ଆମେ ଭାରତୀୟ ନାଗରିକମାନେ ୧୯୫୦ ଜାନୁୟାରୀ ୨୬ରୁ ସାମ୍ବିଧାନିକ ଗଣତନ୍ତ୍ରକୁ ଗ୍ରହଣ କରି ନୂତନଭାବେ ଏଭଳି ଏକ ରାଷ୍ଟ୍ର ପରିକଳ୍ପନା କରି ଆସିଛୁ ଯାହାର ସ୍ୱରୂପ ସାର୍ବଭୌମ ଗଣତାନ୍ତ୍ରିକ ଧର୍ମନିରପେକ୍ଷ ଓ ସମାଜବାଦୀରୂପେ ଜୀବନ୍ତ ରହିବ । ଆମ ଦୃଷ୍ଟିଭଙ୍ଗି, ଚାଲିଚଳନ କର୍ତ୍ତବ୍ୟ ଓ ଲକ୍ଷ୍ୟ ନିର୍ଦ୍ଧାରିତ ହୋଇଛି ସମ୍ବିଧାନର ଆମୁଖ ବା ପ୍ରି-ଏମ୍ବୁଲରେ । ସାମ୍ବିଧାନିକ ଓ ଗଣତାନ୍ତ୍ରିକ ବ୍ୟବସ୍ଥାର ଭିତ୍ତିଭୂମି ହେଉଛି ଉପନିବେଶ ଶାସନ ବିରୋଧରେ ଏକଶତ ବର୍ଷର ମୁକ୍ତିଆନ୍ଦୋଳନର ମୂଲ୍ୟବୋଧ । ସେହି ମୂଲ୍ୟବୋଧ ପ୍ରାପ୍ତ ହୋଇଛି ହଜାର ହଜାର ଜନତାଙ୍କ ଜୀବନ ଦାନରେ । ଏମାନଙ୍କ ମଧ୍ୟରେ ହିନ୍ଦୁ, ମୁସଲମାନ, ଶିଖ, ଦଳିତ, ଆଦିବାସୀ ସମେତ ସମସ୍ତ ଧର୍ମ ଓ ଜାତିର ହଜାର ହଜାର ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗର ଇତିହାସ ରହିଛି ।
ସାମ୍ବିଧାନିକ ଗଣତନ୍ତ୍ରରେ ସଂସଦୀୟ ବ୍ୟବସ୍ଥା ସହ ରାଜ୍ୟ ବିଧାନସଭା, ସ୍ୱାଧୀନ ବିଚାରାଳୟ ଓ ଦାୟିତ୍ୱଶୀଳ ପ୍ରଶାସନିକ ବ୍ୟବସ୍ଥାର ଦାୟିତ୍ୱ ଓ ପରିଚାଳନା ପାଇଁ ସାମ୍ବିଧନିକ ନିର୍ଦ୍ଦେଶ ରହିଛି । ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ନେତୃତ୍ୱରେ ଗଣତାନ୍ତ୍ରିକ ଭିତ୍ତି ସ୍ଥାପନ ହୋଇଛି । ଆରମ୍ଭରୁ ଏକ ଗଣତାନ୍ତ୍ରିକ ଓ ବିଜ୍ଞାନସମ୍ମତ ସମାଜ ଗଠନ କରିବାକୁ ହୋଇଥିବା ଉଦ୍ୟମରେ ନେହେରୁଙ୍କ ଅବଦାନ ଅବିସ୍ମରଣୀୟ । ନୀତିଗତ ହେଉ କିମ୍ବା ଶାସନଗତ ଭୁଲର ସମାଲୋଚନା ହେଉଥିଲା, ପ୍ରତିବାଦ ହେଉଥିଲା । କିନ୍ତୁ ପ୍ରତିଶୋଧପରାୟଣ ରାଜନୀତି ନ ଥିଲା । ଏକ ଗତିଶୀଳ ଗଣତାନ୍ତ୍ରିକ ବ୍ୟବସ୍ଥାଟିର ସୁରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ଓ ସରକାରୀ ଦଳ ଖୁବ୍ ସଚେତନ ଥିଲେ । ବିରୋଧିଦଳର ସମାଲୋଚନା ପ୍ରତି ସମ୍ମାନ ଓ ସହନଶୀଳତା ଥିଲା । ୧୯୭୫ ଜରୁରୀ ପରିସ୍ଥିତି ଏକ କଳା ଇତିହାସ ସୃଷ୍ଟି କଲା ଯେଉଁଦ୍ୱାରା ୨୧ମାସ ପର୍ଯ୍ୟନ୍ତ ଶାସନଟି ଏକଛତ୍ରବାଦୀ ହୋଇଯାଇ ସାମ୍ବିଧାନିକ ଅଧିକାରଗୁଡ଼ିକୁ ଛିନ୍ନ କରିଥିଲା । କିନ୍ତୁ ସାଧାରଣ ଜନତା ଏକଛତ୍ରବାଦକୁ ପ୍ରତ୍ୟାଖ୍ୟାନ କରି ୧୯୭୭ ନିର୍ବାଚନରେ ଗଣତନ୍ତ୍ରକୁ ପୁନର୍ଦ୍ଧାର କରିଥିଲେ । ଏହା ବି ସତ୍ୟ ଯେ ଜଣେ ବିଚାରପତିଙ୍କ ରାୟ ଦ୍ୱାରା ପ୍ରଧାନମନ୍ତ୍ରୀ ନିଜ ଲୋକସଭା ସଦସ୍ୟତା ହରାଇବାକୁ ପଡ଼ିଥିଲା ଏବଂ ନିଜେ ପୁଣି ନିର୍ବାଚନରେ ପରାଜିତ ହୋଇଥିଲେ । ପରବର୍ତ୍ତୀ ନିର୍ବାଚନରେ ଜନତା ରାୟ ଦ୍ୱାରା ପୁଣି ଇନ୍ଦିରାଗାନ୍ଧୀ କ୍ଷମତାକୁ ଫେରିଥିଲେ । ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥା ପାଇଁ ଏକ ବଡ଼ ପରୀକ୍ଷାଥିଲା ଘୋଷିତ ଜରୁରୀ ପରିସ୍ଥିତିରୁ ମୁକ୍ତି ପାଇଁ । ଜରୁରୀ ପରିସ୍ଥିତିରେ ଏକଛତ୍ରବାଦର ଦମନ ସୀମିତ ଥିଲା କେବଳ ବିରୋଧୀ ରାଜନୈତିକ ଦଳ ଓ ନିର୍ଦ୍ଦଳୀୟ ଆନ୍ଦୋଳନକାରୀଙ୍କୁ ଜବତ କରିବା ପାଇଁ । ସେତେବେଳେ ଧର୍ମକୁ ନେଇ କିମ୍ବା ଜାତିକୁ ନେଇ କେହି ଶାସନର ଟାର୍ଗେଟ ନଥିଲା । କିମ୍ବା ପୁଞ୍ଜିପତିମାନଙ୍କ ମୁନାଫା ପାଇଁ ଅଧିକ ସୁଯୋଗ ଦେବା ପାଇଁ ଜରୁରୀ ପରିସ୍ଥିତିକୁ ବ୍ୟବହାର କରାଯାଇନଥିଲା । ଇନ୍ଦିରାଗାନ୍ଧୀ ଆମେରିକା ସାମ୍ରାଜ୍ୟବାଦ ଆଗରେ କେବେ ସାଲିସ କରିନଥିଲେ କିମ୍ବା ରାଷ୍ଟ୍ରୀୟ ସ୍ୱାର୍ଥକୁ ବଳି ପକାଇ ନଥିଲେ । ରାଷ୍ଟ୍ରାୟତ୍ତ ପ୍ରକଳ୍ପଗୁଡ଼ିକୁ ସୁଦୃଢ଼ କରିଥିଲେ । ବ୍ୟାଙ୍କ ରାଷ୍ଟ୍ରୀୟକରଣ ତାଙ୍କରି ଏକ ପ୍ରଗତିଶୀଳ ନିଷ୍ପତ୍ତି ଥିଲା । ଏହା ସତ୍ତ୍ୱେ ତାଙ୍କରି ଶାସନରେ ଅନୁଭୂତ ବେକାରୀ, ଦାରିଦ୍ର୍ୟ ଓ ଭ୍ରଷ୍ଟାଚାର ବିରୋଧରେ ଯୁବ-ଛାତ୍ର ଆନ୍ଦୋଳନ ଲୋକନାୟକ ଜୟପ୍ରକାଶଙ୍କ ନେତୃତ୍ୱରେ ଏକ ନୂଆ ରାଜନୀତି ପାଇଁ ସ୍ୱପ୍ନ ଦେଖାଇଥିଲା । ତାହା ବ୍ୟବସ୍ଥାର ପରିବର୍ତ୍ତନ । କିନ୍ତୁ କ୍ଷମତାସୀନ ଜନତା ପାର୍ଟି ସରକାର ତାକୁ ଅଣଦେଖା କରି ନିଜେ ଭୁଷୁଡ଼ି ପଡ଼ିଲା ।
ଏବେ ପୁଣି ୪୬ବର୍ଷ ପରେ ଆଜି ଆମେ ଏକ ଅଘୋଷିତ ଜରୁରୀ ପରିସ୍ଥିତିର ସାମ୍ନା କରୁଛେ । ପ୍ରଧାନମନ୍ତ୍ରୀ ନିଜେ ବ୍ୟକ୍ତିବାଦୀ ହୋଇ ନିଜ ଅହଂକାରକୁ ସାବ୍ୟସ୍ତ କରିଚାଲିଛନ୍ତି । ନିଜ କ୍ୟାବିନେଟ ସହଯୋଗୀ ମନ୍ତ୍ରୀମାନଙ୍କ ସ୍ୱାଧୀନତାକୁ ସଙ୍କୁଚିତ କରି ଦେଇଛନ୍ତି କେବଳ ଜଣକ ବ୍ୟତୀତ । ଆର୍ଥିକ ନୀତି ନିୟାମକ ନିଷ୍ପତ୍ତି ନେବାବେଳେ ନିଜ ଅର୍ଥମନ୍ତ୍ରୀଙ୍କୁ ଓ ରିଜର୍ଭବ୍ୟାଙ୍କକୁ ଅନ୍ଧାରରେ ରଖିପାରନ୍ତି । ନୋଟ ବନ୍ଦୀ ଘୋଷଣା ପୂର୍ବରୁ ତତ୍କାଳୀନ ଅର୍ଥମନ୍ତ୍ରୀ ଜାଣି ନଥିଲେ କିମ୍ବା ରିଜର୍ଭବ୍ୟାଙ୍କର ନିଜସ୍ୱ ମତ ନ ଥିଲା । ସେହିପରି କଂଗ୍ରେସ ସରକାର ଦ୍ୱାରା ହୋଇଥିବା ଯୁଦ୍ଧବିମାନ ରାଫେଲ ଚୁକ୍ତିକୁ ରଦ୍ଦ କରି ପୁଣି ନୂଆ ଚୁକ୍ତି କଲାବେଳେ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ମଧ୍ୟ ଅଗୋଚର ଥିଲା । ନୋଟବନ୍ଦୀ ଯେ ସାଧାରଣ ଲୋକଙ୍କ ଶତ୍ରୁଥିଲା, ତଥାପି ମିଥ୍ୟା ପ୍ରଚାର ଚାଲିଲା । ଏ ପର୍ଯ୍ୟନ୍ତ କୁହାଗଲା ନାହିଁ କାହିଁକି କଂଗ୍ରେସ କରିଥିବା ରାଫେଲ ଚୁକ୍ତିକୁ ବାତିଲ କରି ପୁନଃ ସେହି ଯୁଦ୍ଧ ବିମାନ ଓ ସେହି କଂପାନୀଠାରୁ କିଣାଗଲା ଦୁଇଗୁଣା ଦାମ୍ରେ, ୧୨୬ ବଦଳରେ ମାତ୍ର ୩୬ଟି । ପୂର୍ବଚୁକ୍ତିରେ ଥିଲା କଂପାନୀ ଭାରତର ରାଷ୍ଟ୍ରୀୟ କଂପାନୀ ହାଲକୁ ବୈଷୟିକ ଜ୍ଞାନକୌଶଳ ହସ୍ତାନ୍ତର କରି ମିଳିତ ଉଦ୍ୟମରେ ଯୁଦ୍ଧ ବିମାନ ରାଫେଲ ନିର୍ମିତ ହେବ । କିନ୍ତୁ ନୂଆ ଚୁକ୍ତିରେ ହାଲକୁ ବିଦା କରି ଦେବାଳିଆ ଘୋଷିତ ହୋଇଥିବା ଅନୀଲ ଅମ୍ବାନିଙ୍କ ସଦ୍ୟ ନୂଆକରି ଗଠିତ କଂପାନୀକୁ ସାମିଲ କରାଗଲା । ଏଥିରେ ଯେ କିକ୍ବ୍ୟାକ ଅଭିଯୋଗ ବିଶ୍ୱାସଯୋଗ୍ୟ ହେଲେ ବି ସଂସଦୀୟ କମିଟିଦ୍ୱାରା ଯାଂଚ ପାଇଁ ସରକାର ମନା କରିଦେଲେ । ସରକାରଙ୍କ ସମର୍ଥନରେ ସୁପ୍ରିମକୋର୍ଟ ମଧ୍ୟ ବିନା ତଦନ୍ତରେ ରାଫେଲ ସୌଦାକୁ ଦୁର୍ନୀତିମୁକ୍ତ କରିଦେଲେ ।
ଗଣତାନ୍ତ୍ରିକ ସାମ୍ବିଧାନିକ ପଦଗୁଡ଼ିକର ହିନ୍ଦୁତ୍ୱବାଦୀଙ୍କୁ ସ୍ଥାନିତ କରାଚାଲିଛି । କେନ୍ଦ୍ରୀୟ ବିଦ୍ୟାଳୟମାନଙ୍କରେ ସ୍ୱୟଂସେବକ ସଂଘର ବିଚାରକୁ ଗ୍ରହଣ କରିଥିବା ବ୍ୟକ୍ତିମାନଙ୍କୁ କୁଳପତି ରୂପେ ନିଯୁକ୍ତ କରାଯାଉଛି । ଇତିହାସକୁ ବିକୃତ କରିବା ପାଇଁ ହିନ୍ଦୁତ୍ୱବାଦୀ ଲେଖକମାନଙ୍କୁ ଦାୟିତ୍ୱ ଦିଆଯାଇଛି । ଆଇନର ଶାସନ ବଦଳରେ ଆଇନ ଦ୍ୱାରା ଶାସନ ଜରିଆରେ ଅରାଜକତା ସୃଷ୍ଟି କରାଯାଉଛି । ପ୍ରଚାର “ବେଟି ପଢ଼ାଅ ବେଟି ବଚାଅ” କିନ୍ତୁ ମହିଳାଙ୍କ ଉପରେ ଅତ୍ୟାଚାର କରୁଥିବା ଶାସକଦଳର ବ୍ୟକ୍ତିମାନଙ୍କୁ ପୋଲିସର ସୁରକ୍ଷା ଯୋଗାଇ ଦିଆଯାଇଛି । ମହିଳା କୁସ୍ତିଯୋଦ୍ଧାମାନଙ୍କ ଯୌନଶୋଷଣ କରିଥିବା ବିଜେପିର ସାଂସଦ ବ୍ରିଜଭୂଷଣଙ୍କୁ ପୋଲିସ ଛୁଇଁପାରିଲା ନାହିଁ । ମହିଳା କୁସ୍ତିଯୋଦ୍ଧାଙ୍କ ସତ୍ୟାଗ୍ରହ ଉପରେ ପୋଲିସର ଦମନ ଚାଲିଲା । ପ୍ରତିବାଦ ହେଲା ସମଗ୍ର ଦେଶରେ । କିନ୍ତୁ ପ୍ରଧାନମନ୍ତ୍ରୀ ନିରବ । ମଣିପୁରରେ ବିଜେପି ସରକାର । କିନ୍ତୁ କୁକି ଆଦିବାସୀ ଓ ମାଇତି ମଧ୍ୟରେ ଗୃହଯୁଦ୍ଧ ଦେଖାଦେଉଛି । ହିଂସାର ବାତାବରଣ, ଅରାଜକତାର ନିଆଁ ଜଳୁଛି । ଏହି ପରିସ୍ଥିତିର ସୁଯୋଗ ନେଇ ହିନ୍ଦୁତ୍ୱବାଦୀମାନେ ୨୪୭ଟି ଚର୍ଚ୍ଚ ପୋଡ଼଼ି ଦେଇଛନ୍ତି । କିନ୍ତୁ ପ୍ରଧାନମନ୍ତ୍ରୀ ନୀରବ । ନିଜ ଦଳର ମୁଖ୍ୟମନ୍ତ୍ରୀ ଅରାଜକତା ପାଇଁ ଦାୟୀହେଲେ ବି କେନ୍ଦ୍ରର ପ୍ରତିକ୍ରିୟା ନାହିଁ । ଦେଶରେ ଦରବୃଦ୍ଧି, ବେକାରୀ ବୃଦ୍ଧି ସାଙ୍ଗକୁ ଘୃଣା ଓ ହିଂସାର ରାଜନୀତି ଦ୍ୱାରା ଷାଠିଏ ପ୍ରତିଶତ ଜନତା ଅସୁରକ୍ଷିତ । କିନ୍ତୁ ଦେଶର ସମ୍ପଦ ଲୁଟୁଥିବା ଓ ସରକାରୀ କଳର ସହଯୋଗ ପାଉଥିବା କର୍ପୋରେଟ ନିୟନ୍ତ୍ରିତ ଗଣମାଧ୍ୟମ ନିଜର ସ୍ୱାଧୀନତା ହରାଇ ଏବେ ହିଟଲରୀ ଶାସନର ନିର୍ଦ୍ଦେଶରେ ମିଥ୍ୟା ତଥ୍ୟ, ମିଥ୍ୟା ସଂବାଦ ପରିବେଷଣ କରିଚାଲିଛି । ଚାରିଆଡ଼େ ଭୟର ବାତାବରଣ ସୃଷ୍ଟି କରାଯାଇଛି । ଗତ ନିର୍ବାଚନ (୨୦୧୯) ପୂର୍ବରୁ କାଶ୍ମୀରର ପୁଲମାବାଠାରେ ଜବାନମାନଙ୍କ ଜୀବନ ରକ୍ଷାକରିବା ପାଇଁ ଜାଣିଶୁଣି ସୁରକ୍ଷା ବ୍ୟବସ୍ଥା ନ କରିବା ଦ୍ୱାରା ୪୦ଜଣ ସହିଦ ହେଲେ ପାକିସ୍ଥାନୀ ସନ୍ତ୍ରାସବାଦୀଙ୍କ ବୋମା ଦ୍ୱାରା । ସେହି ଅକ୍ଷମଣୀୟ ଭୁଲକୁ ଦର୍ଶାଇ ତତ୍କାଳୀନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ପ୍ରଧାନମନ୍ତ୍ରୀଙ୍କୁ ଜଣାଇବା ପରେ ପ୍ରଧାନମନ୍ତ୍ରୀ ତାଙ୍କୁ ନୀରବ ରହିବାକୁ ନିର୍ଦ୍ଦେଶ ଦେଲେ । ଅର୍ଥାତ୍ ସେ ଯେଉଁ ସୁଯୋଗ ଚାହୁଁଥିଲେ ତାହା ମିଳିଗଲା । ସହିଦଙ୍କୁ ସମ୍ମାନ ନାମରେ ଦେଶର ସୁରକ୍ଷା ପାଇଁ ଭୋଟଦାତାଙ୍କୁ ଉନ୍ମାଦିତ କରି ପୁନଃ କ୍ଷମତାକୁ ଆସିବା ପରେ ଦେଶରେ ବିକାଶର କଥା କୁହାଯାଉନି, ବେକାରୀ, ଦରଦାମ ବୃଦ୍ଧି କଥା କୁହାଯାଉନି । ବରଂ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ରାଜକୀୟ ଢାଞ୍ଚାରେ ହିଟଲରୀ ଫାସିବାଦୀ ଶାସନ ବ୍ୟବସ୍ଥା ପ୍ରଚଳନ ପାଇଁ ସଂଖ୍ୟାଲଘୁ ସଂପ୍ରଦାୟ ମଧ୍ୟରେ ଭୟ ସୃଷ୍ଟି କରାଯାଉଛି ।
୨୦୧୮ରେ ପ୍ରଧାନମନ୍ତ୍ରୀ ଘୋଷଣା କଲେ ଯେ ଗୋଟିଏ ଟଙ୍କା ମଧ୍ୟ ଋଣ ଖିଲାପକାରୀଙ୍କୁ ଛାଡ଼ କରାଯିବ ନାହିଁ । କିନ୍ତୁ ଗତ ୧୦ବର୍ଷ ମଧ୍ୟରେ ୧୩୨୨୩୦୯ କୋଟି ଟଙ୍କା ଅନାଦେୟ ଋଣ ଛାଡ଼ି ଦିଆଯାଇଛି । ଏଥି ମଧ୍ୟରେ ଛାଡ଼ ପାଇଥିବା ବଡ଼ ବଡ଼ କଂପାନୀ ମାଲିକମାନେ ପୁଣି ଋଣ ପାଇଛନ୍ତି । କେବଳ ୨୦୨୩ରେ ଏ ପର୍ଯ୍ୟନ୍ତ ୧୩୫୩୦ କୋଟି ଟଙ୍କା ଜାଲିଆତି ହୋଇଥିବା ରିପୋର୍ଟ ଦିଆଯାଇଛି ବ୍ୟାଙ୍କମାନଙ୍କ ତରଫରୁ । ୨୦୨୧-୨୨ରେ ଋଣ ଜାଲିଆତି ପରିମାଣ ୯୭୨୪୫ କୋଟି ଟଙ୍କା ଯାହାକି ୧୦୦କୋଟି ଟଙ୍କା ଊର୍ଦ୍ଧ୍ୱ ଋଣ ନେଇଥିବା କଂପାନୀମାନଙ୍କ ଦ୍ୱାରା ହୋଇଛି । ଋଣ ଠକାମିର ଶିକାର ହୋଇଥିବା ବ୍ୟାଙ୍କଗୁଡ଼ିକର ତାଲିକା : ବ୍ୟାଙ୍କ୍ ଅଫ୍ ବରୋଦାର ୧୧୨୩୮ କୋଟି, ବ୍ୟାଙ୍କ ଅଫ୍ ଇଣ୍ଡିଆର ୧୪୧୫୬ କୋଟି, ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରର ୩୩୪୪ କୋଟି, କାନାରା ବ୍ୟାଙ୍କ ୯୪୭୨ କୋଟି, ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆର ୩୮୩୩ କୋଟି, ଇଣ୍ଡିଆନ ବ୍ୟାଙ୍କ୍ରେ ୪୫୯୮କୋଟି, ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କର ୩୯୧୦ କୋଟି, ପଞ୍ଜାବ ନ୍ୟାସନ୍ୟାଲ ବ୍ୟାଙ୍କ ୧୫୫୬୦ କୋଟି, ପଞ୍ଜାବ ସିନ୍ଦ୍ ବ୍ୟାଙ୍କର ୩୪୫୩ କୋଟି, ଷ୍ଟେଟବ୍ୟାଙ୍କର ୧୨୫୨୪ କୋଟି, ୟୁକୋ ବ୍ୟାଙ୍କ ୨୯୯୩ କୋଟି, ୟୁନିୟନ ବ୍ୟାଙ୍କ ୧୨୧୬୪କୋଟି ଟଙ୍କାର ଋଣ ଖିଲାପ କରାଯାଇଛି । ଗତ ୫ବର୍ଷ ମଧ୍ୟରେ ୯୮୩ ଋଣଗ୍ରହୀତା ମୋଟ ୩୭୨୪୦୦ କୋଟି ଟଙ୍କା ଋଣ ଜାଣିଶୁଣି ପରିଶୋଧ କରିନାହାନ୍ତି ଅର୍ଥାତ୍ ଏମାନେ ଏବେ ରିଜର୍ଭବ୍ୟାଙ୍କର ନୂଆ ନିର୍ଦ୍ଦେଶ ଅନୁଯାୟୀ ୧୦କି ୨୦ ପ୍ରତିଶତ ଫେରାଇ ଋଣମୁକ୍ତ ହୋଇଯିବା ସହ ଅପରାଧମୁକ୍ତ ହୋଇଯିବେ ।
ଅନ୍ୟ ପକ୍ଷରେ ଦରଦାମ ବୃଦ୍ଧି ଅବିଚାରିତ ଭାବରେ ହେଉଛି । ଏପରି ଅର୍ଥନୈତିକ ଅସଫଳତାର କାରଣ ରାଜନୈତିକ ନିଷ୍ପତ୍ତି ମୂଳରେ ଦୁର୍ନୀତି ଭରି ରହିଛି । ନିର୍ବାଚନରେ ପ୍ରଚୁର ବ୍ୟୟ ଓ ନିର୍ବାଚନ ପରେ ବିରୋଧୀ ଦଳର ବିଧାୟକମାନଙ୍କୁ କିଣିବା ପାଇଁ ହଜାର ହଜାର କୋଟି ଟଙ୍କା ବିନିମୟ ହେବା ଆଲୋଚିତ ହୋଇଛି । କିନ୍ତୁ ଗତ ୯ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଏକମାତ୍ର କାମ ନିର୍ବାଚନ ଜିତିବାକୁ ହିଂସା, ଦ୍ୱେଷ, ଧର୍ମ, ଜାତି ଓ ଅର୍ଥ ଜରିଆରେ ଭୋଟ ସଂଗ୍ରହ କରିବାପାଇଁ ଧୃବୀକରଣ ରାଜନୀତି । ଆଉ ଏକ ମୁଖ୍ୟ କାମ ଆରଏସ୍ଏସ୍ର ଏଜେଣ୍ଡାକୁ କାର୍ଯ୍ୟକାରୀ କରାଇବା ପାଇଁ ଧର୍ମୀୟ ସାଂପ୍ରଦାୟିକତାର ବାତାବରଣ ସୃଷ୍ଟି କରିବାକୁ କ୍ଷମତାର ଅପପ୍ରୟୋଗ । ମୁସଲମାନ ଓ ଖ୍ରୀଷ୍ଟିୟାନମାନଙ୍କୁ ଦ୍ୱିତୀୟ ଶ୍ରେଣୀ ନାଗରିକ କରିବାକୁ ପ୍ରୟାସ । ସଂସଦରେ ବିନା ଆଲୋଚନାରେ ବିଲ ଗୃହୀତ କରାଇବା ସହ କଂପାନୀଗୁଡ଼ିକୁ ଅତ୍ୟଧିକ ଅନୁଗ୍ରହ କାରିବାକୁ ଜନବିରୋଧୀ ଆଇନ କରିବା ଓ ନିୟମାବଳୀ ତିଆରି କରିବାରେ କେନ୍ଦ୍ର ସରକାର ବ୍ୟସ୍ତ । ଶିକ୍ଷାକୁ ଘରୋଇକରଣ ଓ ସାଂପ୍ରଦାୟିକୀକରଣ ପାଇଁ ନୀତି ନିର୍ଦ୍ଧାରିତ ହୋଇସାରିଛି । ସ୍କୁଲ ଛାତ୍ରଛାତ୍ରୀଙ୍କୁ ବିଜ୍ଞାନ ବଦଳରେ ମିଥ୍ ଆଧାରିତ ପୁରାଣ ଗଠନ ପାଇଁ ନିର୍ଦ୍ଦେଶ ଦିଆଯାଉଛି ।
ସୁପ୍ରିମକୋର୍ଟ ନ୍ୟାୟବ୍ୟବସ୍ଥାର ସର୍ବୋଚ୍ଚ କର୍ତ୍ତା ଯିଏକି ସାମ୍ବିଧାନିକ ଅଧିକାରର ରକ୍ଷାକର୍ତ୍ତା । କିନ୍ତୁ ଗତ ୯ବର୍ଷ ମଧ୍ୟରେ ନୋଟବନ୍ଦୀ, ଲକଡାଉନରେ ଲକ୍ଷ ଲକ୍ଷ ଶ୍ରମିକଙ୍କ ଯନ୍ତ୍ରଣାଦାୟକ ପଦଯାତ୍ରା, ହେବିୟସ କର୍ପାସ ମାମଲା, ଜଜ୍ ଲୋୟାଙ୍କ ସହେନ୍ଦଜନକ ମୃତ୍ୟୁ ଯାଞ୍ଚ ପାଇଁ ଆବେଦନ ଏପରି ଅନେକ ଜନସ୍ୱାର୍ଥ ମାମଲାକୁ ନେଇ ସୁପ୍ରିମକୋର୍ଟ ଓ ରାଜ୍ୟର ହାଇକୋର୍ଟମାନଙ୍କରେ ଅନେକ ମାମଲାକୁ ଜାଣିଶୁଣି ଶୁଣାଣି ଶୀତଳ ଭଣ୍ଡାରରେ ରଖି ଦିଆଯାଇଛି । ସରକାର ବା ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ମାମଲା ଉପରେ ଓଲଟା ପ୍ରତିକ୍ରିୟା ଦିଆଯାଉଛି ସତେ ଯେପରି କି ସେ ଆଇନ ଊର୍ଦ୍ଧ୍ୱରେ । ଆଜି ଦେଶର ସ୍ୱାଧୀନ ସ୍ୱାଭିମାନ ସାମ୍ବାଦିକ, ଶିକ୍ଷାବିତ୍, ଲେଖକ ସାମାଜିକ କର୍ମକର୍ତ୍ତା, ଜେଏନ୍ୟୁ ଓ ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟର ପ୍ରଗତିଶୀଳ ଛାତ୍ର ଆଜି ଦୀର୍ଘ ୫ବର୍ଷରୁ ଅଧିକ ଜେଲରେ ରହିଛନ୍ତି ମିଥ୍ୟା ମାମଲାରେ । ବିରୋଧୀଙ୍କୁ ଜେଲରେ ରଖିବା ପାଇଁ ‘ଉପା’କୁ ସଂଶୋଧନ କରାଯାଇଛି ଜାମିନ ନ ଦେବାକୁ । ନିର୍ଦ୍ଦୋଷ ବୋଲି ପ୍ରମାଣିତ କରିବା ଅଭିଯୁକ୍ତର ଦାୟିତ୍ୱ ଯାହାକି ଆଇନର ପ୍ରକୃତ ନ୍ୟାୟ ହେଉଛି ଅଭିଯୋଗକାରୀଙ୍କୁ ଦୋଷ ପ୍ରମାଣିତ କରିବାକୁ ହୁଏ ।
ନୋଟବନ୍ଦୀ ଯେ ସମ୍ପୂର୍ଣ୍ଣ ଜନବିରୋଧୀ ଥିଲା, ଓ କଳା ଟଙ୍କାକୁ ଧଳା କରି ଦିଆଗଲା, ଛୋଟ ଓ ମଧ୍ୟମ ଶିଳ୍ପ ବନ୍ଦ ହୋଇଗଲା ଓ ଦୁଇ ଲକ୍ଷରୁ ଅଧିକ ନିଯୁକ୍ତି ହରାଇବାକୁ ପଡ଼ିଲା । ଏକହଜାର ଟଙ୍କିଆ ନୋଟ ହଟାଇ ଦୁଇହଜାର ଟଙ୍କା କରାଇଲେ । ଏବେ ପାଞ୍ଚ ବର୍ଷ ପରେ ପୁଣି ତାକୁ ହଟାଇ ଦିଆଯାଇଛି । ଏସବୁ ଆର୍ଥିକ ଖୋଖଲାପଣର ନମୁନା । ଏହା ସତ୍ତ୍ୱେ ପ୍ରଧାନମନ୍ତ୍ରୀ ଦୋଷ ସ୍ୱୀକାର କରିବାକୁ ପ୍ରସ୍ତୁତ ନୁହନ୍ତି । ବରଂ ମିଥ୍ୟା ତଥ୍ୟ ନେଇ ଦେଶବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି । ଆର୍ଥିକ ସଂକଟ ଘନୀଭୂତ ହେଉଛି । ସବୁକିଛି ଦେଶର ରାଷ୍ଟ୍ରୀୟ ସଂପଦଗୁଡ଼ିକ ବିଶେଷ କରି ଲାଭକାରୀ ପ୍ରକଳ୍ପଗୁଡ଼ିକୁ ଶସ୍ତାରେ ଘରୋଇ କଂପାନୀ ହାତରେ ଟେକି ଦିଆଯାଉଛି । କର୍ପୋରେଟ ଟିକସ ଛାଡ଼ହେବା ବେଳେ ସାଧାରଣ ଖାଉଟି ଠାରୁ ପେଟ୍ରୋଲ, ଡିଜେଲ ଉପରେ ଅତ୍ୟଧିକ ଟିକସ ଓ ସମସ୍ତ ଦ୍ରବ୍ୟ ଓ ସେବା ଉପରେ ଜିଏସ୍ଟି ଆଦାୟ କରି ନିମ୍ନ ମଧ୍ୟବିତ୍ତ ଓ ଗରିବଙ୍କ ପକେଟ ଲୁଟ୍ କରାଯାଉଛି । ଏବେ ରାଷ୍ଟ୍ରୀୟ ବ୍ୟାଙ୍କମାନଙ୍କରୁ ଲକ୍ଷାଧିକ ଟଙ୍କାର ଋଣ ନେଇ ନୀରବ ମୋଦୀ, ବିଜୟ ମାଲିଆ, ଚୋକ୍ସି ପରି ବ୍ୟକ୍ତିମାନେ ବିଦେଶରେ ସୁରକ୍ଷିତ । ଏମାନଙ୍କ ଲୁଟ ଅର୍ଥରୁ ଶାସକଦଳର ପାଣ୍ଠିକୁ ଆସୁଛି ହଜାର ହଜାର କୋଟି । ଗତ ୯ବର୍ଷ ମଧ୍ୟରେ ଅନୀଲ ଅମ୍ବାନୀ, ଗୌତମ ଆଦାନୀ ପରି ଅନେକ କର୍ପୋରେଟ ମାଲିକମାନେ ୧୯ଲକ୍ଷ କୋଟି ଟଙ୍କା ବ୍ୟାଙ୍କମାନଙ୍କରୁ ଋଣ ନେଇ ପରିଶୋଧ କରିବା ବଦଳରେ ନୂଆ ସରକାରୀ ଆଇନ ଓ ନିୟମ ଜରିଆରେ ଋଣ ମୁକ୍ତ ହୋଇଯାଉଛନ୍ତି । ଗୋଟିଏ ପକ୍ଷରେ କେନ୍ଦ୍ରର ରାଜସ୍ୱ ଅଭାବ ଦର୍ଶାଇ ସାଧାରଣ ନାଗରିକ ପକେଟରୁ ପ୍ରତିଦିନ ନିଆଯାଉଥିବା ବେଳେ ଘରୋଇ କଂପାନୀମାନଙ୍କୁ ଋଣ ପରିଶୋଧ ନ କରିବାପାଇଁ ନୂଆ ଆଇନ ହୋଇଛି । ତାହାକୁ ଲାଗୁ କରିବାକୁ ନ୍ୟାସନାଲ କଂପାନୀର ଟ୍ରିବ୍ୟୁନାଲ ଗଠନ କରାଯାଇ ଏକ ଲକ୍ଷ କୋଟି ଟଙ୍କା ଋଣ ନେଇଥିବା କମ୍ପାନୀକୁ ମାତ୍ର ୨୦ହଜାର ଟଙ୍କାରେ ଅନ୍ୟକୁ ହସ୍ତାନ୍ତର କରିବା ବ୍ୟବସ୍ଥା ହୋଇଛି । ଏବେ ରିଜର୍ଭବ୍ୟାଙ୍କ ନୂଆ ନିୟମାବଳୀ କରି ବ୍ୟାଙ୍କମାନଙ୍କୁ ନିର୍ଦ୍ଦେଶ ହେଇଛି ଯେ ଜାଣିଶୁଣି ପରିଶୋଧ କରୁ ନଥିବା ଖିଲାପକାରୀଙ୍କୁ ମୁକ୍ତ କରାଯାଇ ସେମାନଙ୍କ ଋଣ ପରିଶୋଧର ପରିମାଣକୁ ହ୍ରାସ କରିଦେବା ପାଇଁ ସାଲିସ କରାଯିବ । ଏହା ବ୍ୟାଙ୍କମାନଙ୍କ ବୋର୍ଡ଼ ଦ୍ୱାରା କରାଯିବ । ୨୦୧୪ରୁ ବ୍ୟାଙ୍କ ଆଇନ ଅନୁଯାୟୀ ପ୍ରତ୍ୟେକ ରାଷ୍ଟ୍ରୀୟ ବ୍ୟାଙ୍କର ପରିଚାଳନା ବୋର୍ଡ଼ରେ ଅଫିସରମାନଙ୍କ ମଧ୍ୟରୁ ନିର୍ଦ୍ଦେଶକ ଓ କର୍ମଚାରୀମାଙ୍କ ମଧ୍ୟରୁ ନିର୍ଦ୍ଦେଶକରୂପେ କାହାରିକୁ ନିଯୁକ୍ତି କରାଗଲା ନାହିଁ । କିନ୍ତୁ ଶାସକଦଳର ବ୍ୟକ୍ତିମାନଙ୍କୁ ବୋର୍ଡ଼ର ସଦସ୍ୟ ରଖାଯାଇଛି । ଏହି ସଦସ୍ୟମାନେ କଂପାନୀଗୁଡ଼ିକର ଋଣଛାଡ଼ କରି ଦଳୀୟ ପାଣ୍ଠି ପାଇଁ ଅଜସ୍ର କଳାଟଙ୍କା ସଂଗ୍ରହ କରାଉଛନ୍ତି । ରିଜର୍ଭବ୍ୟାଙ୍କର ତଥ୍ୟ ଅନୁଯାୟୀ ୨୦୨୨ରେ ଶହେ କୋଟି ଟଙ୍କାରୁ ଅଧିକ ଋଣକରି ଜାଣିଶୁଣି ନ ଶୁଝିବା କଂପାନୀ ସଂଖ୍ୟା ପଚାଶ । ଏମାନଙ୍କ ମଧ୍ୟରୁ ଏବିଜିସିପୟାଡ଼ର ଋଷି ଅଗ୍ରୱାଲ, ୱିନସୋମ ଡାଇମଣ୍ଡସ୍ର ଜିତିନ ମେଲଟ୍ଙ୍କ ପରି ଅନେକ କ୍ଷମତାସୀନ ନେତାମାନଙ୍କ ପାଖ ଲୋକ । ଏମାନଙ୍କ ମଧ୍ୟରୁ ଅନେକ ବିଦେଶରେ । କେବଳ ଋଷି ଅଗ୍ରୱାଲ ୨୮ଟି ବ୍ୟାଙ୍କକୁ ଠକି ୨୩୦୦୦ କୋଟି ଋଣ ଖିଲାପ କରି ଏବେ ନୂଆ ନିୟମରେ ମାତ୍ର ୫୦ କି ୧୦୦ କୋଟି ଦେଇ ଋଣ ମୁକ୍ତ ହୋଇଯିବେ । ଆଦାନୀ କଂପାନୀର କେଲେଙ୍କାରୀ ଆମେରିକାର ହିଣ୍ଡନବର୍ଗ ଦ୍ୱାରା ଧରା ପଡ଼ିବାପରେ ଜଣାପଡ଼ିଲା ଯେ ଷ୍ଟେଟ ବ୍ୟାଙ୍କ ଓ ଜାତୀୟ ବୀମା କଂପାନୀର ପ୍ରାୟ ୫୦ହଜାର କୋଟି ଟଙ୍କା କ୍ଷତି ହୋଇଗଲା । ତଥାପି ସରକାର ଆଦାନୀ କଂପାନୀର କଳାକାରନାମାର ତଦନ୍ତ ପାଇଁ ପ୍ରସ୍ତୁତ ହେଲା ନାହିଁ କି କଂଗ୍ରେସର ନେତା ରାହୁଲ ଗାନ୍ଧୀ ସମେତ ସମସ୍ତ ବିରୋଧୀ ଦଳର ଅଭିଯୋଗର ଉତ୍ତର ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଚିତ ମନେ କଲେ ନାହିଁ । ସଂସଦୀୟ ଯୁଗ୍ମ କମିଟି ପାଇଁ ମଧ୍ୟ ସରକାର ରାଜି ନହୋଇ ସଂସଦ ଅଧିବେଶନକୁ ହୋହାଲା କରି ବନ୍ଦ କରିଦେଲେ । ସତ୍ୟକୁ ଲୁଚାଇବାକୁ ଯାଇ ଅତି ଅଗଣତାନ୍ତ୍ରିକ ଭାବେ ଗଣତନ୍ତ୍ରକୁ ହତ୍ୟା କରିଗଲା । ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସମ୍ମାନ ଦେଇ ୪ ହଜାର କି.ମି. ରାସ୍ତା ପଦଯାତ୍ରା କରି ରାହୁଲ ଗାନ୍ଧୀ ସଂସଦରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଉତ୍ତର ମାଗିବା ବେଳେ ସଂସଦ ସଦସ୍ୟ ପଦରୁ ହଟାଇବା ବ୍ୟବସ୍ଥା କରିଦିଆଗଲା । ଅର୍ଥାତ୍ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ କେହି ଅଭିଯୋଗ କରିପାରିବ ନାହିଁ କିମ୍ବା ସମାଲୋଚନା କରିପାରିବ ନାହିଁ । ସୁପ୍ରିମକୋର୍ଟରେ ଗୁଜରାଟରେ ୨୦୦୨ ଦଙ୍ଗାଜନିତ ନରସଂହାରକୁ ପ୍ରୋତ୍ସାହନ ଦେଇଥିବା ମୁଖ୍ୟମନ୍ତ୍ରୀ ତଥା ଆଜିର ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଦଙ୍ଗାର ଶିକାର ହୋଇଥିବା ବ୍ୟକ୍ତିମାନଙ୍କ ତରଫରୁ ଆବେଦନକାରୀଙ୍କୁ ସହଯୋଗ କରୁଥିବା ସାମାଜିକ କର୍ମକର୍ତ୍ତା ତଥା ମାନବିକ ଅଧିକାର କର୍ମୀ ତିସ୍ତା ଶୀତଳଭାଡ଼୍ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଖୋଦ ଜଣେ ବିଚାରପତି ବିଚାରାଳୟରେ ମନ୍ତବ୍ୟ ଦେବାପରେ ଗୁଜରାଟରେ ବିଜେପି ସରକାର ତୁରନ୍ତ ଗିରଫ କରିବା ପ୍ରମାଣିତ କରୁଛି ଯେ ପ୍ରଧାମନ୍ତ୍ରୀ କେନ୍ଦ୍ରିତ ତଥା ଏକନାୟକତ୍ୱ ପ୍ରକ୍ରିୟାକୁ ବିଚାରାଳୟ ସହଯୋଗ କରୁଛି । ବିନା ବିଚାରରେ ମୁସଲମାନ ଅଭିଯୁକ୍ତର ବାସଗୃହ ଉପରେ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶରେ ପୋଲିସ ବୁଲୁଡୋଜର ମଡ଼ାଇ ତାର ବାସଗୃହ ଧ୍ୱଂସ କରୁଛି । ଆୟକର ବିଭାଗ, ସିବିଆଇକୁ ବ୍ୟବହାର କରାଯାଇ ବିରୋଧୀ ଓ ଭିନ୍ନ ମତଦାତାଙ୍କୁ ମିଥ୍ୟା ଅଭିଯୋଗରେ ଜେଲରେ ରଖାଯାଉଛି । ଅଥଚ ୮୮୦୦୦ କୋଟି ଟଙ୍କାର ୫୦୦ଟଙ୍କିଆ ନୋଟ ଛାପଖାନାରୁ ରିଜର୍ଭ ବ୍ୟାଙ୍କଙ୍କୁ ଆସିବା ବେଳେ ଗାଏବ ହୋଇଯାଉଛି । ତା’ପାଇଁ ସରକାର ତତ୍ପର ନୁହଁ । ଏହି ଗାଏବ ଅର୍ଥରୁ କ’ଣ ଶାସକ ଦଳର ପାଣ୍ଠିକୁ କିଛି ଯାଇନି?
ବିଂଶଶତାବ୍ଦୀର ହିଟଲର ଓ ମୁସୋଲିନୀଙ୍କ ଶାସନ ଥିଲା ଫାସିବାଦର ଜନକ । ଏହା ଯେ ମାନବ ସଭ୍ୟତାର ଶତ୍ରୁ ରୂପେ ପରିଚୟ ସୃଷ୍ଟି କରିଛି । ଶାସନର ପ୍ରକ୍ରିୟା ଆରମ୍ଭ ହୋଇଥିଲା ସମାଜବାଦ, ରାଷ୍ଟ୍ରୀୟତା ନାମରେ ହିଟଲରଙ୍କ ଦ୍ୱାରା ସଂସଦୀୟ ଗଣତନ୍ତ୍ର ମାଧ୍ୟମରେ । ନିର୍ବାଚିତ ସାଂସଦମାନଙ୍କୁ ଜର୍ମାନୀରେ ଥିବା ଇହୁଦୀଙ୍କୁ ହଟାଅ ଡାକରା ଦେଇ ବହୁସଂଖ୍ୟକ ଜର୍ମାନୀ ଜାତିର ପ୍ରଭୂତ୍ୱ ଜାହିର କରିବାକୁ ଫାସିବାଦର କେନ୍ଦ୍ର ରୂପେ ପରିଣତ କରାଇ ଦିଆଗଲା । ଶେଷର ଯିଏ ହିଟଲରୀ ଶାସନକୁ ବିରୋଧ କଲା କିମ୍ବା ଇହୁଦୀଙ୍କ ସମର୍ଥନରେ କଥା କହିଲା, ସେମାନଙ୍କୁ ହତ୍ୟା କରାଗଲା କିମ୍ବା କନସେଣ୍ଟ୍ରସସନ୍ କ୍ୟାମ୍ପରେ ନିର୍ଯାତନା ଦିଆଗଲା । ଏପରି ନରସିଂହାରର ଇତିହାସ ରହିଛି । ପରିଣାମସ୍ୱରୂପ ଜର୍ମାନୀ ସାଂପ୍ରଦାୟିକ ରାଷ୍ଟ୍ରୀୟତାର ନିଆଁରେ ଜଳିଗଲା । ଏହାର ପରିଣାମ ଦ୍ୱିତୀୟ ବିଶ୍ୱଯୁଦ୍ଧ ଯାହାକି ବିଶ୍ୱ ପାଇଁ ଅଭିଶାପ ହୋଇଗଲା । ଆଜି ଏକ ବିଂଶଶତାବ୍ଦୀରେ ଫାସିବାଦ ମୁଣ୍ଡ ଟେକିଛି ଇଟାଲି ଫ୍ରାନ୍ସ, ଯୁକ୍ତରାଷ୍ଟ୍ର ଆମେରିକା ସମେତ ଭାରତରେ । ଆମ ଦେଶରେ ତାହା ବିଂଶ ଶତାବ୍ଦୀର ଫାସିବାଦର ଚାରିତ୍ରିକ ଗୁଣଗୁଡ଼ିକ ସହ ଏକବିଂଶ ଶତାବ୍ଦୀରେ ନୂତନ କୌଶଳଗୁଡ଼ିକର ମିଶ୍ରଣରେ ଏକ ନବ ଫାଶିବାଦର ପରୀକ୍ଷା ଚାଲିଛି । ନୂତନଟି ହେଲା ଇତିହାସର ସତ୍ୟତାକୁ ମିଥ୍ୟା ରୂପେ ପ୍ରତିପାଦିତ କରିବା ପ୍ରୟାସରେ କପୋଳକଳ୍ପିତ ବିବରଣୀ ଗପ ଓ ପୁରାଣ ରୂପେ ଉପସ୍ଥାପନ କରି ବିକୃତ ଇତିହାସ ସୃଷ୍ଟି କରାଯାଉଛି । ଯେପରି ମହାତ୍ମାଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡ଼ସେ ମଧ୍ୟ ଦେଶପ୍ରେମୀ ବୋଲି ଶାସକଦଳର ସାଂସଦମାନେ କହୁଛନ୍ତି ଓ ଆରଏସ୍ଏସ୍ର ସଦସ୍ୟ ଥିବା ତଥ୍ୟକୁ ପାଠ୍ୟପୁସ୍ତକରୁ ହଟାଇବା ସହ ନାଥୁରାମଙ୍କ ଗୁରୁ ସବରକରଙ୍କ କ୍ଷମାଭିକ୍ଷା (ବ୍ରିଟିଶରାଜ ନିକଟରେ)ଙ୍କୁ ଇତିହାସ ପୃଷ୍ଠାରୁ ଲିଭାଇବାକୁ ହୋଇଥିବା ଉଦ୍ୟମ ଏହାର ଏକ ଉଦାହରଣ । କର୍ଣ୍ଣାଟକର ସ୍କୁଲ ପାଠ୍ୟପୁସ୍ତକରେ ଲେଖାଯାଇଛି ସବରକର କଳାପାଣି ଜେଲରେ ଥିବା ବେଳେ ଆବଦ୍ଧ କୋଠରୀରୁ ତିତିଲ ହୋଇ ବାହାରକୁ ଉଡ଼ି ଆସୁଥିଲେ । ଏପରି ମିଥ୍ ସୃଷ୍ଟି କରି ଚମତ୍କାରିତା ବର୍ଣ୍ଣନା ପଛରେ ରହି ସୁଭାଷ ଚନ୍ଦ୍ର ବୋଷ, ଜବାହାରଲାଲ ନେହେରୁ, ମୌଲାନା ଅବୁଲକଲାମ ଆଜାଦଙ୍କ ପରି ବହୁ ସଂଗ୍ରାମୀଙ୍କୁ ସ୍ୱାଧୀନତା ଆନ୍ଦୋଳନର ଇତହାସରୁ ଦୂରେଇ ରଖିବା ପାଇଁ ।
ଇତିହାସପୃଷ୍ଠାରେ ରହିଛି ହିଟଲର ଶାସନରେ ୧୯୪୩ ଫେବୃୟାରୀରେ ୨୧ ବର୍ଷୀୟା ଛାତ୍ରୀ ସୋଫି ସ୍କେଲ ନାଜିବାଦ ବିରାଧରେ ଏକ ଲିଫଲେଟ୍ ବାଣ୍ଟିଲେ ମୁନିକ ବିଶ୍ୱବିଦ୍ୟାଳୟ ପରିସରରେ । ୪ଦିନ ମଧ୍ୟରେ ନାଜି କୋର୍ଟରେ ତାଙ୍କୁ ଫାଶିଦଣ୍ଡ ଦିଆଗଲା । ଆଜି ଆମ ଦେଶରେ ଯେପରି ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ, ଜାମିଆ ମିଲିଆ ବିଶ୍ୱ ବିଦ୍ୟାଳୟ ସମେତ ବିଭିନ୍ନ ସ୍ଥାନରେ ଛାତ୍ର ଉମର ଖଲିଦଙ୍କ ପରି ଅନେକ ଛାତ୍ରଛାତ୍ରୀଙ୍କୁ ସରକାରୀ ନୀତିବିରୋଧୀ ଭାଷଣପାଇଁ ବର୍ଷ ବର୍ଷ ଧରି ଜେଲରେ ରଖାଯାଇଛି, ଏହା ଯେ ଫାଶିବାଦ ପ୍ରକ୍ରିୟାରେ ସୋଫି ସ୍କେଲଙ୍କ ପରି ଅନେକ ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତରେ ଦେଖିବାକୁ ମିଳିବ ।
ଆମ ଦେଶର ବିଶିଷ୍ଟ ସମାଜବିଜ୍ଞାନୀ ପ୍ରଫେସର ଗଣେଶ ଦେବୀଙ୍କ ବିଶ୍ଲେଷଣରେ ଦୁଇଜଣ ବୌଦ୍ଧିକ ଚିନ୍ତକ ପ୍ରଫେସର ହନ୍ନା ଅରେଣ୍ଡଟ (Hannah Arendt) ଓ ପ୍ରଫେସର ମାଟିସ ଡେସମେଟ (Mattias Desmet)ଙ୍କ ଯାଥାକ୍ରମେ ପୁସ୍ତକ ଦ’ ଓରିଜସନ ଅଫ ଟୋଟାଲିଟାରିଆନିଜମ ଓ ଦ’ ସାଇକୋଲିଜି ଅଫ ଟୋଟାଲିଟାରିଆନିଜମ କହୁଛି “ଅତୀତରେ ଅନ୍ୟାୟର ଏକ ପରିକଳ୍ପନାର ପରିଦୃଶ୍ୟ ଉପସ୍ଥାପନା କରି ତାର ପ୍ରତିଶୋଧ ନେବାକୁ ବର୍ତ୍ତମାନର ବହୁସଂଖ୍ୟକ ଦାୟାଦମାନଙ୍କ ମଧ୍ୟରେ ଏକ ଅସୁରକ୍ଷାର ଭୟ ସୃଷ୍ଟି କରି ଅଳ୍ପସଂଖ୍ୟକଙ୍କ ଉପରେ ପ୍ରଭୁତ୍ୱଜାରି କରିବା ପାଇଁ ନୂଆ ପ୍ରତିଶ୍ରୁତି ଏକଛତ୍ରବାଦୀ ଶାସକ ଦେଇଥାଏ । ବର୍ତ୍ତମାନ ଏକବିଂଶ ଶତାବ୍ଦୀର ବିଶ୍ୱ ପୁଞ୍ଜିବାଦର ଏକ ବଡ଼ ଭୂମିକା ରହିଛି । ଏହି ଏକଛତ୍ରବାଦୀକୁ ସହଯୋଗ କରିବା ପାଇଁ କାରଣ ହେଉଛି ତାର ମୁନାଫାର ସ୍ୱାର୍ଥ ରହିଛି, ବଡ଼ ବଜାର ପାଇବା ପାଇଁ । ଆର୍ଟିଫିସିଆଲ ଇଣ୍ଟଲିଜେନସ୍ ଏହାକୁ ସହଯୋଗ କରୁଛି । ବିଶ୍ୱରେ ଜନସାଧାରଣମାନଙ୍କ ମଧ୍ୟରେ ଏକୁଟିଆପଣିଆ ଆଶଙ୍କା ଭରି ରହିଛି ଏବଂ ଏହାର ମୁକାବିଲା କରିବା ସାମର୍ଥ୍ୟର ଅଭାବ ପରିଲକ୍ଷିତ ହେଉଛି । ଏହି କ୍ଷତିର ନିରାକରଣର ମାନସିକତା ଏକ ବିକାରଗ୍ରସ୍ତ ପ୍ରକୃତି ଯାହାକୁ ପ୍ରଫେସର ମାଟିସ Insurance synrom ବୋଲି କହନ୍ତି । ଏହା ଫଳରେ ନାଗରିକ ତାର ଶାସକ ପାଖରୁ ସମସ୍ତ ସୁରକ୍ଷା ପାଇଁ କାର୍ଯ୍ୟାନୁଷ୍ଠାନ ଆଶା କରେ । ତାର ସୁଯୋଗ ନେଇ ଶାସକ ବିଭିନ୍ନ ପରିକଳ୍ପିତ ଶତ୍ରୁ (ସନ୍ତ୍ରାସବାଦୀ, ମାଓବାଦୀ, ବିଦେଶୀ, ଆକ୍ରମଣ, ଭାଇରସ)ର ଆକ୍ରମଣର ସମ୍ଭାବନା ଦେଖାଇ ଭୟ ସୃଷ୍ଟି କରାଏ ଓ ସେଥିପାଇଁ ନାଗରିକ ସୁରକ୍ଷା ନାମରେ କଡ଼ା ଓ କଠୋର ଆଇନର ନିୟମ ପ୍ରଣୟନ କରାଯାଏ । ଏହାଦ୍ୱାରା ଏକଛତ୍ରବାଦୀ ବା ସ୍ୱେଚ୍ଛାଚାରୀ ପ୍ରଧାନମନ୍ତ୍ରୀ ବା ରାଷ୍ଟ୍ରପତି ସମସ୍ତ ଜନତା ଉପରେ ନିୟନ୍ତ୍ରଣର ଅଧିକାରୀ ହୋଇଯାଆନ୍ତି ।” ଏହି ମନ୍ତବ୍ୟଟିର ସତ୍ୟତା ହେଲା : କରୋନା କାଳରେ ଲକ୍ଡାଉନ୍ ଜରିଆରେ ବିଶ୍ୱର ଅଧିକାଂଶ ଦେଶରେ ଅଗଣତାନ୍ତ୍ରିକ ଓ ସ୍ୱେଚ୍ଛାଚାର ଶାସନକୁ ଥୋପି ଦିଆଯାଇଛି । ଆମ ଦେଶ ଭାରତରେ ମଧ୍ୟ ବିନା ଆଲୋଚନାରେ ଅଗଣତାନ୍ତ୍ରିକ ବାଟରେ କୃଷକବିରୋଧୀ ଆଇନ ପ୍ରଣୟନଠାରୁ ଆରମ୍ଭ କରି ଆର୍ଥିକ କ୍ଷେତ୍ରରେ ଅନେକ ଜନବିରୋଧୀ ବିଧାନ ଗୃହୀତ କରାଯାଇଛି ଓ ଅନେକ ନିୟମକୁ ପରିବର୍ତ୍ତନ କରାଯାଇ କ୍ଷମତାର କେନ୍ଦ୍ରୀକରଣ ହୋଇଛି । ଅତୀତର ଏକ ନିର୍ଦ୍ଦିଷ୍ଟ ଅତ୍ୟାଚାରୀ ମୁସଲମାନ ଶାସକର ଦାୟାଦ ବୋଲି ଦୋଷାରୋପ କରାଯାଇ ଇସଲାମ ଧର୍ମ ଉପରେ ଚାଲିଛି ଆକ୍ରମଣ । ହିନ୍ଦୁ ସମାଜରେ ଅନ୍ୟ ଧର୍ମ ପ୍ରତି ଘୃଣା ସୃଷ୍ଟି କରାଇବାରେ ଏହା ଏକ କୁତ୍ସିତ ମାନସିକତା ।
ଏ ଦେଶରେ କୌଣସି ପ୍ରକାଣ ବିକାଶ ହୋଇ ନାହିଁ, ଯାହା ହେଉଛି ଦେଶ ବିରୋଧରେ ହୋଇଛି । ସେଥିପାଇଁ କଂଗ୍ରେସ ସରକାର ପ୍ରଧାନମନ୍ତ୍ରୀ ଜବାହାରଲାଲ ଓ ତାଙ୍କ ଦାୟାଦମାନେ ଦାୟୀ ବୋଲି ପ୍ରଧାନମନ୍ତ୍ରୀ ଓ ବିଜେପିର କେତେ ନେତା ନିଜର ଦୋଷ ଦୁର୍ବଳତା ଓ ଭ୍ରଷ୍ଟାଚାରକୁ ଘୋଡ଼ାଇବା ପାଇଁ କହି ଚାଲିଛନ୍ତି । ସେହିପରି ଦେଶରେ ୧୯କୋଟି ମୁସଲମାନଙ୍କୁ ବିଦେଶୀ ମାନ୍ୟତା ଦେବା ପାଇଁ ମୋଗଲ ରାଜତ୍ୱର ନିନ୍ଦାଗାନ ଚାଲିଛି । କିନ୍ତୁ ବ୍ରିଟିଶରାଜ ଭାରତର ଅର୍ଥବ୍ୟବସ୍ଥାକୁ ଦରିଦ୍ର କରିଥିବା ଊପନିବେଶ ଶାସନକୁ ବିଜେପି ଆରଏସ୍ଏସ୍ ବିଶେଷ ସମାଲୋଚନା କରିବା ଦେଖିବାକୁ ମିଳୁନାହିଁ । ଉଦ୍ଦେଶ୍ୟ ସ୍ପଷ୍ଟ ଯେ- ଅତୀତର କୌଣସି ଏକ କେଳଙ୍କାରୀ ଘଟଣା ବା ଆକ୍ରମଣକାରୀର ଧର୍ମକୁ ଆଧାର କରି ବର୍ତ୍ତମାନର ସେହି ଧର୍ମର ନାଗରିକମାନଙ୍କୁ ଘୃଣା ଓ ପ୍ରତିଶୋଧର ମାନସିକତା ସୃଷ୍ଟି କରାଯାଉଛି । ନାଗରିକତା ସଂଶୋଧନ ଆଇନ, ଲବ୍ଜିହାଦ, କୌଣସି ଏକ ମୁସଲମାନ ବ୍ୟକ୍ତି ଅପରାଧୀର ଅମାନୁଷିକ କାର୍ଯ୍ୟ ବା ହତ୍ୟାର ବିବରଣୀ ଗଣମାଧ୍ୟମରେ ବାରମ୍ବାର ପ୍ରଚାର, ପାକିସ୍ଥାନ ସହ ଭାରତୀୟ ମୁସଲମାନଙ୍କୁ ଯୋଡ଼ି ରାଜନୀତି କରିବା ପରି ଅନେକ ସାମ୍ପ୍ର୍ରଦାୟିକ ପ୍ରସଙ୍ଗ କରି କରାଯାଉଛି ଯାହା ଫଳରେ ଧ୍ରୁବୀକରଣ ରାଜନୀତି ଦ୍ୱାରା ବହୁସଂଖ୍ୟକ ହିନ୍ଦୁ ସମାଜ ଭିତରେ ସାମାଜିକ ସାମ୍ପ୍ରଦାୟିକ ଉନ୍ମାଦନା ସୃଷ୍ଟି କରାଯାଇ ପାରୁଛି । ଏବେ କାଶ୍ମୀରକୁ ଦେଶର ମୁସଲମାନ ବିରୋଧୀ ଲାବୋରଟାରୀ ରୂପେ ବ୍ୟବହାର କରାଯାଉଛି ୩୭୦ ଧାରାକୁ ଅଗଣତାନ୍ତ୍ରିକ ଓ ସ୍ୱେଚ୍ଛାଚାରୀ ନିଷ୍ପତ୍ତି ଦ୍ୱାରା ହଟାଇ ଦେବା ପରେ । ଏହା ସହ ବଡ଼ ବଡ଼ କର୍ପୋରେଟ୍ ନିୟନ୍ତ୍ରିତ ଗଣମାଧ୍ୟମ ଦ୍ୱାରା ଗୋବେଲ ନୀତିରେ କେବଳ ଗୋଟିଏ ପକ୍ଷର ପ୍ରଚାର ଚାଲିଛି । ରାଷ୍ଟ୍ରୀୟ ସମ୍ପତ୍ତି ଓ ପ୍ରାକୃତିକ ସମ୍ପଦଗୁଡ଼ିକୁ କର୍ପୋରେଟ ମାଲିକାନାକୁ ହସ୍ତାନ୍ତର କରି ଦେଶୀୟ ଅର୍ଥନୀତିକୁ ବିପର୍ଯ୍ୟର ଦ୍ୱାରକୁ ଠେଲି ଦେବା ଦ୍ୱାରା ସମସ୍ତ କ୍ଷୁଦ୍ର ମଧ୍ୟବିତ୍ତ ଓ ସାଧାରଣ ଗରିବ ଜନତାଙ୍କ ମଧ୍ୟରେ ଅସୁରକ୍ଷତାର ଆଶଙ୍କା ଲାଗି ରହିଛି । ତାର ନିରାକରଣସ୍ୱରୂପ କେନ୍ଦ୍ର ଓ କେତେକ ରାଜ୍ୟ ସରକାର ନାଗରିକର ନିରାପତ୍ତାର ଗ୍ୟାରେଣ୍ଟି ଦେବାକୁ ଯାଇ କିଛି ଆର୍ଥିକ ପ୍ୟାକେଜ ନାମରେ ଦୟା ପ୍ରଦର୍ଶନ କରି ଜନମତକୁ ଆୟତ୍ତ କରିବାରେ ସଫଳତା ପାଇଛନ୍ତି । ନିଜ କ୍ଷମତାର ସ୍ଥାୟିତ୍ୱ ପାଇଁ ପ୍ରତିଟି ସମୟରେ ଭୋଟ ପାଇବାକୁ ପ୍ରଧାନମନ୍ତ୍ରୀ ଓ ତାଙ୍କ ସରକାର ପକ୍ଷରେ ନ୍ୟାୟ ଅନ୍ୟାୟ ମଧ୍ୟରେ କିଛି ଫରକ ପଡ଼ୁନାହିଁ । ତେଣୁ ଦଳିତ ମହିଳା, ମହିଳା କୁସ୍ତିଖେଳାଳି ପ୍ରତି ଯୌନ ନିର୍ଯାତନା, ବିଲକିସ୍ ବାନୋଙ୍କ ଅତ୍ୟାଚାରୀ ଧର୍ଷଣକାରୀ ହତ୍ୟାକାରୀ ଦୋଷୀମାନଙ୍କୁ ଖଲାସ, ଆଦାନୀଦ୍ୱାରା ସର୍ବାଧିକ ଘୋଟାଲା ଆଦି ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିରେ ଏସବୁ ପ୍ରସଙ୍ଗହୀନ ହୋଇପଡ଼ୁଛି ।
କ୍ଷମତାକୁ ନିଜ ସପକ୍ଷରେ ଓ ବିରୋଧୀଙ୍କ ବିରୋଧରେ ଅପବ୍ୟବହାର ସ୍ୱେଚ୍ଛାଚାରୀ ଶାସନର ନମୁନାଗୁଡ଼ିକ ଅତିମାତ୍ରାରେ ଚିନ୍ତାଜନକ । ଏହି ପ୍ରକ୍ରିୟାର ଅନ୍ତ ନ ହେଲେ ଭାରତୀୟ ଲୋକତନ୍ତ୍ର ବହୁସଂଖ୍ୟକ ଦଳୀୟ ତନ୍ତ୍ରରେ ସମ୍ପୂର୍ଣ୍ଣ ଭାବେ ରୂପାନ୍ତରିତ ହୋଇଯିବ । ଦେଶରେ୨୦୧୪ ପର୍ଯ୍ୟନ୍ତ ରାଜନୈତିକ ଦଳଗୁଡ଼ିକ ବିଦେଶୀ ଅନୁଦାନ ଗ୍ରହଣ କରିବା ନିଷେଧ ଥିଲା । ଗୋଟିଏ ସମୟରେ କଂଗ୍ରେସ ବିରୋଧରେ ଋଷଠାରୁ ଦାଳୀୟ ପାଣ୍ଠି ପାଇଥିବା ଅଭିଯୋଗ ଥିଲା । ମୋଦୀ ସରକାର କଂଗ୍ରେସର ପ୍ରତ୍ୟେକ ନିଷ୍ପତ୍ତି ଓ ନୀତିକୁ ତିରସ୍କାର କରି ଚାଲିଥିବାବେଳେ ତା’ବିରୋଧରେ ପ୍ରମାଣିତ ଅଭିଯୋଗ ଥିଲେ ବି ବିଦେଶୀ ପାଣ୍ଠି ଗ୍ରହଣ କରିବା ବିରୋଧରେ କାର୍ଯ୍ୟାନୁଷ୍ଠାନ ନ କରି ତାକୁ ଆଇନଗତ କରି ଦିଆଗଲା । ଏହା ନିଜ ସ୍ୱାର୍ଥ ପାଇଁ କରାଗଲା ଅର୍ଥାତ୍ ବିଦେଶରୁ ହଜାର ହଜାର କୋଟି ଟଙ୍କା ପାଣ୍ଠି ପାଇଛି ବିଜେପି । ୨ୟରେ ଘରୋଇ କଂପାନୀମାନଙ୍କ ଲାଭରୁ ମାତ୍ର ୭% ରାଜନୈତିକ ଦଳଗୁଡ଼ିକୁ ଚାନ୍ଦା ଦେଇ ପାରିବା ଆଇନ ଥିଲା । କିନ୍ତୁ ମୋଦୀ ସରକାର ଏହି ସୀମା ଉଠାଇ ଦେଲା । ଅର୍ଥାତ୍ ଯିଏ ଯେତେ ଚାହିଁବ, ଦଳକୁ ଚାନ୍ଦା ଦେଇପାରିବ । ଏହା ସହ ବ୍ୟାଙ୍କମାନଙ୍କରେ ନିର୍ବାଚନୀ ବଣ୍ଡ୍ ପ୍ରଚଳନ କରିଦିଆଗଲା ଯେଉଁଥିରେ ଯେକୌଣସି ବ୍ୟକ୍ତି, ସଂସ୍ଥା, କଂପାନୀ ପାର୍ଟି ନାମରେ ବଣ୍ଡ୍ କିଣିପାରିବ । ଏହା ସୂଚନା ଅଧିକାର ଆଇନରୁ ବାହାରେ । ଅର୍ଥାତ୍ କିଏ କେତେ ଦେଲା ତାହା ଗୋପନୀୟ ହୋଇ ରହିବ । ଏହାଦ୍ୱାରା ଶାସକ ବିଜେପି ଦଳୀୟ ପାଣ୍ଠିକୁ ୮୦% ଆସିଛି । ପୁଣି ନିର୍ବାଚନ ଆୟୋଗର ସଦସ୍ୟମାନଙ୍କୁ ନିଯୁକ୍ତି ପ୍ରଧାନମନ୍ତ୍ରୀଙ୍କ ମନୋନୀତ ବ୍ୟକ୍ତିମାନଙ୍କୁ ହିଁ କରାଯାଉଛି । ଏବେ ନିର୍ବାଚନ ଆୟୋଗ ପ୍ରଧାନମନ୍ତ୍ରୀଙ୍କ ଅଫିସର ଏକ ପୋଷ୍ଟବାକ୍ସ କରିକାମ କରୁଛି । ଇଡ଼ି (ଆୟକର), ସିବିଆଇ ଓ ଉପା ଆଇନକୁ ଅସ୍ତ୍ର କରାଯାଇଛି ବିରୋଧମତକୁ ଦମନ କରିବାକୁ ।
ସେହିପରି ବିଚାରାଳୟ । ପ୍ରଧାନ ବିଚାରପତି ରୂପେ ଜଷ୍ଟିସ୍ ଦୀପକ ମିଶ୍ର, ଜଷ୍ଟିସ୍ ରଂଜନ ଗୋଗାଇ, ଜଷ୍ଟିସ୍ ବୋବଡ଼େଙ୍କ ସମେତ ଜଷ୍ଟିସ୍ ଅରୁଣ ମିଶ୍ରଙ୍କ ପରି କେତେ ବିଚାରପତି ଯେପରି ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସରକାର ବିରୋଧରେ ଓ ଆଦାନୀ ପରି କର୍ପୋରେଟ୍ଗୁଡ଼ିକର ଲୁଟ ବିରୋଧରେ ଅଭିଯୋଗଗୁଡ଼ିକୁ ଶୁଣିବା ପାଇଁ ପ୍ରତ୍ୟାଖ୍ୟାନ କଲେ ଓ ବିନା ବିଚାର ଓ ତଦନ୍ତରେ କ୍ଳିନ ଚିଟ୍ ଦିଆଗଲା ତାହା ଦର୍ଶାଇ ଦିଆଗଲା ଯେ, ନ୍ୟାୟାଳୟ ମଧ୍ୟ ଏକଛତ୍ରବାଦୀ ଶାସନର ଏକ ଅଂଶ ।
ବର୍ତ୍ତମାନ ପ୍ରଧାନ ବିଚାରପତିଙ୍କ ସମୟରେ ସୁପ୍ରିମକୋର୍ଟ ବୋଲକରା ହୋଇ ନଥିଲେ ବି ସରକାରକୁ ଭୟ ଅଛି । ତେଣୁ ପ୍ରଧାନମନ୍ତ୍ରୀଙ୍କୁ ଖୁସି କରିବା ପାଇଁ ମଧ୍ୟ ସାଲିସ୍ କରିବାକୁ ହେଉଛି । ଏହାର ଉଦାହରଣ କର୍ଣ୍ଣାଟକ ନିର୍ବାଚନ ଶେଷ ହେବା ପରେ ପରେ ବିଜେପି ସରକାର ବେଳର ବିବାଦୀୟ ପୋଲିସ ନିର୍ଦ୍ଦେଶକଙ୍କୁ ସିବିଆଇର ନିର୍ଦ୍ଦେଶକ ରୂପେ ପ୍ରଧାନମନ୍ତ୍ରୀଙ୍କ ପସନ୍ଦକୁ ସହମତ ଦେଇ ଦେଲେ ପ୍ରଧାନ ବିଚାରପତି । ସିବିଆଇକୁ ସ୍ୱାଧୀନ ଓ ସ୍ୱଚ୍ଛ ରଖିବା ଏକାନ୍ତ ଜରୁରୀ ଥିବାବେଳେ ପୁଣି ଏକ ବୋଲକରା ଅଫିସରକୁ ମିଳିଗଲା ଦାୟିତ୍ୱ । ସରକାରର ଇଙ୍ଗିତରେ ବିରୋଧୀ ଓ ଭିନ୍ନମତ ବ୍ୟକ୍ତ କରୁଥିବା ବ୍ୟକ୍ତିମାନଙ୍କ ବିରୋଧରେ ସିବିଆଇକୁ ଅପବ୍ୟବହାର କରିବାକୁ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ମହିଳା କୁସ୍ତିଯୋଦ୍ଧାଙ୍କ ଅଭିଯୋଗପତ୍ର ପୋଲିସ ଗ୍ରହଣ କରିବାପରେ ବି ଅଭିଯୁକ୍ତ, ବିଜେପି ସାଂସଦ ବ୍ରିଜ ଭୂଷଣଙ୍କୁ ପୋଲିସ ଗିରଫ କଲା ନାହିଁ । କିନ୍ତୁ ସୁପ୍ରିମକୋର୍ଟ ଏଥିରେ ନୀରବ ରହିବା ଗଣତନ୍ତ୍ର ପ୍ରତି ଅଶୁଭ ସୂଚନା । ଶାରୀରିକ ଅକ୍ଷମ ଷ୍ଟେନ୍ ସ୍ୱାମୀଙ୍କୁ ମିଥ୍ୟା ମାମଲାରେ ଜେଲରେ ରଖାଯାଇଥିଲେ ବି ଜାମିନ ଦେଇପାରିଲା ନାହିଁ ବିଚାରାଳୟ । ଶେଷରେ ମୃତ୍ୟୁ ହେଲା ବନ୍ଦୀ ଅବସ୍ଥାରେ । ପ୍ରଫେସର ସାଈ ବାବା ସମ୍ପୂର୍ଣ୍ଣ ଶାରୀରିକ ଅକ୍ଷମ, ମାଓ ବିଚାରରେ ବିଶ୍ୱାସ କରନ୍ତି ବୋଲି କୌଣସି ହିଂସାତ୍ମକ କାର୍ଯ୍ୟରେ ସଂପୃକ୍ତ ନ ଥାଇ ମଧ୍ୟ ଆଜୀବନ ଜେଲଦଣ୍ଡ ପାଇଛନ୍ତି । ପୁଣି ଅମାନୁଷିକ ଭାବେ ଜୀବନ କାଟୁଛନ୍ତି । ହାଇକୋର୍ଟ ତାଙ୍କୁ ନିର୍ଦ୍ଦୋଷ ରୂପେ ଛାଡ଼ି ଦେବାପରେ ମଧ୍ୟ ସୁପ୍ରିମକୋର୍ଟ ତାଙ୍କୁ ଅଟକାଇ ଦେଲା । କିନ୍ତୁ ଜାମିନ ଦେବାପାଇଁ ପ୍ରସ୍ତୁତ ହେଲା ନାହିଁ । ତାହାହେଲେ ବିଚାର ବ୍ୟବସ୍ଥାଟି ସମ୍ବେଦନହୀନ ହୋଇ ରହିବ? ଏସବୁ ହେଉଛି କେନ୍ଦ୍ର ସରକାରର ଫାଶିବାଦୀ ନୀତି ଓ ଚରିତ୍ର ଯୋଗୁଁ ।
ସିବିଆଇର ଜଣେ ନିର୍ଦ୍ଦେଶକ ଆଲୋକ ବର୍ମା ରାଫେଲ ଦୁର୍ନୀତି ଯାଞ୍ଚ ପାଇଁ ପ୍ରସ୍ତୁତ ହେବାରୁ ଅର୍ଦ୍ଧରାତ୍ରିରେ ବଦଳିକରି ଜଣେ ବୋଲକରା ଅଫିସରଙ୍କୁ ନୂତନ ନିଯୁକ୍ତି ଦିଆଯାଇଥିଲା । ଗୁଜରାଟର ଗୃହମନ୍ତ୍ରୀ ଥିବାବେଳେ ଅମିତ ସାହାଙ୍କ ବିରୋଧରେ ଏହି ସିବିଆଇ ସାରାବୁଦ୍ଦିନ ହତ୍ୟା ମାମଲା ରୁଜୁ କରିଥିଲା । ହତ୍ୟାମାମଲାର ଶୁଣାଣିବେଳେ ୨୦୧୪ରେ ମୋଦୀଙ୍କ ଶାସନ ଆରମ୍ଭରେ ସିବିଆଇ କୋର୍ଟର ବିଚାରପତି ବ୍ରିଜ ଗୋପାଲ ଲୋୟା ନିର୍ଦ୍ଦେଶ ଦେଲେ ଅଭିଯୁକ୍ତ ଶ୍ରୀ ସାହ କୋର୍ଟରେ ହାଜର ହେବା ପାଇଁ । ଏହି ମାମଲାରୁ ଦୋଷମୁକ୍ତ କରିବାକୁ ଲୋୟାଙ୍କୁ ଶହେ କୋଟି ଟଙ୍କାର ପ୍ରଲୋଭନ ଦିଆଯାଇଥିଲା । କିନ୍ତୁ ବିଚାରପତି ଲୋୟା ଦୃଢ଼ତା ଓ ନିର୍ଭୀକତା ଦେଖାଇବା ପରେ ଷଡ଼ଯନ୍ତ୍ରର ଶିକାର ହୋଇଗଲେ । ନାଗପୁରରେ ଏକ ବାହାଘର ଭୋଜିକୁ ଯାଇ ଅସ୍ୱାଭାବିକ ମୃତ୍ୟୁର ଶିକାର ହେଲେ । ଜଣେ ଜଜ୍ ହସ୍ପିଟାଲରେ ଭର୍ତ୍ତି ହେବା ତାଙ୍କୁ ହୃଦରୋଗର ହୋଇଛି ବୋଲି କୁହାଯିବା ଯଦି ସତ ହୋଇଥାଏ, ତାହା ହେଲେ ତାଙ୍କ ପରିବାରକୁ ନ ଜଣାଇବା ଓ ତାର ୨ ଘଣ୍ଟା ପରେ ମୃତ୍ୟୁ ଘୋଷଣା କରିବା ପରେ ବି ପରିବାରକୁ ନଜଣାଇ ଶବକୁ ୩ଶହ କି.ମି ଦୂର ନିଜ ଗାଁକୁ ପଠାଇ ଦେବା ଘଟଣାଗୁଡ଼ିକ ସନ୍ଦେହଜନକ ମୃତ୍ୟୁପଛରେ ହତ୍ୟା ହୋଇଥିବା ବିଶ୍ୱାସ କରିବା ସ୍ୱାଭାବିକ । ଏହି ମୃତ୍ୟୁର ଯାଂଚ କରିବାକୁ ସୁପ୍ରିମକୋର୍ଟ ମନା କରିଦେବା ଓ ସଙ୍ଗେ ସଙ୍ଗେ ନୂତନ ବିଚାରପତି ନିଯୁକ୍ତି କରିଦିଆଗଲା । ମାତ୍ର ୩ ସପ୍ତାହ ମଧ୍ୟରେ ଦୁଇଟି ଶୁଣାଣି ପଛେ ରାୟ ଆସିଗଲା । ଏହି କ୍ଷୁଦ୍ର ସମୟରେ ନୂତନ ଜଜ୍ ପକ୍ଷରେ ୧୧ହଜାର ପୃଷ୍ଠାର ଅଭିଯୋଗ ପତ୍ରକୁ ପଢ଼ିବା ଅସମ୍ଭବ । ଅଥଚ ରାୟ ପ୍ରକାଶ କରି ଅମିତ ସାହଙ୍କୁ ଦୋଷମୁକ୍ତ କରି ଦିଆଗଲା । ସିବିଆଇ ନିଜେ ଅଭିଯୋଗକର୍ତ୍ତା, କିନ୍ତୁ ସିବିଆଇ କୋର୍ଟ ଆଗରେ କହିଦେଲା ଏହା ରାଜନୈତିକ ଉଦ୍ଦେଶରେ, ଅଭିଯୋଗ ମିଥ୍ୟା । ଜଣେ ଜଜ୍ଙ୍କ ମୃତ୍ୟୁର ଏକ ମାସ ମଧ୍ୟରେ ନୂତନ ଜଜ ଦ୍ୱାରା ରାୟ ପ୍ରମାଣିତ କରୁଛି ଯେ ବିଚାରପତିଙ୍କ ମୃତ୍ୟୁର କାରଣ ସୁପାରି ହତ୍ୟା । ଏହି ତଥ୍ୟ ଦିଆଯାଇଛି ମହାରାଷ୍ଟ୍ରର ଲେଖକ ନିରଞ୍ଜନ ଟେକଲେଙ୍କ ଲିଖିତ ବହିରେ ଯାହାକୁ କେହି ପ୍ରତିବାଦ କରିନାହାନ୍ତି ।
ତେଣୁ ଦେଶ ଏକ ଭୟ ଓ ଭ୍ରଷ୍ଟାଚାର ପରିବେଶ ଭିତରେ ରହିଛି । ଗାଈ ନାମରେ ଅନେକ ମୁସଲମାନଙ୍କୁ ହତ୍ୟା କରାଯାଇଛି । ବିଜେପି ଶାସିତ ରାଜ୍ୟରେ ଭ୍ରଷ୍ଟାଚାରକୁ ନେଇ କେନ୍ଦ୍ରର ଚିନ୍ତା ନାହିଁ କି ପ୍ରତିକ୍ରିୟା ନାହିଁ । ଅଣ-ବିଜେପିଶାସିତ ରାଜ୍ୟମାନଙ୍କରେ ରାଜ୍ୟପାଳ ଜରିଆରେ ଅସ୍ଥିରତା ସୃଷ୍ଟି କରାଯାଉଛି । ନିଜ ଦଳରେ ପାରିବାରିକ ରାଜନୀତି ପ୍ରସାରିତ ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ଗୋଟିଏ ବି ସାମ୍ବାଦିକ ସମ୍ମିଳନୀ କରିବାକୁ ଚାହିଁନାହାନ୍ତି । ଲୋକଙ୍କ ଜୀବନ-ଜୀବିକା, ସ୍ୱାଭିମାନ, ଧର୍ମ ନିରପେକ୍ଷତା ବିପଦଗ୍ରସ୍ତ ହୋଇଥିବା ବେଳେ ବଜରଙ୍ଗବାଲି ନାମରେ ପ୍ରଧାନମନ୍ତ୍ରୀ ଭୋଟ ମାଗୁଛନ୍ତି । ଏହା ପ୍ରମାଣିତ କରୁଛି ଆମ ଗଣତନ୍ତ୍ର ଫାଶିବାଦର ଦୋଛକିରେ ।
Comments
0 comments