ଦେଶରେ ଏବେ ଯେଉଁଭଳି ପରିସ୍ଥିତି ଜାରୀ ରହିଛି ଏବଂ ଆମ ରାଜ୍ୟ ଓଡ଼ିଶାରେ ମଧ୍ୟ ତାହାର ଏକ ଭୟଙ୍କର ପ୍ରତିଫଳନ ଦେଖିବାକୁ ମିଳୁଛି, ସେତିକିବେଳେ ସର୍ବାଧିକ ଜନସାଧାରଣ ସମ୍ପୂର୍ଣ୍ଣ ଉଦାସୀନ ରହିବା ଏବଂ ଅତି ବେଶୀରେ ପରସ୍ପର ଭିତରେ ଆଲୋଚନା କରି ପ୍ରତିକ୍ରିୟାଗୁଡ଼ିକୁ ସୀମିତ ରଖିବା ଦେଶ ଏବଂ ଆମ ରାଜ୍ୟପାଇଁ ଏକ ଭଲ ସଙ୍କେତ ନୁହେଁ ।
ଏହି ଭିତରେ ଜି-୨୦ ଦେଶମାନଙ୍କର ଶିଖର ସମ୍ମିଳନୀ ଦେଶର ରାଜଧାନୀ ନୂଆଦିଲ୍ଲୀଠାରେ ସେପ୍ଟେମ୍ବର ୯ ଏବଂ ୧୦, ୨୦୨୩ଦିନ ଅନୁଷ୍ଠିତ ହୋଇଯାଇଛି । ତାହା ପୂର୍ବରୁ ଦେଶସାରା ବିିଭିନ୍ନ ରାଜ୍ୟ ରାଜଧାନୀ ଏବଂ ସହରମାନଙ୍କରେ କାର୍ଯ୍ୟକ୍ରମମାନ କରାଯାଇଥିଲା । ଶେଷରେ ଜି-୨୦ ପର୍ବର ସମାପନ ହୋଇ ବ୍ରାଜିଲ୍ର ରାଷ୍ଟ୍ରପତିଙ୍କୁ ପରବର୍ତ୍ତୀ ଶିଖର ସମ୍ମିଳନୀ ଆୟୋଜନ କରିବାପାଇଁ ଦାୟୀତ୍ୱ ଦିଆଯାଇଛି । ଭାରତରେ ଯେଉଁଭଳି ଜି-୨୦କୁ ନେଇ କାର୍ଯ୍ୟକ୍ରମ ମାନ ଏବଂ ଶିଖର ସମ୍ମିଳନୀ ଆୟୋଜନ କରାଗଲା, ତାହା ପୂର୍ବରୁ ଅନ୍ୟ କୌଣସି ଦେଶରେ ଦେଖିବାକୁ ମିଳିନଥିଲା । ସମଗ୍ର କାର୍ଯ୍ୟକ୍ରମ ଲାଗୁଥିଲା ଯେମିତି ଭାରତର ନୁହଁ ବରଂ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏକ ନିଜସ୍ୱ କାର୍ଯ୍ୟକ୍ରମ; ଯଦିଓ ସମଗ୍ର ଖର୍ଚ୍ଚ ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହୋଇଥିଲା । ଏହି ଶିଖର ସମ୍ମିଳନୀ ପାଇଁ ୪,୧୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା । ଦିଲ୍ଲୀରେ ଯେଉଁଭଳି ୩ଦିନ ପାଇଁ ସାଧାରଣ ଜନଜୀବନକୁ ନିଶ୍ଚଳ କରିଦିଆଗଲା, ସେଥିରେ ବ୍ୟବସାୟୀମାନେ ୪ଶହ କୋଟିରୁ ଅଧିକ କ୍ଷତି ସହିଲେ ବୋଲି ଅଭିଯୋଗ ଆସିଛି । ଏହି ଶିଖର ସମ୍ମିଳନୀରୁ ଭାରତର ଜନଗଣଙ୍କୁ କ’ଣ ମିଳିଲା ବା ଦେଶର କ’ଣ ଲାଭହେଲା ଯଦି ପଚରାଯାଏ, ତାହା ହେଲେ କେବଳ ପ୍ରତିଧ୍ୱନି ହିଁ ଶୁଣିବାକୁ ମିଳିବ, ଉତ୍ତର ନୁହଁ । ଏହାର ଅର୍ଥ ନୁହଁଯେ ଭାରତ ଜି-୨୦ କାର୍ଯ୍ୟକ୍ରମ କରିବା କଥା ନୁହଁ । ଯେହେତୁ ଆମେ ଏକ ସଦସ୍ୟ ରାଷ୍ଟ୍ର ଏବଂ ଏଥର ଭାରତର ପାଳି ପଡ଼ିଥିଲା, ସେହି ଦୃଷ୍ଟିରୁ ଆମେ ଏହି ଶିଖର ସମ୍ମିଳନୀ ଆୟୋଜନ କରିବା ଏକ ସ୍ୱାଭାବିକ ରାଷ୍ଟ୍ରୀୟ କାର୍ଯ୍ୟକ୍ରମ । କିନ୍ତୁ ପ୍ରାୟ ୧୦ଗୁଣା ଅଧିକ ଖର୍ଚ୍ଚ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କର ୨୦୨୪ ନିର୍ବାଚନ ପାଇଁ ତାଙ୍କ ବୋଲକରା ଗଣମାଧ୍ୟମ ସାହାଯ୍ୟରେ ଏଭଳି ବ୍ୟାପକ ଏବଂ ବ୍ୟୟବହୁଳ ପ୍ରଚାର କରାଇବା କାମଟିକୁ ସ୍ୱାଧିନଚେତା ସମୀକ୍ଷକମାନେ ସହଜରେ ଗ୍ରହଣ କରନ୍ତି ନାହଁ । ଅନ୍ୟପଟେ ଯଦି ଦେଖାଯିବ ବ୍ରାଜିଲ୍ ରାଷ୍ଟ୍ରପତି ପରବର୍ତ୍ତୀ ଜି-୨୦ ଶିଖର ସମ୍ମିଳନୀର ଦାୟିତ୍ୱ ନେବା କଥାଟି ତାଙ୍କ ନିଜ ଦେଶର ଗଣମାଧ୍ୟମ ପାଇଁ ଏକ ରୋମାଞ୍ଚକର ଖବର ହୋଇପାରି ନାହିଁ । ବ୍ରାଜିଲ୍ର ସରକାର ଏବଂ ଗଣମାଧ୍ୟମ ଏହାକୁ ଏକ ସାମାନ୍ୟ ଏବଂ ସ୍ୱାଭାବିକ ରାଷ୍ଟ୍ରୀୟ ଦାୟିତ୍ୱ ହିସାବରେ ନେଇଛନ୍ତି । ଭାରତର ଜନଗଣ ଏହି କଥାଟିକୁ ନେଇ ନିଜ ମନଭିତରେ ପ୍ରଶ୍ନ ନିହାତି ଆଣିବା କଥାଯେ, ଗୋଟିଏ କୂଟନୀତିକ ଦୃଷ୍ଟିକୋଣରୁ ସ୍ୱାଭାବିକ ଘଟଣା ହିସାବରେ ନିଆଯାଉଥିବା ଜି-୨୦ କାର୍ଯ୍ୟକ୍ରମ ଏବଂ ଶିଖର ସମ୍ମିଳନୀକୁ ଭାରତରେ ଏଭଳି ଏକ ବ୍ୟୟବହୁଳ ଉତ୍ସବରେ ପରିଣତ କରାଗଲା କାହିଁକି? ପୁଣି ସବୁଥିରେ କେନ୍ଦ୍ରରେ ରହିଲେ ପ୍ରଧାନମନ୍ତ୍ରୀ ମୋଦୀ ନିଜେ । ଦେଶଟି ତାଙ୍କ ତୁଳନାରେ ଅତି ଛୋଟ ଜଣାପଡ଼ୁଥିଲା ।
ଅଲ୍ ଜଜିରା ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେଇ ବିଶିଷ୍ଟ ଲେଖିକା ଅରୁନ୍ଧତୀ ରାୟ ଯାହା କହିଛନ୍ତି ନିହାତି କିଛି କଥା ଜାଣିବା ଦରକାର । ଜି-୨୦ ଶିଖର ସମ୍ମିଳନୀକୁ ନେଇ ସେ କହିଛନ୍ତି ଯେ, ଭାରତରେ ଯାହା ଘଟିଲା ତାହା ଏକ ଭୟଙ୍କର ଏବଂ ନିର୍ଲ୍ଲଜ ଘଟଣା ଯେଉଁଠି ଗୋଟିଏ ଦେଶ, ରାଷ୍ଟ୍ର, ସରକାର ଏବଂ ଏହାର ସମସ୍ତ ଅନୁଷ୍ଠନଗୁଡ଼ିକୁ ଶାସକ ଦଳ ସହିତ ଯେମିତି ମିଶାଇ ଦିଆଗଲା । ଆଉ ଦଳ କହିଲେ ଗୋଟିଏ ରାଜନୈତିକ ଦଳ ନୁହଁ ବରଂ ଗୋଟିଏ ବ୍ୟକ୍ତି ମୋଦୀଙ୍କୁ ବୁଝାଉଛି ବୋଲି ସ୍ପଷ୍ଟ ହେଲା । ସେ ପୁଣି କୁହନ୍ତି ଯେ ‘ଶାସକ ଦଳବୋଲି ଆଉ କିଛି ନାହିଁ, କେବଳ ମାତ୍ର ଜଣେ ଶାସକ ହିଁ ଅଛନ୍ତି’ । ସେ ଦିଲ୍ଲୀର ବସ୍ତିବାସିନ୍ଦା ଏବଂ ସାଧାରଣ କର୍ମଜୀବୀଙ୍କର ସେହି ସମୟର ଅବସ୍ଥାକୁ ନେଇ ନିଜର ଉଦ୍ବେଗ ପ୍ରକାଶ କରିଥିଲେ । ଯେତେବେଳେ ଅଲ୍ ଜଜିରା ପ୍ରତିନିଧି ଅରୁନ୍ଧତୀଙ୍କୁ ପଚାରିଥିଲେ ଯେ ଯଦି ତାଙ୍କୁ ଏହି ଶିଖର ସମ୍ମିଳନୀରେ ଉଦ୍ବୋଧନ ଦେବାପାଇଁ ଡକାଯାଇଥାନ୍ତା, ସେ କ’ଣ କହିଥାନ୍ତେ । ଏହାର ଉତ୍ତରରେ ଅରୁନ୍ଧତୀ କହିଥିଲେ ଯେ, ମୁଁ ସେମାନଙ୍କୁ କହିଥାନ୍ତି ଯେ, ଏଭଳି ଭାବିବା ତୁମ ପାଇଁ ମୁର୍ଖାମି ହେବ ଯେ ୧୪୦କୋଟି ଲୋକଙ୍କ ଗୋଟିଏ ଦେଶ ଯେଉଁଠି ପୂର୍ବରୁ ଏକ ତ୍ରୁଟିପୂର୍ଣ୍ଣ ଗଣତନ୍ତ୍ର ରହିଆସିଛି ଏବଂ ଏବେ ଫାଶିବାଦ ଆଡ଼କୁ ଯାଉଛି, ଏହାର ପ୍ରଭାବ ଅବଶିଷ୍ଟ ଦେଶମାନଙ୍କ ଉପରେ ପଡ଼ିବ ନାହିଁ ! ତୁମେ ନିଜ ଚାରିପଟକୁ ଦେଖ ଏବଂ କେଉଁପ୍ରକାର ପରିସ୍ଥିତି ସୃଷ୍ଟି କରିବାରେ ସାହାଯ୍ୟ କରୁଛ ଚିନ୍ତା କର ! ୨୦୦୨ ମସିହାରେ ଯେତେବେଳେ ଗୁଜରାଟରେ ମୁସଲମାନ ନରସଂହାର ହେଲା , ସେତେବେଳେ ଇଂଲଣ୍ଡ ଭଳି ଦେଶର ଗୋଇନ୍ଦା ସଂସ୍ଥାମାନେ ଗୋଟିଏ ସମୁଦାୟକୁ ନିଶ୍ଚିହ୍ନ କରିବା ପ୍ରକ୍ରିୟାରେ ମୋଦୀ ଅଛନ୍ତି ବୋଲି ତାଙ୍କୁ ଦାୟୀ କରାଇଥଲେ । ଏମିତିକି କିଛିବର୍ଷ ଧରି ତାଙ୍କ ଆମେରିକା ଗସ୍ତ ଉପରେ କଟକଣା ଜାରି ହୋଇଥିଲା । ରାୟଙ୍କ ଭାଷାରେ ମୋଦୀ ହେଉଛନ୍ତି ସେହି ମଣିଷ । ତାଙ୍କୁ ଯଦି ଏହି ବିଶ୍ୱ ନେତାମାନେ ଏହିଭଳି ସୁଯୋଗ ଦିଅନ୍ତି, ସେ ନିଶ୍ଚିତ ଭାବେ କହିବେ ଯେ କେବଳ ତାଙ୍କ ଯୋଗୁଁ ହିଁ ବିଶ୍ୱର ବିଶିଷ୍ଟ ନେତାମାନେ ଭାରତକୁ ଆସିପାରିଲେ ଏବଂ ଏହି କଥାଟି ଗୋଟିଏ ମେରୁଦଣ୍ଡନଥିବା ଗଣମାଧ୍ୟମ ବହୁୁଳ ଭାବେ ପ୍ରସାରିତ କରିବ । ଗୋଟିଏ ଦେଶରେ ଯେଉଁଠି ସାମୂହିକ ଜାତୀୟ ଅସୁରକ୍ଷା ଭାବନା ଥାଏ, ହୀନମନ୍ୟତା ଥାଏ ଏବଂ ଗୋଟିଏ ମିଛ ଗାରିମାର ବିଭ୍ରାନ୍ତି ଥାଏ, ସେଠି ଏହାର ପରିଣତି ଭୟଙ୍କର ହୋଇପାରେ ବୋଲି ବିଶ୍ୱର ଏହି ନେତାମାନେ ଭାବିବା ଦରକାର । ସେ ସମସ୍ତଙ୍କୁ ସତର୍କକରି କହିଥିଲେ ଯେ ଏହା କେବଳ ଭାରତର ସମସ୍ୟା ହୋଇ ରହିବ ନାହିଁ ।
ଆମ ମତରେ ବିଶ୍ୱର ଦୁଇଟି ତୁଙ୍ଗ ରାଷ୍ଟ୍ରନେତା ଋଷିଆର ରାଷ୍ଟ୍ରପତି ପୁଟିନ୍ ଏବଂ ଚୀନ୍ର ରାଷ୍ଟ୍ରପତି ଜି ପିଙ୍ଗ୍ ଏଥିରେ ଭାଗ ନନେବା ଜି-୨୦ ଶିଖର ସମ୍ମିଳନୀକୁ ଗୁରୁତ୍ୱହୀନ କରିଦେଇଥିଲା । ଏହାର ଏକ ମାତ୍ର ଅନ୍ତଃରାଷ୍ଟ୍ରୀୟ ପରିଣତି ଦେଖିବାକୁ ମିଳିଥିଲା । ତାହା ହେଉଛି ଆଫ୍ରିକୀୟ ଦେଶମାନଙ୍କୁ ଜି-୨୦ରେ ସାମିଲ କରିବା ପାଇଁ ପ୍ରୟାସ । ଅନେକ ପୂର୍ବରୁ ଆମେ କିଭଳି ଆଫ୍ରିକୀୟ ଦେଶମାନଙ୍କର ଜମି ହାତେଇବା ପାଇଁ ଚୀନ୍, ଋଷିଆ ସହ ଭାରତ ପ୍ରତିଯୋଗିତା କରୁଛି ଲେଖିଥିଲୁ । ଆଫ୍ରିକୀୟ ଦେଶ ଜି-୨୦ରେ ସାମିଲ୍ ହେବା ତାଙ୍କର ଜମି ଓ ପ୍ରାକୃତିକ ସମ୍ପଦ ଲୁଣ୍ଠନ ପାଇଁ କେବଳ ନୂଆ ଉପନିବେଶକାରୀ ସୃଷ୍ଟି କରିବ ମାତ୍ର । ଏହି କଥା ସମସ୍ତେ ଜାଣନ୍ତି ଯେ ଭାରତ ଭଳି ଗୋଟିଏ ଦେଶ ଏବଂ ମୋଦୀ ଭଳି ଜଣେ ଶାସକଙ୍କୁ ବ୍ୟବହାର କରି ଆମେରିକା ଉଭୟ ଋଷିଆ ଓ ଚୀନ୍ ସହ ଖେଳ ଖେଳୁଛି । ତେବେ ଜି-୨୦ ଶିଖର ସମ୍ମିଳନୀର ଏହି ମିଛିମିଛିକା ଅପୂର୍ବ ସଫଳତା ପାଇଁ ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ନିଜଦଳର କର୍ମୀମାନଙ୍କ ସହ ଉତ୍ସବ ମନାଉଥିଲେ, ସେତେବେଳେ ଜାମ୍ମୁକାଶ୍ମୀର ରାଜ୍ୟରେ ଏକ ମୁକାବିଲା ଘଟଣାରେ ୨ଜଣ ବରିଷ୍ଠ ପଦକଧାରୀ ସେନା ଅଫିସର ଏବଂ ଜଣେ ଯୁବ ପୋଲିସ ଡି.ଏସ୍.ପି ସେପ୍ଟେମ୍ବର ୧୩,୨୦୨୩ ମଧ୍ୟରାତ୍ରରେ ମୃତ୍ୟୁବରଣ କରିଥିଲେ । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ପୁଲୱାମାଠାରେ ୪୦ଜଣ ସି.ଆର୍.ପି.ଏଫ୍ ସେନା ଏକ ଭୟଙ୍କର ବିସ୍ଫୋରଣରେ ମୃତ୍ୟୁବରଣ କରିଥିଲେ । ପରେ ତତ୍କାଳୀନ ରାଜ୍ୟପାଳ ସତ୍ୟପାଲ୍ ମଲ୍ଲିକ୍ ଏହି ଘଟଣାଟି କିଭଳି ଆମ ନିଜ ଭୁଲ୍ ପାଇଁ ଘଟିଥିଲା, ଅନେକ ଗଣମାଧ୍ୟମ ସଂସ୍ଥାମାନଙ୍କୁ ସାକ୍ଷାତ୍କାର ଦେଇ କହିଥିଲେ । ଏହି ଘଟଣାର ଏଯାବତ୍ କୌଣସି ଅନୁସନ୍ଧାନ ହୋଇନାହିଁ ଯଦିଓ ଏହି ମୃତ ସୈନିକମାନଙ୍କ ନାଁରେ ନିର୍ବାଚନ ଲଢ଼ି, ବିଜୟ ଲାଭ କରି ପୁଣି ଏକ ନିର୍ବାଚନ ଆଡ଼କୁ ନରେନ୍ଦ୍ର ମୋଦୀ ଅଗ୍ରସର ହେଉଛନ୍ତି । ସେହି ଦୃଷ୍ଟିରୁ ଅନନ୍ତନାଗ ଜିଲ୍ଲାରେ ସେପ୍ଟେମ୍ବର ୧୩,୨୦୨୩ଦିନ ଘଟିଥିବା ଘଟଣାର ନିରପେକ୍ଷ ତଦନ୍ତ ଯେ ହୋଇପାରିବ, ଆଶା କରିବା ବୃଥା । ଜାମ୍ମୁ ଓ କାଶ୍ମୀରର ପରିସ୍ଥିତି ସ୍ୱାଭାବିକ ହୋଇସାରିଲାଣି ଏବଂ ସେଠାକାର ଜନଗଣ ଖୁସିରେ ଅଛନ୍ତି ବୋଲି ଧାରା ୩୭୦ ଉଚ୍ଛେଦ ଘଟଣାକୁ ନେଇ ଉଚ୍ଚତମ ନ୍ୟାୟାଳୟରେ ଚାଲିଥିବା ଖଣ୍ଡପୀଠରେ ଶୁଣାଣି ବେଳେ ମୋଦୀ ସରକାରଙ୍କ ତରଫରୁ ତୁହାକୁ ତୁହା କୁହାଯାଇଛି । ଏପରି ଏକ ସମୟରେ ତିନିଜଣ ବରିଷ୍ଠ ସେନା ଓ ପୋଲିସ ଅଫିସରଙ୍କର ନିହତ ହେବା ଘଟଣାଟିକୁ ନେଇ ଉଚ୍ଚତମ ନ୍ୟାୟାଳୟ ନିଜ ଆଡ଼ୁ ଅନୁସନ୍ଧାନ ଆରମ୍ଭ କରିବା ଉଚିତ ହୁଅନ୍ତା । ତେବେ ଆଜିର ଦିନରେ ଭାରତର ଜନଗଣ ଆମ ସାମ୍ବିଧାନିକ ସଂସ୍ଥାମାନଙ୍କଠାରୁ କିଛି ଆଶା କରିବା କଥାଟି ଛାଡ଼ି ଦେଇଛନ୍ତି । ଆମ ବୋଲକରା ଗଣମାଧ୍ୟମମାନେ ସରକାରଙ୍କୁ କୌଣସି କଥାରେ ପ୍ରଶ୍ନ କରନ୍ତି ନାହିଁ ବରଂ ସେମାନେ ବିପକ୍ଷରେ ଥିବା ଦଳମାନଙ୍କୁ ପ୍ରଶ୍ନବାଣ ଦ୍ୱାରା ଆକ୍ରମଣ କରିଥାନ୍ତି ଯେଉଁ ପ୍ରଶ୍ନ ଗୁଡ଼ିକର କୌଣସି ପ୍ରାସଙ୍ଗିକତା ନଥାଏ ।
ଠିକ୍ ଏହି ସମୟରେ ବିରୋଧି ଦଳମାନଙ୍କର ଗଠବନ୍ଧନ ‘ଇଣ୍ଡିଆ’ତରଫରୁ ଗୋଟିଏ ତାଲିକା ପ୍ରସ୍ତୁତ ହୋଇ ୧୪ଜଣ ସାମ୍ବାଦିକ ଏବଂ ସେମାନେ ପ୍ରଯୋଜିତ କରୁଥିବା କାର୍ଯ୍ୟକ୍ରମଗୁଡ଼ିକୁ ବାସନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ତାଲିକାରେ ଅଛନ୍ତି ଗତ ୧୦ବର୍ଷ ଧରି ଦେଶରେ ଘୃଣା ଓ ହିଂସାର ପ୍ରସାର ପାଇଁ ଉତ୍ତେଜନାମୂଳକ ବକ୍ତବ୍ୟ ଏବଂ ଉପସ୍ଥାପନା କରି ଆସୁଥିବା ରିପବ୍ଲିକ୍ ଟିଭିର ମାଲିକ ଅର୍ଣ୍ଣବ ଗୋସ୍ୱାମୀ, ଆଜ୍ତକ୍ର ସୁଧିର ଚୌଧୁରୀ, ଟାଇମସ୍ ନାଓର ନାଭିକା କୁମାର, ଇଣ୍ଡିଆନ୍ ଟିଭିର ପ୍ରାଚୀ ପରାସର, ନିୟୁଜ୧୮ର ଅମିସ୍ ଦେବଗନ, ଭାରତ୨୪ ନିୟୁଜ ଚ୍ୟାନେଲର ରୁବିକା ଲିୟାକତ୍, ସିଏନ୍ଏନ୍-ନିୟୁଜ୧୮ର ଅମନ ଚୋପ୍ରା ଓ ଆନନ୍ଦ ନରସିଂହ, ଆଜ୍ତକ୍ର ଚିତ୍ରା ତ୍ରିପାଠୀ, ଇଣ୍ଡିଆ ଟୁଡ଼େର ଗୌରବ ସାୱନ୍ତ ଓ ଶିବ୍ ଆରୋରା, ଡ଼ିଡ଼ି ନ୍ୟୁଜର ଅଶୋକ ଶ୍ରୀବାସ୍ତବ, ଭାରତ ଏକ୍ସପ୍ରେସ୍ର ଆଦିତି ତ୍ୟାଗି ଓ ଟାଇମ୍ସ ନାଓ-ନବଭାରତର ସୁଶାନ୍ତ ସିହ୍ନା । ଏମାନେ କେବେ ସରକାର, ମୋଦୀ ଏବଂ ଶାହାଙ୍କୁ କୌଣସି ପ୍ରଶ୍ନ ପଚାରି ନାହାନ୍ତି ବରଂ ସରକାର ଯାହା କରୁଛନ୍ତି ସବୁ ଠିକ୍ କରୁଛନ୍ତି ଏହିକଥା କହି ଆସିଛନ୍ତି । ଏମାନେ ସାମ୍ବାଦିକ ନୁହଁ ବରଂ ଘୃଣା ଓ ହିଂସାକୁ ଆଦର୍ଶ କରି ଗଢ଼ି ଉଠିଥିବା ଗୋଟିଏ ରାଜନୈତିକ ଦଳ ଏବଂ ଏହାର ସରକାରଙ୍କର ନିର୍ଲ୍ଲଜ ପ୍ରଚାରକ ରହି ଆସିଛନ୍ତି । ଭାରତର ଅଧିକାଂଶ ଟିଭି ଚ୍ୟାନେଲ୍ ଏବେ ଅମ୍ବାନୀ ଏବଂ ଆଦାନୀଙ୍କ ନିୟନ୍ତ୍ରଣରେ । ଅପେକ୍ଷାକୃତ ନିରପେକ୍ଷ ଥିବା ଏନ୍.ଡ଼ି.ଟିଭି ଚ୍ୟାନେଲକୁ ଆଦାନୀ କିଣିସାରିବା ପରେ ଏବେ ସ୍ୱାଧିନଚେତା ସାମ୍ବାଦିକମାନେ ଗୋଟିଏ ଗୋଟିଏ ୟୁ-ଟ୍ୟୁବ୍ ଚ୍ୟାନେଲ୍ କରି ନିରପେକ୍ଷ ସମ୍ବାଦ ପରିବେଷଣ କରୁଛନ୍ତି । ସେମାନଙ୍କର ଦର୍ଶକ ସଂଖ୍ୟା ମଧ୍ୟ ଲକ୍ଷଲକ୍ଷ ସଂଖ୍ୟାରେ ବଢ଼ି ଚାଲିଛି । ଆଗଧାଡ଼ିରେ ଅଛନ୍ତି ରବିଶ୍ କୁମାର ଯାହାଙ୍କର ୟୁ-ଟ୍ୟୁବ୍ ଚ୍ୟାନେଲ୍ର ଗ୍ରାହକ ସଂଖ୍ୟା ୭୨ଲକ୍ଷରେ ପହଞ୍ଚି ସାରିଲାଣି । ରବିଶ୍ କୁମାରଙ୍କ ଉପରେ ଗୋଟିଏ ବୃତ୍ତଚିତ୍ର ନିର୍ମାଣ ହୋଇଛି ତାହାର ନାଁ ହେଉଛି ‘ହ୍ୱାଇଲ୍ ଉଇ ୱାଚ୍ଡ଼୍’ ବା ଆମେ ‘ଯେତେବେଳେ ଦେଖୁଥିଲୁ’ । ଏହି ବୃତ୍ତଚିତ୍ରରେ ନିର୍ମାତା ବିନୋଦ ଶୁକ୍ଳା କେମିତି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ କୁହାଯାଉଥିବା ଗଣମାଧ୍ୟମ ଧିରେଧିରେ ଭୁଷୁଡ଼ି ଯାଉଛି ତାହାର ଏକ ଉପସ୍ଥାପନା ରବିଶ୍ କୁମାରକୁ କେନ୍ଦ୍ର କରି କରିଛନ୍ତି । ଏହି ବୃତ୍ତଚିତ୍ରଟିକୁ ଦେଖିଲେ କେମିତି ଜଣେ ସ୍ୱାଧିନ ସାମ୍ବାଦିକ ସତ୍ୟଭିତ୍ତିକ ସମ୍ବାଦ ପରିବେଷଣ କରିବା ପାଇଁ ସଂଘର୍ଷ କରିବାକୁ ପଡ଼େ ଏବଂ ପରିଶେଷରେ ସେ ଏକୁଟିଆ ସବୁ ପରିସ୍ଥିତିକୁ ସାମ୍ନା କରିବାପାଇଁ ବାଧ୍ୟ ହୋଇଥାଏ, ସହଜରେ ବୁଝି ହେବ । ଇଣ୍ଡିଆ ମେଣ୍ଟ ଦ୍ୱାରା ୧୪ଜଣ ସାମ୍ବାଦିକଙ୍କ ଉପରେ ପ୍ରାବନ୍ଧ ଲଗାଯାଇଥିବା କଥାଟି କେତେ ଉଚିତ୍ ଏବଂ ଜରୁରୀ ଏହି କଥାଟି ରବିଶ୍ କୁମାରଙ୍କ ଉପରେ କରାଯାଇଥିବା ବୃତ୍ତଚିତ୍ରଟିକୁ ଦେଖିଲେ ଜଣାପଡ଼ିଯିବ । ବିକଳ୍ପ ଗଣମାଧ୍ୟମର ଆବଶ୍ୟକତା କେତେ ଜରୁରୀ ତାହା ଆଜିର ପରିସ୍ଥିତିକୁ ଅନୁଧ୍ୟାନ କରୁଥିବା ଯେକୌଣସି ଚିନ୍ତାଶୀଳ ମଣିଷ ଅନୁମାନ କରିପାରୁଥିବେ ନିଶ୍ଚୟ ।
ଆମ ରାଜ୍ୟ ଓଡ଼ିଶାରେ ଗଣମାଧ୍ୟମର ସ୍ଥିତି ଯେ ଭଲ ଅଛି ଏହିକଥା କେହି ବି କହିପାରିବେ ନାହିଁ । ଆମ ରାଜ୍ୟରେ ବିରୋଧି ରାଜନୀତି ବୋଲି କିଛି ଅଛି ଏହି କଥା ଜାଣିବା ଶୁଣିବା ଲୋକେ ମଧ୍ୟ ଗ୍ରହଣ କରନ୍ତି ନାହିଁ । ନିକଟର କିଛି ଘଟଣା ଏବଂ ଏହାର ପୃଷ୍ଠଭୂମି ତଥା ପରିଣାମ ସମ୍ପର୍କରେ ସଂକ୍ଷେପରେ କୁହାଯାଇ ପାରେ । ଅଗଷ୍ଟ ୨୯,୨୦୨୩ଦିନ ମିଛ ମକଦ୍ଦମାରେ ଛନ୍ଦାଯାଇ ଜେଲ୍ରେ ରହିଥିବା ଆଦିବାସୀମାନଙ୍କୁ ଭେଟିବା ପାଇଁ ବିଶିଷ୍ଟ ସାମାଜିକ କର୍ମୀ ପ୍ରଫୁଲ୍ଲ ସାମନ୍ତରା ରାୟଗଡ଼ା ଯାଇଥିଲେ । କୋରାପୁଟ- ରାୟଗଡ଼ା ଜିଲ୍ଲାରେ ବେଦାନ୍ତ, ଆଦାନୀ, ବିର୍ଲା ଏବଂ ମୈତ୍ରୀ କମ୍ପାନୀମାନଙ୍କର ହିତରେ କାମ କରୁଥିବା ପୋଲିସ୍ର ଅନବରତ ନିର୍ଯାତନା ଓ ଦୌରାତ୍ମ୍ୟକୁ ବିରୋଧ କରି ଆସୁଥିବା ଆଦିବାସୀମାନଙ୍କୁ ବିଭିନ୍ନ ସମୟରେ ଅପହରଣ କରି ଗିରଫ କରାଯାଉଥିବା ଖବର ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଉଛି । ଏଭଳି କାର୍ଯ୍ୟକରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ରୁ ସିଧାସଳଖ ନିର୍ଦ୍ଦେଶ ଦିଆଯାଉଛି ବୋଲି ସାମାଜିକ କର୍ମୀମାନେ ଅଭିଯୋଗ କରି ଆସିଛନ୍ତି । ପ୍ରଫୁଲ୍ଲ ବାବୁ ରାୟଗଡ଼ା ଜେଲ୍ ଯାଇ ପୋଲିସ୍ ନିର୍ଯାତନାର ଶିକାର ହୋଇ କାରାଗାରରେ ଥିବା ଆଦିବାସୀମାନଙ୍କୁ ଭେଟିଥିଲେ ଏବଂ ସେମାନଙ୍କ ସହିତ ସେ ଦୃଢ଼ଭାବରେ ଅଛନ୍ତି ବୋଲି ଆଶା୍ୱସନା ଦେଇଥିଲେ । ତାହାପରେ ସେ ନିଜ ହୋଟେଲ୍କୁ ଫେରି ଆସିଥିଲେ । ଅପରାହ୍ଣ ୪ଟାରେ ପ୍ରେସ୍କୁ ସମ୍ବୋଧନ କରିବାର ଥିଲା । ଠିକ୍ ତାହା ପୂର୍ବରୁ ତାଙ୍କ ରୁମ୍ ଭିତରକୁ ୩ଜଣ ବାହୁବଳୀ ପଶିଆସିଥିଲେ ଏବଂ ତାଙ୍କର ମୁହଁକୁ ଗୋଟିଏ ତଉଲିଆ ମାଧ୍ୟମରେ ଗୁଡ଼ାଇ ଦେଇଥିଲେ । ହାତ ଦୁଇଟିକୁ ପଛପଟେ ବାନ୍ଧି ଦେଇଥିଲେ ଓ ଗୋଟିଏ ଗାଡ଼ିରେ ବସାଇ ଅନିର୍ଦ୍ଦିଷ୍ଟ ସ୍ଥାନକୁ ନେଇଯାଇଥିଲେ । ପରେ ଘଟଣାଟି ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବା ପରେ ଏବଂ ପୋଲିସ୍ ପ୍ରଶାସନ ଉପରେ ଚାପ ପଡ଼ିବା ପରେ ସେମାନେ ତାଙ୍କୁ ନେଇ ବ୍ରହ୍ମପୁରଠାରେ ଛାଡ଼ି ଆସିଥିଲେ । ଏହି କାମଟି ରାୟଗଡ଼ା ପୋଲିସ ହିଁ କରିଥିଲା ବୋଲି ଜଣାପଡ଼ିଲା ଯେତେବେଳେ ସେ ରହୁଥିବା ହୋଟେଲର ପରିଚାଳକକୁ ଅପହରଣ କାରୀମାନେ ନିଜକୁ ‘ପୋଲିସ୍’ କହିଥିବା କଥା ସେ ସାମ୍ବାଦିକମାନଙ୍କୁ କହିଥିଲେ । ଠିକ୍ ପରେପରେ ପ୍ରଫୁଲ୍ଲ ବାବୁଙ୍କ ଉପରେ ମିଛ ପ୍ରଚାର ଆରମ୍ଭ ହୋଇଥିଲା । ଏହି ପ୍ରଚାର ପଛରେ ମଧ୍ୟ ପୋଲିସ୍ ସମର୍ଥନ ରହିଛି ଜଣାପଡ଼ିଥିଲା ଯେତେବେଳେ ମିଛ ପ୍ରଚାରରେ ଭାଗ ନେଇଥିବା ଗଣମାଧ୍ୟମ ସମାନ ପ୍ରକାର ଖବର ପରିବେଷଣ କରିଥିଲେ ଓ କେବଳ ଜଣେ ସାମ୍ବାଦିକଙ୍କୁ ଛାଡ଼ିଦେଲେ କେହି ବି ପ୍ରଫୁଲ୍ଲ ବାବୁଙ୍କୁ ସତ କ’ଣ ଜାଣିବା ପାଇଁ ପଚାରି ନଥିଲେ ।ସେ ରାୟଗଡ଼ା ଏସ୍.ପିଙ୍କୁ ଚିଠି ଲେଖି ସବୁ ଘଟଣାର ତଦନ୍ତ କରିବାପାଇଁ ଅନୁରୋଧ କରିଥିଲେ । ତାହାପରେ ଆରମ୍ଭ ହେଲା ଗୋଟିଏ ପରେ ଗୋଟିଏ ରାଜନୈତିକ ଦଳର ସାମ୍ବାଦିକ ସମ୍ମିଳନୀ । ଗୋଟିଏ ପରେ ଗୋଟିଏ ବିଜେଡ଼ି, କଂଗ୍ରେସ ଓ ଭାଜପାର ସ୍ଥାନୀୟ ନେତୃତ୍ୱ ବକ୍ସାଇଟ କମ୍ପାନୀମାନଙ୍କ ସପକ୍ଷରେ ଓ ପ୍ରଫୁଲ୍ଲ ବାବୁ ତଥା ସଂଘର୍ଷରତ ଆଦିବାସୀମାନଙ୍କୁ ବିରୋଧକରି ବକ୍ତବ୍ୟ ମାନ ରଖିଥିଲେ । ସଂକ୍ଷେପରେ କହିବାକୁ ଗଲେ ଓଡ଼ିଶାର ଗଣମାଧ୍ୟମ, ରାଜନୈତିକ ଦଳ ଏବଂ ସମ୍ବିଧାନ ନାଁରେ ଶପଥନେଇ ଶାସନ କରୁଥିବା ନେତା ଓ ପ୍ରଶାସକମାନେ ଖଣି କମ୍ପାନୀମାନଙ୍କର ନିୟନ୍ତ୍ରଣରେ । ସେଥିପାଇଁ ଢ଼ିଙ୍କିଆଠାରୁ ଆରମ୍ଭ କରି ନିୟମଗିରି, କାଶୀପୁର, ମାଳିପର୍ବତ ଏବଂ ଅନ୍ୟପଟେ ସୁନ୍ଦରଗଡ଼ ଯାଏଁ ପ୍ରତିଦିନ ନିରୀହ ଆଦିବାସୀ ତଥା ଅଧିବାସୀମାନେ ଗିରଫ ହୋଇ ଚାଲିଥିବାବେଳେ କେଉଁଠି କିଛି ପ୍ରତିକ୍ରିୟା ଦେଖିବାକୁ ମିଳୁନାହିଁ । ରାଜନୈତିକ ସଂଗଠନ ମାଧ୍ୟମରେ ଯଦି ନ୍ୟାୟପୂର୍ଣ୍ଣ ସଂର୍ଘଷ କରୁଥିବା ଜନଗଣଙ୍କୁ ସହଯୋଗ ମିଳେ ନାହିଁ, ତେବେ ପ୍ରଫୁଲ୍ଲ ସାମନ୍ତରାଙ୍କ ଭଳି ଗୋଟିଏ ଗୋଟିଏ ବ୍ୟକ୍ତି ଏକୁଟିଆ ହୋଇଯିବେ ଏବଂ ଦମନଲୀଳାଟି ଅଧିକ ସହଜ ହୋଇଯିବ । ୟୁଏପିଏ ଭଳି ଦଫା ଲଗାଇ ଜନ ଆନ୍ଦୋଳନମାନଙ୍କର ମୁହଁ ବନ୍ଦ କରିବା ପାଇଁ ଯେଉଁ ‘ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଉଦ୍ୟମ ଚାଲିଛି’ ତାହା ବିରୋଧରେ ଜନଗଣ ସାମ୍ନାକୁ ଆସିବା ନିହାତି ଜରୁରୀ । କେନ୍ଦ୍ର ହେଉ ବା ରାଜ୍ୟ; ବଳିଷ୍ଠ ବିକଳ୍ପ ଗଣମାଧ୍ୟମ ବିନା ଏହି ସଚେତନତା ବ୍ୟାପକ ହୋଇପାରିବ ନାହିଁ ।
Comments
0 comments