ଲ୍ୟାଣ୍ଡ ବ୍ୟାଙ୍କରେ ଜମି ଅଥଚ ରାଜ୍ୟର ଲୋକେ ଜମିହୀନ

ଦେବରଞ୍ଜନ
ଦେବରଞ୍ଜନ256 Views
13 Min Read

ଲୋକଙ୍କ ପାଇଁ ଜମି ହେଲା ଜୀବିକା, ଜମି ହେଲା ସଂସ୍କୃତି । ସେହି ଜମି ସହିତ ଜଡ଼ିତ ରହିଛି ସାଧାରଣ ମଣିଷର ଦୈନନ୍ଦିନ ଜୀବନ । କିନ୍ତୁ ସରକାରୀ ଅର୍ଥବ୍ୟବସ୍ଥାରେ ଜମି ବିକିଲେ ଟଙ୍କା, ଜମିକୁ ରଖି ବନ୍ଧକ ଓ ଜମିକୁ ଦେଖାଇ ଜାମିନ । ସରକାରୀ ଅର୍ଥନୀତିରେ ଜମି ହେଉଛି ପୁଞ୍ଜି । ହେଲେ ଜମି ତ ସୁନା କି ଗହଣା ନୁହେଁ ଯେ ବ୍ୟାଙ୍କ ଲକର ମଧ୍ୟରେ ରଖାଯାଇ ପାରିବ? ତେବେ ‘ଲ୍ୟାଣ୍ଡବ୍ୟାଙ୍କ’ କ’ଣ?

ରାଜ୍ୟ ସରକାରଙ୍କ ଦୃଷ୍ଟିରେ ଲ୍ୟାଣ୍ଡ ବ୍ୟାଙ୍କର ଅର୍ଥ ହେଲା ଯେ ଜିଲ୍ଲାପାଳଙ୍କ ଅଧୀନରେ ଲ୍ୟାଣ୍ଡବ୍ୟାଙ୍କ ନାମକ ରେକର୍ଡ ପ୍ରସ୍ତୁତ ରହିବା ଯେଉଁଥିରେ ଜିଲ୍ଲାର ସମସ୍ତ ସରକାରୀ, ଗୋଚର, ଜଙ୍ଗଲ ଜମି ଓ ବ୍ୟକ୍ତିଗତ ଜମିର ତାଲିକା ଲିପିବଦ୍ଧ ହୋଇରହିବ । ଯେତେବେଳେ ରାଜ୍ୟ ସରକାର ଆବଶ୍ୟକ କୌଣସି ଜିଲ୍ଲା ଲାଗି ଆବଶ୍ୟକ କରିବେ ତୁରନ୍ତ ୯୯ବର୍ଷ ଲିଜ୍ପଟ୍ଟାରେ ଜମିଜିଲ୍ଲାର ଜିଲ୍ଲାପାଳ ନିଜ ଜିଲ୍ଲାରେ ଯୋଗାଇଦେବେ । ଜିଲ୍ଲାପାଳ ଚାହିଁଲେ ନିଜଇଚ୍ଛାରେ କାହାରିକୁ ଏଥିରୁ ଜମି ଯୋଗାଇ ଦେଇପାରିବେ ନାହିଁ । ଏଥିଲାଗି ରାଜ୍ୟ ସରକାରଙ୍କ ଅନୁମୋଦନ ଆବଶ୍ୟକ । ଏହା ସରକାରୀ ନୀତି ।

ଲ୍ୟାଣ୍ଡ ବ୍ୟାଙ୍କ ଲାଗି ଲିଖିତ ସରକାରୀ ନୀତି ଆସିଲା କେଉଁଠୁ?

ସ୍ୱାଧୀନତା ପରେ ଦେଶରେହୋଇଥିବା ସମସ୍ତ ଡ୍ୟାମ, କାରଖାନା ଓ ଅନ୍ୟ ବୃହତ୍ ପ୍ରକଳ୍ପଲାଗି ଜମି ଅଧିଗ୍ରହଣ ବ୍ରିଟିଶ ସମୟର ‘ଜମି-ଅଧିଗ୍ରହଣ ଆଇନ, ୧୮୯୪’ ନିୟମ ଅନୁସାରେ କରାଯାଉଥିଲା । ‘ଦେଶର ସ୍ୱାର୍ଥ’ ଲାଗି ଲକ୍ଷ ଲକ୍ଷ ଲୋକଙ୍କୁ ଗୃହଶୂନ୍ୟ ଓ ଜମିହୀନ ଏହି ଆଇନ ବଳରେ କରି ଦିଆଯାଉଥିଲା ଅବଶ୍ୟ ରାଜ୍ୟ ପୁଲିସର ମାତ୍ରାଧିକ ସହଯୋଗ ଦ୍ୱାରା । ଏଥିରେ ଜମି ହରାଉଥିବା ବ୍ୟକ୍ତିର ନିଜ ଜମି ଉପରେ କୌଣସି ଅଧିକାର ନରହୁଥିବା କାରଣରୁ ବୃହତ ପ୍ରକଳ୍ପ ବିପକ୍ଷରେ ବିଭିନ୍ନ ରାଜ୍ୟରେ ବିସ୍ଥାପନ ବିରୋଧୀ ଆନେ୍ଦାଳନ ମୁଣ୍ଡ ଟେକିଥିଲା । ସ୍ୱାଧୀନତାର ଦୀର୍ଘ ୬୬ବର୍ଷ ପରେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ବାଧ୍ୟ ହୋଇ ନୂତନ ଜମି-ଅଧିଗ୍ରହଣ ଆଇନ,୨୦୧୩ ( The right to fair compensation and transparency in land acquisition, rehabilitation and resettlement Act, 2013) ସାଂସଦରେ ପାସ୍ କରାଇଥିଲେ । ଯଦିଓ ସେହି ସମସ୍ତ ଜନଆନ୍ଦୋଳନର ମୂଳ ଉଦେ୍ଦଶ୍ୟ ନଥିଲା ଥଇଥାନ ଓ କ୍ଷତିପୂରଣ ତଥାପି କଂଗ୍ରେସ ସରକାର ଜମି ଅଧିଗ୍ରହଣ ଆଇନକୁ ପୁନର୍ବାସ ଓ ଥଇଥାନ ଆଇନ ନାମରେ ନାମିତ କରିଥିଲେ ।

ଯେଉଁସବୁ ଅଞ୍ଚଳରେ ଲୋକଙ୍କ ବିରୋଧହେତୁ ପ୍ରକଳ୍ପ ପ୍ରାୟ ବନ୍ଦ ହୋଇଯାଇଥିଲା ଅଥବା ବିଳମ୍ବ ହେଉଥିଲା ସେହି ସମସ୍ତ ଅଞ୍ଚଳବାସୀଙ୍କ ଲାଗି ଉକ୍ତ ଆଇନରେ ଏକ ଆଶା ରହିଥିଲା । ନୂତନଜମି-ଅଧିଗ୍ରହଣ ଆଇନ,୨୦୧୩ ଧାରା-୧୦୧ରେ ଉଲ୍ଲେଖ ରହିଲା,‘ଯଦି କୌଣସି ପ୍ରକଳ୍ପ ଲାଗି ଜମି ଅଧିଗୃହୀତ ହୋଇଛି ଅଥଚ ଦୀର୍ଘ ପାଞ୍ଚବର୍ଷ ପର୍ଯ୍ୟନ୍ତ ସେହି ପ୍ରକଳ୍ପ ନିଜର ଭିତ୍ତିପ୍ରସ୍ତର ସ୍ଥାପନ କରିପାରିଲା ନାହିଁ ତେବେ ସେହି ଜମିକୁ ଏହାର “ମୂଳମାଲିକ ବା ମାଲିକ ବା ଆଇନଗତ ଉତ୍ତରାଧିକାରୀଙ୍କୁ” ଫେରସ୍ତ କରିଦିଆଯିବ ।’ ଅର୍ଥାତ ଲୋକଙ୍କ ପ୍ରତିରୋଧକୁ ପ୍ରଥମଥର ଲାଗି ଏକ ଆଇନଗତ ମାନ୍ୟତା ମିଳିଥିଲା । କିନ୍ତୁ ସେହି ଆଇନର ପରବର୍ତ୍ତୀ ବାକ୍ୟ ଅତ୍ୟନ୍ତ ନିରୁତ୍ସାହଜନକ । ସେହି ଆଇନରେ ପୁଣି ଉଲ୍ଲେଖ ରହିଲା ଯେ ସେହି କମ୍ପାନୀଙ୍କ ଦ୍ୱାରା ବ୍ୟବହାର ହୋଇପାରିନଥିବା ଜମି “ବିଶେଷ କ୍ଷେତ୍ରରେ ସରକାରଙ୍କ ଲ୍ୟାଣ୍ଡବ୍ୟାଙ୍କକୁ”ମଧ୍ୟ ଫେରାଇ ଦିଆଯିବ । ଆଜି ବି ଲ୍ୟାଣ୍ଡବ୍ୟାଙ୍କ ଲାଗି ଏକମାତ୍ର ଆଇନଗତ ସମର୍ଥନହେଲା ଜମି ଅଧିଗ୍ରହଣ ଆଇନ,୨୦୧୩ର ଧାରା୧୦୧ । ଲ୍ୟାଣ୍ଡବ୍ୟାଙ୍କ ଲାଗି ଏତଦ ବ୍ୟତୀତ ଅନ୍ୟକୌଣସି ଆଇନଗତ ପ୍ରାବଧାନ ବର୍ତ୍ତମାନ ପର୍ଯ୍ୟନ୍ତ ନାହିଁ । ଏହା ପୁଣି ଦୀର୍ଘବର୍ଷର ଲଢ଼େଇରେ ଯେଉଁ ନୂତନ ଜମି-ଅଧିଗ୍ରହଣ ଆଇନ ଦେଶବାସୀ ପାଇଥିଲେ ସେହି ଭିତରେ ଯୋଡ଼ି ଦିଆଯାଇଛି ।

ନୂତନଜମି-ଅଧିଗ୍ରହଣ ଆଇନ,୨୦୧୩ରେ “ଲ୍ୟାଣ୍ଡବ୍ୟାଙ୍କ”ର ସଂଜ୍ଞା ପ୍ରାଥମିକ ଭାବରେ କୌଣସି ଏକ ସରକାରୀ ଦସ୍ତାବିଜରେ ଉଲ୍ଲେଖ ରହିଲା । ଏ ସମ୍ପର୍କରେ କୁହାଗଲା, “ଲ୍ୟାଣ୍ଡବ୍ୟାଙ୍କ କହିଲେ ସରକାରୀ ଅଧିକୃତ, ଅବ୍ୟବହୃତ ଓ ଟିକସ ପାଉନଥିବା ଜମି ।” ଅର୍ଥାତ ସମସ୍ତ ଜମି ଲ୍ୟାଣ୍ଡ ବ୍ୟାଙ୍କ ଅଧିନକୁ ଆସିବ ନାହିଁ । କେବଳ ସରକାରୀ ଅଧିକୃତ, ଅବ୍ୟବହୃତ ଓ ଟିକସ-ଅପ୍ରାପ୍ତ ଜମି ହିଁ ଲ୍ୟାଣ୍ଡବ୍ୟାଙ୍କକୁ ଆସିବା କଥା । କୌଣସି ଚାଷଜମି, ବ୍ୟକ୍ତିଗତ ଜମି, ଗ୍ରାମ୍ୟ ଜଙ୍ଗଲ ଇତ୍ୟାଦି ଲ୍ୟାଣ୍ଡବ୍ୟାଙ୍କକୁ ଆସିବା କଥା ନୁହେଁ । ଆମେ କହିପାରିବା ନାହିଁ ଯେ କଂଗ୍ରେସ ପାର୍ଟି ଓ ତାଙ୍କ ସମୟର ପ୍ରଶାସକଗୋଷ୍ଠୀ ସମ୍ପୂର୍ଣ୍ଣଭାବରେ ଲୋକଙ୍କ ପକ୍ଷଧର ଥିଲେ । ଯଦି ନୂତନ ଜମି-ଅଧିଗ୍ରହଣ ଆଇନରେ “ଲ୍ୟାଣ୍ଡବ୍ୟାଙ୍କ” ପ୍ରସ୍ତାବ ଉଲ୍ଲେଖ ରହିନଥାନ୍ତା ତେବେ ଏହି ବିଚାରକୁ କୌଣସି ଆଇନଗତ ସମର୍ଥନ ଆଜି ବି ମିଳିନଥାନ୍ତା ।

ଥରେ ଆଙ୍ଗୁଳି ପଶିଗଲେ ଆଉ ସମଗ୍ର ବାହୁ ପ୍ରବେଶ କରିବାକୁ ବା କେତେ ଡେରି? କୌଣସି କେନ୍ଦ୍ରୀୟ ଆଇନକୁ କାର୍ଯ୍ୟକାରୀ କରିବାକୁ ହେଲେ ରାଜ୍ୟ ସରକାରମାନେ ଅନୁରୂପ ନିୟମ ବା ରୁଲ୍ସ ତିଆରି କରିବା ସାମ୍ବିଧାନିକ ନିୟମ ରହିଛି । ତେଣୁ ଓଡ଼ିଶା ସରକାର ଯେବେ ଜମି-ଅଧିଗ୍ରହଣ ନିୟମ, ୨୦୧୩ର ରୁଲ୍ସ-୨୦୧୫ ମସିହାରେ ତିଆରିକଲେ ଲ୍ୟାଣ୍ଡ ବ୍ୟାଙ୍କର ତାଲିକାରେ ଅତି ସନ୍ତର୍ପଣରେ ଉଭୟ ସରକାରୀ ଓ ବେସରକାରୀ ଜମିକୁ ଜିଲ୍ଲାର ଲ୍ୟାଣ୍ଡବ୍ୟାଙ୍କରେ ତାଲିକାଭୁକ୍ତ କରିବା ଲାଗି ନୂତନ ନିର୍ଦ୍ଧେଶାନାମା ଜାରି କରିଦେଲେ । କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତୁତ ନୂତନ ଜମି-ଅଧିଗ୍ରହଣ ଆଇନ,୨୦୧୩ ଅନୁସାରେ ଲ୍ୟାଣ୍ଡବ୍ୟାଙ୍କରେ କେବଳ ସରକାରୀ ଅଧିକୃତ, ଅବ୍ୟବହୃତ ଓ ଟିକସ ପାଉନଥିବା ଜମି ରହିବା ଲାଗି ନିୟମ ରହିଲା । ଯେତେବେଳେ ଓଡ଼ିଶାରେ ଏହାର ରୁଲ୍ସ ତିଆରି ହେଲା ଏଥିରେ ବ୍ୟକ୍ତିଗତ ଜମି, ଗୋଷ୍ଠୀଗତ ଜମି, ପତିତ ଜମି, ଦୋ ଫସଲି ଜମି ଇତ୍ୟାଦି ସମସ୍ତ କିସମର ଜମି ଲ୍ୟାଣ୍ଡବ୍ୟାଙ୍କରେ ରହିବାର ପ୍ରାବଧାନ ରହିଗଲା । ବ୍ୟାଙ୍କରେ ଅର୍ଥ ଗଚ୍ଛିତ ରଖିବାର ପ୍ରବଳ ଆଗ୍ରହ ଭଳି ରାଜ୍ୟ ସରକାରଙ୍କର ଜମି ଗଚ୍ଛିତ ରଖିବାର ଆଗ୍ରହ କାରଣରୁ ଆଇନ ବହିର୍ଭୂତ କାର୍ଯ୍ୟ କରାଗଲା ।

ଓଡ଼ିଶାର ପ୍ରତି ଜିଲ୍ଲାରେ ଏହାପରେ ଅଧିକ ଜମି ଲ୍ୟାଣ୍ଡବ୍ୟାଙ୍କରେ ଗଚ୍ଛିତ ରଖିବା ଲାଗି ଜିଲ୍ଲାର ଜିଲ୍ଲାପାଳମାନଙ୍କ ମଧ୍ୟରେ ଏକ ପ୍ରକାରର ପ୍ରତିଯୋଗିତା ଚାଲିଛି । କେନ୍ଦ୍ର ସରକାରଙ୍କ ନିୟମରେ ରହିଥିଲା ଯେ କମ୍ପାନୀ ପ୍ରତିଷ୍ଠା ହୋଇପାରିନଥିବା ଜମି ଓ ସେହି ଜମିମଧ୍ୟରୁ ଯେଉଁ ଜମି ସରକାରୀ ଅଧିକୃତ, ଅବ୍ୟବହୃତ ଓ ଟିକସ ପାଉନଥିବା ଜମି କେବଳ ଲ୍ୟାଣ୍ଡ ବ୍ୟାଙ୍କରେ ଗଚ୍ଛିତ ରହିବ । କିନ୍ତୁ ରାଜ୍ୟ ସରକାର ସମସ୍ତ ନୂତନ ପ୍ରକାରର ଜମି ଯଥା ବ୍ୟକ୍ତିଗତ ଜମି, ଗୋଷ୍ଠୀଗତ ଜମି, ପତିତ ଜମି, ଦୋ ଫସଲି ଜମି ଇତ୍ୟାଦି ସମସ୍ତ କିସମର ଜମିକୁ ଲ୍ୟାଣ୍ଡବ୍ୟାଙ୍କରେ ଗଚ୍ଛିତ ରଖୁଛନ୍ତି । ଅନ୍ୟପଟରେ, କୌଣସି କମ୍ପାନୀଲୋକଙ୍କ ଚାଷଜମି କିଣିଥିଲେ ମଧ୍ୟ ପାଞ୍ଚ ବର୍ଷ ମଧ୍ୟରେ କମ୍ପାନୀ ପ୍ରତିଷ୍ଠା କରିନପାରି ଚାଲିଗଲେ ତାହାର ଜମି ଆଉ ପ୍ରକୃତଚାଷୀକୁ ନଦେଇ ସରକାର ଲ୍ୟାଣ୍ଡବ୍ୟାଙ୍କରେ ରଖୁଛନ୍ତି । ଜଗତସିଂହପୁର ଜିଲ୍ଲାରେ ପୋସ୍କୋ ପରେ ଜିନ୍ଦଲକୁ ସେହି ଜମି ସହଜରେ ଉପଲବ୍ଧ ହୋଇଗଲା । ଏହା କିନ୍ତୁ ମୂଳ ଜମି-ଅଧିଗ୍ରହଣ ଆଇନ-୨୦୧୩ରେ ନଥିଲା । ଓଡ଼ିଶା ସରକାରଙ୍କ ଏହି ନିଷ୍ପତ୍ତି ମୂଳ ଆଇନର ବିରୁଦ୍ଧାଚରଣ କରୁଛି ।

କେବଳ ଓଡ଼ିଶାର ସରକାରଙ୍କ ଅମଲାତନ୍ତ୍ର ଏହି ଚାଲାକି କରିନାହାନ୍ତି! ଜମି-ଅଧିଗ୍ରହଣ ଆଇନ,୨୦୧୩ ପାସ ହେବାର ପ୍ରଥମ ଦୁଇ ବର୍ଷ ମଧ୍ୟରେ ଝାଡ଼ଖଣ୍ଡ, ସିକ୍କିମ ଓ ମେଘାଳୟ ରାଜ୍ୟ ଓ ପରେପରେ ହରିୟାନା (୨୦୧୭), ଆନ୍ଧ୍ରପ୍ରଦେଶ (୨୦୧୮) ଓ କର୍ଣ୍ଣାଟକ (୨୦୧୯) ଇତ୍ୟାଦି ରାଜ୍ୟ ମୂଳଜମି-ଅଧିଗ୍ରହଣ ଆଇନ,୨୦୧୩ ଆଇନର ଧାରା ୧୦୧କୁ ସଂପୂର୍ଣ୍ଣ ଉଚ୍ଛେଦ କରିଦେଇ ସମସ୍ତ ଜମିକୁ “ଲ୍ୟାଣ୍ଡବ୍ୟାଙ୍କ”କୁ ହସ୍ତାନ୍ତର କରିବାଲାଗି ନିଜ ନିଜର ରୁଲ୍ସରେ ଉଲ୍ଲେଖକଲେ । ଆଶ୍ଚର୍ଯ୍ୟର ବିଷୟ ଯେ ସମାନ ପ୍ରକାରର ଚାଲାକି ସମସ୍ତ ରାଜ୍ୟ ଏକ ନିର୍ଦ୍ଦିଷ୍ଟ ସମୟ ଭିତରେ କେଉଁଭଳି କେଲେ? କ’ଣ ଏମାନଙ୍କୁ ଏହି ବୁଦ୍ଧି ଦେଉଥିବା ଲୋକ ବା ସଂସ୍ଥା କିଏ ରହିଛି, ଯିଏ ଗୋଟିଏ ପ୍ରକାରର ପ୍ରସ୍ତାବ ସମସ୍ତଙ୍କୁ ଦେଇଛି?

ଲ୍ୟାଣ୍ଡବ୍ୟାଙ୍କରୁ ଜମି ପାଇବା ଲାଗି ତେବେ କିଏ ଯୋଗ୍ୟ?

ରାଜ୍ୟ ସରକାର ଯାହାଙ୍କୁ ଯୋଗ୍ୟ ମନେକରିବେ ଲ୍ୟାଣ୍ଡବ୍ୟାଙ୍କରୁ କେବଳ ତାହାଙ୍କୁ ହିଁ ଜମି ଦେବେ । ୨୦୨୦ ମସିହାର ତଥ୍ୟ ଅନୁସାରେ ରାଜ୍ୟରେ ସାତଲକ୍ଷ ଜମିହୀନ ପରିବାର ରହିଛନ୍ତି । କିନ୍ତୁ ଜମିହୀନକୁ ଜମି, ଲୋକଙ୍କ ଲାଗି ସ୍କୁଲ, ଡାକ୍ତରଖାନା ପ୍ରତିଷ୍ଠା ଲାଗି ଲ୍ୟାଣ୍ଡବ୍ୟାଙ୍କରୁ ଜମି ହସ୍ତାନ୍ତରଣ ପରିମାଣ ଲ୍ୟାଣ୍ଡବ୍ୟାଙ୍କରେ ଗଚ୍ଛିତ ଜମି ପରିମାଣ ତୁଳନାରେ ଅତି ନଗଣ୍ୟ । ଲ୍ୟାଣ୍ଡବ୍ୟାଙ୍କର ଜମିଉପରେ କମ୍ପାନୀମାନଙ୍କର ଅଲିଖିତ ଅଧିକାର ରହିଛି ।

ରାଜ୍ୟ ସରକାରଙ୍କ “ଗୋପ୍ଲସ” ଯୋଜନାରେ ବିଦେଶରେ ଥିବା କମ୍ପାନୀ ବି କେଉଁ ଜିଲ୍ଲାରେ କମ୍ପାନୀ ସ୍ଥାପନ ଲାଗି କେତେ ଜମିରହିଛି , ତାହା ବିଦେଶରେ ଥାଇ ଜାଣିପାରୁଛି । କିନ୍ତୁ କୌଣସି ବି ଏକ ଜିଲ୍ଲାର ଜମିହୀନ ଲୋକ ଦୀର୍ଘବର୍ଷ ହେଲା ଜମି ପାଇଁ ଆବେଦନ କରିଥିଲେ ମଧ୍ୟ ତାଙ୍କୁ କେବେ ଜମି ମିଳିବ ତାହା ସେମାନେ ସ୍ପଷ୍ଟ ହୋଇପାରୁ ନାହାନ୍ତି । ଓଡ଼ିଶା ସରକାରଙ୍କ ଅର୍ଥନୈତିକ ସର୍ଭେ ରିପୋର୍ଟରେ (୨୦୨୧-୨୨) ଗୋଟିଏ ପଟରେ ସ୍ୱୀକାର କରାଯାଉଛି ଯେ ରାଜ୍ୟରେ ୪,୧୨,୭୫୭ ପରିବାର ଭୂମିହୀନ ଥିବାହେତୁ “ସମସ୍ତଙ୍କୁ ଗୃହ ଯୋଜନା”ରେ (HFAPOA) ଗୃହ ଯୋଗାଇ ଦିଆଯାଇପାରୁ ନାହିଁ । ଅନ୍ୟପଟରେ କମ୍ପାନୀଙ୍କ ଲାଗି ଲ୍ୟାଣ୍ଡବ୍ୟାଙ୍କରେ ସମୁଦାୟ ୧,୩୧,୮୫୨ ଲକ୍ଷ ଏକର ଜମି ଗଚ୍ଛିତ ଥିବାର ଏକ ଲୋଭନୀୟ ଚିତ୍ର ଦିଆଯାଉଛି । ଜମିହୀନ ଲୋକେ ଯେଉଁ ଜିଲ୍ଲାପାଳଙ୍କ ନିକଟରେ ଜମି ଲାଗି ଆବେଦନ କରୁଛନ୍ତି ସେହି ଅଫିସ ଜିଲ୍ଲାର ସମସ୍ତ ଜମିକୁ ଲ୍ୟାଣ୍ଡବ୍ୟାଙ୍କରେ ଗଛିତ ରଖିବା ଲାଗି ଉପରୁ ଆସିଥିବା ନିର୍ଦ୍ଧେଶକୁ କାର୍ଯ୍ୟକାରୀ କରିବାରେ ଲାଗୁଛନ୍ତି ।

ଲ୍ୟାଣ୍ଡବ୍ୟାଙ୍କ ତଥ୍ୟ ଅନୁସାରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକରେ ୩୨୨୧ ଏକର ଜମି ଗଚ୍ଛିତ ଅଛି । ଏହି ଜମି ଉପରେ କାହାର ଅଧିକାର ରହିବ? ଏପରିକି ସମଗ୍ର କଳାହାଣ୍ଡି ଜିଲ୍ଲାରେ ୧୬୯୪୭ ଏକର ଜମି ଲ୍ୟାଣ୍ଡବ୍ୟାଙ୍କରେ ଗଛିତ ରହିଥିବା ସରକାରୀ ତଥ୍ୟ କହୁଛି । ଜିଲ୍ଲାର ୪୦ ପ୍ରତିଶତ ଲୋକ ଜମିହୀନ ଥିବା କଥା ସ୍ୱୀକାର କରାଯାଉଛି । ଓଡ଼ିଶା ସରକାରୀ ଲ୍ୟାଣ୍ଡ ସେଟେଲେମେଣ୍ଟ ଆକ୍ଟ, ୧୯୬୨ ଓ ରୁଲ୍ସ ୧୯୮୩ କିମ୍ବା ଓଡ଼ିଶା ପ୍ରିଭେନସନ ଅଫ୍ ଲ୍ୟାଣ୍ଡ ଏନକ୍ରୋଚମେଣ୍ଟ ଆକ୍ଟ, ୧୯୭୨ ଓ ରୁଲ୍ସ ୧୯୮୫ ଅନୁସାରେ ଜମିହୀନକୁ ଏକ ଏକର ପର୍ଯ୍ୟନ୍ତ ଜମି ଜିଲ୍ଲାପାଳ ଯୋଗାଇ ଦେବାର ପ୍ରସ୍ତାବ ରହିଛି । କିନ୍ତୁ ତାହା କାର୍ଯ୍ୟକାରୀ ହେଉ ନାହିଁ ।

ଲ୍ୟାଣ୍ଡବ୍ୟାଙ୍କ କାହାର ମସ୍ତକରୁ ଆସିଥାଇ ପାରେ?

ସମଗ୍ର ଦେଶରେ ପ୍ରଥମେ ଲ୍ୟାଣ୍ଡବ୍ୟାଙ୍କର କଳ୍ପନା ଓଡ଼ିଶା ସରକାରଙ୍କ ନୂତନ ଶିଳ୍ପନୀତି ୨୦୦୧ରୁ ଆରମ୍ଭ ହୋଇଥିଲା । ସେହିବର୍ଷ ଜାତିସଂଘ କିନ୍ତୁ ଓଡ଼ିଶା ସରକାରଙ୍କ ନୂତନ ଶିଳ୍ପ ନୀତିରେ (୨୦୦୧) ଲ୍ୟାଣ୍ଡ ବ୍ୟାଙ୍କ ଅଧୀନରେ କୃଷି ଜମି ହସ୍ତାନ୍ତର ପ୍ରସ୍ତାବକୁ ଦୃଢ଼ଭାବରେ ନିନ୍ଦା କରିଥିଲେ । ଏହାପରେ ବେଶ କିଛି ବର୍ଷ ଏହାକୁ ନେଇ କାର୍ଯ୍ୟ ବନ୍ଦ ହୋଇଯାଇଥିଲା ।

ୟୁପିଏ ଅଧିନସ୍ଥ ମନମୋହନ ସିଂହ ସରକାର ରାଜ୍ୟମାନଙ୍କୁ କମ୍ପାନୀମାନଙ୍କ ସହିତ ସ୍ୱାଧୀନ ଭାବରେ ଚୁକ୍ତି କରିବାର ସୁବିଧା ଦେବା ଲାଗି ୨୦୧୦ ମସିହାରେ ବିଶ୍ୱ ପୁଞ୍ଜିଲଗାଣକାରୀ ସମ୍ମିଳନୀ ବା World Investors Meet ଆୟୋଜନ କରିଥିଲେ । ସମ୍ଭବତଃ ଏହି ସମ୍ମିଳନୀ ଆୟୋଜନ ବିଶ୍ୱବ୍ୟାଙ୍କର ପ୍ରସ୍ତାବ ଥିଲା । ଏହାପରେ ପ୍ରମୁଖ ରାଜ୍ୟ କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଓ ଗୁଜୁରାଟ ନିଜର ଶିଳ୍ପ ନୀତିରେ ଲ୍ୟାଣ୍ଡବ୍ୟାଙ୍କ ସମ୍ପର୍କରେ ପ୍ରସ୍ତାବରେ ଉଲ୍ଲେଖ କରିଛନ୍ତି । କିନ୍ତୁ ଏହାର କୌଣସି ନିର୍ଦ୍ଦିଷ୍ଟ ନୀତି ବା ଆଇନଗତ ନିଦେ୍ର୍ଦଶ ୨୦୧୩ ମସିହା ପୂର୍ବ ପର୍ଯ୍ୟନ୍ତ କୌଣସି ରାଜ୍ୟ ତିଆରି କରିନଥିଲେ ।

ସେହି ୨୦୧୦ ମସିହାଠାରୁ ବିଶ୍ୱରେ ବୃହତ କମ୍ପାନୀମାନଙ୍କ ଲାଗି କେଉଁ ଦେଶ କେତେ ଅନୁକୂଳ ସେଥିଲାଗି ବ୍ୟବସାୟରେ ସହଜ (ଋବଗ୍ଦଚ୍ଚ କ୍ଟଲ ୟକ୍ଟସଦ୍ଭଶ ଭଙ୍କଗ୍ଦସଦ୍ଭରଗ୍ଦଗ୍ଦ) ରାଙ୍କିଙ୍ଗ ପ୍ରକ୍ରିୟା ବିଶ୍ୱବ୍ୟାଙ୍କ ଦ୍ୱାରା ଆରମ୍ଭ ହୋଇଥିଲା । ବ୍ୟବସାୟରେ ସହଜ ରାଙ୍କିଙ୍ଗରେ ୨୦୧୧ ମସିହାରେ ବିଶ୍ୱର ୧୯୦ ଦେଶ ମଧ୍ୟରୁ ଭାରତ ୧୩୪ତମ ସ୍ଥାନରେ ଥିଲା । ବିଭିନ୍ନ ରାଜ୍ୟମାନଙ୍କ ଉଦ୍ଧେଶ୍ୟରେ ବିଶ୍ୱବ୍ୟାଙ୍କ ଏହାପରେ ନିଜର ରିପୋର୍ଟରେ ଉଲ୍ଲେଖ କରେ, “ରାଜ୍ୟମାନେ ଲ୍ୟାଣ୍ଡବ୍ୟାଙ୍କ ଗଠନ ଲାଗି ଉଦ୍ୟମ କରୁଛନ୍ତି କିନ୍ତୁ ଏ ଦିଗରେ ସ୍ପଷ୍ଟ ନିର୍ଦ୍ଧେଶାବଳୀର ଆବଶ୍ୟକତା ରହିଛି ।’ ଏହା ୨୦୧୧ ମସିହାର କଥା, ନୂତନ ଜମି-ଅଧିଗ୍ରହଣ ନୀତି ଆସିବାର ଦୁଇ ବର୍ଷ ପୂର୍ବ କଥା । ଏଥିରେ ବିଶ୍ୱବ୍ୟାଙ୍କ ନିଜର ଉଦ୍ଧେଶ୍ୟ ସ୍ପଷ୍ଟ କଲା ଯେ ଭାରତ ଭଳି ବିକାଶଶୀଳ ଦେଶରେ ବାହାର କମ୍ପାନୀ ଉତ୍ତମ ବ୍ୟବସାୟ ଓ ଉତ୍ତମ ପୁଞ୍ଜିନିବେଶ ଲାଗି ଲ୍ୟାଣ୍ଡବ୍ୟାଙ୍କ ଜରୁରୀ ।

ଲ୍ୟାଣ୍ଡବ୍ୟାଙ୍କ ପ୍ରକ୍ରିୟା ଉଭୟ ଆମେରିକା ଓ ଇଂଲଣ୍ଡରେ ବିରୋଧ କରାଯାଇଥିବା ସତ୍ତ୍ୱେ ବିଶ୍ୱ ବ୍ୟାଙ୍କ ବିଭିନ୍ନ ତୃତୀୟ ବିଶ୍ୱର ଦେଶମାନଙ୍କରେ ଏହି ପ୍ରକ୍ରିୟାଲାଗି ଚାପ ସୃଷ୍ଟି କରିଥିଲା । ଏହିହେତୁ, ଭୂ-ଅଧିଗ୍ରହଣ ଆଇନ,୨୦୧୩ରେ ଲ୍ୟାଣ୍ଡ ବ୍ୟାଙ୍କ ଲାଗି ପ୍ରଥମ ଆଇନଗତ ଅନୁମୋଦନ ମିଳିଲା । ଉକ୍ତ ଆଇନ ପାସ ହେବା ବର୍ଷ ବ୍ୟବସାୟରେ ସହଜ ରାଙ୍କିଙ୍ଗରେ ଭାରତ ଉନ୍ନତି ଆଣି ୧୩୪ରୁ ୧୩୨ତମ ସ୍ଥାନକୁ ଚାଲିଆସିଲା ।

୨୦୧୫ ମସିହାରେ ଓଡ଼ିଶା ଓ ଝାଡ଼ଖଣ୍ଡ ତଥା ୨୦୧୮ ମସିହା ବେଳକୁ ହରିୟାନା ଓ ଆନ୍ଧ୍ରପ୍ରଦେଶ ସମେତ ଅନେକ ରାଜ୍ୟ ନିଜ ନିଜ ରୁଲ୍ସରେ ଲ୍ୟାଣ୍ଡବ୍ୟାଙ୍କ ପ୍ରସ୍ତାବକୁ ଅନୁମୋଦନ କଲେ । ଫଳରେ,୨୦୧୮ ମସିହାର ବିଶ୍ୱବ୍ୟାଙ୍କ ପ୍ରସ୍ତୁତ ବ୍ୟବସାୟରେ ସହଜ ରାଙ୍କିଙ୍ଗରେ ଭାରତ ୧୩୨ରୁ ୧୦୦ତମ ସ୍ଥାନକୁ ଚାଲିଆସିଲା ଅର୍ଥାତ ଅଧିକରୁ ଅଧିକ ଏହି ଦେଶ ଯେ ବୃହତ ବିଦେଶୀ କମ୍ପାନୀଙ୍କ ଲାଗି ଅନୁକୂଳ ହେବାରେ ଲାଗୁଛି ତାହା ବିଶ୍ୱବ୍ୟାଙ୍କ ନିଜ ରିପୋର୍ଟରେ ପ୍ରକାଶ କରିଚାଲିଲା । ବିଶ୍ୱବ୍ୟାଙ୍କ ଯେ ନିଜ ଉଦେ୍ଦଶ୍ୟରେ ସଫଳ ହେଉଛି ତାହା ପ୍ରମାଣିତ ହେଉଥିଲା ।

ବିଶ୍ୱବ୍ୟାଙ୍କ ପ୍ରସ୍ତାବକ୍ରମେ ଓଡ଼ିଶା ସରକାର ଆଉଏକ ପାଦ ଆଗେଇ ଯାଇ କେବଳ ଜିଲ୍ଲାସ୍ତରରେ ନୁହେଁ ଲ୍ୟାଣ୍ଡବ୍ୟାଙ୍କ ପ୍ରତି ସବଡିଭିଜନ ସ୍ତରରେ ଲ୍ୟାଣ୍ଡବ୍ୟାଙ୍କ ଗଠନଲାଗି ବିଭିନ୍ନ ନିୟମ ବା ରୁଲ୍ସ ତିଆରି କଲେ । ସେସବୁ ହେଲା, ଦୁଇଫସଲିଆ ଜଳସେଚିତ ଜମିକୁ ମଧ୍ୟ ଅଧିଗ୍ରହଣ କରାଯିବାର ଲାଗି ରୁଲ୍ସ୨୦୧୬, ଇଡକୋକୁ ଲ୍ୟାଣ୍ଡବ୍ୟାଙ୍କ ଲାଗି ଆବଶ୍ୟକ ଜମିର ଅନୁସନ୍ଧାନ ଓ ହସ୍ତାନ୍ତର ଅଧିକାର ଦିଆଯିବା ଲାଗି ରୁଲ୍ସ୨୦୧୯ ପାସ ଇତ୍ୟାଦି ରହିଲା । ଯଦିଓ ଜମି-ଅଧିଗ୍ରହଣ ଆଇନ, ୨୦୧୩ରେ ଜମିଅଧିଗ୍ରହଣ ଲାଗି ଦୁଇଫସଲିଆ ଚାଷଜମିକୁ ସମ୍ପୂର୍ଣ୍ଣ ବାଦ ଦିଆଯିବାର ନିୟମ ରହିଛି କିନ୍ତୁ ରାଜ୍ୟ ସରକାର ମୂଳଆଇନର ବିରୁଦ୍ଧରେ କାର୍ଯ୍ୟ କରିଚାଲିଛନ୍ତି । ଦୋ ଫସଲିଆ ଚାଷଜମିଠାରୁ ଆରମ୍ଭ କରି ଗୋଷ୍ଠୀ ଜଙ୍ଗଲ ପର୍ଯ୍ୟନ୍ତ ସମସ୍ତ ପ୍ରକାରର ଜମିକୁ ଲ୍ୟାଣ୍ଡବ୍ୟାଙ୍କରେ ଗଚ୍ଛିତ କରୁଛନ୍ତି ।

ବିଭିନ୍ନ ରାଜ୍ୟ ନୂତନ ଜମିଅଧିଗ୍ରହଣ ଆଇନ,୨୦୧୩ର ମୂଳ ଉଦେ୍ଦଶ୍ୟକୁ ବଦଳାଇ ଦେଇଥିବାରୁ ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଛି । ରାଜ୍ୟମାନଙ୍କ ଏହି ନୂତନ ସଂଶୋଧନ ସମ୍ବିଧାନର ଧାରା୧୪ (ସମାନତାର ଅଧିକାର) ଓ ଧାରା୨୧ (ଜୀବନର ଅଧିକାର) ବିରୁଦ୍ଧାଚରଣ କରୁଛି ବୋଲି ଦର୍ଶାଯାଇଛି । କିନ୍ତୁ ଏହା ଏବେ ବି ବିଚାରାଧୀନ ରହିଛି । ସୁପ୍ରିମକୋର୍ଟ କୌଣସି ମଧ୍ୟବର୍ତ୍ତୀ ନିର୍ଦ୍ଦେଶ ଦେଇନଥିବା କାରଣରୁ ଓଡ଼ିଶା ସରକାର ତଥା ଅନ୍ୟମାନେ ଅତ୍ୟନ୍ତ ଅଗଣତାନ୍ତ୍ରିକ ଓ ଅସାମ୍ବିଧାନିକ ଭାବରେ ବର୍ଷବର୍ଷର ଚାଷଜମି, ଜଙ୍ଗଲ ଜମି ଓ ଗୋଷ୍ଠୀଜମି ଉପରେ ଶିଳ୍ପ କାରଖାନା ବସାଇବା ଲାଗି ବୃହତ କମ୍ପାନୀମାନଙ୍କୁ ସ୍ୱଳ୍ପ ମୂଲ୍ୟରେ ଲିଜଦେଇ ଚାଲିଛନ୍ତି । କେନ୍ଦ୍ର ସରକାରଙ୍କ ନୂତନ ଭୂ-ଅଧିଗ୍ରହଣ ଆଇନରେ (୨୦୧୩) ଲ୍ୟାଣ୍ଡବ୍ୟାଙ୍କ ପ୍ରସ୍ତାବ ଅତି ସନ୍ତର୍ପଣତାର ସହିତ ପ୍ରବେଶ କରିବା ପରେ ଓଡ଼ିଶା ସମେତ ଅନେକ ରାଜ୍ୟ ସରକାରଙ୍କ ଲାଗି ଏହା ଶସ୍ତାରେ କମ୍ପାନୀମାନଙ୍କୁ ଜମି ଯୋଗାଇଦେବାର ସୁଯୋଗ ନୂତନ ଜମି ଅଧିଗ୍ରହଣ ଆଇନ ମଧ୍ୟରେ ମିଳିଗଲା ।

କେବଳ ଏକଟଙ୍କିଆ ଚାଉଳ ପାଉଥିବା ଲୋକ ହିତାଧିକାରୀ? ଶସ୍ତାରେ ଜମି ପାଉଥିବା ଧନୀ କମ୍ପାନୀ ମାଲିକ କ’ଣ ହିତାଧିକାରୀ ନୁହେଁ? ସେ ବିଷୟରେ କେଉଁଠି ଆଲୋଚନା ହେଉ ନାହିଁ । ଆଲୋଚନା ହେଉନାହିଁ ନୁହେଁ ଅର୍ଥନୀତିର ସର୍ବଶକ୍ତିମାନଙ୍କ ନିଦେ୍ର୍ଦଶ ହେତୁ ଆଲୋଚନା କରାଇ ଦିଆଯାଉ ନାହିଁ । ଭାରତୀୟ ଜନତା ପାର୍ଟି ୨୦୧୪ ମସିହାରେ ଶାସନକୁ ଆସିବାମାତ୍ରେ ନୂତନ ଜମି ଅଧିଗ୍ରହଣ ଆଇନରେ ସଂଶୋଧନ କରିବା ଲାଗି ଅର୍ଡିନାନ୍ସ ଆଣିଥିଲେ । ଦେଶ ମଧ୍ୟରେ ଉକ୍ତ ଅର୍ଡିନାନ୍ସକୁ ପ୍ରବଳ ବିରୋଧ କରାଯିବାରୁ କେନ୍ଦ୍ର ସରକାର ଏହାକୁ ପ୍ରତ୍ୟାହାର କରିନେଲେ । ମାତ୍ର ସମସ୍ତ ରାଜ୍ୟ ସରକାରଙ୍କୁ ଶିଳ୍ପ ଅନୁକୂଳ ଆଭିମୁଖ୍ୟ ନେଇ ନୂତନ ଜମି ଅଧିଗ୍ରହଣ ଆଇନ କାର୍ଯ୍ୟକାରୀ କରିବା ଲାଗି ନିଦେ୍ର୍ଦଶଦେଲେ । ତେଣୁ ଆଜି ରାଜ୍ୟ ସରକାରମାନେ ଲ୍ୟାଣ୍ଡବ୍ୟାଙ୍କ କ୍ଷେତ୍ରରେ ମୂଳ ଆଇନଠାରୁ ଦୂରେଇ ଯାଉଥିଲେ ମଧ୍ୟ କେନ୍ଦ୍ର ସରକାର କୌଣସି ନିଷ୍ପତ୍ତି ନେଉନାହାନ୍ତି । ଦେଶରେ ଜନ ଆନେ୍ଦାଳନମାନଙ୍କ ଦୀର୍ଘବର୍ଷର ଲଢ଼େଇ ହେତୁ ନୂତନ ଜମି-ଅଧିଗ୍ରହଣ ଆଇନ (୨୦୧୩) ପାସ ହୋଇପାରିଥିଲା । ଏବେ ଦେଶବାସୀ ଲ୍ୟାଣ୍ଡବ୍ୟାଙ୍କ ଭଳି ବିଶ୍ୱବ୍ୟାଙ୍କ–ରାଜନେତା–ପ୍ରଶାସକଙ୍କ ମିଳିତ ଚାଲାକିରେ ସେମାନେ ଏବେ ପୁଣି କେତେବର୍ଷ ଲାଗି ପଛକୁ ଚାଲିଗଲେ । ଏବେ ଲ୍ୟାଣ୍ଡବ୍ୟାଙ୍କ ପ୍ରସ୍ତାବ ସମ୍ପୂର୍ଣ୍ଣ ଉଚ୍ଛେଦଲାଗି ସେମାନଙ୍କୁ ଦାବି କରିବାକୁ ପଡୁଛି ।

ସତରେ! ବିଶ୍ୱବ୍ୟାଙ୍କ ଲାଗି ଦେଖାଇଥିବା ତତ୍ପରତା ରାଜ୍ୟ ସରକାର ଯଦି ଜମିହୀନ ପରିବାର ଲାଗି ଦେଖାଇଥାନ୍ତେ ତେବେ ରାଜ୍ୟରେ ଦାଦନର ଚିତ୍ର ଭିନ୍ନ ହୋଇଥାନ୍ତା । ହେଲେ ବିଡ଼ମ୍ବନା ଯେ ଶିଳ୍ପ ବିକାଶର ସ୍ୱପ୍ନ ସମସ୍ତ ସରକାରଙ୍କୁ ଦିଶାଶୂନ୍ୟ ଓ ନୀତିଶୂନ୍ୟ କରିଛି ।

Comments

0 comments

Share This Article