ବଙ୍ଗଳାଦେଶ ୧୯୭୧ରେ ସ୍ୱାଧୀନତା ଲାଭ କଲାବେଳକୁ ତା’ର ଅର୍ଥନୀତି ଏତେ ବିପର୍ଯ୍ୟସ୍ତ ହୋଇପଡିଥିଲା ଯେ, ଅର୍ଥନୀତିଜ୍ଞମାନେ ଏହାର ଅର୍ଥନୀତି ଅନ୍ଧାର ଭିତରେ ବୋଲି କହିଥିଲେ । ଏପରିକି ଅନେକ ଅର୍ଥନୀତିଜ୍ଞ ଏହାକୁ ଏକ ‘ବାସ୍କେଟ କେସ’ ଅର୍ଥନୀତି ବୋଲି କହିବା ଆରମ୍ଭ କରି ଦେଇଥିଲେ । ସେତେବେଳେ ତା’ର ଜନସଂଖ୍ୟାର ପ୍ରାୟ ୯୦ପ୍ରତିଶତ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ଥିଲେ । ସେଠାରେ ଜନସଂଖ୍ୟା ଯେଉଁ ହାରରେ ବୃଦ୍ଧି ପାଉଥିଲା, ତାହା ବିସ୍ଫୋରକ ସ୍ଥିତିଆଡ଼କୁ ଅଗ୍ରସର ହେଉଥିବାରୁ ଆବଶ୍ୟକ ପରିମାଣର ଖାଦ୍ୟାନ୍ନ ଉତ୍ପନ୍ନ ନହୋଇ ଦେଶ ପକ୍ଷରେ ଦେଶବାସୀଙ୍କ ମୁହଁରେ ଦୁଇ ମୁଠା ଖାଦ୍ୟ ପହଞ୍ଚାଇବା ମଧ୍ୟ କଷ୍ଟକର ହୋଇପଡ଼ିବ ବୋଲି ଭବିଷ୍ୟବାଣୀ କରାଯାଉଥିଲା । ଅର୍ଥନୀତିକୁ ସୁଧାରିବାର ସମ୍ଭାବନା କ୍ଷୀଣ ହୋଇଥିବାରୁ ତାକୁ କୌଣସି ବିଦେଶୀ ଆର୍ଥିକ ସାହାଯ୍ୟ ଦେବାର ମାନେ ପ୍ରଦତ୍ତ ରାଶି ପାଣିରେ ପକାଇବା ବୋଲି କେହି କେହି କହିବାକୁ ମଧ୍ୟ ପଛାଉ ନଥିଲେ । ବଙ୍ଗଳାଦେଶର ସ୍ୱାଧୀନତା ସଂଗ୍ରାମ ସମୟରେ ସେଠାରୁ ଲକ୍ଷ ଲକ୍ଷ ସଂଖ୍ୟାରେ ରିଫ୍ୟୁଜି ପଳାୟନ କରି ଭାରତରେ ଆଶ୍ରୟ ନେଇଥିବାରୁ ଓ ତତ୍ ପରବର୍ତ୍ତୀ ସେଠାକାର ଦୁର୍ବଳ ଆର୍ଥିକ ସ୍ଥିତି ସମ୍ପର୍କରେ ଅବଗତ ଭାରତୀୟମାନଙ୍କ ମନରେ ଏବେ ବି ଧାରଣାଟିଏ ବସା ବାନ୍ଧି ରହିଯାଇଛି ବଙ୍ଗଳାଦେଶ ଏକ ଗରିବ ଦେଶ । ଦେଶର ବିଭିନ୍ନ ସହରରେ ବଙ୍ଗଳାଦେଶୀମାନେ ଅବୈଧ ଭାବେ ରହି ବିଭିନ୍ନ ଛୋଟମୋଟ କାର୍ଯ୍ୟରେ ନିୟୋଜିତ ହେବା ସେହି ଧାରଣାକୁ ପରିପୁଷ୍ଟ କରିଥାଏ । ହେଲେ ବଙ୍ଗଳାଦେଶ ଆଉ ଆଗ ବଙ୍ଗଳାଦେଶ ହୋଇ ରହିନାହିଁ । ଇତିମଧ୍ୟରେ ବଙ୍ଗଳାଦେଶ ଯେଉଁପରି ଦ୍ରୁତ ଅର୍ଥନୈତିକ ପ୍ରଗତି ହାସଲ କରି ଦାରିଦ୍ର୍ୟ ଦୂରୀକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିପାରିଛି, ତାହା ଅନେକଙ୍କ ପାଇଁ ହୁଏତ ଈର୍ଷା କଲାଭଳି ହୋଇପାରେ ।
ଆକାର ଦୃଷ୍ଟିରୁ ବଙ୍ଗଳାଦେଶର କ୍ଷେତ୍ରଫଳ ପ୍ରାୟ ୧.୪୮ଲକ୍ଷ ବର୍ଗ କିଲୋମିଟର ହୋଇଥିଲାବେଳେ ଓଡିଶାର କ୍ଷେତ୍ରଫଳ ପ୍ରାୟ ୧.୫୫ ଲକ୍ଷ ବର୍ଗ କିଲୋମିଟର । କିନ୍ତୁ ଲୋକସଂଖ୍ୟା ଦୃଷ୍ଟିରୁ ଓଡ଼ିଶାରେ ସାଢ଼େ ଚାରି କୋଟି ଲୋକ ବସବାସ କରୁଥିବା ବେଳେ ବଙ୍ଗଳାଦେଶରେ ପ୍ରାୟ ସାଢ଼େ ୧୬ କୋଟି ଲୋକ ବସବାସ କରୁଛନ୍ତି । ଅର୍ଥାତ୍ ପ୍ରାୟ ଓଡ଼ିଶାର ସମାନ ଆକାରର ବଙ୍ଗଳାଦେଶରେ ଓଡ଼ିଶାର ୪ଗୁଣ ଲୋକ ରହୁଛନ୍ତି । ଏହା ସତ୍ତ୍ୱେ ୧୯୭୧ରେ ନୂତନ ଭାବେ ଆବିର୍ଭାବ ହୋଇଥିବା ଏକ ଜନବହୁଳ ଦରିଦ୍ର ଦେଶ ମାତ୍ର ୫୦ବର୍ଷ ଭିତରେ ନିଜ ଦାରିଦ୍ର୍ୟକୁ ଯଥେଷ୍ଟ ହ୍ରାସ କରି ଅର୍ଥନୈତିକ ଦୃଷ୍ଟିରୁ ଏକ ଅଗ୍ରଣୀ ଦେଶ ଭାବେ ନିଜ ସ୍ଥିତିକୁ ଜାହିର କରିବା ଲାଗି ଯେଉଁ ସବୁ ପ୍ରୟାସ କରିଛି ସେଗୁଡ଼ିକର ଅନୁଶୀଳନ ହେବା ଆବଶ୍ୟକ । ବିଶ୍ୱର ଅନ୍ୟତ୍ର ଦାରିଦ୍ର୍ୟ ଦୂରୀକରଣ ଲାଗି ବଙ୍ଗଳାଦେଶକୁ ଏକ ମଡ଼େଲ ରୂପେ ଗ୍ରହଣ କରାଯାଇପାରେ ବୋଲି ୨୦୨୦ରେ ବିଶ୍ୱବ୍ୟାଙ୍କ ତରଫରୁ ପ୍ରଶଂସା କରାଯାଇଥିଲା । ତେଣୁ ସେହି ମଡ଼େଲଟିକୁ ବୁଝି ତାକୁ ଆବଶ୍ୟକ ସ୍ଥଳେ କାର୍ଯ୍ୟକାରୀ କରିବା ଜରୁରୀ ।
ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମି, ଶକ୍ତି କ୍ଷେତ୍ର ଆଦିର ବିକାଶରେ ବଙ୍ଗଳାଦେଶ ଯେଉଁ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି, ତାହା ଅବିଶ୍ୱସନୀୟ । ବିଶ୍ୱ ବ୍ୟାଙ୍କ ତଥ୍ୟ ଅନୁଯାୟୀ ସେଠାରେ ୨୦୨୧ରେ ପ୍ରାଥମିକ ସ୍କୁଲରେ ନାମଲେଖା (ମୋଟ) ହାର ୧୧୬ ପ୍ରତିଶତରେ ପହଞ୍ଚିଛି, ଯାହା ୨୦୦୦ରେ ୮୦ପ୍ରତିଶତ ଥିଲା । ସେହିପରି ଏହି ସମୟ ମଧ୍ୟରେ ମାଧ୍ୟମିକ ସ୍କୁଲରେ ନାମଲେଖା ୪୫ ପ୍ରତିଶତରୁ ବଢ଼ି ୮୦ପ୍ରତିଶତ ହେଲାଣି । ସ୍ୱାସ୍ଥ୍ୟ କ୍ଷେତ୍ରର ବିକାଶ ପ୍ରତି ଦିଆଯାଇଥିବା ଧ୍ୟାନଯୋଗୁଁ ସେଠାରେ ଜୀବନ ପ୍ରତ୍ୟାଶା (ହାରାହାରି ଆୟୁ) ୭୨ବର୍ଷକୁ ବୃଦ୍ଧି ପାଇଲାଣି, ଯାହା ୧୯୭୧ରେ ମାତ୍ର ୫୨ବର୍ଷ ଥିଲା । ଶିଶୁ ଓ ମାତୃ ମୃତ୍ୟୁହାର ମଧ୍ୟ ଆଶାତୀତ ଭାବେ ହ୍ରାସ ପାଇଛି । ଅତ୍ୟାବଶ୍ୟକ ସାଧାରଣ ସେବାରେ ପୁଞ୍ଜି ବିନିଯୋଗ କରି ମାନବ ସମ୍ୱଳ ବିକାଶର ଲକ୍ଷ୍ୟ ହାସଲ କରିବା ସେଠାକାର ସରକାଙ୍କର ସୁଚିନ୍ତିତ ନୀତି ଓ ନିଷ୍ପତ୍ତି ହୋଇଥିଲେ ବି ସେଥିପାଇଁ ଆବଶ୍ୟକ ବିପୁଳ ପରିମାଣରେ ଅର୍ଥ ରାଶିର ସିଂହଭାଗ ବିଶ୍ୱବ୍ୟାଙ୍କ ଓ ଆନ୍ତର୍ଜାତୀୟ ବିକାଶ ସଂଘ (ଆଇଡ଼ିଏ) ତରଫରୁ ଉପଲବ୍ଧ ହୋଇଥିଲା । ଦାରିଦ୍ର୍ୟ ଦୂରୀକରଣରେ ବଙ୍ଗଳାଦେଶ ଯେଉଁ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି ତାହା ନିମ୍ନ କେତୋଟି ଦାରିଦ୍ର୍ୟ ଇଙ୍ଗିତକାରୀ ସୂଚକରୁ ସହଜରେ ଅନୁମେୟ । ସେଠାରେ ୨୦୧୯ରେ ସମୁଦାୟ ଜନସଂଖ୍ୟାର ମାତ୍ର ୨୦.୫ ପ୍ରତିଶତ ଲୋକ ଜାତୀୟ ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଛନ୍ତି, ଯାହା ୧୯୯୧ରେ ୫୭ ପ୍ରତିଶତ ଥିଲା ।
ଭାରତରେ ୨୧.୯୨ ପ୍ରତିଶତ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ଥିବାବେଳେ ଓଡ଼ିଶାରେ ସେହି ପ୍ରତିଶତ ୩୨.୫୯ । ବର୍ତ୍ତମାନ ମୁଣ୍ଡପିଛା ଦୈନିକ ରୋଜଗାର ୧.୯୦ ଡଲାର (ପିପିପି- କ୍ରୟଶକ୍ତି ସମତା ଆଧାର)ରୁ କମ୍ ଆୟକୁ ଅନ୍ତର୍ଜାତୀୟ ଦାରିଦ୍ର୍ୟ ସୀମାରେଖା ବା ଚରମ ଦାରିଦ୍ର୍ୟ ବୋଲି ଗ୍ରହଣ କରାଯାଉଛି । ଭାରତୀୟ ମୁଦ୍ରାରେ ଏହା ଦୈନିକ ପ୍ରାୟ ୧୫୬ ଟଙ୍କା ହେବ । ବଙ୍ଗଳାଦେଶରେ ୨୦୨୧ରେ ମାତ୍ର ୪ ପ୍ରତିଶତ ଲୋକ ଚରମ ଦାରିଦ୍ର୍ୟରେ ଥିବାବେଳେ ଭାରତରେ ଏହି ଶ୍ରେଣୀରେ ପ୍ରାୟ ୧୦ପ୍ରତିଶତ ଲୋକ ଅଛନ୍ତି । ୫ ବର୍ଷରୁ କମ୍ ବୟସର ଶିଶୁ ମୃତ୍ୟୁହାର ପ୍ରତି ଏକ ହଜାର ଶିଶୁରେ ୨୯ । ଭାରତରେ ଶିଶୁ ମୃତ୍ୟୁହାର ୨୮ହୋଇଥିବା ବେଳେ ଓଡ଼ିଶାରେ ତାହା ୩୬ ରହିଛି । ବିଶ୍ୱ କ୍ଷୁଧା ସୂଚକାଙ୍କ ତାଲିକାରେ ଥିବା ୧୨୧ଟି ଦେଶ ମଧ୍ୟରେ ବଙ୍ଗଳାଦେଶ ୮୪ତମ ସ୍ଥାନରେ ଥିବାବେଳେ ଭାରତ ତାଠାରୁ ୨୩ଟି ସ୍ଥାନ ତଳେ ୧୦୭ତମ ସ୍ଥାନରେ ରହିଛି । ବେକାରି ହାର ମାତ୍ର ୪.୪ ପ୍ରତିଶତ । ବଙ୍ଗଳାଦେଶର ଦାରିଦ୍ର୍ୟ ଦୂରୀକରଣରେ ଏହାର ନିରନ୍ତର ଅର୍ଥନୈତିକ ଅଭିବୃଦ୍ଧି ଏକ ବଡ଼ ଭୂମିକା ନିର୍ବାହ କରିଛି । ଏହାର ଅର୍ଥନୈତିକ ବିକାଶ ହାର ଗତ ଦଶନ୍ଧିରେ କ୍ରମାଗତ ଭାବେ ୬ପ୍ରତିଶତରୁ ଅଧିକ ରହିଆସିଛି । କୋଭିଡ଼ ପରେ ୨୦୨୧-୨୨ରେ ଏହାର ଅର୍ଥନୈତିକ ବିକାଶ ହାର ୭.୨ପ୍ରତିଶତ ହେବା ଅନେକଙ୍କୁ ବିସ୍ମିତ କରିଛି । ଅଧୁନା ଏହା ବିଶ୍ୱର ଦ୍ରୁତତମ ଅର୍ଥନୈତିକ ଅଭିବୃଦ୍ଧିକାରୀ ଦେଶଙ୍କ ମଧ୍ୟରେ ଅନ୍ୟତମ । ଏହି ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି ଯୋଗୁଁ ଜାତିସଂଘ ତରଫରୁ ୨୦୧୮ରେ ବଙ୍ଗଳାଦେଶକୁ ଏକ ନିମ୍ନ ବିକଶିତ ଦେଶ ଶ୍ରେଣୀରୁ ଏକ ବିକାଶଶୀଳ ଦେଶ ଶ୍ରେଣୀକୁ ଉନ୍ନୀତ କରାଯାଇଛି । ଏଥିସହ ଏହାକୁ ଦକ୍ଷିଣ ଏସିଆର ସବୁ ଦେଶଙ୍କ ମଧ୍ୟରେ ସବୁଠାରୁ ସ୍ଥିର ଓ ସନ୍ତୁଳିତ ଅର୍ଥନୀତି ଭାବେ ଗ୍ରହଣ କରାଯାଇଛି ।
ଅନ୍ତର୍ଜାତିକ ମୁଦ୍ରାପାଣ୍ଠି ଅନୁଯାୟୀ ବଙ୍ଗଳାଦେଶର ଅର୍ଥନୀତି ଏବେ ବିଶ୍ୱର ୪୧ତମ ବୃହତ୍ ଅର୍ଥନୀତିରେ ପରିଣତ ହୋଇଥିବାବେଳେ ୨୦୩୫ ସୁଦ୍ଧା ତାହା ୨୫ତମ ସ୍ଥାନକୁ ଉନ୍ନୀତ ହେବାର ସମ୍ଭାବନା ଉଜ୍ଜ୍ୱଳ । ବର୍ତ୍ତମାନ ଏହା ଏକ ନିମ୍ନ-ମଧ୍ୟମ ଆୟକାରୀ ଦେଶ ହୋଇଥିଲେ ବି ଏହାର ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧିକୁ ଲକ୍ଷ୍ୟ କରି ୨୦୩୧ ସୁଦ୍ଧା ଏହା ଏକ ଉଚ୍ଚ ମଧ୍ୟମ ଆୟକାରୀ ଦେଶରେ ପରିଣତ ହେବା ସହ ୨୦୪୧ ସୁଦ୍ଧା ଏକ ବିକଶିତ ଦେଶରେ ପରିଣତ ହେବ ବୋଲି ପୂର୍ବାନୁମାନ କରାଯାଉଛି । ୨୦୦୭ରେ ବଙ୍ଗଳାଦେଶର ମୁଣ୍ଡପିଛା ଆୟ ୫୫୮ ଡଲାର ଥିଲାବେଳେ ଭାରତର ୧୦୨୮ ଡଲାର ବା ପ୍ରାୟ ୨ଗୁଣ ଅଧିକ ଥିଲା । ୨୦୨୦ରେ ପ୍ରଥମଥର ପାଇଁ ବଙ୍ଗଳାଦେଶର ମୁଣ୍ଡପିଛା ଆୟ ଭାରତ ତୁଳନାରେ ଅଧିକ ହେଲା । ୨୦୨୧-୨୨ରେ ଭାରତର ମୁଣ୍ଡପିଛା ଆୟ ୨୩୧୮ଡଲାର ହୋଇଥିବା ବେଳେ ବଙ୍ଗଳାଦେଶରେ ତାହା ପ୍ରାୟ ୫୦୦ଡଲାର ଅଧିକ ହୋଇ ୨୮୨୪ ଡଲାରରେ ପହଞ୍ଚି ସାରିଲାଣି । ଭାରତରୁ ଅଲଗା ହୋଇ ଦୁର୍ବଳ ଅର୍ଥନୈତିକ ପରିଚାଳନା ଯୋଗୁଁ ପାକିସ୍ତାନର ଅର୍ଥନୀତି ରସାତଳଗାମୀ ହୋଇଥିଲା ବେଳେ ପାକିସ୍ତାନରୁ ଅଲଗାହୋଇ ଉନ୍ନତ ଅର୍ଥନୈତିକ ପରିଚାଳନା ଯୋଗୁଁ ବଙ୍ଗଳାଦେଶର ଅର୍ଥନୀତି ପାକିସ୍ତାନ, ଏପରିକି ଭାରତ ତୁଳନାରେ ବି ଅଧିକ ସଶକ୍ତ ହୋଇପାରିଛି ।
ଉତ୍ପାଦନ (ମାନୁଫେକଚରିଂ) ଶିଳ୍ପର ଦ୍ରୁତ ବିକାଶ ପାଇଁ ବଙ୍ଗଳାଦେଶ ସରକାର ଦେଶରେ ସରକାରୀ ଓ ଘରୋଇଭାବେ ୧୦୦ଟି ବିଶେଷ ଅର୍ଥନୈତିକ ଅଞ୍ଚଳ (ଏସଇଜେଡ଼) ପ୍ରତିଷ୍ଠାର ଲକ୍ଷ୍ୟ ରଖିଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତି ବିଦେଶୀ ପୁଞ୍ଜିକୁ ଆକୃଷ୍ଟ କରିବା ଦିଗରେ ସହାୟକ ହୋଇ, ଅର୍ଥନୈତିକ ଅଭିବୃଦ୍ଧିକୁ ସୁନିଶ୍ଚିତ କରିଛି, ଯାହା ଦାରିଦ୍ର୍ୟ ଦୂରୀକରଣର ଏକ ପ୍ରମୁଖ କାରଣ ହୋଇଛି । ଏହି ଏସଇଜେଡରେ ବିଦେଶୀ କମ୍ପାନୀଗୁଡ଼ିକ ବେଶ ସୁରକ୍ଷିତ ଓ ଲାଭଜନକ ଭାବେ କାର୍ଯ୍ୟ ପରିଚାଳନା କରିପାରୁଥିବାରୁ ଅଧିକ ବିଦେଶୀ କମ୍ପାନୀ ସେଠାରେ ଉତ୍ପାଦନ ଶିଳ୍ପ ପ୍ରତିଷ୍ଠା କରିବାକୁ ଆଗ୍ରହ ପ୍ରଦର୍ଶନ କରୁଛନ୍ତି । ବଙ୍ଗଳାଦେଶ ବିଶ୍ୱର ଦ୍ୱିତୀୟ ସର୍ବାଧିକ ରେଡ଼ିମେଡ଼ ପୋଷାକ ରପ୍ତାନିକାରୀ ଦେଶ ହୋଇଥିବାରୁ ସେଠାରେ ତାହା ଏକ ପ୍ରମୁଖ ଶିଳ୍ପ ଭାବେ ଉଭା ହୋଇଛି । ତେବେ ଏସଇଜେଡ଼ଗୁଡ଼ିକରେ ବୈଷୟିକ ଜ୍ଞାନକୌଶଳ ଆଧାରିତ ଅନ୍ୟାନ୍ୟ ଶିଳ୍ପ ପ୍ରତିଷ୍ଠା ହୋଇ କୁଶଳୀ ଶ୍ରମିକଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେଉଛି ।
ବଙ୍ଗଳାଦେଶରେ ମାଇକ୍ରୋଫାଇନାନ୍ସର ବିକାଶ ସେଠାରେ ଦାରିଦ୍ର୍ୟ ଦୂରୀକରଣର ଏକ ବଡ଼ କାରଣ । ସେଠାକାର ମାଇକ୍ରୋଫାଇନାନ୍ସ କଥା ଉଠିଲେ ସାଧାରଣତଃ ନୋବେଲ ପୁରସ୍କାର ବିଜୟୀ ପ୍ରଫେସର ୟୁନୁସ୍ ମହମ୍ମଦଙ୍କ କଥା ଓ ଗ୍ରାମୀଣ ବ୍ୟାଙ୍କ ମଡ଼େଲ କଥା ମନକୁ ଆସିଥାଏ । କିନ୍ତୁ ଗତ ତିନିଦଶନ୍ଧି ଧରି ସେଠାରେ ଏମଏଫଆଇ ଓ ଏହାର ସଦସ୍ୟମାନଙ୍କର ଉଲ୍ଲେଖନୀୟ ବିସ୍ତାର ଘଟିଛି, ଯାହା ଅର୍ଥନୀତିକୁ ସୁଦୃଢ଼ କରିବାରେ ମଧ୍ୟ ସହାୟକ ହୋଇଛି । ସେଠାରେ ୭୪୬ଟି ପଞ୍ଜିକୃତ ଏମ୍ଏଫ୍ଆଇ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବ୍ୟାପୀ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ୩ କୋଟିରୁ ଊର୍ଦ୍ଧ୍ୱ ସଦସ୍ୟଙ୍କୁ ସେବା ପ୍ରଦାନ କରିଆସୁଛନ୍ତି । ଶହିଦୁର ଖଣ୍ଡକର ଓ ହୁସେନ୍ ସାମଦଙ୍କ ଦ୍ୱାରା ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼େ ଯେ ମାଇକ୍ରୋଫାଇନାନ୍ସ -ଜନିତ ବିବିଧ ହସ୍ତକ୍ଷେପ ଯୋଗୁଁ ସେଠାରେ ଆପେକ୍ଷିକ ଦାରିଦ୍ର୍ୟ ୧୩.୭ ପ୍ରତିଶତ ହ୍ରାସ ହୋଇଥିବାବେଳେ ଚରମ ଦାରିଦ୍ର୍ୟ ୮.୮ ପ୍ରତିଶତ ହ୍ରାସ ପାଇଛି । ଅଧିକନ୍ତୁ ଅନ୍ୟମାନଙ୍କ ତୁଳନାରେ ମାଇକ୍ରୋଫାଇନାନ୍ସର ସଦସ୍ୟମାନଙ୍କ କ୍ଷେତ୍ରରେ ଦାରିଦ୍ର୍ୟ ଅଧିକ ହ୍ରାସ ପାଇଛି । ଅବଶ୍ୟ କୋଭିଡ଼ ଯୋଗୁଁ ଆର୍ଥିକ ଗତିବିଧି ବାଧାପ୍ରାପ୍ତ ହୋଇଥିବାରୁ ଏମଏଫଆଇ ଓ ସେମାନଙ୍କର କାର୍ଯ୍ୟକ୍ରମଗୁଡ଼ିକ ଉପରେ ତାର ଗମ୍ଭୀର ପ୍ରଭାବ ପରିଲକ୍ଷିତ ହୋଇଛି । ତେବେ ଏହି ମହାମାରୀଯୋଗୁଁ ଦାରିଦ୍ର୍ୟ ଭିତରକୁ ଠେଲି ହୋଇଯାଇଥିବା ସଦସ୍ୟମାନଙ୍କୁ ଉଦ୍ଧାର କରି ପୁନଶ୍ଚ ସେମାନଙ୍କୁ ଆର୍ଥିକ ଗତିବିଧିର ମୁଖ୍ୟସ୍ରୋତରେ ଚଳଚଞ୍ଚଳ କରିବା ପାଇଁ ଏମଏଫଆଇମାନେ ସକ୍ରିୟ ଭୂମିକା ନିର୍ବାହ କରିବେ ବୋଲି ଆଶା କରାଯାଉଛି ।
ବଙ୍ଗଳାଦେଶର ପ୍ରଗତି ଓ ଦାରିଦ୍ର୍ୟ ଦୂରୀକରଣରେ ସେଠାକାର ଏନଜିଓ ଗୁଡ଼ିକର ଅବଦାନର ବିଶେଷ ଉଲ୍ଲେଖ ଆବଶ୍ୟକ । ସେଠାକାର ଏନଜିଓ ଆଫେୟାର୍ସ ବୁରୋ ଦ୍ୱାରା ପ୍ରଦତ୍ତ ତଥ୍ୟ ଅନୁଯାୟୀ ସ୍ଥାନୀୟ ଓ ବିଦେଶୀ ଏନଜିଓଙ୍କୁ ମିଶାଇ ସେଠାରେ ପ୍ରାୟ ୨୫୦୦ ଏନଜିଓ ପଞ୍ଜିକୃତ । ଏମାନଙ୍କ ମଧ୍ୟରୁ କେତେକ ନିଜ କାର୍ଯ୍ୟ ପରିସରକୁ ବିସ୍ତାର କରି ଋଣ ପ୍ରଦାନ କରୁଥିବାରୁ କେହି କେହି ସେଠାକାର ଏନଜିଓଗୁଡ଼ିକୁ ଏମଏଫଆଇ ଶ୍ରେଣୀର ବୋଲି କହିଥାଆନ୍ତି । ତେବେ ଏମଏଫଆଇଗୁଡ଼ିକ ‘କେବଳ ଋଣ’ କାର୍ଯ୍ୟ କରୁଥିଲାବେଳେ ଏନଜିଓଗୁଡ଼ିକ ଋଣ ସହ ଅନ୍ୟାନ୍ୟ କାର୍ଯ୍ୟରେ ସଂଶ୍ଳିଷ୍ଟ । ଏହି ଏନଜିଓଗୁଡ଼ିକ ଗ୍ରାମାଞ୍ଚଳର ଲୋକମାନଙ୍କ ଉତ୍ଥାନ ପାଇଁ ପୁନର୍ବାସନରୁ ଆରମ୍ଭ କରି ଶିକ୍ଷା, ସ୍ୱାସ୍ଥ୍ୟ ଓ ପରିବାର ନିୟୋଜନ, ମାଇକ୍ରୋକ୍ରେଡ଼ିଟ, ଆଇନ ସହାୟତା, ଭିତ୍ତିଭୂମି ବିକାଶ, ପରିମଳ ଓ ପାନୀୟ ଜଳଯୋଗାଣ, ଆଜୀବିକା, ନିରନ୍ତର ବିକାଶ ଭଳି ବିଭିନ୍ନ କାର୍ଯ୍ୟରେ ନିୟୋଜିତ । କିନ୍ତୁ ଅଧିକାଂଶ ଏନଜିଓଙ୍କର ଋଣ ପ୍ରଦାନ ମାଧ୍ୟମରେ ଦାରିଦ୍ର୍ୟ ଦୂରୀକରଣ ମୁଖ୍ୟ କାର୍ଯ୍ୟ ହୋଇଥିବାରୁ ସେଗୁଡ଼ିକୁ ଏନଜିଓ-ଏମଏଫ୍ଆଇ ବୋଲି କୁହାଯାଉଛି । ବସ୍ତୁତଃ ଦେଶରେ ମାଇକ୍ରୋକ୍ରେଡ଼ିଟର ବିସ୍ତାର ଏନଜିଓଙ୍କ ସକ୍ରିୟ ସହଯୋଗ ବିନା ସମ୍ଭବ ହୋଇନଥାଆନ୍ତା ।
ଏବେ ମଧ୍ୟ ସେଠାକାର ମାଇକ୍ରୋକ୍ରେଡିଟ କାର୍ଯ୍ୟକ୍ରମ ସରକାରୀ ନିୟନ୍ତ୍ରଣ ଓ ପ୍ରଭାବମୁକ୍ତ ହୋଇ ମୁଖ୍ୟତଃ ଏନଜିଓଙ୍କ ଦ୍ୱାରା ପରିଚାଳିତ ହେଉଛି । ସେଥିପାଇଁ ଏନଜିଓଗୁଡ଼ିକ ସରକାର ଓ ଦେଶୀ ବିଦେଶୀ ଅନ୍ୟାନ୍ୟ ସହାୟତା ପ୍ରଦାନକାରୀ ସଂସ୍ଥା (ଡୋନୋର ଏଜେନ୍ସି)ଙ୍କ ସହ ମିଶି ଗରିବ ଲୋକଙ୍କ ବିଭିନ୍ନ ଆବଶ୍ୟକତାକୁ ପୂରଣ କରୁଛନ୍ତି । ଏନଜିଓଗୁଡ଼ିକ ମାଇକ୍ରୋକ୍ରେଡ଼ିଟ ଓ ଅନ୍ୟାନ୍ୟ ମାନବୀୟ କାର୍ଯ୍ୟ ମାଧ୍ୟମରେ ସାଧାରଣ ଲୋକଙ୍କ ନିକଟତର ହୋଇ ସଫଳତାର ସହ କାର୍ଯ୍ୟ କରିବା ଦ୍ୱାରା ସେମାନଙ୍କ ବିଶ୍ୱସନୀୟତା ବଢ଼ିବା ସହ ଦେଶ ଗଠନରେ ଏନଜିଓ କ୍ଷେତ୍ରର ଗୁରୁତ୍ୱ ଅନୁଭୂତ ହେଲା । ଫଳରେ ସେମାନଙ୍କ ପ୍ରତି କ୍ରମେ ଅନ୍ତର୍ଜାତୀୟ ଡୋନୋର ଏଜେନ୍ସିଗୁଡ଼ିକର ଦୃଷ୍ଟି ଆକର୍ଷିତ ହୋଇ ସେମାନଙ୍କ ମାଧ୍ୟମରେ ବିଦେଶୀ ସହାୟତା ବୃଦ୍ଧି ପାଇବାକୁ ଲାଗିଲା । ଏବେ ବଙ୍ଗଳାଦେଶକୁ ଆସୁଥିବା ସମୁଦାୟ ଅନ୍ତର୍ଜାତୀୟ ସାହାଯ୍ୟର ୪୯ ପ୍ରତିଶତ ଏନଜିଓଗୁଡ଼ିକ ମାଧ୍ୟମରେ ଆସୁଛି, ଯାହା ୧୯୯୦ରେ ମାତ୍ର ୧୦ ପ୍ରତିଶତ ଥିଲା । ଅଧିକନ୍ତୁ ନିରନ୍ତର ବିକାଶ ଲକ୍ଷ୍ୟ (ଏସଡ଼ିଜି) ହାସଲ ପାଇଁ ଏନଜିଓଗୁଡ଼ିକ ସରକାରୀ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରୁଛନ୍ତି ଯାହା ଦାରିଦ୍ର୍ୟ ଦୂରୀକରଣକୁ ତ୍ୱରାନ୍ୱିତ କରିବାରେ ସହାୟକ ହେଉଛି ।
ତେବେ ଦାରିଦ୍ର୍ୟ ଦୂରୀକରଣ ଲାଗି ଏନଜିଓଗୁଡ଼ିକ ନିର୍ଦ୍ଦିଷ୍ଟ ଯେଉଁ ଦୁଇଟି କ୍ଷେତ୍ରରେ ସଫଳତା ହାସଲ କରିଛନ୍ତି, ତାହାହେଲା ଆର୍ଥିକ ସମାବେଶୀକରଣ ଓ ନିଯୁକ୍ତି ପ୍ରଦାନ । ବ୍ୟାଙ୍କ ତଥା ଅନ୍ୟ ଆନୁଷ୍ଠାନିକ ଆର୍ଥôକ ସେବାରୁ ବଞ୍ଚିତ ପ୍ରାୟ ୩ କୋଟି ଗରିବ ଲୋକଙ୍କୁ ସଞ୍ଚୟ, ଋଣ, ବୀମା, ଆର୍ଥିକ ଦେଣନେଣ, ଅର୍ଥ ପ୍ରେରଣ ଆଦି ସୁବିଧା ଯୋଗାଇ ଦେଇ ଆର୍ଥିକ ସମାବେଶୀକରଣ (ଫାଇନାନ୍ସିଆଲ ଇନକ୍ଲୁଜନ) ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାରେ ଏନଜିଓଗୁଡ଼ିକ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି । ସେହିପରି ଦେଶର ଉପାନ୍ତ ଅଞ୍ଚଳଗୁଡ଼ିକ ପର୍ଯ୍ୟନ୍ତ ମାଇକ୍ରୋକ୍ରେଡ଼ିଟ ପହଞ୍ଚାଇବା ପାଇଁ ଲକ୍ଷାଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ବିଭିନ୍ନ ଅଧ୍ୟୟନରୁ ଜଣାପଡ଼େ ଯେ ସହଜରେ ଋଣ ଉପଲବ୍ଧ ହେଉଥିବାରୁ ଅନେକ ଶ୍ରମଜୀବୀ ଏବେ ଆତ୍ମ ନିଯୁକ୍ତ ହେବାକୁ ପସନ୍ଦ କରୁଛନ୍ତି । ଫଳରେ ଶ୍ରମଜୀବୀଙ୍କ ଉପଲବ୍ଧତା ହ୍ରାସ ପାଇ ମଜୁରୀ ହାର ବୃଦ୍ଧି ହୋଇଛି । ଲୋକମାନେ କୃଷି ଅପେକ୍ଷା ଅଣକୃଷି କ୍ଷେତ୍ରରେ ଅଧିକ ନିୟୋଜିତ ହୋଇ ସେଥିରୁ ଅଧିକ ରୋଜଗାର କରୁଛନ୍ତି । ଅଧିକ ସଂଖ୍ୟାରେ ମହିଳା ଅଣକୃଷି କାର୍ଯ୍ୟରେ ଅଧିକ ସମୟ ପର୍ଯ୍ୟନ୍ତ ନିୟୋଜିତ ହୋଇପାରୁଛନ୍ତି, ଯାହା ମହିଳା ଶ୍ରମଶକ୍ତି ଭାଗୀଦାରି ହାର ବୃଦ୍ଧିରେ ସହାୟକ ହେଉଛି ।
ବଙ୍ଗଳାଦେଶ ସହ ଭାରତର ସୁଦୀର୍ଘ ସୀମା ରହିଛି ଯାହାର ଦୈର୍ଘ୍ୟ ଚୀନ ଓ ପାକିସ୍ତାନ ସହ ଥିବା ସୀମାଠାରୁ ବି ଅଧିକ । ଅଧିକନ୍ତୁ ଏହି ସୀମା ଛିଦ୍ରବହୁଳ ହୋଇଥିବାରୁ ନିଯୁକ୍ତି ଓ ରୋଜଗାର ଅନୁସନ୍ଧାନରେ ଉଭୟ ଦେଶ ମଧ୍ୟରେ ନାଗରିକଙ୍କ ବୈଧ ଓ ଅବୈଧ ଭାବେ ଯାତାୟତ ଲାଗିରହିଛି । ତେଣୁ କେବଳ ଯେ ବଙ୍ଗଳାଦେଶୀମାନେ ଭାରତକୁ ଅନୁପ୍ରବେଶ କରୁଛନ୍ତି, ତାହା ନୁହେଁ । ସ୍ୱରାଷ୍ଟ୍ର ମନ୍ତ୍ରାଳୟର ୨୦୦୯ର ତଥ୍ୟ ଅନୁସାରେ ବୈଧ ଓ ଅବୈଧ ଭାବେ ପ୍ରାୟ ୫ଲକ୍ଷ ଭାରତୀୟ ବଙ୍ଗଳାଦେଶର ଏନଜିଓ, ରେଡ଼ିମେଡ଼ ପୋଷାକ ଓ ଟେକ୍ସଟାଇଲ, ଆଇଟି ଶିଳ୍ପ ଓ ଅନ୍ୟତ୍ର କାର୍ଯ୍ୟ କରୁଥିଲେ । ବିଶ୍ୱ ବ୍ୟାଙ୍କ ଓ ଜାତିସଂଘର ଅନ୍ତର୍ଜାତୀୟ ଦେଶାନ୍ତରଣ ସଂସ୍ଥାର ତଥ୍ୟ ଅନୁଯାୟୀ ସେହି ସଂଖ୍ୟା ଏବେ ୧୦ଲକ୍ଷ ଟପିଗଲାଣି । ଆଧିକାରିକ ଭାବେ ୨୦୨୦ରେ ସେମାନେ ଭାରତକୁ ପ୍ରାୟ ୧୦୨୦ କୋଟି ଡଲାର ରେମିଟାନ୍ସ ଆକାରରେ ପଠାଇଥିଲେ ବି ଅବୈଧ ଭାବେ ତା’ଠାରୁ ଯଥେଷ୍ଟ ଅଧିକ ପରିମାଣର ରେମିଟାନ୍ସ ଆସିଥିବା ରିଜର୍ଭ ବ୍ୟାଙ୍କ ସୂତ୍ରରୁ ପ୍ରକାଶ । ପ୍ରାୟ ୮୯୦୦ କୋଟି ଡଲାର ଅର୍ଥ ରେମିଟାନ୍ସ ପାଇ ସାରା ବିଶ୍ୱରେ ଭାରତ ସର୍ବାଧିକ ରେମିଟାନ୍ସ ଗ୍ରହଣକାରୀ ଦେଶ ହୋଇଥିବାବେଳେ ପ୍ରାୟ ୨୨୦୦ କୋଟି ଡଲାର ରେମିଟାନ୍ସ ପାଇ ବଙ୍ଗଳାଦେଶ ସେହି ତାଲିକାରେ ୭ମ ସ୍ଥାନରେ ଅଛି । ଯେଉଁଭଳି ବଙ୍ଗଳାଦେଶୀମାନେ ଅବୈଧ ଭାବେ ଭାରତର ବିଭିନ୍ନ ଅଞ୍ଚଳରେ ବସବାସ କରୁଥିବାର ଅଭିଯୋଗ ହୁଏ, ସେହିପରି ବଙ୍ଗଳାଦେଶରେ ମଧ୍ୟ ଅବୈଧ ଭାବେ ରହୁଥିବା ଭାରତୀୟମାନେ ମୁଖ୍ୟତଃ ପଶ୍ଚିମବଙ୍ଗ, ତାମିଲନାଡ଼ୁ, ଦିଲ୍ଲୀ, ମଧ୍ୟ ପ୍ରଦେଶ, ଉତ୍ତରପ୍ରଦେଶ, ଗୁଜରାଟ ଆଦି ରାଜ୍ୟରୁ ଯାଉଥିବାର ଜଣାପଡ଼ୁଛି । ତେଣୁ ବଙ୍ଗଳାଦେଶ ଏକ ଗରିବ ଦେଶ କହି ତାକୁ ହେୟ ଜ୍ଞାନ କରିବା ବା ସେହି କାରଣରୁ ସେଠାରୁ ଲୋକମାନେ ଭାରତକୁ ଚାଲି ଆସୁଥିବା କହିବା ପ୍ରମାଦଯୁକ୍ତ ହୋଇପାରେ ।
ବଙ୍ଗଳାଦେଶରେ ଜନସଂଖ୍ୟାର ସାନ୍ଧ୍ରତା ଅଧିକ ଓ ଚାଷଜମିର ଉପଲବ୍ଧତା ମୁଣ୍ଡପିଛା ମାତ୍ର ୨୫ ଡେସିମିଲ । ତେଣୁ ଅଧିକ ଲୋକଙ୍କୁ ଅଣ କୃଷି କ୍ଷେତ୍ରରେ ରୋଜଗାରକ୍ଷମ କରି ସେମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଭିନ୍ନ ଅନ୍ୟ ପନ୍ଥା ନଥିଲେ ବି ସରକାର ସେହି ଆହ୍ୱାନକୁ ସଫଳତାର ସହ ଗ୍ରହଣ କରିଛନ୍ତି ଯାହା ଦାରିଦ୍ର୍ୟକୁ ହ୍ରାସ କରିବାରେ ସହାୟକ ହୋଇଛି । ସେଠାକାର ଦାରିଦ୍ର୍ୟ ଦୂରୀକରଣ ମଡ଼େଲର ବିଶେଷତ୍ୱ ହେଲା ଦାରିଦ୍ର୍ୟ ଦୂରୀକରଣରେ ଏନଜିଓଗୁଡ଼ିକର ଅବଦାନକୁ ସ୍ୱୀକାରପୂର୍ବକ ସେମାନଙ୍କ ସୂଚାରୁ କାର୍ଯ୍ୟ ସମ୍ପାଦନରେ ବାଧା ସୃଷ୍ଟି ନ କରି ଏକ ଅନୁକୂଳ ବାତାବରଣ ସୃଷ୍ଟି କରିବା । ଏହାଦ୍ୱାରା କେବଳ ବିଦେଶୀ ସାହାଯ୍ୟ ପ୍ରଦାନକାରୀ ସଂସ୍ଥାଙ୍କ ପୁଞ୍ଜିକୁ ଯେ ଆକର୍ଷିତ କରାଯାଇପାରୁଛି ତାହା ନୁହେଁ, ବରଂ ଦେଶରୁ ଦାରିଦ୍ର୍ୟ ଦୂର କରିବାଲାଗି ସରକାରୀ ଭିନ୍ନ ଅଧିକ ସଂଖ୍ୟାରେ ବେସରକାରୀ ଶ୍ରମ ଓ ମସ୍ତିଷ୍କ ମଧ୍ୟ ଉପଲବ୍ଧ ହୋଇପାରୁଛି । ବିଭିନ୍ନ ହିତଧାରକଙ୍କ ବିଶ୍ୱାସଭାଜନ ହୋଇ ସେମାନଙ୍କ ସକ୍ରିୟ ଅଂଶଗ୍ରହଣକୁ ସୁନିଶ୍ଚିତ କରି ବଙ୍ଗଳାଦେଶ ଯେଉଁପରି ଦ୍ରୁତ ଭାବେ ଦାରିଦ୍ର୍ୟ ଦୂର କରିବାକୁ ସମର୍ଥ ହେଲା, ତାହା ଅନୁଶୀଳନ କରି ସେଥିରୁ କିଛିଟା ଅନ୍ତତଃ କାର୍ଯ୍ୟକାରୀ କରାଯାଇପାରିଲେ ଭାରତରେ, ବିଶେଷ କରି ଓଡ଼ିଶାଭଳି ଦରିଦ୍ରତମ ରାଜ୍ୟଗୁଡ଼ିକରେ ଦାରିଦ୍ର୍ୟ ଦୂରୀକରଣ ପ୍ରକ୍ରିୟା ହୁଏତ ତ୍ୱରାନ୍ୱିତ ହୋଇପାରନ୍ତା ।
Comments
0 comments