୨୦୦୮ବର୍ଷଟି ଓଡ଼ିଶାର ଚାଷୀକୁଳ ପାଇଁ ଏକ ଦୁର୍ଗତିର ବର୍ଷ ହୋଇଯାଇଛି । ମହାନଦୀ ତ୍ରିକୋଣଭୂମି ଜଳସେଚିତ ଅଞ୍ଚଳ ପାଇଁ ରବିଧାନ ପାଣି ବହୁ ବିଳମ୍ବରେ କେନାଲରେ ଛଡ଼ାଗଲା । ରାଜ୍ୟ ଜଳସମ୍ପଦ ବିଭାଗର ତ୍ରୁଟିପୂର୍ଣ୍ଣ ଜଳନୀତି ଯୋଗୁଁ ପାଣି ଆସିବ-ନ ଆସିବ, ଏହି ଅବସ୍ଥା ଫେବୃୟାରୀ ତୃତୀୟ ସପ୍ତାହ ଯାଏଁ ରହିଲା । ଫେବୃୟାରୀ ୨୫ତାରିଖକୁକେନାଲରେ ପାଣି ଛଡ଼ାଗଲା । ବିଳମ୍ବରେ ରବି ଧାନଚାଷ ସାଙ୍ଗକୁ ମେ-ଜୁନ୍ ମାସରେ ପ୍ରବଳ ବର୍ଷାଯୋଗୁଁ ପୁରୀ,ଖୋର୍ଦ୍ଧା ଓ କଟକ ଜିଲ୍ଲାର ପାଚିଲା ଡାଳୁଅଧାନ ପାଣିରେ ସଢ଼ି ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲା । ପ୍ରାୟ ୨୦ହଜାର ହେକ୍ଟର ଜମିର ଫସଲ ମାଟିରେ ମିଶିଗଲା । ରାଜଧାନୀଠାରୁ ମାତ୍ର ୧୦କିଲୋମିଟର ଦୂର ବାଲିଅନ୍ତା-ବାଲିପାଟଣା ନିର୍ବାଚନମଣ୍ଡଳୀର ଜଣେ ଚାଷୀ ଫସଲ କ୍ଷତି ସହିନପାରି ଆତ୍ମହତ୍ୟା କଲେ ।
କିଛିଦିନ ପରେ କେନ୍ଦ୍ରାପଡ଼ାରେ ଜଣେ ଚାଷୀ ଫସଲ ହରାଇ ଋଣ ଶୁଝିପାରିବ ନାହିଁ ଭାବି ଆତ୍ମହତ୍ୟା କରିଥିବା ଖବର ମଧ୍ୟ ପ୍ରକାଶ ପାଇଲା । ମାତ୍ର ଆମ ଲୋକପ୍ରିୟ ଓଡ଼ିଶା ସରକାର ଚାଷୀର ବିପନ୍ନବେଳେ ଆହାଟିକେ ବି କଲେନାହିଁ । ଫେବୃୟାରୀ-ମାର୍ଚ୍ଚ ମାସରେ ଆନ୍ଧ୍ର, ତାମିଲନାଡ଼ୁ ଓ କର୍ଣ୍ଣାଟକରେ ଅଦିନ ବର୍ଷା ଯୋଗୁଁ ଧାନଫସଲର କ୍ଷତି ହୋଇଥିଲା । ସେହି ସବୁ ରାଜ୍ୟ ସରକାରମାନେ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ହେକ୍ଟର ପ୍ରତି ୧୦ ହଜାରରୁ ୧୩ହଜାର ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ ଦେଇଛନ୍ତି । ଓଡ଼ିଶା ସରକାରଙ୍କ କୃଷକବିରୋଧୀ ନୀତିର ପ୍ରମାଣ ପାଇଁ ଏହା ଏକ ନଜିର ହେବନି କି?
ଚଳିତବର୍ଷ ଜୁନ୍ମାସଠାରୁ ଓଡ଼ିଶାରେ ବନ୍ୟାପର୍ବ ଆରମ୍ଭ ହୁଏ । ପ୍ରଥମପର୍ଯ୍ୟାୟ ବନ୍ୟାରେ ବାଲେଶ୍ୱର ଜିଲ୍ଲାରେ ଗଜାଧୋଇ,ଦ୍ୱିତୀୟ ପର୍ଯ୍ୟାୟରେ ଦକ୍ଷିଣ ଓଡ଼ିଶାର ଜିଲ୍ଲାମାନଙ୍କରେ ବନ୍ୟା ଓ ସେପ୍ଟେମ୍ବର ମାସରେ ମହାନଦୀର ପ୍ରଳୟଙ୍କରୀ ବନ୍ୟାରେ କଟକ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲାମାନଙ୍କରେ ବନ୍ୟା । ମହାନଦୀ ସହିତ ବ୍ରାହ୍ମଣୀ ଓ ବୈତରଣୀ ନଦୀରେ ମଧ୍ୟ ବନ୍ୟା । ଓଡ଼ିଶା ଗେଜେଟ୍ରୁ ପ୍ରକାଶ ଗତ ୬୦ବର୍ଷ ଭିତରେ ଏପରି ବନ୍ୟା ଆଗରୁ କେବେ ଦେଖାଯାଇ ନାହିଁ । ରାଜସ୍ୱମନ୍ତ୍ରୀ ଓ ମୁଖ୍ୟ ଶାସନସଚିବଙ୍କ ମିଳିତ ସମୀକ୍ଷା ରିପୋର୍ଟ କୁହେ ବନ୍ୟାରେ ୧୯ଟି ଜିଲ୍ଲାରେ ୪୨ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ବିପନ୍ନ ହୋଇଛନ୍ତି । ୫ଲକ୍ଷ ହେକ୍ଟର ଚାଷଜମି ଦୀର୍ଘଦିନ ଧରି ପାଣିରେ ବୁଡ଼ି ରହିଥିବା ଯୋଗୁଁ ବ୍ୟାପକ ଫସଲ ହାନୀ ଘଟିଛି । (ଧରିତ୍ରୀ-ତା୧୧.୧୦.୨୦୦୮ ସରକାରୀ ରିପୋର୍ଟ)
ମହାନଦୀ ବନ୍ୟା ଆଶଙ୍କା ସେପ୍ଟେମ୍ବର ୧୭ ବେଳକୁ ସ୍ପଷ୍ଟ ଜଣାପଡ଼ୁଥିଲା । ସେପ୍ଟେମ୍ବର ୧୯ରେ ପାଣି ମାଡ଼ିଆସିଲା, ଦୁର୍ବଳ ନଦୀବନ୍ଧ ଯୋଗୁଁ ବଡ଼ ବଡ଼ ଘାଇକରି ପାଣି ସୁରକ୍ଷିତ ଅଞ୍ଚଳ ଭିତରେ ପଶିଗଲା । ସେତେବେଳକୁ ମୁଖ୍ୟମନ୍ତ୍ରୀ ସମେତ ମନ୍ତ୍ରିମଣ୍ଡଳର ସମସ୍ତ ସଭ୍ୟ ପୌର ନିର୍ବାଚନରେ ବ୍ୟସ୍ତ । ସେପ୍ଟେମ୍ବର ୨୩କୁ କନ୍ଧମାଳ ହିଂସା, ଭାଗୁଆଳି ସରକାରର ଗୋଟିଏ ଅଂଶୀଦାର ଦଳ ଦଙ୍ଗାକୁ ପ୍ରୋତ୍ସାହନ ଦେଉଛନ୍ତି । ଲୋକମତ ଓ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ତୁରନ୍ତ ପଦକ୍ଷେପ ପାଇଁ ଦୃଢ଼ ଦାବି କରୁଥିଲାବେଳେ, ରାଜ୍ୟ ସରକାର ଭୁବନେଶ୍ୱରରେ ବସିରହି ଖାଲି ଚିଠି ଲେଖୁଥାନ୍ତି । ବନ୍ୟା ଦୁର୍ଗତଙ୍କ କଥା ବୁଝୁଛି କିଏ? ସ୍ୱାଧୀନତା ପରେ ବୋଧହୁଏ ଏହା ପ୍ରଥମ ବନ୍ୟା ଯେଉଁଥିରେ ବନ୍ୟାର ୭୨ଘଣ୍ଟା ପରେ ମଧ୍ୟ ବିପନ୍ନ ଲୋକଙ୍କ ପାଖରେ ରିଲିଫ୍ ପହଞ୍ôଚପାରିଲା ନାହିଁ । ନିଆଳୀ ବ୍ଲକ୍ର ଦେବୀ-କନ୍ଦଳ ଦ୍ୱୀପାଞ୍ଚଳରେ ୪୦ହଜାର ଲୋକ, ଗୋରୁଗାଈ ସମ୍ପୂର୍ଣ୍ଣ ଜଳବନ୍ଦୀ ଥିବାବେଳେ ସେପ୍ଟେମ୍ବର ୨୨ସୁଦ୍ଧା କେତେକ ସ୍ଥାନରେ ରିଲିଫ୍ ପହଞ୍ଚି ପାରିନଥିଲା । ପ୍ରଶାସନ ଦକ୍ଷତାର ଏହା ଏକ ନଜିର ।
ଏଥରର ମହାନଦୀ ବନ୍ୟା ମନୁଷ୍ୟକୃତ । ଓଡ଼ିଶା ସରକାରଙ୍କ ତଥ୍ୟକୁ ଆଧାରକରି ଆଇଆଇଟି ଯୋଗ୍ୟତାପ୍ରାପ୍ତ ଜଳଗବେଷକ ହିମାଂଶୁ ଥକ୍କର ଏକ ପ୍ରେସ ବିଜ୍ଞପ୍ତିରେ ଏହା ପ୍ରକାଶ କରିଛନ୍ତି । ତାଙ୍କ ବ୍ୟତୀତ ବହୁ ବରିଷ୍ଠ ରାଜନୀତିଜ୍ଞ, ବୈଜ୍ଞାନିକ ଓ ପୋଲିସ ପ୍ରଶାସକ ମଧ୍ୟ ଅନୁରୂପ ମତ ଦେଇଛନ୍ତି । ହୀରାକୁଦଠାରେ ଜଳ ପରିଚାଳନା ତ୍ରୁଟିଯୋଗୁଁ ଏପରି ଭୟଙ୍କର ବନ୍ୟାର ସୂତ୍ରପାତ ହେଲା । କିନ୍ତୁ ବହୁ ପ୍ରତିଷ୍ଠିତ କୃଷକ ନେତା, ସମାଜକର୍ମୀ ସରକାରଙ୍କର ଏହା ତ୍ରୁଟିନୁହେଁ, ଉଦ୍ଦେଶ୍ୟମୂଳକ ବୋଲି ମତପୋଷଣ କରନ୍ତି । ହୀରାକୁଦର ପାଣି ଜଳସେଚନ ପାଇଁ ଚାଷୀର ଦରକାର, ମାତ୍ର ଏଥିମଧ୍ୟରେ ଓଡ଼ିଶା ସରକାର ବହୁ ଶିଳ୍ପସଂସ୍ଥାକୁ ହୀରାକୁଦର ଜଳ ଯୋଗାଇ ଦେବାପାଇଁ ଚୁକ୍ତିବଦ୍ଧ । ଏହି କାରଣରୁ ଗତବର୍ଷ ହୀରାକୁଦରେ ୫୦ହଜାର ଚାଷୀ କମ୍ପାନୀକୁ ଜଳଯୋଗାଣ ବିରୁଦ୍ଧରେ ଆନ୍ଦୋଳନ କରି ହୀରାକୁଦଠାରେ ଲକ୍ଷ୍ମଣରେଖା ଟାଣିଛନ୍ତି । କମ୍ପାନୀକୁ ଟୋପେବି ପାଣି ଛାଡ଼ିବେ ନାହିଁ । ସରକାରଙ୍କର ତ ବିଚକ୍ଷଣ ବୁଦ୍ଧି । ଯଦି ଚାଷୀକୁ ପାଣି ଦେଇ କମ୍ପାନୀକୁ ବଳକା ପାଣି ଦିଆଯାଏ, ସେମାନେ ଆପତ୍ତି କାହିଁକି ବା କରିବେ? ଏହା ସମ୍ଭବ ହେବ ହୀରାକୁଦରେ ସେପ୍ଟେମ୍ବର ୨୦ବେଳକୁ ୬୩୦ଫୁଟ ପାଣି ରଖିପାରିଲେ । ଜଳ ପରିଚାଳନା ଯନ୍ତ୍ରୀମାନେ ତାହା ହିଁ କଲେ । ମାତ୍ର ଏଭଳି ମାରାତ୍ମକ ଦୁଃସାହସ କମ୍ପାନୀ ସ୍ୱାର୍ଥପାଇଁ କରିବା ନିର୍ବୋଧତା ପ୍ରମାଣିତ ହେଲା । ସରକାରଙ୍କ ଖେଳ ଲୋକଙ୍କ କାଳ ହେଲା । ସରକାରଙ୍କର ଇଚ୍ଛାଶକ୍ତି ଥିଲେ ମହାନଦୀ ବନ୍ୟାକୁ ଏଡ଼ାଇ ଦିଆଯାଇ ପାରିଥାନ୍ତା ।
ଆଉ କେତେଦିନ ପରେ ବନ୍ୟାର ୨ମାସ ବିତିଯିବ । ବନ୍ୟା ପରବର୍ତ୍ତୀ ରିଲିଫ୍ ଓ କ୍ଷୟ କ୍ଷତିପୂରଣ ପାଇଁ ସରକାରଙ୍କର ତତ୍ପରତା ଥିଲାଭଳି ମନେହୁଏ ନାହିଁ । ବନ୍ୟାର ୭ଦିନ ପରେ ବିପନ୍ନ ଲୋକମାନଙ୍କୁ ୧୫ଦିନର ଖାଦ୍ୟ ସାହାଯ୍ୟ ମିଳିଲା । ପ୍ରତ୍ୟେକ ବ୍ୟକ୍ତିକୁ ଦିନକୁ ଏକ କିଲୋ ଓ ଶିଶୁମାନଙ୍କ ପାଇଁ ୫୦୦ଗ୍ରାମ ହିସାବରେ ଚାଉଳ କିଛି ମିଳିଲା । ସରକାର ରିଲିଫ୍ କୋର୍ଡ଼ ସଂଶୋଧନ କରିଥିବା କଥା କୁହନ୍ତି । ବିପନ୍ନ ଲୋକଟିଏ କ’ଣ ଚାଉଳଗଣ୍ଡିଏ ସିଝାଇ ଖାଇବ? ଡାଲି, ତେଲ, ପରିବା ତ’ ଦରକାର । ସେହି ଉପନିବେଶ ସରକାରୀ ଢାଞ୍ଚା । ଆମ ସରକାରରେ କିଛି ଟାଣୁଆନେତା ଗୋମାତା କହି ଗୋହତ୍ୟା ବିରୋଧ ଆଇନ କଡ଼ାକଡ଼ି କରିବା ପାଇଁ ଜୋର୍ ଦିଅନ୍ତି । ରାଜସ୍ୱମନ୍ତ୍ରୀ ସେହି ଗୋପ୍ରେମୀ ଦଳର ।
ବନ୍ୟାର ୭ଦିନ ପରେ ଗୋଖାଦ୍ୟ ବଣ୍ଟନ କରାଗଲା । ଗାଈ, ମଇଁଷି ବା ବଳଦ ମୁଣ୍ଡପିଛା ୨୦୦ଗ୍ରାମ ଦାନା । ହାତୀକୁ ହୋମିଓପ୍ୟାଥି । ମହାବାତ୍ୟା ପରେ ପ୍ରାକୃତିକ ବିପର୍ଯ୍ୟୟର ସଠିକ୍ ମୁକାବିଲା ପାଇଁ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ସଂସ୍ଥା ନାମରେ ଗୋଟିଏ ବିଭାଗ ଆମରାଜ୍ୟରେ କାମ କରୁଥିବା କଥା ଶୁଣାଯାଏ । ମାତ୍ର ଗତବନ୍ୟାରେ ଏହି ବିଭାଗର ଦାୟିତ୍ୱ ଓ କର୍ତ୍ତବ୍ୟ ଅତ୍ୟନ୍ତ ନିରୁତ୍ସାହଜନକ ଥିବା ଜଣାପଡ଼ିଛି । ଚାଷୀର ମା’ବାପ ତା’ର ଗୋସମ୍ପଦ । ବନ୍ୟାପରେ ବିଡ଼ାଏ ନଡ଼ା ଚାଷୀ ପାଖରେ ନାହିଁ । ଅଣ୍ଟାରେ କଉଡ଼ି ନାହିଁ ଦାନା କିଣିବାପାଇଁ । ମୁହଁ ମାରିବାପାଇଁ ପଡ଼ିଆରେ ଘାସନାହିଁ । ଗୋଚର ଜମିରେ ୨-୩ଇଞ୍ଚ ପଟୁ ମାଡ଼ିଯାଇଛି । ମଣିଷର ସିନା ପାଟିଫିଟୁଛି । ତା’ କଥା କିଛିଟା ହେଲେ ସରକାର ଶୁଣୁଛନ୍ତି । ଗୋରୁଗାଈଙ୍କର ତ’ପାଟି ଫିଟୁନି, ତାଙ୍କ ଦୁଃଖ ବୁଝୁଛି କିଏ? ସରକାରରେ କାହାର ବା ଏ ସମ୍ପର୍କରେ ସର୍ବନିମ୍ନ ତୃଣମୂଳ ଜ୍ଞାନ ଅଛି? ସବୁଠାରୁ କ୍ଷୋଭର ବିଷୟ ଦେଢ଼ମାସ ବିତି ଯାଇଥିଲେ ମଧ୍ୟ ବନ୍ୟା କ୍ଷୟକ୍ଷତିର ସଠିକ୍ ଆକଳନ କରିବାରେ ସରକାର ବ୍ୟର୍ଥ ହୋଇଛନ୍ତି । ରାଜସ୍ୱ ବିଭାଗ, କୃଷିବିଭାଗ ଓ ଜଳସମ୍ପଦ ବିଭାଗର ତଥ୍ୟମାନଙ୍କ ମଧ୍ୟରେ ତାଳମେଳ ନାହିଁ ।
ପୁନଃନିର୍ମାଣ ଓ ଥଇଥାନ କାର୍ଯ୍ୟ ମଧ୍ୟ ନିରୁତ୍ସାହଜନକ । ଦୁଇ/ତିନୋଟି ଉଦାହରଣ ଦେଲେ କଥାଟା ସ୍ପଷ୍ଟ ହେବ । ରାଜ୍ୟ ସରକାରଙ୍କର ତଥ୍ୟକୁ ଆଧାର କଲେ ୪୨ଲକ୍ଷ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି । ଏମାନେ ମୁଖ୍ୟତଃ କୃଷକ ଓ କୃଷିଶ୍ରମିକ । ବନ୍ୟାଞ୍ଚଳରେ ଧାନ, ପାନ,ଆଖୁ ଓ ଝୋଟ ବିଶେଷଭାବେ କ୍ଷତିଗ୍ରସ୍ତ ହୋଇଛି । ସେପ୍ଟେମ୍ବର ୧୯ ତାରିଖଠାରୁ ଅକ୍ଟୋବର ୨୩ ତାରିଖ ପର୍ଯ୍ୟନ୍ତ ଟୋପାଏ ବି ବର୍ଷା ହୋଇନାହିଁ । ବର୍ଷା ହୋଇଥିଲେ ଧାନବିଲରୁ ପଟୁ ଛାଡ଼ି ଯାଇଥିଲେ ବିହନ ମିଳିବାର ଆଶା ଥାନ୍ତା । ବର୍ତ୍ତମାନ ଚାଷୀ ବିଲକୁ ଆଉ ଦା’ନେବାର ଦରକାର ପଡ଼ିବନି । ଏଣେ ଯେଉଁ କେତେକ ଅଞ୍ଚଳରେ ବନ୍ୟାର ପ୍ରକୋପ ନଥିଲା, କେନାଲରେ ୮/୧୦ଦିନ ଭିତରେ ପାଣି ଆସିଥିଲେ ଚାଷୀ ଷୋହଳ ଅଣା ଫସଲ କାଟିଥାନ୍ତେ । ମାତ୍ର କେନାଲ ଘାଇ ମରାମତିରେ ଅହେତୁକ ବିଳମ୍ବ ହେଲା । କୁଶଭଦ୍ରା ବନ୍ୟାରେ ଗୋପ ବ୍ରାଞ୍ଚ କେନାଲର ପ୍ରତାପରୁଦ୍ରପୁର ନିକଟରେ ୧୫୦ଫୁଟ ଘାଇ ହୋଇଥିଲା । ସେପ୍ଟେମ୍ବର ୨୭/୨୮ବେଳକୁ ନଦୀରୁ ବନ୍ୟା କମିଯାଇଥିଲା । ମାତ୍ର ଘାଇ ମରାମତି ଅକ୍ଟୋବର ୨୦ସୁଦ୍ଧା ସମ୍ପୂର୍ଣ୍ଣ ହୋଇପାରିଲା ନାହିଁ । କାରଣ ନେତାଙ୍କ ଚିଠାରେ ପାନଦୋକାନୀ, ଚା ଦୋକାନୀ ଘାଇ ମରାମତି କାମନେଲେ । ଠିକାଦାର ପାଖରେ ସମସ୍ତ ଜରୁରୀକାଳୀନ ଗାଡ଼ି ଘୋଡ଼ା ଉପକରଣ ଥାଏ । ସେମାନେ ୫/୭ଦିନରେ ଘାଇ ପକାଇ ପାରିଥାନ୍ତେ । ଭୁବନେଶ୍ୱର-ପୁରୀ ରାସ୍ତା ମରାମତି ତ ପୁଣି ଅକ୍ଟୋବର ୫ସୁଦ୍ଧା ଶେଷ ହୋଇପାରିଲା । କେନାଲ ଘାଇରେ ରାଜନୈତିକ ଉଦ୍ଦେଶ୍ୟ ରହିଲା । ନେତାମାନେ ବଟି ସଂଗ୍ରହ କରି ଆସନ୍ନ ନିର୍ବାଚନ ପାଇଁ ପାଣ୍ଠି ସଂଗ୍ରହ କରିବାପାଇଁ ବନ୍ୟା ଏକ ସୁଯୋଗ ସୃଷ୍ଟିକଲା । ଚାଷୀ ବା ଚାଷକୁ ମାର ଗୁଲି । ଏଣେ ଧାନବିଲ ଫାଟି ଫଡ଼ା ହୋଇଗଲା । ପୁରୀ, ଖୋର୍ଦ୍ଧା ଓ କଟକ ଜିଲ୍ଲାର ୩ଲକ୍ଷ ହେକ୍ଟର ଜଳସେଚିତ ଭାତହାଣ୍ଡି ଜମିର ସ୍ଥିତି ଏହିପରି । ଅକ୍ଟୋବର ୨୪ତାରିଖରେ ଅସରାଏ ଭଲ ବର୍ଷା ଚାଷୀମନରେ କିଛିଟା ଆଶା ସଞ୍ଚାର କରିଛି । ମାତ୍ର ଫସଲର ଉତ୍ପାଦନ ୬୦ରୁ ୭୦ପ୍ରତିଶତ କମିଯିବା ନିଶ୍ଚିତ ।
୧୦ରୁ ୧୫ଲକ୍ଷ ଲୋକ କୃଷିଶ୍ରମିକ । ସେମାନଙ୍କ ପାଇଁ କାମନାହିଁ, ପେଟକୁ ଦାନା ନାହିଁ । ତାଙ୍କର ତ ଦାଣ୍ଡରୁ ଆସି ହାଣ୍ଡିରେ ପଡ଼େ । ଭୋକ ବିକଳରେ କଲବଲ ହୋଇ ମହାଜନଠାରୁ ପାଞ୍ଚଶହ/ହଜାର କରଜ କରି ଦାଦନ ଖଟିବାକୁ ବାହାର ରାଜ୍ୟକୁ ଦୌଡ଼ ଲଗାଇଛନ୍ତି । ଅକ୍ଟୋବର ୧୭ ତାରିଖ ସକାଳ ୯ଟା,୧୦ଟାବେଳେ ଚେନ୍ନାଇ ଷ୍ଟେସନରେ ଓହ୍ଲାଇ ଲେଖକ ଦେଖିବାକୁ ପାଇଲା ପ୍ରାୟ ୫୦୦ ଓଡ଼ିଆ ଯୁବକ (୧୫ବର୍ଷରୁ ୩୫ବର୍ଷ ମଧ୍ୟରେ) ମେଳାମେଳା ହେଉଛନ୍ତି । ସେମାନଙ୍କ ପାଖକୁ ଯାଇ ପଚରା ଉଚରା କରି ଜାଣିବାକୁ ମିଳିଲା ସେମାନେ ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, କଟକ ଓ ଖୋର୍ଦ୍ଧା ଜିଲ୍ଲାର ଲୋକ । ତାଙ୍କପାଖରେ ଠିକାଦାର ଅଛନ୍ତି । ତାଙ୍କୁ ନେଇ କେଉଁଠି କାମରେ ଲଗାଇବେ । ପେଟ ବିକଳରେ ଗାଁ, ବାପ, ମା, ସ୍ତ୍ରୀପିଲାଙ୍କୁ ପଛରେ ଛାଡ଼ି ଆସିଛନ୍ତି ଦାନା ଯୋଗାଡ଼ ପାଇଁ । ବନ୍ୟାପରେ ପ୍ରାୟ ଲକ୍ଷାଧିକ ଯୁବକଙ୍କ ଦାଦନ କାମ ପାଇଁ ବାହାର ରାଜ୍ୟକୁ ସୂଅ ଛୁଟିଛି । ଆମ ସରକାର କୁହନ୍ତି ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଶ୍ରମିକମାନଙ୍କୁ କାମ ଯୋଗାଇ ଦିଆଯିବ । ପ୍ୟାକେଜ୍ରେ ଉଲ୍ଲେଖ ଅଛି । ଏହି ସମୟମଧ୍ୟରେ ରାଜ୍ୟରେ ୩୫ଟି ଅନାହାର ମୃତ୍ୟୁ ଘଟିଥିବା ଖବର ପ୍ରକାଶ ପାଇଛି ।
ପ୍ୟାକେଜ୍ ସରକାରଙ୍କ ଚମଡ଼ା କୁମ୍ଭୀର ଚମଡ଼ା ଭଳି ଟାଣ । ଯେତେ ଫୋଡ଼ିଲେ ବି କାଟିବ ନାହିଁ । ଅକ୍ଟୋବର ୨୫ତାରିଖ ଦିନ ମିଳିତ ଜାତିସଂଘ ବିଶ୍ୱଖାଦ୍ୟ କାର୍ଯ୍ୟକ୍ରମ ‘ଓଡ଼ିଶାର ଗ୍ରାମାଞ୍ଚଳରେ ଖାଦ୍ୟ ନିରାପତ୍ତା’ ଆଟଲାସ୍ ଯୋଜନା ଆୟୋଗ ସଭ୍ୟ ଅଭିଜିତ ସେନ୍ଙ୍କ ଦ୍ୱାରା ଭୁବନେଶ୍ୱରରେ ଉନ୍ମୋଚିତ ହୋଇଯାଇଛି । ଉତ୍କଟ ଦାରିଦ୍ୟ, କ୍ଷୁଧା, ଶିଶୁ ମୃତ୍ୟୁହାର ଓ ପୁଷ୍ଟିହୀନତାରେ ଓଡ଼ିଶା ସମଗ୍ର ପୃଥିବୀରେ ଆଗଧାଡ଼ିରେ ଅଛି ।(ଦି ନିୟୁ ଇଣ୍ଡିଆନ୍ ଏକ୍ସ୍ରପ୍ରେସ ତା.୨୬.୧୦.୦୮ପ୍ରଥମ ପୃଷ୍ଠା ଓ ଧରିତ୍ରୀ ତା.୨୬.୧୦.୦୮ଅଷ୍ଟମ ପୃଷ୍ଠା) । ଓଡ଼ିଶାର ଉପକୂଳ ଜିଲ୍ଲାମାନଙ୍କରେ ଦାରିଦ୍ର୍ୟ ରିପୋର୍ଟର ଶ୍ରୀ ମଣ୍ଡନ କରିଛି । ବର୍ତ୍ତମାନ ବନ୍ୟାପରେ ସେହି ଉପକୂଳ ଜିଲ୍ଲାମାନଙ୍କରେ ବିପନ୍ନ ଲୋକମାନେ ଭୋକ ଉପାସରେ ଯେ କିପରି ଡହଳ ବିକଳ ହେଉଛନ୍ତି, ନିଜଆଖିରେ ନ ଦେଖିଲେ ବିଶ୍ୱାସ କରିହେବନାହିଁ ।
କନ୍ଧମାଳ ଦଙ୍ଗାଗ୍ରସ୍ତ ଅଞ୍ଚଳକୁ ବହୁ ବୁଦ୍ଧିଜୀବୀ, ଶିକ୍ଷାବିତ୍ ଓ ସମାଜସେବୀ ବାରମ୍ବାର ଯାଇ ଗଣ-ମାଧ୍ୟମରେ ପ୍ରତ୍ୟକ୍ଷଦର୍ଶୀ ବିବରଣୀ ଦେବାଦ୍ୱାରା ସରକାରଙ୍କ ଉପରେ ନୈତିକଚାପ ତ’ ପଡ଼ୁଛି । ଏହି ଶ୍ରେଣୀର ବ୍ୟକ୍ତିବିଶେଷ, ଅନୁଷ୍ଠାନ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ଗସ୍ତକରି ସେମାନଙ୍କର ଅନୁଭୂତି ଗଣମାଧ୍ୟମରେ ପ୍ରକାଶ କଲେ ହୁଏତ ସରକାରଙ୍କର କୁମ୍ଭକର୍ଣ୍ଣ ନିଦ୍ରା ଭଙ୍ଗ ହୋଇପାରେ । ରାଜସ୍ୱ ବିଭାଗ,କୃଷି ବିଭାଗ ଅଧିକାରୀମାନେ ଶୀତତାପ ନିୟନ୍ତ୍ରିତ ଅଟ୍ଟାଳିକାରୁ କେଉଁ ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ କ୍ଷୟକ୍ଷତିର ଆକଳନ କରିପାରିବେ । ସରକାର କୁହନ୍ତି ୫ଲକ୍ଷ ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଛି । ସରକାରୀ ହିସାବରେ ହେକ୍ଟର ପ୍ରତି ହାରାହାରି ଫସଲ ଉତ୍ପାଦନ ୩୦ ହଜାର ଟଙ୍କା ହେଲେ କେବଳ ଫସଲ କ୍ଷତିର ପରିମାଣ ୧୫୦୦କୋଟି ଟଙ୍କା ହେବ । ଏହା ବ୍ୟତୀତ ଗୋସମ୍ପଦ, କୃଷି ଉପକରଣ, ମାଛ, ଗଚ୍ଛିତ ଖାଦ୍ୟଶସ୍ୟ ଯାହାକି ବନ୍ୟା ଯୋଗୁଁ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ଏସବୁକୁ ହିସାବକୁ ନେଲେ ଆଉ ୫୦୦କୋଟି ଟଙ୍କାହେବ । କେବଳ କୃଷିକ୍ଷେତ୍ରରେ କ୍ଷତିର ପରିମାଣ ୨ହଜାର କୋଟି ଟଙ୍କା ହୋଇଥିବା ବେଳେ ସରକାର କୃଷି, ରାସ୍ତାଘାଟ, ବନ୍ଧବାଡ଼ ମରାମତି, ସରକାରୀ କୋଠାବାଡ଼ି ମରାମତି ପାଇଁ କେନ୍ଦ୍ର ସରକାରଙ୍କୁ ମାଗିଛନ୍ତି ମାତ୍ର ୨,୫୦୦କୋଟିର ସାହାଯ୍ୟ । ସେଥିରେ କେନ୍ଦ୍ର ସରକାର ୫୦୦କୋଟି ସାହାଯ୍ୟ ମଞ୍ଜୁର କରିଛନ୍ତି ବୋଲି କେନ୍ଦ୍ର ସରକାରଙ୍କୁ ଦୋଷ ଦେଇଦେଲେ ତ ହବନି । ରାଜ୍ୟ ସରକାର ନିଜଦାୟିତ୍ୱ କେତେ ନିଷ୍ଠାର ସହିତ ସମ୍ପନ୍ନ କରିଛନ୍ତି, ଆଗ ସମୀକ୍ଷା କରନ୍ତୁ ।
ବନ୍ୟାର କ୍ଷୟକ୍ଷତି ସମ୍ପର୍କରେ ପ୍ରତ୍ୟକ୍ଷ ଜ୍ଞାନ ଅର୍ଜନ ପାଇଁ ଆମେ ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର କେତେକ ଅଞ୍ଚଳ ଗସ୍ତ କରିଥିଲୁ । ପୁରୀଜିଲ୍ଲାର ପିପିଲି ବ୍ଲକ୍ର ଆରୁଆ ଗ୍ରାମ । ବନ୍ୟାରେ ଗାଁ ଦାଣ୍ଡରେ ୩ରୁ ୪ଫୁଟ ପାଣି ଠିଆ ହୋଇଗଲା । ସବୁ ମାଟିଘର ଭାଙ୍ଗି ତଳେ ଶୋଇପଡ଼ିଛି । ଗ୍ରାମବାସୀଙ୍କଠାରୁ ବୁଝିଲୁ ବନ୍ୟାଜଳ ସବୁ ପୋଖରୀଉପରେ ୨/୩ଫୁଟ ଚାଲିଲା । କୌଶଲ୍ୟାଗଙ୍ଗ କେନ୍ଦ୍ରୀୟ ମତ୍ସ୍ୟ ଗବେଷଣା କେନ୍ଦ୍ର ଏହି ଗ୍ରାମଠାରୁ ୮/୧୦କିଲୋମିଟର ଦୂର । ଗାଁରେ ଘରେ ଘରେ ପୋଖରୀ । ମାଛଚାଷରୁ ବର୍ଷକ ଘରେ ଖାଇ ପ୍ରାୟ ପ୍ରତି ପରିବାର ୨୦/୩୦ହଜାର ଟଙ୍କା ମାଛ ବିକିଥାନ୍ତି । ସବୁ ମାଛ ଭାସିଗଲେ । ଲୋକେ କୁହନ୍ତି ପ୍ରାୟ ୨ଲକ୍ଷ ଟଙ୍କାର ମାଛ ପଳାଇଲେ ।
ଗାଁ ଭିତରକୁ ପଶିଲାବେଳକୁ ଚାରିଆଡ଼େ ଦୁର୍ଗନ୍ଧ । ଧାନଗଛ ସଢ଼ି ମାଟିରେ ମିଶିଯାଇଛି । ସେରେ ବି ଧାନ ଚାଷୀ ପାଇବନାହିଁ । କାହିଁକି ସବୁ ଧାନ ସଢ଼ିଗଲା । ପଚାରିବାରୁ ଜଣେ ବୁଢ଼ାଚାଷୀ କହିଲେ (ବୟସ ପ୍ରାୟ୭୦ହେବ), ‘ଆଜ୍ଞା ଏବେ ତ ସାରଖିଆ ଧାନ । ଦୋଡ଼ ବାଛି ଚାଷୀ ୟୁରିଆ ପକାଇଥିଲେ । ଗଛ କଅଁଳିଆ ପତ୍ର ଛାଡ଼ି ହୁ ହୁ ବଢ଼ୁଥାଏ ସିନା ଏ ଧାନର ଅଣ୍ଟା ଦମ୍ଭ ନାହିଁ । ପାଣି ସହିପାରିଲା ନାହିଁ । ଶୋଇପଡ଼ିଲା । ‘ଆପଣଙ୍କ ଯୁବାବେଳେ କ’ଣ ଧାନଚାଷ କରୁଥିଲେ । ମୁଁ ପଚାରିଲି, ‘ସେତେବେଳେ ଭୋତିଆ, ରାଜବଲ୍ଲଭ, ଖଜରା, କେଦାରଗୌରୀ ଭଳି ପାଣିସହଣୀ ଦେଶୀଧାନ ଚାଷ କରୁଥିଲୁ । ୧୦/୧୫ଦିନ ପାଣିରେ ବୁଡ଼ି ରହିଲେ ମଧ୍ୟ ପୁଣି ପିଲ ବାହାରି ଜମି ପୁରି ଯାଉଥିଲା । ଷୋଳଣା ଫସଲ ନହେଲେ ବି ଗୁଣ୍ଠକୁ ୧୦/୧୫ଗୌଣୀ ବାନ୍ଧୁଥିଲୁ । ସରକାରୀ ଧାନ ତ ସାର ନଖାଇଲେ ହବନି । ବଢ଼ି ଖାଇଗଲା’-କେଡ଼େ ସରଳ ଭାଷାରେ ଭାଇଜଣକ ବୁଝାଇଦେଲେ ।
ଖୋର୍ଦ୍ଧାଜିଲ୍ଲାର ବାଲିପାଟଣା, ବାଲିଅନ୍ତା ବ୍ଲକ୍ର ଅନେକ ଗାଁକୁ ଯାଇ ଚାଷୀମାନଙ୍କୁ ପଚରାଉଚରା କଲୁ । କୁଶଭଦ୍ରା ଘାଇ ଯୋଗୁଁ ବ୍ୟାପକ ଅଞ୍ଚଳରେ ଫସଲ ସତେଯେପରି ଚାଞ୍ôଛ ହୋଇଯାଇଛି । ଡାଳୁଅ ତ’ ଯାଇଥିଲା । ଏବେ ଖରିଫ ଗଲା । ଚାଷୀ ପାଟିରୁ କଥା ବାହାରୁନାହିଁ । ଧନୁଆ ନଦୀ ବାଲିପାଟଣା, ବାଲିଅନ୍ତା, ନିମାପଡ଼ା ଓ ଗୋପ ବ୍ଲକ୍ର ଦୁଃଖ । ବେଙ୍ଗ ମୁତିଲେ ଏଥିରେ ପାଣି । ଏ ବର୍ଷ ତ ନାହିଁ ନଥିବା ବଢ଼ି । ଏହିସବୁ ବ୍ଲକ୍ରେ ପ୍ରାୟ ୭୫ପ୍ରତିଶତ ଫସଲ ଭାସିଯାଇଛି । ଗତ ୬୦ବର୍ଷ ହେଲା ବହୁ ସରକାର ବସିଛନ୍ତି । ଦୟାନଦୀ ଜଳ ନିଷ୍କାସନ ପ୍ରତିଶ୍ରୁତି ଦେଇଛନ୍ତି । ମାତ୍ର ଆଜିବି ଏହା ପ୍ରତିଶ୍ରୁତିରେ ହିଁ ରହିଛି । ରାଜ୍ୟ ସରକାରଙ୍କ ବନ୍ୟା ନିୟନ୍ତ୍ରଣ ପ୍ୟାକେଜର ଏହା ଏକ ନମୂନା । ବଳଙ୍ଗାଠାରୁ ସାତଶଙ୍ଖ ବୁଲିଲୁ, ଓଡ଼ିଶାର ପରିବା ବଗିଚା ବଳଙ୍ଗା ।
ହଜାର ହଜାର ହେକ୍ଟର ବାଇଗଣ, ଲଙ୍କା, ଭେଣ୍ଡି, ଜହ୍ନି ଭଳି ପରିବାକିଆରୀ ସଢ଼ି ଦୁର୍ଗନ୍ଧ । ଗୁଣ୍ଠେ ପରିବାଚାଷରୁ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିଲେ ଚାଷୀ । ତାଙ୍କର ଭାତହାଣ୍ଡି ଭାଙ୍ଗିଯାଇଛି । ହାତତିଆରି ଫସଲର ବିପର୍ଯ୍ୟୟ ଆଖିରେ ଦେଖି ସହିପାରୁ ନାହାନ୍ତି । ପୋଷଣା ପୁଅ ଜାଣ ଚାଲିଯାଇଛି । ଛାତି ଫାଟିଯାଉଛି ଚାଷୀକୁଳର । ସରକାରଙ୍କ ପାଖରେ ଏ ହିସାବ ଥିବ ତ? କେତେ ସହାୟତା ପ୍ୟାକେଜରେ ଅଛି । ହେକ୍ଟରକୁ ୪ହଜାର । ଚାଷୀର ପ୍ରାୟ ଆୟ ହେକ୍ଟରକୁ ୬୦ହଜାର ଉଜୁଡ଼ିଯାଇଛି ।
କଟକଜିଲ୍ଲାର ନିଆଳୀ ବ୍ଲକ୍ର ଦେବୀ-କନ୍ଦଳ ଦ୍ୱୀପାଞ୍ଚଳ ୫/୬ଟି ଗ୍ରାମପଞ୍ଚାୟତ । ପାଚିଲା ବିଆଳିଧାନ ବିଲରେ ଲହଡ଼ି ମାରୁଛି । ଆଉ ୫/୭ଦିନ ପରେ ଚାଷୀ କାଟି ଖଳାକୁ ଆଣିଥାନ୍ତା । ବିଆଳି ୩ମାସିଆ ଧାନ । ଚାଷୀ ପୁରୁଣା ଚାଷ ଛାଡ଼ିନାହାନ୍ତି, ମାଣକୁ ୫/୬ଭରଣ କାଟନ୍ତି (ପ୍ରାୟ ୧୦/୧୨କ୍ୱିଣ୍ଟାଲ), ତିରୋଟବେଳେ ଭାତ ମିଳି ଯାଉଥିଲା । ବିଲ ଉପରେ ୫/୬ଫୁଟ ପାଣି । ଲୋକେ ଜଳବନ୍ଦୀ ୬/୭ଦିନ ରହିଲେ । ପାଣିଛାଡ଼ିଲା ବେଳକୁ ବିଲକୁ ଆଉ ଚାଷୀ ଚାହିଁପାରୁନି । ଆଖିରେ ଲୁହ ଆସିଯାଉଛି । କାଠଯୋଡ଼ି ନଦୀରେ ଘାଇ, କନ୍ଦଳ ନଦୀରେ ଘାଇ, ପାଣି ପଶିଗଲା । ମୁଣାଭିତରୁ ପାଣି ବାହାରୁଛି କେତକେ? ଛିଣ୍ଡାନଦୀ ମୁହଁ ବନ୍ଦ କରିଦେଲା ସରକାର । ଫଳ ପାଣି ଉଛୁଳି ବନ୍ଧ ଭାଙ୍ଗି ବଢ଼ି ।
ଜଗତସିଂହପୁର ଜଳସେଚିତ ଅଞ୍ଚଳ । ଅଚାନକ ବଢ଼ିରେ ଧାନଫସଲ ମାଟିରେ ମିଶିଯାଇଛି । ଏଠାରେ ଚାଷୀ ପେଟୁଆ ବିହନ (ଅଧିକ ଅମଳକ୍ଷମ ଧାନ)ରାସାୟନିକ ସାର ଓ କୀଟନାଶକ ବହୁଳ ବ୍ୟବହାର କରନ୍ତି । ଓଡ଼ିଶା ସରକାର ତ ଗର୍ବକରନ୍ତି ଚଳିତବର୍ଷ ରାସାୟନିକ ସାର ଖର୍ଚ୍ଚ ହେକ୍ଟରପ୍ରତି ୪୫କିଲୋରୁ ବଢ଼ି ୬୦କିଲୋରେ ପହଞ୍ôଚଛି । ରବିଋତୁରେ ଏହା ହେକ୍ଟର ପ୍ରତି ୮୦କିଲୋରୁ ବଢ଼ାଇ ଦିଆଯିବ । ଉତ୍ପାଦନ ବଢ଼ିବ ନା । ଚାଷୀର ବହୁତ ଲାଭ । ଚାଷୀ ଏବେକାନ୍ଦୁଛି । ମୁଣ୍ଡ ଫଟାଉଛି । ବୁଢ଼ା ବାପା ପାଟି କରୁଛି । ‘ଆରେ କାନ୍ଦିଲେ କ’ଣ ହେବ । ମୋ କଥା ତ ଶୁଣୁନାହଁ । ୟୁରିଆ ସାର ତୁମ କ୍ଷେତ ଖାଇନାହିଁ, ତୁମକୁ ଖାଇଯିବ ।’ ଏରସମା ଅଞ୍ଚଳ ଖାଲୁଆ ଜମି । ବହୁ ଦେଶୀ ପାଣି ସହଣୀଧାନ ସେମାନେ ଚାଷ କରୁଥିଲେ । ୨୦/୨୫ ଦିନ ପାଣିରେ ବୁଡ଼଼ିରହିଲେ ମଧ୍ୟ କନିଆଁ, ପାଟିଆ, ହାବିରା ଧାନ ପୁଣି ବାହାରୁଥିଲା । ରାସାୟନିକ କୃଷି ଏମାନଙ୍କୁ ଇତିହାସ ଗର୍ଭକୁ ପଠାଇଦେଇଛି । ସେଇ ସରକାରୀ ବିହନ । ବିହନ ଧୋଉଥିବୁ, ଗୁଣ ଗାଉଥିବୁ ।
ସେପ୍ଟେମ୍ବର ୩୦ତାରିଖରେ ‘ସମଦୃଷ୍ଟି’ର ସମ୍ପାଦକ ସୁଧୀର ପଟ୍ଟନାୟକଙ୍କ ସହିତ ରାଜକନିକା ଯାଇଥିଲି । କେନ୍ଦ୍ରାପଡ଼ାର ବହୁ ଅଞ୍ଚଳ, ଆଳି, ରାଜକନିକାରେ ବନ୍ୟା ବିଭୀଷିକା ନିଶ୍ଚିତଭାବେ ଜଣେ ଚାଷୀକୁ ମର୍ମାହତ କରିବ । ଆଖୁପାଣିରେ ଶୋଇପଡ଼ିଛି । କଥାଅଛି ଆଖୁ ପଡ଼ିଲେ ଜଡ଼ା, ନଳିତା କିଆରୀରେ ସଢ଼ି ପଚି ଦୁର୍ଗନ୍ଧ । ଧାନବିଲକୁ ଚାହିଁଲେ ବାଦାମୀ ରଙ୍ଗର କାର୍ପେଟ୍ ଚାରିଆଡ଼େ ବିଛା ହେଲାଭଳି ଦେଖାଯାଉଛି । ଚାଷୀକୁଳର ମନ ମଉଳିଯାଇଛି । ହେଲେ କନିକା ଚାଷୀମାନଙ୍କଠାରୁ ଯାହା ବୁଝିଲୁ ସେମାନେ ଦମ୍ଭ ଧରିଛନ୍ତି । ସେମାନେ ପ୍ରାୟ ଦେଶୀଧାନ ଚାଷ କରନ୍ତି । ସେଠାକାର ପ୍ରତିଷ୍ଠିତ ସଂଗ୍ରାମୀ ତଥା ବିପ୍ଳବୀ ସାହିତ୍ୟିକ ପ୍ରଫୁଲ୍ଲ ଦାସଙ୍କ ସହିତ ତାଙ୍କର ଅଗ୍ନିଯୁଗ ଆଶ୍ରମରେ ବନ୍ୟା ସମ୍ପର୍କରେ ଆଲୋଚନା କଲୁ । ୮୨ବର୍ଷ ବୟସରେ ଯୁବକର ସାହସ । ସେଠାରୁ ବୁଝିଲୁ ‘ଦେଶୀଧାନ ଗଛିତ । ଏବେ ଶୋଇପଡ଼ିଛି । କିନ୍ତୁ ମୂଳରୁ ପିଲ ବାହାରିବ । ହାବିରା, କଳାସୁହା, ପଟିଆ ଧାନର ପାଣିସହଣୀ ଗୁଣ ଖୁବ୍ ବେଶୀ । ଏବେ ବିରି ଛାଟିଦେବେ । ଧାନ ବି ହେବ । ରବି ବି ପାଇବେ ।’ ସେଠାରେ ଜଳସେଚନ ବ୍ୟବସ୍ଥା ନାହିଁ । ମାତ୍ର ପାଣି ପତ୍ତନ ପାଖରେ ଥିବାଯୋଗୁଁ ଜାନୁଆରୀ ମାସକୁ ରବି ଧାନଚାଷ କରିବେ । ନିଜ ନିଜର ପମ୍ପ୍ ସାହାଯ୍ୟରେ ପାଣି ଉଠାଇ ଜମିରେ ମଡ଼ାଇବେ । ଗାନ୍ଧୀବାଦୀ,ସଂଗ୍ରାମୀ ଚରିତ୍ର ତ ପ୍ରଫୁଲ୍ଲ ଆଜ୍ଞା । ପଚାରିଲି ଚାଷୀମାନଙ୍କୁ ସରକାର ଯେଉଁ ସାହାଯ୍ୟ ପ୍ୟାକେଜ ଘୋଷଣା କରିଛନ୍ତି ଆପଣଙ୍କ ପ୍ରତିକ୍ରିୟା କ’ଣ? ‘ଚାଷୀ କ’ଣ ସରକାରଙ୍କର ଅନୁଗ୍ରହର ପାତ୍ର! ଦୟାର ପାତ୍ର! ହେକ୍ଟରକୁ ୪ହଜାର, କନିକା ଜଳସେଚିତ ନୁହେଁ ଏଠାର ଚାଷୀପାଇଁ ହେକ୍ଟରକୁ ୨ହଜାର । ଚାଷୀ ସରକାରଙ୍କର ଏ’ କରୁଣା ଚାହେଁନି । ଚାଷୀର ନ୍ୟାଯ୍ୟଦାବୀ ପ୍ରକୃତ କ୍ଷତିପୂରଣ ସରକାର ଚାଷୀକୁ ଦେବା ସାମ୍ବିଧାନିକ ଦାୟିତ୍ୱ । ଚାଷୀକୁ ସଙ୍ଗଠିତ ହେବାକୁ ପଡ଼ିବ । ଆନ୍ଦୋଳନ ଗଢ଼ିବାକୁ ହେବ । ଏ ସରକାର କନିକା ରଜାଠାରୁ ଅଧିକ ଅତ୍ୟାଚାରୀ ହୋଇଗଲା । ଆମେ ଏହାର ମୁକାବିଲା ପାଇଁ ଲଢ଼େଇ କରିବା…’ । ପ୍ରଫୁଲ୍ଲ ଆଜ୍ଞାଙ୍କର କଥାଗୁଡ଼ାକ ମନଭିତରେ ବିଦ୍ରୋହର ନିଆଁ ଜାଳିଦେଲା । ଓଡ଼ିଶାର କୃଷକ ଆନ୍ଦୋଳନକୁ ନୂତନ ଦିଗ୍ଦର୍ଶନ, ପ୍ରେରଣା ଦେବ ପ୍ରଫୁଲ୍ଲ ଦାସଙ୍କ ବାର୍ତ୍ତା ।
ପାଞ୍ଚଟି ଜିଲ୍ଲାରେ ବନ୍ୟା କ୍ଷୟକ୍ଷତିର ଆଂଶିକ ତଥ୍ୟ ଯାହା ଏଠାରେ ଉଲ୍ଲେଖ କରାଗଲା ସେଥିରୁ ଏତିକି ବୁଝିହେବ ଯେ ୧୯ଟି ଜିଲ୍ଲାର ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରାଯାଇ ପାରିଥିଲେ ୨୦୦୮ଓଡ଼ିଶା ବନ୍ୟା ଯେ ଏକ ଜାତୀୟ ବିପତ୍ତି, ଏହା ଦୃଢ଼ଭାବେ ଘୋଷଣା କରାଯାଇ ପାରିଥାନ୍ତା । ସରକାରଙ୍କର ମାନସିକତାର ଅଭାବ, କୃଷିଶ୍ରମିକ, ସାଧାରଣ ଲୋକ,ଗ୍ରାମାଞ୍ଚଳ ଲୋକ ଓ ଚାଷୀମାନଙ୍କ ସମସ୍ୟା ପ୍ରତି ନିରନ୍ତର ଉପେକ୍ଷା ଓଡ଼ିଶା ସରକାରଙ୍କର କୃଷି ପ୍ୟାକେଜର ନିଦର୍ଶନ । ସରକାରଙ୍କର ନ୍ୟାୟ ଓ ବିଚାର ବୋଲି ଯଦି କିଛିଥାନ୍ତା, ଏଥିମଧ୍ୟରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡକାଇ ବନ୍ୟା କ୍ଷୟକ୍ଷତି ସମ୍ପର୍କରେ ବିଧାୟକମାନଙ୍କ ସହିତ ବ୍ୟାପକ ଆଲୋଚନା କରିପାରିଥାନ୍ତେ । ସରକାରଙ୍କୁ ଡର । କନ୍ଧମାଳ ଦଙ୍ଗା ଆଲୋଚନା ପରିସରକୁ ଆସିଗଲେ ସରକାରଙ୍କ ସଂଘ ପରିବାର ପ୍ରୀତି ଖୁଲାସା ହୋଇଯିବ ।
ବହୁଚର୍ଚ୍ଚିତ କୃଷିପ୍ୟାକେଜ୍ କଥା ଏବେ ଆଲୋଚନା କରାଯାଉ । ବିଜେଡ଼ି-ବିଜେପି ଭାଗୁଆଳି ସରକାରଙ୍କ ନଅବର୍ଷ ରାଜୁତି କାଳରେ କୃଷିପ୍ୟାକେଜ୍ ଘୋଷଣା ପ୍ରାୟ ୯୦୦ଥର ସମସ୍ତପ୍ରକାର ଗଣମାଧ୍ୟମରେ କରାଯାଇଥିବ । ଖବରକାଗଜ ପୁରାପୃଷ୍ଠା ବିଜ୍ଞାପନ, ରେଡ଼ିଓ, ଟିଭିରେ ପ୍ରଚାର, କୃଷକ ସମ୍ପର୍କ ମେଳା, ଅକ୍ଷୟତୃତୀୟାରେ ସରକାର ଅଖିମୁଠି ଅନୁକୁଳ, କୃଷି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଏହି ପ୍ରଚାର ପାଇଁ ୨୦୦କୋଟି ଟଙ୍କାରୁ ଅଧିକା ଖର୍ଚ୍ଚ ହେବଣି । ଓଡ଼ିଶା ଚାଷୀର ସରଳତା, ଅଶିକ୍ଷା ଓ ସଚେତନତା ଅଭାବର ସୁଯୋଗ ନେଇ ସରକାର ପ୍ୟାକେଜ୍ ଘୋଷଣା ଜାରି ରଖିଛନ୍ତି । ସଂକ୍ଷେପରେ କହିଲେ କ୍ଷୁଦ୍ରଚାଷୀ, ନାମମାତ୍ର ଚାଷୀ ଓ ଭାଗଚାଷୀର ଏହି ପ୍ୟାକେଜ୍ରେ ପଇସାକର ଫାଇଦା ନାହିଁ । ଏହା ବିଶ୍ୱବ୍ୟାଙ୍କ୍ ନିର୍ଦ୍ଦେଶରେ ବଡ଼ ବଡ଼ ଚାଷୀ, ଠିକାଚାଷୀ ଓ କମ୍ପାନୀଚାଷ ପାଇଁ ହିଁ ଉଦ୍ଦିଷ୍ଟ । ଓଡ଼ିଶାରେ ବିଶ୍ୱବ୍ୟାଙ୍କ ଗ୍ରାଣ୍ଟ୍ରେ କାମ କରୁଥିବା ଆତ୍ମା (ଇଶକ୍ସସମଙ୍କକ୍ଷଗ୍ଧଙ୍କକ୍ସର ଞରମଷଦ୍ଭକ୍ଟକ୍ଷକ୍ଟଶଚ୍ଚ ଗବଦ୍ଭବଶରଜ୍ଞରଦ୍ଭଗ୍ଧ ଇଶରଦ୍ଭମଚ୍ଚ) ଖୋଲାଖୋଲି ଭାବେ ମନ୍ସାଣ୍ଟୋ, ସିଞ୍ଜେଣ୍ଟା ଭଳି ବହୁରାଷ୍ଟ୍ରୀୟ କମ୍ପାନୀମାନଙ୍କର ବିହନ, ରାସାୟନିକ ସାର ଓ କୀଟନାଶକ ଶିଳ୍ପପତିମାନଙ୍କ ବେପାର ପାଇଁ ସିଞ୍ଚା ଜଳସେଚନ, ବୁନ୍ଦା ଜଳସେଚନ ଭଳି କାର୍ଯ୍ୟକ୍ରମଗୁଡ଼ିକ ତ୍ୱରାନ୍ୱିତ କରିବା ଆତ୍ମାର କାମ । ବାହାରୁ ପ୍ୟାକେଜଟିକୁ ପଢ଼ିଗଲେ ଏତେ ସନ୍ଧିକଥା ବୁଝିହେବ ନାହିଁ । ଭିତରକୁ ଯିବାକୁ ହେବ । ସରକାରଙ୍କୁ ସନ୍ଦେହ କରି ନଜାଣିଲେ ବୁଡ଼ିମରିବା ସାର ।
ପ୍ୟାକେଜ୍ ଘୋଷଣାରେ ଆମ ସରକାର ସିଦ୍ଧହସ୍ତ । ସେପ୍ଟେମ୍ବର ୧୯ରେ ବନ୍ୟା । ୩ଦିନ ଯାଏଁ ରିଲିଫ ପହଞ୍ଚି ପାରୁନାହିଁ । ପୁରୀଠାରୁ ଯାଜପୁର ପର୍ଯ୍ୟନ୍ତ ବ୍ୟାପକ ଜଳମଗ୍ନ ଅଞ୍ଚଳରେ ଉଦ୍ଧାରକାର୍ଯ୍ୟ ପାଇଁ ମାତ୍ର ଦୁଇଗୋଟି ହେଲିକପ୍ଟର । ୨୫ତାରିଖ ବେଳକୁ ରାଜଧାନୀରୁ କୃଷି ପ୍ୟାକେଜ୍ ଘୋଷଣା । କୃଷିପ୍ୟାକେଜ୍ରେ ମୋଟାମୋଟି କ’ଣ ଅଛି । ଏକ ହେକ୍ଟର ଧାନଫସଲ କ୍ଷତି ପାଇଁ, ଜଳସେଚିତ ଜମିପାଇଁ ୪ହଜାର ଓ ଅଣଜଳସେଚିତ ଜମି ପାଇଁ ୨ହଜାର । ସରକାରଙ୍କ କୃଷିବିଭାଗ ହିସାବ ଅନୁସାରେ ଏକ ହେକ୍ଟର ଅଧିକ ଅମଳକ୍ଷମ ଧାନଚାଷ ପାଇଁ ୨୦ହଜାର ଟଙ୍କା ଖର୍ଚ୍ଚର ଆବଶ୍ୟକତା ଅଛି । ଚାଷୀ ତ କିଛି ପାଇବ । ତେଣୁ ହେକ୍ଟର ପ୍ରତି ଚାଷୀର ଆୟ ହାରାହାରି ୩୦ହଜାର ହୋଇଥାନ୍ତା । ବଢ଼ିରେ ତା’ ଟଙ୍କା ଭାସିଗଲା । ସରକାର ୪ହଜାର ବା ୨ହଜାର ଦେବେ ଚାଷୀକୁ ଉପହାସ କରିବା ନୁହେଁ କି? ବାଲି କାଢ଼ିବାପାଇଁ ପ୍ୟାକେଜରେ ଘୋଷଣା ହେକ୍ଟରକୁ ୬ହଜାର ଟଙ୍କା । ଏକ ହେକ୍ଟର ଜମି ୧୦ହଜାର ବର୍ଗମିଟର ।
ଯଦି ହାରାହାରି ୨୦ସେ.ମି. ବାଲି ମାଡ଼ିଯାଇଥାଏ ବାଲିର ପରିମାଣ ୨ହଜାର ଘନମିଟର । ଗୋଟିଏ ଟ୍ରାକ୍ଟର ଥରକେ ୩ଘ.ମି. ବାଲି ବୋହିପାରେ । ଏକ ହେକ୍ଟର ପାଇଁ ୬୬୦ଟ୍ରିପ୍ ଦରକାର । ଗୋଟିଏ ଟ୍ରିପ୍କୁ ୨୦୦ଟଙ୍କା ହେଲେ ଏକ ହେକ୍ଟର ବାଲି ଉଠାଇବାକୁ ଦରକାର ଏକଲକ୍ଷ ୩୨ହଜାର ଟଙ୍କା । ସରକାର ବାହାଦୂର ଦେବେ ୬ହଜାର । ହାସ୍ୟାସ୍ପଦ ପୁଣି ଚାଷୀକୁ ଉପହାସ । ଏବେ ପୁଣି ସରକାର କହିଲେଣି ବାଲି ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ କଢ଼ାଯିବ । ଏହା ପୁଣି ଏକ ଅବାସ୍ତବ ପ୍ରସ୍ତାବ । ବାଲି ଉଠାଇ ଜମିଠାରୁ ବହୁଦୂରକୁ ନେବାକୁ ହେବ । ଆମରାଜ୍ୟରେ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଯେପରି ବ୍ୟାପକ ଜାଲିଆତି, ଚାଷୀ କ’ଣ ଏହି ଯୋଜନା ଉପରେ ଭରସା କରିପାରିବ? ରବିଚାଷ ପାଇଁ ବିହନରେ ୫୦ପ୍ରତିଶତ ରିହାତି ଘୋଷଣା କରାଯାଇଛି ।
ଜାତୀୟ ଖାଦ୍ୟ ନିରାପତ୍ତା ମିଶନ ଓ ଜାତୀୟ ଉଦ୍ୟାନ ମିଶନ ମାଧ୍ୟମରେ ୨୦୦୭ଠାରୁ ଆମ ରାଜ୍ୟର ସମସ୍ତ ଜିଲ୍ଲାରେ ଏହା କାର୍ଯ୍ୟକାରୀ ହେଉଛି । ବିହନରେ ୫୦ପ୍ରତିଶତ ସବ୍ସିଡ଼ି ଏହି ଯୋଜନା ପରିସରଭୁକ୍ତ । ମାମୁଁଘର ବଳକୁ ନେଇ ପଟେ କଲାଭଳି କେନ୍ଦ୍ର ସରକାରଙ୍କ ଯୋଜନାର ପ୍ରୋତ୍ସାହନକୁ ବନ୍ୟା ପ୍ୟାକେଜ୍ରେ ଦର୍ଶାଇ ଦେଲେ । ଓଡ଼ିଶା ସରକାର ନିଜେ କ’ଣ ଚାଷୀପାଇଁ ଖର୍ଚ୍ଚ କରିବେ ସ୍ପଷ୍ଟ କରିନାହାନ୍ତି । ରହସ୍ୟ ଆହୁରି ଅଛି । ବର୍ତ୍ତମାନ ବଜାରରେ ଦେଶୀ ମୁଗବିହନ ୨୫ଟଙ୍କା କିଲୋ, ବିରି ୨୨ଟଙ୍କା କିଲୋ । ସରକାରୀ ମୁଗବିହନ ୩୨ଟଙ୍କା କିଲୋ, ଚାଷୀକୁ ମିଳିବ ୩୦ଟଙ୍କା କିଲୋ, ବିରି ବିହନ ସରକାରୀ ଦର ୨୭ଟଙ୍କା କିଲୋ, ଚାଷୀର ମୂଲ୍ୟ ୩୦ ଟଙ୍କା କିଲୋ । ସେହିପରି ଚିନାବାଦାମ ବିହନ ବଜାରଦର ୨୦୦୦ ଟଙ୍କା କ୍ୱିଣ୍ଟାଲ । ସରକାରୀ ଧାର୍ଯ୍ୟ ଦର ୨୫୦୦ ଟଙ୍କା କ୍ୱିଣ୍ଟାଲ, ଚାଷୀପାଇଁ ରିହାତି ଦର ୨୩୦୦ ଟଙ୍କା କ୍ୱିଣ୍ଟାଲ । ଏବେ ସରକାର ଚାଷୀକୁ ବୁଝାଇପାରିବେ କି ଚାଷୀକୁ ବିହନରେ ରିହାତି କେତେ ପ୍ରତିଶତ? ଆମ ମୁରୁଖହିସାବରେ ଏହି ରିହାତି ମୋଟାମୋଟି ୧୦ପ୍ରତିଶତରୁ କମ୍ । ସରକାରଙ୍କ ପ୍ୟାକେଜ ୫୦ପ୍ରତିଶତ କ’ଣ ଖାଲି ଧୂଆଁବାଣ । ଆମେ ଚାଷୀକୁଳ ଜାଣୁଛୁ ସରକାରଙ୍କର ଆମ ସହିତ ଧୋକ୍କାବାଜ । ଆମ ରାଜ୍ୟରେ କଥାଅଛି ‘ନଇଁ ପଡ଼ିଥିବ ଯେତିକିବେଳେ, ବିଧାଏମାରିବ ସେତିକିବେଳେ’ । ଆମ ସରକାର ଚାଷୀ ଓ ଚାଷକୁ ଧ୍ୱଂସ କରିବା ପାଇଁ ସତେଯେପରି ତତ୍ପର! କୃଷି ଯନ୍ତ୍ରପାତିରେ ରିହାତି କମ୍ପାନୀମାନଙ୍କ ସ୍ୱାର୍ଥପାଇଁ ଉଦ୍ଦିଷ୍ଟ । ୪୨ଲକ୍ଷ ବନ୍ୟା ବିପନ୍ନଙ୍କ ମଧ୍ୟରୁ ୮୦ପ୍ରତିଶତ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ଭାଗଚାଷୀ । ରାଜସ୍ୱ ବିଭାଗ କ୍ଷୟକ୍ଷତିର ବିବରଣୀ ସଂଗ୍ରହପାଇଁ ଜମିର ପଟ୍ଟାପାଉତି ଦରକାର କରନ୍ତି । ଜମି ମାଲିକ ଚାଷ ନକରି ମଧ୍ୟ ସରକାରୀ ଖାତା ଖତିୟାନ୍ରେ ଚାଷୀ । ପଟ୍ଟାପାଉତି ଦେଖାଇ କିଛିହେଲେ ଟଙ୍କା ପାଇବ । ହେଲେ ତା’ହଳିଆ ଯେ ସାଆନ୍ତର ବିଲ ଚାଷକରି ଆଶା କରିଥିଲା ସାଆନ୍ତକୁ ଅଧାଭାଗ ଦେଇକି ୪/୬ମାସ ପାଇଁ ଖାଦ୍ୟଶସ୍ୟ ପାଇପାରିବ । ତା’ର ସବୁ ଗଲା । ସରକାରୀ କାଗଜାତ୍ରେ ତା’ର ତ’ ନାଁ-ଗାଁ ନାହିଁ । ସେ କି ସାହାଯ୍ୟ ପାଇଲା? ଆନ୍ଧ୍ରପ୍ରଦେଶରେ ନିକଟରେ ଭାଗଚାଷୀମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ସାହାଯ୍ୟ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ପଶ୍ଚିମବଙ୍ଗ, ତ୍ରିପୁରା ଓ କେରଳରେ ଭାଗଚାଷୀକୁ ସ୍ୱୀକୃତି ମିଳିଛି । ଆମରାଜ୍ୟରେ ଚାଷ ବାସ୍ତବରେ ଭାଗଚାଷୀ ହାତରେ । ମାତ୍ର ସାଆନ୍ତିଆ ସରକାର ତ’ । ସେମାନଙ୍କ ଆଡ଼କୁ ଆଖି ନାହିଁ ।
ଚାଷୀମାନଙ୍କ ମଧ୍ୟରୁ ଅଧିକାଂଶ ଗରିବ ଚାଷୀଙ୍କ ଘର ଭାସିଯାଇଛି ବା ଶୋଇପଡ଼ିଛି । ସେମାନଙ୍କୁ ଘରଭଙ୍ଗା ସାହାଯ୍ୟ ଦିଆଯିବା କଥା ଶୁଣାଯାଉଛି । ହେଲେ ବହୁ ଗରିବ ହରିଜନ ଅଛନ୍ତି ଯେଉଁମାନେ ସରକାରୀ ଅନାବାଦୀ ବା ରକ୍ଷିତ ଜମିରେ ଘରକରି ଦୀର୍ଘଦିନ ହେଲା ବସବାସ କରୁଛନ୍ତି । ରାଜସ୍ୱବିଭାଗକୁ ଜବରଦଖଲ ଖଜଣା ବି ଦିଅନ୍ତି । ମାତ୍ର ରାଜସ୍ୱ ନିରୀକ୍ଷକମାନେ ସେମାନଙ୍କ ଘରଭଙ୍ଗା ବିବରଣୀ ସଂଗ୍ରହ କରୁନାହାନ୍ତି । କାହିଁକି ନା ତାଙ୍କ ନାମରେ ଘରଡ଼ିହ ପଟ୍ଟା ନାହିଁ । ଲୋକପ୍ରିୟ ସରକାରଙ୍କର ଦରିଦ୍ର, ଭୂମିହୀନ ପ୍ରତି ଏ ନିଷ୍ଠୁରତାର ପରିସମାପ୍ତି କେବେ ହେବ?
ରାଜ୍ୟ ସରକାର ୭ଲକ୍ଷ ଇନ୍ଦିରାଆବାସ ପାଇଁ କେନ୍ଦ୍ର ଠାରେ ଦାବୀ କରିଛନ୍ତି । କିନ୍ତୁ ମହାବାତ୍ୟାରେ କେନ୍ଦ୍ର ସରକାର ମଞ୍ଜୁର କରିଥିବା ଇନ୍ଦିରା ଆବାସ ମଧ୍ୟରୁ ୫୦ ପ୍ରତିଶତ ଘର ସରକାରୀ କାଗଜପତ୍ରରେ ଥିଲେ ମଧ୍ୟ ବାସ୍ତବତା ଏହିକି ଯେ ସେଭଳି ଘରଗୁଡ଼ିକ ଚୋରି ହୋଇଯାଇଛି । ନିକଟରେ ନିମାପଡ଼ା ଓ ଗୋପ ବ୍ଲକ୍ରେ ସେଇଭଳି ୨ହଜାର ଇନ୍ଦିରା ଆବାସ ଚୋରୀ ଖୋଦ୍ ରାଜ୍ୟ ପଞ୍ଚାୟତିରାଜ ବିଭାଗ ଧରିଛନ୍ତି । ଦୁର୍ନୀତି ନିବାରଣ ବିଭାଗକୁ ତଦନ୍ତ ଦାୟିତ୍ୱ ଦିଆଯାଇଛି । ୪କୋଟି ଟଙ୍କାର ଦୁର୍ନୀତି । ପୁରୀ, ଖୋର୍ଦ୍ଧା, କଟକ ଓ ଜଗତସିଂହପୁର ଜିଲ୍ଲାରେ ବ୍ୟାପକ ଇନ୍ଦିରା ଆବାସ ଦୁର୍ନୀତି ଖବର ନିୟମିତ ପ୍ରକାଶ ପାଏ । ନିର୍ମଳ ଭାବମୂର୍ତ୍ତି ସରକାରଙ୍କ ଅମଳରେ କ’ଣ ଦୁର୍ନୀତି ହୋଇପାରେ? ତେଣୁ କେନ୍ଦ୍ର ସରକାର ଇନ୍ଦିରା ଆବାସ ପାଇଁ ଅର୍ଥ ବରାଦ କଲାବେଳେ ଏହାର ସଦ୍ବିନିଯୋଗ ପାଇଁ ଧ୍ୟାନଦେବା ଜରୁରୀ । ପ୍ରଶାସନିକ ଅଧିକାରୀ ଓ ନିର୍ବାଚିତ ଲୋକ ପ୍ରତିନିଧିଙ୍କ ସହଭାଗିତାରେ ହିଁ ଏଭଳି ବଡ଼ ବଡ଼ ଘୋଟାଲା ହୋଇପାରୁଛି ।
କୃଷି ବିପର୍ଯ୍ୟସ୍ତ ଓ କୃଷକ ବିପନ୍ନ-ଏକଥା ଆମେ କିଛିଟା ଜାଣୁଛେ । ମାତ୍ର ପ୍ୟାକେଜ ସରକାରଙ୍କର କୃଷକ ଓ କୃଷି ଶ୍ରମିକଙ୍କୁ ଭୁଆଁ ବୁଲାଇବା ଯଦି ଲୋକଲୋଚନକୁ ନଆସେ, ରାଜ୍ୟର ସଚେତନ ନାଗରିକ, ବୁଦ୍ଧିଜୀବୀ ଚାଷୀପାଇଁ ଅଣ୍ଟା ନଭିଡ଼ନ୍ତି; ଆଗକୁ ଚାଷୀ ଦାଣ୍ଡର ଭିକାରୀ ହୋଇଯିବ । କିଲୋ ୨ଟଙ୍କିଆ ଚାଉଳ ହିଁ ତା’ର ଭରସା ହେବ ।
ଯଦି ରାଜ୍ୟସରକାର ପ୍ରକୃତରେ କୃଷକ କଲ୍ୟାଣ ପାଇଁ ଆଗ୍ରହୀ ଥାନ୍ତି, ତେବେ ବନ୍ୟାବିପନ୍ନ ଚାଷୀଙ୍କ ପାଇଁ ନିମ୍ନ ପ୍ରସ୍ତାବଗୁଡ଼ିକ କାର୍ଯ୍ୟକାରୀ ହେବା ଜରୁରୀ ।
୧)ଭାଗଚାଷୀକୁ ଚିହ୍ନଟକରି ଫସଲ କ୍ଷତିପାଇଁ ସାହାଯ୍ୟ ସେଇମାନଙ୍କୁ ହିଁ ଦିଅନ୍ତୁ ।
୨)୨୦୦୮-୦୯ବର୍ଷ ପାଇଁ ଖଜଣା ଓ ଜଳକର ଛାଡ଼ କରନ୍ତୁ ।
୩) ହେକ୍ଟର ପ୍ରତି ଧାନଜମି ପାଇଁ ୧୦ହଜାର ଟଙ୍କା, ଆଖୁପାଇଁ ୨୦ହଜାର ଟଙ୍କା ଏବଂ ନଳିତା ପାଇଁ ୧୫ ହଜାର ଟଙ୍କା ସାହାଯ୍ୟ ଧାର୍ଯ୍ୟ କରନ୍ତୁ ।
୪) ୪୦ବର୍ଷ ତଳେ ବନ୍ୟା, ବାତ୍ୟାରେ ଚାଷୀମାନଙ୍କୁ ଗୋବି ଋଣ ଓ ମାଗଣା ବିହନ ଦିଆଯାଇ ପାରୁଥିଲା । ବର୍ତ୍ତମାନ ସରକାର ଭାଗଚାଷୀମାନଙ୍କ ପାଇଁ ଗ୍ୟାରେଣ୍ଟର ରହି ପ୍ରତି ଭାଗଚାଷୀକୁ ୧୦ହଜାର ଟଙ୍କା କୃଷିଋଣ ଓ ରବିଚାଷ ପାଇଁ ସମସ୍ତ ଶ୍ରେଣୀର ଚାଷୀକୁ ଆବଶ୍ୟକ ବିହନ ମାଗଣା ଯୋଗାଇ ଦିଅନ୍ତୁ ।
୫) ଦେଶୀଧାନ ବିହନ ଉତ୍ପାଦନ ଓ ବିତରଣ ଉପରେ ଗୁରୁତ୍ୱ ଦିଆଯାଉ ।
୬) ପ୍ରତ୍ୟେକ ଚାଷୀ ପରିବାରକୁ ବଳଦ ସହାୟତା ଦିଆଯାଉ । ଟ୍ରାକ୍ଟର, ପାୱାର ଟିଲର, ସବ୍ସିଡ଼ି ଭଳି ଚାଷୀ ବଳଦ କିଣିଲେ ଶତକଡ଼ା ୭୫ରିହାତି ମିଳୁ ।
୭) ମାଛପୋଖରୀ ଥିବା ଚାଷୀମାନଙ୍କୁ ହେକ୍ଟର ପ୍ରତି ୪୦ହଜାର ଟଙ୍କା ସାହାଯ୍ୟ ମଧ୍ୟ କମ୍ ହେବ ।
୮) ବନ୍ୟାର ସ୍ଥାୟୀ ପ୍ରତିକାର ପାଇଁ ବିଶେଷଜ୍ଞ, କୃଷକ ଓ ସମାଜକର୍ମୀଙ୍କୁ ନେଇ ମିଳିତ କମିଟିର ମତାମତ ନିଆଯାଉ ।
୯) କ୍ଷୟକ୍ଷତିର ସଠିକ ଆକଳନ ପାଇଁ ସର୍ବଦଳୀୟ କମିଟି ଗଠନ କରାଯାଇ ପୂର୍ଣ୍ଣାଙ୍ଗ ମାନଚିତ୍ର ପ୍ରସ୍ତୁତ କରାଯାଉ । ବିପନ୍ନ ଚାଷୀମାନଙ୍କ ମଧ୍ୟରୁ ଏଥିରେ ସଭ୍ୟ ଭାବେ ନିଆଯାଉ ।
୧୦)କ୍ଷୁଦ୍ରଚାଷୀ ଓ ଭାଗଚାଷୀ କଲ୍ୟାଣ ଲକ୍ଷ୍ୟରେ ଅନ୍ୟାନ୍ୟ ପ୍ରସ୍ତାବ ମଧ୍ୟ ନିଆଯାଇପାରେ ।
Comments
0 comments