ବିଗତ ତିନିରୁ ଚାରି ଦଶନ୍ଧି ମଧ୍ୟରେ ଆମେ ବିଶ୍ୱ ତାପମାତ୍ରାରେ କ୍ରମାଗତ ବୃଦ୍ଧି ଅନୁଭବ କରି ଆସୁଛେ । ବୈଜ୍ଞାନିକମାନଙ୍କ ମତରେ ଏହି ତାପମାତ୍ରା ବୃଦ୍ଧି ୧ଂ ରୁ ୧.୫ଂ ପର୍ଯ୍ୟନ୍ତ ବୃଦ୍ଧିପାଇଛି । ଏହାକୁ ଆମେ ସରଳ ଭାଷାରେ ଉତ୍ତପ୍ତ ପୃଥିବୀ ବିଶ୍ୱତାପ ବୃଦ୍ଧି ବା ଗ୍ଲୋବାଲ ୱାର୍ମିଂ କହୁ । ତାପମାତ୍ରା ବୃଦ୍ଧିର ବିଭିନ୍ନ କାରଣ ଥିଲେ ମଧ୍ୟ ମୁଖ୍ୟତଃ ବାୟୁମଣ୍ଡଳରେ ଦୂଷିତ ଗ୍ୟାସର ପରିମାଣ ବୃଦ୍ଧି ଉତ୍ତପ୍ତ ପୃଥିବୀ ତିଆରି କରିବାରେ ସହାୟକ ହୁଏ । ସାଧାରଣତଃ ଦେଖାଯାଇଛି, ବାୟୁମଣ୍ଡଳରେ ଦୂଷିତ ଗ୍ୟାସ କହିଲେ କ୍ଲୋରୋଫ୍ଲୋରକାର୍ବନ, ମିଥେନ, ନାଇଟ୍ରୋଜେନ୍ ଅକ୍ସାଇଡ଼୍ ଯାହାକୁ ଆମେ ସବୁଜଗୃହ ଗ୍ୟାସ କହୁ । କ୍ଲେରୋଫ୍ଲୋରକାର୍ବନର କ୍ଲୋରିନ୍ ଓ କାର୍ବନ ଡାଇଅକ୍ସାଇଡ଼ ରହିଥାଏ କାର୍ବନ ଡାଇଅକ୍ସାଇଡ଼୍ର ସୃଷ୍ଟି ଜୀବାଶ୍ମ ଦହନ ପ୍ରକ୍ରିୟାରୁ ନିର୍ଗତ ହୋଇଥାଏ । ଏହି କ୍ଲୋରୋଫ୍ଲୋରାଇଡ଼ କାର୍ବନ ପୃଥିବୀକୁ ଉତ୍ତପ୍ତ କରିବାରେ ମୁଖ୍ୟ ଭୂମିକା ନିଭାଏ । ଏହା ଅପର ପକ୍ଷରେ ଅଙ୍ଗାରକାମ୍ଳର ଗ୍ୟାସ ଉଦ୍ଭିଦ ପାଇଁ ଖାଦ୍ୟପ୍ରସ୍ତୁତ କରିବାରେ ସାହାଯ୍ୟ କରିଥାଏ । ଏବଂ ଉଦ୍ଭିଦମାନେ ପ୍ରତିବଦଳରେ ଅମ୍ଲଜାନ ବାୟୁମଣ୍ଡଳକୁ ଛାଡ଼ିଥାନ୍ତି । ସର୍ବେକ୍ଷଣରୁ ଜଣାଯାଇଛି ଯେ ବାୟୁମଣ୍ଡଳକୁ ନିର୍ଗତ ହେଉଥିବା ଅଙ୍ଗାରକାମ୍ଳର ମାତ୍ରାକୁ ଆମେ ଯଦି କମିବାପାଇଁ ଚାହିଁବା, ତେବେ ବି ଏହାର ପରିମାଣ ବାୟୁମଣ୍ଡଳକୁ କମିବ ନାହିଁ । ଏହାର କାରଣ ପୃଥିବୀ ବାୟୁମଣ୍ଡଳରୁ ପ୍ରାକୃତିକ ଉପାୟରେ ଅଙ୍ଗାରକାମ୍ଲର ମାତ୍ରା କମିପାରେ ନାହିଁ ।
ଏହା ହେଉଛି ବାୟୁମଣ୍ଡଳର ଏକ ବିଶିଷ୍ଟ ଗୁଣ । ତେଣୁ ବୈଜ୍ଞାନିକମାନଙ୍କ ଆକଳନ ଅନୁଯାୟୀ ବାୟୁମଣ୍ଡଳରୁ ପ୍ରାକୃତିକ ଉପାୟରେ ଅଙ୍ଗାରକାମ୍ଳର ମାତ୍ରା କମିବାପାଇଁ ଏକ ଶତାବ୍ଦୀ ବା ତଦୁର୍ଦ୍ଧ ସମୟ ଲାଗିପାରେ ଏବଂ ଅଙ୍ଗାକାମ୍ଲ କ୍ରମାଗତ ଭାବରେ ବାୟୁମଣ୍ଡଳରେ ଅନ୍ୟାନ୍ୟ ମାରାତ୍ମକ ଗ୍ୟାସ ସହ ମିଶି କ୍ଲୋରୋଫ୍ଲୋରକାର୍ବନ ତିଆରି କରିପାରେ । ଏହା ଉତ୍ତପ୍ତ ପୃଥିବୀ କରିବାରେ ମୁଖ୍ୟ ଧ୍ୱଂସକାରୀ ଭୂମିକା ଗ୍ରହଣ କରେ ଓ ଏହା ବାୟୁମଣ୍ଡଳକୁ ଘେରି ରହିଥିବା ଓଜୋନ ବଳୟକୁ ନଷ୍ଟ କରେ । ଆମେ ଜାଣୁ ପୃଥିବୀକୁ ଘେରି ରହିଥିବା ଓଜୋନ ବଳୟ ପୃଥିବୀପାଇଁ ଏକ ଢାଲ ସଦୃଶ କାମକରେ । ଏହି ବଳୟର ସ୍ଥିତିଯୋଗୁଁ ସୂର୍ଯ୍ୟଠାରୁ ଆସୁଥିବା ମାରାତ୍ମକ ଅତିବାଇଗଣି ରଶ୍ମି ପୃଥିବୀପୃଷ୍ଠକୁ ପ୍ରବେଶ କରିପାରେ ନାହିଁ । ଫଳତଃ ଆମେ ଏହି ରଶ୍ମିର ଭୟାବହତାରୁ ରକ୍ଷା ପାଇଥାଉ । କିନ୍ତୁ ୧୯୭୪ ମସିହାରେ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ଦୁଇଜଣ ପ୍ରଖ୍ୟାତ ରସାୟନ ବିଶାରଦ ସେରଭଡ଼ୁ ରୋଲାଣ୍ଡ ଓ ମାରିଧ ମୋଲିନା ସେମାନଙ୍କ ଗବେଷଣାଲବ୍ଧ ଜ୍ଞାନଦ୍ୱାରା ପୃଥିବୀବାସୀଙ୍କୁ ସାବଧାନ କରିଦେଲେ ଯେ, ସିଏଫ୍ସିଏସ୍ ଗ୍ୟାସରେ ଥିବା କ୍ଲୋରିନ୍ ଓଜୋନ ଅଣୁକୁ ରାସାୟନିକ ପ୍ରକ୍ରିୟାରେ କ୍ଷୟ କରିବାରେ ଲାଗିଛି । ଫଳରେ ଓଜୋନବଳୟ କ୍ରମଶଃ ପତଳା ହୋଇଯାଉଛି ।
ଏହି ଦୁଇଜଣ ବୈଜ୍ଞାନିକ ଓ ଜର୍ମାନୀର ବୈଜ୍ଞାନିକ ପଲ୍କର୍ଜନ କାଳକ୍ରମେ, ୧୯୯୫ ମସିହାରେ ନୋବଲ ପୁରସ୍କାର ପାଇଥିଲେ । ଏହି ବୈଜ୍ଞାନିକମାନେ ଓଜୋନ ବଳୟରେ ଘଟୁଥିବା ରାସାୟନିକ ପ୍ରକ୍ରିୟା ଉପରେ କାମ କରିଥିଲେ ଓ ସେଥିରେ କ୍ଲୋରିନ୍ କିପରି ସିଏଫ୍ସିଏସ୍ରୁ ଅଲଗା ହୋଇ ଓଜୋନ ଅଣୁକୁ କ୍ଷୟ କରେ ସେ ବିଷୟରେ ବିଶେଷ ବିବରଣୀ ପ୍ରଦାନ କରିଥିଲେ । ଏହି ତଥ୍ୟ ବିଶ୍ୱର ସମସ୍ତ ପରିବେଶବିତ୍ ଓ ବୈଜ୍ଞାନିକମାନଙ୍କୁ ସ୍ତବ୍ଧ କରି ଦେଇଥିଲା ଓ ସେମାନେ ଏହି ତଥ୍ୟ ଉପରେ ଅଧିକ ଗବେଷଣା ଜାରି ରଖିଥିଲେ । ଏହି ତଥ୍ୟା ଉପରେ ପର୍ଯ୍ୟବସିତ କରି ୧୯୮୭ରେ ବିଶ୍ୱସ୍ତରର ଏକ ଚୁକ୍ତିନାମା ତିଆରି ହୋଇଥିଲା ଯାହା ମନଟ୍ରିଲ୍ ଚୁକ୍ତି ନାମରେ ବିଦିତ । ଏହି ଚୁକ୍ତିନାମା ଅନୁସାରେ ପୃଥିବୀର କ୍ଷତିକାରକ ଓଜୋନ ଅବକ୍ଷୟ କରୁଥିବା ରାସାୟନିକ ପଦାର୍ଥମାନଙ୍କର ବ୍ୟବହାର ଉପରେ କଟକଣା ଲାଗୁହେଲା । କିନ୍ତୁ ଏହି ସିଏଫ୍ଏସ୍ ରେଫ୍ରିଜେରେଟର, ଶୀତତାପ ନିୟନ୍ତ୍ରିତ ଯନ୍ତ୍ର ଓ ଅନ୍ୟାନ୍ୟ ଯନ୍ତ୍ରର ବ୍ୟବହୃତ ହୁଏ । ଏତତ ବ୍ୟତୀତ ଅଗ୍ନି ନିର୍ବାପକ ଯନ୍ତ୍ରମାନଙ୍କରେ ବ୍ରୋମିନର ବହୁଳ ବ୍ୟବହାର ହୁଏ । ତେଣୁ ସେଗୁଡ଼ିକର ବ୍ୟବହାର କମ୍ କରିବାପାଇଁ ସ୍ଥିର କରାଗଲା । ଇତିମଧ୍ୟରେ ୧୯୮୫ ମହିହାରେ ଦଳେ ଗବେଷକ ପଶ୍ଚିମ ଆଣ୍ଟାର୍ଟିକା ସର୍ଭେ କରି ସେମାନଙ୍କ ଗବେଷଣାଲବ୍ଧ ତଥ୍ୟରେ ପ୍ରକଶ କରିଥିଲେ ଯେ ଆଣ୍ଟାର୍ଟିକାର ଓଜୋନ ବଳୟରେ ଛିଦ୍ର ଦେଖାଦେଇଛି ।
ଏହି ଚୁକ୍ତିନାମାର ତଥ୍ୟଉପରେ ଭିତ୍ତି କରି ନାସାର କିଛି ବୈଜ୍ଞାନିକ ମତ ଦେଇଥିଲେ, ପୃଥିବୀରେ ଯଦି ସିଏଫ୍ସିଏସ୍ର ନିର୍ଗମନ ଉପରେ ଅଙ୍କୁଶ ଜାରି କରା ନଯାଏ, ତେବେ ପ୍ରତିବର୍ଷ ହାରାହାରି ୩% ଓଜୋନ ଅବକ୍ଷୟ ଦେଖାଯିବ । ଏବଂ ୨୦୬୫ବେଳକୁ ଓଜୋନ ବଳୟର ଦୁଇ ତୃତୀୟାଂଶ କ୍ଷୟ ହୋଇଯିବ । ଏହାର ଫଳସ୍ୱରୂପ ଅତି ବାଇଗଣି ରଶ୍ମି ବିକିରଣ ଯୋଗୁଁ ମଣିଷମାନଙ୍କର ଡିଏନ୍ରେ ମୁ୍ୟଟେସନ୍ ହୋଇ ଚର୍ମ କର୍କଟ ରୋଗର ପ୍ରାବଲ୍ୟ ବୃଦ୍ଧି ପାଇବ । ଏହାଥିଲା ନାସାର ଭବିଷ୍ୟତବାଣୀ ସମଗ୍ର ପୃଥିବୀବାସୀଙ୍କ ପାଇଁ ।
ପୃଥିବୀର ବାୟୁମଣ୍ଡଳକୁ ଦୂଷିତ ଓ ବିଷାକ୍ତ କରୁଥିବା ବିଭିନ୍ନ ରସାୟନିକ ପଦାର୍ଥମାନଙ୍କର କ୍ରବମର୍ଦ୍ଧିଷ୍ଣୁ ବ୍ୟବହାରକୁ ନେଇ ପରିବେଶ ବିଜ୍ଞାନୀମାନେ ଅତ୍ୟନ୍ତ କ୍ଷୋଭ ପ୍ରକାଶ କରିଥିଲେ । ଏହି ସବୁ ରାସାୟନିକ ପଦାର୍ଥମାନଙ୍କ ଭିତରେ ସର୍ବାଗ୍ରେ ରହିଥିଲା ମିଥାଇଲା ବ୍ରୋମାଇଡ଼ ଯାହାକି ପୃଥିବୀରେ ବହୁଳ ଭାବରେ ବ୍ୟବହାର କରାଯାଇ ଥିଲା କୀଟନାଶକ ଔଷଧ ରୂପେ । ·ଷୀମାନେ ବିଭିନ୍ନ କମ୍ପାନୀମାନଙ୍କ ଦ୍ୱାରା ପ୍ରସ୍ତୁତ ମିଥାଇଲ ବ୍ରୋମାଇଡ଼ କୀଟନାଶକ ଭୂମିରେ ଦୁଇ ଫୁଟ ଗଭୀର କରି ଚାଷ ପୂର୍ବରୁ ଭର୍ତ୍ତି କରୁଥିଲେ । ଏଥିଦ୍ୱାରା ଜମିର ମାଟିରେ ଥିବା ବିଭିନ୍ନ ପ୍ରକାର ଫିମ୍ପି ଜୀବାଣୁ ଓ ଛୋଟ ଛୋଟ ଅଣୁଜୀବ ମରିଯାଉଥିଲେ । ପୁଣି ଫସଲ ଆଦାୟ ସମୟରେ ବା ଗଛକୁ କୀଟଦାଉରୁ ରକ୍ଷା କରିବା ପାଇଁ ଏହା ସିଞ୍ଚନ କରାଯାଉଥିଲା । ପ୍ରକୃତରେ ଏହି କୀଟନାଶକ ମଣିଷମାନଙ୍କ ପାଇଁ ମଧ୍ୟ କ୍ଷତି କାରକ ଥିଲା । ଚାଷୀମାନେ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ଗତ ରୋଗକାରୀ ସମସ୍ୟାରେ ଜଡ଼ିତ ହେଉଥିଲେ । କିନ୍ତୁ ବୈଜ୍ଞାନିକମାନେ ଅନୁଧ୍ୟାନ କରି ଜାଣିପାରିଲେ ଯେ ମିଥାଇଲ ବ୍ରୋମାଇଡ଼ ଏକ ଶକ୍ତିଶାଳୀ ଓଜୋନ କ୍ଷୟକାରକ ରାସାୟକନିକ ପଦାର୍ଥ ଅଟେ ।
ବାୟୁମଣ୍ଡଳରେ ମିଥାଇଲ ବ୍ରୋମାଇଡ଼ର ଫଟୋଲିସିସ୍ ହୋଇ ବ୍ରୋମିନ ଅଣୁ ବାହାରି ଆସେ ଯାହା ଓଜୋନ ଅଣୁ ଉପରେ ପ୍ରଭାବ ପ୍ରକାଇ ତାହାକୁ ଅବକ୍ଷୟ କରେ । ଓଜୋନ ଅଣୁକୁ କ୍ଷୟ କରିବାରେ ଏହାର ଭୟାବହତା କ୍ଲୋରିନ୍ ଠାରୁ ଯଥେଷ୍ଟ ଅଧିକ । ତେଣୁ ବୈଜ୍ଞାନିକମାନେ ଏହାକୁ ଏକ ନମ୍ବର ଓଜୋନ କ୍ଷୟକାରୀ ରସାୟନିକ ପଦାର୍ଥ ଭାଗି ନାମିତ କରିଛନ୍ତି । ଏହିି କୀଟନାଶକ ଜମିରେ ଥରେ ବ୍ୟବହାର କଲେ ପ୍ରାୟ ଏକ ଦଶନ୍ଧି ପର୍ଯ୍ୟନ୍ତ ଓଜୋନ କ୍ଷୟ କରିପାରେ । ତେଣୁ ବୈଜ୍ଞାନିକମାନେ ମତ ପୋଷଣ କଲେ, ଯଦି ପୃଥିବୀରୁ ସମସ୍ତ ସିଏଫସିଏସ୍ ବା କ୍ଲୋରୋଫ୍ଲୋର କାର୍ବନର ବ୍ୟବହାରକୁ ବନ୍ଦ କରି ଦିଆଯାଏ, ତେବେ ମଧ୍ୟ ଓଜୋନସ୍ତରର କ୍ଷୟ ଚାଲୁ ରହିବ; କେବଳ ଏହି ମିଥାଇଲ କ୍ରୋମିଡ଼ ଦ୍ୱାରା । ଏହି ପ୍ରକାର କୁ-ପରିଣତିକୁ ଏଡ଼ାଇବାକୁ ବୈଜ୍ଞାନିକମାନେ ବଦ୍ଧ ପରିକର ହେଲେ । ଫଳସ୍ୱରୂପ ୧୯୮୭ ମସିହାରେ ମନଟ୍ରିଲ ଚୁକ୍ତିନାମାରେ ଓଜୋନ ସୁରକ୍ଷା କାର୍ଯ୍ୟକ୍ରମ ସ୍ଥାନିତ ହେଲା । ଏହି ଚୁକ୍ତିନାମା ଅନୁସାରେ ପୃଥିବୀର ବିକାଶଶୀଳ ଓ ବିକଶିତ ରାଷ୍ଟ୍ରମାନଙ୍କୁ ମିଥାଇଲ କ୍ରେମାଇଡ଼୍ର ଓଜୋନ କ୍ଷୟକାରୀ ଗୁଣି ସମ୍ପର୍କରେ ସବିଶେଷ ବିବରଣୀ ଦିଆଗଲା ଓ ୨୦୦୫ ମସିହା ସୁଦ୍ଧା ଏହାକୁ କୃଷିକାର୍ଯ୍ୟରେ ବ୍ୟବହାର ନ କହିବା ପାଇଁ ଏକ ଘୋଷଣା କରାଗଲା । କିନ୍ତୁ କୀଟନାଶକ ତିଆରି କରୁଥିବା ବଡ଼ ବଡ଼ କମ୍ପାନୀମାନେ ସେମାନଙ୍କର ମୁନାଫା ପାଇଁ ବିକଶିତ ରାଷ୍ଟ୍ରମାନଙ୍କ ଜରିଆରେ ଏହାର ବ୍ୟବହାର ଜାରି ରଖିଲେ । ଆଦ୍ୟାବଧି ବହୁ ବିକଶିତ ରାଷ୍ଟ୍ରମାନଙ୍କରେ ମିଥାଇଲ କ୍ରୋମାଇଡ଼ ର ବ୍ୟବହାର ଚାଲୁ ରହିଛି । କିନ୍ତୁ ବିକଶିତ ରାଷ୍ଟ୍ରମାନେ ଏହି ଚୁକ୍ତି ଅନୁସାରେ ଦଶ ବର୍ଷ ପରେ ଏହାକୁ ବର୍ଜନ କରିଥିଲେ ।
ଏହା ବ୍ୟତୀତ କ୍ଳୋରିନ୍ ଓ କ୍ରୋମିନ୍ ଯାହାକି ବଡ଼ ବଡ଼ ଅତି ପୁରୁଣା ଶୀତତାପ ନିୟନ୍ତ୍ରକ ଯନ୍ତ୍ରରେ ଓ ଅଗ୍ନିନିର୍ବାପକ ଯନ୍ତ୍ରରେ ବର୍ତ୍ତମାନ ସୁଦ୍ଧା ସଞ୍ଚିତ ହୋଇ ରହିଛି । ତାକୁ ବ୍ୟବହାର କରିବା ପାଇଁ ବାରଣ କରାଗଲା । କାରଣ ଏହି ଯନ୍ତ୍ରମାନଙ୍କରୁ କ୍ରମାଗତ ଭାବେ କ୍ଲୋରିନ୍ ଓ ବ୍ରୋମିନ୍ ବାୟୁମଣ୍ଡଳ ଭିତରକୁ ପ୍ରବେଶ କରି ମିଳିତ ଭାବେ ଓଜେନ ସ୍ତରକୁ ଅଧିକ କ୍ଷୟ କରିପାରନ୍ତି । ଏ ହିସାବରେ ଦେଖିବାକୁ ଗଲେ, ବର୍ତ୍ତମାନ ସୁଧା ଆମର ଓଜୋନ ସ୍ତର ଶତକଡ଼ା ୪ ରୁ ଅଧିକା ଭାଗ କ୍ଷୟ ହୋଇସାରିଛି । ତେଣୁ ଆମେ ଆମର ଅମାନବୀୟ କାର୍ଯ୍ୟରେ ନିବୃତ୍ତ ନ ହେଲେ, ଭବିଷ୍ୟତରେ ଓଜୋନ ସ୍ତର ଯେ ଅଧିକାରୁ ଅଧିକ କ୍ଷୟ ନ ହେବ, ତାହା କିଏ କହିବ? ଏତଦ ବ୍ୟତୀତ , ଚାଷ କ୍ଷେତ୍ରରେ ବିଭିନ୍ନ ପ୍ରକାରର କୀଟନାଶକ ଓ ଅନାବନା ଘାସ ଇତ୍ୟାଦିକୁ ମାରିବା ପାଇଁ ରସାୟନିକ ଔଷଧ ବ୍ୟବହାର କରାଯାଉଛି । ଏସବୁ ମାଟିର ଉପକାରୀ ଜିଆ, ଜୀବାଶୁ ଓ ଅନ୍ୟ କେତେକ ଛୋଟ ବଡ଼ ଜୀବ ଓ ଅଣୁଜୀବମାନଙ୍କୁ ନଷ୍ଟ କରି ଦିଅନ୍ତି । ଫଳତଃ ମାଟିର ଉର୍ବରତା ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଏ । କିଛି ବର୍ଷ ରାସାୟନିକ ସାର ପ୍ରୟୋଗ ପରେ ମାଟିର ଜଳକୁ ବାନ୍ଧି ରଖିବା ଶକ୍ତି କମିଯାଏ । ଏବଂ ସେଥିରେ ଫସଲ ଭଲ ହୁଏ ନାହିଁ । ବିଶେଷ କରି ରସାୟନିକ ସାର ଓ ଔଷଧମାନଙ୍କର ନଷ୍ଟକାରୀ ପ୍ରକ୍ରିୟା ଯୋଗୁଁ ମାଟି କ୍ଷୟ ହୁଏ ଓ ଏ ସବୁ ରସାୟନିକ ପଦାର୍ଥ ମାଟିରେ ସଂରକ୍ଷିତ ହୋଇରହେ; ଯାହାକି ପୁନର୍ବାର ଗଛ ଓ ଫଳ ମଧ୍ୟକୁ ପ୍ରବେଣ କରେ । ସେହିି ଶସ୍ୟ ଆମେ ଖାଇବା ଦ୍ୱାରା ଆମ ଶରୀରରେ ଏହି କ୍ଷୟକାରୀ ରସାୟନିକ ପଦାର୍ଥର ସ୍ତର ବଢ଼ିଯାଏ, ଫଳତଃ ଆମେ ବିଭିନ୍ନ ପ୍ରକାର ମାରାତ୍ମକ ରୋଗରେ ଆକ୍ରାନ୍ତ ହେଉ । କୃଷକମାନେ ଚଢ଼ାଦରରେ ବିହନ, ରସାୟନିକ ସାର କିଣି ସର୍ବସ୍ୱାନ୍ତ ହୁଅନ୍ତି । ଏଥିରୁ ନିସ୍ତାର ପାଇବା ପାଇଁ ଆମ ପାଖରେ ଗୋଟିଏ ପନ୍ଥା ରହିଛି, ତାହା ହେଉଛି “ପ୍ରାକୃତିକ ପ୍ରଣାଳୀ”ରେ ଚାଷ । କେଉଁ ଆବହମାନ କାଳରୁ ଆମ ଦେଶର ଚାଷୀ ନିଜର ପାରଂପାରିକ ଜ୍ଞାନ ଓ ବୁଦ୍ଧିର ପ୍ରୟୋଗ କରି ପ୍ରାକୃତିକ ପ୍ରଣାଳୀରରେ ଚାଷବାସ କରି ଆସୁଛନ୍ତି । ଜମିରେ ଗୋବର ଖତ, ବିଭିନ୍ନ ପ୍ରକାରର ଘାସ ଓ ଧନିଆ ଚାଷ କରି ମାଟିର ଉର୍ବରତା ରକ୍ଷା କରି ଆସୁଥିଲେ । ଚାଷ କରିବା ପଦ୍ଧତି ହଳ ଲଙ୍ଗଳ ସାଙ୍ଗରେ ହେଉଥିଲା । ତେଣୁ ମାଟିରରେ ଥିବା ଜିଆପରି ଉପକାରୀ ଜୀବମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିଲା ଓ ସେଗୁଡ଼ିକ ନଷ୍ଟ ହେଉ ନ ଥିଲେ । କମ୍ପୋଷ୍ଟ ଖତ ଏ ସବୁ ମାଟିର କ୍ଷୁଦ୍ରାଦି କ୍ଷୁଦ୍ର ଜୀବମାନଙ୍କୁ ଉପଯୁକ୍ତ ପରିମାଣରେ ଖାଦ୍ୟ ଇତ୍ୟାଦି ଯୋଗାଇ ଦେଇ ପାରୁଥିଲା । ଜମିରେ ବ୍ୟବହାର ହେଉଥିବା ନିମ ତେଲ ଓ ପିଡ଼ିଆ, ପାଉଁଶ ଖତର ଓ ଗୋମୂତ୍ରରୁ ତିଆରି ସାର ଗଛକୁ ରୋଗଦାଉରୁ ରକ୍ଷା କରୁଥିଲା । ସବୁଠାରୁ ବଡ଼କଥା ହେଲା, ଏ ସବୁ ଜିନିଷ ଆମ ପରିବେଶକୁ ସୁସ୍ଥ ରଖୁଥିଲା ଓ ସେଗୁଡ଼ିକ ମାଟିରେ ମିଶି ଜୀବାଣୁମାନଙ୍କ ଦ୍ୱାରା କ୍ଷୟ ହୋଇ ଯାଉ ନ ଥିଲା ।
ଏ ପ୍ରକାର ଚାଷରୁ ମିଳିଥିବା ଖାଦ୍ୟ ଆମ ଶରୀରର କୌଣସି ପ୍ରକାର ରୋଗ ତିଆରି କରୁ ନ ଥିଲା । କୃଷକମାନଙ୍କୁ ପ୍ରାକୃତିକ ଓ ପାରମ୍ପରିକ ଜ୍ଞାନ କୌଶଳ ସହ ବୀଜ ସଂରକ୍ଷଣର ବିଭିନ୍ନ ପଦ୍ଧତି ଜ୍ଞାତ ଥିଲା । ଚାଷିମାନଙ୍କ ମ୍ମରେ ଭାଇଚାରାର ସମ୍ପର୍କ ମଜବୁତ ଥିଲା । ଜଣେ ଚାଷିର କୌଣସି କାରଣ ବଶତଃ ବିହନ ନଷ୍ଟ ହୋଇଗଲେ, ସେ ଅନ୍ୟ ଚାଷିଠାରୁୁ ବିହନ ମାଗଣାରେ ଆଣିପାରୁଥିଲା । ଚାଷିମାନଙ୍କ ଭିତରେ ବିଭିନ୍ନ କିସମର ବିହନ ଆଦାନ ପ୍ରଦାନର ପ୍ରଥା ଥିଲା, ଅକ୍ଷୟ ତୃତୀୟା ଥଲା ଏଇଥିପାଇଁ ଏକ ଗର୍ବ, ଯେଉଁ ଦିନ ଚାଷିମାନେ ବିହନ ଅଦଳବଦଳ କରୁଥିଲେ । ତେଣୁ ଉକ୍ରୃଷ୍ଟ ଧରଣର ବିହନ ଜଣଙ୍କ ପାଖରେ ଗଚ୍ଛିତ ନ ରହି ସମସ୍ତଙ୍କୁ ପାଖରେ ପହଞ୍ଚି ପାରୁଥିଲା । ·ଷିମାନଙ୍କର ଚାଷ ସମ୍ପର୍କିତ ଜ୍ଞାନ କୌଶଳ ପରିବେଶ ରକ୍ଷାକାରୀ ଥିଲା । ଚାଷ କେମିତି କରାଯିବ, ଜଳ ସଂରକ୍ଷଣ ପାଇଁ କ’ଣ ବ୍ୟବସ୍ଥା କରାଯିବା ଆବଶ୍ୟକ ଓ କେଉଁ ଜମିରେ କି ପ୍ରକାର ଫସଲ ହେବ, ସେ ବିଷୟରେ ସର୍ବଶେଷ ଜ୍ଞାନ ଥିଲା । ଚାଷକୁ ଜଳ ଯୋଗଣା ନିୟନ୍ତ୍ରିତ କରିବା ଗାଁ ମାନଙ୍କରେ ପୋଖରୀ ଗଡ଼ିଆ ଓ ଆଦି ଭୂମିକୁ ବଞ୍ଚାଇ ରଖାଯାଉଥିଲା । ପୋଖରୀମାନଙ୍କରେ ମାଛ, ଚାଷ କରି ଲୋକମାନେ ବିଶେଷ ଲାଭବାନ ହେଉଥିଲେ କିନ୍ତୁ ଏଥିରେ ମାରାତ୍ମକ ଆଣ୍ଟିବାୟୋଟିକ୍ସର ପ୍ରୟୋଗ ନ ଥିଲା । ପୋଖରୀ ପାଣି ବ୍ୟବହାର କରି ପୋଖରୀ ସଂଲଗ୍ନ ଜମିରେ ଖରା ଦିନିଆ ପରିବା ଚାଷ କରାଯାଇଥିଲା । ତେଣୁ ଗୋଟିଏ ଜମିରୁ ଚାଷି ଧାନ, ମୁଗ, ବିରି, ରାଶି, ଷୋରିଷ ବାଦମ ଓ ପରିବା ପାଇ ପାରୁଥିଲେ ।
ଯେତେବେଳେ ହାଇବ୍ରିଡ଼ ବିହନ ସରକାରଙ୍କ ତରଫରୁ ମାଗଣା ବଣ୍ଟନ କରାଗଲା, ତାକୁ ସୁହାଇଲା ଭଳି, ସାର, କୀଟନାଶକ ଔଷଧ ଇତ୍ୟାଦି ବ୍ୟବହାର କରାଗଲା । ବହୁବର୍ଷ ଧରି ଏ ସବୁର ବ୍ୟବହାର ପରେ, ସେହି ଜମିରେ ଦେଶୀ ବା ପ୍ରାକୃତିକ ପଦ୍ଧତିରେ ଚାଷ ସୁହାିଲା ନାହିଁ । ଅମଳ ଅଧିକ ହେଲା କିଂତୁ ଚାଷ ପାଇଁ ଖର୍ଚ୍ଚବଢ଼ିଲା, ଚାଷିମାନେ ଋଣଗ୍ରସ୍ତ ହୋଇ ସର୍ବସ୍ୱ ହରାଇବା ପରେ ଆତ୍ମହତ୍ୟା କଲେ । ଜମିର ଗୁଣବତ୍ତା କମିବାରେ ଲାଗିଲା । ସହରୀକରଣ ପାଇଁ ଚାଷଜମିକୁ ବାସଭୂମିରେ ପରିଣତ କରାଗଲା । ଲୋକଙ୍କ ଭିତରେ ବିଭିନ୍ନ ନିରାକରଣ ରହିତ ରୋଗ ବ୍ୟାପିବାରେ ଲାଗିଲା । ଏଥିରୁ ନିସ୍ତାର କେମିତି ପାଇବା? ସମସ୍ତଙ୍କ ମନରେ ଏହି ଗୋଟିଏ ପ୍ରଶ୍ନ । ସମସ୍ତେ ହୃଦୟଙ୍ଗମ କରୁଛନ୍ତି ରାସାୟନିକ ସାର, ଔଷଧ ଓ ହାଇବ୍ରିଡ଼ ବିହନ ଦ୍ୱାରା ଆଜିର ଏହି କୁପରିଣତି ।
ଏ ସବୁ ସ୍ୱାସ୍ଥ୍ୟଗତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆମମାନଙ୍କ ମନରେ ପ୍ରାକୃତିକ ଚାଷ ବା ଦୋଶୀଚାଷ ପ୍ରଣାଳୀକୁ ଆପଣାଇବା ପାଇଁ ଆଗ୍ରହ ସୃଷ୍ଟି ହେବା ଏକାନ୍ତଜରୁରୀ । କିନ୍ତୁ ଚାଷିମାନଙ୍କ ମଧ୍ୟରେ ଏକ ନିରାଶା ରହି ଆସୁଛି । ସେମାନଙ୍କର ହୃଦବୋଧ ହେଉନାହିଁ, ପୁଣି ପ୍ରାକୃତିକ ପ୍ରଣାଳୀରେ ଚାଷ କରି ଫସଲ ଉତ୍ପାଦନ କରି ହେବ । ଏଇଥିପାଇଁ ଆମକୁ ସମୟ ଓ ଧୈର୍ଯ୍ୟର ଆବଶ୍ୟକତା ରହିଛି । କଠୋର ପରିଶ୍ରମ କରି ଦେଶୀ ସହଣି ବିହନ ବ୍ୟବହାର କରି ପାରମ୍ପରିକ ପଦ୍ଧତିରେ ଚାଷ କଲେ ଉତ୍ପାଦନ ନିଶ୍ଚୟ ବଢ଼ିବ ଓ ଖର୍ଚ୍ଚ କମିବା ସହ ବିଷ ମୁକ୍ତ ଖାଦ୍ୟ ମିଳିବ । ତେଣୁ ଚାଷି ଭାଇମାନଙ୍କୁ ଅନୁରୋଧ ସେମାନେ ଏଇ ପଦ୍ଧତିକୁ ଗ୍ରହଣ କରି ନିଜର ଅକ୍ଲାନ୍ତ ପରିଶ୍ରମ ବଳରେ ପୃଥିବୀରୁ କ୍ଷୁଧା ଓ ରୋଗର ସମୂଳ ଧ୍ୱଂସ କରିପାରିବେ । ତାହା ହେବ ଜଳବାୟୁ ନ୍ୟାୟ ବା କ୍ଲାଇମେଟ ଜଷ୍ଟିସ୍ । ତେଣୁ ଦେଶୀଚାଷ ଓ ଦେଶୀ ବିହନ ବାୟୁମଣ୍ଡଳ ଜଳବାୟୁ ସହଣଶୀଳ ଚାଷ ରୂପେ ନିରନ୍ତର ବିକାଶକୁ ଆଗକୁ ନେଇପାରିବା ।
ବ୍ୟବହୃତ ଉପାଦାନ ସୂଚୀ
* Farman, J.C., Gardimer, B.G. & Shankin,JI (Nature 315-1985)
* Mulina, M.J. & Rowland, F.S. Nature 249 (1974)
* U.N. Enviroment Programme Scientitic Assesment of Ozone Delletion : 2006 (UNEP-2007)
Comments
0 comments