ଭଗବତ ଚର୍ଚ୍ଚା (ମାନବ ସଭ୍ୟତାର ସବୁ ଦୁର୍ଦ୍ଦଶା ମୂଳରେ ରହିଛି ହିଂସା)

ପାତଞ୍ଜଳି ଯୋଗଦର୍ଶନର ପ୍ରଥମ ଅଧ୍ୟାୟର ତେତିଶି ନମ୍ବର ସୂତ୍ରରେ ରହିଛି ଚାରୋଟି ମୂଲ୍ୟବୋଧର ସୂଚନା, ମୈତ୍ରୀ, କରୁଣା, ମୁର୍ଜତା, ଉପେକ୍ଷା ଯେଉଁଗୁଡ଼ିକର ପୂର୍ଣ୍ଣ ସଂଯୋଗ ରହିଛି ଉଚିତ ଆବେଗ ଓ ଉନ୍ନତ ବିଚାର ସହ ।

ସ୍ଵୟଂପ୍ରଭା ପାଢ଼ୀ
ସ୍ଵୟଂପ୍ରଭା ପାଢ଼ୀ485 Views
3 Min Read

‘ଅହିଂସ’ ବର୍ଣ୍ଣବୈଷମ୍ୟ ଶୂନ୍ୟ ପ୍ରାକ୍-ବୈଦୀୟ ଭାରତୀୟ ସଂସ୍କୃତି ହିନ୍ଦୁଧର୍ମର ମୁକ୍ତିକାମୀ ଧର୍ମତତ୍ତ୍ୱର ମୂଳଦୁଆ ପକାଇପାରିବ ବୋଲି ଅନେକ ସମୟରେ ଆଶା ପ୍ରକଟ କରନ୍ତି ଭଗବତ ପ୍ରସାଦ । ତାଙ୍କ ମତରେ ସାରା ବିଶ୍ୱର ମାନବସଭ୍ୟତାକୁ ଦିଗ୍ଦର୍ଶନ ଦେବା ସାମର୍ଥ୍ୟ ଓ ସମ୍ଭାବନା ଏ ସଂସ୍କୃତିରେ ରହିଛି । ପ୍ରଫେସର ଭଗବତ ପ୍ରସାଦଙ୍କର ଏହି ଲେଖାଟି ଭାରତୀୟ ମୁକ୍ତି ଚେତନାକାମୀ ମଣିଷ ମାନଙ୍କ ଚିନ୍ତନକୁ ଅଧିକ ମୁକ୍ତ ଓ ବିସ୍ତାରୀତ କରିବ ନିଶ୍ଚୟ । ଲେଖାଟିରେ କାହାରି ଧାର୍ମୀକ ଭାବନା ପ୍ରତି ଆଘାତ ନକରି ବରଂ ସବୁ ଜୀବଙ୍କର ମଙ୍ଗଳପାଇଁ ଧର୍ମର ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଅବଗତ କରାଇଛନ୍ତି ବିଶିଷ୍ଟ ଗାନ୍ଧିବାଦୀ, ସମାଜବାଦୀ ତଥା ସମାଜ ବିଜ୍ଞାନୀ ଭଗବତ ପ୍ରସାଦ ।

ସେ ଲେଖୁଛନ୍ତି ଯେ, କୌଣସି ଦେବତା ପ୍ରତି ଅନ୍ଧ ଭକ୍ତି ସୃଷ୍ଟି କରିପାରେ ଆତଙ୍କବାଦୀ କିମ୍ବା ଫାସିଷ୍ଟ । ହିନ୍ଦୁତ୍ୱବାଦୀମାନେ ମୁସଲମାନ ବିଦ୍ୱେଷ ପ୍ରଚାର କଲାବେଳେ ଭୁଲିଯାଆନ୍ତି ଯେ, ଗୀତାର ଶ୍ରେଷ୍ଠ ଅଧ୍ୟାୟ ଭକ୍ତିଯୋଗରେ ଭକ୍ତର ଲକ୍ଷଣରେ ‘ମାମେକଂ ଶରଣଂବ୍ରଜ’ (ମୋର ଶରଣ ନିଅ) ଭକ୍ତିକୁ ଗୌଣ ସ୍ଥାନରେ ରଖାଯାଇଛି । ଭକ୍ତ କେବଳ ସିଏ ଯିଏ ‘ଅଦ୍ୱେଷ୍ଟାଃ ସର୍ବଭୂତାନାଂ’ (ସମସ୍ତଙ୍କ ପ୍ରତି ଦ୍ୱେଷଶୂନ୍ୟ), ମୈତ୍ରଃ (ମୈତ୍ରୀଯୁକ୍ତ), କରୁଣ (କରୁଣାଯୁକ୍ତ) ।
ଭକ୍ତିର ମୂଳଦୁଆ ହେଉଛି ସୁହୃଦତ୍ୱ, ଭଗବତ୍ ପ୍ରାର୍ଥନା ନୁହେଁ । ମୂଳଦୁଆ ନଥାଇ ଯେଉଁ ଭକ୍ତି, ସେଇ ଭକ୍ତି ହୁଏ ଫାସିବାଦର ପ୍ରସୂତିଶାଳା । କେବଳ ଗୋଟିଏ ଶ୍ଳୋକ ନୁହେଁ, ଭକ୍ତିଯୋଗର ସମସ୍ତ ଶ୍ଳୋକରେ ସେଇ ‘ସର୍ବଭୂତ ହିତେ ରତାଃ’ (ସବୁ ଜୀବନ୍ତ ପ୍ରାଣୀଙ୍କ ହିତ ସାଧନ) ହିଁ ମୁଖ୍ୟସ୍ୱର ।

‘କୋରାନରେ କେତେ ପଦ୍ୟଭାଗ ରହିଛି ଯାହା ହିଂସାକୁ ସମର୍ଥନ କରୁଛି । ମୁସଲମାନମାନେ ଏଇ ଦୁଃଖଦାୟକ ସତ୍ୟକୁ ସ୍ୱୀକାର କରିବା ଦରକାର ଯେ, ଇସଲାମର ଉଷାକାଳରେ ଏଭଳି ହିଂସାର ହୁଏତ କିଛି ଆବଶ୍ୟକତା ରହିଥିଲା, କିନ୍ତୁ ଆଜି ଇସ୍ଲାମ ପୃଥିବୀର ଦ୍ୱିତୀୟ ବୃହତ୍ତମ ଧର୍ମ । ପରିବର୍ତ୍ତିତ ପରିସ୍ଥିତିରେ ହିଂସାତ୍ମକ କାର୍ଯ୍ୟକଳାପ ତାର ଆବଶ୍ୟକତା ହରାଇ ବସିଛି ।’ ଜିଆଉଦ୍ଦିନ ସର୍ଦ୍ଦାରଙ୍କ ଏ କଥା ସତ୍ୟ ଯେ ଅନେକ ଭୁଲକଥା କରୁଥିବା ପୃଥିବୀର ସବୁ ଧର୍ମର ଗ୍ରନ୍ଥମାନଙ୍କରେ କିଛି ଅନ୍ୟାୟ କଥାରହିଛି । ସମୟ ଆସିଛି ଯେତେବେଳେ ପ୍ରତି ଧର୍ମଗ୍ରନ୍ଥର ଅବିଚାରପୂର୍ଣ୍ଣ ଅଂଶଗୁଡ଼ିକର ସମାଲୋଚନା ହେବା ଦରକାର । ତାହା ନକରି ଆମ ଉପନିଷଦ କହୁଛି ‘ସର୍ବେ ଭବନ୍ତୁ ସୁଖୀନଃ’ କିମ୍ବା ଆମ କୋରାନ୍ ମତରେ ଇସଲାମ ଅର୍ଥ ‘ଶାନ୍ତି’ କିମ୍ବା ଆମ ବାଇବେଲ ଶତ୍ରୁକୁ କ୍ଷମାଦେବାକୁ କହୁଛି ବୋଲି ସେ ଗ୍ରନ୍ଥର ଅଂଶକୁ ଅଭ୍ରାନ୍ତ ସତ୍ୟ ବୋଲି ଦାବୀ କରିବା ଅସମୀଚୀନ । ‘ସର୍ବେ ଭଦ୍ରାଣି ପଶ୍ୟନ୍ତୁ’ କହୁଥିବା ଉପନିଷଦ ଯୁଗ ହେଉଛି ‘ଅସ୍ପୃଶ୍ୟତା’ ଦୃଢ଼ୀଭୂତ ହେଉଥିବାର ଯୁଗ ।

ମାନବ ସଭ୍ୟତାର ସବୁ ଦୁର୍ଦ୍ଦଶା ମୂଳରେ ରହିଛି ହିଂସା …କେବଳ ଶାରୀରିକ ଆଧିକ୍ୟ ଯୋଗୁଁ ପୁରୁଷ ସଜାଇଲା ନାରୀକୁ ଦାସୀ । ଶାରୀରିକ ଓ ମାନସିକ ବଳର ଦୁରୁପଯୋଗ କରି ମଣିଷ ପଶୁମାନଙ୍କୁ ବନାଇଲା ତା’ର ଦାସ ଓ ଭୋଗ୍ୟ । ପ୍ରଜାତି ଶୋଷଣ ଓ ଅତ୍ୟାଚାରର ଦ୍ୱିତୀୟ ପର୍ଯ୍ୟାୟରେ ମଣିଷ ଆଗେଇଗଲା ଅନ୍ୟ ମଣିଷ ପ୍ରତି ଅତ୍ୟାଚାର କରିବାକୁ । ଆର୍ଯ୍ୟଙ୍କ ଭଳି ଅତ୍ୟାଚାରୀ ସମ୍ପ୍ରଦାୟମାନେ ଲେଖିଲେ ଇତିହାସ । ଏ ଇତିହାସ କହିଲା ସଭ୍ୟତାର ବିକାଶ କରିଛନ୍ତି ଆର୍ଯ୍ୟ ଭଳି କେତେକ ଯୁଦ୍ଧଖୋର ଜାତି ।
କେତେକେତେ ମାନବଧର୍ମୀ ଆଦର୍ଶବାଦ ଯେ ଫାସିବାଦର ଗହ୍ୱର ଭିତରକୁ ତା’ର ଅଜାଣତରେ ଗଳିପଡ଼ିଛି, ତାହା ଏ ଯୁଗର ଚିନ୍ତକଙ୍କୁ ଅଗୋଚର ନୁହେଁ । ମୋର ମନେହୁଏ ପାତଞ୍ଜଳି ଯୋଗଦର୍ଶନର ପ୍ରଥମ ଅଧ୍ୟାୟର ତେତିଶି ନମ୍ବର ସୂତ୍ରରେ ରହିଛି ଏ ସମସ୍ୟାର ସମାଧାନ । ସେଥିରେ ରହିଛି ଚାରୋଟି ମୂଲ୍ୟବୋଧର ସୂଚନା, ଯେଉଁଗୁଡ଼ିକର ପୂର୍ଣ୍ଣ ସଂଯୋଗ ରହିଛି ଉଚିତ ଆବେଗ ଓ ଉନ୍ନତ ବିଚାର ସହ । ସେ ଚାରୋଟି ହେଲା ମୈତ୍ରୀ, କରୁଣା, ମୁର୍ଜତା (ଅନ୍ୟକୁ ସାହାଯ୍ୟ କରୁଥିବା ଆନନ୍ଦ), ଉପେକ୍ଷା (ହିଂସା, ଘୃଣା, ଲୋଭ ଭଳି କ୍ଷତିକାରକ ‘ଆବେଗ’ର ପରିହାର) । ମୈତ୍ରୀ ଅବଶ୍ୟ ଫରାସୀ ରାଷ୍ଟ୍ର ବିପ୍ଳବର ଏକ ସ୍ଲୋଗାନ୍ ଥିଲା, କିନ୍ତୁ ବିପ୍ଳବୀମାନେ ସ୍ୱାଧୀନତା ଓ ସମତା ଉପରେ ଅତ୍ୟଧିକ ଗୁରୁତ୍ୱ ଦେବାରୁ ବିପ୍ଳବ ରକ୍ତକ୍ଷରା ହୋଇଗଲା ।

Comments

0 comments

Share This Article
Ms Swayamprava Parhi is an artist and a cultural journalist. She is the Chief Editor of Samadhwani Cultural Magazine (www.samadhwani.com), and director of Samadrusti Mukta Vidyalaya. Swayamprava has been involved in the Village Biography Writing Initiatives with school students since 2005. During Covid-19, she initiated a new approach to work with school students. She shifted her village biography work online while tying up with different schools in Odisha. She also happens to be a Documentary Filmmaker.