ଦଳିତ ସୃଷ୍ଟିର ଇତିହାସ

ଦଳିତ ସମସ୍ୟାର ଅମାନବୀୟତା ଦୃଷ୍ଟିରୁ ତାକୁ ଆଜିର ଭାରତ ପ୍ରଥମେ ସମାଧାନ କରିବା ଉଚିତ ।

ବୁଦ୍ଧିଜୀବୀଙ୍କ ପାଖରେ ଅନେକ ପ୍ରଶ୍ନ:-

କେବଳ ଭାରତରେ ଦୁଇଟି ନିରୀଶ୍ୱରବାଦୀ ଧର୍ମର ଉଦ୍ଭବ ହେଲା କାହିଁକି?

କେବଳ ଭାରତରେ ହିଁ ଅହିଂସାର ଜୟଗାନ ଏତେ ପ୍ରଖର କାହିଁକି?

କେବଳ ଭାରତରେ କେମିତି ଦଳିତ ଶ୍ରେଣୀ ଭଳି ଏକ ଘୃଣ୍ୟ ପ୍ରଥାର ଉତ୍ପତ୍ତି ହେଲା?

ଗ୍ରୀକ୍ ସଭ୍ୟତାରେ ‘ସଭ୍ୟ ସମାଜ’ ଏବଂ ବର୍ବର ସମାଜ ଦୁଇଟିର ମର୍ଯ୍ୟାଦା (status) ଦୁଇ ପ୍ରକାର । ବର୍ବର ସମାଜ ଦାସକାମ କରିବାକୁ ବାଧ୍ୟ କାରଣ ସେ କାମ ନହେଲେ ସଭ୍ୟ ସମାଜ (Elites) ସମୟ ପାଇବନି ଦର୍ଶନର ଚର୍ଚ୍ଚା ପାଇଁ । ପ୍ରାକ୍-ବେଦୀୟ ଭାରତୀୟ ସମାଜର ଘୋଷଣା ହେଉଛି ସମସ୍ତେ ସମାନ ଏବଂ ସମସ୍ତଙ୍କର ମଙ୍ଗଳ ହେବା ଉଚିତ୍ । ବେଦଯୁଗର ଶେଷ ଭାଗରେ କାର୍ଯ୍ୟ କ୍ଷେତ୍ରରେ ଏ ଆଦର୍ଶ ଘୋଷଣାର ବିରୁଦ୍ଧାଚରଣ ଦେଖିବାକୁ ମିଳୁଛି । ତା’ର ଉଦାହରଣ ଜାତିବିଭାଗ ଓ ଅସ୍ପୃଶ୍ୟତା । ଦଳିତ ସୃଷ୍ଟିକୁ ଭାରତୀୟ ସଭ୍ୟତାର କ୍ୟାନସ୍ର କହିବା ସଙ୍ଗତ ।

ଦଳିତ ସମସ୍ୟାର ଅମାନବୀୟତା ଦୃଷ୍ଟିରୁ ତାକୁ ଆଜିର ଭାରତ ପ୍ରଥମେ ସମାଧାନ କରିବା ଉଚିତ । ଦଳିତ ସୃଷ୍ଟିର ଯେଉଁ ସବୁ କାରଣ ବିଦ୍ୱାନ୍ମାନେ ରେଖାଙ୍କିତ କରନ୍ତି, ସେ ସବୁ କାରଣ ‘ଆଳ’ (Plea) ପଦବାଚ୍ୟ ଓ ପ୍ରକୃତ କାରଣ ନୁହେଁ । କିଛିଟା ଉଦାହରଣ ଦେଲେ କଥାଟି ପରିଷ୍କାର ହୋଇଯିବ । କୁହାଯାଇଛି ‘ଶୌଚ’ (purity and pollution) ମନୋଭାବଜନିତ ସୃଷ୍ଟିର ମୂଳ କାରଣ । ଏ କାରଣଟି ଉପରେ ଗୁରୁତ୍ୱ ଦେଇଛନ୍ତି Louis Dumont ସମେତ ବିଦ୍ୱାନ୍ମାନେ । ‘ଶୌଚ’ମୂଲ୍ୟବୋଧକୁ ଦଳିତମାନଙ୍କୁ ଅପାଂକ୍ତେୟ କରି ରଖିବାକୁ ବ୍ୟବହାର କରାଯାଇଛି, ଏ କଥାକୁ ଅସ୍ୱୀକାର କରାଯାଇ ନପାରେ । ଯୋଗୀୟ ମୂଲ୍ୟବୋଧ ଗୁଡ଼ିକ ଯଥା:- ଅହିଂସା, ସତ୍ୟ, ଅସ୍ତେୟ, ଅପରିଗ୍ରହ ଏବଂ ମୈତ୍ରୀ, କରୁଣା, ମୁଦିତା, ଉପେକ୍ଷା । ପ୍ରତ୍ୟେକଟିର କାମ ହେଲା ସମଗ୍ର ଜୀବଜଗତ ସହ ସ୍ନେହ ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ସ୍ଥାପନ କରିବା । ଶୌଚ ଏ ସ୍ତରର ମୂଲ୍ୟବୋଧ ନୁହେଁ । ଶୌଚ ଉପରଲିଖିତ ମୂଲ୍ୟବୋଧଗୁଡ଼ିକ ଭଳି ଭାତୃତ୍ୱ ଓ ସମତା ସୂଚକନୁହେଁ । ଏହା ସମତାଭିତ୍ତିକ ସମାଜକୁ ଭାଙ୍ଗି ଉଚ୍ଚନୀଚ ଗୋଷ୍ଠୀ ସୃଷ୍ଟି କରିବାପାଇଁ ଉଦ୍ଦିଷ୍ଟ । ଏଭଳି ଉଚ୍ଚନୀଚ ଭେଦଭାବ ସୃଷ୍ଟି ହୋଇନଥିଲା ସିନ୍ଧୁ ସଭ୍ୟତାରେ । ଯୋଗୀ, ସାଂଖ୍ୟବାଦୀ କିମ୍ବା ଲୋକାୟତିକମାନେ ‘ଶୌଚ’ ମୂଲ୍ୟବୋଧଠୁ ଥିଲେ ଦୂରରେ । ଲୋକାୟତିିକମାନେ ଜାତିବିଭାଗ ଓ ଅସ୍ପୃଶ୍ୟତାକୁ ଦ୍ଵିଧାହୀନ ଭାବରେ ନିନ୍ଦା କରିଛନ୍ତି । ଅଶୁଚି କର୍ମ କରିବା ଯୋଗୁଁ ଦଳିତମାନେ ନିନ୍ଦିତ, ଏ ଯୁକ୍ତି ହାସ୍ୟାସ୍ପଦ । ସଂଖ୍ୟାଧିକ ଦଳିତଥିଲେ ପାହାଡ଼ ଅଞ୍ଚଳରେ ଯେଉଁଠି ଅଶୁଚିକାମ କରିବା ସେମାନଙ୍କ ପକ୍ଷରେ ସମ୍ଭବ ନଥିଲା । ଅସବର୍ଣ୍ଣ ବିବାହଯୋଗୁଁ ଦଳିତ ସୃଷ୍ଟିହେବା କଥା ମଧ୍ୟ ଠିକ୍ ନୁହେଁ । ଅସବର୍ଣ୍ଣ ବିବାହ ଋଗ୍ବେଦ ଯୁଗରେ ନିନ୍ଦିତ ନଥିଲା । ଅନ୍ୟଯୁଗରେ ଜାତିସଚେତନ ସମାଜରେ ଅଳ୍ପମାତ୍ରାରେ ଅସବର୍ଣ୍ଣ ବିବାହ ଘଟୁଥିଲା । ତେଣୁ ଅସବର୍ଣ୍ଣ ବିବାହଯୋଗୁଁ ଲକ୍ଷ ଲକ୍ଷ ସଂଖ୍ୟାରେ ଦଳିତ ସୃଷ୍ଟି ହୋଇଥିବା କଥା ଅସମ୍ଭବ । ଏହା ସଠିକ୍ ଯେ ଆର୍ଯ୍ୟମାନଙ୍କ ଭାରତ ଆଗମନର ଅନେକ ଦିନପରେ ସମାଜରେ ଅସ୍ପୃଶ୍ୟତା ଦେଖା ଦେଇଥିଲା । ଏହା କାହିଁକି ଦେଖାଦେଇଥିଲା ତାର ଉତ୍ତର ଦେଇଛନ୍ତି ଆମ୍ବେଦକର ‘ପୈଜବନ’ ମିଥ୍ ଉଦ୍ଧାରକରି । ଆମ୍ବେଦ୍କର ବିସ୍ମୟର ସହ ଉଲ୍ଲେଖ କରିଛନ୍ତି ଯେ ଅତୀତରେ ବ୍ରାହ୍ମଣମାନେ ବିଖ୍ୟାତ ଭରତବଂଶର ଜଣେ ପରାକ୍ରମୀ ରାଜାଙ୍କୁ ମଧ୍ୟ ଶୁଦ୍ରଶ୍ରେଣୀକୁ ନେଇ ଆସିଥିଲେ ।

ଆମ୍ବେଦକରଙ୍କ ଗବେଷଣାମୂଳକ ତଥ୍ୟକୁ ଗୁରୁତ୍ୱଦେଇ ଆମକୁ ଖୋଜିବାକୁ ପଡ଼ିବ ମହାଭାରତର ଏଭଳି ଏକ ମିଥ୍କୁ ଯେଉଁଠି ଅସ୍ପୃଶ୍ୟ ସୃଷ୍ଟିରେ ବ୍ରାହ୍ମଣମାନେ ମୁଖ୍ୟଭୂମିକା ନେଇଛନ୍ତି । ଆମ ମନରେ ପ୍ରଶ୍ନ ଜାଗ୍ରତ ହୁଏ ମୁଖ୍ୟତଃ ତିନୋଟି (୧)କେଉଁମାନଙ୍କୁ ଅସ୍ପୃଶ୍ୟ କରି ଦିଆଗଲା? (୨) ଅସ୍ପୃଶ୍ୟଗୋଷ୍ଠୀ ସୃଷ୍ଟିଦ୍ୱାରା ସୁବିଧାଭୋଗୀ ଗୋଷ୍ଠୀମାନଙ୍କର କ’ଣ ଲାଭ ହୋଇଥିଲା? (୩) ଭାରତରେ ବ୍ରାହ୍ମଣମାନଙ୍କୁ ଏତେ ଉନ୍ନତ ସ୍ଥାନ କାହିଁକି ଦେଇଥିଲା ସମାଜ? ପୃଥିବୀର ଅନ୍ୟ କୌଣସି ଦେଶରେ କୌଣସି ସାମାଜିକ ଶ୍ରେଣୀକୁ ଏତେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମିଳି ନଥିଲା, (ସବୁ ବ୍ରାହ୍ମଣ ଦେବସେବକ (Priest)ନଥିଲେ ।)

କେଉଁମାନେ ବଂଶ ପରମ୍ପରାକ୍ରମେ ଅସ୍ପୃଶ୍ୟ ହୋଇଗଲେ ଅତୀତରେ, ସେମାନଙ୍କର ସମ୍ବନ୍ଧରେ ଆଲୋଚନା ହେବା ଦରକାର । ପଦ୍ମପୁରାଣରେ ଆମେ ପାଉଛୁ ସୂର୍ଯ୍ୟବଂଶର ରାଜା ବେଣଙ୍କ ସମ୍ପର୍କରେ କିଛି ତଥ୍ୟ । ବେଣ ଥିଲେ ଜୈନଧର୍ମୀ ଏବଂ ବେଦ ତଥା ଯଜ୍ଞବିରୋଧୀ । ବେଣଙ୍କୁ ହତ୍ୟାକଲେ ବ୍ରାହ୍ମଣମାନେ । ବେଣଙ୍କ ମାତୃକୂଳକୁ ଅସ୍ପୃଶ୍ୟ କରିଦିଆଗଲା । ବେଣଙ୍କ ଜ୍ୟେଷ୍ଠପୁତ୍ର ଥିଲେ ନିଷାଦ । ନିଷାଦ ଓ ତାଙ୍କ ମାତୃକୂଳ ଅସ୍ପୃଶ୍ୟ ହୋଇଗଲେ । ସୂର୍ଯ୍ୟବଂଶର ଜଣେ ବିଖ୍ୟାତ ରାଜା ଥିଲେ ନହୁଷ । ନହୁଷଙ୍କ ମାତୃକୂଳ ହୋଇଗଲେ ଅସ୍ପୃଶ୍ୟ । …

ବିଶ୍ୱାମିତ୍ରଙ୍କ ସନ୍ତାନମାନେ ପ୍ରଥମେ ‘ଦସୁ୍ୟ’ ପଦବାଚ୍ୟହେଲେ ଓ ପରେ ଅସ୍ପୃଶ୍ୟ ହୋଇଗଲେ । ଏମାନେ ଥିଲେ ପ୍ରସିଦ୍ଧ ଭରତବଂଶର ବଂଶଧର । ବଶିଷ୍ଠ ବିବାହ କରିଥିଲେ ଚଣ୍ଡାଳ କନ୍ୟା ଅରୁନ୍ଧତୀଙ୍କୁ । ବଶିଷ୍ଠ ଥିଲେ ବାରଶିଖ ଗୋତ୍ରର ଲୋକ । ବାରଶିଖମାନଙ୍କୁ ହତ୍ୟା କରିଥିଲେ ଇନ୍ଦ୍ର । (According to Ludwig, Nahus was designation of a tribe ( VEDIC VRTRA by A.K.Lahini) )

ସେମାନେ ରାଜକୁଳର ହୋଇଥିବା ସମ୍ଭାବନା ଯଥେଷ୍ଟ କାରଣ ଇନ୍ଦ୍ର ବାଛି କୁଳ ମୁଖ୍ୟମାନଙ୍କୁ ହତ୍ୟା କରୁଥିଲେ (ବୃତ୍ର, ନମୁଚି, ଶମ୍ବର, ପିପୃ ଇତ୍ୟାଦି) । ସୂର୍ଯ୍ୟବଂଶର ରାଜା ଥିଲେ ତ୍ରିଶଙ୍କୁ । ବଶିଷ୍ଠଙ୍କ ପୁତ୍ରଙ୍କ ସହ ତାଙ୍କର କଳହ ହେଲା । ବଶିଷ୍ଠପୁତ୍ରମାନେ ତାଙ୍କୁ ଚଣ୍ଡାଳଶ୍ରେଣୀରେ ରଖିଦେଲେ ।

ହିମାଳୟ ପାଦଦେଶରେ ତ୍ରୟୋଦଶ ଶତାବ୍ଦୀରେ ଡମ୍ବ ରାଜାମାନେ ରାଜ୍ୟସ୍ଥାପନ କରିଥିବା ବିଷୟ ଉଲ୍ଲେଖ କରିଛନ୍ତି ସୁବୀର ଜୟସ୍ୱାଲ୍ (An introduction to the study of Indian History – D.D. Kosambi) ଜୟସ୍ୱାଲ ଆହୁରି ଲେଖିଛନ୍ତି ଯେ କର୍ଣ୍ଣାଟକରେ ଥିବା ଏକ ଶିଳାଲେଖ ଅନୁଯାୟୀ କର୍ଣ୍ଣାଟକର ଜଣେ ରାଜା ଜଣେ ଡମ୍ବରାଜାଙ୍କୁ ଯୁଦ୍ଧରେ ପରାସ୍ତ କରିଥିଲେ । ମହାଭାରତର ଏକ ମିଥର ସୁବ୍ୟବହାର କରି ଆମ୍ବେଦକର ଆମକୁ ବାଟ ଦେଖାଇଛନ୍ତି । The Indian Theogony ପୁସ୍ତକରେ ଭାରତୀୟ ମିଥ୍ ସମ୍ପର୍କରେ ଲେଖିଛନ୍ତି ପ୍ରଫେସର ସୁକୁମାରୀ ଭଟ୍ଟାଚାର୍ଯ୍ୟ Anthropologist Levi struss’s work assumes that myths are projections of vital experience of a people …. Myths are the only valid medium for externalizing these experiencesö । ନୃତତ୍ତ୍ୱବିତ୍ ଲେଭିଷ୍ଟ୍ରସ୍ଙ୍କ ମତରେ ଲୋକଙ୍କର ଅନ୍ତରଙ୍ଗ ଓ ପ୍ରଭାବଶାଳୀ ଅନୁଭୂତିଗୁଡ଼ିକ ପ୍ରକାଶ ପାଇଥାଏ ମିଥ୍ ମାଧ୍ୟମରେ….ପୁଣି ସେ କହିଛନ୍ତି, ମିଥ୍ ହେଉଛି ଏକମାତ୍ର ମାଧ୍ୟମ ଯାହା ଜରିଆରେ ମୁଖ୍ୟ ଅନୁଭୂତିଗୁଡ଼ିକର ପରିପ୍ରକାଶ ଘଟିଥାଏ । ଭାରତୀୟ ପ୍ରାଚୀନଗ୍ରନ୍ଥଗୁଡିକ ଅଗଣିତ ମିଥ୍ରେ ରୁଦ୍ଧିମନ୍ତ । ବେଦୀୟ ଓ ପୁରାଣ ସାହିତ୍ୟରେ ଅସଂଖ୍ୟ ମିଥ୍ ରହିଛି । ରାଜା ବେଣ, ନିଷାଦ, ତକ୍ଷକ ପ୍ରଭୃତି ମିଥ୍ରେ ରହିଛି ଦଳିତ ସୃଷ୍ଟିର ରହସ୍ୟ । ଏମାନେ ପ୍ରତ୍ୟେକ ଥିଲେ ପ୍ରାଚୀନ ଯୁଗର ଜଣେ ଜଣେ ପ୍ରଭାବଶାଳୀ ରାଜା । ଏମାନଙ୍କ ମାତୃକୂଳ ଥିଲେ ଶକ୍ତିଶାଳୀ । ମାତୃକୂଳର ନାମାନୁସାରେ ଏମାନଙ୍କର ନାମକରଣ ହୋଇଥିଲା । ଏ ରାଜାମାନେ ଓ ଏମାନଙ୍କର ମାତୃକୂଳଗୁଡ଼ିକ ଦଳିତ ଶ୍ରେଣୀଭୁକ୍ତ ହୋଇଗଲେ । ମହାଭାରତ ବନପର୍ବରେ ରହିଛି ନହୁଷ ମିଥ୍ । ପୃଥିବୀରେ ଅନ୍ୟ କୌଣସି ସଭ୍ୟତାରେ ଏଭଳି ଦଳିତ ସୃଷ୍ଟି ମିଥ୍ର ଉତ୍ପତ୍ତି ଘଟିନି ।

ଭାରତ ହେଉଛି ଏକମାତ୍ର ଦେଶ ଯେଉଁଠି ନାରୀକୈନ୍ଦ୍ରିକ ପରରକ୍ଷୀ ସଭ୍ୟତାର ଉଦ୍ଭବ ଓ ବିକାଶ ଘଟିଥିଲା । (ପୃଥିବୀର ଅନ୍ୟସମସ୍ତ ଦେଶରେ ପୁରୁଷଶାସିତ ଶିକାରୀ ସଭ୍ୟତା ଦେଖିବାକୁ ମିଳିଥିଲା ।- The Journey of Man: Spencer Wells । ଭାରତର ପରରକ୍ଷୀ ସଭ୍ୟତାରେ ସମାଜର ଶାସକସ୍ଥାନରେ ଥିଲେ ଯୋଗୀମାନେ । ଯୋଗୀମାନଙ୍କର ମୁଖ୍ୟ ମୂଲ୍ୟବୋଧ ଥିଲା ଅହିଂସା । ପରଭକ୍ଷୀ ସଭ୍ୟତା ଥିଲା ଶିକାରୀ ଓ ଯୋଦ୍ଧାମାନଙ୍କଦ୍ୱାରା ଗଠିତ । ଲୋକାୟତ୍ତ ମତାବଲମ୍ବୀ ଚାର୍ବାକଙ୍କ ଲେଖାରୁ ଜଣାଯାଏ ବେଦପୂର୍ବ ଭାରତରେ ଜାତିବିଭାଗ ନ ଥିଲା । ସମ୍ପୂର୍ଣ୍ଣ ସମତା ଉପଭୋଗ କରୁଥିବା ବିଭିନ୍ନ ଜନଗୋଷ୍ଠୀ ସେ ସମୟରେ ସାରାଭାରତରେ ଥିଲେ । ଆର୍ଯ୍ୟମାନଙ୍କ ଆଗମନରେ ଅନେକ ବର୍ଷପରେ (ଋଗବେଦ ଯୁଗରେ ନୁହେଁ) ସମାଜରେ ଜାତିବିଭାଗ ଓ ଅସ୍ପୃଶ୍ୟତା ଦେଖା ଦେଇଥିଲା । ସିନ୍ଧୁସଭ୍ୟତାର ମେରୁଦଣ୍ଡ ଥିଲା ଅନ୍ୱୀକ୍ଷିକୀ (ଯୋଗ, ସାଂଖ୍ୟ ଓ ଲୋକାୟତ୍ତ) ସମାଜର ମୁଖ୍ୟସ୍ଥାନରେ ଥିବା ବ୍ୟକ୍ତିମାନଙ୍କୁ ବାଛି ହତ୍ୟା କରିଥିଲେ ଇନ୍ଦ୍ର । ମହାଭାରତ ଅନୁଯାୟୀ ବୃତ୍ର ଥିଲେ ଜଣେ ମହାଯୋଗୀ । ଅହିଂସ ବୃତ୍ରଙ୍କୁ ଶସ୍ତ୍ରଧାରୀ ଇନ୍ଦ୍ର ହତ୍ୟାକରିବା ପୂର୍ବରୁ ବୃତ୍ରଙ୍କ ସହଯୋଗୀଥିବା ଦୁଇ ଆର୍ଯ୍ୟବୀର ସୋମ ଓ ଅଗ୍ନିଙ୍କୁ ପ୍ରଲୋଭନ ଦେଖାଇ ନିଜପକ୍ଷକୁ ନେଇ ଆସିଥିଲେ ସେ (ଋଗ୍ ବେଦ) ।

ନିଜର ସର୍ବଶ୍ରେଷ୍ଠ ଶତ୍ରୁ ବୃତ୍ରଙ୍କୁ ହତ୍ୟାକରି ଇନ୍ଦ୍ର ଉଲ୍ଲସିତ ହବା କଥା : କିନ୍ତୁ ଇନ୍ଦ୍ର ବୃତ୍ର ହତ୍ୟାପରେ ଏକ ସରୋବର ମଧ୍ୟରେ ଲୁଚି ରହିଲେ । ଭୟ ଓ ପାପବୋଧ ତାଙ୍କୁ ଉତ୍ପୀଡ଼ିତ କରିଥିଲା । ଶତପଥ ବ୍ରାହ୍ମଣ, ତୈତରୀୟ ବ୍ରାହ୍ମଣ ଓ ମହାଭାରତରେ ଏ ବିଷୟର ଉଲ୍ଲେଖ ରହିଛି । ଭାରତଛଡ଼ା ଅନ୍ୟ କୌଣସି ଦେଶରେ ଶତ୍ରୁଜୟ କରିଥିବା ବୀର ଯୋଦ୍ଧା ଉଲ୍ଲସିତ ନହୋଇ ପାପବୋଧ ଓ ଭୟରେ ଉତ୍ପୀଡ଼ିତ ହେବା ଦେଖାଦେଇନି । ମହାଭାରତରେ ଆହୁରି ଲେଖାଅଛି ଯେ ନମୁଚି ଓ ବୃତ୍ରଙ୍କୁ ହତ୍ୟାକରି ଇନ୍ଦ୍ର ବ୍ରହ୍ମହତ୍ୟା ପାପରେ ଭାଗୀ ହୋଇଥିଲେ ।

ଅହିଂସ ବୃତଙ୍କୁ ଶସ୍ତ୍ର(ବଜ୍ର)ସାହାଯ୍ୟରେ ହତ୍ୟା ସିନ୍ଧୁସଭ୍ୟତା ଦ୍ୱାରା ପ୍ରଭାବିତ ଭୂମିକୁ ଅଶାନ୍ତ କରିଦେଲା । ଆର୍ଯ୍ୟ ନେତାମାନଙ୍କର ଭୟ ଆସିଗଲା ଯେ ଆର୍ଯେ୍ୟାତ୍ତର ଶ୍ରେଣୀର କ୍ରୋଧର ପ୍ରବାହରେ ସେମାନଙ୍କର ଅପୂରଣୀୟ କ୍ଷତି ହୋଇଯିବ । ସେମାନେ ତରବରରେ ତତ୍କାଳୀନ ଭାରତର ସୂର୍ଯ୍ୟବଂଶୀ ପ୍ରତାପୀ ରାଜା ନହୁଷଙ୍କୁ ତୁରନ୍ତ ଇନ୍ଦ୍ରପଦରେ ଅଭିଷିକ୍ତ କରିଦେଲେ । ଆର୍ଯ୍ୟଦେବତାମାନେ ସିନା ତରବରରେ ନହୁଷଙ୍କୁ ଇନ୍ଦ୍ର ପଦଦେଲେ, କିନ୍ତୁ କିଛିଦିନ ପରେ ସେମାନେ ନହୁଷଙ୍କୁ ଇନ୍ଦ୍ର ପଦଚ୍ୟୁତ କରିବାକୁ ଇଛାକଲେ । ତାହା ଏତେ ସହଜ ନଥିଲା । ତେଣୁ ସେମାନେ ସିନ୍ଧୁ ସଭ୍ୟତା ସମୟର ଦୋଷୀମାନଙ୍କୁ ଦେଉଥିବା ପ୍ରଭାବଶାଳୀ ଅହିଂସ ଦଣ୍ଡ ‘ଗୋଷ୍ଠୀଚୁ୍ୟତ କରିବା ବ୍ୟବସ୍ଥାକୁ’ ନହୁଷଙ୍କ ପ୍ରତି ପ୍ରୟୋଗ କରିବା ପାଇଁ ବୃହସ୍ପତିଙ୍କ ସାହାଯ୍ୟରେ ଯୋଜନା ପୂର୍ଣ୍ଣାଙ୍ଗ କରିଥିଲେ । ଫଳରେ ନହୁଷ ଓ ସପ୍ତର୍ଷି ଗୋଷ୍ଠୀଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇଥିଲା ଓ କ୍ରୋଧୀ ଋଷିମାନେ ନହୁଷ ଓ ତାଙ୍କ ମାତୃକୂଳକୁ ବର୍ଣ୍ଣ-ବହିଷ୍କାର ଦଣ୍ଡ ପ୍ରଦାନ କରିଥିଲେ । ଋଷିମାନେ ତପସ୍ୱୀ ଥିଲେ, କିନ୍ତୁ ଯୋଗୀ ନଥିଲେ । ଗୀତାରେ ତପସ୍ୱୀ ଓ ଯୋଗୀଙ୍କୁ ଅଲଗା କରାଯାଇଛି ଓ ଯୋଗୀଙ୍କୁ ତପସ୍ୱୀଙ୍କଠାରୁ ଉନ୍ନତ ସ୍ଥାନ ଦିଆଯାଇଛି । ଯୋଗୀମାନେ କ୍ରୋଧୀ ନଥିଲେ ଏବଂ ବ୍ୟକ୍ତିର ଦୋଷପାଇଁ ସମ୍ପ୍ରଦାୟକୁ ଦାୟୀ କରିବାଭଳି ଅନ୍ୟାୟ ସେମାନେ କେବେ କରିନାହାଁନ୍ତି । ଯଦୁବଂଶର ବାଳକମାନେ ଥଟ୍ଟାକରିବା ଯୋଗୁଁ ଋଷିମାନେ ପୂରା ଯଦୁବଂଶକୁ ଦଣ୍ଡଦେଇ ଧ୍ୱଂସ କରିଦେଲେ (ଯେବେ ଏ ନାରୀ ପ୍ରସବିବ / ଏ ଯଦୁବଂଶ ନାଶଯିବ) । ଋଷିମାନେ ଅନ୍ୟାୟ କରିଛନ୍ତି । ଯୋଗୀ ବା ଯତିମାନଙ୍କୁ ସାଲାବୃକ୍ କୁକୁର ସାହାଯ୍ୟରେ ଇନ୍ଦ୍ର ହତ୍ୟା କରିଥିବା କଥା ଅଥର୍ବ ବେଦରେ ରହିଛି । ହତ୍ୟାର ଧମକ ଦେଇ ଯୋଗୀଙ୍କୁ ଯାଜ୍ଞିକ ବ୍ରାହ୍ମଣ ଶ୍ରେଣୀରେ ଅନ୍ତର୍ଭୁକ୍ତ କରିବା ଚେଷ୍ଟା ‘ଇନ୍ଦ୍ର’ କରି ଅନେକ ମାତ୍ରାରେ ସଫଳ ହୋଇଥିଲେ । ବେଦୀୟ ବ୍ରାହ୍ମଣମାନେ ଯୋଗୀଙ୍କର ମୂଲ୍ୟବୋଧଠୁ ଦୂରରେ ଥିଲେ କିନ୍ତୁ ଭୟ, ଭୋକ ଓ ପ୍ରଲୋଭନ ସାହାଯ୍ୟରେ ଆର୍ଯ୍ୟନେତାମାନେ ଯୋଗୀମାନଙ୍କୁ ବ୍ରାହ୍ମଣ ଶ୍ରେଣୀଭୁକ୍ତ କରିଦେଲେ । ପ୍ରାକ୍ବେଦୀୟ ଯୁଗର ଯୋଗୀଙ୍କ ଭଳି ସମ୍ମାନ ଓ କ୍ଷମତା ସମାଜଠୁ ଦାବୀକରି ତାକୁ ହାସଲ କରିବାକୁ ବ୍ରାହ୍ମଣମାନେ ସକ୍ଷମ ହୋଇଥିଲେ । ସେମାନେ ଲୋଭୀ ଓ ନିଷ୍ଠୁର ଥିଲେ ଏବଂ ଯୋଗୀଙ୍କ ପ୍ରାପ୍ୟ ସମ୍ମାନ ଓ କ୍ଷମତାର ଯୋଗ୍ୟ ନଥିଲେ । ଯୋଗୀମାନେ ଥିଲେ ପରରକ୍ଷୀ (non-predatory) ସଭ୍ୟତାର ଅଗ୍ରଦୂତ କିନ୍ତୁ ବ୍ରାହ୍ମଣମାନେ ହେଲେ ଯୋଦ୍ଧାଙ୍କ ଭଳି ପରଭକ୍ଷୀ ସଭ୍ୟତାର ରକ୍ଷକ । ନହୁଷ ମିଥରେ ଯୁଧିଷ୍ଠିର ଧର୍ମ ସମ୍ପର୍କରେ ଯେଉଁ କଥା କହିଛନ୍ତି ତାହା କର୍ମ ଓ ଗୁଣଗତ ଉତ୍କର୍ଷର ବାର୍ତ୍ତା ପ୍ରଚାର କରେ । ଜନ୍ମଗତ ବା କୁଳଗତ ଉତ୍କର୍ଷର ବିଚାରକୁ ନିନ୍ଦା କରେ । ମହାଭାରତର ବନପର୍ବର ଆଉ ଏକ ମିଥ୍ ଯକ୍ଷପ୍ରଶ୍ନରେ ମଧ୍ୟ ସେଭଳି ଜନ୍ମଗତ ଉତ୍କର୍ଷ ଭାବନାକୁ ବିରୋଧ କରାଯାଇଛି । ସାମରିକ ବଳ ପ୍ରୟୋଗକରି ଭାରତର ଶକ୍ତିଶାଳୀ ପ୍ରାଚୀନ ରାଜବଂଶୀମାନଙ୍କୁ ଆର୍ଯ୍ୟ ଯୋଦ୍ଧାଙ୍କର (କ୍ଷତ୍ରୀୟଙ୍କ) ପଦାନତ କରିବା ସମ୍ଭବ ନଥିଲା । ତେଣୁ କୌଣସି ନା କୌଣସି କାରଣ ଆଳରେ ସେମାନଙ୍କୁ ସମାଜରେ ଅପାଂକ୍ତେୟ କରି ନିସ୍ତେଜ କରିଦେବା ବ୍ୟବସ୍ଥା ଧୂର୍ତ୍ତ ଆର୍ଯ୍ୟ ନେତାମାନେ କରିଥିଲେ । ଏହି ଅପକର୍ମ ପାଇଁ ପ୍ରାକ୍ବେଦୀୟ ଯୁଗରେ ପ୍ରଚଳିତ ପ୍ରଥାଗୁଡ଼ିକର (Customs) ସେମାନେ ଦୁରୁପଯୋଗ କରିଥିଲେ ।

କେବଳ ପ୍ରାଚୀନ ରାଜବଂଶୀ ନୁହଁନ୍ତି ଅନେକକ୍ଷେତ୍ରରେ ବୌଦ୍ଧ, ଜୈନ ଧର୍ମାବଲମ୍ବୀ, ନିରୀଶ୍ୱରବାଦୀ ଓ ଜଡ଼ବାଦୀ ଦାର୍ଶନିକମାନଙ୍କୁ ମଧ୍ୟ ସେମାନେ ଅସ୍ପୃଶ୍ୟ ଶ୍ରେଣୀର ଅନ୍ତର୍ଭୁକ୍ତ କରିଦେଲେ । ବିଂଶ ଶତାବ୍ଦୀରେ ନାଜୀବାଦ ଆଦର୍ଶରୂପକ ମିଥ୍କୁ ଜନପ୍ରିୟ କରାଇ ହିଟଲର୍ ଜର୍ମାନୀ ଜାତିକୁ ଇହୁଦୀ ନିଧନ ଭଳି ଘୃଣ୍ୟ କାର୍ଯ୍ୟରେ ନିୟୋଜିତ କରିପାରିଲେ । ସେହିଭଳି ଜାତିବିଭାଗ ଓ ଅସ୍ପୃଶ୍ୟତାକୁ ଧର୍ମସହ ଯୋଗ କରିଦେଇ ଭାରତୀୟ ଜନତାକୁ ଶତାବ୍ଦୀ ଶତାବ୍ଦୀ ଧରି ବିଭ୍ରାନ୍ତ କରାଯାଇଛି । ଦଳିତମାନେ ମନୁସ୍ମୃତିକୁ ପୋଡ଼ିବା ଉଦ୍ୟମକୁ ନିନ୍ଦା କରାଯାଇ ପାରିବନି କାରଣ ଧର୍ମଶାସ୍ତ୍ରକାରମାନେ ଏହି ଘୃଣିତ ବ୍ୟବସ୍ଥାକୁ ଧର୍ମସମ୍ମତ କରିବାକୁ ପୁନର୍ଜନ୍ମ ଓ କର୍ମବାଦର ସାହଯ୍ୟ ନେଇଛନ୍ତି । ଚଣ୍ଡାଳମାନଙ୍କ ନିନ୍ଦାଗାନରେ ଆମ ଧର୍ମଶାସ୍ତ୍ରମାନେ ମୁଖର । ଟଲେମିଙ୍କ ଲେଖାରେ ରହିଛି ଭାରତରେ କବଦ୍ଭୟବକ୍ଷକ୍ଟସ ନାମକ ଏକ ଜନଗୋଷ୍ଠୀ ଥିଲେ । ସେମାନେ ସମ୍ଭବତଃ ଶକ୍ତିଶାଳୀ ଥିଲେ । ସେମାନଙ୍କୁ ଚଣ୍ଡାଳ ଆଖ୍ୟା ଦେଇ ସମାଜର ସବୁଠୁ ତଳଶ୍ରେଣୀରେ ରଖାଗଲା । ଅରୁନ୍ଧତୀ ଥିଲେ ସର୍ବଶ୍ରେଷ୍ଠ ଋଷି ବଶିଷ୍ଠଙ୍କ ପତ୍ନୀ । ସେଥିଲେ ଚଣ୍ଡାଳ କନ୍ୟା । ଚଣ୍ଡାଳମାନଙ୍କର ସମ୍ପର୍କରେ ଗ୍ରୀକ୍ ଲେଖକମାନେ ଲେଖିଛନ୍ତି ସେମାନଙ୍କ ମଧ୍ୟରେ ଅନେକେ ଥିଲେ ନିପୁଣ କାରିଗର । ଲୌହ ନିର୍ମିତ ବିିଭିନ୍ନ ଜିନିଷ, ଏପରିକି ଛୋଟ ନୌକା ମଧ୍ୟ ସେମାନେ ଗଢ଼ି ପାରୁଥିଲେ । ସେମାନେ ଶାନ୍ତିର ସମର୍ଥକ ଥିଲେ ଏବଂ ଅନ୍ୟମାନଙ୍କ ସହ ମୁଖ୍ୟତଃ ବାଣିଜ୍ୟକ ସମ୍ପର୍କ ରଖିଥିଲେ ।

କାଦମ୍ବରୀ, ଦଶକୁମାର ଚରିତ୍ର, ରାମାୟଣ, ମହାଭାରତରେ ଲେଖା ଅଛି ସେମାନଙ୍କର ଦେହ ଇସ୍ପାତଭଳି କଠିନ, ସେମାନଙ୍କ ବର୍ଣ୍ଣ କୃଷ୍ଣବର୍ଣ୍ଣ । ସେମାନେ ଜଣାଯାଆନ୍ତି ନିଷ୍ଠୁରଭଳି । ସେମାନଙ୍କର ରହିଛି ଚଉଡ଼ା ଛାତି, ତୀକ୍ଷଣ୍ ନାକ ଏବଂ ଦେହରେ ଶସ୍ତ୍ରାଘାତର ଚିହ୍ନ । ସେମାନଙ୍କର ଠାଣି ଓ ଚେହେରା ବୀରର (କାଦମ୍ବରୀ, ଦଶକୁମାର ଚରିତ) । ଚଣ୍ଡାଳ ଓ ଶ୍ୱପଚମାନେ ଅବିଜିତ ଜାତି ଗୋଷ୍ଠୀ । (ପଢ଼ନ୍ତୁ -Beyond The Four Varnas: Prabhati Mukherjee) ।

ଐତିହାସିକ R.S. Sarma- Rethinking India’s ପୁସ୍ତକରେ ଲେଖିଛନ୍ତି ତାଙ୍କ ଅଞ୍ଚଳରେ ‘ଦୁସାଧ’ ବୋଲି ଏକ ଦଳିତ ସମ୍ପ୍ରଦାୟ ଅଛନ୍ତି । ବ୍ରିଟିଶ ଯୁଗରେ ସେମାନଙ୍କୁ ଅପରାଧୀ ଜନଗୋଷ୍ଠୀରେ ଗଣ୍ୟ କରାଯାଉଥିଲା । ସମ୍ଭବତଃ ସେମାନଙ୍କୁ ଯୁଦ୍ଧରେ ହରାଇବା ମଧ୍ୟଯୁଗର ଶାସକମାନଙ୍କ ପକ୍ଷରେ ସହଜ ନଥିଲା । ତେଣୁ ସେମାନଙ୍କୁ ‘ଦୁସାଧ’ କୁହାଯାଉଥିଲା । ସେମାନେ ଉତ୍ତମ ଗ୍ରାମରକ୍ଷୀ ହୋଇପାରୁଥିଲେ । ବିଜ୍ଞ ମହଲରେ (War by other means)’ ଅନ୍ୟ ଉପାୟ ପ୍ରୟୋଗ କରି ଯୁଦ୍ଧ’ ଭଳି ଏକ ବାକ୍ୟାଂଶ ରହିଛି । ଭାରତରେ ‘ଦଳିତ ସୃଷ୍ଟିରେ’ ଏକ ଉନ୍ନତ ବ୍ୟବସ୍ଥାର ଅପ-ପ୍ରୟୋଗ ହୋଇଛି । ବେଦ ପୂର୍ବର ସାମାଜିକ ବ୍ୟବସ୍ଥାର ଦୁରୁପଯୋଗ କରି ଆର୍ଯ୍ୟ ନେତାମାନେ ଏ କାମ କରିଛନ୍ତି ।

Comments

0 comments

Share This Article
ଗାନ୍ଧିବାଦୀ - ଚିନ୍ତକ ଓ ଲେଖକ ପ୍ରଫେସର ଭଗବତ ପ୍ରସାଦ ବୌଦ୍ଧିକ ଜଗତରେ ନିଜର ମୌଳିକ ଦୃଷ୍ଟିଭଙ୍ଗୀ ପାଇଁ ସର୍ବତ୍ର ପରିଚିତ । ମଣିଷ, ସମାଜ, ପ୍ରକୃତି ଓ ବିଜ୍ଞାନକୁ ନେଇ ସେ ଗଭୀର ଗବେଷଣାରେ ମଗ୍ନ ଜଣେ ନିଷ୍ଠାପର ଏବଂ ମାନବବାଦୀ ଗବେଷକ ଥିଲେ।