତ୍ର ଖର୍ଚ୍ଚ କରାଯିବାର ବ୍ୟବସ୍ଥା ହେଉଛି । ଯା’ର ପରିଣାମ ସ୍ୱରୂପ ଓଡ଼ିଶାର ମାନବପୁଞ୍ଜିି ବିଘଟିତ ହେବାକୁ ଯାଉଛି । ନିକଟ ଭବିଷ୍ୟତରେ ଅଜ୍ଞାନତାର ଅନ୍ଧକାର ସାରା ରାଜ୍ୟକୁ ଗ୍ରାସ କରି ଯାଇପାରେ ।
ସ୍ୱାସ୍ଥ୍ୟସେବାର ଘରୋଇକରଣ : ବର୍ତ୍ତମାନ ସରକାରର ଘରୋଇ ସ୍କୁଲ ତଥା ଘରୋଇ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକୁ ଅଧିକ ପ୍ରାଧାନ୍ୟ ଦିଆଯିବା ଘଟଣା ରାଜ୍ୟର ଜନତାକୁ ସରକାରଙ୍କଠାରୁ ଅଲଗା କରିଦେଇଛି । କୋଭିଡ ୧୯ ମହାମାରୀ ସମୟରେ ଘରୋଇ ହାସପାତାଳଗୁଡିକ ରାଜ୍ୟ ଓ କେନ୍ଦ୍ର ସରକାରଙ୍କଠାରୁ ଅସାଧାରଣ ସମର୍ଥନ ପାଇଲେ, ସେମାନେ ଲୋକଙ୍କୁ କୌଣସି ସେବା ନଦେଇ ପର୍ଯ୍ୟାପ୍ତ ମୁନାଫା କମାଇବାକୁ ଲାଗିଲେ । ଏଥିପାଇଁ କରୋନା ଭୂତାଣୁରେ ବିଭିନ୍ନ ଅଂଚଳରେ ଲୋକମାନଙ୍କ ମୃତ୍ୟୁ ଘଟିଲା । କରୋନା ସମୟରେ ସରକାରୀ ହାସପାତାଳକୁ ସମର୍ଥନ, ସହଯୋଗ ଓ ସହାୟତା ନଦେଇ ଓଡ଼ିଶା ସରକାର ମହାମାରୀ ସ୍ଥିତିରେ ମଧ୍ୟ ସ୍ୱାସ୍ଥ୍ୟସେବାର ସଠିକ ପରିଚାଳନା କରି ପାରିନଥିଲେ । ସରକାରଙ୍କର ସ୍ଥିତିକୁ ସମ୍ଭାଳିବାର ଏହି ଅପାରଗତା ଗରିବମାନଙ୍କୁ ପ୍ରାଣ ବଂଚାଇବାପାଇଁ ଘରୋଇ ହାସପାତାଳକୁ ଯିବାକୁ ବାଧ୍ୟ କଲା ଓ ସେଥିପାଇଁ ବହୁ ପରିମାଣରେ ଅର୍ଥ ଖର୍ଚ୍ଚ କରିବାପାଇଁ ବାଧ୍ୟ କଲା ।
ଓଡ଼ିଶାରେ ଖଣି : ବର୍ଷ ୨୦୦୫ରେ କୋରିଆର ଏକ ଇସ୍ପାତ କମ୍ପାନୀ, ପୋସ୍କୋ, ଜଗତସିଂହପୁର ଜିଲ୍ଲାରେ ଏକ ବୃହତ ଇସ୍ପାତ କମ୍ପାନୀ ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାରଙ୍କ ସହିତ ଚୁକ୍ତିନାମାରେ ଦସ୍ତଖତ କଲା । କମ୍ପାନୀ ସରକାରଙ୍କ ସହିତ ଚୁକ୍ତି କରିଥିଲା ଯେ ଏହି ମେଗା ଇସ୍ପାତ କମ୍ପାନୀ ପାଇଁ ସେମାନଙ୍କର ଆବଶ୍ୟକ ଲୁହାପଥର ସେମାନେ ସୁନ୍ଦରଗଡ଼ ଜିଲ୍ଲାର କୋଇଡା ଅଂଚଳରେ ଥିବା ଖଣ୍ଡାଧାର ଖଣିରୁ ନେବେ ଯାହାକି ସେମାନଙ୍କର ନିଜସ୍ୱ (captive) ଖଣି ହେବ । ଏହା ସହିତ ସେମାନେ ଏକ ସର୍ତ୍ତ ରଖିଥିଲେ ଯେ, ସେମାନେ ଲୁହାପଥର ରପ୍ତାନୀ ମଧ୍ୟ କରିବେ । କିନ୍ତୁ ସ୍ଥାନୀୟ ଲୋକମାନଙ୍କର ପ୍ରବଳ ବିରୋଧ କାରଣରୁ ରାଜ୍ୟ ସରକାରଙ୍କ ଓଡ଼ିଶା ଖଣି ନିଗମ (OMC)୨୦୧୩ ମସିହାରେ ଇସ୍ପାତ ଉଦ୍ୟୋଗ ଆଧୁନିକ ମେଟାଲିକ୍ସ ଆଣ୍ଡ୍ ରେକ୍ସନଷ୍ଟ୍ରିପ୍ସକୁ ପର ପାଂଚବର୍ଷ ପର୍ଯ୍ୟନ୍ତ କୁର୍ମିତାର ପାହାଡ଼ ଖଣି, ଖଣ୍ଡାଧାର, କୋଇଡ଼ା, ସୁନ୍ଦରଗଡ଼ରୁ ଲୁହାପଥର ଯୋଗାଇ ଦେବାପାଇଁ ଏକ ଚୁକ୍ତିନାମା କଲେ । ସେଥିରେ କୁହାଯାଇଥିଲା ଯେ ୨୦୨୦ବେଳକୁ ଏହି ଖଣିରୁ ୪ଗୁଣ ଅଧିକ ଲୁହାପଥର ଉତ୍ତୋଳନ କରାଯାଉଥିବ । କିନ୍ତୁ ସ୍ଥାନୀୟ ପାଉଡ଼ିଭୁୟାଁ ଆଦିବାସୀମାନେ ଏଠାରେ ଖଣିଖନନକୁ ଜୋରଦାର ଢଙ୍ଗରେ ବିରୋଧ କଲେ କାରଣ ତା’ଦ୍ୱାରା ପରିବେଶକୁ ଯେଉଁ କ୍ଷତି ପହଂଚିବ ସେଥିରେ ସେମାନଙ୍କର ଜୀବନଜୀବିକା ପ୍ରଭାବିତ ହେବ । ସେମାନେ ଆଗରୁ ମଧ୍ୟ ଯୁକ୍ତି ଦର୍ଶାଇଥିଲେ ଯେ, ଖଣ୍ଡାଧାର ଖଣି ଚାଲୁ କରାଗଲେ ଏହା ଜଙ୍ଗଲ ଅଧିକାର ଆଇନର ଉଲ୍ଲଂଘନ କରିବ । ଯେଉଁ ଆଇନ କହେ ଯେ, ଜଙ୍ଗଲରେ ରହୁଥିବା ଆଦିବାସୀମାନଙ୍କ ଇଲାକାରେ କୌଣସି ଅଣଜଙ୍ଗଲ କାର୍ଯ୍ୟ କରାଗଲେ ବା ସେମାନଙ୍କ ଗ୍ରାମଗୁଡିକୁ ରାଜସ୍ୱ ଗ୍ରାମରେ ପରିଣତ କରାଗଲେ ଯେଉଁମାନେ ବିସ୍ଥାପିତ ହେବେ ସେମାନଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରିବା ପରେ ବିସ୍ଥାପନ କାର୍ଯ୍ୟ ହୋଇ ପାରିବ । ଏହା ବାଧ୍ୟତାମୂଳକ । ବେଆଇନ ଖଣି ଖନନ ମାମଲା ୨୦୦୯ରେ ଲୋକଲୋଚନକୁ ଆସିଲା ଯେତେବେଳେ ଏହା ଓଡ଼ିଶା ବିଧାନସଭାରେ ଉଠାଗଲା ଓ ଏହା ଉପରେ ପ୍ରବଳ ଯୁକ୍ତିତର୍କ ହେଲା । ଖଣି ଆଧାରିତ ଶିଳ୍ପଗୁଡ଼ିକ କେବଳ ଆଖିବୁଜା ଖଣିଖନନରେ ମାତି ଥାଆନ୍ତି ଯାହାପାଇଁ ରାଜ୍ୟର ପ୍ରାକୃତିକ ପରିବେଶ ବିପର୍ଯ୍ୟୟ ଭିତରକୁ ଠେଲି ହୋଇ ଯାଇଥାଏ । ଏହା ସହିତ ଖଣିଅଂଚଳରେ ଥିବା ଆଦିବାସୀମାନଙ୍କୁ ବିସ୍ଥାପନର ସାମ୍ନା କରିବାକୁ ହୁଏ । ଖଣିମାଫିଆମାନେ ଅଧିକରୁ ଅଧିକ ଜଙ୍ଗଲର ଆଭ୍ୟନ୍ତରୀଣ ଅଂଚଳକୁ ପ୍ରବେଶ କରନ୍ତି । (ସ୍ଥିତପ୍ରଜ୍ଞ ରାୟ ୨୦୧୧) ।
ନବୀନ ପଟ୍ଟନାୟକଙ୍କର ଏହି ଖଣି ନୀତି ବିରୁଦ୍ଧରେ ଆଦିବାସୀମାନଙ୍କର ଯେଉଁ ବିଦ୍ରୋହ ଆରମ୍ଭ ହେଲା ସେଥିପାଇଁ ବିଭିନ୍ନ ସ୍ଥାନରେ ଗୁଳିକାଣ୍ଡ ଘଟି ଆଦିବାସୀମାନଙ୍କର ଗଣହତ୍ୟା ଘଟିଲା । (କୁନ୍ଦନ କୁମାର ୨୦୧୪, ବାଣୀକଣ୍ଠ ୨୦୧୪) ।
ଜଗତସିଂହପୁରରେ ପୋସ୍କୋ, କଳାହାଣ୍ଡିର ନିୟମଗିରି ଅଂଚଳରେ ବେଦାନ୍ତ ଭଳିି ବଡ଼ବଡ଼ ଖଣି କମ୍ପାନୀମାନଙ୍କ ବିରୁଦ୍ଧରେ ଲୋକମାନଙ୍କର ପ୍ରବଳ ବିଦ୍ରୋହ ସଂଘଟିତ ହେଲା । ଯାହାକି ରାଜ୍ୟରେ ନବୀନ ପଟ୍ଟନାୟକ ଓ କେନ୍ଦ୍ରରେ ମନମୋହନ ସରକାରଙ୍କୁ କୋଣଠେସା କରିଦେଲା । ସିବିଆଇ ରିପୋର୍ଟ ଅନୁଯାୟୀ ନବୀନ ପଟ୍ଟନାୟକଙ୍କ ସରକାର କେନ୍ଦ୍ରରେ ମନମୋହନ ସିଂହ ସରକାରଙ୍କ ସହିତ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ରକ୍ଷାକରି ଚାଲିଲା ଯଦିଓ ଡଃ ସିଂହଙ୍କ ସରକାର ପ୍ରତି ଏହାର ଆନୁଗତ୍ୟ ନଥିଲା ।
ମୋଦୀ ସରକାରଙ୍କ ଅମଳରେ ସଂସଦରେ ସଂଶୋଧିତ ଜଙ୍ଗଲ ଅଧିକାର ଆଇନ ପାରିତ ହେବା ଘଟଣା ଖଣି କମ୍ପାନୀମାନଙ୍କର ବିଜୟ ଥିଲା । କେନ୍ଦ୍ରରେ ତଥା ଓଡ଼ିଶାରେ ଖଣି କମ୍ପାନୀମାନଙ୍କ ବନ୍ଧୁତା ବା ଲବୀ କେତେ ସୁଦୃଢ଼ ତା’ର ସଂକେତ ଏଇଥିରୁ ମିଳିଥିଲା । ପୁରୁଣା ଆଇନରେ ଆଦିବାସୀ ଅଂଚଳରେ ଖଣିଖନନ କରିବାକୁ ହେଲେ ସ୍ଥାନୀୟ ଆଦିବାସୀମାନଙ୍କ ସହିତ ଆଲୋଚନା କରିବା ବାଧ୍ୟତାମୂଳକ ଥିଲା । ନୂଆ ଆଇନରେ ଏହାକୁ ‘ଅନାବଶ୍ୟକ’ କରି ଦିଆଯିବା ପରେ ଏବେ ନିୟମଗିରି ଅଂଚଳରେ ବେଦାନ୍ତକୁ ଖଣିଖନନ ପାଇଁ ସହଜ ହୋଇଯିବ । ଏହି କମ୍ପାନୀର ଓଡ଼ିଶା ରାଜନୀତିରେ (ବିଶେଷ କରି ନବୀନ ରାଜନୀତିରେ) ଅନେକ ଭୂମିକା ରହିଛି । ଏହା ଗୋଟିଏ କାରଣ ହୋଇଥାଇପାରେ ଯେଉଁଥିପାଇଁ ସମ୍ପ୍ରତି ସଂସଦରେ ମୋଦୀ ସରକାର ବିରୁଦ୍ଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ନବୀନ ସରକାର ସମର୍ଥନ କଲା ନାହିଁ ଏବଂ ଦିଲ୍ଲୀ ବିଲକୁ ସମର୍ଥନ କଲା । ଏବେ ଓଡ଼ିଶାରେ ହ୍ୱିସ୍କି ଆଉ ରମ୍ର ସମ୍ପର୍କ ବେଶ୍ ସୁଦୃଢ଼ ହେଲା । ଇଂରାଜୀ ଇଣ୍ଡିଆନ ଏକ୍ସପ୍ରେସ ସମ୍ବାଦପତ୍ରରେ ସମ୍ପ୍ରତି ଲେଖାଟିଏ ପ୍ରକାଶିତ ହୋଇଥିଲା ଯେଉଁଥିରେ ବିଜେଡି ଦଳ ସଂସଦରେ National Capital Territory of Delhi Amendment Bill-2023କୁ ସମର୍ଥନ କରିବା ଘଟଣାକୁ ନେଇ କେତେକ ନକାରାତ୍ମକ ଟିପ୍ପଣୀ ଦିଆଯାଇଥିଲା । କୁହାଯାଇଥିଲା ଯେ, ଏହା ଭାରତର ସଂଘୀୟ ବ୍ୟବସ୍ଥାର ବିରୋଧୀ ।
ଖାଦ୍ୟ : ନବୀନ ପଟ୍ଟନାୟକଙ୍କର ଲୋକପ୍ରିୟତା ଚାରୋଟି ‘ଏଫ୍’ ବିଶେଷକରି ‘ଫୁଡ୍’ ବା ଖାଦ୍ୟ କାର୍ଯ୍ୟକ୍ରମ ଉପରେ ପର୍ଯ୍ୟବେସିତ । ଏଥିରେ ସାଧାରଣ ବଂଟନ ବ୍ୟବସ୍ଥା, ସ୍କୁଲମାନଙ୍କରେ ଚାଲୁଥିବା ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା, ଛଅ ବର୍ଷରୁ କମ ପିଲାମାନଙ୍କ ପାଇଁ ଥିବା ଅଙ୍ଗନୱାଡି କାର୍ଯ୍ୟକ୍ରମ, ଶ୍ରମିକମାନଙ୍କ ପାଇଁ ସହରାଂଚଳରେ ଶସ୍ତା ଭୋଜନ ପ୍ରଦାନ ଆଦି ଯୋଡ଼ି ହୋଇଛି ।
ଓଡ଼ିଶାରେ ଚାଲିଥିବା ସମନ୍ୱିତ ଶିଶୁବିକାଶ ଯୋଜନା ଏକ ମୋଟାମୋଟି ସଫଳ ଯୋଜନା । ଏହା ୨୦୧୧ ମସିହାରେ କାର୍ଯ୍ୟକାରୀ ହେଲା । ଏହି କାର୍ଯ୍ୟକ୍ରମରେ ଗର୍ଭବତୀ ମହିଳାମାନଙ୍କୁ ଅତିରିକ୍ତ ପୋଷଣ ପାଇଁ ଖାଦ୍ୟ ଓ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇଥାଏ, ଛଅବର୍ଷରୁ କମ ବୟସର ଶିଶୁମାନଙ୍କୁ ରନ୍ଧାଖାଦ୍ୟ ଦିଆଯାଇଥାଏ, ବିଶେଷ କରି ସେମାନଙ୍କୁ ସୁସ୍ଥ ଓ ଖୁସି ରଖିବା ପାଇଁ ଗୋଟିଏ ଲେଖାଁଏ ଅଣ୍ଡା ଦିଆଯାଇଥାଏ ।
୨୦୧୫ରେ ଗବେଷିକା ରିତିକା ଖେରା କହିଥିଲେ ଯେ ସମ୍ବନ୍ୱିତ ଶିଶୁ ବିକାଶ ଯୋଜନା ବା (CDS)ରେ ଲାଭ ମିଳିବାର କାରଣ ହେଲା ଯେ ଓଡ଼ିଶାରେ ଶିଶୁ ପୁଷ୍ଟିସାଧନ କ୍ଷେତ୍ରରେ ଏକ ରଚନାତ୍ମକ ନୀତି ତିଆରି ହେଲା । ଅଙ୍ଗନୱାଡ଼ି କାର୍ଯ୍ୟକ୍ରମର ସଫଳତା ପାଇଁ ମହିଳା ଅଙ୍ଗନୱାଡି କର୍ମୀମାନେ ବହୁ ପରିମାଣରେ ଦାୟୀ ତେଣୁ ସେମାନଙ୍କ ନିଯୁକ୍ତି ବେଳେ କୌଣସି ଜାତିଆଣ ଭେଦଭାବ ନ ରଖାଯାଇ ସବୁ ଜାତିରୁ କର୍ମୀ ନିଆଯିବା ଫଳରେ ଏହା ସମ୍ଭବ ହୋଇପାରିବ ।
ମଧ୍ୟାହ୍ନଭୋଜନ ଯୋଜନା : ଏହି ଯୋଜନା ୧୯୯୫ରୁ କାର୍ଯ୍ୟକାରୀ ହେଉଛି । ଏଥିପାଇଁ ଓଡ଼ିଶା ସରକାର ବହୁ ପରିମାଣରେ ପାଚିକା ଓ ସହାୟକ /ସହାୟିକା ନିଯୁକ୍ତ କରିଛନ୍ତି । ରନ୍ଧାଖାଦ୍ୟ ସ୍କୁଲ ଯାଉଥିବା ଛାତ୍ରଛାତ୍ରୀମାନଙ୍କର ଶାରୀରିକ ଓ ବୌଦ୍ଧିକ ବିକାଶ ଘଟାଇବାରେ ସହାୟକ ହେଉଛି । ଦୁଇଜଣ ବିଦ୍ୱାନ ଅନିମା ରାନୀ ଓ ନରେଶ ଶର୍ମା ଗବେଷଣା କରି ୨୦୦୮ ମସିହାରେ ଯେଉଁ ରିପୋର୍ଟ ଦେଇଛନ୍ତି ତା ମୁତାବକ ଏବେ ସରକାର ରନ୍ଧାଖାଦ୍ୟ ଜାଗାରେ ଛାତ୍ରଛାତ୍ରୀମାନଙ୍କୁ ଶୁଖିଲା ଖାଦ୍ୟ ଦେବାକୁ ଆରମ୍ଭ କରିଛନ୍ତି ଯାହାକି ସେମାନଙ୍କ ବିକାଶରେ ସେଭଳି ସହାୟକ ହୋଇ ପାରୁ ନାହିଁ ।
ସାଧାରଣ ବଂଟନ ବ୍ୟବସ୍ଥା : ପ୍ରଶାସନ ପକ୍ଷରୁ ଏହି ବ୍ୟବସ୍ଥାର ସଠିକ ଦେଖାରେଖା କରାଯିବା ଫଳରେ ଏହା ବହୁ ପରିମାଣରେ ସଫଳ ହୋଇଛି । ଏହି ଗୋଟିଏ ପଦକ୍ଷେପ କ୍ଷୁଧା ଏବଂ ଗରିବୀକୁ କିଛି ପରିମାଣରେ ହଟାଇବାରେ ସମ୍ଭବ ହୋଇଛି । ଅଙ୍କିତା ଅଗ୍ରୱାଲଙ୍କ ଦ୍ୱାରା ୨୦୧୧ ମସିହାରେ କରାଯାଇଥିବା ଏକ ଅଧ୍ୟୟନ ଅନୁଯାୟୀ କୋରାପୁଟ ଜିଲ୍ଲାର ରାସନକାର୍ଡ ଥିବା ୯୭% ପରିବାର ନିୟମିତ ଭାବରେ ସାଧାରଣ ବଂଟନ ବ୍ୟବସ୍ଥାରେ ଚାଉଳ ପାଉଥିଲେ । ଏଥିରୁ ଜଣାପଡ଼ୁଛି ଯେ କ୍ଷୁଧା ବିରୁଦ୍ଧରେ ଲଢ଼ିବାରେ ସାଧାରଣ ବଂଟନ ବ୍ୟବସ୍ଥା ଯଥାର୍ଥରେ ସଫଳ ହୋଇ ପାରିଛି । (ଡ୍ରେଜ ଏବଂ ଖେରା-୨୦୧୩) ।
ମାତ୍ର ୫ ଟଙ୍କାରେ ମଧ୍ୟାହ୍ନ ଭୋଜନ : ଓଡ଼ିଶାର କେତେକ ସହରୀ ଅଂଚଳ ତଥା ଜିଲ୍ଲା ମୁଖ୍ୟାଳୟରେ ୫ଟଙ୍କାରେ ମଧ୍ୟାହ୍ନଭୋଜନ ଦିଆଯାଉଛି । ଯାହାକି ସହରର ସ୍ୱରୋଜଗାରୀ, ଗରିବ ରିକ୍ସାବାଲା, ଅଟୋରିକ୍ସା ଡ୍ରାଇଭର ତଥା ବେକାର ଯୁବକମାନଙ୍କର କ୍ଷୁଧା ନିବାରଣରେ ସହାୟକ ହେଉଛି । ସହରାଂଚଳରେ ଦିନକୁ ଦିନ ଖାଦ୍ୟ ଯେହେତୁ ମହଙ୍ଗା ହେଉଛି ତେଣୁ ଦେଖାଯାଉଛି ଯେ ଯେଉଁ ସ୍ୱରୋଜଗାରୀ ବ୍ୟକ୍ତିମାନଙ୍କର ରୋଜଗାର ଦିନକୁ ୫୦୦ଟଙ୍କାରୁ କମ୍ ସେମାନେ ଏଇ ଶସ୍ତା ମଧ୍ୟାହ୍ନ ଭୋଜନରେ ନିଜ କ୍ଷୁଧା ମେଂଟାଉଛନ୍ତି ।
କୃଷି ଉତ୍ପାଦିତ ସାମଗ୍ରୀର ଦର : ନବୀନ ପଟ୍ଟନାୟକ ଯେତେଗୁଡିଏ ଜନମଙ୍ଗଳକାରୀ ନୀତି କରିଛନ୍ତି, ସେଥିରୁ କୃଷକମାନଙ୍କୁ ସେମାନଙ୍କ ଉତ୍ପାଦିତ ସାମଗ୍ରୀ ବିଶେଷକରି ଧାନର ଉଚିତ୍ ମୂଲ୍ୟ ପ୍ରଦାନ କରାଯିବା ହେଉଛି ଗୋଟିଏ ପ୍ରମୁଖ ନୀତି । ଏହା ୨୦୦୪ ମସିହାରୁ ଆରମ୍ଭହୋଇ ସାରିଥିଲେ ମଧ୍ୟ କୃଷିଜାତ ଦ୍ରବ୍ୟର ବିକ୍ରୀ କଥାଟି ଏ ପର୍ଯ୍ୟନ୍ତ ବ୍ୟବସ୍ଥିତ ହୋଇ ପାରିନାହିଁ । ଓଡ଼ିଶାରେ ଧାନକୁ ଛାଡିଦେଲେ କୃଷକଙ୍କ ଉତ୍ପାଦିତ ଅନ୍ୟ କୌଣସି ସାମଗ୍ରୀ ରାଜ୍ୟ ସରକାର କିଣନ୍ତି ନାହିଁ କି କାହାରି ପାଇଁ ସର୍ବନିମ୍ନ ସରକାରୀ ମୂଲ୍ୟ ସ୍ଥିର ହୁଏ ନାହିଁ । ଧାନ କ୍ରୟ ପାଇଁ ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ମଣ୍ଡି ବ୍ୟବସ୍ଥା ନାହିଁ ଯେଉଁଠାରେ କୃଷକମାନେ ସେମାନଙ୍କ ଉତ୍ପାଦିତ ଧାନକୁ ଜମା କରିପାରିବେ । ତେଣୁ ଧାନ ସଂଗ୍ରହ ବ୍ୟବସ୍ଥାଟି ଏଠାରେ ଆଡହକ ଭାବରେ ଚାଲେ । ଧାନ ବିକିବାକୁ ଚାହୁଁଥିବା ପ୍ରତ୍ୟେକ ଚାଷୀ କେତେ ଧାନ ବିକିପାରିବେ ତାହା ଜଣାଇ ପ୍ରଶାସକଙ୍କ ପାଖରୁ ଏକ ସ୍ଲିପ ନିଅନ୍ତି । ପ୍ରଶାସନ ଗୋଟିଏ ସ୍ଥାନ ଓ ସମୟ ସ୍ଥିର କରି ଚାଷୀଙ୍କୁ ଜଣାଇ ଦିଅନ୍ତି । ଚାଷୀମାନେ ସେହି ଅନୁଯାୟୀ ଧାନ ଆଣି ପ୍ରଶାସକଙ୍କ ପାଖରେ ଜମା ଦିଅନ୍ତି । ଧାନର ପ୍ରତି ବସ୍ତାରେ ୪୦ କିଲୋ ଲେଖା ଧାନ ରହିବା କଥା କିନ୍ତୁ ଚାଷୀମାନେ ଆଉ ଦୁଇ କିଲୋଗ୍ରାମ ଅଧିକ ଧାନ ଦିଅନ୍ତି । ଏହି ଧାନ କିଣାବିକା ମାମଲାରେ ଘରୋଇ ବ୍ୟବସାୟୀମାନେ ଅଧିକ ପ୍ରଭାବଶାଳୀ ହୋଇଥାଆନ୍ତି ।
ନବୀନ ପଟ୍ଟନାୟକ ସରକାର ରାଜ୍ୟରେ ଆଉ ଅଧିକ ଜଳସେଚନର ବ୍ୟବସ୍ଥା କରିନାହାନ୍ତି । ତେଣୁ ଚାଷୀମାନେ ସେମାନଙ୍କ ଫସଲକୁ ପାଣି ଯୋଗାଇବା ପାଇଁ ସର୍ବଦା ବର୍ଷା ଉପରେ ନିର୍ଭର କରନ୍ତି ବା ନିଜ ଜମିରେ ପମ୍ପ ଲଗାଇ ଫସଲକୁ ଆବଶ୍ୟକ ପାଣି ଯୋଗାଇବାକୁ ବାଧ୍ୟ କରନ୍ତି । ଜମିକୁ ଚକବନ୍ଦୀ କରାଇବା କାର୍ଯ୍ୟକ୍ରମ ନବୀନ ପଟ୍ଟନାୟକ ୨୦୦୨ ମସିହାରୁ ବନ୍ଦ କରାଇ ଦେଇ ସାରିଛନ୍ତି । ଉଠା ଜଳସେଚନ ବ୍ୟବସ୍ଥାଗୁଡ଼ିକୁ ମଧ୍ୟ ବନ୍ଦ କରାଇ ଦିଆଯାଇସାରିଛି ଯାହା ଫଳରେ ଆବଶ୍ୟକ ସମୟରେ ଫସଲକୁ ପାଣି ଯୋଗାଇବା କାର୍ଯ୍ୟ ହୋଇ ପାରୁନାହିଁ । ଚାଷୀଙ୍କ ଉତ୍ପାଦିତ ଫସଲକୁ ସାଇତି ରଖିବାପାଇଁ ରାଜ୍ୟରେ ଶୀତଳ ଭଣ୍ଡାରର ବ୍ୟବସ୍ଥା ନାହିଁ ଯାହା ପାଇଁ କୃଷକମାନେ ଆଳୁ ଉତ୍ପାଦନ କରିବା କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ କରି ଦେଲେଣି । ରାଜ୍ୟରେ ଆଳୁ, ପିଆଜ ଓ ବିଲାତି ବାଇଗଣ ଉତ୍ପାଦନ ବହୁ ପରିମାଣରେ କମି ଗଲାଣି । ସେହିପରି ଡାଲିଜାତୀୟ ଫସଲର ଉତ୍ପାଦନ ମଧ୍ୟ ବହୁ ପରିମାଣରେ କମ ହୋଇଯାଇଛି । ତେଣୁ ଆଗରୁ ଓଡ଼ିଶା ଯେପରି ବହୁପ୍ରକାରର କୃଷିଜାତ ସାମଗ୍ରୀ ଉତ୍ପାଦନ କରୁଥିଲା, ଏବେ ତାହା ନ ହୋଇ ମୁଖ୍ୟତଃ କେବଳ ଗୋଟିଏ ପ୍ରକାରର ଫସଲ ଉତ୍ପାଦନ ଉପରେ ଗୁରୁତ୍ୱ ଦିଆଯାଉଛି । ସିଧାକଥାରେ କହିଲେ ଓଡ଼ିଶାରେ କୃଷିକ୍ଷେତ୍ରଟି ଧୀରେ ଧୀରେ କାଙ୍ଗାଳ ହୋଇଯାଉଛି ।
ବେକାରୀ : ପେଟ ପାଇଁ ଖାଦ୍ୟ ମିଳିଗଲା ପରେ ଜଣକ ପାଇଁ ଆଉ କାମର ଆବଶ୍ୟକତା ପଡ଼େ ନାହିଁ । ଏବେ ଓଡ଼ିଶା ପୂର୍ବରୁ କେବେ ଦେଖି ନ ଥିବା ଏକ ଅଦ୍ଭୁତ ପ୍ରକାରର ବେକାରୀର ସମ୍ମୁଖୀନ ହେବାରେ ଲାଗିଛି । ନରେଗା (NREGA) ଗ୍ରାମାଂଚଳ ନିଯୁକ୍ତି ଯୋଜନା ଯେବେ ଆରମ୍ଭ ହେଲା, ଏହାର ପ୍ରାରମ୍ଭିକ ବର୍ଷମାନଙ୍କରେ ଏହା ଠିକଠାକ ଥିଲା । କିନ୍ତୁ ୨୦୧୪ରେ ମୋଦୀ ସରକାର କ୍ଷମତାକୁ ଆସିବା ପରଠାରୁ ଅଧିକାଂଶ ଗ୍ରାମାଂଚଳର ବିକାଶ କାର୍ଯ୍ୟକୁ ଠିକାଦାରମାନଙ୍କ ହାତକୁ ଟେକି ଦିଆଗଲା ଯାହାକୁ ମହାତ୍ମାଗାନ୍ଧୀ ନରେଗା କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି । ୨୯ମାର୍ଚ୍ଚ ୨୦୨୨ରେ ଓଡ଼ିଶା ଅର୍ଥ ବିଭାଗ ବିଧାନସଭାରେ ୨୦୨୧-୨୨ ର ଅର୍ଥନୈତିକ ସର୍ଭେ ରିପୋର୍ଟ ପେଶ କଲେ । ଏଥିରେ Labour Force Survey (PLFS) Report 2019-20କୁ ଉଦ୍ଧାର କରି କେତେକ ତଥ୍ୟ ଦିଆଯାଇଥିଲା । ଯେଉଁଥିରେ କୁହାଯାଇଥିଲା ଯେ ଓଡ଼ିଶାରେ ବେକାରୀ ସଂଖ୍ୟା ହେଉଛି ୬.୨% ଯାହାକି ଜାତୀୟ ବେକାରୀ ହାରଠାରୁ ଅଧିକ ଥିଲା । ଏହି ପିଏଲ୍ଏଫ୍ ସର୍ବେକ୍ଷଣ ସାଧାରଣତଃ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ବା National Statistical Office (NSO) ଦ୍ୱାରା କରାଯାଇ ଥାଏ ଯାହାକି Ministry of Statistics and Programme Implementation ଅଧିନରେ ଥାଏ । (CMIE)ଦେଇଥିବା ରିପୋର୍ଟ ଅନୁଯାୟୀ ରାଜ୍ୟରେ ୧୫ ରୁ ୧୯ ବର୍ଷ ବୟସ ମଧ୍ୟରେ ବେକାର ଥିବା ତରୁଣମାନଙ୍କ ସଂଖ୍ୟା ୧୧.୫୫ ପ୍ରତିଶତ ଥିବାବେଳେ ୨୦ରୁ ୨୪ବର୍ଷ ବୟସ ମଧ୍ୟରେ ବେକାରଙ୍କ ସଂଖ୍ୟା ୭.୧ ପ୍ରତିଶତ ଥିଲା । ସେହି ସମୟରେ ୨୫ରୁ ୨୯ ବର୍ଷ ବୟସର ବେକାରଙ୍କ ସଂଖ୍ୟା ୫.୨୮ ପ୍ରତିଶତ ଥିଲା । ଶିକ୍ଷିତ ବେକାର ଯେଉଁମାନଙ୍କର ଶିକ୍ଷାଗତ ଯୋଗ୍ୟତା ସ୍ନାତକ (ଗ୍ରାଜୁଏଟ) ବା ତା’ଠାରୁ ଅଧିକ ଥିଲା ସେମାନଙ୍କ ସଂଖ୍ୟା ୮.୨୯% ଥିଲା । ଅର୍ଥାତ୍ ୧୦ଜଣରୁ ୩ ଜଣଙ୍କ ପାଖରେ କୌଣସି କାମ ନଥିଲା ବା ସେମାନେ ବେକାର ଥିଲେ ।
ଜଣେ ଚାହିଁଲେ ଏହି ବେକାର ଯୁବକମାନଙ୍କୁ ବିଭିନ୍ନ ଛୋଟ ଛୋଟ ବଜାର, ଗାଁ’ ରାସ୍ତାମାନଙ୍କରେ ସବୁଦିନେ ସନ୍ଧ୍ୟାରେ ଦେଖିପାରିବ । ଏହା ନିଶ୍ଚିତ ଭାବରେ ଏକ ଦୁଃଖଦ ଦୃଶ୍ୟ ସୃଷ୍ଟି କରିଥାଏ । କିନ୍ତୁ ରାଜ୍ୟ ସରକାର ଏହି ବେକାର ଯୁବକମାନଙ୍କ ପାଇଁ କର୍ମନିଯୁକ୍ତିର କୌଣସି ବ୍ୟବସ୍ଥା କରି ନାହାନ୍ତି । ଏହା ଉଭୟରାଜ୍ୟର ଶିକ୍ଷିତ ଓ ଅର୍ଦ୍ଧ-କୁଶଳୀ ବେକାର ଯୁବକମାନଙ୍କୁ ପ୍ରଭାବିତ କରିଛି । ଶ୍ରମଶକ୍ତି ପ୍ରଭାବିତ ହୋଇଛି । ଯେଉଁ ଯୁବକମାନଙ୍କୁ କାମ ମିଳୁଥିଲା ସେମାନଙ୍କୁ ମାତ୍ର ୧୦ ହଜାର ଟଙ୍କା ମଧ୍ୟରେ ମାସିକ ଦରମା ମିଳୁଥିଲା । ତେଣୁ ଏଠାରେ ଅଧିକ ଦରମା ନ ମିଳିବା କାରଣରୁ ଏହି ଯୁବକମାନେ ଦକ୍ଷିଣ ଏବଂ ପଶ୍ଚିମ ଭାରତକୁ କାର୍ଯ୍ୟ ପାଇବା ଆଶାରେ ଚାଲି ଯାଉଛନ୍ତି । ଅତୀତର କଂଗ୍ରେସ ସରକାର ବେଳେ ରାଜ୍ୟରେ ଯେତେଗୁଡ଼ିଏ ଶିଳ୍ପ କାରଖାନା ଖୋଲିଥିଲା, ସେସବୁ ପ୍ରାୟ ଏବେ ବନ୍ଦ ହୋଇସାରିଛି । ନବୀନ ପଟ୍ଟନାୟକ ସରକାର କ୍ଷୁଦ୍ର-ଶିଳ୍ପ ବା ଏମଏସଏମଇ (MSME)କୁ ସହଯୋଗ ଦେଉନାହାନ୍ତି । ଯା ଫଳରେ ବେକାରୀ ଦିନକୁ ଦିନ ବୃଦ୍ଧି ପାଉଛି । ରାଜ୍ୟରେ ଯେଉଁ କେତେକ ମେଗା ଖଣିଭିତ୍ତିକ ଉଦ୍ୟୋଗ ଖୋଲିଛି, ସେମାନେ ରାଜ୍ୟର କ୍ଷୁଦ୍ର-ଶିଳ୍ପ ବା କୃଷି ସହିତ ସମ୍ପର୍କ ରଖି କାର୍ଯ୍ୟ କରିନାହାନ୍ତି । ଏହି ଶିଳ୍ପ ଅଭିବୃଦ୍ଧିକୁ ଏକ ସଂଗଠିତ ବିକାଶ ଭାବରେ ଦେଖାଯାଇ ପାରୁନାହିଁ, ବରଂ ଏହାକୁ ଏକ ଅପ୍ରାକୃତିକ ବିକାଶ ଭାବରେ ଦେଖାଯାଉଛି ।
ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା : କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଗ୍ରାମ୍ୟସଡ଼କ ଯୋଜନା ଏବେ ରାଜ୍ୟରେ ସମ୍ପୂର୍ଣ୍ଣ ଭାବରେ ଅବ୍ୟବସ୍ଥିତ ହୋଇପଡ଼ିଛି କାରଣ ଏହି କାମକୁ ରାଜ୍ୟ ସରକାର ଠିକାଦାର ତଥା ରାଜନୈତିକ ନେତାମାନଙ୍କ ହାତରେ ଟେକି ଦେଇଛନ୍ତି । ସର୍ବମୋଟ କଥା ହେଉଛି ନବୀନ ପଟ୍ଟନାୟକ ସରକାର ଯଦିଓ ଏବେ ସର୍ବାଧିକ ଉଜ୍ଜଳ ଅବସ୍ଥାରେ ରହିଛି କିନ୍ତୁ ଏହା ହେଉଛି ଏକ କଣ୍ଢେଇ ସରକାର । ଏହାର ନିଜର କୌଣସି ଇଚ୍ଛା ବା ଉଚ୍ଚାଭିଳାଷ ନାହିଁ । ଏହା କେବଳ ଦକ୍ଷିଣପନ୍ଥୀ ଶକ୍ତିମାନଙ୍କ ଦ୍ୱାରା ନିୟନ୍ତ୍ରିତ ହେଉଥିବା ଏକ ସରକାର ।
Comments
0 comments