ମତଦାତାଙ୍କ ସଂଖ୍ୟାଦୃଷ୍ଟିରୁ ଭାରତ ହେଉଛି ବିଶ୍ୱର ସବୁଠାରୁ ବଡ଼ ଗଣତନ୍ତ୍ର । ଭାରତର ଗଣତନ୍ତ୍ରର ବିଶ୍ୱବ୍ୟାପୀ ସୁନାମ ରହିଛି । କିନ୍ତୁ, ଗଣତନ୍ତ୍ର ସୂଚକାଙ୍କରେ ଭାରତର ସ୍ଥିତି ମିଶ୍ରିତ । ଗଣତନ୍ତ୍ରର ଦୁଇଟି ଦିଗ ରହିଛି ଯଥା: ପ୍ରକ୍ରିୟାତ୍ମକ ଏବଂ ବାସ୍ତବ । ପାଶ୍ଚାତ୍ୟ ବିଦ୍ୱାନଙ୍କ ମତରେ ଭାରତର ଗଣତନ୍ତ୍ର ନିର୍ବାଚନ ସ୍ତରକୁ ହ୍ରାସ ପାଇଛି । ଏହା ଗଣତନ୍ତ୍ରର ପ୍ରକ୍ରିୟାତ୍ମକ ଦିଗକୁ ସୂଚିତ କରେ । ସାମାଜିକ-ଅର୍ଥନୀତିକ-ରାଜନୀତିକ ସମାନତା, ସହନଶୀଳତା, ଶାସକଙ୍କ ଉତ୍ତରଦାୟିତ୍ୱ, ନିୟମ ପ୍ରତି ସମ୍ମାନ, ଏକ ଦୃଢ଼ ରାଜନୀତିକ ଅଂଶଗ୍ରହଣ, ପ୍ରଭାବଶାଳୀ ଗଣତାନ୍ତ୍ରିକ ଅନୁଷ୍ଠାନ, ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ, ବିିମର୍ଷୀ ବିଧାନମଣ୍ଡଳ, ସାମ୍ବିଧାନିକ ଓ ଆଇନର ଶାସନ, ବହୁସଂସ୍କୃତିବାଦ, ସରକାରଙ୍କ କାର୍ଯ୍ୟଶୈଳୀ, ସକାରାତ୍ମକ ରାଜନୀତିକ ସଂସ୍କୃତି, ଏବଂ ନାଗରିକମାନଙ୍କ ସ୍ୱତନ୍ତ୍ରତା ଆଧାରରେ ଗୋଟେ ଦେଶର ଗଣତନ୍ତ୍ରର ସ୍ଥିତି ଆକଳନ କରାଯାଏ ଓ ଏହିସବୁ ଉପାଦାନଗୁଡ଼ିକ ପରସ୍ପରକୁ ମଜବୁତ କରନ୍ତି । ଏହି ମାପକାଠି ଅନୁସାରେ ଗଣତନ୍ତ୍ରକୁ ପଦମର୍ଯ୍ୟାଦା ଦିଆଯାଏ ଯେଉଁଥିରେ ସମ୍ପୂର୍ଣ୍ଣ ଗଣତନ୍ତ୍ର, ଦୋଷପୂର୍ଣ୍ଣ ଗଣତନ୍ତ୍ର, ହାଇବ୍ରିଡ଼ ବା ମିଶ୍ରିତ ଗଣତନ୍ତ୍ର କିମ୍ୱା କ୍ଷମତାଧାରୀ ଗଣତନ୍ତ୍ର ତାହା ଜାଣିହୁଏ ଓ କିନ୍ତୁ ଭୋଟରଙ୍କ ମୂଲ୍ୟଦୃଷ୍ଟିରୁ ଭାରତୀୟ ଗଣତନ୍ତ୍ର ଗୌରବଶାଳୀ ନୁହେଁ ଓ ୩୭%, ୩୮% କିମ୍ବା ୩୯% ଭୋଟ୍ ପାଇଥିବା ଦଳ/ ପ୍ରାର୍ଥୀ ଦେଶକୁ ଶାସନ କରେ । ଅର୍ଥାତ ୬୦%ରୁ ଅଧିକ ଭୋଟର ପ୍ରତ୍ୟାଖ୍ୟାନ କରିଥିବା ଏକ ରାଜନୀତିକ ଦଳ/ପ୍ରତିନିଧି ଦେଶକୁ ଏବଂ ନିଜ ନିର୍ବାଚନ ମଣ୍ଡଳୀକୁ ଶାସନ କରନ୍ତି । ଅଧିକନ୍ତୁ, ବାସ୍ତବିକ ଗଣତନ୍ତ୍ର ବଦଳରେ ଆମେ ଏକ ପ୍ରକ୍ରିୟାତ୍ମକ ଗଣତନ୍ତ୍ର ଉପଭୋଗ କରୁଛୁ, କାରଣ ଏହା କେବଳ ଗଣତନ୍ତ୍ରର ନିୟମ ଓ ପ୍ରକ୍ରିୟାକୁ (ପ୍ରତି ପାଞ୍ଚ ବର୍ଷରେ ନିର୍ବାଚନ) ଅନୁସରଣ କରି ଆସୁଛି । ଅର୍ଥାତ ଆମେ କେବଳ ଗଣତନ୍ତ୍ରର ନିୟମକୁ ଅନୁସରଣ କରୁ ଏବଂ ଗଣତନ୍ତ୍ରର ଆତ୍ମାକୁ କାର୍ଯ୍ୟକାରୀ କରୁ ନାହୁଁ । ଆଜି, ଆମର ଗଣତନ୍ତ୍ର କାହା ସ୍ୱାର୍ଥରେ କାର୍ଯ୍ୟ କରୁଛି ତାହା ମଧ୍ୟ ଏକ ପ୍ରଶ୍ନବାଚୀ ।
ଭାରତର ବହୁସଂସ୍କୃତିବାଦ ଓ ବହୁଳତାବାଦ ପ୍ରକୃତି ପରିପ୍ରେକ୍ଷୀରେ, ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ, ରାଜନୈତିକ ଅଂଶଗ୍ରହଣ ଏବଂ ନାଗରିକ ସ୍ୱାଧୀନତାର ସ୍ଥିତି ପ୍ରଶଂସନୀୟ । କିନ୍ତୁ ପରିଚୟ ରାଜନୀତି\’ ହେଉଛି ଭାରତୀୟ ରାଜନୀତିର ଏକ ପ୍ରମୁଖ ବୈଶିଷ୍ଟ୍ୟ ଓ ପ୍ରାର୍ଥୀଙ୍କ ଅପେକ୍ଷା ଦଳର ପରିଚୟ ଆଧାରରେ ମତଦାତା ଭୋଟ୍ ଦେବାର ଅଭ୍ୟାସ ଅଛି । ନିର୍ଦ୍ଦଳୀୟ ପ୍ରାର୍ଥୀଙ୍କ ବିଜୟ ନିଶ୍ଚିତ କରିବାକୁ ବହୁ ସଂଘର୍ଷ କରିବାକୁ ପଡୁଛି । ସହମତି ଓ ଅସହମତି ଗଣତନ୍ତ୍ରର ଏକ ଉପାଦାନ । ତଥାପି ବିଭିନ୍ନ ଆଦର୍ଶ ମଧ୍ୟରେ ବିରୋଧାଭାସ ଓ ସଂଘର୍ଷ ଦେଶର ଏକତାକୁ ଦୁର୍ବଳ କରୁଛି । କିଏ ଗାନ୍ଧୀଙ୍କ ତ କିଏ ସାବରକରଙ୍କ, କିଏ ଆମ୍ବେଦକରଙ୍କ ତ କିଏ ମନୁଙ୍କ, କିଏ ବୁଦ୍ଧଙ୍କ ତ କିଏ ମାଓ-ସେ-ତୁଙ୍ଗଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେମାନଙ୍କ ସ୍ଥାୟୀ ଅନୁଗାମୀ ଭାବେ ପରସ୍ପର ବିରୁଦ୍ଧରେ ଠିଆ ହେଉଛନ୍ତି । ଜାତି, ଧର୍ମ, ଭାଷା, ଓ ଅଂଚଳ ଆଧାରରେ ସୃଷ୍ଟି ହୋଇଥିବା ଅନୁଷ୍ଠାନ ଓ ଦଳଗୁଡିକ ନିଜନିଜର ସ୍ଥାୟୀ ଅନୁଗାମୀ ସୃଷ୍ଟି କରି ଭାରତକୁ ସ୍ଥାୟୀ ଭାବେ ଏକ ଅଦୃଶ୍ୟ ବିଭାଜନ କରିସାରିଛନ୍ତି । ବିଭିନ୍ନ ପ୍ରକାରର ବ୍ୟବସ୍ଥା, ଅଭ୍ୟାସ, ମତ, ବିପରୀତ ଦୃଷ୍ଟିକୋଣ ଆଦିର ସମାନ୍ତରାଳ ସହ-ଅସ୍ତିତ୍ୱ ବା ଏକକାଳୀନ ଉପସ୍ଥିତି ହେତୁ, ଭାରତରେ ସାମାଜିକ ପରିବର୍ତ୍ତନରେ ଅସଙ୍ଗତ ସୃଷ୍ଟି ହୋଇଛି । ଭେଦଭାବ ପ୍ରଶାସନିକ ବ୍ୟବସ୍ଥା ମଧ୍ୟ ଆମ ଗଣତନ୍ତ୍ର ଉପରେ ପ୍ରଭାବ ପକାଇଛି । ଆମ ସମାଜରେ ସହରୀ ହେଉଛି ‘ଅତ୍ୟାଧୁନିକ\’ ବୌଦ୍ଧିକ ଶ୍ରେଣୀ, ଯେଉଁଠି ପାଶ୍ଚାତ୍ୟ ଶୈଳୀରେ ଜୀବନଯାପନ କରୁଥିବା ଇଣ୍ଡିଆନ୍ମାନେ ବାସ କରନ୍ତି । ଗ୍ରାମ ହେଉଛି ନିରକ୍ଷର ଓ ଦାରିଦ୍ର୍ୟମାନଙ୍କର ବାସସ୍ଥଳୀ ଯେଉଁଠି ଭାରତୀୟମାନେ ବାସ କରନ୍ତି । ଗ୍ରାମାଞ୍ଚଳରେ ଲୋକମାନେ କୌଣସି ଅତ୍ୟାଧୁନିକ ସୁବିଧା ନଥାଇ ପାରମ୍ପରିକ ଜୀବନଯାପନ କରନ୍ତି ।
ଏହାର ପ୍ରତିଫଳନ ଗଣତନ୍ତ୍ରରେ ଦେଖିବାକୁ ମିଳେ । ଶିକ୍ଷାକ୍ଷେତ୍ରରେ ପାଶ୍ଚାତ୍ୟ ପ୍ରକାରର ଶିକ୍ଷା ଏବଂ ପାରମ୍ପରିକ ଗୁରୁକୁଳ, ମଦ୍ରାସାର ପ୍ରଚଳନ ରହିଛି । ଡାକ୍ତରଖାନାଗୁଡ଼ିକ ଆୟୁର୍ବେଦିକ, ୟୁନାନି, ହୋମିଓପାଥିକ୍ ଏବଂ ଏଲୋପାଥି କେନ୍ଦ୍ର ଭାବରେ ବିଦ୍ୟମାନ । ଏପରି ସହ-ଅସ୍ତିତ୍ୱର ସମାଜକୁ ନିଜ ସୁବିଧା ଦୃଷ୍ଟିରୁ ନିଜ ଆଡ଼କୁ ଟାଣିବାପାଇଁ ନେତାମାନେ ଚେଷ୍ଟା କରିଥାନ୍ତି । ଯଦିଓ ଗଣତନ୍ତ୍ରରେ ସମସ୍ତଙ୍କ ପାଇଁ ସମାନ ସୁଯୋଗ ବିଦ୍ୟମାନ ଅଛି, ରାଜନୀତିକ ନେତା ଏବଂ ପ୍ରଶାସନିକ ଅଧିକାରୀମାନେ ବିପୁଳ ପ୍ରଭାବ, କ୍ଷମତା ଏବଂ ପ୍ରତିଷ୍ଠା ଉପଭୋଗ କରନ୍ତି ଓ କେବଳ କିଛିଲୋକ ଯଥେଷ୍ଟ ଅର୍ଥ ଉପାର୍ଜନ ଓ ସୁବିଧା ସୁଯୋଗ ପାଇବାରେ ସଫଳ ହୁଅନ୍ତି, ବିଫଳ ଲୋକେ ସରକାରଙ୍କ ବିରୋଧରେ ‘ଚାପ ଗୋଷ୍ଠୀ\’ ଗଠନ କରି ଆନ୍ଦୋଳନ କରନ୍ତି । ବିଭିନ୍ନ ସରକାରଙ୍କ କାର୍ଯ୍ୟଶୈଳୀ ଏବଂ ସାମ୍ବିଧାନିକ ଅନୁଷ୍ଠାନ ମଧ୍ୟରେ ଅସଙ୍ଗତି ଓ ବିବାଦ ମଧ୍ୟ ଚିନ୍ତାଜନକ । ସମାଜର ‘ବର୍ଣ୍ଣିତ ଉଦ୍ଦେଶ୍ୟ\’ ଏବଂ ‘ପ୍ରକୃତ କାର୍ଯ୍ୟଦକ୍ଷତା\’, ସାମ୍ବିଧାନିକ ବ୍ୟବସ୍ଥା, ଆଇନ ଏବଂ ପ୍ରକୃତ କାର୍ଯ୍ୟକାରିତା ମଧ୍ୟରେ ବ୍ୟବଧାନ ଅଧିକ । ସାମ୍ବିଧାନିକ ନିୟମ ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କୁ ବିଧାନସଭାର ସଂଖ୍ୟାଗରିଷ୍ଠ ଦଳର ସଦସ୍ୟମାନେ ନିର୍ବାଚିତ କରିବେ । କିନ୍ତୁ ଅଧିକାଂଶ କ୍ଷେତ୍ରରେ କେନ୍ଦ୍ରୀୟ ଦଳର ନେତୃତ୍ୱ ମୁଖ୍ୟମନ୍ତ୍ରୀଙ୍କୁ ଚୟନ କରନ୍ତି । ବେଳେବେଳେ କ୍ଷମତା ଲୋକଙ୍କର ନିର୍ବାଚିତ ପ୍ରତିନିଧିଙ୍କ ହାତରେ ନଥାଇ ସଂସଦ ବାହାରେ କିଛି ବ୍ୟକ୍ତି କିମ୍ବା ଗୋଷ୍ଠୀ ହାତରେ ରହି ଆସିଛି । ଆଇନକୁ ପ୍ରଣୟନ କରିବା ବ୍ୟବସ୍ଥାପିକାର ସଦସ୍ୟମାନଙ୍କ ଦାୟିତ୍ୱ । ବାସ୍ତବରେ ସେମାନେ ଆଇନ ତିଆରିରେ ଅଳ୍ପସମୟ ଅତିବାହିତ କରନ୍ତି ଏବଂ କ୍ଷମତା ରାଜନୀତିରେ ଅଧିକ ନିୟୋଜିତ ହୋଇଥାନ୍ତି; ଫଳରେ ଏହା ଅମଲାତନ୍ତ୍ରକୁ ବଳଶାଳୀ କରିବାରେ ସାହାଯ୍ୟ କରେ ।
୭୬ବର୍ଷର ଗଣତନ୍ତ୍ର କେତେ ସଫଳ ହୋଇଛି, ତାହା ପରଖିବାକୁ ବିଗତ ବର୍ଷମାନଙ୍କର ଇତିହାସ, ବିକାଶ, ସାମାଜିକ-ଆର୍ଥନୀତିକ ଅବସ୍ଥା, ଲୋକଙ୍କ ସୁଖ-ସୁବିଧା ଇତ୍ୟାଦି ବିଶ୍ଳେଷଣ କରିବା ଆବଶ୍ୟକ । ବିବିଧତା ହେଉଛି ଭାରତର ସୌନ୍ଦର୍ଯ୍ୟ । ବିଭିନ୍ନତା ମଧ୍ୟରେ ଏକତା ଉପରେ ଆଧାରକରି ଭାରତର ଗଣତନ୍ତ୍ର ଜାତୀୟତା ଧାରଣା ଉପରେ ଆଧାରିତ । ଦକ୍ଷିଣ ଏସିଆରେ ଭାରତ ଏବଂ ଅନ୍ୟଦେଶ ମଧ୍ୟରେ ପାର୍ଥକ୍ୟ ହେଉଛି ଯେ ପାକିସ୍ଥାନ, ବାଂଲାଦେଶ, ନେପାଳ, ଭୁଟାନ ଏବଂ ଶ୍ରୀଲଙ୍କା ସେମାନଙ୍କର ନିର୍ଦ୍ଦିଷ୍ଟ ଧାର୍ମିକ ସମ୍ପ୍ରଦାୟଦ୍ୱାରା ପ୍ରାଧାନ୍ୟ ବିସ୍ତାର କରିଛନ୍ତି । କିନ୍ତୁ, ଧର୍ମନିରପେକ୍ଷତା ଭାରତର ଏକ ଦୃଢ଼ ଆଦର୍ଶ ହୋଇଛି । ଦେଶ ବହୁତ ଅଗ୍ରଗତି ଏବଂ ବିକାଶ କରିଛି । ଦେଶବାସୀଙ୍କ ଜୀବନଧାରଣରେ ଉନ୍ନତି ଆସିଛି । କୃଷି, ଶିଳ୍ପ, ଶିକ୍ଷା, ଔଷଧ, ମହାକାଶ ବିଜ୍ଞାନ ପରି ଅନେକ କ୍ଷେତ୍ରରେ ଭାରତ ସଫଳତା ହାସଲ କରିଛି । ଅର୍ଥନୀତି ଦୃଷ୍ଟିରୁ ଆମେ ବିଶ୍ୱର ପଞ୍ଚମ ବୃହତମ ଶକ୍ତି । ଆଜି ଆମ ପାଖରେ ବୈଦେଶିକ ମୁଦ୍ରାର ବିପୁଳ ଭଣ୍ଡାର ଅଛି । କିନ୍ତୁ ଗଣତନ୍ତ୍ରର ମାପକାଠି ଭାବେ ଏଗୁଡ଼ିକର ସଫଳତାକୁ ବିଚାର କରିବା ଯଥେଷ୍ଟ ନୁହେଁ । କୌଣସି ସନ୍ଦେହ ନାହିଁ ଯେ ଦେଶର ବିକାଶ ହୋଇଛି, କିନ୍ତୁ ଦେଖିବାକୁ ପଡ଼ିବ ଯେ କେଉଁ କ୍ଷେତ୍ରରେ ବିକାଶ ହୋଇଛି । ସୁଦୃଢ଼ ଗଣତନ୍ତ୍ର ଦୃଷ୍ଟିକୋଣରୁ ବିକାଶର ଏହି ଦାବି କେତେ ସଠିକ୍ । ବାସ୍ତବରେ, ଗଣତନ୍ତ୍ରର ସଫଳତା ସରକାର କେତେ ପରିମାଣରେ ଦାରିଦ୍ର୍ୟ, ନିରକ୍ଷରତା, ସାମ୍ପ୍ରଦାୟିକତା, ଲିଙ୍ଗଗତ ଭେଦଭାବ ଏବଂ ଜାତିଭେଦ ଦୂର କରିଛନ୍ତି ତାହା ଉପରେ ନିର୍ଭର କରେ ।
ଟିକସ-ରାଜସ୍ୱ ଆଦାୟ ଦୃଷ୍ଟିକୋଣରୁ ସରକାର ଧନୀ, କିନ୍ତୁ ସର୍ବସାଧାରଣଙ୍କ ଆର୍ଥକ ସ୍ଥିତି ଅତି ଦୟନୀୟ । ଦେଶର କିଛି ଅଭାବ ନାହିଁ, ଭାରତ ସବୁ କ୍ଷେତ୍ରରେ ଅର୍ମନିର୍ଭରଶୀଳ ତଥାପି ଭାରତର ପ୍ରାୟ ୩୬୦ନିୟୁତ ଲୋକ ସ୍ୱାସ୍ଥ୍ୟ, ପୁଷ୍ଟିକର ଖାଦ୍ୟ, ଶିକ୍ଷାରୁ ବଞ୍ଚିତ ଅଛନ୍ତି ଏବଂ ଏକ ଦୁଃଖଦ ଜୀବନଯାପନ କରିବାକୁ ବାଧ୍ୟ ହେଉଛନ୍ତି । ବିଶ୍ୱ ଅସମାନତା ରିପୋର୍ଟ ଅନୁଯାୟୀ, ଭାରତର ଜାତୀୟ ଆୟର ୨୨ପ୍ରତିଶତ କେବଳ ୧ ପ୍ରତିଶତ ଜନସଂଖ୍ୟା ଧାରଣ କରିଛନ୍ତି ଏବଂ ଏହି ଅସମାନତା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଅକ୍ସଫାମ ରିପୋର୍ଟ ଅନୁଯାୟୀ, ଭାରତର ୧ ପ୍ରତିଶତ ଗୋଷ୍ଠୀ ଦେଶର ୭୩ ପ୍ରତିଶତ ସମ୍ପତ୍ତିକୁ ନିୟନ୍ତ୍ରଣ କରୁଛନ୍ତି । ଲିଙ୍ଗଗତ ଭେଦଭାବ ମଧ୍ୟ ଏକ ବଡସମସ୍ୟା ଭାବରେ ଉଭା ହେଉଛି । ବିଶ୍ୱ ଅର୍ଥନୀତି ଫୋରମ୍ ଦ୍ୱାରା ପ୍ରକାଶିତ ଲିଙ୍ଗ ଅସମାନତା ସୂଚକାଙ୍କରେ ଭାରତ ୧୩୫ତମ ସ୍ଥାନରେ ରହିଛି । ଗଣତନ୍ତ୍ରର ଚତୁର୍ଥସ୍ତମ୍ଭ ଗଣମାଧ୍ୟମର ସ୍ୱାଧୀନତା ପ୍ରତି ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଜାତି, ଧର୍ମ, ଆଞ୍ଚଳିକତା କାରଣରୁ ଅସହିଷ୍ଣୁତାର ପ୍ରବୃତ୍ତି ମଧ୍ୟ ବୃଦ୍ଧିପାଇଛି ଏବଂ ଜାତୀୟତା ମନୋଭାବ ଦୁର୍ବଳ ହୋଇଛି । ନିଃସନ୍ଦେହ, ଗଣତନ୍ତ୍ରର ସଫଳତା ପଥରେ ଏଭଳି ପରିସ୍ଥିତି ଏକ ପ୍ରତିବନ୍ଧକ ହୋଇଛି ।
ଆମ ଗଣତନ୍ତ୍ର କେବଳ ଏକ ‘ନିର୍ବାଚନୀ ଗଣତନ୍ତ୍ରରେ ପରିଣତ ହୋଇଛି । ନିର୍ବାଚନରେ ମତଦାନ ଏକ ଅଧିକାର ଭାବରେ ନୁହେଁ, ବରଂ ଏକ କର୍ତ୍ତବ୍ୟ ଭାବରେ ବ୍ୟବହୃତ ହେଉଛି । ଗଣତାନ୍ତ୍ରିକ ବ୍ୟବସ୍ଥା ସମ୍ବନ୍ଧୀୟ ମୌଳିକ ପ୍ରଶ୍ନଗୁଡିକ ବହୁ ପଛରେ ଛାଡ଼ି ଦିଆଯାଇଛି । ଆମ ଗଣତନ୍ତ୍ର ବ୍ୟବସ୍ଥା ଓ ସରକାର ପ୍ରତି ଆମର ଭିନ୍ନଭିନ୍ନ ଆସ୍ଥା, ବିଶ୍ୱାସ ଓ ଦୃଷ୍ଟିକୋଣ ରହଛି ଓ ତେଣୁ ଏକ ପ୍ରକାର ସଂସ୍କୃତିର ବିକାଶ ପାଇଁ ପ୍ରଥମେ ମୌଳିକ ସମସ୍ୟାର ସମାଧାନ ଆବଶ୍ୟକ, ଯାହାଦ୍ୱାରା ଆମ ଗଣତାନ୍ତ୍ରିକ ବ୍ୟବସ୍ଥା ସଫଳ ହୋଇପାରିବ । ଗଣତନ୍ତ୍ରର ସଫଳତା ପାଇଁ ରାଜନୀତିକ ଦଳ ନିଜର ନ୍ୟସ୍ତ ସ୍ୱାର୍ଥଠାରୁ ଊର୍ଦ୍ଧ୍ୱ ହୋଇ ସମାଜର ଆକାଂକ୍ଷା ପୂରଣ କରିବାକୁ ଚେଷ୍ଟା କରିବା ଆବଶ୍ୟକ । ସଫଳ ଗଣତନ୍ତ୍ର ହେଉଛି ଏକ ସାମଗ୍ରିକ ଧାରଣା । ଦାରିଦ୍ର୍ୟ ଏବଂ ନିରକ୍ଷରତା ମତଦାତାଙ୍କ ମତ ସ୍ଖଳନର ମୁଖ୍ୟ କାରଣ । ଭୋଟ୍ ଦେବାର ଅଧିକାର କିମ୍ବା ସେମାନଙ୍କର କର୍ତ୍ତବ୍ୟର ମହତ୍ତ୍ୱ ସମ୍ପର୍କରେ ଅନେକ ଭୋଟର ବୁଝନ୍ତି ନାହିଁ । ତେଣୁ ଶିକ୍ଷା ବିନା ଗଣତନ୍ତ୍ରର କୌଣସି ଅର୍ଥ ନାହିଁ । ଶାସକ ଏବଂ ବିରୋଧୀ ଦଳ ମଧ୍ୟରେ ଏକ ସୁସ୍ଥ ପ୍ରତିଯୋଗିତା ମଧ୍ୟ ଦରକାର । ଦଳମାନଙ୍କ ପାଖରେ ଏକ ସୁବିଧାବାଦୀ ଭାବନା ଅପେକ୍ଷା ଏକ ପ୍ରଗତିଶୀଳ ଚିନ୍ତାଧାରାର ଆବଶ୍ୟକତା ଅଛି । ଭାରତରେ ନିର୍ବାଚନକୁ ଏକ ପର୍ବପରି ବିବେଚନା କରାନଯାଇ ଗଣତନ୍ତ୍ରର ଉପଚାର ଭାବରେ ଦେଖିବାକୁ ହେବ ।
ଡ. ଦାଶରଥୀ ଭୂୟାଁ
Comments
0 comments