ଅଗଷ୍ଟ ୧୫,୨୦୨୩ ଦିନ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଐତିହାସିକ ଲାଲ୍କିଲ୍ଲାରୁ ଦେଶ ଉଦ୍ଦେଶ୍ୟରେ ଯେଉଁ ଭାଷଣ ଦେଇଥିଲେ, ସେଥିରେ ପୂର୍ବଭଳି କୌଣସି ଚମକ ନଥିଲେ ମଧ୍ୟ ଅନେକ ଦୃଷ୍ଟିରୁ ତାଙ୍କର ଦୀର୍ଘ ୯୦ ମିନିଟ୍ ଭାଷଣ ଗୁରୁତ୍ୱପୂର୍ଣ୍ଣ ଥିଲା । ପ୍ରଥମ ଥରପାଇଁ ଦେଖାଗଲା ଶ୍ରୀଯୁକ୍ତ ମୋଦୀ ଭାରତ ଇତିହାସର ହଜାରେ ବର୍ଷ ତଳକୁ ଯାଇପାରିବେ ଏବଂ ସେ ମଧ୍ୟ ହଜାରେ ବର୍ଷ ପରେ କଣ ହେବ ସେକଥାର ପୂର୍ବାନୁମାନ କରିପାରିବେ । ନିଜ ଭାଷଣ ଭିତରେ ନିଜର ଦଶବର୍ଷର ଶାସନକାଳକୁ ସେ ଇତିହାସରୁ ଭବିଷ୍ୟତ ଆଡ଼କୁ ଯାଉଥିବା ରାସ୍ତାଟିର ଏକ ଗୁରୁତ୍ୱପୂର୍ଣ୍ଣ ମାଇଲ୍ ଖୁଣ୍ଟ ପାଖରେ ଛିଡ଼ା ହୋଇଛନ୍ତି ବୋଲି ଅନୁଭବ କରୁଥିଲେ ଯାହାର ନାମ ସେ ‘ଅମୃତକାଳ’ ବୋଲି କହିବାପାଇଁ ମଧ୍ୟ କୁଣ୍ଠାବୋଧ କରିନଥିଲେ । ଯଦି ମୋଦୀଙ୍କର ଏଭଳି ଏକ ‘ଗଭୀର’ ଅନୁଧ୍ୟାନ ଏବଂ ପୂର୍ବାନୁମାନକୁ ଗୁରୁତ୍ୱର ସହିତ ନିଆଯିବ; ତେବେ ଯେଉଁମାନେ ଏହି ଦେଶରେ ଗତ ୧୦ବର୍ଷ ଭିତରେ ସାମାଜିକ, ଅର୍ଥନୈତିକ ଏବଂ ଗଣତାନ୍ତ୍ରିକ ପରିସ୍ଥିତି ତଥା ପରିବେଶର ଦ୍ରୁତ ଅବକ୍ଷୟ ଘଟିଛି ବୋଲି ଅଭିଯୋଗ କରିଆସିଛନ୍ତି, ସେମାନଙ୍କୁ ‘ସଇତାନ’ ବୋଲି ଧରି ନିଆଯିବ । ଅର୍ଥାତ୍ ଆମ ଦେଶରେ ଅନାହାରରେ କେହି ମରୁନାହାନ୍ତି, ସମସ୍ତଙ୍କୁ ଦୁଇ ଓଳି ଖାଇବାକୁ ମିଳୁଛି, ରହିବାପାଇଁ ଘର ପାଇଛନ୍ତି, ଶିକ୍ଷା ଓ ସ୍ୱାସ୍ଥ୍ୟର ସମସ୍ତ ସୁବିଧା ସୁଯୋଗ ପାଉଛନ୍ତି, ସମାଜରେ ବେରୋଜଗାରୀ ଆଦୌ ନାହିଁ, ସମସ୍ତେ ନିର୍ଭୟରେ କହିବାର ସ୍ୱାଧୀନତା ପାଇଛନ୍ତି, ଜାତି ଓ ଧର୍ମଭିତ୍ତିକ ଭେଦଭାବ କିଛି ନାହିଁ ଏବଂ ଗୋଟିଏ ବାକ୍ୟରେ କହିବାକୁ ଗଲେ ସମଗ୍ର ଦେଶବାସୀ ଶାନ୍ତି, ମୈତ୍ରୀ, ସମ୍ପ୍ରୀତି ଏବଂ ସ୍ୱାଛନ୍ଦ ଭିତରେ ଦିନ କଟାଉଥିବା କଥା ଅନ୍ତତଃ ‘ଅମୃତକାଳ’ର ପ୍ରଣେତା ଶ୍ରୀଯୁକ୍ତ ମୋଦୀ ଭଲଭାବରେ ଦେଖିପାରୁଛନ୍ତି । ଯେଉଁମାନଙ୍କ ଆଖିରେ ଭାରତୀୟ ସମାଜର ଓ ରାଷ୍ଟ୍ରର ନଗ୍ନ ରୂପରେଖଟି ଦେଖାଯାଉଛି, ଧରିନେବାକୁ ହେବ ଯେ ସେମାନଙ୍କ ଦୃଷ୍ଟିଶକ୍ତିରେ କିଛି ଦୋଷ ରହିଯାଉଛି ବା ସେମାନେ ମୋଦୀଙ୍କ ‘ଅମୃତକାଳ’ ଯାହାର ପ୍ରଭାବ ହଜାରେ ବର୍ଷଯାଏଁ ରହିବ, ସେଥିପ୍ରତି ଅସହିଷ୍ଣୁ ହୋଇପଡ଼ୁଛନ୍ତି ।
ମୋଦୀଙ୍କ ‘ଯାଦୁ’ ବୋଲି ଯାହା ଦିନେ କୁହାଯାଉଥିଲା, ତାହା ଲାଲ୍କିଲ୍ଲାରେ ସେ ଭାଷଣ ଦେଲାବେଳେ ସାମ୍ନାରେ ବସି ଶୁଣୁଥିବା ତାଙ୍କ ନିଜର ବରିଷ୍ଠ କ୍ୟାବିନେଟ ସହକର୍ମୀମାନଙ୍କର ଚେହେରା ଦେଖି ବୁଝି ହୋଇଯାଉଥିଲା ଯେ ସେହି ‘ଯାଦୁ’ର ଚମକ ଯେମିତି ସରିଯାଇଛି । ମୋଦୀଙ୍କ ପ୍ରଶଂସକ ଏବଂ ଦଳୀୟ କର୍ମୀମାନଙ୍କ ପାଇଁ ସେଭଳି କୌଣସି ପ୍ରେରଣାଦାୟୀ ଶବ୍ଦ ସେ ବ୍ୟବହାର କରିନଥିଲେ ଯାହାକୁ ନେଇ ସେମାନେ ଚଳାଇ ଆସିଥିବା ‘ହ୍ୱାଟ୍ସଅପ୍ ବିଶ୍ୱବିଦ୍ୟାଳୟ’ରେ ଶିକ୍ଷା ଗ୍ରହଣ କରୁଥିବା କୋଟି କୋଟି ଭାରତୀୟମାନଙ୍କ ଭିତରେ ଅଧିକ ବିଭ୍ରାନ୍ତି ସୃଷ୍ଟି କରିବା ସହ ସେମାନଙ୍କୁ ମୋଦୀଙ୍କ ପ୍ରତି ଅଧିକ ଅନୁପ୍ରାଣୀତ କରାଇବା କାମଟି ସହଜ ହେବ! ସେ ଯେଉଁ ତିନୋଟି ଶବ୍ଦ ବ୍ୟବହାର କରିଥିଲେ ଯଥା: “ଡେମୋଗ୍ରାଫି(ଜନସଂଖ୍ୟା ବିଜ୍ଞାନ), ଡେମୋକ୍ରାସି(ଗଣତନ୍ତ୍ର) ଆଣ୍ଡ୍ ଡାଇଭରସିଟି (ଏବଂ ବିବିଧତା)” କୌଣସି ଦୃଷ୍ଟିରୁ ନିଜ ଅନୁଗାମୀଙ୍କ ପାଇଁ ସେହିଭଳି ରୋମାଞ୍ଚ ସୃଷ୍ଟି କରିପାରି ନଥିଲା । ଏମିତିକି ମୋଦୀଙ୍କ ଭାଷଣକୁ କିଭଳି ମସଲା ଦେଇ ଉପସ୍ଥାପନ କରିବେ, ତାଙ୍କ ଅନୁଗାମୀ ଟିଭି ଚ୍ୟାନେଲମାନଙ୍କ ପାଇଁ ଏକ ବଡ଼ଧରଣର ଆହ୍ୱାନ ଥିଲା । ତା’ ପୂର୍ବରୁ ଅଗଷ୍ଟ ୧୦, ୨୦୨୩ ଦିନ ମଣିପୁର ପ୍ରସଙ୍ଗରେ ବିରୋଧି ଦଳମାନଙ୍କ ଦ୍ୱାରା ଆଗତ ଅନାସ୍ଥା ପ୍ରସ୍ତାବ ବିରୋଧରେ ୨ଘଣ୍ଟା ୧୩ମିନିଟ ଧରି ମୋଦୀ ଦେଇଥିବା ନିଷ୍ପ୍ରଭ ଭାଷଣର ଗୁଣମାନ ବଢ଼ାଇ ଜନଗଣଙ୍କ ଆଗରେ କିଭଳି ଉପସ୍ଥାପନ କରାଯିବ, ସେହି କାମଟିରେ ବୋଲକରା ଗଣମାଧ୍ୟମମାନେ କ୍ଲାନ୍ତ ହୋଇସାରିଥିଲେ । ବରଂ ଅଗଷ୍ଟ ୧୧, ୨୦୨୩ ଦିନ ରାହୁଲ ଗାନ୍ଧୀଙ୍କର ପ୍ରେସ୍ ସହ ସାକ୍ଷାତକାର ବେଳେ ସେ ବଳିଷ୍ଠଭାବେ ସ୍ପଷ୍ଟ ଭାଷାରେ କହିଥିଲେ ଯେ, ମୋଦୀଙ୍କ ଭାଷଣ ଅତି ଅରୁଚିକର ଥିଲା ଏବଂ ଭାରତ ଭଳି ଗୋଟିଏ ଦେଶର ପ୍ରଧାନମନ୍ତ୍ରୀ ପଦରେ ବସିଥିବା ଜଣେ ବ୍ୟକ୍ତିଙ୍କ ଠାରୁ ଏଭଳି ବକ୍ତବ୍ୟ ଆଦୌ ଆଶା କରାଯାଉ ନଥିଲା । ମଣିପୁର ହିଂସାରେ ଜଳୁଥିବାବେଳେ ସଂସଦ ଭିତରେ ଶ୍ରୀଯୁକ୍ତ ମୋଦୀ ନାଟକୀୟ ଢଙ୍ଗରେ ବକ୍ତବ୍ୟ ରଖିବା, ଅଟ୍ଟହାସ୍ୟ କରିବା ଏବଂ ଗୋଟିଏ ଜଳନ୍ତା ପ୍ରସଙ୍ଗ ଉପରେ ଉତ୍ତର ଦେବା ପରିବର୍ତ୍ତେ ପ୍ରସଙ୍ଗଟିକୁ ନ୍ୟୁନ ବା ଗୁରୁତ୍ୱହୀନ କରାଇଦେବା କଥାଟିକୁ ରାହୁଲ୍ ତୀବ୍ର ନାପସନ୍ଦ କରିଥିଲେ । ସେହିଥିପାଇଁ ଅନେକ ଚିନ୍ତାଶୀଳ ବ୍ୟକ୍ତି ପ୍ରଧାନମନ୍ତ୍ରୀ ମୋଦୀଙ୍କର ଅଗଷ୍ଟ ୧୫, ୨୦୨୩ ସ୍ୱାଧୀନତା ଦିବସର ଭାଷଣ ଉପରେ ନଜର ରଖିଥିଲେ । ମୋଦୀ ଲୋକସଭାରେ ଦେଇଥିବା ଅର୍ଥହୀନ ଭାଷଣଠାରୁ ନିଜକୁ ଦୂରେଇ କିଛି ଅଧିକ ରୋମାଞ୍ଚକର କଥା କହିବେ ବୋଲି ଆଉ କିଛି ଲୋକ ଭାବୁଥିଲେ । ୨୦୨୪ ନିର୍ବାଚନ ପୂର୍ବରୁ ମୋଦୀଙ୍କର ଲାଲ୍କିଲ୍ଲାରୁ ଦିଆ ଯାଉଥିବା ଏହା ଶେଷ ଭାଷଣ ହୋଇଥିବା ଦୃଷ୍ଟିରୁ ସେଭଳି କିଛି ନିର୍ବାଚନୀ ଘୋଷଣା କରାଯିବ ବୋଲି ମଧ୍ୟ ସାମ୍ବାଦିକମାନେ କଲମ ଓ କ୍ୟାମେରାକୁ ମଜବୁତ୍ କରି ଧରି ବସିଥିଲେ । କିନ୍ତୁ ସେଭଳି କିଛି ହେଲା ନାହିଁ ।
ମୋଦୀ ଭବିଷ୍ୟତର କଳ୍ପନାକୁ ବର୍ଣ୍ଣନା କରିବାକୁ ଯାଇ ୨୦୧୪ ପୂର୍ବର ହଜାର ବର୍ଷର ଇତିହାସ ଭିତରକୁ ପଶିଥିଲେ ଏବଂ କହିଥିଲେ ଯେ ହଜାରେରୁ ୧୨ଶହ ବର୍ଷର ପୂର୍ବ ଇତିହାସଟି ଦାସତ୍ୱ ଭିତରେ ଗତି କରିଥିଲା । ଜଣେ ସଚ୍ଚା ଓ କଟରପନ୍ଥୀ ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘର କର୍ମୀ ହିସାବରେ ମୋଦୀ ଭାରତର ଇତିହାସରେ ମୋଗଲ ସାମ୍ରାଜ୍ୟର ସମୟ କାଳକୁ ମଧ୍ୟ ଦାସତ୍ୱର ସମୟ ବୋଲି ସ୍ୱୀକାର କରନ୍ତି । ବ୍ରିଟିଶ ଉପନିବେଶବାଦ ଏବଂ ମୋଗଲ ସମୟକାଳ ଭିତରେ କିଛି ପ୍ରଭେଦ ନାହିଁ ବୋଲି ୧୯୨୫ ମସିହାରେ ପ୍ରତିଷ୍ଠିତ ଉଗ୍ର ହିନ୍ଦୁତ୍ୱ ସଙ୍ଗଠନ ଆର୍.ଏସ୍.ଏସ୍ ତଥାକଥିତ ମାର୍ଗଦର୍ଶକ ମାନେ ବିଚାର କରି ଆସିଛନ୍ତି । ସେମାନେ କେବେ ବି ହଜାର ହଜାର ବର୍ଷଧରି ସେହି ତଥାକଥିତ ହିନ୍ଦୁ ଧର୍ମ ଭିତରେ ବ୍ରାହ୍ମଣ ଏବଂ ଅନ୍ୟ ଉଚ୍ଚଜାତିର ଲୋକମାନେ ନିଜ ଚାରିପଟେ ଥିବା ସମ୍ବଳହୀନ ଦଳିତମାନଙ୍କୁ କିଭଳି ଦାସ ହିସାବରେ ଆଜିଯାଏଁ ରଖି ଆସିଛନ୍ତି, ସେହିକଥାଟି ଉପରେ କିଛି କହିବାର ଶୁଣିବାକୁ ମିଳେ ନାହିଁ । ଯେତେ ବାହାରର ଶାସକ ତଥାକଥିତ ଭାରତ ଭୂଖଣ୍ଡର ଛୋଟଛୋଟ ବ୍ରାହ୍ମଣ-କ୍ଷତ୍ରିୟ ରାଜ୍ୟମାନଙ୍କୁ ଦଖଲ କରିଥିଲେ, ପ୍ରାୟତଃ ସମସ୍ତେ ଲୁଟପାଟକରି ନିଜ ଦେଶକୁ ଫେରିଯାଇଥିଲେ । ଇଂରେଜମାନେ ମଧ୍ୟ ଭାରତର ସମ୍ପଦ ଲୁଟ କରି ନିଜ ଦେଶକୁ ଫେରି ଯାଇଥିଲେ । ଗଲାବେଳେ ସେମାନେ ଗୋଟିଏ ଅଧିକା କାମ କରିଯାଇଥିଲେ । ତାହାଥିଲା ଶିକ୍ଷା ମାଧ୍ୟମରେ ସାଂସ୍କୃତିକ ଉପନିବେଶବାଦର ମୂଳଦୂଆ ସ୍ଥାପନ, ଯାହା ପରବର୍ତ୍ତୀ କାଳରେ ଆର୍ଥିକ ଉଦାରବାଦ ବା ବହୁରାଷ୍ଟ୍ରୀୟ ଉପନିବେଶବାଦ ପାଇଁ ଭାରତୀୟମାନଙ୍କ ଚେତନା ଭିତରେ ଗ୍ରହଣୀୟତା ସୃଷ୍ଟି କରିବାର କାମ ସୂଚାରୁ ରୁପେ କରିଆସିଛି । ମୋଗଲ ଶାସକମାନଙ୍କର ସମୟ କାଳର ବୈଶିଷ୍ଟ୍ୟ ଥିଲାଯେ ସେମାନେ ଭାରତକୁ ନିଜର ମା’ ମାଟି ହିସାବରେ ଗ୍ରହଣ କରିଥିଲେ ଏବଂ ଏଠି ସବୁଦିନ ପାଇଁ ବସବାସ କରିଥିଲେ । ଭାରତରେ ବ୍ରିଟିଶ ବିରୋଧି ପ୍ରଥମ ମୁକ୍ତି ସଂଗ୍ରାମ (୧୮୫୭)ର ସେନାପତି ଥିଲେ ଶେଷ ମୋଗଲ ସମ୍ରାଟ ବାହାଦୁର ଶାହା ଜାଫର୍ ଯେକି ଶେଷ ଜୀବନ ବନ୍ଦୀ ହିସାବରେ ଅତି ଦୟନୀୟ ଅବସ୍ଥାରେ କଟାଇ ମୄତ୍ୟୁ ବରଣ କରିଥିଲେ । ଅନ୍ୟପଟେ ଯଦି ଦେଖାଯିବ ସବୁ ସମୟରେ ଇଂରେଜମାନଙ୍କ ଦ୍ୱାରା ଅସ୍ତ୍ରରୂପେ ବ୍ୟବହୃତ ହୋଇ ଆସିଥିଲେ ଉଭୟେ ମୌଳବାଦୀ ହିନ୍ଦୁ ଏବଂ ମୁସଲମାନ ସଙ୍ଗଠନମାନେ । ଭାରତର ପ୍ରଧାନମନ୍ତ୍ରୀ ଆସନରେ ୯ବର୍ଷରୁ ଊଦ୍ଧ୍ୱର୍କାଳ ଧରି ବସିଥିବା ଶ୍ରୀ ମୋଦୀ ସେହିଭଳି ଏକ ମୌଳବାଦୀ ହିନ୍ଦୁ ସଙ୍ଗଠନର ଜଣେ ଅତ୍ୟନ୍ତ ସଫଳ ଛାତ୍ର ଯିଏକି ଆର୍.ଏସ୍.ଏସ୍ ଶିବିରମାନଙ୍କରେ ପଢ଼ାଯାଉଥିବା ଇତିହାସର ବିଶ୍ଲେଷଣକୁ ଲାଲ୍କିଲ୍ଲାରୁ ଦେଶବାସୀଙ୍କୁ ପଢ଼ାଇବା ପାଇଁ ଉଦ୍ୟମ କରିଛନ୍ତି । ତାଙ୍କର ଶାସନ ସମୟଟି କିଭଳି ଏକ ‘ଅମୃତକାଳ’ ସୃଷ୍ଟି କରିଛି , ଯାହାର ପ୍ରଭାବ ଭବିଷ୍ୟତର ଇତିହାସରେ ହଜାରେ ବର୍ଷଯାଏଁ ଉପଲବ୍ଧ ହେବ ତାହାର ଏକ ସ୍ୱପ୍ନ ବା ଅଭିଳାଷ ଭାରତୀୟମାନଙ୍କ ମନରେ ଯେମିତି ରହିବ ସେ ଲାଲ୍କିଲ୍ଲାରୁ ଉଦ୍ୟମଟିଏ କରିଛନ୍ତି ମାତ୍ର ।
ମୋଦୀଙ୍କର ଅଗଷ୍ଟ ୧୫,୨୦୨୩ର ଭାଷଣଟି ଶୁଣିବା ପରେ ତାଙ୍କ ପ୍ରତି ଅନେକଙ୍କର ଦୟା ଆସୁଥିବ ନିଶ୍ଚୟ । ଯେଉଁମାନେ ପୂର୍ବରାଗ ରଖି ନିଜର ତୀବ୍ର ପ୍ରତିକ୍ରିୟା ରଖିବା ପାଇଁ ପୂର୍ବରୁ ପ୍ରସ୍ତୁତ ହୋଇ ବସିଥିବେ, ସେମାନେ ମଧ୍ୟ ନିରାଶ ହୋଇଥିବେ । ହୁଏତ ଅନୁଗାମୀ ହୁଅନ୍ତୁ ବା ବିରୋଧି; ସମସ୍ତଙ୍କ ଭିତରେ ଗୋଟିଏ ଭାବନା ଆସୁଥାଇ ପାରେ ଯେ, ‘ଏହି ଲୋକଟି ପାଖରେ ଆଉ କିଛି ଚମକ ବା ଯାଦୁ ନାହିଁ ।’ ଭାରତୀୟ ଜନତା ପାର୍ଟି (ଭା.ଜ.ପା) ଭିତରେ ହୁଏତ ମୋଦୀଙ୍କ ବିକଳ୍ପର ଅନ୍ୱେଷଣ ଆରମ୍ଭ ହୋଇଯାଇ ଥାଇପାରେ । ମୋଦୀ ଏବଂ ତାଙ୍କର ଘନିଷ୍ଠ ସହକର୍ମୀ ଅମିତ୍ ଶାହା ଦଳ ଭିତରେ କିଛି ନେତାଙ୍କୁ ମଧ୍ୟ ପ୍ରତିଦ୍ୱନ୍ଦ୍ୱୀ ଭାବି ସେମାନଙ୍କୁ ନିରସ୍ତ୍ର କରିବା କାମଟି ଆରମ୍ଭ କରିଦେଇ ପାରନ୍ତି । ନିକଟରେ ପ୍ରକାଶିତ ହୋଇଥିବା ଭାରତର ମହାହିସାବ ସମୀକ୍ଷକ (ସି.ଏ.ଜି)ଙ୍କ ରିପୋର୍ଟର କିଛି ଅଂଶରେ ମୋଦୀ ସରକାରଙ୍କର ‘ଭ୍ରଷ୍ଟାଚାର’ ଉନ୍ମୋଚିତ ହୋଇଛି ବୋଲି ବିତର୍କ ସୃଷ୍ଟି ହୋଇଛି । କୌତୁହଳର କଥା ଯେ ପ୍ରଧାନମନ୍ତ୍ରୀ ପଦପାଇଁ ଦାବିଦାର କୁହାଯାଉଥିବା ବରିଷ୍ଠ କେନ୍ଦ୍ରମନ୍ତ୍ରୀ ଶ୍ରୀ ନିତିନ୍ ଗଡ଼କରୀଙ୍କ ଅଧିନରେ ଥିବା ସଡ଼କ ପରିବହନ ମନ୍ତ୍ରଣାୟଳର କାମ ଗୁଡ଼ିକରେ ହୋଇଥିବା ଦୁର୍ନୀତି ସମ୍ପର୍କରେ ବେଶୀ ଚର୍ଚ୍ଚା ହେଉଛି । ଅନ୍ୟପଟେ ମିଳିତ ବିରୋଧିଦଳମାନଙ୍କର ମତାନ୍ତର ସତ୍ତ୍ୱେ ବିକଳ୍ପ ନିର୍ମାଣପାଇଁ ଏକ ପ୍ରୟାସ ଚାଲିଛି ଯାହାକୁ ନେଇ ଆଜିର ଦିନରେ କିଛି କହି ହେବ ନାହିଁ । ବିଡ଼ମ୍ବନାର କଥା ଯେ ଆମ ରାଜ୍ୟର ବି.ଜେ.ଡ଼ି ସରକାର ଗୋଟିଏ ବୁଡ଼ିଯିବାର ଆଶଙ୍କା ଥିବା ଜାହାଜରେ ପାଦ ରଖିବା ପାଇଁ ବେଶି ପ୍ରୟାସ କରୁଛନ୍ତି । କଂଗ୍ରେସ ଓ ଭାଜପା ଠାରୁ ସମାନ ଦୂରତା ରଖିଥିବା କଥା ନବୀନ ପଟ୍ଟନାୟକ ସରକାର କହିଆସିଥିବା ବେଳେ ବାସ୍ତବରେ ସେମାନେ କେନ୍ଦ୍ରର ଭାଜପା ସରକାରଙ୍କ ସହ ସବୁ ବିବାଦୀୟ ପ୍ରସଙ୍ଗରେ ରହି ଆସିଛନ୍ତି । ରାଜ୍ୟସଭାରେ ସଙ୍ଘୀୟ ବ୍ୟବସ୍ଥାକୁ ଗୁରୁତର କ୍ଷତି ପହଞ୍ଚାଉଥିବା ଦିଲ୍ଲୀ ସେବା ବିଧେୟକ ପ୍ରସଙ୍ଗରେ ଭାଜପା ସରକାରଙ୍କୁ ବଞ୍ଚାଇବା ପାଇଁ ନିଜ ସାଂସଦମାନେ ଭୋଟ ଦେବାପାଇଁ ସେ ହୁଇପ୍ ଜାରି କରିଥିଲେ । ସେହିଭଳି ଲୋକସଭାରେ ମଣିପୁର ପ୍ରସଙ୍ଗରେ ଅନୁରୂପ ଭୂମିକା ନିଭାଇବା ପାଇଁ ସେ ସାଂସଦମାନଙ୍କୁ ହୁଇପ୍ ଜାରି କରିଥିଲେ । ଲୋକସଭାରେ ଭାଜପାର ନିଜର ବଳିଷ୍ଠ ସଂଖ୍ୟାଥିବା ଦୃଷ୍ଟିରୁ ବିଜେଡ଼ି ଭଳି କୌଣସି ପ୍ରାନ୍ତୀୟ ଦଳର ସହଯୋଗ ଭାଜପା ପାଇଁ ଆବଶ୍ୟକ ନଥିଲା । ସେହି ଦୃଷ୍ଟିରୁ ନବୀନବାବୁ ଯେଉଁ ପଦକ୍ଷେପ ନେଲେ ତାହା ସ୍ପଷ୍ଟ କରାଇ ଦେଲାଯେ ବିଜେଡ଼ି ସବୁ ସମୟରେ ଭାଜପା ସହିତ ହିଁ ରହିଛି । ଏମିତିରେ ଦେଖିବାକୁ ଗଲେ ଯେଉଁଭଳି ଉଗ୍ର ଶିଳ୍ପାୟନ ଏବଂ ବ୍ୟାପକ ଖଣିଖନନ ଆମ ରାଜ୍ୟରେ ଚାଲିଛି ଯାହାକି ନବୀନ ବାବୁଙ୍କୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ କରାଇବା ଏବଂ ୨୩ବର୍ଷରୁ ଊଦ୍ଧ୍ୱର୍କାଳ ଶାସନରେ ରଖାଇବା କାମଟିକୁ ସହଜ କରାଇ ପାରିଛି, ତାହା କେନ୍ଦ୍ରରେ ସରକାର ଚଳାଉଥିବା ଦଳକୁ ନାରାଜ କରି ହାସଲ କରାଇବା ସମ୍ଭବପର ନୁହେଁ ।
ଅନ୍ୟପଟେ ସରକାର ଯାହାର ହେଉନା କାହିଁକି ବା ଲାଲ୍କିଲ୍ଲାରୁ କିଏ କିଭଳି ଭାଷଣ ଦେଉନା କାହିଁକି, ତଥାକଥିତ ଖଣିଜ ସମ୍ପଦ ଥିବା ରାଜ୍ୟର ପ୍ରାକୃତିକ ସମ୍ପଦ ଉପରେ ନିର୍ଭର କରି ଚଳି ଆସୁଥିବା ଲକ୍ଷଲକ୍ଷ ଓଡ଼ିଶାର ଅଧିବାସୀ ମାନଙ୍କ ପାଇଁ (ଯାହାଙ୍କ ଭିତରେ ଅଧିକ ଦଳିତ ଓ ଆଦିବାସୀ) ସ୍ୱାଧିନତା ବା ମୁକ୍ତି ଏକ ବିଦେଶୀ ଶବ୍ଦଭଳି ରହି ଆସିଛି । ତଥାକଥିତ ‘ଅମୃତକାଳ’ରେ ଆମେ ମୋହଗ୍ରସ୍ତ ହୋଇଥିଲା ବେଳେ ଓଡ଼ିଶାର ବିଭିନ୍ନ ପ୍ରାକୃତିକ ସମ୍ପଦଭରା ଅଞ୍ଚଳ ଗୁଡ଼ିକରେ ସ୍ଥାନୀୟ ଲୋକମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର ଚାଲିଛି । ଜଗତସିଂହପୁର ଜିଲ୍ଲାର ଢ଼ିଙ୍କିଆ ଅଞ୍ଚଳରେ ପ୍ରାୟ ପ୍ରତ୍ୟେକ ଦିନ ଜିନ୍ଦଲ ଷ୍ଟିଲ୍ ୱାର୍କ (ଜେ.ଏସ୍.ଡ଼ବ୍ଲୁ)କୁ ନିଜ ବହୁ ଫସଲ ଜମି ଏବଂ ପାନବରଜ ନ ଦେବାପାଇଁ ଦୃଢ଼ ରହିଥିବା ଗ୍ରାମବାସୀମାନଙ୍କୁ ଗିରଫ କରାଯାଉଛି ବା ନିର୍ଯାତନା ଦିଆଯାଉଛି । ଏହି କଥାଟିରେ ହସ୍ତକ୍ଷେପ କରିବା ପାଇଁ ଜଣେ ଦରଦୀ ମୁଖ୍ୟ ବିଚାରପତି ଅଛନ୍ତି ଭାବି ଯେଉଁମାନେ ଉଚ୍ଚନ୍ୟାୟଳୟକୁ ଯାଇଥିଲେ, ସେମାନେ ନିରାଶ ହୋଇଥିଲେ । ପରେପରେ ଗିରଫ ଓ ନିର୍ଯାତନା ଘଟଣା ଅଧିକ ବଢ଼ିଥିଲା । ସେହିଭଳି ସୁନ୍ଦରଗଡ଼ ଓ କେନ୍ଦୁଝର ଅଞ୍ଚଳରେ ଜଙ୍ଗଲ ଅଧିକାର ଆଇନ୍ ୨୦୦୬ର ଚିହ୍ନବର୍ଣ୍ଣ କିଛି ନରଖି ଆଦିବାସୀମାନଙ୍କ ଜମି ବିଭିନ୍ନ ଖଣି କମ୍ପାନୀମାନେ ଦଖଲ କରି ଚାଲିଥିବାବେଳେ ପ୍ରଶାସନ ଲୋକମାନଙ୍କ ବିରୋଧରେ ମିଛ ମକଦମା ଦାୟର କରିଚାଲିଛି । ଅନେକ ପ୍ରହସନ ଭିତରେ ଜନଶୁଣାଣି ଚାଲିଛି । ବିଡ଼ମ୍ବନାର କଥାଯେ ସମ୍ପୃକ୍ତ ଅଞ୍ଚଳରେ ସକ୍ରିୟ ଥିବା ବାମପନ୍ଥୀ ଶ୍ରମିକ ସଙ୍ଗଠନମାନେ ଖଣି କମ୍ପାନୀ ମାନଙ୍କ ସହ ଠିଆହେବାର ଦୃଶ୍ୟ ଦେଖିବାକୁ ମିଳୁଛି । ଅନ୍ୟପଟେ ଲୋୟର ସୁକତେଲ ନଦୀବନ୍ଧ ଅଞ୍ଚଳରେ ପାଣି ଭିତରେ ସ୍ଥାନୀୟ ଅଧିବାସୀମାନଙ୍କୁ ଘେରାବନ୍ଦୀ କରି ରଖିବା ପରେ ଜୀବନ ବିକଳରେ ସେମାନେ ବାହରକୁ ଚାଲିଆସୁଛନ୍ତି । କିନ୍ତୁ ସେମାନଙ୍କ ପାଖରେ ବଞ୍ଚିରହିବା ପାଇଁ କୌଣସି ବିକଳ୍ପ ନାହିଁ । ହିଣ୍ଡାଲ୍କୋ କମ୍ପାନୀର ମାଳିପର୍ବତ ଦଖଲ ପାଇଁ ତୁହାକୁ ତୁହା ଆକ୍ରମଣ ବେଳେ ପୋଲିସ ପ୍ରଶାସନ ସାଥିରେ ରହି ସମ୍ପୃକ୍ତ ଅଞ୍ଚଳର ଆଦିବାସୀମାନଙ୍କ ଉପରେ ନିର୍ଯାତନା ଜାରି ରଖିଛନ୍ତି । କେବଳ ମାଳି ପର୍ବତ ଅଞ୍ଚଳ ନୁହଁ; କାଶୀପୁର ଅଞ୍ଚଳରେ ମଧ୍ୟ ହିଣ୍ଡାଲ୍କୋ କମ୍ପାନୀର ବିଷାକ୍ତ ବର୍ଜ୍ୟବସ୍ତୁ ଆଦିବାସୀଙ୍କ ଚାଷଜମି ଉପରେ ଗଦା କରାଯାଉଥିବା ଯୋଗୁଁ ଆଦିବାସୀ ପ୍ରତିବାଦ ବଢ଼ିଥିବାବେଳେ ସ୍ଥାନୀୟ ପୋଲିସ୍ ରାତିଅଧରେ ଘରକୁ ଘର ପଶି ସେମାନଙ୍କୁ ଆତଙ୍କିତ କରି ରଖିଛି । କେତେକ ଗାଁରେ ପୁରୁଷମାନେ ଅନ୍ୟତ୍ର ଲୁଚିଥିବାବେଳେ ମହିଳାମାନେ ନିର୍ଯାତନାକୁ ସାମ୍ନା କରୁଛନ୍ତି । ସେହିଭଳି ବେଦାନ୍ତ ବିରୋଧି ଆନ୍ଦୋଳନ ଏବେ ବି ସକ୍ରିୟ ରହିଥିବା ଯୋଗୁଁ ନିୟମଗିରି ସୁରକ୍ଷା ସମିତିର ଆନ୍ଦୋଳନ କର୍ମୀମାନଙ୍କୁ ସୁରକ୍ଷା କର୍ମୀ ମାନଙ୍କ ଦ୍ୱାରା ଗୋଟିଏ ପରେ ଗୋଟିଏ ଉଠାଇ ନିଆଯାଉଛି । ପରେ ସବୁସ୍ତରରେ ପ୍ରତିବାଦ ହେଲାପରେ ସେମାନଙ୍କ ନାଁରେ ମିଛ ମକଦମା ଦେଇ ଅଦାଲତରେ ଦାଖଲ କାରାଯାଉଛି । କେତେକଙ୍କ ନାଁରେ ଜଘନ୍ୟ ୟୁ.ଏ.ପି.ଏ ଦଫାମଧ୍ୟ ଲାଗୁ କରାଯାଉଛି । ଏହି ସମସ୍ତ ତଥ୍ୟ ଆମକୁ ବିଶିଷ୍ଟ ସମାଜିକ କର୍ମୀ ଶ୍ରୀ ପ୍ରଫୁଲ୍ଲ ସାମନ୍ତରାଙ୍କ ମାଧ୍ୟମରୁ ପ୍ରଥମେ ଜାଣିବାକୁ ମିଳିଛି । ପରେ ଅବଶ୍ୟ କେତେକ ବିକଳ୍ପ ଗଣମାଧ୍ୟମରେ ଏହି କଥାଗୁଡ଼ିକ ଆସିଛି ।
ଏହି ସବୁ ଲୋକମାନଙ୍କ ପାଇଁ ‘ଅମୃତକାଳ’ର ଅର୍ଥ କ’ଣ? ମାତ୍ର କେତୋଟି ବର୍ଷରେ ସମଗ୍ର ଖଣିଜ ସମ୍ପଦ ଓଡ଼ିଶାରୁ ଶେଷ ହୋଇଯିବ । ମୋଦୀଙ୍କର ହଜାର ବର୍ଷର ଭବିଷ୍ୟତର ଇତିହାସକୁ ଏହି ଲୋକମାନେ କିଭଳି ଦେଖିବେ? ଜଳବାୟୁ ପରିବର୍ତ୍ତନର ବିଭିିଷିକା ବିଶ୍ୱର ସବୁଆଡ଼େ ଦେଖିବାକୁ ମିଳିଲାଣି । ଏବେ ଆଉ ଜଳବାୟୁ ଉତ୍ତାପନ କୁହାଯାଉ ନାହିଁ ବରଂ ଅନେକ ଜଳବାୟୁ ଜଳୁଛି କହିବା ଆରମ୍ଭ କଲେଣି । ଯେଉଁ ବିକାଶର ଢ଼ାଞ୍ଚାଟି ଆମ ଭିତରେ ମିଛ ସ୍ୱପ୍ନ ଓ କ୍ଷଣସ୍ଥାୟୀ ଆଶା ଭରିଦେଇଛି, ସେହିଥି ପାଇଁ ଆଜି ଏହି ଅବସ୍ଥା ସୃଷ୍ଟି ହୋଇଛି । ଏହି ତଥାକଥିତ ବିକାଶର ଢାଞ୍ଚା ଉପରେ ଭାରତର ପ୍ରାୟ ସମସ୍ତ ରାଜନୈତିକ ଦଳ ଆସ୍ଥା ରଖି ଆସିଛନ୍ତି । ନରେନ୍ଦ୍ର ମୋଦୀ ହୁଅନ୍ତୁ ବା ନବୀନ ପଟ୍ଟନାୟକ ବା ମନମୋହନ ସିଂହ ଏବଂ ସେହିଭଳି ଅନ୍ୟ ସମସ୍ତଙ୍କ ଚେହେରା ଭିନ୍ନଭିନ୍ନ, କିନ୍ତୁ ଚେତନାଟି ଗୋଟିଏ । ଏହି ଭିତରେ ଆମ ନିଜ ଦେଶରେ ହଜାର ହଜାର ବର୍ଷଧରି ଦାସତ୍ୱ ଭିତରେ ଜିଁଇ ଆସିଥିବା ଦଳିତ, ଆଦିବାସୀ ଏବଂ ନିଷ୍ପେଷିତ ଲୋକମାନଙ୍କ ପାଇଁ ‘ଅମୃତକାଳ’ ନା ଅତୀତରେ ଆସିଛି ନାଁ ଭବିଷ୍ୟତରେ ଆସିବ ସେକଥା ଭାବିହେଉ ନାହିଁ । ‘ଐତିହାସିକ’ ମୋଦୀ କେବଳ ନିଜ ଭାଷଣରେ ହିଁ ‘ତ୍ରିକାଳଦର୍ଶୀ’ ହୋଇ ରହିଯିବେ, ବାସ୍ତବରେ ନୁହଁ ।
Comments
0 comments