ପରବର୍ତ୍ତୀ ପ୍ରଳୟ ପର୍ଯ୍ୟନ୍ତ

6 Min Read

ଖୁବ ନିକଟରେ ପ୍ରକାଶ ପାଇଛି ବିଶ୍ୱ ପାଣିପାଗ ସଂଗଠନ (ଡଗଙ) ତରଫରୁ ‘ଷ୍ଟେଟ୍ ଅଫ୍ ଗ୍ଲୋବାଲ କ୍ଲାଇମେଟ, ୨୦୨୨’ । ଜଳବାୟୁ ପରିବର୍ତ୍ତନ, ବିଶ୍ୱ ଉତ୍ତପ୍ତିକରଣ ଏବଂ ସବୁଜ ବାଷ୍ପ ଉତ୍ସର୍ଜନ ସମ୍ପର୍କରେ ଅନ୍ତତଃ କିଛି ଧାରଣାଥିବା ସଚେତନ ନାଗରିକମାନଙ୍କ ପାଇଁ ଏହି ବାର୍ଷିକ ରିପୋର୍ଟରେ ନିଷ୍କର୍ଷ ଚିନ୍ତାଜନକ । ପାଠକେ, ରାଜନୈତିକ ପୃଥିବୀର ରୂପରେଖ ନୁହେଁ ବରଂ ଏକ ଗ୍ରହଭାବରେ ପୃଥିବୀ ଯଥେଷ୍ଟ ବଦଳି ସାରିଛି । ବିଗତବର୍ଷରେ (୨୦୨୨) ଭୟଙ୍କର ମରୁଡ଼ି ଓ ବନ୍ୟାସହିତ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଆମର ମଞ୍ଜ ଥରେଇ ଦେଇଛି । ଆଣ୍ଟାର୍କଟିକାର ସମୁଦ୍ର ବରଫସ୍ତର ହ୍ରାସ ରେକର୍ଡ କରିଥିବାବେଳେ ୟୁରୋପରେ ହିମବାହମାନଙ୍କ ସଙ୍କୋଚନ ଗବେଷକମାନଙ୍କୁ ଆଶ୍ଚର୍ଯ୍ୟ କରିଛି । ୨୦୧୫-୨୦୨୨ ସମୟ ଖଣ୍ଡ ପୃଥିବୀକୁ ୮ଟି ପ୍ରଚଣ୍ଡ ନିଦାଘ ଭେଟି ଦେଇଥିବାବେଳେ ଗବେଷକମାନେ ସ୍ପଷ୍ଟ କରି ଦେଇଛନ୍ତି ଯେ ସମୁଦ୍ରପତ୍ତନ ବୃଦ୍ଧି ଯାହା ଆରମ୍ଭ ହୋଇସାରିଛି, କେତେ ହଜାରବର୍ଷ ପର୍ଯ୍ୟନ୍ତେ ପ୍ରଲମ୍ବିତ ରହିବ । କିଏ ଜାଣେ ହୁଏତ ପରବର୍ତ୍ତୀ ପ୍ରଳୟ ପର୍ଯ୍ୟନ୍ତ!

ପ୍ରତିକୂଳ ପାଣିପାଗ୨୦୨୨ରେ ପୂର୍ବ ଆଫ୍ରିକାରେ ଲଗାତାର ମରୁଡ଼ି, ପାକିସ୍ତାନରେ ପ୍ରଳୟଙ୍କରୀ ବର୍ଷା, ଚୀନ ଏବଂ ୟୁରୋପରେ ଗ୍ରୀଷ୍ମଲହର ସହିତ ବିପୁଳ ସମ୍ପତ୍ତି ଏବଂ ଜୀବନହାନିର କାରଣ ପାଲଟିବା ସହିତ ଖାଦ୍ୟ ନିରାପତ୍ତାକୁ ବିପନ୍ନ କରିଛି । ‘ପୃଥିବୀ ଦିବସ’ ଅବ୍ୟବହିତ ପୂର୍ବରୁ ପ୍ରକାଶ ପାଇଥିବା ଏହି ରିପୋର୍ଟ ଉଲ୍ଲେଖ କରିଛି, ଯଦି ଚଳିତ ଶତାବ୍ଦୀ ଶେଷସୁଦ୍ଧା ତାପମାତ୍ରା ବୃଦ୍ଧିକୁ ୧.୫ଡ଼ିଗ୍ରୀ ସେଲସିୟସରେ ନିୟନ୍ତ୍ରିତ ରଖିବାକୁ ପଡ଼େ, ତେବେ ଯୁଦ୍ଧକାଳୀନ ଭିତ୍ତିରେ ସବୁଜବାଷ୍ପ ଉତ୍ସର୍ଜନ ଉପରେ ରୋକ୍ ଲଗାଇବାକୁ ପଡ଼ିବ, ଜୀବାଶ୍ମ ଜାଳେଣି ଉପଯୋଗ ନିୟନ୍ତ୍ରିତ ରଖିବାକୁ ହେବ ଏବଂ ବିକଳ୍ପ ଶକ୍ତି ଉତ୍ସମାନଙ୍କ ଉପରେ ଗୁରୁତ୍ୱଦେବା ପାଇଁ ପଡ଼ିବ । ପାଠକେ, ଆଇ.ପି.ସି.ସି. ରିପୋର୍ଟ ସହିତ ମେଳ ଖାଉଥିବା ଏହି ଆନ୍ତର୍ଜାତିକ ରିପୋର୍ଟ ଆଉଥରେ ସତର୍କ ସୂଚନା ଶୁଣେଇ ସାରିଛି ଯେ ହାତରୁ ସମୟ ସରିଆସୁଛି । ଆଉ ଜଳବାୟୁ ପରିବର୍ତ୍ତନ ବାର୍ତ୍ତା ଖୁବ ସ୍ପଷ୍ଟ । ୧୮୫୦-୧୯୦୦ ହାରାହାରି ତାପମାତ୍ରା ତୁଳନାରେ ୨୦୨୨ର ତାପମାତ୍ରା ୧.୫ଡ଼ିଗ୍ରୀ ସେଲସିୟସରୁ ଅଧିକ । ଆଶ୍ଚର୍ଯ୍ୟଜନକ ହେଉଛି, ଧାରାବାହିକ ୩ବର୍ଷ ଧରି ଏଲ-ନିନାର ଶୀତଳ ପ୍ରବାହ ସତ୍ତ୍ୱେ ୨୦୨୨ ଥିଲା ଧାରାବାହିକ ଭାବେ ଉତ୍ତପ୍ତ ବର୍ଷ । ବାତାବରଣରେ ଅଙ୍ଗାରକାମ୍ଳ, ମିଥେନ ଏବଂ ନାଇଟ୍ରସ ଅକ୍ସସାଇଡ ବୃଦ୍ଧି ୨୦୨୧ରେ ରେକର୍ଡ କରିଥିଲା ଯାହା ୧୯୯୪ – ୨୦୨୦ ଭିତରେ ସମ୍ଭବ ହୋଇନଥିଲା ।

ଅକ୍ଟୋବର ୨୦୨୧ରୁ ଅକ୍ଟୋବର ୨୦୨୨ ଭିତରେ ଅଧ୍ୟୟନ ଅନ୍ତର୍ଭୁକ୍ତ ହିମବାହମାନଙ୍କ କ୍ଷେତ୍ରରେ ସଂକୋଚନ/ତରଳିବା ଥିଲା ସ୍ପଷ୍ଟ ଯାହା ଗତଦଶନ୍ଧିରୁ ଅଧିକ ଥିଲା । ଗବେଷକମାନେ ଆକଳନ କରିଥିଲେ ଯେ ୧୯୭୦-୨୦୨୨ ପର୍ଯ୍ୟନ୍ତ ହିମବାହମାନେ ହରେଇଥିବା ମୋଟ ଘନତ୍ୱ ହେଉଛି ୩୦ମିଟର । ପ୍ରଥମ ଥରପାଇଁ ପାଣିପାଗ ଇତିହାସରେ ଲକ୍ଷ୍ୟ କରାଯାଇ ଥିଲା ଗ୍ରୀଷ୍ମର ରାଜତ୍ୱ ଆରମ୍ଭ ହେବାବେଳକୁ ସବୁଠୁ ସୁସ୍ଥ ଏବଂ ପ୍ରକାଣ୍ଡ ହିମବାହ ମାନଙ୍କରେ ବରଫ ତରଳିବା ନିର୍ଣ୍ଣାୟକ ସ୍ଥିତିରେ ପହଂଚି ସାରିଛି । ସୁଇଜରଲ୍ୟାଣ୍ଡରେ କିଛି ହିମବାହ ତରଳିବା ଶେଷ ୭୦ବର୍ଷର ରେକର୍ଡ ଭାଙ୍ଗିଥିଲା । ଏଇଠି ଉଲ୍ଲେଖ କରୁଛି ଯେ ଆଇ.ପି.ସି.ସି. ରିପୋର୍ଟ ଅନୁସାରେ୧୯୯୩-୨୦୧୯ ଭିତରେ ପୃଥିବୀର ହିମବାହ ମାନେ ହରାଇ ସାରିଛନ୍ତି ୬୦୦୦ଜିଗା ଟନ୍ ବରଫ ଯାହା ୭୫ଟି ବୃହତ ହ୍ରଦର ପାଣି ସହିତ ସମାନ । ଗ୍ରୀନଲ୍ୟାଣ୍ଡରେ ଐତିହାସିକ ବରଫ ଚଟାଣ ଧାରାବାହିକ ଭାବେ ୨୬ତମ ବର୍ଷ ପାଇଁ କ୍ଷୟପ୍ରାପ୍ତ ରେକର୍ଡ ହୋଇଥିବାବେଳେ ସେହିପରି ୨୦୨୨ରେ ଆଣ୍ଟାର୍କଟିକା ସମୁଦ୍ର ବରଫ ବିସ୍ତୃତି ହ୍ରାସ ପାଇଥିଲା ୧.୯୨ ନିୟୁତ ବର୍ଗ କିଲୋମିଟର ପରିମିତ ଅଂଚଳ । ୨୦୨୨ରେ ସମୁଦ୍ର ଉତ୍ତାପ ଅନ୍ତତଃ ୫୮ ପ୍ରତିଶତ ମହାସାଗରୀୟ ଅଂଚଳରେ ସାମ୍ନା କରିଥିଲା ସାମୁଦ୍ରିକ ଗ୍ରୀଷ୍ମପ୍ରବାହ ।

ବିଶେଷଜ୍ଞମାନେ ଜାଣିପାରିଛନ୍ତି, ୨୦୦୫-୨୦୧୯ ଭିତରେ ଗ୍ରୀନଲ୍ୟାଣ୍ଡ ଓ ଆଣ୍ଟାର୍କଟିକା ସହିତ ହିମବାହମାନଙ୍କ ର ବରଫ କ୍ଷୟ ଯୋଗୁ ସମୁଦ୍ରପତ୍ତନ ବୃଦ୍ଧି ୩୬ପ୍ରତିଶତ ହୋଇଥିବା ବେଳେ ସାମୁଦ୍ରିକ ପର୍ଯାବରଣରେ ତାପମାତ୍ରା ବୃଦ୍ଧି ଏବଂ ଅନ୍ୟାନ୍ୟ କାରଣଯୋଗୁଁ ସମୁଦ୍ରପତ୍ତନ ବୃଦ୍ଧି ୫୫ପ୍ରତିଶତ । ସମୁଦ୍ରଜଳରେ ଅମ୍ଳତା ବୃଦ୍ଧି ସହିତ ସମୁଦ୍ରରେ ମୃତ ଅଂଚଳ ବା ‘ଡେଡଜୋନ’ ବଢ଼ି ବଢ଼ି ଚାଲିଛି । ପୂର୍ବ ଆଫ୍ରିକାରେ ଯଥେଷ୍ଟ କମ୍ ବର୍ଷା, ପାକିସ୍ତାନରେ ଜୁଲାଇ ଓ ଅଗଷ୍ଟ ୨୦୨୨ରେ ପ୍ରବଳ ବର୍ଷା ଯୋଗୁ ପ୍ରଳୟଙ୍କରୀ ବନ୍ୟା, ଚୀନ, ଯୁକ୍ତରାଜ୍ୟ, ସ୍ପେନ, ଜର୍ମାନୀ, ଫ୍ରାନ୍ସ ଏବଂ ପର୍ତ୍ତୁଗାଲରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସୂଚେଇ ସାରିଛି ଆଗକୁ ତାତି ହିଁ ପାଣିପାଗର ସ୍ୱାଭାବିକ ସ୍ୱରୂପ । ୨୦୨୧ରେ ୨.୩ ବିଲିୟନ ଲୋକଙ୍କ ଖାଦ୍ୟନିରାପତ୍ତା ବିପନ୍ନ ହୋଇଛି । ସୋମାଲିଆରେ ୧.୨ ନିୟୁତ ଆଭ୍ୟନ୍ତରୀଣ ସ୍ଥାନାନ୍ତରଣକୁ ସାମ୍ନାକରୁଥିବା ବେଳେ ଇଥିଓପିଆରେ ୫,୧୨,୦୦୦ ମରୁଡିଯୋଗୁଁ ସ୍ଥାନାନ୍ତରିତ ହୋଇଛନ୍ତି । ଫୁଲଫୁଟିବା ଋତୁ, ପରାଗ ସଙ୍ଗମ ଏବଂ ବନ୍ୟପ୍ରାଣୀଙ୍କ ପ୍ରଜନନ ଚକ୍ର କ୍ଷତିଗ୍ରସ୍ତ ହୋଇସାରିଛି । ଦୁଃଖ ହେଉଛି ତଥାପି ଆମକୁ ଘଣ୍ଟି ଶୁଭୁନାହିଁ ।

ଏହା ପୂର୍ବରୁ ଆଇ.ପି.ସି.ସି. ଏବଂ ଅନ୍ୟାନ୍ୟ ରିପୋର୍ଟମାନ ସୂଚେଇ ସାରିଛନ୍ତି ଯେ ପୃଥିବୀର ବର୍ତ୍ତମାନର ତାପମାତ୍ରା ୨୦୦ ବର୍ଷ ଭିତରେ ଏକ ରେକର୍ଡ । ଭାରତ ସମ୍ପର୍କରେ ଏଥିରେ କୁହାଯାଇଥିଲା ଯେ ପୃଥିବୀର ଅନ୍ୟାନ୍ୟ ଅଂଚଳ ପରି ତାପମାତ୍ରା ଓ ସମୁଦ୍ରପତ୍ତନ ବୃଦ୍ଧିସହିତ ମରୁଡି ଓ ବନ୍ୟା ଜନଜୀବନକୁ କ୍ଷତି ପହଞ୍ଚାଇବ ଯାହା ବିଶେଷ ଭାବରେ କ୍ଷତିଗ୍ରସ୍ତ କରିବ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରମାନଙ୍କୁ । ତାପମାତ୍ରା ଯେଉଁ ହାରରେ ଭାରତରେ ବଢୁଛି ତାହା ଚଳିତ ଶତାବ୍ଦୀ ଶେଷଆଡକୁ ୨ଡ଼ିଗ୍ରୀ ସେଲସିୟସରେ ପହଂଚିବ । ଅନ୍ୟ ଏକ ସ୍ୱାଧୀନ ରିପୋର୍ଟ ଅନୁସାରେ ଭାରତରେ ହିମବାହ କ୍ଷୟ ବାର୍ଷିକ ହାରାହାରି ୧୦ରୁ ୧୫ ମିଟର । ଯଦି ଏହି ଧାରା ଜାରି ରହେ କିମ୍ବା କ୍ଷୟ ଅଧିକ ହୁଏ, ତେବେ ବନ୍ୟା ବିପତ୍ତି ବଢ଼ିବ ଏବଂ ପରବର୍ତ୍ତୀ କିଛିବର୍ଷ ନଦୀରେ ପ୍ରବାହ କମିବାରୁ କୃଷି ପ୍ରଭାବିତ ହେବା ସହିତ ପାନୀୟ ଜଳର ଅଭାବ ଦେଖାଦେବ । ୨୦୩୦ ସୁଦ୍ଧା ଭାରତର ପ୍ରାୟ ସବୁ ଅଂଚଳରେ ଅତିକମରେ ତାପମାତ୍ରା ବୃଦ୍ଧି ୦.୫ ଡ଼ିଗ୍ରୀ ସେଲସିୟସ ହେବ ଏବଂ ଚଳିତ ଶତାବ୍ଦୀ ଶେଷ ସୁଦ୍ଧା ବେଶ କିଛି ଅଂଚଳରେ, ଖାସ କରି ଉତ୍ତର ଭାରତରେ ତାପମାତ୍ରା ବୃଦ୍ଧି ୨.୪ ଡ଼ିଗ୍ରୀ ସେଲସିୟସ ଛୁଇଁବ । ଆଉ କିଛି ଅଂଚଳରେ ସ୍ୱାଭାବିକ ବର୍ଷାଠୁ ବୃଷ୍ଟିପାତ କମ ହେବ ।

କିଛି ଅଂଚଳରେ ପ୍ରବଳ ବୃଷ୍ଟିପାତ ସହିତ ବନ୍ୟା ବିପତ୍ତି ବଢିବ । ଅନିୟମିତ ପାଣିପାଗ ଯୋଗୁଁ ଚାଷ ଏବଂ କୃଷିକ୍ଷେତ୍ରରେ ନିୟୋଜିତ ଶ୍ରମିକ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହେବେ । ଜଳବାୟୁ ପରିବର୍ତ୍ତନ ଭାରତରେ ଆଭ୍ୟନ୍ତରୀଣ ସ୍ଥାନାନ୍ତରଣକୁ ତେଜିବ । ଅର୍ଥାତ ଜଳବାୟୁ ଶରଣାର୍ଥୀ ବଢ଼ିବେ । କୃଷି କ୍ଷେତ୍ରରେ ଜୀବିକା ହାନି (ଭାରତ ଜନସଂଖ୍ୟାର ୬୦ ପ୍ରତିଶତ ପ୍ରତ୍ୟକ୍ଷ ଓ ପରୋକ୍ଷଭାବରେ କୃଷି ଉପରେ ନିର୍ଭରଶୀଳ) ଦାରିଦ୍ର୍ୟ ବୃଦ୍ଧି ପାଇବ ଏବଂ ବୈଷମ୍ୟ ସମ୍ପ୍ରସାରିତ ହେବ । ଜଣେ ଭାରତୀୟ ବିଶେଷଜ୍ଞ କହିଛନ୍ତି, ଆଗକୁ ଆମ ପାଇଁ ସବୁଠୁ ସ୍ପର୍ଶକାତର ହେବ ଗ୍ରୀଷ୍ମ ପ୍ରବାହ । ମୌସୁମୀ ଅନିୟମିତ ହେବ ଏବଂ ଆମ ଜଳସେଚନ ବ୍ୟବସ୍ଥା ପ୍ରଭାବୀ ନଥିବାରୁ ବର୍ଷା ଉପରେ ନିର୍ଭରଶୀଳତା ସର୍ବାଧିକ ହାନି ପହଞ୍ଚାଇବ କୃଷିକୁ । ଏହା ବାଦ ଭାରତର ଉପକୂଳବର୍ତ୍ତୀ ଜମି ବେଶ୍ କିଛି ଅଂଚଳରେ ସମୁଦ୍ର ପତ୍ତନ ବୃଦ୍ଧି ଯୋଗୁ ଚାଷ ଉପଯୁକ୍ତ ହୋଇରହିବ ନାହିଁ । ଆପଣ ଚିନ୍ତା କରି ପାରନ୍ତି!

Comments

0 comments

Share This Article