Photo Credit- Scroll
ଭାରତ ହେଉଛି ଭୋକ ଓ ଭଲ ପାଇବାର ଦେଶ । ଏ ଦେଶର ସଂସ୍କୃତି ହେଉଛି ପ୍ରେମ ଓ ମିଳନର ସଂସ୍କୃତି । ଘୃଣା, ଦ୍ୱେଷ, ବିଚ୍ଛିନ୍ନତାର ସଂସ୍କୃତି ନୁହେଁ । ଏହାକୁ ଯେଉଁ ପଣ୍ଡିତମାନେ ସମନ୍ୱୟର ସଂସ୍କୃତି ବୋଲି ଆଖ୍ୟାୟିତ କରନ୍ତି ସେମାନେ ପ୍ରକାରାନ୍ତରେ ଭୁଲ କରି ବସନ୍ତି, ଯାହାର ପରିଣାମ ଭାରତୀୟମାନଙ୍କୁ ହିଁ ଭୋଗ କରିବାକୁ ପଡ଼େ ।
ଦୁଇ ବିରୋଧୀ ମୂଲ୍ୟବୋଧ ଭିତରେ ସମନ୍ୱୟର ପ୍ରଶ୍ନ ଉଠେ ।
ଦୁଇ ବିରୋଧୀ ମୂଲ୍ୟବୋଧ ଭିତରେ ସମନ୍ୱୟର ପ୍ରଶ୍ନ ଉଠେ । ପ୍ରେମର ସଂସ୍କୃତି ମିଳନରେ ଭାସ୍ୱର । ଭାରତରେ ଭାରତୀୟ ପ୍ରେମର ସଂସ୍କୃତି ଅତ୍ୟନ୍ତ ପ୍ରାଚୀନ । ଏହି ଭାରତୀୟ ପ୍ରେମରେ ହିନ୍ଦୁ, ମୁସଲମାନ, ଆଦିବାସୀ, ଦଳିତ, ନାରୀ ସମସ୍ତେ ସମାବିଷ୍ଟ । “ଏ ନିଜର ସେ ପରର, ଲଘୁଚେତନା ଭାରତର ନୁହେଁ । ଭାରତ କେତେକ ଲଘୁଚେତା ମାନଙ୍କର ବୋଲି ବୈଦିକ ଋଷିମାନେ ଏହାର ବିରୋଧ କରି ଉଦାର ରଚିତ୍ରମାନଙ୍କ ବସୁଧୈବ କୁଟୁମ୍ବକମ୍ ଆହ୍ୱାନ ଦେଇ ଯାଇଛନ୍ତି । ମନୁପରି କେତେକ ଲଘୁଚେତା ଏହାର ବିରୁଦ୍ଧାଚରଣ କରି ବର୍ଣ୍ଣାଶ୍ରମର ପ୍ରତିଷ୍ଠା ମାଧ୍ୟମରେ ଏକ କର୍ମକୁଣ୍ଠ, ପରାଶ୍ରୟୀ, ମଳାଙ୍ଗ ଗୋଷ୍ଠୀର ପୃଷ୍ଠପୋଷକତା କରି ପ୍ରେମ ଓ ମିଳନର ସଂସ୍କୃତିକୁ ଧ୍ୱଂସ କରିବାର ଅପଚେଷ୍ଟା କରି ଭାରତୀୟତା ବିରୋଧୀ ଶକ୍ତି ଭାବେ ଅବତୀର୍ଣ୍ଣ ହୋଇଛନ୍ତି, ଯାହାର ସଦ୍ୟତମ ଛାତ୍ରଭାବେ ଦେଶରେ ଆରଏସ୍ଏସ୍ ଓ ତାହାର ରାଜନୈତିକ ଶାଖା, ପ୍ରଶାଖା ଦେଶରେ ସାଂପ୍ରଦାୟିକତାର ଜହର ବୁଣୁଛି ।
ଭାରତରେ ସାଂପ୍ରଦାୟିକ ସଂପ୍ରୀତିର ଇତିହାସ ଯେତେ ପ୍ରାଚୀନ ସାଂପ୍ରଦାୟିକ ଶତ୍ରୁତାର ଇତିହାସ ସେତେ ଅର୍ବାଚୀନ । କ୍ଷମତା ମୋହର ରାଜନୀତିରୁ ଜନ୍ମ ନେଇଥିବା ଏ ରାଜନୀତି ଧର୍ମ ଓ ଧର୍ମର ବାହ୍ୟ କର୍ମକାଣ୍ଡ ଆଳରେ କେବଳ ଭାରତ ଓ ଭାରତୀୟତା ନୁହଁ ମାନବ ଓ ମାନବିକତାର ଜୀବନ୍ତ ଦେଶକୁ ଅନେକ ଘୃଣା ଓ ହତ୍ୟାର ରକ୍ତରେ କର୍ଦ୍ଦମାକ୍ତ କରି ମହାଭାରତୀୟତାକୁ ନିହତ କରି ଚାଲିଛି । ରାଜତନ୍ତ୍ରରେ ଏ ସବୁ ପ୍ରଚଣ୍ଡ ରୂପ ନେଲା ପରେ ରାଜନୀତିରେ ଏହାର ବିଷବଳୟ ବ୍ୟାପିଲା । ପ୍ରାକ୍-ସ୍ୱାଧୀନତା କାଳରେ ଏହାର ମୂଳରେ ନେହେରୁ ଓ ଜିନ୍ନା ରହିଲେ, ଗାନ୍ଧୀ ପ୍ରକାରାନ୍ତରେ ଏହାକୁ ସମର୍ଥନ କଲା ପରେ ଲର୍ଡ଼ ମାଉଣ୍ଟବେଟେନ୍ ସେହି ବିଦେଶୀ ସରକାରର ମୋହର ମାରି ବିଷବୃକ୍ଷକୁ ପୋଷିତ କଲେ ।
ମୌଳବାଦୀମାନେ ଧର୍ମକୁ ନିଜର ରକ୍ଷିତା ସ୍ତ୍ରୀ ପରି ବ୍ୟବହାର କରୁଛନ୍ତି ଆଉ ମୂକ ଧର୍ମ କାହାକୁ ନିଜେ କିଛି କହି ପାରେନା ।
ଗତ ଅନେକ ଦଶକ ହେଲା ଭାରତୀୟ ଇତିହାସ କହିଲେ ଜଳୁଥିବା ଗାଁ ଗଣ୍ଡା, ସହରବଜାର, ଟକ୍ଟକ୍ ଫୁଟୁଥିବା ପାଣି, ଗଳିଦାଣ୍ଡରେ ବୋହି ବୋହି ପଚୁଥିବା ମଣିଷ ରକ୍ତର ଇତିହାସ । ବିଭାଜନ, ନୂଆଖାଲି, ପାଟନା, ଅଲିଗଡ଼, ମଲପୁରମ୍, ଅବିଭକ୍ତ ପଂଜାବ, ଦିଲ୍ଲୀ, ଅହମଦାବାଦ, ଭାଗଲପୁର, ରାଉରକେଲା, ଘିୱଣ୍ଡିଂ, ଜଲଗାଓଁ, ଗୋଧରା, ଗୁଜରାଟ, ଦିଲ୍ଲୀ ଏ ଇତିହାସର ନବୀନତମ ସଂଜ୍ଞା । କଣ ଏଇୟା ଆମର ନିୟତି?
ଇଂରେଜମାନଙ୍କ ଆଗମନ ପୂର୍ବରୁ ଏ ଦେଶରେ ହିନ୍ଦୁ-ମୁସଲିମ୍ ଦଙ୍ଗା ହେଉ ନ ଥିଲା, ଯୁଦ୍ଧ ହେଉଥିଲା । ଏ ଯୁଦ୍ଧ ଥିଲା ରାଜନୈତିକ ଯୁଦ୍ଧ । ହିନ୍ଦୁ ରାଜାମାନଙ୍କ ସେନାବାହିନୀରେ ମୁସଲିମ୍ ସେନାପତି ଓ ସୈନ୍ୟ ରହୁଥିଲେ । ମୁସଲିମ୍ ଶାସକମାନଙ୍କ ପକ୍ଷରୁ ହିନ୍ଦୁମାନେ ଲଢ଼େଇ କରୁଥିଲେ । ବିଭାଜନ ବେଳେ ଧାର୍ମିକ ଉନ୍ମାଦ ଏବେ ବି ରହିଛି । ଏହି ବିଷବୀଜ କେବଳ ଇଂରେଜମାନେ ଲଗାଇଛନ୍ତି କହି କ’ଣ ଆମେ ଦାୟମୁକ୍ତ ହୋଇ ପାରିବା? ବୀଜ ସେମାନେ ବୁଣିଥିଲେ, ଫସଲ ସେମାନେ କାଟିବା କଥା, ହେଲେ ଆମେ ଏ ଯାଏଁ ସେ ଫଲକୁ କାଟୁଛୁ କୋଉଁଥିପାଇଁ? ଇଂରେଜମାନଙ୍କୁ ଆଳ କରି ଆମେ ଆଉ ନିଜ ଦୋଷ ଲୁଚାଉ ନାହୁଁ ତ?
“ମଜହବ ନହିଁ ଶିଖାତା ଆପସ୍ ମେଁ ବୈର ରଖନା” ଏ କେମିତି ଧର୍ମ, ଏ କେମିତି ସଂପ୍ରଦାୟ ଯାହା ‘ପରସ୍ପର ମଧ୍ୟରେ ବୈରତା ସୃଷ୍ଟି କରୁଛି? ଆମେ କାହିଁକି ହିନ୍ଦ୍ବାସୀ ହିନ୍ଦୀ ନୋହୁଁ । ଆମର ଜନ୍ମଭୂମି, ଆମର ମାତୃଭୂମି କାହିଁକି ନୁହଁ? କାହିଁକି ଆମ ଭାରତୀୟତାକୁ ବାରମ୍ବାର ପ୍ରତାଡ଼ିତ କରି ରକ୍ତର ହୋରି ଖେଳାଯାଉଛି ।
ଆଜି ପୃଥିବୀର ଦୂରତ୍ୱ ଯେତେ କମୁଛି, ମଣିଷର ଶିକ୍ଷା, ସଭ୍ୟତା, ବିଜ୍ଞାନ, ସାହିତ୍ୟ, ସଂସ୍କୃତି, କଳା ଯେତେ ସମୃଦ୍ଧି ହେଉଛି, ସେତେବେଳେ ମଣିଷର ଏତେ ସଂକୀର୍ଣ୍ଣମନା ହେବାର ତାତ୍ପର୍ଯ୍ୟ କ’ଣ? ଶିକ୍ଷା କଣ ଆମକୁ ଅଶିକ୍ଷିତ କରୁଛି, ସଭ୍ୟତା ଅସଭ୍ୟ କରୁଛି, ବିଜ୍ଞାନ ଅଜ୍ଞାନ କରୁଛି, ସାହିତ୍ୟ ‘ସହ’ ର ‘ହିତ’ରୁ ଦୂରେଇ ଯାଉଛି, ସୁଗମତା ଦୁର୍ଗମ ହେଉଛି? ଲୋକେ ଆଗ ଧର୍ମ କ’ଣ ନ ଜାଣି ଧର୍ମକାର୍ଯ୍ୟ କରୁଥିଲେ, ଏବେ ଧର୍ମ କଥା ଜାଣି ବିଧର୍ମ ହୋଇଗଲେ । ବିଭିନ୍ନ ରାଜନୈତିକ ସଂସ୍ଥା, ନ୍ୟସ୍ତସ୍ୱାର୍ଥ ସାଂପ୍ରଦାୟିକ ଗୋଷ୍ଠୀ ରକ୍ତର ହୋରି ଖେଳାଉଛନ୍ତି । ନିଜର ଇତିହାସ, ଐତିହ୍ୟ, ସମୃଦ୍ଧ ପରମ୍ପରା, ସଂସ୍କୃତିର ହତ୍ୟା କରି ଉଦଣ୍ଡ ତାଣ୍ଡବ କରୁଛନ୍ତି । ନିଜ ଭାଇକୁ ହାଣି, ଭଉଣୀକୁ ଧର୍ଷଣ କରି, ବାପା ଗୋସବାପର ଘର ଜାଳି କେଉଁ ଆଲୋକ ପଥର ସନ୍ଧାନୀ ଏମାନେ? ଯୋଉଁଥିରେ ବଙ୍ଗ ଭଙ୍ଗ ହେଲା, ଭାରତର ଭାଗ ହେଲା, ସନାତନ ପରମ୍ପରା ଧ୍ୱସ୍ତ ହେଲା, ଭାରତୀୟତା ବିଖଣ୍ଡିତ ହେଲା ।
ଜାତୀୟତା, ଜାତୀୟ ସଂହତି, ଧର୍ମନିରପେକ୍ଷତା ନାମରେ ଆଜି ଯେଉଁ ତମ୍ବି ତୋଫାନ ଉଠୁଛି ଏଇଟା କଣ ପ୍ରମାଣିତ କରୁନାହିଁ ଯେ ସ୍ୱାଧିନୀତାର ଅନେକ ଦଶକ ପରେ ବି ଆମେ ଭାରତୀୟ ନାଗରିକ ନୋହୁ, ଆମେ ବିଭିନ୍ନ ଜାତି, ବିଭିନ୍ନ ଧର୍ମ, ବିଭିନ୍ନ ବର୍ଣ୍ଣ, ବିଭିନ୍ନ ସଂପ୍ରଦାୟ ।
ସାଂପ୍ରଦାୟକି ସଂଘର୍ଷରେ କ’ଣ ସତରେ ମୁସଲିମ୍, ହିନ୍ଦୁ, ଶିଖ, ଖ୍ରୀଷ୍ଟିୟାନ୍, ଅସବର୍ଣ୍ଣ, ଦଳିତ ମରୁଛି? ଭାରତୀୟ ମରୁନି? ମଣିଷ ମରୁନି? ଈଶ୍ୱର ବା ଆଲ୍ଲା କେବେ ନିଜ ଭିତରେ ସଂଘର୍ଷ କରନ୍ତି ନାହିଁ । ଆମେ ତ ସାଧାରଣ ପଶୁଟାଏ ପାଇଁ ଲଢ଼ି ମରୁଛୁ । ହେଲେ ନିଜ ଭିତରର ପଶୁତ୍ୱକୁ ମାରି ପାରୁନାହୁଁ । ରାହି ମାସୁମଙ୍କ ଭାଷାରେ କହିଲେ “-ଭାରତରେ ଅନେକ ଗାଈ ଅଛନ୍ତି, ଶୂକମାନଙ୍କର ବି ଅଭାବ ନାହିଁ । ବେଳହୁଁ ସାବଧାନ ନହେଲେ ଗାଈ ଓ ଶୂକର ଭାରତରେ ବଞ୍ଚି ରହିବେ, ହେଲେ ଭାରତୀୟ ମଣିଷ ମରିଯିବ ।”
ବିଭିନ୍ନ ଧର୍ମ ବା ସଂପ୍ରଦାୟର ଅତୀତ ପର୍ଯ୍ୟାଲୋଚନା କଲେ ଜଣାଯାଏ ଯେ ଏହା ହେଉଛି ମଣିଷର ଇତି କଥା । ଏହା ହେଉଛି ସମନ୍ୱୟ, ସଂହତି, ସଂସ୍କୃତି, ସଂପ୍ରତି, ସହବାସ୍ଥାନର ଇତିହାସ । ପୃଥିବୀର ସମସ୍ତ ଧର୍ମ ମାନବିକ ମୈତ୍ରୀ , ଏକତା ଓ ସଦାଚାରର ଶିକ୍ଷା ଦେଇଛି । କିନ୍ତୁ ଧର୍ମର ମହନ୍ତ, ମଠାଧିଶ, ମୁଲ୍ଲା, ମୌଲବୀ, ପାଦ୍ରୀମାନଙ୍କର ପ୍ରାଦୁର୍ଭାବ ମାନବତାକୁ ଖଣ୍ଡିତ କରି ଘୃଣା, ଦ୍ୱେଷ, ଶତ୍ରୁତାର ସମାଚାର ଶୁଣାଇଛି । ମଣିଷକୁ ମଣିଷତ୍ୱ ବିହୀନ କରି ଜାଣି ଧର୍ମବର୍ଣ୍ଣରେ ଭାଙ୍ଗିଛି, କୃଶବିଦ୍ଧ କରିଛି, ଜୀବନ୍ତ ସମାଧି ଦେଇଛି, ଜୀଅନ୍ତା ପୋଡ଼ିଛି । ଭାରତ ଏକ ଘୋଷିତ ଧର୍ମନିରପେକ୍ଷ ସାର୍ବଭୌମ ଗଣତନ୍ତ୍ର । ତେବେ ଏଠି ଗଣ ନହୋଇ କେଇ ଜଣର ପ୍ରଭୁତ୍ୱ କାହିଁକି? ସମସ୍ତେ ଭାରତୀୟ ନୁହନ୍ତି କାହିଁକି? ସ୍କୁଲ, କଲେଜର ସାର୍ଟିଫିକେଟରେ ଜାତି, ଧର୍ମ, ସଂପ୍ରଦାୟର କଲମ କାହିଁକି? ସଂରକ୍ଷଣ, କୋର୍ଟ କଚେରୀରେ ସମ୍ବିଧାନ ପରିବର୍ତ୍ତେ ଗୀତା ଓ କୁରାନ୍ର ଶପଥ କାହିଁକି? ଭାଷାର ସଂପର୍କ ଧର୍ମ ସଂଗେ କଣ? ସେଇଟା ତ ମାଟିର ସିଂଫୋନୀ । ହିନ୍ଦୀକୁ ହିନ୍ଦୁ ସଂଗେ, ଉର୍ଦ୍ଦୁକୁ ମୁସଲିମ ସଂଗେ, ପଂଜାବୀକୁ ଶିଖମାନଙ୍କ ସଂଗେ ଯୋଡ଼ା ଯିବାର ମାନେ କ’ଣ? ହିନ୍ଦୀକୁ ହିନ୍ଦୁ ସହିତ ଯୋଡ଼ିବା ଯେତେ ଅନ୍ୟାୟ, ଉର୍ଦ୍ଦୁକୁ ମୁସଲିମ୍ ସହ ଯୋଡ଼ିବା ସେତେ ଅନ୍ୟାୟ । ଆର୍ଯ୍ୟ ଓ ସଂସ୍କୃତର ଆଗମନ ପୂର୍ବରୁ ଏ ମାଟିର ଭାଷା ଥିଲା । ଉର୍ଦ୍ଦୁ ତ ବିଶୁଦ୍ଧ ଭରତୀୟ ଭାଷା ସମୂହର ରସାବଳୀ । ଉର୍ଦ୍ଦୁର ଦ୍ୱିତୀୟ ଗାଲିବ୍ ଜ୍ଞାନପୀଠ ବିଜେତା ଫିରାକ୍ ଗୋରପୁରୀ କ’ଣ ମୁସଲିମ ଥିଲେ? ଶାଲବେଗ କଣ ହିନ୍ଦୁ ଥିଲେ । ନାନକ ଓ କବିରଙ୍କ ଶିଷ୍ୟ ଥିଲେ କେଉଁମାନେ?
ଆରଏସ୍ଏସ୍, ବିଶ୍ୱ ହିନ୍ଦୁ ପରିଷଦ, ଭାରତୀୟ ଜନତା ପାର୍ଟି, ବଜରଙ୍ଗ ଦଳ, ଶିବସେନା, ମୁସଲିମ୍ ଲିଗ୍, ପ୍ରଗତିଶୀଳ ମୁସଲିମ୍ ଲିଗ (କେରଳ), ଜମାୟତ-ଏ ଇସଲାମୀ ହିନ୍ଦ, ଆନନ୍ଦ ମାର୍ଗ, ହିନ୍ଦୁ ମହାସଭା ଆଦି ସମସ୍ତେ ସାଂପ୍ରଦାୟିକ । ଉର୍ଦ୍ଦୁ ନେସେମନ, ହିନ୍ଦି ପଞ୍ଚଜନ୍ୟ, ଆଦି ପତ୍ରପତ୍ରିକା ସାଂପ୍ରଦାୟିକ । ମୁସଲିମ ପର୍ସନାଲ ଲ’, ହିନ୍ଦୁ କୋର୍ଡ଼, ବିଲକୁ ମଧ୍ୟ ଏଥିରୁ ଅଲଗା କରି ଦେଖାଯାଇ ନ ପାରେ ।
ଭାରତରେ ସାଂପ୍ରଦାୟିକତା ପରିପ୍ରେକ୍ଷୀରେ କେ.ଏନ. ପନିକର କହିଛନ୍ତି : “The circumstances in which the democratic state of India was born were far from congenial for its well being. The communalisation of both the Hindus and Muslims during the later part of the national liberation struggle had endangered intense sectarian strife and had resulted in the division of the subcontinent into two states. The unprecedented human tragedy which this entailed reinforced religious identities and aroused communal passion. The political and social context was not ideal for the nascent Indian state to shape its polity and society, and to impart to it a secular-democratic character. Yet such a choice was deliberately and consciously made during the interregnum between the attainment of independence and the adaptation of the constitution in 1950. While the foundational character of democracy was spelt out in the constitution. Secularism was envisioned as integral to political practices, though the term itself was not written into it till 1976.”
ଏହି ପ୍ରସଂଗରେ ଶବାନା ଆଜମୀ କହିଥିବା ଏକ କଥା ମନେପଡ଼େ । ପ୍ରବାଦ ଅଛି ଯେ ଫୁଟନ୍ତା ପାଣିରେ ଗୋଟାଏ ବେଙ୍ଗକୁ ଅଚାନକ ପକାଇ ଦେଲେ ସେ ଡ଼େଇଁ କି ବାହାରକୁ ଚାଲି ଆସେ । ହେଲେ ବେଙ୍ଗକୁ ସାମାନ୍ୟ ଉଷୁମ ପାଣିରେ ରଖି ଧିରେ ଧିରେ ତାର ଉତ୍ତାପ ବଢ଼ାଇଲେ ବେଙ୍ଗା ତା’ ଖବର ପାଇ ନ ପାରି ଶେଷରେ ମରିଯାଏ । ଆଜି ଆମ ଦେଶରେ ସାଂପ୍ରଦାୟିକତାର ବିଷ ଯେମିତି ଭାବରେ ବ୍ୟାପୁଛି, ସେଇଟା ଠିକ ସେଇ ସାମାନ୍ୟ ଉଷୁମ ପାଣି ପରି ଆଉ ଏ ସମଗ୍ର ପ୍ରକ୍ରିୟାରେ ଆମେ ସେଇ ବେଙ୍ଗ, ସେଇ ଅଜ୍ଞାନ ବେଙ୍ଗ ଯାହାକୁ ଶେଷରେ ମରିବାକୁ ହୋଇଥାଏ ।
ସାଂପ୍ରଦାୟିକତାର ଧର୍ମ ଓ ସଂପ୍ରଦାୟ ସହ ସେତେ ସଂପର୍କ ନାହିଁ, ଯେତେ ଏହା ରାଜନୀତିର ଖେଳସହ ସମ୍ପର୍କିତ । ବସ୍ତୁତଃ ସାଂପ୍ରଦାୟିକତା ହେଉଛି ଏକ ରାଜନୈତିକ ବିଚାରଧାରା ଯେଉଁଥିରେ ଚତୁରତା ସହ ଇତିହାସକୁ ବ୍ୟବହାର କରାଯାଏ । ସାଂପ୍ରଦାୟିକତା ରାଜନୈତିକ ନେତୃତ୍ୱ ପ୍ରଥମେ ବୁଝାଏ ଯେ ଅତୀତରେ ଆମ ସହ କଣ ଅତିଶଯ୍ୟ କରାଯାଇଥିଲା । ତା’ ପରେ ବୁଝାଏ ଯେ ଏହାକୁ ସୁଧାରିବାକୁ ପଡ଼ିବ। ତା’ ପରେ ଏ ଖେଳ ଆରମ୍ଭ ହୋଇଯାଏ । ତା’ ପରେ ସେ ଶୁଣି ବୁଝାଏ ଯେ ଏଣିକି ଆମକୁ ନିଜର ଜାତୀୟ ଗୌରବ ମଧ୍ୟ ଫେରାଇ ଆଣିବାକୁ ହେବ । ପରେ ଏ ସମଗ୍ର ପ୍ରକ୍ରିୟା ରାଜନୈତିକ ଧ୍ରୂବୀକରଣ ଓ ଭୋଟ ବେଙ୍କ ବୃଦ୍ଧିରେ ପରିବର୍ତ୍ତିତ ହୋଇଯାଏ ।
ଶବାନାଙ୍କ ମତରେ ସେକ୍ୟୁଲାରିଜିମ୍କୁ ଏକ ପାଶ୍ଚାତ୍ୟ ଅବଧାରଣା ବୋଲି ମନେ କରାଯାଉଛି ଓ ସେଇ ସନ୍ଦର୍ଭରେ ଏଠି ଆମ ଦେଶରେ କାର୍ଯ୍ୟକାରୀ କରିବାର ଚେଷ୍ଟା କରାଯାଉଛି । ଏ ଅବଧାରଣା ଭାରତ ଭଳି ଧାର୍ମିକ ବାହୁଲ୍ୟ ଥିବା ଦେଶରେ ଚାଲିପାରିବ ନାହିଁ ।
ସରକାର ଯେତେବେଳେ ବା କୌଣସି ମୁସଲମ ସଂକ୍ରାନ୍ତ ସମସ୍ୟା ନେଇ ଆଲୋଚନା କରିବାକୁ ଚାହୁଁଛି, ସେତେବେଳେ ସେ ମୁଲ୍ଲା, ମୌଲବୀ ସହ କଥା ହୋଇଛି । ସେଇମାନଙ୍କୁ ହିଁ ମୁସଲିମ୍ମାନଙ୍କ ପ୍ରତିନିଧି ମନେ କରାଯାଏ । ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ, ଭି.ପୀ. ସିଂହ, ଅଟଲ ବିହାରୀ ବାଜପେୟୀ ସମସ୍ତେ ଏଇୟା କରିଆସିଛନ୍ତି । ଏହାର ପ୍ରଭାବରେ ସାଧାରଣ ମୁସ୍ଲିମ୍ ଜନତାର ଭାଉ କମିଲା ବେଳକୁ ମୁଲ୍ଲାମାନଙ୍କ ଭାଉ ଓ ଦାଉ ବଢ଼ିଲା । ଲୋକେ ମଧ୍ୟ ମୁଲ୍ଲା ମୁହଁକୁ ଅନେଇଲେ । ତଥାପି ଶାହୀ ଇମାମଙ୍କ ଫତୱା ସତ୍ତ୍ୱେ ଦିଲ୍ଲୀର ଜାମା ମସଜିଦ୍ ଅଞ୍ଚଳରୁ ଜନତା ଦଳ ପ୍ରାର୍ଥୀକୁ ଅମାନତ ହରାଇବା କଥା ମଧ୍ୟ ସତ ।
ଶାହବାନୋ ମାମଲାରେ ସୁପ୍ରିମ କୋର୍ଟର ଫଇସଲା ସାମ୍ବିଧାନିକ ସଂଶୋଧନ ଦ୍ୱାରା ବଦଳା ଗଲା । ସେଥିରେ ଗରୀବ ମୁସଲିମ ସ୍ତ୍ରୀମାନଙ୍କ ହିଁ କ୍ଷତି ହେଲା । ବସ୍ତୁତଃ ଦଂଗା ହୋଇ ନ ଥାଏ, ଏହା କରାଯାଇଥାଏ । ଏଥିରେ ଉଭୟ ପକ୍ଷର କିଛି ବ୍ୟକ୍ତି ବିଶେଷ ହିଁ ଦାୟୀ । ସେଥିପାଇଁ ଦେଶର ୧୪ କୋଟି ମୁସଲିମଙ୍କ ଦେଶଭକ୍ତି ଉପରେ ପ୍ରଶ୍ନ ଚିହ୍ନ ଲଗାଯିବା ସେତେ ଅନୁଚିତ ଯେତେକି ଏଥିପାଇଁ ସମଗ୍ର ହିନ୍ଦୁ ସମାଜକୁ ଦାୟୀ କରିବା । ଜନଗଣନାରେ ଦେଖାଯାଉଛି ଯେ ମୁସଲିମମାନଙ୍କ ଜନ୍ମହାର ସେତେ ବୃଦ୍ଧି ପାଇ ନାହିଁ । ତେବେ ଚାରିଟା ‘ବିବି’ରେ ଜନସଂଖ୍ୟା ବୃଦ୍ଧିର ଗଣିତ ଅର୍ଥହୀନ । ଭାରତର ମୁସଲାମାନ ଓ ତାଲିବାନମାନଙ୍କ ଇସଲାମ ଏକା ନୁହେଁ, ସେହିପରି ହିନ୍ଦୁ ଓ ହିନ୍ଦୁତ୍ୱବାଦୀଙ୍କ ସନାତନ ହିନ୍ଦୁ ଧର୍ମ ଏକା ନୁହେଁ । ଭାରତରେ ସବୁଠୁ ବଡ଼ ଶକ୍ତି ହେଉଛି ତାର ଗଙ୍ଗା-ଜମୁନା ସଂସ୍କୃତି । ସାଂସ୍କୃତିକ ବିବିଧତା ଓ ଧର୍ମନିରପେକ୍ଷ ଚିନ୍ତା ଧାରା ଆମର ବିଶେଷତ୍ୱ । ହେଲେ ତା’ ଉପରେ ଏବେ ସଂକଟର କଳା ବାଦଳ ଛାଇଛି । ସେଇ ବିବିଧତା ଉପରେ ଆକ୍ରମଣ ହୋଇ ତାର ଏକତା ଧ୍ୱଂସ କରାଯାଉଛି ।
ସାଂପ୍ରଦାୟିକତା ଏକ ବ୍ୟାପକ ଶବ୍ଦ । ବ୍ୟାପକ ଭାବରେ ଏହାର ପର୍ଯ୍ୟାଲୋଚନା ଆବଶ୍ୟକ । କାରଣ ଭାରତ ମାନବତାର ଏକ ମହାସମୁଦ୍ର । ଏହାର ସମୁଦାୟ ଜନତା ବହୁ ଦେଶୀ, ବିଦେଶୀ ମୂଳର ସମନ୍ୱିତ ରୂପ । ଭାରତକୁ ଦ୍ରାବିଡ଼, ଆର୍ଯ୍ୟ, ଆସିରିଆନ୍, ଶକ, ହୁନ, କୁଶାଣ, ଗ୍ରୀକ୍, ପଠାଣ, ମୁଗଲ ଆଦି ଆସି ଏ ମାଟିର ଯାଦୁକରୀ ସ୍ପର୍ଶରେ ନିଜ ନିଜର ବୈଦେଶିକ ପରିଚିତି ପୋଛିଦେଇ ହୋଇଛନ୍ତି ଭାରତୀୟ।
ସାଂପ୍ରଦାୟିକତା ବା ସାଂପ୍ରଦାୟିକ ଫାସିବାଦ ଭାରତର ସବୁଠୁ ବଡ଼ ଯଥାର୍ଥରେ ପରିଣତ ହେବାରେ ଲାଗିଛି । ଏକ କେନ୍ଦ୍ରୀୟ ଯଥାର୍ଥ । ଏହାକୁ ବାକାଇଦା ଆହରଣ କରି ସ୍ଥାପିତ କରାଯାଉଛି । ବସ୍ତୁତଃ ସାଂପ୍ରଦାୟିକତା ନିଜେ ଏକ ଯଥାର୍ଥ ନୁହେଁ । ଏହାର କୌଣସି ବୀଜ ନ ଥାଏ । କେତେକ ଧର୍ମକୁ ସାଂପ୍ରଦାୟିକତାବାଦର ବୀଜ ବୋଲି ମନେ କରନ୍ତି । ଏମ୍. ଆଖଲାନିଙ୍କ ଅନୁସାରେ – ‘ଧର୍ମର ସାର୍ବଜନୀନ ସ୍ୱରୂପ ସାଂପ୍ରଦାୟକତାର ମୂଳସ୍ରୋତ ।
ମସ୍ତରାମ କପୁରଙ୍କ ମତରେ ଯେତେବେଳେ ଧର୍ମ ଏକ ସତ୍ତା ରୂପରେ କାମ କରିବାକୁ ଲାଗେ ସେତେବେଳେ ତାହା ସାଂପ୍ରଦାୟିକ ହୋଇଯାଏ । ଏ ପ୍ରକ୍ରିୟାରେ ଅନ୍ୟ ଧର୍ମ ସହ ତାର ପ୍ରତିଯୋଗିତା ବୃଦ୍ଧିପାଏ । ଏକ ଦିଗରେ ନିଜକୁ ଶକ୍ତିଶାଳୀ କରିବାକୁ ସେ କଠୋର ନୀତି ନିୟମ ତିଆରି କରେ । ଅନ୍ୟ ଦିଗରେ ଅନ୍ୟାନ୍ୟ ଧର୍ମ ତୁଳାନାରେ ନିଜ ଶ୍ରେଷ୍ଠତା ପ୍ରତିପାଦନ କରିବାକୁ ଆକ୍ରମକ ରୂପ ଧାରଣ କରେ। ଯେତେବେଳେ ସେଥିରେ କଟ୍ଟରତା ଓ ଆକ୍ରମକ ପ୍ରବୃତ୍ତି ସୃଷ୍ଟି ହୁଏ ସେତେବେଳେ ଧର୍ମ ତାର ସୌମ୍ୟରୂପ ପରିତ୍ୟାଗ କରେ ଓ ସାମାଜିକ ବିକାଶରେ ବାଧକ ହୋଇଥାଏ ।
ଧର୍ମ ପ୍ରତିଯୋଗିତାର ବିଷୟ ନୁହେଁ । ଧର୍ମ ଗଣତାନ୍ତ୍ରିକ ନୁହେଁ, ତାର ଗୁଣରେ ସାମନ୍ତ ବାଦ ରୁନ୍ଧି ହୋଇ ରହିଛି । ସାଂପ୍ରଦାୟିକତାର ବିସ୍ତାର ଭିତରେ ଧାର୍ମିକତା ପ୍ରାୟ ଅପ୍ରାସଙ୍ଗିକ ହୋଇଉଠେ ଓ ଗୋଟିଏ କଣରେ ପରିତ୍ୟକ୍ତ ଅଳିଆ ଆବର୍ଜନା ପରି ପଡ଼ିରହି ପଚୁଥାଏ । ସଂଖ୍ୟାଗରିଷ୍ଠମାନଙ୍କର ସଂପ୍ରଦାୟବାଦ ସଂଖ୍ୟାଲଘୁମାନଙ୍କ ସାଂପ୍ରଦାୟିକତା ଅପେକ୍ଷା ବେଶି ଭୟଙ୍କର । ଜାବେଦ ଅଖତ୍ର ଯଥାର୍ଥରେ କହିଛନ୍ତି ଯେ ହିନ୍ଦୁ ଓ ମୁସଲିମ୍ ସାଂପ୍ରଦାୟିକତା ଉଭୟେ ସମପରିମାଣରେ ଭୟଙ୍କର ନୁହେଁ । ଏ ଦିଟାଯାକ ପରସ୍ପରକୁ ବୃଦ୍ଧି କରିବାରରେ ସହାୟକ ହୁଅନ୍ତି । ଶାହୀ ଇମାମ, ବାବରୀ ମସଜିଦ ଏକସନ କମିଟି, ବିଶ୍ୱହିନ୍ଦୁ ପରିଷଦ ଓ ରାମଜନ୍ମଭୂମି ନ୍ୟାସ ମଧ୍ୟରେ କିଛି ହିଁ ପାର୍ଥକ୍ୟ ନାହିଁ ।
ଭାରତରେ ସାଂପ୍ରଦାୟିକତାର ଇତିହାସ :
ଆମ ଦେଶ ସନ୍ଦର୍ଭରେ ଦେଖିବାକୁ ଗଲେ ସାଂପ୍ରଦାୟିକତାର ମୁଖ୍ୟ ଅର୍ଥ ହେଲା ହିନ୍ଦୁ ଓ ମୁସଲିମ ସଂପ୍ରଦାୟ ମଧ୍ୟରେ ଦିନୁଦିନ ବୃଦ୍ଧି ପାଉଥିବା ପାରସ୍ପାରିକ ସନ୍ଦେହ, ଭୟ, ପ୍ରତିସ୍ପର୍ଦ୍ଧା, ତିକ୍ତ ଭାବନା ଓ ଏସବୁର ହିଂସାତ୍ମକ ଅଭିବ୍ୟକ୍ତି । ଏହାର ତୀବ୍ରତାକୁ ସବର୍ଣ୍ଣ ଓ ଦଳିତମାନଙ୍କ ମଧ୍ୟରେ ହେଉଥିବା ହିଂସାକାଣ୍ଡ ସହ ସମକକ୍ଷ କରାଯାଇପାରେ ।
ଭାରତରେ ସାଂପ୍ରଦାୟିକତା ହେଉଛି ମୁଖ୍ୟତଃ ବ୍ରିଟିଶ ଉପନିବେଶବାଦର ଅନ୍ତର୍ବିରୋଧର ଫଳ । ଭାରତ ଉପମହାଦେଶରେ ନିଜ ସାମ୍ରାଜ୍ୟ ବିସ୍ତାର କରିବା ପାଇଁ ଏବଂ ଏହି ପ୍ରକ୍ରିୟାରେ ସେମାନେ ଭାରତୀୟ ସମୁଦାୟକୁ ହିନ୍ଦୁ ଓ ମୁସଲିମ୍ ଭାବରେ ବିଖଣ୍ଡିତ କରି ରଖିବାର ଏକ ସଫଳ ପ୍ରୟାସ କଲେ, ଯାହା ଫଳରେ ଏହି ଉଭୟ ସଂପ୍ରଦାୟର ଜନସାଧାରଣ ଐକ୍ୟବଦ୍ଧ ହୋଇ ଇଂରେଜ ଶାସନର ବିରୋଧ କରି ପାରିବେ ନାହିଁ । କାରଣ ୧୮୫୭ର ପ୍ରଥମ ଭାରତୀୟ ସ୍ୱତନ୍ତ୍ରତା ସଂଗ୍ରାମରେ ଏମାନଙ୍କ ଐକ୍ୟବାଦ୍ଧ ସଂଗ୍ରାମର ଭୟାବହତା ସେମାନେ ଅଙ୍ଗେ ନିଭାଇ ସାରିଥିଲେ । ଯାହାଫଳରେ ଦିଲ୍ଲୀ ସିଂହାସନ ପୁଣି ଥରେ ସମ୍ରାଟ ବାହାଦୁର ଶାହା ଜାଫରଙ୍କ ହାତକୁ ଚାଲି ଯାଇଥିଲା । ତା’ ଛଡ଼ା ଏଭଳି କରିବାର ଅନ୍ୟ ଲାଭ ମଧ୍ୟ ଥିଲା । ଶାସକବର୍ଗ ଏକ ଆରେକକୁ ଦମନ କରି ରଖିବାରେ ମଧ୍ୟ ଏମାନଙ୍କୁ ଉପଯୋଗ କରିଥିଲା । ତା’ ଛଡ଼ା ପରସ୍ପର ବିରୁଦ୍ଧରେ ଯୁଦ୍ଧ କରି ଉଭୟ ସଂପ୍ରଦାୟ ନିଜର ଶକ୍ତି କ୍ଷୟ କରି କେବେହେଲେ ଶାସନ ପାଇଁ ଆହ୍ୱାନ ହୋଇ ନ ପାରିବେ, ଏ ଉଦ୍ଦେଶ୍ୟ ମଧ୍ୟ ତାଙ୍କର ପ୍ରଚ୍ଛନ୍ନ ଭାବରେ ରହିଥିଲା ।
୧୮୫୭ ଆଗରୁ ଏବଂ ଇଂରେଜମାନଙ୍କର ଭାରତର ଆଗମନ ପରେ ଉତ୍ତର ଭାରତର ବିଭିନ୍ନ ସହରରେ ହିନ୍ଦୁ ଓ ମୁସଲିମମାନଙ୍କ ମଧ୍ୟରେ କେତେକ ସାଂପ୍ରଦାୟିକ ଦଙ୍ଗା ହୋଇଥିଲା : ବାରାଣସୀ ୧୮୦୯, କିୟୋଲ ୧୮୨୦, ମୁରାଦାବାଦ, ସମ୍ବଲପୁର, କାଶୀପୁର, ୧୮୩୩, ଶାହାଜାହାଁପୁର ୧୮୩୭, ବରେଲି, କାନପୁର, ଇଲ୍ଲାହାବାଦ, ୧୮୩୭, ୧୮୫୨ । ହେଲେ ଏତେବେଳକୁ ମୋଗଲ ସାମ୍ରାଜ୍ୟ ସଂପୂର୍ଣ୍ଣ ଭାବରେ ବିଖଣ୍ଡିତ ହୋଇ ସାରିଥିଲା ଏବଂ ଉତ୍ତର ଭାରତରେ ସହରମାନଙ୍କରେ ଶାସନ ବ୍ୟବସ୍ଥା ବୋଲି କିଛି ମାତ୍ର ନଥିଲା । ଇଂରେଜମାନଙ୍କ ଅଧିକାରରେ ରହିଥିବା ସହରଗୁଡ଼ିକର ମଧ୍ୟ ଅବସ୍ଥା ତଦନୁରୂପ ଥିଲା ବୋଲି ବିଭୂତି ନାରାୟଣ ରାୟ ତାଙ୍କ ‘ସାଂପ୍ରଦାୟିକ ଦଙ୍ଗେ ଓର ଭାରତୀୟ ପୁଲିସ’ ପୁସ୍ତକରେ ପ୍ରକାଶ କରିଛନ୍ତି ।
୧୮୫୩ ରୁ ୧୮୫୫ ମଧ୍ୟରେ ଏକ ଉଲ୍ଲେଖନୀୟ ଘଟଣା ଘଟିଥିଲା । ବୈରାଗୀମାନଙ୍କ ଦ୍ୱାରା ବାବରୀ ମସଜିଦ୍ ଦଖଲ କରିବା ବିରୋଧରେ ଅମୀର ଅଲି ଜେହାଦ୍ ଘୋଷଣା କରିଥିଲେ ଏବଂ ଏଥିପାଇଁ ସେ ମୁସଲିମମାନଙ୍କ ଏକ ସଶସ୍ତ୍ର ବାହିନୀ ପ୍ରସ୍ତୁତି କରି ନେଇଥିଲେ । ସେତେବେଳେ ନବାବ ୱାଜିଦ୍ ଅଲି ଶାହା ଇଂରେଜମାନଙ୍କ ଟାଳଟୁଳ ନୀତି ଫଳରେ ନିଜର ସେନାବାହିନୀ ପଠାଇ ଏ ବିଦ୍ରୋହକୁ ଦମନ କରିଥିଲେ ଓ ହିନ୍ଦୁ-ମୁସଲିମ୍ ମଧ୍ୟରେ ଶାନ୍ତି ପ୍ରତିଷ୍ଠା କରାଇଥିଲେ ।
୧୮୫୭ ପରେ ଉତ୍ତର ଭାରତରେ ହିନ୍ଦୁ ଓ ମୁସଲିମ୍ ମଧ୍ୟରେ କେତେକ ଉଲ୍ଲେଖନୀୟ ଦଙ୍ଗା ହୋଇଥିଲା । ତେବେ ସେଇ କେଇ ବର୍ଷ ମଧ୍ୟରେ ଦଂଗା ହୋଇ ନ ଥିଲା ଯେତେବେଳେ ଗାନ୍ଧୀଙ୍କ ଦ୍ୱାରା ଦେଶବ୍ୟାପୀ ଚାଲିଥିବା ଆନ୍ଦୋଳନ କିଛି କାଳ ପାଇଁ ହିନ୍ଦୁ-ମୁସଲିମମାନଙ୍କୁ ଏକାଠି କରି ଦେଇଥିଲା । ହେଲେ ଏହି କାଳଥିଲା ଖୁବ୍ ସଂକ୍ଷିପ୍ତ । ୧୯୧୯-୨୦ ଓ ୧୯୩୦-୩୧ ସେତେବେଳେ ଆନ୍ଦୋଳନରେ ବ୍ୟାପକ ଜନସଂପୃକ୍ତି ସାଂପ୍ରଦାୟିକ ଶକ୍ତିକୁ ମାର୍ଜିନରେ ପକାଇ ଦେଇଥିଲା । ଭାରତରେ ସାଂପ୍ରଦାୟିକତା ପାଇଁ ଉପନିବେଶବାଦ ସଂପୂର୍ଣ୍ଣ ଭାବରେ ଉତ୍ତରଦାୟୀ ଥିଲା ।
ଏହି ଐତିହାସିକ ଅବଧାରଣାର ଖଣ୍ଡନ କରିବାକୁ ଇଂରେଜ ଇତିହାସକାର ଗଣ ଆପ୍ରାଣ ଉଦ୍ୟମ କରିଛନ୍ତି । ଐତିହାସିକ କ୍ରିଷ୍ଟୋଫର ବେଲିଙ୍କ ଅନୁସାରେ ଭାରତରେ ଇଂରେଜ ଶାସନ ପ୍ରତିଷ୍ଠା ହେବା ପୂର୍ବରୁ ହିଁ ସାଂପ୍ରଦାୟିକ ଗଣ୍ଡଗୋଳର ଏକ ଦୀର୍ଘ ପରମ୍ପରା ରହିଥିଲା । ଏହି ଐତିହାସିକଗଣ ଭାରତରେ ହିନ୍ଦୁ-ମୁସଲିମ୍ ସଂପର୍କରେ ରହିଥିବା ତିକ୍ତତା ପାଇଁ ମୁସଲିମ୍ ଶାସକମାନଙ୍କ ଦ୍ୱାରା ମନ୍ଦିର ଓ ମୂର୍ତ୍ତିଗୁଡ଼ିକର ଧ୍ୱଂସ କରିବାର ପରଂପରାକୁ ଦାୟୀ କରିଛନ୍ତି । ହେଲେ ସେମାନେ ଯେଉଁ ତଥ୍ୟକୁ ଲୋକଲୋଚନକୁ ଆଣି ନାହାନ୍ତି ସେଗୁଡ଼ିକ ହେଲା :
୧) ମୁସଲିମ୍ ଆକ୍ରମଣକାରୀଙ୍କ ମନ୍ଦିର ଧ୍ୱଂସ ମୂଳରେ କୌଣସି ଧାର୍ମିକ କାରଣ ନ ଥିଲା । ମନ୍ଦିରର ବିପୁଳ ସଂପଦ ଲୁଣ୍ଠନ ସେମାନଂକ ଧ୍ୟେୟ ଥିଲା ।
୨) ଏହି ଆକ୍ରମଣକାରୀ ବିଭିନ୍ନ ଅଞ୍ଚଳରେ ନିଜର ଶାସନ ସ୍ଥାପିତ କଲା ପରେ ଗୋଟାଏ ହେଲେ ମନ୍ଦିର ଧ୍ୱଂସ କରି ନାହାନ୍ତି କି ଲୁଣ୍ଠନ କରି ନାହାନ୍ତି ।
ଯେକୌଣସି ପ୍ରକାର ଧାର୍ମିକ ବା ସାଂପ୍ରଦାୟୀକ ପୂର୍ବାଗ୍ରହରୁ ମୁକ୍ତ ହୋଇ କୁହାଯାଇପରେ ଯେ ମୁସଲିମ୍ ଶାସକ ବର୍ଗ ହିନ୍ଦୁମାନଙ୍କ ପ୍ରତି ମୁସଲିମ୍ ପ୍ରଜା ପରି ସମାନ ବ୍ୟବହାର କରୁଥିଲେ । ଏ ସମୟରେ ଶାସକ ଓ ରାଷ୍ଟ୍ର ସମ୍ମୁଖରେ ନିଜ ଅସ୍ତିତ୍ୱର ରକ୍ଷା ହିଁ ମୂଳ ଚ୍ୟାଲେଞ୍ଜ ହୋଇ ରହିଥିଲା । ଖଜଣା ଆଦାୟ, ସେନାବାହିନୀର ରକ୍ଷଣାବେକ୍ଷଣ ସେମାନଂକ ମୁଖ୍ୟ କାର୍ଯ୍ୟ ଥିଲା ।
ଏ କଥା ସତ ଯେ ମୋଗଲ ସାମାଜ୍ୟ ପ୍ରତିଷ୍ଠା ପୂର୍ବରୁ ମୁସଲିମ୍ ଶାସକମାନଙ୍କ ସେନାବାହିନୀ ଓ ଅଧିକାରୀ ପଦପଦବୀ ସଂପୂର୍ଣ୍ଣ ଭାବରେ ମୁସଲିମମାନଂକ ରହିଥିଲା । ଏହା ଆକ୍ରମଣକାରୀଙ୍କ ସହ ବାହାରୁ ଆସିଥିବା ମୁସଲିମମାନଂକ ମଧ୍ୟରେ ସୀମାବଦ୍ଧ ଥିଲା । ହେଲେ ମୋଗଲମାନଂକ ଦେଶବ୍ୟାପୀ ସାମ୍ରାଜ୍ୟ ପ୍ରତିଷ୍ଠା ପରେ ସେନାବାହିନୀ ଓ ବିଭିନ୍ନ ଅଧିକାରୀ ପଦପଦବୀରରେ ଉଭୟ ହିନ୍ଦୁ ଓ ମୁସଲମାନଂକୁ ନିୟୋଜିତ କରାଗଲା । ଏହି ହିନ୍ଦୁମାନଂକ ସାମ୍ରାଜ୍ୟ ଓ ଶାସକ ପ୍ରତି ସଂପୂର୍ଣ୍ଣ ନିଷ୍ଠା ରହିଥିଲା । ଏହା ଉପରେ କେବେ କୌଣସି ପ୍ରଶ୍ନ ଉଠି ନ ଥିଲା ।
ଭାରତରେ ଇସଲାମ ଓ ଇସଲାମୀ ଶାସକମାନଂକ ଆକ୍ରମଣ ପରେ ଓ ଇଂରେଜ ଶାସନ ପ୍ରତିଷ୍ଠାର ମଧ୍ୟବର୍ତ୍ତୀ କାଳରେ ଇତିହାସରେ କେବଳ ଗୋଟିଏ ଘଟଣାର ବିବରଣୀ ଦେଖିବାକୁ ମିଳେ ଯାହାକୁ ସାଂପ୍ରଦାୟିକ ଦଂଗା ବୋଲି ଅଭିହିତ କରାଯାଇପାରେ । ଘଟଣାଟି ୧୭୧୩ରେ ଅହମଦାବାଦରେ ଘଟିଥିଲା । ଏହା ମୂଳରେ ଥିଲା ଏକ ମୁସଲିମ୍ ଓ ହିନ୍ଦୁ ପରିବାରର ବିବାଦ । ସେଇଠି ହୋଲି ଜାଳିବାକୁ ନେଇ ପାରିବାରିକ ବିବାଦ ହୋଇଥିଲା । ବିବାଦ ଯେତେବେଳେ ଜଣେ ମୁସଲିମ୍ ନଗର ଅଧିକାରୀଙ୍କ ପାଖରେ ପହଂଚିଲା ସେ ହିନ୍ଦୁ ପରିବାରକୁ ହୋଲି ଜାଳିବାର ଅନୁମତି ଦେଇଦେଲେ । ଏହାର ବିରୋଧରେ ମୁସଲିମ୍ ପରିବାର ହୋଲି ଜଳା ହୋଇଥିବା ସ୍ଥାନରେ ଗୋଟାଏ ଗାଈର କୁର୍ବାନୀ ଦେଇଦେଲା । ଏଥିରେ ଆଖପାଖର ହିନ୍ଦୁମାନେ ଉକ୍ତ ମୁସଲିମ ପରିବାର ଉପରେ ସାମୁହିକ ଆକ୍ରମଣ କରିଦେଲେ । ଏହା ଫଳରେ ସହରରେ ଥିବା ଆଫଗାନ ସୈନିକମାନେ ମୁସଲମାନଂକ ସୁରକ୍ଷା ଲାଗି ଅସ୍ତ୍ର ଧାରଣ କଲେ । ଚାରି ଦିନ ଯାଏଁ ଉଭୟ ପକ୍ଷରୁ ହାଣାକଟା ଚାଲିଲା । ତା’ ପରେ ଉଭୟ ପକ୍ଷର ନେତାମାନେ ନିଜେ ସ୍ଥାନୀୟ ବାଦ୍ଶାହାଙ୍କ ଠାରେ ଅପିଲ କରି ସହରରେ ଶାନ୍ତି ସ୍ଥାପନ କଲେ ।
ସେହିପରି ଅଯୋଧ୍ୟାରେ ବାବରୀ ମସ୍ଜିଦ ଓ ରାମ ଜନ୍ମଭୂମି ବିବାଦ, ସେଠାରେ ଥିବା ମନ୍ଦିର ଭଙ୍ଗାଯାଇ ମସଜିଦ ତିଆରି କରାଯାଇଥିବା ପ୍ରସଂଗ ସର୍ବ ପ୍ରଥମେ ଏଚ.କେ. ନେଭିଲଙ୍କ ଦ୍ୱାରା ଲିଖିତ ‘ଫୌଜାବାଦ ଗେଜେଟିୟର’ରେ ଆସିଛି । ଏହା ଆଗର ଦସ୍ତାବେଜରେ ସେଇ ପରିସରରେ ହିନ୍ଦୁମାନେ ମଧ୍ୟ ପୂଜା କରୁଥିବାର ଉଲ୍ଲେଖ ମିଳେ । ହେଲେ ସେତେବେଳେର କୌଣସି ଐତିହାସିକ ଦସ୍ତାବେଜରେ ମନ୍ଦିର ଭଙ୍ଗାଯାଇ ମସଜିଦ ତିଆରି କରାଯାଇଥିବାର ଉଲ୍ଲେଖ ନାହିଁ । ୟୁରୋପୀୟ ପର୍ଯ୍ୟଟକ ଉଇଲିୟମ ସ୍ମିଥ ୧୬୦୮-୧୬୧୧ ଭିତରେ ଭାରତ ପରିଭ୍ରମଣରେ ଆସିଥିଲେ । ସେତେବେଳେ ସେ ଆଯୋଧ୍ୟା ମଧ୍ୟ ଆସିଥିଲେ । ସେ ମଧ୍ୟ ତାଙ୍କ ଯାତ୍ରା ବୃତ୍ତାନ୍ତରେ ପରିସରରେ ଉଭୟ ସଂପ୍ରଦାୟ ପକ୍ଷରୁ ସଦ୍ଭାବନାପୂର୍ଣ୍ଣ ଭାବନରେ ପୂଜା, ପ୍ରାର୍ଥନା ହେଉଥିବା କଥା ଉଲ୍ଲେଖ କରିଯାଇଛନ୍ତି ।
ଏ ପ୍ରସଂଗରେ ଏ କଥା ମଧ୍ୟ ବିଚାର୍ଯ୍ୟ ଯେ ପ୍ରାଚୀନ ବା ମଧ୍ୟଯୁଗୀୟ ଭାରତରେ କ’ଣ ରାମଙ୍କ ପୂଜାର କୌଣସି ପରମ୍ପରା ଥିଲା? କୌଣସି ରାମ ମନ୍ଦିର ନିର୍ମାଣ କରାଯାଇଥିଲା? ଏ କଥା ସତ ଯେ ଆମ ଧାର୍ମିକ ପର୍ବପର୍ବାଣୀରେ ରାମଙ୍କ ଜନ୍ମଦିନ, ରାବଣ ଉପରେ ବିଜୟର ଦିନକୁ ଗ୍ରହଣ କରାଯାଇଛି, ହେଲେ ମନ୍ଦିର ତିଆରି କରି ପୂଜା କରିବାର ଘଟଣା ମାତ୍ର ଏଇ କେଇ ବର୍ଷର । ବିଶେଷତଃ ତଥାକଥିତ ହିନ୍ଦୁବାଦୀଙ୍କ ଦ୍ୱାରା ବାବରୀ ମସଜିଦ୍ ଧ୍ୱଂସ ପୂର୍ବରୁ ଦେଶରେ ଚଲା ଯାଇଥିବା ନିର୍ବାଚନୀ ହାୱାର ଓ ପରବର୍ତ୍ତୀ ପ୍ରଭାବରେ ଏହାର ସୃଷ୍ଟି ।
ସମଗ୍ର ଭାରତରେ ଯେଉଁ ଦେବାଦେବୀଙ୍କ ମନ୍ଦିରରେ ପୂଜା କରାଯାଏ ସେମାନେ ମୁଖ୍ୟତଃ ହେଲେ କୃଷ୍ଣ, ଶିବ, ଦୁର୍ଗା, କାଳୀ, ଗଣେଶ ଓ ହନୁମାନ । ଏଥିମଧ୍ୟରୁ ପ୍ରଥମ ଚାରିଜଣଙ୍କ ଉଲ୍ଲେଖ ରାମାୟଣରେ ଆସେ ଯେତେବେଳେ କି ହନୁମାନ ଖୋଦ ରାମାୟଣ ଜଣେ ନାୟକ । ରାମାୟଣର ପରବର୍ତ୍ତୀ କାଳରେ ମହାଭାରତର ସୃଷ୍ଟି । ସେଥିରେ ହନୁମାନଙ୍କୁ ଜଣେ ଦେବତା ଭାବରେ ବର୍ଣ୍ଣନା କରାଯାଇଛି ହେଲେ ଶ୍ରୀରାମଙ୍କ ବର୍ଣ୍ଣନା ସେଥିରେ ଆଦୌ ଦେଖିବାକୁ ମିଳେ ନାହିଁ । ଏଥିରୁ ଜଣାଯାଏ ଯେ ମହାଭାରତ ଓ ତା’ ପରବର୍ତ୍ତୀ ସମୟରେ ଭାରତରେ ଶ୍ରୀରାମଙ୍କ ପୂଜାର କୌଣସି ପରମ୍ପରା ନ ଥିଲା ।
ବିଂଶ ଶତାବ୍ଦୀର ପୂର୍ବବର୍ତ୍ତୀ ୫୦ ବର୍ଷ ମଧ୍ୟରେ ହୋଇଥିବା ସାଂପ୍ରଦାୟିକ ଦଙ୍ଗାଗୁଡ଼ିକର ବିବରଣୀରେ ଇଂରେଜ ପ୍ରବର୍ତ୍ତିତ “ଡିଭାଇଡ଼୍ ଏଣ୍ଡ ରୁଲ୍’ ନୀତିର ସ୍ପଷ୍ଟ ଝଲକ ଦେଖିବାକୁ ମିଳେ । ୧୯୩୧ ମାର୍ଚ୍ଚରେ କାନପୁରରେ ଅନେକ ଦିନ ଧରି ସାଂପ୍ରଦାୟିକ ଦଂଗା ଚାଲିଥିଲା ଏବଂ ଏଥିରେ ଅନୂନ୍ୟ ୫୦୦ ଜଣ ବ୍ୟକ୍ତିଙ୍କ ପ୍ରାଣହାନି ଘଟିଥିଲା ଓ ୫୦ ଲକ୍ଷ ଟଙ୍କା ମୂଲ୍ୟର ସଂପଦ ଧ୍ୱଂସ ପାଇଥିଲା । ଦଙ୍ଗାର ତଦନ୍ତ ରିପୋର୍ଟରୁ ଜଣାପଡ଼େ ଯେ ଇଂରେଜ ବାହିନୀ ସେତେବେଳେ ମୂକ ଦର୍ଶକ ପାଳଟି ଥିଲେ । ଜିଲ୍ଲା ପରିଷଦ ଓ ମ୍ୟୁନିସିପାଲ ବୋର୍ଡ଼ ସୁରକ୍ଷା ନାମରେ ସେମାନଙ୍କୁ ମୂତୟନ କରାଯାଇଥିଲା ।
୧୯୪୬ରେ କଲିକତାରେ “ଡାଇରେକ୍ଟ ଏକସନ ଡ଼େ’ ଅବସରରେ ହୋଇଥିବା ଦଂଗାରେ ମଧ୍ୟ ସେଇ ଏକା କଥାର ପୁନରାବୃତ୍ତି ଘଟିଥିଲା । ସେତେବେଳେ ପ୍ରଦେଶରେ ମୁସଲିମ ସରକାର କ୍ଷମତାସୀନ ଥିଲା ତେଣୁ ପୁଲିସର ନିଷ୍କ୍ରିୟତା ମଧ୍ୟ ଏକ କାରଣ ହୋଇଥାଇ ପାରେ । ହେଲେ ଏ ତଥ୍ୟ ମଧ୍ୟ ସତ୍ୟ ଯେ ସେଠାକାର ତତ୍କାଳନ ପ୍ରଧାନମନ୍ତ୍ରୀ ସୋହରାବର୍ଦୀ ଯେତେବେଳେ ଦଂଗା ଫଳରେ ମୁସଲିମମାନଂକ ଅଧିକା କ୍ଷୟକ୍ଷତି ହେଲା ସେ ସେନାବାହିନୀର ସାହାଯ୍ୟ ଚାହିଁଲେ, ତଥାପି ତାଙ୍କୁ ସରକାର ସାହାଯ୍ୟ କଲେ ନାହିଁ । ସେତେବେଳେ ସହରରେ ଇଂରେଜ ବାହିନୀ ଥାଇ ମଧ୍ୟ ବ୍ରିଟିଶ ସରକାର ସହଯୋଗ କରି ନଥିଲା ।
ବିଂଶ ଶତାବ୍ଦୀର କେତେକ ଦଂଗା ପଛରେ ଅର୍ଥନୈତିକ କାରଣ ମଧ୍ୟ ରହିଥିଲା । ୧୯୨୧-୨୨ର ମୋପଲା ବିଦ୍ରୋହ, ୧୯୦୬ ରୁ ୧୯୪୬ମଧ୍ୟରେ ପୂର୍ବବଂଗରେ ହୋଇଥିବା ଦଂଗା ମୂଳରେ ଆର୍ଥିକ ଶୋଷଣର ଭୂମିକା ରହିଥିଲା । ମୋପଲା ବିଦ୍ରୋହ ମୁଖ୍ୟତଃ ମୁସଲିମ୍ ଚାଷୀଙ୍କ ଦ୍ୱାରା ନମ୍ବୁଦ୍ରୀ ଜମିଦାରଙ୍କ ପ୍ରତି ବିଦ୍ରୋହ ଥିଲା । ତତ୍କାଳୀନ ପୂର୍ବ ବଂଗରେ ହିନ୍ଦୁ ଜମିଦାର, ସାହୁକାର ଦ୍ୱାରା ଗରୀବ ମୁସଲିମ ଚାଷୀଙ୍କ ଶୋଷଣ ଏକ ସାଧାରଣ କଥା ଥିଲା । ସେତେବେଳେ ସେ ପ୍ରଦେଶରେ ମୁସଲିମ୍ ଅର୍ଥବ୍ୟବସ୍ଥା ସବୁଠୁ ତଳ ପାହାଚରେ ଥିଲା । ତେଣୁ ସେମାନଙ୍କ ଶୋଷଣକୁ ଧାର୍ମିକ ରଂଗ ଦେଇ ସେଠାକାର ମୁଲ୍ଲାମାନେ ମୁସଲିମ୍ ଚାଷୀଙ୍କୁ ହିଂସାତ୍ମକ ଆକ୍ରମଣ ପାଇଁ ଐକ୍ୟବଦ୍ଧ କରିଥିଲେ ।
୧୮୫୭ ପରବର୍ତ୍ତୀ ସମୟରେ ହୋଇଥିବା ବିଭିନ୍ନ ଦଂଗାରେ ଏକ ମୁଖ୍ୟ କାରଣ ଥିଲା ଯେ ଏଭଳି ଘଟଣା ମାଧ୍ୟମରେ ଜମିଦାରମାନେ ନିଜର ଶକ୍ତି ଓ ପ୍ରତିପତ୍ତି ପ୍ରଦର୍ଶନ କରୁଥିଲେ । ଊନବିଂଶ ଶତାବ୍ଦୀର ଉତ୍ତରାର୍ଦ୍ଧରେ ହୋଇଥିବା ଗୋରକ୍ଷା ଆନ୍ଦୋଳନର ନେତୃତ୍ୱ ସାମନ୍ତବାଦୀ ଶକ୍ତି ହାତରେ ଥିଲା । ବାଳ ଗଙ୍ଗାଧର ତିଲକ ଏହାର ପ୍ରାରମ୍ଭ କରିଥିଲେ । ଏହି ଆନ୍ଦୋଳନ ସମୟରେ ଗୋ ବଦ୍ଧ କରିବା ଅଭିଯୋଗରେ ମୁସଲିମ୍ ପ୍ରଜାମାନଂକୁ ଭୂମିରୁ ବେଦଖଲ ମଧ୍ୟ କରାଯାଇଥିଲା ।
ପ୍ରଫେସର ବିପିନ ଚନ୍ଦ୍ରାଙ୍କ ମତ ଅନୁସାରେ- ସାଂପ୍ରଦାୟିକତା ହେଉଛି ଏମିତି ଏକ ଅବଧାରଣା, ଯାହା ଦୃଷ୍ଟିରେ ଗୋଟିଏ ଧର୍ମକୁ ମାନୁଥିବା ଗୋଷ୍ଠୀର ସଦସ୍ୟମାନଙ୍କର ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ହିତ ସମାନ ହୋଇଥାଏ । ଗୋଷ୍ଠୀ ଭିତରେ ଅର୍ଥନୈତିକ ବିଭିନ୍ନତା, ବିଷମତା ସତ୍ତ୍ୱେ ସେମାନଙ୍କ ହିତରେ ଏ ସମାନତାର ଓ ଐକ୍ୟ ବଳବତ୍ତର ରହିଥାଏ । ତା’ ଛଡ଼ା ସାଂପ୍ରଦାୟିକତାକୁ ସବୁବେଳେ ଗୋଟାଏ ଶତ୍ରୁର ଆବଶ୍ୟକତା ରହିଥାଏ । ଏହା ମାଧ୍ୟମରେ ଗୋଷ୍ଠୀର ସଦସ୍ୟମାନଙ୍କ ଭିତରେ ଏକ ବିଶ୍ୱାସ ସୃଷ୍ଟି କରାଯାଇଥାଏ ଯେ ଅନ୍ୟ ଧର୍ମାବଳମ୍ବୀମାନଙ୍କ ହିତ ଉପରେ ଆଘାତ କରିବା ଦ୍ୱାରା ହିଁ ସେମାନଙ୍କ ଲୌକିକ ଓ ପାରଲୌକିକ ହିତର ସୁରକ୍ଷା ସମ୍ଭବ । ଏ କଥା ମଧ୍ୟ ସେମାନଙ୍କ ମନରେ ଦୃଢ଼ ଭାବରେ ଅବସ୍ଥାପିତ କରି ଦିଆଯାଏ ଯେ ଯେତେବେଳେ ସେମାନେ ନିଜ ସମୁଦାୟ ପାଇଁ ହିଂସାତ୍ମକ ଭାବରେ, ଆକ୍ରାମକ ଭାବରେ କ୍ରିୟାଶୀଳ ନ ହୋଇଛନ୍ତି ସେମାନଙ୍କ ବ୍ୟକ୍ତିଗତ ହିତ ସେ ପର୍ଯ୍ୟନ୍ତ ସୁରକ୍ଷିତ ନୁହଁ ।
ନିଜ କାର୍ଯ୍ୟକୁ ନ୍ୟାୟୋଚିତ ବୋଲି ପ୍ରମାଣିତ କରିବା ମାନବ ମସ୍ତିଷ୍କର ଏକ ଅନିବାର୍ଯ୍ୟ ଆବଶ୍ୟକତା ଓ ଏହା ମଣିଷ ସମାଜ ପାଇଁ ମଧ୍ୟ ପ୍ରୟୁଜ୍ୟ । ସେମାନେ ଯାହା କଲେ ତାକୁ ନ୍ୟାୟୋଚିତ ପ୍ରମାଣ କରିବା ଜରୁରୀ ହୋଇପଡ଼େ । ଏହା ପଛରେ ଅନେକ କାରଣ ରହିଥିବା ଦର୍ଶାଯାଏ । ଯେତେବେଳେ ସେମାନଙ୍କ କାମ ଅନ୍ୟାୟପୂର୍ଣ୍ଣ ହୋଇଥାଏ ସେତେବେଳେ ତାକୁ ନ୍ୟାୟୋଚିତ ବୋଲି ପ୍ରମାଣିତ କରିବା ବେଶୀ ଆବଶ୍ୟକ ହୋଇ ଉଠେ, କାରଣ ସେତେବେଳେ ଅନ୍ୟ ଆଗରେ ଓ ନିଜ ଆଗରେ ମଧ୍ୟ ତାର ଯଥାର୍ଥତା ପ୍ରମାଣିତ କରିବାକୁ ହୁଏ । ଜଷ୍ଟିଫାଏ କରିବାର ଏହି ପ୍ରକ୍ରିୟା ଦ୍ୱାରା ବିଭିନ୍ନ ମିଥ୍ ସୃଷ୍ଟି କରାଯାଏ ଏବଂ ସେହି ମିଥ୍ ଅନୁସାରେ ଅନ୍ୟ ସଂପ୍ରଦାୟ ପ୍ରତି କେତେକ ପୂର୍ବାଗ୍ରହ ଓ ଧାରଣା ସୃଷ୍ଟି କରାଯାଏ । ସେପରି ମିଥ୍ର ଶିକାର ମୁସଲିମମାନଙ୍କୁ କରାଯାଇଛି । ଯେପରି ସେମାନେ ଅତ୍ୟନ୍ତ, କ୍ରୂର, ଧୂର୍ତ୍ତ, ଅତୀତରେ ସେମାନେ କେବେ ସେମାନଙ୍କ ଉପରେ ନାହିଁ ନ ଥିବା ଅତ୍ୟାଚାର କରିଥିଲେ । ସେମାନଙ୍କ ଆତ୍ମସମ୍ମାନ ହାନି କରିଥିଲେ । ବେଳେବେଳେ ଏଭଳି ଧାରଣାର ଉତ୍ସ ସୁଦୂର ଇତିହାସରେ ଲୁଚିଥାଏ । ଅତୀତର ଇତିହାସକୁ ବର୍ତ୍ତମାନ ଉପରେ ଆରୋପିତ କରାଯାଏ ।
ଯେମିତିକି ସଂପ୍ରତି ଆୟାରଲେଣ୍ଡରେ ଯେଉଁ ହିଂସାତ୍ମକ ବିବାଦ ଚାଲିଥିଲା, ତା’ ପଛରେ କାରଣ ଦର୍ଶାଇ କୁହାଯାଉଛି ଯେ ୧୧୬୯ରେ ହେନରୀ ଦ୍ୱିତୀୟ କେଥେଲିକ ରୋମ୍ର ନିର୍ଦ୍ଦେଶରେ ସେମାନଙ୍କ ଭୂମି ଉପରେ ଆକ୍ରମଣ କରିଥିଲା ଓ ସେମାନଂକ ଉପରେ ଆକ୍ରମଣ କରାଯାଇଥିଲା । ମୁସଲିମ୍ ଶାସନ କାଳରେ ମନ୍ଦିର ଭାଙ୍ଗି ସମଜିଦ ତିଆରି କରିବା ଘଟଣା ମଧ୍ୟ ଆୟରିସମାନଙ୍କ ଧାରଣା ପରି ଅମୂଲକ । ଏହାର ଅନ୍ୟତମ ଉଦାହରଣ ହେଲା ବାବରୀ ସମଜିଦ ଘଟଣା । ହିନ୍ଦୁତ୍ୱବାଦୀମାନେ ଅଯୋଧ୍ୟାର ରାମମନ୍ଦିର ଭାଙ୍ଗି ବାବରୀ ମସଜିଦ୍ ତିଆରି କରାଯାଇଥିବାର ଅପପ୍ରଚାର ଚଲାଇ ଭୋଟ ରାଜନୀତିରେ ସଫଳ ହୋଇଛନ୍ତି । ସେମାନଙ୍କ ଦୃଷ୍ଟିରେ ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ର ଭୋଟ ଭଙ୍ଗାରୁଜା ଭଳି ଏକ ଜିନିଷ ମାତ୍ର । ଟଙ୍କା, ମଦ, ପରି ନିର୍ବାଚନରେ ବ୍ୟବହାର କରାଯାଉଥିବା ଏକ ଜିନିଷ । ଅପରପକ୍ଷରେ ଇତିହାସର ଏହି ପକ୍ଷକୁ ଅନ୍ଧାରରେ ରଖାଯାଇଛି ।
ମହମ୍ମଦ ବିନ କାସିମ ୭୧୧ ଖ୍ରୀଷ୍ଟାବ୍ଦରେ ସିନ୍ଧୁ ପ୍ରଦେଶ ଅଧିକାର କରିଥିଲେ । ଏହା ପଛରେ ରହିଥିଲା ଭାରତର ସମୃଦ୍ଧି । ସେତେବେଳେ ଦେଶୀୟ ଓ ବୈଦେଶିକ ରାଜ୍ୟଗୁଡ଼ିକର ଏହା ଏକ ସାଧାରଣ ପ୍ରଥା ଥିଲା । ପଡ଼ୋଶୀ ରାଜ୍ୟ ଜୟ କରି ଉକ୍ତ ରାଜ୍ୟର ପାଣ୍ଠି ଉପରେ ଅଧିକାର ଓ ରାଜ୍ୟ ବିସ୍ତାର । ଭାରତର ପ୍ରତିଦ୍ୱନ୍ଦ୍ୱୀ ରାଜାମାନେ ନିଜେ ମନ୍ଦିରମାନ ଧ୍ୱଂସ କରି ସେଗୁଡ଼ିକ ମୁସଲିମ ଶାସକମାନଙ୍କ ଦ୍ୱାରା ଭଙ୍ଗା ଯାଇଥିବାର ଦୋଷାରୋପ କରୁଥିଲେ ।
ମୁସଲିମମାନେ ଦକ୍ଷିଣ ଏସିଆର ଅବିଛିନ୍ନ ଅଂଶ ଭାବେ ସହସ୍ରାଧିକ ବର୍ଷ ହେଲା ରହିଆସୁଛନ୍ତି । ତଥାପି ସେମାନଙ୍କୁ ଭାରତୀୟ, ଦେଶୀୟ ବୋଲି ଗ୍ରହଣ କରିବାରେ ଅସୁବିଧା କାହିଁକି? ଯେତେବେଳେ କି ଅତି କମ୍ ସମୟର ଶିଖ, ଜୈନମାନଙ୍କ ସଂପର୍କରେ ଏ ପ୍ରଶ୍ନ ଉଠୁ ନାହିଁ ।
ବ୍ରିଟିଶ ଆଗମନ ପୂର୍ବରୁ ହିନ୍ଦୁ ମୁସଲିସ ସମ୍ପର୍କ ଉନ୍ନତ ଥିଲା । ଏହାର ପ୍ରକୃଷ୍ଠ ନଜିର ବାବରଙ୍କ ଉଇଲନାମାରେ ଦେଖିବାକୁ ମିଳେ । ବାବର ମୃତ୍ୟୁ ପୂର୍ବରୁ ନିଜ ପୁଅ ହୁମାୟୁନଙ୍କ କରିଯାଇଥିବା ଉଇଲନାମାରେ ଲେଖିଥିଲେ –
“ଭାରତ, ବିଭିନ୍ନ ଧର୍ମରେ ପରିପୂର୍ଣ୍ଣ ଏକ ଦେଶ । ତମ ହୃଦୟ ଭିତରୁ ସମସ୍ତ ଧର୍ମାନ୍ଧତା, କୁସଂସ୍କାରକୁ ପୋଛି ସଫା କରିଦିଅ, ବିଭିନ୍ନ ଧର୍ମବିଶ୍ୱାସର ପ୍ରଜାମାନେ ଐକ୍ୟବଦ୍ଧ ହୋଇ ରହନ୍ତୁ, ସରକାରୀ ନିୟମକୁ ପାଳନ କରୁଥିବା କୌଣସି ସଂପ୍ରଦାୟର ମନ୍ଦିର ଓ ମୂର୍ତ୍ତିସବୁକୁ ନଷ୍ଟ କରିପାରିବ ନାହିଁ ।”
ଧର୍ମନିରପେକ୍ଷତାର ଆଧୁନିକ ଅବଧାରଣାର ମଂଜି ଭାବରେ ଏହା ହେଉଛି ଜଣେ ମଧ୍ୟଯୁଗୀୟ ଶାସକଙ୍କ ଚିନ୍ତାପୂର୍ଣ୍ଣ ଉଚ୍ଚାରଣ । ଭାରତର ଯେଉଁ ପ୍ରଥମ ମୋଗଲ ସମ୍ରାଟ ବାବର ଧର୍ମନିରପେକ୍ଷତାର ବୀଜମନ୍ତ୍ର ରୋପଣ କରିଥିଲେ ତାକୁ ମୋଗଲ ସମ୍ରାଟମାନେ କେବେ ପ୍ରତିହତ କରି ନାହାନ୍ତି, ଏପରିକି ସମ୍ରାଟ ଆକବର ହିନ୍ଦୁ-ମୁସଲିମ ସମନ୍ୱୟ ଲାଗି ଏକ ନୂତନ ଧର୍ମ ‘ଦୀନ-ଏ-ଇଲାହୀ’ ପ୍ରଚାର କରିବା ସହ ନିଜେ ଜଣେ ରାଜପୁତ କନ୍ୟାଙ୍କୁ ପାଟରାଣୀ କରିଥିଲେ ।
ଏଇ ପରିପ୍ରେକ୍ଷୀରେ ମୁସଲିମ୍ ଶାସନ କାଳରେ ମନ୍ଦିର ଭାଙ୍ଗି ମସଜିଦ୍ ନିର୍ମାଣ କରିବା କଥା ହିନ୍ଦୁ ବିବେକ ସହ ବଳତ୍କାର ଛଡ଼ା ଅନ୍ୟ କିଛି ନୁହେଁ । କଥା ହେଲା ଏଭଳି କିଛି ପୂର୍ବାଗ୍ରହ ସୃଷ୍ଟି ହୁଏ ଏବଂ ଏହି ପୂର୍ବାଗ୍ରହ ଧୀରେ ଧୀରେ ସାମୁହିକ ଧାରଣା ଓ ଚିନ୍ତନରେ ପରିଣତ ହୁଏ । ଏହିପରି ଅନେକ ଭ୍ରାନ୍ତ ଧାରଣା ରହିଛି ଯେମିତି ପରିବାର ନିୟୋଜନ ଗ୍ରହଣ ନ କରି ମୁସଲିମାନେ ନିଜର ଜନସଂଖ୍ୟା ବୃଦ୍ଧି କରୁଛନ୍ତି ଏବଂ ଦିନେ ଦେଶରେ ସେମାନେ ସଂଖ୍ୟା ଗରିଷ୍ଠ ହୋଇଯିବେ । ଫଳରେ ହିନ୍ଦୁମାନଙ୍କୁ ସଂଖ୍ୟାଲଘୁ ହେବାକୁ ପଡ଼ିବ । ସାଧାରଣ ଲୋକେ ଏଭଳି କଥା ଶୁଣି ବିଶ୍ୱାସ ମଧ୍ୟ କରନ୍ତି ହେଲେ ପ୍ରକୃତ ତଥ୍ୟ ହେଉଛି ଅଲଗା । ଦେଶର ଜନସଂଖ୍ୟାର ଶତକଡ଼ା ହିସାବରେ ଗତ ୫୦ ବର୍ଷ ମଧ୍ୟରେ ମୁସଲିମମାନଙ୍କ ସଂଖ୍ୟାରେ ମାତ୍ର ୧.୫ ବା ୨% ଭାଗ ବୃଦ୍ଧି ହୋଇଛି । ଏହି ମିଥ୍ ଏ କଥାକୁ ମଧ୍ୟ ଅସ୍ୱୀକାର କରେ ଯେ ଜନ୍ମ ନିୟନ୍ତ୍ରଣ ପଦ୍ଧତି ଗ୍ରହଣ ନ କରିବା ପଛରେ ସେମାନଙ୍କ ଦାରିଦ୍ର୍ୟତା ଓ ଅଶିକ୍ଷା ହିଁ ଦାୟୀ ଧର୍ମ ନୁହେଁ । ବର୍ତ୍ତମାନ ଏମିତି ମୁସଲିମ ପରିବାର, ବିଶେଷତଃ ଧନୀ ଓ ଶିକ୍ଷିତ ପରିବାରଙ୍କ ସନ୍ତାନ ସଂଖ୍ୟା ୨ ରୁ ଅଧିକା ଦେଖିପାରିବା ବିରଳ ।
ଅଯୋଧ୍ୟାର ରାମମନ୍ଦିର ପ୍ରସଙ୍ଗରେ ଆଉ ଏକ ଘଟଣା ମଧ୍ୟ ଉଲ୍ଲେଖଯୋଗ୍ୟ ଯେ ତୁଲସୀଦାସଙ୍କ “ରାମଚରିତ ମାନସ’ର ରଚନା କାଳ ୧୬୪୩ ମସିହା ପାଖାପାଖି ଥିଲା । ବାବର ୧୫୨୬ରେ ଭାରତ ଆସିଥିଲେ । ପ୍ରଚାର କରାଯାଉଛି ଯେ ୧୫୩୦ରେ ବାବର ଆଦେଶରେ ମୀର ବାକୀ ଅଯୋଧ୍ୟାର ରାମମନ୍ଦିର ଭାଙ୍ଗି ବାବରୀ ମସଜିଦ୍ ତିଆରି କଲେ । ଭଙ୍ଗାରୁଜା, ମାଡ଼ପିଟ୍, ଦଂଗା ଫସାଦୀ, ଆତଙ୍କ, ନରସଂହାର, ଯୁଦ୍ଧ, ଛଳକପଟ, ଘାତ-ପ୍ରତିଘାତ ବର୍ଣ୍ଣନା କରିବାରେ ମାହିର ତୁଳସୀ ଦାସ ‘ରାମଚରିତ ମାନସ’ ବା ‘ବିନୟ ପତ୍ରିକା’ରେ ମନ୍ଦିର ଭଙ୍ଗା ହେବା ଭଳି ଏତେ ବଡ଼ ଘଟଣାର ଉଲ୍ଲେଖ କଲେ ନାହିଁ କେମିତି? ସେହିପରି ତୁଳସୀଦାସ ଓ ଅବଦୁଲ ରହିମ ଖାନଙ୍କ ମଧ୍ୟରେ ପତ୍ରାଚାର ରହିଥିଲା । ସେଥିରେ ମଧ୍ୟ ଏ ପ୍ରସଙ୍ଗ ନ ଆସିବା ତାତ୍ପର୍ଯ୍ୟପୂର୍ଣ୍ଣ । ତୁଳସୀ ଦାସଙ୍କ ଭଳି ଏତ ବଡ଼ ରାମଭକ୍ତ ରାମ ମନ୍ଦିର ଧ୍ୱଂସ ହେବା କଥା ଉଲ୍ଲେଖ ନ କରିବା ଘଟଣାରୁ ଜଣାପଡ଼େ ଯେ ପ୍ରକୃତରେ ଏମିତି କିଛି କେବେ ହୋଇ ନ ଥିଲା । ଅଯୋଧ୍ୟା ଓ କାଶୀରେ ତିଆରି କରାଯାଉଥିବା ଭ୍ରାମକ ଇତିହାସର ହିଁ ଅବଦାନ ହେଉଛି ରାମ ମନ୍ଦିର ବୋଲି କମଲେଶ୍ୱର କଥାକ୍ରମ-୨୦୨୦ରେ ଲକ୍ଷ୍ନୌରେ ପ୍ରକାଶ କରିଛନ୍ତି ।
….କ୍ରମଶଃ
Comments
0 comments