ଗାନ୍ଧିଜୀଙ୍କ ମୃତ୍ୟୁକୁ ପଂଚସ୍ତରୀ ବର୍ଷ ହେଲାଣି । ଜୀବିତ ଥିବାବେଳେ ସେ କିଛି ଲୋକଙ୍କର ରାସ୍ତାରେ ଏମିତି କଣ୍ଟା ହେଲେ ଯେ, ବହୁବାର ଚେଷ୍ଟାକରି ତାଙ୍କୁ ହତ୍ୟା କରାଯାଇପାରିଲା । ସ୍ୱାଧୀନତା ସଂଗ୍ରାମ ଓ ସମାଜ ପରିବର୍ତ୍ତନ କାମରେ ତାଙ୍କର ଅନେକ ପ୍ରତିଦ୍ୱନ୍ଦ୍ୱୀ ଥିଲେ । ହେଲେ ସେମାନଙ୍କ ମଧ୍ୟରୁ କେହି ଜଣେ ତାଙ୍କୁ ମାରିବାକୁ ଚେଷ୍ଟା କରିବା ତ ଦୂରର କଥା ସ୍ୱପ୍ନରେ ସୁଦ୍ଧା ଭାବିନଥିଲେ । ଭଗତ ସିଂହ ଗାନ୍ଧୀଙ୍କ ଅହିଂସା ବିଚାରକୁ ପସନ୍ଦ କରୁନଥିଲେ, ତେବେ ଗାନ୍ଧୀଙ୍କୁ ସେ କିମ୍ବା ତାଙ୍କ ଦଳ କେବେ ଅସମ୍ମାନ କରିବା ଦେଖାଯାଇ ନାହିଁ । ଓଲଟା ଭଗତ ସିଂହଙ୍କ ସହଯାତ୍ରୀ ସୁଖଦେବ ସେମାନଙ୍କ ପକ୍ଷରୁ ଯେଉଁ ପତ୍ରସବୁ ଲେଖିଛନ୍ତି, ସେଥିରେ କେଉଁଠି ତିଳେହେଲେ ଗାନ୍ଧୀଙ୍କୁ ଅସମ୍ମାନଜନକ ଶବ୍ଦଟିଏ ସୁଦ୍ଧା ନାହିଁ । ନେତାଜୀ ସୁଭାଷଚନ୍ଦ୍ର ବୋଷ ଗାନ୍ଧୀଙ୍କ ଠାରୁ ଭିନ୍ନ ରାସ୍ତାରେ ଯାଇ ସୈନ୍ୟବଳ ତିଆରି କଲେ । ଏତେ ସତ୍ତ୍ୱେ ତାଙ୍କର ଗାନ୍ଧୀଙ୍କ ପ୍ରତି ଶ୍ରଦ୍ଧାସମ୍ମାନ ଏତେ ଥିଲା ଯେ, ସେ ତାଙ୍କ ସୈନ୍ୟବାହିନୀର ଏକ ବ୍ରିଗେଡର ନାମ ଗାନ୍ଧୀବ୍ରିଗେଡ ଦେବା ସହ ତାଙ୍କୁ ରାଷ୍ଟ୍ରପିତା ବୋଲି ସମ୍ବୋଧିତ କରିଥିଲେ । ଆମ୍ବେଦକର ବି ଗାନ୍ଧୀଙ୍କ କାମକୁ ପସନ୍ଦ କରୁନଥିଲେ । ତେବେ ହରିଜନମାନଙ୍କ ପାଇଁ ସ୍ୱତନ୍ତ୍ର ନିର୍ବାଚନମଣ୍ଡଳୀକୁ ବିରୋଧ କରି ଗାନ୍ଧୀ ଅନଶନ କରିବାରୁ ସେ ତାଙ୍କ ଜୀବନ ବଞ୍ଚାଇବାପାଇଁ ପୁନା ପ୍ୟାକ୍ଟରେ ଦସ୍ତଖତ କରିଥିଲେ । ତାଙ୍କର ଦ୍ୱିତୀୟ ବିବାହ କାଳରେ ବାବାସାହେବ ଗାନ୍ଧୀଙ୍କୁ ଖୁବ ମନେପକାଇଥିଲେ । ହେଲେ ତାଙ୍କୁ ସେହିମାନେ ମାରିଲେ, ଯେଉଁମାନେ ସ୍ୱାଧୀନତା ଆନ୍ଦୋଳନରେ ନାଁ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଥିଲେ, ନାଁ ସମାଜ ପରିବର୍ତ୍ତନ କାମରେ ସେମାନଙ୍କର ବିଶ୍ୱାସ ଥିଲା । ସେହି ଇଂରେଜ ଭକ୍ତମାନଙ୍କର ଏବେ ଭାରତରେ ଶାସନ ଚାଲିଥିବାରୁ ଭାରତରେ ଏବେ ସତେଯେମିତି ଗାନ୍ଧୀ ଓ ତାହାଙ୍କ ବିଚାର ତଥା ସଂଗଠନ ଉପରେ ବିପଦ ପଡ଼ିଛି ।
ଅହମ୍ମଦାବାଦସ୍ଥିତ ସାବରମତୀ ଆଶ୍ରମକୁ ବିଶ୍ୱସ୍ତରୀୟ କରିବା ଯୋଜନାକୁ ଦେଶ ଦୁନିଆର ସାଧାରଣଜନତା ବିରୋଧ କରିବା ସତ୍ତ୍ୱେ ଗୁଜରାଟ ସରକାର ନିଜ ଜିଦରେ ଅଟଳ ରହିଛନ୍ତି । ଗାନ୍ଧୀଙ୍କୁ ସମସ୍ତେ ଗରିବ ଲୋକମାନଙ୍କର ପ୍ରତିନିଧି ରୂପରେ କୁଡିଆ ଘରେ ରହୁଥିବା ଜଣେ ନଙ୍ଗଳା ଫକୀର ଭାବରେ ଜାଣନ୍ତି । ହେଲେ ତାଙ୍କ ଆଶ୍ରମକୁ ସପ୍ତତାରକା ମହଲରେ ପରିଣତ କରିବାକୁ ସରକାରଙ୍କର ଏତେ ଜିଦ୍ ପଛରେ ତାଙ୍କ ସରଳ ଓ ନିରାଡ଼ମ୍ବର ଜୀବନଶୈଳୀକୁ ଏହି ଆଡ଼ମ୍ବର ପଛରେ ଛୁପାଇ ଦେବା ପାଇଁ ପ୍ରୟାସ ବ୍ୟତୀତ ଆଉ କଣ ହୋଇପାରେ?
ସାବରମତୀ ଆଶ୍ରମର ସମସ୍ୟା ତୁଟିନଥିବା ବେଳେ ପରାଧୀନ ଭାରତରେ ସେହି ଅହମ୍ମଦାବାଦରେ ୧୯୨୦ ମସିହାରେ ଗାନ୍ଧିଜୀ ପ୍ରତିଷ୍ଠା କରିଥିବା ରାଷ୍ଟ୍ରୀୟ ବିଦ୍ୟାଳୟ ‘ଗୁଜରାଟ ବିଦ୍ୟାପୀଠ’ ଯାହା ଆଜି ଏକକ ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇଛି, ତାହା ଧ୍ୱଂସମୁଖରେ । ଇଂରେଜ ପରିଚାଳିତ ଶିକ୍ଷାନୁଷ୍ଠାନମାନଙ୍କରେ ଭାରତୀୟ ପିଲାମାନେ ପାଠ ନପଢ଼ି ଜାତୀୟ ବିଦ୍ୟାଳୟମାନଙ୍କରେ ପଢନ୍ତୁ, ଏହି ଲକ୍ଷ୍ୟରେ ଗାନ୍ଧିଜୀ ଗୁଜରାଟ ବିଦ୍ୟାପୀଠ, ବିହାର ବିଦ୍ୟାପୀଠ, କାଶୀ ବିଦ୍ୟାପୀଠ ଭଳି ଦେଶର ବିଭିନ୍ନ କୋଣରେ ଅନେକ ବିଦ୍ୟାପୀଠ ଆରମ୍ଭ କରିଥିଲେ । ମହାତ୍ମା ଗାନ୍ଧୀଙ୍କଠାରୁ ଆରମ୍ଭ କରି ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ରାଜେନ୍ଦ୍ର ପ୍ରସାଦ, ମୋରାରଜୀ ଦେଶାଇ, ଡା ସୁଶୀଳା ନାୟାର, ନାରାୟଣ ଦେଶାଇ, ଇଲା ଭଟ୍ଟଙ୍କ ଭଳି ବିଶିଷ୍ଟ ଗାନ୍ଧୀବାଦୀମାନେ ଏକଦା ଗୁଜରାଟ ବିଦ୍ୟାପୀଠର କୁଳାଧିପତି ଭାବରେ କାର୍ଯ୍ୟ କରିଥିବାବେଳେ ଆଜି ଗୁଜରାଟ ରାଜ୍ୟପାଳ ଭାବରେ ଅବସ୍ଥାପିତ ତଥା ସଂଘ ପରିବାରର ଜଣେ ପ୍ରମୁଖ ବ୍ୟକ୍ତି ଆଚାର୍ଯ୍ୟ ଦେବବ୍ରତ ଏହି ପଦବୀରେ ଅବସ୍ଥାପିତ ହୋଇଛନ୍ତି । ତେବେ ଦେବବ୍ରତ ଦାୟିତ୍ୱ ନେବାପରେ ଏହି ଏକକ ବିଶ୍ୱବିଦ୍ୟାଳୟର ପରିଚାଳନା ଆଦାନୀ ନାମକ କର୍ପୋରେଟ ସଂସ୍ଥା ହାତକୁ ଟେକି ଦିଆହୋଇଛି । ଏବେ ଆଦାନୀ ବିଦ୍ୟାପୀଠର ଅହମ୍ମଦାବାଦର ଆଶ୍ରମ ରୋଡସ୍ଥ ମୁଖ୍ୟ କ୍ୟାମ୍ପସର ଏକ ବଡ଼ ଅଂଶକୁ ମେଟ୍ରୋ ରେଲକୁ ଦେଇଦେଇଛି । ଏହି ମୁଖ୍ୟ କ୍ୟାମ୍ପସ ସହ ରାନ୍ଧେଜା ଓ ସାଦରା କ୍ୟାମ୍ପସରେ ପାଠପଢ଼ା ବନ୍ଦ କରି ଏସବୁ ସ୍ଥାନରେ ଆଦାନୀ ବିଶ୍ୱସ୍ତରୀୟ ଗାନ୍ଧୀ କାର୍ଯ୍ୟ କରିବ ଓ କୌଣସି ଗ୍ରାମାଞ୍ଚଳରେ ଏକ ଶହ ଏକର ଜମି ଖରିଦ କରି ସେଠାରେ ବିଶ୍ୱବିଦ୍ୟାଳୟ ଆରମ୍ଭ କରିବ ବୋଲି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି ।
ଗାନ୍ଧିଜୀଙ୍କ ଦେହାନ୍ତ ପରେ ଭାରତ ସରକାର ତାଙ୍କର ସମସ୍ତ ଲେଖା, ଚିଠିପତ୍ର, ଭାଷଣ ଆଦିକୁ ସଂକଳିତ କରି ସଂପୂର୍ଣ୍ଣ ଗାନ୍ଧୀ ବାଙ୍ମୟ ବା Collected works of Mahatma Gandhi ସଂକଳିତ କରିବାକୁ ନିଷ୍ପତ୍ତି ନେଲେ । ପ୍ରଫେସର ସ୍ୱାମୀନାଥନଙ୍କୁ ମୁଖ୍ୟ ସମ୍ପାଦକ ଭାବରେ ଏହି ଦାୟିତ୍ୱ ଦିଆଗଲା । ସମଗ୍ର ଦେଶ ତଥା ବିଶ୍ୱର ବିଭିନ୍ନ କୋଣରୁ ଗାନ୍ଧୀଙ୍କ ଲେଖା, ଚିଠିପତ୍ର ସଂଗ୍ରହ କରାଗଲା । ତାଙ୍କର ସମସ୍ତ ପତ୍ରପତ୍ରିକା, ତାଙ୍କ ଅନୁଗାମୀମାନଙ୍କୁ ସେ ଦେଇଥିବା ପତ୍ର ଆଦି ସମସ୍ତ ଦସ୍ତାବିଜ ସଂଗ୍ରହ କରାଯାଇ ଶହେ ଭଲ୍ୟୁମରେ ହିନ୍ଦୀ, ଗୁଜରାତି ଓ ଇଂରାଜୀରେ ଏହି ଗାନ୍ଧୀ ବାଙ୍ମୟ ପ୍ରସ୍ତୁତ କରାଗଲା । ଯେହେତୁ ସମସ୍ତ ତଥ୍ୟ ସଂଗ୍ରହ କରାଯାଇଥିଲା ଓ ଭବିଷ୍ୟତରେ ଏଥିରେ ଭେଜାଲ ହେବାର ସମ୍ଭାବନା ଥିଲା, ତେଣୁ ଏହି ଶହେ ଭଲ୍ୟୁମ ପ୍ରସ୍ତୁତି ପରେ ପରବର୍ତ୍ତୀ କାଳରେ ଏଥିରେ ଆଉ କୌଣସି ତଥ୍ୟ ଯୁକ୍ତ ବା ବିଯୁକ୍ତ ହୋଇପାରିବ ନାହିଁ ବୋଲି ସେଥିରେ ସ୍ପଷ୍ଟ ଉଲ୍ଲେଖ ରହିଲା । ତେବେ କେନ୍ଦ୍ରରେ ଅଟଳବିହାରୀ ବାଜପେୟୀଙ୍କ ସରକାର କାଳରେ ଏଥିରେ ଅନେକ ପରିବର୍ତ୍ତନ କରିଦିଆଯାଇ ପୁନଃ ପ୍ରକାଶନ କରିଦିଆଗଲା । ତେବେ ଚୋର ଘର ସବୁବେଳେ ଅନ୍ଧାର ନଥାଏ । ଏହି ବାଙ୍ମୟରେ ଅନେକ ପରିବର୍ତ୍ତନ କରି ଦିଆଯାଇଥିଲେ ସୁଦ୍ଧା ଶେଷ ଦୁଇ ଭଲ୍ୟୁମ ଯେଉଁଥିରେ ସୂଚୀପତ୍ର ରହିଛି, ତାହା ସଂଶୋଧିତ କରାଯାଇନଥିଲା । ଏହା ଜଣାପଡିବା ପରେ କେନ୍ଦ୍ରୀୟ ଗାନ୍ଧୀ ସ୍ମାରକ ନିଧି ଓ ପିୟୁସିଏଲ ମିଳିତଭାବେ ସୁପ୍ରିମକୋର୍ଟକୁ ଗଲେ ଓ ମାନ୍ୟବର କୋର୍ଟ ଏହି ବାଜପେୟୀ ସଂସ୍କରଣକୁ ଅବୈଧ ଘୋଷଣା କଲେ । ତେବେ ସରକାର ଛପାଇଥିବା ଏହି ଶହେ ଭଲ୍ୟୁମ ଗଳାବାଟ ଦେଇ ଲୋକଙ୍କ ପାଖକୁ ଗଲା ଓ ତାହାର ଫାଇଦା ଗାନ୍ଧୀବିରୋଧୀମାନେ ନେବାରେ ଲାଗିଛନ୍ତି ।
ଗାନ୍ଧିଜୀଙ୍କ ଆଧ୍ୟାତ୍ମିକ ଉତ୍ତରାଧିକାରୀ ସନ୍ଥ ବିନୋବା ଭାବେ ଏକଦା ବିହାର ଗସ୍ତରେ ଯାଉଥିବା ସମୟରେ ବାରାଣସୀଠାରେ ଗଙ୍ଗା ନଦୀର ଉପନଦୀ ବାରୁଣା କୂଳରେ ଏକ ବୃକ୍ଷଲତା ପରିବେଷ୍ଟିତ ସ୍ଥାନକୁ ଦେଖି ଅଭିଭୂତ ହୋଇପଡିଲେ । ଏହି ସ୍ଥାନରେ ଏକ ଆଶ୍ରମ କରିବାକୁ ସେ ମନସ୍ଥ କଲେ । ପରେ ଜଣାପଡିଲା ଯେ, ଗୌତମ ବୁଦ୍ଧ ଏହି ମାର୍ଗ ଦେଇ ସାରନାଥ ଗସ୍ତ କରିଥିଲେ । ବୁଝାଗଲା ଯେ, କାଶୀସ୍ଥିତ ଏହି ସ୍ଥାନଟି ରେଳ ବିଭାଗର । ତତ୍କାଳୀନ ରେଳମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀ ଏକଥା ଜାଣିବା ପରେ ଅବ୍ୟବହୃତ ଭାବରେ ପଡିଥିବା ଏହି ସମ୍ପତ୍ତିକୁ ସର୍ବୋଦୟ ବିଚାରର ସର୍ବୋଚ୍ଚ ସଂସ୍ଥା ସର୍ବ ସେବାସଂଘ ବା ଅଖିଳ ଭାରତ ସର୍ବୋଦୟ ମଣ୍ଡଳ ନାମରେ କରାଇବାର ବନ୍ଦୋବସ୍ତ କରିଥିଲେ । ପରବର୍ତ୍ତୀ ଅବସ୍ଥାରେ ଓଡ଼ିଶାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମନମୋହନ ଚୌଧୁରୀ ସଂଘର ସଭାପତି ଥିବା କାଳରେ ତିନି ଦଫାରେ ଏହି ସମ୍ପତ୍ତି ରେଳ ବିଭାଗଠାରୁ ଖରିଦ କରାହୋଇଥିଲା ।
ଲୋକନାୟକ ଜୟପ୍ରକାଶ ନାରାୟଣ ସମାଜବାଦୀ ଆନ୍ଦୋଳନ ଛାଡ଼ି ସର୍ବୋଦୟରେ ଜୀବନଦାନ କରିବା ପରେ ଦେଶସ୍ତରରେ ସେ ଏହି ସ୍ଥାନରୁ ହିଁ ଅନେକ କାର୍ଯ୍ୟକ୍ରମ ଆରମ୍ଭ କରାଇଥିଲେ । ସର୍ବ ସେବାସଂଘର ରାଷ୍ଟ୍ରୀୟ କାର୍ଯ୍ୟାଳୟ ମହାରାଷ୍ଟ୍ରସ୍ଥିତ ୱାର୍ଦ୍ଧା ସେବାଗ୍ରାମ ଆଶ୍ରମରେ ଅଛି । ହେଲେ ସର୍ବ ସେବାସଂଘ ପ୍ରକାଶନ ମାଧ୍ୟମରେ ଲକ୍ଷ ଲକ୍ଷ ଗାନ୍ଧୀ ବିନୋବା ସର୍ବୋଦୟ ସାହିତ୍ୟ ଦେଶ ବିଦେଶରେ ପହଞ୍ଚାଇବାର କାମ ଅଦ୍ୟାବଧି ଏହି ସ୍ଥାନରୁ ଚାଲୁଅଛି । ଦେଶର ପ୍ରମୁଖ ରେଳଷ୍ଟେସନମାନଙ୍କରେ ସର୍ବୋଦୟ ବୁକଷ୍ଟଲ୍ମାନ ଚାଲୁଅଛି । ଏହି ବୁକ ଷ୍ଟଲ ସମେତ ଅନ୍ୟ ଶତାଧିକ ଗାନ୍ଧୀ ଓ ସର୍ବୋଦୟ ପୁସ୍ତକ ଭଣ୍ଡାର ଦେଶର କୋଣ ଅନୁକୋଣରେ ସମତା ଓ ସର୍ବୋଦୟ ବାର୍ତ୍ତା ପ୍ରଚାର ପ୍ରସାର କାର୍ଯ୍ୟରେ ଲାଗିଛନ୍ତି, ଯାହା ଏହିଠାରୁ ହିଁ ସଞ୍ଚାଳିତ ହୋଇଥାଏ ।
ଗାଁ କଳି ଗାଁରେ ତୁଟିବ ଓ ସ୍ୱାଧୀନ ଭାରତରେ କୋର୍ଟ ପୋଲିସ ରହିବ ନାହିଁ, ଏହାଥିଲା ଗାନ୍ଧୀ ମହାତ୍ମାଙ୍କର ସ୍ୱପ୍ନ । ତେବେ ଯେତେବେଳେ ଅଶାନ୍ତି ବା ହିଂସା ଦେଖାଦେବ, ସେତେବେଳେ ଗାଁ ଗାଁରେ ଥିବା ଶାନ୍ତି ସୈନିକମାନେ ସତ୍ୟ ଓ ଅହିଂସା ମାର୍ଗରେ ଏହି ସମସ୍ୟାର ସମାଧାନ କରିବେ । ଗାନ୍ଧିଜୀଙ୍କ ଏହି ସ୍ୱପ୍ନ ସାକାର କରିବା ନିମନ୍ତେ ବାରାଣସୀସ୍ଥିତ ଏହି ସ୍ଥାନରେ ଆରମ୍ଭହେଲା ଶାନ୍ତିସେନା ମଣ୍ଡଳ । ଯୁବକମାନଙ୍କର ସଙ୍ଗଠନକୁ କୁହାଗଲା ତରୁଣ ଶାନ୍ତିସେନା । ଦେଶର ବିଭିନ୍ନ କୋଣରୁ ହଜାର ହଜାର ସଂଖ୍ୟାରେ ଯୁବକ ଯୁବତୀ, ବୟସ୍କ କର୍ମୀ ଆସି ଶାନ୍ତିସେନା ଟ୍ରେନିଂ ଏହି ସ୍ଥାନରେ ନେଲେ, ଯାହା ଆଜି ବି ବଳବତ୍ତର ରହିଛି । ଆରମ୍ଭରେ ଶାନ୍ତିସେନାର ମହାନାୟକ ଭାବରେ ଜୟପ୍ରକାଶଙ୍କୁ ନିଯୁକ୍ତ କରାଗଲା ଓ ଗାନ୍ଧୀଙ୍କ କୋଳରେ ବଢିଥିବା ନାରାୟଣ ଦେଶାଇ ଏହାର ସଂଯୋଜକ ଭାବରେ ନିଯୁକ୍ତି ପାଇଲେ ।
ବୃହତ ନାଗା ଅଞ୍ଚଳ ଗଠନ କରିବା ଲକ୍ଷ୍ୟରେ ଉତ୍ତର ପୂର୍ବ ଭାରତ ଓ ମ୍ୟାନମାର ପର୍ଯ୍ୟନ୍ତ ଯେଉଁ ଦଶନ୍ଧି ବ୍ୟାପୀ ଗୃହଯୁଦ୍ଧ ଚାଲିଥିଲା, ତାହାକୁ ବନ୍ଦ କରିବା ଲକ୍ଷ୍ୟରେ ଜୟପ୍ରକାଶ, ନବକୃଷ୍ଣ ଚୌଧୁରୀ, ବିପି ଚାଲିହା, ମାଇକେଲ ସ୍କଟ ଆଦି ଶାନ୍ତିସେନାମାନଙ୍କୁ ଧରି ଯେଉଁ ‘ନାଗା ଶାନ୍ତି ମିଶନ’ ଗଢ଼ି ଶାନ୍ତି ସଦଭାବନା କାର୍ଯ୍ୟ ଆରମ୍ଭ କରିଥିଲେ, ତିନି ବର୍ଷର ଲଗାତର କାର୍ଯ୍ୟ ପରେ ଶେଷରେ ସନ୍ଧି ସ୍ଥାପନ ହୋଇ ଭାରତ ସରକାରଙ୍କ ସହ ନାଗା ନେତାମାନେ ଚୁକ୍ତି ସ୍ୱାକ୍ଷର କରିଥିଲେ । ସେହିପରି ଭାରତ ଚୀନ ଯୁଦ୍ଧ ଓ ବଙ୍ଗଳାଦେଶ ମୁକ୍ତି ସଂଗ୍ରାମ କାଳରେ ଏହିଠାରେ ଟ୍ରେନିଂ ନେଇଥିବା ଶାନ୍ତି ସୈନିକମାନେ ଯୁଦ୍ଧକ୍ଷେତ୍ରରେ ଯେଉଁ ଅଭୂତପୂର୍ବ କାର୍ଯ୍ୟମାନ କରିଥିଲେ, ସେକଥା ଇତିହାସରେ ଲିପିବଦ୍ଧ ହୋଇରହିଛି । ଦେଶରେ ବନ୍ୟା, ବାତ୍ୟା, ସାମ୍ପ୍ରଦାୟିକ ଦଙ୍ଗା କାଳରେ ମଧ୍ୟ ଶାନ୍ତି ସୈନିକମାନଙ୍କର କାର୍ଯ୍ୟ ଅତୀବ ଉଚ୍ଚକୋଟୀର । ୧୯୬୪ ମସିହାରେ ରାଉରକେଲାରେ ସଂଘଠିତ ହୋଇଥିବା ଭୟାନକ ଦଙ୍ଗାକୁ ରୋକିବାରେ ଶାନ୍ତି ସେନାମାନଙ୍କର ଅବଦାନ ଅତୁଳନୀୟ । ଆଜି ବି ଆସାମ ହେଉ କି ଦିଲ୍ଲୀ, କନ୍ଧମାଳ ହେଉ କି ଭଦ୍ରକ; ଶାନ୍ତି ସୈନିକମାନେ ସାମ୍ପ୍ରଦାୟିକ ଦଙ୍ଗା କାଳରେ ଶାନ୍ତି ରକ୍ଷାର କାର୍ଯ୍ୟ କରି ଦେଶରେ ଭାଇଚାରା ରକ୍ଷାର କାର୍ଯ୍ୟରେ ଲାଗି ରହିଛନ୍ତି ।
ଗାନ୍ଧିଜୀଙ୍କ ଆବର୍ତ୍ତମାନରେ ଅଧିକରୁ ଅଧିକ ତାଙ୍କ ଜୀବନ ଓ କାର୍ଯ୍ୟ ବିଷୟରେ ଦୁନିଆ ଜାଣିବାକୁ ଚାହିଁଲା । ସେହିପରି ମହାତ୍ମାଙ୍କ ବିଚାରକୁ କାର୍ଯ୍ୟ ଆଧାରରେ ବଞ୍ଚାଇ ରଖିବାପାଇଁ ବିନୋବା ଓ ଜୟପ୍ରକାଶଙ୍କ ନେତୃତ୍ୱରେ ଭୂଦାନ ଗ୍ରାମଦାନ ଆନ୍ଦୋଳନ, ଚମ୍ବଲ ଦସ୍ୟୁ ଆତ୍ମସମର୍ପଣ ଆଦି କାର୍ଯ୍ୟ ମାଧ୍ୟମରେ ଚେଷ୍ଟା କରାଯାଇଥିଲା । ଏକ ବିରାଟ କର୍ମୀକୁଳ ଏ ଦିଗରେ କାର୍ଯ୍ୟରତ ଥିଲେ । ଗାନ୍ଧିଜୀଙ୍କ ଅଠରଟି ରଚନାତ୍ମକ କାର୍ଯ୍ୟକ୍ରମ ଆଧାରରେ ଦେଶରେ କାର୍ଯ୍ୟ ଚାଲିଥିଲା । ତେବେ ବିନୋବା ଓ ଜୟପ୍ରକାଶ ଚାହିଁଲେ ସେମାନଙ୍କ କାର୍ଯ୍ୟର ନିରପେକ୍ଷ ବିଶ୍ଳେଷଣ ସମାଜବିଜ୍ଞାନୀମାନଙ୍କ ଦ୍ୱାରା ହେଉ । ଯଦ୍ୱାରା ଏହାରି ପରିସରରେ ‘ଗାନ୍ଧୀ ବିଦ୍ୟା ସଂସ୍ଥାନ’ ନାମରେ ଏକ ବିଶ୍ୱସ୍ତରୀୟ ସମାଜ ବିଜ୍ଞାନ କେନ୍ଦ୍ର ଜୟପ୍ରକାଶ ନାରାୟଣ , ନବକୃଷ୍ଣ ଚୌଧୁରୀ ଆଦିଙ୍କ ପ୍ରୟାସରେ ଆରମ୍ଭ ହେଲା । ଏଥିପାଇଁ ସର୍ବ ସେବାସଂଘ ଜମି ଯୋଗାଇ ଦେଲା ଓ ଉତ୍ତରପ୍ରଦେଶ ଗାନ୍ଧୀ ସ୍ମାରକ ନିଧି ଗୃହ ନିର୍ମାଣ କଲା । ଏହି ସଂସ୍ଥାନରେ ପୃଥିବୀ ବିଖ୍ୟାତ ସମାଜବିଜ୍ଞାନୀ ଆଇଭାନ ଇଲିଚ ଦୀର୍ଘବର୍ଷ ଗବେଷଣା କଲେ । ସେହିପରି ବିଶ୍ୱପ୍ରସିଦ୍ଧ ସମାଜ ବିଜ୍ଞାନୀ ସୁମାକର ତାଙ୍କ ପ୍ରସିଦ୍ଧ ପୁସ୍ତକ “ସ୍ମଲ ଇଜ ବିଉଟିଫୁଲ” ଏହିଠାରେ ଥିବାବେଳେ ରଚନା କରିଥିଲେ । ସ୍ୱିଡେନର ପ୍ରସିଦ୍ଧ ଷ୍ଟକହୋମ ଆନ୍ତର୍ଜାତୀୟ ଶାନ୍ତି ଗବେଷଣା କେନ୍ଦ୍ର ଏହି ସଂସ୍ଥାନ ସହ ସଂଯୁକ୍ତ ହୋଇ କାର୍ଯ୍ୟ ଆରମ୍ଭ କରିଥିଲା । ଗାନ୍ଧୀ ବିଦ୍ୟା ସଂସ୍ଥାନକୁ ନଷ୍ଟ କରିଦେବା ପାଇଁ ଏକ ବିଧିବଦ୍ଧ ଷଡ଼ଯନ୍ତ୍ର ଦୁଇହଜାର ମସିହାରୁ ତତ୍କାଳୀନ ଭାଜପା ସରକାର ଆରମ୍ଭ କରିଥିଲା । ଧୀରେନ୍ଦ୍ର ମଜୁମଦାର, ଦାଦା ଧର୍ମାଧୀକାରୀ, ଆଚାର୍ଯ୍ୟ ରାମମୂର୍ତ୍ତି, ଜେବି କୃପାଳିନୀ ଆଦି ମହାପୁରୁଷମାନଙ୍କର କର୍ମଭୂମି ଥିବା ଏହି ସଂସ୍ଥାନକୁ ଗତ ମଇ ମାସରେ ଜୋରଜବରଦସ୍ତ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧୀନସ୍ଥ ଇନ୍ଦିରା ଗାନ୍ଧୀ କଳାକେନ୍ଦ୍ରକୁ ହସ୍ତାନ୍ତରିତ କରାଯାଇଛି ।
ସର୍ବ ସେବାସଂଘ ପକ୍ଷରୁ ତିନି ଦଫାରେ ୧୩.୯୦ ଏକର ଜମି ଉତ୍ତର ରେଲୱେର ଡିଭିଜନାଲ ଇଞ୍ଜିନିଅରଙ୍କଠାରୁ ବିକ୍ରି କବଲା ମାଧ୍ୟମରେ କିଣା ଯାଇଥିଲା ଓ ଏଥିପାଇଁ ରେଳ ବିଭାଗକୁ ଟ୍ରେଜେରୀ ଚାଲାଣ ମାଧ୍ୟମରେ ଅର୍ଥ ପ୍ରଦାନ କରାହୋଇଥିଲା । ରେଳ ବିଭାଗ ଏହି ଜମିକୁ ଅବୈଧ କହିବା ହେତୁ ବର୍ତ୍ତମାନ ନ୍ୟାୟାଳୟରେ କେସ ଚାଲିଥିବା ବେଳେ ରେଳ ବିଭାଗ ଏହି ସମ୍ପତ୍ତିକୁ ଦଖଲ କରିବା ପାଇଁ ପରିସରରେ ଥିବା ଘରଗୁଡିକୁ ଭାଙ୍ଗିଦେବା ନିମନ୍ତେ ନୋଟିସ ଲଗାଇବା ନ୍ୟାୟ ବ୍ୟବସ୍ଥା ପ୍ରତି ଅପମାନ ନୁହେଁ କି? ସର୍ବ ସେବାସଂଘର ଏହି କେନ୍ଦ୍ରକୁ ତତ୍କାଳୀନ ରେଳମନ୍ତ୍ରୀ ବାବୁ ଜଗଜୀବନ ରାମ ଶୁଭ ଦେଇଥିବାବେଳେ ପରବର୍ତ୍ତୀ ସମୟରେ ପ୍ରଧାନମନ୍ତ୍ରୀ ହୋଇଥିବା ଲାଲବାହାଦୁର ଶାସ୍ତ୍ରୀ ଉଦଘାଟନ କରିଥିଲେ । ବାରାଣସୀ ବର୍ତ୍ତମାନର ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନ କ୍ଷେତ୍ର ତଥା ବର୍ତ୍ତମାନର ରେଳମନ୍ତ୍ରୀ ଜଣେ ଉଚ୍ଚଶିକ୍ଷିତ ବ୍ୟକ୍ତି । ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀ ଯଦି ଦିନ ଦୁଇପ୍ରହରରେ ଗାନ୍ଧୀ ବିଚାରର ଏହି ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ଦଖଲ କରିବାକୁ ହେଉଥିବା ଷଡ଼ଯନ୍ତ୍ରକୁ ରୋକିବେ ନାହିଁ, ତେବେ ସାଧାରଣ ଭାରତୀୟ ଜନତା ଆଉ କାହାଠାରୁ ନ୍ୟାୟର ଅପେକ୍ଷା କରିବେ? ସାବରମତୀଠାରୁ ବାରାଣସୀଯାଏ ଗାନ୍ଧୀ ବିଚାରର ସଂସ୍ଥା ସବୁ ପ୍ରତି ଏତେ ବିଦ୍ୱେଷ କାହିଁକି?
Comments
0 comments