୧୯୬୭-୬୮ ମସିହାରୁ ଆମ ରାଜ୍ୟର ଚାଷୀମାନେ ସବୁଜବିପ୍ଳବ କୃଷିପଦ୍ଧତି ବା ରାସାୟନିକ କୃଷି ଅନୁସରଣ କଲେ – ଏହା ପୂର୍ବରୁ ଗତ ୧୦ ହଜାର ବର୍ଷ ଧରି ଆମ ଚାଷୀମାନେ ଯେଉଁ ଧାରାରେ ଚାଷ କରୁଥିଲେ ତାହାକୁ ଆମେ କଞ୍ଚା ଓଡ଼ିଆରେ ‘ଦେଶୀ ଚାଷ’ ବୋଲି କହିବା । ଏହା ହିଁ ନିରନ୍ତର କୃଷି ବା ଜୈବକୃଷି । ଏ ପ୍ରକାର କୃଷିରେ ରାସାୟନିକ ସାର ବା କୀଟନାଶକ ଔଷଧର ବ୍ୟବହାର ଚାଷୀ ଜାଣି ନଥିଲା । ଅଧିକ ଉତ୍ପାଦନ ପାଇଁ ଏଗୁଡ଼ିକର ଆବଶ୍ୟକତା ମଧ୍ୟ ନଥିଲା । ଚାଷୀ ପାଖରେ ହଳ, ଲଙ୍ଗଳ, ବଳଦ, ଗାଈ, ଗୋରୁ ଓ ନିଜ ବିହନ ଥିଲା । ଚାଷୀ ଜମିକୁ ପାଗଯୋଗରେ ହଳକରି ନିୟମିତ ଖତ ପକାଇ ନିଜ ବିହନ ବୁଣୁଥିଲା ଏବଂ ଫସଲ କାଟୁଥିଲା । ବିଲାତି ଶାସନବେଳେ ଆମଦେଶରେ ସେମାନେ ଚା, କଫି, ସାଗୁଆନ ଏବଂ କପାଚାଷ ବହୁଳ ଭାବେ ପ୍ରବର୍ତନ କଲେ । ଦେଶରେ ଖାଦ୍ୟଶସ୍ୟ ଉତ୍ପାଦନ କମିଗଲା ।
ବିଲାତ ସରକାର ଚାଷୀମାନଙ୍କୁ ଜମିରେ ସାର ଔଷଧ ବ୍ୟବହାର ଶିଖାଇ ଉତ୍ପାଦନ ବଢ଼ାଇବା ଲକ୍ଷ୍ୟରେ ଊଣେଇଶ କୋଡ଼ିଏ ଦଶକରେ ରଏଲ ବଟାନିକାଲ ସୋସାଇଟିର ଜଣେ ଦକ୍ଷ ବୈଜ୍ଞାନିକ ସାର ଏଡ଼୍ୱାର୍ଡ଼ଙ୍କୁ ଭାରତ ପଠାଇଲେ । ସେ ୧୩ବର୍ଷ କାଳ ଭାରତ ସାରା ବୁଲି ଯେଉଁ ରିପୋର୍ଟ ବିଲାତ ସରକାରଙ୍କୁ ଦେଲେ ତା’ର ସାରାଂଶ ହେଲା – ‘ଭାରତରେ ପ୍ରତ୍ୟେକ କୃଷକ ଜଣେ ଜଣେ କୃଷିବିଜ୍ଞାନୀ । ସେମାନଙ୍କର କୃଷି ଉତ୍ପାଦନର ଚାବିକାଠି ତାଙ୍କ ବାଡ଼ିରେ ଥିବା ଖତଗଦା, ଓଳିଆରେ ଥିବା ବିହନ ଓ ହଳଲଙ୍ଗଳ । ମୁଁ ସେମାନଙ୍କଠାରୁ କୃଷିପ୍ରଣାଳୀ ଶିଖିଲି । ମୋ ପାଖରେ ସେମାନଙ୍କୁ ଶିଖାଇବା ପାଇଁ କିଛି ଅଧିକ ନଥିଲା ।’ ଇନ୍ଦୋର ପ୍ରଣାଳୀ କମ୍ପୋଷ୍ଟ ତିଆରି ତାଙ୍କ ସମୟରେ ଉପଲବ୍ଧି ।
ସଂକ୍ଷେପରେ କହିଲେ ‘ଦେଶୀ ଚାଷ କୁଟୁମ୍ବ ପୋଷ’, ‘ରାସାୟନିକ ଚାଷ ସର୍ବନାଶ’ ବୋଲି ବୁଝିବାକୁ ହେବ ।
ରାସାୟନିକ ସାର କେବଳ ଯେ ପ୍ରତି ଫସଲ ପାଇଁ ବ୍ୟବହାର କରାଯାଇଛି ସେତିକି ନୁହେଁ, ପ୍ରତିଥର ପୂର୍ବ ଥରଠାରୁ ଅଧିକ ସାର ଆବଶ୍ୟକ ପଡ଼ୁଛି । ଏଣେ ଉତ୍ପାଦନ ପୂର୍ବ ଫସଲଠାରୁ କମିଯାଉଛି । ଏହା ଚାଷୀର ଅନୁଭୂତି । ଅନ୍ୟପକ୍ଷରେ ବାରମ୍ବାର ରାସାୟନିକ ସାର ପ୍ରୟୋଗ ଦ୍ୱାରା ଚାଷଜମିର ଉର୍ବରତା କ୍ରମାଗତ ହ୍ରାସ ପାଉଛି । ଗାଁରେ ଚାଷୀ ଏକଥା ଜାଣିଲେଣି । ତାଙ୍କ ଭାଷାରେ ସେମାନେ କହୁଛନ୍ତି ମାଟି ଖପରା ହୋଇଗଲାଣି । ଆଉ ସାର କାମ କରୁନି ।
ରାସାୟନିକ ସାର ୪୦ବର୍ଷ ଧରି ଏକା ଜମିରେ ପ୍ରୟୋଗ ହେବାଦ୍ୱାରା ମାଟିର ଖତିରା ଅଂଶ ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲାଣି । ତେଣୁ ଏବେ ଯଦି ଆମେ ଜୈବିକ ଖତ ବ୍ୟବହାର କରିବା ମାଟି ଦୁଇ ତିନିବର୍ଷରେ ସଜାଡ଼ି ହେବନାହିଁ । ମାଟିର ୪୦ ବର୍ଷ ପୂର୍ବର ସ୍ଥିତି ଫେରିପାଇବା ପାଇଁ କ୍ରମାଗତ ୫ବର୍ଷ ଜୈବିକ ଖତ ପ୍ରୟୋଗ କରିବାକୁ ହେବ । ମାତ୍ର ଏହା ପ୍ରତ୍ୟେକ ଫସଲ ପରେ ନୁହେଁ । ବର୍ଷକୁ ଥରେ ଜୈବିକସାର ପକାଇଲେ ଦ୍ୱିତୀୟ ଫସଲ ପାଇଁ ଖତର ଆବଶ୍ୟକତା ନାହିଁ । ଯେପରି ଧାନ ପରେ ମୁଗ, ବିରି, କୋଳଥ ଚାଷ କଲେ ଖତ ପକାଇବା ସେତେଟା ଜରୁରୀ ନୁହେଁ ।
ପୁଣି ଦ୍ୱିତୀୟ ବର୍ଷ ଧାନ ଚାଷ ପାଇଁ ପୂର୍ବ ବର୍ଷଠାରୁ କମ ଖତ ପ୍ରୟୋଗ କଲେ ମଧ୍ୟ ଉତ୍ପାଦନ ହ୍ରାସ ହେବନାହିଁ । କାରଣ ଏହି ସମୟ ମଧ୍ୟରେ ମୁଗ, ବିରି, କୋଳଥ ଚାଷ ଯୋଗୁଁ ଜମିର ଉର୍ବରତା ଆପେ ଆପେ ବଢ଼ିଯାଇଥିବ । ଏଠାରେ ଗୋଟିଏ କଥା ପରିଷ୍କାର ଜାଣିପାରିବା, ଜୈବିକ ଖତ ନିୟମିତ ପ୍ରୟୋଗ କଲେ ପ୍ରୟୋଗ ପରିମାଣ କ୍ରମାଗତ କମିଗଲେ ମଧ୍ୟ ଉତ୍ପାଦନ ସ୍ଥିର ରହିବ ବା ଅଧିକ ହେବ । ମାତ୍ର ରାସାୟନିକ ସାର ପ୍ରୟୋଗ ଫଳରେ ଜମିରେ ଏହାର ବିପରିତ ଫଳ ମିଳୁଛି । ୫ବର୍ଷ କ୍ରମାଗତ ଜୈବିକ ଖତ ପ୍ରୟୋଗ କରିପାରିଲେ ଉତ୍ପାଦନ ବଢ଼ିବ – ଏହା ପରିକ୍ଷୀତ ଏବଂ ବିଜ୍ଞାନସମ୍ମତ । ସେତେବେଳକୁ ଜମିରେ ଜିଆ, ମାଇକ୍ରୋ ଅର୍ଗାନିଜମ୍ ଏବଂ ଅନ୍ୟାନ୍ୟ ଅଣୁଜୀବମାନଙ୍କର ସଂଖ୍ୟା ଲକ୍ଷ ଲକ୍ଷ ଗୁଣ ବଢ଼ିଯାଇଥିବ ।
ଗୋଟିଏ ଚାମଚ ମାଟି ପରୀକ୍ଷା କଲେ ପାଂଚଲକ୍ଷ ଏଭଳି ଅଣୁଜୀବ ଦେଖିବାକୁ ମିଳିବ । ଆଉ ଜିଆ ତ ଆମେ ନିଜେ ଦେଖିପାରିବା, ମାଟି ପୁଣି ସୁନା ପାଲଟିଯିବ । ଏଣିକି ଜୈବିକ ଖତ ଟିକେ କମ୍ ପ୍ରୟୋଗ କରିବା ଦରକାର ପଡ଼ିବ । କାରଣ ଫସଲ ଫଳ ହେବା ପୂର୍ବରୁ ଅଧିକ ବଢ଼ିଯିବାର ସମ୍ଭାବନା ଅଛି ।
ଗାଁରେ କଥା ଅଛି ‘ନଈ ନ ଦେଖି ଲଙ୍ଗଳା’ । ରାସାୟନିକ ସାରକୁ ବିଦାୟ ଦେଇ ଜୈବିକ ଖତ ଚାଷୀ ଜମିରେ ପ୍ରୟୋଗ ଆରମ୍ଭ କଲେ ହିଁ ଲାଭ ଓ କ୍ଷତି ବୁଝିପାରିବେ । ରାସାୟନିକ ସାରର ବହୁବିଧ ବିନାଶକାରୀ ଗୁଣ ତ ଆମେ କିଛି ଆଗରୁ ପ୍ରଶ୍ନରୁ ଜାଣିଛେ । ପଇସା ଅଣ୍ଟାରେ ଥିଲେ ତ ରାସାୟନିକ ସାର କିଣିବା ! ଆମେ ଛୋଟ ଚାଷୀ, ନାମମାତ୍ର ଚାଷୀ ଓ ଭାଗଚାଷୀଙ୍କ ସମସ୍ୟା ସହିତ ଜଡ଼ିତ । ଅଧିକ ଉତ୍ପାଦନ ଚାଷୀ ନିଜ ଚେଷ୍ଟାରେ ବିନା ପଇସା ବା ଖୁବ୍ କମ୍ ପଇସାରେ କରିପାରିବ । ଖାଲି ସେତିକି ନୁହେଁ, ଏହିସବୁ କଥା କରି କୃଷି ସଂସ୍କୃତିକୁ ପୁଣିଥରେ ପୁନରୁଦ୍ଧାର କରାଯାଇପାରିବ ।
୪୦ବର୍ଷ ହେଲା ଆମେ ବିଷ ଖାଉଛେ, ପିଉଛେ ଆଉ କେତେଦିନ ପାରିବା । କଥାରେ ଅଛି ‘ନିପାରିଲା ଶଗଡ଼ିଆ ବେଳସୁ କାଳି ଦିଏ ।’ ଭାରତବର୍ଷରେ ଆମେ ଯେଉଁମାନଙ୍କ କଥା କହୁଛେ ସେମାନେ ସରକାରଙ୍କ ସହିତ ମୁକାବିଲା କରି ରାଜରାସ୍ତାକୁ ଆସି ବହୁରାଷ୍ଟ୍ରୀୟ କମ୍ପାନୀମାନଙ୍କୁ ବିରୋଧ କରିପାରିବେ ନାହିଁ । ରାସାୟନିକ ସାର ବା କୀଟନାଶକ ଔଷଧ ଗୋଦାମରେ ଜମା ଥାଉ । ଆମେ ଆମ ବାଡ଼ିଘରେ ଖୁବ୍ ସହଜରେ ମିଳିପାରୁଥିବା ଜୈବିକ ଖତ, ଗୋବର ଖତ, କମ୍ପୋଷ୍ଟ ଇତ୍ୟାଦି ବ୍ୟବହାର କରି କମ୍ ଖର୍ଚ୍ଚରେ ଅଧିକ ଲାଭବାନ ହୋଇପାରିବା ।
ଜୈବକୃଷି ବା ଦେଶୀଚାଷ କ୍ଷୁଦ୍ର ବା ନାମମାତ୍ର ଚାଷୀ, ଭାଗଚାଷୀମାନଙ୍କୁ ତାଙ୍କର ଜୀବନ ଜୀବିକାର ସୁରକ୍ଷା ପାଇଁ ଆଜି ହିଁ ଅନୁସରଣ କରିବା ଜରୁରୀ । ଗାଁରେ କୃଷି ଲାଭ-କ୍ଷତିର ବିଚାର ପାଇଁ ନୁହେଁ, କୃଷକ ନିଜ ପରିବାରର ଖାଦ୍ୟ ନିରାପତ୍ତା ନିଶ୍ଚିତ କରିପାରିବ । ସାହୁକାର, ବ୍ୟାଙ୍କ ବା ସରକାରୀ ସମବାୟ ସଂସ୍ଥାରୁ ଋଣପାଇଁ ବାରଦ୍ୱାର ଶୁଣ୍ଢିପିଣ୍ଡା ହେବନାହିଁ । ମର୍ଯ୍ୟାଦାପୂର୍ଣ୍ଣ ଏବଂ ସଂସ୍କୃତିସମ୍ପନ୍ନ ଜୀବନଯାପନ କରି ପରିବାରର ସ୍ୱାସ୍ଥ୍ୟ, ଶିକ୍ଷା ବ୍ୟବସ୍ଥା କରିପାରିବାର ସମ୍ଭାବନା ଜୈବିକ କୃଷି ବା ଦେଶୀଚାଷରେ ଅଛି ।
୧୯୭୨ ମସିହାରେ ଭାରତୀୟ କୃଷି ଅନୁସନ୍ଧାନ ଓ ଗବେଷଣା ପ୍ରତିଷ୍ଠାନ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରୁ ଜଣାଯାଏ ଭାରତବର୍ଷରେ ଗାଈ ଗୋରୁ ଓ ମଇଁଷିଙ୍କଠାରୁ ଯେଉଁ ବର୍ଜ୍ୟବସ୍ତୁ ବାର୍ଷିକ ମିଳେ ସେଥିରେ ୨.୮୨୨ ନିୟୁତ ଟନ୍ ଯବକ୍ଷାରଜାନ, ୧.୦୬୯ ନିୟୁତ ଟନ୍ ଫସ୍ଫରସ୍ ଓ ୧.୮୧୯ ନିୟୁତ ଟନ୍ ପୋଟାସ ଥାଏ । ଜୈବଖତରେ ଥିବା ଯବକ୍ଷାରଜାନ, ଫସ୍ଫରସ୍ ଓ ପୋଟାସ୍ ଫସଲ ଗ୍ରହଣ କରିବାପାଇଁ ଖୁବ୍ ସହଜ । ମାତ୍ର ରାସାୟନିକ ସାର ଦ୍ୱାରା ଫସଲ ଏହିସବୁ ଉପାଦାନ ଗ୍ରହଣ କରିବା ଏତେ ସହଜ ନୁହେଁ ।
ଯଦି ଆମେ ରାସାୟନିକ ସାର ବଦଳରେ ଜୈବିକସାର ବ୍ୟବହାର କରୁ ତେବେ ଆମକୁ ଏକର ପ୍ରତି ୫/୬ ଶଗଡ଼ ଗୋବର ଖତ ବା କମ୍ପୋଷ୍ଟ, ଏକର ପ୍ରତି ୧୦ କିଲୋ ଧନିଚା ଉପଯୋଗ କରିବାକୁ ହେବ । ୧୦ ଶଗଡ଼ ଗୋବର ଖତର ଆନୁମାନିକ ଓଜନ ୬୦ କ୍ୱିଣ୍ଟାଲ ହେବ । ଏଥିରେ ବିଭିନ୍ନ ପ୍ରକାର ଖାଦ୍ୟ ଉତ୍ପାଦନର ପରିମାଣ ହେବ ଯବକ୍ଷାରଜାନ ୩୩ କିଲୋ, ଫସ୍ଫରସ୍ ୨୧ ିକିଲୋ ଏବଂ ପୋଟାସ୍ ୧୧ କିଲୋ । (ଙକ୍ସଶବଦ୍ଭସମ ଗବଦ୍ଭଙ୍କକ୍ସରଗ୍ଦ ଭଚ୍ଚ ଇ.ଉ. ଏବଙ୍କକ୍ସ ଌ କ୍ଟଗ୍ଧଷରକ୍ସଗ୍ଦ ଓଉଇଜ କ୍ଟ୍ରକ୍ସକ୍ଟଭକ୍ଷରଜ୍ଞ କ୍ଟ୍ରବଶର ୨୦) । ଏଥିସହିତ ଏକରକୁ ୧୦କିଲୋ ଧନିଚା ପ୍ରୟୋଗ କରାଗଲେ ୧୨ କିଲୋରୁ ଅଧିକ ଯବକ୍ଷାରଜାନ ମିଳିପାରିବ ।
ଧନିଚାର ଉପଯୋଗୀତା
ଧାନବିହନ ସହିତ ଧନିଚା ବୁଣିଥିଲେ ଧାନ ବେଉଷଣ କରିବେ । ଧନିଚା ୪/୫ ଦିନରେ ସଢ଼ିଯିବ । ବୁଣାଧାନର ଚେର ଦୃଢ଼ ହୋଇଥାଏ, ତେଣୁ ଚେର ନଷ୍ଟର ଆଶଙ୍କା ନାହିଁ । ରୁଆ ବିଲରେ ଧନିଚା ବୁଣି କାଦୁଅ କଲେ ଖୁବ୍ କମ୍ରେ ୪ ଦିନପରେ ଧାନ ରୋଇଲେ ଚେର ନଷ୍ଟ ହେବାର ସମ୍ଭାବନା ନଥାଏ ।
ଅଧିକ ଉତ୍ପାଦ, ଅଧିକ ଲାଭ ଏସବୁ ବ୍ୟବସାୟିକ ଶବ୍ଦ । ଭାରତୀୟ କୃଷକ ଲାଭକ୍ଷତି ହିସାବ କରି କେବେ ଚାଷ କରି ନଥିଲା । ଏବେ ମଧ୍ୟ ନୁହେଁ । ଆଉ ଆଜି ଦିନରେ ଚାଷୀ ଚାଷରେ ଲାଭକ୍ଷତିର ଯଦି ହିସାବ କରୁଥାନ୍ତା ତେବେ ୫/୧୦ବର୍ଷ ଆଗରୁ ଚାଷ ଛାଡ଼ିସାରନ୍ତାଣି । ଭାତହାଣ୍ଡିରୁ ଗୋଟିଏ ଚିପିଲା ଭଳି ଏଇ ଧାନଚାଷ ଉଦାହରଣ ନିଆଯାଉ । ଧାନଚାଷ ପାଇଁ ବିହନ, ସାର, କୀଟନାଶକ, ପାଣି ସବୁ ତ କିଣା । ତା’ସହିତ ମୂଲମଜୁରୀ ଅଛି । ଏକ ଏକର ଅମଳକ୍ଷମ ଧାନ ଚାଷ (ସବୁଜ ବିପ୍ଳବ ଧାରାରେ) କରିବାକୁ ବୁଣାଠାରୁ ଅମଳ ପର୍ଯ୍ୟନ୍ତ ଖର୍ଚ୍ଚ ଛଅ ହଜାର ପାଞ୍ଚଶହ ଟଙ୍କା ।
ହାରାହାରି ଉତ୍ପାଦନ ୧୫ କ୍ୱିଣ୍ଟାଲ ହେଲେ ଧାନ ଅମଳବେଳର ଦର କ୍ୱିଂଟାଲ ଟ. ୪୦୦ ହିସାବରେ ଚାଷୀ ପାଇବ ଛଅ ହଜାର ଟଙ୍କା । ଏଠାରେ ପ୍ରଶ୍ନ ହୋଇପାରେ ତେବେ ଚାଷୀ ଚାଷ କରୁଛି କାହିଁକି ? ମନେରଖନ୍ତୁ ! ଓଡ଼ିଶାରେ ଶତକଡ଼ା ୧୦ଭାଗ ପରିବାର ହାତରେ ୮୦ ଭାଗ ଚାଷଜମି ଅଛି । ମାତ୍ର ସେ ଜମିରୁ ୭୫ଭାଗ ଜମି ଭାଗଚାଷୀ ବା ଗରିବ ଶ୍ରେଣୀର ଲୋକ ଚାଷ କରିଥାନ୍ତି । ଜମିମାଲିକ ଘରେ ବସି ଉତ୍ପାଦନର ଶତକଡ଼ା ୫୦ଭାଗ ପାଇଥାଏ । ଭାଗଚାଷୀ ୫୦ଭାଗ ପାଏ, ଅବଶ୍ୟ ଏହା ଆମ ନିଆଳି ଅଞ୍ଚଳର କଥା । ଅର୍ଥାତ୍ ଏଇ ୬୦୦୦ ଟଙ୍କାରୁ ଜମିମାଲିକ ଘରେ ବସି ଠିକାଦାରୀ କରି, ସରକାରୀ ବା ବେସରକାରୀ ଚାକିରି କିମ୍ବା ରାଜନୀତି କରି ଟ. ୩୦୦୦ ପାଏ । ଭାଗଚାଷୀର ଚାରା ନାହିଁ । ସେ ହିସାବପତ୍ର ଜାଣେନି । ସେ ଓ ତା’ର ସମସ୍ତ ପରିବାର ଜମିରେ ଖଟନ୍ତି । ସେ ମଜୁରି ତ ସେମାନେ ହିସାବ କରନ୍ତି ନାହିଁ । ଯାହା ଧାନ ପାଇଲେ ୩/୪ ମାସ ପାଇଁ ଭାତ ତ ଯୋଗାଡ଼ ହେଲା । ଖାଲି ଜୀବିକା ନୁହେଁ; ଏହା ଏକ ସଂସ୍କୃତି, ଜୀବନଧାରା । ପୁରନ୍ତା ଖେତକୁ ଦେଖିଦେଲେ ଚାଷୀର ଭୋକଶୋଷ ମରିଯାଏ । ସେ ସୁଖ, ଦୁଃଖକୁ ପଛରେ ପକାଇ କ୍ଷେତକୁ ଦେଖି ଆତ୍ମହରା ହୋଇପଡ଼େ । ଏହା ହିଁ ତା’ର ଲାଭ ।
ଜୀବ ଶବ୍ଦରୁ ଜୈବ ବା ଜୈବିକ ଶବ୍ଦ ପ୍ରୟୋଗ କରାଯାଉଛି । ଯେଉଁସବୁ ଉପାଦାନ ପ୍ରାଣୀ ବା ଉଦ୍ଭିଦ ଜଗତରୁ ମିଳୁଛି ସେଗୁଡ଼ିକୁ ଜୈବ ଉପାଦାନ କହିବା । ଯେପରିକି ମଣିଷ ଓ ପଶୁପକ୍ଷୀଙ୍କର ମଳମୂତ୍ର, ହାଡ଼ମାଂସ, ରକ୍ତ, ଉଦ୍ଭିଦର ପତ୍ର, ଫଳ, ଡ଼ାଳ ବା ଚେର, ସମୁଦ୍ରରୁ ମିଳୁଥିବା ଶାମୁକା, ମାଛ, ଶୁଖୁଆ ଏସବୁ ଜିନିଷକୁ ଆମେ ଜୈବିକ ବସ୍ତୁ କହିବା । ଏହିସବୁ ଉପାଦାନରୁ ପ୍ରସ୍ତୁତ ଖତସାର, ଜିଆଖତ କଂସେଇଖାନାରୁ ମିଳୁଥିବା ବର୍ଜ୍ୟବସ୍ତୁ, ହାଡ଼ଗୁଣ୍ଡ, ଶୁଖୁଆ ଗୁଣ୍ଡ, ଲିମ୍ବ, କରଞ୍ଜ, ମହୁଲ, ଚିନାବାଦାମ ବା ଅନ୍ୟାନ୍ୟ ପିଡ଼ିଆକୁ ଆମେ ଜୈବକୃଷି ପାଇଁ ବ୍ୟବହାର କରିପାରିବା । ଏଥିସହିତ ସବୁଜ ସାର ପାଇଁ ଧନିଚା, ଛଣି, ବରଗୁଡ଼ି, ମୁଗ, ବିରି, କୋଳଥ, ବରସିସ୍ ଆଜୋଲା ଓ ନୀଳହରିତ୍ ଶୈବାଳ ଜମିରେ ପ୍ରୟୋଗ କଲେ ମଧ୍ୟ ଜମିର ଉର୍ବର ଶକ୍ତି ଅଧିକ ହୁଏ । ଜମିର ଲବଣତ୍ୱକୁ ନିୟନ୍ତ୍ରଣ କରିବାକୁ ଜମିରେ ଗେଣ୍ଡା, ଶାମୁକା, ମାଛକାତି ଓ ମାଛକଂଟା ମଧ୍ୟ ବ୍ୟବହାର କରାଯାଇପାରେ । ଅନୁପାତ କମ୍ ବେଶୀ କରି ସ୍ଥାନୀୟ ଭିତିରେ ଚାଷୀ ଯେଉଁସବୁ ଉପାଦାନ ପାଇପାରିବେ ବା ବାଡ଼ିଘରେ ପ୍ରସ୍ତୁତ କରିପାରିବେ ତାହା ହିଁ ବ୍ୟବହାରକରି ସୁଫଳ ପାଇପାରିବେ ।
ଦେଶୀଚାଷ ପାଇଁ ପ୍ରଧାନ ଉପାଦାନ ଦେଶୀ ବିହନ
ଦେଶୀଚାଷ ପାଇଁ ପ୍ରଧାନ ଉପାଦାନ ଦେଶୀ ବିହନ । ଦେଶୀ ବିହନ ମିଳିବା କଷ୍ଟସାଧ୍ୟ ହେବ । ମାତ୍ର ବେଶୀ ବିହନ ବ୍ୟତିରେକ ଜୈବକୃଷି ଅସମ୍ପୂର୍ଣ୍ଣ ।
ଧନିଚା ଏକ ସବୁଜ ସାର । ଖାଲି ଧନିଚା ନୁହେଁ ଛଣପଟ, ବରଗୁଡ଼ି, ଶିମ୍ବ, ଝୁଡ଼ଙ୍ଗ, ମୁଗ, ବିରି, କୋଳଥ; ଏଗୁଡ଼ିକ ମଧ୍ୟ ସବୁଜ ସାର କାମ କରନ୍ତି । ଜମିରେ ଏଗୁଡ଼ିକ ବୁଣି ୨୦/୩୦ ଦିନପରେ ଚାଷକରି ଜମିରେ ମିଶାଇଦେଲେ ଜମିରେ ଯବକ୍ଷାରଜାନ ପରିମାଣ ବେଶ୍ ବଢ଼ିଯାଇଥାଏ । ୧୦ କିଲୋ ଧନିଚା ଚାଷରେ ଏକର ଜମିପାଇଁ ୨୦କିଲୋ ଯବକ୍ଷାରଜାନ ମିଳିବ, ଯାହାକି ପ୍ରାୟ ୪୫ କିଲୋ ୟୁରିଆରୁ ମିଳନ୍ତା ।
ହଁ, ଦେଶୀ ବିହନରୁ ଅଧିକ ଉତ୍ପାଦନ କରିବା କଥା । ଏଠାରେ ଚାଷର ନିଷ୍ଠା କଥା କୁହାଯାଇଛି । ଗୋଟିଏ ଦେଶୀ ବିହନକୁ ଅଧିକ ଉତ୍ପାଦନକ୍ଷମ କରିବାକୁ ଜଣେ ଚାଷୀର ୫ବର୍ଷ ସମୟ ଲାଗିବ । ପ୍ରତିବର୍ଷ ଧାନକ୍ଷେତରେ ପାଚିଲାବେଳେ ଚାଷୀ ବିଲମଝିରୁ ବାଛି ବାଛି ମା’ କେଣ୍ଡା (ପ୍ରଥମ ୪/୫ଟି ପିଲରୁ ମିଳୁଥିବା ଧାନକେଣ୍ଡା) ଗୁଡ଼ିକୁ ସଂଗ୍ରହ କରନ୍ତି । କେଣ୍ଡାଗୁଡ଼ିକ ବଡ଼ ବଡ଼ ହୋଇଥିବ, ନିରୋଗ ହୋଇଥିବ, ଧାନର ଦାନାଗୁଡ଼ିକ ପୁରିଲା ପୁରିଲା ଥିବ । ଏହି ସଂଗୃହୀତ କେଣ୍ଡାରୁ ବିହନ ସଂଗ୍ରହ କରିବାକୁ ହେବ ।
ବିହନ ସଂଗ୍ରହବେଳେ ମଧ୍ୟ କଣ୍ଠା, ଅଗାଡ଼ି, କୁଲାର ଅଗଧାନ, ମଲାଧାନ ବାଛି କେବଳ ବଳିଷ୍ଠ ଦାନାଗୁଡ଼ିକ ସଂଗ୍ରହକରି ଛାଇଆ ଖରାରେ ସୁଖାଇ ଓଳିଆରେ ସାଇତି ରଖିବାକୁ ହେବ । ଏହି ବିହନକୁ ୨ବର୍ଷ ବ୍ୟବହାରକରି ପୁଣି ଏକାଧାରାରେ ବିହନ ସଂଗ୍ରହ କରିବ । ପ୍ରତିବର୍ଷ ବିହନର ଉତ୍ପାଦନ କ୍ଷମତା ପୂର୍ବବର୍ଷ ତୁଳନାରେ ଅଧିକ ହେଉଥିବା ସେ ନିଜେ ପରୀକ୍ଷା କରି ଜାଣିପାରିବେ । ୫ବର୍ଷ ପରେ ଯେଉଁ ବିହନ ମିଳିବ ତାହାର ଉତ୍ପାଦନ କ୍ଷମତା ୧ ବର୍ଷ ବିହନଠାରୁ ୨୦ ପ୍ରତିଶତ ବଢ଼ିଥିବା ପରୀକ୍ଷା କରି ଦେଖାଯାଇଛି । କେଦାରଗୌରୀ ଧାନ କିସମରେ ଏହି ପରୀକ୍ଷା ଗତ ୪ବର୍ଷ ଧରି କରିବାରେ ଏବେ ଏହାର ଉତ୍ପାଦନ ଏକର ପ୍ରତି ୧୮ କ୍ୱିଂଟାଲରେ ପହଞ୍ଚିଛି ।
ଆଜି ଦିନରେ ତ ଓଡ଼ିଶାର ଖାଦ୍ୟ ନିରାପତ୍ତା ବିପନ୍ନ । ରାଜ୍ୟର ୩୦ ପ୍ରତିଶତ ଲୋକ ପ୍ରତିଦିନ ଗୋଟିଏ ବେଳ ମାତ୍ର ଖାଇବାକୁ ପାଉଛନ୍ତି । ଆମ ରାଜ୍ୟର ଶିଶୁ ବା ଗର୍ଭବତୀମାନଙ୍କର ପୁଷ୍ଟିହୀନତା ଓ ଅକାଳ ମୃତ୍ୟୁହାର ଭାରତବର୍ଷରେ ସର୍ବାଧିକ । ଏହାର କାରଣ କ’ଣ ହୋଇପାରେ ? କାରଣ ଜଙ୍ଗଲର ବ୍ୟାପକ ଅବକ୍ଷୟ, ସବୁଜ ବିପ୍ଳବ ଧାରାରେ ଧାନ, ଧାନ ଓ ଧାନ । ବର୍ଷସାରା କେବଳ ଧାନଚାଷ, ଡ଼ାଲିଜାତୀୟ ଫସଲ ଚାଷ ଓଡ଼ିଶାରେ ୬୦ ପ୍ରତିଶତ କମିଛି । କୃଷି ଶ୍ରମିକଙ୍କ ପାଇଁ ମଜୁରି ନାହିଁ । ଆଦିବାସୀ ଲୋକଙ୍କ ପାଇଁ କାମ ନାହିଁ । ତାଙ୍କ ଜମି କଳକାରଖାନା ପାଇଁ ଶିଳ୍ପପତି ଲୁଟି ନେଉଛନ୍ତି ।
ପାରମ୍ପାରିକ ଚାଷ ବୃତ୍ତି ସେମାନେ ହରାଇସାରିଲେଣି । ଆବଶ୍ୟକ ଖାଦ୍ୟ କିଣିବାକୁ ଅଣ୍ଟାରେ ପଇସା ନାହିଁ । ଏହା ଏକ ଉଦ୍ବେଗଜନକ ପରିସ୍ଥିତି । ମାତ୍ର ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । କାରଣ ସବୁଜ ବିପ୍ଳବ ଆରମ୍ଭ ଦିନରୁ ବହୁ ସ୍ୱାଧୀନ ବୈଜ୍ଞାନିକ, ବୁଦ୍ଧିଜୀବୀ ଏଭଳି ଆଶଙ୍କା କରିଥିଲେ । ଆଜି ତାହା ବାସ୍ତବ ରୂପ ନେଉଛି । ବିକଳ୍ପ କ’ଣ ହୋଇପାରେ ! ଜୈବକୃଷି ଏହାର ଯଥାର୍ଥ ବିକଳ୍ପ ହେବ । କ୍ରମବର୍ଦ୍ଧିଷ୍ଣୁ ଲୋକସଂଖ୍ୟାକୁ ଯଥେଷ୍ଟ ଖାଦ୍ୟ ଯୋଗାଇବାକୁ ସକ୍ଷମ ହେବ ଦେଶୀ ଚାଷ । କୃଷିନୀତି କୃଷକ ସ୍ଥିର କଲେ, କୃଷିକ୍ଷେତ୍ରରୁ ସରକାରୀ ନିୟନ୍ତ୍ରଣ ହଟାଇ ନିଆଗଲେ, କୃଷି ବିଶ୍ୱବିଦ୍ୟାଳୟକୁ ବନ୍ଦ କରାଯାଇପାରିଲେ ।
ସମୟ ଥିଲା ଜଣେ ଛୋଟ ବା ନାମମାତ୍ର ଚାଷୀ ବର୍ଷକ ଭିତରେ ୪୦/୫୦ ପ୍ରକାର ଫସଲ ଉତ୍ପାଦନ କରୁଥିଲା । ଧାନ, ମୁଗ, ବିରି, କୋଳଥ, ହରଡ଼, ମାଣ୍ଡିଆ, ବାଜରା, ରାଶି, ଫେସି, ଚିନାବାଦାମ, ସୋରିଷ, ପନିପରିବା, କଦଳୀ, ଅମୃତଭଣ୍ଡା, ମାଛ, କ୍ଷୀର, ମାଂସ-ଏସବୁ ବଦଳରେ ଆଜିକାଲି ଖାଲି ଧାନ ଆଉ ଧାନ । କୃଷିର ବିବିଧତାକୁ ସବୁଜ ବିପ୍ଳବ ହତ୍ୟା କରିଛି ବହୁରାଷ୍ଟ୍ରୀୟ କମ୍ପାନୀମାନଙ୍କ ଇଙ୍ଗିତରେ । ଅନୁମାନ କରନ୍ତୁ ଜଣେ ଚାଷୀ ପରିବାର ଯଦି ଏସବୁ ଖାଦ୍ୟଦ୍ରବ୍ୟ ନିଜେ ଘରେ ଉତ୍ପାଦନ କରିପାରିବ ତାକୁ କଥାକଥାକେ ବଜାରକୁ ଯିବାକୁ ପଡ଼ିବ କି ? ହିସାବ କରି ଦେଖାଯାଇଛି ଜଣେ ନାମମାତ୍ର ଚାଷୀ ପରିବାର ୧.୫ ଏକର ଜମିରୁ ଜୈବ କୃଷି ପ୍ରଣାଳୀରେ ଯାହା ଉତ୍ପାଦନ କରିପାରିବ, ତାହା ପରିବାରର ୫ଜଣ ସଦସ୍ୟଙ୍କ ସୁଷମ ଖାଦ୍ୟ ପାଇଁ ଯଥେଷ୍ଟ ହେବ । କ୍ଷୀର, ମାଛ, ମାଂସ ଓ ବଳକା ପନିପରିବା ବିକ୍ରୀ କରି ସେ ଲୁଗାପଟା, ପିଲାଙ୍କ ପାଠପଢ଼ା ଓ ଔଷଧ ଖର୍ଚ୍ଚ ତୁଲାଇ ପାରିବ ।
ଚାଷ ଓ ରୋଗ ପୋକ
ଆମେ ଜାଣିଛେ ସବୁଜ ବିପ୍ଳବ ପୂର୍ବରୁ ଅର୍ଥାତ୍ ୧୯୬୭/୬୮ ପୂର୍ବରୁ ଆମ ଓଡ଼ିଶାର ଚାଷୀ ରୋଗ ପୋକ କଥା ଜାଣି ନଥିଲେ । ଦେଶୀ ଧାନଚାଷ ବା ଦେଶୀ ପନିପରିବା ଚାଷ ତ ସମସ୍ତେ କରୁଥିଲେ । ରୋଗ ପୋକ ପ୍ରଥମତଃ ବିହନରୁ ଆସିଥାଏ । ଆମ ଚାଷୀମାନେ ସେତେବେଳେ ଯେଉଁ ବିହନ କରୁଥିଲେ ତାହା ଅତ୍ୟନ୍ତ ଶୁଦ୍ଧ ଥିଲା । ବିହନ ନିରୋଗ ଥିଲା । ଫସଲରେ ରୋଗ ଦେଖାଯାଉ ନଥିଲା । ତା’ଛଡ଼ା ଜମିରେ ଅପକାରୀ କୀଟପତଙ୍ଗ ମାତ୍ର ୧୫/୨୦ଟି ଥିବାବେଳେ ଅପକାରୀ କୀଟଙ୍କୁ ଦମନ କରିବାପାଇଁ ଶହ ଶହ ଉପକାରୀ କୀଟପତଙ୍ଗ ଥିଲେ । ବୁଢ଼ିଆଣୀ ଥିଲା, ଚଢ଼େଇ ଥିଲେ । ଏପରି ଅନେକ ପନିପରିବାରେ କାଁ ଭାଁ ରୋଗ ଦେଖାଯାଉଥିଲା । ଗଇଣ୍ଠା ପାଉଁଶ, ମାଛଧୂଆ ପାଣି, ହାଣ୍ଡିଧୂଆ ପାଣି, ଗୋବର ପାଣି ଭଳି ଦେଶୀୟ ଚିକିତ୍ସାରେ ରୋଗ ପୋକ ଆୟତ କରିହେଉଥିଲା ।
ଜୈବକୃଷି ପ୍ରବର୍ତ୍ତନ କଲେ ଆମ କ୍ଷେତରେ ଉପକାରୀ ଜୀବମାନଙ୍କର ସଂଖ୍ୟା ବଢ଼ିଯିବ । ରୋଗ ପୋକର ଆଶଙ୍କା କମ୍ ହେବ । ପ୍ରଥମରୁ ଜମିରେ ଲିମ୍ବ ବା କରଞ୍ଜ ପିଡ଼ିଆ ପ୍ରୟୋଗ କରିବାକୁ ହେବ । ଆମ ଗୁହାଳରେ ଗାଈମୂତ, ଗୋବର, ଚୁଲିରେ ପାଉଁଶ ଅଛି । ଗାଁ ଗଣ୍ଡାରେ ଲିମ୍ବ ଗଛ, ଅରଖ ଗଛ, କରଞ୍ଜ ଗଛ ଅଛି । କିରୋସିନି, ରସୁଣ, ଧୂଆଁପତ୍ର ଭଳି ଜିନିଷମାନ ଘର ହାଟ ସଉଦାରେ ଆସୁଛି । ଏସବୁ ଜିନିଷରୁ ଏକାଧିକ ଜୈବ କୀଟନାଶକ ଆମେ ବିନା ଖର୍ଚ୍ଚରେ ପ୍ରସ୍ତୁତ କରିପାରିବା ଏବଂ ଯଦି କେତେବେଳେ କେମିତି ଫସଲରେ ରୋଗ ପୋକ ଦେଖାଯାଏ ଏହି ଜୈବ କୀଟନାଶକ ଔଷଧ ପ୍ରୟୋଗ କରିପାରିବା ।
ମନରେ ତଥାପି ପ୍ରଶ୍ନ ଆସିପାରେ ରାସାୟନିକ ଚାଷ ଓ ଜୈବ ଚାଷ ଭିତରେ ଚିହ୍ନିବା ଭଳି ଫରକ କ’ଣ?
ଚାଲନ୍ତୁ ଗୋଟି ଗୋଟି କରି ଦେଖିବା ଓ ବୁଝିବା ;
ରାସାୟନିକ କୃଷି ଜୈବ କୃଷି
ଟ୍ରାକ୍ଟର ଚାଷ ଯୋଗୁଁ ହଳ ଲଙ୍ଗଳ ଚାଷ
ଜମି କଠିନ, ଜଳଧାରଣ ଶକ୍ତି କମ୍ ମାଟି ହାଲୁକା,
ଓ ବ୍ୟୟ ବହୁଳ, ସରନ୍ତି ପ୍ରାକୃତିକ ଖର୍ଚ୍ଚ କମ୍ ।
ସମ୍ପଦ ଖଣିଜତୈଳର ନିଅଣ୍ଟ, ଛୋଟ
ଜମି ଓ ଛୋଟଚାଷୀ ପାଇଁ ଠିକଣା
ସମୟକୁ ଉପଲବ୍ଧ ନୁହେଁ ।
ବିହନ ବ୍ଲକ୍ ବା କମ୍ପାନୀରୁ କିଣିବାକୁ ମାଗଣା ଘର ବିହନ ବ୍ୟବହାର କରିପାରିବା ।
ହୁଏ, ଏଣୁ ପଇସା ଖର୍ଚ୍ଚ ହୁଏ ।
ରାସାୟନିକ ସାର ଖର୍ଦ୍ଦି । ଗୋବରଖତ, କମ୍ପୋଷ୍ଟ ଖତ ଗୁହାଳୁ ବା ବାଡ଼ିରୁ ଉପଲବ୍ଧ ।
କୀଟନ।।କ ଖଦ୍ଦି । ରୋଗପୋକ ନାହିଁ । ଦେଶୀ ଔଷଧ ବିନା ପଇସାରେ ଫସଲ ସୁରକ୍ଷା ।
ପ୍ରତିବର୍ଷ ଅଧିକ ସାର ଓ ଅଧିକ ଖତ କମ୍ପୋଷ୍ଟର ସମତୁଲ ପ୍ରୟୋଗ ।
କୀଟନାଶକ ଔଷଧ ବ୍ୟବହାର ।
ଉତ୍ପାଦନ କମି କମି ଯିବ । ଉତ୍ପାଦନ ବଢ଼ି ବଢ଼ି ଯିବ ।
ଜିଆ, ଅଣୁଜୀବ, କଙ୍କଡ଼ା, ଫସଲରୁ ବନ୍ଧୁ ଜିଆ ଓ ଅନ୍ୟାନ୍ୟ ଜୀବମାନଙ୍କର ବଂଶବୃଦ୍ଧି ।
ଗେଣ୍ଡା, ମାଛର ବଂଶ ନିପାତ ।
ଉତ୍ପାଦିତ ଫସଲ ସ୍ୱାସ୍ଥ୍ୟ ପାଇଁ ହାନିକାରକ । ସୁସ୍ୱାଦ ଓ ସ୍ୱାସ୍ଥ୍ୟକର ଖାଦ୍ୟ ।
ପରିବଶେ, ପାନୀୟ ଜଳ ପ୍ରଦୂଷିତ । ପରିବେଶ ଓ ପ୍ରକୃତି ସୁରକ୍ଷା
ଏହା ବଜାର ଅର୍ଥନୀତି ସହିତ ଜଡ଼ିତ । ସ୍ୱାବଲମ୍ବୀ ଅର୍ଥନୀତିର ଅନୁପୂରକ ।
ଜମିର ଉର୍ବର ଶକ୍ତି କମିଯାଏ । ଜମିର ଉର୍ବର ଶକ୍ତି ବଢ଼ିଥାଏ ।
ଜମିରେ ଖତିରା (ଐଙ୍କଜ୍ଞଙ୍କଗ୍ଦ) ପରିମାଣ ଖର୍ଚ୍ଚ ତୁଳନାରେ ଉତ୍ପାଦନ ଅଧିକ ମିଳିଥାଏ ।
କମିଥାଏ ।
ଅଧିକ ପାଣି ଦରକାର କରେ । ରାସାୟନିକ କୃଷିଠାରୁ ୩୦ ପ୍ରତିଶତ ପାଣି କମ୍ ଦରକାର କରେ ।
ରାଜେନ୍ଦ୍ର ଦେଶୀ ଚାଷ ଗବେଷଣା କେନ୍ଦ୍ର ଦେଶୀଚାଷ ବା ଜୈବ ଚାଷର ପ୍ରସାର ଓ ଉନ୍ନତି ପାଇଁ ସାଧାରଣ ଚାଷୀଙ୍କୁ ନିଷ୍ଠାର ସହ ସହଯୋଗ କରିବାପାଇଁ ସଙ୍କଳ୍ପବଦ୍ଧ । ଆମର ଏହି କେନ୍ଦ୍ରରେ ନୀୟମିତ ଭାବେ ଇଚ୍ଛୁକ କୃଷକମାନଙ୍କୁ ତାଲିମ ଦିଆଯାଉଛି । ଏଥିପାଇଁ ଆପଣ ଯେଉଁ ସମୟରେ ଏବଂ ଯେକୌଣସି ବିଷୟପାଇଁ ଆମ ସହ ଯୋଗାଯୋଗ କରିପାରିବେ ।
ମୋର ନିଜ ଫୋନ ନମ୍ବରଟି ହେଲା ୯୯୩୭୬୨୦୮୮୩ ଏବଂ ମୋର ଘନିଷ୍ଠ ସହଯୋଗୀ ଯୁବ ଚାଷୀ ଯୁବରାଜ ସ୍ୱାଇଁଙ୍କର ନମ୍ବରଟି ହେଲା – ୯୯୩୭୪୯୩୧୧୫ ।
ଏଥିସହିତ ଆପଣ ଯେକୌଣସି କାମ ପାଇଁ ଅନ୍ୟ ଯେଉଁ ନମ୍ବରଟି ସହ ଯୋଗାଯୋଗ କରିପାରିବେ ତାହା ହେଲା – ୯୪୩୭୦ ୧୯୩୯୫, ୯୮୫୩୪୫୬୦୮୩।
Comments
0 comments